• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ପରମ୍ପରା

ଓଡିଶାର ଦେବୀ ପରମ୍ପରା ସମ୍ପର୍କରେ କେତୋଟି ତଥ୍ୟ

October 10, 2017 by ନିଉଜ ଡେସ୍କ 1 Comment

maa-hingula19

କେଦାର ମିଶ୍ର

ପ୍ରାଚୀନ ଭାରତୀୟ ସାଂସ୍କୃତିକ ଜୀବନରେ ଦୁଇଟି ଧାରାର ସଂଘାତ ଓ ସମାଗମ ସବୁବେଳେ ଘଟି ଆସୁଥିଲା ।

ନିଗମ ଓ ଆଗମ ନିଗମ ଧାରା ସହ ବୈଦିକ ବ୍ରାହ୍ମଣ୍ୟ ଧାରା ର ସମ୍ପର୍କ ରହିଥିବା ବେଳେ ଆଗମ ମୂଳତଃ ଅବୈଦିକ । ଅନେକାଂଶରେ ଏହା ବେଦ ବା ନିଗମର ବିକଳ୍ପ ବା ବିରୋଧୀ ।

ବୈଦିକ ଧାରାରେ ଜାତି, ବର୍ଣ୍ଣ, ଆଚରଣ ଓ କୂଳାଚାରର ବନ୍ଧନ ରହିଥିବାବେଳେ ଆଗମ ବା ତନ୍ତ୍ର ଧାରାରେ ଏହାର କୌଣସି ଉପଯୋଗିତା ନଥିଲା ।

ତନ୍ତ୍ର ହେଉଛି ଭାରତର ପ୍ରଥମ ସର୍ବୋଦୟୀ ଓ ସମତା ଭିତ୍ତିକ ବିଚାରର ଭିତ୍ତିଭୂମି । ଭାରତର ଉତ୍ତର ଖଣ୍ଡରେ ନିଗମ ର ପ୍ରଭାବ ଅଧିକ ରହିଥିବା ବେଳେ ଆଗମ ବା ତନ୍ତ୍ର ମତର ପ୍ରଭାବ ପୂର୍ବ ଭାରତରେ ପ୍ରଭାବଶାଳୀ ।

ଓଡିଶାରେ ତନ୍ତ୍ର ଓ ଶାକ୍ତ ମତର ପ୍ରମାଣସିଦ୍ଧ ପରମ୍ପରା ଅନ୍ତତଃ ୨୦୦୦ ବର୍ଷର । ଶାସ୍ତ୍ର, ସ୍ଥାପତ୍ୟ, ଉପଚାର ଓ ପ୍ରତିଷ୍ଠା ଭିତରେ ତନ୍ତ୍ରର ପ୍ରଭାବ ତ ରହିଛି, ତା’ ବାହାରେ ଲୋକାଚାରରେ ଓ ଲୋକକଳ୍ପନାରେ ତନ୍ତ୍ର ର ଭୂମିକା ବେଶ୍ ପ୍ରଭାବଶାଳୀ । ଓଡିଶାର ଦେବୀ ପରମ୍ପରା ଓ ତାରଲୌକିକ କଳ୍ପନା କୁ ନେଇ ଦଶଟି କଥା –

୧. ଓଡିଶାର ପ୍ରାଚୀନତମ ଶକ୍ତି ପୀଠ ଭାବରେ ବିରଜା କ୍ଷେତ୍ର ବା ଯାଜପୁରର ର ପ୍ରମାଣସିଦ୍ଧ ଇତିହାସ ରହିଛି । ପ୍ରଥମ ରୁ ଦଶମ ଶତାବ୍ଦୀରେ ଓଡିଶାରେ ବହୁ ଧାରା ର ତନ୍ତ୍ର ଉପାସନା ଦେଖିବାକୁ ମିଳିଥିଲା ।

ଶୈଲୋଦଭବ, ଭୌମକର, ସୁଲୁକୀ,ଭଂଜ ଇତ୍ୟାଦି ରାଜବଂଶ ଗୁଡିକ ଲୋକତନ୍ତ୍ର ଓ କୌଳତନ୍ତ୍ରର ସମନ୍ୱୟ ବିଧାନ କରିଥିଲେ ।

୨. ତେବେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ସ୍ତମ୍ଭେଶ୍ଵରୀ ବା ଖମ୍ବେଶ୍ଵରୀ ଉପାସନା ବହୁ ଆଗରୁ ରହି ଆସିଥିଲା ।

ଆସ୍କା, ସୁବର୍ଣ୍ଣପୁର,ବୌଦ୍ଧ, ଆଠମଲ୍ଲିକ ଓ କଳାହାଣ୍ଡି ରେ ସ୍ତମ୍ଭ ଉପାସନା ର ଧାରା ବହୁ ପ୍ରାଚୀନ ସ୍ତମ୍ଭେଶ୍ଵରୀ ପରମ୍ପରା ସହ ନୃସିଂହ ପରମ୍ପରାର ସମ୍ପର୍କକୁ ଅନେକ ଐତିହାସିକ ଗୁରୁତ୍ଵ ଦେଇଥାନ୍ତି ।

ସେହି ସୂତ୍ରରେ ପୂରୀ ଜଗନାଥଂକ ପୂଜା ଉପାସନା ସହ ନୃସିଂହ ମନ୍ତ୍ର ର ସମ୍ପର୍କ ଯୋଗୁଁ ତାଂକୁ ତନ୍ତ୍ର ଦେବତା ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ ।

୩. ପୂରୀ ପୂର୍ବ ଉପକୁଳର ସର୍ବ ଶ୍ରେଷ୍ଠ ବିଷ୍ଣୁପୀଠ ହୋଇଥିଲେ ମଧ୍ୟ ଏହାର କ୍ଷେତ୍ରାଧିଶ୍ଵରୀ ହେଉଛନ୍ତି ବିମଳା ।

କ୍ଷେତ୍ରେ ତୁ ବିମଳା ସ୍ଵୟଂ ଜଗନାଥସ୍ତୁ ଭୈରବ । ଜଗନାଥଂକୁ ଘେରି ବିମଳା, କମଳା, ଭୁବନେଶ୍ଵରୀ, କାଳୀ ଓ ନୀଳ ସରସ୍ଵତୀ ରହିଛନ୍ତି । ଏମାନେ ସମସ୍ତେ ତନ୍ତ୍ର ଦେବୀ ଅନେକ ସମୟରେ ଜଗନାଥଂକୁ ଦକ୍ଷିଣ କାଳିକା ବୋଲି ମଧ୍ୟ କୁହା ଯାଇଛି।

୪. ତନ୍ତ୍ର ଶାସ୍ତ୍ର ର କୌଳ ମତ ଅନୁଯାୟୀ ଓଡିଶା ବା ଓଡିୟାନ ପୀଠର ମହତ୍ତ୍ଵ ଅଧିକ କ୍ଷେତ୍ରରେ ବିମଳା, ଯାଜପୁରରେ ବିରଜା, କାକଟପୁରରେ ମଂଗଳା, ଝଂକଡରେ ଶାରଳା, ବାଣପୁରରେ ଭଗବତୀ, ଭୁଶଣ୍ଡପୁରରେ ଉଗ୍ରତାରା, ବାଂକିରେ ଚର୍ଚୀକା, ସମ୍ବଲପୁରରେ ସମଲାଇ, ସୁବର୍ଣ୍ଣପୁରରେ ସୁରେଶ୍ଵରୀ, ପାଟଣା ରେ ପାଟମେଶ୍ଵରୀ, କଳାହାଣ୍ଡିରେ ମାଣୀକେଶ୍ଵରୀ ଓ ଆହୁରି ଅନେକ ।

୫. ଓଡିଶାରେ ଦଶ ମହାବିଦ୍ୟା (କାଳୀ, ତାରା,ଭୁବନେଶ୍ଵରୀ,ବଗଳା, ମାତଂଗୀ,ଛିନ୍ନମସ୍ତା,ତ୍ରିପୁର ସୁନ୍ଦରୀ,,ଭୈରବୀ,ଧୁମାବତୀ ଓ କମଳା), ସପ୍ତ ମାତୃକା (ସ୍ଥାନ ଭେଦରେ ଅଷ୍ଟ ମାତୃକା)- ବ୍ରହ୍ମାଣୀ, ମାହେଶ୍ଵରୀ,କୌମାରୀ, ବୈଷ୍ଣବୀ,ଇନ୍ଦ୍ରାଣୀ,ବାରାହୀ ଓ ଚାମୁଣ୍ଡା ତଥା ଚୌଶଠି ଯୋଗିନୀ ପରମ୍ପରା ଓଡିଶାର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ ବିଦ୍ୟମାନ ରହିଛି ।

୬. ଏହାଠୁ ଭିନ୍ନ ଲୋକାଚାରରେ ସାତ ଭଉଣୀ ପରମ୍ପରା ମଧ୍ୟ ବେଶ୍ ଲୋକପ୍ରିୟ । ସମଗ୍ର ଓଡିଶାରେ ଶୁଦ୍ର ତଥା ଦଳିତ ଜାତିର ଏହି ସାତ ଭଉଣୀ ସବୁଠୁ ଶକ୍ତିଶାଳୀ ଦେବୀ ଭାବରେ ପୂଜିତ ହୁଅନ୍ତି । ପାଟଣାଗଡ ଓ ସୋନପୁରରେ ସାତ ଭଉଣୀ ପରମ୍ପରାର ସାଧନା ଆଜି ମଧ୍ୟ ଦେଖିବାକୁ ମିଳେ ।

୭. କୁହାଯାଏ ସାତ ଭଉଣୀ ସାଧନା କରି ଓଡିଶାରେ ଗଂଗ ବଂଶ ସ୍ଥାପିତ ହୋଇଥିଲା । ଜ୍ଞାନଦେଇ ମାଲୁଣୀ, ନିତେଇ ଧୋବଣୀ, ପତର ଶଉରୁଣୀ,ଶୁଆ ତେଲୁଣୀ, ଗାଂଗୀ ଗଉଡୁଣୀ, ଲୁହୁକୁଟି ଲୁହୁରୁଣୀ ଓ ଶୁକୁଟି ଚମାରୁଣୀ ।

ଏଇ ସାତ ଭଉଣୀ ଓଡିଆ ଜନ ଜୀବନରେ କେବଳ ନାରୀ ଶକ୍ତିର ପ୍ରତୀକ ନୁହନ୍ତି, ସେମାନେ ସମାଜର ସବୁଠୁ ନିମ୍ନ ଜାତି ଭାବେ ପରିଗଣିତ ଆଦିବାସୀ ଓ ଦଳିତ ଶକ୍ତିର ପ୍ରତିନିଧି ମଧ୍ୟ ।

୮. ମନ୍ଦିର ଓ ପୀଠ ବାହାରେ ଗାଁ ରେ ଗ୍ରାମଦେବୀ, ନଗରରେ ସ୍ଥାନେଶ୍ଵରୀ ଓ ଜଂଗଲରେ ବନଦେବୀ ରୂପେ ଅସଂଖ୍ୟ ଦେବୀ ପୂଜା ପାଆନ୍ତି ।

ସାଧାରଣ ନାରୀ ଟିଏ ତାର ସଂଘର୍ଷ ଓସଂକଳ୍ପ କୁ ନେଇ ଦେବୀ ଭାବରେ ପୂଜା ପାଇଥାଏ ଯେମିତି ଚିଲିକାରେ କାଳିଜାଇ, ସୋନପୁରରେ ମେଟାକାନୀ, କେଉଁଠି ଷୋଳପୁଅ ମା ଭୁଆଶୁଣୀ ଓ ଆହୁରି ଅନେକ ଏମାନେ ଲୋକଂକର ଦେବୀ ଓ ଲୋକଂକ ବିଶ୍ଵାସ ର ପ୍ରତୀକ ।

୯. କାକୁଡି ଖାଇ, ବାସୁଳୀ,ଜାଗୁଳେଇ, କଂକାଲୀ,କଂଧେନ ବୁଢୀ,ପିତାବଲୀ,ଶୁଲିଆ,ଦ୍ଵାରସୁନୀ,ଡୋକରୀ, ମାଉଲୀ, ବେତାଲୀ, ମଝି ଘରିଆଣୀ, କରଲାପାଟ୍,ଶିଖରପାଟ୍, ଭିମ୍ ବୁଢା,ବରାଳ ଦେବୀ ଓ ଆହୁରି ଅନେକ ଅନେକ ନାମରେ ଦେବୀ ପୂଜାର ଏକ ବିଶାଳ ପରମ୍ପରା ଓଡିଶାରେ ରହିଛି ।

ଗୋଟିଏ ବାକ୍ୟରେ କହିଲେ” ଗାଁ ଗୋଟେ କୁ ଦେବୀ ଗୋଟେ ‘ ହେଉଛି ଓଡିଶାର ଅସଲ ପରିଚୟ ।

୧୦. ଓଡିଶାରେ ଦେବୀ ପରମ୍ପରାର ସବୁଠୁ ଉଲ୍ଲେଖନୀୟ ଦିଗ ହେଉଛି –ଏହାର ସମତା ଭିତ୍ତିକ ବିଚାର ଦେବୀ ମନ୍ଦିରରେ ଜାତି ର ବାରଣ ନଥାଏ ।

ପ୍ରାୟ ସବୁ ମନ୍ଦିର (ଅଳ୍ପ କେତୋଟି ପୀଠକୁ ବାଦ୍ ଦେଲେ)ରେ ପୂଜକ ଆଦିବାସୀ ନଚେତ ଶୁଦ୍ର ଜାତିର । ହିନ୍ଦୁ ବ୍ରାହ୍ମଣବାଦ ବିରୋଧରେ ଏହା ଏକ ଚରମ ପ୍ରତିବାଦ । ଦେବୀ ମନ୍ଦିରର ପୂଜକ, ଦେହେରୀ,ଝାଂକର ମାନେ ଅନେକାଂଶରେ ଆଦିବାସୀ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ, ମୁଖ୍ୟ ଖବର Tagged With: ଓଡିଶା, ତନ୍ତ୍ର, ଦକ୍ଷିଣ ଓଡିଶା, ଦେବୀ ପରମ୍ପରା, ପରମ୍ପରା, ପଶ୍ଚିମ ଓଡ଼ିଶା, ପୂର୍ବ ଓଡିଶା, ପ୍ରାଚୀନ, ଭାରତୀୟ, ଶାକ୍ତ, ସାଂସ୍କୃତିକ

ବିଭୂତି ପଟ୍ଟନାୟକ; ଶତ ସହସ୍ର କାହାଣୀର ଏକଇ ନାୟକ

September 13, 2017 by ଓଡିଶା ଡଟ କମ 2 Comments

bibhuti

କେଦାର ମିଶ୍ର

ବିଭୂତି ପଟ୍ଟନାୟକଂକୁ ପଢିନଥିବା ଓଡିଆ ପାଠକ ନାହାନ୍ତି ବା ନଥିଲେ । ଓଡିଆ କଥା ସାହିତ୍ୟ ଓ ବିଭୂତି ପଟ୍ଟନାୟକ ଗତ ପଚାଶ ବର୍ଷ ଧରି ଗୋଟିଏ ପରିଚୟରେ ଆବଦ୍ଧ।

ତାଂକୁ ବାଦ୍ ଦେଇ ଓଡିଆ ଉପନ୍ୟାସର କଳ୍ପନା ମଧ୍ୟ ସମ୍ଭବ ନୁହଁ । ଓଡିଆ ଉପନ୍ୟାସର ସବୁଠୁ ମହାନ ପରମ୍ପରା ପାଖରେ ପହଂଚିବାକୁ ହେଲେ ବିଭୂତି ବାବୁଂକ ବାଟ ଦେଇ ଯିବାକୁ ଓଡିଆ ପାଠକ ବାଧ୍ୟ।

କାହ୍ନୁଚରଣ ମହାଂତିଂକ ପରେ ଓଡିଆ ଲୋକପ୍ରିୟ ଉପନ୍ୟାସର ଶ୍ରେଷ୍ଠତମ ମହାନାୟକ ସେ। ଅସରନ୍ତି କଥା ଓ କାହାଣୀ ର ସେ ଚଳନ୍ତି ବର୍ଣ୍ଣବୋଧ। ଗତ ସପ୍ତାହରେ ତାଂକୁ ଓଡିଶା ସାହିତ୍ୟ ଏକାଡେମୀ ନିଜର ସର୍ବୋଚ ପୁରଷ୍କାର “ଅତିବଡି ପୁରଷ୍କାର” ଦେବାକୁ ଘୋଷଣା କରିଛି ।

ତେବେ ଲୋକପ୍ରିୟତା ଓ ପାଠକୀୟତା ର ପ୍ରବଳ ଜୁଆର ଆଗରେ କୌଣସି ବି ପୁରଷ୍କାର ବିଭୂତି ବାବୁଂକ ଲାଗି ନିହାତି ଛୋଟ । ବିଭୁତି ପଟ୍ଟନାୟକଂକ ଜୀବନ, ସାହିତ୍ୟ ଓ ସର୍ଜନ ଜଗତକୁ ନେଇ କେତେକ ରୋଚକ ତଥ୍ୟ –

୧. ପ୍ରାୟ ୬ ବର୍ଷ ତଳେ ସେ ପୁରୀ ମନ୍ଦିର ବୁଲିବାକୁ ଯାଇଥାନ୍ତି। ହଠାତ୍ ଜଣେ ପଣ୍ଡା ଟୋକା ତାଂକୁ କହିଲା- ଆସନ୍ତୁ, ମୁଁ ଦର୍ଶନ କରେଇଦେବି। ସଚରାଚର ଆମ ଓଡିଆ ମାନେ ପଣ୍ଡା ମାନଂକୁ ଆଡେଇ ଚାଲିଯିବାକୁ ଚାହୁଁ ।

ଟୋକା ଟି କିନ୍ତୁ କହିଲା, ମୁଁ ଆପଣଂକୁ ଜାଣିଛି, ଆପଣ ବିଭୂତି ପଟ୍ଟନାୟକ। ତାପରେ ମନ୍ଦିର ଦର୍ଶନ ଚାଲିଲା। ଦର୍ଶନ ପରେ ପୁଳାଏ ମାଲପୁଆ ନେଇ ପଣ୍ଡାଟି କହିଲା- ୟାକୁ ରଖନ୍ତୁ । ବିଭୂତି ବାବୁ ପକେଟ୍ ରୁ କିଛି ପଇସା ବାହାର କରି ଦେଲା ବେଳକୁ, ଟୋକାଟି କହିଲା- ଆପଣଂକୁ ବହୁତ୍ ପଢିଛି ।

ବହୁତ ଖୁସି ଦେଇଛନ୍ତି ଆପଣ, ତେଣୁ ଆପଣଂକଠୁ ପଇସା ନେବି ନାହିଁ । ଗୋଟେ ପାଠକ କୁ ଏମିତି ଭେଟିବାର ସୌଭାଗ୍ୟ କେତେଜଣ ଓଡିଆ ଲେଖକଂକ ଭାଗ୍ୟରେ ଯୁଟେ ? ଏ ଦୃଶ୍ୟ ମୁଁ ନିଜେ ଦେଖିଛି ଓ କହିବାରେ ଦ୍ଵିଧା ନାହିଁ ଓଡିଆ ପାଠକଂକ ସବୁଠୁ ପ୍ରିୟ ଲେଖକ ବିଭୂତି ପଟ୍ଟନାୟକ ।

୨. କିଶୋର ବୟସରୁ ସେ ଉପନ୍ୟାସ ଲେଖିଛନ୍ତି। ୧୯୩୭, ଅକଟୋବର ୨୫ ତାରିଖ ଜଗତସିଂଗପୁର ଜିଲ୍ଲା ର ଡିଂଗେଶ୍ଵର ଗାଁ ରେ ତାଂକର ଜନ୍ମ । ଯେତେବେଳେ ଓଡିଆ ଲେଖକ ମାନେ ପ୍ରକାଶକ ଖୋଜି ପାଇବା ମୁସ୍କିଲ୍, ସେତେବେଳେ ବିନା ପଇସାରେ ବିଭୂତି ବାବୁଂକ ପ୍ରଥମ ଉପନ୍ୟାସ ଛପା ହୋଇଥିଲା ।

୩. ଦୀର୍ଘ ବର୍ଷ ଧରି ସେ ଥିଲେ ଓଡିଆ ଭାଷାର ଏକ ମାତ୍ର ଲେଖକ ଯିଏ ନିଜ ରୟାଲଟି ଉପରେ ଆୟକର ଦେଉଥିଲେ। ତାଂକର ପ୍ରେମିକା, ବଧୂ ନିରୁପମା, ନାୟିକାର ନାମ ଶ୍ରାବଣୀ, ଚପଳଛନ୍ଦା ଓ ଆଉ କିଛି ଉପନ୍ୟାସ ୨୦ ରୁ ଅଧିକ ସଂସ୍କରଣ ରେ ପ୍ରକାଶିତ ହୋଇ ସାରିଛି ।

୪. ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଆଲୋଚନା, ଜୀବନୀ, ଭ୍ରମଣ କାହାଣୀ, ରାଜନୈତିକ ଆଲେଖ୍ୟ ଓ ଅନୁବାଦ- ସାହିତ୍ୟର ପ୍ରତ୍ୟେକ ବିଭାଗରେ ତାଂକର ବିପୁଳ ଅବଦାନ ରହିଛି ।

ଗପ ଓ ଉପନ୍ୟାସରେ ସେ କେବଳ ରସାଳ ଏବଂ ରୋଚକ ଭାଷାର ପ୍ରୟୋଗ କରିନାହାନ୍ତି, ଅନେକ କ୍ଷେତ୍ରରେ ନୁଆ ଶୈଳୀ ତଥା ପ୍ରୟୋଗ ମଧ୍ୟ କରିଛନ୍ତି । ଷାଠିଏ ଦଶକରେ ପ୍ରକାଶିତ ତାଂକର ଗୁଡାଏ ଗପରେ କଳାତ୍ମକ ପରୀକ୍ଷା ନିରୀକ୍ଷା ସେ କରିଛନ୍ତି।

୫ ସମ୍ପାଦନା କ୍ଷେତ୍ରରେ ତାଂକର ଅବଦାନ, ଏଯାବତ୍ ସଠିକ୍ ଭାବରେ ଆକଳନ କରାଯାଇ ପାରିନାହିଁ । ନବରବି, ଆସନ୍ତା କାଲି ଓ ଗଳ୍ପ ପତ୍ରିକାର ସମ୍ପାଦକ ଭାବରେ ସେ ବହୁ ନୁଆ ଗାଳ୍ପିକ ସୃଷ୍ଟି କରିଛନ୍ତି ।

୬. କଲେଜ୍ ରେ ପଢୁଥିବା ବେଳେ ସମାଜବାଦୀ ଆନ୍ଦୋଳନ ସହ ଜଡିତ ହୋଇ ସେ “କୃଷକ” ପତ୍ରିକା ର ସମ୍ପାଦନା ସହଯୋଗୀ ଭାବରେ ମଧ୍ୟ କାମ କରିଛନ୍ତି। ଓଡିଶାର ପ୍ରଖ୍ୟାତ ସ୍ବାଧିନତା ସଂଗ୍ରାମୀ ତଥା ସମାଜବାଦୀ ନେତା ସାରଂଗଧର ଦାସଂକ ସହଯୋଗୀ ଭାବରେ ସେ “କୃଷକ” ପତ୍ରିକା ସହ ଜଡିତ ଥିଲେ।

ପରବର୍ତ୍ତୀ ସମୟରେ ସାରଂଗଧରଂକ ଜୀବନୀ ସେ ରଚନା କରିଥିଲେ।

୭. ପଚାଶରୁ ଅଧିକ ଉପନ୍ୟାସ ଓ ଅନେକ ଗଳ୍ପ ସଂକଳନ ର ସ୍ରଷ୍ଟା ବିଭୂତି ବାବୁ ଓଡିଶା ତଥା ଦେଶର ରାଜନୈତିକ ଘଟଣାବଳୀ କୁ ନେଇ ଅନେକ ପୁସ୍ତକ ଲେଖିଛନ୍ତି। ଭାରତ ବିଭାଜନ ଓ ମହାତ୍ମା ଗାଂଧିଂକ ଜୀବନ କୁ ନେଇ ତାଂକର ପ୍ରାମାଣିକ ପୁସ୍ତକ ରହିଛି।

୮. ଓଡିଶାରେ ପୁସ୍ତକମେଳା ଆନ୍ଦୋଳନ, ଲେଖକ ସମବାୟ ସମିତି, ଲେଖକ ସାମ୍ମୁଖ୍ୟ ଇତ୍ୟାଦି ସଂଗଠନ ସହ ଜଡିତ ରହି ସେ ସାହିତ୍ୟ ସଂଗଠନ କ୍ଷେତ୍ରରେ ମଧ୍ୟ ନିଜର ବିଶିଷ୍ଟ ଅବଦାନ ଦେଇଛନ୍ତି।

୯. “ଅଶ୍ଵମେଧର ଘୋଡା” ପାଇଁ ଓଡିଶା ସାହିତ୍ୟ ଏକାଡେମୀ, “ମହିଷାସୁରର ମୁହଁ” ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ, ସାମଗ୍ରୀକ କୃତି ପାଇଁ ଶାରଳା ପୁରଷ୍କାର, ଅତିବଡି ପୁରଷ୍କାର, ସାହିତ୍ୟ ଭାରତୀ ପୁରଷ୍କାର ଇତ୍ୟାଦି ତାଂକୁ ମିଳିଛି।

୧୦. ଅନେକ ସମୟରେ ନିଜର ଖୋଲାଖୋଲି ମନ୍ତବ୍ୟ ପାଇଁ ବିଭୂତି ବାବୁ ବିବାଦରେ ରହି ଆସିଛନ୍ତି। ସାହିତ୍ୟ ଏକାଡେମୀ ପୁରଷ୍କାର ରେ ଦୁର୍ନୀତି ହେଉଛି ବୋଲି ସେ ଏକାଡେମୀ ଆବାହକ ଥିବାବେଳେ କହିଥିଲେ ଓ ସେତେବେଳେ ଏହାକୁ ନେଇ ପ୍ରଚୁର ବିବାଦ ସୃଷ୍ଟି ହୋଇଥିଲା ।

ସାହିତ୍ୟ ର ସବୁ ସ୍ତରରେ ନିଜର ପ୍ରଭାବ ବିସ୍ତାର କରିଥିବା ବିଭୂତି ପଟ୍ଟନାୟକ ରାଜନୀତିରେ ଜଣେ ସାମ୍ୟବାଦୀ ଓ ସମାଜବାଦୀ ଭାବେ ପରଚିତ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ Tagged With: ଉପନ୍ୟାସ, ଓଡିଆ, ଓଡିଶା ସାହିତ୍ୟ ଏକାଡେମୀ, କାହାଣୀ, କାହ୍ନୁଚରଣ ମହାଂତିଂ, ପରମ୍ପରା, ପାଠକ, ବର୍ଣ୍ଣବୋଧ, ବିଭୂତି ପଟ୍ଟନାୟକ, ଲୋକପ୍ରିୟ, ସାହିତ୍ୟ

ସୁବର୍ଣପୁରର ଲଂକାପୋଡି ଉତ୍ସବ; ଏକ ନିଆରା ପରମ୍ପରା

September 3, 2017 by ଓଡିଶା ଡଟ କମ 1 Comment

kedar3

କେଦାର ମିଶ୍ର

ଅମାବାସ୍ୟା ଅନ୍ଧାରରେ ସାରା ସହର ହଠାତ୍ ଆଲୋକିତ ହୋଇଉଠେ ।  ଶହ ଶହ ହନୁମାନ ଲାଂଜରେ ନିଆଁ ଲଗେଇ ବାହାରି ପଡନ୍ତି ଶୋଭାଯାତ୍ରାରେ।

ସେମାନେ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ତିଆରି ହୋଇଥିବା ଟେରାକୋଟା ର ପ୍ରତିମା। ହନୁମାନ ମୂର୍ତ୍ତି ସବୁ ଦେଖିବାକୁ ଅଦ୍ଭୁତ। ମୁଣ୍ଡରେ ମୁକୁଟ, ଦାନ୍ତ ଦେଖା ହସ, ଚାରି ଗୋଡରେ ଭରା ଦେଇ ସେ ଠିଆ ହୋଇଥାନ୍ତି ଓ ଲାଂଜଟି ମୋଡି ହୋଇ ମୁଣ୍ଡ ଉପରେ ଠିଆ ହୋଇଥାଏ ।

ଲାଂଜ ଅଗରେ ମଶାଲ୍ ଲଗେଇ ଅବା ଶୁଖିଲା ଗୋବର ଭର୍ତି ମାଟି ସରେଇ ରେ ନିଆଁ ଧରେ ଦିଆଯାଏ।ହନୁମାନ ଦେହସାରା ରଂଗ ବେରଂଗ ଚିତ୍ର, ବେକରେ ମନ୍ଦାର ଫୁଲର ମାଳା, ଚାରି ପାଖେ ଡାଳ ପତ୍ରର ମଣ୍ଡଣୀ ଓ ପାଦରେ ବାଉଁଶ ଗଳେଇ ଲଗା ଯାଇଥାଏ ଚାରୋଟି ଚକ ।
kedar2
ଚକ ରେ ଗଡି ଗଡି ହନୁମାନ ଲଂକାପୋଡି ଶୋଭାଯାତ୍ରାରେ ବାହାରନ୍ତି।ପ୍ରାଚୀନ ସୋନପୁର ବା ସୁବର୍ଣପୁର ସହରରେ ଭାଦ୍ରବ ଅମାବାସ୍ୟା ରାତିରେ ଏମିତି ଏକ ଅନନ୍ୟ ଶୋଭାଯାତ୍ରା ଦେଖିବାକୁ ମିଳିଥାଏ।

ଜନ ଜୀବନରେ ଏହା ଲଂକାପୋଡି ଯାତ୍ରା, ପୁରା ଉଆଂସ, ହନୁମାନ ପୋଡି ଇତ୍ୟାଦି ନାମରେ ପରିଚିତ । ଏହି ନିଆରା ଯାତ୍ରାକୁ ନେଇ କେତୋଟି ବିଶେଷ କଥା-

୧. ସପ୍ତପୁରୀ ଅମାବାସ୍ୟା ପଶ୍ଚିମ ଓଡିଶାରେ ପୁରା ଉଆଁସ ନାଁ ରେ ପାଳିତ ହୁଏ ।

ତେବେ ଅନ୍ୟାନ୍ୟ ସ୍ଥାନ ତୁଳନା ରେ ସୋନପୁର ସହରରେ ଏହାର ପରିପାଳନ ଟିକେ ନିଆରା। ସକାଳୁ ରାତି ଯାଏଁ ବିଭିନ୍ନ ପର୍ୟାୟ ରେ ଏହି ଯାତ୍ରା ଭିନ୍ନ ଭିନ୍ନ ଶୈଳୀ ରେ ପାଳନ କରାଯାଏ ।

୨. ସୋନପୁର ର ଦୁଇଟି କାରିଗର ଗୋଷ୍ଠୀ କୁମ୍ଭାର ଓ ଚିତ୍ରକର, ଏହି ଯାତ୍ରାର ମୁଖ୍ୟ ଯୋଗାଣିଆଁ । ଚିତ୍ରକର ମାନେ କାଠରେ ତିଆରି ହାତୀ, ଘୋଡା, ବଳଦ ଇତ୍ୟାଦିରେ ରଂଗ ଦେଇ , କାଠ ଚକ ଖଂଜି ବଜାରରେ ବିକ୍ରୀ କରନ୍ତି।

ପ୍ରତ୍ୟେକ ଘରେ ସକାଳୁ ଏହି ଘୋଡା ହାତୀଙ୍କୁ ବନ୍ଦାପନା କରି ପିଲା ମାନଂକୁ ଖେଳିବାକୁ ଦିଆଯାଏ ।

kedar1
୩. ସକାଳ ପୂଜାରେ କାଠ ର ରଂଗୀନ ଘୋଡା ହାତୀ ଓ ମାଟିର ହନୁମାନ ପୂଜା ହୁଅନ୍ତି । ମାଟି ର କୁନି କୁନି ସରେଇ ରେ ଖଇ, ଛତୁ, ହୁଡୁମ, ମୁଢୀ ଇତ୍ୟାଦି ଖାଦ୍ୟକୁ ଗୁଡରେ ପାଗ କରି ବଢା ଯାଇଥାଏ ।

ଘର ଓ ପାଖ ପଡିଶାର ପିଲା ମାନଂକୁ ସ୍ତ୍ରୀଲୋକ ମାନେ ବନ୍ଦାଇ ଏହି ସବୁ ସରେଇ (ସ୍ଥାନୀୟ ଭାଷାରେ କୁଣ୍ଡି କାଂଚୀ ) ର ଖାଦ୍ୟକୁ ପିଲାଂକୁ ଉପହାର ଭାବରେ ଦିଅନ୍ତି ।

୪. ଝିଅ ମାନେ ମାଟିରେ ତିଆରି ଏହି ସବୁ କୁନି କୁନି ଘର କରଣା କୁ କୁଲେଇ ରେ ନେଇ ଦିପହର ସାରା ଖେଳରେ ବ୍ୟସ୍ତ ରୁହନ୍ତି । ଖଇ, ହୁଡୁମ,ମୁଢି କୁ ଭାତ ତିଅଣର ବିକଳ୍ପ ଭାବେ ନିଆଯାଏ।

ମାଟିର ଛୋଟିଆ ଚୁଲିରେ ମିଛି ମିଛିକା ରୋଷେଇ ହୁଏ। ସେଠି କଣ୍ଢେଇ ବାହାଘର ବି ହୁଏ । ଯେମିତି କି ସେ ଏକ ଘରକରଣା ତାଲିମ ।

୫. ସୋନପୁର ର କୁମ୍ଭାର ମାନେ ଏହି ସମୟରେ ହଜାର ହଜାର ସରେଇ ଓ ମାଟିର ହନୁମାନ ତିଆରି କରି ବଜାରରେ ବିକ୍ରୀ କରିଥାନ୍ତି ।

୬. ବାସ୍ତୁକଳା ଓ ଶିଳ୍ପ ଚାତୁରୀ ଅନୁସାରେ ସୋନପୁର ହନୁମାନର ଗଢଣ ଶୈଳୀ ସ୍ବତନ୍ତ୍ର। ପୃଥିବୀ ର ବହୁ ବିଖ୍ୟାତ ସଂଗ୍ରହାଳୟରେ ଏହା ସଂଗୃହିତ ହୋଇ ରହିଛି ।

କଂଚା ମାଟିରେ କୁମ୍ଭାର ଶାଳରେ ଏହାକୁ ନିର୍ମାଣ କରିବାର ଏକ ପାରମ୍ପରିକ କଳା କୌଶଳ ରହିଛି । ଏହି କଳା ରେ ପାରଦର୍ଶିତା ପ୍ରଦର୍ଶନ କରି ସୋନପୁର ର ଲୋକନାଥ ରଣା ବହୁ ଦେଶ ଓ ବିଦେଶ ରେ ସମ୍ମାନ ଲାଭ କରିଛନ୍ତି ।

୭. ସନ୍ଧ୍ୟାରେ ସହର ର ସବୁ ଘରୁ ନିଆଁ ଲଗେଇ ହନୁମାନ ବାହାରନ୍ତି । ଶୋଭାଯାତ୍ରା ଶେଷରେ ସମଲେଇ ବା ସମଲେଶ୍ବରୀ ମଂଦିର ଟିକିରା ରେ ହନୁମାନ ମୁର୍ତୀ ସବୁ କଚାଡି ଭଂଗୀ ଦିଆଯାଏ । ଏହାକୁ କେହି କେହି ଏକ ତାନ୍ତ୍ରିକ ଉପଚାର ର ପ୍ରତୀକ ବୋଲି କହିଥାନ୍ତି ।

୮. ଏହା ଏମିତି ଏକ ପର୍ବ ଯେଉଁଠି କଳା, କାରିଗରୀ ଓ କୃଷି ସଭ୍ୟତା ର ମିଳନ ଦେଖିବାକୁ ମିଳେ । ସେହିପରି ଝିଅମାନେ ଏହି ପର୍ବରେ ବେଶ୍ ସମ୍ମାନ ପାଇଥାନ୍ତି। ନେପାଳର କୁମାରୀ ପୂଜା ଓ ପୁରା ଉଆଂସ ର କୁମାରୀ ପୁଜାର ଏକ ପରୋକ୍ଷ ଯୋଗସୂତ୍ର ରହିଛି ।

୯. ଏହା ହନୁମାନ ପୁଜା ନା ଲଂକାରେ ହନୁମାନ ସୃଷ୍ଟି କରିଥିବା ଉତ୍ପାତ ର ସ୍ମୃତି ଚାରଣ, ତାକୁ ନେଇ ଅନେକ ରୋଚକ ତଥ୍ୟ ରହିଛି । ଇତିହାସ ରେ ଓ ଲୋକ କଥା ରେ ସୁବର୍ଣପୁରକୁ ଲଂକା ଅବା ପଶ୍ଚିମ ଲଂକା ବୋଲି କୁହା ଯାଇଛି । ସେହି ଦୃଷ୍ଟିରୁ ଏହି ପର୍ବକୁ ଏକ ଐତିହାସିକ ପୃଷ୍ଠଭୂମି ରେ ମଧ୍ୟ ଦେଖା ଯାଇ ପାରେ।

୧୦. ଗୋଟିଏ ପର୍ବରେ ବହୁ ସାଂସ୍କୃତିକ ବିବିଧତା ର ସମନ୍ବୟ ଘଟାଇ ଲଂକାପୋଡି ଯାତ୍ରା ଏକ ନିଆରା ପରମ୍ପରା ସୃଷ୍ଟି କରିଛି। ସମୟ ସହିତ ପର୍ବ ପାଳନର ଧାରା ମଧ୍ୟ ବଦଳୁଛି ।

ତେବେ ମୌଳିକ ଶିଳ୍ପ କଳା ଭାବରେ ହନୁମାନ ନିର୍ମାଣର କଳା କୌଶଳ ସହ କୌଣସି ସାଲିସ କରିବା ଉଚିତ ହେବ ନାହିଁ । ଏହି କଳା ର ସୁରକ୍ଷା ଲାଗି ସୋନପୁରରେ ଏକ ଟେରାକୋଟା ସଂଗ୍ରହାଳୟର ଆବଶ୍ୟକତା ରହିଛି ।

 

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଉତ୍ସବ, ଟେରାକୋଟା, ନିଆଁ, ପରମ୍ପରା, ଲଂକାପୋଡି, ସୁବର୍ଣପୁର, ହନୁମାନ

ବିଜୟ ଏକ ଉଚ୍ଛ୍ଵାସର ବାର୍ଷିକ ମହୋତ୍ସବରେ ପ୍ରବାସୀ ଓଡିଆଙ୍କୁ ସମ୍ମାନ

November 2, 2016 by ନିଉଜ ଡେସ୍କ Leave a Comment

prabashi-odiya-samman-2016f-1

ପ୍ରଫୁଲ୍ଲ ଦାସ

ଭୁବନେଶ୍ଵର, ନଭେମ୍ବର ୨ (ଓଡିଶା ଡଟ କମ) ଓଡିଆ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ କାର୍ଯ୍ୟ କରୁଥିବା ‘ବିଜୟ’ ଏକ ଉଚ୍ଛ୍ଵାସ ଟ୍ରଷ୍ଟ ଭୁବନେଶ୍ବରରେ ତାର ତିନିଦିନ ବ୍ୟାପୀ ଷଷ୍ଠ ବାର୍ଷିକ ମହୋତ୍ସବରେ ନୃତ୍ୟ, ସଙ୍ଗୀତ, ନାଟକ ଏବଂ କର୍କଟ ରୋଗ ସମ୍ପର୍କିତ ଆଲୋଚନା ଚକ୍ରର ଆୟୋଜନ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରବାସୀ ଓଡିଆଙ୍କୁ ସମ୍ମାନିତ ଓ ପୁରସ୍କୃତ କରିଛି ।

ଅକ୍ଟୋବର ୨୪ରୁ ଅକ୍ଟୋବର ୨୬ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁମ୍ବାଇର ଡାକ୍ତର କାନନ ତ୍ରିପାଠୀଙ୍କୁ ପ୍ରବାସୀ ଓଡିଆ ସମ୍ମାନ ପ୍ରଦାନ କର ଯାଇଥିଲା ।

ତ୍ରିପାଠୀ ମୁମ୍ବାଇ ଓଡିଆ ଏସୋସିଆସନର ପ୍ରତିଷ୍ଠାତା ଓ ସଭାପତି ଅଛନ୍ତି।  ଗତ ତିରିଶ ବର୍ଷ ହେଲା ମୁମ୍ବାଇରେ ରହି ଓଡିଆ ସଂସ୍କୃତି ଓ ପରମ୍ପରାକୁ ଓଡିଆ ଓ ଅଣ ଓଡିଆମାନଙ୍କ ମଧ୍ୟରେ ବିସ୍ତାର କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

ଏହି ଅବସରରେ କର୍କଟ ରୋଗ ସମ୍ପର୍କିତ ଆୟୋଜିତ ଏକ ଆଲୋଚନା ଚକ୍ରକୁ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରଦୀପ ଜାଳି ଉଦଘାଟନ କରିଥିଲେ ।

ପ୍ରଥମ ଥର ପାଇଁ ସାମାଜିକ ସେବା ସମ୍ମାନ ନାମରେ ଚଳିତ ବର୍ଷ ଠାରୁ ଏକ ନୂତନ ପୁରସ୍କାର ଆରମ୍ଭ କରାଯାଇଥିବା ଟ୍ରଷ୍ଟ ତରଫରୁ ଘୋଷଣା କରା ଯାଇଥିଲା। ଏହି ପୁରସ୍କାର ପାଇଥିଲେ ମୁମ୍ବାଇର ପୂର୍ବତନ ପୁଲିସ ମହାନିର୍ଦେଶକ ଅରୂପ ପଟନାୟକ ।

samaja-seba-samman-2016fଟ୍ରଷ୍ଟ ର ଏହି ମହୋତ୍ସବରେ ଓଡିଶା , ସୁଦୂର ମୁମ୍ବାଇ ଏବଂ ଭାରତର ଅନ୍ଯାନ୍ଯ ସ୍ଥାନରୁ ବ୍ୟକ୍ତି ମାନେ ଆସି ଯୋଗ ଦେଇଥିବା ଏହାର ସମ୍ପାଦକ ଅରିନ୍ଦମ ମିଶ୍ର ସୂଚନା ଦେଇଛନ୍ତି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ Tagged With: ଓଡିଆ, ପରମ୍ପରା, ପ୍ରବାସୀ ଓଡ଼ିଆ, ବିଜୟ ଏକ ଉଚ୍ଛ୍ଵାସ, ସଂସ୍କୃତି

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବକୁ ନେଇ କେତୋଟି କଥା

September 16, 2016 by ନିଉଜ ଡେସ୍କ Leave a Comment

kedar

କେଦାର ମିଶ୍ର

ଗୁରୁ କେଳୁଚରଣ ମହାପାତ୍ରଂକ ନାଁ ସହିତ ଓଡିଶାର ପରମ୍ପରା, ପ୍ରତିଷ୍ଠା ଓ ଉତ୍କର୍ଷ ର ନିବିଡ ସମ୍ପର୍କ ରହିଛି। ନିଜ ଜୀବନକାଳରେ ଗୁରୁ କେଳୁଚରଣ ଓଡିଶାର ଐତିହାସିକ ପରିଚୟକୁ ନିଜ ନୃତ୍ୟ ମାଧ୍ୟମରେ ଆନ୍ତର୍ଜାତିକ ସ୍ଵୀକୃତି ପ୍ରଦାନକାରୀ ସାଂସ୍କୃତିକ ଦୂତର ଭୂମିକା ନିର୍ବାହ କରିଥିଲେ।

ଆଜି ପୃଥିବୀ ସାରା ଓଡିଶୀ ନୃତ୍ୟର ଯେଉଁ ଆଦର ଓ ଆଗ୍ରହ, ସେଥିରେ ଗୁରୁଜୀଂକର ଭୂମିକା ସବୁଠୁ ବେଶୀ ।ତାଂକରି ସ୍ମୃତିରେ ତାଂକ ହାତ ଗଢା ଅନୁଷ୍ଠାନ “ସୃଜନ” ପ୍ରତିବର୍ଷ ଭୁବନେଶ୍ଵରରେ ପାଳନ ଆସୁଛି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ। ଗୁରୁ ବଂଚିଥିବା ସମୟରୁ ଏହି ଉତ୍ସବର ଆରମ୍ଭ।

ବହୁ ସ୍ମୃତି ଓ ଅନୁଭୁତିର ମଂଚ ଏ ଉତ୍ସବ । ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ଜଗତର ବହୁ କିମ୍ବଦନ୍ତି ଏହି ଉତ୍ସବରେ ନିଜର ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି । ଗୋଟିଏ ମଂଚରେ କଥକ ନୃତ୍ୟର ମହାନାୟକ ବିରଜୁ ମହାରାଜ୍ ଓ ଗୁରୁ କେଳୁଚରଣ ନୃତ୍ୟ କରିବାର ବିରଳ ଅନୁଭୁତି ଏ ଉତ୍ସବର ସ୍ମୃତିରେ ରହିଛି।

ସେମିତି ଗିରିଜା ଦେବୀଂକ ତାନକାରୀରେ ଗୁରୁଜୀଂକ ସ୍ଵତଃସ୍ଫୁର୍ତ୍ତ ନର୍ତ୍ତନ ମଧ୍ୟ ଦିନେ ଏ ଉତ୍ସବର ଅଂଶବିଶେଷ ଥିଲା। ୨୨ ବର୍ଷରେ ପଦାର୍ପଣ କରିଥିବା ଏହି ଉତ୍ସବ ର ପରିଚାଳନା ଦାୟିତ୍ବ ଏବେ ଗୁରୁଜୀଂକ ସୁପୁତ୍ର ଓ ଆମ ସମୟର ଅନ୍ୟତମ ଶକ୍ତିଶାଳୀ ନୃତ୍ୟବିଦ୍ ରତିକାନ୍ତ ମହାପାତ୍ରଂକ ହାତରେ ।

କହିବାରେ ଦ୍ବିଧା ନାହିଁ, ରତିକାନ୍ତ ଏକ ମହାନ ଉତ୍କର୍ଷର ପରମ୍ପରାକୁ ପ୍ରବହମାନ ରଖିବାରେ କେବଳ ସଫଳ ହୋଇନାହାନ୍ତି, ସେ ଏହି ଉତ୍ସବକୁ ଆହୁରି ମନୋଜ୍ଞ ଓ ପ୍ରସାରଣକ୍ଷମ କରିପାରିଛନ୍ତି । ଗୁରୁଜୀ ଦେହତ୍ୟାଗ କରିବାର ୧୨ ବର୍ଷ ପରେ ଆଜି ଏହି ଉତ୍ସବ ଆୟୋଜନରେ ରତିକାଂତଂକ ନିଜସ୍ଵ ସ୍ପର୍ଶ ବାରୀ ହୋଇପଡୁଛି ।

ଗତ ୫ ରୁ ୯ ସେପ୍ଟେମ୍ବର ଯାଏଁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୨୨ଶ ଗୁରୁ କେଳୁଚରଣ ମହାପାତ୍ର ଉତ୍ସବ କୁ ନେଇ କେତୋଟି ଖାସ୍ କଥା –

kedar2 kedar6୧. ଭୁବନେଶ୍ବରରେ ଆୟୋଜିତ ଶ୍ରେଷ୍ଠତମ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ର ଉତ୍ସବ ଭାବରେ ଏହାର ଏକ ସ୍ଵତନ୍ତ୍ର ମର୍ୟଦା ରହିଛି ।ଦେଶର ସବୁଠୁ ନାମୀ ଓ ସଫଳ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଶିଳ୍ପୀ ଏହି ଉତ୍ସବରେ ଯୋଗଦେଇ ଆସୁଛନ୍ତି।

ସେହି କ୍ରମରେ ଚଳିତ ବର୍ଷ ସୀତାରର ଉସ୍ତାଦ ଶାହିଦ୍ ପରବେଜ୍ ଖାନ୍, ପ୍ରବୀଣ ବଂଶୀ ବାଦକ ପ୍ରବୀଣ ଗୋଡ଼ଖିଣ୍ଡି, ବିଖ୍ୟାତ ତବଲାବାଦକ ଯୋଗେଶ ସାମସୀ, କଥକ ଶିଳ୍ପୀ ଅସୀମବନ୍ଧୁ ଦାସଗୁପ୍ତ, ଭରତନାଟ୍ୟମ ଶିଳ୍ପୀ ସତ୍ୟନାରାୟଣ ରାଜୁ , ଯୁବ ଓଡିଶୀ ଶିଳ୍ପୀ ରାହୁଳ ଆଚାର୍ୟ ଏହି ଉତ୍ସବରେ ନିଜସ୍ଵ କଳାତ୍ମକ ଉତ୍କର୍ଷ ପ୍ରଦର୍ଶନ କରିଥିଲେ ।

୨. ଏଥର ଉତ୍ସବର ଉଦଘାଟନ ଥିଲା ଓଡିଶୀ ନୃତ୍ୟ ପାଇଁ ଏକ ଐତିହାସିକ ଦିନ। ବର୍ତ୍ତମାନ ସମୟର ଓଡିଶୀ ନୃତ୍ୟର ତିନି ଶ୍ରେଷ୍ଠ ତାରକା ଅରୁଣା ମହାନ୍ତି, ସୁଜାତା ମହାପାତ୍ର ଓ ମୀରା ଦାସ ମିଳିତ ଭାବରେ ଏକ ଅନନ୍ୟ ପ୍ରସ୍ତୁତି ପରିବେଷଣ କରିଥିଲେ ।

ସୀତା, ଶବରୀ ଓ ମୀରାଂକ ଜୀବନ ଆଧାରରେ ଏହି ଓଡିଶୀ ସଂରଚନାକୁ ସମକାଳୀନ ନାରୀ ଜୀବନର ନବ କଳ୍ପନା ବୋଲି କୁହାଯାଇପାରେ।

ଏମିତି ଏକ ସମନ୍ଵୟ ଓ ସଂରଚନାକୁ ଓଡିଶୀ ର ଇତିହାସ ରେ ଅଭିନବ ବୋଲି କୁହା ଯାଇପାରେ । ଅରୁଣା, ସୁଜାତା ଓ ମୀରା ମଂଗଳାଚରଣ ଓ ହଂସଧ୍ବନୀ ପଲ୍ଲବୀ ରେ ନିଜ ନିଜର ଏକକ ଉତ୍କର୍ଷ ପ୍ରଦର୍ଶନ ସହ ଏକ ସମନ୍ୱିତ ମେଳ ରଚନା କରିବାରେ ସଫଳ ହୋଇଥିଲେ ।

୩. ଅନେକ ସମୟରେ ତାରକା ନୃତ୍ୟଶିଳ୍ପୀ ମାନେ ଯୁଗଳବନ୍ଦୀ ବା ତ୍ରୟୀ ପରିବେଷଣ କଲାବେଳେ ନିଜସ୍ଵ ଅହଂକାର ଓ ଅଭିମାନକୁ ଅଲଗା ରଖି ପାରନ୍ତି ନାହିଁ । ଏ କ୍ଷେତ୍ରରେ ତିନି ଜଣ ତାରକା ଶିଳ୍ପୀ ଗୋଟିଏ ସ୍ରୋତରେ ସମାହିତ ହୋଇ ଏକ ନୁଆ ସଂରଚନାକୁ ସଫଳ କରାଇବା ପଛରେ ଏକ ମିଳିତ ପ୍ରୟାସ ଥିଲା ।

୪. ସୀତାର ଶିଳ୍ପୀ ଉସ୍ତାଦ ଶାହିଦ୍ ପରବେଜ୍ ଖାନ୍ଂକୁ ଉତ୍ସବର ମଧୁରତମ ଅନୁଭବ ବୋଲି କୁହା ଯାଇପାରେ। ତାଂକ ତନ୍ତ୍ରକାରୀ ରେ ମାଧୁର୍ୟ ଓ ରସ ବିନ୍ୟାସର ନିଆରା ଶକ୍ତି ରହିଥିଲା ।

kedar5ରାଗ ଚାରୁକେଶୀ ରେ ରୁପକ ତାଳ, ମଧ୍ୟଲୟରେଏକ ତାଲ ଓ ଦୃତ ରେ ତିନ ତାଲ ଦେଇ ସୀତାର ର ସ୍ଵର ମୂର୍ଛନା ଶ୍ରୋତାଂକୁ ସମ୍ମୋହିତ କରିଥିଲା । ତାଂକ ତନ୍ତ୍ରୀ ଚାଳନା ରେ ଏକ ଅପୂର୍ବ ମାଧୁର୍ଯ୍ୟ ଓ ପ୍ରଶାନ୍ତ ଭାବର ପ୍ରଭାବ ଦେଖିବାକୁ ମିଳିଥିଲା।

ଚାରୁକେଶୀ ରାଗରେ ହିନ୍ଦୁସ୍ତାନୀ ଓ କର୍ନାଟକୀ ର ମିଶ୍ର ଅନୁଭବକୁ ଅତ୍ୟନ୍ତ କୁଶଳୀ ତନ୍ତ୍ରକାରୀ ମାଧ୍ୟମରେ ସେ ଉପସ୍ଥାପିତ କରିଥିଲେ।

୫. ଉତ୍ସବର ଚତୁର୍ଥ ସଂଧ୍ୟାରେ ବିଶିଷ୍ଟ ବଂଶୀ ବାଦକ ପ୍ରବୀଣ ଗୋଡ଼ଖିଣ୍ଡି ତାଂକର ଯାଦୁକରୀ ପ୍ରଭାବ ବିସ୍ତାର କରିଥିଲେ। ମୂଳତଃ କିରାନା ଘରାନା ର ଶିଳ୍ପୀ ହୋଇଥିଲେ ମଧ୍ୟ ପ୍ରବୀଣ ନିଜ ଅଂଦାଜ୍ ଓ ଫୁଂକରେ ବହୁ ଧାରା ତଥା ଶୈଳୀ ର ସମନ୍ଵୟ ଘଟାଇପାରନ୍ତି । ମାରୁ ବିହାଗ ରାଗ ର ସ୍ଵର ଓ ଶ୍ରୁତି କୁ ଯଥାର୍ଥ ଭାବରେ ଛୁଇଁବାର ବିରଳ ସାମର୍ଥ୍ୟ ଯୋଗୁଁ ତାଂକ ବଂଶୀ ମୋହକ ମୂର୍ଛନା ସୃଷ୍ଟି କରୁଥିଲା ।

ଦ୍ରୁତ ଲୟ ଉପରେ ସବୁଠୁ ବେଶୀ ପକଡ଼ ଥିବା ସତ୍ତ୍ୱେ ଆଳାପ ଓ ମଧ୍ୟ ଲୟରେ ମଧ୍ୟ ତାଂକର ଦକ୍ଷତା ବାରି ହୋଇ ପଡୁଥିଲା।

୬. ପ୍ରବୀଣ ଥିଲେ ଉତ୍ସବର ସବୁଠୁ ବଡ ଆକର୍ଷଣ । କାର୍ୟକ୍ରମ ସରିଲା ପରେ ମଧ୍ୟ ଦର୍ଶକ ନିଜ ଜାଗାରୁ ଉଠିବାକୁ ପ୍ରସ୍ତୁତ ନଥିଲେ। ଦର୍ଶକଂକ ପ୍ରବଳ ଅନୁରୋଧ ରକ୍ଷା କରି ପ୍ରବୀଣ ଶେଷରେ ପାହାଡି ଧୁନ୍ ପରିବେଷଣ କରିଥିଲେ। ବଂଶୀ ର ଶ୍ରୋତାଂକ ଲାଗି ପାହାଡି ହେଉଛି ସବୁଠୁ ମଧୁର ଅନୁଭବ ।

ପ୍ରକୃତି କୁ ସଂଗୀତରେ ଅନୁଭବ କରିବା ଲାଗି ପାହାଡି ଧୁନ ର ସଂରଚନା । ପ୍ରବୀଣ ସେଦିନ ନିଜ କୁଶଳୀ ଫୁଂକ୍ ମାଧ୍ୟମରେ ଦର୍ଶକଂକୁ ତନ୍ମୟ କରି ଦେଇଥିଲେ।

kedar4୭. ନୂଆ ପିଢିର ଓଡିଶୀ କ୍ଷେତ୍ରରେ ରାହୁଳ ଆଚାର୍ୟ ଏକ ପ୍ରଚୁର ପ୍ରତିଶ୍ରୁତିବଦ୍ଧ ନାମ । ଦେବପ୍ରସାଦ ଶୈଳୀ ର ଓଡିଶୀ ରେ ରାହୁଳ ସବୁଠୁ ବଡ ସମ୍ଭାବନା। ଉତ୍ସବରେ ରାହୁଳ ଓଡିଶୀ ର ଏକ ପୂର୍ଣ୍ଣ ରୂପ ପ୍ରସ୍ତୁତ କରିଥିଲେ ।

ହରି-ହର ସ୍ତୁତି ରେ ମଂଗଳାଚରଣ, ଚକ୍ରବାକ ପଲ୍ଲବୀ,ପ୍ରିୟେ ଚାରୁଶୀଳେ….ଅଷ୍ଟପଦୀ ରେ ଅଭିନୟ ଓ ମୋକ୍ଷ ପରିବେଷଣ କଲାବେଳେ ତାଂକର ତାଲିମ୍ ଓ ଅଭ୍ୟାସ ବାରୀ ହୋଇ ପଡୁଥିଲା, କିନ୍ତୁ ଯେଉଁ ରାହୁଲଂକୁ ଭାରତୀୟ ଶାସ୍ତ୍ରୀୟ ଜଗତର ଆଲୋଚକ ଓ ରସିକ ଗ୍ରାହକ ଭଲ ପାଆନ୍ତି, ସେ ରାହୁଳ ସେଦିନ ମଂଚରେ ନଥିଲେ !!

ଗୋଟିଏ ପଦରେ କହିଲେ- ସେଦିନ ରାହୁଳ ନିଜ ଫର୍ମ୍ ରେ ନଥିଲେ।

୮. ସତ୍ୟ ନାରାୟଣ ରାଜୁ ଓ ଯୋଗେଶ୍ ସାମସୀ- ସେମାନଂକ କାର୍ୟକ୍ରମ ଦେଖିନଥିବାରୁ, ସେ ଉପରେ ମୋର କୌଣସି ମତାମତ ଦେବାର ନାହିଁ।

୯. ଉତ୍ସବର ଅନ୍ତିମ ପ୍ରସ୍ତୁତି ଥିଲା ଆୟୋଜକ “ସୃଜନ” ର ନିଜସ୍ଵ ସଂରଚନା “ତ୍ୟାଗ” । ରତିକାନ୍ତ ମହାପାତ୍ର ଓଡିଶୀ ରେ ପରମ୍ପରା ର ନବ ନିର୍ମାଣ ଲାଗି ପ୍ରୟାସ କରିଛନ୍ତି । ନୃତ୍ୟର ପରିଧିରୁ କ୍ରମଶଃ ହଜିଯାଉଥିବା ଗୀତି ନାଟ୍ୟକୁ ରତିକାନ୍ତ ନୂଆ କରି ଉପସ୍ଥାପନ କରିଛନ୍ତି ।

ଅନସୁୟା, ଲକ୍ଷହୀରା ଓ ବିଷ୍ଣୁ ଦାସଂକ ତ୍ରିକୋଣ ପ୍ରେମ କାହାଣୀ କୁ ନେଇ ଚର୍ଚିତ ଗୀତି ନାଟ୍ୟ “ ନ ପାହୁ ରାତି ନ ମରୁ ପତି” ର ନୃତ୍ୟ ରୂପ ଜୟଦେବ ଦାସ ରଚନା କରିଥିବା ବେଳେ ନିର୍ଦ୍ଦେଶକ ରତିକାନ୍ତ ଏହାର ନବ ରଚନା କୁ ନୃତ୍ୟ ରେ ଏକ ଭିନ୍ନ ରୂପ ଦେବାରେ ସମର୍ଥ ହୋଇଛନ୍ତି ।

୧୦. ଚଳିତ ବର୍ଷ ଗୁରୁ କେଳୁଚରଣ ମହାପାତ୍ର ପୁରଷ୍କାର ଗୁରୁ କିଶୋର ମହାନ୍ତି ଓ ବିଗତ ଦିନର ଓଡିଆ ସିନେମାର ନାୟିକା ଝରଣା ଦାସଂକୁ ପ୍ରଦାନ କରାଯାଇଥିବା ବେଳେ କେଳୁଚରଣ ଯୁବ ପ୍ରତିଭା ପୁରଷ୍କାର ଭରତନାଟ୍ୟମ ଶିଳ୍ପୀ ପ୍ରବୀଣ କୁମାର, ଓଡିଶୀ ଶିଳ୍ପୀ ରାଜୀବ ଭଟ୍ଟାଚାର୍ଯ୍ୟ ଓ ମଧୁସ୍ମିତା ମହାନ୍ତି ତଥା ଯୁବ ଓଡିଶୀ କଣ୍ଠ ଶିଳ୍ପୀ ରୂପକ ପରିଡାନ୍କୁ ପ୍ରଦାନ କର ଯାଇଥିଲା ।

ଅନ୍ୟତମ ଓଡିଶୀ ଶିଳ୍ପୀ ମଧୁବ୍ରତା ଶତପଥୀ ମଧ୍ୟ ଏ ଅବସରରେ ସମ୍ମାନିତ ହୋଇଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ଉତ୍କର୍ଷ, ଓଡିଶା, ଓଡିଶୀ, କଳା, ଗୁରୁ କେଳୁଚରଣ ମହାପାତ୍ର, ନୃତ୍ୟ, ପରମ୍ପରା, ପ୍ରତିଷ୍ଠା, ଶାସ୍ତ୍ରୀୟ ନୃତ୍ୟ, ଶାସ୍ତ୍ରୀୟ ସଂଗୀତ, ସଂଗୀତ ଶିଳ୍ପୀ, ସାଂସ୍କୃତିକ

ରାଣୀପୁର-ଝରିଆଲର ଚଉଶଠି ଯୋଗିନୀ ମନ୍ଦିର ସମ୍ପର୍କରେ ଦଶଟି ତଥ୍ୟ

June 21, 2016 by ନିଉଜ ଡେସ୍କ 3 Comments

ranipur5

କେଦାର ମିଶ୍ର

ରାଣୀପୁର-ଝରିଆଲ, ବଲାଂଗିର ଜିଲ୍ଲାର ଟିଟିଲାଗଡ ସହର ପାଖାପାଖି ଦୁଇଟି ଛୋଟିଆ ଗାଁ। ଏ ଦୁଇ ଗାଁ କୁ ସଂଯୋଗ କରୁଛି ଏକ ବିଶାଳକାୟ ପଥର ଚଟାଣ । ଚଟାଣ ର କେନ୍ଦ୍ରରେ ଛାତ ନଥିବା ଏକ ଗୋଲାକାର ମନ୍ଦିର। ଏ ପ୍ରକାର ମନ୍ଦିର ଓଡିଶାର ସ୍ଥାପତ୍ୟ ଇତିହାସରେ ମାତ୍ରା ଦୁଇଟି ।

ରାଣିପୁର-ଝରିଆଲ ବ୍ୟତୀତ ଖୁର୍ଧା ଜିଲ୍ଲାର ହୀରାପୁର ଠାରେ ଏମିତି ଆଉ ଏକ ମନ୍ଦିର ରହିଛି। ତେବେ ହୀରାପୁର ମନ୍ଦିର ଆକାରରେ ଯଥେଷ୍ଟ ଛୋଟ। ରାଣିପୁର-ଝରିଆଲର ବିଶାଳକାୟ ପଥର ଉପରେ ନିର୍ମିତ ଏହି ବିଚିତ୍ର ଦେଉଳର ନାମ ଚୌଶଠି ଯୋଗିନୀ ମନ୍ଦିର।

ranipur-jharialଭାରତୀୟ ତନ୍ତ୍ର ପରମ୍ପରାରେ ଯୋଗିନୀ ହେଉଛନ୍ତି ଦେବୀଂକ ଅଂଗରୁ ଜାତ ହୋଇଥିବା ଲୌକିକ ଶକ୍ତି। କୌଳ ତନ୍ତ୍ର ଅନୁସାରେ ଦେବୀଂକୁ କୁଳ ଓ ଶିବଂକୁ ଅକୁଳ ବୋଲି କୁହାଯାଇଥାଏ । ଶିବଂକୁ କେନ୍ଦ୍ରକରି ଦେବୀଙ୍କର ୬୪ ସ୍ଵରୂପ ଯୋଗିନୀ ରୂପରେ ନୃତ୍ୟ କରୁଥାନ୍ତି। ଉତ୍ତର ଓ ପୂର୍ବ ଭାରତରେ ମାତ୍ର କେତୋଟି ଯୋଗିନୀ ମନ୍ଦିର ରହିଛି।

ଶାହଡୋଲ୍, ଖଜୁରାହୋ, ଭେଡାଘାଟ ଓ ଗୋଆଲିଅର ସମେତ ଓଡିଶାରେ ଦୁଇଟି ୬୪ ଯୋଗିନୀ ମନ୍ଦିର ରହିଛି । ଭାରତୀୟ ତନ୍ତ୍ର ପରମ୍ପରାର ଏକ ଅଳ୍ପଚର୍ଚିତ କିନ୍ତୁ ଅଧିକ ଗୁରୁତ୍ଵ ବହନ କରୁଥିବା ୬୪ ଯୋଗିନୀ ମନ୍ଦିରକୁ ନେଇ କିଛି କଥା-

୧। ଯୋଗିନୀ ତନ୍ତ୍ରକୁ କୌଳ ତନ୍ତ୍ର ବା ସୋମ ତନ୍ତ୍ର ବୋଲି କୁହାଯାଇଥାଏ। ଶୈବ-ତନ୍ତ୍ର ର ଏକ ପ୍ରମୁଖ ଧାରାକୁ ମତ୍ତ ମୟୂର ଶାଖା ବୋଲି କୁହାଯାଉଥିଲା ।

ranipur-2ଏହି ଧାରାର ଜଣେ ପ୍ରମୁଖ ସାଧକ “ଗଗନଶିବ” ରାଣିପୁର –ଝରିଆଲରେ ସାଧନା କରିଥିଲେ ବୋଲି ଏକ ଶିଳାଲିପି ରହିଛି। ଏଠାରେ ସୋମେଶ୍ବର ଶିବଂକ ପୀଠ ରହିଛି ଓ ଏଥିରେ ଥିବା ପୁଷ୍କରିଣୀକୁ ସୋମତୀର୍ଥ ବୋଲି ନାମିତ କରାଯାଇଛି।

ତେବେ ଗଗନଶିବ ଯୋଗିନୀ ସାଧକ ଥିଲେ କି ନାହିଁ ତାହାର ପ୍ରମାଣ ମିଲେ ନାହିଁ ।

୨.  ଯୋଗିନୀ ସାଧନା ସହିତ କୌଳ ଓ ଲୌକିକ ସମନ୍ବୟ ରହିଛି। ଯୋଗିନୀ ମାନେ ମୂଳତଃ ଲୋକ ଦେବୀ।

ranipur-3ଏମାନେ ବଶୀକରଣ (ଅନ୍ୟକୁ ନିଜ ବଶ କରି ରଖିବା),ଗୁତିକାଂଜନ (ଏକ ପ୍ରକାର କଜଳ ଯାହା ଲଗାଇଲେ ଗୁପ୍ତ ଧନ ଦୃଶ୍ୟ ହୁଏ ), ଧାତୁବାଦ ( ଧାତୁ କୁ ବହୁମୂଲ୍ୟ ସୁନା ରେ ରୂପାନ୍ତର କରିବାର କଳା ), ବିଦଗ୍ଧ (ଶତ୍ରୁ କୁ ଧ୍ବଂସ କରିବାର କଳା ), ଅଗ୍ନିସ୍ତମ୍ଭନ(ନିଆଂକୁ ଆୟତ୍ତ କରିବାର କଳା), ଖେଚରୀ ବିଦ୍ୟା ( ଆକାଶରେ ଭ୍ରମଣ କରିବାର କଳା) ଇତ୍ୟାଦି ସାଧନା ର ମହାଦେବୀ ଭାବରେ ସାଧକ ଦ୍ଵାରା ପୂଜା ପାଇଥାନ୍ତି।

୩. ରାଣିପୁର –ଝରିଆଲ ର ୬୪ ଯୋଗିନୀ ମନ୍ଦିର ସହିତ ଏଠାରେ ଆହୁରି ଅନେକ ଶିବ, ଶକ୍ତି ଓ ଭୈରବଂକ ମନ୍ଦିର ରହିଛି । ଏହା ବ୍ୟତୀତ ତପସ୍ୟା ଲାଗି ଅନେକ କୋଟର ଓ ଗୁମ୍ଫା ମଧ୍ୟ ଏଠାରେ ଦେଖିବାକୁ ମିଳେ । ଏହାର ଅଳ୍ପ ଦୂରରେ ଇଟା ରେ ନିର୍ମିତ ବିରଳ ଇନ୍ଦ୍ରଲାଠ ମନ୍ଦିର ରହିଛି।

୪. ଯୋଗିନୀ ମନ୍ଦିର ନବମ ଶତାବ୍ଦୀରେ ସୋମବଂଶି ରାଜାମାନେ ନିର୍ମାଣ କରିଥିବାର ଅନୁମାନ କରାଯାଏ। ସୋମ ବଂଶି ମାନେ ଉତ୍ତର ଦିଗରୁ ଆସିଥିବାରୁ ଓ ଉତ୍ତର ଭାରତରେ ଏକ ପ୍ରତଷ୍ଠିତ ଯୋଗିନୀ ପରମ୍ପରା ରହିଥିବାରୁ, ଏହା ଅନେକାଂଶରେ ଠିକ ମନେ ହୁଏ ।

୫. ଭାରତର ଅନ୍ୟାନ୍ୟ ଯୋଗିନୀ ମନ୍ଦିର ତୁଳନାରେ ରାଣୀପୁର୍-ଝରିଆଲର ନିର୍ଦିଷ୍ଟ ସ୍ଵାତନ୍ତ୍ର ରହିଛି । ଭରତ ମୁନି ପ୍ରଣୀତ ନାଟ୍ୟ ଶାସ୍ତ୍ର ରେ ବର୍ଣିତ ବିବିଧ କରଣ ରେ ଏଠି କାର ଯୋଗିନୀ ମାନେ ଉଭା ହୋଇଛନ୍ତି । କେନ୍ଦ୍ରରେ ଏକ ବିଶାଳକାୟ ଶିବ ପ୍ରତିମା ନୃତ୍ୟ ଉଦ୍ୟତ ଭଂଗୀ ରେ ଅଛନ୍ତି।

ଶିବଙ୍କର ସତେ ଯେମିତି ମନ୍ଦିର ଟି ଏକ ମେଳ ନୃତ୍ୟର ଭ୍ରମ ସୃଷ୍ଟି କରୁଛି।

ranipur-4୬. କେନ୍ଦ୍ରାଧିପତି ଶିବଂକର ତିନୋଟି ମୁଖ, ଆଠ ହସ୍ତ ରହିଛି ଓ ତାଂକ ସହ ଗଣେଶ ଓ ନନ୍ଦୀ ମଧ୍ୟ ରହିଛନ୍ତି । ୬୪ ଯୋଗିନୀ ମଧ୍ୟରୁ କିଛି ଯୋଗିନୀ ମୂର୍ତୀ ଏବେ ଆଉ ଦୃଶ୍ୟମାନ ହେଉ ନାହାନ୍ତି ।

୭. ତେବେ ହିରାପୁର ଯୋଗିନୀ ଗଣ ଯେମିତି ଦେଖିବାକୁ ସୁନ୍ଦରୀ, ରାଣିପୁର –ଝରିଆଲ ରେ ସେମାନେ ଅତୀବ ଭୟଂକରୀ। ପ୍ରାୟ ଯୋଗିନୀ ତ୍ରିଶୁଳ, ପାଶ ଓ ମାଳ ଧାରଣ କରନ୍ତି। ପ୍ରାୟ ୧୫ ଜଣ ଯୋଗିନୀ ମୁଖ ରେ ପଶୁ ବେଶ ଧାରଣ କରିଛନ୍ତି । ବିରାଡି ମୁହଁ ରେ ମାର୍ଜାରୀ, ହାତୀ ମୁହଁ ରେ ଗଣେଶାନୀ, ବରାହ ମୁହଁରେ ବାରାହୀ ଇତ୍ୟାଦି ।

୮. ସ୍ଥାପତ୍ୟ ଦୃଷ୍ଟିରୁ ଏହି ମନ୍ଦିର ଯେତିକି ଗୁରୁତ୍ବପୂର୍ଣ ସେଇ ସମୟର ଇତିହାସ ଓ ସଂସ୍କୃତି ଅଧ୍ୟୟନ ଲାଗି ମଧ୍ୟ ଯୋଗିନୀ ମୂର୍ତିର ସାଂକେତିକ ଗୁରୁତ୍ବ ରହିଛି। ବୌଦ୍ଧ ତନ୍ତ୍ର ସହ ଶୈବ ତନ୍ତ୍ର ର ସମନ୍ଵୟ ଯୋଗିନୀ ମନ୍ଦିରରେ ଦେଖିବାକୁ ମିଳେ ।

ranipur7୯. ୫୦ ଫୁଟ୍ ପରିଧି ବିଶିଷ୍ଟ ଗୋଲାକାର ଯୋଗିନୀ ମନ୍ଦିରର ୬୪ ଟି ଖୋପରେ ରହିଥିବା ଯୋଗିନୀ ଗଣ ମୂର୍ତ୍ତି ସବୁ କ୍ଷୟୀଷ୍ଣୁ କୁଂଡା ପଥରରେ ନିର୍ମିତ ହୋଇଥିବାରୁ, ସମୟ କ୍ରମେ ମୂର୍ତ୍ତି ସ୍ଥାପତ୍ୟ ଲିଭି ଲିଭି ଆସୁଛି । ଏହାର ସଂରକ୍ଷଣ ନିତାନ୍ତ ଜରୁରୀ । ସେହିପରି ମୂର୍ତ୍ତିଚୋର ମାନେ କିଛି ଯୋଗିନୀ ମୂର୍ତ୍ତି ଖୋଲି ନେଇ ସାରିଲେଣି ।

୧୦. ପର୍ଯ୍ୟଟନ ତଥା ଇତିହାସ ଦୃଷ୍ଟିରୁ ରାଣିପୁର-ଝରିଆଲ ର କୌଣସି ବିକଳ୍ପ ନାହିଁ । ହେଲେ ଏହାର ବିକାଶ ଲାଗି କାହାର ଆନ୍ତରିକତା ଦେଖିବାକୁ ମିଳୁନି। ଟିଟିଲାଗଡ ଓ କଂଟାବାଂଜୀ ସହର ଠାରୁ ଏଠିକି ପହଞ୍ଚିବାକୁ ଘଣ୍ଟାଏ ସମୟ ଲାଗେ । ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ର ମର୍ଯ୍ୟାଦା ମିଳିଥିଲେ ବି ଆବଶ୍ୟକୀୟ ଭିତ୍ତିଭୂମି ର ବିକାଶ କରାଯାଇ ନାହିଁ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ Tagged With: ଇତିହାସ, ଚଉଶଠି ଯୋଗିନୀ ମନ୍ଦିର, ଟିଟିଲାଗଡ ଓଡିଶା, ତନ୍ତ୍ର ପୀଠ, ଦେବୀ, ପରମ୍ପରା, ବଲାଂଗିର, ରାଣୀପୁର-ଝରିଆଲ, ଶିବ, ସ୍ଥାପତ୍ୟ, ହୀରାପୁର

ଶୀତଳ ଷଷ୍ଠୀ ଯାତ୍ରା –ଯାହା ଆପଣ ଜାଣିବାକୁ ଚାହାନ୍ତି

June 10, 2016 by ନିଉଜ ଡେସ୍କ Leave a Comment

Sital_Sasthi - Mukha Nacha-pic Ramakanta pradhan-facebook
ଫଟୋ: ରମାକାନ୍ତ ପ୍ରଧାନ ଫେସବୁକ ପୋଷ୍ଟ

କେଦାର ମିଶ୍ର

ଶିବ ଓ ଶକ୍ତିଂକ ମିଳନ କୁ ମହା ଜାଗତିକ ଓ ଦିବ୍ୟ ମିଳନ ବୋଲି କୁହାଯାଇଥାଏ। ସୃଷ୍ଟି ତଥା ସଂହାରର କାରଣ ରୂପରେ ଶିବଂକୁ ଭାରତୀୟ ମାନେ ଆରାଧନା କରନ୍ତି। ତେବେ ଶକ୍ତିଂକ ବିନା ସହଯୋଗରେ ସୃଷ୍ଟି ପ୍ରକ୍ରିୟା ସମ୍ଭବ ହୁଏ ନାହିଁ।

ଶକ୍ତି ଶିବଂକ ପିଣ୍ଡରେ ମିଳିତ ନ ହେବା ପର୍ଯନ୍ତ ସର୍ଜନା ସଫଳ ହୁଏ ନାହିଁ। ତେଣୁ ଆବାହମାନ କାଳ ରୁ ଶକ୍ତି ଓ ଶିବଂକ ପରିଣୟ କୁ ଉତ୍ସବ ରୂପେ ଆମେ ପାଳନ କରିଥାଉ। ଭାରତୀୟ ଓ ଉତ୍କଳୀୟ ପରମ୍ପରାରେ ଶିବ ପାର୍ବତୀଂକ ବିବାହ କୁ ଶୀତଳ ଷଷ୍ଠୀ ଭାବରେ ପାଳନ ପାଳନ କରାଯାଇଥାଏ।

ବିଶେଷ କରି ସମ୍ବଲପୁର ସହର ଓ ପଶ୍ଚିମ ଓଡିଶାର ବିଭିନ୍ନ ଶୈବ ପୀଠ ମାନଂକରେ ଶୀତଳ ଷଷ୍ଠୀ ପର୍ବ ମହା ସମାରୋହରେ ପାଳିତ ହୋଇଥାଏ। ଏହି ଉତ୍ସବ କୁ ନେଇ କେତୋଟି ପ୍ରମୁଖ ବିନ୍ଦୁ କୁ ଆସନ୍ତୁ ଜାଣିବା।

୧. ଜ୍ୱେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶିବ ପାର୍ବତୀଂକ ବିବାହ ସମାପିତ ହୋଇଥିବାର ପୌରାଣିକ ମାନ୍ୟତା ରହିଥିବାରୁ ସେହି ଦିନ ଏହି ଦିବ୍ୟ ଦମ୍ପତ୍ତିଂକ ବିବାହ ଉତ୍ସବ ଆୟୋଜନ କରାଜାଇଥାଏ। ଶିବ ଓ ଶକ୍ତି ପୂଜା ସହିତ ଭାରତର ବୈଦିକ, ଦ୍ରାବିଡ ଓ ଶବର ପରମ୍ପରାର ସମନ୍ବୟ ଘଟିଥିବାରୁ ଶୀତଳ ଷଷ୍ଠୀ ଯାତ୍ରାରେ ବହୁ ସଂସ୍କୃତିର ମିଳନ ଦୃଶ୍ୟମାନ ହୁଏ।

୨. ତାରକାସୁର କୁ ବଧ କରିବାକୁ ଶିବ ବିବାହ ନିତାନ୍ତ ଆବଶ୍ୟକ ବୋଲି ଦେବତା ମାନେ ଜାଣିଥିଲେ। କିନ୍ତୁ ସେତେବେଳେ ଶିବ ନିଜ ପ୍ରଥମ ସ୍ତ୍ରୀ ଦକ୍ଷ କନ୍ୟା ସତୀଂକ ବିୟୋଗରେ ଗଭୀର ତପସ୍ୟା ରେ ନିମଗ୍ନ ରହିଥାଆନ୍ତି। ପୁଣି ଥରେ ଶିବଂକୁ ଆସକ୍ତ କରିବାକୁ ମହାଶକ୍ତି ହିମାଲୟଂକ କନ୍ୟା ରୂପେ ଜନ୍ମ ଗ୍ରହଣ କରନ୍ତି।

ପାର୍ବତୀଂକ କଠୋର ତପସ୍ୟା ଥିଲା ଶିବଂକୁ ବର ରୂପେ ବରଣ କରିବା ପାଇଁ। ପରିଶେଷ ରେ ପାର୍ବତୀଂକ ତପସ୍ୟା ରେ ସନ୍ତୁଷ୍ଟ ହୋଇ ଶିବ ପାର୍ବତୀଂକୁ ବିବାହ କରିଥିଲେ।

୩. ଶିବ ବିବାହ କୁ ନେଇ ବହୁ ଚମକପ୍ରଦ ଓ ଚର୍ଚିତ କାହାଣୀ ଶିବ ପୁରାଣ ସମେତ ଅନ୍ୟାନ୍ୟ ପୁରାଣ ରେ ରହିଛି। ବିବାହ ପୂର୍ବରୁ ପାର୍ବତୀଂକ ନିଷ୍ଠା ପରୀକ୍ଷା କରିବାକୁ ଯାଇ ଶିବ ଅତ୍ୟନ୍ତ ବିକୃତ ରୂପ ଗ୍ରହଣ କରି ବର ବେଶରେ ଆସିଥିଲେ। ତାଂକର ବିକୃତ ଓ ବିଭତ୍ସ ବେଶ ବର୍ନନା “କଳସା ଚୌତିଶା “ ରେ ଦେଖିବାକୁ ମିଳେ ।

୪. ବରଯାତ୍ରୀ ଭାବରେ ଶିବଗଣ ଅତ୍ୟନ୍ତ ଉଦ୍ଦଣ୍ଡ ଓ ଅଦ୍ଭୁତ ଭାବରେ ହିମାଲୟ ରେ ପ୍ରବେଶ କରିଥିଲେ। ଭୁତ, ପିଶାଚ, ଡାକିନୀ, ବେତାଳ, ନନ୍ଦୀ, ଭୃଂଗୀ, ଯକ୍ଷ ଓ କିନ୍ନର ମାନେ ବରଯାତ୍ରୀ ଭାବେ ଯାଇଥିବାରୁ ତାହା ଏକ ବିଚିତ୍ର ଶୋଭାଯାତ୍ରା ରେ ପରିଣତ ହୋଇଥିଲା। ସେହି ସ୍ମୃତିରେ ଆଜି ମଧ୍ୟ ଶିବ ବର ଯାତ୍ରା ରେ ଅଦ୍ଭୁତ ଚରିତ୍ର ଓ ବେଶ ଭୂଷା ର ଚରିତ୍ର ମାନଂକୁ ଦେଖିବାକୁ ମିଳେ ।

୫. ସମ୍ବଲପୁର୍ ଶୀତଳ ଷଷ୍ଠୀ ଯାତ୍ରାରେ ଲୋକ ପରମ୍ପରା ଓ ଶାସ୍ତ୍ରିୟ ପରମ୍ପରା ର ସୁନ୍ଦର ମିଶ୍ରଣ ଘଟିଥାଏ। ବିବାହ ଉତ୍ସବ ରେ ଲୌକିକ ପରମ୍ପରା ର ପ୍ରଭାବ ଏତେ ବେଶୀ ଯେ ଶିବ ଓ ପାର୍ବତୀ ସାଧାରଣ ବର କନ୍ୟା ପାଲଟି ଯାନ୍ତି।

୬. ୪୦୦ ବର୍ଷ ତଳେ ଚୌହାଣ ରାଜା ଅଜିତ ସିଂ ଏହି ପରମ୍ପରା ଆରମ୍ଭ କରିଥିଲେ ବୋଲି କୁହାଯାଏ। ଶିବ ଓ ଶକ୍ତି ପରମ୍ପରା ସହ ଆଦିବାସୀ ପରମ୍ପରାକୁ ସମନ୍ବିତ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରାରେ ସବୁ ବର୍ଗ ଓ ଗୋଷ୍ଠୀ ର ପ୍ରତିନିଧିତ୍ଵ ରହିଛି। ଜାତି, ଧର୍ମ ଓ ଲିଂଗଗତ ବୈଷମ୍ୟ ଏହି ଯାତ୍ରା ରେ ବିଲକୁଲ୍ ଦେଖିବାକୁ ମିଳେ ନାହିଁ।

୭. ଶୀତଳ ଷଷ୍ଠୀ ଯାତ୍ରାରେ ତୃତୀୟ ଲିଂଗ ବା କିନ୍ନର ମାନେ ଶହ ଶହ ସଂଖ୍ୟାରେ ଯୋଗଦାନ କରିଥାନ୍ତି। ପଶିମ ଓଡିଶାରେ ଏହି କିନ୍ନର ମାନଂକୁ ରଂଗ ବୋଲି କୁହା ଯାଇଥାଏ। ବର ଯାତ୍ରା ଓ ବିବାହ ପରବର୍ତ୍ତୀ ଶୋଭାଯାତ୍ରା ରେ କିନ୍ନର ମାନେ ଅଂଶ ଗ୍ରହଣ କରିଥାନ୍ତି।

୮. ଶୀତଳ ଷଷ୍ଠୀ ଯାତ୍ରାରେ ସାଧାରଣ ବିବାହ ଉତ୍ସବ ପରି ଥାଳ ଉଠା, ଦେବ ନିମନ୍ତ୍ରଣ, ଗୁଆ ଗୁଣ୍ଡା , ପତରପେଣ୍ଡି, ମଂଗନ, ଗଣଶନ, ବରଯାତ୍ରା, ହାତ ଗନ୍ଥୀ, କନ୍ୟା ଦାନ ଓ ବିଦାୟୀ ପରି ଲୌକିକ ଆଚାର ଦେଖିବାକୁ ମିଳେ। ସମ୍ବଲପୁର୍ ର ନନ୍ଦ ପଡା ଓ ଝାଡୁଆ ପଡା ସମେତ ଓଡିଶାର ପୁର ପଲ୍ଲୀ ରେ ଏହି ଯାତ୍ରା ଅନୁଷ୍ଠିତ ହୁଏ।

ଲିଂଗରାଜ ମନ୍ଦିର ଓ ପୁରୀ ଶ୍ରୀ ମନ୍ଦିର ରେ ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରା ଆୟୋଜିତ ହୋଇଥାଏ।

୯. ଶୀତଳ ଷଷ୍ଠୀ ଯାତ୍ରା ର ଶୋଭା ଯାତ୍ରା ତଥା ସୁଦୃଶ୍ୟ ପରଭା ଦେଖିବାକୁ ଲୋକ ଭିଡ ଜମିଥାଏ। ଲୋକ ନୃତ୍ୟ, ଲୋକ କଳା ଓ ବ୍ୟାବସାୟିକ କଳା ର ଅପୂର୍ବ ସମନ୍ବୟ ଫଳରେ ଏହି ଶୋଭା ଯାତ୍ରା ଅନୁପମ ଦିଶେ।

୧୦. ସମ୍ପ୍ରତି ନୁଆ ଓ ପୁରୁଣା ପରମ୍ପରା ର ସଂଗମ ଭାବରେ ଶୀତଳ ଷଷ୍ଠୀ ଯାତ୍ରାକୁ ଏକ ସାଂସ୍କୃତିକ ମହା ସଂଗମ ବୋଲି ଆମେ କହି ପାରିବା।

 

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ପରମ୍ପରା, ମନୋରଞ୍ଜନ, ଶୀତଳ ଷଷ୍ଠୀ

ମଙ୍ଗଳବାର ବଲାଙ୍ଗୀର ସୁଲିଆ ଯାତ୍ରା:ମୁଖ୍ୟ ଖଳାରେ ୧୪୪ ଧାରା

January 14, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଜାନୁଆରୀ ୧୪(ଓଡିଶା ଡଟ୍ କମ୍)-ମଙ୍ଗଳବାର ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରଗୁଡା ଗ୍ରାମରେ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ଯାତ୍ରା କମିଟି ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି । ଅନ୍ୟପଟରେ ମୁଖ୍ୟ ଖଳାରେ ପଶୁ ବଳି ନିଷେଧ କରିବା ପାଇଁ ପ୍ରଶାସନ ୧୪୪ ଧାରା ଲାଗୁ କରିଛି ।

ଆସନ୍ତାକାଲି ୩ ମାଜିଷ୍ଟେଡ ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ଯାଇ ଶାନ୍ତିଶୃଙ୍ଖଳା ରକ୍ଷା କରିବେ ବୋଲି ବଲାଙ୍ଗୀର ଉପଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ କହିଛନ୍ତି ।

ଖଇରଗୁଡା ଗ୍ରାମର ସୁଲିଆ ପାହାଡର ପାଦଦେଶରେ ରହିଛି ସୁଲିଆ ଦେବତାଙ୍କ ପୀଠ । ପ୍ରତିବର୍ଷ ପୌଷମାସ ଶୁକ୍ଲପକ୍ଷ ଦ୍ୱିତୀୟ ମଙ୍ଗଳବାରରେ ଏଠାରେ ପୂଜାର୍ଚ୍ଚନା ସହ ହଜାର ହଜାର ପଶୁବଳି ଦିଆଯାଇଥାଏ ।

ମାନସିକ କରି ଲୋକମାନେ ପୋଢ,ଛେଳି ଓ କୁକୁଡାକୁ ବଳି ଦେଇଥାନ୍ତି । ବଳିକୁ ବନ୍ଦ କରିବାକୁ ବହୁ ସ୍ୱଚ୍ଛାସେବୀ ଦାବିକରି ହାଇକୋର୍ଟ ଯିବାପରେ ମାନ୍ୟବର କୋର୍ଟ ବଳିନପକାଇବାକୁ ନିଦେ୍ର୍ଧଶ ଦେଲେ । ତଥାପି ଆଦିବାସୀମାନେ ନୂଆଖଳା ଓ କୁମରିଆ ଗ୍ରାମର ସାନଖଳାରେ ବଳିଦେବା ଆରମ୍ଭ କଲେ ।

ମୁଖ୍ୟଖଳାରେ ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ୧୪୪ ଧାରା ଲାଗୁ କରି ବଳି ଦେବାକୁ ବାରଣ କରୁଛନ୍ତି କିନ୍ତୁ ପୋଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ତଥାପି ବଳି ପଡୁଛି ।

ଚଳିତବର୍ଷ ମଧ୍ୟ ଆଦିବାସୀ ନେତାଙ୍କ ସହ ପ୍ରଶାସନ ଆଲୋଚନା କରିଥିଲା । ବଳିବନ୍ଦ ପାଇଁ ନିବେଦନ କରିଥିଲା । କିନ୍ତୁ ଆଦିବାସୀ ପରମ୍ପରା ବଜାୟ ରଖିବାକୁ ଜିଦ୍ ଧରି ସୁଲିଆପିଠରେ ବଳି ପଡିବ ବୋଲି କହିଛନ୍ତି ଆଦିବାସୀ କଲ୍ୟାଣ ମହାସଂଘର ସଭାପତି ବ୍ରଜ କିଶୋର ସିଂ ଭୋଇ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ୧୪୪ ଧାରା, ଆଦିବାସୀ, ପରମ୍ପରା, ବଲାଙ୍ଗୀର, ବଳି, ସୁଲିଆ ଯାତ୍ରା

ହେରିଟେଜ୍ ଇଣ୍ଡିଆ କୁଇଜ୍: ଡ଼ିଏଭି ଚନ୍ଦ୍ରଶେଖରପୁର ଚମ୍ପିୟାନ

November 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ଭାରତର ଐତିହ୍ୟ ସମୃଦ୍ଧ ପରମ୍ପରା ସହ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବା ପାଇଁ ସିବିଏସ୍ଇ ଦ୍ୱାରାଆୟୋଜିତ ହେରିଟେଜ୍ ଇଣ୍ଡିଆ କୁଇଜ୍ରେ ଡ଼ିଏଭି ଚନ୍ଦ୍ରଶେଖରପୁର ଜୋନାଲ ଚମ୍ପିୟାନ ହୋଇଛି ।

ଚଳିତ ବର୍ଷ ଏହି ପ୍ରାରମ୍ଭିକ ଲିଖିତ ପରୀକ୍ଷା ପରେ ଜୋନ୍ ସ୍ତରରେ ଛଅଟି ବ୍ୟିାଳୟକୁ ନେଇ ସ୍ଥାନୀୟ ୟୁନିଟ୍ ୮ ଡ଼ିଏଭି ବ୍ୟିାଳୟରେ ଗତ ୧୯ ତାରିଖରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ କେନ୍ଦ୍ରୀୟ ବ୍ୟିାଳୟ-୧, ଡ଼ିଏଭି ସିଡ଼ିଏ କଟକ, ମଂଚେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟକୁ ହରାଇ ଚନ୍ଦ୍ରଶେଖରପୁର ଡ଼ିଏଭିର ଅଶ୍ୱିନୀ ବେହେରା, ସ୍ୱସ୍ତିକ ପ୍ରଧାନ ଏବଂ ଗୌରବ ଜେନା
ଜୋନାଲ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଚନ୍ଦ୍ରଶେଖରପୁର, ପରମ୍ପରା, ସିବିଏସ୍ଇ

Primary Sidebar

RSS LATEST

  • ମଦୁଆ ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ
  • ଝାରସୁଗୁଡାରେ ଆଜିକାର ତାପମାତ୍ରା ୩୯ ଡିଗ୍ରୀ
  • ହୀରାକୁଦରେ ଆଜିକାର ତାପମାତ୍ରା ୩୯.୧ ଡିଗ୍ରୀ
  • ଭବାନୀପାଟଣାରେ ଆଜିକାର ତାପମାତ୍ରା ୪୧ ଡିଗ୍ରୀ
  • ଟିଟିଲାଗଡ଼ରେ ଆଜିକାର ତାପମାତ୍ରା ୪୧ ଡିଗ୍ରୀ
  • ସୋନପୁରରେ ଆଜିକାର ତାପମାତ୍ରା ୪୦.୩ ଡିଗ୍ରୀ
  • ନୟାଗଡରେ ଆଜିକାର ତାପମାତ୍ରା ୪୦ ଡିଗ୍ରୀ
  • ସୁନ୍ଦରଗଡ଼ରେ ଆଜିକାର ତାପମାତ୍ରା ୪୨ ଡିଗ୍ରୀ
  • ଭୁବନେଶ୍ୱରରେ ଆଜିକାର ତାପମାତ୍ରା ୩୫.୫ ଡିଗ୍ରୀ
  • ଜାନୁଆରୀ ଦରମା ନ ମିଳିବାରୁ ସୁରକ୍ଷା କର୍ମୀଙ୍କ ଧାରଣା