• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦ୍ରୌପଦୀ ମୁର୍ମୁ

ସାମାଜିକ ସଶକ୍ତିକରଣର ପ୍ରତୀକ: ଦ୍ରୌପଦୀ ମୁର୍ମୁ

July 24, 2022 by admin Leave a Comment

ଅମାତ୍ୟ କୁମାର ପ୍ରଧାନ

ଆଜି ଦିନଟି ଓଡିଶା ଇତିହାସରେ ସ୍ଵର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ସବୁଠାରୁ ବଡ ସମ୍ବିଧାନିକ ପଦରେ ଆସୀନ ହେବେ ।

ସମଗ୍ର ମହିଳା ବର୍ଗ ବିଶେଷ ଭାବେ ଆଦିବାସୀ ଓ ସମଗ୍ର ଓଡିଶା ରାଜ୍ୟ ଯେଉଁଠି ୨୩% ଅର୍ଥାତ ଏକ ଚତୃଥାଂଶ ଜନସଂଖ୍ୟା ଆଦିବାସୀ ସେମାନଙ୍କ ପାଇଁ ଏକ ଉଲ୍ଲେଖନୀୟ ଘଟଣା।

ଭାରତ ଗଠନରେ ତଥା ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶ ମାତୃକା ପାଇଁ ନିଜର ପ୍ରାଣବଳି ଦେଇଥିବା ବିଭିନ୍ନ ବ୍ୟକ୍ତି ଓ ବର୍ଗ ବିଶେଷ ମାନଙ୍କ ଯୋଗଦାନକୁ ଆମେ ଯଦି ଆକଳନ କରିବା ତେବେ ଆଗଧାଡ଼ିରେ ଆସିବ ସରଳ ,ନିଷ୍କପଟ ,ଆଦିବାସୀ ସମ୍ପ୍ରଦାୟର ବୀର /ଵୀରାଂଗନା ମାନଙ୍କ ବଳିଦାନର କାହାଣୀ ।

ଭାରତ ସ୍ୱାଧୀନତା ହେବାର ୭୫ ବର୍ଷ ପଦାର୍ପଣରେ ଦେଶ ଯେତେବେଳେ ” ଆଜାଦୀ କା ଅମୃତ ମହୋତ୍ସବ ” ପାଳନ କରୁଛି ଏହିଭଳି ବୀର ମାନଙ୍କ ବୀରତ୍ୱର ଅନାଲୋଚିତ ଗାଥା ଜନ ସାଧାରଣ ଙ୍କ ସାମ୍ନାକୁ ଆସିବା ବିଧେୟ ।

କେନ୍ଦ୍ର ସରକାରଙ୍କ ତରଫରୁ ଦିଲ୍ଲୀ ବିଜ୍ଞାନ ଭବନ ଠାରେ ଏହି ଅମୃତ ମହୋତ୍ସବ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଅବସରରେ ସମ୍ପୃକ୍ତ ମନ୍ତ୍ରାଳୟ ତରଫରୁ ଅନେକ ଐତିହାସିକ ଗାଥାକୁ ପୁନରୁତ୍ଜୀବିତ କରିବା ପ୍ରୟାସ କଥା କୁହାଯାଇଛି ।

ମନ୍ତ୍ରାଳୟ ତରଫରୁ ସଦ୍ୟ ପ୍ରକାଶିତ ସୂଚନାରୁ ଆମେ ଜାଣି ପାରିବା ଯେ ସର୍ବ ଭାରତୀୟ ସ୍ତରରେ ପ୍ରମୁଖ ଆଦିବାସୀ ନେତୃତ୍ୱ ଯଥା ଝାରଖଣ୍ଡର ବିର୍ସା ମୁଂଡା, କାଁହୁ ମୁର୍ମୁ, /ଆନ୍ଧ୍ର ପ୍ରଦେଶର ଅଲୁରୀ ସୀତାରାମ ରାଜୁ ,ମଣିପୁରର ରାନୀ ଗିଦିନିଲୁ ,ବିହାରର ତିଳକ ମାଂଝୀ ,ମେଘାଳୟର ତୀରଥ ସିଂ ,ରାଜସ୍ଥାନ ର ଗୋବିନ୍ଦ ଗୁରୁ ପ୍ରଭୁତି ଆଦିବାସୀ ନେତା ଙ୍କ ନାମ ସର୍ବାଗ୍ରେ ରହିବ ।

ସେହିଭଳି ଓଡ଼ିଶାରେ ଆଦିବାସୀ ସମ୍ପ୍ରଦାୟର ବୀର ଯେଉଁ ମାନେ ଇଂରେଜ ଉପନିବେଶବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନିଜର ସର୍ବସ୍ବ ବଳିଦାନ କରିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ସମ୍ବଲପୁର ର ବୀର ସୁରେନ୍ଦ୍ର ସାଏ ,ଘୁମଷର ଅଂଚଳର ଚକ୍ରା ବିଶୋଇ ଓ ଦୋରା ବିଶୋଇ ,କେନ୍ଦୁଝରର ଧରଣୀଧର ନାୟକ ,କୋରାପୁଟର ଲକ୍ଷ୍ମଣ ନାୟକ ,ବରଗଡ ର ହଟେ ସିଂ ,ମାଧୋ ସିଂ ,ଅଇରୀ ସିଂ ,ବୈରୀ ସିଂ ,କୁଞ୍ଜେଲ ସିଂ ,ସୁନ୍ଦରଗଡ ର ମାଦ୍ରୀ କଲୋ ପ୍ରମୁଖ ।

ତେବେ ଆଦିବାସୀ ସମ୍ପ୍ରଦାୟର ଭୂମିକା ଦେଶ ଗଠନ ପାଇଁ ଅର୍ପଣ କରିଥିବା ପରିମାଣ ତୁଳନାରେ ପରବର୍ତୀ ସମୟରେ ସେମାନଙ୍କ ରାଜନୈତିକ ,ସାମାଜିକ ,ଆର୍ଥିକ,ସାଂସ୍କୃତିକ ଦୃଶ୍ୟପଟ୍ଟରେ ସେମାନଙ୍କ ପ୍ରାଧିନିଧିତ୍ବ ଅତି ନଗଣ୍ୟ ।

ସ୍ୱାଧୀନତା ପରବର୍ତୀ ସମୟରେ ଭାରତୀୟ ରାଜନୀତି ,ଆର୍ଥିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ପରିବାର ବାଦ ର ଦୁଶ୍ଚକ୍ର ଦ୍ୱାରା କବଳିତ ହେବ। ସାଧାରଣ ତଥା ନିମ୍ନ ବର୍ଗର ପ୍ରତିନିଧିତ୍ବ ପାଇଁ ଏକ ବିରାଟ ପ୍ରତିବନ୍ଧକ ସାବ୍ୟସ୍ତ ହେଲା ।

ଏ ପୃଷ୍ଠଭୂମିରେ ଓଡିଶାର ଉପାନ୍ତ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦରେ ଆସୀନ ହେବା ସମଗ୍ର ଓଡିଶା ତଥା ଦେଶର ଆଦିବାସୀ ତଥା ମହିଳା ବର୍ଗଙ୍କ ପାଇଁ ଏକ ଗର୍ବର ବିଷୟ ତଥା ଆଗାମୀ ଭାରତୀୟ ଗଣତନ୍ତ୍ର ପାଇଁ ଏକ ଗରୁତ୍ବପୁର୍ଣ୍ଣ ବିଷୟ ।

ଖୁସିର କଥା ହେଉଛି ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥୀତ୍ବ ପ୍ରତି ଜାତି ଧର୍ମ,ଦଳ ମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ ଜଣେଇଥିଲେ ତଥା ଆନ୍ତରିକ ଖୁସି ପ୍ରକଟ କରିଛନ୍ତି ।

ରାଜନୈତିକ ବିରୋଧୀ ବ୍ୟକ୍ତି ବିଶେଷ ମଧ୍ୟ ଦଳ ଗତ ସ୍ୱାର୍ଥ ରୁ ଉର୍ଧକୁକୁ ଉଠି ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅଭିହିତ କରିବାରେ କୁଣ୍ଠା ବୋଧ କରିନାହାନ୍ତି ।

ଏନ.ଡି.ଏ ଘଟକ ଦଳ ସହିତ ଏ ଆଇ.ଡି.ଏମ.କେ ,ବହୁଜନ ସମାଜ ଦଳ ,ଅପନା ଦଳ ,ରାଷ୍ଟ୍ରୀୟ ଲୋକ ଜନ ଶକ୍ତି ଦଳ ,ଆସାମ ଗଣ ପରିଷଦ ,ନାଗା ପିପୁଲ ଫ୍ରଣ୍ଟ ,ଜନ ନାୟକ ପାର୍ଟି ,ମିଜୋ ନେସନାଲ ଫ୍ରଣ୍ଟ ,ଲୋକ ଜନ ଶକ୍ତି ପାର୍ଟି ,ମହାରାଷ୍ଟ୍ର ନବ ନିର୍ମାଣ ସେନା ,ଶିବ ସେନା(ଥାକରେ ) ଓ ଶିବ ସେନା(ସିନ୍ଧେ ) ,ଝାରଖଣ୍ଡ ମୁକ୍ତି ମୋର୍ଚ୍ଛା ,ସିକ୍କିମ କ୍ରାନ୍ତି କାରୀ ମୋର୍ଚା ,ହିନ୍ଦୁସ୍ତାନୀ ଆବମ ମୋର୍ଚା ,ବୋଡୋ ଲାଣ୍ଡ ମୋର୍ଚା ,ମହାରାଷ୍ଟ୍ରବାଦୀ ଗୋମନ୍ତଙ୍କ ପାର୍ଟି ,ଆର .ପି.ଆଈ, ତାମିଲ ମାନିଲା କଂଗ୍ରେସ ,ଶିରୋମଣି ଅକାଲି ଦଳ ,ଟି.ଡି.ପି ପ୍ରଭୁତି ୨୦ ରୁ ଅଧିକ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ଶ୍ରୀମତୀ ମୁର୍ମୁ ଙ୍କୁ ଆନୁଷ୍ଠାନିକ ସମର୍ଥନ ଜ୍ଞାପନ କରିଛନ୍ତି ।

ଆମ ଓଡ଼ିଶାର ବିଜୁ ଜନତା ଦଳ ତାଙ୍କୁ ସମର୍ଥନ କରିବା ସହ ଅନ୍ୟ ଦଳକୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ।

ତେବେ କିଛି ଲୋକ ଭାରତ ଭଳି ବିରାଟ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ସାମ୍ବିଧାନିକ ପଦ ପାଇଁ ଶ୍ରୀମତୀ ମୁର୍ମୁଙ୍କ ଉପରେ ଭୃକୁଞ୍ଚନ କରିଥିଲେ ଯାହାକି ଏକ ସାମନ୍ତ ବାଦି ମାନସିକତା ଛଡା ଆଉ କିଛି ନୁହେଁ ।

ଆମ ଅବଚେତନାରେ ବସା ବାନ୍ଧିଥିବା ଦୁଇ ସହ ବର୍ଷର ଗୁଲାମି ଯୋଗୁଁ ହେଉ ବା ଆଉ କିଛି ଯୋଗୁଁ ବଡ ପଦ ପଦବୀ ପାଇଁ ଆମେ ରାଜା ରାଜୁଡା ବା ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେଖିବାକୁ ଚାହୁଁ କିନ୍ତୁ ଭାରତ ଭଳି ଏକ ତନ୍ତ୍ରର ମୁଖ୍ୟ ଯଦି ଜଣେ “ଗଣ”(ସାଧାରଣ ଜନତାଙ୍କ ଭିତରୁ ନିଜ ଯୋଗ୍ୟତା ବଳରେ ଉଠିଥିବା ବ୍ୟକ୍ତି ) ଆସୀନ ନ ହେବ ତେବେ ଆମ ଗଣତନ୍ତ୍ର ପରିପକ୍ୱ ହେଉଛି ବୋଲି କେମିତ ଜାଣିବା ।

ରାଜନୈତିକ ଚଷମାର ବାହାରେ ରହି ଆମେ ଯଦି ଆଗାମୀ ୨୫ ବର୍ଷ ପରବର୍ତି ଭାରତୀୟ ଗଣତନ୍ତ୍ରକୁ ଜଣେ ସାଧାରଣ ନିର୍ଲିପ୍ତ ନାଗରିକର ନିର୍ମଳ ଚକ୍ଷୁରେ ଅବଲୋକନ କରିବା ତେବେ ନିହାତି ଭାବରେ ଶ୍ରୀମତୀ ମୁର୍ମୁଙ୍କ ନିର୍ବାଚନ ନିମ୍ନ କେତୋଟି ଦୃଷ୍ଟିରୁ ଆତ୍ମସନ୍ତୋଷ ପ୍ରଦାନ କରିବାରେ ସହାୟକ ହେବ ।

ଦ୍ରୌପଦୀ ମୁର୍ମୁଙ୍କ ଚେହେରାରେ ଓଡିଶା କାହିଁକି ଭାରତର କୋଣ ଅନୁକୋଣରେ ବସବାସ କରୁଥିବା ସାଧାରଣ ଆଦିବାସୀ,ବନବାସୀ ଖଟିଖିଆ ମଣିଷ ମାନଙ୍କ ମନରେ ଏକ ନୂତନ ଅଶାର ସଂଚାର ହୋଇଛି ତଥା ସେମାନେ ରାଜନୈତିକ ମୁଖ୍ୟ ସ୍ରୋତ ସହ ନିଜକୁ ଅଂଶୀଦାର ଭାବରେ ଯୋଡି ପାରିଛନ୍ତି ।

ଭାରତରେ ପୂର୍ବ ପଟରେ ଅବସ୍ଥିତ ଓଡ଼ିଶାର ବଣପାହାଡ଼ ଘେରା ଉପାନ୍ତ ମୟୁରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଅଖ୍ୟାତ ଉପରବେଡା ଗ୍ରାମର ଆଦିବାସୀ ସାନ୍ତାଳୀ ପରିବାରରେ ଜନ୍ମିତ ମହିଳା ଯେ ଦିନେ ସମଗ୍ର ଭାରତ ଭଳି ଦେଶର ରାଷ୍ଟ୍ରପତି ହେବ ଏହା କୁହୁକ କାହାଣୀର ସ୍ବପ୍ନ ପ୍ରତୀୟମାନ ହେଲେ ମଧ୍ୟ ତାହା ସତ୍ଯରେ ପରିଣତ ହୋଇଛି।

ଓଡ଼ିଶାର ଗୌରବମୟୀ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହେଲା ଯାହାକି ସମଗ୍ର ସାଧାରଣ ଜନତା ଙ୍କ ମନରେ ନୂତନ ଉନ୍ମାଦନା ସୃଷ୍ଟି କରିଛି ।

ପ୍ରଥମରୁ ବର୍ଣିତ ଆଦିବାସୀ ସ୍ୱାଧୀନ ସଂଗ୍ରାମୀ ମାନଙ୍କ ବଳିଦାନ ପାଇଁ ବୋଧହୁଏ ଏହା ସର୍ବୋତ୍କୃଷ୍ଟ ଉପହାର ଓ ସ୍ୱାଧୀନତା ବାର୍ଷିକ ଜୟନ୍ତୀ ର ସେମାନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ତଥା ସ୍ୱୀକୃତି ।

ଶ୍ରୀମତୀ ମୁର୍ମୁ କୌଣସି ରାଜନୈତିକ ଅନୁଗ୍ରହରେ ଆଜି ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି ତାହା କଦାପି ଭାବିବା ଉଚିତ ନୁହେଁ କାରଣ ଅନ୍ୟ କୌଣସି ସଂଗ୍ରାମୀ ଵୀରାଂଗନାଙ୍କ ସଂଘର୍ଷ ଠାରୁ ଶ୍ରୀମତୀ ମୁର୍ମୁଙ୍କ ଜୀବନୀ ଜୀବନ ସଂଗ୍ରାମ କୌଣସି ଗୁଣରେ କାମ ନୁହେଁ ।

ସୁଦୂର ଉପାନ୍ତ ବଣପାହାଡ ଘେରା ଗରିବ ଆଦିବାସୀ ପରିବାରରେ ୨୦ ଜୁନ ୧୯୫୮ ରେ ଜନ୍ମିତ ସାଧାରଣ ଝିଅ ମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ଶେଷ କରିବା ସେତେବେଳେ ସ୍ବପ୍ନ ପ୍ରାୟ ।

ସାହସ ,ସାଧନା ଓ ସଂଘର୍ଷ ଜଣେ ସାଧାରଣ ବ୍ୟକ୍ତି କୁ କିଭଳି ଅସଧାରଣରେ ପରିଣତ କରିପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ସେ ଆଜି ସମଗ୍ର ସାଧାରଣ ଜନତା ଙ୍କ ପାଇଁ ପ୍ରେରଣା ର ଉତ୍ସ ।

ସେ ନିଜେ ତାଙ୍କର ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କର ବାଲ୍ୟ କାଳ କେତେ ସଂଘର୍ଷମୟ ଥିଲା । ପ୍ରାଥମିକ ଶିକ୍ଷା ପାଇଁ ସେ ପାଣି ,କାଦୁଅ ବିଲ ପାହାଡ଼ରେ କିଭଳି ପରିଶ୍ରମ କରିବା ପୂର୍ବକ ଶିକ୍ଷାରେ ପୂର୍ଣ୍ଣଛେଦ ପଡିବାକୁ ଦେଇ ନାହାନ୍ତି ।

ଗଣମାଧ୍ୟମରୁ ଜାଣିବାକୁ ମିଳିଛି ଯେ ପ୍ରାଥମିକ ଶିକ୍ଷା ପରେ ପୂର୍ଣ୍ଣଛେଦ ପଡିବ। ଆଶଙ୍କା ଥିବାରୁ ୧୩ ବର୍ଷ ବୟସରେ ସେ ଆଗକୁ ପଢିବା ଓ ବଢିବାର ଅଦମ୍ୟ ଇଛା ଯୋଗୁଁ ତତ୍କାଳୀନ ବିଧାୟକଙ୍କୁ ଅନୁରୋଧ କରି ୟୁନିଟ -୨ ବାଳିକା ଉଚ୍ଚ ବିଦ୍ୟାଳୟ ରେ ନାମ ଲେଖାଇଥିଲେ ଓ ରମା ଦେବୀ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ସମାପନ କରିଛନ୍ତି ।

ଯେଉଁ ସମୟରେ ଜଣେ ଆଦିବାସୀ ଝିଅ ପ୍ରାଥମିକ ଶିକ୍ଷା ପାଇବା ମଧ୍ୟ ଏକ କାଠିକର ପାଠ ଥିଲା ସେତେବେଳେ ଏକ ନିପଟ ମଫସଲରୁ ବାହାରି ରାଜଧାନୀ ଭୁବନେଶ୍ୱର ରେ ଶିକ୍ଷା ଲାଭ କରିବା କେତେ ସଂଘର୍ଷମୟ ହୋଇନଥିବ ।

ଏ ସବୁ ସତ୍ୱେ ତାଙ୍କ ଠାରେ ଥିବା ନେତୃତ୍ୱ ନେବା ଗୁଣର ପ୍ରତିଫଳନ ସେହି ପିଲା ଦିନ ଠାରୁ ଜଣାପଡିଥିଲା । ଏତେ କଷ୍ଟରେ ପାଠ ପଢ଼ୁଥିବା ଜଣେ ଛାତ୍ରୀ ସବୁ ଅନ୍ୟୟକୁ ସହି ନ ଯାଇ ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏକ ନେତୃତ୍ୱ ନେବାର ପ୍ରତିଭା ସମ୍ପର୍କରେ ସୂଚାଏ ଯାହାକି ଏକ ଅତ୍ୟନ୍ତ ସାହସୀ ଓ ଅନ୍ୟାୟ କୁ କୌଣସି ପରିସ୍ଥିତିରେ ସହ୍ୟ ନକରିବାର ଗୁଣ ।

ଅନ୍ୟ ସାଧାରଣ ନିମ୍ନ ମଧ୍ୟବିତ୍ତ ପରିବାରର ମହିଳା ନିଜ ପରିବାରକୁ ସହଯୋଗ କରିବା ଉଦେଶ୍ୟରେ କର୍ମ ସଂସ୍ଥାନ ଯୋଗାଡ଼ କରିବା ଭଳି ଶ୍ରୀମତୀ ମୁର୍ମୁ ମଧ୍ୟ ଶିକ୍ଷା ସମାପ୍ତି ପରେ ଓଡିଶା ସରକାରଙ୍କ ଅଧୀନରେ ୧୯୭୯ ମସିହାରୁ ୧୯୮୩ ପର୍ଯ୍ୟନ୍ତ ଜଳ ସମ୍ପଦ ଓ ଶକ୍ତି ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିଛନ୍ତି ।

ବ୍ୟାଙ୍କ ଅଧିକାରୀ ଶ୍ରୀଯୁକ୍ତ ଶ୍ୟାମ ଚରଣ ମୁର୍ମୁଙ୍କ ସହିତ ବିବାହ ପରେ ଶାଶୁ ଘରର ଅନୁରୋଧରେ ନିଜ ଘର ସଂସାର ସମ୍ଭାଳିବା ପାଇଁ ସରକାରୀ ଚାକିରୀ ଛାଡି ଦେଇଛନ୍ତି ।

ରାଇରଙ୍ଗପୁର ଅରବିନ୍ଦ ବିଦ୍ୟାଳୟରେ ଶିକ୍ଷୟତ୍ରୀ (ମାଗଣା ଶିକ୍ଷାଦାନ)କରିବା ପୂର୍ବକ ନିଜ ପରିବାରର ସମସ୍ତ ଦାୟୀତ୍ୱ ମୁଣ୍ଡାଇଛନ୍ତି । ତେବେ ତାଙ୍କ ଜୀବନର ସବୁଠାରୁ ସଂଘର୍ଷ ପୁର୍ଣ ସମୟ ଯାହାକୁ ଅତ୍ୟନ୍ତ ଧୈର୍ୟର ସହିତ ସେ ମୁକାବିଲା କରିଛନ୍ତି ତାହା ହେଉଛି ୨୦୦୯ ରେ ଓ ୨୦୧୩ ପ୍ରାୟ ଚାରି ବର୍ଷ ଅନ୍ତରରେ ତାଙ୍କର ଦୁଇଜଣ ଯୁବକ ପୁତ୍ର ମାନଙ୍କ ଅକାଳ ମୃତ୍ୟୁକୁ ସହ୍ୟ କରିବା ତଥା ୨୦୧୪ ରେ ତାଙ୍କର ସ୍ୱାମୀକୁ ହରାଇବା ।

ତେବେ ଏହିସବୁ କଠିନ ଓ ଦୁଖଦ ସମୟରୁ ନିଜକୁ ସମ୍ଭାଳି ଆଧ୍ୟାତ୍ମିକ ପଥରେ ବ୍ରହ୍ମକୁମାରୀଙ୍କ ସାନ୍ନିଧ୍ୟରେ ଆଗକୁ ବଢିବାର ପ୍ରୟାସ କରି ସଫଳ ହୋଇଛନ୍ତି । ସେ କହିଛନ୍ତି ଯେ ଏହି ସମୟରେ ସେ କିଭଳି ଗଭୀର ମାନସିକ ଅବସାଦ ମଧ୍ୟରେ ଗତି କରିଛନ୍ତି । ଅନ୍ୟ କିଏ ହୋଇଥିଲେ ଏ ସମୟ ରେ ଭାଙ୍ଗି ପଡି ଆଉଥରେ ସମ୍ଭାଳିବା ହୁଏତ କଷ୍ଟକର ହୋଇଥାନ୍ତା ।

ଏହିସବୁ ପାରିବାରିକ ତଥା ବ୍ୟକ୍ତିଗତ ଦୁଃସ୍ଥିତିକୁ ଧୈର୍ୟର ସହ ସହ୍ୟ କରି ଏହି ଦୃଢ ମନ ମହିଳାଙ୍କ ଏକନିଷ୍ଠ ସାଧନା ,କର୍ତ୍ତବ୍ୟନିଷ୍ଠା ,ଓ ଦେଶ ତଥା ଜାତି ପ୍ରତି ସମର୍ପିତ ସାଧନା କିଭଳି ଜଣେ ସାଧାରଣ ବ୍ୟକ୍ତିକୁ ଉତ୍କର୍ଷର ଚରମ ସୀମାରେ ପହଂଚାଇଦେଇପାରେ ତାହାର ଏକ ଉଦାହରଣ ଭାବରେ ଆଜି ସମସ୍ତଙ୍କ ସାମ୍ନାରେ ଉଭା ହୋଇଛନ୍ତି ଶ୍ରୀମତୀ ମୁର୍ମୁ !

ଏହା ଯେ କୌଣସି ସଂଗ୍ରାମୀ ତଥା ଆଦିବାସୀ ଵୀରାଂଗନା (ସ୍ୱାଧୀନତା ସଂଗ୍ରାମ ସମୟର ) ଠାରୁ କୌଣସି ଗୁଣରେ କମ ନୁହେଁ ତାହା ଆମେ ଅଂଗୀକାର କରିବା କଥା ।

ତେବେ ରାଜନୈତିକ ଜୀବନର ଆଦ୍ୟପର୍ବରେ ୧୯୯୭ ମସିହାରେ ରାଇରଙ୍ଗପୁର ପୌରପରିଷଦ ର କାଉଁସେଲର ଠାରୁ ଆରମ୍ଭ କରି ୨୦୦୦ ମସିହାରେ ବିଧାୟକ ଓ ପ୍ରଥମ ପଦାର୍ପଣ ରେ ତତ୍କାଳୀନ ବି ଜେ ପି ତଥା ବି ଜେ ଡି ସରକାର ଅମଳରେ ଗମନାଗମନ ଓ ବାଣିଜ୍ୟ ବିଭାଗର ମନ୍ତ୍ରାଳୟ ଦକ୍ଷତା ର ସହକାରେ ସମ୍ଭାଳିବା ଏବଂ ତାଙ୍କର ଉତ୍କର୍ଷତା ଓ ପାରଙ୍ଗମତା ପାଇଁ ୨୦୦୭ ବର୍ଷରେ ସର୍ବୋତମ ବିଧାୟକ ହିସାବରେ “ନୀଳକଣ୍ଠ ଶ୍ରେଷ୍ଠ ବିଧାୟକ ” ପୁରସ୍କାର ରେ ସଂବାନିତ ହେବ। ଏକ ବିରଳ ଘଟଣା । ତେବେ ୨୦୧୪ ମସିହାରେ ମଧ୍ୟ ରାଷ୍ଟ୍ରପତି ପାଦ ପାଇଁ ତାଙ୍କ ନାମ ସଂକ୍ଷିପ୍ତ ତାଲିକା ରେ ସ୍ଥାନ ପାଇବା ଏକ ଉଲ୍ଲେଖ ଯୋଗ୍ୟ ଘଟଣା |

୨୦୧୫ ରେ ଝାରଖଣ୍ଡ ରାଜ୍ୟ ର ରାଜ୍ୟ ପାଲ ହିସାବରେ ୨୦୧୧ ପର୍ଯ୍ୟନ୍ତ ଦୀର୍ଘ ୬ ବର୍ଷ ଦକ୍ଷତାର ସହିତ କର୍ମ ସମ୍ପାଦନା କରିଛନ୍ତି । ତେବେ ଶାସକ ଦଳ ର ସଭ୍ୟ ହୋଇଥିବାରୁ ତାଙ୍କ ପ୍ରାର୍ଥୀତ୍ବ କୁ କିଛି ବିରୋଧୀ ସିଏ ଯଦି ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି “ରବର ଷ୍ଟାମ୍ପ ” ହେବେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ଯାହାକି ଅମୂଳକ କାରଣ ଝାରଖଣ୍ଡ ରେ ରାଜ୍ୟପାଳ ଥିବା ବେଳେ ତତ୍କାଳୀନ ରଘୁବର ଦାସ ନେତୃତ୍ୱାଧୀନ ବି ଜେ ପି ସରକାର ଆଣିଥିବା ଛୋଟନାଗପୁର ଟେନାଂସି ସଂଶୋଧନ ବିଧେୟକ ୧୯୦୮ ଓ ସାନ୍ତାଳ ପ୍ରଗଣା ଟେନାଂସି ବିଧେୟକ ୧୯୪୮ ଯାହାକି ଆଦିବାସୀ ମାନଙ୍କ ଚାଷ ଜମି କୁ ବ୍ୟବସାୟ ହିସାବରେ ବ୍ୟବହାର ଯୋଗ୍ୟ ପାଇଁ ଉଦିଷ୍ଟ ଥିଲା ତାହା ଆଦିବାସୀ ଙ୍କ ସ୍ୱାର୍ଥ ର ପରିପନ୍ଥୀ ବୋଲି ” ସାମ୍ବିଧାନିକ ଅଧିକାର” ର ପ୍ରୟୋଗ ପୂର୍ବକ ବିଲ ଟିକୁ ଅଗ୍ରାହ୍ୟ କରି ଜଣେ ଦୃଢ ଓ ଯୋଗ୍ୟ ରାଜ୍ୟପାଳ ହିସାବରେ ପ୍ରମାଣିତ କରିସାରିଛନ୍ତି

ତେବେ ସବୁ ଦୃଷ୍ଟିରୁ ଦେଖିଲେ ଆଜିର ନବ ଭାରତ ର ସ୍ଵପ୍ଣଦ୍ରଷ୍ଟା ଗଣ ଯଥା ମହାତ୍ମା ଗାନ୍ଧୀ ,ଜବାହାରଲାଲ ନେହରୁ ,ଆମ୍ବେଦକର ,ସର୍ଦାର ପଟେଲ ପ୍ରମୁଖ ଆମ ଗଣତନ୍ତ୍ର ର ଭବିଷ୍ୟତ ପାଇଁ ଯେଉଁ ସବୁ ସ୍ବପ୍ନ ଦେଖିଥିଲେ ସେଥିରେ ସବୁଠାରୁ ପ୍ରମୁଖ ଥିଲା “ଅନ୍ତ୍ୟୋଦୟ ” ଅର୍ଥାତ ସମାଜର ସବୁଠାରୁ ଅବହେଳିତ ବର୍ଗର ଶେଷ ବ୍ୟକ୍ତି ର ଉତ୍ଥାନ । ସମାଜର ଅନ୍ତିମ ପଂକ୍ତି ରେ ଥିବା ବ୍ୟକ୍ତି ଯେତେବେଳେ ସାମାଜିକ ,ଆର୍ଥିକ,ରାଜନୈତିକ ଜୀବନର ମୁଖ୍ୟସ୍ରୋତରେ ନିଜର ପରାକାଷ୍ଠା ଦେଖାଇବା ର ସୁଯୋଗ ପାଇବା ତାହାହିଁ ଆମ ଗଣତନ୍ତ୍ର ର ସଫଳତା ବୋଲି ବିବେଚିତ ହେବ ।

ତେବେ ଏହି ସ୍ବପ୍ନ ଆଜି ଯେତେବେଳେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତ ର ୧୮ ତମ ରାଷ୍ଟ୍ରପତି ହିସାବରେ ନିର୍ବାଚିତ ସଫଳ ହୋଇଛି ଆମେ ସେମାନଙ୍କ ସ୍ବପ୍ନ ସାକାର ହୋଇଛି ବୋଲି କହିପାରିବ। । ତେବେ ନିଜର ସାମର୍ଥ୍ୟ ,ଯୋଗ୍ୟତା ,ସରଳତା ,ସଚୋଟଟା ଓ ଭଦ୍ରତା ର ପ୍ରତୀକ ଶ୍ରୀମତୀ ମୁର୍ମୁ ଆଗାମୀ ରାଷ୍ଟ୍ରପତି ହିସାବରେ ସମ୍ବିଧାନ ର ମର୍ଯ୍ୟାଦା ରକ୍ଷା କରିବା ଦିଗରେ ସହାୟକ ହେବେ ଏହି ବିଶ୍ୱାସ ଆମର ରହିଛି ।

ନୂତନ ଭାବେ ନିର୍ବାଚିତ ମହା ମହିମ ରାଷ୍ଟ୍ରପତି ଙ୍କ ଯେଉଁଭଳି ସେବା ମନୋବୃତି ,ସରଳତା ,ଓ ନମ୍ରତା ରହିଛି ଆଗାମୀ ଦିନରେ ରାଷ୍ଟ୍ରପତି ଭବନ ସାଧାରଣ ଜନତାଙ୍କ ଆଶା ଓ ଆକାଂକ୍ଷା ପୁରାଣ କରିବାରେ ସହାୟକ ହେବ ତଥା ଜନସାଧାରଣ ଙ୍କ ରାଷ୍ଟ୍ରପତି ଭାବରେ ଇତିବାସ ମନେ ରଖିବ ଏହାହିଁ ହେଉ

ଅମାତ୍ୟ କୁମାର ପ୍ରଧାନ
ସମଗ୍ର ଶିକ୍ଷା କାର୍ଯ୍ୟାଳୟ,ସୁନ୍ଦରଗଡ 9437219613

admin
admin

Filed Under: ମତାମତ Tagged With: ଦ୍ରୌପଦୀ ମୁର୍ମୁ

ଓଡିଶାରେ ଆଦିବାସୀ ନେତୃତ୍ୱ ; କିଛି ପ୍ରଶ୍ନ (ରୋକ୍ ଠୋକ୍ )

June 1, 2015 by News Bureau Leave a Comment

କେଦାର ମିଶ୍ର

ହଠାତ୍‍ ଏଇ କିଛିଦିନ ହେଲା ଓଡିଶା ରାଜନୀତିରେ ଆଦିବାସୀ ନେତୃତ୍ୱର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ପରଠୁ ରାଜ୍ୟର ମୂଳ ଅଧିବାସୀ ଭାବରେ ପରିଚିତ ଆଦିବାସୀଙ୍କ ଅସ୍ମିତା ଓ ରାଜନୈତିକ ଅଧିକାରକୁ ନେଇ କେବେ ବି ଖାସ୍‍ ଆଲୋଚନା ହୋଇନାହିଁ ।

କହିବାରେ ଦ୍ୱିଧା ନାହିଁ ଯେ ଓଡିଶାରେ ରାଜନୈତିକ ନେତୃତ୍ୱ ପ୍ରାୟତଃ ରାଜା, ବ୍ରାହ୍ମଣ, କରଣ ଓ ଉଚ୍ଚବର୍ଗଙ୍କ ହାତରେ ରହି ଆସିଛି । ଗଜପତି କୃଷଚନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ଓଡିଶାର ପ୍ରାୟ ସବୁ ମୁଖ୍ୟମନ୍ତ୍ରୀ ଏହି ବର୍ଗରୁ ଆସିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ

କେବଳ ଦଶ ମାସ ପାଇଁ ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ ଦୁଇ ଥରରେ ଆଠ ମାସ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ରାଜନୀତିରେ ଇତିହାସ ଦୃଷ୍ଟିରୁ ଉଭୟ ନିଜ ନେତୃତ୍ୱକୁ ନେଇ ସେତେବେଶି ଚର୍ଚ୍ଚାରେ ରହିନାହାନ୍ତି । ସମ୍ପ୍ରତି ଗିରିଧର ଗମାଙ୍ଗ ନିଜର ମୂଳଦଳ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କୁ ନେଇ କିଛିଟା ଚର୍ଚ୍ଚା ଜୋର୍‍ ଧରିଛି।

ଇତିମଧ୍ୟରେ ଗମାଙ୍ଗ କଂଗ୍ରେସ ଦଳ ତ୍ୟାଗ କରିଛନ୍ତି । ହୁଏତ ସେ ବିଜେପିରେ ଯୋଗ ଦେଇପାରନ୍ତି । ଓଡିଶାରେ ଆଦିବାସୀ ନେତୃତ୍ୱକୁ ନେଇ ବିଜେପି ଏକ ନୂଆ ସମୀକରଣ ସୃଷ୍ଟି କରିବାର ପ୍ରୟାସ ଆରମ୍ଭ କରିଛି । ଏହି ପ୍ରୟାସରେ କେନ୍ଦ୍ରରେ ଓଡିଶାର ଏକମାତ୍ର ବିଜେପି ଲୋକସଭା ସଦସ୍ୟ ଜୁଏଲ୍‍ ଓରାମ୍‍ଙ୍କୁ ପୁଣି କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ ଦାୟିତ୍ୱ ଦିଆଯାଇଛି ।

ପୂର୍ବରୁ ବାଜପେୟୀ ସରକାରରେ ମଧ୍ୟ ସେ ମନ୍ତ୍ରୀ ଥିଲେ । ଦ୍ଵିତୀୟ ଥର ପାଇଁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କରାଯାଇଥିଲେ ମଧ୍ୟ ତାଙ୍କର ଦାୟିତ୍ୱ ଅପରିବର୍ତ୍ତିତ ରହିଛି । ଅର୍ଥାତ ସବୁବେଳେ ଜୁଏଲ୍‍ଙ୍କୁ ଆଦିବାସୀ ବ୍ୟାପାର ବିଭାଗର ଦାୟିତ୍ୱ ଦିଆଯାଇଛି ।

ଓଡିଶାରୁ ପ୍ରଥମଥର ପାଇଁ ଜୁଏଲଙ୍କ ଭଳି ଜଣେ ଆଦିବାସୀ ନେତାଙ୍କୁ କେନ୍ଦ୍ର କ୍ୟାବିନେଟ୍ ରେ ନେଇ ଅଟଳ ବିହାରୀ ବାଜପେୟୀ ଏକ ଉଦାହରଣ ସୃଷ୍ଟି କରିଥିଲେ । ତେବେ ଜୁଏଲ୍‍ଙ୍କ ନେତୃତ୍ୱ କେବଳ ସେତିକିରେ ହିଁ ସୀମିତ ରହି ଆସିଛି । ଜୁଏଲ୍‍ କେନ୍ଦ୍ରମନ୍ତ୍ରୀ, ବିଧାୟକ ଓ ବିଜେପି ରାଜ୍ୟ ସଭାପତି ଭାବରେ ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ ମଧ୍ୟ ଉଚ୍ଚବର୍ଗର ନେତୃତ୍ୱ ଆଗରେ ତାଙ୍କର ବ୍ୟକ୍ତିତ୍ୱକୁ ଏକପ୍ରକାର ଫିକା କରି ଦେଖାଇବାର ନିରନ୍ତର ପ୍ରୟାସ ଦଳ ଭିତରେ ଓ ଗଣମାଧ୍ୟମରେ ହୋଇଛି ।

ଗିରିଧର ଗମାଙ୍ଗ
ଗିରିଧର ଗମାଙ୍ଗ
ଜୁଏଲ ଓରାମ ଓ ଦ୍ରୌପଦୀ ମୁର୍ମୁ
ଜୁଏଲ ଓରାମ ଓ ଦ୍ରୌପଦୀ ମୁର୍ମୁ

ଓଡିଶାରୁ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ମୋଦି ମନ୍ତ୍ରୀମଣ୍ଡଳରେ ଅଛନ୍ତି । ଜୁଏଲ୍‍ ଓଡିଶା ଲୋକସଭାରୁ ନିର୍ବାଚିତ ହୋଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ପଦବୀ ଦୃଷ୍ଟିରୁ ଜୁଏଲ୍‍ କ୍ୟାବିନେଟ୍‍ ମନ୍ତ୍ରୀ ହୋଇଥିବା ବେଳେ ଧର୍ମେନ୍ଦ୍ର ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ।

ତେବେ ଧର୍ମେନ୍ଦ୍ରଙ୍କ ହାତରେ ଦୁଧିଆଳୀ ପେଟ୍ରୋଲିୟମ୍‍ ବିଭାଗ ରହିଛି । ତେଣୁ ସ୍ୱାଭାବିକ ଭାବରେ ଦଳ ଭିତରେ ଓ ବାହାରେ ତାଙ୍କ ପ୍ରଭାବ ଜୁଏଲ୍‍ଙ୍କ ତୁଳନାରେ ବହୁ ଅଧିକ । ଜୁଏଲ୍‍ ତୃଣମୂଳ ସ୍ତରରେ ବିଜେପି ସଙ୍ଗଠନକୁ ଦୃଢ଼ୀଭୂତ କରିବା ପାଇଁ ଯେତେ ଉଦ୍ୟମ କଲେ ବି ତାହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁନାହିଁ ।

ଧର୍ମେନ୍ଦ୍ର ଏବଂ ଜୁଏଲ୍‍ଙ୍କ ନେତୃତ୍ୱର ତୁଳନା କରି ଦେଖିଲେ ଆମର ଆଦିବାସୀ ବିରୋଧୀ ମାନସିକତା ସ୍ପଷ୍ଟ ହୋଇଯିବ । ଜୁଏଲ୍‍ ଆଦିବାସୀ ନେତା, ସେ ତୃଣମୂଳ ସ୍ତରରେ କାମ କରନ୍ତି, ତାଙ୍କ କଥା କହିବାରେ ସରଳତା ଓ ଭାବପ୍ରବଣତା ରହିଛି ଓ ସର୍ବୋପରି ନିଜର ଆଦିବାସୀ ଅସ୍ମିତାକୁ ନେଇ ସେ ଗର୍ବିତ ।

ଅପରପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ସହରୀ ନେତୃତ୍ୱର ପ୍ରତୀକ । ତାଙ୍କ କଥା କହିବାରେ ଆଭିଜାତ୍ୟ ଅଛି । ଲୋକସମ୍ପର୍କ ରକ୍ଷାର ସବୁ ଆଧୁନିକ ସୂତ୍ର ତାଙ୍କୁ ଜଣା । ତେଣୁ ବିଜେପିର ସବୁ ଦଳୀୟ ବ୍ୟପାରରେ ଜୁଏଲ୍‍ ଗୌଣ ପରିଲକ୍ଷିତ ହୋଇଥିବା ବେଳେ ଧର୍ମେନ୍ଦ୍ର ମୁଖ୍ୟ ହୋଇ ଉଭା ହୋଇଛନ୍ତି ।

ଦଳୀୟ କାର୍ଯ୍ୟକ୍ରମରେ ଜୁଏଲ୍‍ଙ୍କୁ ଅଣଦେଖା କରିବାର ବହୁ ନମୂନା ଇତିମଧ୍ୟରେ ଦେଖିବାକୁ ମିଳିଛି । ଅନ୍ୟ ଏକ ଘଟଣା କ୍ରମରେ ପୂର୍ବତନ ବିଧାୟିକା, ମନ୍ତ୍ରୀ ଓ ମୟୁରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୂର୍ମୂଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବରେ ମାନ୍ୟବର ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି ।

ଓଡିଶାରୁ ରାଜ୍ୟପାଳ ପଦ ମଣ୍ଡନ କରିବାରେ ଦ୍ରୌପଦୀ କେବଳ ପ୍ରଥମ ଆଦିବାସୀ ନୁହନ୍ତି, ସେ ପ୍ରଥମ ମହିଳା ମଧ୍ୟ । ଜଣେ ସାଧାରଣ କିରାଣୀରୁ ରାଜ୍ୟପାଳ ପଦବୀକୁ ଯାଇଥିବା ଦ୍ରୈାପଦୀଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ଅସାଧାରଣ ବୋଲି କୁହାଯାଇପାରେ । ତେବେ ଦ୍ରୌପଦୀଙ୍କର ଏହି ସଫଳତା ଓଡିଶାର ଅନେକ ବଡ ମୁଣ୍ଡରେ ହଜମ ହେଉନାହିଁ ।

ଆଜି ପର୍ଯ୍ୟନ୍ତ ରାଜ୍ୟପାଳ ପଦରେ ଉଚ୍ଚବର୍ଗର ନେତୃତ୍ୱ ପ୍ରାଧାନ୍ୟ ପାଇ ଆସୁଥିଲେ । ପ୍ରଥମ ଥର ଜଣେ ଆଦିବାସୀ ମହିଳା ଏହି ପଦବୀ ପାଇଥିବାରୁ ତାକୁ ନେଇ ଅନେକ ଅସୂୟା ଭାବ ପ୍ରକାଶ କରୁଛନ୍ତି । ଜଣେ ପୂର୍ବତନ ଲୋକସଭା ସାଂସଦ ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସ୍ୱାଭାବିକ ଭାବରେ ଏହି ପୂର୍ବତନ ସାଂସଦ ଜଣଙ୍କ ଉଚ୍ଚ ବର୍ଗର ପ୍ରତିନିଧି ।

ଦ୍ରୌପଦୀ ପୂର୍ବରୁ ମନ୍ତ୍ରୀ ଥିଲେ ଓ ଶ୍ରେଷ୍ଠ ବିଧାୟିକା ଭାବରେ ପୁରସ୍କାର ମଧ୍ୟ ପାଇଥିଲେ । ଏହା ରାଜ୍ୟପାଳ ପଦବୀ ପାଇଁ ଯୋଗ୍ୟତା ହେବାରେ ଅସୁବିଧା କଣ ବୁଝାପଡୁନି । ଯଦି ପୂର୍ବତନ ଆଇଏଏସ୍‍, ପୋଲିସ୍‍ ଅଧିକାରୀ ଓ ବିଫଳ ରାଜନେତାମାନେ ରାଜ୍ୟପାଳ ହୋଇପାରନ୍ତି ସେଠି ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ଆମ ଜାତିଆଣ ମାନସିକତାକୁ ସ୍ପଷ୍ଟ କରୁନାହିଁ କି ?

ଆଦିବାସୀଙ୍କର ନେତୃତ୍ୱ ପ୍ରସଙ୍ଗ ଉଠିଲେ ଆମ ଉଚ୍ଚବର୍ଗର ମାନସିକତା ଚିହିଁକି ଉଠେ । ଆମ ସମ୍ଭ୍ରାନ୍ତ ନାକ କୁଞ୍ଚିତ ହୋଇ ଉଠେ । ଆମେ ଭାବୁ ବଣ, ଡଙ୍ଗରରେ ରହୁଥିବା ଲୋକେ ଶାସନ କରିବା ପାଇଁ ଅନୁପଯୁକ୍ତ ।

ଓଡିଶାରେ ଯେତେ ଲୋକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତାଙ୍କ ଭିତରୁ ଗିରିଧର ଗମାଙ୍ଗ ଏକ ଭିନ୍ନ ଚରିତ୍ରର ବ୍ୟକ୍ତି । ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ ଭିତରେ ପଦବୀର ଅହଙ୍କାର ନଥିଲା କିମ୍ବା ଲୋକଙ୍କଠୁ ଦୂରେଇ ରହିବାର ପ୍ରବଣତା ନଥିଲା ।

ଦୁର୍ଭାଗ୍ୟକ୍ରମେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ରହିଲେ ସେତେବେଳେ ଓଡିଶାକୁ ମହାବାତ୍ୟା ଭଳି ଏକ ବିରାଟ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଲା । ଏହି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଯେଉଁ ପ୍ରକାର ରାଜନୈତିକ ଇଛାଶକ୍ତି ଓ ପ୍ରଶାସନିକ ଦକ୍ଷତା ରହିବା କଥା ତାହା ଗମାଙ୍ଗଙ୍କର ନଥିଲା ବୋଲି କହିହେବନି ।

ତେବେ ଏହି ବିପର୍ଯ୍ୟୟ ସମୟରେ ନିଜର ରାଜନୈତିକ ରାଗ ସୁଝାଇବାକୁ ଗମାଙ୍ଗଙ୍କୁ ତାଙ୍କ ଦଳ ଭିତରେ କମ୍‍ ହଲାପଟା କରାଯାଇନାହିଁ । ରାଜନୈତିକ ମଞ୍ଚରେ ସବୁବେଳେ ଆଦିବାସୀ ନେତୃତ୍ୱକୁ ନିଚ କରି ଦେଖେଇବାର ଏକ ପ୍ରବୃତ୍ତି ରାଜନୀତିରେ ଓ ଗଣମାଧ୍ୟମରେ ରହି ଆସିଛି ।

ଓଡିଶା ରାଜନୀତିରେ ୨୫ ଭାଗ ଆଦିବାସୀ ଭୋଟର୍‍ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତଥାପି ରାଜନୈତିକ ପଦପଦବୀ, ପ୍ରଶାସନ, ପୋଲିସ୍‍, ଗଣମାଧ୍ୟମ ଓ ସାମାଜିକ ନେତୃତ୍ୱରେ ତାଙ୍କର କୌଣସି ପ୍ରଭାବ ନାହିଁ । ରାଜନୈତିକ ପଦପଦବୀର ଏକ ସାଙ୍କେତିକ ପ୍ରଭାବ ରହିଥାଏ । ୨୫ ଭାଗ ଆଦିବାସୀଙ୍କ ନେତୃତ୍ୱ ସବୁବେଳେ ଅଣ ଆଦିବାସୀଙ୍କ ହାତରେ ରହିଥିବାରୁ ସେମାନଙ୍କ ଭିତରେ ଏକପ୍ରକାର ଅସୁରକ୍ଷାର ବାତାବରଣ ରହି ଆସିଛି ।

ଏକ ଛୋଟିଆ ଉଦାହରଣ ଦେଇ ଏହାକୁ ସ୍ପଷ୍ଟ କରାଯାଇପାରେ । ଓଡିଶାର ଆଦିବାସୀ ବହୁଳ ଜିଲ୍ଲା କୋରାପୁଟ୍‍ର ପ୍ରଭାବଶାଳୀ ରାଜନୈତିକ ନେତୃତ୍ୱ କେଉଁମାନେ ? ଗମାଙ୍ଗ ପରିବାରକୁ ଛାଡିଦେଲେ ଏଠିକାର ନେତୃତ୍ୱ ଐତିହାସିକ ଦୃଷ୍ଟିରୁ କେଉଁମାନେ ନେଇ ଆସିଛନ୍ତି ? ହରିଶ୍‍ଚନ୍ଦ୍ର ବକ୍ସିପାତ୍ର, ରଘୁନାଥ ପଟ୍ଟନାୟକ, ରବି ନନ୍ଦ ପ୍ରମୁଖ ଆଦିବାସୀ ଜିଲ୍ଲାରୁ ଉଚ୍ଚବର୍ଗର ନେତୃତ୍ୱ ନେଇଛନ୍ତି ।

ଗିରିଧର ଗମାଙ୍ଗ ଓ ଖଗପତି ପ୍ରଧାନୀ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସର୍ବାଧିକ ସମୟ ଲୋକସଭାରେ ରହିଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ସେମାନେ କେବେ ବି ଆଗ ଧାଡିର ନେତା ଭାବରେ ପରିଗଣିତ ହୋଇନାହାନ୍ତି ।

ବିଜେଡି ସରକାରରେ ମଧ୍ୟ ଅବସ୍ଥା ସମାନ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ଆଦିବାସୀ ନେତୃତ୍ୱକୁ ନବୀନ ପଟ୍ଟନାୟକ କେବେ ମଧ୍ୟ ଗୁରୁତ୍ୱ ଦେଇନାହାନ୍ତି । ଲାଲ୍‍ ବିହାରୀ ହିମିରିକା ଓ ରମେଶ ମାଝୀଙ୍କ ଭଳି ଆଦିବାସୀ ପ୍ରତିନିଧିଙ୍କୁ ସବୁବେଳେ ଗୌଣ ପ୍ରଶାସନିକ ଦାୟିତ୍ୱ ଦିଆଯାଇଛି । ତେଣୁ ଗୋଟିଏ କଥା ସ୍ପଷ୍ଟ ଯେ ଆଦିବାସୀଙ୍କ ନେତୃତ୍ୱକୁ ଆମ ଉଚ୍ଚବର୍ଗ ଗ୍ରହଣ କରିବାକୁ ସହଜରେ ପ୍ରସ୍ତୁତ ନୁହଁ ।

ରାଜନୀତିର ପ୍ରଭାବ ସମାଜ ଜୀବନରେ ମଧ୍ୟ ପଡିଥାଏ । ଯେହେତୁ ରାଜନୀତିରେ ଆଦିବାସୀ ନେତୃତ୍ୱର ପ୍ରଭାବ ନାହିଁ, ସାମାଜିକ କ୍ଷେତ୍ରରେ ମଧ୍ୟ ସେମାନଙ୍କର କୌଣସି ପ୍ରତିପତ୍ତି ନାହିଁ ।

ସାନ୍ତାଳି ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍‍ ହୋଇ ଏକ ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ପାଇସାରିଛି । ଓଡିଆ ଭାଷାର ସାହିତ୍ୟିକଙ୍କ ପରି ବହୁ ଓଡିଶାବାସୀ ସାନ୍ତାଳି ଲେଖକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ।

ହେଲେ ସେମାନଙ୍କ ବିଷୟରେ ଆମ ଓଡିଶାର ଗଣମାଧ୍ୟମ ବା ସାମାଜିକ ସଙ୍ଗଠନଗୁଡିକ କିଛି ଜାଣନ୍ତି କି ? ଦମୟନ୍ତୀ ବେଶ୍ରା ବା ଯଦୁନାଥ ବେଶ୍ରାଙ୍କ ନାଁ କେତେଜଣ ଶୁଣିଛନ୍ତି ? କୁଇ, ସାନ୍ତାଳି, ମୁଣ୍ଡାରୀ ଭଳି ଭାଷାରେ ଅନେକ ସାହିତ୍ୟ ରଚନା ହେଲାଣି – ତାର ଚର୍ଚ୍ଚା ଆମେ କେବେ କରିଛୁ କି ?

ସମାଜ, ରାଜନୀତି ଓ ଚିନ୍ତନ କ୍ଷେତ୍ରରେ ଆଦିବାସୀଙ୍କୁ ଦଳିତ କରି ରଖିବାର ପ୍ରବଣତା ଆମ ପାଇଁ ଦିନେ ନା ଦିନେ ମହଙ୍ଗା ସାବ୍ୟସ୍ତ ହେବ ।

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

News Bureau
News Bureau

Filed Under: ରୋକ ଠୋକ Tagged With: ଆଦିବାସୀ, ଓଡିଶା, କେଦାର ମିଶ୍ର, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ଦ୍ରୌପଦୀ ମୁର୍ମୁ, ଧର୍ମେନ୍ଦ୍ର ପ୍ରଧାନ, ନେତୃତ୍ୱ, ରୋକ ଠୋକ, ହେମାନନ୍ଦ ବିଶ୍ଵାଳ

ଓରାମଙ୍କୁ ସାକ୍ଷାତ କଲେ ଝାଡଖଣ୍ଡର ନବ ନିଯୁକ୍ତ ରାଜ୍ୟପାଳ

May 21, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ମଇ ୨୧ (ଓଡିଶା ଡଟ କମ) ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗୁରୁବାର ସନ୍ଧ୍ୟାରେ ନୂଆ ଦିଲ୍ଲୀରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ।

????????????????????????????????????

ଉଭୟଙ୍କ ମଧ୍ୟରେ ପ୍ରାୟ କୋଡିଏ ମିନିଟ ଧରି ବିଚାର ଆଲୋଚନା ହୋଇଥିଲା । ସାକ୍ଷାତ ପରେ ଓରାମ କହିଛନ୍ତି ଯେ ଏହା ଏକ ଅନୌପଚାରିକ ସାକ୍ଷାତ ଥିଲା ।

ଏହି ସାକ୍ଷାତ ସମୟରେ ଶ୍ରୀ ଓରାମ ଶ୍ରୀମତୀ ମୁର୍ମୁଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ ।

ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲାପରେ ଏହା ହେଉଛି ଶ୍ରୀମତୀ ମୁର୍ମୁଙ୍କ ପ୍ରଥମ ଦିଲ୍ଲୀ ଗସ୍ତ ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଜୁଏଲ ଓରାମ କେନ୍ଦ୍ର ମନ୍ତ୍ରୀ, ଝାଡଖଣ୍ଡ ରାଜ୍ୟପାଳ, ଦ୍ରୌପଦୀ ମୁର୍ମୁ

ଝାଡଖଣ୍ଡ ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ

May 18, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ: ସୁଜାତା ପ୍ରକାଶ

ରାଞ୍ଚି, ଝାଡଖଣ୍ଡ, ମଇ ୧୮ (ଓଡିଶା ଡଟ କମ) ପୂର୍ବତନ ଓଡିଶା ମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ନବମ ରାଜ୍ୟପାଳ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି ।

????????????????????????????????????

????????????????????????????????????

ରାଜ ଭବନସ୍ଥିତ ବିରସା ମଣ୍ଡପ ଠାରେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ବିରେନ୍ଦ୍ର ସିଂହ ସ୍ଵତନ୍ତ୍ର ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଏହି ଉତ୍ସବରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ତଥା ଉଭୟ ଝାଡଖଣ୍ଡ ଓ ଓଡିଶାର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଜୁନ ୨୦, ୧୯୫୮ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ବିଧାନସଭାରେ ୨୦୦୦ ରୁ ୨୦୦୪ ଓ ପୁନର୍ବାର ୨୦୦୪ ରୁ ୨୦୦୯ ପ୍ରତିନିଧିତ୍ଵ କରିଥିବା ସହ ଓଡିଶାର ରାଜ୍ୟର ବାଣିଜ୍ୟ ଓ ପରିବହନ ଓ ପରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ।

ବିଏ ପାସ କରିଥିବା ଏହି ଆଦିବାସୀ ନେତ୍ରୀ ରାଜ୍ୟ ସଚିବାଳୟରେ କିରାଣୀ ଚାକିରିରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେକସନ ଅଫିସର ଭାବେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ରାଇରଙ୍ଗପୁର ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କିଛିଦିନ ଶିକ୍ଷକତା ମଧ୍ୟ କରିଥିଲେ ।

ପରବର୍ତୀ ସମୟରେ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟି ରେ ଯୋଗଦାନ କରିଥିଲେ । ତାଙ୍କର ରାଜନୈତିକ ଜୀବନ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସଦସ୍ୟ ଓ ଉପାଧ୍ୟକ୍ଷ ଭାବେ ଆରମ୍ଭ ହୋଇଥିଲା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ, ରାଜନୀତି Tagged With: ଝାଡଖଣ୍ଡ, ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ

ରାଜନୀତିର ଊର୍ଦ୍ଧ୍ଵରେ ରହି ଦାୟିତ୍ଵ ତୁଲାଇବି: ଦ୍ରୌପଦୀ ମୁର୍ମୁ (ସାକ୍ଷାତକାର)

May 13, 2015 by News Bureau 1 Comment

ଓଡିଶା ଡଟ କମ: ସୁମିତ୍ରା ପଢିଆରୀ

ଭୁବନେଶ୍ଵର, ମଇ ୧୩ (ଓଡିଶା ଡଟ କମ)  ରାଜ୍ୟପାଳ ପଦବୀ ଏକ ସାମ୍ବିଧାନିକ ପଦବୀ ଓ ରାଜନୀତିର ଊର୍ଦ୍ଧ୍ଵରେ ରହି ମୁ ଏହି ଗୁରୁ ଦାୟିତ୍ଵ ତୁଲାଇବି ବୋଲି ଝାଡଖଣ୍ଡର ରାଜ୍ୟପାଳ ଭାବେ ମଙ୍ଗଳବାର ନିଯୁକ୍ତି ପାଇଥିବା ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡିଶା ଡଟ କମ କୁ ଏକ ସାକ୍ଷାତକାର ରେ କହିଛନ୍ତି ।

drupadi murmuପାର୍ଟିର ବହୁ ପଦପଦବୀରେ ମୁ ଅତୀତରେ କାର୍ଯ୍ୟ କରିଛି କିନ୍ତୁ ବର୍ତ୍ତମାନ ଯେଉଁ ପଦବୀ ମୋତେ ମିଳିଛି ତାହା ହେଉଛି ଏକ ସାମ୍ବିଧାନିକ ପଦବୀ । ଏହାର ଗୌରବ ଓ ମର୍ଯ୍ୟାଦା ଅକ୍ଷୁର୍ଣ ରଖିବା ହେଉଛି ଏକ ଗୁରୁ ଦାୟିତ୍ଵ । ତେଣୁ ରାଜନୀତିରୁ ଉର୍ଦ୍ଧରେ ରହି ମତେ କାମ କରିବାକୁ ପଡିବ ଏବଂ ସମ୍ବିଧାନର ନିୟମ ମାନିବାକୁ ପଡିବ, ସେ କହିଛନ୍ତି ।

ଝାଡଖଣ୍ଡ ଏକ ଆଦିବାସୀ ବହୁଳ ରାଜ୍ୟ ଏବଂ ଆପଣ ମଧ୍ୟ ଜଣେ ଆଦିବାସୀ ନେତ୍ରୀ ହୋଇଥିବାରୁ ଏହି ପରିପ୍ରେକ୍ଷୀରେ ଆପଣଙ୍କର ମୁଖ୍ୟ ପ୍ରଥମିକତା କ’ଣ ହେବ ? ପ୍ରଶ୍ନର ଉତ୍ତରରେ ମୁର୍ମୁ କହିଲେ ଝାଡଖଣ୍ଡ ଏକ ନୂତନ ରାଜ୍ୟ ହୋଇଥିବାରୁ ସେଠାରେ ବହୁ ଅଞ୍ଚଳ ଏବେବି ଅନୁନ୍ନତ । ବର୍ତ୍ତମାନ ସେଠାରେ ବିକାଶର ଧାରା ଅବ୍ୟାହତ ରହିଛି ।

ଝାଡଖଣ୍ଡ ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କିପରି ସଫଳ ରୂପାୟନ ହେବ ସେଥିପ୍ରତି ଦୃଷ୍ଟି ଦେବି ବୋଲି ସେ କହିଛନ୍ତି । ଆଦିବାସୀ ମାନଙ୍କ ସ୍ଵାର୍ଥ ରକ୍ଷା ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଯାହାସବୁ ଆବଶ୍ୟକ ତାହା କରିବାପାଇଁ ମୁ ତତ୍ପର ରହିବି, ସେ କହିଛନ୍ତି।

ଜମି ଅଧିଗ୍ରହଣ ବିଲକୁ ନେଇ କେନ୍ଦ୍ରରେ ମୋଦୀ ସରକାର ବିରୋଧୀ ଦଳ ମାନଙ୍କ ଦ୍ଵାରା ସମାଲୋଚିତ ହେଉଥିବା ବେଳେ ଏ ବିଲ୍ ସମ୍ପର୍କରେ କୌଣସି ମତାମତ ଦେବାପାଇଁ ଅନିଚ୍ଛା ପ୍ରକାଶକରି ମୁର୍ମୁ କହିଛନ୍ତି ଯେ ଏହି ବିଲ ବର୍ତମାନ ସୁଦ୍ଧା ପାର୍ଲିଆମେଣ୍ଟରେ ଗୃହିତ ହୋଇନାହିଁ ।

ତେବେ ରାଜ୍ୟପାଳ ତଥା ରାଷ୍ଟ୍ରପତିଙ୍କ ଦାୟିତ୍ଵ ହେଲା ଯେଉଁ ବିଲ ସରକାରୀ ସ୍ତରରେ ପାସ ହୋଇ ଆସିବ, ତା’ଉପରେ ମତାମତ ଦେବା । ବର୍ତ୍ତମାନ ଏହି ବିଷୟରେ କିଛି କହିବା ଉଚିତ ହେବନାହିଁ ।

ଆଦିବାସୀ ଓ ମହିଳା ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କିତ ଗୋଟିଏ ପ୍ରଶ୍ନର ଉତ୍ତାରେ ସେ କହିଛନ୍ତି ଯେ ଭାରତ ବର୍ଷରେ ପ୍ରାୟ ୪୯ ପ୍ରତିଶତ ହେଉଛନ୍ତି ମହିଳା । ତେଣୁ ପୁରୁଷମାନଙ୍କୁ ଯେଉଁ ଯେଉଁ ସୁବିଧା,ସମ୍ମାନ ଦିଆଯାଉଛି ସେହି ସମାନ ସୁବିଧା ଓ ସମ୍ମାନ ମହିଳାମାନଙ୍କୁ ଦିଆଯିବାର ଆବଶ୍ୟକତା ରହିଛି । କିନ୍ତୁ ଯେପରି ଭାବରେ ସମାଜରେ ମାନସିକତାରେ ସ୍ଖଳନ ଘଟିଛି, ସେ ମାନସିକତାର ପରିବର୍ତ୍ତନ ହେବା ଦରକାର ।

ମହିଳାମାନଙ୍କ ସୁରକ୍ଷା, ବିକାଶ ଓ ଉନ୍ନତି ପାଇଁ ସରକାର ଯେଉଁ ନୀତି ନିୟମ ତିଆରି କରିଛନ୍ତି ତାକୁ ଠିକ ଭାବେ କାର୍ଯ୍ୟକାରୀ କରାଯିବା ର ଆବଶ୍ୟକତା ରହିଛି। । ମୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିବି ଯେ ମହିଳା ଓ ପୁରୁଷ ଦୁଇଜଣ ଭଗବାନଙ୍କ ସୃଷ୍ଟିରେ ସମାନ ।

କେବଳ ଶାରୀରିକ ପାର୍ଥକ୍ୟ ରହିଛି କିନ୍ତୁ ବାକି କର୍ମ କ୍ଷେତ୍ରରେ, ମାନସିକ କ୍ଷେତ୍ରରେ, ବିକାଶ କ୍ଷେତ୍ରରେ, ସେମାନେ ସବୁ ଦୃଷ୍ଟିରେ ସମାନ । ତେଣୁ ଏହି ଶାରୀରିକ ପାର୍ଥକ୍ୟ ନଦେଖି ସେମାନଙ୍କୁ ମା ଓ ଭଉଣୀ ଭାବରେ ସମ୍ମାନ କଲେ ନିଜର ଉନ୍ନତି ହେବା ସହ ଦେଶ, ରାଜ୍ୟ ଓ ଜାତିର ନିଶ୍ଚିତ ଉନ୍ନତି ହେବ ।

ଓଡିଶା ତାଙ୍କ ଗୃହ ରାଜ୍ୟ ହୋଇଥିବାରୁ ସେ ରାଜ୍ୟର ବିକାଶ ରେ କି ପ୍ରକାର ସହାୟତା କରିବେ ଏହି ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ମୁର୍ମୁ କହିଲେ ସେ ସବୁବେଳେ ରାଜ୍ୟର ସ୍ଵାର୍ଥ ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟକରି ଆସିଛନ୍ତି । ଅତୀତରେ ବିଜେପିର ନେତ୍ରୀ ଭାବେ ହେଊ ଅଥବା ବିଧାନସଭାର ସଦସ୍ୟ କିମ୍ବା ରାଜ୍ୟର ମନ୍ତ୍ରୀ ଭାବେ ହେଉ, ସବୁ ବେଳେ ସେ ତାଙ୍କ ରାଜ୍ୟ ପ୍ରତି ଦାୟିତ୍ଵ ନିର୍ବାହ କରିଆସିଛନ୍ତି ।

“ଯେହେତୁ ଓଡିଶା ମୋ ଜନ୍ମ ମାଟି ତେଣୁ ତାହା ପ୍ରତି ମୋର ଦୁର୍ବଳତା ଓ ଶ୍ରଦ୍ଧା ସବୁବେଳେ ରହିବ” ସେ କହିଛନ୍ତି ।

ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଙ୍ଗଳବାର ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତି ଭବନରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପରେ ମୁର୍ମୁ ରାଜ୍ୟର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ବିଧାନସଭାରେ ୨୦୦୦ ରୁ ୨୦୦୪ ଓ ପୁନର୍ବାର ୨୦୦୪ ରୁ ୨୦୦୯ ପ୍ରତିନିଧିତ୍ଵ କରିଥିବା ମୁର୍ମୁ ,୫୭ ରାଜ୍ୟର ବାଣିଜ୍ୟ ଓ ପରିବହନ ଓ ପରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବା ସହ ବହୁ ଗୁରୁତ୍ଵ ପୂର୍ଣ କମିଟି ର ସଦସ୍ୟ ରହିଥିଲେ ।

ବିଏ ପାସ କରିଥିବା ଏହି ଆଦିବାସୀ ନେତ୍ରୀ ରାଜ୍ୟ ସଚିବାଳୟରେ କିରାଣୀ ଚାକିରିରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେକସନ ଅଫିସର ଭାବେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ରାଇରଙ୍ଗପୁର ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କିଛିଦିନ ଶିକ୍ଷକତା ମଧ୍ୟ କରିଥିଲେ ।

ପରବର୍ତୀ  ସମୟରେ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟି ରେ ଯୋଗଦାନ କରିଥିଲେ । ତାଙ୍କର  ରାଜନୈତିକ ଜୀବନ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସଦସ୍ୟ ଓ ଉପାଧ୍ୟକ୍ଷ ଭାବେ ଆରମ୍ଭ ହୋଇଥିଲା ।

 

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି, ସାକ୍ଷାତକାର Tagged With: ଓଡିଶା, ଝାଡଖଣ୍ଡ, ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ