• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଜେଡ଼ି

ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ

November 14, 2015 by ନିଉଜ ଡେସ୍କ Leave a Comment

ଲିଙ୍ଗରାଜ

ଚଳିତ ବର୍ଷ ଆମ ରାଜ୍ୟରେ ଉତ୍କଟ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ଗତ ଦୁଇ ମାସ ମଧ୍ୟରେ ଭିନ୍ନ ଭିନ୍ନ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ଘଟଣା ପ୍ରଭାବ ସ୍ୱାଭାବିକ ଭାବରେ ଏକ ଉଦବେଗ ଓ ଉଦବେଳନର ପ୍ରସଙ୍ଗ ହୋଇଯାଇଛି । ଏକଥା କହିବା ବାହୁଲ୍ୟ ଯେ ଉଭୟ ଖବର କାଗଜ ଏବଂ ଇଲେକ୍ଟ୍ରୋନିକସ ଗଣମାଧ୍ୟମର ଏଥିରେ ଏକ ସକ୍ରିୟ ଭୂମିକା ରହିଛି ।

lingaraj
ଲିଙ୍ଗରାଜ

ମରୁଡ଼ି ମୁକାବିଲା ପାଇଁ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ବେଶ୍ ତତ୍ପରତା ପୂର୍ବକ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ ଘୋଷେଣା ସତ୍ୱେ କୃଷକ ଆତ୍ମହତ୍ୟା ଘଟଣା ଥମୁନଥିବାରୁ ପୃଷ୍ଠଭୂମିରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ କୃଷକ ମାନଙ୍କୁ ସରକାରଙ୍କ ତରଫରୁ ସର୍ବବିଧି ସହାୟତାର ଆଶ୍ୱାସନା ଦେଇ ଆତ୍ମହତ୍ୟା ନକରିବାକୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ବାଣୀ କୃଷକ ମାନଙ୍କ ମନରେ ଭରସା ଯୋଗାଉ ଥିବା ସଂକେତ ମିଳୁ ନାହିଁ ।

ଗତ ଅଗଷ୍ଟ ମାସରେ ବିଧାନ ସଭାରରେ ରାଜ୍ୟ କୃଷି ମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟାନୁସାରେ ୧୯୯୯ରୁ ୨୦୧୩ ବିଗତ ୧୫ ବର୍ଷ ଭିତରେ ଓଡ଼ିଶାରେ ୩୬୦୨ ଜଣ କୃଷକ ମାନଙ୍କର ଆତ୍ମହତ୍ୟା ଘଟଣା ଘଟିଛି ।

ଏବିଷୟ ତଥ୍ୟ ଉପସ୍ଥାପନ କଲା ବେଳେ କୃଷିମନ୍ତ୍ରୀ ଏକଥା କହିବାକୁ ଭୁଲିନଥିଲେ ଯେ କୃଷକ ମାନଙ୍କର ଆତ୍ମହତ୍ୟା ପଛରେ କୃଷି ଜନିତ ସମସ୍ୟାର ଆଦୌ ସମ୍ପର୍କ ନାହିଁ, ଭିନ୍ନ ଭିନ୍ନ କାରଣରୁ ସେମାନେ ଆତ୍ମହତ୍ୟା କରୁଛନ୍ତି ।

କୃଷିମନ୍ତ୍ରୀଙ୍କର ଏପରି ସ୍ପଷ୍ଟୀକରଣ ଦେବାର ତାତ୍ପର୍ଯ୍ୟ କଣ ହୋଇପାରେ ? । (ବିଜେଡ଼ି ନବୀନ ପଟ୍ଟନାୟକ ନେତୃତ୍ୱାଧିନ ସରକାର) କୃଷକ ମାନଙ୍କ ପ୍ରତି ଅଙ୍ଗିକାର ହୋଇ ନାନା ଯୋଜନା କରୁଥିବା ବେଳେ କୃଷି କ୍ଷେତ୍ରରେ ସମସ୍ୟା ଉପୁଜିବ କେମିତି ଏବଂ ତାକୁ ସ୍ୱୀକାର କଲେ ସରକାରଙ୍କ ବଦନାମ ତୁଲ୍ୟ ହେବ ନାହିଁ କି? )।

ଓଡ଼ିଶା ସରକାରର ବର୍ତମାନ କିମ୍ବା ପୂର୍ବତନ କୃଷିମନ୍ତ୍ରୀଙ୍କର ଏହି ପ୍ରସଙ୍ଗକୁ ନେଇ ଏପରି ଆଭିମୁଖ୍ୟକୁ ଏକ ବ୍ୟତିକ୍ରମ କୁହାଯାଇ ପାରିବ ନାହିଁ । ଏଠାରେ ସ୍ମରଣଯୋଗ୍ୟ ଯେ ଗତ ଲୋକସଭା ଅଧିବେଶନ କାଳରେ (ବିଜେପି ନେତୃତ୍ୱାଧିନ) କେନ୍ଦ୍ର ସରକାରଙ୍କ କୃଷିମନ୍ତ୍ରୀଙ୍କର ଏହାଠାରୁ ଅଧିକ କଟୁକ୍ତିପୂର୍ଣ୍ଣ ବୟାନ ବେଶ୍ ଚର୍ଚ୍ଚିତ ହୋଇଥିଲା । ତାହାର ମର୍ମ ଥିଲା କୃଷକ ମାନଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ପ୍ରେମଜନିତ ବିଫଳତା, ନପୁଂସକତା ଓ ତଦ୍ ଜନିତ ମାନସିକ ସମସ୍ୟା ।

ଏହା ପୂର୍ବରୁ କ୍ରେନ୍ଦ୍ରରେ ଦୀର୍ଘ ବର୍ଷ ଧରି କ୍ଷମତାସୀନ କଂଗ୍ରେସ ଦଳର କୃଷିମନ୍ତ୍ରୀଙ୍କର ଏବିଷୟରେ ଆଭିମୁଖ୍ୟରେ ଭିନ୍ନତାର ନଜିର ନାହିଁ । ୧୯୯୬ରୁ ୨୦୧୪ ଭିତରେ ଦେଶବ୍ୟାପୀ ତିନି ଲକ୍ଷ୍ୟରୁ ଊର୍ଦ୍ଧ୍ଵ କୃଷକ ଆତ୍ମହତ୍ୟା କରିଥିବାର ତଥ୍ୟ ଅବଶ୍ୟ କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ପ୍ରଦାନ କରୁଅଛି ।

କୃଷକ ଆତ୍ମହତ୍ୟା ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୈତିକ ଦୋଷାରୋପଣ ଭିତ୍ତିକ ବିତର୍କର ଏ ଚରିତ୍ରକୁ ବିଶ୍ଳେଷଣ କଲେ ଏକଥା ସ୍ପଷ୍ଟ ଯେ ଏହା ହେଉଛି ଆମ ଦେଶର ଶାସନ ଶ୍ରେଣୀର ଆଭିମୁଖ୍ୟ, କୌଣସି ନିର୍ଦ୍ଧିଷ୍ଟ ଦଳ ଭିତରେ ଏହା ସୀମାବଦ୍ଧ ନୁହେଁ ।

ଏହା ସହ ପଢନ୍ତୁ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

୧୯୮୦-୯୦ ଦଶକରେ ଆମ ଦେଶରେ ଅନାହାର ମୃତ୍ୟୁର ବ୍ୟାପକ ଅଭିଯୋଗକୁ ନେଇ ରାଜନୌତିକ ସ୍ତରରେ ଅନୁରୂପ ଦୋଷାରୋପଣର ସଲାକୁସ୍ତି ହେଉଥିଲା । ସମସ୍ୟା ମୂଳ କାରଣକୁ ସ୍ୱୀକାର କରି ସମାଧାନର ସୁତ୍ର ବାହାର କଲା ପରେ ଆଜି ତାହାର ଯଥେଷ୍ଟ ହ୍ରାସ ପାଇଛି , ଅନ୍ତତଃ ଅନାହାର ମୃତ୍ୟୁର ଅମାନବୀୟର ରୂପ ହ୍ରାସ ପାଇଛି ।

2007 AGITATION
୨୦୦୭ ମସିହାରେ ହୋଇଥିବା ଚାଷୀ ଆନ୍ଦୋଳନର ଏକ ଦୃଶ୍ୟ ଛବି ସୌଜନ୍ୟ : ଅଶୋକ ପ୍ରଧାନ

ଆମ ଦେଶର ଶାସନ ଶ୍ରେଣୀ ସଂପ୍ରତି କୃଷକ ଆତ୍ମହତ୍ୟା ଘଟଣାବଳୀକୁ କୃଷି କ୍ଷେତ୍ରର ନୀତି ଜନିତ ସମସ୍ୟା ସହ ଯୋଡ଼ି ଦେଖିବାକୁ ପ୍ରସ୍ତୁତ ନଥିବା ସତ୍ୱେ ଯେଉଁ ବର୍ଷ ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଘଟୁଛି ସେହି ସମୟରେ ଜନମତର ଚାପରେ ସରକାର କାରଣ ଓ ନିରାକାରଣ ଖୋଜିବା ଆଳରେ କମିଟି କମିଶନ ବସାଇବାର ଦୃଷ୍ଟାନ୍ତ ଅବଶ୍ୟ ରହିଛି । କିନ୍ତୁ ତାର ସୁପାରିଶକୁ ନେଇ ସଂପୃକ୍ତ ସରକାର ମାନଙ୍କର ଅଭିମୁଖ୍ୟ ତତୋଧିକ ବିଡ଼ମ୍ବନା ।

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୦୯-୧୦ରେ ଓଡ଼ିଶାରେ ଖରିଫ ଚାଷ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ହାନି ହୋଇଥିଲା ଏବଂ ସେହି ସମୟରେ ପ୍ରଥମ ଥର ପାଇଁ ଅନେକ ସଂଖ୍ୟକ କୃଷକ ଆତ୍ମହତ୍ୟାର ସମ୍ବାଦ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିଥିଲା ।

ସେହି ଅବଧି ଓ ପୃଷ୍ଠଭୂମିରେ ରାଜ୍ୟ ସରକାର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କୃଷକ କମିଶନ ଗଠନ କରିଥିଲେ । ଉକ୍ତ କମିଶନର ରିପୋର୍ଟ ରାଜ୍ୟ ସରକାରଙ୍କୁ ୨୦୧୨ ଡ଼ିସେମ୍ବରରେ ପ୍ରଦତ୍ତ ହୋଇଥିଲେ ସୁଦ୍ଧା ତାହା ବିଧାନସଭାରେ ପେଶ୍ ହୋଇନାହିଁ କିମ୍ବା ଲୋକଲୋଚନକୁ ଆସିନାହିଁ ।

ସବୁଠାରୁ ବିଡ଼ମ୍ବନାର କଥା ୨୦୧୪ରେ ରାଜ୍ୟ ସରକାର ଉକ୍ତ କମିଶନର ସୁପାରିଶ ଅନୁଧ୍ୟାନ କରିବା ପାଇଁ ପୁନଶ୍ଚ ଏକ ୭ ଜଣିଆ କିଶେଷଜ୍ଞ କମିଟି କରିବାକୁ କୁହାଯାଇଛି ।

AGITATION 9 nOV-2015
ଚଳିତ ମାସ ଚାଷୀ ଆତ୍ମହତ୍ୟା ବିରୋଧରେ ହୋଇଥିବା ସମାବେଶ ର ଦୃଶ୍ୟ ଛବି ସୌଜନ୍ୟ: ଅଶୋକ ପ୍ରଧାନ

ଠିକ୍ ସେହିପରି ୨୦୦୫ରେ କେନ୍ଦ୍ରରେ ନବ ଗଠିତ ଉପା ସରକାର ମଧ୍ୟ ଖ୍ୟାତିସଂପନ୍ନ କୃଷି ବିଶେଷଜ୍ଞ ସବୁଜ ବିପ୍ଳବର ସୁତ୍ରଧର ଏମ୍.ଏସ୍.ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ ଏକ କୃଷକ ଆୟୋଗ କଠନ କରିଥିଲେ । ସେହି ଅବଧିରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ପ୍ରଭୃତି ଆଧୁନିକ କୃଷି ପଦ୍ଧତିରେ ଉନ୍ନତ ରାଜ୍ୟ ମାନଙ୍କରେ କୃଷକ ମାନଙ୍କର ଅନେକ ସଂଖ୍ୟାରେ ଆତ୍ମହତ୍ୟା ଘଟଣା ଲୋକଲୋଚନକୁ ଆସିବା ପୃଷ୍ଠଭୂମିରେ ଏହି କମିଶନର ଗଠନ ହୋଇଥିଲା ।

୨୦୦୮ରେ ଏହି କମିଶନର ରିପୋର୍ଟ ସରକାରଙ୍କୁ ପ୍ରଦତ୍ତ ହୋଇଥିଲା । ଉକ୍ତ କମିଶନର ଅଧିକାଂଶ ସୁପାରିଶ ଏକ କର୍ପୋରେଟ ଆଧାରିତ କୃଷି ବ୍ୟବସ୍ଥା ଅନୁକୂଳ ହୋଇଥିବା ବେଳେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କୃଷକ ମାନଙ୍କୁ ସୁହାଇଲା ଭଳି ଥିଲା । ତେଣୁ ସେହି ସୁପାରିଶ ଦେଶର କୃଷକ ସଂଗଠନ ତଥା ସଚେତନ କୃଷକ ମାନଙ୍କ ଭିତରେ ବେଶ୍ ଚର୍ଚ୍ଚିତ ହୋଇ ରହିଛି ।

ଉକ୍ତ ସୁପାରିଶଟି ହେଲା ସରକାରଙ୍କ ଦ୍ୱରା କୃଷିଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ଦର ନିର୍ଦ୍ଧାରଣ କରାଗଲା ବେଳେ ଉତ୍ପାଦନ ଖର୍ଚ୍ଚ ସହ ପଚାଶ ପ୍ରତିଶତ ଯୋଡ଼ି ସ୍ଥିର କରିବେ । ଏହାକୁ ଏମ୍.ଏସ୍.ସ୍ୱାମୀନାଥନ ସୂତ୍ର ମଧ୍ୟ କୁହାଗଲା । ଏହି ସୁପାରିଶ ଜଣାପଡ଼ିବା ଦିନ ଠାରୁ କୃଷକ ସଂଗଠନ ମାନେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରି ଆସୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପା ସରକାର ଅମଳରେ ଏହି ସୁପାରିଶ ସଂକ୍ରାନ୍ତରେ ବିଚାର ସୁଦ୍ଧା କରାଗଲା ନାହିଁ । ଗତ ସାଧାରଣ ନିର୍ବାଚନ ସମୟରେ ବର୍ତମାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦାବିକୁ ତାର ନିର୍ବାଚନ ଇସ୍ତାହାରରେ ଅର୍ନ୍ତଭୁକ୍ତ କରିଥିଲା କିନ୍ତୁ ସରକାର ଗଢିବାର ଛଅ ମାସ ପର୍ଯ୍ୟନ୍ତ ଏ ବିଷୟରେ ଚୁପ୍ ରହିବାରୁ ହରିଆଣାର କେତେଜଣ କୃଷକ ନେତା ଏହି ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା କରିଥିଲେ ।

କିନ୍ତୁ ବିଡ଼ମ୍ବନାର କଥା କେନ୍ଦ୍ରର ବିଜେପି ସରକାର ସତ୍ୟପାଠ କରି ଅଦାଲତରେ ଜବାବ ଦାଖଲ କଲେ ଯେ ଏହି ସୁପାରିଶକୁ ଲାଗୁ କରିବା ସମ୍ଭବ ନୁହେଁ, କାରଣ ଏହାଦ୍ୱାରା ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଆମ ଦେଶର ଶାସକ ଶ୍ରେଣୀର କୃଷକ ଶ୍ରେଣୀ ପ୍ରତି ଉପେକ୍ଷା ଓ ପ୍ରତାରଣାର ଏହା ଏକ ସଦ୍ୟତମ ଉଦାହରଣ ।

ଏପ୍ରସଙ୍ଗରେ ଏକଥା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ ଯେକୌଣସି ରାଜ୍ୟ ସରକାର କୌଣସି ଫସଲ ହାନି କୃଷକ ମାନଙ୍କୁ ବୋନସ୍ ପ୍ରଦାନ କରି ପାରିବ ନାହିଁ, ଯଦି କରନ୍ତି ତେବେ କେନ୍ଦ୍ର ସରକାର ତାର ବଜାର ବ୍ୟବସ୍ଥା ପାଇଁ ଦାୟୀ ରହିବେ ନାହିଁ ।

କୃଷିଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ ଓ ବୋନସ୍ ପ୍ରଦାନ ବ୍ୟବସ୍ଥା ସହିତ ଆଧୁନିକ କୃଷି ବ୍ୟବସ୍ଥାରେ ସରକାରୀ ହସ୍ତକ୍ଷେପ ଦ୍ୱାରା କୃଷକ ମାନଙ୍କ ଆୟବୃଦ୍ଧିର ସିଧାସଳଖ ସଂପର୍କ ରହିଛି ।

ଆମ ଦେଶର ମାତ୍ର ୫ ପ୍ରତିଶତ ସରକାରୀ କର୍ମଚାରୀ ମାନଙ୍କର ପ୍ରତି ବର୍ଷରେ ବେତନ କମିଶନ ଗଠନ କରି ଅସମାନୁପାତିକ ଦରମା ଭତ୍ତା ବୃଦ୍ଧି ତଥା ପ୍ରତି ୯ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ସାଙ୍ଗକୁ ବିଧାୟକ/ ସାଂସଦ ମାନଙ୍କର ଦରମା ବୃଦ୍ଧି ବେଳକୁ ଦେଶର ଅର୍ଥ ବ୍ୟବସ୍ଥା ବିକୃତ ହେବାର ଯୁକ୍ତି କେହି କରନ୍ତି ନାହିଁ ।

ତେବେ ଜନସଂଖ୍ୟାର ୬୦ ପ୍ରତିଶତ କୃଷକ ମାନଙ୍କ ଆୟବୃଦ୍ଧିର ଏକ କ୍ଷୁଦ୍ର ବ୍ୟବସ୍ଥା କଥା ଉଠିଲେ ସରକାର ଚିହିଁକି ଉଠି ସତ୍ୟପାଠ କରୁଛନ୍ତି ଯେ ଦେଶର ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଏହି ରାଜନୈତିକ ଆଭିମୁଖ୍ୟରେ ହିଁ ରହିଛି କୃଷକ ଆତ୍ମହତ୍ୟାର ଏକ ମୂଳ କଥା ।

ପ୍ରଖ୍ୟାତ ହିନ୍ଦୀ କଥାକାର ପ୍ରେମଚାନ୍ଦ ୧୯୩୨ରେ ପରାଧିନ ଭାରତରେ ଏବିଷୟରେ ଏକ ପ୍ରବନ୍ଧ ଲେଖିଥିଲେ । କୃଷକ ଋଣ ବୋଝରେ ଜନ୍ମ ନିଏ, ଋଣ ବୋଝରେ ବଂଚେ ଓ ଋଣ ଜାଲ ମରିଥାଏ । ପରାଧିନ ଭାରତରେ ବି ଋଣ ବୋଝ କୃଷକର ଚିର ସହଚର ଥିଲା ।

ତେବେ ଆମ ଦେଶର ଅର୍ଥନୈତିକ ଐତିହାସିକ ମାନଙ୍କ ମତରେ ବ୍ରିଟିଶ ଶାସନ କାଳରେ କୃଷକମାନେ ଋଣ ଜାଲରେ ଫସି ଆତ୍ମହତ୍ୟା କରୁଥିବାର ନଜିର ଦେଖିବାକୁ ମିଳେ ନାହିଁ । ତେଣୁ ସ୍ୱାଭାବିକ ପ୍ରଶ୍ନ ଉଠୁଛି ସ୍ୱାଧୀନ ଭାରତରେ ଗତ ୨୦ ବର୍ଷ ଭିତରେ ୩ ଲକ୍ଷରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ମୂଳ କାରଣ କଣ? ।

ଦେଶର ଅନ୍ନଦାତା ବୋଲାଉଥିବା କୃଷକ (ବିଶେଷତଃ ଯେଉଁମାନଙ୍କ ପାଖରେ କୃଷି ଭିନ୍ନ ଅନ୍ୟ କୌଣସି ଧନ୍ଦା ନାହିଁ) ଆଜି ଏପରି ଅସହାୟ ବୋଧ କରୁଛି କାହିଁକି? ମହାରାଷ୍ଟ୍ର ଓ ପଞ୍ଜାବର କଥାକଥିତ ଊନ୍ନତ କୃଷକ ହେଉ କି ଓଡ଼ିଶାର ଦରିଦ୍ର ପଛୁଆ କୃଷକ ହେଉ ଆତ୍ମହତ୍ୟାର ପଥ ବାଛି ନେଉଛି କାହିଁକି ?

ଏହାର ମୂଳ କାରଣ ୪ଟି ପ୍ରକ୍ରିୟାଗତ ଶବ୍ଦରେ ଅନ୍ତର୍ନିହିତ ରହିଛି । ଉତ୍ପାଦନ ଖର୍ଚ୍ଚ ଆୟ ବିପର୍ଯ୍ୟୟ ଓ ଋଣ ।ଅର୍ଥାତ କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ସୀମାହୀନ ଭାବରେ ବଢିଚାଲିଛି ଏବଂ ସେହି ଅନୁପାତରେ କୃଷକର ଆୟବୃଦ୍ଧି ହେଉ ନାହିଁ ।

ସେହି ପରିସ୍ଥିତିରେ କୃଷକ ଉପରେ ଯଦି ଥରେ ବିପର୍ଯ୍ୟୟ ମାଡ଼ି ଆସିଲା ତେବେ ତା ଉପରେ ଋଣ ବୋଝ ଅସମ୍ଭାଳ ହୋଇଯାଉଛି । ପ୍ରଚଣ୍ଡ ଅସହାୟବୋଧ କରୁଥିବା କୃଷକ କିଂ କର୍ତବ୍ୟବିମୁଢ ହୋଇ ଜୀବନ ଯୁଦ୍ଧରେ ହାରି ଯାଉଛି ।

ଆଧୁନିକ କୃଷି ପଦ୍ଧତି ପୂର୍ବରୁ ଆମ ଦେଶରେ ଅନୁସୃତ କୃଷି ପଦ୍ଧତିରେ ଉତ୍ପାଦନ ଖର୍ଚ୍ଚ ପାଇଁ କୃଷକ ବଜାର ଉପରେ ଆଦୌ ନିର୍ଭରଶୀଳ ନଥିଲା । ଦେଶକୁ ଖାଦ୍ୟ ସଂକଟରୁ ମୁକୁଲାଇବା ପାଇଁ ଅନୁସୃତ ସବୁଜ ବିପ୍ଲବ କୃଷି ପଦ୍ଧତିରେ ଗୋଟିଏ ସମୟ ଯାଏ ସରକାରୀ ସହାୟତା ବଜାର ଦାଉକୁ ପ୍ରାୟତଃ ସମ୍ଭାଳି ନେଉଥିଲା ।

୧୯୯୧ ପରବର୍ତ୍ତୀ ତଥାକଥିତ ନବ ଉଦାରବାଦୀ ଯୁଗରେ ସରକାରୀ ସହାୟତା ସବ୍ସିଡ଼ି ହ୍ରାସ ସାଙ୍ଗକୁ ବଜାର ଶକ୍ତ କମ୍ପାନୀ ମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି ।ଏହି ଯୁଗରେ ଶିକ୍ଷା ଓ ସ୍ୱାସ୍ଥ୍ୟ ମଧ୍ୟ ବଜାରର ବସ୍ତୁ ହୋଇଗଲାଣି । କୃଷକ ପରିବାର ପାଇଁ ଏହା ମଧ୍ୟ ଏକ ବିପର୍ଯ୍ୟୟର ରୂପ ନେଉଛି ।

ସରକାରୀ ନୀତି ଦ୍ୱାରା ପ୍ରୋତ୍ସାହିତ ବଜାର ସର୍ବସ୍ୱ ଅର୍ଥ ବ୍ୟବସ୍ଥା ଜନିତ ଉପଭୋକ୍ତାବାଦର ଅନିୟନ୍ତ୍ରିତ ପ୍ରସାର ମଧ୍ୟ କୃଷକ ପରିବାର ପାଇଁ କାଳ ହୋଇଛି । ଏପରି ଏକ ଚକ୍ରବ୍ୟୁହ ଭିତରୁ କୃଷକ କିପରି ବାହାରି ପାରିବ ତାହା ଏକ ଯକ୍ଷ ପ୍ରଶ୍ନ ।

କଥାକାର ପ୍ରେମଚାନ୍ଦ ଉପରୋକ୍ତ ପ୍ରବନ୍ଧରେ ଏକଥା ବି କହିଥିଲେ ଯେ ସେକାଳର ସରକାର କୃଷକ ମାନଙ୍କୁ ସାବତ ପୁଅ ହିସାବରେ ବ୍ୟବହାର କରୁଛି । କୃଷକ ମାନଙ୍କୁ ନିଜର ବଡ଼ ପୁଅ ଭଳି ବ୍ୟବହାର କଲେ ଯାଇ ସେମାନେ ତିଷ୍ଠି ପାରିବେ ବୋଲି ସେ ଆକୁଳ ନିବେଦନ କରିଥିଲେ ।

ବିଦେଶୀ ସରକାରର ଆଚରଣ ତ ବଦଳିବାର ପ୍ରଶ୍ନ ନଥିଲା । ସ୍ୱାଧୀନ ଭାରତରେ ପ୍ରଜାତନ୍ତ୍ର ଶାସନର ସରକାରର ଆଚରଣ ବଦଳାଇବାର କିଛି ବାଟ ଅଛି କି?

ସମତା ଭବନ, ବରଗଡ଼ -୭୬୮୦୨୮
ମୋ: ୯୪୩୭୦୫୬୦୨୯

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ବରଗଡ଼, ବିଜେଡ଼ି, ରାଜ୍ୟ ସରକାର, ସରକାର

ବିଜେପି, ବିଜେଡି ଚାଷୀ ବିରୋଧୀ: ରାହୁଳ

September 10, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ : ଶାନ୍ତନୁ ବିଶ୍ଵାଳ

ବରଗଡ, ସେପ୍ଟେମ୍ବର ୧୦ (ଓଡିଶା ଡଟ କମ) କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଉଭୟ କେନ୍ଦ୍ରର ଏନଡିଏ ଓ ଓଡିଶାର ନବୀନ ସରକାରଙ୍କୁ ଚାଷୀ ବିରୋଧୀ କହି ତୀବ୍ର ସମାଲୋଚନା କରିଛନ୍ତି ।

rahulଦୁଇ ଦିନିଆ ରାଜ୍ୟ ଗସ୍ତର ପ୍ରଥମ ଦିନରେ ଗାନ୍ଧୀ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚିଥିଲେ ।

ସଡ଼କ ପଥରେ ବରଗଡ ଜିଲ୍ଲାର ଦେବାହାଲ ଗ୍ରାମରେ ପହଞ୍ଚି ମୃତ ଚାଷୀ ସାନନ୍ଦ କଠାରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏହା ପରେ ଉକ୍ତ ଗ୍ରାମରୁ କଂଗ୍ରେସ ଦ୍ଵାରା ଆୟୋଜିତ ଚାଷୀ ବଞ୍ଚାଅ ପଦଯାତ୍ରାର ଆରମ୍ଭ କରିଥିଲେ ।

ଦେବାହଲରୁ ଅତାବିରା ଯାଏଁ ହୋଇଥିବା ଏହି ପଦଯାତ୍ରାରେ ରାଜ୍ୟର ସମସ୍ତ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ହଜାର ହଜାର କର୍ମୀ ଓ କାର୍ଯ୍ୟକର୍ତ୍ତା ଭାଗନେଇଥିଲେ ।

ବିଭିନ୍ନ ସ୍ଥାନରେ ଆୟୋଜିତ ସଭାରେ କଂଗ୍ରେସର ଏହି ଯୁବ ନେତା ଲୋକଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚାଷୀ ବିରୋଧୀ ବୋଲି ଆକ୍ଷେପ କରିଥିଲେ ।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ କହିଥିଲେ ଚିଟ୍‌ଫଣ୍ଡ ସ୍କାମ୍‌ରେ ହଜାର ହଜାର ଲୋକଙ୍କ ସ୍ବାର୍ଥ ପ୍ରତି ସରକାର ଆଖି ବୁଜି ଦେଇଛନ୍ତି । ରାଜ୍ୟରେ ଖଣି ଓ ଜଙ୍ଗଲ ଲୁଟ୍‌ ହୋଇଥିବା ଦର୍ଶାଇ ରାଜ୍ୟ ସରକାରଙ୍କୁ ସେ ଏଥି ପାଇଁ ଦାୟୀ କରିଥିଲେ । ସେ କେନ୍ଦ୍ର ସହ ରାଜ୍ୟର ଭିତିରି ସମ୍ପର୍କ ଥିବା ମଧ୍ୟ ଅଭିଯୋଗ କରିଥିଲେ ।

ଶୁକ୍ରବାର ରାହୁଲ ଦଶଦିନ ଭିତରେ ଷାଠିଏ ରୁ ଅଧିକ ଶିଶୁ ମୃତ୍ୟୁ ଯୋଗୁଁ ଚର୍ଚାରେ ରହିଥିବା କଟକ ଶିଶୁ ଭବନ ଯାଇ ସେଠାକାର ପରିସ୍ଥିତି ଅନୁଧ୍ୟାନ କରିବା ସହ ଭୁବନେଶ୍ଵରରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବେ ।

ଗାନ୍ଧୀଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ବିଜେଡ଼ି, ବିଜେପି

ବିଜେଡି ସାଂସଦ କଳ୍ପତରୁ ଦାସଙ୍କ ପରଲୋକ

July 25, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୨୫ ଜୁଲାଇ (ଓଡିଶା ଡଟ୍ କମ୍): ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହୋଉଥିବା ବିଜେଡି ଉପସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ କଳ୍ପତରୁ ଦାସଙ୍କର ଶନିବାର ଅପରାହ୍ନରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି ।

kalpataruକିଛି ମାସ ହେବ ଅସୁସ୍ଥ ଥିବା ଶ୍ରୀ ଦାସଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ ସୋମବାର ଦିଲ୍ଲୀ ଏମ୍ସ ପରିସରରେ ଥିବା ଇନଷ୍ଟିଚ୍ୟୁଟ ରୋଟାରି କ୍ୟାନ୍ସର ହାସପାତାଲରେ ଭର୍ତ୍ତି କରଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଯିବାରୁ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମ ରେ ରଖାଯାଇଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ।

୧୯୪୮ ମସିହା ଫେବୃୟାରୀ ୭ରେ ଯାଜପୁର ଜିଲ୍ଲାର ଭୋଟକା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଦାସ ପ୍ରଥମଥର ପାଇଁ ୧୯୭୭ ରୁ ୮୦ ମଧ୍ୟରେ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ନିଜ ରାଜନୈତିକ ଜୀବନର ଆରମ୍ଭ କରିଥିଲେ।

ଏହାପରେ ସେ ୧୯୮୦ ରୁ ୮୫ ଯାଏଁ ବିଜେପିର ରାଜ୍ୟ ସମ୍ପାଦକ ଭାବେ, ୧୯୮୫ ରୁ ୮୭ ଯାଏଁ ଧର୍ମଶାଳା ଜନତାଦଳର ସଭାପତି ଭାବେ ଏବଂ ୧୯୮୭ ରୁ ୯୦ ପର୍ଯ୍ୟନ୍ତ ଜନତା ଦଳର କଟକ ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।

ସେହିପରି ୧୯୯୦ ରୁ ୯୫ ପର୍ଯ୍ୟନ୍ତ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟକରି ୯୫ ରୁ ୯୮ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ଜନତା ଦଳର ସଭାପତି ରହିଥିଲେ ।

୧୯୯୫ ରେ ଯାଜପୁରର ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ଟିକଟରେ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୦୦, ୨୦୦୪ ଓ ୨009 ରେ କ୍ରମାଗତ ଭାବେ ବିଜେଡ଼ି ଟିକଟରେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱର୍ଗତ କଳ୍ପତରୁ ଦାସ ୧୯୯୭ ମସିହାରେ ବିଜେଡିରେ ଯୋଗ ଦେଇ ୧୯୯୮ରେ ଏହି ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ ।

ଏହାପରେ ସେ ବିଜେଡ଼ି ସରକାରରେ ବହୁ ଗୁରୁତ୍ଵ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ହେବା ସହ ସଂସଦୀୟ ବ୍ୟାପାର ଓ ପଞ୍ଚାୟତରାଜ ମନ୍ତ୍ରୀ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ୨୦୧୪ ମସିହାରେ ସେ ବିଜେଡିର ରାଜ୍ୟସଭା ସାଂସଦ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା କଲି ତାଙ୍କର ମର ଶରୀରକୁ ଦିଲ୍ଲୀରୁ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଓଡିଶା ଅଣାଯିବ ।

ତାଙ୍କ ମୃତ୍ୟୁରେ ଯାଜପୁର ଜିଲ୍ଲା ସମେତ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଅକାଳ ବିୟୋଗରେ ରାଜ୍ୟପାଳ ଡ଼ଃ. ଏ.ସି. ଜମିର୍ , ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, କେନ୍ଦ୍ରମନ୍ତ୍ରୀ ଜୁଏଲ ଅରମ ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ନିଜ ଶୋକ ବାର୍ତ୍ତାରେ ଡ଼ଃ. ଜମିର୍ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଣେ ଦକ୍ଷ ବିଧାୟକ ଥିଲେ । ମନ୍ତ୍ରୀ ଭାବରେ ସେ ନିଜର ଦକ୍ଷତା ପ୍ରତିପାଦନ କରିଯାଇଛନ୍ତି । ନିଜ ଅଞ୍ଚଳ ଓ ଜିଲ୍ଲାର ବିକାଶ ପାଇଁ ତାଙ୍କର ଅବଦାନ ଯଥେଷ୍ଟ ।

ଜନ ଜୀବନର ଅନୁଭୂତି ତାଙ୍କୁ ଏକ ସଫଳ ରାଜନେତା ଓ ବ୍ୟକ୍ତିତ୍ୱରେ ପରିଣତ କରିଥିଲା ବୋଲି ରାଜ୍ୟପାଳ କହିଛନ୍ତି । ରାଜ୍ୟପାଳ ସ୍ୱର୍ଗତ ଆତ୍ମାର ସଦ ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: କଳ୍ପତରୁ ଦାସ, ଦେହାନ୍ତ, ବିଜେଡ଼ି

ଓଡ଼ିଶା ବିରୋଧୀ ନୁହନ୍ତି କେନ୍ଦ୍ର ସରକାର: ନିର୍ମଳା ସୀତାରମଣ

May 24, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସମ୍ବାଦଦାତା
ଭୁବନେଶ୍ଵର,ମଇ ୨୪ (ଓଡିଶା ଡଟ କମ): ବିଜେଡି ସରକାରର କେନ୍ଦ୍ରୀୟ ଅବହେଳା ଅଭିଯୋଗକୁ ରବିବାର ସମାଲୋଚନା କରିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ନିର୍ମଳା ସୀତାରମଣ। ଓଡିଶାକୁ କେନ୍ଦ୍ର କେବେବି ଅବହେଳା କରୁନାହିଁ।

ବରଂ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଓଡ଼ିଶା ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଠାରୁ ଅନୁଦାନ ବାବଦରେ ୧ ଲକ୍ଷ ୧୨ହଜାର ୬୭୭କୋଟି ଟଙ୍କା ପାଇବାକୁ ଥିବାବେଳେ କୋଇଲା ଇ-ନିଲମରୁ ୨ ଲକ୍ଷ କୋଟିଟଙ୍କା ପାଇବ।

ଏହାବାଦ ରେଳ ବଜେଟରେ କେନ୍ଦ୍ର ସରକାର ରାଜ୍ୟକୁ ସବୁଠାରୁ ଅଧିକ ୨୫୧୪ କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟରେ ବଡବଡ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିବା ସୀତାରମଣ କହିଛନ୍ତି।

ନରେନ୍ଦ୍ର ମୋଦି ସରକାରଙ୍କ ଏକବର୍ଷ ପୁର୍ତ୍ତିଅବସରରେ ଆଜି ସୀତାରମଣ ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀରେଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ବିଜେପି ସରକାର ଗତ ଏକ ବର୍ଷ ମଧ୍ୟରେ ଦୁର୍ନୀତି ମୁକ୍ତ ଶାସନ ଦେଇଥିବା ବେଳେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ବଢିଛି ବୋଲି ସୀତାରମଣ କହିଥିଲେ।

ଏହସହ ସେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ଚିଠା ରଖିଥିଲେ।

ଜମି ଅଧିଗ୍ରହଣ ବିଲକୁ ବିରୋଧ କରୁଥିବାରୁ କଂଗ୍ରେସକୁ ସୀତାରମଣ ସମାଲୋଚନା କରିଥିଲେ। ମୋଦି ସରକାରଙ୍କୁ ସମାଲୋଚନା କରିବାର ନୈତିକ ଅଧିକାର କଂଗ୍ରେସର ନାହିଁ।

ବରଂ ଦେଶର ପ୍ରଗତିର କଥା ଯେତେବେଳେ ଆସୁଛି କଂଗ୍ରେସ ସରକାରଙ୍କୁ ସହଯୋଗ କରିବା ଦରକାର ବୋଲି ସୀତାରମଣ କହିଥିଲେ।

କେନ୍ଦ୍qର ସରକାରଙ୍କ ଇଣ୍ଡଷ୍ଟ୍ରିଆଲ କରିଡର ଓଡ଼ିଶାକୁ ସଂଯୋଗ କରିବା ବୋଲି ସୀତାରମଣ କହିଥିଲେ। ତେବେ ପୋସ୍କୋ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ସେ ଦାୟୀ କରିଥିଲେ।

ସୀତାରମଣଙ୍କ ଅଭିଯୋଗକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି। ପଛୁଆ ଅଞ୍ଚଳ ବିକାଶ ପାଣ୍ଠି ବାବଦରେ ଏଥର ରାଜ୍ୟକୁ ଅନୁଦାନ କମ ମିଳିଛି। ରାଜ୍ୟକୁ ଏଥର ୨୧୨୦ କୋଟି କମ ଅନୁଦାନ ମିଳିଥିବା ବିଜେଡି ମୁଖପାତ୍ର ସମୀରଦାସ କହିଛନ୍ତି ।

ରାଜ୍ୟର ଗାଁ ଗାଁ ରେ ମୋଦି ସରକାରଙ୍କ ବିକାଶ ବାର୍ତ୍ତା ପହଞ୍ଚାଇବାକୁ ସୀତାରମଣ ବିଜେପି କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଇଛନ୍ତି।

ଓଡିଶା ଡଟ କମ

 

 

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ବିଜେଡ଼ି

ନାଲକୋ ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବ ପୁନର୍ବିଚାର ପାଇଁ ବିଜେଡିର ଦାବି

May 9, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୯ (ଓଡିଶା ଡଟ କମ) ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ)ରୁ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର ଯୋଜନା କରୁଥିବାରୁ ଏହି ପ୍ରସ୍ତାବର ପୁନର୍ବିଚାର ପାଇଁ ବିଜୁ ଜନତା ଦଳର ସାଂସଦ ମାନେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ଦିଲ୍ଲୀରେ ଭେଟି ଦାବି କରିଛନ୍ତି ।

ପାର୍ଟିର ୨୩ ଜଣ ଯାକ ସାଂସଦ ଏ ସଂକ୍ରାନ୍ତୀୟ ଏକ ସ୍ମାରକ ପାତ୍ର ମଧ୍ୟ ତୋମାରଙ୍କୁ ଶୁକ୍ରବାର ଦେଇଥିବା ପାର୍ଟି ର ଜଣେ ବରିଷ୍ଠ ନେତା ଓଡିଶା ଡଟ୍ କମ୍ କୁ କହିଛନ୍ତି ।

ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ନିକଟରେ ନାଲକୋରୁ ଦଶ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର କରିବାପାଇଁ ନିଷ୍ପତ୍ତି ନେଇଥିଲେ । ପୂର୍ବ ୟୁପିଏ ଓ ଏନଡିଏ ସରକାରଙ୍କ ସମୟରେ ହୋଇଥିବା ନାଲକୋର ଘରୋଇକରଣ ଉଦ୍ୟମକୁ ବିଜୁ ଜନତା ଦଳ ତୀବ୍ର ବିରୋଧ କରିଥିଲା ।

ବିଜେଡି ସାଂସଦଙ୍କ ଠାରୁ ସ୍ମାରକପତ୍ର ଗ୍ରହଣ କରିବା ପରେ ତୋମାର କହିଛନ୍ତି ସେ ଏ ସଂକ୍ରାନ୍ତରେ ଚୁଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିଚାର ଆଲୋଚନା କରିବେ । ଭୁବନେଶ୍ଵର ରେ ମୁଖ୍ୟ କାର୍ଯ୍ୟ।ଲୟ ଥିବା ନାଲକୋ ହେଉଛି ଦେଶର ତୃତୀୟ ସର୍ବ ବୃହତ ଆଲୁମିନିୟମ ଉତ୍ପାଦନକାରୀ ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: ନାଲକୋ, ପୁଞ୍ଜି ପ୍ରତ୍ୟାହାର, ବିଜେଡ଼ି

ଜମିହରାଙ୍କୁ କମ୍ପାନୀର ଅଂଶୀଦାର କରିବା ଦାବି କଲା ବିଜେଡି

May 8, 2015 by News Bureau Leave a Comment

ଭୁବନେଶ୍ୱର, ମଇ ୮ (ଓଡିଶା ଡଟ କମ) ଲୋକସଭାର ଚଳିତ ଅଧିବେଶନରେ ଆସୁଥିବା ବିବାଦୀୟ ଜମି ଅଧିଗ୍ରହଣ ବିଲ୍ ରେ ଜମିହରାଙ୍କୁ କମ୍ପାନୀ ଅଂଶୀଦାର କରିବାର ବ୍ୟବସ୍ଥା ନ ହେଲେ ପାର୍ଟି ଏମପି ଏହାକୁ ବିରୋଧ କରିବେ ବୋଲି ବିଜେଡି କହିଛି ।

ନୂଆଦିଲ୍ଲୀର ପାର୍ଲାମେଣ୍ଟ ଭବନ ଠାରେ ଥିବା ବିଜେଡି କାର୍ଯ୍ୟ।ଳୟରେ ଗୁରୁବାର ଦଳୀୟ ଏମପି ମାନଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଯଦି ସଂଶୋଧିତ ଜମି ଅଧିଗ୍ରହଣ ବିଲ୍ ରେ ବ୍ୟକ୍ତିଙ୍କୁ କମ୍ପାନୀ ଅଂଶୀଦାର କରିବା ବ୍ୟବସ୍ଥା ନ ଥାଏ ତାହେଲେ ଏହି ବିଲକୁ ବିରୋଧ କରିବାକୁ ସେ ଏମପି ମାନଙ୍କୁ କହିଛନ୍ତି।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଜମି ଅଧିଗ୍ରହଣ ବିଲ, ନବୀନ ପଟ୍ଟନାୟକ, ବିଜେଡ଼ି

ରଣପୁର ଏନଏସି ନିର୍ବାଚନରେ ବିଜେଡ଼ିର ବିପୁଳ ବିଜୟ

May 6, 2015 by News Bureau Leave a Comment

ଓଡିଶା ଡଟକମ ସଂବାଦ ଦାତା

ନୟାଗଡ, ମଇ ୬ (ଓଡିଶା ଡଟ କମ) ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ମଙ୍ଗଳବାର ହୋଇଥିବା ନିର୍ବାଚନରେ ସମୁଦାୟ ୧୫ ଟି ୱାର୍ଡରୁ ୧୩ଟି ହାସଲ କରି ଶାସକ ବିଜୁ ଜନତା ଦଳ ନିଜର ନିର୍ବାଚନ ଜୟଯାତ୍ରା ଅବ୍ୟାହତ ରଖିଛି ।

ବିରୋଧୀ କଂଗ୍ରେସ ଓ ସ୍ଵାଧୀନ ପାର୍ଟିର ପ୍ରାର୍ଥୀ ଗୋଟିଏ ଲେଖାଏଁ ୱାର୍ଡରେ ଜିତିଥିବା ବେଳେ ଭାରତୀୟ ଜନତା ପାର୍ଟି ନିଜର ଖାତା ଖୋଲି ପାରିନାହିଁ ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଏନଏସି, ନିର୍ବାଚନ, ବିଜେଡ଼ି, ରଣପୁର

ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡି

April 27, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୭ (ଓଡିଶା ଡଟ କମ) କେନ୍ଦ୍ର ସରକାର ପାର୍ଲିଆମେଣ୍ଟ ରେ ଆଗତକରିବାକୁ ଯାଉଥିବା ଜମି ଅଧିଗ୍ରହଣ ବିଲକୁ ବିଜେଡି ବିରୋଧ କରିବା ବୋଲି ଲୋକ ସଭାରେ ପାର୍ଟିର ମୁଖ୍ୟ ସଚେତକ ଭତ୍ତୃହରି ମହତାବ କହିଛନ୍ତି ।

ଆମେ ଏହି ଜମି ବିଲକୁ ଲୋକ ସଭାରେ ସ୍ଵାଗତ କରିଥିଲୁ ଏବଂ ଏହା ମଧ୍ୟ କହିଥିଲୁ ଯେ ଆମେ ଖୁସି ଅଛୁ । କିନ୍ତୁ ଖୁସି ଅଛୁ କହିବାର ଅର୍ଥ ନୁହେଁ ଆମେ ଏହି ବିଲ କୁ ସମର୍ଥନ କରିବୁ , ମହତାବ ହିନ୍ଦୁସ୍ତାନ ଟାଇମସ ଖବର କାଗଜକୁ କହିଛନ୍ତି ।

ପାର୍ଲିଆମେଣ୍ଟକୁ ଏହି ବିଲ ଆସିଲେ ଆମେ ଏହାର ବିରୋଧ କରିବୁ , ସେ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟଯେ ବିଜେଡି ଏହି ବିଲରେ କେତୋଟି ସଂଶୋଧନ ପ୍ରସ୍ତାବ ଦେଇଥିଲା ଓ ସେମଧ୍ୟରୁ ଚାରୋଟି କେନ୍ଦ୍ର ସରକାର ଗ୍ରହଣ କରିଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଜମି ଅଧିଗ୍ରହଣ, ପାର୍ଲିଆମେଣ୍ଟ, ବିଜେଡ଼ି, ସରକାର

ପୂର୍ବତନ ମନ୍ତ୍ରୀ ଆନନ୍ଦ ଆଚାର୍ଯ୍ୟଙ୍କ ପରଲୋକ

April 17, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୧୭ (ଓଡିଶା ଡଟ କମ ) ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଆନନ୍ଦ ଆଚାର୍ଯ୍ୟଙ୍କ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହାସପାତାଳରେ ପରଲୋକ
ହୋଇଯାଇଛି ।

anandaମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହେଉଥିଲା । ରାଜ୍ୟ ବିଧାନସଭାକୁ ୧୯୯୫, ୨୦୦୦ ଓ ୨୦୦୪ କ୍ରମାଗତ ଭାବେ ବରଗଡ ବିଧାନସଭାରୁ ତିନିବାର ନିର୍ବାଚିତ ହୋଇଥିବା ଆଚାର୍ଯ୍ୟ ୨୦୦୪ ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟର ଅବକାରୀ ମନ୍ତ୍ରୀ ଥିଲେ ।

ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ ଓ ଏକ ଘରୋଇ ହାସପାତାଳରେ ଚିକିତ୍ସିତ ହେଉଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ବିଜେଡ଼ି, ବିଧାନସଭା

ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ଉଦ୍ୟମକୁ ବିଜେଡ଼ି, କଂଗ୍ରେସର ବିରୋଧ

April 15, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୧୫ (ଓଡିଶା ଡଟ କମ) ନାଲକୋ ସମେତ ତେରଟି ସରକାରୀ ଉଦ୍ୟୋଗରୁ କେନ୍ଦ୍ର ସରକାରୀ ପୁଞ୍ଜି ପ୍ରତ୍ୟାହାର କରୁଥିବା ଉଦ୍ୟମ ଖବର ପ୍ରଚାରିତ ହେବା ପରେ ଓଡିଶାର ଶାସକ ବିଜେଡି ଓ କଂଗ୍ରେସ ଏହାର ତୀବ୍ର ବିରୋଧ କରିଛି ।

nalcoଭୁବନେଶ୍ଵରରେ ମୁଖ୍ୟ କାର୍ଯାଳୟ ଓ ରାଜ୍ୟର ଅନଗୁଳ ଓ କୋରାପୁଟରେ କାରଖାନା ଓ ବକ୍ସାଇଟ ଖଣି ଥିବା ନାଲକୋରେ କେନ୍ଦ୍ର ସରକାରଙ୍କ ୮୭.୧୫ ପ୍ରତିଶତ ଅଂଶଧନ ରହିଛି ।ସରକାରୀ ଅଂଶଧନର ପାଞ୍ଚରୁ ପନ୍ଦର ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜି ପ୍ରତ୍ୟାହାର କରିବାପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ସମ୍ପର୍କିତ ଖବର କେତେକ ସଂବାଦପତ୍ର ପ୍ରକାଶ କରିଛନ୍ତି ।

ଏହାକୁ କେନ୍ଦ୍ରକରି ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡ଼ି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ନାଲକୋ ଏକ ଲାଭଦାଯକ କମ୍ପାନୀ ତେଣୁ ଏହାର ପୁଞ୍ଜି ପ୍ରତ୍ୟାହାର ଠିକ ନୁହେଁ । ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଚନ୍ତି ନାଲକୋ ଲାଭ ଦେଉଥିବାରୁ ସରକାରୀ ପୁଞ୍ଜି ପ୍ରତ୍ୟାହାରର କୌଣସି ଆବଶ୍ୟକତା ନାହିଁ ।

ବିରୋଧୀ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି ତାଙ୍କପାର୍ଟି ଏହି ପୁଞ୍ଜି ପ୍ରତ୍ୟାହାରକୁ ପୂର୍ବରୁ ବିରୋଧ କରି ଆସିଛି ଓ ଏହା ଏବେ ମଧ୍ୟ ଜାରି ରହିବ । ତେବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖ୍ୟ କେଭି ସିଂହଦେଓ କହିଛନ୍ତି କେନ୍ଦ୍ରସରକାର ଏଭଳି କୌଣସି ନିଷ୍ପତ୍ତି ନେଇନାହାନ୍ତି । ବିଜେଡି ଓ କଂଗ୍ରେସ ନିଜର ରାଜନୈତିକ ଲାଭ ପାଇଁ ଏଭଳି ମିଥ୍ୟା ପ୍ରଚାର ଚଳାଇଛନ୍ତି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ, ରାଜନୀତି Tagged With: କଂଗ୍ରେସ, ନାଲକୋ, ବିଜେଡ଼ି

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 8
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ