• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବରଗଡ଼

ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ

November 14, 2015 by ନିଉଜ ଡେସ୍କ Leave a Comment

ଲିଙ୍ଗରାଜ

ଚଳିତ ବର୍ଷ ଆମ ରାଜ୍ୟରେ ଉତ୍କଟ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ଗତ ଦୁଇ ମାସ ମଧ୍ୟରେ ଭିନ୍ନ ଭିନ୍ନ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ଘଟଣା ପ୍ରଭାବ ସ୍ୱାଭାବିକ ଭାବରେ ଏକ ଉଦବେଗ ଓ ଉଦବେଳନର ପ୍ରସଙ୍ଗ ହୋଇଯାଇଛି । ଏକଥା କହିବା ବାହୁଲ୍ୟ ଯେ ଉଭୟ ଖବର କାଗଜ ଏବଂ ଇଲେକ୍ଟ୍ରୋନିକସ ଗଣମାଧ୍ୟମର ଏଥିରେ ଏକ ସକ୍ରିୟ ଭୂମିକା ରହିଛି ।

lingaraj
ଲିଙ୍ଗରାଜ

ମରୁଡ଼ି ମୁକାବିଲା ପାଇଁ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ବେଶ୍ ତତ୍ପରତା ପୂର୍ବକ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ ଘୋଷେଣା ସତ୍ୱେ କୃଷକ ଆତ୍ମହତ୍ୟା ଘଟଣା ଥମୁନଥିବାରୁ ପୃଷ୍ଠଭୂମିରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ କୃଷକ ମାନଙ୍କୁ ସରକାରଙ୍କ ତରଫରୁ ସର୍ବବିଧି ସହାୟତାର ଆଶ୍ୱାସନା ଦେଇ ଆତ୍ମହତ୍ୟା ନକରିବାକୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ବାଣୀ କୃଷକ ମାନଙ୍କ ମନରେ ଭରସା ଯୋଗାଉ ଥିବା ସଂକେତ ମିଳୁ ନାହିଁ ।

ଗତ ଅଗଷ୍ଟ ମାସରେ ବିଧାନ ସଭାରରେ ରାଜ୍ୟ କୃଷି ମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟାନୁସାରେ ୧୯୯୯ରୁ ୨୦୧୩ ବିଗତ ୧୫ ବର୍ଷ ଭିତରେ ଓଡ଼ିଶାରେ ୩୬୦୨ ଜଣ କୃଷକ ମାନଙ୍କର ଆତ୍ମହତ୍ୟା ଘଟଣା ଘଟିଛି ।

ଏବିଷୟ ତଥ୍ୟ ଉପସ୍ଥାପନ କଲା ବେଳେ କୃଷିମନ୍ତ୍ରୀ ଏକଥା କହିବାକୁ ଭୁଲିନଥିଲେ ଯେ କୃଷକ ମାନଙ୍କର ଆତ୍ମହତ୍ୟା ପଛରେ କୃଷି ଜନିତ ସମସ୍ୟାର ଆଦୌ ସମ୍ପର୍କ ନାହିଁ, ଭିନ୍ନ ଭିନ୍ନ କାରଣରୁ ସେମାନେ ଆତ୍ମହତ୍ୟା କରୁଛନ୍ତି ।

କୃଷିମନ୍ତ୍ରୀଙ୍କର ଏପରି ସ୍ପଷ୍ଟୀକରଣ ଦେବାର ତାତ୍ପର୍ଯ୍ୟ କଣ ହୋଇପାରେ ? । (ବିଜେଡ଼ି ନବୀନ ପଟ୍ଟନାୟକ ନେତୃତ୍ୱାଧିନ ସରକାର) କୃଷକ ମାନଙ୍କ ପ୍ରତି ଅଙ୍ଗିକାର ହୋଇ ନାନା ଯୋଜନା କରୁଥିବା ବେଳେ କୃଷି କ୍ଷେତ୍ରରେ ସମସ୍ୟା ଉପୁଜିବ କେମିତି ଏବଂ ତାକୁ ସ୍ୱୀକାର କଲେ ସରକାରଙ୍କ ବଦନାମ ତୁଲ୍ୟ ହେବ ନାହିଁ କି? )।

ଓଡ଼ିଶା ସରକାରର ବର୍ତମାନ କିମ୍ବା ପୂର୍ବତନ କୃଷିମନ୍ତ୍ରୀଙ୍କର ଏହି ପ୍ରସଙ୍ଗକୁ ନେଇ ଏପରି ଆଭିମୁଖ୍ୟକୁ ଏକ ବ୍ୟତିକ୍ରମ କୁହାଯାଇ ପାରିବ ନାହିଁ । ଏଠାରେ ସ୍ମରଣଯୋଗ୍ୟ ଯେ ଗତ ଲୋକସଭା ଅଧିବେଶନ କାଳରେ (ବିଜେପି ନେତୃତ୍ୱାଧିନ) କେନ୍ଦ୍ର ସରକାରଙ୍କ କୃଷିମନ୍ତ୍ରୀଙ୍କର ଏହାଠାରୁ ଅଧିକ କଟୁକ୍ତିପୂର୍ଣ୍ଣ ବୟାନ ବେଶ୍ ଚର୍ଚ୍ଚିତ ହୋଇଥିଲା । ତାହାର ମର୍ମ ଥିଲା କୃଷକ ମାନଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ପ୍ରେମଜନିତ ବିଫଳତା, ନପୁଂସକତା ଓ ତଦ୍ ଜନିତ ମାନସିକ ସମସ୍ୟା ।

ଏହା ପୂର୍ବରୁ କ୍ରେନ୍ଦ୍ରରେ ଦୀର୍ଘ ବର୍ଷ ଧରି କ୍ଷମତାସୀନ କଂଗ୍ରେସ ଦଳର କୃଷିମନ୍ତ୍ରୀଙ୍କର ଏବିଷୟରେ ଆଭିମୁଖ୍ୟରେ ଭିନ୍ନତାର ନଜିର ନାହିଁ । ୧୯୯୬ରୁ ୨୦୧୪ ଭିତରେ ଦେଶବ୍ୟାପୀ ତିନି ଲକ୍ଷ୍ୟରୁ ଊର୍ଦ୍ଧ୍ଵ କୃଷକ ଆତ୍ମହତ୍ୟା କରିଥିବାର ତଥ୍ୟ ଅବଶ୍ୟ କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ପ୍ରଦାନ କରୁଅଛି ।

କୃଷକ ଆତ୍ମହତ୍ୟା ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୈତିକ ଦୋଷାରୋପଣ ଭିତ୍ତିକ ବିତର୍କର ଏ ଚରିତ୍ରକୁ ବିଶ୍ଳେଷଣ କଲେ ଏକଥା ସ୍ପଷ୍ଟ ଯେ ଏହା ହେଉଛି ଆମ ଦେଶର ଶାସନ ଶ୍ରେଣୀର ଆଭିମୁଖ୍ୟ, କୌଣସି ନିର୍ଦ୍ଧିଷ୍ଟ ଦଳ ଭିତରେ ଏହା ସୀମାବଦ୍ଧ ନୁହେଁ ।

ଏହା ସହ ପଢନ୍ତୁ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

୧୯୮୦-୯୦ ଦଶକରେ ଆମ ଦେଶରେ ଅନାହାର ମୃତ୍ୟୁର ବ୍ୟାପକ ଅଭିଯୋଗକୁ ନେଇ ରାଜନୌତିକ ସ୍ତରରେ ଅନୁରୂପ ଦୋଷାରୋପଣର ସଲାକୁସ୍ତି ହେଉଥିଲା । ସମସ୍ୟା ମୂଳ କାରଣକୁ ସ୍ୱୀକାର କରି ସମାଧାନର ସୁତ୍ର ବାହାର କଲା ପରେ ଆଜି ତାହାର ଯଥେଷ୍ଟ ହ୍ରାସ ପାଇଛି , ଅନ୍ତତଃ ଅନାହାର ମୃତ୍ୟୁର ଅମାନବୀୟର ରୂପ ହ୍ରାସ ପାଇଛି ।

2007 AGITATION
୨୦୦୭ ମସିହାରେ ହୋଇଥିବା ଚାଷୀ ଆନ୍ଦୋଳନର ଏକ ଦୃଶ୍ୟ ଛବି ସୌଜନ୍ୟ : ଅଶୋକ ପ୍ରଧାନ

ଆମ ଦେଶର ଶାସନ ଶ୍ରେଣୀ ସଂପ୍ରତି କୃଷକ ଆତ୍ମହତ୍ୟା ଘଟଣାବଳୀକୁ କୃଷି କ୍ଷେତ୍ରର ନୀତି ଜନିତ ସମସ୍ୟା ସହ ଯୋଡ଼ି ଦେଖିବାକୁ ପ୍ରସ୍ତୁତ ନଥିବା ସତ୍ୱେ ଯେଉଁ ବର୍ଷ ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଘଟୁଛି ସେହି ସମୟରେ ଜନମତର ଚାପରେ ସରକାର କାରଣ ଓ ନିରାକାରଣ ଖୋଜିବା ଆଳରେ କମିଟି କମିଶନ ବସାଇବାର ଦୃଷ୍ଟାନ୍ତ ଅବଶ୍ୟ ରହିଛି । କିନ୍ତୁ ତାର ସୁପାରିଶକୁ ନେଇ ସଂପୃକ୍ତ ସରକାର ମାନଙ୍କର ଅଭିମୁଖ୍ୟ ତତୋଧିକ ବିଡ଼ମ୍ବନା ।

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୦୯-୧୦ରେ ଓଡ଼ିଶାରେ ଖରିଫ ଚାଷ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ହାନି ହୋଇଥିଲା ଏବଂ ସେହି ସମୟରେ ପ୍ରଥମ ଥର ପାଇଁ ଅନେକ ସଂଖ୍ୟକ କୃଷକ ଆତ୍ମହତ୍ୟାର ସମ୍ବାଦ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିଥିଲା ।

ସେହି ଅବଧି ଓ ପୃଷ୍ଠଭୂମିରେ ରାଜ୍ୟ ସରକାର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କୃଷକ କମିଶନ ଗଠନ କରିଥିଲେ । ଉକ୍ତ କମିଶନର ରିପୋର୍ଟ ରାଜ୍ୟ ସରକାରଙ୍କୁ ୨୦୧୨ ଡ଼ିସେମ୍ବରରେ ପ୍ରଦତ୍ତ ହୋଇଥିଲେ ସୁଦ୍ଧା ତାହା ବିଧାନସଭାରେ ପେଶ୍ ହୋଇନାହିଁ କିମ୍ବା ଲୋକଲୋଚନକୁ ଆସିନାହିଁ ।

ସବୁଠାରୁ ବିଡ଼ମ୍ବନାର କଥା ୨୦୧୪ରେ ରାଜ୍ୟ ସରକାର ଉକ୍ତ କମିଶନର ସୁପାରିଶ ଅନୁଧ୍ୟାନ କରିବା ପାଇଁ ପୁନଶ୍ଚ ଏକ ୭ ଜଣିଆ କିଶେଷଜ୍ଞ କମିଟି କରିବାକୁ କୁହାଯାଇଛି ।

AGITATION 9 nOV-2015
ଚଳିତ ମାସ ଚାଷୀ ଆତ୍ମହତ୍ୟା ବିରୋଧରେ ହୋଇଥିବା ସମାବେଶ ର ଦୃଶ୍ୟ ଛବି ସୌଜନ୍ୟ: ଅଶୋକ ପ୍ରଧାନ

ଠିକ୍ ସେହିପରି ୨୦୦୫ରେ କେନ୍ଦ୍ରରେ ନବ ଗଠିତ ଉପା ସରକାର ମଧ୍ୟ ଖ୍ୟାତିସଂପନ୍ନ କୃଷି ବିଶେଷଜ୍ଞ ସବୁଜ ବିପ୍ଳବର ସୁତ୍ରଧର ଏମ୍.ଏସ୍.ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ ଏକ କୃଷକ ଆୟୋଗ କଠନ କରିଥିଲେ । ସେହି ଅବଧିରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ପ୍ରଭୃତି ଆଧୁନିକ କୃଷି ପଦ୍ଧତିରେ ଉନ୍ନତ ରାଜ୍ୟ ମାନଙ୍କରେ କୃଷକ ମାନଙ୍କର ଅନେକ ସଂଖ୍ୟାରେ ଆତ୍ମହତ୍ୟା ଘଟଣା ଲୋକଲୋଚନକୁ ଆସିବା ପୃଷ୍ଠଭୂମିରେ ଏହି କମିଶନର ଗଠନ ହୋଇଥିଲା ।

୨୦୦୮ରେ ଏହି କମିଶନର ରିପୋର୍ଟ ସରକାରଙ୍କୁ ପ୍ରଦତ୍ତ ହୋଇଥିଲା । ଉକ୍ତ କମିଶନର ଅଧିକାଂଶ ସୁପାରିଶ ଏକ କର୍ପୋରେଟ ଆଧାରିତ କୃଷି ବ୍ୟବସ୍ଥା ଅନୁକୂଳ ହୋଇଥିବା ବେଳେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କୃଷକ ମାନଙ୍କୁ ସୁହାଇଲା ଭଳି ଥିଲା । ତେଣୁ ସେହି ସୁପାରିଶ ଦେଶର କୃଷକ ସଂଗଠନ ତଥା ସଚେତନ କୃଷକ ମାନଙ୍କ ଭିତରେ ବେଶ୍ ଚର୍ଚ୍ଚିତ ହୋଇ ରହିଛି ।

ଉକ୍ତ ସୁପାରିଶଟି ହେଲା ସରକାରଙ୍କ ଦ୍ୱରା କୃଷିଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ଦର ନିର୍ଦ୍ଧାରଣ କରାଗଲା ବେଳେ ଉତ୍ପାଦନ ଖର୍ଚ୍ଚ ସହ ପଚାଶ ପ୍ରତିଶତ ଯୋଡ଼ି ସ୍ଥିର କରିବେ । ଏହାକୁ ଏମ୍.ଏସ୍.ସ୍ୱାମୀନାଥନ ସୂତ୍ର ମଧ୍ୟ କୁହାଗଲା । ଏହି ସୁପାରିଶ ଜଣାପଡ଼ିବା ଦିନ ଠାରୁ କୃଷକ ସଂଗଠନ ମାନେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରି ଆସୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପା ସରକାର ଅମଳରେ ଏହି ସୁପାରିଶ ସଂକ୍ରାନ୍ତରେ ବିଚାର ସୁଦ୍ଧା କରାଗଲା ନାହିଁ । ଗତ ସାଧାରଣ ନିର୍ବାଚନ ସମୟରେ ବର୍ତମାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦାବିକୁ ତାର ନିର୍ବାଚନ ଇସ୍ତାହାରରେ ଅର୍ନ୍ତଭୁକ୍ତ କରିଥିଲା କିନ୍ତୁ ସରକାର ଗଢିବାର ଛଅ ମାସ ପର୍ଯ୍ୟନ୍ତ ଏ ବିଷୟରେ ଚୁପ୍ ରହିବାରୁ ହରିଆଣାର କେତେଜଣ କୃଷକ ନେତା ଏହି ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା କରିଥିଲେ ।

କିନ୍ତୁ ବିଡ଼ମ୍ବନାର କଥା କେନ୍ଦ୍ରର ବିଜେପି ସରକାର ସତ୍ୟପାଠ କରି ଅଦାଲତରେ ଜବାବ ଦାଖଲ କଲେ ଯେ ଏହି ସୁପାରିଶକୁ ଲାଗୁ କରିବା ସମ୍ଭବ ନୁହେଁ, କାରଣ ଏହାଦ୍ୱାରା ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଆମ ଦେଶର ଶାସକ ଶ୍ରେଣୀର କୃଷକ ଶ୍ରେଣୀ ପ୍ରତି ଉପେକ୍ଷା ଓ ପ୍ରତାରଣାର ଏହା ଏକ ସଦ୍ୟତମ ଉଦାହରଣ ।

ଏପ୍ରସଙ୍ଗରେ ଏକଥା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ ଯେକୌଣସି ରାଜ୍ୟ ସରକାର କୌଣସି ଫସଲ ହାନି କୃଷକ ମାନଙ୍କୁ ବୋନସ୍ ପ୍ରଦାନ କରି ପାରିବ ନାହିଁ, ଯଦି କରନ୍ତି ତେବେ କେନ୍ଦ୍ର ସରକାର ତାର ବଜାର ବ୍ୟବସ୍ଥା ପାଇଁ ଦାୟୀ ରହିବେ ନାହିଁ ।

କୃଷିଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ ଓ ବୋନସ୍ ପ୍ରଦାନ ବ୍ୟବସ୍ଥା ସହିତ ଆଧୁନିକ କୃଷି ବ୍ୟବସ୍ଥାରେ ସରକାରୀ ହସ୍ତକ୍ଷେପ ଦ୍ୱାରା କୃଷକ ମାନଙ୍କ ଆୟବୃଦ୍ଧିର ସିଧାସଳଖ ସଂପର୍କ ରହିଛି ।

ଆମ ଦେଶର ମାତ୍ର ୫ ପ୍ରତିଶତ ସରକାରୀ କର୍ମଚାରୀ ମାନଙ୍କର ପ୍ରତି ବର୍ଷରେ ବେତନ କମିଶନ ଗଠନ କରି ଅସମାନୁପାତିକ ଦରମା ଭତ୍ତା ବୃଦ୍ଧି ତଥା ପ୍ରତି ୯ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ସାଙ୍ଗକୁ ବିଧାୟକ/ ସାଂସଦ ମାନଙ୍କର ଦରମା ବୃଦ୍ଧି ବେଳକୁ ଦେଶର ଅର୍ଥ ବ୍ୟବସ୍ଥା ବିକୃତ ହେବାର ଯୁକ୍ତି କେହି କରନ୍ତି ନାହିଁ ।

ତେବେ ଜନସଂଖ୍ୟାର ୬୦ ପ୍ରତିଶତ କୃଷକ ମାନଙ୍କ ଆୟବୃଦ୍ଧିର ଏକ କ୍ଷୁଦ୍ର ବ୍ୟବସ୍ଥା କଥା ଉଠିଲେ ସରକାର ଚିହିଁକି ଉଠି ସତ୍ୟପାଠ କରୁଛନ୍ତି ଯେ ଦେଶର ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଏହି ରାଜନୈତିକ ଆଭିମୁଖ୍ୟରେ ହିଁ ରହିଛି କୃଷକ ଆତ୍ମହତ୍ୟାର ଏକ ମୂଳ କଥା ।

ପ୍ରଖ୍ୟାତ ହିନ୍ଦୀ କଥାକାର ପ୍ରେମଚାନ୍ଦ ୧୯୩୨ରେ ପରାଧିନ ଭାରତରେ ଏବିଷୟରେ ଏକ ପ୍ରବନ୍ଧ ଲେଖିଥିଲେ । କୃଷକ ଋଣ ବୋଝରେ ଜନ୍ମ ନିଏ, ଋଣ ବୋଝରେ ବଂଚେ ଓ ଋଣ ଜାଲ ମରିଥାଏ । ପରାଧିନ ଭାରତରେ ବି ଋଣ ବୋଝ କୃଷକର ଚିର ସହଚର ଥିଲା ।

ତେବେ ଆମ ଦେଶର ଅର୍ଥନୈତିକ ଐତିହାସିକ ମାନଙ୍କ ମତରେ ବ୍ରିଟିଶ ଶାସନ କାଳରେ କୃଷକମାନେ ଋଣ ଜାଲରେ ଫସି ଆତ୍ମହତ୍ୟା କରୁଥିବାର ନଜିର ଦେଖିବାକୁ ମିଳେ ନାହିଁ । ତେଣୁ ସ୍ୱାଭାବିକ ପ୍ରଶ୍ନ ଉଠୁଛି ସ୍ୱାଧୀନ ଭାରତରେ ଗତ ୨୦ ବର୍ଷ ଭିତରେ ୩ ଲକ୍ଷରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ମୂଳ କାରଣ କଣ? ।

ଦେଶର ଅନ୍ନଦାତା ବୋଲାଉଥିବା କୃଷକ (ବିଶେଷତଃ ଯେଉଁମାନଙ୍କ ପାଖରେ କୃଷି ଭିନ୍ନ ଅନ୍ୟ କୌଣସି ଧନ୍ଦା ନାହିଁ) ଆଜି ଏପରି ଅସହାୟ ବୋଧ କରୁଛି କାହିଁକି? ମହାରାଷ୍ଟ୍ର ଓ ପଞ୍ଜାବର କଥାକଥିତ ଊନ୍ନତ କୃଷକ ହେଉ କି ଓଡ଼ିଶାର ଦରିଦ୍ର ପଛୁଆ କୃଷକ ହେଉ ଆତ୍ମହତ୍ୟାର ପଥ ବାଛି ନେଉଛି କାହିଁକି ?

ଏହାର ମୂଳ କାରଣ ୪ଟି ପ୍ରକ୍ରିୟାଗତ ଶବ୍ଦରେ ଅନ୍ତର୍ନିହିତ ରହିଛି । ଉତ୍ପାଦନ ଖର୍ଚ୍ଚ ଆୟ ବିପର୍ଯ୍ୟୟ ଓ ଋଣ ।ଅର୍ଥାତ କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ସୀମାହୀନ ଭାବରେ ବଢିଚାଲିଛି ଏବଂ ସେହି ଅନୁପାତରେ କୃଷକର ଆୟବୃଦ୍ଧି ହେଉ ନାହିଁ ।

ସେହି ପରିସ୍ଥିତିରେ କୃଷକ ଉପରେ ଯଦି ଥରେ ବିପର୍ଯ୍ୟୟ ମାଡ଼ି ଆସିଲା ତେବେ ତା ଉପରେ ଋଣ ବୋଝ ଅସମ୍ଭାଳ ହୋଇଯାଉଛି । ପ୍ରଚଣ୍ଡ ଅସହାୟବୋଧ କରୁଥିବା କୃଷକ କିଂ କର୍ତବ୍ୟବିମୁଢ ହୋଇ ଜୀବନ ଯୁଦ୍ଧରେ ହାରି ଯାଉଛି ।

ଆଧୁନିକ କୃଷି ପଦ୍ଧତି ପୂର୍ବରୁ ଆମ ଦେଶରେ ଅନୁସୃତ କୃଷି ପଦ୍ଧତିରେ ଉତ୍ପାଦନ ଖର୍ଚ୍ଚ ପାଇଁ କୃଷକ ବଜାର ଉପରେ ଆଦୌ ନିର୍ଭରଶୀଳ ନଥିଲା । ଦେଶକୁ ଖାଦ୍ୟ ସଂକଟରୁ ମୁକୁଲାଇବା ପାଇଁ ଅନୁସୃତ ସବୁଜ ବିପ୍ଲବ କୃଷି ପଦ୍ଧତିରେ ଗୋଟିଏ ସମୟ ଯାଏ ସରକାରୀ ସହାୟତା ବଜାର ଦାଉକୁ ପ୍ରାୟତଃ ସମ୍ଭାଳି ନେଉଥିଲା ।

୧୯୯୧ ପରବର୍ତ୍ତୀ ତଥାକଥିତ ନବ ଉଦାରବାଦୀ ଯୁଗରେ ସରକାରୀ ସହାୟତା ସବ୍ସିଡ଼ି ହ୍ରାସ ସାଙ୍ଗକୁ ବଜାର ଶକ୍ତ କମ୍ପାନୀ ମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି ।ଏହି ଯୁଗରେ ଶିକ୍ଷା ଓ ସ୍ୱାସ୍ଥ୍ୟ ମଧ୍ୟ ବଜାରର ବସ୍ତୁ ହୋଇଗଲାଣି । କୃଷକ ପରିବାର ପାଇଁ ଏହା ମଧ୍ୟ ଏକ ବିପର୍ଯ୍ୟୟର ରୂପ ନେଉଛି ।

ସରକାରୀ ନୀତି ଦ୍ୱାରା ପ୍ରୋତ୍ସାହିତ ବଜାର ସର୍ବସ୍ୱ ଅର୍ଥ ବ୍ୟବସ୍ଥା ଜନିତ ଉପଭୋକ୍ତାବାଦର ଅନିୟନ୍ତ୍ରିତ ପ୍ରସାର ମଧ୍ୟ କୃଷକ ପରିବାର ପାଇଁ କାଳ ହୋଇଛି । ଏପରି ଏକ ଚକ୍ରବ୍ୟୁହ ଭିତରୁ କୃଷକ କିପରି ବାହାରି ପାରିବ ତାହା ଏକ ଯକ୍ଷ ପ୍ରଶ୍ନ ।

କଥାକାର ପ୍ରେମଚାନ୍ଦ ଉପରୋକ୍ତ ପ୍ରବନ୍ଧରେ ଏକଥା ବି କହିଥିଲେ ଯେ ସେକାଳର ସରକାର କୃଷକ ମାନଙ୍କୁ ସାବତ ପୁଅ ହିସାବରେ ବ୍ୟବହାର କରୁଛି । କୃଷକ ମାନଙ୍କୁ ନିଜର ବଡ଼ ପୁଅ ଭଳି ବ୍ୟବହାର କଲେ ଯାଇ ସେମାନେ ତିଷ୍ଠି ପାରିବେ ବୋଲି ସେ ଆକୁଳ ନିବେଦନ କରିଥିଲେ ।

ବିଦେଶୀ ସରକାରର ଆଚରଣ ତ ବଦଳିବାର ପ୍ରଶ୍ନ ନଥିଲା । ସ୍ୱାଧୀନ ଭାରତରେ ପ୍ରଜାତନ୍ତ୍ର ଶାସନର ସରକାରର ଆଚରଣ ବଦଳାଇବାର କିଛି ବାଟ ଅଛି କି?

ସମତା ଭବନ, ବରଗଡ଼ -୭୬୮୦୨୮
ମୋ: ୯୪୩୭୦୫୬୦୨୯

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ବରଗଡ଼, ବିଜେଡ଼ି, ରାଜ୍ୟ ସରକାର, ସରକାର

ବରଗଡରେ ଚାଲିଛି କଂଗ୍ରେସର ପରିବର୍ତନ ଯାତ୍ରା

November 16, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବରଗଡ,ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍)-ପରିବର୍ତନର ନାରାଦେଇ ନେହେରୁ ଜୟନ୍ତୀ ଠାରୁ ସୁବର୍ଣ୍ଣପୁର ବିନିକାରୁ ଆରମ୍ଭ ହୋଇଥିବା କଂଗ୍ରେସର ଛଅ ଦିନିଆ ପଦଯାତ୍ରା ଆଜି ବରଗଡ ଅଞ୍ଚଳ ପରିକ୍ରମା କରୁଛି ।

କଂଗ୍ରେସର ଏହି ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିବାସ ପଦଯାତ୍ରା ବରଗଡର ବରପାଲିରୁ କଦଳୀପାଲି, ଅଇଁଠା ପାଲି, ଜୁଲୁଟ, ବାଘମାଡି ଦେଇ ଖୁଦ ପାଲି ନିକଟରେ ପହଞ୍ଚିଛି । ଆଜି ସକାଳୁ ଶହଶହ ଦଳୀୟ କର୍ମୀ ପତାକା ଓ ବ୍ୟାନର ଧରି ସ୍ଲୋଗାନ ଦେଇ ଗାଁ ଗାଁ ପରିକ୍ରମା କରୁଛନ୍ତି ।

ଏମାନଙ୍କ ସହିତ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧିଦଳ ନେତା ଭୂପିନ୍ଦର ସିଂହ ପ୍ରମୁଖ ବହୁ ବରିଷ୍ଠ କଂଗ୍ରେସ ନେତା । ଗାନ୍ଧି ଜୟନ୍ତୀରୁ ଗୋପବନ୍ଧୁ ଜୟନ୍ତୀ ପର୍ଯ୍ୟନ୍ତ କଟକ, ପୁରୀ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ସୁବର୍ଣ୍ଣପୁର ଓ ବରଗଡ ଜିଲ୍ଲାରେ ଅନୁଷ୍ଠିତ ହେଉଛି । ୧୯ ତାରିଖରେ ବରଗଡର ଅତାବିରାରେ ଏହି ପଦଯାତ୍ରା ଶେଷ ହେବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, ବରଗଡ଼, ବିରୋଧିଦଳ

୧୯ ତାରିଖରେ ବରଗଡର ଅତାବିରାରେ ଏହି ପଦଯାତ୍ରା ଶେଷ ହେବ ।

November 13, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ,ନଭେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍)-ପବିତ୍ର ଦ୍ୱୀପାବଳୀରେ ପ୍ରୟାଶ୍ରାଦ୍ଧ ଦେବାପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଙ୍ଗମ । ପିତୃ ପୁରୁଷଙ୍କୁ ଶ୍ରାଦ୍ଧଦେବାପାଇଁ ଶ୍ରୀମନ୍ଦିର ବାଇଶୀ ପାହଚରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥିଲା ।

ବଡବଡୁଆ ଅନ୍ଦାରରେ ଆସି ଆଲୁଅରେ ଯାଅ, ଶ୍ରୀମନ୍ଦିରରେ ମହାପ୍ରସାଦ ଖାଇ ବାଇଶୀ ପାହଚେ ଗଡଗଡଉଥାଅ । ଏମିତି କିଛି ଆଧ୍ୟାତ୍ମକକୁ ନେଇ ଆଜି ସିଂହ ଦ୍ୱାରରେ ଭକ୍ତମାନେ ବଡବଡୁଆଙ୍କୁ ଡାକିଥିଲେ । ଭୋଗ କରିବା ସହ ଦୀପ ଜାଳିଥିଲେ ।

ବିଶ୍ୱାସ କରାଯାଏ ବାଇଶୀ ପାହଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ ଏବଂ କାଉଁରିଆ ଧରି ବଡବଡୁଆଙ୍କୁ ଡାକିଲେ ପରିବାରରେ ସୁଖ ସମୃଦ୍ଧି ବଢେ । ବାଇଶୀ ପାହଚରେ ଶ୍ରାଦ୍ଧ ଦେବାପରେ ଭକ୍ତମାନେ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠିଧରି ତାଦେହରେ ନିଆଁ ଲଗାଇ ବଡବଡୁଆକୁ ଡାକିଥିଲେ ।

ଲୋକଙ୍କ ସମାଗମ ଦେଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କାକୁଡିଖାଇ ଛକ, ଗାଣ୍ଡୁଆ ଚଉରା ଛକ ଏବଂ ଦୋଳଗୋବିନ୍ଦ ସାହି ଛକରୁ ୱାନୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଯାନ ବାହାନ ଗୁଡିକୁ ମନ୍ଦିର ନିକଟକୁ ଛଡା ଯାଉନାହିଁ । ମାର୍କେଟ ଛକ ଠାରୁ ସହର ଭିତରୁକ ଯାନବାହନ ଚଳାଚଳ ବନ୍ଦ ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କାଉଁରିଆ କାଠି, ଦ୍ୱୀପାବଳୀ, ବରଗଡ଼, ଶ୍ରୀମନ୍ଦିର

ରୋଟାରୀ କ୍ଲବ ବରଗଡ଼ ଦ୍ୱାରା ନୂଆଁଖାଇ ଭେଟ୍ଘାଟ୍

October 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼ ,ଅକ୍ଟୋବର ୭(ଓଡ଼ିଶା ଡ଼ଟ୍ କମ୍)- ରୋଟାରୀ ପବ୍ଲିକ ସ୍କୁଲ ଠାରେ ନିକଟରେ ନୂଆଁଖାଇ ଭେଟ୍ଘାଟ୍ ର ଆୟୋଜନ କରାଯାଇଥିଲା ।

ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ମୂଖ୍ୟ ଅତିଥି ଭୂତପୂର୍ବ ଡ଼ିଷ୍ଟିକ୍ଗଭର୍ଣ୍ଣର ଡ଼ଃ.ପ୍ରମୋଦ ରଥ ତାଙ୍କ ସହ ଧର୍ମିଣୀ ସୁନୀତା ରଥ, କ୍ଲବ ସଭାପତି ରୋଟାରୀଆନ୍ ବିଶ୍ୱଜିତ୍ ବାରିକ ,ସହ ଧର୍ମିଣୀ ପ୍ରତୀଭା ବାରିକ, ଇନରହ୍ୱିଲ୍ କ୍ଲବ ସଭାନେତ୍ରୀ ଶ୍ରୀମତୀ ସନ୍ଧ୍ୟା ଅଗ୍ରୱାଲ, ରୋଟ୍ରାଟ୍ କ୍ଲବ ସଭାପତି ରୋଶନ ବାରିକ , ଏସିଷ୍ଟେ ଗଭର୍ଣ୍ଣର ସଞ୍ଜୟ ଅଗ୍ରୱାଲ ପ୍ରମୁଖ ମାଁ ସମଲେଶ୍ୱରୀଙ୍କ ଠାରେ ଦ୍ୱୀପ ପ୍ରଜ୍ଜଳିତ କରି ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ରୋଟାରୀ କ୍ଲବ,ବରଗଡ଼ ଏବର୍ଷ ପ୍ରଥମ କରି ନୂଆଁଖାଇ ଭେଟ୍ଘାଟ୍ ଅବସରରେ ସମାଜର ବିଭିନ୍ନ ବର୍ଗରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ରୋଟାରୀ ସମ୍ମାନରେ ଭୂଷିତ କରିଥିଲା

ସାମ୍ବାଦିକତା ତଥା ସାମାଜିକ କାର୍ଯ୍ୟ ପାଇଁ ବର୍ଷିଆନ୍ ସାମ୍ବାଦିକ ଶିତୀକଣ୍ଠ ପାଟ୍ଟଯୋଶୀ ,ସୁରେନ୍ଦ୍ର ହୋତା, ଲକ୍ଷ୍ମୀ ହୋତା, ଶଙ୍କର ବଲ୍ଲଭ ମିଶ୍ର ସମ୍ବଲପୁରୀ କବିତା ପାଇଁ ଶଚ୍ଚି ପଣ୍ଡା, ସଞ୍ଜିବ ବଣିଆଁ , ଦେବେନ୍ଦ୍ର ସାହୁ ପ୍ରମୁଖଙ୍କୁ ମୂଖ୍ୟ ଅତିଥି ଦ୍ୱାରାଉପଢ଼ୌକନ ଦେଇ ସମ୍ବଦ୍ଧିତ କରାଯାଇଥିଲା ।

ସମ୍ମାନ ପାଇଥିବା ବ୍ୟକ୍ତି ବିଶେଷ ଗଣ ତାଙ୍କର ନିଜର ଅନୁଭୂତି ସହିତ ରୋଟାରୀ କ୍ଲବ ସାମାଜିତ ସ୍ତରରେ ନିଜକୁ ସାମିଲ କରି ଏହି ସବୁ କାର୍ଯ୍ୟକରିଥିବା ପାଇଁ ପ୍ରଶଂସା କରିଥିଲେ ।

ଏହି ଅବସରରେ ରୋଟାରୀ ଏବଂ ରୋଟ୍ରାଟ୍ କ୍ଲବର ଆଠ ଜଣ ନୂଆଭାବେ ସଭ୍ୟପଦ ଗ୍ରହଣ କରିଥିଲୋ ବର୍ଷିଆନ ରୋଟାରୀଏନ ଗଣ ତାଙ୍କୁ ସଭ୍ୟପଦ ପାଇଁ ସପଥ ପାଠ କରାଇଥିଲେ ।

ମୋହିନୀ କଳାପରିଷଦ ବରଗଡ଼ ଦ୍ୱାରାସମ୍ବଲପୁରୀ ନୃତ୍ୟଗୀତ ପରିବେଶଣ କରାଯାଇଥିଲା । ଗଙ୍ଗାସାଗର ପତି ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରୋଟାରୀଏନ୍ ପ୍ରଦୀପ ଦେବ୍ତା ପରିଚାଳନା କରିଥିଲେ । ଶେଷରେ କ୍ଲବ ସଭ୍ୟଙ୍କ ଦ୍ୱାରାତିଆରି ହୋଇଥିବା ନୂଆଁଖାଇର ସମ୍ବଲପୁରୀ ବ୍ୟଞ୍ଜନ ସମସ୍ତଙ୍କୁ ପରସା ଯାଇଥିଲା । ସମସ୍ତ ରୋଟାରୀଆନ୍,ଇନରହ୍ୱିଲ୍ ସଭ୍ୟା ଏବଂ ରୋଟ୍ରାଟ୍ର ଉପସ୍ଥିତି ଥାଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନୂଆଁଖାଇ, ବରଗଡ଼, ରୋଟାରୀ କ୍ଲବ

ମାଓବାଦୀଙ୍କ ବରଗଡ, ବଲାଙ୍ଗୀର ବନ୍ଦ ଡାକରା

September 28, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) -ବଲାଙ୍ଗୀର ଓ ବରଗଡ ବନ୍ଦ ପାଇଁ ମାଓବାଦୀମାନେ ଅକ୍ଟୋବର ୧ ତାରିଖକୁ ଦିନ ଧାର୍ଯ୍ୟ କରିବା ପରେ ଅଞ୍ଚଳରେ ପୁଣି ଭୟର ବାତାବରଣ ଦେଖାଯାଇଛି ।

ଛତିଶଗଡ, ମହାସମୁନ୍ଦ ଡିଭିଜନ ପକ୍ଷରୁ ଏହି ଡାକରା ଦିଆଯାଇଛି । ବନ୍ଦ ନିମ୍ନ ବର୍ଗର ଆଦିବାସୀ ଦଳିତ ମାନଙ୍କୁ ଅନ୍ୟାୟ ଅତ୍ୟାଚାର ବିରୋଧରେ କରାଯାଉଛି ବୋଲି ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି ।

ଏ ମର୍ମରେ ପାଇକମାଲରେ ହିନ୍ଦିରେ ଲେଖାଥିବା ଏକ ମାଓ ପୋଷ୍ଟର ମିଳିବା ପରେ ପୋଲିସ ପକ୍ଷରୁ ତଦନ୍ତ ଚାଳିଛି । ତେବେ ବନ୍ଦର ପ୍ରଭାବ ଜିଲ୍ଲାର ସବୁ ଅଞ୍ଚଳର ହେବାର ସମ୍ଭାବନା ନେଇ ଜନ ଚର୍ଚ୍ଚା ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବରଗଡ଼, ବଲାଙ୍ଗୀର, ମାଓବାଦୀଙ୍କ ବନ୍ଦ ଡାକରା

ଟ୍ରେନ ରହଣୀ ଦାବି ନେଇ ବରଗଡ଼ରେ ୨୬ ଅଗଷ୍ଟରୁ ରେଳରୋକ

August 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍) -ବିଗତ ୨୦୧୧ରୁ ବରଗଡ଼ ରୋଡ଼ ରେଲଷ୍ଟେସନରେ ପୁରୀ ଗାନ୍ଧୀଧାମ ସାପ୍ତାହିକ ଏକ୍ସପ୍ରେସର ରହଣୀ ଦାବି ନେଇ ଆଗାମୀ ୨୬ ଅଗଷ୍ଟରୁ ଦାବି ହାସଲ ପର୍ଯ୍ୟନ୍ତ ପ୍ରତି ରବିବାରଦିନ ଏହି ଟ୍ରେନକୁ ବରଗଡ଼ ରୋଡ଼ ରେଲଷ୍ଟେସନ ଠାରେ ଅଟକା ଯିବ ବୋଲି ବରଗଡ଼ ରେଲୱେ ୟୁଜର୍ସ ସଂଘ ଘୋଷଣା କରିଛି ।

ପ୍ରକାଶ ଯୋଗ୍ୟ ଯେ ଏହି ଦାବି ନେଇ ଗତ ବର୍ଷରୁ ବିଭିନ୍ନ ସମୟରେ ରେଲରୋକୋ କରାଯିବା ସହ ପୁର୍ବତଟ ରେଲୱେ କର୍ତୁପକ୍ଷଙ୍କୁ ଦାବି ପତ୍ର ମଧ୍ୟ ଅର୍ପଣ କରାଯାଇଥିଲା ।ଯାହାର ଉତରରେ ରେଲ କର୍ତୁପକ୍ଷ ମଧ୍ୟ ଏହି ଦାବିର ଯଥାର୍ଥତା ଥିବା ଦର୍ଶାଇ ସହାନୁଭୂତିର ସହ ଏହାର ବିଚାର କରାଯିବାର ପ୍ରତିଶୃତି ଦେଇ ଆସୁଥିଲେ ।

ଏହା ସତ୍ୱେ ମଧ୍ୟ ବରଗଡ଼ରେ ଏହି ଟ୍ରେନର ରହଣି ନିଶ୍ଚିତ କରାଯାଇ ନଥିବାରୁ ବରଗଡ଼ ରେଲୱେ ୟୁଜର୍ସ ସଂଘ ଏହି ନିଷ୍ପତି ନେଇଥିବା ଜଣାପଡ଼ିଛି ।ଏଥି ସକାଶେ ଗତକାଳି ବରଗଡ଼ ଜିଲ୍ଳାପାଳ ଭାବଗ୍ରାହୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବରଗଡ଼ ରେଲୱେ ୟୁଜର୍ସ ଏସୋସିଏସନ ଓ ସମ୍ବଲପୁର ରେଲମଣ୍ଡଳ ଅଧିକାରୀଙ୍କ ମିଳିତ ବୈଠକ ଜିଲ୍ଳାପାଳଙ୍କ ପ୍ତରରେ ହୋଇଥିଲା ।

ଏଥିରେ ସମ୍ବଲପୁର ରେଲ ମଣ୍ଡଳର ନିଭିଜନାଳ କମର୍ସିଆଲ ମ୍ୟାନେଜର ଲିଙ୍ଗରାଜ ନନ୍ଦ,କମର୍ସିଆଲ ମ୍ୟାନେଜର ଏ.ପଣ୍ଡାଙ୍କ ସମେତ ଆର.ପି.ଏଫ ଡ଼ି.ଏସ.ପି ଓ ଇନ୍ସପେକ୍ଟର ଯୋଗ ଦେଇଥିଲେ ।

ସେହିପରି ବରଗଡ଼ ଡିସଟ୍ରିକ୍ଟ ରେଲ ୟୁଜର୍ସ ସଂଘର ସଭାପତି ପ୍ରଦିପ ବେତା,ସମ୍ପାକ କମଲ କୁମାର ଯୋଷୀ,ଏଡ଼ଭୋକେଟ ଶିରୀଶ ବଲ୍ଳଭ ମିଶ୍ର,ଯୁଗଲ ପ୍ରସା ସିଂହ,ସୁରେଶ୍ୱର ଶତପଥି,ପ୍ରୀତମ ସିଂ,ବିଷ୍ଣୁପ୍ରସା ଧାନୁକା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ବରଗଡ଼ ରୋଡ଼ ରେଲଷ୍ଟେସନରେ ପୁରୀ ଗାନ୍ଧୀଧାମ ସାପ୍ତାହିକ ଏକ୍ସପ୍ରେସର ରହଣୀ ସମ୍ପର୍କରେ ସମ୍ବଲପୁର ରେଲ ମଣ୍ଡଳ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ସୁପାରିସ କରାଯାଇଛି ।

ତେବେ ଏହାର କାର୍ଯ୍ୟକାରିତା ଉପର ସ୍ତରର ନିଷ୍ପତି ଉପରେ ନିର୍ଭର କରୁଛି ।ଏଣୁ ରେଲୱେ ୟୁଜର୍ସ ଏସୋସିଏସନ ରେଲରୋକୋ ନିଷ୍ପତିରୁ ନିବୃତ ରହିବାକୁ ସେମାନେ ଅନୁରୋଧ କରିଥିଲେ ।

ମାତ୍ର ବରଗଡ଼ ରେଲୱେ ୟୁଜର୍ସ ଏସୋସିଏସନ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ପ୍ରତି ସପ୍ତାହ ରବିବାରଦିନ ଗାନ୍ଧୀଧାମରୁ ପୁରୀକୁ ଫେରୁଥିବା ଟ୍ରେନକୁ ଦାବି ପୂରଣ ପର୍ଯ୍ୟନ୍ତ ବରଗଡ଼ ରୋଡ଼ ରେଲୱେ ଷ୍ଟେସନ ଠାରେ କିଛି ସମୟ ଧରି ଅଟକ ରଖାଯିବ ବୋଲି ସୂଚାଇ ଦିଆଯାଇଥିଲା ।

ଆଗାମୀ ଅଗଷ୍ଟ ୨୬ ତାରିଖଦିନ ଏହି ଟ୍ରେନକୁ ଅଟକା ଯିବାର କାର୍ଯ୍ୟକ୍ରମ ରହିଥିବାରୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସହରର ସମସ୍ତ କ୍ଳବ ଓ ରାଜନୈତିକ ଦଳ ଗୁଡ଼ିକୁ ବରଗଡ଼ ରେଲୱେ ୟୁଜର୍ସ ଏସୋସିଏସନ ପକ୍ଷରୁ ନିବେଦନ କରାଯାଇଛି ବୋଲି ସଂଘର ସଭାପତି ପ୍ରଦିପ ବେତା ସୂଚନା ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର, ମୁଖ୍ୟ ଖବର Tagged With: ବରଗଡ଼, ରେଳରୋକ

ଆର୍ଥିକ ସଙ୍କଟ ବରଗଡ଼ ଚିନି କାରଖାନା ପ୍ରଗତିରେ ବାଧକ

August 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍) -ସମବାୟ ଭିତ୍ତିରେ ପ୍ରତିଷ୍ଠିତ ରାଜ୍ୟର ଅନ୍ୟତମ ସର୍ବ ପୁରାତନ ଚିନି କାରଖାନା ରୂପେ ପ୍ରତିଷ୍ଠିତ ବରଗଡ଼ ସମବାୟ ଚିନି କାରଖାନା ସଂପ୍ରତି ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଜଣାପଡ଼ିଛି ।

ଏହି କାରଣରୁ କାରଖାନାକୁ ଆଖୁ ଯୋଗାଇଥିବା ଚାଷୀ ମାନଙ୍କ ମଧ୍ୟରୁ ଅନେକେ ଏ ପର୍ଯ୍ୟନ୍ତ ସେମାନଙ୍କ ପାଉଣା ପାଇ ନଥିବା ଜଣାପଡ଼ିଛି । ଏଣୁ ଆଗାମୀଦିନରେ କାରଖାନାର ଭବିଷ୍ୟତ ନେଇ ଉଭୟ ଆଖୁଚାଷୀ ଓ କର୍ମଚାରୀ ସନ୍ଦିହାନ ହୋଇ ପଡ଼ିଛନ୍ତି ।

ଏଭଳି ଆଶା ଓ ଆଶଙ୍କା ମଧ୍ୟରେ ଗତି କରୁଥିବା ବରଗଡ଼ ସମବାୟ ଚିନି କାରଖାନା ପରିସରରେ ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କର୍ମଚାରୀ, ଆଖୁଚାଷୀ ଓ ପରିଚାଳନା କର୍ତୃପକ୍ଷଙ୍କ ମିଲିତ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ପରିଚାଳନା ନିର୍ଦ୍ଦେଶକ ଦର୍ଶାଇଥିଲେ ଯେ ଚଳିତ ବର୍ଷ କାରଖାନା ଅନ୍ୟୁନ୍ୟ ଏକ ଲକ୍ଷ ଟନ ଆଖୁ ନ ପେଡ଼ିଲେ କାରଖାନା ତାର ଅତ୍ୟନ୍ତ ଜରୁରୀ ଖର୍ଚ୍ଚ ତୁଲାଇ ପାରିବ ନାହିଁ ।

ଏଣୁ ସେ ଉଭୟ ଚାଷୀ ଓ କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ । ମାତ୍ର ବରଗଡ଼ ଜିଲ୍ଳା ଆଖୁ ଚାଷୀ ସଂଘ ପାଲଟା ଯୁକ୍ତି କରିଥିଲେ ଯେ ଆଖୁ ଚାଷୀ ମାନେ କାରଖାନାକୁ ଯୋଗାଇଥିବା ଆଖୁର ପ୍ରାପ୍ୟ ଏ ପର୍ଯ୍ୟନ୍ତ ପାଇ ପାରି ନାହାନ୍ତି ।ଏଭଳି ପରିସ୍ଥିତିରେ ଆଖୁ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ପ୍ରକାଶ ପାଉ ନାହିଁ ।

ପୁନଶ୍ଚ ରାଜ୍ୟ ସରକାର କାରଖାନାକୁ ଆବଶ୍ୟକୀୟ ଆର୍ଥିକ ସହାୟତା ନଦେଲେ କାରଖାନା ଚାଲିବାର କୌଣସି ଗ୍ୟାରେଣ୍ଟି ନାହିଁ । ସେଭଳି ପରିସ୍ଥିତିରେ ଯେଉଁ ଚାଷୀମାନେ ଆଖୁ ଚାଷ କରିଥିବେ ସେମାନଙ୍କର ଭବିଷ୍ୟତ କଣ ହେବ?

ଏଣୁ ରାଜ୍ୟ ସରକାର କାରଖାନାକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ କାରଖାନା ଚାଲିବାର ଗ୍ୟାରେଣ୍ଟି ଦେଲେ ଆଖୁଚାଷୀ ସଂଘ ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ଅଛି ବୋଲି ସଂଘର ସଭାପତି ମନୋରଞ୍ଜନ ସାହୁ ପ୍ରକାଶ କରିଥିଲେ ।

ସେହିଭଳି ୨୦୧୧-୧୨ ଆର୍ଥିକ ବର୍ଷରେ କାରଖାନାକୁ ଆଖୁ ଯୋଗାଇଥିବା ଚାଷୀଙ୍କୁ ସେମାନଙ୍କର ବକେୟା ପ୍ରାପ୍ୟ ତଥା ଟନ ପିଛା ୨୫ ଟଙ୍କା ଲେଖାଏଁ ପରିବହନ ସବସିଡ଼ି ନୂଆଁଖାଇ ପୂର୍ବରୁ ପ୍ରଦାନ ସହ ସଠିକ ସମୟରେ ଉନ୍ନତ ମାନର ଆଖୁ ବିହନ, ରାସାୟନିକ ସାର ,କୀଟନାଶକ ଔଷଧ ଇତ୍ୟାଦି ଯୋଗାଇ କାରଖାନା କର୍ତୁପକ୍ଷ ଚାଷୀଙ୍କ ଆସ୍ଥାଭାଜନ ହେବାକୁ ଆଖୁ ଚାଷୀ ସଂଘ ପରାମର୍ଶ ଦେଇଥିଲା ।

ସେହିପରି ସମବାୟ ଚିନି କାରଖାନା କର୍ମଚାରୀ ସଂଘର କର୍ମକର୍ତା ମାନେ ମଧ୍ୟ ଅତଁମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସାକ୍ଷାତ କରି କାରଖାନାର ଦୁରାବସ୍ଥା ସମ୍ପର୍କରେ ଆଲୋଚନା କରିଥିବାର ସୂଚନା ଦେଇଥିଲେ ।

ଆଖୁଚାଷୀ କର୍ମଚାରୀ ଓ ପରିଚାଳନା ପରିଷଦର ସମନ୍ୱୟ କମିଟିର ଏହି ମିଳିତ ବୈଠକରେ କାରଖାନା ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ମିଶ୍ର, ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମହାନ୍ତି, ଆଖୁ ଉନ୍ନୟନ ଇନଚାର୍ଯ୍ୟ ଇଞ୍ଜିନିୟ ଟି.ଡ଼ି ଲୁଇଓ, ଭଟଲି ଜୋନାଲ ଅଧିକାରୀ ଆଦିତ୍ୟ ନାରାୟଣ ଭୋଇ, ଆଖୁଚାଷୀ ସଂଘର ସଭାପତି ମନୋରଞ୍ଜନ ସାହୁ, ସମ୍ପାଦକ ସୌରୀ ଚରଣ ବାରିକ, ମାର୍କଣ୍ଢ ସା, ବିଷ୍ଣୁ ପାତ୍ର, ପ୍ରହଲ୍ଳାଦ ପ୍ରଧାନ, ବୁଦ୍ଧଦେବ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ବୈଠକର ଅନ୍ତିମ ନିର୍ଣ୍ଣୟ କ୍ରମେ ଚଳିତ ବର୍ଷ ବରଗଡ଼ ଜିଲ୍ଳାରେ ବ୍ୟାପକ ଆଖୁ ଚାଷ କରିବା ସହ ଅଂଚଳର ଗର୍ବ ଓ ଗୌରବ ବୋଲାଯାଉଥିବା ଏକମାତ୍ର କାର୍ଯ୍ୟକ୍ଷମ ସରକାରୀ କାରଖାନାକୁ ଲାଭଜନକ ସଂସ୍ଥାରେ ପରିଣତ କରାଯିବା ନିମନ୍ତେ ମିଳିତ ପ୍ରୟାସ କରାଯିବ ।ଏଥି ସକାଶେ ସମନ୍ୱୟ କମିଟିର ଏକ ପ୍ରତିନିଧି ମଣ୍ଡଳ ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗ ସହ ସମ୍ପର୍କ କରିବାକୁ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଖୁ ଚାଷ, ଚିନି କାରଖାନା, ବରଗଡ଼, ରାଜ୍ୟସରକାର

ବରଗଡ଼: ବିଜେପୁର ବ୍ଲକରେ ଫ୍ଲୋରୋସିସ ଆତଙ୍କ

August 12, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବରଗଡ, ଅଗଷ୍ଟ ୧୨(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଳାର ଗାଇସିଲେଟ, ବରପାଲି, ଝାରବନ୍ଧ ଓ ବିଜେପୁର ବ୍ଲକରେ ଭୂତଳ ଜଳରେ ମାତ୍ରାଧିକ ପରିମାଣର ଲୌହ ଓ ଫ୍ଲୋରାଇଡ଼ର ମାତ୍ରା ରହିଥିବାରୁ ସମ୍ପୃକ୍ତ ଅଂଚଳରେ ଫ୍ଲୋରୋସିସ ରୋଗର ଲକ୍ଷଣ ଦେଖାଯାଇଛି ।

ବିଜେପୁର ବ୍ଳକ ପିପିଲିପାଲି ଗାଁର ୮୦ ପ୍ରତିଶତରୁ ଅଧିକ ବ୍ୟକ୍ତି ଅକାଳ ବାର୍ଦ୍ଧକ୍ୟ, ଶାରୀରିକ ଦୁର୍ବଳତା ଅନୁଭବ କରୁଥିବା ଏବଂ ଦନ୍ତରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିବା ପରେ ବରଗଡ଼ ଜିଲ୍ଳାର ବାୟୋ ଡ଼ାଇଭରସିଟି ସେଲର ସଦସ୍ୟ ମାନେ ଉକ୍ତ ଗ୍ରାମକୁ ଯାଇ ଏହାର ସତ୍ୟତା ଉପଲବ୍ଧି କରିଥିଲେ ।

ଏହି ଗାଁର ୪୮ ବର୍ଷିୟ ଖାନାପୂରୀ ପଟେଲଙ୍କ ଠାରେ ପାଞ୍ଚବର୍ଷ ତଳେ ଫ୍ଲୋରୋସିସର ଲକ୍ଷଣ ଦେଖାଯାଇଥିଲା । ଏ ସମ୍ପର୍କରେ ସେ ବୁର୍ଲା ମେଡ଼ିକାଲ କଲେଜ ଓ କଟକ ବଡ଼ ଡ଼ାକ୍ତରଖାନାରେ ପରୀକ୍ଷା କରି ତାଙ୍କୁ ସ୍କେଲେଟାଲ ଫ୍ଲୋରୋସିସ ହୋଇଥିବା ଜାଣିବାକୁ ପାଇଥିଲେ ।

ବିଗତ ପାଞ୍ଚ ବର୍ଷ ହେଲା ସେ ଚିକିତ୍ସିତ ହେଉଛିନ୍ତି । ତାଙ୍କ ଅଣ୍ଟାର ତଳକୁ କାର୍ଯ୍ୟ କରୁ ନଥିବାରୁ ସେ ଶଯ୍ୟାଶାୟୀ ଅଛନ୍ତି । ତାଙ୍କର ୭ ବର୍ଷର ନାତି ଓ ବୋହୁ ମଧ୍ୟ ନ୍ତ ଫ୍ଲୋରୋସିସର ଶିକାର ହୋଇଥିବା ଜଣାପଡ଼ିଛି । ପିପିଲିପାଲି ପ୍ରାଥମିକ ସ୍କୁଲରେ ପଢ଼ୁଥିବା ପ୍ରାୟ ୯୦ ପ୍ରତିଶତ ଛାତ୍ର ଛାତ୍ରୀ ଦନ୍ତ ଫ୍ଲୋରୋସିସର ଶିକାର ହୋଇଥିବା ଦେଖାଯାଇଛି ।

ଏହା ବ୍ୟତିତ ଛାତ୍ରଛାତ୍ରୀଙ୍କ ରୋଗ ପ୍ରତିରୋଧ ଶକ୍ତି ହ୍ରାସ ପାଉଥିବା, ରକ୍ତହୀନତାର ଶିକାର ହେଉଥିବା, ନିୟିମିତ ରୂପେ ଜ୍ୱରରେ ପଡ଼ୁଥିବା ଆଦି ଲକ୍ଷଣ ଖୋଯାଇଛି । ଗାଁର ୩୨ବର୍ଷିୟ ୱାର୍ଡ଼ ମେମ୍ବର ଗଜରାଜ ପଟେଲ ନିଜେ ମଧ୍ୟ ଉଭୟ ଦନ୍ତ ଓ ସ୍କେଲେଟାଲ ଫ୍ଲୋରେସିସର ଶିକାର ଥିବା କହିଛନ୍ତି ।

ଏସଂପର୍କରେ ବିଜେପୁର ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ବିଡ଼ିଓଙ୍କ ବଦଳି ପରେ ଏଥି ପ୍ରତି କେହି ଧ୍ୟାନ ଦେଉ ନାହାନ୍ତି । ଅବଶ୍ୟ କିଛି ସରକାରୀ ଅଧିକାରୀ ଆସି ନଳକୂପ ଜଳର ନମୂନା ନେଇଛନ୍ତି । ମାତ୍ର ଗ୍ରାମବାସୀଙ୍କୁ କୌଣସି ପ୍ରକାର ଚିକିତ୍ସାଗତ ସୁବିଧା ଯୋଗାଇ ଦିଆଯାଇ ନଥିବା କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଗଜରାଜ କହିଛନ୍ତି ।

ପ୍ରକାଶ ଯୋଗ୍ୟ, ପାନୀୟ ଜଳରେ ଫ୍ଲୋରାଇଡ଼ର ମାତ୍ରା ଲିଟର ପିଛା ୧.୪ ମିଲିଗ୍ରାମରୁ ଅଧିକ ହେଲେ ତାହାକୁ ମାରାତ୍ମକ ବୋଲି ଗ୍ରହଣ କରାଯାଇଥାଏ । ଏହି ପର୍ଯ୍ୟାୟରେ ଦାନ୍ତ ଗୁଡ଼ିକରେ ଥିବା ଏନାମେଲ କ୍ଷୟ ହେବା ସାଙ୍ଗକୁ ଦାନ୍ତ କଳା ହୋଇ ଦନ୍ତ ଫ୍ଲୋରୋସିସ ହୋଇଥାଏ ।

ସେହିପରି ଫ୍ଲୋରାଇଡ଼ର ମାତ୍ରା ୨.୦ରୁ ଅଧିକ ହେଲେ ତାହା ସ୍କେଲେଟାଲ ଫ୍ଲୋରୋସିସର କାରଣ ହୋଇଥାଏ । ବରଗଡ଼ ଜିଲ୍ଳା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଏ ସମ୍ପର୍କରେ ଅବଗତ ଥାଇ ସୁଦ୍ଧା ଏଭଳି ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ କ୍ଷେତ୍ରରେ କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରଗଡ଼ ଅଗ୍ରଗାମୀ ବାୟୋ ଡ଼ାଇଭରସିଟି ସେଲ ପକ୍ଷରୁ ଅଭିଯୋଗ କରାଯାଇଛି ।

ପାନୀୟ ଜଳଦ୍ୱାରା ପିପଲିପାଲିରେ ଫ୍ଲୋରୋସିସ୍ ହେଉଥିବା ପ୍ରମାଣିତ ହୋଇ ସାରିଥିବାରୁ ଗାଁରେ ଥିବା ଗଭୀର ନଳକୂପ ଗୁଡ଼ିକୁ ତୁରନ୍ତ ବନ୍ଦ କରିବା ସହ ଅନ୍ୟ ଅଞ୍ଚଳରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରାଯାଇଛି ।

ବିଜେପୁର ବ୍ଳକର ଏହି ଗ୍ରାମ ସମେତ ପୁଟକିଗ୍ରିଞ୍ଜେଳ, ସାଇପାଲି ଓ ପୁରେନା ଗ୍ରାମର ଭୂତଳ ପାନୀୟ ଜଳରେ ମଧ୍ୟ ଫ୍ଲୋରାଇଡ଼ର ମାତ୍ରା ବିପଦଜନକ ସ୍ତରରେ ରହିଥିବା ଜଣାପଡ଼ିଛି । ବିଜେପୁର ବ୍ଳକ ସାଇପାଲି ପଞ୍ଚାୟତର ପୁଟୁକିଗ୍ରିଞ୍ଜେଲ ଗ୍ରାମରେ ଥିବା ନଳକୂପ ଗୁଡ଼ିକରେ ଫ୍ଲୋରାଇଡ଼ର ମାତ୍ରା ସର୍ବାଧିକ ୩.୯୦ରୁ ୪.୫୦ ମିଲିଗ୍ରାମ ପ୍ରତି ଲିଟର ଥିବା ବେଳେ ଲୌହର ମାତ୍ରା ୨୦.୪ ମିଲିଗ୍ରାମ ପ୍ରତି ଲିଟର ରହିଥିବା ଜଣାପଡ଼ିଛି ।

ତେବେ ଏହି ଗ୍ରାମ ଗୁଡ଼ିକ ପାଇଁ ପ୍ରଶାସନ ପକ୍ଷରୁ ପାନୀୟ ଜଳର ବିକଳ୍ପ ବ୍ୟବସ୍ଥା କରିବାରେ ଅବହେଳା କରାଯାଉ ଥିବା ବେଳେ ସଚେତନତା ଅଭାବରୁ ଲୋକେଦିନକୁଦିନ ଅଧିକ ରୋଗାଗ୍ରସ୍ତ ହେଉଛନ୍ତି ।

ଏଣୁ କାଳବିଳମ୍ବ ନକରି ବିଜେପୁର ଅଞ୍ଚଳର ଗାଁ ଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ବେକ୍ଷଣ କରାଯିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଦାବି କରିଛନ୍ତି

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଫ୍ଲୋରୋସିସ, ବରଗଡ଼, ବିଜେପୁର

ବରଗଡ଼: ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ୫ମୃତ, ୪ଗୁରୁତର

July 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବରଗଡ଼, ଜୁଲାଇ ୩୧(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ଚାରି ଜଣ ଆହତ ହୋଇଥିବା ପୋଲିସ ମଙ୍ଗଳବାର କହିଛି ।

ସମ୍ବଲପୁର ଅଞ୍ଚଳର ଏହି ଯାତ୍ରୀମାନେ ନୃସିଂହନାଥ ଦର୍ଶନକରି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଅତାବିରା ନିକଟରେ ଏକ ଟ୍ରକ୍ ବସ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଜଣେ ପୁରୁଷ ଏବଂ ଜଣେ ଶିଶୁ ଥିବାବେଳେ ଗୁରତର ଆହତଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ତୀର୍ଥଯାତ୍ରୀ ବସ୍, ବରଗଡ଼

ସଂଗ୍ରାମୀ ଗ୍ରାମ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଅବହେଳା ଅଭିଯୋଗ

July 27, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁଲାଇ ୨୭(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ସଂଗ୍ରାମୀ ଗ୍ରାମ ପାଣିମୋରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାଂଶ ସମୟରେ ବନ୍ଦ ରହୁଥିବା ବେଳେ ଏଠାରେ ନିଯୁକ୍ତ ଡ଼ାକ୍ତର ସପ୍ତାହକୁ କେବଳ ତିନିଦିନ ଆସନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହି ଅଭିଯୋଗ ପରେ ଶୁକ୍ରବାର ଗ୍ରାମର ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାଏକ ଓ ଜିତେନ୍ଦ୍ର ପ୍ରଧାନଙ୍କୁ ଧରି କିଛି ବ୍ୟକ୍ତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରିଥିଲେ ।

ଫଳରେ ଦୁଇ ସ୍ୱାଧିନତା ସଂଗ୍ରାମୀ ଗ୍ରାମର ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରିବାକୁ ଆସିଥିବା ବେଳେ ଚିକିତ୍ସାଳୟରେ ଡାକ୍ତରମାନେ ଏହି ସୁଯୋଗକୁ ହାତଛଡ଼ା ନକରି ଦୁଇ ସଂଗ୍ରାମୀଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ ।

ସ୍ୱାସ୍ଥ୍ୟ ପରୀକ୍ଷା ପରେ ଚିକିତ୍ସାଳୟ ପକ୍ଷରୁ ସେମାନଙ୍କୁ ସମସ୍ତ ଔଷଧ ପତ୍ର ଯୋଗାଇ ଦିଆଯାଇଥିଲା ଏବଂ କର୍ଣ୍ଣ ପରୀକ୍ଷା ପରେ ଉଭୟଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା ।

ଆଗାମୀ ସ୍ୱାଧିନତା ଦିବସ ପାଳନ ପୂର୍ବରୁ ରାଜ୍ୟରେ ଜୀବିତ ଥିବା ସମସ୍ତ ସ୍ୱାଧିନତା ସଂଗ୍ରାମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମାହାତ୍ମା ଗାନ୍ଧୀଙ୍କ ଦ୍ୱାରାଅନୁପ୍ରାଣିତ ହୋଇ ପାଣିମୋରା ଗ୍ରାମରୁ ୩୨ଜଣ ଭାରତର ସ୍ୱାଧିନତା ସଂଗ୍ରାମରେ ଅଂଶଗ୍ରହଣ କରି କାରାବରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଆଜି କେବଳଦୁଇଜଣ ଜୀବିତ ଅଛନ୍ତି ।

ଏହିପରି ଏକ ସଂଗ୍ରାମୀ ଗ୍ରାମର ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ସ୍ୱାସ୍ଥ୍ୟ ବିଭାଗର ଏଭଳି ଅବହେଳା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବରଗଡ଼, ସ୍ୱାଧୀନତା ସଂଗ୍ରାମୀ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 9
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ