ଆମେ କାହିଁକି ଏ ବାସ୍ତବତାକୁ ଅସ୍ୱୀକାର କରୁଛେ ଯେ ଭାରତରେ ନିୟୁତ ନିୟୁତ ଲୋକ, ବିଶେଷକରି ଗରିବ ଶ୍ରେଣୀର; ପ୍ରଦୂଷଣରେ ମୃତ୍ୟୁବରଣ କରୁଛନ୍ତି?
କେନ୍ଦ୍ର ପରିବେଶ ମନ୍ତ୍ରୀ ଅନୀଲ ମାଧବ ଡାଭେ ଅସ୍ୱୀକାର କରିଆସିଛନ୍ତି । ସେ ମନା କରିପାରିବେ ନାହିଁ ଯେ ବାୟୁ ପ୍ରଦୂଷଣ ଭାରତରେ ଗୋଟିଏ ଗୁରୁତର ସମସ୍ୟା ହୋଇପାରିଛି । କିନ୍ତୁ ଏକଥାଟି ଦେଶ ବାହାରୁ କେହି ଆମ ଲୋକଙ୍କୁ କହୁ ସେ ଚାହାନ୍ତି ନାହିଁ ।
ଯେତେବେଳେ ବୋଷ୍ଟନ ସ୍ଥିତ ହେଲଥ୍ ଇଫେକ୍ଟ ଇନ୍ଷ୍ଟିଚ୍ୟୁଟ୍ ଏବଂ ସିଆଟେଲ ସ୍ଥିତ ହେଲଥ୍ ମ୍ୟାଟ୍ରିକସ୍ ଏଣ୍ଡ୍ ଇଭାଲ୍ୟୁସେନ ମିଳିତ ଭାବେ ବିଶ୍ୱରେ ବାୟୁର ସ୍ଥିତି ୨୦୧୭ ନାମକ ଏକ ବିବରଣୀ ପ୍ରକାଶ କଲେ, ସେଠି ବାୟୁ ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟାରେ ଭାରତ ଚୀନ୍ଦେଶର ବହୁପଛରେ ନାହିଁ ବୋଲି କୁହାଯାଇଥିଲା ।
ନିଜ ପ୍ରତିକ୍ରିୟାରେ ମନ୍ତ୍ରୀ ଶ୍ରୀ ଡାଭେ ଅଭିଯୋଗ ଆଣିଥିଲେ ଯେ, ‘ଆମେ ଭାରତୀୟମାନେ ବାହାରର କଥାଗୁଡ଼ିକ ଦ୍ୱାରା ବେଶୀ ପ୍ରଭାବିତ ହେଲାଭଳି ମନେ ହେଉଛି ।’ ସେ ପରାମର୍ଶ ଦେଇ କହିଥିଲେ ଯେ ବରଂ ସେ ନିଜର ବିଶାରଦମାନଙ୍କୁ ଅଧିକ ବିଶ୍ୱାସ କରିବେ ଯେମିତି ସେ ‘ନିଜ ସୈନ୍ୟବାହିନୀକୁ ବିଶ୍ୱାସ’ କରିଆସିଛନ୍ତି ।
ଯଦିଓ ସୈନ୍ୟବାହିନୀ ସହ ବିଶାରଦମାନଙ୍କ ସହ ତୁଳନା ତାଳ ଖାଉନାହିଁ; ତେବେ ମନ୍ତ୍ରୀଙ୍କର ଏହି ରିପୋର୍ଟ ପ୍ରତି ପ୍ରତିକ୍ରିୟା ବିଚଳିତ କରୁଛି ନିଶ୍ଚୟ ।
ଯଦିଓ ଏହି ରିପୋର୍ଟରେ ବାୟୁ ପ୍ରଦୂଷଣଜନିତ ମୃତ୍ୟୁକୁ ଚିହ୍ନଟ କରିବାର ପଦ୍ଧତିକୁ ନେଇ କାହାର କେଉଁଠି ପ୍ରଶ୍ନ ରହିପାରେ, କିନ୍ତୁ ଭାରତରେ ମୃତ୍ୟୁ ଓ ରୋଗବ୍ୟାଧିର ଧାରା ପ୍ରତି ପରିବେଶଜନିତ ସମସ୍ୟାର ଯେ ଢେର୍ ଅବଦାନ ରହିଛି, ଯେଉଁଥିରେ ବାୟୁ ପ୍ରଦୂଷଣ ଏକ ପ୍ରମୁଖ କାରଣ, ତାକୁ ନ୍ୟୁନ କରି କୌଣସି ଯୁକ୍ତି ଉପସ୍ଥାପନ କରିହେବ ନାହିଁ ।
ବିଶ୍ୱ ବାୟୁର ସ୍ଥିତି ୨୦୧୭ ରିପୋର୍ଟରେ ବାୟୁ ପ୍ରଦୂଷଣର ପ୍ରଭାବକୁ ଆକଳନ କଲାବେଳେ ଯେଉଁ ତଥ୍ୟକୁ ଆଧାର କରାଯାଉଛି ତାହା ସବୁ ବାୟୁ ପ୍ରଦୂଷଣ ସମ୍ପର୍କିତ ସରକାରୀ ତଥ୍ୟ ଏବଂ ଗ୍ଲୋବାଲ ବର୍ଡ଼ନ ଅଫ ଡିଜିଜ୍ (ଜିବିଡି) ବା ବିଶ୍ୱର ବେମାର ବୋଝ୍ ରିପୋର୍ଟରୁ ଆସିଛି ।
୧୯୯୦ରୁ ୨୦୧୫ଭିତରେ ୨୫ବର୍ଷ ଧରି ୧୯୫ଟି ଦେଶରୁ ସଂଗ୍ରହ କରାଯାଇଥିବା ତଥ୍ୟ ସବୁ ଏବଂ ବିଶ୍ଳେଷଣକୁ ଏକ ପ୍ରଭାବଶାଳୀ ଢାଂଚାରେ ଏହି ଜିବିଡ଼ି ରିପୋର୍ଟରେ ସ୍ଥାନିତ କରାଯାଇଛି ।
ପ୍ରତ୍ୟେକ ବର୍ଷ ଏହି ରିପୋର୍ଟଟିକୁ ନୂତନଭାବେ ପ୍ରାପ୍ତ ତଥ୍ୟକୁ ନେଇ ପରିବର୍ଦ୍ଧିତ କରାଯାଉଛି । ବିଭିନ୍ନ ଜନସଂଖ୍ୟା, ବୟସ ବର୍ଗ ଏବଂ ସମୟ କାଳ ଭିତରୁ ମିଳୁଥିବା ସ୍ୱାସ୍ଥ୍ୟ ସୂଚନା ସବୁର ଏଠି ସଙ୍କଳନ କରାଯାଇଥାଏ ।
ବାୟୁ ପ୍ରଦୂଷଣକୁ ନେଇ ତଥ୍ୟ, ବିଶେଷକରି ଏଫ୍.ପି.ଏମ୍. (ଯାହା ପ୍ରଦୂଷଣ ଦ୍ୱାରା ବାୟୁକୁ ଅସ୍ପଷ୍ଟ କରିଦିଏ) ଏବଂ ଓଜନ ସମ୍ପର୍କିତ ତଥ୍ୟ ଅନ୍ୟ ସବୁ ସୂଚନା ସହ ମିଳିତ ଭାବେ ଆକଳନ ପାଇଁ ଭିତିଟିଏ ଯୋଗାଇଦିଏ ଯେ କେତେ ମୃତ୍ୟୁ ବାୟୁ ପ୍ରଦୂଷଣ ଯୋଗୁଁ ଘଟିଛି ଏବଂ କେତେ ବାୟୁ ପ୍ରଦୂଷଣ ଶାରୀରିକ ଅକ୍ଷମତା ସହ ଜିଇଁବା ପାଇଁ ବାଧ୍ୟ କରୁଛି ।
ବିଷାକ୍ତ ପଦାର୍ଥ ବିଶେଷକରି ବାୟୁରେ ଥିବା ଏଫ୍.ପି.ଏମ୍.ର ପ୍ରଭାବରେ ଦୀର୍ଘଦିନ ଧରି ରହିଲେ ହୃଦ୍ରୋଗ, ଶ୍ୱାସରୋଗ ସମେତ ତରୁଣ ଓ ବୃଦ୍ଧ ଉଭୟଙ୍କ କ୍ଷେତ୍ରରେ ବଂଚି ରହିବାର ସମୟକାଳ କମି କମି ଯାଏ । ଗୋଟିଏ କଥା ପ୍ରାୟତଃ ପ୍ରତିଷ୍ଠିତ ହୋଇଯାଇଛି ଯେ, ଓଜନ ସଂସ୍ପର୍ଶରେ ଆସିବା ଯୋଗୁଁ ଶ୍ୱାସନଳୀରେ ପ୍ରତିବନ୍ଧକ ସୃଷ୍ଟି ହୋଇ ରୋଗ ଉତ୍ପନ୍ନ ହେଉଛି ।
ଏଭଳି ଏକ ପୃଷ୍ଠଭୂମିରେ ଉକ୍ତ ରିପୋର୍ଟ ଏହି ସିଦ୍ଧାନ୍ତରେ ପହଂଚିଛି ଯେ, ୨୦୧୫ ମସିହାରେ ବିଶ୍ୱରେ ବାୟୁ ପ୍ରଦୂଷଣ ଯୋଗୁଁ ଯେଉଁ ୪୨ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି ସେଥିରୁ ଶତକଡ଼ା ୫୨ଭାଗ ମୃତ୍ୟୁ କେବଳ ଚୀନ୍ ଓ ଭାରତରେ ଘଟିଛି ।
ଚୀନ୍ କିନ୍ତୁ ବାୟୁ ପ୍ରଦୂଷଣଜନିତ ମୃତ୍ୟୁକୁ ସ୍ଥିର ରଖିବା ପାଇଁ ପଦକ୍ଷେପ ନେଇଥିବା ବେଳେ, ଭାରତରେ ମୃତ୍ୟୁସଂଖ୍ୟାଟି ବଢ଼ି ଚାଲିଛି । ଏଥିରେ ସଂଶୟ ସୃଷ୍ଟି କଲାଭଳି କିଛି କାରଣ ନାହିଁ ।
ଗୋଟିଏ ପରେ ଗୋଟିଏ ଶାସନ ଦାୟିତ୍ୱ ନେଉଥିବା ସରକାରମାନେ କେହି ବି ବାୟୁରେ ପ୍ରଦୂଷଣ ସୃଷ୍ଟି କରୁଥିବା ଉପାଦାନଗୁଡ଼ିକର ବୋଝକୁ ହ୍ରାସ କରିବା ପାଇଁ ଯଥେଷ୍ଟ କଠୋର ପଦକ୍ଷେପ ନେବା କ୍ଷେତ୍ରରେ ସଫଳ ହୋଇନାହାନ୍ତି ।
ପୁଣି କେବଳ ଦିଲ୍ଲୀ ଭଳି ମହାନଗରମାନଙ୍କ ଉପରେ ଅଧିକ ଧ୍ୟାନ ଦେଇ ଅନେକ ଛୋଟ ବଡ଼ ସହର ସାମ୍ନା କରୁଥିବା ସଙ୍କଟକୁ ଅଣଦେଖା କରାଯାଇଛି ।
୨୦୧୬ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ.ଏଚ୍.ଓ) ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ୨୦ଟି ସହରର ଏକ ତାଲିକା ପ୍ରସ୍ତୁତ କରିଥିଲେ । ସେ ଭିତରୁ ୧୦ଟି କେବଳ ଭାରତରେ ହିଁ ଅଛନ୍ତି ଏବଂ ସବୁଠାରୁ ଖରାପ ସ୍ଥିତିରେ ଅଛନ୍ତି ଆଲ୍ହାବାଦ, କାନପୁର, ଫିରୋଜାବାଦ ଏବଂ ଲକ୍ଷ୍ନୋ ।
କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ର ୨୦୧୫ ମସିହାରେ ଏକ ଅଧ୍ୟୟନ ମୁତାବକ ଯାହାକି ‘ଆମ ନିଜ’ ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଛି, ବନାରସ ହେଉଛି ତିନୋଟି ମାତ୍ରାଧିକ ପ୍ରଦୂଷିତ ସହରମାନଙ୍କ ଭିତରୁ ଅନ୍ୟତମ ।
ଡାଭେ ମହାଶୟ ଅନ୍ତତଃ ଏହି ରିପୋର୍ଟଟିକୁ ଅଣଦେଖା କରିବା କଥା ନୁହେଁ । ଦିଲ୍ଲୀ ଭଳି ମହାନଗରୀରେ ପ୍ରଦୂଷଣର ସ୍ତରକୁ ନେଇ ଅଧିକ ତଥ୍ୟ ଦେଇପାରିବା ପାଇଁ ଭିତ୍ତିଭୂମି ଅଛି ।
ବାୟୁ ପ୍ରଦୂଷଣ ଉପାଦାନ (ପି.ଏମ୍. ୧୦ ଓ ପି.ଏମ୍.୨.୫) ଏବଂ ବାୟୁର ଗୁଣମାନ ମାପିବା ପାଇଁ ଦିଲ୍ଲୀରେ ୧୩ଟି ମନିଟର ଦୈନିକ ତଥ୍ୟ ଯୋଗାଇବା ପାଇଁ ଉପଲବ୍ଧ ଥିବାବେଳେ ବନାରସରେ ମାତ୍ର ତିନୋଟି ମନିଟର କାମ କରୁଛି ଏବଂ ସେଥିରୁ କେବଳ ଗୋଟିଏ ହିଁ ପ୍ରଦୂଷଣ ଉପାଦାନ (ପି.ଏମ୍.୨.୫) ସମ୍ପର୍କରେ ତଥ୍ୟ ଯୋଗାଇ
ପାରିଛି ।
କୌଣସି ମନିଟର ବାୟୁର ଗୁଣମାନ ସମ୍ପର୍କରେ ସୂଚନା ଦେଇପାରୁ ନାହାନ୍ତି । ଆମେ ଯଦି ପ୍ରଦୂଷଣର ସ୍ତର ଆମ ସହରମାନଙ୍କରେ କେଉଁ ଭଳି ଅଛି ମାପିବା ପାଇଁ ସକ୍ଷମ ନୁହନ୍ତି, ଆମେ ତେବେ ଆମ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷଣର ପ୍ରଭାବ କ’ଣ ପଡ଼ୁଛି ଜାଣିପାରିବା କେମିତି?
ଆମର ବାୟୁ ପ୍ରଦୂଷଣ ମାପିବା ପାଇଁ ଆମ ଭିତିଭୂମିରେ ଯେଉଁ ଦାରୁଣ ସ୍ଥିତି ଲାଗି ରହିଛି, ଆମେ ବିଶ୍ୱ ବାୟୁ ବିବରଣୀଟିକୁ ଗ୍ରହଣ କରିବା ବ୍ୟତୀତ ଆମ ପାଖରେ ଅନ୍ୟ କିଛି ବାଟ ଅଛି କି?
ବ୍ୟାଧିର ଧାରା ଓ ମୃତ୍ୟୁରେ ବାୟୁ ପ୍ରଦୂଷଣର ପ୍ରଭାବକୁ ନେଇ ଭାରତୀୟ ବିଶେଷଜ୍ଞମାନେ ବିବରଣୀ ପ୍ରସ୍ତୁତ କରିବାପାଇଁ ମନ୍ତ୍ରୀ ଯେଉଁ ପରାମର୍ଶ ଦେଉଛନ୍ତି ଆମେ କ’ଣ ସେ ଯାଏଁ ଅପେକ୍ଷା କରିବା ବାଞ୍ଛନୀୟ ହେବ?
ଆମେ ଯଦି ଦେଶସାରା ସହର, ନଗର ଏବଂ ଗାଁ’ମାନଙ୍କରୁ ନିର୍ଭରଯୋଗ୍ୟ ତଥ୍ୟ ସଂଗ୍ରହ ଆରମ୍ଭ କରିବା, ତେବେ ଏହି ‘ବିଦେଶୀ’ ରିପୋର୍ଟରେ ଯାହା କୁହାଯାଇଛି ବାସ୍ତବତାଟି ତା’ଠାରୁ ଅଧିକ ଭୟଙ୍କର ସାବ୍ୟସ୍ତ ହେବାର ସମ୍ଭାବନା ବେଶୀ ।
ଅନ୍ୟ ଯେଉଁ ବାସ୍ତବତାଟିକୁ ଆମେ ସହଜରେ ଭୁଲିଯାଉ ତାହା ହେଲା ଯେ ବାୟୁର ଗୁଣମାନ ହ୍ରାସ ହେଲେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ଗରିବ ଜନସାଧାରଣ ।
ଧନୀକ ଶ୍ରେଣୀର ଲୋକେ ବାୟୁକୁ ପ୍ରଦୂଷଣମୁକ୍ତ କରିବାପାଇଁ ବ୍ୟୟବହୁଳ ଉପକରଣମାନ ଘରେ ରଖିବା ଏବଂ ଶୀତତାପ ନିୟନ୍ତ୍ରଣ ମଟରଗାଡ଼ି ବ୍ୟବହାର କରିବା ଦ୍ୱାରା ଏ ସମସ୍ୟାକୁ ଅତିକ୍ରମ କରିପାରନ୍ତି ।
ସାଧାରଣ ବସ୍ ବା ମଟରଗାଡ଼ିରେ, ସାଇକେଲରେ ବା ଚାଲି ଚାଲି ଗଲାବେଳେ ଗରିବ ଲୋକେ ବିଷାକ୍ତ ବାୟୁ ଶ୍ୱାସ ପ୍ରଶ୍ୱାସରେ ନେବା ବ୍ୟତୀତ ସେମାନଙ୍କ ପାଇଁ ଅନ୍ୟ କିଛି ରାସ୍ତା ନାହିଁ । ବିଷର ବୋଝଟି ସେମାନଙ୍କ ପାଇଁ ଅଧିକ ଭାରାକ୍ରାନ୍ତ ହୁଏ ନିଜ ଘରେ ଯେତେବେଳେ ଜାଳେଣି ପାଇଁ ସେମାନେ କାଠ ବା ଗୋବର ବ୍ୟବହାର କରିଥାନ୍ତି ।
ଉପୁଜୁଥିବା ସଙ୍କଟର ଗଭୀରତାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ନ ହୋଇ ସରକାର ପ୍ରକୃତରେ କୋଟି କୋଟି ଗରିବ ଲୋକଙ୍କୁ ମରଣମୁହଁକୁ ଠେଲି ଦେଉଛନ୍ତି : ଯେଉଁମାନେ ହୀନ ସ୍ୱାସ୍ଥ୍ୟ ଓ ପୁଷ୍ଟିହୀନତା ଯୋଗୁଁ ଆଗରୁ ହିଁ ଏକ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି ।
FEBRUARY 25 ,2017 VOL L11 NO 8 EPW -11 ( Poisons in the Air)

ଆମ୍ଭେମାନେ ଏହା ବିରୁଦ୍ଧରେ ପ୍ରତିବାଦ କରିବୁ ଏବଂ ବିକ୍ଷୋଭ, ଧାରଣା ଓ ସଭାସମିତିର ସ୍ଥଳ ମହାତ୍ମାଗାନ୍ଧୀ ମାର୍ଗ ବା ଲୋଏର୍ ପି.ଏମ୍.ଜିରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାନଯିବାଲାଗି ସରକାରଙ୍କ ନିକଟରେ ଦୃଢ଼ଦାବୀକରିବୁ ।”