• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବନସ୍ତ

ବନସ୍ତ ଭିତରେ ଗାଁଟିଏ

May 12, 2018 by ଘାସିରାମ ପଣ୍ଡା Leave a Comment


ନୂଆପଡା ଠାରୁ ଖଡିଆଳ ଆସିଲା ବାଟରେ ତିଖାଲି ନିଦୀବନ୍ଧରୁ ଡାହାଣକୁ ପିଚୁ ଓ ମୋରମ ମିଶାମିଶି ରାସ୍ତାରେ ପ୍ରାୟ ୨୦ କିଲୋମିଟର ଗଲେ ପଡିବ ‘ଉବକା ଗଙ୍ଗା’ । ମାଟି ଭିତରୁ ପାଣି ଉବୁକି ଆସୁଛି ବୋଲି ବୋଧହୁଏ ଏପରି ନାମକରଣ ହୋଇଛି । ଏହାକୁ ଲାଗି ବୋହି ଯାଉଛି ଇନ୍ଦ୍ର ନଦୀ । ଏଇ ପଟୁ ଏହା ସୁନାବେଡା ଅଭୟାରଣ୍ୟକୁ ପ୍ରବେଶ ପଥ ।

ଏଇଠୁ ମୋଟର ସାଇକଲ, ସାଇକଲ କିମ୍ବା ଚାଲି ଚାଲି ପ୍ରାୟ ଗୋଟେ କିଲୋମିଟର ଗଲେ ପାଟି ଡଙ୍ଗର ଓ ପାଟ ଧରା ପାହାଡ ମଝିରେ ପଡିବ ‘ଖୁଲି ଭିତର’ ଗାଁ । ରାସ୍ତାଟି ଇନ୍ଦ୍ର ନଦୀର କୂଳେ କୂଳେ ଓ କିଛି ସ୍ଥାନରେ ନଦୀ ଶଯ୍ୟା ଭିତର ଦେଇ ଯାଇଛି । ଲୋକେ ନିଜ ପରିଶ୍ରମରେ ପଥର ଫଟେଇି ମୋଟର ସାଇକଲ, ସାଇକଲ ଯିବା ଭଳି ରାସ୍ତାଟିଏ କରିଛନ୍ତି । ତେବେ ବର୍ଷା ଦିନେ ଏସବୁ ଧୋଇ ହୋଇଯାଏ ।

ସେତେବେଳେ ମୋଟର ସାଇକଲ, ସାଇକଲ ତ ଦୂରର କଥା ଚାଲି ଯିବାକୁ ବାଟ ନଥାଏ । ହେଲେ ଗାଁକୁ ଥରେ ପହଂଚି ଗଲେ ଚିତ୍ର ପୁରାପୁରି ଅଲଗା । ଓସାରିଆ ଗାଁ ଦାଣ୍ଡ ସାଙ୍ଗକୁ ପରିଷ୍କାର ଲିପାପୋଛା କାନ୍ଥ । ମଝିରେ ଗୋଟିଏ ଦୁଇଟି ସିମେଣ୍ଟ ଘର ବି ଅଛି । ଗାଁ ଦାଣ୍ଡ ମଝିରେ ଲିମ୍ବ ଗଛ ମୂଳେ ପ୍ରତିଷ୍ଠିତ ହୋଇଛନ୍ତି ଗାଁ ଠାକୁରାଣି । ଏଇଠି ଗାଁର ନ୍ୟାୟ ନିଷାପ ହୁଏ, ସଭା ବସେ । ଆମେ ବି ସେମାନଙ୍କ ସହ ବସିଲୁ ।

କେହି ଜଣେ ପାଳୁଅ ସର୍ବତ ଆଣି ଦେଲେ । ସୁଃଖ ଦୁଃଖ ହେଉ ହେଉ ଅନେକ କଥା ଶିଖିଲୁ, ଜାଣିଲୁ । ଗାଁରେ ମୋଟ ୮୭ ଘର ପରିବାର । ସମସ୍ତେ ଆଦିବାସୀ (ଭୁଞୀଆ) ସମ୍ପ୍ରଦାୟର । ଗାଁର ମୁଖିଆ ଜୟସିଂ ଚିନ୍ଦା ଭୁଞୀଆମାନଙ୍କ ଉପ୍ତତ୍ତି ଓ ପରମ୍ପରା ଉପରେ ଆମକୁ କହିଲେ । ତାଙ୍କ ସୃଷ୍ଟି କର୍ତ୍ତାଙ୍କ ଆଗରେ ସେମାନଙ୍କ ଆଗରୁ ଗଣ୍ଡମାନେ ଘୁସୁରି ଓ ହଂସ ବଳି ଦେଇଦେଲେ ବୋଲି ଭୁଞୀଆ ମାନେ ସେବେଠୁ ହଂସ ଓ ଘୁସୁରି ମାଂସ ଖାଆନ୍ତି ନାହିଁ ।

ଭୁଞୀଆ ସ୍ତ୍ରୀଲୋକ ମାନେ ନାକ କଣା କରନ୍ତ ନାହିଁ କି ନାକରେ କୌଣସି ଅଳଙ୍କାର ପିନ୍ଧନ୍ତି ନାହିଁ । ଏହା ସେମାନଙ୍କ ସ୍ୱତନ୍ତ୍ର ପରିଚିତି । ଗାଁରେ ପ୍ରାୟ ସମସ୍ତେ ଜୀବନ ଜୀବିକା ପାଇଁ ଜଙ୍ଗଲ ଜମୀ ଅଧିକାର କରିଛନ୍ତି । ଆଗରୁ ଏହି ଜମୀର ଫସଲ ନଷ୍ଟ ହେଲେବି କିଛି କ୍ଷତି ପୂରଣ ମିଳୁ ନଥିଲା । ହେଲେ ଏବେ ଏହି ସବୁ ଜମୀ ଉପରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସ୍ୱିକୃତୀ ପ୍ରମାଣ ପତ୍ର ମିଳିଥିବାରୁ ଏଥର ଫସଲ କ୍ଷତି ଜନିତ ବୀମା ଅର୍ଥ ସମସ୍ତଙ୍କୁ ମିଳିପାରିଛି ବୋଲି ଆନନ୍ଦ ପ୍ରକାଶ କରି କହନ୍ତି ଆଉ ଜଣେ ବୟୋଜ୍ୟେଷ୍ଠ ଚତୁର ଚିନ୍ଦା ।

କିଛି ଚାଷ ଓ ଆଉ କିଛି ଜଙ୍ଗଲ ଉପରେ ନିର୍ଭରଶୀଳତା ସେମାନଙ୍କ ଜୀବିକା ଅର୍ଜନର ମୂଳ ଉତ୍ସ । ଏବେ ହରିଡା ସଂଗ୍ରହ ସରିଛି, ମହୁଲ ଆରମ୍ଭ ହେଉଛି ଓ ପରେ ପରେ କେନ୍ଦୁ ପତ୍ର ତୋଳାରେ ସମସ୍ତେ ବ୍ୟସ୍ତ ରହିବେ । ବେଳେ ବେଳେ ଅଭାବ ବି ହୁଏ । ଏଥିପାଇଁ ଏ ବର୍ଷ ଗ୍ରାମର ୧୬ଟି ପରିବାରରୁ ୪୫ ଜଣ ଦାଦନ ଯାଇଛନ୍ତି ସୁଦୁର ହାଇଦ୍ରାବାଦକୁ ।

ମନରେଗାରେ ଠିକ ସମୟରେ ମଜୁରୀ ମିଳୁ ନଥିବାରୁ ସେମାନଙ୍କର ଭରସା ତୁଟି ଯାଇଛି । ଇନ୍ଦ୍ର ନଦୀ ଗାଁ ପାଇଁ ଦୁଃଖ ପଳଟିଛି । ଗାଁ ଟି ଅଭୟାରଣ୍ୟ ଭିତରେ ଥିବାରୁ ପକ୍କା ସଡକ ଓ ନଦୀ ଉପରେ ପୋଲ ତିଆରିରେ ବାଧା ଉପୁଜୁଛି । ଅନ୍ୟପଟେ ବର୍ଷରେ ପ୍ରାୟ ଛଅ ମାସ ନଦୀରେ ଭରା ପାଣି ରହୁଥିବାରୁ ସବୁ ପ୍ରକାରର ଅସୁବିଧାର ସମ୍ମୁଖିନ ହେବାକୁ ପଡେ ।

ରୋଗୀ, ପ୍ରସୂତୀ ମହିଳାଙ୍କୁ ଖଟରେ ଦୋଳା କରି ବୋହିକି ନେବାକୁ ପଡେ ପ୍ରାୟ ଚାରି କିଲୋମିଟର ବାଟ । ତାପରେ ଭାଗ୍ୟରେ ଥିଲେ ଆମ୍ବୁଲାନ୍ସ ମିଳେ । ପ୍ରସୂତିଙ୍କୁ ବୋହି ନେବା ବାଟରେ ଶିଶୁ ପ୍ରସବ ହେବାର ଅନେକ ଉଦାହରଣ ରହିଛି ଗାଁରେ । ଗାଁରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ଏହା ଉପରକୁ ପଢିବାକୁ ହେଲେ ନଦୀପାର ନାଗପଡା ଆଶ୍ରମ ସ୍କୁଲରେ ରହି ପଢିବାକୁ ପଡିଥାଏ । ଏହା ସମସ୍ତ ପରିବାର ଓ ପିଲାଙ୍କୁ ସୁହାଉ ନାହିଁ ।

ଏବେ ପ୍ରାୟ ଆଠ ଜଣ ଝିଅ, ପୁଅ ସପ୍ତମ ପରେ ଆଉ ବିଦ୍ୟାଳୟକୁ ନଯାଇ ଘରେ ବସିଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ଚାଉଳ ସମସ୍ତଙ୍କ ପାଇଁ ବଡ ଅଶ୍ୱାସନା । ପାଂଚ କିଲୋମିଟର ଦୂର ପଂଚାୟତ କାର୍ଯ୍ୟାଳୟକୁ ଯାଇ ଆଣିବା କାଠିକର ପାଠ । ବିଶେଷକରି ନଦୀରେ ପାଣି ଥିଲାବେଳେ ମୁଣ୍ଡେଇ ଆଣିବା ଅସାଧ୍ୟ ହୋଇ ପଡେ ।

ବଢି ନଇରେ ଚାଉଳ ମୁଣ୍ଡେଇ ଆଣୁଥିବା ବେଳେ ଜୀବନ ବଂଚେଇବାକୁ ଯାଇ ଚାଉଳ ବୋଝକୁ ଭସେଇ ଦେବାକୁ ବାଧ୍ୟ ହୋଇଛନ୍ତି କେତେକ ଅନେକଥର । ସଂଧ୍ୟା ନଇ ଆସୁଥିବାରୁ ଆମେ ଯିବାକୁ ବାହରୁ ଥିଲୁ । ଠିକ ଏତିକି ବେଳେ ଆମ ମୁଣ୍ଡ ଉପରେ ବତୀଖୁଣ୍ଟର ଆଲୁଅ ଜିଳି ଉଠିଲା । ପଚାରିଲି ଗାଁରେ ତାହେଲେ ବିଦ୍ୟୁତ ଅଛି? ଗାଁ ବିଦ୍ୟାଳୟ କ୍ୟାବିନେଟରେ ମୂଖ୍ୟମନ୍ତ୍ରୀ ଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ବିବିକା ଚିନ୍ଦା କହି ପକେଇଲା ନାଇଁ ସାର ଏଇ ମାସେ ହେବ ଆମ ଗାଁରେ ସୌର ଚାଳିତ ଏ ଲାଇଟ ଜଳୁଛି ।

ଦୀନ ଦୟାଳ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ଗାଁରେ ଦଶଟି ବିଦ୍ୟୁତ ଖୁଣ୍ଟରେ ସାର୍ବଜନୀନ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ପ୍ରତ୍ୟେକ ଘରକୁ ତିନୋଟି ବଲ୍ୱ ସଂଯୋଗ ଦିଆଯାଛି । ପିଲାଏ ଖୁସିଥିଲେ । ଗାଁ ଲୋକେ ବି କହୁଥିଲେ ଅନ୍ଧାରରେ ଚିତା ବାଘ ଦାମୁରି, ଛେଳି ଖାଇ ଯାଉଥିଲା । ଏଥର ଆଉ ସେମିତି ହେବନି । ଗାଁ ଲୋକଙ୍କର ବଡ ଅଭିମାନ ଯେ, ବଡ ଅଫିସର କି ନେତା ଏଯାଏଁ ତାଙ୍କ ଗାଁ କୁ କେହି ଯାଇ ନାହାନ୍ତି !

ଗାଁର ଅପର ପାଶ୍ୱର୍ରେ ଥିବା ପାଟ ଧରା ପାହାଡରୁ ଅଳ୍ପ ବାଟ ଗଲେ ଓଡିଶାର ସୀମା ସରି ଛତିଶଗଡ ଆରମ୍ଭ ହୁଏ । ହେଲେ ନେତା ବା ପ୍ରଶାସକ କାହାରି ବି ନଜର ପଡି ନଥିବା ଏ ଗ୍ରାମବାସୀଙ୍କ ପାଇଁ ରାଜ୍ୟ ସୀମାରେଖାର ବା କ’ଣ ଗୁରୁତ୍ୱ ରହିଛି ।

ବଜାର ବାଦ ଠାରୁ ଦୂରରେ ଥିବା ଏଇ ମଣିଷ ମାନେ ଜୀବନର ସର୍ବନିମ୍ନ ଆବଶ୍ୟକତା ପାଇଁ ଯୁଝୁଥିଲେ ବି ସମସ୍ତଙ୍କ ମୁହଁରେ କିନ୍ତୁ ଥିଲା ସରଳ ଓ ନିଷ୍କପଟତାର ଭାବ । ପ୍ରକୃତିର ସହିତ ସହାବସ୍ଥାନରେ ସେମାନଙ୍କୁ ମିଳୁଥିଲା ପୂର୍ଣ୍ଣତା । ଧିରେ ଧିରେ ଅନ୍ଧାର ବଢୁଥିଲା । ପାଟି ଡଙ୍ଗର ଉପରେ ଜହ୍ନ ଅନେକ ମନୋରମ ଦେଖା ଯାଉଥିଲା । ମନ ଚାହୁଁ ନଥିଲେବି ଆମେ ଫେରିବାକୁ ବାହାରୁଥିଲୁ ।

ଘାସିରାମ ପଣ୍ଡା

Filed Under: ପରିବେଶ Tagged With: ଗାଁ, ବନସ୍ତ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ