• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନବକଳେବର

ନବକଳେବର : ଯାହା ଆମେ ଜାଣିଲୁ ନାହିଁ (ରୋକ୍ ଠୋକ୍ )

July 18, 2015 by ନିଉଜ ଡେସ୍କ Leave a Comment

କେଦାର ମିଶ୍ର

ଗତ ୬ମାସ ଭିତରେ ପ୍ରତ୍ୟେକ ଓଡ଼ିଶାବାସୀଙ୍କ କାନରେ ଗୋଟିଏ ଶବ୍ଦ ଗୁ୍‍ଞ୍ଜରିତ ହେଉଛି : ନବକଳେବର ।

ଗଣମାଧ୍ୟମର ସୌଜନ୍ୟରୁ ଆମେ ପ୍ରତି ମିନିଟ୍‍ ରେ ଏହି ଶବ୍ଦଟିକୁ ଶୁଣୁଛୁ ଓ ଏହାକୁ ନେଇ ଆମର କଳ୍ପନା ତ୍ୱରାନ୍ୱିତ ହେଉଛି ।

ନବକଳେବର କ’ଣ , କାହିଁକି ହୁଏ , କେମିତି ହୁଏ, କିଏ କିଏ ସବୁ ଏହାର ଅଂଶୀଦାର ଓ ଏହାକୁ ନେଇ କେତେପ୍ରକାର ବିଭ୍ରାଟ ଘଟିଛି, ତା’ର ବିଷଦ ବିବରଣୀ ଆମେ ଶୁଣୁଛୁ ।

ବିଶେଷକରି ଗତ ଜୁନ୍‍ ୧୫ତାରିଖ ରାତିରେ ଘଟ ପରିବର୍ତ୍ତନ ହୋଇ ନପାରିବାର ଦୁଃଖରେ ଓଡ଼ିଶା ରାଜନୀତି ଉଠୁଛି ଓ ପଡୁଛି । ଏହି ଘଟଣାରେ ଏତେବଡ଼ ରାଜନୈତିକ ଝଡ଼ ଉଠିବ ବୋଲି କେହି ହୁଏତ ଭାବିପାରିନଥିଲେ ।

ଜଗନ୍ନାଥ ଯେ କେବଳ ଆମ ସଂସ୍କୃତିର ପ୍ରାଣ କେନ୍ଦ୍ର ନୁହଁନ୍ତି, ସେ ଆମ ରାଜନୀତିରେ ମଧ୍ୟ ଚାଳିକାଶକ୍ତି ଏହା ପୁଣି ଥରେ ପ୍ରମାଣିତ ହୋଇଛି ।

ତେବେ ନବକଳେବରର ରାଜନୀତି ଓ ଚର୍ଚ୍ଚା ଭିତରେ ଅନେକ ଐତିହାସିକ ତଥ୍ୟ ରହିଛି, ଯାହାକି ନବକଳେବରକୁ ଆମ ସମାଜ ନିର୍ମାଣର ମୌଳିକ ଆଧାର ଭୂମି ଭାବରେ ପ୍ରତିପାଦିତ କରିପାରନ୍ତା । ସେ ସମ୍ପର୍କରେ ଗଣମାଧ୍ୟମ ଆଖିବୁଜି ବସିଛି ।

ନବକଳେବର କେବଳ ଏକ ପୂଜା ଉପଚାର ନୁହେଁ । ଏହା ସହିତ ପାଖାପାଖି ହଜାର ବର୍ଷର ଓଡ଼ିଶା ରାଜନୀତି ଓ ତା’ର ଇତିହାସ ଜଡ଼ିତ । ମାଦଳା ପାଞ୍ଜି ଅନୁସାରେ ପ୍ରଥମ ନବକଳେବରର ବର୍ଣ୍ଣନା ସହିତ ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ସମ୍ବନ୍ଧ ସ୍ପଷ୍ଟ ବାରି ହୋଇ ପଡ଼େ ।

ସେ ସମ୍ପର୍କରେ ଆମର ଗଣମାଧ୍ୟମ ଓ ଜଗନ୍ନାଥ ତତ୍ତ୍ୱବିତ୍‍ମାନେ ଏକପ୍ରକାର ନିରବ । ପ୍ରଥମ ନବକଳେବରର ବର୍ଣ୍ଣନା କରିବାକୁ ଯାଇ ମାଦଳା ପାଞ୍ଜିର ବର୍ଣ୍ଣନାଟି ପଢାଯାଉ ।

ଶୋଭନ ଦେବଙ୍କ ରାଜତ୍ୱ କାଳରେ ଡିଲି (ଦିଲ୍ଲୀ)ରୁ ରକ୍ତବାହୁ ଆସି ଆକ୍ରମଣ କରିବାରୁ ପରମେଶ୍ୱରଙ୍କୁ ସୁନୁପୁର (ସୋନପୁର)ର ଗୋପାଳୀକୁ ସ୍ଥାନାନ୍ତରିତ କରାଗଲା ।

“ ଏଠାରୁ କେଶରୀ ପାଟରାଜା ହୋଇଥିଲେ । ପ୍ରଥମ ପାଟ ଯଯାତି କେଶରୀ ହୋଇଲେ । ଏ ରାଜା ବଡ଼ ଶୂରବନ୍ତ ମହାଦାନୀ । ଏ ମହାରାଜାଙ୍କ ୧୧ଅଙ୍କେ ସନ୍ନ୍ୟାସୀ ବ୍ରହ୍ମଚାରୀ ବ୍ରାହ୍ମଣମାନଙ୍କୁ ପଚାରିଲେ ଓଡ଼ିଶା ରାଜାର ପ୍ରଭୁ ଯେ ଶ୍ରୀଜଗନ୍ନାଥ ମହାପ୍ରଭୁ ସେ କାହିଁଛନ୍ତି ?

ସେମାନେ କହିଲେ ମୁଗଲ ଗୋଳ ହୋଇଲାକୁ ସୋମାଦ୍ର ମାଡ଼ି ଆଇଲାକୁ ଅପାର ଦିନ ହୋଇଲା । ଶ୍ରୀ ପରମେଶ୍ୱରଙ୍କୁ ପାତାଲୀ କରି ସୁନୁପୁର ଆଡ଼େ କେଉଁଠାରେ ବିଜେ କରାଇଲେ ଗାଁତବ ନାହିଁ । ଏହା ଶୁଣି ମହାରାଜା ସୁନୁପୁରୁ ଗଲେ ।

ସେଠାରେ ଖଣ୍ଡାଇତଙ୍କୁ ପଚାରିଲେ । ସେମାନେ କହିଲେ ଆମ୍ଭେ ଗାଁତବ ନୋହୁ । ଆମ୍ଭ ବାପା ଅଜା କହନ୍ତି ଦିଅଁବର ଏହି । ଏଥି ତଳେ ଦିଅଁକୁ ପୋତି ଥିଲେ । ଏହା ଶୁଣି ରାଜା କଟୁରିଆ ବ୍ରାହ୍ମଣଙ୍କୁ ଆଣି ସେ ଗଛ କଟାଇ ଖୋଳାଇଲେ । ପରମେଶ୍ୱରଙ୍କୁ ବାହାର କଲେ ।

ସେ ଦିନେ ଶ୍ରୀ ମୂର୍ତ୍ତିମାନ ମାଟି ଖାଇ ଛିନ୍ନଭିନ୍ନ ହୋଇଛନ୍ତି । ଦେଅଁମାନଙ୍କୁ ଲୁଗା ଗୁଡ଼ିଆଇ ମୁଣାରେ ପୂରେଇ ମୁଦାଇଲେ । ଏ ଉତ୍ତାରୁ ଦଇତାପତିଙ୍କୁ ଲୋଡ଼ାଇଲେ । ଦଇତାମାନେ ବିରିବନ୍ଧରେ ଥିଲେ । ପତିମାନେ ରତନପୁର ସୀମାରେ ଥିଲେ ।

ଏମାନଙ୍କୁ ଅଣାଇ ବିଧିପତ୍ର ପ୍ରମାଣେ ଦାରୁ ଛେଦନ କରାଇ ପରମେଶ୍ୱରଙ୍କୁ ସୁମୂର୍ତ୍ତି କରାଇଲେ । ଏ ଘଟଣାବେଳେ ରାଜାସେବକ ତାଟି ଭିତର କଲେ । ଗଛକଟା କଟୁରିଆ ବ୍ରାହ୍ମଣ ପାଞ୍ଚ ସେବା । ଏହାଙ୍କ ଗୋତ୍ର ବଚ୍ଛସ ୫ ଜଣକୁ ୪୦ ଜଣ । ପତିମାନଙ୍କର ଏଗାରହ ଜଣକୁ ଛଅ ଜଣ ।

ଦଇତାମାନଙ୍କର ଉଲୁକ ଗୋତ୍ର । ୮ ଜଣକୁ ୮ ଜଣ ପରିଛା ଗାଏ ଚବିସ ଜଣ । ଶ୍ରୀ ପୁରୁଷୋତ୍ତମ ଶଙ୍ଖନାଭି ମଣ୍ଡଳେ ୩୮ ହାତ କରି ପଟୋଳ ଗୋଟାଏ ତୋଳି ପ୍ରତିଷ୍ଠା କରି ପରମେଶ୍ୱରଙ୍କୁ ବିଜେ କରାଇଲେ ।”

ସୋନପୁରର କୋଟ ସମ୍‍ଲେଇରୁ ପୁଣି ଥରେ ଶଙ୍ଖନାଭି ମଣ୍ଡଳକୁ ଫେରିବା ବେଳର ଏହି ପ୍ରଥମ ନବକଳେବର ସମ୍ପର୍କରେ କୌଣସି ପ୍ରକାର ତଥ୍ୟ, ସୂଚନା ବା ଆଲୋଚନା ଗଣମାଧ୍ୟମରେ ଆମେ ଦେଖିବାକୁ ପାଇଲେ ନାହିଁ ।

ଅଥଚ ଏହି ପ୍ରଥମ ନବକଳେବର ସହିତ ଜଗନ୍ନାଥ ସଂସ୍କୃତିର ମୂଳ ସମ୍ପୃକ୍ତ । ଆଦିବାସୀ, ଶୁଦ୍ର ଓ ବ୍ରାହ୍ମଣ୍ୟ ଧାରାର ଯେଉଁ ମିଶ୍ରଣ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଘଟିଛି, ତା’ର ମୂଳ ଏହି ଆଦ୍ୟ ନବକଳେବରରେ ରହିଛି । ତା’ର ତର୍ଜମା ଆମେ କରିପାରିଲୁ ନାହିଁ । ପୁନଶ୍ଚ ନବକଳେବର ବିଧାନ ସହିତ ପଶ୍ଚିମ ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଳାର ତିନୋଟି ପରମ୍ପରାର ସାମ୍ୟ ରହିଛି ।

କନ୍ଧମାନଙ୍କର ପରମ୍ପରାରେ ଗ୍ରାମଦେବୀଙ୍କ ଘଟ ପରିବର୍ତ୍ତନ ନୀତି ସହିତ ନବକଳେବରର ସମାନତା ରହିଛି । ସେହିପରି ପଶ୍ଚିମ ଓଡ଼ିଶାର ଡୁମାଲ୍‍ ଜାତିର ଇଷ୍ଟଦେବୀ ଖମ୍ବେଶ୍ୱରୀ ତଥା ପରମେଶ୍ୱରୀଙ୍କ ନବକଳେବର ବିଧାନ ସହିତ ଶ୍ରୀ ଜଗନ୍ନାଥଙ୍କ ନବକଳେବରର ଅତୁଳନୀୟ ସାମ୍ୟ ଦେଖାଯାଏ ।

ଅନ୍ୟ ଏକ ଉଦାହରଣ କ୍ରମରେ ସୋନପୁରର ବିଭିନ୍ନ ମନ୍ଦିରରେ ରହିଥିବା ‘ଜୁଡ଼ା ଖୁମ୍ବ’ଗୁଡ଼ିକର ପରିବର୍ତ୍ତନ ଓ ନବକଳେବର ବିଧାନ ପ୍ରାୟ ଏକା । ଏ ସମ୍ପର୍କରେ କୌଣସି ରିପୋର୍ଟ ବା ଆଲୋଚନା ଆମେ ଦେଖିବାକୁ ପାଇଲୁ ନାହିଁ । ଏହା ହିଁ ଦୁର୍ଭାଗ୍ୟ ।

ନବକଳେବର ଆଲୋଚନାବେଳେ କେବଳ ପ୍ରବଚକମାନେ ଜଗନ୍ନାଥ ସଂସ୍କୃତି ବିଷାରଦ ପାଲଟିଗଲେ । ଐତିହାସିକ ଏବଂ ସମାଜତାତ୍ତ୍ୱିକ ଆଲୋଚନା ବଦଳରେ ମହାପ୍ରଭୁଙ୍କୁ ଧାର୍ମିକ ଉନ୍ମାଦନାର ଶକ୍ତିକେନ୍ଦ୍ର ଭାବରେ ବର୍ଣ୍ଣନା କରିବାକୁ ଗଣମାଧ୍ୟମ ତତ୍ପର ହୋଇ ଉଠିଲା ।

ଯାହାଫଳରେ ନବକଳେବରର ନୃତାତ୍ତ୍ୱିକ ଓ ସମାଜତାତ୍ତ୍ୱିକ ଦିଗ ବିଷୟରେ ଆଲୋଚନା ସମ୍ଭବ ହେଲା ନାହିଁ । ଏପରିକି ନବକଳେବରକୁ ନେଇ ଘଟିଥିବା ବହୁ ଐତିହାସିକ ଘଟଣା ମଧ୍ୟ ଆଲୋଚିତ ହେଲା ନାହିଁ ।

ଯାହା ଫଳରେ ନବକଳେବରର ପରମ୍ପରା ବିଭ୍ରାନ୍ତି, ବିଭ୍ରାଟ ଓ ବିପର୍ଯ୍ୟୟରେ ପରିଣତ ହେଲା । ଏହି ପ୍ରସଙ୍ଗରେ ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କର ଉଦାହରଣ ଦିଆଯାଇପାରେ ।

ତକୀ ଖାଁଙ୍କ ଆକ୍ରମଣ ସମୟରେ ପରିସ୍ଥିତିରେ ପଡ଼ି ଖୋର୍ଦ୍ଧା ରାଜା ଗଜପତି ରାମଚନ୍ଦ୍ର ଦେବ ଧର୍ମାନ୍ତରିତ ହୋଇ ହାଫିଜ୍‍ କାଦର୍‍ ନାମ ଗ୍ରହଣ କରିଥିଲେ । ଗଜପତି ଧର୍ମାନ୍ତରିତ ହୋଇଥିବାରୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରେ ତାଙ୍କର ଭୂମିକା ସୀମିତ ଥିଲା ।

ଏହାକୁ ଆଳ କରି ମହାରାଣୀ ଲଳିତା ପାଟ ମହାଦେଇ ଓ ରାମଚନ୍ଦ୍ର ଦେବଙ୍କ ଭିତରେ କ୍ଷମତା ଯୁଦ୍ଧ ଲାଗି ରହିଥିଲା । ଏହି କ୍ଷମତା ଯୁଦ୍ଧରେ ବିଜୟୀ ହେବା ପାଇଁ ନବକଳେବରକୁ ଅସ୍ତ୍ର ଭାବରେ ଲଳିତା ପାଟ ମହାଦେଇ ବ୍ୟବହାର କରିବାକୁ ଚାହୁଁଥିଲେ ।

ଚିଲିକା ଭିତରେ ଗୋପ୍ୟ ହୋଇ ରହିଥିବା ଦାରୁ ବ୍ରହ୍ମଙ୍କୁ ନ ଆଣି ନୂଆ ଦାରୁ ଓ ନୂଆ ବ୍ରହ୍ମ ପ୍ରତିଷ୍ଠା କରି ନିଜର ରାଜନୈତିକ ପତିଆରା ଜାହିର୍‍ କରିବାକୁ ଲଳିତା ପାଟ ମହାଦେଇ ଉଦ୍ୟମ କରିଥିଲେ । ଏହାର ବିଷଦ ବର୍ଣ୍ଣନା ସୁରେନ୍ଦ୍ର ମହାନ୍ତି ତାଙ୍କର ଉପନ୍ୟାସ ‘ନୀଳାଦ୍ରି ବିଜୟ’ରେ କରିଛନ୍ତି ।

କ୍ଷମତା ଓ ରାଜନୀତିର ଯୁଦ୍ଧରେ ନବକଳେବର ଏକ ସାର୍ଥକ ମାଧ୍ୟମ ପାଲଟିଥିଲା । ତେଣୁ ଆଜି ଯେତେବେଳେ ନବକଳେବରକୁ ନେଇ ଅନ୍ୟ ରାଜନୈତିକ ଦଳଗୁଡ଼ିକ ରାଜନୀତି କରୁଛନ୍ତି, ସେଥିରେ ଚକିତ ହେବାର କିଛି ନାହିଁ ।

ନବକଳେବର ବିଧାନ ସହ ସଂକୀର୍ଣ୍ଣ ରାଜନୀତିର ଦୀର୍ଘଦିନର ସମ୍ପର୍କ ରହିଛି । ତେବେ ଏହି ରାଜନୀତି ଭିତରୁ ଜଗନ୍ନାଥଙ୍କର ସମନ୍ୱୟ ସୂତ୍ରଟି ମଧ୍ୟ ଫିଟି ଉଠିଛି ।

ଶ୍ରୀ ଜଗନ୍ନାଥଙ୍କୁ ଯେତେ ବ୍ରାହ୍ମଣ୍ୟଧର୍ମ ଭିତରେ ସୀମିତ ରଖିବାର ପ୍ରୟାସ ହୋଇଛି, ମହାପ୍ରଭୁ ସେତେ ଅଧିକ ଗାଣତାନ୍ତ୍ରିକ ଓ ସର୍ବୋଦୟୀ ହୋଇଛନ୍ତି । ତାଙ୍କରି ସେବା ପୂଜା ଭିତରେ ଜାତି, ଧର୍ମ ଓ ବର୍ଣ୍ଣର ସୀମାରେଖା ଲିଭିଛି । ନବକଳେବର ବିଧାନ ସହିତ ଆଉ ଏକ ସୂତ୍ର ମଧ୍ୟ ରହିଛି ।

ମହାପ୍ରଭୁ କେବଳ ଶଙ୍ଖନାଭି ମଣ୍ଡଳରେ ସୀମିତ ନୁହଁନ୍ତି । କ୍ଷେତ୍ରରୁ ବନ ଆଡ଼କୁ ପୁଣିଥରେ ଉଜାଣି ସୁଅରେ ସେ ଫେରି ଆସନ୍ତି । ପୁଣି ଥରେ ଦାରୁ ଭିତରେ ତାଙ୍କର ନୂତନ ସଂରଚନା ହୁଏ । ଏହାହିଁ ନବକଳେବରର ମୂଳ ସୂତ୍ର ।

ସବୁ ଜାତି ଓ ସବୁ ଧର୍ମର ସମ୍ପୃକ୍ତି ନବକଳେବରରେ କେଉଁଠି ନା କେଉଁଠି ଦେଖିବାକୁ ମିଳେ । ଦୁର୍ଭାଗ୍ୟର ବିଷୟ ହେଉଛି ଆମର ଗଣମାଧ୍ୟମ ନବକଳେବରର ଏହି ସମନ୍ୱୟ ବିଚାରକୁ ଆଦୌ ଗୁରୁତ୍ୱ ଦେଇନାହିଁ ।

୧୯୫୦ ମସିହାର ନବକଳେବର ସମୟରେ ଶ୍ରୀ ବଳଭଦ୍ରଙ୍କ ଦାରୁ କାକଟପୁର ନିକଟବର୍ତ୍ତୀ ଜଲାଲ୍‍ପୁର ଗ୍ରାମରୁ ମିଳିଥିଲା । ଏହି ଦାରୁର ମାଲିକ ଥିଲେ ଜଣେ ମୁସଲମାନ୍‍ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦାରୁ କାଟିବା ପାଇଁ ସେ ଅମଙ୍ଗ ହେଉଥିଲେ ।

ତେବେ ତାଙ୍କର ପତ୍ନୀ ଦାରୁ ଛେଦନ ପାଇଁ କେବଳ ଅନୁମତି ଦେଲେ ନାହିଁ, ଦଇତା ଓ ସେବାୟତମାନଙ୍କର ସମ୍ପୂର୍ଣ୍ଣ ରହଣିର ବ୍ୟବସ୍ଥା କରାଇଦେଲେ । ଏହା ଆମ ସଂସ୍କୃତିର ଧର୍ମନିରପେକ୍ଷ ଗୁଣକୁ ଆଉ ପାଦେ ଆଗେଇ ନେଇଛି । ଜଗନ୍ନାଥଙ୍କ ପାଖରେ ଜାତି ଓ ଧର୍ମର କୌଣସି ବାରଣ ନାହିଁ । ଜଲାଲ୍‍ପୁର ତା’ର ଏକ ଉଦାହରଣ ।

ଚଳିତ ବର୍ଷର ନବକଳେବର ପ୍ରସଙ୍ଗ ଉତ୍ଥାପନ କଲାବେଳେ ଆମେ ନବକଳେବରର ବହୁମୁଖୀ ଧାରା ବିଷୟରେ ବିଲ୍‍କୁଲ୍‍ ଚିନ୍ତା କଲୁ ନାହିଁ । ଆମେ କୌଣସି କନ୍ଧ ଗାଁକୁ ଯାଇ ଗ୍ରାମଦେବୀଙ୍କ ନବକଳେବର ବିଧାନ କେମିତି ହୁଏ, ଦେଖିବାକୁ ଚେଷ୍ଟା କଲୁ ନାହିଁ ।

ଆମର ଗଣମାଧ୍ୟମର ଉତ୍ସାହିତ ସାମ୍ବାଦିକମାନେ ସୋନପୁର କି ଜଲାଲ୍‍ପୁର ବିଷୟରେ କୌଣସି ତଥ୍ୟ ଉପସ୍ଥାପନ କଲେ ନାହିଁ । ତାଙ୍କୁ ବ୍ରହ୍ମ ଚୋରି ଭଳି ଅତ୍ୟନ୍ତ ନିକୃଷ୍ଟ ବିଚାର ଏମିତି ଗ୍ରାସ କଲା ଯେ, ସେମାନେ ନବକଳେବରର ବିବିଧ ଧାରା ବିଷୟରେ ଜାଣିବାର କି ଶୁଣିବାର ଉଦ୍ୟମ କଲେ ନାହିଁ । ଏହାଠୁ ବଳି ବିଡ଼ମ୍ବନା ଆଉ କ’ଣ ହୋଇପାରେ !

ଫୋନ୍‍ : ୯୪୩୭୧୫୪୪୪୫

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ନବକଳେବର, ପରମେଶ୍ୱର

ନବକଳେବର ରଥ ଯାତ୍ରା ପୂର୍ବରୁ ବୁଲା ଗାଈ-ଗୋରୁଙ୍କ ସ୍ଥାନାନ୍ତର

July 17, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ,୧୬ ଜୁଲାଇ (ଓଡିଶା ଡଟ୍ କମ୍): ନବକଳେବର ରଥଯାତ୍ରା ସମୟରେ ପୁରୀରେ ପଚାଶ ଲକ୍ଷରୁ ଊର୍ଦ୍ଧ୍ଵ ଜନ ସମାଗାମ ହେବାର ସମ୍ଭାବନା ଥିବାରୁ ପୁରୀ ସହର ଓ ବଡଦାଣ୍ଡରେ ବୁଲାବୁଲି କରୁଥିବା ଗାଈ-ଗୋରୁଙ୍କୁ ପଶୁ ସମ୍ପଦ ବିଭାଗ ସ୍ଥାନୀୟ ପ୍ରଶାସନ ସହଯୋଗରେ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ।

cattle-2

cattle

ପୁରୀ ସହରରେ ପ୍ରାୟ ଦୁଇହଜାର ଗାଈଗୋରୁ ରହିଥିବା ବେଳେ ପ୍ରତିଦିନ ପଞ୍ଚାଶହରୁ ଊର୍ଦ୍ଧ୍ଵ ବଡଦାଣ୍ଡରେ ବୁଲାବୁଲି କରୁଥିବା ଦେଖା ଯାଇଥାଏ । ଏହା ଫଳରେ ଯାତ୍ରୀ ଓ ପର୍ଯ୍ୟଟକ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୁଲିସକୁ ଟ୍ରାଫିକ ନିୟନ୍ତ୍ରଣ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ ।

ଏହି ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ପୁରୀ ନଗରପାଳିକା ସହଯୋଗରେ ରାଜ୍ୟର ପଶୁ ସମ୍ପଦ ବିଭାଗ ଗାଈଗୋରୁଙ୍କୁ ସହର ଉପକଣ୍ଠରେ ଥିବା ଗୋଟିଏ କାନଜି ହାଉସ ଓ ଗୋଟିଏ ଗୋଶାଳାକୁ ସ୍ଥାନାନ୍ତର କରିଛନ୍ତି । ଛାଇତନା ଠାରେ ୨୮ ଏକର ବିଶିଷ୍ଠ ଜାଗାରେ ପ୍ରାୟ ପାଞ୍ଚ ଶହ ଗାଈ ଗୋରୁମାନଙ୍କୁ ରଖିବାର ବ୍ୟବସ୍ଥା କରାଯାଇଥିବା ବେଳେ ହରିହରାନନ୍ଦ ଆଶ୍ରମର ଗୋଶାଳାରେ ମଧ୍ୟ ବହୁସଂଖ୍ୟାରେ ବୁଲା ଗାଈ ଗୋରୁଙ୍କୁ ରଖିବା ବ୍ୟବସ୍ଥା କରାଯାଇଛି ।

”ଠେଙ୍ଗା ବାହିନୀ” ନାମକ ଏକ ସ୍ଵଚ୍ଛାସେବି ସଂଗଠନର ସହାୟତାରେ ଗାଈଗୋରୁଙ୍କୁ ଉକ୍ତ ସ୍ଥାନ ମାନଙ୍କୁ ନିଆଯାଉଥିବା ପଶୁ ସମ୍ପଦ ବିଭାଗ କହିଛି । ଶୁକ୍ରବାର ସୁଦ୍ଧା କାନଜି ହାଉସରେ ୩୧୯ ବୁଲ ଗାଈଗୋରୁଙ୍କୁ ଥଇଥାନ କରାଯାଇଥିବା ବେଳେ ଗୋଶାଳାରେ
୫୨୧ଟି ଷଣ୍ଢଙ୍କୁ ରଖାଯାଇଛି । ବିଭାଗର ନିର୍ଦ୍ଦେଶକ ଶ୍ରୀ ଦେବୀ ପ୍ରସାଦ ପଣ୍ଡା ନିଜେ ପୁରୀରେ ରହି ଏହାର ପ୍ରତ୍ୟକ୍ଷ ତତ୍ଵାବଧାନ କରୁଛନ୍ତି । ସେହିଭଳି ନିର୍ଦ୍ଦେଶାଳୟର ସଂୟଯୁକ୍ତ ନିର୍ଦ୍ଦେଶକ ଡା.ମାନସ ରଞ୍ଜନ ମହାପାତ୍ର ମଧ୍ୟ ପୁରୀଠାରେ ରହି ଏହାର ତଦାରଖ କରୁଛନ୍ତି ।

ପଶୁ ଚିକିତ୍ସା ବିଭାଗ ପକ୍ଷରୁ ଗୌଶାଳାରେ ରହୁଥିବା ସ୍ଥାନାନ୍ତରିତ ଗାଈଗୋରୁ ମାନଙ୍କର ସ୍ୱାସ୍ଥ୍ୟ-ସେବା ଓ ଖାଦ୍ୟପେୟ ତଦାରଖ କରାଯାଉଥିବା କାର୍ଯ୍ୟ କୁ କୃଷି, ମତ୍ସ୍ୟ ଓ ପଶୁ ବିକାଶ ସମ୍ପଦ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ ଉଚ୍ଚ ପ୍ରଶଂସା କରିଛନ୍ତି। ବିଭାଗୀୟ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମଧ୍ୟ ଜୁଲାଇ ୧୫ ରେ ଏହି ସ୍ଥାନ ବୁଲି କାର୍ଯ୍ୟ ତଦାରଖ କରିଛନ୍ତି ।

ଏହି ଗାଈଗୋରୁ ମାନଙ୍କ ପାଇଁ ସ୍ଥାନୀୟ ବଜାରରୁ ୧୦ ମେଟ୍ରିକ ଟନ ଏବଂ ଓମ୍ଫେଡରୁ ୩୦ ମେଟ୍ରିକ ଟନ ଗୋ-ଖାଦ୍ୟ ଯୋଗାଇ ଦିଆଯାଉଥିବା ପୁରୀ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ସେହିଭଳି ଗାଈ-ଗୋରୁଙ୍କ ସ୍ୱାସ୍ଥ୍ୟର ତଦାରଖ କରିବା ପାଇଁ ଗୋଶାଳାରେ ତିନୋଟି ସିଫ୍ଟରେ କାର୍ଯ୍ୟ କରିବା ପାଇଁ ଜଣେ ପଶୁ ଚିକିତ୍ସା ଡାକ୍ତର, ଜଣେ ପଶୁ ସମ୍ପଦ ନିରିକ୍ଷକଏବଂ ଜଣେ ସହାୟକ କର୍ମଚାରୀଙ୍କୁ ଦାୟିତ୍ଵ ଦିଆଯାଇଛି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପରିବେଶ Tagged With: ନବକଳେବର, ପୁରୀ, ବୁଲା ଗାଈ-ଗୋରୁ

ନବକଳେବର ଊପରେ ପ୍ରାମାଣିକ ଚିତ୍ର ‘ଦେବତା ହୋଇଲେ ମରଇ’ (ଭିଡିଓ )

May 9, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର,ମଇ ୯ (ଓଡିଶା ଡଟ କମ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ଊପରେ ଆଧାରିତ ପ୍ରାମାଣିକ ଚଳଚିତ୍ର “ଦେବତା ହୋଇଲେ ମରଇ”ର ନିକଟରେ ଲୋକାର୍ପଣ ହୋଇଯାଇଛି । ନବକଳେବର ସହ ଜଡିତ ବଭିନ୍ନ ତଥ୍ୟ ତଥା ଗବେଷଣାକୁ ପାଥେୟ କରି ପ୍ରସ୍ତୁତ ଏହି ଚଳଚିତ୍ର ଜଗନ୍ନାଥଙ୍କ ଜନ୍ମମୃତ୍ୟୁର ଭାବପ୍ରବଣ ଯାତ୍ରାକୁ ସରଳ, ସାବଲୀଳ ଢଙ୍ଗରେ ଉପସ୍ଥାପନା କରିବାକୁ ପ୍ରୟାସ କରିଛି ।

ସମୟର କରାଳ କାଳିମାରେ ଶରୀର କ୍ଷଣସ୍ଥାୟୀ, ମରଣଶୀଳ ପାର୍ଥିବ ଶରୀର ପାଇଁ ମୃତ୍ୟୁ ହିଁ ଏକ ମାତ୍ର ସତ୍ୟ । ଅପୁର୍ବ ଏହି ଚିରନ୍ତନ ସତ୍ୟକୁ ମାନବ ସମାଜରେ ପ୍ରତିପାଦିତ କରିବା ପାଇଁ ଲୀଳାମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଜରାକାଳୀନ ପୁନର୍ଜନ୍ମର ଲୀଳା “ନବକଳେବର” ।

ନୂତନ ପୀଢ଼ିକୁ “ନବକଳେବର” କ’ଣ ପ୍ରଶ୍ନର ଉତ୍ତର ଦେବାପାଇଁ ଚେଷ୍ଟା କରିଛି ଏହି ଆଧ୍ୟାତ୍ମିକ ସୃଜନଶୀଳତା ସହ ପ୍ରସ୍ତୁତ ପ୍ରମାଣିକ ଚିତ୍ର । ଏହାର ଉପସ୍ଥାପନା ଶୈଳୀ ବିଶ୍ଲେଷଣାତ୍ମକ, ଗବେଷଣାମୂଳକ, ସୃଜନ ଓ ସମ୍ବେଦନଶୀଳ ଉଭୟ ସାଧାରଣ ଦର୍ଶକ ଓ ବୁଦ୍ଧିଜୀବିମାନଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଯୋଜନା ସଂସ୍ଥା ଲାଇଟ ହାଉସ୍ ଆଶା କରିଛି ।

ସୁପରିଚିତ ଲେଖକ ତଥା ସ୍ତମ୍ଭକାର ଡକ୍ଟର ବିବୁଧରଞ୍ଜନଙ୍କ ଦ୍ୱାରା ଲିଖିତ ଏହି ଚଳଚିତ୍ର ସୁନ୍ଦର ସଂପାଦନା ଓ ଉନ୍ନତମାନର ଆନିମେସନ କାର୍ଯ୍ୟ ସହ ଏକ ଜାତୀୟ ସ୍ତରର ପ୍ରୟାସ । ସଂଜୟ କାନୁନଗୋ ଓ ଗୁରୁଜୀ ଶ୍ୱେତଚନ୍ଦନଙ୍କ ନିର୍ଦ୍ଦେଶନାରେ ଏହି ଚଳଚିତ୍ର ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ଦୁଇଟି ଭାଗରେ ନିର୍ମାଣ କରାଯାଇଛି ।

ଇଂରାଜୀ ଭାଷାର ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ଇଂରାଜୀ ସାମ୍ବାଦିକ ଶ୍ରୀ ସନ୍ଦୀପ ସାହୁ । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ସହାୟତାରେ ପ୍ରସ୍ତୁତ ଏହି ଚଳଚିତ୍ରର ଦ୍ୱିତୀୟ ଭାଗଟି ଜୁଲାଇ ମାସରେ ରଥଯାତ୍ରା ଦିନ ଲୋକାର୍ପଣ ହେବାର ଯୋଜନା ରହିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ବିଶେଷ ଖବର, ମନୋରଞ୍ଜନ Tagged With: ଦେବତା ହୋଇଲେ ମରଇ, ନବକଳେବର, ପ୍ରାମାଣିକ ଚଳଚିତ୍ର, ଶ୍ରୀ ଜଗନ୍ନାଥ

ନବକଳେବର ଊପରେ ନିର୍ମିତ ପ୍ରାମାଣିକ ଚଳଚିତ୍ରର ଲୋକାର୍ପଣ

May 3, 2015 by News Bureau 1 Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର,ମଇ ୩ (ଓଡିଶା ଡଟ କମ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ଊପରେ ଆଧାରିତ ପ୍ରାମାଣିକ ଚଳଚିତ୍ର “ଦେବତା ହୋଇଲେ ମରଇ”ର ଏଠାରେ ରବିବାର ଲୋକାର୍ପଣ ହୋଇଯାଇଛି ।

dvd coverଏ ସମ୍ପର୍କିତ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଫେୟାର ପ୍ରାଙ୍ଗଣରେ ଏହି ଚଳଚିତ୍ରର ଲୋକାର୍ପଣ କରିଥିଲେ ।

ନବକଳେବର ସହ ଜଡିତ ବଭିନ୍ନ ତଥ୍ୟ ତଥା ଗବେଷଣାକୁ ପାଥେୟ କରି ପ୍ରସ୍ତୁତ ଏହି ଚଳଚିତ୍ର ଜଗନ୍ନାଥଙ୍କ ଜନ୍ମମୃତ୍ୟୁର ଭାବପ୍ରବଣ ଯାତ୍ରାକୁ ସରଳ, ସାବଲୀଳ ଢଙ୍ଗରେ ଉପସ୍ଥାପନା କରିବାକୁ ପ୍ରୟାସ କରିଛି ।

ଚଳଚିତ୍ରର ଉପସ୍ଥାପନା ଶୈଳୀ ବିଶ୍ଲେଷଣାତ୍ମକ, ଗବେଷଣାମୂଳକ, ସୃଜନ ଓ ସମ୍ବେଦନଶୀଳ ଯାହା ଉଭୟ ସାଧାରଣ ଦର୍ଶକ ଓ ବୁଦ୍ଧିଜୀବିମାନଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଯୋଜନା ସଂସ୍ଥା ଲାଇଟ ହାଉସ୍ ପକ୍ଷରୁ କୁହାଯାଇଛି ।

ସୁପରିଚିତ ଲେଖକ ତଥା ସ୍ତମ୍ଭକାର ଡକ୍ଟର ବିବୁଧରଞ୍ଜନଙ୍କ ଦ୍ୱାରା ଲିଖିତ ଏହି ଚଳଚିତ୍ର ସୁନ୍ଦର ସଂପାଦନା ଓ ଉନ୍ନତମାନର ଆନିମେସନ କାର୍ଯ୍ୟ ସହ ଏକ ଜାତୀୟ ସ୍ତରର ପ୍ରୟାସ ।film

ସଂଜୟ କାନୁନଗୋ ଓ ଗୁରୁଜୀ ଶ୍ୱେତଚନ୍ଦନଙ୍କ ନିର୍ଦ୍ଦେଶନାରେ ଏହି ଚଳଚିତ୍ର ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ଦୁଇଟି ଭାଗରେ ନିର୍ମାଣ କରାଯାଇଛି ।

ଇଂରାଜୀ ଭାଷାର ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ଇଂରାଜୀ ସାମ୍ବାଦିକ ଶ୍ରୀ ସନ୍ଦୀପ ସାହୁ । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ସହାୟତାରେ ପ୍ରସ୍ତୁତ ଏହି ଚଳଚିତ୍ରର ଦ୍ୱିତୀୟ ଭାଗଟି ଜୁଲାଇ ମାସରେ ରଥଯାତ୍ରା ଦିନ ଲୋକାର୍ପଣ ହେବାର ଯୋଜନା ରହିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ମନୋରଞ୍ଜନ Tagged With: ନବକଳେବର, ପ୍ରାମାଣିକ ଚଳଚିତ୍ର

ନବକଳେବର ପୂର୍ବରୁ ପୁରୀରେ ସବୁ ହୋଟେଲରେ ସିସି ଟିଭି

May 3, 2015 by News Bureau Leave a Comment

ଓଡିଶା ଡଟକମ ସଂବାଦଦାତା

ପୁରୀ, ମଇ ୩ (ଓଡିଶା ଡଟ କମ) ଚଳିତ ବର୍ଷ ୧୮ ଜୁଲାଇ ରେ ହେବାକୁ ଥିବା ନବ କଳେବର ଯାତ୍ରା ପୂର୍ବରୁ ପୁରୀର ସବୁ ହୋଟେଲରେ ନିଜ ଖର୍ଛରେ କ୍ଲୋଜସର୍କିଟ କ୍ୟାମେରା ଲଗାଇବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।

ପର୍ଯ୍ୟଟନ ବିଭାଗ ସଚିବ ଡଃ ଅରବିନ୍ଦ କୁମାର ପାଢୀ ଦେଇଥିବା ଏହି ନିର୍ଦ୍ଦେଶ ଅନୁସାରେ ହୋଟେଲ ମାଲିକ ନିଜ ଖର୍ଛରେ ପର୍ଯ୍ୟଟକଙ୍କ ବ୍ୟାଗ ଯାଞ୍ଚ ପାଇଁ ସ୍କାନର ମଧ୍ୟ ଲଗାଇବେ ଓ ହୋଟେଲ ବୁକିଂ ପାଇଁ ଅନ୍‍ଲାଇନ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ ।

ହୋଟେଲ ବୁକିଙ୍ଗ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସକୁ ଚବିଶ ଘଣ୍ଟା ମଧ୍ୟରେ ଜଣାଇବାକୁ ଓ ହୋଟେଲରେ ରହୁଥିବା ସବୁ ଲୋକଙ୍କ ତାଲିକା ପ୍ରଦର୍ଶିତ କରିବାକୁ ମଧ୍ୟ ହୋଟେଲ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ । ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା ।

ନବକଳେବର ସମୟରେ ନୂତନ ବିଗ୍ରହ ନିର୍ମାଣ ପାଇଁ ନିମ କାଠ ସଂଗ୍ରହ ନିମନ୍ତେ ‘ବନଯାଗ ଯାତ୍ରା’ ନାମକ ସ୍ଵତନ୍ତ୍ର ଯାତ୍ରା (ଦାରୁବ୍ରହ୍ମ ଅନ୍ଵେଷଣ କାର୍ଯ୍ୟକ୍ରମ) ପାଳିତ ହୁଏ । ବାସନ୍ତିକ ଦୁର୍ଗାପୂଜା ଦଶହରା ଅର୍ଥାତ ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ ଦିନ ମଧ୍ୟାହ୍ନଧୂପ ଅବକାଶରେ ଶ୍ରୀଜୀଉଙ୍କ ବିଶେଷ ପୂଜା ପରେ ଏହାର ଅୟମାରମ୍ଭ ହୋଇଥାଏ । ଏହି ଦିନ କୋଇଲି ବୈକୁଣ୍ଠରେ ଦାରୁଗୃହ ଓ ଯଜ୍ଞଶାଳା ଅନୁକୂଳ କର୍ମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ଚଳିତ ବର୍ଷ ନବ କଳେବର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ପୁରୀ ରେ ପ୍ରାୟ ପଚାଶ ଲକ୍ଷ ଭକ୍ତଙ୍କ ସମାଗମ କୁ ଆଖି ଆଗରେ ରଖି ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ, ପର୍ଯଟନ Tagged With: ନବକଳେବର, ପୁରୀ, ସିସି ଟିଭି, ହୋଟେଲ

ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ଚିହ୍ନଟ

April 29, 2015 by News Bureau Leave a Comment

ଭୁବନେଶ୍ଵର ଏପ୍ରିଲ ୨୯ (ଓଡିଶା ଡଟ କମ) ଚଳିତ ବର୍ଷ ପୁରୀରେ ହେବାକୁ ଥିବା ନବ କଳେବର ପାଇଁ ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ଦାରୁ ଚିହ୍ନଟ ସରିଥିବା ବେଳେ ବୁଧବାର ମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ବୃକ୍ଷ ଜଗତସିଂପୁରରେ ଠାବ ହୋଇଥିବା ଘୋଷଣା ପରେ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି ।

nabakalebara_logoବନଯାଗ ଯାତ୍ରୀଙ୍କ ଦଳପତି ହଳଧର ଦାସ ମହାପାତ୍ର ଶ୍ରୀ ଜଗନ୍ନାଥଙ୍କ ଦାରୁକୁ ମଙ୍ଗଳବାର ବିଳମ୍ବିତ ରାତିରେ ରଘୁନାଥପୁର ବ୍ଲକର ଖରିପଡିଆ ଗାଁରେ ଚିହ୍ନଟ କରି ଜଣାଇବାପରେ ସେଠାରେ ବ୍ୟାପକ ଜନ ସମାଗମ ଆଶଙ୍କା କରି ପୁଲିସ ମୁତୟନ କରାଯାଇଥିବା ସେ କହିଛନ୍ତି ।

ଦଳପତି ହଳଧର ଦାସ ମହାପାତ୍ର କହିଛନ୍ତି ଯେ ସେ ପୂର୍ବରୁ ଦୁଇ ଥର ନବକଳେବରରେ ଅଂଶଗ୍ରହଣ କରିଛନ୍ତି ହେଲେ କେବେ ବି ଏତେ ସହଜରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ମିଳେ ନାହି। କିନ୍ତୁ ଏହିଥର ଅତି ସହଜରେ ଦାରୁ ଚିହ୍ନଟ କରାଯାଇପାରିଥିଲା ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ଚିହ୍ନିବାର ସଂକେତ ହେଉଛି ଦାରୁ କଳା ବା ଇଷତ କଳା ହୋଇଥିବ,ଏହାର ଗଣ୍ଡି ସିଧା ଏବଂ ଉଚ୍ଚତା ୭ ହାତ ରୁ ୧୨ ହାତ ହୋଇଥିବ, ଏହାର ଉପରିଭାଗ ୪ଟି ଶାଖା ବିଶିଷ୍ଟ ହୋଇଥିବ ।

ଦାରୁଙ୍କ ଦେହରେ ଭଗବାନଙ୍କର ଚାରୋଟି ଆୟୁଧ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ମଧ୍ୟରୁ ଅନ୍ତତଃ ଦୁଇଟି ଚିହ୍ନ ରହିଥିବା ଆବଶ୍ୟକ । ଏହି ଦୁଇଟି ଚିହ୍ନ ଯଦି ଶଙ୍ଖ, ଚକ୍ର ହୋଇଥିବା ତେବେ ତାହାକୁ ଅଧିକ ଗୁରୁତ୍ଵ ଦିଆଯାଏ । ଏଥିରେ କେହି ପକ୍ଷୀ ବସ କରିନଥିବେ ଆଦି ।

ପୂର୍ବରୁ ଶ୍ରୀସୁଦର୍ଶନଙ୍କ ଦାରୁ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର ଗଡକଣ୍ଟୁଣିଆ ଠାରେ, ଶ୍ରୀବଳଦେବଙ୍କ ଦାରୁ ଜଗତସିଂପୁର ଜିଲ୍ଲାର ଝଙ୍କଡର ମା ସାରଳାଙ୍କ ପୀଠ ଠାରେ ଓ ଦେବୀ ସୁଭଦ୍ରାଙ୍କ ଦାରୁ ଜଗତସିଂପୁର ଜିଲ୍ଲାର ବିରିଡି ବ୍ଲକର ଅଢଙ୍ଗଗଡ ଠାରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଚିହ୍ନଟ କରଯାଇଥିଲା । ଦଇତା ପତିମାନେ ଏହି ଦାରୁ ସଂଗ୍ରହ କରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛନ୍ତି।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ । ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା ।

ନବକଳେବର ସମୟରେ ନୂତନ ବିଗ୍ରହ ନିର୍ମାଣ ପାଇଁ ନିମ କାଠ ସଂଗ୍ରହ ନିମନ୍ତେ ‘ବନଯାଗ ଯାତ୍ରା’ ନାମକ ସ୍ଵତନ୍ତ୍ର ଯାତ୍ରା (ଦାରୁବ୍ରହ୍ମ ଅନ୍ଵେଷଣ କାର୍ଯ୍ୟକ୍ରମ) ପାଳିତ ହୁଏ । ବାସନ୍ତିକ ଦୁର୍ଗାପୂଜା ଦଶହରା ଅର୍ଥାତ ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ ଦିନ ମଧ୍ୟାହ୍ନଧୂପ ଅବକାଶରେ ଶ୍ରୀଜୀଉଙ୍କ ବିଶେଷ ପୂଜା ପରେ ଏହାର ଅୟମାରମ୍ଭ ହୋଇଥାଏ । ଏହି ଦିନ କୋଇଲି ବୈକୁଣ୍ଠରେ ଦାରୁଗୃହ ଓ ଯଜ୍ଞଶାଳା ଅନୁକୂଳ କର୍ମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ଚଳିତ ବର୍ଷ ନବ କଳେବର ଯାତ୍ରା ୧୮ ଜୁଲାଇ ରେ ଅନୁଷ୍ଠିତ ହେବ । ନବ କଳେବର ପାଇଁ ପୁରୀ ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଆଖି ଆଗରେ ରଖି ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।

ଓଡିଶା ଡଟ କମ

ନବ କଳେବର ସମ୍ପର୍କରେ ବିଶେଷ ତଥ୍ୟ

News Bureau
News Bureau

Filed Under: ଧର୍ମ Tagged With: ଦାରୁ, ନବକଳେବର, ବନଯାଗ ଯାତ୍ରୀ, ଶ୍ରୀ ଜଗନ୍ନାଥ

ନବକଳେବର ଓ ଶଙ୍କରାଚାର୍ଯ୍ୟ ବିବାଦ

April 28, 2015 by News Bureau Leave a Comment

ପ୍ରଶାନ୍ତ ପଟ୍ଟନାୟକ

ବିଗତ ରଥଯାତ୍ରା ପୂର୍ବରୁ ପୁରୀର ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତି ମହାରାଜ ରଥାରୁଢ଼ା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ପର୍ଶ କରିବା ସମ୍ପର୍କରେ ଏ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବିବୃତି ଯଥେଷ୍ଟ ବିବାଦମାନ ହୋଇପଡିଥିଲା ।

Cartoon-65ଏହି ବିବାଦ ପରିଶେଷରେ ଏପରି ମୋଡ ନେଇଥିଲା ଯେ ଶଙ୍କରାଚାର୍ଯ୍ୟ ରଥ ଉପରେ ଠାକୁରମାନଙ୍କୁ ଦର୍ଶନ କରିବାରୁ ସ୍ୱତଃ ବିରତ ହୋଇଥିଲେ । ସମ୍ପ୍ରତ୍ତି ଜଗତ୍‍ଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ପୁନଶ୍ଚ ନିଜକୁ ଏକ ବିବାଦମାନ ପରିସ୍ଥିତିକୁ ଟାଣି ନେଇଛନ୍ତି ।

ନବକଳେବର ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଶଙ୍କରାଚାର୍ଯ୍ୟଙ୍କ ଠାରୁ ପରାମର୍ଶ ଗ୍ରହଣ କରିନଥିବା ବିଷୟରେ ଗଜପତି ମହାରାଜା ନିରବ ରହିବା ଘଟଣା ଏବେ ଚର୍ଚ୍ଚାର ବିଷୟବସ୍ତୁ ହୋଇପଡିଛି ।

ପ୍ରାୟ ଏକମାସ ଧରି ନବକଳେବର ପର୍ବ ବନଯାଗ ଯାତ୍ରା ଆରମ୍ଭ ହୋଇଯାଇଛି । ବନଯାଗ ଯାତ୍ରାର କିଛିଦିନ ପୂର୍ବରୁ ଗଜପତି ମହାରାଜା ତାଙ୍କ ଶ୍ରୀନହରରେ ଛତିଶା ନିଯୋଗର କର୍ମକର୍ତ୍ତାଙ୍କୁ ଡାକି ନବକଳେବର ପର୍ବ ସମ୍ପର୍କରେ ଆଲୋଚନା କରିଥିଲେ ।

ଏଥିରେ ମୁଖ୍ୟ ପ୍ରଶାସକଙ୍କ ସହିତ ଜିଲ୍ଲାର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନବକଳେବର ସମ୍ପର୍କିତ ବିଭିନ୍ନ ତଥ୍ୟମାନ ଦେଉଳକରଣ, ତଢ଼ଉକରଣ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରାଯାଇଥିଲା ।

ଯେଉଁ ସେବାୟତମାନଙ୍କର ନବକଳେବର ପାଇଁ ଆବଶ୍ୟକତା ରହିଛି ସେମାନେ ସେମାନଙ୍କ କାର୍ଯ୍ୟ ତୁଲାଇବା ପାଇଁ ଗଜପତି ମହାରାଜ ବୈଠକରେ ପରାମର୍ଶ ଦେଇଥିଲେ । ନିଯୋଗ କର୍ମକର୍ତ୍ତାମାନେ ନବକଳେବର ସମ୍ପର୍କିତ ଆନୁଷ୍ଠାନିକ ଘୋଷଣା କରାଯାଇନଥିବା ବିଷୟ ଉଠାଇଥିଲେ ଏବଂ ଏ ସମ୍ପର୍କରେ ଗଜପତି ମହାରାଜଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ ।

ଗଜପତି ମହାରାଜ ଏ ବିଷୟରେ ମୁଁ ଶ୍ରୀମନ୍ଦିରର ପ୍ରଶାସନ ସହିତ ଆଲୋଚନା କରି ଜଣାଇବି ବୋଲି ସେଠାରେ କହିଥିଲେ । ମାତ୍ର ଉପସ୍ଥିତ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ଥିରୀକୃତ ହୋଇଥିବା ଦିନଗୁଡିକ ବିଷୟରେ ଶ୍ରୀଜୀଉଙ୍କର ଯେଉଁ ଯେଉଁ ନୀତିଗୁଡିକ ହେବାକୁ ଅଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଗଜପତି ମହାରାଜ ମୁକ୍ତିମଣ୍ଡପ ପଣ୍ଡିତ ଇତ୍ୟାଦିଙ୍କ ପରାମର୍ଶ କ୍ରମେ ଚଳିତବର୍ଷ ନବକଳେବର ହେଉଛି ବୋଲି ସେବାୟତ କର୍ମକର୍ତ୍ତାଙ୍କ ନିକଟରେ ପ୍ରକାଶ କରିଥିଲେ । ଏହି ବୈଠକର ଗୋଟିଏ ଦିନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ନବକଳେବର ସମ୍ପର୍କରେ ଘୋଷଣା କରାଯାଇଥିଲା ।

ଗତବର୍ଷ ରଥଯାତ୍ରା ସମୟରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିପାରିବେ ନାହିଁ ବୋଲି ଜଗତ୍‍ଗୁରୁ ଯେଉଁ ମତବ୍ୟକ୍ତ କରିଥିଲେ ତା ଦ୍ୱାରା କୌଣସି ଭକ୍ତଙ୍କୁ ରଥ ଉପରକୁ ଚଢ଼ିବା ପାଇଁ ଦିଆଯାଇନଥିଲା । କଡା ସୁରକ୍ଷା ମଧ୍ୟରେ ରଥଗୁଡିକୁ ରଖାଯାଇଥିଲା ।

ଅଦାଲତଙ୍କ ନିର୍ଦେଶକ୍ରମେ ଶୀଜୀଉଙ୍କୁ ସ୍ପର୍ଶ କଲେ ଅବମାନନା ହେବ ବୋଲି ପୋଲିସ୍‍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ରଥଯାତ୍ରା ଦିନ ଶଙ୍କରଚାର୍ଯ୍ୟ ରଥାରୁଢ଼ା ଶ୍ରୀଜୀଉମାନଙ୍କୁ ରଥ ଉପରେ ନଚଢ଼ି ବଡଦାଣ୍ଡରୁ ଦର୍ଶନ କରି ଫେରି ଯାଇଥିଲେ । ଏହି ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା ।

ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ମଧ୍ୟରେ ଏହାକୁ ନେଇ କଥା କଟାକଟି ମଧ୍ୟ ହୋଇଥିଲା । ସେତେବେଳେ ଏସବୁର ମୂକଦର୍ଶକ ପାଲଟି ଯାଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଶଙ୍କରାଚାର୍ଯ୍ୟଙ୍କ ରଥ ଚଢ଼ିବା ଘଟଣାର ନିଜକୁ ଦୂରେଇ ରଖିଥିଲେ । ପରେ ଏ ସମ୍ପର୍କରେ ବିଚାର ବିମର୍ଶ ମଧ୍ୟ କରାଯାଇନଥିଲା ।

ସେତେବେଳେ ଶଙ୍କରାଚାର୍ଯ୍ୟ ଅପମାନିତ ହେଲା ଭଳି ନିରବ ରହି ଯାଇଥିଲେ । ୨୦୧୫ ମସିହାରେ ଶ୍ରୀଜୀଉଙ୍କର ନବକଳେବର ଅନୁଷ୍ଠିତ ହେବ ବୋଲି ତାର ତିନି ଚାରି ବର୍ଷ ପୂର୍ବରୁ ଜଣାପଡି ଯାଇଥିଲା । ସେଥି ନିମନ୍ତେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ପୁରୀ-ଭୁବନେଶ୍ୱର ରାଜପଥର ସମ୍ପ୍ରସାରଣ, ପୁରୀ-ଖୋର୍ଦ୍ଧା ରୋଡ୍‍ ରେଳପଥର ଦୋହରୀକରଣ ସହିତ ଅନ୍ୟାନ୍ୟ ବିଷୟ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ।

ମୁଖ୍ୟମନ୍ତ୍ରୀ ବାରମ୍ବାର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀଙ୍କୁ ନବକଳେବର ସମ୍ପର୍କରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଶ୍ରୀମନ୍ଦିର ପ୍ରଶାସନ ନବକଳେବରକୁ ନେଇ ତତ୍ପରତା ପ୍ରକାଶ କରିନଥିଲା । ଶ୍ରୀମନ୍ଦିର ପ୍ରଶାସନ ପାଇଁ ଯେପରି ଅଡୁଆ ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ପ୍ରଶାସନିକ ଅଧିକାରୀମାନେ ଅଧିକ ଯତ୍ନବାନ ହେଉଥିବା ଦେଖିବାକୁ ମିଳୁଥିଲା ।

ଶଙ୍କରାଚାର୍ଯ୍ୟଙ୍କ ରଥ ଚଢ଼ା ପ୍ରସଙ୍ଗ, ନବକଳେବର ପାଇଁ ବିଭିନ୍ନ ବର୍ଗର ସେବାୟତମାନଙ୍କ ସହିତ ବିଚାର ଆଲୋଚନା, ସେବାୟତମାନଙ୍କ ପ୍ରାପ୍ୟ ପାଉଣା ପ୍ରଦାନ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ପ୍ରାୟ ନୀରବ ରହିଥିଲା । ଏ ସମସ୍ତ ବିଷୟ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ହିସାବରେ ଗଜପତି ମହାରାଜ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଶ୍ରୀଜୀଉଙ୍କ ନବକଳେବର ସମ୍ପର୍କରେ ଶଙ୍କରାଚାର୍ଯ୍ୟଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଗଜପତି ମହାରାଜ, ଶ୍ରୀମନ୍ଦିର ପ୍ରଶାସକ ବା ରାଜ୍ୟ ପ୍ରଶାସନ ହୁଏତ ଉପଲବଧି କରୁନଥିବାରୁ ଗଣମାଧ୍ୟମ ଜରିଆରେ ତାଙ୍କର କ୍ଷୋଭ ପ୍ରକାଶ ସତ୍ତ୍ୱେ ବି କୌଣସି ମହଲରେ ପ୍ରତିକ୍ରିୟା ବା ତତ୍ପରତା ପ୍ରକାଶ ପାଇନାହିଁ ।

ଶ୍ରୀ ଜୀଉମାନଙ୍କର ଦାରୁ ଚିହ୍ନଟ ହେବା ପରେ ରାଜ୍ୟର ଜନସାଧାରଣଙ୍କ ମନରେ ଯେଭଳି ପ୍ରବଳ ଉତ୍କଣ୍ଠା ଦେଖାଦେଇଛି ଏବଂ ସେମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଦଇତାପତି ଓ ବିଭିନ୍ନ ବର୍ଗର ସେବାୟତମାନଙ୍କୁ ଯେଭଳି ସମ୍ବର୍ଦ୍ଧନା ଓ ସମ୍ମାନ ଜଣାଉଛନ୍ତି ତାହାର ପ୍ରତିବଦଳରେ ସେମାନେ ଭକ୍ତମାନଙ୍କୁ ଅନୁରୂପ ଶ୍ରଦ୍ଧା ଓ ସମ୍ମାନ ଜଣାଇବା ଏକାନ୍ତ ଆବଶ୍ୟକ ।

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

News Bureau
News Bureau

Filed Under: ତୃତୀୟ ନୟନ Tagged With: ନବକଳେବର, ରଥଯାତ୍ରା, ଶଙ୍କରାଚାର୍ଯ୍ୟ

ପୁରୀରେ ଟ୍ରାଫିକ୍ ପୋଲିସ ଥାନା ପାଇଁ ୩୦ ପଦବୀ ମଂଜୁର

March 30, 2015 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାଦାତା

ଭୁବନେଶ୍ଵର ମାର୍ଚ୍ଚ 30 (ଓଡ଼ିଶା ଡ଼ଟ୍ କମ୍)-ନବକଳେବର ରେ ବ୍ୟାପକ ଯାତ୍ରୀ ସମାଗମ କୁ ଦୃଷ୍ଟିରେ ରଖି ଟ୍ରାଫିକ୍ ସୁପରିଚାଳନା ନିମନ୍ତେ ପୁରୀଠାରେ ପ୍ରତିଷ୍ଠା ହୋଇଥିବା ଟ୍ରାଫିକ ପୋଲିସ ଥାନା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୦ଟି ପଦବୀ ମଂଜୁରୀ କରିଛନ୍ତି ।

mandatory-trafficଟ୍ରାଫିକ ନିରୀକ୍ଷକ ପାଇଁ ଗୋଟିଏ ପଦବୀ ମଂଜୁର କରାଯାଇଥିବା ବେଳେ ସହ ନିରୀକ୍ଷକ ପାହ୍ୟାରେ ତିନୋଟି, ସହକାରୀ ସହ ନିରୀକ୍ଷକ ପଦବୀର ରେ ଛଅଗୋଟି ଓ କନେଷ୍ଟବଳ ପାହ୍ୟାରେ କୋଡ଼ିଏଟି ପଦବୀ ମଂଜୁର କରାଯାଇଛି । ନିଯୁକ୍ତି ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପର୍ଯଟନ Tagged With: ଟ୍ରାଫିକ୍, ନବକଳେବର, ନିଯୁକ୍ତି, ମୁଖ୍ୟମନ୍ତ୍ରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ