• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଜୁ ଜନତା ଦଳ

ବିଜେଡି ନିର୍ବାଚନ: ନବୀନ ପଞ୍ଚମ ଥର ପାଇଁ ସଭାପତି

January 29, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୯(ଓଡିଶା ଡଟ୍ କମ୍)-ନବୀନ ପଟ୍ଟନାୟକ ବିଜେଡିର ସଭାପତି ଭାବେ ପଞ୍ଚମ ଥର ପାଇଁ ଦଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଥମେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀ ନବୀନଙ୍କ ନାମ ସଭାପତି ଭାବେ ଘୋଷଣା କରିବା ପରେ ବୈଠକରେ ସମସ୍ତ ସଦସ୍ୟ ତାହାକୁ ସମର୍ଥନ ଜଣାଇଥିଲେ ।

19-1-2013=3naveen

ବିଜୁ ଜନତା ଦଳରେ ଚାଲିଥିବା ସାଂଗଠନିକ ନିର୍ବାଚନ କାର୍ଯ୍ୟ ସୋମବାର ଦିନ ଶେଷ ହୋଇଛି । ସଭାପତି ନିର୍ବାଚନ ସହ ରାଜ୍ୟ ପରିଷଦ ବୈଠକରେ ରାଜ୍ୟ କାର୍ଯ୍ୟକାରୀ କମିଟିକୁ ୮୧ ଜଣ ସଦସ୍ୟଙ୍କୁ ନିର୍ବାଚିତ କରାଯାଇଛି ।

ଦଳରେ ନବୀନ ଯେ ଏକା ସ୍ଥିର ଓ ଆଉ ସବୁ ଅସ୍ଥିର ଏଭଳି ସଂକେତ ଦିଆଯାଇଛି । ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ମାର୍କା ବୋଲି କୁହାଯାଉଥିବା ତିନିଜଣ ପୂର୍ବତନ ମନ୍ତ୍ରୀଙ୍କ ସମେତ ପ୍ରାୟ ୨୦ରୁ ଅଧିକ ନେତା କାର୍ଯ୍ୟକାରିଣୀରୁ ବାଦ୍ ପଡିଛନ୍ତି ।

କାର୍ଯ୍ୟକାରିଣୀରେ ମୋଟ୨୭ ଜଣ ନୂଆ ମୁହଁ ସାମିଲ ହୋଇଛନ୍ତି । ଏଥିରେ ରାଜ୍ୟ କର୍ମକର୍ତାଭାବେ ୯ ଜଣ ଉପସଭାପତି,୧୦ ଜଣ ସାଧାରଣ ସଂପାଦକ,୧୦ ଜଣ ସଂପାଦକ ଓ ଜଣେ କୋଷାଧ୍ୟକ୍ଷ ରହିଛନ୍ତି । ଉଭୟ କାର୍ଯ୍ୟକାରୀ କମିଟି ଓ ରାଜ୍ୟ କର୍ମକର୍ତାରେ ମହିଳା,ଅନୁସୂଚିତ ଜାତି,ଜନଜାତି ଓ ପଛୁଆ ଶ୍ରେଣୀକୁ ପ୍ରଧାନ୍ୟ ଦିଆଯାଇଛି ।

ଉପସଭାପତି ପଦବୀରେ ୪ ଜଣ,ସାଧାରଣ ସଂପାଦକରେ ୫ଜଣ ଓ ସଂପାଦକ ପଦବୀରେ ୫ ଜଣ ନୂଆ ବ୍ୟକ୍ତିଙ୍କୁ ନିଆଯାଇଛି । କୋଷାଧ୍ୟକ୍ଷ ମଧ୍ୟ ନୂଆ ରହିଛନ୍ତି । କର୍ମକର୍ତା ତାଲିକାରେ ୧୧ ଜଣ ମନ୍ତ୍ରୀ,ଜଣେ ଏମ୍ ପି ଏବଂ ୧୧ ଜଣ ବିଧାୟକ ସ୍ଥାନିତ ହୋଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ନବୀନ ପଟ୍ଟନାୟକ, ବିଜୁ ଜନତା ଦଳ, ସାଂସଦ ପ୍ୟାରୀମୋହନ ମହାପାତ୍ର

ସମୟ କହିବ କିଏ ଠିକ୍ , କିଏ ଭୁଲ୍ : ଯଜ୍ଞେଶ୍ୱର ବାବୁ (ସାକ୍ଷାତକାର)

October 8, 2012 by ଓଡିଶା ଡଟ କମ Leave a Comment

ସମୟ କହିବ କିଏ ଠିକ୍ , କିଏ ଭୁଲ୍ : ଯଜ୍ଞେଶ୍ୱର ବାବୁ (ସାକ୍ଷାତକାର)

ଏବେ ଓଡ଼ିଆଙ୍କ ମନ ଭିତରେ ଓଡ଼ିଶା ଜନମୋର୍ଚ୍ଚାକୁ ନେଇ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି । ଲୋକେ ଜାଣିବାକୁ ଚାହୁଁଛନ୍ତି ଯେ ପ୍ରକୃତରେ ଏଇଟା କ’ଣ? ଗୋଟିଏ ପଟେ ଜନମୋର୍ଚ୍ଚାର ନେତାମାନେ କହୁଛନ୍ତି ଯେ ସେମାନେ ବିଜୁ ଜନତା ଦଳ(ବିଜଦ)ରେ ଅଛନ୍ତି, ଏବଂ ବିଜଦକୁ ମଜବୁତ୍ କରିବା ପାଇଁ ଓଡ଼ିଶା ଜନମୋର୍ଚ୍ଚା ଗଠନ କରିଛନ୍ତି ।

ଅନ୍ୟ ପଟେ ଯେଉଁ ନେତାଙ୍କ ନାଁ ଜନମୋର୍ଚ୍ଚାର କାର୍ଯ୍ୟକର୍ତା ହିସାବରେ ଆସୁଛି ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ତାଙ୍କ ପଛରେ ଲାଗି ଯାଉଛନ୍ତି । ବିଜୁ ଜନତା ଦଳ ନେତାଙ୍କର କହିବା କଥା ଯେ ଗୋଟିଏ ଦଳରେ ରହି ସେହି ଦଳରେ ଆଉ ଗୋଟିଏ ମୋର୍ଚ୍ଚା ଗଠନ କରିବାଟା ଦଳ ବିରୋଧି କାମ ।

ଏ ବିଷୟରେ ଯିଏ ଜବାବ ରଖନ୍ତେ(ସାଂସଦ ପ୍ୟାରୀମୋହନ ମହାପାତ୍ର) ସେ ବ୍ୟକ୍ତି ଜଣକ ଏବେ ଚୁପ୍ । ତାଙ୍କ କହିବା କଥା ଯେ ସେ ଯାହା କହିବେ ଅକ୍ଟୋବର ୧୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କହିବେ ।

ଏବେ ସେ କେବଳ ଯଜ୍ଞେଶ୍ୱର ବାବୁଙ୍କୁ ତା’ଙ୍କ ସଙ୍ଗଠନ ବିଷୟରେ କହିବାକୁ ଅନୁମତି ଦେଉଛନ୍ତି । ଯଜ୍ଞେଶ୍ୱର ମଧ୍ୟ ଏ ଯାବତ୍ ମୋର୍ଚ୍ଚା ବିଷୟରେ କେଉଁଠି ହେଲେ ସବୁକଥା ଖୋଲିକରି କହି ନଥିଲେ । ପ୍ରକୃତରେ ଜନମୋର୍ଚ୍ଚା କ’ଣ, ଏହାର ଉଦ୍ଦେଶ୍ୟ କ’ଣ ସେକଥା ଜାଣିବା ପାଇଁ ଓ ପାଠକମାନଙ୍କୁ ଜଣାଇବା ପାଇଁ ଯଜ୍ଞେଶ୍ୱରଙ୍କୁ ଭେଟିଥିଲେ ସୁରେନ୍ଦ୍ର ପାତ୍ର ।

ପ୍ରଶ୍ନ : ଯଜ୍ଞେଶ୍ୱରଜୀ! ପ୍ରକୃତରେ ଏଇ ଜନମୋର୍ଚ୍ଚାଟି କ’ଣ?

ଯଜ୍ଞେଶ୍ୱର : ସିଧା କଥାରେ ଏହା ଏକ ନୂତନ ରାଜନୈତିକ ମୋର୍ଚ୍ଚା, ଏହା ଏକ ସଙ୍ଗଠନ ତଥା ଏକ ମାଧ୍ୟମ ।

ପ୍ରଶ୍ନ: ମାଧ୍ୟମ କାହାର?

ଯଜ୍ଞେଶ୍ୱର : ଏହା ହେଉଛି ସେହି ବିଜେଡି କର୍ମୀମାନଙ୍କର ନିଜ କଥା କହିବାର ଏକ ମାଧ୍ୟମ ଯେଉଁମାନେ ଦୀର୍ଘଦିନ ଧରି ଦଳର ସେବା କରି ଆସୁଥିଲେ ମଧ୍ୟ ଏକରକମ କୋଣଠେସା ହୋଇ ରହିଛନ୍ତି । ସେମାନଙ୍କୁ ସେମାନଙ୍କର କଥାକୁ କହିବା ପାଇଁ ସୁଯୋଗ ମିଳୁନାହିଁ କି ସେମାନଙ୍କ କଥାକୁ ଶୁଣିବା ପାଇଁ କେହି ନଥିବା ପରି ଲାଗୁଛି । ଏହା ବିଜେଡିକୁ ସଜାଡିବା ତଥା ବିଜେଡିରେ ସଂସ୍କାର ଆଣିବାପାଇଁ ଏକ ମାଧ୍ୟମ ।

ପ୍ରଶ୍ନ : ଏହାର ଅର୍ଥ ହେଉଛି ଯେ ଆପଣମାନେ ପୁରାପୁରି ବିଜେଡିରେ ରହି ଜନମୋର୍ଚ୍ଚାକୁ ଚଳାଇବେ?

ଯଜ୍ଞେଶ୍ୱର : ହଁ ।

ସୁପା : ଏକଥା କ’ଣ ସମ୍ଭବ? ଆପଣମାନଙ୍କୁ ତ ବିଜେଡିରୁ ନିଲମ୍ବିତ କରାଯାଇ ସାରିଲାଣି ।

ଯଜ୍ଞେଶ୍ୱର : ଆମେମାନେ ଏବେବି ବିଜେଡିରେ ଅଛୁ ଓ ବହିସ୍କାର ହୋଇନାହୁଁ । ଆପଣ ଦେଖିଥିବେ ମତେ ଯେଉଁଦିନ ନିଲମ୍ବିତ କରାଗଲା ସେ ଖବର ଶୁଣୁଶୁଣୁ ବଲାଙ୍ଗୀରର ଚାରିଜଣ ବ୍ଲକସ୍ତରର ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଦେଲେ ।

ବହିସ୍କାର ପରେ କ’ଣ ହେବ ଆପଣ ଚିନ୍ତା କରନ୍ତୁ । ଆମେ ସବୁ ମଲାମାଛି ନୁହେଁ ଯେ ଯିଏ ଯେତେବେଳେ ଚାହିଁବ ସିଏ ଆମକୁ ଚା କପରୁ କାଢି ଫୋପାଡି ଦେବ । ତା ବ୍ୟତୀତ ଆମ ଆଗରୁ ମଧ୍ୟ କିଛି ଲୋକ ଏହି ଦଳ ଭିତରେ ଥାଇ ସ୍ୱତନ୍ତ୍ର ମଞ୍ଚ କରି ସାରିଛନ୍ତି । ମତେ ଯେବେ ନିଲମ୍ବିତ କରାଗଲା କୁହାଗଲା (ମତେ କିଛି ଲିଖିତ ଭାବରେ କୁହାଯାଇ ନାହିଁ) ଯେ ମୁଁ କାଳେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଲି ।

କିନ୍ତୁ ଯେଉଁ ନେତା ଜଣକ ବିଜୁ ବିଚାର ମଞ୍ଚ ଗଠନ କରିଥିଲେ ସେତ ମୁଖ୍ୟମନ୍ତ୍ରୀଙ୍କୁ ବୁଲାଇ ବଙ୍କାଇ “ମୁର୍ଖ” ବୋଲି କହିଥିଲେ । ସେ’ତ ଦଳର ମହାସଚିବ ଥିଲେ । ଏବେବି ଦଳର ଜଣେ ବରିଷ୍ଠ ଉପସଭାପତି ଅଛନ୍ତି । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନିଜେ କୌଣସି ବିଷୟରେ କିଛି ନିଷ୍ପତି ନେଇ ପାାରୁ ନାହାନ୍ତି । ଅନ୍ୟର ନିଷ୍ପତିକୁ କେବଳ କାର୍ଯ୍ୟକାରୀ କରାଉଛନ୍ତି । ତା’ମାନେ ମୁଖ୍ୟମନ୍ତ୍ରୀ ମୁର୍ଖ ।

ପୁଣି ସେହି ଲୋକ ଦଳର ନିର୍ବାଚନ ଚିହ୍ନ “ଶଙ୍ଖ”କୁ କହିଥିଲେ “ଗେଣ୍ଡା” । ତାଙ୍କୁ ତ କେହି ଦଳରୁ ବହିସ୍କାର କରିନାହିଁ । ଓଲଟା ସିଏ ଏବେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ।

ପ୍ରଶ୍ନ : ଆଜ୍ଞା! ମତେ ସିଧା କହନ୍ତୁ ଯେ ଆପଣମାନେ ବାରବର୍ଷ ଧରି ବିଜେଡିରେ ରହିବା ପରେ ଏବେ କ’ଣ ହେଲା ଯେ ଓଡ଼ିଶା ଜନମୋର୍ଚ୍ଚା ଗଠନ କରିବାର ଆବଶ୍ୟକତା ପଡ଼ିଲା?

ଯଜ୍ଞେଶ୍ୱର : ଦେଖନ୍ତୁ ! ଓଡ଼ିଶାରେ ସବୁ ଥାଇ ମଧ୍ୟ ଏହା କେନ୍ଦ୍ର ସରକାରଙ୍କ ଲଗାତର ଅବହେଳା କାରଣରୁ ଦୀର୍ଘ ସମୟ ଧରି ଅବହେଳିତ ହୋଇ ରହିଥିଲା । ଏଥିରୁ ମୁକୁଳିବା ପାଇଁ ଓଡ଼ିଶାରେ ଗୋଟିଏ ଆଂଚଳିକ ଦଳର ଆବଶ୍ୟକତା ବହୁ ଦିନରୁ ଅନୁଭୂତ ହୋଇ ଆସୁଥିଲା ।

କାରଣ ଜାତୀୟ ସ୍ତରରେ ଯେଉଁ ରାଜନୈତିକ ଦଳ ଗୁଡିକ ଅଛନ୍ତି ସେଥିରେ ଥିବା ଓଡ଼ିଆ ନେତାମାନଙ୍କର କଥାକୁ କେହି ଶୁଣନ୍ତି ନାହିଁ । ବିହାର, ଉତର ପ୍ରଦେଶ, ମହାରାଷ୍ଟ୍ର, ଦକ୍ଷିଣ ଭାରତର ନେତାମାନଙ୍କ କଥାକୁ ସେଠି ଅଧିକ ଗୁରୁତ୍ୱ ଦିଆଯାଏ । କେବଳ ବିଜୁବାବୁଙ୍କୁ ଛାଡି ଦେଲେ ଓଡ଼ିଶାର କୌଣସି ନେତା ଦିଲ୍ଲୀରେ, ସଂସଦରେ ବା ସଂସଦ ବାହାରେ ଓଡ଼ିଶା ସପକ୍ଷରେ କିଛି ଦାବି କରି ପାରନ୍ତି ନାହିଁ କି ସେପରି କିଛି ଆଖିଦୃଶିଆ ଜନମତ ସୃଷ୍ଟି କରି ପାରନ୍ତି ନାହିଁ ।

ବିଜୁବାବୁ ମଧ୍ୟ ବାରମ୍ବାର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଓ ଅର୍ଥନୈତିକ ସାର୍ବଭୌମତା ଦେବାକୁ ଦାବି କରି କରି ଥକି ଗଲେ ପଛେ ତାଙ୍କ କଥା କେହି ଶୁଣି ନଥିଲେ । ତେଣୁ ବିଜୁବାବୁଙ୍କ ଦେହାନ୍ତ ପରେ ତାଙ୍କ ନାମରେ ଆମେମାନେ ଓଡ଼ିଶାରେ ଏକ ରାଜନୈତିକ ଦଳ ଗଠନ କରିଥିଲୁ ।

ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ଏହାର ଅଧ୍ୟକ୍ଷ କରିଥିଲୁ । ଏହା ସହିତ ନବୀନବାବୁ ସାରା ଜୀବନ ଦିଲ୍ଲୀରେ ରହି ଓଡ଼ିଶାର ଭାଷା ଓ ଚାଲିଚଳଣୀ ସହିତ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ବସ୍ତୁସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା କାରଣରୁ ବିଜୁବାବୁଙ୍କ ସହିତ ବହୁଦିନ ଧରି କାମ କରିଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ୟାରୀମୋହନ ମହାପାତ୍ରଙ୍କୁ ସରକାର ଓ ସଂଗଠନକୁ ଉଚିତ ମାର୍ଗରେ ଚଳାଇବାର ଦଦାୟିତ୍ୱ ଦିଆଯାଇଥିଲା ।

ନିଜେ ସଭାପତି ସମସ୍ତଙ୍କୁ କହୁଥିଲେ ଯେ ପ୍ୟାରୀବାବୁଙ୍କୁ ଭେଟ । ପ୍ୟାରୀବାବୁଙ୍କ ସଫଳ ଗୋଟିଚାଳନା ଫଳରେ ପ୍ରଥମ ଥର ପାଇଁ ଗୋଟିଏ ଆଞ୍ଚଳିକ ଦଳ ଲଗାତର ତିନିଥର ପାଇଁ ରାଜ୍ୟରେ ସରକାର ଗଢିବାକୁ ସଫଳ ହେଲା ଓ ରାଜ୍ୟବାସୀଙ୍କର ଏକ ଆଖିଦୃଶିଆ ବିକାଶ ହୋଇ ପାରିଲା ।

ଆଗରୁ ସଂସଦରେ ଓଡ଼ିଶାର ସ୍ୱର କେହି ଶୁଣି ପାରୁ ନଥିଲେ କିନ୍ତୁ ନିଜେ ପ୍ୟାରୀମୋହନ ମହାପାତ୍ର ବିଜେଡିର ସଂସଦୀୟ ଦଳର ନେତା ହେବା ଫଳରେ ସଂସଦରେ ଓଡ଼ିଶାର ଦାବିଗୁଡିକ ଯୋରଦାର ଢଙ୍ଗରେ ଉଠିଲା ।

କେବଳ ସେତିକି ନୁହେଁ ସଂସଦ ଭବନ ପରିସରରେ ବିଭିନ୍ନ ବିଷୟରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ କଥାକୁ ନେଇ ଓଡ଼ିଶାର ସାଂସଦମାନେ ପ୍ଲାକାର୍ଡ ଧରି ଧାରଣା ମଧ୍ୟ ଦେଲେ । ଯାହା ଫଳରେ ଦିନେ ଓଡ଼ିଶାକୁ ଟଙ୍କା ଦେଲା ବେଳକୁ ଯେଉଁ ପ୍ରଧାନମନ୍ତ୍ରୀ କହୁଥିଲେ ଟଙ୍କା ଗଛରେ ଫଳେ ନାହିଁ ସେହି ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶାର ସବୁ ଦାବି ପୂରଣ କରିବାକୁ ବାଧ୍ୟ ହେଲେ ।

ପ୍ରଶ୍ନ : ସବୁତ ଠିକ୍ ଥିଲା ପୁଣି ମୋର୍ଚ୍ଚା ଗଠନ ହେଲା କାହିଁକି?

ଯଜ୍ଞେଶ୍ୱର : କେତେଜଣ କୁଚକ୍ରୀଙ୍କ ପାଇଁ । ସେମାନେ ଦେଖିଲେ ଯେ ପ୍ୟାରୀବାବୁଙ୍କର ଲୋକପ୍ରିୟତା ବଢି ଯାଉଛି । ସେମାନେ ବିଜୁବାବୁଙ୍କୁ ଧମକାଇ ଯେପରି ନିଜ ନିଜର ସ୍ୱାର୍ଥସାଧନ କରିପାରୁଥିଲେ ଏଠାରେ ତାହା ହେଉନାହିଁ । ପ୍ୟାରୀବାବୁ କହୁଥିଲେ ଆଗେ ଓଡ଼ିଶା କଥା ଚିନ୍ତା କର । ତେଣୁ ସେମାନେ ସବୁବେଳେ ନବୀନବାବୁଙ୍କ କାନରେ ପକାଇଲେ ଯେ ପ୍ୟାରୀବାବୁ ଆପଣଙ୍କଠାରୁ ଅଧିକ ଲୋକପ୍ରୀୟ ହୋଇ ଯାଉଛନ୍ତି ।

କେଉଁଠାରେ ଯଦି ବିଜେଡି କର୍ମୀମାନେ ଶ୍ରଦ୍ଧାରେ ପ୍ୟାରୀବାବୁଙ୍କର ବଡ଼ ପୋଷ୍ଟରଟାଏ ଲଗାଇଦେଲେ ତେବେ ନବୀନବାବୁଙ୍କୁ କୁହାଗଲା ଯେ ପ୍ୟାରୀବାବୁ ଆପଣଙ୍କଠୁ ବଡ଼ ପୋଷ୍ଟର ଲଗେଇଲେଣି । କେତେବେଳେ ତାଙ୍କୁ କୁହାଗଲା ଯେ ପ୍ୟାରୀବାବୁ ନିଜେ ମୁଖ୍ୟମନ୍ତ୍ରୀ ହୋଇଯିବାକୁ ବସିଛନ୍ତି ।

ପ୍ରଶ୍ନ : ପ୍ୟାରୀବାବୁ କ’ଣ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ସତରେ ଚାହୁଁ ନାହାନ୍ତି?

ଯଜ୍ଞେଶ୍ୱର : ଜମା ନୁହେଁ । ସିଏ ଯଦି ସେକଥା ଚାହିଁ ଥାଆନ୍ତେ ତେବେ ତାଙ୍କୁ କିଏ ଅଟକାଇ ଥାଆନ୍ତା କି? ଗତ ନିର୍ବାଚନରେ ପରା ୮୦ରୁ ଅଧିକ ଲୋକଙ୍କୁ ସିଏ ଟିକେଟ ଦେଇଛନ୍ତି, ସେମାନଙ୍କ ପାଇଁ ପ୍ରଚାର କରିଛନ୍ତି ଓ ସେମାନଙ୍କୁ ଜିତାଇଥିଲେ ।

ଯଦି ପ୍ୟାରୀବାବୁ କହି ଥାଆନ୍ତେ ତେବେ ନିର୍ବାଚନ ପରେ ପରେ କ’ଣ ସେହି ନୂଆ ବିଧାୟକମାନେ ପ୍ୟାରୀବାବୁଙ୍କୁ ମୁଖ୍ୟମନ୍ତ୍ରୀ କରି ନଥାନ୍ତେ କି? ଏ ସବୁ ହେଉଛି ସେହି ଚକ୍ରାନ୍ତକାରୀଙ୍କ ବେପାର ଯେଉଁମାନେ ଆଗ ନିଜ କଥା ବୁଝନ୍ତି ପରେ ଲୋକଙ୍କ କଥା । ନବୀନବାବୁ ସେକଥାକୁ ନବୁଝି ଓଲଟା ପ୍ୟାରୀବାବୁଙ୍କୁ ସନ୍ଦେହ କଲେ ।

ପ୍ରଶ୍ନ : ସେଇଥିପାଇଁ ନବୀନଙ୍କୁ ହଟାଇଦେବାକୁ ପ୍ୟାରୀବାବୁ ମଇ ୨୯ ବୈଠକ ଡକାଇଥିଲେ ?

ଯଜ୍ଞେଶ୍ୱର : ବେକାର କଥା । ମଇ ତାରିଖର ୨୯ ବୈଠକ ମୋଟେ ନବୀନଙ୍କୁ ହଟାଇବାକୁ ବସି ନଥିଲା । କଥା ହେଉଛି ପ୍ୟାରୀବାବୁ ନବୀନବାବୁଙ୍କର ହାବଭାବ ଦେଖି କରଛଡା ଦେବା ପରେ ପ୍ରଶାସନ ଉପରେ କାହାରି ଅଙ୍କୁଶ ରହିଲା ନାହିଁ ।

ଯାହାଫଳରେ ଜନକହିତକର କାମ ସବୁ ସ୍ଥାଣୁ ହୋଇଗଲା । ଗୋଟିଏ ଉଦାହରଣ ଦେଖନ୍ତୁ । ସେତେବେଳେ ଆମ ଚିରମରୁଡିଗସ୍ତ ପଶ୍ଚିମ ଓଡ଼ିଶା ସହିତ କୋରାପୁଟ, ମୟୁରଭଞ୍ଜ ଓ କେନ୍ଦୁଝରର ଅନେକ ଅଂଚଳରେ ପ୍ରବଳ ଗରମ ଅନୁଭୂତ ହେବା ସାଙ୍ଗକୁ ଲୋକଙ୍କୁ ପିଇବାପାଣି ମିଳୁ ନଥାଏ । ତା ସାଙ୍ଗକୁ ଘନଘନ ବିଜୁଳିକାଟ ଜନନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥାଏ । ଲୋକମାନେ ଆସି ପାଣି ଓ ବିଜୁଳୀ ଯୋଗାଇ ଦେବାକୁ ବିଧାୟକମାନଙ୍କ ଉପରେ ଚାପ ପକାଉ ଥାଆନ୍ତି ।

ହେଲେ ବିଧାୟକମାନେ କହିବେ କାହାକୁ? ଅଫିସରମାନେ ତାଙ୍କ କଥାକୁ କାନକୁ ନେଲେ ନାହିଁ । ଏଠାରେ ମୁଖ୍ୟମନ୍ତ୍ରୀ ତାଙ୍କ ଚିରାଚରିତ ଢଙ୍ଗରେ ନବୀନ ନିବାସ ନହେଲେ ସଚ୍ଚିବାଳୟର ହାଇ ସିକ୍ୟୁରିଟୀ ଜୋନ୍ ଭିତରେ ପଶି ରହିଲେ ।

ସିଏ ବା କାହାକୁ ଚିହ୍ନିଥିଲେ ଯେ କାହାକୁ କ’ଣ କହିଥାଆନ୍ତେ କି କରିଥାଆନ୍ତେ? ତେଣୁ ବିଧାୟକମାନେ ନିଜ ସମସ୍ୟା ବିଷୟରେ କହିବାକୁ ହନ୍ତସନ୍ତ ହୋଇଗଲେ । ଲୋକଙ୍କର ଯେତେବେଳେ ଏଇ ଅବସ୍ଥା ସେତିକିବେଳକୁ ପୁଣି ନବୀନବାବୁ ଲମ୍ବା ଟୁରରେ ବିଦେଶ ଚାଲିଗଲେ ।

ବିଧାୟକମାନେ ଯେତେଦେବେଳ ପ୍ୟାରୀବାବୁଙ୍କୁ କିଛି କରିବାକୁ କହିଲେ ସେତେବେେଳେ ପ୍ୟାରୀବାବୁ ଗୋଟିଏ ଦିନ ଧାର୍ଯ୍ୟ କରି ବିଧାୟକମାନଙ୍କୁ କହିଲେ ଯାହାର ଯାହା କହିବାର ଅଛି ଲେଖିକରି ଦିଅ । ନେତା ବିଦେଶରୁ ଫେରିଲେ ସେସବୁ ଲେଖାକୁ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦେବି ଆଉ କହିବି ଯେ ଚୁଗୁଲି ପଛେ ଶୁଣିବ, ଆଗ ଲୋକଙ୍କ କଥା ବୁଝ ।

ପ୍ରଶ୍ନ : ଏକଥା ପାଇଁ ରାତି ଅଧିଆ ବୈଠକ କରିବାର କ’ଣ ଆବଶ୍ୟକତା ଥିଲା?

ଯଜ୍ଞେଶ୍ୱର : ଏଇଟା ରାତିଅଧିଆ ବୋଲି ଆପଣ କେମିତି କହୁଛନ୍ତି ମୁଁ ଜାଣିନି । ପ୍ରଥମ କଥା ହେଲା ସେଦିନ ସେମିତି କିଛି ବୈଠକ ମୋଟେ ହୋଇନାହିଁ । ଚାରି ଜଣିଆ ପାଞ୍ଚ ଜଣିଆ ଦଳରେ ପାଖାପାଖି ୩୦ ଖଣ୍ଡେ ବିଧାୟକ ଯାଇ ୧୫ ମିନିଟ / ୨୦ ମିନିଟ ଭିତରେ ସେମାନଙ୍କ କଥା କହି, ଲେଖା ଦେଇ ଦସ୍ତଖତ କରି ବାହାରି ଆସୁଥିଲେ ।

ରାତି ସାଢେ ଏଗାରଟା ବେଳକୁ ପ୍ୟାରୀବାବୁଙ୍କ ଦେହ ଖରାପ ଥିବାରୁ ସିଏ କହିଲେ ଯେ ସିଏ ଶୋଇବାକୁ ଯିବେ । ନବୀନବାବୁ ତ ନିଜେ ସେଦିନ ସଂଧ୍ୟାରେ ଫୋନ୍ କରି ବୁଝିଲେ ଯେ ସେଦିନ ପ୍ୟାରୀବାବୁଙ୍କ ଘରେ କିଛି ବି ବୈଠକ ହେଉ ନଥିଲା । ତାହେଲେ ରାତିଅଧିଆ ଅପରେଶନ କ’ଣ ହେଲା? ବରଂ ମଇ ୨୯ ତାରିଖ ରାତିରେ ନବୀନବାବୁଙ୍କ ଅନୁପସ୍ଥିତିରେ ମିଛରେ ପ୍ରଚାର କରାଯାଇ ପ୍ୟାରୀବାବୁଙ୍କ ରାଜନୀତି ସଫା କରିଦେବାକୁ ଏକ ମିଡନାଇଟ ଅପରେସନ ନବୀନ ନିବାସରେ କରାଯାଇଥିଲା ବୋଲି ଏବେ ଲୋକେ ବୁଝି ଗଲେଣି ।

ଯେଉଁମାନେ ବୁଝି ନାହାନ୍ତି ସେମାନେ ଖୁବ୍ ଶୀଘ୍ର ବୁଝିଯିବେ । କୌଣସି ଟିଭି ଚ୍ୟାନେଲ କ’ଣ ଲୋକଙ୍କୁ ସବୁବେଳେ ବୋକା ବନେଇ ରଖିପାରିବ କି?

ପ୍ରଶ୍ନ : ହେଲେ ସବୁଠିତ ସେଇକଥା କୁହାଯାଉଛି ।

ଯଜ୍ଞେଶ୍ୱର : ସବୁଠି ନୁହେଁ । ଆମରି ଦଳର ଜଣେ କୁଚକ୍ରୀ ସାଂସଦ ଯିଏ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ ବୋଲି ଦଳ ଭିତରେ ଓ ବାହାରେ ଆଲୋଚନା ଚାଲିଛି, ସେହି ତାଙ୍କ ଟିଭି ଚ୍ୟାନେଲରେ ପ୍ରଥମେ ପ୍ରଚାର କରାଇ ଦେଲେ ଯେ କ୍ଷମତା ପରିବର୍ତନ ପାଇଁ ପ୍ୟାରୀବାବୁଙ୍କ ଘରେ ବୈଠକ ଚାଲିଛି ।

ତା’କୁ ଅନ୍ୟ କିଛି ଟିଭି ଚ୍ୟାନେଲ୍ ଏକ ଚମକ୍ରାରୀ ଖବର ଭାବରେ ପ୍ରଚାର କରାଇ ଚାଲିଲେ । ପୁଣି ସେହି ସାଂସଦଙ୍କ ଟିଭି ଚ୍ୟାନେଲ ଜଣେ ବିବାଦିତ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ଆଣି ଠିଆ କରାଇ କହିଲା ଯେ ସେ କାଳେ ଦେଖିଛନ୍ତି ଯେ ସେମାନେ ଯେଉଁ କାଗଜରେ ଦସ୍ତଖତ ଦେଉଥିଲେ ସେଥିରେ ଲେଖାଥିଲା ଯେ ପ୍ୟାରୀମୋହନ ମହାପାତ୍ର ହେଉଛନ୍ତି ଆମର ନୂଆ ନେତା ।

ପୁଣି କହିଲେ ଜଣେ ଲୋକ, ହେଲେ ଦେଖାଇଲେ ଧାଡି କରି ଠିଆ ହୋଇଥିବା ପାଂଚ ଜଣଙ୍କ ଫଟୋ ।

ପ୍ରଶ୍ନ : ଆପଣ ବିଶ୍ୱାସ କରୁଛନ୍ତି ଯେ ଏ କାହାଣୀକୁ ଓଡ଼ିଶାର ଲୋକେ ବିଶ୍ୱାସ କରିବେ?

ଯଜ୍ଞେଶ୍ୱର : ଏଇଟା କାହାଣୀ ନୁହେଁ ଆଜ୍ଞା! ଏଇଟା ତଥ୍ୟ ଉପରେ ପରିବେଶିତ ପ୍ରମାଣ ହୋଇ ସାରିଥିବା ସତ୍ୟ । ଉଦାହରଣ ଦେଖନ୍ତୁ । ନବୀନବାବୁ ଓଡ଼ିଶା ଫେରିବା ପରେ ତା’ଙ୍କୁ ପ୍ୟାରୀ ବିରୋଧୀ ତିନି ଚାରି ଜଣ ନେତା କହିଥିଲେ ଦେଲେ ଯେ ଏକରେ ସେଦିନ ୪୦ରୁ ଅଧିକ ବିଧାୟକ ପ୍ୟାରୀବାବୁଙ୍କ ଘରେ ଏକାଠି ହୋଇ ବୈଠକ କଲେ ଓ ଗୋଟିଏ କାଗଜରେ ଦସ୍ତଖତ କରିଛନ୍ତି ଯେଉଁଥିରେ ଲେଖା ହୋଇଥିଲା ଯେ ପ୍ୟାରୀମୋହନ ମହାପାତ୍ର ହେଉଛନ୍ତି ଆମର ନେତା ।

ଦୁଇରେ ୨୯ ତାରିଖ ରାତିରେ ପ୍ୟାରୀ ମହାପାତ୍ର ରାଜଭବନକୁ ଫୋନ୍ କରି ରାଜ୍ୟପାଳଙ୍କୁ ସମୟ ମାଗିଥିଲେ ଓ ରାଜ୍ୟପାଳ ତା ପରଦିନ ୧୧ଟା ବେଳେ ଆସିବାକୁ ସମୟ ଦେଇଥିଲେ । ତିନିରେ ଭୁବନେଶ୍ୱରର ଏକ ହୋଟେଲରେ ୬୨ଟା କୋଠରୀ ଭଡାରେ ନିଆ ଯାଇଥିଲା ଯେଉଁଥିରେ ପ୍ୟାରୀଙ୍କ ଘରେ ବୈଠକ କରିଥିବା ଓ ନଥିବା ୬୦ ଜଣ ବିଧାୟକ ରହିଥାଆନ୍ତେ ଏବଂ ସେମାନେ ସେହିଠାରୁ ରାଜଭବନ ଯାଇ ରାଜ୍ୟପାଳଙ୍କୁ ପ୍ୟାରୀବାବୁଙ୍କ ସପକ୍ଷରେ ଲିଖିତ ସମର୍ଥନ ଦେଇଥାଆନ୍ତେ ଓ ସେଠାରୁ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଥାଆନ୍ତେ ।

ପୁରୀରେ ବି ଜଣେ ବରିଷ୍ଠ ବିଧାୟକ କାଳେ ଏହି ବିଧାୟକମାନଙ୍କର ଜଗନ୍ନାଥ ଦର୍ଶନ ସହିତ ସମୁଦ୍ରକୂଳରେ ରହଣୀ ପାଇଁ ଏକ ବଡ଼ ହୋଟେଲ ନେଇଥିଲେ । ମୁଖ୍ୟମନ୍ତ୍ରୀ ଏସବୁ କଥାର ସତ୍ୟାସତ୍ୟ ଜାଣିବା ପାଇଁ ରାଜ୍ୟ ଓ କେନ୍ଦ୍ରର ଗୁଇନ୍ଦା ବିଭାଗ ସହିତ ନିଜ ତରଫରୁ ଦିଲ୍ଲୀର ଏକ ବେସରକାରୀ ଗୁଇନ୍ଦା ସଂସ୍ଥାକୁ ବି ଲଗାଇଥିଲେ ।

ସେମାନେ ସବୁ ରିପୋର୍ଟ ଦେଲେ ଯେ ସବୁ କଥା ମିଛ । ସେଦିନ ପ୍ୟାରୀଙ୍କ ଘରେ ୪୦ ନୁହେଁ ୪୦ରୁ କମ୍ ବିଧାୟକ ଦଳ ଦଳ ହୋଇ ବିଭିନ୍ନ ସମୟରେ ପହଞ୍ଚିଥିଲେ । ସେମାନେ ସବୁ ଯାଉଥିଲେ ଓ ଆସୁଥିଲେ । ସଂଧ୍ୟାରେ କେବଳ ଅଳ୍ପକିଛି ବିଧାୟକଙ୍କୁ ନେଇ ଏକ ବୈଠକ ହୋଇଥିଲା ।

ଯେଉଁ ହୋଟେଲ କଥା କୁହାଯାଇଥିଲା ସେ ହୋଟେଲର ରେଜିଷ୍ଟରରରୁ ଜଣା ପଡ଼ିଲା ଯେ ସେଦିନ ୬୨ତ ଛାଡନ୍ତୁ ଏକାଥରକେ କେହି ୩ଟି ମଧ୍ୟ କୋଠରୀ ଏକାସାଙ୍ଗରେ ବୁକ୍ କରି ନଥିଲେ । ତା ପରେ ରାଜଭବନ ସିଧା କହିଥିଲା ଯେ ୨୯ ତାରିଖରେ ବିଜେଡିର କେହି ବି ଦଳବଳ ହୋଇ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗି ନଥିଲେ କି ରାଜ୍ୟପାଳ ବି ୩୦ ତାରିଖରେ କାହାରିକୁ ଭେଟିବା ପାଇଁ ସମୟ ଦେଇ ନଥିଲେ ।

ବରଂ ପ୍ୟାରୀବାବୁ ଯାହା କହିଥିଲେ ସେଇଟା ହିଁ ରିପୋର୍ଟରୁ ମିଳିଥିଲା ଯେ କିଛି ବିଧାୟକ ସେମାନଙ୍କ ଅଂଚଳର ସମସ୍ୟା ବିଷୟରେ ଲେଖିକରି ଦେଇଥିଲେ । ଆମ ଦଳର ଆଉ ଜଣେ ସାଂସଦ ତାଙ୍କ ଦୈନିକ ସମ୍ବାଦପତ୍ରରେ ଲେଖିଦେଲେ ଯେ ୩୦ ତାରିଖରେ ହୋଟେଲରେ ଯେଉଁ ସାମ୍ବାଦିକ ସମ୍ମିଳନୀ ପ୍ୟାରୀବାବୁ କରିଥିଲେ ତାକୁ କାଳେ ମୁଁ ଆୟୋଜନ କରିଥିଲି ।

ଏପରି ମିଛ ଗାଳ୍ପିକଙ୍କ ବିରୁଦ୍ଧରେ ଆମେ କ’ଣ କରି ପାରିବୁ?

ପ୍ରଶ୍ନ : ଠିକ୍ ଅଛି । କିନ୍ତୁ ଓଡ଼ିଶା ଜନମୋର୍ଚ୍ଚା ଗଠନର ଆବଶ୍ୟକତା କ’ଣ ଏଇଥିପାଇଁ ପଡ଼ିଲା?

ଯଜ୍ଞେଶ୍ୱର : ହଁ! ଏହା ସେଇଥିପାଇଁ ପଡ଼ିଲା ଯେଉଁଥିପାଇଁ ମଇ ୨୯ ତାରିଖ ଦିନ ବିଧାୟକମାନେ ପ୍ୟାରୀବାବୁଙ୍କ ପାଖକୁ ଯାଇଥିଲେ । ଏବେ ଦଳର ନେତା ଓ ସବୁ କୁଚକ୍ରୀମାନଙ୍କୁ ବୁଝିବାକୁ ପଡ଼ିବ ଯେ ବିଜେଡି କେବଳ କାହାକୁ ଜଣକୁ ମୁଖ୍ୟମନ୍ତ୍ରୀ କରିବାକୁ ସୃଷ୍ଟି ହୋଇ ନଥିଲା ।

ଏହା କେନ୍ଦ୍ର-ପୀଡିତ ଦୁଖିନୀ ଓଡ଼ିଶାର ଆର୍ଥିକ, ସାମାଜିକ ସହିତ ରାଜନୈତିକ ସ୍ଥିତିର ବିକାଶ କରିବା ପାଇଁ ଗଠିତ ହୋଇଛି । କିଛି ଲୋକଙ୍କ ମଉଜ ପାଇଁ ନୁହେଁ । ଏହାର ଯିଏ ବି ନେତା ହୁଅନ୍ତୁ ନା କାହିଁକି ତାଙ୍କୁ ପ୍ରଥମେ ଲୋକଙ୍କ ସମସ୍ୟା କଥା ବୁଝିବାକୁ ହେବ ଓ ପ୍ରଶାସନକୁ ସମ୍ବେଦନଶୀଳ କରିବାକୁ ହେବ ।

ପ୍ରଶ୍ନ : ଆପଣ ଭାବୁଛନ୍ତି ଲୋକେ ଏ କଥାକୁ ଠିକ୍ ବୋଲି ଗ୍ରହଣ କରିବେ?

ଯଜେ୍ଞଶ୍ୱର : ଅପେକ୍ଷା କରନ୍ତୁ! ସମୟ କହିବ କିଏ ଠିକ ଆଉ କିଏ ଭୁଲ୍ ।

ପ୍ରଶ୍ନ : ଶେଷର ଗୋଟିଏ ସିଧା ପ୍ରଶ୍ନ ପଚାରିବି ଯେ ଓଡ଼ିଶା ଜନମୋର୍ଚ୍ଚା ସବୁଦିନେ କେବଳ ବିଜେଡିରେ ସଂସ୍କାର ଆଣିବା ପାଇଁ ଏକ ସଂଗଠନ ହୋଇ ରହିବ ନା ଏହା ମଧ୍ୟ ଏକ ନୂଆ ରାଜନୈତିକ ଦଳର ରୂପ ନେବ?

ଯଜ୍ଞେଶ୍ୱର : ଏକଦମ ସିଧା ଜବାବ ଦେଉଛି ଯେ ଜନମୋର୍ଚ୍ଚାର ଗଠନ ହୋଇଛି ଦଳରେ ସଂସ୍କାର ଆଣିବାପାଇଁ । ଆମେ ଦାବି କରୁଛୁ ଓ କରିବୁ ଯେ ବିଜେଡି ମାତ୍ର ଚାରିପାଂଚ ଜଣ ଲୋକଙ୍କର ମର୍ଜିରେ ନୁହେଁ ଦଳର ସମ୍ବିଧାନ ଓ କାର୍ଯ୍ୟକର୍ତାଙ୍କର ମତ ଅନୁଯାୟୀ ଚାଲୁ ।

ଦଳରେ କାର୍ଯ୍ୟକର୍ତାମାନଙ୍କର ମତ ରଖିବା ପାଇଁ ଯେଉଁ ସବୁ ସାଙ୍ଗଠନିକ ବୈଠକ ହେବା କଥା ତାହା ହେଉ । କାର୍ଯ୍ୟକର୍ତା ର୍ାମାନେ ଲୋକଙ୍କର ଯେଉଁ ସମସ୍ୟା ଆଣୁଛନ୍ତି ତାକୁ ସରକାର ସମ୍ବେଦନଶୀଳ ଭାବରେ ଶୁଣୁ ଓ ତାହାର ସମାଧାନ କରୁ । ଯଦି ଏହାକୁ କିଛି ଲୋକ ଦଳବିରୋଧି ଭାବି ଆମକୁ ଓଲଟା ନିଲମ୍ବିତ ଓ ବହିସ୍କାର କରି ଚାଲିବେ ତେବେ ଆମେ ମଧ୍ୟ ଅନ୍ୟ କଥା ଚିନ୍ତା କରିବାକୁ ବାଧ୍ୟ ହେବୁ ।

ପ୍ରଶ୍ନ : ଧନ୍ୟବାଦ୍ ।

ସୌଜନ୍ୟ : ଦୈନିକ ନବଭାରତ, ଭୁବନେଶ୍ୱର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି, ସାକ୍ଷାତକାର Tagged With: ଜନମୋର୍ଚ୍ଚା, ପ୍ୟାରୀମୋହନ ମହାପାତ୍ର, ବିଜୁ ଜନତା ଦଳ, ମୁଖ୍ୟମନ୍ତ୍ରୀ, ଯଜ୍ଞେଶ୍ୱର ବାବୁ, ସାକ୍ଷାତକାର, ସାମ୍ବାଦିକ ସମ୍ମିଳନୀ

ପୋଲାଭରମ ପ୍ରକଳ୍ପକୁ ବିରୋଧକରି ବିଜେଡିର ସମାବେଶ

August 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନାଗିରି,ଅଗଷ୍ଟ ୨୭ (ଓଡ଼ିଶା ଡ଼ଟ୍ କମ୍)- ଓଡିଶାର ଶାସକ ବିଜୁ ଜନତା ଦଳ ଦ୍ୱାରା ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ମାଲକାନଗିରି ଜିଲା ମୋଟୁଠାରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇ ଯାଇଛିି ।

ଓଡିଶା ସରକାରଙ୍କ ବିରୋଧ ତଥା ସୁପ୍ରିମକୋର୍ଟରେ ଦୁଇଟି ମାମଲା ବିଚାରାଧୀନ ରହିଥିବା ସତ୍ତ୍ୱେ ଆନ୍ଧ୍ର ସରକାରଙ୍କ ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ପାଇଁ ଘୋଷଣା ପରିପ୍ରେକ୍ଷୀରେ ଶାସକ ବିଜେଡି ତରଫରୁ ଏହି ଚେତାବନୀ ସମାବେଶର ଆୟୋଜନ କରାଯାଇଥିଲା ।

ଏହି ପ୍ରକଳ୍ପ ଫଳରେ ମାଲକାନଗିରି ଜିଲାର ୨୧୨୦ ହେକ୍ଟର ଜମି ସହ ବହୁ ଗ୍ରାମ ଜଳାର୍ଣ୍ଣବ ହୋଇଯିବା ଆଶଙ୍କା ରହିଛି । ମାଲକାନଗିରି ଜିଲ୍ଲାରେ ରହୁଥିବା ବହୁ ଆଦିମ ଅଧିବାସୀ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ।

ପୂର୍ବରୁ ବହୁ ସଂଗଠନ ଏହି ପ୍ରକଳ୍ପକୁ ବିରୋଧ କରି ଦାବି, ବିକ୍ଷୋଭ କରିଥିବାବେଳେ ଉଭୟ ଓଡିଶା ଓ ଛତିଶଗଡ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ବିରୋଧରେ ମାମଲା ଦାଏର କରାଯାଇଛି । ଗତ ମାର୍ଚ୍ଚ ୨୦୧୨ରେ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇ ନାହିଁ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟନ୍ତୀ ନଟରାଜନ କହିଥିଲେ ।

ଏହି ସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରବି ନାରାୟଣ ନନ୍ଦ,ଜୟରାମ ପାଙ୍ଗୀଙ୍କ ସମେତ ଅଭିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବିଜେଡି ନେତାମାନେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୋଲାଭରମ ପ୍ରକଳ୍ପ, ବିଜୁ ଜନତା ଦଳ, ମାଲକାନଗିରି ଜିଲା, ସୁପ୍ରିମକୋର୍ଟ

ପେଟ୍ରୋଲ ମୂଲ୍ୟବୃଦ୍ଧି ପ୍ରତିବାଦରେ ବନ୍ଦ,ଜୀବନଯାତ୍ରା ପ୍ରଭାବିତ

May 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମଇ ୩୧(ଓଡ଼ିଶା ଡ଼ଟ୍ କମ୍) ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡ଼ାକରା ଯୋଗୁଁ ରାଜ୍ୟରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ବିକ୍ଷୋଭକାରୀମାନେ ଜାତୀୟ ରାଜପଥରେ ଟାୟାର ଜାଳି ଅବରୋଧ କରିଥିବାରୁ ଶତାଧିକ ଟ୍ରକ୍ ଏବଂ ଅନ୍ୟାନ୍ୟ ଯାନବାହାନ ମଧ୍ୟ ଅଟକି ରହିଛି । କଟକ ଏବଂ ଭୁବନେଶ୍ୱର ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଶାସକ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟରେ ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ଭାରତୀୟ ଜନତା ପାର୍ଟି ଏବଂ ବାମ ଦଳ ପକ୍ଷରୁ ମଧ୍ୟ ଅଲଗା ଅଲଗା ବନ୍ଦ ଡ଼ାକରା ଦିଆଯାଇଛି ।

ଭୁବନେଶ୍ୱରରେ ବିଜେଡ଼ି କର୍ମୀମାନେ କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଥାନରେ ଧାରଣା ଦେଇଛନ୍ତି । ଏନ୍ଡ଼ିଏ ପକ୍ଷରୁ ମଧ୍ୟ ଭାରତ ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ରେଳ ରୋକ କରିଛନ୍ତି ।

କଟକ ଭୁବନେଶ୍ୱର ବ୍ୟତୀତ ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର, ସୁନ୍ଦରଗଡ଼, ବ୍ରହ୍ମପୁର ଓ ଅନ୍ୟାନ୍ୟ ସହରରେ ମଧ୍ୟ ଅନୂରୂପ ବନ୍ଦ ପାଳନ କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ଦୋକାନ ବଜାର, ଯାନବାହାନ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

ରାଜଧାନୀ ଭୁବନେଶ୍ୱରରେ ପୋଲିସ କେତେକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ତେବେ ବନ୍ଦ ପାଳନ ବେଳେ କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ପୋଲିସ କହିଛି ।

ସେହିପରି ବରଗଡ଼ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ମୋଟର ସାଇକେଲ ର୍ୟାଲି ସହ ସହରରେ ପିକେଟିଂ କରାଯାଇ ଦୋକାନ ବଜାର ସବୁ ବନ୍ଦ କରାଯାଇଛି ।

ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ କରାଯାଇଛି । ପରେ ଆନ୍ଦୋଳନକାରୀମାନେ ସ୍ଥାନୀୟ ଗାନ୍ଧି ଛକରେ ଟାୟର ଜାଳି ୬ନମ୍ବର ଜାତୀୟ ରାଜପଥକୁ କିଛି ସମୟ ଅବରୋଧ କରିଥିଲେ ।

ପେଟ୍ରୋଲ ଦରବୃଦ୍ଧି ଲୋକଙ୍କୁ ଏତେ ବାଧିଛି ଯେ ବ୍ୟବସାୟୀମାନେ ସ୍ୱତଃପ୍ରବୃତ ଭାବେ ଏହି ବନ୍ଦକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ କରିେଇଥିବା ବଣିକ ସଂଘ ସଭାପତି ପ୍ରୀଦିପ ବେତା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି

ଉମରକୋଟ:ତୃତୀୟ ରାଉଣ୍ଡରେ ବିଜେଡ଼ି ଆଗୁଆ

December 3, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଉମରକୋଟ,ଡ଼ିସେମ୍ବର୪(ଓଡ଼ିଶା ଡ଼ଟ୍ କମ୍)ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉମରକୋଟ
ବିଧାନସଭା ଉପନିର୍ବାଚନ ପାଇଁ ରବିବାର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ତୃତୀୟ ରାଉଣ୍ଡ
ଶେଷ ସୁଦ୍ଧା ଶାସକ ବିଜୁ ଜନତା ଦଳ ଆଗରେ ଥିବା ଜଣାପଡ଼ିଛି ।

ଏହି ରାଉଣ୍ଡ୍ ସୁଦ୍ଧା ବିଜେଡ଼ିର ସୁବାସ ସାହୁ ୧୧୭୩୧ ଭୋଟ ପାଇ ନିକଟତମ ପତିଦ୍ଵନ୍ଦୀ କଂଗ୍ରେସର
ଯତୀନ୍ଦ୍ର ଗଣ୍ଡଙ୍କ ଠାରୁ ୪୨୧୭ ଭୋଟରେ ଆଗୁଆଥିବା ବେଳେ ଏହି ରାଉଣ୍ଡ୍ ଶେଷ ସୁଦ୍ଧା ବିଜେପିର
ଧରମୁ ଗଣ୍ଡ ୭୩୪୪ ଭୋଟ ପାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ତୃତୀୟରାଉଣ୍ଡ, ବିଜୁ ଜନତା ଦଳ

ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ନେଇ ବିଜେଡ଼ିରେ ବିଭେଦ

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ଶାସକ ବିଜୁ ଜନତା ଦଳ(ବିଜେଡ଼ି)ରେ ମନ୍ତ୍ରୀ ମଣ୍ଡଳ ସଦସ୍ୟଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ବିଭେଦ ଦେଖାଦେଇଛି । ଗତ ଚାରି ତାରିଖରେ ସ୍ଥାନୀୟ ଇଡ଼କଲ ହଲ୍ ରେ ବିଜେଡ଼ିର ପର୍ଯ୍ୟବେକ୍ଷକ ସମ୍ମିଳନୀ ଅବସରରେ ଦଳର ଅନ୍ୟତମ ବରିଷ୍ଠ ନେତା ପ୍ୟାରୀମୋହନ ମହାପାତ୍ର ରାଜ୍ୟ ମନ୍ତ୍ରୀ ମାନଙ୍କ କାର୍ଯ୍ୟ ଦକ୍ଷତା ସମୀକ୍ଷା କରାଯିବ ବୋଲି କହିବା ପରେ ଏହି ବିବାଦ ସୃଷ୍ଟି ହୋଇଛିା

ଦିନଥିଲା ମୁଁ କେତେକ ନିର୍ଦ୍ଧିଷ୍ଟ ଲୋକଙ୍କ କାର୍ଯ୍ୟର ସମୀକ୍ଷା କରୁଥିଲି ଏବଂ କାର୍ଯ୍ୟ ଦକ୍ଷତା ପରଖୁଥିଲି । ମାତ୍ର ଏବେ ସେମାନେ ମୋର ଦକ୍ଷତା ଏବଂ ସଫଳତା ମାପିବାକୁ ଅଣ୍ଟା ଭିଡ଼ୁଛନ୍ତି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ହସ୍ୟାସ୍ପଦ ବୋଲି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ।

ଏହି ବୈଠକରେ କେତେକ ମନ୍ତ୍ରୀ ସେମାନଙ୍କ ସଫଳତାର ବିବରଣୀ ଦେଇଥିବା ବେଳେ ଅନ୍ୟ କେତେକ ପ୍ରସ୍ତୁତ ହୋଇ ଆସିନଥିଲେ । ଅପ୍ରସ୍ତୁତ ହୋଇ ଆସିଥିବା ମନ୍ତ୍ରୀ ମାନଙ୍କୁ ମହାପାତ୍ର କଡ଼ା ସମାଲୋଚନା କରିବା ସହ ତୁରନ୍ତ ସେମାନଙ୍କର ସଫଳତା ବିଷୟରେ ଜଣାଇବାକୁ କହିଥିଲେ ।

ଏହି ପ୍ରସଙ୍ଗରେ ଦଳର ଅନ୍ୟ ବରିଷ୍ଠ ମନ୍ତ୍ରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ତେବେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ଜନସାଧାରଣ ତାଙ୍କ କାର୍ଯ୍ୟ ଦକ୍ଷତା ପରିଖି ପାରିବେ । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ ସାକାର କରିବା ଏବଂ ନିଦେ୍ର୍ଧଶକୁ ପାଳନ କରିବା ତାଙ୍କର ଏକମାତ୍ର କର୍ତ୍ତବ୍ୟ ବୋଲି ରାଉତ ସାମ୍ବାଦିକ ମାନଙ୍କୁ କହିଥିଲେ ।

ଅତୀତରେ ସେ ସ୍ୱର୍ଗତ ନୀଳମଣି ରାଉତରାୟ ଏବଂ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ଓ ବହୁ ସଫଳତା ହାସଲ କରିଛନ୍ତି । ତାଙ୍କ କ୍ଷେତ୍ରରେ ପ୍ରମାଣ ନେବାର କୌଣସି ଆବଶ୍ୟକତା ଥିବା କଥା ଅନୁଭବ କରୁନାହିଁ, ସେ କହିଛନ୍ତି ।

ଏଭଳି ପ୍ରସଙ୍ଗ ଉଠାଇଥିବା ବ୍ୟକ୍ତି ଅତୀତ କଥା ଚିନ୍ତା କରିବାକୁ ସେ କହିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟୀତ୍ୱ ଦେଇଛନ୍ତି । ସେହି ତିନୋଟି ବିଭାଗ ଉପରେ ରାଜ୍ୟର ୮୦ ପ୍ରତିଶତ ଲୋକଙ୍କ ଜୀବନ ଜୀବିକା ସାମିଲ । ଏହି ବିଭାଗ ଗୁଡ଼ିକର ସଫଳତା ଉପରେ ରାଜ୍ୟର ସାମଗ୍ରୀକ ସଫଳତା ନିର୍ଭର କରୁଛି, ତେଣୁ ମୁଁ ଅସନ୍ତୋଷ ହେବାର ପ୍ରଶ୍ନ ଉଠୁନାହିଁ, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦାମୋଦର ରାଉତ, ପ୍ୟାରୀମୋହନ ମହାପାତ୍ର, ବିଜୁ ଜନତା ଦଳ, ମୁଖ୍ୟ ଖବର, ରାଜନୀତି

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ