• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପର୍ଯ୍ୟଟକ

ପର୍ଯ୍ୟଟକଙ୍କୁ ମୁକ୍ତ କରିବାକୁ ମନା କଲେ ମାଓବାଦୀ

April 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୬(ଓଡ଼ିଶା ଡ଼ଟ୍ କମ୍) ଦାବି ପୂରଣ ପାଇଁ ସରକାରଙ୍କ ନିଷ୍ପତି ସତ୍ୱେ ଅପହୃତ ଇଟାଲୀୟ ପର୍ଯ୍ୟଟକଙ୍କୁ ମୁକ୍ତ କରିବାକୁ ଶୁକ୍ରବାର ମାଓବାଦୀମାନେ ମନା କରିଦେଇଛନ୍ତି ।

ମାଓ ମଧ୍ୟସ୍ଥି ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ଏକ ଫାର୍ସ ଏବଂ ଇଟାଲୀୟ ପର୍ଯ୍ୟଟକଙ୍କୁ ମୁକ୍ତ କରାଯିବ ନାହିଁ ବୋଲି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଏକ ଅଡ଼ିଓ ବାର୍ତା ସ୍ଥାନୀୟ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଛି ।

ସେମାନଙ୍କର ଦାବି ସଂପର୍କରେ ମଧ୍ୟସ୍ଥିଙ୍କ ସହ କୌଣସି ଚୁକ୍ତି କରିନଥିବାରୁ ସେ ସରକାରଙ୍କୁ ସମାଲୋଚନା କରିବା ସହ ମଙ୍ଗଳବାର ସୁଦ୍ଧା ସରକାର ଦାବି ପୂରଣ ନକଲେ ତାଙ୍କ ଦଳ ଚରମ ପଦକ୍ଷେପ ଗ୍ରହଣ କରିବ ବୋଲି ସେ କହିଛନ୍ତି ।

ତେବେ ପର୍ଯ୍ୟଟକଙ୍କ ନିରାପଦ ମୁକ୍ତି ପାଇଁ ସରକାର ଗ୍ରହଣ କରିଥିବା ନିଷ୍ପତି ସଂପର୍କରେ ଦୁଇ ମାଓ ମଧ୍ୟସ୍ଥି ସ୍ପଷ୍ଟିକରଣ ଲୋଡ଼ିଛନ୍ତି । ସରକାର କିପରି ଭାବେ ବନ୍ଦୀଙ୍କୁ ମୁକ୍ତ କରିବେ ତାହା ସ୍ପଷ୍ଟ ଜଣାପଡ଼ୁ ନାହିଁ, ଏ ସଂପର୍କରେ ସରକାରଙ୍କ ଦ୍ୱାରାନିଯୁକ୍ତ ଅଧିକାରୀଙ୍କୁ ଜଣାଇଛୁ ବୋଲି ମାଓ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି କହିଛନ୍ତି ।

“ଏ ସଂପର୍କରେ ସେମାନେ ଉତ୍ତର ଦେବେ” ତିନି ଅଧି୍କାରୀଙ୍କ ସହ ଆଲୋଚନା ପରେ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି । ମୁଖମନ୍ତ୍ରୀଙ୍କ ଘୋଷଣା ପରେ ମାଓବାଦୀମାନେ ଅପହୃତଙ୍କୁ ମୁକ୍ତ କରିବେ କି ନାହିଁ ସେ ନେଇ ମଧ୍ୟସ୍ଥିଙ୍କ ନିକଟରେ କୌଣସି ସୂଚନା ନଥିବା ମହାନ୍ତି କହିଛନ୍ତି । “ବର୍ତମାନ ପରିସ୍ଥିତିରେ ଆମେ କିଛି କହିପାରିବୁ ନାହିଁ, ମାଓବାଦୀ ଯାହା କରିବେ” ସେ କହିଛନ୍ତି।

ଗତ ମାର୍ଚ୍ଚ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ଓଡ଼ିଶା ଶାଖା ସିପିଆଇ ମାଓବାଦୀ ସଂଗଠନ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋଙ୍କୁ ଅପହରଣ କରିନେଇଥିଲା ।

ସେହିପରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ବିଧାୟକ ଝିନ୍ନ ହିକକାଙ୍କୁ ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ଅପହରଣ କରିନେଇଥିଲା ।

ମିଥ୍ୟା ମାମଲାରେ ବିଭିନ୍ନ ଜେଲ୍ ରେ ଥିବା ବନ୍ଦୀଙ୍କୁ ମୁକ୍ତ କରିବା ସହ ୧୩ଟି ଦାବି ପୂରଣ କରିବାକୁ ସିପିଆଇ ମାଓବାଦୀ ସଂଠନର ଉଭୟ ଦଳ ପକ୍ଷରୁ ସରକାରଙ୍କୁ କୁହାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ମାଓବାଦୀ

ଜେଲ୍ ରୁ ମୁକ୍ତ ହେବାକୁ ଥିବା ବନ୍ଦୀଙ୍କ ନାମ ଘୋଷଣା

April 5, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୫(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଦେଶୀ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ପାଇଁ ଜେଲ୍ ରୁ ଖଲାସ ହେବାକୁ ଥିବା ୨୭ ଜଣ ବନ୍ଦୀଙ୍କ ନାମ ସରକାର ଗୁରୁବାର ଘୋଷଣା କରିଛନ୍ତି ।

ଏମାନଙ୍କ ମଧ୍ୟରେ ଆଠ ଜଣ ମାଓବାଦୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆନ୍ଧ୍ରପ୍ରଶେ ଏବଂ ଛଅ ଜଣ ଓଡ଼ିଶାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ କହିଛନ୍ତି ।

ବିଧାୟକ ଝିନ୍ନ ହିକକାଙ୍କ ପାଇଁ ଚାଷୀମୂଲିଆ ଆଦିବାସୀ ସଂଘର ୧୫ ଜଣ ଓ ଆଠ ଜଣ ମାଓବାଦୀଙ୍କୁ ସରକାର ଜେଲରୁ ଖଲାସ କରିବେ ।

ବିଧାୟକଙ୍କ ମୁକ୍ତି ପାଇଁ ଖଲାସ ହେବାକୁ ଥିବା ବନ୍ଦୀଙ୍କ ମଧ୍ୟରୁ ଆଠ ଜଣ ମାଓବାଦୀ ହେଲେ ନର୍ସି କେନ୍ଦୁ୍ରକା, ଜୋରୁକା କେନ୍ଦ୍ରୁକା, ବେ ମାଢି, ଗଙ୍ଗା ସୋଡ଼ି, ଭୀମା ପଡ଼ିଆମି, ମଙ୍ଗରାଜ ରୁଆ, ମାଓ ମ୍ପତି ନୁର୍ଲା ନିଲମ ରେଡ୍ଡୀ ଓ ସେତୁ ପାଙ୍ଗି ।

ଚାଷୀ ମୂଲିଆ ଆଦିବାସୀ ସଂଘର ୧୫ ଜଣ ସଦସ୍ୟ ହେଲେ ରୁପୁନି ସିରିକା, ମିନିଆକା ସାନ୍ଦଲ, ମିନିଆକା ଜାମା, ସଉରା କାର୍ତାସିଆ, ନାଚିକା ସୁବା, ସ୍ୱାକୋ ଦିବା, ରବି ତାଡ଼ିଙ୍ଗି, ଧନ ହନ୍ତାଲ, ଦୋରା ହନ୍ତାଲ, ରମେଶ ନାଚିକା, ହୁଲୁକୁ କେଶବ, ଇନା ତାଡ଼ିଙ୍ଗି, ରୂପନା ହୁଲୁକା, ଅର୍ଗୁ ସିରିକା ଓ ବିଜୟ ତାଡ଼ିଙ୍ଗି ।

ସେହିପରି ଆରତୀ ମାଝି, ଶୁକ ନାଚିକା, ଚକ୍ର ତାଡ଼ିଙ୍ଗି ଏବଂ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ସୁଭଶ୍ରୀ ଦାସ(ମିଲି ପଣ୍ଡା)ଙ୍କୁ ବିଦେଶୀ ପର୍ଯ୍ୟଟକ ପାଓଲୋ ବାସୁସ୍କୋଙ୍କ ମୁକ୍ତି ପାଇଁ ଖଲାସ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଘୋଷଣା ଅନୁଯାୟୀ ରାଜ୍ୟ ସରକାର ସଂପୃକ୍ତ ବନ୍ଦୀଙ୍କ ମୁକ୍ତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ
କରିବେ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ମାଓବାଦୀ

ପର୍ଯ୍ୟଟକଙ୍କୁ ଛାଡ଼ି ଦେବାକୁ ମଧ୍ୟସ୍ଥିଙ୍କ ନିବେଦନ

March 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩୧(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କୁ ଛାଡ଼ି ଦେବାକୁ ଦୁଇ ମଧ୍ୟସ୍ଥି ଶନିବାର ମାଓବାଦୀଙ୍କୁ ନିବେଦନ କରିଛନ୍ତି ।

ମାଓବାଦୀମାନେ ଉପସ୍ଥାପନ କରିଥିବା ଦାବି ଗୁଡ଼ିକ ମଧ୍ୟରୁ ସରକାର ଅଧିକାଂଶ ପୂରଣ କରିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ସେମାନେ ମଧ୍ୟ ପର୍ଯ୍ୟଟକଙ୍କୁ ତୁରନ୍ତ ଛାଡ଼ି ଦେବା ଉଚିତ୍ ବୋଲି ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଏବଂ ବି.ଡ଼ି.ଶର୍ମା ଗଣମାଧ୍ୟମକୁ କହିଛନ୍ତି ।

ସରକାର ଚାହିଁଲେ ଯେକୌଣସି ସମୟରେ ପୁଣି ଆଲୋଚନା କରାଯିବ ବୋଲି ସେମାନେ କହିଛନ୍ତି ।

ବାରମ୍ବାର ନିବେଦନ ସତ୍ୱେ ମାଓବାଦୀଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ମୁକ୍ତି ନେଇ କୌଣସି ସୂଚନା ଦିଆଯାଇନଥିବା ବେଳେ ଦିନେ ଦୁଇଦିନ ମଧ୍ୟରେ ତାଙ୍କର ମୁକ୍ତି ନେଇ ଆଶା କରାଯାଉଛି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ତେବେ ଦୀର୍ଘ ୧୧ଦିନ ପରେ ଗତ ରବିବାର କନ୍ଧମାଳ ଜିଲ୍ଲାର ଏକ ସ୍ଥାନରେ ମାଓବାଦୀମାନେ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ପର୍ଯ୍ୟଟକ, ମାଓବାଦୀ

ରାୟଗଡ଼ାକୁ ବିଦେଶୀ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା

March 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ମାର୍ଚ୍ଚ ୩୧(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ଦ୍ୱାରା ପର୍ଯ୍ୟଟକଙ୍କ ଅପହରଣକୁ ଦୃଷ୍ଟିରେ ରଖି ବିଦେଶୀ ପର୍ଯ୍ୟଟକମାନେ ରାୟଗଡ଼ା ଜିଲ୍ଲାକୁ ନଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର କଟକଣା ଜାରି କରାଯାଇଛି ।

ଏସଂପର୍କରେ ଜିଲ୍ଲାପାଳ ଏକ ବିଜ୍ଞପ୍ତି ଜାରି କରିଥିବା ବେଳେ ଟୁର୍ ଅପରେଟରମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଜିଲ୍ଲାକୁ ନଆଣିବାକୁ ବିଜ୍ଞପ୍ତି ଜରିଆରେ କୁହାଯାଇଛି ।

ପରବର୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ମାଓବାଦୀ, ରାୟଗଡ଼ା

ଅପହୃତ ଜଣେ ଇଟାଲୀୟ ପର୍ଯ୍ୟଟକ ମୁକ୍ତ

March 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୫(ଓଡ଼ିଶା ଡ଼ଟ୍ କମ୍) ଦଶଦିନ ତଳେ ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ମାଓବାଦୀମାନେ ରବିବାର ଜଣଙ୍କୁ ମୁକ୍ତ କରିଛନ୍ତି ।

“ମାଓବାଦୀମାନେ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ମୁକ୍ତ କରିଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି” ଗୃହ ସଚିବ ଉପେନ୍ଦ୍ରନାଥ ବେହେରା ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଅନ୍ୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋ ଏବଂ ବିଜେଡ଼ି ବିଧାୟକଙ୍କ ମୁକ୍ତି ପାଇଁ ସରକାର ଉଦ୍ୟମ ଜାରି ରଖିବେ ବୋଲି ସେ କହିଛନ୍ତି ।

କନ୍ଧମାଳ ଜିଲ୍ଲାର ଏକ ସ୍ଥାନରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି ।

ସମାଜର ବିଭିନ୍ନ ବର୍ଗର ଲୋକଙ୍କ ନିବେଦନ ପରେ ସେମାନେ ଏହି ପର୍ଯ୍ୟଟକଙ୍କୁ ମୁକ୍ତ କରିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ସେହିପରି ଶନିବାର ମଧ୍ୟରାତ୍ରିରେ ମାଓବାଦୀମାନେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାୟକ ତଥା ଆଦିବାସୀ ନେତା ୩୭ ବର୍ଷ ବୟସ୍କ ଝିନ୍ନ ହିକକାଙ୍କୁ ଅପହରଣ କରିନେଇଥିଲେ ।

ଅପହୃତଙ୍କ ମୁକ୍ତି ପାଇଁ ସେମାନେ ଆଦିବାସୀ ଅଂଚଳକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା, ମାଓ ବିରୋଧୀ ଅଭିଯାନ ବନ୍ଦ ତଥା ବିଭିନ୍ନ ଜେଲରେ ଥିବା ବ୍ୟକ୍ତିଙ୍କୁ ଖଲାସ କରିବା ସହ ୧୩ଟି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଇଟାଲୀୟ, ପର୍ଯ୍ୟଟକ

ପର୍ଯ୍ୟଟକଙ୍କ ମୁକ୍ତି ନେଇ ଆଲୋଚନା ଶନିବାର ପର୍ଯ୍ୟନ୍ତ ଜାରି

March 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୩ (ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ଗତ ଏକ ସପ୍ତାହ ହେଲା ମାଓବାଦୀଙ୍କ ଦ୍ୱାରା ଅପହୃତ ଦୁଇଜଣ ଇଟାଲୀୟ ପର୍ଯ୍ୟଟକଙ୍କ ନିରାପଦ ମୁକ୍ତି ନେଇ ଚାଲିଥିବା ଆଲୋଚନା ଶନିବାର ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଦୁଇଜଣ ମାଓ ମଧ୍ୟସ୍ଥି ଓ ସରକାରଙ୍କ ଦ୍ୱାରା ନିଯୁକ୍ତ ତିନିଜଣ ଉଚ୍ଚ ପଦସ୍ଥ ଅଫିସରଙ୍କ ମଧ୍ୟରେ ଶୁକ୍ରବାର ସଂଧ୍ୟା ପର୍ଯ୍ୟନ୍ତ ବହୁଘଣ୍ଟା ଧରି ତେରଦଫା ଦାବି ନେଇ ଆଲୋଚନା ଚାଲିଥିଲା ।

ଏହି ଆଲୋଚନା କିଛି ବାଟ ଆଗେଇଛି କିନ୍ତୁ କୌଣସି ଚୁଡ଼ାନ୍ତରେ ପହଞ୍ଚି ନାହିଁ ବୋଲି ଆଲୋଚନାରେ ଭାଗ ନେଇଥିବା ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି ।

ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହାର ସମାଧାନ ହୋଇଯାଇପାରେ ବୋଲି ମାଓ ମଧ୍ୟସ୍ଥି ବି.ଡ଼ି.ଶର୍ମା କହିଛନ୍ତି ।

“ବର୍ତମାନ ବି ସେମାନେ ଏହି ଆଲୋଚନାରେ ଜେଲରେ ଥିବା ଜଣେ ମାଓ ନେତାଙ୍କୁ ବି ସାମିଲ
କରିବାକୁ ଚାହୁଁଛନ୍ତି କି?” ବୋଲି ଜଣେ ସମ୍ବାଦିକଙ୍କ ଏହି ପ୍ରଶ୍ନର ଉତ୍ତରରେ ବର୍ତମାନ ଏହା କାର୍ଯ୍ୟକ୍ରମରେ ନାହିଁ ବୋଲି ଶର୍ମା କହିଛନ୍ତି ।

ଅପହୃତ ବ୍ୟକ୍ତି ଦ୍ଵୟ ନିରାପଦରେ ଅଛନ୍ତି ଏବଂ ସେମାନଙ୍କୁ କେବେ ମୁକ୍ତ କରାଯିବ ତାହା ବର୍ତମାନ କହିପାରିବି ନାହିଁ ବୋଲି ଶର୍ମା ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ଉଭୟଙ୍କ ମୁକ୍ତି ପାଇଁ ସେମାନେ ଆଦିବାସୀ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା, ମାଓ ବିରୋଧୀ ଅଭିଯାନ ବନ୍ଦ ତଥା ବିଭିନ୍ନ ଜେଲରେ ଥିବା ବ୍ୟକ୍ତିଙ୍କୁ ଖଲାସ କରିବା ସହ ୧୩ଟି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ।

ଗୃହ ସଚିବ ଉପେନ୍ଦ୍ରନାଥ ବେହେରା, ପଞ୍ଚାୟତିରାଜ ସଚିବ ପ୍ରଦୀପ ଜେନା ଏବଂ ଆଦିବାସୀ କଲ୍ୟାଣ ବିଭାଗ ସଚିବ ସନ୍ତୋଷ ଷଡ଼ଙ୍ଗୀ ସରକାରଙ୍କ ପକ୍ଷରୁ ଆଲୋଚନାରେ ପ୍ରତିନିଧିତ୍ୱ କରିଛନ୍ତି ।

ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ଶୋଭାଯାତ୍ରା, ର୍ୟାଲି କରି ଦୁଇ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଦାବି କରିବା ସହ ଅପହରଣ ଘଟଣାକୁ ବିରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ପର୍ଯ୍ୟଟକ, ମାଓବାଦୀ

ପର୍ଯ୍ୟଟକ ଅପହରଣ: ମଧ୍ୟସ୍ଥିଙ୍କ ସହ ସରକାରଙ୍କ ଆଲୋଚନା

March 22, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୨(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ପର୍ଯ୍ୟଟକଙ୍କ ନିରାପଦ ମୁକ୍ତି ପାଇଁ ସରକାର ମାଓବାଦୀଙ୍କ ଦ୍ୱାରାନିଯୁକ୍ତ ଦୁଇ ମଧ୍ୟସ୍ଥିଙ୍କ ସହ ଗୁରୁବାର ଆଲୋଚନା ଆରମ୍ଭ କରିଛନ୍ତି ।

ରାଜ୍ୟ ଅତିଥି ଭବନରେ ସରକାରଙ୍କ ତିନି ଅଧିକାରୀ ଓ ଦୁଇ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଏବଂ ଡ଼ିଡ଼ି ଶର୍ମାଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବା ଜଣେ ଅଧିକାରୀ କହିଛନ୍ତି ।

ଗୃହ ସଚିବ ଉପେନ୍ଦ୍ରନାଥ ବେହେରା, ପଞ୍ଚାୟତିରାଜ ସଚିବ ପ୍ରଦୀପ ଜେନା ଏବଂ ଆଦିବାସୀ କଲ୍ୟାଣବିଭାଗ ସଚିବ ସନ୍ତୋଷ ଷଡ଼ଙ୍ଗୀ ପ୍ରାୟ ଦେଢ ଘଣ୍ଟା ଧରି ଆଲୋଚନା କରିଥିବା ବେଳେ ଆସନ୍ତାକାଲି ପୁଣି ଆଲୋଚନା ହେବ ବୋଲି ସେ କହିଛନ୍ତି ।

ମାଓବାଦୀମାନଙ୍କ ୧୩ ଦଫା ଦାବିକୁ ସରକାରୀ ପ୍ରତିନିଧିଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି ।

ସେମାନେ ଏ ସଂପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆସନ୍ତାକାଲି ସୁଦ୍ଧା ଆମକୁ ଜଣାଇବେ ବୋଲି ଆଲୋଚନା ପରେ ଦଣ୍ଡପାଣି ମହାନ୍ତି ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ଆଲୋଚନାକୁ ଫଳପ୍ରଦ କରିବା ପାଇଁ ତିହାର ଜେଲ୍ ରେ ଥିବା କୋବାଡ ଗାନ୍ଧି, ବିଶାଖାପାଟଣା ଜେଲ୍ ରେ ଥିବା ଅମିତ୍ ବାଗ୍ଚିଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍କୁ ଆଣିବାକୁ ହେବ ।

ସେମାନଙ୍କ ମଧ୍ୟରୁ ଜଣକୁ ଏଠାକୁ ନ ଆଣିଲେ ଆଲୋଚନାର ଫଳାଫଳ ମାଓବାଦୀଙ୍କ ନିକଟରେ ପହଞ୍ଚିଯାଇ ପାରିବନାହିଁ ।

ତେବେ ଅପହୃତ ଦୁଇ ପର୍ଯ୍ୟଟକଙ୍କର କୌଣସି କ୍ଷତି ନଘଟାଇବା ପାଇଁ ଆମେ ମାଓବାଦୀ ମାନଙ୍କୁ ନିବେଦନ କରୁଛୁ ଏବଂ ଦୁଇ ପର୍ଯ୍ୟଟକ ମଧ୍ୟ ସୁସ୍ଥ ଅଛନ୍ତି ।

ତେବେ ମଧ୍ୟସ୍ଥିଙ୍କ ସହ ଆଲୋଚନା ପୂର୍ବରୁ ସରକାର ଦୁଇଟି ଦାବି ମାନିନେଲେ ଅପହୃତ ଜଣେ ବ୍ୟକ୍ତିଙ୍କୁ ଆମ ଲୋକ ଛାଡ଼ିଦେବେ ବୋଲି ମାଓନେତା ସବ୍ୟସାଚୀ ପଣ୍ଡା କେତେକ ଗଣମାଧ୍ୟମକୁ ଟେଲିଫୋନ୍ କରି କହିଛନ୍ତି ।

ପତ୍ନୀ ସୁଭଶ୍ରୀ ପଣ୍ଡାଙ୍କ ସମେତ ପାଞ୍ଚ ଜଣ ମାଓବାଦୀଙ୍କୁ ଜେଲରୁ ମୁକ୍ତ କରିବା ବଦଳରେ ଜଣେ ବିଦେଶୀ ନାଗରିକଙ୍କୁ ଛାଡ଼ିିଆଯିବ ବୋଲି ସେ କହିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ଉଭୟଙ୍କ ମୁକ୍ତି ପାଇଁ ସେମାନେ ସରକାରଙ୍କ ନିକଟରେ ୧୩ଟି ଦାବି ଉପସ୍ଥାପନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ସରକାର

ଅପହରଣ ଘଟଣା ନେଇ ସର୍ବଦଳୀୟ ବୈଠକ ବିଫଳ

March 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୧(ଓଡ଼ିଶା ଡ଼ଟ୍ କମ୍) ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ଅପହରଣ ଘଟଣା ନେଇ ବୁଧବାର ବାଚସ୍ଫତି ଡ଼ାକିଥିବା ସର୍ବଦଳୀୟ ବୈଠକ ବିଫଳ ହୋଇଛି ।

ଅପହରଣ ବିଷୟ ନେଇ କେନ୍ଦ୍ର ସରକାର କୌଣସି ପ୍ରକାର ସହାୟତା କରୁନଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ
ବିଭିନ୍ନ ଗଣମାଧ୍ୟମରେ ଦେଇଥିବା ବିବୃତିକୁ ବିରୋଧ କରି ବିରୋଧୀ ବିଧାୟକମାନେ ତାଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ ।

ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିବୃତି ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।

ତେବେ ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ସରକାରଙ୍କ ପାଇଁ ମୁଖ୍ୟ ବିଷୟ । ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ କୌଣସି ପ୍ରକାର ବାକ୍ୟ ବିନିମୟ କରିବାକୁ ସେ ଚାହାନ୍ତି ନାହିଁ ବୋଲି ନବୀନ ଗଣମାଧ୍ୟମକୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅପହରଣ, ଇଟାଲୀ, ପର୍ଯ୍ୟଟକ

ଦୁଇ ନୂଆ ମଧ୍ୟସ୍ଥିଙ୍କ ନାମ ଦେଲେ ମାଓବାଦୀ

March 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୧(ଓଡ଼ିଶା ଡ଼ଟ୍ କମ୍) ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ଅନୁଯାୟୀ ମାଓବାଦୀମାନେ ପୁଣି ଦୁଇ ନୂଆ ମଧ୍ୟସ୍ଥିଙ୍କ ନାମ ଦେଇଛନ୍ତି ।

ଏହି ପ୍ରସ୍ତାବ ଅନୁଯାୟୀ ସେମାନେ ମଙ୍ଗଳବାର ରାତିରେ ପ୍ରଫୁଲ୍ଲ ସାମନ୍ତରା ଏବଂ ବିଡ଼ି ଶର୍ମାଙ୍କ ନାମ ଦେଇଥିବା ବେଳେ ସମୟସୀମାକୁ ମଧ୍ୟ ବୁଧବାର ସଂଧ୍ୟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ମଧ୍ୟସ୍ଥତା ପାଇଁ ମାଓନେତା ନାରାୟଣ ସାନ୍ୟାଲ, ଦଣ୍ଡପାଣି ମହାନ୍ତି ଓ ବିଶ୍ୱପ୍ରିୟ କାନୁନ୍ଗୋଙ୍କ ନାମ ପୂର୍ବରୁ ମାଓବାଦୀମାନେ ସୁପାରିସ କରିଥିଲେ । ସାନ୍ୟାଲ ଏବଂ ବିଶ୍ୱପ୍ରିୟଙ୍କ ମଧ୍ୟସ୍ଥତାକୁ ସରକାର ଗ୍ରହଣ ନକରି ନୂଆ ମଧ୍ୟସ୍ଥିଙ୍କ ନାମ ସୁପାରିଶ ପାଇଁ ପ୍ରସ୍ତାବ ଦେଇଥିଲେ ।

ସାନ୍ୟାଲ ବର୍ତମାନ ଛତିଶଗଡ଼ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବାରୁ ସେ ମଧ୍ୟସ୍ଥତା କରିବା ସମ୍ଭବ ନୁହେଁ ଏବଂ କାନୁନ୍ଗୋ ମାଓବାଦୀଙ୍କ ପକ୍ଷରୁ ମଧ୍ୟସ୍ଥତା କରିବାକୁ ରାଜି ନୁହନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେ ।

ତେବେ ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ସଚିବ, ଗୃହ ସଚିବ ଏବଂ ଆଦିବାସୀ କଲ୍ୟାଣ ବିଭାଗ ସଚିବ ମଧ୍ୟସ୍ଥତା କରିବେ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ମାଓବାଦୀ

ଅପହୃତ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ବାଲୁକା କୃତି

March 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୦(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଙ୍ଗଳବାର କଳାକୃତି ମାଧ୍ୟମରେ ମାଓବାଦୀଙ୍କୁ ନିବେଦନ କରିଛନ୍ତି ।

ସେ ପୁରୀ ବେଳାଭୂମିରେ ବାଲିରେ ଦୁଇ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କ ଚିତ୍ର କରିବା ସହ “ଆମ ଅତିଥିଙ୍କୁ ମୁକ୍ତ କର” ବୋଲି ବାର୍ତା ଦେଇଛନ୍ତି ।

ଅତିଥି ଦେବୋ ଭବଃ,ତେଣୁ ମୁଁ ଦୁଇ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ କଳା ମାଧ୍ୟମରେ ନିବେଦନ କରିଛି, ସୁଦର୍ଶନ କହିଛନ୍ତି ।

ସେ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ଏକ ଚାରି ଫୁଟ୍ ଉଚ୍ଚ ର ଏହି କଳାକୃତି କରିଥିବା ବେଳେ
ଏଥିପାଇଁ ତାଙ୍କୁ ପାଞ୍ଚ ଘଣ୍ଟା ସମୟ ଲାଗିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ବାଲୁକା

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ