• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ବରଗଡ଼

ବରଗଡ଼: ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର, ଲୋକେ ଆତଙ୍କିତ

July 27, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁଲାଇ ୨୭(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାର ପୁରୁଣା ବସଷ୍ଟାଣ୍ଡ, ସର୍ଗିଦାର ସମଲେଶ୍ୱରୀ ଢ଼ାବା, ବରତୁଣ୍ଡା ପ୍ରଭୃତି ଅଞ୍ଚଳରେ ମାଓବାଦୀଙ୍କ ପ୍ରଚାର ପତ୍ର ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି ।

ଏହି ପ୍ରଚାର ପତ୍ର ମାଧ୍ୟମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ସଂଗଠନର ମହାସମୁନ୍ଦ-ବଲାଙ୍ଗିର-ବରଗଡ଼ ଜୋନାଲ କମିଟି ପକ୍ଷରୁ ୨୫ ଜୁନକୁ କଳାଦିବସ ରୂପେ ପାଳନ କରିବା ସହ ୨୪ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଥିଲା ।

ଏଥିରେ ପ୍ରସ୍ତାବିତ ଏନ୍ସିଟିସି ଗଠନକୁ ବିରୋଧ କରାଯିବା ସହ, ଅପରେସନ ଗ୍ରୀନ ହଣ୍ଟ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଯଦିଓ ଏହି ପ୍ରଚାର ପତ୍ର ଜୁନ ୨୫ ତାରିଖ ପାଇଁ ଉଦ୍ଧିଷ୍ଟ ଥିଲା ତଥାପି ଲୋକେ ଶୁକ୍ରବାର ଏହାକୁ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି ।

ବିଗତ କିଛି ବର୍ଷ ହେଲା ବରଗଡ଼ ଜିଲ୍ଳାରେ ମାଓବାଦୀ ଗତିବିଧି ବୃଦ୍ଧି ପାଇଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବରଗଡ଼, ମାଓବାଦୀ

ବରଗଡ଼: ଏସ୍ଏମ୍ଏସ୍ ଠକେଇ,୫ ବିଦେଶୀ ଗିରଫ

July 16, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁଲାଇ ୧୬(ଓଡ଼ିଶା ଡ଼ଟ୍ କମ୍) ମୋବାଇଲ୍ ଓ ଇଂଟରନେଟ୍ ମାଧ୍ୟମରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଜରିଆରେ ଲୋକଙ୍କୁ ଠକୁଥିବା ଏକ ଅନ୍ତର୍ଜାତିକ ଠକ ଦଳର ପାଞ୍ଚ ଜଣକୁ ବରଗଡ଼ ପୋଲିସ ଗିରଫ କରିଛି ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ଜଣ ନାଇଜେରୀୟ ଯୁବକ ଥିବାବେଳେ ଜଣେ ଉଗାଣ୍ଡାର ମହିଳା ଥିବା ପୋଲିସ କହିଛି । ଏମାନଙ୍କ ଠାରୁ ୧୫ଟି ମୋବାଇଲ୍, ୪ଟି ଲ୍ୟାପ୍ଟପ୍, ଗୋଟିଏ ପ୍ରିନ୍ଟର, ୩ଟି ଲୁହା ବାକ୍ସ, କିଛି କଳାକାଗଜ ଭର୍ତି ଗୋଟିଏ ସୁଟ୍କେସ୍, ୨ଟି ୱାକିଟକି, ଗୋଟିଏ କ୍ୟାମେରା, ଗୋଟିଏ ଟେଲିଫୋନ୍, ୩୧ଟି ସିମ୍କାର୍ଡ଼ ସହ ୪ଟି ପାସ୍ପୋର୍ଟ, ୭ଟି ମୋଡେମ୍ ଓ ୭ଟି ଘଡ଼ି ଜବତ କରାଯାଇଛି ।

ବରଗଡ଼ ରେଳ ଷ୍ଟେସନ୍ ନିକଟରେ ରହୁଥିବା ଶ୍ୟାମସୁନ୍ଦର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମୋବାଇଲ କୁ ଜୁନ୍ ୨ ତାରିଖରେ ଏକ ଅଜଣା ନମ୍ବରରୁ ମେସେଜ୍ ଆସିଥିଲା । ବିବିସି ଲଟେରୀ କମ୍ପାନୀ ତରଫରୁ ଆପଣ ୧.୬ କୋଟି ଟଙ୍କାର ବିଜେତା ହୋଇଛନ୍ତି ବୋଲି ଏଥିରେ ଉଲ୍ଲେଖ ଥିବା ସହ ଆପଣଙ୍କ ଠିକଣା, ଫୋନ୍ ନମ୍ବର ଆଦିର ସଠିକ୍ ବିବରଣୀ ଦିଅନ୍ତୁ ବୋଲି ଲେଖାଥିଲା ।

ମେସେଜ୍ ପାଇବା ପରେ ଶ୍ୟାମ ସୁନ୍ଦର ଆବଶ୍ୟକ ତଥ୍ୟ ସେହି ନମ୍ବରକୁଏସ୍ଏମ୍ଏସ୍ କରିଥିଲେ । ପରେ ତାଙ୍କ ନିକଟକୁ ପୁନମ୍ ଯୋଗୀ ନାମରେ ଜଣେ ମହିଳା ନିଜକୁ ଆର୍ବିଆଇ ଏଜେଣ୍ଟ ବୋଲି ପରିଚୟ ଦେଇ ଫୋନ୍ କରି କଥାବାର୍ତା ହୋଇଥିଲେ ।

ଏହାର ବଶବର୍ତୀ ହୋଇ ବ୍ୟକ୍ତି ଜଣକ ପ୍ରଥମେ କମ୍ପାନୀ ପକ୍ଷରୁ ପ୍ରଦତ୍ତ ଏକ ଆକାଉଣ୍ଟରେ ୨୧୫୦୦ ଟଙ୍କା ଜମା କରିଥିଲେ । ଟଙ୍କା ଜମା କରିବା ପରେ ପୁରସ୍କାର ଟଙ୍କା ଦେଶ ବାହାରୁ ଆସୁଥିବାରୁ ତାର କଷ୍ଟମ ଡ୍ୟୁଟି, ପ୍ରୋସେସିଂ ଫି ନାଁରେ ପୁନର୍ବାର ଟଙ୍କା ଜମା କରିବାକୁ ତାଙ୍କୁ କୁହାଯାଇଥିଲା ।

ଏହିପରି ପ୍ରାୟ ୧୭ଟି ଇନ୍ଷ୍ଟଲ୍ମେଂଟରେ ସେ ମୋଟ୍ ୫ଲକ୍ଷ ୨୩ହଜାର ୮ଶହ ଟଙ୍କା ଜମା କରିଥିଲେ । ତେବେ ଏତେ ଯଙ୍କା ଜମା କରିବା ପରେ ତାଙ୍କୁ ଆହୁରି ୭୫ହଜାର ଟଙ୍କା ଜମା କରିବାକୁ କୁହାଯିବା ପରେ ଲଟେରୀ ନେଇ ତାଙ୍କୁ ସନ୍ଦେହ ହୋଇଥିଲା ।

ଏସଂପର୍କରେ ସେ ବରଗଡ଼ ଏସ୍ପିଙ୍କୁ ଜଣାଇଥିଲେ । ଗତ ଜୁନ୍ ୩୦ରେ ବରଗଡ଼ ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ଦିଲ୍ଲୀ, ହରିୟାଣା ପୋଲିସ, ସିବିଆଇ ସାଇବର ସେଲ୍ ର ମିଳିତ ସହଯୋଗରେ ଏକ ୮ଜଣିଆ ଦଳ ଗଠନ କରାଯାଇ ଦିଲ୍ଲୀରୁ ବରଗଡ଼ ପୋଲିସ ଏହି ଠକ ଦଳକୁ ଗିରଫ କରିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବରଗଡ଼, ବିଦେଶୀ ଗିର

ବରଗଡ଼: କାରଖାନା କର୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

June 16, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁନ୍ ୧୬(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ଥିବା ସିମେଣ୍ଟ କାରଖାନା କର୍ତୃପକ୍ଷ ଶ୍ରମିକ ମାନଙ୍କୁ ଅତ୍ୟାଚାର କରୁଥିବା ତଥା ପ୍ରଦୂଷଣ କରୁଥିବା ଅଭିଯୋଗ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ଦାବି କରିଛି ।

ସଂଘର ସଭାପତି ବ୍ରହ୍ମାନନ୍ଦ ମହାକୁଡ଼ ଶନିବାର ଜିଲ୍ଲାପାଳଙ୍କୁ ଏସଂପର୍କରେ ଏକ ପତ୍ର ପ୍ରଦାନ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ କାରଖାନାକୁ ଅର୍ଥନୈତିକ ଓ ସାମାଜିକ ଅବରୋଧ ପାଇଁ ଚେତାବନୀ ଦେଇଛନ୍ତି ।

କାରଖାନାର ପ୍ରଦୂଷଣ ଯୋଗୁଁ ୯୦ ପ୍ରତିଶତ ଶିଶୁ ଶ୍ୱାସ ଓ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ସଂଘ ଏହି ପତ୍ରରେ ଉଲ୍ଲେଖ କରିଛି ।

ଏହାସହ ଶ୍ରମିକ ମାନଙ୍କୁ ସିମେଣ୍ଟ ୱେଜ ବୋର୍ଡ଼ର ଆର୍ବିଟ୍ରେସନ୍ ଅନୁସାରେ ଦରମା ଦିଆଯିବା କଥା କିନ୍ତୁ ଠିକା ଶ୍ରମିକ ମାନଙ୍କୁ ଠକି ରାଜ୍ୟ ସରକାରଙ୍କ ଅନୁସାରେ ଦରମା ଦିଆଯାଉଛି ।

କର୍ତୃପକ୍ଷ କାରଖାନାର ନିରାପଦ ଓ ଇକ୍ୟୁପମେଣ୍ଟ ପ୍ରତି ଜାଣି ଶୁଣି ଅବହେଳା କରୁଥିବାରୁ ଶ୍ରମିକମାନେ ବାରମ୍ବାର ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି ।

ଉକ୍ତ କାରଖାନା ଖଲିଆପାଲି ଗ୍ରାମର ମାତ୍ର ତିନି ଶହ ମିଟର ମଧ୍ୟରେ ପାୱାର ପ୍ଳାଣ୍ଟ ସ୍ଥାପନ କରି ଆଖାପାଖ ଅଞ୍ଚଳ ତଥା ବରଗଡ଼ ସହରକୁ ପ୍ରଦୂଷିତ କରୁଛି । ପ୍ଳାଣ୍ଟର ଫ୍ଲାଇଆଶ୍କୁ ଆସ୍ପଣ୍ଡରେ ନପକାଇ ସେ ଗୁଡ଼ିକୁ ଖୋଲା ସ୍ଥାନରେ ପକାଉଥିବାରୁ ଏହା ସମଗ୍ର ଅଞ୍ଚଳ ପ୍ରଦୂଷିତ କରୁଛି ବୋଲି ସଂଘ ଅଭିଯୋଗ କରିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପ୍ରଦୂଷଣ, ବରଗଡ଼, ରାଉରକେଲା ଇସ୍ପାତ କାରଖାନା

ବରଗଡ଼: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ବହୁ ପଦବୀ ଖାଲି

June 13, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁନ୍ ୧୩(ଓଡ଼ିଶା ଡ଼ଟ୍ କମ୍) ୧୪ ଲକ୍ଷରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ବରଗଡ଼ ଜିଲ୍ଳାରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଉକ୍ତ ବିଭାଗରେ ବହୁ ପଦବୀ ଖାଲି ପଡ଼ିଛି ।

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ବ୍ୟତୀତ ୧୨ଟି ବ୍ଳକରେ ୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବରପାଲିରେ ଏକମାତ୍ର ବିପିଏଚ୍ସି, ଛଅଟି ପିଏଚ୍ସି, ୪୪ଟି ନ୍ୟୁ ପିଏଚ୍ସି ଏବଂ ୨୦୪ଟି ଏଚ୍ଏସ୍ସି କାର୍ଯ୍ୟ କରୁଛି ।

ସରକାରଙ୍କ ଦ୍ୱାରା ମଞ୍ଜୁରୀ ପ୍ରାପ୍ତ ୨୮ଟି ବିଶେଷଜ୍ଞ ପଦବୀ ମଧ୍ୟରୁ ୬ଟି ପଦବୀ ଏପର୍ଯ୍ୟନ୍ତ ପୂରଣ ହୋଇପାରି ନଥିବା ବେଳେ ୧୭ଟି ମେଡ଼ିକାଲ ଅଫିସର ପଦବୀ ଖାଲି ପଡ଼ିଛି ।

ମଞ୍ଜୁରୀପ୍ରାପ୍ତ ୪୧ଟି ଷ୍ଟାଫ ନର୍ସ ମଧ୍ୟରୁ ୯ ଜଣ ଷ୍ଟାଫ ନର୍ସ, ୬ ଜଣ ବିଇଇ ପଦବୀ ଖାଲି ପଡ଼ିଛି । ମଞ୍ଜୁରୀପ୍ରାପ୍ତ ୫୭ଜଣ ପୁରୁଷ ସୁପରଭାଇଜର ଓ ୪୦ଟି ମହିଲା ସୁପରଭାଇଜର ପଦବୀରୁ ଯଥାକ୍ରମେ ମଧ୍ୟରୁ ୪୫ଟି ପୁରୁଷ ଓ ୧୧ଟି ମହିଳା ସୁପରଭାଇଜର ପଦବୀ ଖାଲି ପଡ଼ିଛି ।

ସେହିଭଳି ୨୩ଟି ପୁରୁଷ ଓ ୧୫ଟି ମହିଳା ଏମ.ପି.ଏଚ.ଡ଼ବ୍ଳୁ , ୮ଟି ଲେବ ଟେକନିସିଆନ, ୧୮ଟି ପି.ଏମ.ଡ଼ବ୍ଳୁ ଓ ୮ଟି ଡ଼୍ରାଇଭର ପଦବୀ ଖାଲି ପଡ଼ିଛି ।

୧୯୯୩ରେ ବରଗଡ଼ ସ୍ୱତନ୍ତ୍ର ଜିଲ୍ଳା ହେବାପରେ ମଧ୍ୟ ପ୍ରାୟ ଏକ ଦଶନ୍ଧୀ ଧରି ଡ଼ାକ୍ତରଖାନାର ଉନ୍ନତି ହୋଇନଥିଲା ଏବଂ ବେଡ଼ ସଂଖ୍ୟା ବୃଦ୍ଧି ହୋଇନଥିଲା । ଡ଼ାକ୍ତରଖାନାର ବିକାଶ ନେଇ କୌଣସି ମାଷ୍ଟର ପ୍ଳାନ ପ୍ରସ୍ତୁତ ହୋଇ ନଥିବାରୁ ବିଭିନ୍ନ ସ୍ଥାନରେ କୋଠାବାଡ଼ି ନିର୍ମାଣ କରାଯାଇ ଖାନାପୂର୍ତି କରାଯାଇଥିଲା ।

ଏପରିକି କୋଠା ଗୁଡ଼ିକର ମାନ ନେଇ ତତ୍କାଳୀନ ବରଗଡ଼ ସାଂସ ତଥା ବର୍ତମାନର ସ୍ୱାସ୍ଥ୍ୟ ମନ୍ତ୍ରୀପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଥିଲେ । ମାତ୍ର ତତ୍କାଳୀନ ରାଜ୍ୟ ସରକାର ତାହାକୁ ଗୁରୁତ୍ୱ ଦେଇ ନଥିଲେ ।

ବିଗତଦିନରେ ଜିଲ୍ଳାରେ ସ୍ୱାଇନ ଫ୍ଲୁ ଦେଖାଯିବା ସହ ଆଠଜଣ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ବରଗଡ଼ଡ଼ାକ୍ତରଖାନାକୁ ଏକ ଭେଣ୍ଟିଲେଟର ମେସିନ ଯୋଗାଇ ଦେବାର ଦାବି ଜୋର ଧରିଥିଲା । ଜନସାଧାରଣଙ୍କ ଦାବି ପରେ ସ୍ୱାସ୍ଥ୍ୟ ବିଭାଗ ବରଗଡ଼ ପାଇଁ ଏକ ଭେନ୍ଟିଲେଟର ମେସିନ ଯୋଗାଇ ଦେଇଛି ।

ମେସିନଟି ସମ୍ବଲପୁରରେ ପଡ଼ି ରହିଥିଲେ ମଧ୍ୟ ବରଗଡ଼ ଡ଼ାକ୍ତରଖାନା କର୍ତୃପକ୍ଷ ଏହାକୁ ବରଗଡ଼କୁ ଆଣିବାକୁ ଚେଷ୍ଟା କରୁ ନାହାନ୍ତି । ମେସିନ ପାଇଁ ଆବଶ୍ୟକୀୟ କୋଠରୀର ଅଭାବ ରହିଥିବା ବେଳେ ଏହାକୁ ଚଲାଇବା ପାଇଁ ଦକ୍ଷ ଲୋକଙ୍କର ମଧ୍ୟ ଅଭାବ ରହିଛି ବୋଲି ସେ କହିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରାୟତଃ ସବୁ ଡ଼ାକ୍ତର ବରଗଡ଼ ସହରର ସ୍ଥାୟୀ ବାସିନ୍ଦା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼କ୍ଟର ଉମେଶ ଚନ୍ଦ୍ର ତ୍ରିପାଠୀ ମଧ୍ୟ ବରଗଡ଼ ସହରର ସ୍ଥାୟୀ ବାସିନ୍ଦା ।

ଏହା ସତ୍ୱେ ମଧ୍ୟ ମୁଖ୍ୟ ସରକାରୀ ଡ଼ାକ୍ତରଖାନାରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇ ନପାରିବା ତଥା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୁପାରିସକୁ କାର୍ଯ୍ୟକାରୀ କରାଯାଇ ନପାରିବା ଆଶ୍ଚର୍ଯ୍ୟର ବିଷୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ଡ଼ାକ୍ତରଖାନାରେ ସ୍ଥାନୀୟ ଡ଼ାକ୍ତରଙ୍କ ନିଯୁକ୍ତି ଦ୍ୱାରାଗୁଣାତ୍ମକ ତଥା ଆତ୍ମୀୟ ଡ଼ାକ୍ତରୀ ସେବା ମିଳି ପାରିବ । ମାତ୍ର ଅତୀତ ଅଭିଜ୍ଞତାକୁ ଅନୁଧ୍ୟାନ କଲେ, ଯେତେବେଲେ ସ୍ଥାନୀୟ ଡ଼ାକ୍ତରଙ୍କ ଆଧିପତ୍ୟ ଖୋଜାଯାଇଛି ସେତେବେଳେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାରେ ବ୍ୟତିକ୍ରମ ଦେଖାଯାଇଛି ।

ସେମାନେ ସରକାରୀ ଡ଼ାକ୍ତରଖାନା ପରିବର୍ତେ ଘରୋଇ ଚିକିତ୍ସାରେ ଅଧିକ ମନନିବେଶ କରୁଥିବାରୁଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଦୁଇ ପୂର୍ବତନ ନଗରପାଳ ଗଣେଶରାମ ଅଗ୍ରୱାଲ ଏବଂ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

ଅତୀତରେ ଏହି କାରଣରୁ ପରିଶେଷରେ ସେମାନଙ୍କୁ ବାହାର କରିବା ପାଇଁ ବହୁ ଜନ ଆନ୍ଦୋଳନ ଦେଖାଯାଇଛି । ଏଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଡ଼ାକ୍ତରମାନେ ସେମାନଙ୍କର ମନୋବୃତିରେ ପରିବର୍ତନ ଆଣି ବରଗଡ଼ ସରକାରୀ ଡ଼ାକ୍ତରଖାନାକୁ ଏକ ଆଦର୍ଶ ଡ଼ାକ୍ତରଖାନାରେ ପରିଣତ କରିବା ପାଇଁ ପଦକ୍ଷେପ ନେବାକୁ ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବରଗଡ଼, ସ୍ୱାସ୍ଥ୍ୟ ସେବା

କେଶବ ଚନ୍ଦ୍ର ମେହେରଙ୍କ ଜୟନ୍ତୀ ପାଳିତ

May 27, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମଇ ୨୭(ଓଡ଼ିଶା ଡ଼ଟ୍ କମ୍) କେଶବ ଚନ୍ଦ୍ର ମେହେର ସ୍ମୃତି କମିଟି ପକ୍ଷରୁ ବରଗଡ଼ ସ୍ଥିତ ସାୱଡ଼ିଆ ପ୍ୟାଲେସ ସମ୍ମିଳନୀ କକ୍ଷରେ ଡ଼କ୍ଟର କେଶବ ଚନ୍ଦ୍ର ମେହେର ଜୟନ୍ତୀ ପାଳିତ ହୋଇଯାଇଛି ।

ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରଗଡ଼ ଅତିରିକ୍ତ ଜିଲ୍ଳାପାଳ ଶ୍ରୀନିବାସ କବି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ପ୍ରତିଛବିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହାକୁ ଉ୍ଘାଟନ କରିଥିଲେ ।

ସ୍ମୃତି କମିଟି ପକ୍ଷରୁ ମଣୀନ୍ଦ୍ର କୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହର ପ୍ରାରମ୍ଭରେ କବିଙ୍କ ରଚିତ କବିତା ଆବୃତିରୁ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟବକ୍ତା ରୂପେ ଯୋଗ ଦେଇ ରବୀନ୍ଦ୍ର ଚନ୍ଦ୍ର ଗଡ଼ତିଆ ଡ଼କ୍ଟର ମେହେରଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ସମଗ୍ର ପଶ୍ଚିମ ଓଡ଼ିଶାର ସାହିତ୍ୟ ପ୍ରତିଭା ମାନଙ୍କୁ ସେ କିଭଳି ଆଗକୁ ନେବା ପାଇଁ ଆନ୍ତରିକତାରସହ ଉଦ୍ୟମ କରିଥିଲେ ତାହାର ଉଦାହରଣ ହେଇଥିଲେ ।

ଡ଼କ୍ଟର ମେହେର ପୂର୍ବ ଓ ପଶ୍ଚିମ ଓଡ଼ିଶାର ସାହିତ୍ୟକମାନଙ୍କ ମଧ୍ୟରେ ଯୋଗସୁତ୍ର ସମ୍ପର୍କର ସେତୁ ଥିଲେ ବୋଲି ସେ କହିଥିଲେ ।

ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ବରଗଡ଼ ଜିଲ୍ଳାର ଝରଗ୍ରାମରେ ସେ ଜନ୍ମଲାଭ କରିଥିଲେ ହେଁ ସୋନପୁର ତାଙ୍କର କର୍ମସ୍ଥଳୀ ଥିଲା । ଏହାସହିତ ସେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପରିବାରରେ ବିବାହ କରିଥିବାରୁ ପଶ୍ଚିମ ଓଡ଼ିଶାର ବାନ୍ଧକଳା ସମ୍ପର୍କରେ ତାଙ୍କର ବିଶେଷ ଦକ୍ଷତା ଥିଲା ।

ଏହାର ଆଧାରରେ ସେ ପଶ୍ଚିମ ଓଡ଼ିଶାର ବାନ୍ଧକଳା ସମ୍ପର୍କରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପୁସ୍ତକ ରଚନା କରିଥିଲେ । ଯାହା ଓଡ଼ିଶାର ବାନ୍ଧକଳା ସମ୍ପର୍କରେ ପ୍ରଥମ ପ୍ରାମାଣିକ ପୁସ୍ତକ ବୋଲି ଗଡ଼ତିଆ ପ୍ରକାଶ କରିବା ସହ ତାଙ୍କ ପ୍ରକାଶିତ ଓ ଅପ୍ରକାଶିତ ଗ୍ରନ୍ଥ ଗୁଡ଼ିକୁ ନେଇ ଏକ ଗ୍ରନ୍ଥାବଳୀ ପ୍ରକାଶନ ପାଇଁ ପରାମର୍ଶ ଦେଇଥିଲେ ।

ଆଲୋଚନାରେ ଅଂଶ ଗ୍ରହଣକରି ସାମ୍ବାଦିକ ତଥା ଆଇନଜୀବୀ ଗୋରଖନାଥ ସାହୁ ମେହେରଙ୍କ ସୋନପୁର ଅବସ୍ଥାନ କାଳର ସ୍ମୃତି ରୋମନ୍ଥନ କରିବା ସହ ତାଙ୍କ ପରାମର୍ଶ ଓ ସହଯୋଗରେ ସୋନପୁରରେ କିଭଳି ସାହିତ୍ୟର ବିକାଶ ଘଟିଥିଲା ତାହା ବର୍ଣ୍ଣନା କରିଥିଲେ ।

ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ସମାଜ ପ୍ରତି ମହନୀୟ ଅବାନ ଥିବା ବ୍ୟକ୍ତି ମାନଙ୍କ ସମ୍ପର୍କରେ ନିୟମିତ ରୂପେ ଆଲୋଚନା କରାଯିବା ସାଙ୍ଗକୁ ପୁଜ୍ୟ ପୂଜାର ପରମ୍ପରା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ ।

ସେହିଭଳି ଉତ୍ସବରେ ଅଧ୍ୟକ୍ଷତା କରିଥିବା ପଦ୍ମଶ୍ରୀ ଚର୍ତୁଭୁଜ ମେହେର ତାଙ୍କ ବକ୍ତବ୍ୟରେ ଓଡ଼ିଶାର ବୟନକଳାକୁ ପ୍ରତିଷ୍ଠିତ କରାଇବା ଦିଗରେ ଡ଼କ୍ଟର କେଶବ ଚନ୍ଦ୍ର ମେହେରଙ୍କ ଅବଦାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ତାଙ୍କର ସହଯୋଗ ବିନା ପଶ୍ଚିମ ଓଡ଼ିଶାର ବୟନକଳା ବିଶ୍ୱ ଦରବାରରେ ଏତେ ସହଚରେ ପରିଚିତି ଲାଭ କରି ପାରିନଥାନ୍ତା ବୋଲି ସେ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବରଗଡ଼

ଜନବସତି ଅଂଚଳରେ କଳକାରଖାନା, ନିୟମ ଉଲଂଘନ

May 25, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମଇ ୨୫(ଓଡ଼ିଶା ଡ଼ଟ୍ କମ୍) କୌଣସି ଜନବସତି, ଶିକ୍ଷାନୁଷ୍ଠାନ କିମ୍ବା ସର୍ବସାଧାରଣ ବ୍ୟବହୃତ ସ୍ଥାନ ଠାରୁ ୫୦୦ ମିଟର ଦୂରରେ କଳକାରଖାନା ରହିବା ନିୟମ ଥିଲେ ମଧ୍ୟ ବରଗଡ଼ରେ ଏହାର ଖୋଳାଖୋଲି ଉଲଂଘନ ହେଉଥିବା ଅଭିଯୋଗ ହୋଇଛି ।

ଭଟଲି ରୋଡ଼ ସ୍ଥିତ ନାକାଛକରେ ଚାଲୁଥିବା ଚାଉଳ କଳ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ଏହା ଯୋଗୁଁ ଆଖପାଖ ଅଂଚଳର ପ୍ରାୟ ସାତ ହଜାର ପରିବାର ପ୍ରଭାବିତ ହେଉଛନ୍ତି ।

ବିଶେଷକରି ୧ନଂ ୱାର୍ଡ଼ର କେଶବ ନଗର, ଟାଙ୍ଗରପଡ଼ା, ନୀପଡ଼ା, ୫ନଂ ୱାର୍ଡ଼ର ସହଁରାପଡ଼ା, ବିଂଚାଲପଡ଼ା, ୭ନଂ ୱାର୍ଡ଼ର ପାଠାନପଡ଼ା, ନୂଆପଡ଼ାର ଲୋକେ ଚାଉଳକଳରୁ ନିର୍ଗତ ବିଷାକ୍ତ କାର୍ବନ ମନୋକ୍ସାଇଡ଼ ଗ୍ୟାସ ଓ ପାଉଁଶର ପ୍ରଭାବରେ ବହୁ ଗୁରୁତର ରୋଗର ଶିକାର ହେଉଛନ୍ତି ।

ଚାଉଳକଳର ପଛପଟେ ୧୦୦ ମିଟର ମଧ୍ୟରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରହିଥିବା ବେଳେ
୫୦୦ମିଟର ପରିଧି ମଧ୍ୟରେ ପ୍ରଧାନ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ୟୁ.ଜି.ଏମ୍.ଇ.ସ୍କୁଲ ଏବଂ ହିନ୍ଦୀ ବାଳିକା ବିଦ୍ୟାଳୟ ରହିଛି ।

ଚାଉଳ କଳରୁ ନିର୍ଗତ ନର୍ଦ୍ଧମାଯୁକ୍ତ ବିଷାକ୍ତ ଆବର୍ଜନା ପାଣି ପଛପଟେ ଥିବା ସରସ୍ୱତୀ ଶିଶୁ ମନ୍ଦିର ସମ୍ମୁଖରେ ଜମା ହେଉଥିବାରୁ ଏଠାରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ।

ବିଗତ ଦୀର୍ଘିନ ହେବ ନାକାଛକରେ ଚାଉଳକଳ ଚାଲୁଥିଲେ ମଧ୍ୟ ପ୍ରଦୁଷଣଜନିତ ନୁନ୍ୟତମ ସୁରକ୍ଷା
ବ୍ୟବସ୍ଥା ସୁଦ୍ଧା ଗ୍ରହଣ କରାଯାଇ ନାହିଁ । ଏ ସମ୍ପର୍କରେ ପୂର୍ବରୁ ସ୍ଥାନୀୟ ବାସିନ୍ଦା ବହୁବାର ଜିଲ୍ଲା
ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ତେବେ ଜିଲ୍ଲାରେ ପ୍ରଦୁଷଣ ବୋର୍ଡ଼ର କୌଣସି କାର୍ଯ୍ୟାଳୟ କିମ୍ବା ଅଧିକାରୀ ନଥିବାରୁ ଅଭିଯୋଗ ପ୍ରକୃତ କର୍ତୃପକ୍ଷଙ୍କ ନିକଟରେ ପହଂଚି ପାରୁନଥିବା କୁହାଯାଇଛି ।

ଏହି ଚାଉଳ କଳରୁ ବାହାରୁଥିବା କାର୍ବନ ମନୋକ୍ସାଇଡ, କାର୍ବନ ଡାଇକ୍ସାଇଡ ସମେତ ଅନ୍ୟାନ୍ୟ ବିଷାକ୍ତ ଧୂଆଁ ଓ ପାଉଁଶଗୁଣ୍ଡ ବାୟୁ ମଣ୍ଡଳରେ ମିଶି ସମଗ୍ର ଅଂଚଳକୁ କଳାବାଦଲ ସଦୃଶ ଢାଙ୍କି ରଖୁଛି ।

ଏଥିପାଇଁ ଆଖାପାଖ ଅଂଚଳର ପ୍ରାୟ ୬୦ଜଣ ବିଭିନ୍ନ ଶ୍ୱାସରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଘରଛାତ ମାନଙ୍କରେ ଏକ କଳାଆସ୍ତରଣ ବସିଯାଉଥିବା ବେଳେ ଧୁଅାଁ କପଡ଼ା ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ସୁଖାଇବା ପାଇଁ ଛାତକୁ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି ।

ସେହିପରି କାରଖାନା ପକ୍ଷରୁ କୌଣସି ଆସ ପଣ୍ଡ କିମ୍ବା ଡମ୍ପିଂ ୟାର୍ଡ଼ ନିର୍ମାଣ କରାଯାଇ ନଥିବାରୁ ନିକଟସ୍ଥ ଅଂଚଳରେ ଭୂତଳ ଜଳ ମଧ୍ୟ ପ୍ରଦୁଷିତ ହୋଇ ପଡ଼ିଛି । କୌଣସି ଖୋଲା ସ୍ଥାନରେ ପିଇବା ପାଣି ରଖିଲେ ତା ଉପରେ ଏକ ଆସ୍ତରଣ ଯମି ଜାଉଛି ଯାହାକି ପିଇବାପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ।

ସବୁଠାରୁ ବିପଦପୂର୍ଣ୍ଣ ବିଷୟ ହେଉଛି ନାକାଛକ ସ୍ଥିତ ଏହି ଚାଉଳ କଳ ସମ୍ମୁଖରୁ ଗଲାବେଳେ
କ୍ଷୁ୍ରକଣିକା ସଦୃଶ ପାଉଁଶଗୁଣ୍ଡ ଆଖିରେ ପଶି ଯିବାରୁ ୩ଜଣ ବ୍ୟକ୍ତି ଆଖି ଅସ୍ତ୍ରୋପଚାର କରିଥିବା ଜଣା ପଡ଼ିଛି ।

ତେଣୁ ଜନବସତି ଅଂଚଳରୁ ତୁରନ୍ତ ଏହି କାରଖାନାକୁ ସ୍ଥାନାନ୍ତର କରିବା ସହ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କଳକାରଖାନ, ବରଗଡ଼, ମନୋକ୍ସାଇଡ

ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ୪ ଜଣଙ୍କ ମୃତ୍ୟୁ

May 20, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ଗୋଟିଏ ପରିବାରର ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୋମବାର କହିଛି ।

ଅତାବିରା ଅନ୍ତର୍ଗତ କୁଲେମସିହାଁ ଗ୍ରାମରେ ଥିବା ଟ୍ରାନ୍ସଫର୍ମରଟି ରବିବାର ବିଳମ୍ବିତ ରାତିରେ ହଠାତ୍ ଫାଟି ଯାଇଥିଲା ଏବଂ ନିକଟରେ ଥିବା ଏକ ଘରକୁ ବିଦ୍ୟୁତ ପ୍ରବାହିତ ହୋଇଥିଲା ।

ମୃତକମାନେ ସମସ୍ତେ ଘର ଭିତରେ ଶୋଇଥିବା ବେଳେ ଟ୍ରାନ୍ସଫର୍ମର ଫାଟିବା ଜାଣି ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ କିନ୍ତୁ ଘରର ଲୁହା କବାଟରେ ବିଦ୍ୟୁତ ପ୍ରବାହିତ ହେଉଥିବାରୁ ଜଣକ ପରେ ଜଣେ ଚାରି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତିନି ଜଣ ଶିଶୁ ଅଛନ୍ତି । ସେମାନଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ଅନ୍ୟ ପାଞ୍ଚ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅତାବିରା, ବରଗଡ଼

ରବିଧାନ ସଂଗ୍ରହରେ ଅସହଯୋଗ, ଲକ୍ଷ୍ୟ ପୂରଣ ନେଇ ଆଶଙ୍କା

May 20, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମଇ ୨୦(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ରବିଧାନ ସଂଗ୍ରହରେ ମାର୍କଫେଡ୍, ନାଫେଡ୍ ଓ ଏଫ୍ସିଆଇର ଅସହଯୋଗ ଯୋଗୁଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବାନେଇ ଆଶଙ୍କା ପ୍ରକାଶ ପାଇଛି ।

ଗତ ୧୦ ତାରିଖରୁ ରବି ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ହେଁ ୧୮ ତାରିଖ ସୁଦ୍ଧା କେବଳ ୫୪୭୪୦ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇପାରିଛି ।

ମାର୍କଫେଡ, ନାଫେଡ୍ ଓ ଏଫ୍ସିଆଇ ଧାନ କିଣିବାରେ ଟାଳଟୁଳ ନୀତି ଅବଲମ୍ବନ କରି ସମୟ ଗାଡ଼ାଇ ଚାଲିଥିବାରୁ ଚାଷୀ ମହଲରେ ଅସନ୍ତୋଷ ଖୋେଇଛି । ଏହି ସଂସ୍ଥା ଗୁଡ଼ିକ ବର୍ତମାନ ସୁଦ୍ଧା ଗୋଟିଏ ବସ୍ତା ଧାନ ସଂଗ୍ରହ କରିନାହାନ୍ତି ।

ଜିଲ୍ଲାର ୩ଟି ଆର୍ଏମ୍ସି ଅଧିନରେ ଥିବା ୪୧ଟି ମାର୍କେଟ୍ ୟାର୍ଡ଼ ଓ ୧୩ଟି ପର୍ଚେଜ ସେଣ୍ଟରରୁ ଧାନ ସଂଗ୍ରହ କରାଯାଉଥିବା ବେଳେ ରାଜ୍ୟ ଯୋଗାଣ ନିଗମ ମୋଟ୍ ୭ଲକ୍ଷ ୨୯ହଜାର ୮୬୧ ବସ୍ତା ବା ୫୪୭୩୯.୫୭୫ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିଛି ।

ମାର୍କେଟ୍ ୟାର୍ଡ଼ ଖୋଲିବାର ଆଠଦିନ ବିତିଯାଇଥିବା ବେଳେ ଅତାବିରା ଆର୍ଏମ୍ସିରୁ ୬ଲକ୍ଷ ୯୨ହଜାର ୯୫୭ ବସ୍ତା ଓ ବରଗଡ଼ ଆର୍ଏମ୍ସିରୁ ମାତ୍ର ୩୬ ହଜାର ୯୦୪ବସ୍ତା ଧାନ ସଂଗ୍ରହ ହୋଇଛି ।

ତେବେ ପଦ୍ମପୁର ଆର୍ଏମ୍ସି ଅନ୍ତର୍ଗତ ମାର୍କେଟ ୟାର୍ଡ଼କୁ ଧାନ ବିକ୍ରୟପାଇଁ ଆସିନଥିବା ସୂଚନା ମିଳିଛି ।

ଚଳିତ ରବି ଋତୁରେ ଧାନ ସଂଗ୍ରହ ପାଇଁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ୩ଲକ୍ଷ ୩୦ ହଜାର ମେଟ୍ରିକ୍ ଟନ୍, ନାଫେଡ ଓ ମାର୍କଫେଡ ପ୍ରତ୍ୟେକେ ୪୬୦୦୦ ମେଟ୍ରିକ୍ ଟନ୍, ଏଫ୍ସିଆଇ ୧୭୦୦୦ ମେଟ୍ରିକ୍ ଟନ୍ ଓ ଲେଭି ୨୨୦୦୦ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏହିପରି ମୋଟ ୪୬୧୦୦୦ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ କେବଳ ରାଜ୍ୟ ଯୋଗାଣ ନିଗମ ପ୍ୟାକ୍ସ ଜରୀଆରେ ୫୪୭୩୯.୫୭୫ ମେଟ୍ରିକ୍ ଟନ୍ ଧାନ କ୍ରୟ କରିଥିବା ଅତିରିକ୍ତ ଯୋଗାଣ ଅଧିକାରୀ ନାରାୟଣ ପଣ୍ଡା କହିଛନ୍ତି ।

ଜିଲ୍ଲାର ୮୬ଟି ରାଇସ ମିଲ୍ ମଧ୍ୟରୁ ୪୦ଟି ମିଲ୍ ଏପର୍ଯ୍ୟନ୍ତ ଗତ ଖରିଫ ରୁତୁରେ କଷ୍ଟମ ମିଲିଂ ପାଇଁ ଦିଆଯାଇଥିବା ଚାଉଳ ଫେରାଇ ନଥିବାରୁ ବର୍ତମାନ କେବଳ ୪୬ଟି ରାଇସମିଲକୁ ଧାନ ସଂଗ୍ରହପାଇଁ ଅନୁମତି ମିଳିଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଆଗାମୀଦିନରେ ଅନ୍ୟ ରାଇସ ମିଲ୍ ଗୁଡ଼ିକୁ ମଧ୍ୟ ଧାନ ସଂଗ୍ରହ ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଇଛି ।

ତେବେ ବର୍ତମାନ ପର୍ଯ୍ୟନ୍ତ ଅନେକ ଚାଷୀ ପରିଚୟ ପତ୍ର ପାଇନଥିବା ଏବଂ ମାର୍କେଟ ୟାର୍ଡ଼ରେ ଚାଷୀ ପରିଚୟ ପତ୍ର ମାଧ୍ୟମରେ ଧାନ ବିକ୍ରି କରିବାର ବ୍ୟବସ୍ଥା ଥିବାରୁ ଧାନ ସଂଗ୍ରହ ପ୍ରକ୍ରିୟା ଧିମେଇ ଯାଇଥିବା ଅଭିଯୋଗ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଏଫ୍ସିଆଇ, ବରଗଡ଼, ମାର୍କଫେଡ୍, ରବିଧାନ

ସହରରେ ପାନୀୟ ଜଳ ସମସ୍ୟା, ନୀରବରେ ପୌରପରିଷଦ

May 18, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମଇ ୧୮(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ସହରର ତାପମାତ୍ରା ବୃଦ୍ଧି ସହ ପାନୀୟ ଜଳର ସମସ୍ୟା ଖୋେଇଥିବା ବେଳେ ଏନେଇ ପୌରପରିଷଦ ନୀରବ ରହିଥିବା ଅଭିଯୋଗ ହୋଇଛି ।

୧୯ଟି ୱାର୍ଡ଼କୁ ନେଇ ଗଠିତ ବରଗଡ଼ ପୌର ପରିଷଦ ସହରବାସୀଙ୍କୁ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଥିବା ବେଳେ ୧୯ଟି ମଧ୍ୟରୁ ୭ଟି ୱାର୍ଡ଼କୁ ଏବେବି ପାଇପ୍ ପାଣି ପହଞ୍ଚିପାରି ନାହିଁ ।

ଯେଉଁ ୱାର୍ଡ଼ ମାନଙ୍କରେ ପାଇପ୍ ଜଳ ଯୋଗାଣ ହେଉଛି ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ସେଠାରେ ମଧ୍ୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି ।

ପୌରପରିଷଦ ପକ୍ଷରୁଦୁଇଟି ଟ୍ୟାଙ୍କର ରେ ପାନୀୟ ଜଳ ବିତରଣ କରାଯାଉଥିଲେ ମଧ୍ୟ ଅଧିକାଂଶ ୱାର୍ଡ଼ ତଥା ପଡ଼ାର ରାସ୍ତା ଅଣଓସାରିଆ ଥିବାରୁ ଟ୍ୟାଙ୍କର ସେଠାକୁ ଯାଇପାରୁନାହିଁ । ଫଳରେ ସେଠାକାର ବାସିନ୍ଦା ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ।

ଭୂତଳ ଜଳ ସ୍ତରକୁ ନିୟନ୍ତ୍ରଣ କରୁଥିବା ବନ୍ଧ, କଟା, ପୋଖରୀ ଆଦି କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଜବରଖଲ ଯୋଗୁଁଦିନକୁଦିନ ପୋତିହେବାରେ ଲାଗିଛି । ସମ୍ପ୍ରତି ସହରର ଭୂତଳ ଜଳସ୍ତର ୪୫ ରୁ ୫୦ଫୁଟ୍ ପର୍ଯ୍ୟନ୍ତ ନିମ୍ନଗାମୀ ହୋଇଥିବାରୁ କୁଅସବୁ ଶୁଖି ଗଲାଣି ।

ବିଭିନ୍ନ ଜନସମାଗମ ଅଞ୍ଚଳରେ ଖରାଦିନେ ଜଳଛତ୍ର ଖୋଲିବାର ନିୟମ ଥିଲେ ମଧ୍ୟ ଜିଲ୍ଲାପାଳ କାର୍ଯ୍ୟାଳୟରୁ ପୌରପରିଷଦକୁ ନିର୍ଦ୍ଦେଶ ଦିଆଯାଇବା ସତ୍ୱେ କର୍ତ୍ତୃପକ୍ଷ ଏଯାଏଁ ଗୋଟିଏ ହେଲେ ଜଳଛତ୍ର ଖୋଲି ନାହାନ୍ତି ।

ବର୍ତମାନ ସହରର ତାପପାତ୍ରା ୪୫ ଡିଗ୍ରୀକୁ ଛୁଇଁସାରିଥିବା ବେଳେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରି ପାରୁନାହାନ୍ତି ।

ଗଥ କିଛି ବର୍ଷ ହେଲା ଲୋକେ ବଡ଼ ବଡ଼ କୋଠା, କଲୋନୀର ଆଭିଯାତ୍ୟରେ ପଡ଼ି ବେଆଇନ ଭାବେ ଗଭୀର ନଳକୂପ ସବୁ ଖୋଲି ଚାଲିଛନ୍ତି । ଏହି ଗଭୀର ନଳକୂପ ଖୋଳିବାବେଳେ କୌଣସି ସରକାରୀ ନିୟମ ପାଳନ କରାଯାଉନଥିବାରୁ ଏହାର କୁପରିଣାମ ସିଧାସଳଖ ଭୋଗ କରୁଛନ୍ତି କୂଅ ପୋଖରୀ ଉପରେ ନିର୍ଭର କରି ଚଳୁଥିବା ଗରୀବ ଶ୍ରେଣୀର ଲୋକମାନେ ।

ସମ୍ପୂର୍ଣ୍ଣ ସହରବାସୀ ପାନୀୟ ଜଳ ସଙ୍କଟର ସମ୍ମୁଖିନ ହେଉଥିବା ବେଳେ ପୌରପରିଷଦର ଏଥିପ୍ରତି ଦୃଷ୍ଟି ନପଡ଼ିବା ଦୂର୍ଭାଗ୍ୟଜନକ ବୋଲି ସହରର ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୌରପରିଷ, ବରଗଡ଼

ବରଗଡ଼: ଏସିଡ଼ ମାଡରେ ଆହତ ଯୁବକଙ୍କ ମୃତ୍ୟୁ

May 14, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ, ମଇ ୧୪(ଓଡ଼ିଶା ଡ଼ଟ୍ କମ୍) ପୂର୍ବ ଶତୃତାକୁ କେନ୍ଦ୍ର କରି ଏସିଡ଼୍ ମାଡ଼ରେ ଗୁରୁତର ଆହତ ହୋଇଥିବା ବରଗଡ ଜିଲ୍ଲା ସୋହେଲା ଅନ୍ତର୍ଗତ ଭାତବିଡା ଗ୍ରାମର ଚୂଡାମଣୀ ବାଗଙ୍କ ସୋମବାର ମୃତ୍ୟୁ ହୋଇଛି ।

ଗତ ମାସ ୧୫ ତାରିଖରେ ନାମ ଯଜ୍ଞ ଚାଲିଥିବା ବେଳେ ତାଙ୍କ ଉପରକୁ ଏସିଡ଼୍ ମାଡ଼ ହୋଇଥିଲା ଫଳରେ ପାଖରେ ଥିବା ୬ଶିଶୁ ସମେତ ୧୩ଜଣ ଆହତ ହୋଇଥିଲେ ।

ଚୂଡାମଣୀଙ୍କ ସମେତ ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସୋହେଲା ଡାକ୍ତରଖାନରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ପରେ ଚୂଡ଼ାମଣିଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଗତ ଏକ ବର୍ଷ ତଳେ ଚୂଡାମଣୀ ବାଗ ପ୍ରଶାନ୍ତଙ୍କ ଭଉଣୀଙ୍କୁ ଅସଦାଚାରଣ କରିଥିଲେ । ଏନେଇ ସୋହେଲା ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଉକ୍ତ ଘଟଣା ପରେ ପ୍ରଶାନ୍ତଙ୍କ ଭଉଣୀ ହତ୍ୟା ଉଦ୍ୟମ କରିଥିଲେ ।

ପ୍ରଶାନ୍ତଙ୍କ ଭଉଣୀ ଉପରେ ଚୂଡ଼ାମଣିର ଖରାପ ନଜର ରହିଥିବାରୁ ଅନେକଦିନ ପରେ ତାଙ୍କୁ ଦେଖି ପ୍ରଶାନ୍ତ ଏସିଡ଼୍ ମାଡ଼ କରିଥିଲା ।

ପୋଲିସ ଏକ ମାମଲା ରୁଜୁ କରିିଥିଲେ ମଧ୍ୟ ମାମଲାରେ କେହି ଗିରଫ ହୋଇ ନାହାନ୍ତି । ଚୂଡାମଣୀଙ୍କ ମୃତ୍ୟୁ ଖବର ପାଇଲା ପରେ ପୋଲିସ ସୋହେଲା ଗ୍ରାମରେ ଜଗି ରହିଛନ୍ତି । ଘଟଣା ପରେ ପ୍ରଶାନ୍ତ ସାହୁଙ୍କ ପରିବାର ଅନ୍ୟତ୍ର ରହୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବରଗଡ଼, ସୋହେଲା

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 9
  • Go to Next Page »

Primary Sidebar

RSS LATEST

  • MO school to promote scientific learning
  • ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ
  • ଡ଼ମ୍ପିଂ ରୁ ଅଳିଆ ଉଠୁ ନ ଥିବାରୁ ଅସନ୍ତୋଷ
  • ମହିଳା ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ତାଳିମ୍ ଅନୁଷ୍ଠିତ
  • ସନ୍ତୋଷୀ ମାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ୧୦୮ କଳସ ଯାତ୍ରା
  • ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଲିକମାନଙ୍କ ମଧ୍ୟରେ ସମନ୍ଵୟ ବୈଠକ
  • ନାବାଳିକା ନିର୍ଯାତନା ମାମଲାରେ କନଷ୍ଟେବଳ ଗିରଫ
  • ଖୋର୍ଦ୍ଧାରେ ଆଜିକାର ତାପମାତ୍ରା ୩୫ ଡିଗ୍ରୀ
  • ଗୋପାଳପୁରରେ ଆଜିକାର ତାପମାତ୍ରା ୩୩.୨ ଡିଗ୍ରୀ
  • ପାରାଦୀପରେ ଆଜିକାର ତାପମାତ୍ରା ୩୪.୪ ଡିଗ୍ରୀ