ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ଜାନୁୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲାର ଜଣେ ୧୪ ବର୍ଷର ଛାତ୍ରୀଙ୍କୁ ଅପହରଣ, ଗଣବଳାତ୍କାର ଏବଂ ହତ୍ୟା ରହସ୍ୟର ପର୍ଦାଫାସ୍ ଦାବିରେ ମଙ୍ଗଳବାର ଶତାଧିକ ମହିଳା ଓ ପୁରୁଷ ଚନ୍ଦନପୁର ଥାନା ଘେରାଉ କରିଛନ୍ତି ।
ଜଣେ ପ୍ରଭାବଶାଳୀ ରାଜନେତା ତଥା ମନ୍ତ୍ରୀଙ୍କ ଚାପରେ ସଂପୃକ୍ତ ହତ୍ୟାକାଣ୍ଡକୁ ଆତ୍ମହତ୍ୟା ବୋଲି ପ୍ରମାଣ କରିଥିବା ଡ଼ାକ୍ତର ଓ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି ।
ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ୱରେ ମହିଳା, ପୁରୁଷ ଓ ଛାତ୍ର ସଂଗଠନର କର୍ମକର୍ତାମାନେ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ସଂପୃକ୍ତ ଘଟଣା ସଂପର୍କରେ ପୁନଃ ଅନୁସଂଧାନ ପାଇଁ ଏସ୍ଡ଼ିପିଓ ବିକ୍ଷୋଭକାରୀଙ୍କୁ ପ୍ରତିଶୃତି ଦେଇଥିଲେ ।
୭୨ ଘଣ୍ଟା ମଧ୍ୟରେ ଘଟଣାର ପୁନଃ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ କରାନଗଲେ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ ସହ ରାଜ୍ୟବ୍ୟାପୀ ଗଣଆନ୍ଦୋଳନ କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି ।
ପୁରୀ ସଦର ବ୍ଲକ ଶିଉଳୀ ତୋଟା ମାଳିସାହିର ଏହି ଛାତ୍ରୀଙ୍କୁ ଅପହରଣ କରିବା ପରେ ଗଣବଳାତ୍କାର ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।
ଓଡ଼ିଶା ଡ଼ଟ୍ କମ୍