ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଅକ୍ଟେବର ୫ (ଓଡ଼ିଶା ଡ଼ଟ୍ କମ୍) – ବିଦ୍ୟୁତ ଚୋରି ରୋକିବା ପାଇଁ ଏବେ ନୂଆପଦକ୍ଷେପ । ସାଧାରଣ ଥାନାରେ ମଧ୍ୟ ଏନେଇ ମାମଲା ରୁଜୁ କରାଯାଇ ପାରିବ । ରାଜ୍ୟରେ ଶକ୍ତି କ୍ଷେତ୍ରରେ ହେଉଥିବା ବାଣିଜ୍ୟିକ କ୍ଷତି ରୋକିବାକୁ ଶକ୍ତି ବିଭାଗ ଓ ପୁଲିସ ମିଳିତ ଭାବେ ପଦକ୍ଷେପ ନେବେ ।
ବିଭିନ୍ନ ଉପାୟରେ ବିଦ୍ୟୁତ ଚୋରି କରିବା, ହୁକ ପକାଇ ବିଦ୍ୟୁତ ବ୍ୟବହାର କରିବା, ବିଦ୍ୟୁତ ତାର ଓ ସରଞ୍ଜାମ ଆଦି ଖୋଲି ନେବା ଯୋଗୁଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେଉଛି । ବିଦ୍ୟୁତ ଗ୍ରାହକମାନେ ଆବଶ୍ୟକ ବିଦ୍ୟୁତ ଶକ୍ତି ପାଉନାହାନ୍ତି । ବିଦ୍ୟୁତ ଚୋରି ଯୋଗୁଁ ବ୍ୟାପକ ରାଜସ୍ୱ ହାନି ଘଟୁଛି ।
ବେନିୟମ ବିଦ୍ୟୁତ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ପାଇଁ ଏଣିକି ରାଜ୍ୟର ସମସ୍ତ ଥାନା ପକ୍ଷରୁ ଯାଞ୍ଚ କାର୍ଯ୍ୟ କଡ଼ାକଡ଼ି କରାଯିବ ବୋଲି ଶକ୍ତିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ଏହି ବୈଠକରେ ଶକ୍ତିମନ୍ତ୍ରୀ ଅରୁଣ କୁମାର ସାହୁ ପ୍ରସ୍ତାବ ଦେଇ କହିଥିଲେ ,ରାଜ୍ୟର ବିଦ୍ୟୁତ ଥାନାଗୁଡ଼ିକରେ ପୁଲିସ ସବ ଇନ୍ସପେକ୍ଟରଙ୍କୁ ଅବସ୍ଥାପିତ କରିବା ପାଇଁ ଆଇନ ଦୃଷ୍ଟିରୁ ସବ ଇନ୍ସପେକ୍ଟରମାନଙ୍କର ମାମଲାର ତଦନ୍ତ କରିବା କ୍ଷମତା ଥିବାରୁ ସେମାନଙ୍କୁ ଅବସ୍ଥାପିତ କଲେ ବିଦ୍ୟୁତ ଚୋରି ସମ୍ପର୍କୀତ ମାମଲାର ତଦନ୍ତ ତ୍ୱରାନ୍ୱିତ ହୋଇପାରିବ ।
ତେଣୁ ରାଜ୍ୟରେ ଥିବା ୩୧ଟି ବିଦ୍ୟୁତ ଥାନାରେ ଏପିଓଙ୍କ ପରିବର୍ତେ ପୁଲିସ ସବ ଇନ୍ସପେକ୍ଟରଙ୍କୁ ଅବସ୍ଥାପିତ କରିବା ପାଇଁ ମନ୍ତ୍ରୀ ସାହୁ ପୁଲିସ ମହା ନିର୍ଦେଶକ ପ୍ରକାଶ ମିଶ୍ରଙ୍କୁ ପ୍ରସ୍ତାବ ଦେଇଥିଲୋ
ଓଡ଼ିଶା ଡ଼ଟ୍ କମ୍