• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନବୀନ

(ତୃତୀୟ ନୟନ: ପ୍ରଶାନ୍ତ ପଟ୍ଟନାୟକ) ପ୍ରଗତି, ସନ୍ତୁଷ୍ଟି ଓ ଭିକ୍ଷା ବୃତ୍ତି

May 11, 2015 by News Bureau Leave a Comment

ତୃତୀୟ ନୟନ

ପ୍ରଶାନ୍ତ ପଟ୍ଟନାୟକ

ନବୀନ ସରକାର ଶାସନ କ୍ଷମତାକୁ ଆସିବା ପରଠାରୁ ବିଗତ ୧୪ ବର୍ଷ ମଧ୍ୟରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବହୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜ୍ୟ ସରକାର ଏବଂ ଶାସକ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ଗଣମାଧ୍ୟମରେ ବ୍ୟୟବହୁଳ ପ୍ରଚାର ଜାରି ରହିଛି ।

Prasanta-Closeupରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ତାଙ୍କ ସରକାରଙ୍କ ଦ୍ୱାରା ଗୃହୀତ ବିଭିନ୍ନ ପଦକ୍ଷେପ ମଧ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା ରାଜ୍ୟର ସର୍ବାଧିକ ଲୋକଙ୍କୁ ପ୍ରଭାବିତ କରିଛି ବୋଲି ଦାବି କରାଯିବା ସହ କିଲୋପ୍ରତି ଏକ ଟଙ୍କା ମୂଲ୍ୟରେ ଚାଉଳ ଯୋଗାଇ ସରକାର ଜନସାଧାରଣଙ୍କୁ ବିଶେଷ ଭାବରେ ଉପକୃତ କରିଥିବା ଦାବି କରାଯାଉଛି ।

ସରକାରୀ କଳ ଓ ସରକାରୀ ଦଳ ତରଫରୁ କୁହାଯାଉଛି ଯେ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି ଫଳରେ ରାଜ୍ୟରେ ୩୭ ଲକ୍ଷ ବିପିଏଲ୍‍ ପରିବାର, ୧୨ ଲକ୍ଷ ୫୩ ହଜାର ଅନ୍ତ୍ୟୋଦୟ ଅନ୍ନ ଯୋଜନା ହିତାଧିକାରୀ ହୋଇଥିବା ବେଳେ ୮ଟି କେବିକେ ଜିଲ୍ଲାର ୫ ଲକ୍ଷ ୩୨ ହଜାର ଏପିଏଲ୍‍ ପରିବାର୧ ଫେବୃୟାରୀ ୨୦୧୩ ଠାରୁ କିଲୋପ୍ରତି ୧ ଟଙ୍କା ହିସାବରେ ମାସକୁ ୨୫ କେଜି ପର୍ଯ୍ୟନ୍ତ ଚାଉଳ ପାଇବା ଯୋଗୁଁ ଏହି ପରିବାରଗୁଡିକର ଖାଦ୍ୟ ନିରାପତ୍ତା ନିଶ୍ଚିତ ହୋଇଛି।

ଏହି ଯୋଜନାର ଲାଭ ପାଉଥିବା ଅନ୍ୟମାନେ ହେଲେ ଆଦିବାସୀ ଛାତ୍ରାବସାରେ ରହି ପାଠ ପଢ଼ୁଥିବା ୪ ଲକ୍ଷ ୧୫ ହଜାର ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀ, ୭୭ ହଜାର ଭିନ୍ନକ୍ଷମ, କନ୍ଧମାଳ ଦଙ୍ଗାଗ୍ରସ୍ତ ୨୪ ହଜାର ଏପିଏଲ୍‍ ପରିବାର ଏବଂ ଅଲିଭ୍‍ ରିଡ୍‍ଲେ ସଂରକ୍ଷଣ ଦ୍ୱାରା କ୍ଷତିଗ୍ରସ୍ତ ୧୦ ହଜାର ୧୩୩ ପରିବାର ।

କେବଳ ଏତିକି ନୁହେଁ ରାଜ୍ୟର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଉପକୃତ ବା ସନ୍ତୁଷ୍ଟିକରଣ କରିବା ନିମନ୍ତେ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି । ସେଗୁଡିକ ମଧ୍ୟରେ ଛତା, କମ୍ବଳ, ଚପଲ ବଣ୍ଟନଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କୁ ସାଇକେଲ୍‍ ଓ ଲ୍ୟାପ୍‍ଟପ୍‍ ବଣ୍ଟନ ପ୍ରଭୃତି ପଦକ୍ଷେପ ଅର୍ନ୍ତଭୂକ୍ତ ।

ସରକାରଙ୍କ ଏହି ଯୋଜନାରେ ଉପକୃତ ହେଉଥିବା ଲୋକମାନେ ନବୀନଙ୍କ ପ୍ରତି ଅକୁଣ୍ଠ କୃତଜ୍ଞତା ଜଣାଇବା ପାଇଁ ଗତ ସାଧାରଣ ନିର୍ବାଚନରେ ସରକାରୀ ଦଳର ରେକର୍ଡ ସଂଖ୍ୟକ ୧୧୭ ଜଣ ବିଧାୟକ ଏବଂ ୨୦ ଜଣ ଲୋକସଭା ସଦସ୍ୟଙ୍କୁ ନିର୍ବାଚିତ କରିଛନ୍ତି ।

ନବୀନଙ୍କର ଏହି ସନ୍ତୁଷ୍ଟିକରଣ ରାଜନୀତି ରାଜ୍ୟ ବା ଜନସାଧାରଣଙ୍କର ବାସ୍ତବ ଉନ୍ନତି କରିବା ପରିବର୍ତ୍ତେ ସେମାନଙ୍କ ମନରୁ ‘ଆତ୍ମ ନିର୍ଭରଶୀଳତା’କୁ ନିର୍ବାସିତ କରି ସେମାନଙ୍କୁ ଏକପ୍ରକାର ‘ଭିକାରୀ’ରେ ପରିଣତ କରିବା ସହ ରାଜ୍ୟର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବାରେ ଲାଗି ପଡିଛି ।

ସରକାରଙ୍କ ଏଭଳି ନୀତି ସମ୍ପର୍କରେ ସରକାରୀ ଦଳ ଓ ସରକାରୀ କଳରୁ ଫାଇଦା ଉଠାଉଥିବା ରାଜନୈତିକ ବ୍ୟକ୍ତି, ଅମଲାତନ୍ତ୍ରୀ, ଗଣମାଧ୍ୟମ ଓ ତଥାକଥିତ ବୁଦ୍ଧିଜୀବୀମାନେ ପ୍ରଶଂସାରେ ଶତମୁଖ ହୋଇଉଠୁଥିବା ସ୍ଥଳେ ଏଭଳି ସନ୍ତୁଷ୍ଟିକରଣ ନୀତି ଓଡିଶାକୁ କେତେଦୂର ପ୍ରଗତି ପଥରେ ଆଗେଇ ନେବ ଏବଂ ଓଡିଆ ଜାତିର ସ୍ୱାଭିମାନକୁ କେତେଦୂର ସମୃଦ୍ଧ କରିବ ସେ ସମ୍ପର୍କରେ ଉଚିତ୍‍ ମୂଲ୍ୟାୟନ କରିବା ଦିଗରେ କୌଣସି ରାଜନୈତିଜ୍ଞ, ଅର୍ଥନୈତିଜ୍ଞ, ସମାଜନୀତିଜ୍ଞ ଚିନ୍ତା କରୁଥିବା ଭଳି ମନେ ହେଉନାହିଁ ।

ବିରୋଧୀ ରାଜନୈତିକ ଦଳମାନେ କେବଳ ରାଜନୈତିକ ଦୃଷ୍ଟିକୋଣରୁ ନବୀନଙ୍କ ପଦକ୍ଷେପକୁ ‘ମୃଦୁ ବିରୋଧ’ କରୁଥିଲେ ମଧ୍ୟ ଏ ସମ୍ପର୍କରେ ଯେଭଳି ଭାବରେ ଜନସେଚତନତା ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯିବା କଥା ତାହା କରୁନାହାନ୍ତି ।

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ପରିଚିତ ରାଜ୍ୟ ଏବଂ ଜାତୀୟସ୍ତରର ଗଣମାଧ୍ୟମଗୁଡିକ ନବୀନ ସରକାରଙ୍କ ପଦକ୍ଷେପର ଉଚିତ୍‍ ମୂଲ୍ୟାୟନ କରିବା ଦିଗରେ ପଦକ୍ଷେପ ନେବା ସହ ଜନସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ସେମାନେ ମଧ୍ୟ ‘ବିଜ୍ଞାପନ’ ଓ ଅନ୍ୟାନ୍ୟ ଅନୁକମ୍ପା ବଳରେ ସନ୍ତୁଷ୍ଟ ହୋଇ କେବଳ ନିରବ ରହୁନାହାନ୍ତି ନବୀନଙ୍କ ପଦକ୍ଷେପର ଭୂୟସୀ ପ୍ରଶଂସା କରି ତାଙ୍କୁ ଉତ୍ସାହିତ କରି ଚାଲିଛନ୍ତି ।

ସବୁ ବର୍ଗର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ନବୀନ ସରକାର ଯେଉଁ ଭଳି ପଦକ୍ଷେପ ନେଉଛନ୍ତି ତାହା ଫଳରେ ଓଡିଶାର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡିବା ସହ ଓଡିଶାର ଜନସାଧାରଣଙ୍କର ଆର୍ଥିକ ଓ ନୈତିକ ମେରୁଦଣ୍ଡ ମଧ୍ୟ ଦୁର୍ବଳ ହେବାରେ ଲାଗିଛି ଏଥିରେ ସଂଦେହ ନାହିଁ ।

କାରଣ କେବଳ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମରେ ଯୋଗାଇ ଦିଆଯାଉଥିବା ଚାଉଳକୁ ବାଦ୍‍ ଦେଲେ ଅନ୍ୟାନ୍ୟ ସମସ୍ତ ସନ୍ତୁଷ୍ଟିକରଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶ୍ରମିକ ଓ ବୟସ୍କ ଏବଂ ଅସହାୟ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ହଜାର ହଜାର କୋଟି ଟଙ୍କା ମୂଲ୍ୟର ପଦାର୍ଥଗୁଡିକ ମଧ୍ୟରୁ ଗୋଟିଏ ହେଲେ ପଦାର୍ଥ ଓଡିଶାରେ ଉତ୍ପାଦିତ ହେଉନାହିଁ ।

ଅଧିକାଂଶ ପଦାର୍ଥ ଅନ୍ୟାନ୍ୟ ପ୍ରଦେଶରୁ ଆମଦାନୀ କରାଯାଉଥିବାହେତୁ ଏ ସବୁର ଦାୟିତ୍ୱରେ ଥିବା ଅମଲାତନ୍ତ୍ରୀ ଓ ରାଜନେତାମାନେ ଏଥିରୁ ପ୍ରଭୃତ ଆର୍ଥିକ ଫାଇଦା ଉଠାଇବା ଅଭିଯୋଗ ହେଉଛି । ମଧ୍ୟାହ୍ନ ଭୋଜନ ପାଇଁ ଯୋଗାଇ ଦିଆଯାଉଥିବା ନିମ୍ନମାନର ଡାଲି କାରବାରରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ବିଷୟ ପଦାରେ ପଡିବା ପରେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ମଧ୍ୟ ଏହି ଦୁର୍ନୀତିରେ କୌଣସି ଅମଲାତନ୍ତ୍ରୀ ଏବଂ ଅସାଧୁ ବ୍ୟବସାୟୀ ଅଦ୍ୟାବଧି ଦଣ୍ଡିତ ହୋଇଥିବା ବିଷୟ କାହାରିକୁ ଜଣାନାହିଁ ।

ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ପୋଷାକଗୁଡିକ ନିମନ୍ତେ ବ୍ୟବହୃତ କନା ଓଡିଶାରେ ଉତ୍ପାଦିତ ନହୋଇ ବାହାରୁ ଆମଦାନୀ ହେଉଥିବା ବିଷୟ କାହାରିକୁ ଅଜଣା ନାହିଁ ।

ଶ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଏସିଆର ଅନ୍ୟତମ ସୁନାମଧନ୍ୟ ଲୁଗା କାରଖାନା ବନ୍ଦ ହୋଇପଡିଥିବା ଏବଂ ରାଜ୍ୟରେ ଆଉ କୌଣସି ଲୁଗା କାରଖାନା ନଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ଶହ ଶହ କୋଟି ଟଙ୍କା ମୂଲ୍ୟର ପୋଷାକ କିଣାରୁ ଅଣଓଡିଆ ଶିଳ୍ପପତି ଓ ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି କେବଳ ।

ଅପରପକ୍ଷରେ ରାଜ୍ୟରେ ଥିବା ଲକ୍ଷ ଲକ୍ଷ ହସ୍ତତନ୍ତ ବୁଣାକାର କଞ୍ଚାମାଲ, ଭିତ୍ତିଭୂମି ଏବଂ ବିକ୍ରି କରିବା ନିମନ୍ତେ ଆବଶ୍ୟକୀୟ ସୁଯୋଗରୁ ବଞ୍ଚିତ ହୋଇ ଅନାହାର ଓ ଅର୍ଦ୍ଧାହାରରେ କାଳାତିପାତ କରୁଥିବା ସମ୍ପର୍କରେ ସରକାର ଅବଗତ ଥିଲେ ମଧ୍ୟ ଏହି ପରିସ୍ଥିତିକୁ ସୁଧାରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ।

ଯଦି ସରକାର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ହସ୍ତତନ୍ତ ପ୍ରସ୍ତୁତ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ କରିଥାନ୍ତେ ତେବେ ରାଜ୍ୟର ହସ୍ତତନ୍ତ ଶିଳ୍ପ ସମୃଦ୍ଧ ହେବା ସହ ନିଜ ରାଜ୍ୟ ତିଆରି କନାରେ ପୋଷାକ ପିନ୍ଧୁଥିବାରୁ ଛାତ୍ରଛାତ୍ରୀମାନଙ୍କ ସ୍ୱାଭିମାନ ବୃଦ୍ଧି ପାଇଥାନ୍ତା ।

ଠିକ୍‍ ସେହିଭଳି ଅଙ୍ଗନବାଡି ଠାରୁ ଆରମ୍ଭ କରି ଶିକ୍ଷାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଶିକ୍ଷୟତ୍ରୀମାନଙ୍କ ପାଇଁ ଓଡିଶା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ି ପିନ୍ଧିବା ଯଦି ବାଧ୍ୟତାମୂଳକ କରାଯାଇଥାନ୍ତା ତେବେ ଓଡିଶାରେ ବୟନଶିଳ୍ପ ସମୃଦ୍ଧ ହେବା ସହ ଲକ୍ଷ ଲକ୍ଷ ବୁଣାକାର ଆତ୍ମନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହୋଇଥାନ୍ତା ଯାହାକି ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ରାଜ୍ୟର ଅର୍ଥନୀତିକୁ କେତେକାଂଶରେ ସମୃଦ୍ଧ କରିପାରିଥାନ୍ତା ।

ସେଇଭଳି ଛାତ୍ରଛାତୀମାନଙ୍କୁ ଯୋଗାଇ ଦେଉଥିବା ସାଇକେଲ୍‍ ଠାରୁ ଆରମ୍ଭ କରି ଲ୍ୟାପ୍‍ଟପ୍‍ ପର୍ଯ୍ୟନ୍ତ ସାମଗ୍ରୀଗୁଡିକ ମଧ୍ୟରୁ ଗୋଟିଏ ହେଲେ ଓଡିଶାରେ ଉତ୍ପାଦିତ ହେଉନାହିଁ ଏବଂ ପ୍ରତିଟି ସାମଗ୍ରୀ ଅନ୍ୟାନ୍ୟ ପ୍ରଦେଶରୁ ଆମଦାନୀ କରାଯାଇ ବାହାରର ବ୍ୟବସାୟୀ ଓ ଶିଳ୍ପପତିମାନଙ୍କୁ ପୃଷ୍ଠପୋଷକତା କରାଯାଉଛି ।

ତାହା କରାନଯାଇ ଯଦି କେବଳ ଓଡିଶାରେ ଉତ୍ପାଦିତ ସାମଗ୍ରୀମାନ ସରକାରଙ୍କ ଦ୍ୱାରା ଉପକୃତ ହେଉଥିବା ବ୍ୟକ୍ତିମାନଙ୍କୁ ବଣ୍ଟନ କରାଯିବା ଲାଗି ମୁଖ୍ୟମନ୍ତ୍ରୀ ନୀତିଗତ ଭାବରେ ନିଷ୍ପତ୍ତି ନେଇଥାନ୍ତେ ତେବେ ବିଗତ ୧୪ ବର୍ଷ ମଧ୍ୟରେ ଓଡିଶାରେ ଏକାଧିକ ସାଇକେଲ୍‍ କାରଖାନା, ପୋଷାକ କାରଖାନା, ଛତା, ଯୋତା ଓ ଅନ୍ୟାନ୍ୟ କାରଖାନା ପ୍ରତିଷ୍ଠିତ ହୋଇ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଥାନ୍ତା ।

ଏ ବାବଦରେ ବାହାରକୁ ଯାଉଥିବା ହଜାର ହଜାର କୋଟି ଟଙ୍କା ରାଜ୍ୟରେ ବିନିଯୋଗ ହୋଇ ଜନସାଧାରଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହୋଇଥାନ୍ତା ନିଶ୍ଚୟ । ଏ ପ୍ରସଙ୍ଗରେ ଗୋଟିଏ ଉଦାହରଣ ଦେବା ଆଦୌ ଅପ୍ରସିଙ୍ଗକ ହେବନାହିଁ ।

ତାମିଲ୍‍ନାଡୁର ମୁଖ୍ୟମନ୍ତ୍ରୀ ସୁଶ୍ରୀ ଜୟଲଳିତା ତାଙ୍କ ରାଜ୍ୟର ଭୋଟ୍‍ଦାତାମାନଙ୍କୁ ପ୍ରଭାବିତ କରିବା ପାଇଁ ବହୁ ପ୍ରକାର ସନ୍ତୁଷ୍ଟିକରଣ ପଦକ୍ଷେପ ନେଉଥିବା କାହାରିକୁ ଅଛପା ନାହିଁ । ମହିଳାମାନଙ୍କ ପାଇଁ ମିକ୍ସର୍‍ ଗ୍ରାଇଣ୍ଡର୍‍ ଠାରୁ ଆରମ୍ଭ କରି ଅବିବାହିତାମାନଙ୍କୁ ବିବାହ ସମୟରେ ‘ମଙ୍ଗଳସୂତ୍ର’ ଦେବା ଲାଗି ତାଙ୍କ ସରକାର ପଦକ୍ଷେପ ନେଉଛି ।

ମାତ୍ର ସୁଶ୍ରୀ ଜୟଲଳିତା କଠୋର ଭାବରେ ନିୟମ କରିଛନ୍ତି ଯେ କେବଳ ରାଜ୍ୟରେ ଉତ୍ପାଦିତ ମିକ୍ସର ଗ୍ରାଇଣ୍ଡର୍‍ ଠାରୁ ଆରମ୍ଭ କରି ବିଭିନ୍ନ ଯନ୍ତ୍ରପାତି ହିଁ ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯିବ । ଫଳରେ ତାମିଲ୍‍ନାଡୁରେ ହିଁ ଅନେକଗୁଡିଏ ଶିଳ୍ପାନୁଷ୍ଠାନ ସେହି ସବୁ ଯନ୍ତ୍ରପାତି ଉତ୍ପାଦନ କରି ବହୁ ସଂଖ୍ୟକ ବେକାରଙ୍କୁ ନିଯୁକ୍ତି ଦେବାର ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି ।

ଦୁଃଖର କଥା ଯେ ରାଜ୍ୟରେ ସର୍ବାଧିକ ବିଦେଶୀ ପୁଞ୍ଜି ବିନିଯୋଗ କରି ଜଗତ୍‍ସିଂହପୁର ଜିଲ୍ଲାର ଢ଼ିଙ୍କିଆ ଠାରେ ଦକ୍ଷିଣ କୋରିଆର ‘ପସ୍କୋ’ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ହଜାର ହଜାର ଏକର ଚାଷ ଜମି, ଜନବସତି, ଜଙ୍ଗଲ ଜମି ଅଧିଗ୍ରହଣ ଲାଗି ଦୀର୍ଘ ୧୦ ବର୍ଷ ଧରି ଉଦ୍ୟମ କରି ସଫଳ ହୋଇପାରିନଥିବା ସ୍ଥଳେ ଏ ବାବଦରେ ସରକାରଙ୍କର ଯେତିକି ଅର୍ଥ, ସମୟ ଓ ଜନବଳର ଅପଚୟ ଘଟିଛି ତା’ଠାରୁ ଯଥେଷ୍ଟକମ୍‍ ସମୟ ମଧ୍ୟରେ ରାଜ୍ୟରେ ଅଧିକ ସଂଖ୍ୟକ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଥାନ୍ତା ଏବଂ ରାଜ୍ୟ ତଥା ଦେଶର ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ ପୂର୍ବଭଳି ଅକ୍ଷତ ଅବସ୍ଥାରେ ରହିପାରିଥାନ୍ତା ।

ଏଥିପାଇଁ କୌଣସି ହିଂସାକାଣ୍ଡ ବା ପ୍ରାଣପାତର ଅବକାଶ ଆଦୌ ନଥାନ୍ତା । ରାଜ୍ୟରେ ବିଭିନ୍ନ ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବ୍ୟୟ ବା ଅପବ୍ୟୟ କରି ନବୀନ ସରକାର ବହୁ ପଦକ୍ଷେପ ନେବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ରାଜ୍ୟବାସୀଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ସମସ୍ତଙ୍କ ପାଇଁ ବାସଗୃହ ଯୋଗାଇ ଦେବା ଦିଗରେ ଅଦ୍ୟାବଧି ସଫଳ ପଦକ୍ଷେପ ନେଇପାରିନାହାନ୍ତି ।

ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳମାନଙ୍କରେ ସରକାରୀ ଡାକ୍ତରଖାନାମାନଙ୍କରେ ଶହ ଶହ ଡାକ୍ତର ଓ ସ୍ୱାସ୍ଥ୍ୟସେବାକର୍ମୀଙ୍କ ସ୍ଥାନ ବର୍ଷ ବର୍ଷ ଧରି ଖାଲି ପଡିଛି । ଦୂର୍ଗମ ଆଦିବାସୀ ଅଞ୍ଚଳର ଅବସ୍ଥା ଅଧିକ ଶୋଚନୀୟ ।

ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ହଜାର ହଜାର ସଂଖ୍ୟକ ସରକାରୀ ପଦବୀ ଖାଲି ପଡିଥିଲେ ମଧ୍ୟ ସରକାର ଠିକାରେ ନିଯୁକ୍ତି ଦେବା ସହ ସମାନ କାମ ପାଇଁ ସମାନ ପାରିଶ୍ରମିକର ବ୍ୟବସ୍ଥା ନକରି ବ୍ୟାପକ ପାତରଅନ୍ତର ନୀତି ଅବଲମ୍ବନ କରୁଥିବାରୁ କର୍ମଚାରୀ ତଥା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି ।

ସବୁଠାରୁ ଦୁଃଖର କଥା ଯେ ସରକାରୀ ଦଳ ଓ ସରକାରୀ କଳରୁ ପ୍ରଭୃତ ଫାଇଦା ଉଠାଇଥିବା ବ୍ୟକ୍ତିମାନେ ରାଜ୍ୟବାସୀଙ୍କ ସୁଖ ସୁବିଧା ଓ ଉନ୍ନତି ଲାଗି ଚିନ୍ତିତ ବା ଚେଷ୍ଟିତ ହେବା ପରିବର୍ତ୍ତେ ବ୍ୟକ୍ତିଗତ ଅଥବା ଗୋଷ୍ଠୀଗତ ସୁବିଧା ଲାଗି ଅଧିକ ତତ୍ପରତା ପ୍ରକାଶ କରୁଥିବାରୁ ସମସ୍ତ ସମ୍ପଦ ସତ୍ତ୍ୱେ ମଧ୍ୟ ଓଡିଶା ଏକ ପଛୁଆ ରାଜ୍ୟ ହୋଇପଡିରହିଛି ।

ରାଜ୍ୟବାସୀ ଭିକ୍ଷୁକ ମନବୃତ୍ତି ନେଇ ସରକାରଙ୍କ ପାଖରେ ଅନୁଦାନ ପାଇଁ ହାତପାତି ରହିଛନ୍ତି । ସେମାନଙ୍କୁ ଆତ୍ମନିର୍ଭରଶୀଳ କରି ସମ୍ମାନ ସହ ବଞ୍ଚିବାର ଅଧିକାର ଦେବା ପରିବର୍ତ୍ତେ ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ କରି ମୃତ୍ୟୁ ପରେ ଶବ ସଂସ୍କାର ପର୍ଯ୍ୟନ୍ତ ସବୁସ୍ତରରେ ବିଭିନ୍ନ ପ୍ରକାର ଅନୁଦାନ ଯୋଗାଇ ଦେବାର ବ୍ୟବସ୍ଥା କରିଥିବାରୁ ନବୀନ ସରକାର ଗର୍ବର ସହ ତାହା ପ୍ରଚାର କରି ଚାଲିଛନ୍ତି ଏବଂ ଓଡିଆ ଜାତି ଭିକ୍ଷା ଥାଳି ଧରି ଗର୍ବ ଅନୁଭବ କରୁଛନ୍ତି ।

ପ୍ରଶାନ୍ତ ପଟ୍ଟନାୟକ
ଆସୋସିଏଟେଡ୍‍ ମିଡିଆ
କ୍ୱାଟର୍‍ ନଂ ୫.ଆର୍‍.ଏଫ୍‍/୫, ୟୁନିଟ୍‍ -୩
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୧
ଫୋନ୍‍-୯୪୩୭୦୦୫୧୧୮

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

News Bureau
News Bureau

Filed Under: ତୃତୀୟ ନୟନ Tagged With: ତୃତୀୟ ନୟନ, ନବୀନ, ପ୍ରଗତି, ପ୍ରଶାନ୍ତ ପଟ୍ଟନାୟକ, ଭିକ୍ଷାବୃତ୍ତି

ବିଜେଡି ପ୍ରତିଷ୍ଠା ଦିବସରେ କେନ୍ଦ୍ର ବିରୋଧରେ ବର୍ଷିଲେ ନବୀନ

December 26, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୬(ଓଡିଶା ଡଟ୍ କମ୍ )-ବିଜୁ ଜନତା ଦଳ ଆଜି ତାହାର ପଞ୍ଚଦଶ ପ୍ରତିଷ୍ଠାଦିବସ ପାଳନ କରିଛି । ଏହି ଅବସରରେ ଭୁବନେଶ୍ୱର ମୁଖ୍ୟାଳୟରେ ଆୟୋଜିତ ଉତ୍ସବରେ କେନ୍ଦ୍ର ଉପରେ ବର୍ଷିଛନ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେ କହିଛନ୍ତି କେନ୍ଦ୍ରର ମନମୁଖି ନିସ୍ପତି ରାଜ୍ୟମାନଙ୍କର ଅଧିକାର ପ୍ରତି ବିପଦ ସୃଷ୍ଟି କରୁଛି । ଦେଶର ସଂଘୀୟ ବ୍ୟବସ୍ଥାରେ ରାଜ୍ୟମାନଙ୍କୁ ଅଧିକ କ୍ଷମତା ଦିଆଯିବା ନେଇ ନବୀନ ଦାବୀ କରିଥିଲେ ।

ରାଜ୍ୟପ୍ରତି କେନ୍ଦ୍ରର ଅବହେଳା ପ୍ରସଙ୍ଗକୁ ସେ ପୁଣି ଥରେ ଦୋହରାଇଛନ୍ତି । ସେ କହିଲେ ଖଣି ରୟାଲଟି ଠିକ୍ ଭାବେ ଭାଗ କରାଯାଉ ନାହିଁ । ରାଜ୍ୟ ଗୁଡିକ କୋଟିକୋଟି ଟଙ୍କା ହରାଉଛନ୍ତି । ଖଣିମାଲିକମାନେ ପାଉଥିବା ସୁପର ନର୍ମାଲ ପ୍ରଫିଟ ଉପରେ ଟିକସ ବସାଇବା ପାଇଁ ରାଜ୍ୟର ଦାବୀ ପ୍ରତି କେନ୍ଦ୍ର ଉଦାସୀନ ପଦର୍ଶନ କରୁଅଛି ।

ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାପାଇଁ ଓଡିଶାର ଦାବୀକୁ କେନ୍ଦ୍ର ଅଣଦେଖା କରୁଛି । ରେଳ ବଜେଟରେ ଓଡିଶାପାଇଁ ବ୍ୟୟବରାଦ ଅର୍ଥକୁ କାଟିଦେଇ କେନ୍ଦ୍ର ରାଜ୍ୟ ପ୍ରତି ଉପହାସ କରୁଛି ।

ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଲାଗି ତାଙ୍କ ସରକାର ସେବା,ଶିକ୍ଷା,ସ୍ୱାସ୍ଥ୍ୟ,ସ୍ୱାଭିମାନ ଓ ସମୃଦ୍ଧ ଭଳି ଯୋଜନାକରି କାର୍ଯ୍ୟକରୁଛି । ବିଜେଡି ଶାସନ କାଳରେ କୃଷି,ସ୍ୱାସ୍ଥ୍ୟ,ଶିଳ୍ପ ଠାରୁ ଆରମ୍ଭକରି ମହିଳା ସଶକ୍ତି କରଣ,ଅନୁସେଚିତ ଜାତି ଓ ଜନଜାତି କଲ୍ୟାଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ନୂଆ ଧାରା ସୃଷ୍ଟିକରି ଏହି ସରକାର ।

କୃଷକମାନଙ୍କ ହିତ ପାଇଁ ତାଙ୍କ ସରକାର ସଦାସର୍ବଦା କାର୍ଯ୍ୟ କରିଆସିଛି । କୃଷି ପ୍ରସଙ୍ଗକୁ ନେଇ ବିରୋଧୀ ଯେଉଁ ସବୁ ଅଭିଯୋଗ କରୁଛନ୍ତି ତାହା ସେମାନଙ୍କ ଲାଗି ବୁମେରାଂ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କେନ୍ଦ୍ର ବିରୋଧୀ ମନ୍ତବ୍ୟକୁ ନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ନବୀନ ବାବୁଙ୍କର କେନ୍ଦ୍ର ଉପରେ ଦୋଷ ଦେବାର ସଦାବେଳେ ଅଭ୍ୟାସ ହୋଇଗଲାଣି । କେନ୍ଦ୍ର ସାହାଯ୍ୟ କରୁଛି କି ନାହିଁ ତାହା ସମସ୍ତଙ୍କୁ ଜଣା । ଉପା-୧,ଉପା-୨ ହେବା ପରେ ଲକ୍ଷେ ନବେହଜାର କୋଟି ଟଙ୍କା କେନ୍ଦ୍ର ରାଜ୍ୟ ସରକାରଙ୍କୁ ଦେଇଛନ୍ତି ।

ଆମର ଦୁଃର୍ଭାଗ୍ୟ ଏହି ସରକାର ସେହି ଟଙ୍କାକୁ ଠିକ୍ ଭାବରେ ବିନିଯୋଗ କରିପାରିଲା ନାହିଁ । ମନମୁଖୀ କାମ ସେ କରୁଛନ୍ତି । ସିଏଜି ରିପୋର୍ଟ କହୁଛି,କୋର୍ଟ କହୁଛି । ତେବେ କିଏ ମନମୁଖୀ କାର୍ଯ୍ୟ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନବୀନ, ବିଜେଡି ପ୍ରତିଷ୍ଠା ଦିବସ, ରେଳ ବଜେଟ

ବିଜେଡି ଓ ମାଓବାଦୀଙ୍କର ରହିଛି ଭିତିରି ସଂପର୍କ-ପ୍ୟାରୀ

December 14, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ଆସନ୍ତା ନିର୍ବାଚନରେ ବିଜେପି ସହ ବିଜେଡି ମେଣ୍ଟ କରିପାରେ । ସେହି ଆଶାନେଇ ବିଜେଡି ଏଫ୍ଡିଆ ବିରୋଧରେ ଭୋଟ ଦେଇଛି ବୋଲି ଓଡିଶା ଜନମୋର୍ଚ୍ଚାର ମୁଖ୍ୟ ପ୍ୟାରୀମୋହନ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି ରାଜ୍ୟ ସଭାରେ ସ୍ୱାଧୀନ ସଭ୍ୟଭାବେ ରହିପାରିବେ ବୋଲି ସୁପ୍ରୀମକୋର୍ଟ ଯେଉଁ ରାୟ ଦେଇଛନ୍ତି ରାଜ୍ୟରେ ଗଣତନ୍ତ୍ର ପ୍ରତିଷ୍ଠାରେ ତାହା ପ୍ରଥମ ସୋପାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଘର ପ୍ରଥମ ପତନ ।

ଏହାପରେ ଯଦି ନବୀନଙ୍କର ସାମାନ୍ୟ ଆତ୍ମସମ୍ନାନ ଥାଏ ତାହାହେଲେ ସେ ଇସ୍ତପା ଦେଇ ଦିଅନ୍ତୁ ବୋଲି ପ୍ୟାରୀ କହିଛନ୍ତି । ପ୍ୟାରୀ କହିଛନ୍ତି ମାଓବାଦୀଙ୍କ ସହ ସରକାରଙ୍କ ଭିତିରି ସଂପର୍କ ରହିଛି । ଆଇଏଏସ୍ ଭିନିଲ କ୍ରୀଷ୍ଣା ଓ ବିଧାୟକ ଝିନ୍ନ ହିକାକାଙ୍କ ମୁକ୍ତିପାଇଁ ସରକାର ମାଓବାଦୀଙ୍କୁ କୋଟି କୋଟି ଟଙ୍କା ଦେଇଛନ୍ତି ।

ସେ କହିଛନ୍ତି ବର୍ତମାନର ଡିଜିପି ମୁଖ୍ୟମନ୍ତ୍ରୀଙ୍କ ହାତବାରିସି ସାଜିଛନ୍ତି । ଦଣ୍ଡପାଣି ମହାନ୍ତିଙ୍କ ପୁଅ ସଂଗ୍ରାମକୁ ଗିରଫ କରାଯିବା ପଛରେ ଜନମୋର୍ଚ୍ଚାରେ ଯୋଗଦେବାଏକମାତ୍ର କାରଣ । ଯଦି ସରକାର ଭାବୁଛନ୍ତି ତାଙ୍କର ନକସଲଙ୍କ ସହିତ ସଂପର୍କ ଅଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ।

ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଭାତ ତ୍ରିପାଠୀ କହିଛନ୍ତି ପ୍ୟାରୀ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏସବୁ କହୁଛନ୍ତି । ଡିଜିପି କାହାର ହାତବାରିସ ହୋଇ କାମ କରୁନାହାଁନ୍ତି । ପ୍ୟାରୀଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଏହା ଏକ ଜଙ୍ଗଲି ଅଭିଯୋଗ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଝିନ୍ନ ହିକାକା, ନବୀନ, ବିଜେଡ଼ି, ଭିନିଲ କ୍ରୀଷ୍ଣା, ମାଓବାଦୀ

ଠିକ୍ ସମୟରେ ଉଚିତ୍ ପଦେକ୍ଷପ ନିଆଯିବ:ନବୀନ

May 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମଇ ୩୧(ଓଡ଼ିଶା ଡ଼ଟ୍ କମ୍) ଦଳ ଭିତରେ ଦେଖା ଦେଇଥିବା ବିଶୃଙ୍ଖଳାକୁ ନେଇ ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଲଣ୍ଡନ ଗସ୍ତ ଶେଷ କରି ଗୁରୁବାର ସଂଧ୍ୟାରେ ଭୁବନେଶ୍ୱରରେ ପହଂଚିବା ପରେ ସେ ନବୀନ ନିବାସରେ ଗଣମାଧ୍ୟମକୁ କହିଛନ୍ତି ଯେ,ତାଙ୍କ ଅନୁପସ୍ଥିତି ସମୟରେ ଦଳ ମଧ୍ୟରେ ଯାହାସବୁ ହୋଇଛି ସେ ବିଷୟରେ ଶୁକ୍ରବାର ଦଳର ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି ।

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ ଦଳୀୟ ନେତା ମନ୍ତ୍ରୀ ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଗାିଦିଚୁ୍ୟତ କରିବା ପାଇଁ ସାଂସଦ ପ୍ୟାରୀମୋହନ ମହାପାତ୍ର ମଙ୍ଗଳବାର ରାତିରେ ତାଙ୍କ ବାସଭବନରେ କେତେକ ବିଧାୟକଙ୍କ ସହ ଆଲୋଚନା କରିଥିବା ନବୀନଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି । ଆବଶ୍ୟକ ସଂଖ୍ୟକ ସମର୍ଥନ ନମିଳିବାରୁ ସେ ଏଥିରେ ବିଫଳ ହୋଇଥିଲେ ବୋଲି ସେମାନେ କହିଛନ୍ତି ।

ତେବେ ଦଳରେ ବିଶୃଙ୍ଖଳା ତଥା ଦଳୀୟ କାର୍ଯ୍ୟରେ ଅସନ୍ତୋଷ ନେଇ କେତେକ ବିଧାୟକ ଆଲୋଚନା କରିବାକୁ ତାଙ୍କ ପାଖକୁ ଆସିଥିଲେ ବୋଲି ମହାପାତ୍ର ଏକ ସାମ୍ବାିକ ସମ୍ମିଳନୀରେ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: ନବୀନ, ପ୍ୟାରୀମୋହନ, ବିଜେଡ଼ି

ସାଙ୍ଗମାନଙ୍କ ପ୍ରାର୍ଥୀତ୍ୱକୁ ବିଜେଡ଼ି ସମର୍ଥନ କରିବ: ନବୀନ

May 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୭(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ଲୋକସଭା ବାଚସ୍ପତି ପି.ଏ.ସାଙ୍ଗମାଙ୍କ ପ୍ରାର୍ଥୀତ୍ୱକୁ ଦଳ ସମର୍ଥନ କରିବ ବୋଲି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କହିଛନ୍ତି ।

ସାଙ୍ଗମା ସବୁଠାରୁ ଉପଯୁକ୍ତ ପ୍ରାର୍ଥୀ ଏବଂ ଏସଂପର୍କରେ ଦଳର ନେତା ମାନଙ୍କ ସହ ଆଲୋଚନା କରିଛି ବୋଲି ସେ କହିଛନ୍ତି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହ ମଧ୍ୟ ଆଲୋଚନା କରିଥିବା ସେ କହିଛନ୍ତି ।

ଆଠଥର ଲୋକସଭାକୁ ନିର୍ବାଚିତ ହୋଇଥିବା ସାଙ୍ଗମା ୧୯୯୯ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ
ଶରଦ ପାୱାରଙ୍କ ରାଷ୍ଟ୍ରବାଦି କଂଗ୍ରେସ ପାର୍ଟି(ଏନ୍ସିପି)ରେ ଯୋଗ ଦେଇଥିଲେ ।

ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ଜୁଲାଇରେ ହେବାକୁ ଥିବା ବେଳେ ଏଥିପାଇଁ ତାରିଖ ଘୋଷଣା ହୋଇନାହିଁ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନବୀନ, ରାଷ୍ଟ୍ରପତି ନିର୍ବାଚନ, ସାଙ୍ଗମା

ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ୧୨ ବର୍ଷ

March 5, 2012 by admin

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୫ (ଓଡିଶା ଡଟ୍ କମ୍) ରାଜ୍ୟରେ ବିଜୁ ଜନତା ଦଳ(ବିଜେଡି)ଏକ ଦଶନ୍ଧୀ ଧରି ଶାସନ କରିଆସିଥିବା ବେଳେ ସୋମବାର ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ବାର ବର୍ଷ ପୂରଣ କରିଛନ୍ତି ।

୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣକରିଥିଲେ । ତା’ପରେ ୨୦୦୪ ଓ ୨୦୦୯ ନିର୍ବାଚନରେ ମଧ୍ୟ ସେ ପଦବୀ ଅଳଙ୍କୃତ କଲେ ।

ଗତ ବାର ବର୍ଷ ମଧ୍ୟରେ ସେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହାକୁ ଏଡାଇଯାଇଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଓଡିଆ ଭାଷା ଉପରେ ତାଙ୍କର କମ୍ ଜ୍ଞାନ ଯୋଗୁଁ ବହୁ ଲୋକ, ନେତା ଭାବେ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ତିନି ତିନି ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ଗତ ବାର ବର୍ଷ ମଧ୍ୟରେ ଗରିବଙ୍କ ପାଇଁ ଦୁଇ ଟଙ୍କିଆ ଚାଉଳ, ବିଜୁ କେବିକେ, ବିଜୁ କନ୍ଧମାଳ-ଗଜପତି ଯୋଜନା, ମଧୁବାବୁ ପେନ୍ସନ ଯୋଜନା, ମୋ କୁଡ଼ିଆ, ମମତା ଭଳି ବହୁ ଜନହିତକାରୀ ଯୋଜନା ଆରମ୍ଭ କରିଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି ।

ଏହା ମଧ୍ୟରେ ରହିଛି କଳିଙ୍ଗନଗର ଗୁଳିକାଣ୍ଡ, କନ୍ଧମାଳ ଦଙ୍ଗା, ବିଜେପି ସହିତ କରିଥିବା ମେଣ୍ଟ ଭାଙ୍ଗିବା ଆଦି ଘଟଣା । ସରକାର ଶିଳ୍ପାୟନକୁ ଅଗ୍ରାଧିକାର ଦେଇ ବିଭିନ୍ନ ଦେଶୀ ବିଦେଶୀ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି ।

ଏହି ବାର ବର୍ଷ ମଧ୍ୟରେ ସରକାର ଶିଳ୍ୱ ସଂସ୍ଥା ଏବଂ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପାଇଁ ପ୍ରାୟ ଶହେଟି ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ବେଳେ ଛଅ ହଜାର ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହୋଇପାରିଛି । କିନ୍ତୁ ବିଭିନ୍ନ କାରଣରୁ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।

ରାଜ୍ୟବାସୀଙ୍କୁ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଦେବାକୁ କହୁଥିବା ନବୀନ ସରକାରଙ୍କ ନାଁରେ ଖଣି ଦୁର୍ନୀତି, ଡ଼ାଲି ଦୁର୍ନୀତି ଭଳି ମହା ଅଭିଯୋଗ ଆସିଛି । ଶାସନ କାଳରେ ନବୀନ ନିଜର ୨୭ ଜଣ ସହଯୋଗୀଙ୍କୁ ବିଦା କରିସାରିଛନ୍ତି ।

ଏହି ଶାସନ କାଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ପୂର୍ବରୁ ଦୁଇ ତିନୋଟି ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ଜଣାପଡ଼ୁଥିବା ବେଳେ ବର୍ତମାନ ୨୦ରୁ ଉର୍ଦ୍ଧ୍ଵ ଜିଲ୍ଲାରେ ସେମାନେ କାୟାବିସ୍ତାର କରିସାରିଲେଣି ।

ଦୁର୍ନୀତି ଓ ଅଭିଯୋଗ ସରକାରଙ୍କ ପିଛା ଛାଡ଼ୁନଥିବା ବେଳେ ଓଡିଶାର ଜନସାଧାରଣ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରି ତିନି ତିନି ଥର ରାଜ୍ୟର ଶାସନ ଭାର ଦେଇଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ବିପୁଳ ସଂଖ୍ୟାରେ ବିଜୟୀ ହୋଇଛି ।

ଓଡିଶା ଡଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଓଡିଶା, ନବୀନ, ବିଜେଡ଼ି, ମୁଖ୍ୟମନ୍ତ୍ରୀ

ଅଣ ଏନ୍ଡ଼ିଏ, ୟୁପିଏ ସାମୁଖ୍ୟ ଆବଶ୍ୟକ: ନବୀନ

February 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ଦେଶ ପାଇଁ ଏକ ଅଣ ଏନ୍ଡ଼ିଏ, ଅଣ ୟୁପିଏ ସାମୁଖ୍ୟର ଆବଶ୍ୟକତା ରହିଛି ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଦୁର୍ନୀତିରେ ବୁଡ଼ି ଯାଇଥିବା ୟୁପିଏ ଏବଂ ସାଂପ୍ରଦାୟିକ ଛିଟା ଲାଗିଥିବା ଏନ୍ଡ଼ିଏ ବିରୁଦ୍ଧରେ ଏକ ସାମୁଖ୍ୟ ଗଠନ ରକାର, ସେ ସାମ୍ବାଦିକଙ୍କୁ କହିଛନ୍ତି ।

ଏକ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଏବଂ ଧର୍ମନିରପେକ୍ଷ ସାମୁଖ୍ୟ ରକାର ବୋଲି ସେ କହିଛନ୍ତି ।

ପ୍ରସ୍ତାବିତ ନ୍ୟାସନାଲ କାଉଂଟର ଟେରୋରିଜିମ୍ ସେଂଟରକୁ ବିରୋଧ କରିବା ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର ଗୋଟିଏଦିନ ପରେ ନବୀନ ଏହି ମନ୍ତବ୍ୟ ଦେଇଛନ୍ତି ।

ଏହାସହ ସେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ୍ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ମଧ୍ୟ ଏ ସଂପର୍କରେ ଆଲୋଚନା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନବୀନ, ୟୁପିଏ

ନବୀନଙ୍କ ଗସ୍ତ ସମୟରେ ବିରୋଧୀଙ୍କୁ ଅଟକ, ନିନ୍ଦା

January 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିନ୍ଦୋଳ ଗସ୍ତ ପୂର୍ବରୁ ବିରୋଧୀ ନେତାଙ୍କୁ ଗିରଫ କରି ଅଟକ ରଖିବା ଘଟଣାକୁ ନିନ୍ଦା କରାଯାଇଛି ।

ନିର୍ବାଚନୀ ସଭାରେ ଉଦ୍ଦବୋଧନ ଦେବାର ବହୁ ପୂର୍ବରୁ ପ୍ରତିଷେଧକମୂଳକ ଭାବେ ବିଜେପି ଏବଂ କଂଗ୍ରେସ ନେତାଙ୍କୁ ସାତମାଇଲ ବଙ୍ଗଳାରେ ଅଟକ ରଖାଯିବା ନିନ୍ଦନୀୟ ଏବଂ ଏହା ଆଚରଣବିଧି ଉଲଂଘନ ବୋଲି ବିଜେପି ରାଜ୍ୟସଭା ସାଂସଦ ଶ୍ରୀ ପାଣି କହିଛନ୍ତି ।

ବର୍ତମାନ ନବୀନ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ବରଂ ଦଳୀୟ ନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି । ତାଙ୍କୁ କଳା ପତାକା ପ୍ରଦର୍ଶନ ଭୟରେ ବିରୋଧୀ ଦଳର ନେତାଙ୍କୁ ଅଟକ ରଖାଯାଇ ସେମାନଙ୍କର ମୂଲ୍ୟବାନ ସମୟ ନଷ୍ଟ କରିବାର ଅଧିକାର କିଏ କାହାକୁ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ନବୀନ ନିର୍ବାଚନ ପ୍ରଚାର କରୁଥିବା ବେଳେ ଅନ୍ୟ ଦଳର ନେତାମାନେ ବିଭିନ୍ନ ସ୍ଥାନରେ ଅଟକ ରହିବା କେତେଦୁର ନ୍ୟାୟୋଚିତ? ଏ ଦିଗରେ ରାଜ୍ୟ ନିର୍ବାଚନ କମିଶନ ଧ୍ୟାନ ଦେବା ଦରକାର ବୋଲି ପାଣି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: ନବୀନ, ନିର୍ବାଚନୀ ସଭା

କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରୁଛନ୍ତି: ନବୀନ

August 11, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅଗଷ୍ଟ ୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାର ରାଜ୍ୟକୁ ଅବହେଳା କରୁଥିବା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ କରିଥିବା ବେଳେ ବିରୋଧି କଂଗ୍ରେସ ପକ୍ଷରୁ ଏହାକୁ ମିଥ୍ୟା ବୋଲି କୁହାଯାଇଛି ।

କଂଗ୍ରେସ ନେତୃତ୍ୱାଧିନ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ପାଇଁ ପ୍ୟାକେଜ ଘୋଷଣା କରୁଥିବା ବେଳେ ଓଡ଼ିଶା ଭଳି ଗରିବ ରାଜ୍ୟକୁ ଅବହେଳା କରୁଛନ୍ତି, ସେ କଟକରେ ଆୟୋଜିତ ଦଳୀୟ ସମାବେଶରେ କହିଛନ୍ତି ।

କେନ୍ଦ୍ର ସରକାର ଓଡ଼ିଶା ପ୍ରତି ପାତରଅନ୍ତର କରୁଛନ୍ତି, ସେ ବିଜୁ ଯୁବ ଜନତା ଦଳଦ୍ୱାରା ଆୟୋଜିତ ସମାବେଶରେ କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଁ ସେ ମିଳିତ ପ୍ରଗତିଶୀଳ ମେଣ୍ଟ(ୟୁପିଏ)କୁ ସେ ଦାୟୀ କରିଛନ୍ତି ।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ତଥା ବିଭିନ୍ନ ଖଣିଜ ପାର୍ଥରେ ୨୦ ପ୍ରତିଶତ ରୟାଲ୍ଟି ଦେବାକୁ ଦଳ ଦାବି କରିଛି ।

ତାଙ୍କ ସରକାର ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ୟୁପିଏ ସରକାର ରାଜ୍ୟ ପାଇଁ କୌଣସି ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ ମଞ୍ଜୁର କରିନାହାନ୍ତି, ସେ କହିଛନ୍ତି ।

ବିଭିନ୍ନ ଦୁର୍ନୀତିରେ ବୁଡ଼ି ରହିଥିବା କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୈତିକ ନୀତି ଯୋଗୁଁ ସମାଜର ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଏହାର ଶିକାର ହେଉଛନ୍ତି ।

ଅନ୍ୟପକ୍ଷରେ ବିଭିନ୍ନ କ୍ଷେତ୍ରରେ ବିଫଳତା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମୁଖ୍ୟ ବିରୋଧି ଦଳ କଂଗ୍ରେସ ପକ୍ଷରୁ ଜିଲ୍ଲା ସଦରମହକୁମା ଗୁଡ଼ିକରେ ବିକ୍ଷୋଭ ପ୍ରର୍ଶନ କରାଯାଇଛି ।

କେନ୍ଦ୍ର ସରକାରରେ ଥିବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍ଡ଼ିଏ) ସମୟରେ ମିଳିଥିବା ପାଣ୍ଠି ତୁଳନାରେ ୟୁପିଏ ସରକାର ଠାରୁ ରାଜ୍ୟ ସରକାର ଅଧିକ ପାଣ୍ଠି ପାଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ନିଜ ସରକାରର ବିଫଳତାକୁ ଘୋଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ମିଥ୍ୟା ଅଭିଯୋଗ କରୁଛନ୍ତି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, କେନ୍ଦ୍ର ସରକାର, ନବୀନ, ମୁଖ୍ୟ ଖବର

ଇସ୍ତଫା ଦାବୀ ଅଯୌକ୍ତିକ: ମୁଖ୍ୟମନ୍ତ୍ରୀ

December 14, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ବିରୋଧି ଦଳ ପକ୍ଷରୁ ସଂପ୍ରତି ମୋର ଇସ୍ତଫା ଦାବୀ କରାଯାଇ ଯେଉଁ ହଟ୍ଟଗୋଳ କରାଯାଉଛି ତାହା ସଂପୂର୍ଣ୍ଣ ଅଯୌକ୍ତିକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ବିଧାନସଭାକୁ ଅଚଳ କରିବାକୁ ଯାଇ ବିରୋଧି ଦଳ ସଦସ୍ୟମାନେ ଯେଉଁ ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ଦୁର୍ଭାଗ୍ୟଜନକ । ସେଭଳି ଆଚରଣ ଆଦୌ ସ୍ପୃହଣୀୟ ନୁହେଁ, ବିଧାନସଭାରେ ଅଚଳାବସ୍ଥା ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ।

ସେହିପରି ସେମାନେ କେଉଁ ଆଧାରରେ ମୋର ଇସ୍ତଫା ଦାବୀ କରୁଛନ୍ତି ତାହା ଜଣାପଡ଼ୁ ନାହିଁ । କ’ଣ ପାଇଁ ଇସ୍ତଫା ଦେବି ବୋଲି ସେ ପ୍ରଶ୍ନ କରିଥିଲେ ।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଏନ୍ଆର୍ଇଜିଏସ୍ ଦୁର୍ନୀତି ସଂକ୍ରାନ୍ତରେ ସୁପ୍ରିମକୋର୍ଟ କିଛି ନିଦେ୍ର୍ଧଶନାମା ଦେଇଥିବା କଥା ସେ ଜାଣିଛନ୍ତି । ବର୍ତ୍ତମାନ ସୁଦ୍ଧା ରାୟ ବା ନିର୍ଦ୍ଦେଶନାମାର ନକଲ ପାଇ ନାହାନ୍ତି ଓ ତାହା ମିଳିବା ପରେ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇସ୍ତଫା, ନବୀନ, ବିଧାନସଭା, ବିରୋଧୀ ଦଳ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ