କେଦାର ମିଶ୍ର
ଯେମିତି କୋଣାର୍କ ବିନା ଓଡିଶୀ ଐତିହ୍ୟର ଆଲୋଚନା ସମ୍ଭବ ନୁହଁ, ସେମିତି ଦିନନାଥ ପାଠୀ ଙ୍କ ବାଦଦେଇ ଆଧୁନିକ ଓଡିଶୀ ଚିତ୍ରକଳାର ଆକଳନ ସମ୍ଭବ ନୁହଁ।
କେବଳ ଚିତ୍ରକଳା ନୁହଁ ସାହିତ୍ୟ, ସଂଗୀତ, ନୃତ୍ୟ, ଲୋକ କଳା, ପର୍ୟଟନ ଓ କଳା ସଂଗଠନ କ୍ଷେତ୍ରରେ ତାଂକର ଅବଦାନ ଅତୁଳନୀୟ । ଦିଗପହଣ୍ଡିର ଡ୍ରଇଂ ମାଷ୍ଟର ଭାବେ ପରିଚିତ ଦିନନାଥ ନିଜ ଜୀବନରେ ବହୁ ପଥ ଅତିକ୍ରମ କରିଛନ୍ତି ଓ ତାଂକ ଚିତ୍ରକଳା ଓଡିଶାର ସୀମା ଟପି ଜାତୀୟ ଓ ଆନ୍ତର୍ଜାତିକ ସ୍ବୀକୃତି ପାଇଛି।
ୟୁରୋପ, ଆମେରିକା ଓ ଏସିଆର ବିଭିନ୍ନ ଦେଶରେ ସେ ଚିତ୍ରଶିଳ୍ପୀ ଭାବରେ ଓଡିଶା ର ପ୍ରତିନିଧିତ୍ଵ କରିଛନ୍ତି । ଯେଉଁଠିକି ବି ଯାଇଛନ୍ତି ସେଠିକି ନେଇଯାଇଛନ୍ତି ଓଡିଶା ମାଟିର ମହକ।
ତାଂକ ଚିତ୍ରକଳା ରେ ନୁଆ ରୂପ ପାଇଛି ଓଡିଆଣୀ ର ଝୋଟି ଚିତା, ସଉରା ଆଦିବାସୀର ଡୁମା ଓ ଡଂଗର, ଉଷାକୋଠି ଓ ପଟଚିତ୍ରର ବର୍ଣାଳୀ, ଗଣ୍ଡ ଭୈରବ ଓ ନବ ଗୁଂଜରର ରହସ୍ୟ, କନ୍ଦର୍ପ ରଥ ଓ ରାସ ଲୀଳାର ଯାଦୁକରୀ କମନୀୟ଼ତା ଓ ଓଡିଶାର ପ୍ରକୃତି।
ସେ ଚିଲିକା ପାଣିର ଚିତ୍ରକର, ନିଜକୁ କହନ୍ତି ରୂପଜୀବୀ ବୋଲି- କାରଣ ରୂପ ଭିତରେ ସ୍ବରୂପ ଖୋଜିବା ତାଂକର ଜୀବନ ଓ ଜୀବିକା ।
ତାଂକର ଚର୍ଚିତ ଆତ୍ମଜୀବନୀ “ଦିଗପହଣ୍ଡିର ଡ୍ରଇଂ ମାଷ୍ଟରେ” ରେ ସେ କୁହନ୍ତି- “ ବହୁ ଚେଷ୍ଟା କରି ଶେଷରେ ଡ୍ରଇଂ ମାଷ୍ଟରଟିଏ ହିଁ ହୋଇ ପାରିଲି। ସମାଜର ସବୁଠାରୁ ତୁଚ୍ଛ, ହେୟ, ଅପାଂକ୍ତେୟ ଏବଂ ଘୃଣ୍ୟ ହେଲା ଡ୍ରଇଂ ମାଷ୍ଟର ।‘’
ସେଇ ଡ୍ରଇଂ ମାଷ୍ଟର ଓଡିଶାର ଚିତ୍ରକଳା ରେ ଆଣିଛନ୍ତି ବୈପ୍ଲବିକ ପରିବର୍ତନ । ଶିଳ୍ପୀ ଓ ସାହିତ୍ୟିକ ଭାବରେ ନିଜଲାଗି ତିଆରି କରିଛନ୍ତି ଏକ ନିଆରା ପରିଚୟ । ପ୍ରଥମ ଓଡିଆ ଭାବରେ କେନ୍ଦ୍ର ଲଳିତ କଳା ଏକାଡେମୀ ର ସମ୍ପାଦକ ଦାୟିତ୍ଵ ତୁଲାଇଛନ୍ତି।
ଗଂଜାମୀ ଓଡିଆ କହି ନିଜର ଖାଂଟୀ ଦକ୍ଷିଣୀ ଥାଟ ରେ ପହଂଚି ଯାଇଛନ୍ତି ଜୁରିକ୍ ବା ଲଣ୍ଡନ । ଜୀବନ ତାଂକ ଲାଗି ଏକ ବିରାଟ ଦୁଃସାହସ । ୭୪ ବର୍ଷ ବୟସରେ ଆଜି (୨୯, ଅଗଷ୍ଟ,୨୦୧୬) ଅକସ୍ମାତ୍ ମୃତ୍ୟୁବରଣ କରିଥିବା ଦିନନାଥ ପାଠୀନ୍କ ବିଷୟରେ କେତୋଟି କଥା-
୧. ତାଂକ ନିଜ ଭାଷାରେ ସେ “ଦିଗ ଦିଶୁନାହିଁ ଦିଗ ପହଣ୍ଡି ଦିବସ ଅନ୍ଧାର, ହାଲ ଚାଲ ପଚାର କିସ ଜଂଗଲେ କରିଛି ଘର’’- ସେଇ ଜଂଗଲ ଓ ଅନ୍ଧାର ଘେରା ଦିଗପହଣ୍ଡି ରେ ତାଂକର ଜନ୍ମ ୧୯୪୨ ମସିହାରେ।
ବଡ ଭାଇ ଲୋକନାଥ ପାଠୀ ତାଂକର ଆଦ୍ୟଗୁରୁ। ନାଟକର ପରଦା ଅଂକନ ରୁ ଆରମ୍ଭ ହୁଏ ଚିତ୍ର ଶିକ୍ଷା । ଶିଳ୍ପ କଳା ମନ୍ଦିର- ବଡ ଭାଇ ଲୋକନାଥଂକ ଚିତ୍ରଶାଳାରୁ ଆରମ୍ଭ ହୁଏ ତାଲିମ ।
୨. ଗାଁ ରୁ ଖଲିକୋଟ୍ । ଓଡିଶାର ଏକମାତ୍ର ଚାରୁକଳା ମହାବିଦ୍ୟାଳୟ। ସେ ଅନୁଷ୍ଠାନ ଦିନନାଥଂକୁ ଯେମିତି ଗଢିଛି, ସେ ବି ତାକୁ ଗଢିଛନ୍ତି । ଶରତ କୁମାର ଦେବ, ଅଜିତ କେଶରୀ ରାୟ, ବିପ୍ରଚରଣ ମହାନ୍ତି ଓ ଆହୁରି ଅନେକ ଶିଳ୍ପୀ ଙ୍କ ଛାତ୍ର ହେବାର ସୁଯୋଗ ତାଂକୁ ଖଲିକୋଟ୍ ରେ ମିଳିଥିଲା । ପରେ ସେ ନିଜ ଶିକ୍ଷକଙ୍କ ସହକର୍ମୀ ହେବାର ସୁଯୋଗ ପାଇଛନ୍ତି ।
୩. ଶିଳ୍ପୀ ଭାବରେ ତାଂକ ଜୀବନ ବହୁ ଉଠାପକା ଦେଇ ଯାଇଛି। ଅନେକ ଚାକିରୀ ସେ କରିଛନ୍ତି ଓ ଛାଡିଛନ୍ତି । ଅନେକ ଅନୁଷ୍ଠାନ ଗଢିଛନ୍ତି ଓ ତାକୁ ଭାଂଗି ପୁଣି ନୁଆ କିଛି ଗଢିଛନ୍ତି। ଓଡିଶା ସଂଗ୍ରହାଳୟ, ଓଡିଶା ପର୍ଯ୍ୟଟନ, କେନ୍ଦ୍ର ଲଳିତ କଳା ଏକାଡେମୀ ..ଏମିତି ବହୁ ଅନୁଷ୍ଠାନ ରେ ସେ ନିଯୁକ୍ତ ହୋଇ କାମ କରିଛନ୍ତି ।
୪. ଭୁବନେଶ୍ଵର ବିଭୁତି କାନୁନଗୋ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ପ୍ରତିଷ୍ଠା ଓ ତାର ପରିଚାଳନା ରେ ସେ ଏକ ବିରାଟ ଭୂମିକା ନେଇଛନ୍ତି। ଓଡିଶାର ବହୁ ପ୍ରତିଭାବାନ୍ ଶିଳ୍ପୀ ଏହି ମହା ବିଦ୍ୟାଳୟରେ ତାଂକରି ହାତରେ ଗଢା ହୋଇ ଜାତୀୟ ଓ ବିଶ୍ଵବ୍ୟାପୀ ନାଁ କରିଛନ୍ତି। ଅଦ୍ଵେତ ଗଡନାୟକ, ଜଗନ୍ନାଥ ପଣ୍ଡା, ପ୍ରତୁଲ ଦାଶ ଓ ଆହୁରି ଅନେକ ଶିଳ୍ପୀ ତାଂକ ଛାତ୍ର ଭାବେ ଆଜି ବେଶ୍ ପ୍ରତିଷ୍ଠିତ ।
୫. ଚିତ୍ର ଶିଳ୍ପୀ ଭାବେ ତାଂକ ଶୈଳୀ କୁ ସବୁବେଳେ ସେ ଗଂଜାମ ଶୈଳୀ ବୋଲି କହି ଆସିଛନ୍ତି। ତାଂକ ରେଖା ର ଗତି ସେଥିଲାଗି ଅନେକାଂଶରେ ଅଳସ ଓ ତାଂକ ରଂଗ ଟିକେ ଅଧିକ ଗାଢ। ଅମୂର୍ତ୍ତ ତୁଳନାରେ ମୂର୍ତ୍ତି ଗଢିବା ତାଂକ ଶୈଳୀ ର ଏକ ବିଶେଷ ଲକ୍ଷଣ ।
ତାଂକର ଚର୍ଚିତ ଉପନ୍ୟାସ “ପୁନର୍ନବା’’ ରେ ସେ ଲେଖନ୍ତି – “ଚିତ୍ର କଣ ସତରେ ମଣିଷ ଭଳିଆ ଦିଶେ, ନା ମଣିଷଂକ ସ୍ବପ୍ନ ପରି ଲାଗେ ? ଚିତ୍ର କଣ ନିଜେଇ ମଣିଷ ନା ମଣିଷଂକ ଛାଇ? ମଣିଷ ପରି ଦିଶେ ଅଥଚ ମଣିଷ ନୁହେଁ “ ରୂପ ଓ ସ୍ଵରୂପ ଭିତରେ ଏକ ସୂକ୍ଷ୍ମ ଜଗତ ସେ ସୃଜନ କରନ୍ତି ।
୬. ଶିଳ୍ପୀ ଭାବରେ ସେ ଯେତିକି ବଡ, ଠିକ ସେତିକି ବଡ ଲେଖକ ଭାବରେ । କବିତା, ଉପନ୍ୟାସ, ଆତ୍ମଜୀବନୀ, ପ୍ରବନ୍ଧ, ଫିଚର ଓ ଗବେଷଣା ଗ୍ରନ୍ଥ କ୍ଷେତ୍ରରେ ତାଂକର ଅବଦାନ ଅନନ୍ୟ । ସାହିତ୍ୟ, ଚିତ୍ରକଳା ଓ ପ୍ରଦର୍ଶନକାରୀ କଳା ର ସମନ୍ଵୟ ଘଟାଇ ଏକ ବୌଦ୍ଧିକ ଆନ୍ଦୋଳନ ସେ ଓଡିଶାରେ ଆରମ୍ଭ କରିଥିଲେ ।
୭. ତାଂକର ଉପନ୍ୟାସ –ସାୟୋନାରା, ପୁନର୍ନବା, ଗଂଗାବତରଣ, ଗଚ୍ଛ କୋରଡରେ ହୃଦୟ ଇତ୍ୟାଦି ସାହିତ୍ୟ କ୍ଷେତ୍ରରେ ନୁଆ ଭାଷା ଓ ଶୈଳୀ ନିର୍ମାଣ କରିଛି । ଚିତ୍ର ଭାଷା କୁ ସାହିତ୍ୟର ଭାଷାରେ ରୂପାନ୍ତରିତ କଲାବେଳେ ଏକ ଚମତ୍କାର କାବ୍ୟ ର ଛଟା ସେ ତିଆରି କରି ଯାଇଛନ୍ତି।
୮. ନିଜ ଜୀବନ କାହାଣୀ କୁ ସାହିତ୍ୟ ର ମର୍ୟଦା ଦେବା କମ ସଫଳତା ନୁହଁ । ପ୍ରାୟ ୨୦୦୦ ପୃଷ୍ଠାର ଆତ୍ମଜୀବନୀ ସେ ଭିନ୍ନ ଭିନ୍ନ ଖଣ୍ଡରେ ଲେଖିଛନ୍ତି । ଦିଗପହଣ୍ଡିର ଡ୍ରଇଂ ମାଷ୍ଟର, ପୂଁଜିକୟାଁର ଫକିର, ଚିଲିକା ପାଣିର ଛାଇ, ରୂପଜୀବିର ଡାଏରୀ, କଲେଜ୍ ଗଢିବାର ବେଳ ଓ ଆହୁରି କିଛି ତାଂକ ଆତ୍ନଜୀବନୀ ର ବୟାନ।
ସତ୍ୟ କୁ ସ୍ଵୀକାର କରିବାରେ ସେ ବେଳେ ବେଳେ ଅତି ନିର୍ମମ ।ତାଂକ ଆଖିରେ ବନ୍ଧୁ ଓ ଶତୃର ଭେଦ ନଥାଏ। ତେଣୁ ତାଂକର ଆତ୍ମ ଜୀବନୀ ଅନେକଂକ ଲାଗି ଅସହଜ ।
୯.କଳା ସୃଷ୍ଟି, ତାର ସମୀକ୍ଷା ଓ ତାର ଇତିହାସ ରଚନା – ଏଇ ତିନୋଟି ଯାକ ବିନ୍ଦୁରେ ସେ ଥିଲେ ଅତ୍ୟନ୍ତ ଦକ୍ଷ। ଭାରତର ଅଳ୍ପ କେତେଜଣ କଳା ଐତିହାସିକଂକ ଭିତରୁ ସେ ଅନ୍ୟତମ । ଶହ ଶହ ପ୍ରବନ୍ଧ ସେ ଲେଖିଛନ୍ତି ଓ ସବୁଥିରେ ତାଂକ ବୌଦ୍ଧିକ ପ୍ରୟାସ ବାରୀ ହୋଇପଡେ। ନୃତ୍ୟ କ୍ଷେତ୍ରରେ ତାଂକର ପୁସ୍ତକ Rethinking Odissi ଅନେକ କିଛି ନୂତନତା ର ଆଭାସ ଦେଇଛି ।
୧୦. ସମ୍ପାଦନା, ସଂଗଠନ ଓ ନେତୃତ୍ବ – ଏଇ ତିନୋଟି କ୍ଷେତ୍ରରେ ତାଂକର ବିକଳ୍ପ ନାହିଁ । ଇଂରାଜୀ ରେ ତାଂକ ସମ୍ପାଦିତ “ଅଂଗରାଗ” ଏକ ଅନନ୍ୟ ପତ୍ରିକା । ବହୁ ପତ୍ରିକାର ସମ୍ପାଦନା ଓ ପୁସ୍ତକ ସମ୍ପାଦନାରେ ସେ ନିଜର ଅବଦାନ ଦେଇଛନ୍ତି। ପଚାଶ ବର୍ଷ ଧରି ବହୁ ସଂଗଠନ ର ସେ ନେତୃତ୍ଵ ନେଇଛନ୍ତି । ତାଂକ ସୃଷ୍ଟି ଓ ସମୀକ୍ଷା ର ଦିଗନ୍ତ ଏତେ ବିସ୍ତୃତ ଯେ ଯେତେ କହୁଥିଲେ ସରିବା ନାହିଁ।
ତେବେ ଜର୍ମାନ ଗବେଷକ ଏବର୍ହାର୍ଡ଼ ଫିଶରଙ୍କ ସହ ତାଂକର ସମ୍ପର୍କ ଓଡିଶାର କଳା କୁ ବିଶ୍ଵ ମାନଚିତ୍ରରେ ବେଶ୍ ପ୍ରତିଷ୍ଠା ଦେଇଛି ।
ଓଡିଶା ଡଟ କମ