• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପର୍ଯ୍ୟଟନ

କାହିଁକି ଦେଖିବେ କୋଣାର୍କ ସୂର୍ଯ୍ୟ ମନ୍ଦିର? ୧୦ଟି କାରଣ

June 8, 2016 by ନିଉଜ ଡେସ୍କ 1 Comment

konark1
କୋଣାର୍କ ସୂର୍ଯ୍ୟ ମନ୍ଦିର: ଛବି: ଭାରତ ସରକାରଂକ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ୱେବ ସାଇଟ

କେଦାର ମିଶ୍ର

ପୁଣି ଥରେ ଚର୍ଚା ରେ କୋଣାର୍କ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆମେରିକା ଗସ୍ତ ସମୟରେ କୋଣାର୍କ ସ୍ଥାପତ୍ୟର ବିପୁଳ ପ୍ରଶଂସା କରିବା ସହିତ ଏହାର ପ୍ରାଚୀନ ଶିଳ୍ପକଳାରେ ଆଧୁନିକତାର ଆଭାସ ରହିଥିଲା ବୋଲି କହିଛନ୍ତି ।

ଆଧୁନିକ ସମୟର ସ୍ତ୍ରୀଲୋକ ମାନେ ଯେଉଁ ପ୍ରକାର ପୋଷାକ ପରିଧାନ କରୁଛନ୍ତି ତାହାର ପ୍ରତିଫଳନ କୋଣାର୍କ ଗାତ୍ରରେ ଅନେକ ଶହ ବର୍ଷ ଆଗରୁ ଦେଖିବାକୁ ମିଳିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ କୋଣାର୍କ ପ୍ରତି ବିଶ୍ଵ ବାସୀଂକ ଦୃଷ୍ଟି ପୁଣିଥରେ ଆକର୍ଷିତ କରିଛି ।  କଳିଂଗ ଶିଳ୍ପ କଳା ଓ ସ୍ଥାପତ୍ୟର ଶ୍ରେଷ୍ଠତମ ଓ ସୁନ୍ଦରତମ ଉଦାହରଣ ଭାବରେ କୋଣାର୍କ ମନ୍ଦିରର ନିଜସ୍ଵ ପରିଚୟ ଓ ଗରିମା ରହିଛି ।

ଗଂଗ ରାଜା ଲାଂଗୁଲା ନରସିଂହ ଦେବଂକ ଦ୍ଵାରା ସ୍ଥାପିତ କୋଣାର୍କ କଳା ମୁଗୁନି ପଥରରେ ଜୀବନ୍ତ ସୌନ୍ଦର୍ୟର ଅବତାରଣ କରିଛି ।  ପୃଥିବୀର ଅନ୍ୟତମ ଆଶ୍ଚର୍ଯ୍ୟ ଭାବେ ଲୋକଂକୁ ଓ ପୃଥିବୀର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ପ୍ରସିଦ୍ଧ ମନ୍ଦିର ସମ୍ପର୍କରେ କେତୋଟି ରୋଚକ ତଥ୍ୟ-

୧. ଭାରତରେ ରହିଥିବା ମାତ୍ର ଅଳ୍ପ କେତୋଟି ସୂର୍ୟ ମନ୍ଦିର ମାନଂକ ମଧ୍ୟରେ ଏହା ଅନ୍ୟତମ. ତେବେ ଆକୃତି ଓ ସୌନ୍ଦର୍ଯ୍ୟରେ ଏହା ଅତୁଳନୀୟ ।  ଭାରତର ସବୁ ସୂର୍ଯ୍ୟ ମନ୍ଦିରଠାରୁ ଏହା ଢେର୍ ବଡ ।

୨. ୧୨୫୫ ମସିହାରେ ଗଂଗ ବଂଶର ରାଜା ନରସିଂହ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ. ବଂଗୋପ ସାଗର ଓ ଚନ୍ଦ୍ରଭାଗା ନଦୀର ମୁହାଣରେ ନିର୍ମିତ ହୋଇଥିବା ଏହି ବିଶାଳକାୟ ମନ୍ଦିରକୁ ନେଇ ଓଡିଶାରେ ବହୁ କାହାଣୀ ଓ କିମ୍ବଦନ୍ତି ପ୍ରଚଳିତ ରହିଛି. ୧୨ ବର୍ଷ ଧରି ୧୨୦୦ ଶିଳ୍ପୀ ଏହି ମନ୍ଦିର ନିର୍ମାଣରେ ଲାଗିଥିଲେ ବୋଲି କୁହାଯାଏ ।

୩ . ଏକ ରଥ ଆକାରରେ ନିର୍ମିତ ଏହି ମନ୍ଦିରରେ ୧୨ ଯୋଡା ରଥ ଚକ ଓ ୭ଟି ସୁସଜ୍ଜିତ ଅଶ୍ଵ ଶୋଭା ପାଉଥିଲେ ।  ଖଣ୍ଡୋଲାଇଟ ପଥରରେ ନିର୍ମିତ ଏହି କଳିଙ୍ଗ ସ୍ଥାପତ୍ୟାରେ ମୁଳ ଗର୍ଭଗୃହ, ବିମାନ, ଜଗମୋହନ ଓ ନାଟ ମଣ୍ଡପ ରହିଛି ।

ମନ୍ଦିରର ପ୍ରତ୍ୟେକ ଅଂଶରେ ସୂକ୍ଷ୍ମ କାରୁକଲା ଓ ବାସ୍ତୁକଲା ର ଚମତ୍କାର ଉଦାହରଣ ଦେଖିବାକୁ ମିଳେ ।

୪. କୋଣାର୍କ ପ୍ରତିମା ସବୁ ସୌନ୍ଦର୍ୟ ରେ ଯେତିକି ଭରପୂର ଐଶ୍ଵର୍ଯ୍ୟରେ ସେତିକି ଜୀବନ୍ତ. ତ୍ରୟୋଦଶ ଶତାବ୍ଦୀରେ ସମୁଦ୍ର ବେଳାରେ ଏମିତି ଏକ ସୁକ୍ଷ୍ମ ଓ ବିଶାଳ ମନ୍ଦିର ନିର୍ମାଣର କୌଶଳ କଥା ଚିନ୍ତା କଲେ ଉତ୍କଳୀୟ ବାସ୍ତୁକଳାର ମହାନତା ଆଗରେ ମଥା ନଇଁ ଯାଏ ।

କୋଣାର୍କ ମନ୍ଦିରର ମୂଳ ବିମାନ ଯାହାକି ୧୮୩୭ ମସିହାରେ ଭୁଷୁଡି ପଡିଥିଲା , ତାହାର ଉଚତା ୨୨୯ ଫୁଟ୍ ଥିଲା ବୋଲି କୁହାଯାଏ ।  ସମୁଦ୍ର ମଝାରୁ ଏହି ମନ୍ଦିର ଏକ ପ୍ରକାର ବତୀଖୁଣ୍ଟ ଭାବରେ କାମ କରୁଥିଲା ବୋଲି ଅନେକ ପ୍ରାଚୀନ ନାବିକ ବର୍ନନା କରିଛନ୍ତି ।

୫. ବର୍ତ୍ତମାନ ୧୨୮ ଫୁଟ୍ ବିଶିଷ୍ଟ ଜଗମୋହନ ସମେତ ନାଟ ମଣ୍ଡପ ଓ ଭୋଗ ମଣ୍ଡପ ବଂଚି ରହିଛି ।

କୋଣାର୍କ ର ପ୍ରତ୍ୟେକ ଅଂଶରେ ମୈଥୁନ, ଡାଲମାଳିକା, ଶାଲ ଭଣ୍ଯିକା, ବୀଣାବାଦିନୀ , ମୃଦଂଗ ବାଦିନୀ, ନାୟିକା, ଗାୟିକା, ପଶୁ, ପକ୍ଷୀ , ଲତା , ପତ୍ର ଓ ଫୁଲର ଜୀବନ୍ତ ପ୍ରତିମାସବୁ ରହିଛନ୍ତି. ପୃଥିବୀର ପ୍ରାୟ ସବୁ ଭୌଗୋଳିକ ଅଂଚଳର ଜୀବ ଜଗତକୁ କୋଣାର୍କ ଶିଳ୍ପୀ ନିଖୁଣ ଭାବରେ ଗଢିବାର ପ୍ରୟାସ କରିଛି. ଏଥିରେ ଆଫ୍ରିକା ମହାଦେଶର ଜିରାଫ୍ ର ମୂର୍ତୀ ମଧ୍ୟ ଖୋଦିତ ହୋଇ ରହିଛି ।

୬. ଭୁଷୁଡି ପଡିଲା ପରେ ଏହି ମନ୍ଦିର ଦୀର୍ଘ ବର୍ଷ ଧରି ବାଲିରେ ଅଧା ପୋତି ହୋଇ ପଡିଥିଲା. ବିଭିନ୍ନ ସମୟରେ ଏହି ମନ୍ଦିରର ପଥର କୁ ପୁରୀ ମନ୍ଦିର ନିର୍ମାଣରେ ଲଗା ଯାଇଥିଲା. ଏପରିକି ମନ୍ଦିରର ଆରାଧ୍ୟ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଜଗନ୍ନାଥ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଶ୍ରୀ ମନ୍ଦିର ସମ୍ମୁଖରେ ସ୍ଥାପିତ ଅରୁଣ ସ୍ତମ୍ଭ ମଧ୍ୟ କୋଣାର୍କ ରୁ ସ୍ଥାନାନ୍ତର କରାଯାଇଥିଲା ।

୭. ବର୍ତମାନ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ପରିଚାଳନା ଦାୟିତ୍ଵ ଭାରତ ସରକାରଂକ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ହାତରେ ନ୍ୟସ୍ତ କରାଯାଇଛି ।  ତେବେ ଏହାର ସଂରକ୍ଷଣ ବ୍ୟବସ୍ଥାରେ ଅନେକ ତୃଟି ବିଚ୍ୟୁତି ରହିଛି ବୋଲି ଐତିହାସିକ ଓ ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି ।  ତେବେ  ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଏହି ଅଭିଯୋଗକୁ ଖଣ୍ଡନ କରିଛି ।

୮. କୋଣାର୍କ କୁ ଯିବାକୁ ହେଲେ ଭୁବନେଶ୍ଵରରୁ ୬୫ କିଲୋ ମିଟର୍ ଓ ପୁରୀ ରୁ ୩୫ କିଲୋ ମିଟର୍ ଦୂର ରାସ୍ତା ରେ ଯିବାକୁ ପଡିବ ।  ଏ ଯାଏ କୋଣାର୍କ କୁ ରେଳପଥରେ ସଂଯୋଗ କରାଯାଇ ପାରି ନାହିଁ ।

୯. କୋଣାର୍କ କୁ ଘେରି ଅନେକ ଧାର୍ମିକ ଓ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ମାନ ରହିଛି ।  କୋଣାର୍କ ଠାରୁ ଅତି ଅଳ୍ପ ଦୂରରେ ଚନ୍ଦ୍ରଭାଗା ର ମନୋରମ ବେଳାଭୂମି ଅବସ୍ଥିତ ।  କୋଣାର୍କ-ପୁରୀ ସାମୁଦ୍ରିକ ବେଳାଭୂମି ରାସ୍ତାରେ ରାମଚଣ୍ଡି, ବେଲେଶ୍ବର , କୁଶଭଦ୍ରା ମୁହାଣ ପରି ଅନେକ ସୁନ୍ଦର ପ୍ରାକୃତିକ ପର୍ଯ୍ୟଟନ ସ୍ଥାନ ସବୁ ରହିଛି ।

୧୦. ପ୍ରତି ଡିସେମ୍ବର ମାସରେ କୋଣାର୍କ ରେ ଶାସ୍ତ୍ରୀୟ ନୃତ୍ୟ ର ଉତ୍ସବ “କୋଣାର୍କ ମହୋତ୍ସବ’ ଓ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ଆୟୋଜିତ ହୋଇଥାଏ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ମୁଖ୍ୟ ଖବର Tagged With: ଓଡିଶା, କୋଣାର୍କ, ନରେନ୍ଦ୍ର ମୋଦି, ପର୍ଯ୍ୟଟନ

ସୂର୍ଯ୍ୟମନ୍ଦିର ପାରିପାର୍ଶ୍ଵିକ ବିକାଶ ପ୍ରକଳ୍ପ କାମ ଠପ୍

October 1, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

କୋଣାର୍କ, ଅକ୍ଟୋବର ୧ (ଓଡିଶା ଡଟ କମ) ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳ କୋଣାର୍କରେ ଦେଶବିଦେଶର ପର୍ଯ୍ୟଟକଙ୍କୁ ଉନ୍ନତମାନର ସୁବିଧା ସୁଯୋଗ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ୍(ଆଇଓଏଫ୍) ପକ୍ଷରୁ ୩୬କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୩ ମସିହାରୁ ଆରମ୍ଭ କରାଯାଇଥିବା ସୂର୍ଯ୍ୟମନ୍ଦିର ପାରିପାର୍ଶ୍ଵିକ ବିକାଶ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତିନିମାସ ତଳୁ ବନ୍ଦହୋଇ ପଡିଛି ।

konark-wideଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାସଲ କରିଥିବା ହାଇଦ୍ରାବାଦର ଶ୍ରୀକୋ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରିବାସହ ଯେତିକି କାମ ହୋଇଛି ତାହା ନିମ୍ନମାନର କରିଥିବା ଦର୍ଶାଇ ଉକ୍ତ ସଂସ୍ଥା ସହ ହୋଇଥିବା ଚୁକ୍ତିନାମାକୁ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ କର୍ତ୍ତୃପକ୍ଷ ରଦ୍ଦ କରି ଦେଇଥିବାରୁ ଏହି ପ୍ରକଳ୍ପ କାମ ଠପ୍ ହୋଇଛି ।

ଠିକାଦାରୀ ସଂସ୍ଥା ଶ୍ରୀକୋ ଆଇଓଏଫ୍ ର ନିଷ୍ପତ୍ତି ବିରୋଧରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଅପିଲ କରିଥିଲେ । ତେବେ ଉଚ୍ଚ ନ୍ୟାୟାଳୟ ଶ୍ରୀକୋର ଅପିଲକୁ ଖାରଜ କରିଦେଇଥିବା ଜଣାପଡିଛି । ଶ୍ରୀକୋର ଚୁକ୍ତିନାମାକୁ ଗତ ୧୬ ତାରିଖରେ ରଦ୍ଦ କରାଯିବା ପରେ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ଇଞ୍ଜିନିୟରସ୍ ଇଣ୍ଡିଆ ଲିମିଟେଡକୁ ଦିଆଯିବା ପାଇଁ ସ୍ଥିର କରାଯାଉଥିବା ଜଣେ ଆଇଓଏଫ୍ ଅଧିକାରୀ କହିଛନ୍ତି ।

ଏଭଳି ପରିସ୍ଥିତିରେ ଏହି ପ୍ରକଳ୍ପର କାମ କିପରି ଆଗକୁ ବଢିବ ଏବଂ ଗତ ୨୦୧୪ ମସିହା ଏପ୍ରିଲ ୧୭ତାରିଖରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡିକର କାର୍ଯ୍ୟକାରୀତା କ୍ଷେତ୍ରରେ ବିଭିନ୍ନ ବିଭାଗ କେତେଦୂର ସଫଳ ହୋଇଛନ୍ତି, ତାର ସମୀକ୍ଷା କରିବା ନିମନ୍ତେ ଆସନ୍ତା ୩ ତାରିଖ ପୂର୍ବାହ୍ନ ୧୧ଟାରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଯାତ୍ରିନିବାସଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଥିବା ସୂଚନା ମିଳିଛି ।

ଏହି ବୈଠକରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ),ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ,ପର୍ଯ୍ୟଟନ,ପୁରୀ ଜିଲା ପ୍ରଶାସନ,ପୁଲିସ ପ୍ରଶାସନ,ପୂର୍ତ୍ତ, ବିଦ୍ୟୁତ, ଟେଲିକମ୍,ଡ୍ରେନେଜ, ଜନସ୍ୱାସ୍ଥ୍ୟ,କୋଣାର୍କ ଏନ୍ଏସି ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଯୋଗଦେବାକୁ ଆରଡିସି(କେନ୍ଦ୍ରାଞ୍ଚଳ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ୨୦୦୧ ମସିହାରୁ ପ୍ରସ୍ତାବିତ ଏହି ପ୍ରକଳ୍ପର ଶିଳାନ୍ୟାସ ୨୦୧୩ ଜୁଲାଇ ୨୭ତାରିଖରେ ତିନିଜଣ କେନ୍ଦ୍ରମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସଂପନ୍ନ ହୋଇଥିଲା । ଶିଳାନ୍ୟାସର ୧୮ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଶ୍ରୀକୋ ସହିତ ଆଇଓଏଫ୍ ର ଚୁକ୍ତିନାମା ହୋଇଥିଲା ।

ଶ୍ରୀକୋ ନିଜସ୍ୱ ମେସିନାରୀ ଏଠାକୁ ନ ଆଣି ଛୋଟ ଛୋଟ ଠିକାଦାରଙ୍କୁ ଉପଠିକାଦାର ଭାବେ କାର୍ଯ୍ୟାଦେଶ ଦେଇ ନିମ୍ନମାନର କାମ କରୁଥିବା କୋଣାର୍କ ସୁରକ୍ଷା ସମିତି,କୋଣାର୍କ ବ୍ୟବସାୟୀ ମହାସଂଘ ଓ ବୁଦ୍ଧୀଜୀବୀମାନେ ଅଭିଯୋଗ କରିଥିଲେ ।

ଶ୍ରୀକୋ ପକ୍ଷରୁ ନିର୍ମାଣାଧୀନ ମୁଖ୍ୟ ପାର୍କିଙ୍ଗ ସ୍ଥଳ,ଇଣ୍ଟରପ୍ରିଟେସନ୍ ସେଣ୍ଟର ଓ ଡ୍ରପ୍ ଆଉଟ୍ ପଏଣ୍ଟ କାର୍ଯ୍ୟରେ କୋଣାର୍କରେ ନିର୍ମିତ ନିମ୍ନମାନର ପାଉଁଶ ଇଟା ଓ ଲୋକାଲ ଲୁଣି ବାଲି ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ଶ୍ରୀକୋ ନିଯୁକ୍ତ କରିଥିବା ଉପଠିକାଦାରଙ୍କୁ ଅର୍ଥ ପୈଠ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲା ।

ସମୟାନୁଯାୟୀ ଅର୍ଥ ନ ମିଳିବାରୁ ସ୍ଥାନୀୟ ଉପଠିକାଦାରମାନେ କାମ ବନ୍ଦ କରି ଶ୍ରୀକୋ ବିରୋଧରେ ଆଇଓଏଫ୍ କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏଯାବତ୍ ଶ୍ରୀକୋକୁ ଆଇଓଏଫ୍ ପକ୍ଷରୁ ଅଗ୍ରୀମ ଆକାରରେ ୩ କୋଟି ୪୦ଲକ୍ଷ ଟଙ୍କା ପୈଠ କରାଯାଇଥିବା ବେଳେ ଏହି ପ୍ରକଳ୍ପର ୧୦ପ୍ରତିଶତ କାମ ମଧ୍ୟ ସଂପନ୍ନ ହୋଇପାରି ନଥିବା ଜଣାଯାଇଛି ।

ଆଇଓଏଫ୍ ପକ୍ଷରୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ସଂପର୍କରେ ବୈଷୟିକ ବିଶେଷଜ୍ଞଙ୍କ ଦ୍ୱାରା ସମୟାନୁଯାୟୀ ତଦାରଖ ମଧ୍ୟ କରାଯାଇ ନଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି । ଶ୍ରୀକୋ ଏଯାବତ୍ କରିଥିବା କାମର ମାପ କରାଯାଇ ତାର ହିସାବ ତୁଟିବା ପରେ ଅନ୍ୟ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯିବ ବୋଲି ଆଇଓଏଫ୍ ଅଧିକାରୀ କହିଛନ୍ତି ।

ଗତ ସପ୍ତାହରେ ଆଇଓଏଫ୍ ର ବୈଷୟିକ ବିଶେଷଜ୍ଞମାନେ ଶ୍ରୀକୋ ପକ୍ଷରୁ ଏଯାବତ୍ ହୋଇଥିବା କାମର ମେଜରମେଣ୍ଟ(ମାପ) କରିବା ପାଇଁ ଏଠାକୁ ଆସିଥିବାବେଳେ ସ୍ଥାନୀୟ ଉପଠିକାଦାରମାନେ ସେମାନଙ୍କୁ ବିରୋଧ କରିଥିଲେ । ସେମାନଙ୍କ ବକେୟା ଅର୍ଥ ଶ୍ରୀକୋ ନଦେବା ପର୍ଯ୍ୟନ୍ତ ଏହି ପ୍ରକଳ୍ପର ଯେ କୌଣସି କାର୍ଯ୍ୟକୁ ସେମାନେ ବିରୋଧ କରିବେ ବୋଲି ଧମକ ଦେଇଥିଲେ ।

ଫଳରେ ବୈଷୟିକ ବିଶେଷଜ୍ଞମାନେ ମାପ ନକରି ଫେରିଯାଇଥିଲେ । ଆଇଓଏଫ୍ ପକ୍ଷରୁ ଏ ସଂପର୍କରେ ପୁଲିସର ସହାୟତା ମଧ୍ୟ ନିଆଯାଇ ନଥିଲା । ସ୍ଥାନୀୟ ରାଜନେତାମାନଙ୍କ ହାତବାରିସୀ ସାଜି ନିମ୍ନମାନର କାମ କରିଥିବା ଏହି ଉପଠିକାଦାରମାନଙ୍କୁ ଠିକାଦାରୀ ସଂସ୍ଥା ଶ୍ରୀକୋର ମାଲିକ ଏବଂ ଆଇଓଏଫ୍ ଅଧିକାରୀମାନେ ଭୟ କରୁଥିବା ମାନବାଧିକାରକର୍ମୀ ଏନ୍.ଏ.ଶାହ ଅନସାରୀ ଓ ବ୍ୟବସାୟୀ ମହାସଂଘ ସଭାପତି ସୁବାସ ନାୟକ କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ରାଜନୀତି Tagged With: କୋଣାର୍କ, ଦୁର୍ନୀତି, ପର୍ଯ୍ୟଟନ

ପରିବେଶ ସୁରକ୍ଷା ପାଇଁ ପୁରୀରେ ସାଇକେଲ ଚଲା ଅଭିଯାନ

May 5, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୫ (ଓଡିଶା ଡଟ କମ ) ଉତ୍ତମ ସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ପାଇଁ ସୋମବାର ରାଜ୍ୟର ମୁଖ୍ୟ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ପୁରୀରେ ଆରମ୍ଭ ହୋଇଛି ସାଇକେଲ ଚଲା ଅଭିଯାନ ।

‘ସୋମବାର ମୋର ସାଇକିଲ ଦିନ’ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତା ଓ ସାଧାରଣ ନାଗରିକ ପ୍ଲା କାର୍ଡ ସହ ଭାଗ ନେଇ ସହରରେ ସାଇକେଲ ଚାଳନ କରି ସଚେତନତା ସ୍ତୃଷ୍ଟି କରିଥିଲେ ।

ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସବୁଜ ପତାକା ହଲାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଵେଚ୍ଛାସେବୀ ସଂଗଠନ ବେଆରଫୁଟ, ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତି ସୋମବାର ଅନୁଷ୍ଠିତ ହେବ ଓ ସହରକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସାଇକେଲ ଚଳାଇବା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କାର୍ଯ୍ୟକ୍ରମ ର ଆୟୋଜକ ମାନେ କହିଛନ୍ତି ।

ଜଗନ୍ନାଥ ମନ୍ଦିର ଓ ସମୁଦ୍ରର ବେଳାଭୂମି ପାଇଁ ପୁରୀ ସହର ବିଶ୍ଵ ପ୍ରସିଦ୍ଧ । ପୁରୁଷୋତ୍ତମ କ୍ଷେତ୍ର ନାମରେ ଜଣା ଶୁଣା ଭୁବନେଶ୍ଵର ଠାରୁ ୫୬ କିଲୋମିଟର ଦୂରରେ ଥିବା ଏହି ସହରକୁ ନିକଟରେ କେନ୍ଦ୍ର ସରକାର ଐତିହ୍ୟ ସହରର ମାନ୍ୟତା ଦେଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ, ପର୍ଯଟନ Tagged With: ଜଗନ୍ନାଥ ମନ୍ଦିର, ପର୍ଯ୍ୟଟନ, ପୁରୀ, ସାଇକେଲ, ସୁଦର୍ଶନ ପଟ୍ଟନାୟକ

ଓଡ଼ିଶୀ ସଙ୍ଗୀତ ଉତ୍ସବର ଉଦଯାପନୀ ସଂଧାରେ ଛାନ୍ଦ, ଚମ୍ପୁ ଓ ଓଡ଼ିଶୀ

January 11, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୦(ଓଡିଶା ଡଟ୍ କମ୍)- ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ଦ୍ୱାରାଆୟୋଜିତ ଓଡ଼ିଶୀ ସଙ୍ଗୀତ ଉତ୍ସବର ଆଜି ଥିଲା ଅନ୍ତିମ ଦିବସ ।

ଶେଷ ସଂଧ୍ୟାର ପ୍ରଥମ ଶିଳ୍ପୀଥିଲେ ବିଶିଷ୍ଟ ଗୁରୁ ପଣ୍ଡିତ ଡ଼.ଦାମୋଦର ହୋତା । ରାଗ ନଟ କଲ୍ୟାଣୀ ଏବଂ ତାଳ ନିଶାରୀରେ ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ବନ୍ଦନା ।

ପରବର୍ତୀ ପ୍ରସ୍ତୁତି ଥିଲା ରାଗ ନଟ କଲ୍ୟାଣୀ ଓ ତାଳ ଏକତାଳୀରେ କବିସୂର୍ଯ୍ୟଙ୍କ ରଚନାରୁ ଆଜି ଏକି ଗୁମାନରେ ପ୍ରବନ୍ଧ ଏବଂ ପରେ ପରେ ସେହି ନଟ କଲ୍ୟାଣୀ ରାଗ ଓ ତାଳ ତ୍ରିପଟା ଉପରେ ଆଧାରିତ ଅନ୍ୟ ଏକ ପ୍ରସ୍ତୁତି ତ୍ରିଭଙ୍ଗ ଯେଉଁଥିରେ ଡ଼.ହୋତା ଓଡ଼ିଶୀର ବିଭିନ୍ନ ବିଭାଗକୁ ଚମକ୍ତାର ଭାବେ ପରିବେଷଣ କରିଥିଲେ ।

ତାଙ୍କ ସହିତ ମର୍ଦ୍ଧଳରେ ସହଯୋଗିତା କରିଥିଲେ ଜୟଦେବ ଗିରି, ହାରମୋନିୟମରେ ପ୍ରଶାନ୍ତ କୁମାର ପାଢୀ, ବେହେଲାରେ ଗୁରୁ ବାଇଧର ରାଉତ, ତାନପୁରା ଏବଂ କଣ୍ଠରେ ସହଯୋଗିତା କରିଥିଲେ ପ୍ରଣତୀ ଏବଂ ଚନ୍ଦନ । ସଂଧ୍ୟାର ଦ୍ୱିତୀୟ ଶିଳ୍ପୀଥିଲେ ପ୍ରତିଭାବାନ ଯୁବ କଣ୍ଠଶିଳ୍ପୀ ରୂପକ କୁମାର ପରିଡ଼ା ।

ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗ କାମୋଦି ଏବଂ ତାଳ ତ୍ରିପଟା ଉପରେ ନିବଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା ପ୍ରବନ୍ଧ ‘ଆସି ଘନକାଳ ହୋଇଲାରେ’ ଏବଂ ପରେ ଗୀତଗୋବିନ୍ଦରୁ ‘ରମତେ ଯମୁନା ପୁଲିନ ବନେ’ ପରିବେଷଣ କରିଥିଲେ ଯାହା ରାଗ ମିଶ୍ର ପିଲୁ ଓ ତାଳ ଖେମଟା ଉପରେ ଆଧାରିତ ଥିଲା ।

ତାଙ୍କ ସହିତ ମର୍ଦ୍ଧଳରେ ସହଯୋଗିତା କରିଥିଲେ ଗୁରୁ ବିଜୟ କୁମାର ବାରିକ୍‍, ହାରମୋନିୟମରେ ପ୍ରଣୟ କୁମାର ପଲେଇ, ତାନପୁରାରେ ରାଜସ୍ମିତା ଓଝା, ସ୍ୱରମଣ୍ଡଳରେ ବାଳକୃଷ୍ଣ ଜେନା ଏବଂ ମଞ୍ଜିରାରେ ଅନିଲ କୁମାର ଓଝା । ରୂପକଙ୍କ ପରିବେଷଣରେ ଓଡ଼ିଶୀ ଗାୟନ ଶୈଳୀର ଚମକ୍ରାରିତାକୁ ଶ୍ରୋତାମାନେ ଉପଭୋଗ କରିଥିଲେ । ପରବର୍ତୀ ଶିଳ୍ପୀଥିଲେ ଖ୍ୟାତନାମା ଗାୟିକା ସଙ୍ଗୀତା ଗୋସାଇଁ ।

ସେ ରାଗ କଲ୍ୟାଣ ଓ ତାଳ ଏକତାଳି ଉପରେ ଆଧାରିତ କବି ବନମାଳୀଙ୍କ ରଚିତ ପ୍ରବନ୍ଧ ‘ଲୋଡ଼ା ନାହିଁ ପ୍ରୀତି’ ଏବ ପରେ ଧ ଚମ୍ପୂରେ ରାଗ ହରପ୍ରିୟା ଏବଂ ତାଳ ଆଡ଼ତାଳିରେ ଆଧାରିତ ପ୍ରବନ୍ଧ ‘ଧୀରାରେ କି ଧନ ତୁ ନ ଦେଲୁ ଆଜ’ ଏବଂ ଶେଷରେ ସେ ପରିବେଷଣ କରିଥିଲେ ଛାନ୍ଦ ‘ମଙ୍ଗଳେ ଅଇଲେ ଉଷା’ ଯାହା ରାଗ ଚୋଖି ଓ ତାଳ ରୂପକ ଉପରେ ନିବଦ୍ଧ ଥିଲା ।

ସଙ୍ଗୀତାଙ୍କର ଓଡ଼ିଶୀ ରମ୍ପୁ ଓ ଛାନ୍ଦ ପରିବେଷଣରେ ବିଭୋର ହୋଇଥିଲେ ଶ୍ରୋତାମାନେ । ତାଙ୍କୁ ମର୍ଦ୍ଧଳରେ ଗୁରୁ କାଳନ୍ଦୀ ଚରଣ ପରିଡ଼ା, ହାରମୋନିୟମରେ ଅଜୟ ଦାସ ଏବଂ ତାନପୁରାରେ ଲକ୍ଷ୍ମୀପ୍ରିୟା ନାୟକ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଶେଷ ଶିଳ୍ପୀମାନେ ଥିଲେ ବିଶିଷ୍ଟ ମର୍ଦ୍ଧଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ଛାତ୍ର ଦ୍ୱୟ ଅରୂପ ଦାସ ଓ ମୁରଲୀଧର ସ୍ୱାଇଁ ।

ସେମାନେ ଆଦିତାଳରେ ମର୍ଦ୍ଧଳର ବିଭିନ୍ନ ବାଣୀକୁ ଯଥା ଗଡ଼ି, ଖଣ୍ଡି, ଅରଶା, ଜମାଣ, ଛନ୍ଦବାଦ, ରଗଡ଼, ମାନ ଓ ଭଉଁରୀମାନ ଇତ୍ୟାଦିକୁ ଅତି ନିଖୁଣ ଭାବରେ ପରିବେଷଣ କରି ଶ୍ରେତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ହାରମୋନିୟମରେ ସହଯୋଗ କରିଥିଲେ ଗୁରୁ ନିତ୍ୟାନନ୍ଦ ମହାପାତ୍ର ।

ଆଜି ସଂଧ୍ୟାର ଅତିଥି ଥିଲେ ପୂର୍ବତନ ପୋଲିସ ମହାନିଦେ୍ର୍ଧଶକ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର; ପୂର୍ବତନ ପ୍ରଶାସକ ଶ୍ରୀଯୁକ୍ତ ବିବେକ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗର ନିଦେ୍ର୍ଧଶକ ଶ୍ରୀଯୁକ୍ତ ହରିଶଙ୍କର ଉପାଧ୍ୟାୟ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୂଖ୍ୟ ନିର୍ବାହୀ ଗୁରୁ ରାମହରି ଦାସ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତୁ୍ୟଞ୍ଜୟ ରଥ ଏବଂ ଶିବାଙ୍ଗୀ ମହାପାତ୍ର ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମନୋରଞ୍ଜନ Tagged With: ଗବେଷଣା, ଗୁରୁ କେଳୁଚରଣ, ପର୍ଯ୍ୟଟନ, ସଂସ୍କୃତି

ପର୍ଯ୍ୟଟନ ଉପରେ ଅପହରଣର ପ୍ରଭାବ ନାହିଁ: କେନ୍ଦ୍ରମନ୍ତ୍ରୀ

March 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୦(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ମାଓବାଦୀଙ୍କ ଦ୍ୱାରା ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ଅପହରଣ ଘଟଣା ଦେଶର ପର୍ଯ୍ୟଟନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମଙ୍ଗଳବାର ଭୁବନେଶ୍ୱରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ସୁବୋଧକାନ୍ତ ସହାୟ କହିଛନ୍ତି ।

ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ନିରାପଦ ପର୍ଯ୍ୟଟନ ପାଇଁ ମାଓବାଦୀ ପ୍ରଭାବିତ ରାଜ୍ୟ ଗୁଡ଼ିକ ମଧ୍ୟରେ ସମନ୍ୱୟ ରହିବା ଦରକାର, ସେ କହିଛନ୍ତି ।

“କୌଣସି ପର୍ଯ୍ୟଟନ ସ୍ଥଳୀରୁ ଅପହରଣ ହୋଇ ନାହିଁ । ତେଣୁ ପର୍ଯ୍ୟଟନସ୍ଥଳୀ ନିରାପଦ ନୁହେଁ ବୋଲି କିଏ କାହିଁକି ଭାବିବ” ସେ ସାମ୍ବାଦିକଙ୍କୁ କହିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ସେମାନଙ୍କ ମୁକ୍ତି ପାଇଁ ମାଓବାଦୀମାନେ ସରକାରଙ୍କ ନିକଟରେ ୧୩ଟି ଦାବି ଉପସ୍ଥାପନ କରିଥିବା ବେଳେ ଆଲୋଚନା ପାଇଁ ତିନି ଜଣ ମଧ୍ୟସ୍ଥିଙ୍କ ନାମ ପ୍ରସ୍ତାବ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟନ, ମାଓବାଦୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ