• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଫ୍ୟାସନ ଡ଼ିଜାଇନିଂ

ସଂଗ୍ରାମ ବଳବତ୍ତର ରଖିଲେ କିଛି ହେଲେ ଅସମ୍ଭବ ନୁହେଁ (ସାକ୍ଷାତକାର)

August 14, 2005 by ନିଉଜ ଡେସ୍କ Leave a Comment

ରାଉରକେଲା,ଅଗଷ୍ଟ ୧୪ (ଓଡ଼ିଶା ଡ଼ଟ୍ କମ୍),ପ୍ୟାରିସର ପ୍ରସିଦ୍ଧ ଫ୍ୟାସନ ହାଉସ ଜେ.ମେଣ୍ଡେଲର ଡ଼ାଇରେକ୍ଟର ଡ଼ିଜାଇନିଂ ଭାବେ କାମ କରୁଥିବା ଓଡ଼ିଶାର ରାଉରକେଲାର ବିଭୂ ମହାପାତ୍ର

ଓଡ଼ିଶାର ରାଉରକେଲା ସହରରେ ବଢିଥିବା ବିଭୂ ମହାପାତ୍ର ଫେସନ ଡ଼ିଜାଇନିଂ ଦୁନିଆରେ ନିଜର ଚମତ୍କାର ଡ଼ିଜାଇନିଂ ଶୈଳୀ ପାଇଁ ସୃଷ୍ଟି କରିଛନ୍ତି ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ।

ଭାରତରେ ଅର୍ଥନୀତିରେ ଡ଼ିଗ୍ରୀ ହାସଲ ପରେ ଆମେରିକାର ଉଟାହା ଷ୍ଟେଟ ୟୁନିଭରସିଟିରେ ସମାନ ବିଷୟରେ ସ୍ନାତକୋତ୍ତର ହାସଲ କରିଥିଲେ । ତେବେ ନିରସ ଅର୍ଥନୀତି ଅପେକ୍ଷା ତାଙ୍କୁ ଆକର୍ଷିତ କରିଥିଲା ଫ୍ୟାସନ ଡ଼ିଜାଇନିଂ ।

ଫ୍ୟାସନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ନିୟୁୟର୍କରୁ ଫ୍ୟାସନ ଡ଼ିଜାଇନିଂରେ ଡ଼ିଗ୍ରୀ ହାସଲ କରିଥିବା ୩୪ ବର୍ଷ ବୟସ୍କ ମହାପାତ୍ର ଏବେ ପ୍ୟାରିସର ପ୍ରସିଦ୍ଧ ଫ୍ୟାସନ ହାଉସ ଜେ.ମେଣ୍ଡେଲର ଡ଼ାଇରେକ୍ଟର ଡ଼ିଜାଇନିଂ ଭାବେ କାମ କରୁଛନ୍ତି । ତାଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ର ବିଶେଷ ସାକ୍ଷାତକାର ।

ଆପଣଙ୍କ ଜନ୍ମ ସ୍ଥାନ, ପାରିବାରିକ ପୃଷ୍ଠଭୂମି, ଅବଦାନ, ସର୍ବୋପରି ବର୍ତ୍ତମାନର କାର୍ଯ୍ୟକ୍ରମ ସମ୍ପର୍କରେ କିଛି କହିବେ କି ?

ଓଡିଶାର ଇସ୍ପାତ ନଗରୀ ରାଉରକେଲାରେ ଜନ୍ମ ଏବଂ ସେଠାକାର ପାଣି ପବନରେ ବଢିଛି । ଏକ ଛୋଟ ଯୁଗ୍ମ ପରିବାରର ସଦସ୍ୟ ହୋଇଥିଲେ ହେଁ ଏହାର ପ୍ରତିଟି ସଦସ୍ୟ ସବୁବେଳେ ମୋ ସ୍ୱପ୍ନକୁ ସାକାର କରିବାକୁ ଉଦ୍ୟମ କରିଛନ୍ତି ।

ଜୀବନର ପ୍ରତିଟି ପାଦରେ ସେମାନେ ସହଯୋଗର ହାତ ବଢାଇ ଥିବାରୁ ଭଗବାନଙ୍କ ନିକଟରେ ଅଶେଷ କୃତଜ୍ଞ ।

ଫ୍ୟାସନ୍ ଜଗତରେ ପାଦ ଥାପିବାକୁ କାହିଁକି ନିଷ୍ପତ୍ତି ନେଲେ ? ଏହା ପଛରେ କୌଣସି କାହାଣୀ ଅଛି କି ? ଆପଣ ଏକ ପରମ୍ପରାବାଦୀ ଓଡିଆ ପରିବାରର ସନ୍ତାନ । ଏମିତି ଏକ କ୍ୟାରିୟରକୁ ବାଛିବାବେଳେ କେହି କଣ ବିରୋଧ କଲେ ନାହିଁ ?

ଅତି ପିଲାଟି ବେଳୁ କଳା ଜଗତର ମୋହରେ ପଡି ଯାଇଥିଲି । ପରବର୍ତ୍ତୀ ଅବସ୍ଥାରେ ସେହି ଦୁର୍ବାର ଆକର୍ଷଣ ମୋତେ କଳା ଓ ଫ୍ୟାସନ୍ ଜଗତକୁ ଚୁମ୍ବକ ସଦୃଶ ଟାଣି ନେଇଥିଲା ।

ପରିବାରର ମହିଳାମାନେ ପରିଧାନ କରୁଥିବା ରଙ୍ଗବେରଙ୍ଗର ଶାଢି ତଥା ଭାରତୀୟ ପୋଷାକପତ୍ରରେ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିଲି ।

ଯଦିଓ ଏକ ପରମ୍ପରାବାଦୀ ପରିବାରରେ ମୋର ଜନ୍ମ, ତଥାପି ମୋର କ୍ୟାରିୟର୍ ଓ ଶିକ୍ଷାଦୀକ୍ଷା ପ୍ରତି ସବୁବେଳେ ସେମାନେ କୋହଳ ମନୋଭାବ ପ୍ରଦର୍ଶନ କରି ଆସୁଥିଲେ । ପରିବାରର ପ୍ରତ୍ୟେକ ସଦସ୍ୟ ମୋତେ ସର୍ବଦା ଦୃଢ ସମର୍ଥନ ଓ ପ୍ରୋତ୍ସାହନ ଦେଉଥିଲେ ।

ଆମେରିକାର ଆନ୍ତର୍ଜାତୀୟ ଫ୍ୟାସନ୍ ବ୍ୟବସାୟର ଶିଖରରେ ପହଞ୍ଚିବା ଲାଗି ଆପଣଙ୍କ ପ୍ରତିଭା ଏବଂ ଦୃଢ ସଂକଳ୍ପ ବିଷୟରେ ସମ୍ୟକ ଧାରଣା ଦେବେ କି ?

ଶିକ୍ଷା ଗ୍ରହଣ କରିବା ପାଇଁ ସୁଯୋଗ ପାଇଲି ଏହା ମୋର ସୌଭାଗ୍ୟ । ତେବେ ମୁଁ ଗୋଟିଏ କଥା ବିନା ସଂକୋଚରେ କହିବି, କ୍ୟାରିୟର୍ କୁ ଆଗକୁ ବଢାଇବା ଲାଗି ପରିବାର ଓ ସାଙ୍ଗସାଥି ମାନେ ନିରବଚ୍ଛିନ୍ନ ପ୍ରେରଣା ଯୋଗାଇ ଦେଇଥିଲେ ।

କାର୍ଯ୍ୟକାରୀ କରିବା ପାଇଁ କୌଣସି ଭବିଷ୍ୟତ ଯୋଜନା ମନରେ ରଖିଛନ୍ତି କି? ବିଶେଷକରି ନିଜ ରାଜ୍ୟ ଓଡିଶା ପାଇଁ, ଯାହାକି ଅଗାମୀ ଦିନରେ ଅମାର ଯୁବଗୋଷ୍ଠୀଙ୍କୁ ସହାୟକ ହେବ?

ଓଡିଶାର କାରିଗରମାନଙ୍କ କଳା ଓ ହସ୍ତଶିଳ୍ପରେ ପ୍ରଭାବିତ ହୋଇ ନିଜର ଗୋଟିଏ ବସ୍ତ୍ର ସଂଗ୍ରହାଳୟ କରିବାକୁ ଲକ୍ଷ୍ୟ ରଖିଛି । ଦ୍ରୁତଗତିରେ ଉଭେଇ ଯାଉଥିବା ଓଡିଶାର କଳାକୁ ଆଗାମୀ ଦିନରେ ଏହା ସୁରକ୍ଷା ଦେଇ ପାରିବ ।

ଓଡିଶାରେ ଫ୍ୟାସନ୍ ବିଷୟରେ ଶିକ୍ଷା ଦେବାକୁ ସୁଯୋଗର ଅପେକ୍ଷାରେ ମଧ୍ୟ ରହିଛି ।

ଓଡିଶାର କେଉଁ ବିଷୟ ଆପଣଙ୍କୁ ଅଧିକ ଆକୃଷ୍ଟ କରିଛି ଓ କାହିଁକି?

ରଙ୍ଗବେରଙ୍ଗର ଶାଢି, ଟସର୍ କାମ, ରୂପା ତାରକସି ଅଳଙ୍କାର, ମନ୍ଦିରର କାରୁକାର୍ଯ୍ୟ, ଓଡିଆ ଖାଦ୍ୟ ଏବଂ ସେଠାକାର ପରିବାର ।

ରାଜ୍ୟର ପଛୁଆ ପରିସ୍ଥିତି ଓ ସୀମିତ ସୁଯୋଗକୁ ଦୃଷ୍ଟିରେ ରଖି ଓଡିଶାର ଯୁବପିଢୀ ଲାଗି ଆପଣଙ୍କର ବାର୍ତ୍ତା କଣ ? ଯେ କୌଣସି କ୍ଷେତ୍ରରେ ଆପଣଙ୍କ ସୋପାନରେ ସେମାନେ କିଭଳି ପାଦ ଥାପି ପାରିବେ ?

କୌଣସି ପରିସ୍ଥିତିରେ ହତୋତ୍ସାହର ନାଁ ଧର ନାହିଁ । ହୃଦୟର ବାର୍ତ୍ତା, ନିଜର ସ୍ୱପ୍ନ ଏବଂ ନିଜ ଉପରେ ଆସ୍ଥା ରଖି ଲକ୍ଷ୍ୟ ହାସଲ ପାଇଁ ସଂଗ୍ରାମ ବଳବତ୍ତର ରଖିଲେ ଏ ଦୁନିଆରେ କିଛି ହେଲେ ଅସମ୍ଭବ ନୁହେଁ ।

ଆପଣଙ୍କ ଡିଜାଇନ୍ ପ୍ରସ୍ତୁତ କରିବାରେ ଓଡିଶାର ଭୂମିକା କେତେ ମାତ୍ରାରେ ରହିଛି?

ଯଥେଷ୍ଟ ଅଧିକ। ଗୋଟିଏ ନୁହେଁ ବିବିଧ କ୍ଷେତ୍ରରେ। ଯାହା କଳ୍ପନାର ବାହାରେ ।

ଆପଣଙ୍କ ପସନ୍ଦର ଓଡିଆ ଖାଦ୍ୟ କଣ ?

ବୋଉର ଇଲିସି ଶୁଖୁଆ ତରକାରୀ ବେଶୀ ମନେ ପଡୁଛି । ଖରା ଦିନ ରାତିରେ ପଖାଳ, ଭଜା ଠାରୁ ଅଧିକ ସୁସ୍ୱାଦୁକର ଆଉ କିଛି ହୋଇ ପାରେନା ।

ସ୍ୱାଧିନ ଜୀବନ ଯାପନ କରିବା ପରେ ବାଲ୍ୟବସ୍ଥାର କେଉଁ ବିଷୟ ଅଧିକ ସାହାଯ୍ୟ କରିଛି ?

ଅଭିଭାବକମାନେ ଶିଖାଇ ଥିବା ମୂଲ୍ୟବୋଧ, ନୀତି ତଥା ଆଦର୍ଶ । ସବୁବେଳେ ଗୋଟିଏ କଥା ମନେ ରଖିଥିଲି, ଯେଉଁଠି ଥାଅ ନା କାହିଁକି କିଛି କଥା ନାହିଁ । ଯାହା କରୁଛି, ସେଥିପାଇଁ ସର୍ବଦା ପରିବାରର ସ୍ନେହ ଓ ସମର୍ଥନ ମିଳୁଥାଉ ।

ପାରିବାରିକ ଜୀବନ ସମ୍ପର୍କରେ କିଛି ବାଖ୍ୟା କରନ୍ତୁ । ଆପଣଙ୍କ ଜୀବନରେ କୌଣସି ମହିଳାଙ୍କ ପ୍ରଭାବ ପଡିଛି କି ?

ପରସ୍ପର ପ୍ରତି ନିରନ୍ତର ସ୍ନେହ, ସଦିଚ୍ଛା ସର୍ବୋପରି ପରମ୍ପରାବାଦୀ ହେଲେ ବି ଖୋଲା ମନୋବୃତ୍ତିର ପରିବାର ପାଇଥିବାରୁ ମୁଁ ନିଜକୁ ଖୁବ୍ ଭାଗ୍ୟବାନ ମନେ କରୁଛି । ଶିକ୍ଷା, ବଦାନ୍ୟତା ଓ ଦୟା ଉପରେ ମଧ୍ୟ ଏହି ପରିବାର ଅଧିକ ଗୁରୁତ୍ୱ ଦିଅନ୍ତି ।

ଦୃଢ ମନୋଭାବର ମହିଳା ଥିବା ପରିବାରରୁ ଆସିଥିବାରୁ ମୋ’ ଜୀବନ ଉପରେ ସେମାନଙ୍କର ପ୍ରଭାବ ପଡିଛି, ବିଶେଷକରି ମା’ଙ୍କର । ସେ ସବୁମନ୍ତେ ପାରୁପର୍ଯ୍ୟନ୍ତ ସାହାଯ୍ୟ, ସହଯୋଗ ଓ ପ୍ରେରଣା ଦେଇ ଚାଲିଛନ୍ତି ।

ମୋ’ ସ୍ୱାର୍ଥ ଓ ସ୍ୱପ୍ନକୁ କେବେ ହେଲେ ନିରୁତ୍ସାହିତ କରି ନାହାନ୍ତି । ଭଉଣୀ ଲୋପା, ସିଏ ତ ମୋ’ ପାଇଁ ଅନନ୍ୟା । ମୋ’ ଫ୍ୟାସନ୍ ସାମ୍ରାଜ୍ୟର କୁନି ରାଣୀ ।

ଏକସଙ୍ଗେ ଅର୍ଥନୀତି ଓ ଫ୍ୟାସନ୍ ଶିକ୍ଷା ଲାଗି କେଉଁ ପରିସ୍ଥିତିରେ ନିଷ୍ପତ୍ତି ନେଲେ ?

ମୋର ପୃଷ୍ଠଭୂମୀ ସହ ଅର୍ଥନୀତି ଜଡିତ ଥିବାରୁ ଆମେରିକାରେ ଅର୍ଥନୀତି ଶିକ୍ଷା ଲାଗି ଆଗ୍ରହୀ ହୋଇଥିଲି । ଅବଶ୍ୟ ପ୍ରଥମେ କଳା ଅଧ୍ୟୟନ କରିବାକୁ ମନସ୍ଥ କରିଥିଲି । ତେବେ ଭବିଷ୍ୟତରେ ବ୍ୟବସାୟ କରିବାକୁ ହେଲେ, ଅର୍ଥନୀତି ବିଷୟରେ ଦକ୍ଷତା ହାସଲ ଜରୁରୀ ବୋଲି ଭାବିଲି ।

ତେବେ ସେ ଯାହା ହେଉନା କାହିଁକି ଅର୍ଥନୀତି ଉପରେ ଆଧାରିତ ଫ୍ୟାସନ୍ କୁ ଅଧିକ ଗୁରୁତ୍ୱ ଦେଲି । ପରେ ଫ୍ୟାସନ୍ ମର୍ଚ୍ଚାଣ୍ଡାଇଜିଂରେ ସ୍ନାତକ ଡିଗ୍ରୀ ହାସଲ କଲି ।

ଏନ୍ୱାଇସି ସମ୍ପର୍କରେ ଆପଣଙ୍କ ପ୍ରଥମ ଧାରଣ କଣ ଥିଲା ? ଓଡିଶା ସହ ଏହା କିପରି ତୁଳନୀୟ ।

ଅତି ଉତ୍ତେଜକ, ରଙ୍ଗୀନ୍, ବିବିଧତାରେ ଭରପୂର, ସୁସ୍ୱାଦୁ ଖାଦ୍ୟ, ଉଚ୍ଚ ଶକ୍ତି ସଂପନ୍ନ, ବିଶ୍ୱ କଳାର କେନ୍ଦ୍ର ସର୍ବୋପରି ଆମୋଦପ୍ରମୋଦ ପୂର୍ଣ୍ଣ ଏବଂ ନିଜ ରାଜ୍ୟ ସହ ଏହାର କୌଣସି ବିଷୟ ତୁଳନୀୟ ହୋଇପାରେନା ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଫ୍ୟାସନ ଡ଼ିଜାଇନିଂ, ବିଭୂ ମହାପାତ୍ର, ସାକ୍ଷାତକାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ