• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନିର୍ବାଚନ

ଆଶାର ଅସହ୍ୟ ବୋଝ

March 30, 2017 by ଓଡିଶା ଡଟ କମ Leave a Comment

ଉତ୍ତରପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଚିତ୍ତାକର୍ଷକ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ବିଜୟ ହିସାବରେ ଦେଖାଯାଉଛି । ଏହି ବିଜୟ ଗରିବ ଲୋକଙ୍କ ମନରେ ଭଲ ଦିନ ଆସିବାର ଆଶାକୁ ବଢ଼େଇ ଦେଇଛି ।

ଯେଉଁ ଦିଗରେ ବର୍ତ୍ତମାନର ସରକାରଙ୍କର ଅର୍ଥନୀତି ଚାଲିଛି, ନୂଆ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ସେମାନଙ୍କ ପାଇଁ ଏକ ବହୁତ ବଡ଼ ଆହ୍ୱାନ ହେବ । ସେହି ଦୃଷ୍ଟିରୁ ହିନ୍ଦୁ ଜାତୀୟତାବାଦୀ ସଂଖ୍ୟାବହୁଳଙ୍କ କାର୍ଯ୍ୟସୂଚୀ ଉପରେ ମୋଦୀଙ୍କୁ ନିର୍ଭରଶୀଳ ହେବାକୁ ପଡ଼ିବ ।

୨୦୧୯ ନିର୍ବାଚନରେ ସେ ‘ଭାରତର ଦ୍ୱିତୀୟ ଜନରାଜ୍ୟ’ର ସର୍ବୋଚ୍ଚ ନେତା ହିସାବରେ ଆବିର୍ଭାବ ହେବାର ଯେଉଁ ଆତ୍ମବିଶ୍ୱାସ ରଖିଛନ୍ତି ତା’ର ପୂର୍ବାନୁମାନ କରିହେଇଯାଉଛି, ଯେତେବେଳେ ତାଙ୍କର ରାଜନୈତିକ ବିରୋଧୀମାନଙ୍କର ସବୁ ସ୍ତରରେ ଥିବା ଗୋଳମାଳିଆ ପରିସ୍ଥିତିକୁ ଦେଖାଯାଏ ।

ସେମାନେ ଏକାଠି ହେଲେ ମୋଦୀଙ୍କ ଆଧିପତ୍ୟର ପ୍ରଭାବକୁ ପ୍ରତିହତ କରିବାରେ ଏହି ପରିସ୍ଥିତି ପ୍ରତିବନ୍ଧକ ସୃଷ୍ଟି କରିବ । ଭାରତର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ରାଜ୍ୟରେ, ଯେଉଁଥିରେ ୬ଜଣ ଭାରତୀୟଙ୍କ ଭିତରୁ ଜଣେ ବାସ କରନ୍ତି, ଭାଜପାର ପ୍ରାର୍ଥୀମାନେ ଶତକଡ଼ା ୮୦ଭାଗ ଆସନରୁ ଜୟଯୁକ୍ତ ହେଇଛନ୍ତି ।

ଅଧିକାଂଶ ଉତ୍ତରପ୍ରଦେଶ ଭୋଟଦାତାଙ୍କ ନଜରରେ ମୋଦୀ ‘ଆଶା’ର ପ୍ରତିନିଧିତ୍ୱ କରୁଛନ୍ତି । ଜଣେ ଶକ୍ତିମାନ ଏବଂ ଦୁର୍ନୀତିମୁକ୍ତ ନେତୃତ୍ୱ ଯାହାର ଅନୁଗ୍ରହ ନେବା ପାଇଁ ପରିବାରଟିଏ ବି ନାହିଁ, ଏଭଳି ଏକ ଭାବମୂର୍ତି ଉତ୍ତରପ୍ରଦେଶର ଅଧିକାଂଶ ଗରିବ ଲୋକମାନଙ୍କୁ ଆବେଦନ କରିଥିଲା । ୧୯୭୧ରେ ବାଂଲାଦେଶ

ସୃଷ୍ଟି ହେବା ପରେ ଇନ୍ଦିରା ଗାନ୍ଧୀଙ୍କର ଯେଉଁଭଳି ଲୋକପ୍ରିୟତା ସୃଷ୍ଟିହୋଇଥିଲା, ତା’ ପରଠାରୁ ଅନ୍ୟ କୌଣସି ବ୍ୟକ୍ତି ଭାରତୀୟ ରାଜନୀତିରେ ସେତିକି ପତିଆରା ଜାହିର କରିପାରିନାହାଁନ୍ତି । ମୋଦୀ ଆଜି ସେତିକି କରିପାରିଛନ୍ତି ।

କୌଣସି ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟ ନିର୍ବାଚନରେ ଏମିତି ବ୍ୟାପକ ପ୍ରଚାର ଅଭିଯାନ କରିନଥିଲେ ମୋଦୀ ଯେମିତି ଉତ୍ତରପ୍ରଦେଶ ନିର୍ବାଚନ ବେଳେ କରିଛନ୍ତି ।

ଏଥିପୂର୍ବରୁ ଏହି ରାଜ୍ୟର ନିବାଚନରେ ଏଭଳି ଘଟଣା ମଧ୍ୟ ଘଟି ନଥିଲା ଯେ ଗୋଟିଏ ରାଜନୈତିକ ଦଳ ନିଜ ଯୋଜନାରୁ ଖୋଲାଖୋଲି ମୁସଲମାନମାନଙ୍କୁ ବାଦ୍ ଦେଇପାରିଲା, ଯେଉଁମାନଙ୍କ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୫ଭାଗରୁ ଏକ ଭାଗ ।

ମୁସଲମାନଙ୍କ ପାଇଁ ବାର୍ତ୍ତାଟି ସ୍ପଷ୍ଟ ଥିଲା; ଯେହେତୁ ତୁମେ କୌଣସି ପ୍ରକାରେ ଭାଜପାକୁ ଭୋଟ ଦେବନାହିଁ ଆମେ ଗୋଟିଏ ବି ମୁସଲମାନ ପ୍ରାର୍ଥୀ କାହିଁକି ଛିଡ଼ା କରେଇବୁ?

ମୋଦୀ ଏବଂ ତାଙ୍କର ବିଶ୍ୱସ୍ତ ସୈନିକ ଭାଜପା ସଭାପତି ଅମିତ ଶାହା, ଯିଏ ଦକ୍ଷତାର ସହ ତଳସ୍ତରରୁ ନିର୍ବାଚନ ପରିଚାଳନା କଲେ, ଭଲ ଭାବେ ବୁଝି ସାରିଥିଲେ ‘ଫାଷ୍ଟ-ପାଷ୍ଟ- ଦି-ପୋଷ୍ଟ’ ନିର୍ବାଚନ ବ୍ୟବସ୍ଥାରେ ଥିବା ଅନିୟମିତତାକୁ (ଯେଉଁ ବ୍ୟବସ୍ଥାରେ ଭୋଟରମାନଙ୍କୁ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମୋହର ଦେବାପାଇଁ କୁହାଯାଏ ଏବଂ ଯିଏ ସର୍ବାଧିକ ପସନ୍ଦ ପାଏ ତାକୁ ବିଜେତା ଘୋଷିତ କରାଯାଏ) ।

ଅନ୍ୟ ଅର୍ଥରେ ବିଜେତା ସବୁ କିଛି ନେଇଯାଏ ଏବଂ ପରାଜିତ ସବୁ କିଛି ହରାଇଥାଏ । ଉତ୍ତରପ୍ରଦେଶ ଭଳି ଉତ୍ତରାଖଣ୍ଡରେ ମଧ୍ୟ ଭାଜପା ବିପୁଳ ବିଜୟ ହାସଲ କରିଥିଲା ।

ଉତ୍ତରପ୍ରଦେଶ ତୁଳନାରେ ଉତ୍ତରାଖଣ୍ଡ ରାଜନୀତି ଭିନ୍ନ; ଯେଉଁଠି ୨୦୦୦ ମସିହାରେ ଉତ୍ତରପ୍ରଦେଶରୁ ବାହାରି ଏହି ନୂତନ ରାଜ୍ୟ ଗଠନ ହେବା ପରଠାରୁ କଂଗ୍ରେସ ଓ ଭାଜପା ଭିତରେ କ୍ଷମତାର ଅଦଳବଦଳ ଚାଲିଛି । ପ୍ରତିଟି ନିର୍ବାଚନରେ ଅନ୍ୟ ଦଳଟି କ୍ଷମତାକୁ ଆସୁଛି ।

ଯେଉଁ ରାଜ୍ୟଗୁଡ଼ିକ ଏଥର ନିର୍ବାଚନକୁ ଯାଇଥିଲେ ସେମାନେ ପରସ୍ପର ଠାରୁ ଭିନ୍ନଥିଲେ ବି ଏଥର ସବୁ ରାଜ୍ୟରେ ଶାସନରେ ଥିବା ଦଳମାନେ ପରାଜିତ ହୋଇଛନ୍ତି । ଶାସକ ଦଳ ବିରୋଧୀ ଭାବନା ବହୁତ କମ୍ ଦେଖିବାକୁ ମିଳିଥିଲା ମଣିପୁର ରାଜ୍ୟରେ ଯେଉଁଠି କଂଗ୍ରେସର ଓକ୍ରାମ ଇବୋବି ସିଂହ କ୍ରମାଗତ ତିନିଥର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ।

ମଣିପୁର ଏବଂ ଗୋଆରେ କଂଗ୍ରେସ ନେତୃତ୍ୱ (ଯାହା ବି ଟିକିଏ ଅଛି) ବିଜୟର ପଞ୍ଝାରୁ ପରାଜୟକୁ ବରଣ କଲା- ଭାଜପାର ଯୋଗାଡ଼ିଆ ରାଜନୀତିର ଦକ୍ଷତା ସହ ତାଳ ନଦେଇପାରି, ଯେଉଁସବୁ ଦକ୍ଷତା ସେମାନେ କଂଗ୍ରେସ ଦଳଠାରୁ ହିଁ ଶିଖିଥିଲେ ।

ପଞ୍ଜାବରେ ଶିରୋମଣୀ ଅକାଳୀ ଦଳ ଓ ଭାଜପା ଗଠବନ୍ଧନ ୧୦ବର୍ଷ କ୍ଷମତାରେ ରହିବା ପରେ ନିର୍ବାଚନ ହାରିବେ ବୋଲି ଆଶା କରାଯାଇଥିଲା, ତାହା ହିଁ ହେଲା । ଯଦିଓ କିଛି ଅଧିକ ଆସନ ପାଇଥିବା ଆମ୍ ଆଦ୍ମୀ ପାର୍ଟି ତୁଳନାରେ ଏହି ଦୁଇଟି ଦଳ ଅଧିକ ଭୋଟ ପାଇଛନ୍ତି ।

ରାଜ୍ୟ ରାଜନୀତିରେ ଏହି ନୂଆ ଖେଳାଳୀଟି କିନ୍ତୁ ନିଜର ପ୍ରଦର୍ଶନକୁ ନେଇ ଅତି ଅସନ୍ତୁଷ୍ଟ ।

ଗତ ଦୁଇଟି ନିର୍ବାଚନରେ ଅକାଳୀ ଦଳ-ଭାଜପା ଗଠବନ୍ଧନକୁ ଯେଉଁମାନେ ଭୋଟ ଦେଇଥିଲେ ସେମାନଙ୍କ ଭିତରୁ ବଡ଼ ଭାଗଟିଏ କଂଗ୍ରେସକୁ ଭୋଟ ଦେବାପାଇଁ ପସନ୍ଦ କଲେ, କାହିଁକି ନା ଆପ୍ ଦଳର ‘ଉଗ୍ରବାଦୀ’ଙ୍କ ସହ ଘନିଷ୍ଠତା ଅଛି ବୋଲି ଅଭିଯୋଗ ଆସୁଥିଲା, ସେମାନେ ବେଶି ଦିଲ୍ଲୀକୈନ୍ଦ୍ରିକ ଥିଲେ ଏବଂ ଅଭିଜ୍ଞତାର ଅଭାବ ସେମାନଙ୍କ ପାଖରେ ଅଛି ବୋଲି ଏମାନେ ବିବେଚନା କଲେ ।

କୌତୁହଳର କଥାଟି ହେଲାଯେ ବିମୁଦ୍ରୀକରଣର ପ୍ରଭାବ ପଞ୍ଜାବରେ ପରିଲକ୍ଷିତ ହେଇ ନଥିଲା ଉତ୍ତରପ୍ରଦେଶରେ କିନ୍ତୁ ଯାହାକୁ ସ୍ୱଆମନ୍ତ୍ରିତ ବୋଝ ବୋଲି ଅଧିକାଂଶରେ ବିଚାର କରାଯାଉଥିଲା, ମୋଦୀ ତାକୁ ଏକ ରାଜନୈତିକ ସମ୍ପଦରେ ରୂପାନ୍ତରିତ କରିପାରିଥିଲେ ।

ଏହା କେମିତି ହୋଇପାରିଲା?

ଉତ୍ତରପ୍ରଦେଶର ଅନ୍ତିମ ଚରଣ ପାଇଁ ନିର୍ବାଚନ ଅଭିଯାନରେ ମୋଦୀ ଉଲ୍ଲେଖନୀୟ ଭାବେ କହି ଆସିଥିଲେ ଯେ, ଯଦିଓ ସେ ‘ଭୁଲ୍’ କରିପାରନ୍ତି, ତେବେ ତାଙ୍କର ‘ଉଦ୍ଦେଶ୍ୟ’କୁ କେହି ସନ୍ଦେହ କରିବା ଉଚିତ ହେବନାହିଁ ।

ବିମୁଦ୍ରାୟନ କଳାଧନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ଅବା ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହୃତ ଜାଲ୍ ଟଙ୍କାକୁ ମଧ୍ୟ ବନ୍ଦ କରାଇପାରିବନି । ମୁଦ୍ରା ଉପରେ ‘କମ୍ ନିର୍ଭରଶୀଳ’ ହେବା ପାଇଁ ମଧ୍ୟ ଭାରତକୁ ସମୟ ଲାଗିବ ।

ମୋଦୀ ଯେଉଁଠି ନିଜ ସମାଲୋଚକଙ୍କୁ ଦୃଢ଼ ମୁକାବିଲା କଲେ, ତାହା ହେଉଛି ତାଙ୍କର ଜନଗଣଙ୍କୁ ବାର୍ତ୍ତା ଦେବାର ଦକ୍ଷତା । ବିମୁଦ୍ରାୟନର ବିରୋଧୀମାନଙ୍କ ପାଇଁ ବାସ୍ତବତାକୁ ବୁଝିବାର ଏହା ଏକ କ୍ଷଣ ଥିଲା ।

ଦୁର୍ଜନଙ୍କ ନେତା ହିସାବରେ ପ୍ରଧାନମନ୍ତ୍ରୀଙ୍କ ଆଚରଣ ସର୍ବୋକ୍ରୃଷ୍ଟ ଥିଲା । ବିମୁଦ୍ରାୟନକୁ ସମାନତାର ପ୍ରତୀକ ହିସାବରେ ଦେଖାଗଲା ଯେଉଁଠି, ଗରିବ, ମଧ୍ୟବିତ ଶ୍ରେଣୀ ଓ ଧନୀକ ଶ୍ରେଣୀର କିଛି ଲୋକ ଗୋଟିଏ ଧାଡ଼ିରେ ବ୍ୟାଙ୍କ ଆଗରେ ଛିଡ଼ା ହେଉଥିଲେ ।

ବିମୁଦ୍ରାୟନର ଗଭୀର ସାଙ୍କେତିକ ରାଜନୀତିକୁ ଆମେ ବୁଝି ପାରିନଥିଲୁ ଯେଉଁମାନେ ଏହାର ଅର୍ଥନୈତିକ କୁପ୍ରଭାବଗୁଡ଼ିକ ଉପରେ ଆଲୋକପାତ କରୁଥିଲୁ । ଗରିବଲୋକଙ୍କ ପାଇଁ ଜୀବନଟା ସବୁବେଳେ କଠିନ ଥିଲା, ମୋଦୀ କିନ୍ତୁ ଏଭଳି ଏକ ବୁଝାମଣା ଦକ୍ଷତାର ସୃଷ୍ଟି କରିପାରିଲେ ଯେ, ଧନୀମାନଙ୍କ ଭିତରୁ କିଛି ସେମାନଙ୍କ ଭଳି ଅସୁବିଧା ଭୋଗିବେ ବା ସେମାନଙ୍କ ସହ ଅସୁବିଧାଗୁଡ଼ିକୁ ଏକାଠି ନିଭାଇବେ ।

ଏହି କଥା ଅର୍ଥନୀତି ଦୃଷ୍ଟିରୁ ଅପେକ୍ଷାକୃତ ପଛୁଆ ରାଜ୍ୟ ଉତ୍ତରପ୍ରଦେଶରେ ଭଲ କାମ ଦେଲା, ଯେଉଁଠି କୃଷି ଦୃଷ୍ଟିରୁ ଉନ୍ନତ ପଞ୍ଜାବ ତୁଳନାରେ ଆକାଂକ୍ଷା/ ଅଭିଳାଷଗୁଡ଼ିକର ଅଧିକ ପ୍ରଚାର କରାଯାଇଥାଏ ।

ଧନୀମାନଙ୍କ ଅପେକ୍ଷା ଗରିବମାନଙ୍କୁ ବିମୁଦ୍ରାୟନ ନିଶ୍ଚିତ ଭାବେ ଅଧିକ ଆଘାତ ପହଂଚାଇଛି । କିନ୍ତୁ ଏହାର ସମାଲୋଚକମାନେ (ଏହି ପତ୍ରିକା ପାଇଁ ଲେଖିଥିବା ଲୋକଙ୍କ ସମେତ) ସ୍ପଷ୍ଟଭାବେ ମୋଦୀଙ୍କ ‘ମୁକ୍ତିଦାତାର ଉତ୍ସାହ’କୁ ଗୌଣ କରିଦେଇଥିଲେ ।

ଏହି ଉତ୍ସାହ ଯୋଗୁ ବିମୁଦ୍ରାୟନ ଭଳି ଅଦ୍ଭୁତପୂର୍ବ ପଦକ୍ଷେପ ‘ଭଲ ଉଦ୍ଦେଶ୍ୟ’ରେ କରାଯାଇଛି ଏବଂ ତାହା ଅର୍ଥନୈତିକ ଦୃଷ୍ଟିରୁ ଅସୁବିଧାରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବ ବୋଲି ଗୋଟିଏ ବାର୍ତାକୁ ବିକ୍ରି କରାଯାଇପାରିଥିଲା ।

‘ପୁଞ୍ଜିବାଦୀ’ ମୋଦୀ ଏବଂ ‘ସମାଜବାଦୀ’ ଇନ୍ଦିରା ଗାନ୍ଧୀଙ୍କ ସ୍ୱେଚ୍ଛାଚାରୀ କାର୍ଯ୍ୟଧାରା ଭିତରେ ଥିବା ସାମଞ୍ଜସ୍ୟତାକୁ ନେଇ ବହୁତ କଥା କୁହାଯାଇଛି । କିନ୍ତୁ ସେମାନଙ୍କ ଭିତରେ ଗୁରୁତ୍ୱପୂର୍ଣ୍ଣ ଭିନ୍ନତା ରହିଆସିଛି ।

‘ଗରିବୀ ହଟାଅ’ ନାରାଟି ଏଭଳି ଜନପ୍ରିୟତାର ଏପରି ଏକ ସ୍ତରକୁ ନେଇଆସିଥିଲା ଯେ, କଂଗ୍ରେସର ଏହି ‘ଏକମାତ୍ର ପୁରୁଷ’ ଜଣକ ନିଜ ଦଳଟିକୁ ୨ଥର ବିଭାଜିତ କରିପାରିଲେ, ଦେଶର ଅଧିକାଂଶ ବ୍ୟାଙ୍କମାନଙ୍କର ଜାତୀୟକରଣ କରିପାରିଲେ ଏବଂ ପୂର୍ବତନ ରାଜା-ମହାରାଜାମାନଙ୍କୁ ଦିଆଯାଉଥିବା ଭତା ‘ପ୍ରିଭି ପର୍ସ୍’କୁ ସମ୍ପୂର୍ଣ୍ଣଭାବେ ବନ୍ଦ କରିଦେଇପାରିଲେ ।

ପ୍ରଧାନମନ୍ତ୍ରୀଙ୍କ ନୂତନ ଭାଷଣ କଳାରେ ଗରିବୀ ହଟେଇବାର ସ୍ଥାନ ନାହିଁ ବରଂ ରହିଛି ଅପେକ୍ଷାକୃତ ଏକ ଭଲ ଜୀବନ ପାଇଁ ସୁଯୋଗର ପ୍ରତିଶ୍ରୁତି ।
ଏବେ କିଛିଦିନ ହେବ, ଯେମିତି ଭାରତର ଜନସଂଖ୍ୟାର ଶତକଡ଼ା ୮୦ଭାଗ ଲୋକଙ୍କ ହିନ୍ଦୁ ଅସ୍ମିତା ସହ ଆର୍.ଏସ୍.ଏସ୍ ଏବଂ ଭା.ଜ.ପାର ଜାତୀୟତାବାଦ୍କୁ ଯୋଡ଼ି ଦିଆଯାଇଛି, ସେହିଭଳି ସଂଘ ପରିବାରର ହିନ୍ଦୁତ୍ୱ କାର୍ଯ୍ୟସୂଚୀରେ ‘ବିକାଶ’କୁ ମିଶାଇ ଦିଆଯାଇଛି ।

ଯେତେବେଳେ କି ମୋଦୀ କହୁଛନ୍ତି ସେ ଦରିଦ୍ରମାନଙ୍କୁ ଅନୁଗ୍ରହ ବିତରଣ କରିବା ସପକ୍ଷରେ ସେ ନାହାନ୍ତି ବରଂ ସେମାନଙ୍କୁ ନିଯୁକ୍ତି ଦେବେ, ସେ ପୂର୍ବ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା କିଛି କଲ୍ୟାଣକାରୀ ଯୋଜନାକୁ ଅଧିକ ଉନ୍ନତ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି (ଯେମିତିକି ରନ୍ଧନ ଗ୍ୟାସ ପାଇଁ ରିହାତି ଦେବାଠାରୁ ଆରମ୍ଭ କରି ଶୂନ୍ୟ ପଇସା ଥାଇ ବ୍ୟାଙ୍କଖାତା ଖୋଲିବା ଯାଏଁ) । ଭିନ୍ନତାଟି ପୁଣିଥରେ ଅଭିନବ ନାରାବାଜିରେ ହିଁ ପ୍ରତିଫଳିତ ହେଉଛି ।

ଆମ ଦେଶରେ ଏବଂ ଅନ୍ୟତ୍ର ମଧ୍ୟ ପୁଞ୍ଜିବାଦର ଢାଂଚାଗତ ଯୁକ୍ତିଟି ବିଷମତା ଓ ନିଯୁକ୍ତିବିହୀନ ଅଭିବୃଦ୍ଧିକୁ ଅଧିକ ଶାଣିତ କରୁଛି । ଯେହେତୁ ମୁଦ୍ରାସ୍ଫୀତିଜନିତ ଚାପ ବଢ଼ୁଛି ଏବଂ ଶ୍ରମକୁ ପୁଞ୍ଜି ଦ୍ୱାରା ହଟାଇ ଅଭିବୃଦ୍ଧି ବଢ଼ାଉଥିବା ଘରୋଇ କ୍ଷେତ୍ର ପାଇଁ ନିଯୁକ୍ତି ସୃଷ୍ଟି କରିବା ତୁଳନାତ୍ମକ ଭାବେ ଅଧିକ କଠିନ କାମ ହେଇଯାଉଛି, ଅଛେ ଦିନ ବା ଭଲ ଦିନ ଆଣିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ମୋଦୀଙ୍କ ପାଇଁ କଷ୍ଟକର ହେବ ।

ଯେହେତୁ ଅଧିକ ଲୋକ ଏକଥା ଅନୁଭବ କରୁଛନ୍ତି, ଲୋକମାନଙ୍କୁ ଭାଗ ଭାଗ କରିବାପାଇଁ ମୋଦୀ ତାଙ୍କ ପରିଚିତ ରେଖାଟିକୁ ପ୍ରୟୋଗ କରିବାକୁ ପଡ଼ିବ, ଯଥା-‘ତୁମେ ଆମ ସହ ଅଛ ନଚେତ ତୁମେ ଆମ ବିରୋଧରେ ଅଛ’ ।

ଭୟଭୀତ କରାଇ ମୁକ୍ତ ଅଭିବ୍ୟକ୍ତିକୁ ଚପାଇ ଦିଆଯିବ କେତେବେଳେ ଜାତୀୟତା ଆଉ କେତେବେଳେ ଦେଶ ବିରୋଧ ଶବ୍ଦର ପ୍ରୟୋଗ କରି । ଲୋକପ୍ରିୟତା ପାଇବା ପାଇଁ ସେ ୟୁନିଫର୍ମ ସିଭିଲ୍ କୋଡ଼ ଆଣିବା ପାଇଁ କହିପାରନ୍ତି (ମୁସଲମାନ ମହିଳାମାନଙ୍କୁ ତିନିଥର ‘ତଲାକ୍’ ନିର୍ଯାତନାରୁ ମୁକ୍ତ କରିବା ପାଇଁ) ଏବଂ ବିଧାନସଭାରେ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ ପାଇଁ ପଦକ୍ଷେପ ନେଇପାରନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟସଭାରେ ଭାଜପା ସଂଖ୍ୟା -ଗରିଷ୍ଠତା ହାସଲ କରିବା କଥାଟି ଦେଖାଯାଉଛି । ସମ୍ବିଧାନର ମୁଖବନ୍ଧଟିକୁ ସଂଶୋଧିତ କରି ସେଠୁ ଧର୍ମନିରପେକ୍ଷତା ଓ ସମାଜବାଦ ଶବ୍ଦଗୁଡ଼ିକୁ ହଟେଇ ଦେବାପାଇଁ ମଧ୍ୟ ଉଦ୍ୟମ ହୋଇପାରେ ।

ଭାଜପାର ସମର୍ଥକମାନେ ଉତ୍ତରପ୍ରଦେଶ ନିର୍ବାଚନରେ ଜାତିଭିତିକ ଅସ୍ମିତାର ପରାଜୟ ହୋଇଛି ବୋଲି ଏକ ବାଖ୍ୟାକରି ବିଜୟ ଉଲ୍ଲାସ ମନାଉଛନ୍ତି । ଏହା ଏକ ସରଳ ଭାବନା । ଅଧିକାଂଶ ଅଣଯାତବ ଦଳିତମାନେ ବହୁଜନ ସମାଜପାର୍ଟି (ବି.ଏସ୍.ପି.) ସହ ସାଥି ଦେଇନଥିଲେ ।

ଅନ୍ୟାନ୍ୟ ପଛୁଆଶ୍ରେଣୀର ଅଣଯାଦବ ଭୋଟରମାନେ ସମାଜବାଦୀ ପାର୍ଟିର ସରକାର ଯାଦବଙ୍କ ପକ୍ଷ ନେଉଥବା ମନେ କରୁଥିଲେ ।

ଯଦିଓ ଉଭୟ ବି.ଏସ୍.ପି. ଓ ସମାଜବାଦୀ ପାର୍ଟିର ପାରମ୍ପରିକ ଭୋଟଦାତାମାନେ ସେମାନଙ୍କୁ ଛାଡ଼ି ଚାଲିଯାଇନାହାଁନ୍ତି, ତେବେ କେଉଁ ଜାତିଗୁଡ଼ିକୁ ସେମାନେ ନିଜ ସହ ନେଇପାରିବେ ଏଭଳି ଏକ ସୁଚିନ୍ତିତ ରଣନୀତି ଭାଜପାର କାମରେ ଆସିପାରିଛି ।

ବି.ଏସ୍.ପି.ର ସର୍ବୋଚ୍ଚନେତ୍ରୀ ମାୟାବତୀଙ୍କର ନିକଟର ରାଜନୈତିକ ଭବିଷ୍ୟତ କ୍ଷୀଣ ଦେଖାଯାଉଛି । ନିଜ ରାଜ୍ୟସଭା ଆସନଟିକୁ ବଂଚାଇବା ପାଇଁ ମଧ୍ୟ ସେ ବିଫଳ ହେଇପାରନ୍ତି । ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ମଧ୍ୟ ନିଜ ପାଦ ତଳୁ ଖସିଯାଇଥିବା ମାଟିକୁ ସଜାଡ଼ିବା ପାଇଁ ଏବଂ ପାରିବାରିକ ଅନ୍ତଦ୍ୱନ୍ଦ ଯୋଗୁଁ ଘଟିଥିବା କ୍ଷତିର ଭରଣା ପାଇଁ ଅଧିକ ସମୟ ନେବେ ।

କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ପାଇଁ ଯେତେ କମ୍ କୁହାଯିବ ଭଲ । ଭାରତରେ ଏକ ପ୍ରଭାବଶାଳୀ ରାଜନୈତିକ ଦଳ ହିସାବରେ ସେମାନଙ୍କ ସ୍ଥାନ ଦଖଲ କରିଥିବା ଭାଜପା ଦ୍ୱାରା ସେମାନଙ୍କର ଦୟନୀୟ ପରାଜୟର କାରଣଗୁଡ଼ିକୁ ସ୍ୱୀକାର କରିବାପାଇଁ ସେ ଏଯାଏଁ ପ୍ରସ୍ତୁତ ନାହାନ୍ତି ।

ପଞ୍ଜାବରେ ଦଳର ବିଜୟକୁ ନେଇ ତାଙ୍କୁ କୌଣସି ଶ୍ରେୟ ଦିଆଯାଇପାରିବ ନାହିଁ । କଂଗ୍ରେସ ନିଜର ପୁର୍ନଃବିନ୍ୟାସ କରିପାରିବ କି, ଗାନ୍ଧୀ ନେହେରୁ ପରିବାରକୁ ସମାଲୋଚନାରୁ ସୁରକ୍ଷା ଦେଉଥିବା ଗୋଷ୍ଠିଟିକୁ ବାଦ ଦିଆଯାଇପାରିବ କି ଏବଂ ଶୂନରୁ ଗୋଟିଏ ତୃଣମୂଳ ସ୍ତରର ସଙ୍ଗଠନ ତିଆରି କରାଯାଇ ପାରିବ କି? ଏହା ହେଇପାରିବ, ସନ୍ଦେହ ଲାଗୁଛି ।

ଅଧିକ ଦ୍ରୁତଗତିରେ ବିଲୁପ୍ତ ହେଇଯିବା ବ୍ୟତୀତ, କଂଗ୍ରେସର ଆଉ ଅନ୍ୟକିଛି ବିକଳ୍ପ ନାହିଁ । କିନ୍ତୁ ଟିକିଏ ରହିଯାଆନ୍ତୁ । ଏକ କଂଗ୍ରେସମୁକ୍ତ ଭାରତ ସମ୍ପର୍କରେ ଅନେକ କଥା କହିବା ସତ୍ୱେ ନିଜର ମୁଖ୍ୟ ‘ପ୍ରତିପକ୍ଷ’ ହିସାବରେ କଂଗ୍ରେସ ଓ ରାହୁଳଙ୍କୁ ରଖିବା ପାଇଁ ଭାଜପା ଭୟଙ୍କର ଭାବେ ଚାହେଁ ।

ଭାଜପାର ରାଜନୈତିକ ବିରୋଧୀମାନେ ଏବେ ଯିବେ କୁଆଡ଼େ? ପଞ୍ଜାବରେ ଖରାପ ପ୍ରଦର୍ଶନ ଏବଂ ଗୋଆରେ ଗୋଟିଏ ବି ଆସନ ପାଇବାରେ ବିଫଳ ହେଇଥିବା ଆପ୍ ଦଳ ଭବିଷ୍ୟତଟି ଦିଲ୍ଲୀ ପୌର ନିର୍ବାଚନରେ କଠୋର ପରୀକ୍ଷାର ସମ୍ମୁଖୀନ ହେବ ।

ଏହି ନିର୍ବାଚନରେ ଭାଜପା କୌଣସି ପୁରୁଣା ପାରିଷଦଙ୍କୁ ଟିକେଟ ଦେଇନାହିଁ । ଆପ୍ର ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ନିଜ ସର୍ବଭାରତୀୟ ଆକାଂକ୍ଷାକୁ ନେଇ ଗଭୀରତାର ସହ ବିଚାର କରିବାକୁ ପଡ଼ିବ । ଯେଉଁମାନେ ତାଙ୍କୁ ଅହଙ୍କାରବାଦୀ କହି ଛାଡ଼ି ଯାଇଥିଲେ, ସେମାନଙ୍କ ସହ ସମ୍ପର୍କର ସେତୁ ବାନ୍ଧିବାକୁ ଯଦି ପଡ଼େ, ସେ ନିଷ୍ପତି ମଧ୍ୟ ତାଙ୍କୁ ନେବାକୁ ପଡ଼ିବ ।

ଏକଥା ନିଶ୍ଚିତ ଯେ ପଶ୍ଚିମବଙ୍ଗରେ ବାମମେଂଟଙ୍କୁ ପଛରେ ପକାଇ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଚାଲିଥିବା ତୃଣମୂଳ କଂଗ୍ରେସର ମୁଖ୍ୟ ବିରୋଧୀ ହେବାପାଇଁ ଭାଜପା କଠିନ ଉଦ୍ୟମ କରୁଛି । ଏହି ରାଜ୍ୟ ଘୃଣ୍ୟ ରାଜନୈତିକ ହିଂସାର ପରବର୍ତୀ ଯୁଦ୍ଧଭୂମି ପାଲଟିଯିବ, ହୁଏତ ଯାହା ସାମ୍ପ୍ରଦାୟିକ ରଙ୍ଗ ନେଇପାରେ ।

ଏକଥା ଭାବିବା ମଧ୍ୟ ଅତି ସରଳ ହେବ ଯେ, ଭାଜପାକୁ ବିରୋଧ କରୁଥିବା ସବୁ ରାଜନୈତିକ ଶକ୍ତିମାନେ ବିରୋଧୀ ଭଳି ଏକାଠି ହୋଇ ଗୋଟିଏ ମହା ମେଳି ବା ଗଠବନ୍ଧନ କରିବେ ।

ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି, ବାମପନ୍ଥୀ ଓ ତୃଣମୂଳ କଂଗ୍ରେସ, ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ୍ର ସବୁ ଗୋଷ୍ଠୀ ଓ ଡ୍ରାଭିଡ଼ ମୁନ୍ନେତ୍ରା କାଝାଗମ୍ ନିଜ ଭିତରେ ଭିନ୍ନତାକୁ ଭୁଲିଯାଇ ସମସ୍ତଙ୍କର ଥିବା ଗୋଟିଏ ଶତ୍ରୁ ବିରୁଦ୍ଧରେ ଏକାଠି ହେବେ – ଏକଥା ସହଜ ଲାଗୁନାହିଁ ।

ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଭାଜପା ବିରୋଧୀ ସମୂହର ସର୍ବସମ୍ମତ ନେତା ହିସାବରେ ବେଶ୍ ଭଲଭାବେ ବାହାରି ପାରନ୍ତି । ସେ ନିଶ୍ଚୟ ଭାଗ୍ୟକୁ ସାଧୁବାଦ ଦେଉଥିବେ ଯେ ବିମୁଦ୍ରାୟନକୁ ସମାଲୋଚନା କରିବା ପାଇଁ ସେ ସମୟ ନେଲେ, ତାହା ବି ମୂକ ଭଳି ।

ନିଜ ନିରାଶାକୁ ଅତିକ୍ରମ କରିବା ମୋଦୀବିରୋଧୀଙ୍କ ପାଇଁ ଏକ ବଡ଼ ଆହ୍ୱାନ । ଆସନ୍ତା ନିର୍ବାଚନରେ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ଭାଜପା ଭଲ ପ୍ରଦର୍ଶନ କରିବାର ପ୍ରତ୍ୟେକଟି ସମ୍ଭାବନା ଅଛି ।

ନିଜେ ଦେଇଥିବା ପ୍ରତିଶ୍ରୁତି ଯାହା ପୂରଣ ହେଇପାରୁନାହିଁ ସେଥିରୁ ଧ୍ୟାନ ହଟାଇବା ପାଇଁ ଯଦିଓ ମୋଦୀ ହିନ୍ଦୁତ୍ୱ ଓ ଭଲ ଦିନ ଆସିବା ଉପରେ ଅଧିକ ଗୁରୁତ୍ୱ ଦେବେ, ତେବେ ତାଙ୍କର ପ୍ରତିପକ୍ଷମାନେ ଏକାଠି ହେବାରେ ଯେଉଁ ଅସୁବିଧାର ସାମ୍ନା କରୁଛନ୍ତି ତାହା ମୋଦୀଙ୍କ ସପକ୍ଷରେ ଯିବ ।

March 18 ,2017 VOL L 11 NO 11 EPW -3 ( Unbearable Burden of Expectations)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ନିର୍ବାଚନ, ଭାଜପା, ସମ୍ବିଧାନ

ଗଢ଼ ବା ଭାଙ୍ଗ

February 22, 2017 by ଓଡିଶା ଡଟ କମ Leave a Comment

ଉତ୍ତରପ୍ରଦେଶ ନିର୍ବାଚନର ପରିଣାମ ଭାରତୀୟ ରାଜନୀତିର ରୂପରେଖ ନିର୍ଦ୍ଧାରଣ କରିବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଯେ ନିକଟ ଭବିଷ୍ୟତରେ ଭାରତୀୟ ରାଜନୀତିର ଗତିପଥ ଉପରେ ଏକ ନିର୍ଣ୍ଣାୟକ ପ୍ରଭାବ ପକାଇବ, ଏହାର ସତ୍ୟତା ସ୍ପଷ୍ଟ ହୋଇଗଲାଣି ।

ସର୍ବୋପରି ଏହି ରାଜ୍ୟରେ ଦେଶର ଛଟି ଲୋକଙ୍କ ଭିତରୁ ଜଣେ ବାସ କରନ୍ତି; ଯଦି ଏହା ଦେଶଟିଏ ହୋଇଥାନ୍ତା, ତେବେ ବିଶ୍ୱର ୫ମ ଜନବହୁଳ ଦେଶ ହିସାବରେ ପରିଗଣିତ ହୁଅନ୍ତା । କିନ୍ତୁ ଇତିହାସରେ ଏଭଳି କିଛି ମୁହୂର୍ତ ଆସିଥାଏ, ଯେତେବେଳେ ଏତେସବୁ ଗୁରୁତ୍ୱ ବହନ କରୁଥିବା ରାଜ୍ୟଟିର ମହତ୍ୱ ଅଧିକ ବଢ଼ିଯାଇଥାଏ ।

ବର୍ତମାନ ଚାଲିଥିବା ନିର୍ବାଚନଗୁଡ଼ିକର ସମୟକାଳ ଓ ପୃଷ୍ଠଭୂମିକୁ ନିରୀକ୍ଷଣ କଲେ ଆମେ ସେମିତି ଏକ ମୁହୂର୍ତରେ ପହଂଚି ଯାଇଛନ୍ତି ।

ନାଟକୀୟ ଭଙ୍ଗୀରେ ନଭେମ୍ବର ୮,୨୦୧୬ ଦିନ ପ୍ରଚଳିତ ମୁଦ୍ରାର ୮୬ ଭାଗ ଟଙ୍କାକୁ ଅଚଳ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ପ୍ରଥମ କରି ଏହି ସବୁ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ।

ଯେହେତୁ ନିର୍ବାଚନ ହେଉଥିବା ୫ଟି ରାଜ୍ୟ ଭିତରୁ ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ , ସେଠି ଯେଉଁ ରାୟ ମିଳିବ, ତାକୁ ବିମୁଦ୍ରୀକରଣ ଉପରେ କେତେକାଂଶରେ ଏକ ଜନମତ ହିସାବରେ ବିଚାର କରାଯିବ ।

ଉତ୍ତରପ୍ରଦେଶରେ ଯଦି ଭାଜପା ନିର୍ବାଚନ ଜିତିଯାଏ ବା ଅନ୍ତତଃ ସଂଖ୍ୟାଗରିଷ୍ଠ ଦଳ ହିସାବରେ ସାମ୍ନାକୁ ଆସେ, ତେବେ ଜନମତଟି ମୋଦୀଙ୍କ ସପକ୍ଷରେ ଯାଇଛି ବୋଲି କୁହାଯିବ । ଏକଥା ମଧ୍ୟ ନିଃସନ୍ଦେହ ବୋଲି କୁହାଯିବ ଯେ ଭାଜପାର ଗଢ଼ ବା ଭାଙ୍ଗ କେବଳ ସେ ହେଉଛନ୍ତି ସବୁଠାରୁ ବଡ଼ କରିସ୍ମାଥିବା ରାଜନେତା । ତାଙ୍କର ତୀକ୍ଷ୍ଣ ରାଜନୈତିକ ସ୍ୱଭାବ ରହିଛି ।

ମୋଦୀଙ୍କ ଭଳି ନହେଲେ ବି ଦଳର ସଭାପତି ତଥା ମୋଦୀଙ୍କ ପରମ ବିଶ୍ୱସ୍ତ ଅମିତ ଶାହାଙ୍କର ମଧ୍ୟ ଲାଭ ହେବ । ଏଭଳି ଏକ ଜନସମର୍ଥନ, କିଛିଟା ନିର୍ବିଘ୍ନରେ କହିହେବ ଯେ , ଅସହାୟ ଅବସ୍ଥାରେ ଥିବା ବିରୋଧୀ ଦଳମାନଙ୍କୁ ଅଧିକ ଅସହାୟ କରାଇବା ପାଇଁ ଏବଂ ସେମାନଙ୍କ ପ୍ରତି ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାପାଇଁ ପ୍ରଧାନମବୀ ମୋଦୀଙ୍କୁ ସହାୟକ ହେବ ।

ଅନ୍ୟପଟେ ଯଦି ଉତ୍ତରପ୍ରଦେଶରେ ଭାଜପା ଦ୍ୱିତୀୟ ବା ତୃତୀୟ ସ୍ଥାନରେ ରହେ, ମୋଦୀ ଓ ଶାହାଙ୍କ ଭାବମୂର୍ତିକୁ ଶକ୍ତ ଧକ୍କା ମିଳିବ । ୨୦୧୪ ଲୋକସଭା ନିର୍ବାଚନବେଳେ ୪୦୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତରୁ ୩୨୮ଟିରେ ଆଗୁଆ ଥିବା ଦଳଟି ଚଳିତ ବିଧାନସଭା ନିର୍ବାଚନରେ ଏଭଳି ଫଳାଫଳ ଆସିଲେ ନିମ୍ନଗାମୀ ହେଉଛି ବୋଲି ଧରି ନିଆଯିବ ।

ନିଜ ଦଳଭିତରେ ସମ୍ପ୍ରତି ନିରାଶା ଭିତରେ ଥିବା ମୋଦୀ ବିରୋଧୀମାନେ ବାହାରକୁ ଆସିଯିବେ, ଏବଂ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିବାର ବଳ ପାଇବେ ଯେ, ବେପରୁୱା ରାଜନୀତିକୁ ନିଜର କରି, ଜୁଆଖେଳ ଖେଳି ବିମୁଦ୍ରୀକରଣ ଭଳି ନିଷ୍ପତି ନେଉଥିବା ଗୋଟିଏ ଲୋକ ହାତରେ ନିଜ ଦଳର ଭବିଷ୍ୟତ କେତେ ସୁରକ୍ଷିତ ରହିବ । ଏମିତି ବି ହୋଇପାରେ ଯେ ଅଧିକାଂଶ ରୋଷ ମୋଦୀଙ୍କ ପ୍ରତିରୂପ ଅମିତ ଶାହାଙ୍କ ଆଡ଼କୁ ବାଟେଇ ଦିଆଯିବ ।

କିନ୍ତୁ ଉତ୍ତରପ୍ରଦେଶରେ ଯଦି ଭାଜପାର ପରାଜୟ ହୁଏ, ତେବେ ତାହା ଦଳର ଚାରିସୀମା ଭିତରେ ସୀମିତ ନରହି ବହୁ ସୁଦୂରପ୍ରସାରୀ ପ୍ରଭାବ ପକାଇବ ।

ସମାଜବାଦୀ ପାର୍ଟି-କଂଗ୍ରେସ ଗଠବନ୍ଧନ ହେଉ ବା ବହୁଜନସମାଜ ପାର୍ଟି ଯିଏ ବି ପ୍ରଥମ ସ୍ଥାନରେ ରହିବ ସେ ଯେ ଉତ୍ତରପ୍ରଦେଶ ରାଜନୀତିରେ ବଡ଼ ପ୍ରଭାବ ପକାଇବ କେବଳ ସେତିକି ନୁହେଁ, ବରଂ ସେ ଜାତୀୟସ୍ତରରେ ରାଜନୈତିକ ଅଭିଳାଷ ପୂରଣ କରିବାପାଇଁ ଏହି ବିଜୟକୁ ଆଦ୍ୟପର୍ବ ହିସାବରେ ବିଚାର କରିବ ।

ଅକ୍ଟୋବର ୨୦୧୫ରେ ବିହାର ବିଧାନସଭା ନିର୍ବାଚନରେ ବିଜୟ ପରେ ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ଭାଜପାକୁ ଚୁନୈତି ଦେବାପାଇଁ ବିରୋଧ ଦଳମାନଙ୍କର ସମ୍ଭାବ୍ୟ ଗଠବନ୍ଧନର ସର୍ବସ୧ତ ନେତା ହିସାବରେ ମୁଖ୍ୟମବୀ ନିତୀଶକୁମାରଙ୍କ ନାଁ ଆଗକୁ ଆସିଥିଲା । ଉତ୍ତରପ୍ରଦେଶରେ ଭାଜପାକୁ ପରାଜିତ କରିପାରିଲେ ଅଖିଲେଶ ଯାଦବ ବା ମାୟାବତୀଙ୍କୁ ଏହି ପଦପାଇଁ ଦାବୀଦାର ଭାବରେ ଉପସ୍ଥାପନ କରାଯାଇପାରିବ ।

ଯଦି ଏପରି ହୁଏ, ତେବେ ଯେଉଁ ଧାରଣା ରହି ଆସିଛି ଯେ କେବଳ ବିହାର ଭଳି ଗଠବନ୍ଧନ/ ସା୧ୁଖ୍ୟଟିଏ ହେଲେ ହିଁ ଭାଜପାର ବିକଳ୍ପ ନିର୍ମାଣ ସମ୍ଭବ ହେବ, ତାଙ୍କୁ ପ୍ରଶ୍ନବାଚୀ ଭିତରକୁ ନେଇ ଆସିବ ।

ସମାଜବାଦୀ ପାର୍ଟି ଯଦି ପ୍ରଥମ ସ୍ଥାନରେ ରହେ, ସେଥିରେ ଉତ୍ତରପ୍ରଦେଶ ରାଜନୀତି ରଂଗମଂଚରେ କେବଳ ମାତ୍ର ସହଯୋଗୀ କଳାକାରଙ୍କର ଭୂମିକା ନିଭାଉଥିବା କଂଗ୍ରେସ ସହ ସାମୁଖ୍ୟର ଅପେକ୍ଷାକୃତ ସୀମିତ ଭୂମିକା ରହିଛି ବୋଲି କୁହାଯିବ ।

ଅଖିଲେଶ ଯାଦବ ମଧ୍ୟ ଜଣେ ଚତୁର ରାଜନେତା ହିସାବରେ ସାମ୍ନାକୁ ଆସିବେ ଯେ କି ଦକ୍ଷତାର ସହ ବିଶ୍ୱାସଘାତୀ ପାରିବାରିକ ରାଜନୀତିକୁ ଅତିକ୍ରମ କରିପାରିଛନ୍ତି, କେବଳ ସେତିକି ନୁହେଁ ଉତ୍ତରପ୍ରଦେଶ ଜନସଂଖ୍ୟାର ଏକ ବିଶାଳଭାଗକୁ ନିଜ ସାଙ୍ଗରେ ମଧ୍ୟ କନେଇ ପାରିଛନ୍ତି । ଯୁବକ ଅଖିଲେଶ ବୟସ ଦୃଷ୍ଟିରୁ ଦୀର୍ଘ ସମୟ ଧରି ରାଜନୈତିକ ଘୋଡାଦୌଡ଼ରେ ରହିପାରିବେ ।

ସମାଜବାଦୀ ପାର୍ଟି ଭିତରେ ସ୍ଥିତିକୁ ବିପନ୍ନ କରିଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳରୁ ବାହାରି ଆସି ଅଖିଲେଶ ନିଜକୁ ଜଣେ ଦକ୍ଷ ରାଜନେତା ହିସାବରେ ଉପସ୍ଥାପିତ କରିପାରିଛନ୍ତି । ଯୁକ୍ତି କରାଯାଇପାରେ ଯେ ଏପ୍ରିଲ-ମେ ୨୦୧୪ରେ ହୋଇଥିବା ଲୋକସଭା ନିର୍ବାଚନବେଳେ ବ୍ୟକ୍ତିପ୍ରମୁଖ ରାଜନୀତିର ଆବିର୍ଭାବ ଘଟିଥିଲା ଯେଉଁଥିରେ ଦଳ ଅପେକ୍ଷା ଦଳକୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିମାନେ ବେଶୀ ପ୍ରମୁଖତା ପାଇବାର ଦେଖିବାକୁ ମିଳିଥିଲା ।

ପ୍ରାୟତଃ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ଢାଂଚାରେ ରାହୁଲ ଗାନ୍ଧୀ ଓ ନରେନ୍ଦ୍ରମୋଦୀଙ୍କ ଭିତରେ ହୋଇଥିବା ଏକ ପ୍ରତିଯୋଗିତାରେ ନରେନ୍ଦ୍ର ମୋଦୀଙ୍କ ପଲ୍ଳା ବେଶି ଭାରି ପ୍ରମାଣିତ ହୋଇଥିଲା ।

କିନ୍ତୁ ଛୁରୀଟି ଦୁଇପଟୁ କାଟିପାରେ । ଫେବୃଆରୀ୨୦୧୫ ନିର୍ବାଚନରେ ଅରବିନ୍ଦ କେଜ୍ରୀୱାଲ ଓ କିରଣ ବେଦୀଙ୍କ ଭିତରେ ହେଇଥିବା ପ୍ରତିଦ୍ୱନ୍ଦ୍ୱିତାରେ କେଜ୍ରୀୱାଲା ସବୁ ଆସନ ପୋଛି ନେଇଗଲେ । ଏଭଳି ଏକ ବିଜୟ ନିତୀଶକୁମାର ଅକ୍ଟୋବର ୨୦୧୫ ବିହାର ନିର୍ବାଚନ ବେଳେ ପାଇଥିଲେ ।

ଅଖିଲେଶ ଯାଦବ ବା ମାୟାବତୀଙ୍କ ବିପକ୍ଷରେ ଉତ୍ତରପ୍ରଦେଶର ମୁଖ୍ୟମବୀ ପ୍ରାର୍ଥୀ ହିସାବରେ ଭାଜପା କାହାକୁ ନବାଛିବା ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ । ବହୁଜନ ସମାଜ ପାର୍ଟି ଯଦି କିଛି ସ୧ାନଜନକ ଫଳାଫଳ ପାଏ, ତେବେ ତାହା ମାୟାବତୀଙ୍କ ନିଜସ୍ୱ ଶକ୍ତି ଯୋଗୁଁ ସମ୍ଭବ ହୋଇଛି ବୋଲି କୁହାଯିବ । କଥାଟି ସମାନଭାବେ ପ୍ରଯୁଜ୍ୟ ହେବ ଅଖିଲେଶଙ୍କ ପାଇଁ ।

୫ବର୍ଷ ମୁଖ୍ୟମବୀ ରହିବାପରେ ବି ସେ ସରକାରବିରୋଧୀ ମନୋଭାବର ମୁକାବିଲା କରି ପାରିଛନ୍ତି ବୋଲି ଧରି ନିଆଯିବ । ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଏକଥାକୁ ମଧ୍ୟ ସାମ୍ନାକୁ ଆଣିବ ଯେ ଭୋଟ ବ୍ୟାଙ୍କ ରାଜନୀତି ବା ଅସ୍ମିତାଭିତିକ ରାଜନୀତି ପୂର୍ବଭଳି ପ୍ରଭାବଶାଳୀ ରହିଛି କି ନାହିଁ ଏବଂ ମୁସଲମାନ, ଦଳିତ ଓ ଅନ୍ୟ ପଛୁଆଶ୍ରେଣୀର ଲୋକେ ଆଶା କରାଯାଇଥିବା ଧାରାରେ ଭୋଟ ଦେଇଛନ୍ତି କି ନାହିଁ ।

ଯଦି ପରାଜୟ ହୁଏ, ଉତ୍ତରପ୍ରଦେଶ ନିର୍ବାଚନରେ ୨୦୧୯ ଲୋକସଭା ପୂର୍ବରୁ ମୋଦୀ ଏବଂ ଶାହା ଆଗାମୀ ୨ବର୍ଷ ଭିତରେ କିଭଳି ନିଜର କାର୍ଯ୍ୟଶୈଳୀକୁ ଚଳାଇ ରଖୁଛନ୍ତି, ତାହା ମଧ୍ୟ ଦେଖିବାକୁ ମିଳିବ । ମୋଦୀ ଦେଖାଇ ସାରିଛନ୍ତି ସେ କେମିତି ଲୋକଙ୍କୁ ଚକିତ କରାଇବାରେ ଦକ୍ଷ, ସେହି ଦୃଷ୍ଟିରୁ ତାଙ୍କ ସମ୍ପର୍କରେ କିଛି ବି ପୂର୍ବାନୁମାନ କରିବା ବିପଦପୂର୍ଣ୍ଣ ।

ସେ ନିଜ ଦଳ ଏବଂ ବିରୋଧୀ ଦଳମାନଙ୍କ ଭିତରେ ଥିବା ତାଙ୍କର ବିରୋଧୀମାନଙ୍କ ପ୍ରତି କୋହଳ ମନୋଭାବ ଗ୍ରହଣ କରିବେ କି? ନା ସେ ଆକ୍ରମଣାତ୍ମକ ଆଭିମୁଖ୍ୟଟି ଜାରି ରଖିବେ ଓ ବିଭକ୍ତିକରଣ ରାଜନୀତିକୁ ଆପଣେଇବେ ।

ସେ ଯାହା ବି ହେଉ, ମାର୍ଚ୍ଚ ୧୧ ଦିନ ଭାରତୀୟ ରାଜନୀତିର ଗତିପଥ ବଦଳିଯିବ ।

 

FEBRUARY 18 ,2017 VOL L11 NO 7 EPW -7 ( Make or Break)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ନିର୍ବାଚନ, ରାଜନୀତି

ଅଶୋକ ମହାପାତ୍ର ହାଇକୋର୍ଟ ବାର ଏସୋସିଏସନ ସଭାପତି

May 17, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୭ (ଓଡିଶା ଡଟ କମ) ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ଓଡିଶା ହାଇକୋର୍ଟ ବାର ଏସୋସିଏସନର ନୂଆ ସଭାପତି ଭାବେ ଶନିବାର ନିର୍ବାଚିତ ହୋଇଛନ୍ତି ।

୨୫୧୩ ଜଣ ସଦସ୍ୟ ବିଶିଷ୍ଟ ଏହି ଏସୋସିଏସନର ସଭାପତି ପଦବୀ ପାଇଁ ମହାପାତ୍ରଙ୍କ ସମେତ ଜଗବନ୍ଧୁ ସାହୁ ଓ ଶ୍ରୀକାନ୍ତ କୁମାର ନାୟକ ମଧ୍ୟ ପ୍ରତିଦ୍ଵନ୍ଦୀତା କରୁଥିଲେ ।

ନିଜର ନିକଟତମ ପ୍ରତିଦ୍ଵନ୍ଦୀଙ୍କ ଠାରୁ ଛଅ ଖଣ୍ଡ ଅଧିକ ଭୋଟ ପାଇ ମହାପାତ୍ର ନିର୍ବାଚିତ ହୋଇଥିବା ଜଣେ ଆଇନଜୀବୀ ଓଡିଶା ଡଟ କମକୁ କହିଛନ୍ତି ।

ରାଜ୍ୟରେ ୧୫୨ ଟି ବାର ଏସୋସିଏସନ ରହିଥିବା ବେଳେ ହାଇକୋର୍ଟ ବାର ଏସୋସିଏସନ ଏକ ଗୁରୁତ୍ଵପୂର୍ଣ ବାର ଏସୋସିଏସନ ।

ସଂଘର ଉପସଭାପତି ଭାବେ ଲଲାଟେନ୍ଦୁ ସାମନ୍ତରାୟ, ସମ୍ପାଦକ ଭାବେ ବିଜୟ କୁମାର ରଗଡ, ଯୁଗ୍ମ ସମ୍ପାଦକ ଭାବେ କରୁଣାକର ଦାସ, ସହ ସଂପାଦକ ଭାବେ ରୂପେଶ କୁମାର କାନୁନଗୋ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

ପ୍ରତି ବର୍ଷ ହାଇକୋର୍ଟ ବାର ଏସୋସିଏସନର ନିର୍ବାଚନ ହୋଇଥାଏ । ସୂର୍ଯ୍ୟ ପ୍ରସାଦ ମିଶ୍ର ଗତ ବର୍ଷ ନିର୍ବାଚନରେ ଏହି ଏସୋସିଏସନର ସଭାପତି ନିର୍ବାଚିତ ହୋଇଥିଲେ ।

ସେ ବର୍ତ୍ତମାନ ରାଜ୍ୟର ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟ କରୁଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅଶୋକ କୁମାର ମହାପାତ୍ର, ନିର୍ବାଚନ, ହାଇକୋର୍ଟ ବାର ଏସୋସିଏସନ

ରଣପୁର ଏନଏସି ନିର୍ବାଚନରେ ବିଜେଡ଼ିର ବିପୁଳ ବିଜୟ

May 6, 2015 by News Bureau Leave a Comment

ଓଡିଶା ଡଟକମ ସଂବାଦ ଦାତା

ନୟାଗଡ, ମଇ ୬ (ଓଡିଶା ଡଟ କମ) ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ମଙ୍ଗଳବାର ହୋଇଥିବା ନିର୍ବାଚନରେ ସମୁଦାୟ ୧୫ ଟି ୱାର୍ଡରୁ ୧୩ଟି ହାସଲ କରି ଶାସକ ବିଜୁ ଜନତା ଦଳ ନିଜର ନିର୍ବାଚନ ଜୟଯାତ୍ରା ଅବ୍ୟାହତ ରଖିଛି ।

ବିରୋଧୀ କଂଗ୍ରେସ ଓ ସ୍ଵାଧୀନ ପାର୍ଟିର ପ୍ରାର୍ଥୀ ଗୋଟିଏ ଲେଖାଏଁ ୱାର୍ଡରେ ଜିତିଥିବା ବେଳେ ଭାରତୀୟ ଜନତା ପାର୍ଟି ନିଜର ଖାତା ଖୋଲି ପାରିନାହିଁ ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଏନଏସି, ନିର୍ବାଚନ, ବିଜେଡ଼ି, ରଣପୁର

ଉଡନ୍ତା ନେତା ଓ ବୁଡନ୍ତା ରାଜ୍ୟର କାହାଣୀ

April 16, 2015 by ନିଉଜ ଡେସ୍କ Leave a Comment

କେଦାର ମିଶ୍ର

ନବୀନ ନିବାସରୁ ରେଭେନସା କଲେଜ୍‍ର ଦୂରତା କେତେ ? ଜଣେ ସାଧାରଣ ଲୋକ ଆଖି ବୁଜି କହି ଦେଇପାରିବ ପାଖାପାଖି ୩୦ କିଲୋମିଟର ।

kedarଯେତେ ଭିଡ ଟ୍ରାଫିକ୍‍ ଥିଲେ ବି ସେଠି ପହଞ୍ଚିବାକୁ ଟ୍ୟାକ୍ସିରେ ୪୫ ମିନିଟ୍‍ ଲାଗିବ । ମୁଖ୍ୟମନ୍ତ୍ରୀ ଯଦି ନିଜ କାର୍କେଡ୍‍ରେ ଯାଆନ୍ତି ତାହେଲେ ୨୫ ମିନିଟ୍‍ରୁ ଅଧିକ ଲାଗିବ ନାହିଁ । ଏହି ଦୂରତାକୁ ଅତିକ୍ରମ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟାଏ ହେଲିକପ୍ଟରର ଆବଶ୍ୟକତା ପଡିଲା ।

ଗୋଟିଏ ଦରିଦ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ କଟକରୁ ଭୁବନେଶ୍ୱର ଯିବାକୁ ହେଲିକପ୍ଟର ବ୍ୟବହାର କରିବା ଏ ରାଜ୍ୟବାସୀଙ୍କ ପାଇଁ ଏକ ସୁନ୍ଦର ଉପହାସ ଛଡା ଆଉ କଣ ହେଇପାରେ ।

ମୁଖ୍ୟମନ୍ତ୍ରୀ ଅବଶ୍ୟ ବଡଲୋକ । ଏଠି ସାଧାରଣ ମୁନିସ୍‍ପାଲ୍‍ଟି ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦଳର କୁଜି ତାରକାମାନେ ହେଲିକପ୍ଟରରେ ଉଡି ଉଡି ପହଞ୍ଚନ୍ତି ।

କୌଣସି ଏକ ରାଜ୍ୟର (ଧନୀ ରାଜ୍ୟ ହେଲେ ମଧ୍ୟ) ରାଜନୀତି ପାଇଁ ଏହାଠୁ ବଳି କଳଙ୍କର କାହାଣୀ ଆଉ କିଛି ନଥାଏ । ସ୍ଥାନୀୟ ମୁନିସ୍‍ପାଲିଟି ନିର୍ବାଚନରେ ହେଲିକପ୍ଟରର ବ୍ୟବହାର କଥା କେବଳ ଅନୈତିକ ନୁହେଁ ଏହା ନିର୍ବାଚନ ରାଜନୀତିରେ ଏକ ଅପରାଧୀ ମାନସିକତାର ପରିଚାୟକ ।

ବିଜେଡି ଟିକେଟରେ ରାଜ୍ୟସଭା ସଂସଦ ହୋଇଥିବା ଓ ବିଧାୟକ ପଦରେ ଥିବା ଅନୁଭବ ମହାନ୍ତି ଏବଂ ଆକାଶ ଦାସନାୟକ ହେଲିକପ୍ଟର ଚଢ଼ି ରେଢ଼ାଖୋଲ, ବେଲ୍‍ପାହାଡ, ଧର୍ମଗଡ ଭଳି ଛୋଟିଆ ସହରରେ ନିର୍ବାଚନ ପ୍ରଚାର କରିବା ବିଜେଡିର ଅହଙ୍କାର ଓ କ୍ଷମତାର ଅନ୍ଧପଣକୁ ଦର୍ଶାଉଛି ।

ଗୋଟିଏ ପକ୍ଷରେ ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ଏକମାତ୍ର ନିର୍ବିକଳ୍ପ ନେତା ବୋଲି ବିଜେଡି କହୁଥିବା ବେଳେ ଅପରପକ୍ଷରେ ସବୁ ଛୋଟିଆ ନିର୍ବାଚନକୁ ଜିଣିବା ଲାଗି ବିଜେଡି ତରଫରୁ ସବୁପ୍ରକାର ସମ୍ବଳ ଓ କୌଶଳ ପ୍ରୟୋଗ କରାଯାଉଛି ।

ନିର୍ବାଚନ ରାଜନୀତିକୁ ଏକପ୍ରକାର ଶସ୍ତା ସିନେମାର ଚିତ୍ରନାଟ୍ୟ ଭାବରେ ବିଜେଡି ଗ୍ରହଣ କରିସାରିଛି । ଏଠି ଜିତିବା ହେଉଛି ଏକମାତ୍ର ଲକ୍ଷ୍ୟ – ସେ ଯେ କୌଣସି ଉପାୟ ବା କୌଶଳରେ ହେଉ ବରଂ ।

ବିଜେଡି ନେତାମାନେ ଗଣମାଧ୍ୟମରେ ଛାତି ଫୁଲାଇ କହନ୍ତି ନବୀନ ବାବୁଙ୍କ ଲୋକପ୍ରିୟତା ଏତେ ଅଧିକ ଯେ ତାଙ୍କ ନାଁରେ ଯାହାକୁ ଟିକେଟ୍‍ ଦେଲେ ମଧ୍ୟ ସେ ଜିତିବ ।

ତେବେ ପୌର ନିର୍ବାଚନ ଭଳି ଛୋଟିଆ ନିର୍ବାଚନରେ ଏତେ ବଡ ବଡ ତାରକାଙ୍କ ଆଡମ୍ବର ଦରକାର ପଡୁଛି କାହିଁକି ? ଗୋଟିଏ ସମୟରେ ଲୋକସଭା ଭଳି ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନରେ ପ୍ରଚାର କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମନା କରି ଦେଇଥିଲେ ।

ବିଜୁ ବାବୁଙ୍କ ନାଁରେ ପ୍ରତିଷ୍ଠିତ ଦଳ ଆଜି ପୌର ନିର୍ବାଚନ ଭଳି ସାଧାରଣ ଘଟଣାରେ ଚଳଚ୍ଚିତ୍ର ତାରକା, ହେଲିକପ୍ଟର ଓ ଅଯଥା ଆଡମ୍ବରର ପ୍ରୟୋଗ କରି ଚାଲିଛି ।

ଏଥିରୁ ନବୀନ ବାବୁଙ୍କ ଲୋକପ୍ରିୟତା ତୁଳନାରେ ବିଜେଡିର କ୍ଷମତା ଅହଙ୍କାର ଅଧିକ ବାରି ହୋଇପଡୁଛି । କ୍ଷମତାର ଶୀର୍ଷରେ ଥିବା ଭଳି ଏପ୍ରକାର ଅହଙ୍କାର ଆମ ରାଜନୀତିକୁ ଏକ ଭୟଙ୍କର ପରିସ୍ଥିତି ଆଡକୁ ଟାଣି ନେବ । ଉଡନ୍ତା ନେତାମାନଙ୍କର ଏହି ନିର୍ବାଚନୀ ବିଳାସ ସହିତ ମୁଖ୍ୟମନ୍ତ୍ରୀଙ୍କ ଆକାଶ ପ୍ରୀତି ସାଧାରଣ ଜନତାଙ୍କ ଠାରୁ ରାଜନୈତିକ ନେତାଙ୍କୁ ବହୁ ଦୂରକୁ ନେଇଯିବ ।

ଗୋଟିଏ ଦିଗରେ ନେତାମାନେ ଉଡାଜାହାଜ ଚଢ଼ି ବୁଲୁଥିବା ବେଳେ ଅନ୍ୟଦିଗରେ ଏ ରାଜ୍ୟର ଜନସାଧାରଣ ପାଞ୍ଚ ଟଙ୍କା ହାତରେ ଧରି ଭାତଡାଲ୍‍ମା ଖାଇବାକୁ ସରକାରୀ ଛତ୍ରରେ ଧାଡି ବାନ୍ଧି ଠିଆ ହୋଇଛନ୍ତି ।

୧୬ ବର୍ଷର ଶାସନ ଭିତରେ ବିଜେଡି ଓ ନବୀନ ପଟ୍ଟନାୟକ ଓଡିଶାକୁ ଏକ ଦରିଦ୍ରତମ ରାଜ୍ୟର ମର୍ଯ୍ୟାଦାବନ୍ତ ବିଭୂଷଣ ଦେଇଛନ୍ତି । ମୁଣ୍ଡପିଛା ଆୟ ଦୃଷ୍ଟିରୁ ଓଡିଶା ହେଉଛି ଦେଶର ସବୁଠୁ ତଳେ ରହିଥିବା ପାଞ୍ଚଟି ରାଜ୍ୟ ମଧ୍ୟରୁ ଅନ୍ୟତମ । ୨୦୧୩-୧୪ ମସିହାରେ ଜାତୀୟ ମୁଣ୍ଡ ପିଛା ଆୟ ୩୯,୯୦୪ ଟଙ୍କା ହୋଇଥିବା ବେଳେ ଓଡିଶାରେ ଏହା ମାତ୍ର ୨୫,୮୯୧ ଟଙ୍କା । ଓଡିଶା ତଳକୁ ଆସାମ, ଉତ୍ତରପ୍ରଦେଶ ଓ ବିହାର ରହିଛନ୍ତି ।

ଓଡିଶା ତୁଳନାରେ ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ, ମେଘାଳୟ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଢ଼େର୍‍ ଆଗରେ ରହିଛନ୍ତି । ଦିଲ୍ଲୀ, ପଣ୍ଡିଚେରୀ, ସିକିମ୍‍, ମହାରାଷ୍ଟ୍ର, ହରିୟାଣା, ତାମିଲ୍‍ନାଡୁ ଭଳି ରାଜ୍ୟ ସହ ଓଡିଶାର ତୁଳନା ମଧ୍ୟ କରାଯାଇପାରିବ ନାହିଁ । ଦିଲ୍ଲୀ ଭଳି ରାଜ୍ୟରେ ମୁଣ୍ଡ ପିଛାର ବାର୍ଷିକ ଆୟର ପରିମାଣ ୧୨,୭୬୬୭ଟଙ୍କା ।

ଅର୍ଥାତ ଓଡିଶା ତୁଳନାରେ ଦିଲ୍ଲୀର ମୁଣ୍ଡପିଛା ଆୟ ପାଖାପାଖି ଲକ୍ଷେ ଟଙ୍କା ଅଧିକ । ଏପରିକି ଉତ୍ତରପୂର୍ବ ରାଜ୍ୟ ସିକିମ୍‍ରେ ଏହା ୮୩,୫୨୭ ଟଙ୍କା । ଏହା ଆମର ଦାରିଦ୍ରର ଏକ ଛୋଟିଆ ସୂଚକାଙ୍କ ।

୨୦୧୪-୧୫ ବେଳକୁ ଆମର ମୁଣ୍ଡପିଛା ଆୟ ୨୮,୦୦୦ରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି । ଅର୍ଥାତ ଜାତୀୟହାର ସହ ସମକକ୍ଷ ହେବାକୁ ଓଡିଶାକୁ ଆହୁରି ଅନେକ ବର୍ଷ ଲାଗିବ ।

ସେଥିଲାଗି ଦରିଦ୍ର ରାଜ୍ୟର ଜନସାଧାରଣଙ୍କୁ ଟଙ୍କାଏରେ ଚାଉଳ କିଲେ ଓ ପାଞ୍ଚଟଙ୍କାରେ ଭାତ, ଡାଲ୍‍ମା ଯୋଜନା କରାଯାଇଛି । ସାରା ରାଜ୍ୟକୁ ଭିକାରୀମାନଙ୍କ ଏକ ପ୍ରଦେଶ ଭାବରେ ରାଜ୍ୟ ସରକାର ଗଢ଼ିବାକୁ ଚାହୁଁଛନ୍ତି ।

ରାଜ୍ୟବାସୀ ଭିକାରୀ ହୋଇ ରହିଲେ ସେମାନେ ହେଲିକପ୍ଟର ଦେଖିବାକୁ ଆସିବେ, ଆକାଶରୁ ଓହ୍ଲାଉଥିବା ଚଳଚ୍ଚିତ୍ର ତାରକାମାନଙ୍କର ଶସ୍ତା ସଂଳାପ ଶୁଣିବେ ଓ ପାଞ୍ଚଟଙ୍କାରେ ଭାତ ଡାଲ୍‍ମା ଖାଇ ଯାବତ୍‍ଜୀବନ ବିଜେଡିକୁ ଭୋଟ୍‍ ଦେଇ ଚାଲୁଥିବେ ।

ଏହାବୋଧେ ଓଡିଶା ପାଇଁ ବିଜୁ ଜନତା ଦଳର ଏକମାତ୍ର ସ୍ୱପ୍ନ । ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ହେଲିକପ୍ଟରର ବ୍ୟବହାର କଲେ ସେତେବେଳେ ତାଙ୍କୁ ଜାତୀୟ ଗଣମାଧ୍ୟମରେ ପ୍ରଚୁର ସମାଲୋଚନା କରାଯାଇଥିଲା ।

ତେବେ ଦିଲ୍ଲୀ ସହରର ଟ୍ରାଫିକ୍‍ ସମସ୍ୟା ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାବଳୟ ଦୃଷ୍ଟିରୁ ଏହା ଅତ୍ୟାବଶ୍ୟକ ଥିଲା ବୋଲି କୁହାଯାଇପାରେ । ତେବେ ଓଡିଶା ମୁଖ୍ୟମନ୍ତ୍ରୀ କଟକ କିମ୍ବା ଭୁବନେଶ୍ୱରରେ ସୁରକ୍ଷା ଦୃଷ୍ଟିରୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ।

ଅତିବେଶୀରେ ଯୁବକଂଗ୍ରେସ କର୍ମୀମାନେ କେଉଁଠି କେମିତି କଳା ପତାକା ଦେଖାଇପାରନ୍ତି ଅଥବା ଅଣ୍ଡା ଫୋପାଡି ପାରନ୍ତି । ଅଣ୍ଡା ଫୋପାଡିଲେ କାର୍‍ କାଚ ଭାଙ୍ଗିବ ନାହିଁ କି ସୁରକ୍ଷାକର୍ମୀମାନେ ଖୁବ୍‍ ଗୋଟାଏ ବଡ ଅସୁବିଧାରେ ପଡିବେ ନାହିଁ ।

ସାଧାରଣ ଅଣ୍ଡା ଓ କଳା ପତାକାକୁ ଡରି ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରେ ଭୁବନେଶ୍ୱରରୁ କଟକ ଯଦି ଯାଆନ୍ତି ତାହା ସାଧାରଣ ଲୋକଙ୍କ ପାଇଁ କେତେବଡ ଉପହାସ ତାହା ଚିନ୍ତାର ବିଷୟ ।

ବିଜେଡି ସମର୍ଥକ ଓ ନେତାମାନେ କହିବେ ଏତେବଡ ମୁଖ୍ୟମନ୍ତ୍ରୀ ସେ ହେଲିକପ୍ଟର ଚଢ଼ିଲେ ଅସୁବିଧା କଣ ? ଏହି ହେଲିକପ୍ଟର ପାଇଁ ସରକାର କେତେ ଖର୍ଚ୍ଚ କରନ୍ତି ତାହା ଜନସାଧାରଣ ଜାଣନ୍ତି କି ?

ଘଣ୍ଟା ପିଛା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ହେଲିକପ୍ଟର ଭଡା ରାଜ୍ୟ ତହବିଲ୍‍ରୁ ଯାଇଥାଏ । ଯେଉଁ ଚଳଚ୍ଚିତ୍ର ତାରକାମାନେ ଉଡାଜାହାଜରେ ଉଡି ଭୋଟ୍‍ ପ୍ରଚାର କରୁଛନ୍ତି ସେମାନଙ୍କ ବ୍ୟକ୍ତିଗତ ଆୟବ୍ୟୟର ହିସାବ ଲୋକେ ଜାଣିବା ଉଚିତ୍‍ ।

ଓଡିଆ ସିନେମାର ଅର୍ଥନୀତି ଯାହା ସେଥିରେ ଅନୁଭବ ମହାନ୍ତି ବା ଆକାଶ ଦାସନାୟକ ନିଜ ଆୟରୁ ସାଣ୍ଟ୍ରୋ କାର୍‍ରେ ତେଲ ପକାଇବା ଖର୍ଚ୍ଚ ଉଠିବ ନାହିଁ । ସେମାନେ ବିଜେଡି ପଇସାରେ ଆକାଶରେ ଉଡିବା ଆମ ପାଇଁ ବିଡମ୍ବନା ଛଡା ଆଉ କଣ ହୋଇପାରେ ।

ତେବେ ଏକଥା ଲେଖିଲା ବେଳେ ଆମେ ଆହୁରି ସଚେତନ ଯେ ସଦ୍ୟପ୍ରକାଶ ପାଇଥିବା ପୌର ନିର୍ବାଚନ ଫଳାଫଳରେ ବିଜେଡି ୮୦ ପ୍ରତିଶତରୁ ଅଧିକ ସ୍ଥାନରେ ବିଜୟୀ ହୋଇଛି ।

୮ଟି ଯାକ ପୌର ପରିଷଦ ବିଜେଡି ଦଖଲକୁ ଯାଇଛି । ତେଣୁ ଭୋଟ୍‍ ରାଜନୀତିରେ ବିଜେଡିକୁ ମାତ୍‍ ଦେଲା ଭଳି ଶକ୍ତି ଓଡିଶାରେ ନାହିଁ ବୋଲି କହିବାରେ ଅସୁବିଧା ନାହିଁ ।

ତେବେ ଏତେ ପରିମାଣର ଅର୍ଥ, କ୍ଷମତା ଓ ଅହଙ୍କାର ସହ ଯୁଦ୍ଧ କଲା ଭଳି ଶକ୍ତି ବିରୋଧୀଙ୍କ ପାଖରେ ଆସିବ କୁଆଡୁ ? କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ପରାସ୍ତ ହେଲା ପରେ ନୈତିକ ଦୃଷ୍ଟିରୁ ଏକପ୍ରକାର ଶକ୍ତିହୀନ ହୋଇବସିଛି ।

ଲୋକଙ୍କ ପାଇଁ ବିରୋଧୀ ପକ୍ଷରେ ରହି ସଂଘର୍ଷ କରିବାର ଅନୁଭବ କଂଗ୍ରେସ ପାଖରେ ନାହିଁ । ଓଡିଶାରେ ଗତ ୧୬ ବର୍ଷ ଧରି ସବୁ ନିର୍ବାଚନରେ ପରାଜୟ ବରଣ କରି କଂଗ୍ରେସ ଏକପ୍ରକାର ଦେବାଳିଆ ହୋଇ ସାରିଛି ।

ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲାବେଳେ ଏହି ଦଳର ସ୍ୱରରେ ଶକ୍ତି ନାହିଁ ବା ପ୍ରଭାବ ମଧ୍ୟ ନାହିଁ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ସରକାର ଗଠନ କରିଥିଲେ ମଧ୍ୟ ଓଡିଶାରେ ଏହି ଦଳ ବିଜେଡିର ବି ଟିମ୍‍ ଭାବରେ କାମ କରିବାକୁ ଏକପ୍ରକାର ଲାଳାୟିତ ଅବସ୍ଥାରେ ରହିଛି ।

ଗୋଟିଏ ପରେ ଗୋଟିଏ କେନ୍ଦ୍ରମନ୍ତ୍ରୀ ଓଡିଶା ଆସି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଯାଉଥିବାରୁ ଓଡିଶା ବିଜେପି ନେତାଙ୍କ ମୁହଁ ଶୁଖି ଯାଇଛି ।

କେନ୍ଦ୍ରରେ ମନ୍ତ୍ରୀ ଥିବା ଓଡିଶାର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ନବୀନଙ୍କ ପ୍ରତି ଏତେ ଅଧିକ ଅନୁଗତ ଯେ ରାଜ୍ୟ ବିଜେପିର ନବୀନ ବିରୋଧୀ ସ୍ୱର ତାଙ୍କ ଆନୁଗତ୍ୟ ଆଗରେ ଫିକା ପଡିଯାଉଛି ।

ଏହି ପରିସ୍ଥିତି ଓ ପୃଷ୍ଠଭୂମିରେ ବିଜେଡିର ଆକାଶଚାରୀ ଅହଙ୍କାର ଥମିବାର କୌଣସି ସମ୍ଭାବନା ନାହିଁ । ଦିନ ଆସିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ସିଧାସଳଖ ହେଲିକପ୍ଟର ଚଢ଼ି ସଚ୍ଚିବାଳୟରେ ଓହ୍ଲାଇବେ ଓ ସେଇ ଆକାଶମାର୍ଗରେ ଫେରିଯିବେ ।

ଆମେ ଭକୁଆ ଓଡିଆମାନେ ହାଁ କରି ଆକାଶକୁ ଅନାଇଥିବା ଓ ଆଗାମୀ ନିର୍ବାଚନରେ ପୁଣି ଥରେ ତାଙ୍କୁ ଭୋଟ୍‍ ଦେଇ ନିଜକୁ ଭାଗ୍ୟବାନ ମନେ କରିବା ।

କେଦାର ମିଶ୍ର
ଫୋନ୍‍ : ୯୪୩୭୧୫୪୪୪୫

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ନିର୍ବାଚନ, ମୁଖ୍ୟମନ୍ତ୍ରୀ, ମୁନିସ୍‍ପାଲ୍‍ଟି, ରେଭେନସା କଲେଜ୍‍

ଅପ୍ରତିଦ୍ୱନ୍ଦ୍ୱୀ ନବୀନଙ୍କ ନିର୍ବାଚନ ଜୟଯାତ୍ରା (ତୃତୀୟ ନୟନ)

April 9, 2015 by ନିଉଜ ଡେସ୍କ Leave a Comment

ତୃତୀୟ ନୟନ

ଦୀର୍ଘ ୧୫ ବର୍ଷ ହେଲା ରାଜ୍ୟରେ କ୍ଷମତା ଉପଭୋଗ କରି ଆସୁଥିବା ଏବଂ କ୍ରମାଗତ ଭାବେ ନିର୍ବାଚନରେ ବିଜୟ ହାସଲ କରି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ବିରୋଧରେ ଯେତେ ଯାହା ଅଭିଯୋଗ ଆସିଲେ ବି ତାଙ୍କ ପ୍ରତି ରହିଛି ଏବଂ ବିଜେଡି ବିରୋଧରେ ଯେତେ ଯାହା ଅଭିଯୋଗ ଆସିଲେ ବି ଲୋକଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ଏବଂ ନବୀନ ପଟ୍ଟନାୟକ ରାଜ୍ୟର ସର୍ବାଧିକ ଲୋକପ୍ରିୟ ନେତା ବୋଲି ପ୍ରମାଣିତ ହୋଇଛି ।

Prasanta Closeupସଦ୍ୟସମାପ୍ତ ପୌର ନିର୍ବାଚନରେ ଏହା ସାବ୍ୟସ୍ତ ହୋଇଛି । ୮ଟି ପୌର ସଂସ୍ଥା ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜେଡି କ୍ଲିନ୍‍ସୁଇପ୍‍ କରିଛି । ସମସ୍ତ ୮ଟି ଯାକ ପୌରସଂସ୍ଥାରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବେଳେ ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଶୋଚନୀୟ ଭାବରେ ପରାସ୍ତ ହୋଇଛନ୍ତି ।

କଂଗ୍ରେସ ୩ଟିରେ ଖାତା ଖୋଲି ପାରିନଥିବା ବେଳେ ବିଜେପି ମଧ୍ୟ ଗୋଟିକରେ ଖାତା ଖୋଲିନାହିଁ । ମୋଟ୍‍ ୧୨୯ଟି ୱାର୍ଡ ମଧ୍ୟରୁ ବିଜେଡି ୧୦୩ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୧୨ଟି ଓ କଂଗ୍ରେସ ୧୧ଟି ୱାର୍ଡରେ ବିଜୟୀ ହୋଇଛି ।

ଫଳରେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ପୁଣି ଥରେ ନିଜକୁ ପ୍ରମାଣିତ କରିଥିବା ବେଳେ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସର ପୁନ୍‍ର୍‍ଉତ୍ଥାନ ହେବ ବୋଲି ଯାହା ଆଶା କରାଯାଉଥିଲା ତାହା ଭୁଲ୍‍ ପ୍ରମାଣିତ ହୋଇଛି । ଅନ୍ୟ ବିରୋଧୀ ଦଳଗୁଡିକ ରାଜ୍ୟ ରାଜନୀତିକରେ ମୂଲ୍ୟହୀନ ସାବ୍ୟସ୍ତ ହୋଇଛନ୍ତି ।

ଏପ୍ରିଲ୍‍ ୮ ସକାଳ ୮ଟାରୁ ୮ଟି ପୌରସଂସ୍ଥାରେ ଭୋଟ୍‍ଗଣତି ଆରମ୍ଭ ହୋଇଥିଲା ଏବଂ ଅପରାହ୍ନ ୨ଟା ସୁଦ୍ଧା ସମସ୍ତ ଆସନର ଫଳାଫଳ ପ୍ରକାଶ ପାଇଥିଲା । ଘୋଷିତ ଫଳାଫଳ ଅନୁଯାୟୀ ପାରାଦ୍ୱୀପର ୧୯ଟି ୱାର୍ଡ ମଧ୍ୟରୁ ବିଜେଡି ୧୬ ଟି ହାତେଇ ଥିବା ବେଳେ କଂଗ୍ରେସକୁ ୨ଟି ଓ ବିଜେପିକୁ ମିଳିଛି ଗୋଟିଏ ଆସନ ।

ବେଲପାହାଡର ମଧ୍ୟ ୧୯ଟି ଆସନ ମଧ୍ୟରୁ ବିଜେଡିକୁ ୧୬ଟିରେ ସଫଳତା ମିଳିଥିବା ବେଳେ ବିଜେପିକୁ ୨ଟି ଓ କଂଗ୍ରେସକୁ ଗୋଟିଏ ୱାର୍ଡରେ ସଫଳତ ମିଳିଛି । ସୁନାବେଡାର ୨୫ଟି ୱାର୍ଡ ମଧ୍ୟରେ ବିଜେଡି ୧୮ଟିକୁ ହାତେଇଥିବାରେ ସମର୍ଥ ହୋଇଥିବା ବେଳେ କଂଗ୍ରେସ ୫ଟି ଓ ବିଜେପି ୨ଟିରେ ସନ୍ତୁଷ୍ଟ ହୋଇଛି ।

ଧର୍ମଗଡରେ ୧୪ଟି ୱାର୍ଡ ମଧ୍ୟରୁ ବିଜେଡି ୧୩ଟି ଜିତିଥିବା ବେଳେ କଂଗ୍ରେସକୁ ଗୋଟିକରେ ସନ୍ତୁଷ୍ଟ ହେବାକୁ ପଡିଛି । ଏଠାରେ ବିଜେପି ଖାତା ଖୋଲିପାରିନାହିଁ । ବାଲିମେଳାରେ ବିଜେଡି ୧୩ଟି, ବିଜେପି ୧ଟି ଓ ସ୍ୱାଧୀନ ପ୍ରାର୍ଥୀ ୨ଟିରେ ବିଜୟୀ ହୋଇଛନ୍ତି ।

କଂଗ୍ରେସର ସ୍ଥିତି ଦୋହଲି ଯାଇଛି । ତୁଷରାରେ ବିଜେଡି ୮, ବିଜେପି ୨ ଓ ଅନ୍ୟପ୍ରାର୍ଥୀ ଗୋଟିଏ ଆସନରେ ଜିତିଥିବାବେଳେ ରେଢ଼ାଖୋଲରେ ବିଜେଡି ୧୨ଟି ୱାର୍ଡ ଜିତିଥିବା ବେଳେ ବିଜେପି ଭାଗରେ ପଡିଛି ମାତ୍ର ୧ ।

ଫଳରେ ଏହି ସମସ୍ତ ପୌରସଂସ୍ଥାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ବିଜେଡି ହାତେଇବା ସୁନିଶ୍ଚିତ ହୋଇଯାଇଛି । କୌଣସି ସ୍ଥାନରେ ବିଜେଡିକୁ ଅନ୍ୟ କାହାରି ସମର୍ଥନର ଆବଶ୍ୟକତା ପଡିବ ନାହିଁ ।

ବିଜେଡିର ଏହି ବିପୁଳ ବିଜୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହ ସମ୍ପୃକ୍ତ ପୌରାଞ୍ଚଳବାସୀଙ୍କୁ କୃତଜ୍ଞତା ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏହି ବିଜୟର ଶ୍ରେୟ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଏହି ବିଜୟ ଫଳରେ ନବୀନଙ୍କ ଉପରେ ଲୋକଙ୍କ ଆସ୍ଥା ଅତୁଟ ରହିଥିବା କଥା ପ୍ରମାଣିତ ହୋଇଛି ।

ଅନ୍ୟପକ୍ଷରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୌର ନିର୍ବାଚନ ଫଳାଫଳ ଆଶନୁରୂପ ହୋଇନାହିଁ । କେଉଁଠି ତ୍ରୁଟି ରହିଲା ସେ ସମ୍ପର୍କରେ ସମୀକ୍ଷା କରି ସଂଶୋଧନ କରାଯିବ । ଲୋକଙ୍କ ରାୟକୁ ଦଳ ବିନମ୍ରତାର ସହ ଗ୍ରହଣ କରୁଛି ବୋଲି ସେ କହିଛନ୍ତି ।

ତେବେ ଶାସକ ଦଳ ଅର୍ଥ ଓ ବାହୁ ବଳ ତଥା ଶାସନ କଳର ଦୂରୁପଯୋଗ କରି ଜିତିଥିବା ସେ କହିଛନ୍ତି । ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ପରାଜୟର ସମୀକ୍ଷା କରାଯିବ ବୋଲି କହିବା ସହ ଶାସକ ଦଳ ଅର୍ଥ ଓ କ୍ଷମତାର ଅପପ୍ରୟୋଗ କରି ଜିତିଥିବା ଅଭିଯୋଗ କରିଛନ୍ତି ।

ଇତିମଧ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଠାରୁ ଆରମ୍ଭ କରି ରାଜ୍ୟରେ ଯେତେଗୁଡିଏ ନିର୍ବାଚନ ହୋଇଯାଇଛି ପ୍ରତିଟିରେ ବିଜେଡି ଦଳ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି ।

ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ନିଜ ଦଳର ଅପାରଗତା, ଦୁର୍ବଳ ନେତୃତ୍ୱ ଓ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଇଥିବା କଥାକୁ ସ୍ୱୀକାର କରି ଆତ୍ମସମୀକ୍ଷା କରିବା ଏବଂ ନିଜର ତ୍ରୁଟି ବିଚ୍ୟୁତିକୁ ସଂଶୋଧନ କରିବା ପରିବର୍ତ୍ତେ ବିଜୁ ଜନତା ଦଳ ବିରୁଦ୍ଧରେ ଅଭିଯୋଗ କରି ସନ୍ତୁଷ୍ଟ ରହୁଥିବାରୁ ସେମାନେ ଯେ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ଏଥିରେ ସନ୍ଦେହ ନାହିଁ ।

ସର୍ବୋଚ୍ଚ ନ୍ୟାୟାଳୟର ସୁରକ୍ଷା

ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିରୋଧୀ ଦଳ ତରଫରୁ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦୁର୍ନୀତି ଓ ମହାଦୁର୍ନୀତିର ଅଭିଯୋଗମାନ କରାଯାଇ ଆସିଥିଲେ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପ୍ରମାଣିତ ହୋଇନଥିବାରୁ ତାଙ୍କର ଶୁଭ୍ରପୋଷାକରେ କଳା ଦାଗ ଛିଟାଟିଏ ସୁଦ୍ଧା ଲାଗିନାହିଁ ।

ରାଜ୍ୟରେ ହୋଇଥିବା ଖଣି ମହାଦୁର୍ନୀତି ସମ୍ପର୍କରେ ଓଡିଶା ହାଇକୋର୍ଟରେ ୨୦୦୯ ମସିହାରେ ଆଗତ ହୋଇଥିବା ଏକାଧିକ ଜନସ୍ୱାର୍ଥ ମାମଲାରେ ସିବିଆଇ ଦ୍ୱାରା ଖଣି ମହାଦୁର୍ନୀତିର ତଦନ୍ତ ପାଇଁ ଦାବି କରାଯାଇଥିଲା ।

ଓଡିଶା ଉଚ୍ଚ ନ୍ୟାୟାଳୟର ତଦନାନ୍ତୀନ ମୁଖ୍ୟ ବିଚାରପତି ଜଷ୍ଟିସ୍‍.ଭି ଗୋପାଳଗୌଡ ଏବଂ ବିଚାରପତି ବି.ଏମ୍‍ ମହାପାତ୍ରଙ୍କ ଖଣ୍ଡପୀଠରେ ଏହାର ପୂର୍ଣ୍ଣାଙ୍ଗ ଶୁଣାଣି ହେବା ପରେ ୧୮ ଏପି୍ରଲ୍‍ ୨୦୧୧ରେ ଏହି ମକଦ୍ଧମାର ରାୟ ସଂରକ୍ଷିତ ରହିଲା ବୋଲି ଘୋଷଣା କରାଯାଇଥିଲା ।

ଇତିମଧ୍ୟରେ ବିଚାରପତି ଶ୍ରୀ ଗୋପାଳଗୌଡ ସୁପ୍ରିମକୋର୍ଟରୁ ବଦଳି ହୋଇଯାଇଛନ୍ତି ଏବଂ ଜଷ୍ଟିସ୍‍ ଶ୍ରୀ ମହାପାତ୍ର ଗତ ମାର୍ଚ୍ଚ ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି । ବିଗତ ୪ ବର୍ଷ ଧରି ଏହି ଗୁରୁତ୍ୱପୂର୍ଣ୍ଣ ମକଦ୍ଧମା ସମ୍ପର୍କରେ ରାୟ ଅଧ୍ୟାବଧି ପ୍ରକାଶିତ ହୋଇନାହିଁ ।

ଓଡିଶାରେ ତଳବିରା – ୨ କୋଇଲା ଖଣି ଆବଣ୍ଟନ ନେଇ ସିବିଆଇ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପକ୍ଷଭୁକ୍ତ କରିବା ନିମନ୍ତେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଛି । ସୁପ୍ରିମକୋର୍ଟ ଆବେଦନ ବା ପିଟିସନ୍‍କୁ ଖାରଜ କରି ଆବେଦନକାରୀଙ୍କ ଉପରେ ଲକ୍ଷେ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି ।

ଜଷ୍ଟିସ୍‍.ଭି ଗୋପାଳଗୌଡ ଓ ଜଷ୍ଟିସ୍‍ ସି.ନାଗାପ୍ପାନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । ଏଭଳି ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇବା ସହିତ ଖଣ୍ଡପୀଠ ଆବେଦନକାରୀଙ୍କୁ ସତର୍କ କରିଛନ୍ତି । ବିଚାରପତି ଦ୍ୱୟ ଭବିଷ୍ୟତରେ ଏଭଳି ଅଯୌକ୍ତିକ ବିଷୟ ଆଣି ବିଚାରାଳୟର ସମୟ ଅପଚୟ କରାନଯିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏଭଳି ଆବେଦନ କରାଯାଇଥିଲା । ସ୍ୱତନ୍ତ୍ର ଲିଭ୍‍ ପିଟିସନ୍‍ (ଏସ୍‍ଏଲ୍‍ପି) ଜରିଆରେ ଏହି ଆବେଦନ ହୋଇଥିଲା । ଶ୍ରୀ ସାହୁଙ୍କ ପକ୍ଷରୁ ଆଇନ୍‍ଜୀବୀ ସୁରେଶ ତ୍ରିପାଠୀ ମାମଲାର ପରିଚାଳନା କରୁଥିଲେ ।

ତଳବିରା – ୨ କୋଇଲା ଖଣି ଆବଣ୍ଟନ ମାମଲାରେ ୬ ଜଣଙ୍କୁ ସିବିଆଇ ସମନ ଜାରି କରିଥିବାରୁ ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯିବା ନେଇ ଆବେଦନକାରୀ ତାଙ୍କର ପିଟିସନ୍‍ ରଖିଥିଲେ ।

ସୁପ୍ରିମକୋର୍ଟର ଏହି ଖଣ୍ଡପୀଠ ପିଟିସନ୍‍ର ବୈଧତା ନେଇ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ ରାୟ ଦେଇଥିଲେ । ଶ୍ରୀ ସାହୁଙ୍କ ପକ୍ଷରୁ ଆଇନ୍‍ଜୀବୀ ସୁରେଶ ତ୍ରିପାଠୀ ଏହାର ସପକ୍ଷରେ ଯୁକ୍ତି କରିବା ପାଇଁ ଛିଡା ହେବା ମାତ୍ରେ ମାନ୍ୟବର ବିଚାରପତି ଶ୍ରୀ ଗୌଡ ଏହି ଆବେଦନ ଗ୍ରହଣଯୋଗ୍ୟ ନୁହଁ ଏବଂ ଭବିଷ୍ୟତରେ ଏଭଳି ଅଯୌକ୍ତିତ ବିଷୟ ଆଣି ମାନ୍ୟବର ବିଚାରାଳୟର ସମୟ ଅପଚୟ ନକରିବା ପାଇଁ ଚେତାବନୀ ଦେଇଥିଲେ ।

ତଳବିରା କୋଲ୍‍ ଆବଣ୍ଟନ ମାମଲାରେ ପୂର୍ବରୁ ସିବିଆଇ କୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୋଷମୁକ୍ତ କରିବା ସହ ଏହି ମାମଲାରେ ସେ କୌଣସି ପ୍ରକାରେ ସମ୍ପୃକ୍ତ ନଥିବା ଦର୍ଶାଇଥିଲେ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ହିଣ୍ଡାଲ୍‍କୋ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ପୂର୍ବତନ କୋଇଲା ସଚିବ ପି.ସି ପାରଖ ପ୍ରମୁଖଙ୍କୁ ମିଶାଇ ୬ ଜଣଙ୍କୁ ସିବିଆଇ ସମନ କରିଥିଲା ।
ସୁପ୍ରିମକୋର୍ଟ ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସିବିଆଇର ସମନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଏବେ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରିବା ନେଇ ହୋଇଥିବା ଆବେଦନ ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହୋଇଯିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ମାମଲାରେ ପୂର୍ଣ୍ଣରୂପେ କ୍ଲିନ୍‍ଚିଟ୍‍ ସଦୃଶ ହୋଇଛି ।

ହିଣ୍ଡାଲ୍‍କୋକୁ କୋଇଲା ବ୍ଲକ୍‍ ଆବଣ୍ଟନ କରିବାର ନିଷ୍ପତ୍ତି ସମ୍ପୂର୍ଣ୍ଣଭାବେ କେନ୍ଦ୍ର ସରକାରଙ୍କର ଥିବା ବେଳେ ରାଜ୍ୟ ସରକାର କେବଳ ପ୍ରସ୍ତାବ ଅନୁଧ୍ୟାନ ଲାଗି ସୁପାରିଶ କରିଥିଲେ ।

ଓଡିଶାରେ ହିଣ୍ଡାଲ୍‍କୋ ଏକ ପ୍ରକଳ୍ପ କରିବାକୁ ଯାଉଥିବାରୁ ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ଏ ବିଷୟରେ ବିଚାର କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିଲେ । ପୂର୍ବରୁ ଏନେଇ ସେ ନିଜେ ସ୍ପଷ୍ଟ କରି ସାରିଛନ୍ତି ।

ରାଜ୍ୟରେ ଅଧିକ ପୁଞ୍ଜି ବିନିଯୋଗ ସହିତ ଶିଳ୍ପ ପ୍ରତିଷ୍ଠା ଏବଂ ଏହାଦ୍ୱାରା ରାଜସ୍ୱ ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଦୃଷ୍ଟିରେ ରଖି କେନ୍ଦ୍ରକୁ ବିଚାର ନିମନ୍ତେ ପ୍ରସ୍ତାବ ପାଠାଇଥିବା ସେ କହିଥିଲେ ବୋଲି ଦର୍ଶାଇଛନ୍ତି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ବିଜେଡି ନେତୃବୃନ୍ଦ ବେଶ୍‍ ଆନନ୍ଦ ପ୍ରକାଶ କରିଛନ୍ତି । ଅପରପକ୍ଷରେ ବିରୋଧୀ ରାଜନୈତିକ ଦଳଗୁଡିକୁ ଏହା ଶକ୍ତ ଧକ୍କା ସଦୃଶ ହୋଇଛି ।

କାରଣ ପୂର୍ବରୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବିିଜେପିର ବହୁ ନେତା ତଳବିରା-୨ କୋଇଲା ଖଣି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରି ଜେରା କରିବା ପାଇଁ ଦାବି କରି ଆସୁଥିଲେ ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏନେଇ ପ୍ରଶ୍ନ ଉଠାଇଥିଲେ । ମାତ୍ର ନବୀନଙ୍କ ବିରୁଦ୍ଧରେ ଦେଖାଦେଇଥିବା ଏହି ଝଡର ଅବସାନ ଘଟାଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶିତ ହେବା ପରେ ସମସ୍ତେ ଆପାତତଃ ନିରବ ରହିବା ଲାଗି ବାଧ୍ୟ ହୋଇଛନ୍ତି  ।
—

 

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ତୃତୀୟ ନୟନ Tagged With: କଂଗ୍ରେସ, ନିର୍ବାଚନ, ପୌରସଂସ୍ଥା, ବିଜେଡ଼ି, ବିଜେପି, ମୁଖ୍ୟମନ୍ତ୍ରୀ, ଲୋକପ୍ରିୟତା

ଆଠୋଟି ଯାକ ପୌରସଂସ୍ଥାରେ ବିଜେଡ଼ିର ବାଜିମାତ

April 8, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୮ (ଓଡିଶା ଡଟ କମ) ରାଜ୍ୟରେ ମଙ୍ଗଳବାର ନିର୍ବାଚନ ଅନୁଷ୍ଠିତ ହୋଇଥିବା ଆଠୋଟି ଯାକ ପୌର ସଂସ୍ଥାରେ ଶାସକ ବିଜେଡି ଦଳ ବାଜିମାତ ହାସଲ କରିଛି ।

BijuJanataDal_logoବୁଧବାର ଭୋଟ ଗଣତିପରେ ଫଳାଫଳ ପ୍ରକାଶ ପାଇଥିବା ଏହି ତିନି ମ୍ୟୁନିସପାଲିଟି ଗୁଡିକହେଲା ସୁନାବେଡା, ବେଲପାହାଡ, ପାରାଦୀପ, ଓ ପାଞ୍ଚ ବିଜ୍ଞାପିତ ପରିଷଦ ହେଲା ରେଢାଖୋଲ, ତୁଷରା, ଦଶପଲ୍ଲା, ବାଲିମେଳା ଓ ଧର୍ମଗଡ ।

ନିର୍ବାଚନ ହୋଇଥିବା ମୋଟ ୧୨୯ ୱାର୍ଡ଼ରୁ ବିଜୁ ଜନତା ଦଳ ୧୦୩ ୱାର୍ଡ଼ ହାସଲ କରିଥିବା ବେଳେ ବିଜେପି ଓ କଂଗ୍ରେସକୁ ୧୨ ଓ ୧୧ ମିଳିଛି । ସ୍ଵାଧୀନ ପ୍ରାର୍ଥୀ ତିନୋଟି ୱାର୍ଡ଼ ହାସଲ କରିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: କଂଗ୍ରେସ, ନିର୍ବାଚନ, ପୌରସଂସ୍ଥା, ବିଜେଡ଼ି, ବିଜେପି

ରାଜନାଥଙ୍କ ଟିମ୍ ରେ ଓଡ଼ିଶାରୁ ଜୁଏଲ,ଧର୍ମେନ୍ଦ୍ର

April 1, 2013 by ଓଡିଶା ଡଟ କମ 2 Comments

ପ୍ରଫୁଲ ଦାଶ

ଭୁବନେଶ୍ୱର,ଅପ୍ରେଲ ୧(ଓଡ଼ିଶା ଡ଼ଟ୍ କମ୍)-ବିଜେପି ସଭାପତି ରାଜନାଥ ସିଂହ ୨୦୧୪ ନିର୍ବାଚନକୁ ଆଖି ଆଗରେ ରଖି ତାଙ୍କ ନୂଆ ଟିମ୍ ଗଠନ କରିଛନ୍ତି । ଏଥିରେ ଜୁଏଲଙ୍କୁ ରାଷ୍ଟ୍ରୀୟ ଉପସଭାପତି ଓ ଧର୍ମେନ୍ଦ୍ରଙ୍କୁ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ଦିଆଯାଇଛି ।

ଏହା ବ୍ୟତୀତ ଜୁଏଲଙ୍କୁ କେନ୍ଦ୍ରୀୟ ନିର୍ବାଚନ କମିଟି ସଦସ୍ୟ କରାଯାଇଛି । ଏହି ଟିମ୍ ଆଗାମୀ ନିର୍ବାଚନ ଲାଗି ବିଭିନ୍ନ ରଣନୀତି ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନିର୍ବାଚନ, ବିଜେପି ସଭାପତି ରାଜନାଥ ସିଂହ, ଭୁବନେଶ୍ୱର

ସତ୍ୟଜିତ ଛାତ୍ର କଂଗେସ ସଭାପତି

February 25, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୨୫,(ଓଡ଼ିଶା ଡ଼ଟ୍ କମ୍), ଛାତ୍ର କଂଗେସର ସଭାପତି ଭାବେ ସତ୍ୟଜିତ ପଟନାୟକ ନିର୍ବାଚିତ ହୋଇଛନ୍ତି । ଦୁଇଦିନ ଧରି ଚାଲିଥିବା ଏହି ନିର୍ବାଚନରେ ୪ଜଣ ଉପସଭାପତି,୭ ଜଣ ସାଧାରଣ ସଂପାଦକ ଓ ୭ଜଣ ସଂପାଦକ ନିର୍ବାଚିତ ହୋଇଛନ୍ତି ।

ନବ ନିର୍ବାଚିତ ହୋଇଥିବା ୪ଜଣ ଉପସଭାପତି ହେଲେ ଅଭିଳାଷ ମାଣିଆ, ସତୀଶ ଶର୍ମା, ସନତ କୁମାର ରାଉତ ଏବଂ ମିତାଲି ପୁଷ୍ପାଳକ । ସେହିପରି ଗୌତମ ଦୋଶୀ, ପବିତ୍ର ମହାପାତ୍ର, ଇତିଶ
କୁମାର ପ୍ରଧାନ, ପ୍ରିୟଙ୍କା ବାର୍ଲା, ସୌମ୍ୟ ଶୁଭଦର୍ଶନ, ଅନୀଲ କୁମାର ସିଙ୍କୁ, ପ୍ରଭାସିନୀ ବେହେରା ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।

ସଂପାଦକ ଭାବେ ଅପରାଜିତା ଶତପଥୀ, ଅଶ୍ୱିନୀ ଭୋଇ, ବଳରାମ ମହାନ୍ତି, ଦିପ୍ତୀରଂଜନ ପରିଡ଼ା, ମହାବୀର ମହାପାତ୍ର, ରାଜୀବ ପଟନାୟକ ଓ ଅଭିଷେକ ମହାନ୍ତି ନିର୍ବାଚିତ ହୋଇଛନ୍ତି । ସେହିପରି ୨୮ଟି ଜିଲ୍ଲାର କର୍ମକର୍ତା ମଧ୍ୟ ନିର୍ବାଚିତ ହୋଇଛନ୍ତି ବୋଲି ସୂଚନା ଅଧୀକାରୀ ଶୀତଲ ମିଶ୍ର ସୂଚନା ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଉପସଭାପତି, ଛାତ୍ର କଂଗେସ, ନିର୍ବାଚନ

ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଛାନିଆ: ନିରଞ୍ଜନ

February 2, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୨(ଓଡିଶା ଡଟ୍ କମ୍ )-ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାନିଆ ହୋଇଯାଇଛନ୍ତି । ଯେଉଁଥିପାଇଁକି ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର ଶୁଭଆରମ୍ଭ କରୁଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

କହିଛନ୍ତି ନବୀନ ପଟ୍ଟନାୟକଙ୍କର ଏସବୁ ନିର୍ବାଚନୀ ଚାଲ । ୨୦୧୪ ନିର୍ବାଚନକୁ ଆଖିଆଗରେ ରଖି ଏପରି କରାଯାଉଛି । ନିର୍ବାଚନ ଆସିଲେ ଦୁଖିଙ୍କ ଦୁଃଖ ଦୁଃର୍ଦଶାକଥା ମନେ ପଡୁଛି ।

୧୩ ବର୍ଷ ସରକାରରେ ରହିଲା ପରେ ଓଡିଶା ଯୁବକମାନଙ୍କର ସମସ୍ୟା, ଚାଷୀମାନଙ୍କର କଣ ସମସ୍ୟା, ସାଧାରଣ ଲୋକ ଓ ଗରୀବ ଲୋକଙ୍କର କଣ ସମସ୍ୟା ଏବଂ ଗରୀବ ଲୋକଙ୍କୁ ଶୀତ ହେଉଥିଲା କି ନାହିଁ ଏ ସବୁ ବିଷୟରେ ସେ ଆଗରୁ ଜାଣିପାରୁ ନଥିଲେ । ଏବେ ଯେମିତି ନିର୍ବାଚନ ଆସିଲା ସେ ଗୋଟିଏ ପରେ ଗୋଟିଏ କଥା ଜାଣୁଛନ୍ତି ।

ଓଡିଶା ଡଟ୍କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନିର୍ବାଚନ, ପିସିସି ସଭାପତି, ମୁଖ୍ୟମନ୍ତ୍ରୀ

  • Page 1
  • Page 2
  • Page 3
  • Interim pages omitted …
  • Page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ