• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜୁଏଲ ବନାମ ରାଜ୍ୟ ସରକାର

ଜୁଏଲଙ୍କ ବିସ୍ଫୋରକ ବୟାନ ପରେ ପୁଣି ଚର୍ଚାରେ ଖଣି ଦୁର୍ନୀତି

October 12, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦ ଦାତା

ସୁନ୍ଦରଗଡ, ୧୨ ଅକ୍ଟୋବର (ଓଡିଶା ଡଟ କମ) ସୁନ୍ଦରଗଡ ଜିଲ୍ଲାର ଏକ ରେଲୱେ ସାଇଡିଙ୍ଗ ନିକଟରେ ପ୍ରାୟ ତିରିଶ ହଜାର ଟନରୁ ଅଧିକ ଲୁହା ପଥର ବେଆଇନ ଭାବେ ଲୁଚାଇ ରଖାଯାଇଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ଲୋକ ସଭା ସାଂସଦ ଜୁଏଲ ଓରାମ ପ୍ରକାଶ କଲାପରେ ବହୁବର୍ଷ ଧରି ରାଜ୍ୟ ରାଜନୀତିକୁ ସରଗରମ ରଖିଥିବା ଖଣି ଦୁର୍ନୀତି ପୁଣିଥରେ ଚର୍ଚା କୁ ଆସିଛି ।

mining-1 mining-3ଜିଲ୍ଲାର କୋଇଡା ଅଞ୍ଚଳରେ ଥିବା ରେଞ୍ଡ଼ା ରେଲୱେ ସାଇଡିଂ ନିକଟରେ ପ୍ରାୟ ଦୁଇଶହ କୋଟି ଟଙ୍କାର ଏହି ଲୁହାପଥର ମାଟି ତଳେ ପୋତି ରଖାଯାଇଥିବା ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ତଥା ଶ୍ରମିକ ସଂଗଠନ ଅଭିଯୋଗ କଲାପରେ ଓରାମ ଉକ୍ତ ଅଞ୍ଚଳ ଗସ୍ତ କରିବା ସହ ଏହାର ତଦନ୍ତ ଦାବିକରିଛନ୍ତି ।

ବଣାଇ ମଜଦୁର ସଂଘ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ର ଅନୁସାରେ ଜଣେ ନିର୍ଦିଷ୍ଟ ବ୍ୟବସାୟୀ ଏହି ସାଇଡିଂରେ ୨୦୦୪ ମସିହାରୁ ବେଆଇନ ଭାବେ ଲୁହାପଥର ପରିବହନ କରିଆସୁଛନ୍ତି। ପରିବହନ କାର୍ଯ୍ୟରେ ଲାଗିଥିବା ବହୁ ଶ୍ରମିକଙ୍କୁ ସେ ଏପର୍ଯ୍ୟନ୍ତ ନିର୍ଧାରିତ ମଜୁରି ଦେଇନଥିବା ବେଳେ, ପାରିଶ୍ରମିକ ମାଗିଲେ ଭଡାଟିଆ ଗୁଣ୍ଡା ଲଗାଇ ସେମାନଙ୍କୁ ସେ ଧମକ ଦେଇଥିବା ଶ୍ରମିକ ସଂଘ ଅଭିଯୋଗ କରିଛି ।

୨୦୧୦-୨୦୧୧ ରେ ଖଣି ଦୁର୍ନୀତିର ତଦନ୍ତ କରୁଥିବା ଶାହା କମିଶନ ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଥିବା ସମୟରେ କାଳେ ଉକ୍ତ ଅଞ୍ଚଳକୁ ଆସିଯିବେ ସେ ଭୟରେ ସମ୍ପୃକ୍ତ ଠିକାଦାର ଟିକସ ଫାଙ୍କି ଏକାଠି କରିଥିବା ବହୁ ପରିମାଣର ଲୁହା ପଥରକୁ ମାଟିତଳେ ପୋତିରଖିଥିବା ସଂଘ ଅଭିଯୋଗ କରିଛି ।

ଜୁଏଲ ଓରାମ
ଜୁଏଲ ଓରାମ

ଶ୍ରମିକଙ୍କ ସହଯୋଗ ରେ ଚଳିତ ମାସ ପାଞ୍ଚ ତାରିଖ ଦିନ ସରଜମିନ ତଦନ୍ତ କରି ସ୍ଥାନୀୟ ଖଣି ନିରୀକ୍ଷକ ଚୋରା ଲୁହାପଥରକୁ ସାଇଡିଂରେ ପାଞ୍ଚ ଫୁଟ ମାଟି ତଳୁ ଖୋଳି ବାହାର କରିଥିବା ସଂଘ ପ୍ରକାଶ କରିଛି । ମାଟି ତଳେ ରହିଥିବା ଏହି ଲୁହାପଥରର ସୁରକ୍ଷା, ସମ୍ପୃକ୍ତ ଠିକାଦାରି ସଂସ୍ଥାର ମାଲିକ ଓ ତାଙ୍କୁ ସହଯୋଗ କରିଥିବା ସରକାରୀ ଅଧିକାରୀଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି ।

ଖଣି ଦୁର୍ନୀତିର ତଦନ୍ତ କରିଥିବା ଶାହା କମିଶନ ରାଜ୍ୟର ବିଭିନ୍ନ ଖଣି ପରିଦର୍ଶନ କରିଥିଲେ ମଧ୍ୟ ଏହି ସାଇଡିଂ ଅଞ୍ଚଳକୁ ଯାଇନଥିବା ଶ୍ରମିକ ସଂଘ କହିଛି । ଯଦିଓ ଉକ୍ତ ଅଞ୍ଚଳକୁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା, ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଉକ୍ତ ଦିନ ସ୍ଥାନୀୟ ଏକ ନିର୍ଦ୍ଦିଷ୍ଟ ଶ୍ରମିକ ସଂଗଠନ ଆନ୍ଦୋଳନ କରିବାରୁ ଉକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସ୍ତୃଷ୍ଟି ହୋଇଥିବା ପ୍ରଶାସନ ଦର୍ଶାଇ ଥିଲା ।

ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ମଧ୍ୟ ଥିବା ଦର୍ଶାଇ ପ୍ରଶାସନ ଶାହା କମିଶନଙ୍କ ଗସ୍ତକୁ ବାରଣ କରିଥିଲା । ଏହା ଫଳରେ ଶାହା କମିଶନ ଉକ୍ତ ଅଞ୍ଚଳକୁ ଗସ୍ତ କରିପାରିନ ଥିଲେ ବୋଲି ସଂଘ ଅଭିଯୋଗ କରିଛି ।ସଂଘ ସ୍ଥାନୀୟ କ ବଲାଙ୍ଗ ଥାନାରେ ଏକ ଏତଲା ମଧ୍ୟ ଦାୟର କରିଛି ।

ସମ୍ପୃକ୍ତ ଠିକାଦାରଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନ ଥିବା ବେଳେ, ଜିଲ୍ଲା ପୁଲିସ ମୁଖ୍ୟ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ପାଇନଥିବା ଦର୍ଶାଇଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟ ଖଣି ନିର୍ଦ୍ଦେଶାଳୟ ଏହାର ତଦନ୍ତ କରିବା ପାଇଁ ଏକ ସ୍ଵତନ୍ତ୍ର ଦଳ ପଠାଇଥିବା ପ୍ରକାଶ କରିଛି ।

mining-4ଜଣେ ପୂର୍ବତନ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ କହିବ ଅନୁଯାୟୀ ରେଳ ରେକ ରେ ଲୁହା ପଥର ଭର୍ତ୍ତି କରିବା ସମୟରେ ଟନ ପିଛା ପାଖାପାଖି ୫୦ କେଜି ରୁ ୭୦କେଜି ଲୁହାପଥର ଇତସ୍ତତ ପଡିଯାଇଥାଏ । ଏହାକୁ ସ୍ପୀଲଓଭର କୁହାଯାଏ। ଏହାକୁ ଗୋଟାଇ ପରବର୍ତ୍ତୀ ପରିବହନ ସମୟରେ ବ୍ୟବହାର କରାଯାଇଥାଏ।

ତେବେ ଏତେ ପରିମାଣର ସ୍ପୀଲଓଭର କୌଣସି ରେଲୱେ ସାଇଡିଂ ପ୍ଲଟ ରେ ମିଳିବା ଅସ୍ଵାଭାବିକ ଘଟଣା ବୋଲି ସେ କହିଛନ୍ତି । ଦ୍ଵିତୀୟରେ ସରକାରୀ ନିୟମ ଅନୁଯାଇ ରେଲୱେ ସାଇଡିଂ ପ୍ଲଟ ର ଚଟାଣ ସିମେଣ୍ଟ / କଂକ୍ରିଟ ଦ୍ଵାରା ପଲସ୍ତରା ହେବା ଜରୁରୀ, କିନ୍ତୁ ରେଞ୍ଡ଼ା ରେଳ ସାଇଡିଂରେ ଏହା କରାଯାଇନ ଥିବାରୁ ଖଣି ଚୋରି ପାଇଁ ଏହା ସହାୟକ ହୋଇଛି ବୋଲି ସେ କହିଛନ୍ତି ।

ଜୁଏଲ ବନାମ ରାଜ୍ୟ ସରକାର

ଗତ ସପ୍ତାହରେ ସ୍ଥାନୀୟ ଲୋକେ ଏହି ଲୁକ୍କାୟିତ ଲୁହାପଥରକୁ ଲୋକଲୋଚନକୁ ଆଣିବାକୁ ଅଣ୍ଟାଭିଡି ପ୍ରଥମେ କୋଇଡା ଖଣି ଉପନିର୍ଦେଶକଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ତେବେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ କେତେକ ସାମ୍ବାଦିକ ଭିଡିଓ ଚିତ୍ର ଉତ୍ତୋଳନ କରି ସ୍ଥାନୀୟ ଖଣି ଉପନିର୍ଦ୍ଦେଶକଙ୍କୁ ଦେଖାଇଥିଲେ ।

ପରବର୍ତୀ ସମୟରେ ସ୍ଥାନୀୟ ଲୋକେ ଭାରତୀୟ ଜନତା ପାର୍ଟିର ବଣାଇ ଜିଲ୍ଲା ସଂଗଠନକୁ ସମସ୍ତ କଥା ଅବଗତ କରାଇଥିଲେ। ପାର୍ଟିର ବଣାଇ ଜିଲ୍ଲା ସଂଗଠନ ଖଣି ଉପନିର୍ଦେଶକ, ଉପଜିଲ୍ଲାପାଳ ତଥା ଜିଲ୍ଲାପାଳ ଇତ୍ୟାଦିଙ୍କୁ ଲିଖିତ ପାତ୍ର ଲେଖି ହସ୍ତକ୍ଷେପ କରିବାକୁ ଦାବି କରିଥିଲେ।

ଯେପରି କେହି ଏହା ଠାବ କରି ନ ପାରିବେ ଅଥବା ସନ୍ଦେହ କରି ନପାରିବେ ସେହି ଉଦ୍ଦେଶ୍ୟରଖି ସମ୍ପୃକ୍ତ ଠିକାଦାର ଏହି ଲୁହାପଥର ଉପରେ ମାଟି ପକାଇ ତା ଉପରେ ରୋଲର ଚଳାଇ ଦେଇଥିବା ସେମାନେ ଅଭିଯୋଗ କରିଥିଲେ ।

ଏହି ଘଟଣା ଉଗ୍ର ରୂପ ନେବାରୁ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ହସ୍ତକ୍ଷେପ କରି ଯଥାକ୍ରମେ ଖଣି ଉପନିର୍ଦେଶକ, ଉପଜିଲ୍ଲାପାଳ, ଜିଲ୍ଲାପାଳ ତଥା ରାଜ୍ୟ ଖଣି ସଚିବ ଇତ୍ୟାଦିଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ଫଳ କିଛି ନ ହେବାରୁ ସେ ବାଧ୍ୟ ହୋଇ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ କେନ୍ଦ୍ରୀୟ ଦଳ ପଠାଇବାକୁ ଅନୁରୋଧ କରିଥିଲେ।

ଜୁଏଲଙ୍କ ଏହି ଚିଠି ପରେ ସ୍ଥାନୀୟ ଖଣି ଉପନିର୍ଦେଶକ ଏହି ସାଇଡିଙ୍ଗ ରେ କୌଣସି ଅନିୟମିତତା ହୋଇନଥିବା ଦର୍ଶାଇଥିଲେ । ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ “ସେମିତି କିଛି ହୋଇନାହିଁ, କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ମିଥ୍ୟା ଓ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ” ବୋଲି କହିଥିଲେ । ତେବେ କିପରି ଏତେ ପରିମାଣର ଲୁହା ପଥର ସାଇଡିଂ ନିକଟରେ ରହିଛି ସେ ସଙ୍କ୍ରାନ୍ତରେ ସେମାନେ କିଛି କହି ନଥିଲେ ।

ତେବେ ରାଜ୍ୟ ଖଣି ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶକରି ଓରାମ ସରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ଅଭିଯୋଗ ମିଥ୍ୟା ପ୍ରମାଣିତ ହେଲେ ସେ ରାଜନୀତି ଛାଡିଦେବେ ବୋଲି କହିଛନ୍ତି ।

ଓଡିଶା ଓ ଖଣି ଦୁର୍ନୀତି

ବିଭିନ୍ନ ରାଜ୍ୟରେ ଖଣି ଦୁର୍ନୀତି ହୋଇଥିବା ତଥ୍ୟ ସାମନାକୁ ଆସିବା ପରେ କେନ୍ଦ୍ର ସରକାର ୨୦୧୦ ମସିହାରେ ଏହାର ଯାଞ୍ଚ କରିବା ପାଇଁ ଅବସର ପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତି ଏମ ବି ଶାହାଙ୍କ ନେତୃତ୍ଵରେ ଏକ କମିଶନ ଗଠନ କରିଥିଲେ । ଏହି କମିଶନ ଅନ୍ୟ ରାଜ୍ୟ ସମେତ ଓଡିଶାରେ ମଧ୍ୟ ଏହାର ଯାଞ୍ଚ କରିଥିଲେ । ଜୁଲାଇ ୨୦୧୩ ରେ କମିଶନ ଓଡିଶା ରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ନିଜର ଚୁଡାନ୍ତ ରିପୋର୍ଟ ପ୍ରଦାନ କରିଥିଲେ ।

ଅବସର ପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତି ଏମ ବି ଶାହା
ଅବସର ପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତି ଏମ ବି ଶାହା

ଏହି ରିପୋର୍ଟ ରେ ଏହି ରାଜ୍ୟର କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ କେବଳ ପ୍ରାୟ ଷାଠିଏ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଇ ଏହା ଦେଶର ଅନ୍ୟତମ ବୃହତ୍ତମ ସ୍କାମ ବୋଲି ଦର୍ଶାଇଥିଲେ।

କମିଶନ ଏହି ଦୁର୍ନୀତିର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ କରିବା ପାଇଁ ସୁପାରିଶ କରିଥିବା ବେଳେ ଏ ପର୍ଯ୍ୟନ୍ତ କେନ୍ଦ୍ର ଅଥବା ରାଜ୍ୟ ସରକାର ଏ ବିଷୟରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ରାଜ୍ୟ ସରକାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ତଦନ୍ତର ଆବଶ୍ୟକତା ନ ଥିବା ଦର୍ଶାଇ ଆସିଥିବା ବେଳେ, ବିଜେପି ଓ କଂଗ୍ରେସ ଏହାର ବିରୋଧ କରିଆସୁଛନ୍ତି ।

ଗତ କିଛି ବର୍ଷ ଧରି ଖଣି ଦୁର୍ନୀତି ବିଷୟ ରାଜନୈତିକ ମହଲରେ ଆପାତତଃ ଗୁରୁତ୍ଵହୀନ ହୋଇ ପଡିଥିବା ବେଳେ, ଜୁଏଲଙ୍କ ବିସ୍ଫୋରକ ବୟାନ ପରେ ଏହା ପୁଣି ଚର୍ଚାକୁ ଫେରିଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଖଣି ଦୁର୍ନୀତି, ଜୁଏଲ ଓରାମ, ଜୁଏଲ ବନାମ ରାଜ୍ୟ ସରକାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ