• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନବ କଳେବର

ନବ କଳେବର ଉପଲକ୍ଷେ ଫୋର ଲେନ୍ ରାସ୍ତାର ଉଦଘାଟନ

July 9, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୯ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ନବକଳେବର ରଥଯାତ୍ରା ପାଇଁ ନିର୍ମିତ ଭିତ୍ତିଭୂମି ପ୍ରକଳ୍ପ ଅନ୍ତର୍ଗତ ପୁରୀ-ଭୁବନେଶ୍ୱର ୨୦୩ ନଂ ଜାତୀୟ ରାଜପଥର ଫୋର ଲେନ୍ ରାସ୍ତାକୁ ଉଦଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପିନାକୀ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସାଂସଦ ବୈଷ୍ଣବ ପରିଡା, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମେତ ଏନଏଚଏଆଇର ବହୁ ଉଚ୍ଚପଦସ୍ଥ କର୍ମଚାରୀ ଏଠାରେ ଉପସ୍ଥିତ ଥିଲେ।

ପ୍ରାୟ ୭୬ଟି ଗାଁର ଜମି ଅଧିଗ୍ରହଣ କରାଯାଇ ନିର୍ମିତ କରାଯାଇଥିବା ଏହି ଜାତୀୟ ରାଜପଥର ଫୋର ଲେନ୍ ରାସ୍ତାରେ ୮୧୦ କୋଟି ଟଙ୍କ। ଖର୍ଚ୍ଚ ହୋଇଥିବା ବେଳେ ଭୁବନେଶ୍ୱର, ପିପିଲି. ଚନ୍ଦନପୁର ଏବଂ ପୁରୀରେ ୪ଟି ବାଇପାସ୍ ଥିବା ଏହି ରାସ୍ତାର ଦୂରତା ହେଉଛି ୬୭.୨ କିଲୋମିଟର ।

ସେହିପରି ଏହି ରାସ୍ତାରେ ୧୩ଟି ମାଇନର ସେତୁ, ୧୦୫ଟି କଳଭର୍ଟ, ୧୦ଟି ବସ ରହଣୀ ସ୍ଥଳ ସହ ଦୟା, ଭାର୍ଗବୀ ଏବଂ କାଞ୍ଚିନଳାରେ ୩ଟି ସେତୁ ଓ ସାକ୍ଷୀଗୋପାଳ ଏବଂ ଚନ୍ଦନପୁରରେ ୨ଟି ଅଣ୍ଡର ବାଇପାସ ରହିଛି ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ନବ କଳେବର, ଫୋର ଲେନ୍ ରାସ୍ତା

ନବକଳେବର ଉପଲକ୍ଷେ ପୁରୀରେ ୱାଇଫାଇ ସେବାର ଶୁଭାରମ୍ଭ

July 9, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ୯ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ଚଳିତ ମାସ ହେବାକୁ ଥିବା ନବକଳେବର ରଥଯାତ୍ରା ପାଇଁ କେନ୍ଦ୍ର ଟେଲିକମ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୁରୁବାର ଅପରାହ୍ନରେ ପୁରୀ ଠାରେ ବିଏସ୍ଏନ୍ଏଲ୍ ପକ୍ଷରୁ ୱାଇଫାଇ ସେବାର ଶୁଭାରମ୍ଭ କରିଛନ୍ତି ।

ଏହାଦ୍ଵାରା ପୁରୀ ବଡ଼ଦାଣ୍ଡ ସମେତ ସୂର୍ଯ୍ୟ ମନ୍ଦିର, କୋଣାର୍କ ଓ ଆଖପାଖ ଅଞ୍ଚଳର ବିଏସଏନ୍ଏଲ୍ ଉପଭୋକ୍ତାମାନେ ଏହି ୱାଇଫାଇ ସେବାର ଲାଭ ଉଠାଇପାରିବେ ।
ଏହା ପ୍ରତିମାସ ତିନିଥର ପ୍ରତି ୨୪ ଘଣ୍ଟାରେ ୩୦ମିନିଟ ପାଇଁ ବିନା ମୂଲ୍ୟରେ ଉପଲବ୍ଧ ହେବ ।

୩୦ମିନିଟ ପରେ ଉପଭୋକ୍ତା ୱାଇଫାଇ ସେବା ବ୍ୟବହାର କରିବା ପାଇଁ ଚାହିଁଲେ ବିଏସଏନଏଲର ପ୍ଳାନ ଅନୁସାରେ ୩୦, ୫୦, ୯୦ ଓ ୧୫୦ ଟଙ୍କା ଦେଇ ଯଥାକ୍ରମେ ୩୦, ୬୦, ୧୨୦ମିନିଟ କିମ୍ବା ଗୋଟିଏ ଦିନ ପାଇଁ ଏହି ସେବା ପ୍ରାପ୍ତ କରିପାରିବେ । ବିଏସଏନଏଲ ର ଅଧକ୍ଷ ଓ ପ୍ରବନ୍ଧ ନିର୍ଦେଶକ ଅନୁପମ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି ।

ପୂର୍ବରୁ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଦ୍ଵାରା ରିଲାଏନ୍ସ ତରଫରୁ ମୁକ୍ତ ୱାଇଫାଇ ସେବାର ଶୁଭାରମ୍ଭ କରାଯାଇଥିଲା । ଏହି ସେବାକୁ ଜୁଲାଇ ୧୩ ଠାରୁ ୩୧ ପର୍ଯ୍ୟନ୍ତ ପୁରୀ ବଡଦାଣ୍ଡ ଓ ସମୁଦ୍ର କୂଳରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ବିନା ମୂଲ୍ୟରେ ପାଇପାରିବେ ।

ଗୁରୁବାରର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ୍, ପୁରୀ ସାଂସଦ ପିନାକୀ ମିଶ୍ର ଓ ବିଏସ୍ଏନଏଲର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ନବ କଳେବର, ପୁରୀ, ୱାଇଫାଇ ସେବା

ରାସ୍ତା ଦବି ଯିବାରୁ ପୁରୀରେ ବିରୋଧିଦଳର ପ୍ରତିବାଦ

July 6, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ୬ ଜୁଲାଇ (ଓଡିଶା ଡଟ୍ କମ୍) ଶ୍ରୀଜୀଉଙ୍କର ନବକଳେବର ଉପଲକ୍ଷେ ପୁରୀର ମୁଖ୍ୟ ପ୍ରବେଶ ପଥରେ ନିର୍ମିତି ହୋଇଥିବା ନୂଆ ରାସ୍ତା ତଳକୁ ଦବି ଯିବାରୁ କମ ନିମ୍ନ ମନର ହୋଇଥିବା ଅଭିଯୋଗ କରି ବିରୋଧୀ ବିଜେପି ଓ କଂଗ୍ରେସ ଏହାର ପ୍ରତିବାଦ କରିଛନ୍ତି ।

ରବିବାର ଏକ ଗୋଡି ବୋଝେଇ ହାୱାଇ ଟ୍ରକ ପୁରୀର ମୁଖ୍ୟ ପ୍ରବେଶ ପଥ ଦେଇ ଯାଉଥିବାବେଳେ ହଠାତ ରାସ୍ତାଟି ତଳକୁ ଦବିଯାଇଥିଲା। ଫଳରେ ଟ୍ରକଟି ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ରଲିକୁ ଚାପି ଦେବାରୁ ଉଭୟ ଟ୍ରକ ଓ ଟ୍ରଲିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ଟ୍ରଲି ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ରାସ୍ତାରେ କେବଳ ଆଖିଦୃଶିଆ କାମ କରାଯାଇଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ଡାକ୍ତରଖାନା ଛକ ନିକଟରେ ଟାୟାର ଜାଳି ବହୁ ସମୟ ଧରି ରାସ୍ତା ଅବରୋଧ କରିବା ଥିଲେ ଓ ପରେ ଭିଜିଲାନ୍ସ କତୃପକ୍ଷଙ୍କୁ ଏହି ଘଟଣାର ତଦନ୍ତ ପାଇଁ ଏକ ଦାବିପତ୍ର ଦେଇଥିଲେ ।

ଏହି ଖବର ପାଇଁ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଉଦ୍ଧବ ଚନ୍ଦ୍ର ମାଝି ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଠିକାଦାରଙ୍କ ବିରୁଦ୍ଧରେ ଆସନ୍ତା ଦୁଇଦିନ ମଧ୍ୟରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ନବ କଳେବର, ନିମ୍ନ ମାନର କାମ, ପୁରୀ

ସୋସିଅଲ ମେଡିଆରେ ପ୍ରସାରିତ ବିବାଦୀୟ ‘ବ୍ରହ୍ମ’ ଛବିକୁ ନେଇ ଏତଲା

June 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୩୦ (ଓଡିଶା ଡଟ କମ) ସୋସିଆଲ ମେଡିଆରେ ପ୍ରସାରିତ ନବ କଳେବର ସମୟର ତଥାକଥିତ ଗୁପ୍ତ ଫଟୋ ସମ୍ପର୍କରେ ତଦନ୍ତ କରିବାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ କ୍ରାଇମ ବ୍ରାଞ୍ଚ ପୁଲିସକୁ ଅନୁରୋଧ କରିଛନ୍ତି ।

ସରକାରଙ୍କ ନିର୍ଦ୍ଦେଶ ଆଧାରରେ କ୍ରାଇମ ବ୍ରାଞ୍ଚକୁ ସୋମବାର ଏକ ଚିଠି ଲେଖି ମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଅନୁରୋଧ କରିଛନ୍ତି ।

ଶ୍ରୀଜୀଉଙ୍କ ଘଟ ପରିବର୍ତ୍ତନ ସମ୍ପର୍କିତ ତଥାକଥିତ ଗୁପ୍ତ ନୀତି ଓ ବ୍ରହ୍ମର ଚିତ୍ର ସୋସିଆଲ ମେଡିଆରେ ପ୍ରସାରିତ ହୋଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇ ଏହି ଚିତ୍ରଗୁଡ଼ିକୁ ଅସତ୍ୟ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଥିଲେ । ଇଣ୍ଟରନେଟରୁ ପୁରୁଣା ଫଟୋ ଡାଉନଲୋଡ କରି କିଛି ଲୋକ ଏହି ବିଭ୍ରାନ୍ତି ସୃଷ୍ଟି କରିଥିବାରୁ ଏହାର ଯାଞ୍ଚ ପାଇଁ ଦାବି ହୋଇଥିଲା ।

ଚିଠି ମିଳିବ ପରେ କ୍ରାଇମବ୍ରାଞ୍ଚ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିବ ବୋଲି କ୍ରାଇମ ବ୍ରାଞ୍ଚ ଅତିରିକ୍ତ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ, ଧର୍ମ Tagged With: ନବ କଳେବର, ବିବାଦୀୟ ବ୍ରହ୍ମ ଫଟୋ

ନବକଳେବର ଯାତ୍ରା ପାଇଁ ସବୁ ଡାକ୍ତରଙ୍କ ଛୁଟି ବାତିଲ

June 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୩୦ (ଓଡିଶା ଡଟ କମ) ଆସନ୍ତା ମାସ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କ ନବ କଳେବର ଯାତ୍ରା ପାଇଁ ସରକାର ସୋମବାର ରାଜ୍ୟର ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରିଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୨୮୦ ଡାକ୍ତରଙ୍କୁ ମାସେ କାଳ ପୁରୀରେ କାର୍ଯ୍ୟ କରିବା ପାଇଁ ମୁତୟନ କରାଯାଉଥିବାରୁ ସେମାନଙ୍କ ଅନୁପସ୍ଥିତିରେ ଅନ୍ୟ ସ୍ଥାନରେ ଯେପରି ସ୍ୱାସ୍ଥ୍ୟ ସେବା ବ୍ୟାହତ ନା ହୁଏ ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ସ୍ୱାସ୍ଥ୍ୟ Tagged With: ଡ଼ାକ୍ତର, ନବ କଳେବର

ସୌମେନ୍ଦ୍ର ପ୍ରିୟଦର୍ଶୀ ନବକଳେବର ଓଏସଡି

June 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୩୦ (ଓଡିଶା ଡଟ କମ) ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରାଜ୍ୟ ସରକାର ସୋମବାର ନବକଳେବର ପାଇଁ ଅଫିସର ଅନ ସ୍ପେଶାଲ ଡିଉଟି ଭାବେ ନିଯୁକ୍ତି ଦେଇଛନ୍ତି।

ଆଇଜି ଅପେରସନ ଭାବେ କାର୍ଯ୍ୟରତ ପ୍ରିୟଦର୍ଶୀ ଅତିରିକ୍ତ ଭାବେ ଏହି ଦାୟିତ୍ଵ ତୁଲାଇବେ । ପୁରୀରେ ଅବସ୍ଥାନ କରି ଆଇନ ଶୃଙ୍ଖଳା ସହ ନବ କଳେବର ରୀତିନୀତି ଓ ସମନ୍ଵୟ କାର୍ଯ୍ୟର ସେ ତଦାରଖ କରିବେ ।

ଅନ୍ୟପକ୍ଷରେ ସରକାର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କୁ ତାଙ୍କ ମୂଳ ଦାୟିତ୍ଵ ଶକ୍ତି ବିଭାଗର ସଚିବ ପଦବୀରୁ ଗୋଟିଏ ମାସ ପାଇଁ ଅବ୍ୟହତି ଦେଇଛନ୍ତି ।

ସେ ପୁରା ସମୟ ପୁରୀରେ ରହି ନବ କଳେବର କାର୍ଯ୍ୟ କିପରି ସୁରୁଖୁରୁରେ ହେବ ତାର କାର୍ଯ୍ୟ କରିବେ । ତାଙ୍କ ଅନୁପସ୍ଥିତିରେ ଶକ୍ତି ବିଭାଗର କାର୍ଯ୍ୟ ଗ୍ରୀଡକୋ ସିଏମଡି ହେମନ୍ତ ଶର୍ମା ତୁଲାଇବେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରିୟଦର୍ଶୀ ପୂର୍ବରୁ ପୁରୀରେ ଜିଲ୍ଲା ପୁଲିସ ମୁଖ୍ୟ ଥିଲେ ଓ ତାଙ୍କ କାର୍ଯ୍ୟକାଳ ସମୟରେ ରଥ ଯାତ୍ରା ସୁରୁଖୁରୁରେ ହୋଇଥିବାରୁ ପ୍ରଶଂସିତ ହୋଇଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ନବ କଳେବର, ସୌମେନ୍ଦ୍ର ପ୍ରିୟଦର୍ଶୀ

ବନ୍ଦ ବେଳେ ଭଙ୍ଗାରୁଜା, ୯୫୦ କଂଗ୍ରେସ କର୍ମୀ, ନେତା ଗିରଫ

June 26, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୬ ଜୁନ (ଓଡିଶା ଡଟ୍ କମ୍): ଶ୍ରୀଜିଉଙ୍କ ବ୍ରହ୍ମ ପରିବର୍ତ୍ତନ ରେ ହୋଇଥିବା ବିଭ୍ରାଟର ବିରୋଧ ଓ ଏହାର ବିଚାର ବିଭାଗୀୟ ତଦନ୍ତ ଦାବିରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାରେ ଭୁବନେଶ୍ଵର ସମେତ କେତେକ ସ୍ଥାନରେ ଭଙ୍ଗାରୁଜା ଓ ଜଳାପୋଡା ହୋଇଥିବା ବେଳେ, ୯୫୦ ଜଣ କଂଗ୍ରେସ କର୍ମୀ ଓ ନେତା ଗିରଫ ହୋଇଥିବା ପୁଲିସ କହିଛି ।

ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବନ୍ଦ ମୁଖ୍ୟତଃ ଶାନ୍ତିପୂର୍ଣ ଥିବା ବେଳେ, ଢେଙ୍କାନାଳରେ ବିଦ୍ୟୁତ ବିଭାଗର ଏକ ଅଫିସରେ ଭଙ୍ଗାରୁଜା, ନୟାଗଡ ଜିଲ୍ଲାରେ ଏକ ଆମ୍ବୁଲାନସରେ ରେ ଭଙ୍ଗାରୁଜା ଓ ଭୁବନେଶ୍ଵରର ରେ ଦୁଇଟି ମୋଟରସାଇକେଲ ରେ ନିଆଁ ଲଗାଇଦେବା ଆଦି କଁ। ଭଁ। କିଛି ଘଟଣା ବ୍ୟତୀତ ରାଜ୍ୟରେ ବନ୍ଦ ଶାନ୍ତିପୂର୍ଣ ରହିଥିବା ରାଜ୍ୟ ପୁଲିସ ମୁଖ୍ୟ ସଂଜୀବ ମାରିକ ଓଡିଶା ଡଟ କମକୁ କହିଛନ୍ତି।

ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍, ଜୟଦେବ ବିହାର, ବାଣୀ ବିହାର ଓ ଚନ୍ଦ୍ରଶେଖରପୁର ଆଦି ସ୍ଥାନରେ କଂଗ୍ରେସ କର୍ମୀ ଓ ନେତାମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପ୍ରଦର୍ଶନ ସମୟରେ ପୁଲିସ ଗିରଫ କରିଥିବା ପ୍ରମୁଖ ନେତା ମାନେ ହେଲେ ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ଚିରଞ୍ଜିବୀ ବିଶ୍ଵାଳ, ରଞ୍ଜିବ ବିଶ୍ୱାଳ, ଭକ୍ତ ଦାସ, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ସୁର ରାଉତରାୟ ।

ସେମାନଙ୍କ ବ୍ୟତୀତ ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ମଧ୍ୟ ଗିରଫ ହୋଇଥିବା ପୁଲିସ କହିଛି । ସଚିବାଳୟରେ କିଛି କଂଗ୍ରେସ କର୍ମୀ ଜବରଦସ୍ତ ପଶିବାକୁ ଚେଷ୍ଟା କରିବାବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ପ୍ରଚେଷ୍ଟା କରିବାରୁ ପୋଲିସ ଓ କଂଗ୍ରେସ ନେତାଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହୋଇ ଥିଲା ।

ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରସାରିତ ତଥ୍ୟ ଅନୁସାରେ ନୟାଗଡରେ କଂଗ୍ରେସ କର୍ମୀମାନେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଓ ଜଗତସିଂହପୁରର ବିରିଡି ବ୍ଲକରେ ବିଡିଓ ରବୀନ୍ଦ୍ର ସାବତ ଓ କ୍ଲର୍କ ଆର୍ତ୍ତବନ୍ଧୁ ସ୍ୱାଇଁ ଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିବା ବେଳେ ଢେଙ୍କାନାଳ ପୌର ପରିଷଦ ଓ ଡିଇଓ ଅଫିସ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସେହିପରି ଉମରକୋଟ-ଭୁବନେଶ୍ୱର ସରକାରୀ ବସକୁ ଭାଙ୍ଗି ଦିଆଯାଇଥିବା କୁହାଯାଇଛି ।

ଦେବଗଡ ଓ ସମ୍ବଲପୁର ସହରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଦେବଗଡ ସହର ଦେଇ ଯାଇଥିବା ୪୯ ଓ ୨୧୫ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସଂପୂର୍ଣ୍ଣ ଠପ ହୋଇଥିବା ବେଳେ ଉଭୟ ଦେବଗଡ ଓ ସମ୍ବଲପୁରର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବସ ଚଳାଚଳ ବନ୍ଦ ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଶୁକ୍ରବାର ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ଯାଏ ପାଳନ କରାଯାଉଥିବା ଏହି ବନ୍ଦ ଯୋଗୁଁ ବିଭିନ୍ନ ସହରରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ, ଗାଡି ମଟର ଚଳାଚଳ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ସକାଳୁ କଂଗ୍ରେସ କର୍ମୀମାନେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନରେ ବିକ୍ଷୋଭ ଆରମ୍ଭ କରି ରେଳରୋକ କରିଛନ୍ତି, ଯାହାଫଳରେ ବହୁ ଟ୍ରେନ୍ ଷ୍ଟେସନ ମାନଙ୍କରେ ହିଁ ଅଟକି ରହିଛି ଓ ଷ୍ଟେସନକୁ ଆସିଥିବା ଲୋକେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ନ ପାରି ହଇରାଣ ହୋଇଛନ୍ତି ।

ବନ୍ଦ ଯୋଗୁଁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଚାରୋଟି ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି। ସେଗୁଡିକ ହେଲା ପାରାଦ୍ୱୀପ-କଟକ ପାସେଞ୍ଜର, ଅନୁଗୋଳ-ପୁରୀ ପାସେଞ୍ଜର, କଟକ-ଭଦ୍ରକ-କଟକ, କଟକ-ପାରାଦ୍ୱୀପ-କଟକ ପାସେଞ୍ଜର ଟ୍ରେନ୍ ।

ସେହିପରି ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍ ଖୋର୍ଦ୍ଧାରୁ, ଭୁବନେଶ୍ୱର-ଛତ୍ରପୁର ପାସେଞ୍ଜର ବାଲୁଗାଁରୁ, ସମ୍ୱଲପୁରୀ-ପୁରୀ ଇଣ୍ଟରସିଟି ପୁରୀ ନ ଯାଇ ଖୋର୍ଦ୍ଧାରୁ ଫେରିବ ବୋଲି ପୂର୍ବତଟ ରେଳ ବିଭାଗ ସୂଚନା ଦେଇଛନ୍ତି।

ତେବେ ଆମ୍ବୁଲାନ୍ସ, ଡାକ୍ତରଖାନା, ପୁରୀର ରଥକାର୍ଯ୍ୟ ଓ ମହାପ୍ରଭୁଙ୍କ ନବକଳେବର ପ୍ରସ୍ତୁତି ଆଦି ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଥିବାରୁ ଅତ୍ୟାବଶ୍ୟକ ସେବା ପ୍ରଭାବିତ ହୋଇନାହିଁ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ନବ କଳେବର

ତୃତୀୟ ନୟନ: ମୋ ଦୃଷ୍ଟିରେ ବ୍ରହ୍ମ ବିଭ୍ରାଟ, ଦଇତାପତି ଓ ସରକାର

June 26, 2015 by News Bureau Leave a Comment

ପ୍ରଶାନ୍ତ ପଟ୍ଟନାୟକ

ଦୀର୍ଘ ୧୯ ବର୍ଷର ବ୍ୟବଧାନ ପରେ ୨୦୧୫ ମସିହା ଜୁନ୍‍ ୧୬ ତାରିଖ ଦିନ ବିଶ୍ୱର ହିନ୍ଦୁମାନଙ୍କ ବହୁ ଆକାଂକ୍ଷିତ ଶ୍ରୀମନ୍ଦିରର ଚତୁର୍ଦ୍ଧାମୂରତିଙ୍କର ବ୍ରହ୍ମ ପରିବର୍ତ୍ତନର ଶୁଭ ମୁହୂତ୍ତ୍ୱକୁ କେବଳ ହିନ୍ଦୁମାନେ ନୁହଁନ୍ତି, ବିଭିନ୍ନ ଧର୍ମାବଲମ୍ବୀମାନେ ଆଗ୍ରହର ସହ ଅପେକ୍ଷା କରିଥିବା ସମୟରେ ଶ୍ରୀମନ୍ଦିରରେ ଯେଭଳି ବିଭ୍ରାଟ ଘଟିଲା, ତାହା ପ୍ରତ୍ୟେକ ହିନ୍ଦୁଙ୍କ ଭାବପ୍ରବଣତାକୁ ଦୋହଲାଇ ଦେଇଛି ।

Prasanta-Closeupନବକଳେବର ଉତ୍ସବ ପାଇଁ କେବଳ ରାଜ୍ୟସରକାର ନୁହଁନ୍ତି, କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ପ୍ରଚାର କରି ଆଗାମୀ ରଥଯାତ୍ରା ଉତ୍ସବ ପାଇଁ ପ୍ରାୟ ୪୦ ଲକ୍ଷରୁ ଉଦ୍ଧ୍ୱର୍ ଜନସମାଗମର ଆଶା ରଖିଛନ୍ତି ।

ଚଳିତ ବର୍ଷର ନବକଳେବର ପାଇଁ ବନଜାଗ ଯାତ୍ରାଠାରୁ ଆରମ୍ଭ କରି ଦାରୁ ଚିହ୍ନଟ, ଶବରପଲ୍ଲୀ, ଦଇତା ଏବଂ ବିଭିନ୍ନ ସମ୍ପ୍ରଦାୟର ସେବକମାନଙ୍କ କାର୍ଯ୍ୟକଳାପର ଟିକିନିଖି ବିବରଣୀ ପ୍ରାୟତଃ ଗଣମାଧ୍ୟମରେ ପ୍ରକାଶ ପାଇ ଜନସାଧାରଣଙ୍କ ଉତ୍କଣ୍ଠାକୁ ବହୁ ପରିମାଣରେ ବଢାଇ ଦେଇଥିଲା ।

୧୯ବର୍ଷ ପୂର୍ବେ ବୈଦୁତିକ ଗଣମାଧ୍ୟମ ବିଶେଷ ଭାବରେ ପ୍ରସାରିତ ହୋଇନଥିବାରୁ ଦେଶବାସୀ ମୁଦ୍ରିତ ଗଣମାଧ୍ୟମ ଜରିଆରେ ନବକଳେବର ସମ୍ପର୍କିତ ବିଭିନ୍ନ ରୀତିନୀତି ଏବଂ କାର୍ଯ୍ୟକ୍ରମର ସୂଚନା ପାଉଥିଲେ ।

ସମ୍ପ୍ରତି ଆମ ରାଜ୍ୟରେ ବୈଦୁତିକ ଗଣମାଧ୍ୟମର ପ୍ରସାର ସାଙ୍ଗକୁ ମୁଦ୍ରିତ ଗଣମାଧ୍ୟମର ବହୁଳ ପ୍ରସାର ଏବଂ ଇଣ୍ଟରନେଟ୍‍ ଜରିଆରେ ପ୍ରସାରିତ ସମ୍ବାଦ ନିମିଷକ ମଧ୍ୟରେ ବିଶ୍ୱବ୍ୟାପି ପହଞ୍ଚି ପାରୁଥିବାରୁ ନବକଳେବର ସମ୍ପର୍କରେ ଜାଣିବା ଲାଗି ବ୍ୟାପକ ଆଗ୍ରହ ସୃଷ୍ଟି ହୋଇଥିଲା ଏବଂ କୋଟି କୋଟି ସଂଖ୍ୟକ ଶ୍ରଦ୍ଧାଳୁ ଏହି ପ୍ରକ୍ରିୟା ଉପରେ ନଜର ରଖିଥିଲେ ।

ପରମ୍ପରା ଅନୁଯାୟୀ ନବକଳେବର ସମ୍ପର୍କରେ ରହିଆସିଥିବା ‘ଗୁପ୍ତସେବା’ ସର୍ବସାଧାରଣରେ ପ୍ରକଟିତ ହେବା ନିଷେଧ ହୋଇଥିଲେ ମଧ୍ୟ ବନଜାଗ ଯାତ୍ରାଠାରୁ ଆରମ୍ଭ କରି କୌଣସି ପ୍ରକ୍ରିୟା ଗୋପନ ରହିନଥିଲା ।

ନବକଳେବର ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ଦଇତାପତିମାନେ ପ୍ରମୁଖ ଭୂମିକା ଗ୍ରହଣ କରିବାର ଯେଉଁ ସୁସ୍ଥ ପରମ୍ପରା ରହିଥିଲା, ଚଳିତ ବର୍ଷ ତାହାର ଘୋର ପରିବର୍ତ୍ତନ ଦେଖାଯାଇଥିଲା ।

ମୋବାଇଲ୍‍ ଫୋନ୍‍ର ବ୍ୟାପକ ବ୍ୟବହାର ଯୋଗୁଁ ବନଜାଗଯାତ୍ରା, ଦାରୁ ଚୟନ, ଦାରୁ ଛେଦନ, ଶଗଡ଼ିରେ କୋଇଲି ବୈକୁଣ୍ଠକୁ ବିଗ୍ରହ ନିର୍ମାଣ ପାଇଁ ବ୍ରହ୍ମଦାରୁମାନଙ୍କର ଯାତ୍ରା ସବୁକିଛି ଅଯାଚିତ ଭାବରେ ଗଣମାଧ୍ୟମ ଏବଂ ଫେସ୍‍ବୁକ୍‍ ଭଳି ସୋସିଆଲ୍‍ ମିଡ଼ିଆ ନିକଟରେ ପହଞ୍ଚି ବ୍ୟାପକ ଭାବରେ ପ୍ରଚାରିତ ହେଲା ।

ଶ୍ରୀମନ୍ଦିରର ପ୍ରଶାସକଙ୍କ ବିନା ଅନୁମତିରେ ନବକଳେବର ସମ୍ପର୍କିତ କୌଣସି ସମ୍ବାଦ ଗଣମାଧ୍ୟମ ଦ୍ୱାରା ପ୍ରଚାରିତ ଓ ପ୍ରସାରିତ କରାଯାଇପାରିବ ନାହିଁ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଘୋଷଣା କରିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ନିଷ୍ପତ୍ତି ହୋଇଥିବାରୁ ଏବଂ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ପାଇଁ ଉଦ୍ଧିଷ୍ଟ ହୋଇଥିବାରୁ କୌଣସି ଗଣମାଧ୍ୟମ ଏଥିରେ ସହଯୋଗ କରିନଥିଲେ ।

ଅପରନ୍ତୁ ନିଜ ନିଜର ଜନପ୍ରିୟତା ଜାହିର୍‍ କରିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତା ଓ ପ୍ରତିଯୋଗିତା ଯୋଗୁଁ ଅଧିକାଂଶ ଗଣମାଧ୍ୟମ ନିଜ ନିଜର ସୀମା ସରହଦ ଉଲ୍ଲଂଘନ କରିବା ପାଇଁ ପଶ୍ଚାତପଦ୍‍ ହୋଇନଥିଲେ ।

ଇତିମଧ୍ୟରେ ବିଭିନ୍ନ ସମୟରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦ୍‍ଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଗଜପତି ମହାରାଜା ଦିବ୍ୟସଂହ ଦେବଙ୍କ ଅଯାଚିତ ମନ୍ତବ୍ୟମାନ ନବକଳେବର ସମ୍ପର୍କିତ ରୀତିନୀତି ଓ କାର୍ଯ୍ୟକ୍ରମକୁ ନେଇ ଗୋଳିଆ ପରିସ୍ଥିତି ସୃଷ୍ଟି କରିଥିଲା ।

ଏଭଳି ଅଭାବନୀୟ ପରିସ୍ଥିତି ସାଙ୍ଗକୁ ନିଜର ପ୍ରାଧାନ୍ୟ ଓ ପ୍ରତିପତ୍ତି ପ୍ରମାଣିତ କରିବା ଲାଗି ଦଇତାପତିମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରତିଯୋଗିତା ଜଗନ୍ନାଥ ଧର୍ମ ଓ ପରମ୍ପରାରେ ଦୃଢ ବିଶ୍ୱାସ କରୁଥିବା ଅଜସ୍ର ହିନ୍ଦୁଙ୍କ ଭାବାବେଗକୁ ଆହତ କରିଥିଲା ।

ଦାରୁ ଚିହ୍ନଟ ପ୍ରକ୍ରିୟାଠୁ ଆରମ୍ଭ କରି ଶବରପଲ୍ଲୀରେ ରାତ୍ରିଯାପନ ଓ ବିଗ୍ରହ ନିର୍ମାଣ ସଂପର୍କିତ ନୈଷ୍ଠିକ ପରମ୍ପରାରେ ଘଟିଯାଇଥିବା ବ୍ୟତିକ୍ରମ ସମ୍ପର୍କିତ କୌଣସି ସମ୍ବାଦ ଗୋପନୀୟ ହୋଇ ରହିନଥିଲା ।

ନବକଳେବର ଓ ରଥଯାତ୍ରାର ସମସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ପୁରୀର ବରିଷ୍ଠ ବିଧାୟକ ତଥା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଶ୍ରୀ ମହେଶ୍ୱର ମହାନ୍ତିଙ୍କୁ ରାଜ୍ୟସରକାର କ୍ୟାବିନେଟ୍‍ ପାହ୍ୟାରେ ଅବସ୍ଥାପିତ କରିଥିଲେ ।

ଦେବତ୍ତର ବିଭାଗର ଯୁବ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ନବକଳେବର ପ୍ରକ୍ରିୟା ସୂଚାରୁରୂପେ ସମ୍ପାଦିତ କରିବା ଲାଗି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଶ୍ରୀ ସାହୁ ଏ ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ଏକାଧିକବାର ପୁରୀଯାତ୍ରା କରିଥିଲେ ମଧ୍ୟ ନବକଳେବର ସମ୍ପର୍କିତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କ ସହ ଆବଶ୍ୟକୀୟ ଯୋଗସୂତ୍ର ସ୍ଥାପନ କରି ସମୀକ୍ଷା କରିବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିନଥିଲେ ବୋଲି ଅଭିଯୋଗ ହୋଇଥିଲା ।

ମନ୍ତ୍ରୀ ଶ୍ରୀ ସାହୁ ନବକଳେବର ଓ ରଥଯାତ୍ରା ସମ୍ପର୍କରେ ଆଗ୍ରହ ପ୍ରକାଶ କରିବା ପରିବର୍ତ୍ତେ ଦଳୀୟ ରାଜନୀତିରେ ଲିପ୍ତ ରହୁଥିଲେ ବୋଲି ଯେଉଁ ଅଭିଯୋଗ ହେଉଥିଲା, ବ୍ରହ୍ମ ପରିବର୍ତ୍ତନ ସମ୍ପର୍କିତ ଘୋର ବିଶୃଙ୍ଖଳାରୁ ତା’ର ସତ୍ୟତା ଯେ ଅନେକ ପରିମାଣରେ ପ୍ରମାଣିତ ହୋଇଛି, ଏହା ନିଃସନ୍ଦେହରେ କୁହାଯାଇପାରେ ।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ସମ୍ବାଦ ଅନୁଯାୟୀ ଏବଂ ଦଇତାପତି ଓ ଅନ୍ୟାନ୍ୟ ସେବକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମନାନ୍ତର, ମତାନ୍ତର ତଥା ଗଜପତି ମହାରାଜ ଓ ମୁଖ୍ୟ ପ୍ରଶାସକଙ୍କ ସୂତ୍ରରୁ ପ୍ରଘଟିତ ଅଭିଯୋଗମାନ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇତିମଧ୍ୟରେ ମନ୍ଦିର ପ୍ରଶାସନ ବ୍ରହ୍ମ ବିଭ୍ରାଟର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବରିଷ୍ଠ ଦଇତାପତି ଜୟକୃଷ୍ଣ ଦାସ ମହାପାତ୍ର ଏବଂ ତାଙ୍କ ବାପା କାଶୀନାଥ ଦାସ ମହାପାତ୍ରଙ୍କୁ ଦଇତା ସେବାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି । ମନ୍ଦିର ପ୍ରଶାସନର ଏହି ପଦକ୍ଷେପକୁ ମାନିବାପାଇଁ ଜୟକୃଷ୍ଣ ଓ କାଶୀନାଥ ବାଧ୍ୟ ନୁହଁନ୍ତି ଏବଂ ପ୍ରଭୁଙ୍କ ସେବାରୁ ସେମାନଙ୍କୁ ବଞ୍ଚିତ କରିବାର ଅଧିକାର କାହାରି ନାହିଁ ବୋଲି ସେମାନେ ଦାବି କରିଛନ୍ତି ।

ପ୍ରତିଷ୍ଠିତ ପରମ୍ପରା ଅନୁଯାୟୀ ବ୍ରହ୍ମ ପରିବର୍ତ୍ତନ ସମୟରେ ପୂର୍ବରୁ ଜଣେ ବୟୋଜ୍ୟେଷ୍ଠ ଦଇତାପତି ଏହି କାର୍ଯ୍ୟ ସମାପନ କରୁଥିଲେ ପରବର୍ତ୍ତୀ କାଳରେ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନଙ୍କ ବ୍ରହ୍ମ ପରିବର୍ତ୍ତନ ନିମନ୍ତେ ଚାରିଜଣ ଦଇତାପତିଙ୍କୁ ଦାୟିତ୍ୱ ଦିଆଯାଉଥିଲା ।

ମାତ୍ର ଚଳିତବର୍ଷ ବ୍ରହ୍ମ ପରିବର୍ତ୍ତନ ସମୟରେ ଶତାଧିକ ଦଇତାପତି ବ୍ରହ୍ମ ପରିବର୍ତ୍ତନସ୍ଥଳରେ ଉପସ୍ଥିତ ରହି ନିଜ ନିଜର ପତିଆରା ଦେଖାଇବା ପାଇଁ ବିଭ୍ରାଟ ସୃଷ୍ଟି କରିଥିଲେ । ବ୍ରହ୍ମ ପରିବର୍ତ୍ତନ ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ସମସ୍ତ ଆଲୋକ ନିର୍ବାପିତ ହେବାର ପରମ୍ପରା ଥିବା ସ୍ଥଳେ ଚଳିତ ବର୍ଷର ବ୍ରହ୍ମ ପରିବର୍ତ୍ତନ ସମୟରେ କେତେକ ଦଇତାପତି ମୋବାଇଲ୍‍ ଫୋନ ସହ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ବିସ୍ମିତ କରିଛି ।

କେତେକ ଦଇତାପତି ଅର୍ଥ ବା କ୍ଷମତା ଲାଳସାରେ ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ ହେଉଥିଲେ ମଧ୍ୟ ଏହି ଗୁରୁତର ବିଭ୍ରାଟ ପାଇଁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଆଡ଼କୁ ଅଙ୍ଗୁଳି ନିଦେ୍ର୍ଧଶ କରାଯିବା ଅଯୌକ୍ତିକ ହେବ ନାହିଁ ।

କାରଣ ଶ୍ରୀମନ୍ଦିରର ପ୍ରଶାସନ ତଥା ଆଇନ୍‍ ଶୃଙ୍ଖଳା ଦାୟିତ୍ୱ ପ୍ରଶାସକଙ୍କ ଉପରେ ହିଁ ନ୍ୟସ୍ତ ଥାଏ । ବ୍ରହ୍ମ ପରିବର୍ତ୍ତନ ସମୟରେ ସମସ୍ତ ପ୍ରକାର ଶୃଙ୍ଖଳା ଓ ନିରାପତ୍ତା ରକ୍ଷା କରିବା ପାଇଁ ସେ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ବ୍ରହ୍ମପରିବର୍ତ୍ତନ ଦାୟିତ୍ୱରେ ଥିବା ମାତ୍ର ଚାରିଜଣ ପ୍ରମୁଖ ଦଇତାପତିଙ୍କୁ ପ୍ରବେଶ କରିବାର ଅନୁମତି ଦେବା ଏକାନ୍ତ ବିଧେୟ ଥିଲା ।

ଜଣେ ଉଚ୍ଚପଦସ୍ଥ ପୋଲିସ୍‍ ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯାଇ ଏହି ଚାରିଜଣ ଦଇତାପତିଙ୍କୁ ବ୍ରହ୍ମ ପରିବର୍ତ୍ତନସ୍ଥଳକୁ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଇଥିଲେ ସେଠାରେ ଶତାଧିକ ଦଇତାପତିଙ୍କର ସମାଗମ ହେବା ଅଥବା ମୋବାଇଲ୍‍ ଫୋନ୍‍ ସେଠାରେ ପହଞ୍ଚିବା ନିଶ୍ଚିତ ଭାବରେ ଅସମ୍ଭବ ହୋଇ ପଡ଼ିଥା’ନ୍ତା ।

ମାତ୍ର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏବଂ ପ୍ରଶାସନ ଦାୟିତ୍ୱରେ ଥିବା ବରିଷ୍ଠ କର୍ମଚାରୀମାନେ କେଉଁ କାରଣରୁ ଏଭଳି ପଦକ୍ଷେପ ନେଲେ ନାହିଁ, ତାହାର ପ୍ରକୃତ କାରଣ ଲୋକଲୋଚନକୁ ଆସିବା ଏକାନ୍ତ ଆବଶ୍ୟକ ।

ଘଟିଯାଇଥିବା ବିଶୃଙ୍ଖଳା ପାଇଁ କେବଳ ଦଇତାପତିମାନଙ୍କ ଉପରେ ଦୋଷ ଲଦିବା ପରିବର୍ତ୍ତେ ନବକଳେବର ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ପ୍ରତିଟି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଏଥିପାଇଁ ଦାୟୀ ଥିବା ରାଜନେତା, ପ୍ରଶାସକ, ସେବକ ପ୍ରଭୃତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଶାସ୍ତି ନିଆଯାଇପାରିଲେ ଘଟିଯାଇଥିବା ତ୍ରୁଟି ବିଚ୍ୟୁତିର ସଂଶୋଧନ ହେବା ସମ୍ଭବପର ନ ହେଲେ ମଧ୍ୟ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ଘଟନ୍ତା ନାହିଁ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସର୍ବଦା ନିଜକୁ ଜଣେ ଧର୍ମନିରପେକ୍ଷ ବ୍ୟକ୍ତି ବୋଲି ଦାବି କରିଆସୁଛନ୍ତି । ନିଜର କ୍ଷମତା ଓ ପ୍ରଶାସନିକ ଶୃଙ୍ଖଳା ପାଇଁ ବିଭିନ୍ନ ସମୟରେ ସେ ଦଳୀୟ ନେତା ଏବଂ ଅମଲାତନ୍ତ୍ରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଲାଗି କଦାପି ପଶ୍ଚାତପଦ୍‍ ହୋଇନାହାଁନ୍ତି ।

ବ୍ରହ୍ମ ପରିବର୍ତ୍ତନରେ ଘଟିଯାଇଥିବା ମହାବିଭ୍ରାଟ ପାଇଁ ଶ୍ରୀ ପଟ୍ଟନାୟକ ରହସ୍ୟମୟ ନୀରବତା ଅବଲମ୍ବନ କରିବା ପରିବର୍ତ୍ତେ ଏଥିପାଇଁ ଦାୟୀ ଥିବା ପ୍ରତ୍ୟେକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିଲେ ସେ ରାଜ୍ୟବାସୀଙ୍କ ଶ୍ରଦ୍ଧା, ସମ୍ମାନ ଓ ଆସ୍ଥାଭାଜନ ହୋଇପାରିବେ ଏଥିରେ ସନ୍ଦେହ ନାହିଁ ।

ଆସୋସିଏଟେଡ୍‍ ମିଡିଆ
କ୍ୱାଟର୍‍ ନଂ ୫.ଆର୍‍.ଏଫ୍‍/୫, ୟୁନିଟ୍‍ -୩
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୧
ଫୋନ୍‍-୯୪୩୭୦୦୫୧୧ ୮

News Bureau
News Bureau

Filed Under: ତୃତୀୟ ନୟନ, ରାଜନୀତି Tagged With: ନବ କଳେବର, ବ୍ରହ୍ମ

‘ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ’କୁ ନେଇ ଦୁଇ ଦଇତାପତିଙ୍କ ନିଲମ୍ବନ

June 25, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୫ ଜୁନ (ଓଡିଶା ଡଟ୍ କମ୍): ବ୍ରହ୍ମ ପରିବର୍ତ୍ତନ ବେଳେ ସୃଷ୍ଟି ହୋଇଥିବା ବିଭ୍ରାଟର ତଦନ୍ତ କରି ଶ୍ରୀ ମନ୍ଦିର ପ୍ରଶାସନ ଦୁଇଜଣ ଦଇତାପତିଙ୍କୁ ଜଗନ୍ନାଥଙ୍କ ସେବା କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ନିଲମ୍ବିତ ହୋଇଥିବା ଏହି ଦୁଇ ଦଇତାପତି ଜୟକୃଷ୍ଣ ଦାସ ମହାପାତ୍ର ଓ କାଶୀନାଥ ଦାସ ମହାପାତ୍ର ପିତା-ପୁତ୍ର ଅଟନ୍ତି । କାଶୀନାଥ ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ବଡ଼ ଭାଇ ହୋଇଥବାବେଳେ ପୁଅ ଜୟକୃଷ୍ଣ ବିଜେଡ଼ିର ଟାଉନ ସଭାପତି ଅଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି, ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବ ପାଇଁ ହୋଇଥିବା ଘଟଣାର ତଦନ୍ତରେ ମୋଟ ନଅ ଜଣଙ୍କୁ ପଚରାଉଚରା କରାଯାଇ ସେମାନଙ୍କ ବୟାନ ରେକର୍ଡ କରାଯାଇଛି,ସେମାନେ ହେଲେ ଚାରି ବାଡଗ୍ରାହୀ, ବିଶ୍ଵାବସୁ, ବିଦ୍ୟାପତି, ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକ ।

ସୁରେଶ ମହାପାତ୍ରଙ୍କ କହିବାନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁସାରେ ବ୍ରହ୍ମ ପରିବର୍ତ୍ତନ କରିବା ପାଇଁ ଚାରି ବାଡ଼ଗ୍ରାହୀ ଯେତେବେଳେ ଅଣସରଘରକୁ ଯାଉଥିଲେ ସେତେବେଳେ ଜୟକୃଷ୍ଣ ଓ କାଶୀନାଥ ଦାସମହାପାତ୍ର ସେମାନଙ୍କୁ ବାଧା ଦେଇ ଭିତରକୁ ଯିବା ପାଇଁ ଜିଦ ଧରିବାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଫଳରେ ଘଟ ପରିବର୍ତ୍ତନରେ ବିଳମ୍ବ ଘଟିଥିଲା ।

ଏହି କାରଣକୁ ଦୃଷ୍ଟିରେ ରଖି ପ୍ରାଥମିକ ସ୍ତରରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ଧାରା ୨୧-୧ ଅନୁଯାୟୀ ଜୟକୃଷ୍ଣ ଓ ତାଙ୍କ ବାପା କାଶୀନାଥ ଦାସମହାପାତ୍ରଙ୍କୁ ଦଇତାପତି ସେବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିଛନ୍ତି। ତେବେ ଏବେବି ତଦନ୍ତ ଚାଲିଛି ଆଗକୁ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ନିଲମ୍ବିତ ହେବ ପରେ ଜୟକୃଷ୍ଣ ଦାସମହାପାତ୍ର କହିଛନ୍ତି ଯେ ମନ୍ଦିର ପ୍ରଶାସନ ତାଙ୍କ ନିଲମ୍ବନ ଖବର ସେ ଗଣମାଧ୍ୟମରୁ ଜାଣିବାକୁ ପାଇଲେ । ତେବେ ସେ ଏପରି କୌଣସି କାର୍ଯ୍ୟ କରି ନାହାନ୍ତି ଯେଉଁଥିପାଇଁ ତାଙ୍କୁ ନିଲମ୍ବିତ କରାଯିବ । ସେ ଜଗନ୍ନାଥଙ୍କର ଜଣେ ଶୃଙ୍ଖଳିତ ସେବକ ।

ସେହିପରି କାଶୀନାଥ ଦାସମହାପାତ୍ର କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସକଙ୍କ ପାଖରୁ ସେମାନଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ୍ ଦିଆନଯାଇ ସେମାନଙ୍କ ପକ୍ଷ ନଜାଣି ଏଭଳି ନିଲମ୍ବିନ କରିବା ନିୟମ ବିରୁଦ୍ଧ ଅଟେ । ତେବେ ସେ ଏକା ନୁହନ୍ତି ଆଉ ଚାରିଜଣ ବରିଷ୍ଠ ଦଇତାପତି ମଧ୍ୟ ତାଙ୍କ ସହ ଭିତରକୁ ଯାଇଛନ୍ତି ତେବେ କେଉଁ ପରିସ୍ଥିତିରେ କେବଳ ତାଙ୍କୁ ଓ ତାଙ୍କ ପୁଅକୁ ନିଲମ୍ବନ କରାଯାଇଛି ସେ ପ୍ରଶ୍ନ କରିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଧର୍ମ, ରାଜନୀତି Tagged With: ନବ କଳେବର, ବ୍ରହ୍ମ ପରିବର୍ତ୍ତନ

ବ୍ରହ୍ମ ହୁଅ ପରକାଶ (ବିଶେଷ)

June 24, 2015 by News Bureau Leave a Comment

କେଦାର ମିଶ୍ର

“ବ୍ରହ୍ମ ହୁଅ ପରକାଶ
ପିଣ୍ଡ ବ୍ରହ୍ମାଣ୍ଡ ଦୂରିତ ଝଟତିରେ ନାଶ”

ଓଡ଼ିଆ କବିତାର ଅନ୍ୟତମ ବିଦ୍ରୋହୀ ମହାନାୟକ ଭୀମଭୋଇଙ୍କ କବିତାରେ ବ୍ରହ୍ମ ପ୍ରତି ଏହି ଆକୁଳ ନିବେଦନ ପଛରେ କେଉଁ ସମାଜତାତ୍ତ୍ୱିକ କାରଣ ଅଛି, ତା’କୁ ଖୋଜିବା ଆଜି ପାଇଁ ପ୍ରାସଙ୍ଗିକ ହେବ । ଭାରତୀୟ ପରମ୍ପରାରେ ବ୍ରହ୍ମକୁ ନେଇ ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ବ୍ରହ୍ମର ଅବସ୍ଥିତି ଯେତିକି ପୁରୁଣା, ବ୍ରହ୍ମର ସନ୍ଧାନ, ଆକଳନ, ଅନୁଶୀଳନ ଓ ଅଧ୍ୟୟନ ମଧ୍ୟ ସେତିକି ପୁରୁଣା । ବ୍ରହ୍ମକୁ ନେଇ ରହସ୍ୟର ଏକ ଇନ୍ଦ୍ରଜାଲ ଉପରେ ଆମର ଈଶ୍ୱରୀୟ ଅବଧାରଣା ବଞ୍ଚି ରହିଛି । ସେହି ଇନ୍ଦ୍ରଜାଲଟି ଛିଣ୍ଡିଗଲେ ବ୍ରହ୍ମ ଉପରେ ରହିଥିବା ଆସ୍ଥା ମଧ୍ୟ ଭାଙ୍ଗିଯିବ ।

ସେଥିପାଇଁ ରହସ୍ୟକୁ ବଞ୍ଚାଇ ରଖିବାର ଏକ ନିରବଚ୍ଛିନ୍ନ ପରମ୍ପରା ଭାରତୀୟ ହିନ୍ଦୁ ସଭ୍ୟତାରେ ଦୃଶ୍ୟମାନ ହୁଏ । ସବୁକିଛି ଗୁହ୍ୟ, ଗୋପନ ଓ ଚର୍ମଚକ୍ଷୁର କ୍ଷମତା ବାହାରେ । ଶ୍ରୀଜଗନ୍ନାଥଙ୍କ ଘଟ ପରିବର୍ତ୍ତନ ନୀତି ସେହି ପରମ୍ପରାର ଅଂଶବିଶେଷ ମାତ୍ର ।

ଶ୍ରୀଜଗନ୍ନାଥଙ୍କ ନବକଳେବର ବିଧାନ ସହିତ ଏକ ରହସ୍ୟବଳୟ ସବୁକାଳେ ରହିଆସିଛି । ଗୋଟିଏ ପକ୍ଷରେ ଶ୍ରୀମନ୍ଦିରର ମେଘନାଦ ପାଚେରୀ ଭିତରେ ରାଜନୈତିକ ଶକ୍ତିକେନ୍ଦ୍ରର ଘଟନ ଓ ବିଘଟନ ଚାଲିଥିବାବେଳେ ଅପରପକ୍ଷରେ ଏହାକୁ ଆଢୁଆଳ କରିବା ପାଇଁ ଏକ ଇଚ୍ଛାକୃତ ରହସ୍ୟ ସବୁବେଳେ ରହି ଆସିଛି ।

ଶ୍ରୀଜଗନ୍ନାଥ କେବଳ ଭାବ, ଭକ୍ତି ଓ ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର ନୁହଁନ୍ତି । ଶହଶହ ବର୍ଷ ଧରି ଓଡ଼ିଶାର ରାଜନୀତି, ଅର୍ଥନୀତି, ସଂସ୍କୃତି ଓ ଜୀବନବୋଧ ତାଙ୍କୁ କେନ୍ଦ୍ର କରି ଗଢି ଉଠିଛି । ଦୀର୍ଘ ବର୍ଷ ଧରି ଓଡ଼ିଶାର ରାଜା ଶ୍ରୀଜଗନ୍ନାଥଙ୍କ ପାଦରେ ରାଉତ ପଣେ ଖଟିଛନ୍ତି ।

ଅର୍ଥାତ୍‍ ଜଗନ୍ନାଥ ହେଉଛନ୍ତି ରାଜା ଓ ଗଜପତି ତାଙ୍କର ରାଉତ । ରାଜା ଭାବରେ କେବଳ ରାଜଭୋଗ ଖାଇ ମହାପ୍ରଭୁ ରହିପାରିବେ ନାହିଁ । ରାଜାର ଦାୟିତ୍ୱ ଓ ସଂକଟ ମଧ୍ୟ ପ୍ରଭୁଙ୍କୁ ତୁଲାଇବାକୁ ପଡ଼ିବ । ସେଥିପାଇଁ ବହୁ କାଳ ଶ୍ରୀଜଗନ୍ନାଥଙ୍କୁ ଯୁଦ୍ଧ କ୍ଷେତ୍ରକୁ ଯିବାକୁ ପଡିଛି ।

କେବେ କାଞ୍ଚି ଅଭିଯାନରେ ଅଶ୍ୱାରୋହୀ ସୈନିକ ଭାବରେ ସେ ଯୁଦ୍ଧ କରୁଛନ୍ତି ପୁଣି କେବେ ମୋଗଲ ଗୋଳରୁ ବଞ୍ଚିବା ପାଇଁ ମନ୍ଦିରରୁ ବିସ୍ଥାପିତ ହେଉଛନ୍ତି । ରାଜନୀତିର ବଦଳୁଥିବା ସ୍ୱରୂପ ସହ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଥା ଓ ପରମ୍ପରା ମଧ୍ୟ ବଦଳୁଛି ।

ଆଜି ନବକଳେବର ବିଭ୍ରାଟକୁ ନେଇ ହୋ ହଲ୍ଲା ଚାଲିଥିବାବେଳେ ଶ୍ରୀମନ୍ଦିରର ଇତିହାସ ସମ୍ପର୍କରେ ସମସ୍ତେ ଯେମିତି ଆଖିବୁଜି ବସିଛନ୍ତି । ମନ୍ଦିର ପରିଚାଳନାର ଇତିହାସ ସହିତ ଏତେ ଗୁଡ଼ାଏ ବିଭ୍ରାଟ ଓ ବିଭ୍ରାନ୍ତି ଜଡ଼ିତ ଯେ ସେ ସମ୍ପର୍କରେ ଏକ ଭିନ୍ନ ଗ୍ରନ୍ଥ ଲେଖାଯାଇପାରିବ ।

ଶହ ଶହ ବର୍ଷ ଧରି ମନ୍ଦିର ପରିଚାଳନାର ରାଜନୀତି ବଦଳିଛି ଓ ରାଜନୀତି ସହିତ ପ୍ରଥା ଓ ପରମ୍ପରା ମଧ୍ୟ ବଦଳିଛି । ତେଣୁ ମନ୍ଦିର ଭିତରେ ଯାହା ଘଟେ, ତାହାକୁ ରହସ୍ୟର ଇନ୍ଦ୍ରଜାଲ ଭିତରେ ରଖିବାକୁ ସେବାୟତମାନେ ପ୍ରୟାସ କରି ଆସିଛନ୍ତି । ରହସ୍ୟର ଇନ୍ଦ୍ରଜାଲ ଭିତରେ ରହିଲେ ଯାଇ ପ୍ରଭୁଙ୍କର ପ୍ରଭୁପଣ ବଜାୟ ରହିବ ।

ସେହି ରହସ୍ୟଟି ତୁଟି ଗଲେ ଲୋକଙ୍କର ଆସ୍ଥା ମଧ୍ୟ ଦୋହଲିଯିବ । ଦୁର୍ଭାଗ୍ୟ କ୍ରମେ ଆଜି ତାହାହଁ ହୋଇଛି ।

୨୪ – ୭ର ଟେଲିଭିଜନ୍‍ ଯୁଗ ଓ ମୋବାଇଲ୍‍ କ୍ୟାମେରାର ସର୍ବବ୍ୟାପୀ ଉପସ୍ଥିତି ସମୟରେ ରହସ୍ୟକୁ ବଞ୍ଚାଇ ରଖିହେବ କେମିତି ? ମହାପ୍ରଭୁଙ୍କ ନାଭିଦେଶରେ ବ୍ରହ୍ମ କପାଟ ଭିତରେ ଯେଉଁ ରହସ୍ୟମୟ ପଦାର୍ଥଟି ରହିଛି, ତା’କୁ ନେଇ ଶହଶହ ବର୍ଷର କଳ୍ପନା ଜଳ୍ପନା ଧୂଳିସାତ ହୋଇଯିବ କି ?

ଗତ ଜୁଲାଇ ୧୬ ତାରିଖରୁ ବ୍ରହ୍ମ କପାଟର ରହସ୍ୟ ସାଧାରଣ ଜନତା ପାଇଁ ଏକପ୍ରକାର ବିଦ୍ରୂପର ବସ୍ତୁ ପାଲଟିଯାଇଛି । ବ୍ରହ୍ମ ପରିବର୍ତ୍ତନ ପରଠୁ ଏହାକୁ ନେଇ ରାଜନୀତି, ଆରୋପ-ପ୍ରତ୍ୟାରୋପ ଓ ଉଦ୍ଭଟ ବୟାନବାଜିର ପ୍ରବାହ ଚାଲିଛି । ଏ ପ୍ରବାହରେ ପ୍ରତି କଥାକୁହା ନାଗରିକ ଜଗନ୍ନାଥ ସଂସ୍କୃତିର ବିଷାରଦ ପାଲଟିଯାଇଛନ୍ତି ।

ସବୁ ସାମ୍ବାଦିକ ପ୍ରବଚକ ପାଲଟିଯାଇଥିବାବେଳେ ପ୍ରତ୍ୟେକ ରାଜନେତା ଜଗନ୍ନାଥଙ୍କର ରାଉତ ସାଜି ବିବୃତି ଦେଉଛନ୍ତି । ସେବାୟତଙ୍କ ଭିତରେ ମରାମରିର ପରିଣତି ସ୍ୱରୂପ ସବୁଠୁ ଭୟଙ୍କର ବଳି ଭାବରେ ମହାପ୍ରଭୁଙ୍କ ରହସ୍ୟ ଆଜି ରକ୍ତାକ୍ତ ହୋଇ ପଡିଛି ।

ଗତ ୧୫ ଓ ୧୬ ତାରିଖ ରାତିରେ ଘଟିଥିବା ବିଭ୍ରାଟ ଅପେକ୍ଷା ଆହୁରି ବଡ଼ ବଡ଼ ବିଭ୍ରାଟକୁ ଶ୍ରୀମନ୍ଦିର ସମ୍ଭାଳି ଆସିଛି । କଳାପାହାଡ଼ର ଆକ୍ରମଣ ପରେ ଯେତେବେଳେ ମହାଦାରୁମାନଙ୍କୁ ଗଙ୍ଗାକୂଳରେ ପୋଡ଼ି ଦିଆଗଲା, ତାଙ୍କରି ଚିତାଭସ୍ମରୁ ବ୍ରହ୍ମପଦାର୍ଥକୁ ଉଦ୍ଧାର କରି ବିଶର ମହାନ୍ତି ନିଜ ମୃଦଙ୍ଗ ଭିତରେ ନେଇ ଆସିଲେ ଓ କୁଜଙ୍ଗରେ ମହାପ୍ରଭୁଙ୍କୁ ନବକଳେବର ଦେଲେ ।

ଆଉ କେଉଁ ରକ୍ତବାହୁର ଆକ୍ରମଣରୁ ରକ୍ଷା ପାଇବାକୁ ସୋନପୁର ତ୍ରିକୂଟ ପାହାଡ଼ରେ ମହାପ୍ରଭୁ ୧୪୩ ବର୍ଷ ମାଟି ତଳେ ପାତାଳି ହୋଇ ରହିଲେ । କେବେ ଚିଲିକାର ଚଢେଇହଗା ପାହାଡ଼, ପୁଣି କେବେ ମାରଦାର ଜଙ୍ଗଲ ଭିତରେ ମହାପ୍ରଭୁ ଲୁଚି ରହିଲେ ।

ତଥାପି ତାଙ୍କର ରହସ୍ୟ ଊଣା ହୋଇ ନାହିଁ । ସେଥିପାଇଁ ତାଙ୍କୁ କୁହାଯାଇଛି “ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ” । ରହସ୍ୟ ଥିବା ଯାଏ ସେ ଅଛନ୍ତି । ଗୋପ୍ୟ ହୋଇ ଥିବା ଯାଏ ସେ ବ୍ରହ୍ମ । ଯଦି ରହସ୍ୟ ଫିଟିଯାଏ ସେ ରହିବେ ନାହିଁ । ସେ ନ ରହିଲେ ଜଗତ ରହିବ ନାହିଁ । ଏହି ତତ୍ତ୍ୱଟିକୁ ଆମେ ନ ବୁଝି ଏତେ ବିକଳରେ ପାଟିତୁଣ୍ଡ କରୁଛୁ ଯେ ସତେ କି ଆମେ ହିଁ ହେଉଛୁ ସ୍ୱୟଂ ଜଗନ୍ନାଥ ।

ଶ୍ରୀ ଜଗନ୍ନାଥଙ୍କ ନୀତି ନିୟମ, ଶାସନ ପ୍ରଶାସନ ଓ ଇତିହାସକୁ ବୁଝିବାକୁ ହେଲେ ଆମକୁ ଶ୍ରୀମନ୍ଦିରର ପରମ୍ପରା ତଥା ଇତିହାସକୁ ଅଣ୍ଡାଳିବାକୁ ପଡ଼ିବ । ସେଇ ଇତିହାସ ଓ ପରମ୍ପରା ବାବାଜୀ ଦେଉଥିବା ପ୍ରବଚନ ଭଳି ସରଳ ନୁହେଁ । ସେଥିରେ ବହୁ ଜଟିଳ ଓ ଅନ୍ଧକାର ଅଧ୍ୟାୟ ରହିଛି ।

ସେହି ଜଟିଳତା ଓ ଅନ୍ଧାର ଭିତରେ ବ୍ରହ୍ମ ନିଜକୁ ପ୍ରକଟିତ କରିଛନ୍ତି । ଦୟା କରି ସେହି ଜଟିଳତା ଓ ଅନ୍ଧକାରକୁ ସେମିତି ରହିବାକୁ ଦିଆଯାଉ । ବ୍ରହ୍ମ ପରିବର୍ତ୍ତନ ଓ ପାତାଳୀ ଲୀଳା ଆମ ପାଇଁ ଗୋପ୍ୟ ହୋଇ ରହୁ । ସେହି ରହସ୍ୟଭେଦ କରିବା ପାଇଁ ଆମ କ୍ୟାମେରା ଆଖି ଯଦି ବ୍ୟାକୁଳ ହୁଏ, ତା’ହେଲେ ଆମେ ନିଜେ ନିଜର ପ୍ରାଣସତ୍ତାକୁ ହରାଇ ବସିବା ।

ବ୍ରହ୍ମ ଯେବେ ଚାହିଁବେ, ସେବେ ପ୍ରକାଶିତ ହୁଅନ୍ତୁ । ଆମେ ଭୀମଭୋଇଙ୍କ ଭଳି କେବଳ ପ୍ରାର୍ଥନା କରିପାରିବା ଯେ, ବ୍ରହ୍ମ ହୁଅ ପରକାଶ ।

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ଧର୍ମ Tagged With: ନବ କଳେବର, ଶ୍ରୀ ଜଗନ୍ନାଥ

  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ