• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବେଦାନ୍ତ ବିଶ୍ୱବିଦ୍ୟାଳୟ

ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀଙ୍କ ବିଜୟ ସମାବେଶ

November 30, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ଓ ସରକାରଙ୍କ ବିରୋଧରେ ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ମଙ୍ଗଳବାର ପୁରୀ ଠାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରେଧୀମାନେ ବିଜୟ ସମାବେଶର ଆୟୋଜନ କରିଛନ୍ତି ।

ଶତାଧିକ ଯୁବକ ସିଂହଦ୍ଵାର ନିକଟରୁ ଏକ ମଟର ସାଇକେଲ ଶୋଭାଯାତ୍ରାରେ ବାହାରି ପୁରୀ କୋଣାର୍କ ରାସ୍ତାର ବେଲଳ ଠାରେ ପହଞ୍ଚିଥିଲେ । ଆୟୋଜିତ ଏହି ସମାବେଶରେ ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗ ଦେଇଛନ୍ତି ।

ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ନାମରେ ସରକାର ଏକ ଘରୋଇ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କରିବା ଦ୍ଵାରା ସରକାରଙ୍କ ଏହାପଛରେ ଥିବା ମନ୍ଦ ଉଦେ୍ଧଶ୍ୟ ପାରେ ପଡ଼ିଯାଇଛି ବୋଲି ସମାବେଶରେ ଯୋଗେଇଥିବା ନେତାମାନେ କହିଛନ୍ତି ।

ପୂର୍ବରୁ ଲୋକପାଳ ବେଦାନ୍ତ ଓ ସରକାରଙ୍କୁ ଭର୍ସନା କରିଥିବା ବେଳେ ବର୍ତ୍ତମାନ ହାଇକୋର୍ଟଙ୍କ ରାୟ ପରେ ସରକାର ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତ କରିଥିବା ପ୍ରମାଣିତ ହୋଇଛି । ତେଣୁ ସରକାରଙ୍କୁ ବରଖାସ୍ତ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବେଦାନ୍ତ ବିଶ୍ୱବିଦ୍ୟାଳୟ, ମୁଖ୍ୟ ଖବର, ରାଜ୍ୟ ସରକାର

ବେଦାନ୍ତ ପ୍ରସଙ୍ଗରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

November 26, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନିମନ୍ତେ ଯାହା କରାଯାଇଛି ତାହା ରାଜ୍ୟର ହିତ ପାଇଁ କରାଯାଇଛି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ କହିଛନ୍ତି । ଆମେ କିଛି ଭୂଲ କରିନାହୁଁ ।

ସେ ସଂକ୍ରାନ୍ତରେ ଅଧ୍ୟାଦେଶ ଜାରି ହୋଇଥିଲା ବୋଲି ହାଇକୋର୍ଟ ଯାହା ଦର୍ଶାଇଛନ୍ତି ତାହାସତ୍ୟ ନୁହେଁ, ସେ କହିଛନ୍ତି । ଶ୍ୟାମ ପିତ୍ରୋଡ଼ାଙ୍କ ଅଧ୍ୟକ୍ଷତାରେ ଗଠିତ ଜ୍ଞାନ କମିଶନ ଶେରେ ଅନ୍ୟୁନ ୧୫୦୦ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ରଖିଥିଲେ ।

ଏହା ବ୍ୟତୀତ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ତଦନୁଯାୟୀ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟର ପରିକଳ୍ପନା କରାଯାଇଥିଲା ।

ଏକ୍ଷେତ୍ରରେ ବେଦାନ୍ତ ଫାଉଣ୍ଡେସନ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରାଯାଇ ସେହି ସଂସ୍ଥା ସହ ବୁଝାମଣା କରିବା ପୂର୍ବରୁ ରାଜସ୍ୱ, ଉଚ୍ଚଶିକ୍ଷା ଏବଂ ଆଇନ ବିଭାଗର ମତାମତ ଲୋଡ଼ା ଯାଇଥିଲା । ପ୍ରତ୍ୟେକ ବିଭାଗ ସେହି ବିଶ୍ୱବିଦ୍ୟାଳୟ ପାଇଁ ଅନୁକୂଳ ମତ ଦେଇଥିବା ବେଳେ ଏକ ମହନୀୟ ଶିକ୍ଷାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ ଯୁକ୍ତିଯୁକ୍ତ ବୋଲି ସେ କହିଥିଲେ ।

ବେଦାନ୍ତ ଫାଉଣ୍ଡେସନ ଏକ ପ୍ରାଇଭେଟ କମ୍ପାନୀ ହୋଇଥିଲେ ବି ତାହାକୁ ପବ୍ଲିକ ଲିମିଟେଡ଼କମ୍ପାନୀ କରିବାରେ କୌଣସି ଅସୁବିଧା ନାହିଁ ।

ସେହିପରି ଚିହ୍ନଟ ଅଞ୍ଚଳରେ ୯ଟି ଗ୍ରାମରେ ଥିବା ୬୦୬ ଏକର ଜମିକୁ ପ୍ରଚଳିତ ଆଇନ ଅନୁସାରେ ଅଧିଗ୍ରହଣ କରାଯାଇଛି । ଏସବୁ ସତ୍ତ୍ୱେ ରାଜ୍ୟ ଆଡ଼ଭୋକେଟ ଜେନେରାଲ ହାଇକୋର୍ଟଙ୍କ ରାୟର ତର୍ଜମା କରୁଛନ୍ତି । ତାହାର ସୁପାରିଶ ଅନୁସାରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧି ଦଳ ନେତା ଭୂପିନ୍ଦର ସିଂହଙ୍କ ନେତୃତ୍ୱରେ ବିରୋଧି ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବେଦାନ୍ତ ବିଶ୍ୱବିଦ୍ୟାଳୟ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ବିଧାନସଭାରେ ଅଚଳାବସ୍ଥା ଜାରି

November 25, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ବୁଧବାର ଦ୍ଵୀତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଆସି ବାଚସ୍ପତି ପ୍ରଦୀପ ଅମାତ ବିରୋଧି କଂଗ୍ରେସ ସଭ୍ୟ ମାନଙ୍କ ବିରୋଧର ସମ୍ମୁଖିନ ହୋଇଥିଲେ ।

ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଉଚ୍ଚ ସ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ । ବେଦାନ୍ତ ପ୍ରସଙ୍ଗରେ ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଚାହୁଁଛି ବୋଲି ସେ କହିଥିବା ବେଳେ ଅନ୍ୟ ବିଧାୟକ ମାନେ ହାତରେ ପ୍ଲାକାର୍ଡ଼ ଧରି ଗୃହର ମଧ୍ୟ ଭାଗକୁ ଆସି ସରକାରୀ ବିରୋଧି ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କଂଗ୍ରେସ ବିଧାୟକମାନେ ମୋ ଓଡ଼ିଶା ପଛେ ନର୍କେ ପଡ଼ିଥାଉ-ବେଦାନ୍ତ ଉଦ୍ଧାର ହେଉ ଲେଖାଥିବା ପ୍ଲାକାର୍ଡ଼ ପ୍ରଦର୍ଶନ କରିବା ସହ ମହାପ୍ରଭୁଙ୍କ ଜମି ଫେରାଇ ଦିଅ-ହାଇକୋର୍ଟ ରାୟ ମାନି ନିଅ ବୋଲି କହିଥିଲେ ।

ଏହାପରେ ମଧ୍ୟ ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା କିନ୍ତୁ ଗୃହ ପରିଚାଳନାରେ ପ୍ରତିବନ୍ଧକ ହେବାରୁ ବାଚସ୍ପତି ମାତ୍ର ୧୨ ମିନିଟ ପରେ ୧୦ଟା ୪୨ମିନିଟରୁ ୧୧ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

ଦ୍ଵିତୀୟ ଥର ଗୃହ ପରିଚାଳନା କରିବାକୁ ଆସିଥିବା ଉପବାଚସ୍ପତି ଲାଲ ବିହାରୀ ହିକିରିକା ଅନୁରୂପ ଅସ୍ୱାଭାବିକ ଅବସ୍ଥାର ସମ୍ମୁଖିନ ହେବାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ।

ତୃତୀୟ ଥର ପାଇଁ ଗୃହ ପରିଚାଳନା ପାଇଁ ବାଚସ୍ପତି ପୁନର୍ବାର ଆସିଥିଲେ । ହଟ୍ଟଗୋଳ ମଧ୍ୟରେ ସେ ଗୃହ ପରିଚାଳନା କରିବାକୁ ଚାହିଁଥିଲେ । ହଟ୍ଟଗୋଳ ମଧ୍ୟରେ ମାତ୍ର ଦୁଇ ମିନିଟ ପରେ ଅପରାହ୍ନ ୩ଟା ୨ ମିନିଟରେ ବାଚସ୍ପତି ଆସନ୍ତାକାଲି ୧୦ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।

ଏହାଦ୍ୱାରା ଆଜିର ଦିନ ତମାମ କାମ ମାତ୍ର ୧୮ ମିନିଟରେ ସୀମିତ ରହିଥିଲା । ତେବେ ବିରୋଧି ବିଜେପି ଏବଂ ସ୍ୱାଧିନ ବିଧାୟକମାନେ ବିକ୍ଷୋଭରେ ସାମିଲ ନହୋଇ ନିଜ ନିଜ ଆସନରେ ବସି ରହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ ବିଧାୟକ, ବିଧାନସଭା, ବେଦାନ୍ତ ବିଶ୍ୱବିଦ୍ୟାଳୟ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ବିଧାନସଭା ଅଚଳ

November 25, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାରେ ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ବିରୋଧି କଂଗ୍ରେସ ଓ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ମଙ୍ଗଳବାର ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ବାଧାପ୍ରାପ୍ତ ହୋଇଛି ।

ଶୂନ୍ୟକାଳ ଆରମ୍ଭରୁ ବିରୋଧି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ଧାରଣା ଦେବା ସହ ପ୍ଲାକାର୍ଡ଼ ପ୍ରଦର୍ଶନ କରିଥିଲେ ।

ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ୧ଟା ୨୯ରୁ ୩ଟା ୨୮ ମି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ପରେ ୧.୩୦ ରୁ ୫ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ହାଇକୋର୍ଟ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାରେ ଯେଉଁ ରାୟ ଦେଇଛନ୍ତି ସେଥିରେ ସରକାରଙ୍କ ସମସ୍ତ ବେଆଇନ କାରବାର ଧରା ପଡ଼ିଯାଇଛି ବୋଲି ପ୍ରଥମେ ବିରୋଧି ଦଳ ନେତା ଭୂପିନ୍ଦର ସିଂହ ଆଲୋଚନା ଆରମ୍ଭ କରି କହିଥିଲେ । ସରକାର ମାନବିକ ଅଧିକାରକୁ ମଧ୍ୟ ଉଲଂଘନ କରିଛନ୍ତି , ଏପରିକି ସମ୍ବିଧାନକୁ ମଧ୍ୟ ଖୋଲାଖୋଲି ଉଲଂଘନ କରିଛନ୍ତି ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦିଅନ୍ତୁ ।

ନୈତିକତା ଦୃଷ୍ଟିରୁ ଆଉ ମୁହୁର୍ତ୍ତେ ପାଇଁ ଶାସନ କ୍ଷମତାରେ ରହିବାର ଅଧିକାର ନାହିଁ ବୋଲି ସେ କହିଥିଲେ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଅନୂରୁପ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସ ସାଂସଦମାନେ ମଙ୍ଗଳବାର ସଂସଦ ସମ୍ମୁଖରେ ଧାରଣା ଦେଇଛନ୍ତି । ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସେମାନେ ପ୍ଲାକାର୍ଡ଼ ଧରି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବିଧାନସଭା, ବେଦାନ୍ତ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ହାଇକୋର୍ଟ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି

November 18, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ନେଇ ହାଇକୋର୍ଟ ଦେଇଥିବା ରାୟକୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ରାଜ୍ୟ କଂଗ୍ରେସ ନିଷ୍ପତ୍ତି ନେଇଛି ।

ଏହି ଐତିହାସିକ ରାୟ ବେଦାନ୍ତ ଓ ମୁଖ୍ୟମନ୍ତ୍ରୀଙ୍କ ଚକ୍ରାନ୍ତକୁ ଧୂଳିସାତ କରିଦେଇଛି । ବିଜେଡ଼ି ଭଳି ଦୁର୍ନୀତିଗ୍ରସ୍ତ ସରକାରଙ୍କ କବଳରୁ ଓଡ଼ିଶାକୁ ରକ୍ଷା କରିବା ପାଇଁ ଦଳ ଆନ୍ଦୋଳନ ଡ଼ାକରା ଦେଇଛି ବୋଲି ଗୁରୁବାର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ବିଜେଡ଼ି, ବେଦାନ୍ତ ବିଶ୍ୱବିଦ୍ୟାଳୟ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜନୀତି, ହାଇକୋର୍ଟ

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ବ୍ୟାକୁଳତା କାହିଁକି?

August 9, 2009 by ଓଡିଶା ଡଟ କମ

ପ୍ରଶାନ୍ତ ପଟ୍ଟନାୟକ

ଅଳ୍ପଦିନ ତଳେ “ଧରିତ୍ରୀ” ସମ୍ବାପତ୍ରରେ ବରିଷ୍ଠ ସାମ୍ବାଦିକ ବନ୍ଧୁ ବରେନ୍ଦ୍ର କୃଷ୍ଣ ଧଳଙ୍କ ଲିଖିତ “ସବୁ ମେଣ୍ଢା ବିକ୍ରୀ ହୋଇଗଲେ” ଶୀର୍ଷକ ଲେଖା ପଢ଼ିବା ପରେ ଜନୈକ ପାଠକ ଫୋନ୍ କରି ଏହି ସାମ୍ବାଦିକଙ୍କୁ ପ୍ରଶ୍ନକଲେ, “ବେଦାନ୍ତ ବିଶ୍ୱବିଦ୍ୟାଳୟ” ସମ୍ପର୍କରେ ଆପଣଙ୍କ କଲମ ନୀରବ କାହିଁକି?

ବେଦାନ୍ତର ସଉଦା ମୁଣିରେ ଆପଣ ପଡିଗଲେ ନା କ’ଣ? ବହୁ ସାମ୍ବାଦିକ ଓ ସମ୍ପାଦକ ବେଦାନ୍ତ ବିଶ୍ୱବିଦ୍ୟାଳୟ ତରଫରୁ ଓକିଲାତି କରୁଥିବା ଆମେ ପଢ଼ୁଛୁ । ହେଲେ ଆପଣଙ୍କ ଠାରୁ ଆମେ ସେଭଳି କିଛି ଆଶା କରୁନଥିଲୁ ।

ପାଠକ ବନ୍ଧୁଙ୍କୁ ମୋ ତରଫରୁ କୌଣସି ସଫେଇ ଦେବାର ଅବକାଶ ନଥିଲା । କେବଳ କହିଥିଲି “ଆପଣ ମୋ ଭଳି ସାମ୍ବାଦିକ ମାନଙ୍କ ସମ୍ପର୍କରେ କୌଣସି ସିଦ୍ଧାନ୍ତରେ ଏତେ ଶୀଘ୍ର ପହଞ୍ଚିବା ବୋଧେ ଉଚିତ୍ ହେବନି” ।

ଏହି ଘଟଣା ପରେ ରାକ୍ଷୀ ପୂର୍ଣ୍ଣିମାଦିନ ସାମ୍ବାଦିକ ବନ୍ଧୁ ରବି ଦାସଙ୍କ ପତ୍ନୀଙ୍କ ଶ୍ରାଦ୍ଧଦିିବସରେ ଯୋଗଦେବା ଅବସରରେ, ସଂପ୍ରତି ସମୃଦ୍ଧ ଓଡିଶା ଦଳର ଅନ୍ୟତମ ତୁଙ୍ଗନେତା ତଥା ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ପରିଷଦରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଥିବା ପଞ୍ଚାନନ କାନୁନ୍ଗୋ ଶ୍ରୀ ଧଳଙ୍କ ଲେଖା ଉପରେ ମନ୍ତବ୍ୟ ରେ କହିଥିଲେ ,ଏଭଳି ଲେଖାଯୋଗୁଁ ବିଧାନସଭାର ସ୍ୱାଧୀକାର ଭଙ୍ଗ ହୋଇଛି ।

ତେଣୁ ତାଙ୍କ ବିରୁଦ୍ଧରେ ଓ “ଧରିତ୍ରୀ” ର ସମ୍ପାଦକକଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆସିବା ନିଶ୍ଚିତ ଓ ସେମାନେ ଏଥିରୁ ତ୍ରାହି ପାଇବା ଅସମ୍ଭବ ।

ମୁଁ କହିଥିଲି, “ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ ଯେଉଁଭଳି ପରିସ୍ଥିତିରେ ବିଧାନସଭାରେ ଗୃହୀତ ହେଲା, ତାକୁ ନେଇ ସାଧାରଣରେ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଉଛି ସେହି ପ୍ରତିକ୍ରିୟାର ଯଥାର୍ଥତା ପ୍ରମାଣ କରିବା ପାଇଁ ବରେନ୍ଦ୍ର ବାବୁଏଭଳି ଏକ ଲେଖା ଲେଖିଥିବାର ସାହସ କରିଥିବାରୁ ଓଡିଶାବାସୀ ତାଙ୍କୁ ଧନ୍ୟବାଦ ଜଣାଇବାର ଆବଶ୍ୟକତା ରହିଛି” ।

କାନୁନ୍ଗୋ ଅଥବା ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ଏ ସଂକ୍ରାନ୍ତୀୟ ଆଲୋଚନା ଆଉ ଆଗକୁ ବଢ଼ାଇ ନଥିଲେ ।

ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ ଗୃହୀତ ହେବା ଏବଂ ତା’ ପୂର୍ବରୁ ଏହି ସଂସ୍ଥାର ପ୍ରତିଷ୍ଠାତା ଅନୀଲ୍ ଅଗ୍ରୱାଲ ଫାଉଣ୍ଡେସନ୍ କୁ ୬ ହଜାର ଏକର ବହୁମୂଲ୍ୟ ଜମି ଦେବା ଲାଗି ରାଜ୍ୟ ସରକାରଙ୍କର ବ୍ୟାକୁଳ, ଚଞ୍ଚଳ ପଦକ୍ଷେପ ଯେ କେବଳ ଓଡିଶାରେ ନୁହେଁ ସମଗ୍ର ଭାରତରେ ତଥା ବିଶ୍ୱରେ ଏକ ବିବାଦମାନ ବିଷୟ ଏଥିରେ ସନ୍ଦେହ ନାହିଁ ।

ସପକ୍ଷରେ ଯୁକ୍ତି ବାଢ଼ି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦା ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦାାଳୟ ପ୍ରତିଷ୍ଠାର ଆଭିମୁଖ୍ୟ ନେଇ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ମାତ୍ର ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟର ସଜ୍ଞା କ’ଣ ତାହା ଉଚ୍ଚଶିକ୍ଷା ମନ୍ତ୍ରୀ, ସରକାରୀ ଦଳର ତୁଙ୍ଗ ଅମଲାତନ୍ତ୍ରର କର୍ଣ୍ଣଧାରମାନେ ଅଥବା ସ୍ୱୟଂ ମୁଖ୍ୟମନ୍ତ୍ରୀ ବ୍ୟାଖ୍ୟା କରିନାହାନ୍ତି ।

ଏହି ବିଶ୍ୱବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଅନୀଲ୍ ଅଗ୍ରୱାଲ ଜଣେ ଲାଭଖୋର ବ୍ୟବସାୟୀ । ଶିକ୍ଷାର ବିକାଶ ଲାଗି ସେ କେବେ ହେଲେ କୌଣସି ପକ୍ଷେପ ନେଇନାହାଁନ୍ତି ।

ଏପରିକି ଉଚ୍ଚମାନର ଶିକ୍ଷାଦାନ ଲାଗି ଗୋଟିଏ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିନାହାଁନ୍ତି । ସେ ପ୍ରତିଷ୍ଠା କରୁଥିବା ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରୀୟ କରିପାରିବ ଏହା ରାଜ୍ୟ ସରକାରଙ୍କର ହୃ୍ଦବୋଧ ହେଲା କିପରି?

ଯେଉଁ ବିଶ୍ୱବିଦ୍ୟାଳୟର ନାମଗନ୍ଧ ସୁଦ୍ଧା ନାହିଁ, ସେହି ବିଶ୍ୱବିଦ୍ୟାଳୟ ସହ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ୱାକ୍ଷର କରିବା ଏବଂ ତାକୁ ଜଗନ୍ନାଥ “ଅମୃତ ମଣୋହି” ଜମି ସମେତ ୬ ହଜାର ଏକର ପରିମିତ ଜମି ଦେବା ରାଜ୍ୟ ତଥା ଦେଶବାସୀଙ୍କ ଚରମ ବିଶ୍ୱାସଘାତକତା ଏବଂ ଅପରାଧାତ୍ମକ ଷଡଯନ୍ତ୍ରର ପରିଣାମ ବୋଲି କେତେକ ଅଭିଯୋଗ କରିବା ସ୍ୱଭାବିକ ।

ଏଭଳି ପରିସ୍ଥିତିରେ କେଉଁ କେଉଁ ନିର୍ଦ୍ଧିଷ୍ଟ କାରଣ ଓ ଅଭିଜ୍ଞତାକୁ ବିଚାରକୁ ନେଇ ରାଜ୍ୟ ସରକାର ବେଦାନ୍ତ ଏକ “ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ” ସ୍ଥାପନ କରିପାରିବ ବୋଲି ହୃଦୟଙ୍ଗମ କରିଛନ୍ତି ତାହା ରାଜ୍ୟବାସୀ ତଥା ଦେଶବାସୀଙ୍କ ଅବଗତି ନିମନ୍ତେ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଆଗେଇ ଆସିବା ଏକାନ୍ତ ଆବଶ୍ୟକ ।

ରାଜ୍ୟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର କେବେ ଚିନ୍ତା କଲେ? ଅନୀଲ ଅଗ୍ରୱାଲା ଏଭଳି ଏକ ପ୍ରସ୍ତାବ ଦେବା ପରେ ବା ପୂର୍ବରୁ ତାହା ମଧ୍ୟ ସରକାର ସ୍ପଷ୍ଟ କରିବା ଉଚିତ ।

ବାସ୍ତବରେ ରାଜ୍ୟର ଛାତ୍ର, ଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଶିକ୍ଷାାଦାନର ସୁଯୋଗ ଦେବାଲାଗି ରାଜ୍ୟ ସରକାର ଯଦି ଆଗ୍ରହୀ ଥିଲେ ତେବେ ପ୍ରଥମେ ସେ ବିଶ୍ୱସ୍ତରୀୟ ସମ୍ବାଦପତ୍ର ମାନଙ୍କରେ ବିଜ୍ଞାପନ ଦେଇ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନଙ୍କ ଠାରୁ ଏକ୍ସପ୍ରେସନ ଅଫ୍ ଇନ୍ଟ୍ରେଷ୍ଟ ଆହ୍ୱାନ କରିଥାଆନ୍ତେ ।

କେଉଁ କେଉଁ ସର୍ତରେ ଏଭଳି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ସରକାର ଇଚ୍ଛୁକ ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଥାଆନ୍ତା ।

ତାହା ହୋଇଥିଲେ ଉନ୍ନତସ୍ତର ଶିକ୍ଷାଦାନ ଲାଗି ବିଶ୍ୱସ୍ତରରେ ସୁପ୍ରତିଷ୍ଠିତ ଅକ୍ସଫୋର୍ଡ, ହାଭାର୍ଡ, କଲମ୍ବିଆ ଭଳି ବିଶ୍ୱବିଦାାଳୟମାନେ ହୁଏତ ଓଡିଶାରେ ସେମାନଙ୍କ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଆଗ୍ରହ ପ୍ରକାଶ କରି ପ୍ରସ୍ତାବ ଦେଇଥାଆନ୍ତେ ।

ସେଥିମଧ୍ୟରୁ ଯେଉଁ ପ୍ରସ୍ତାବଟି ସବୁଠାରୁ ଆକର୍ଷଣୀୟ ହୋଇଥାଆନ୍ତା ତା’କୁ ରାଜ୍ୟ ସରକାର ଗ୍ରହଣ କରି ଏଥିପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ ଏଭଳି ପଦକ୍ଷେପକୁ କେବଳ ରାଜ୍ୟବାସୀ ନୁହଁନ୍ତି, ଦେଶବାସୀ ମଧ୍ୟ ସ୍ୱାଗତ କରିଥାଆନ୍ତେ ।

ଅଧିକନ୍ତୁ ହାଭାର୍ଡ, ଅକ୍ସଫୋର୍ଡଠାରୁ ଆରମ୍ଭ କରି କୌଣସି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପାଇଁ ଦୁଇ ହଜାର ଏକରରୁ ଅଧିକ ଜମି, ଆବଶ୍ୟକ ପଡ଼ିନଥିବା ସ୍ଥଳେ, ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ପୁରୀ ଜିଲ୍ଲାର ସୁନାଖଣି ଓ ଭାତହାଣ୍ଡି ଭାବରେ ପରିଚିତ ୬ ହଜାର ଏକର ଜମି ବେଦାନ୍ତକୁ ଯୋଗାଇ ଦିଆଯିବାର ଆବଶ୍ୟକତା ବା ଯଥାର୍ଥତା ସମ୍ପର୍କରେ ବେଦାନ୍ତ ଓ ରାଜ୍ୟ ସରକାର ଅଦ୍ୟାବଧି କୌଣସି ଯଥାର୍ଥ ଉତ୍ତର ଦେଇ ପାରିନାହାଁନ୍ତି ।

ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବି ମାନଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଯେଉଁ ସ୍ଥାନରେ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ଜମି ଯୋଗାଇବା ଲାଗି ଚକ୍ରାନ୍ତ ଚାଲିଛି ତାହା ଦେଶର ପ୍ରତିରକ୍ଷା ଦୃଷ୍ଟିରୁ କେତେ ନିରାପଦ ତାହା ମଧ୍ୟ ବିଚାର୍ଯ୍ୟ ।

କାରଣ ଏଭଳି ଏକ ସ୍ପର୍ଶକାତର ସ୍ଥାନରେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲେ ଏଠାରେ ବିଦେଶୀ ଗୋଇନ୍ଦା କାର୍ଯ୍ୟକଳାପ ବଢ଼ିବାର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ ।

ଏହି କାରଣରୁ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମହର୍ଷି ମହେଶ ଯୋଗୀଙ୍କ ଦ୍ୱାରା କୋଣାର୍କ ପୁରୀ ବେଳାଭୂମିରେ ପାଞ୍ଚ ଶହ ଏକର ପରିମିତି ଜମି ଉପରେ ଏକ ଅର୍ନ୍ତରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ସେତେବେଳେ ଗଙ୍ଗାଧର ମହାପାତ୍ର ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ଏବଂ ମହର୍ଷିଙ୍କ ପରମ ଭକ୍ତ ଭାବରେ ପରିଚିତ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ଉଦ୍ୟମକ୍ରମେ ଏଭଳି ଏକ ବିଶ୍ୱବିଦାଳୟ ପ୍ରତିଷ୍ଠା ଲାଗି ଗଙ୍ଗାଧର ମହାପାତ୍ର ଉତ୍ସାହିତ ହୋଇଥିଲେ । ଏ ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର ଏବେ ମଧ୍ୟ ସଚିବାଳୟରେ ଗଚ୍ଛିତ ଥିବ ।

କେଉଁ କାରଣରୁ ନନ୍ଦିନୀ ଦେବୀଙ୍କ ଭଳି ଜଣେ ବିଚକ୍ଷଣା ଓ ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ତାହା ସାମ୍ପ୍ରତିକ ସରକାର ଅନୁଧ୍ୟାନ କରିଛନ୍ତି କି ?

ଚର୍ଚ୍ଚ ଅଫ୍ ଇଂଲଣ୍ଡ ଅନୀଲ ଅଗ୍ରୱାଲଙ୍କ ଶିଳ୍ପ ସାମ୍ରାଜ୍ୟର ପ୍ରଭାବଶାଳୀ ଅଂଶୀଦାର ।

ଏହି ସଂସ୍ଥାର ପ୍ରଭାବରେ ହେଉ ଅଥବା ଏହାର ପ୍ରମୁଖ ବ୍ୟକ୍ତିମାନଙ୍କୁ ଖୁସି କରାଇବା ଲାଗି ହିନ୍ଦୁ ଧର୍ମର ସବୁଠାରୁ ଶକ୍ତ ଭିତ୍ତିଭୂମି ଥିବା ପୁରୀ କୋଣାର୍କ ବେଳାଭୂମିକୁ ଦଖଲ କରି ଚର୍ଚ୍ଚର ପ୍ରଭାବ ବିସ୍ତାର କରିବା ଲାଗି ଏହା ଏକ ପ୍ରଚ୍ଛନ୍ନ ଷଡଯନ୍ତ୍ର ବୋଲି ଯେଉଁ ଅଭିଯୋଗ ହେଉଛି, ଏହା ପଛରେ ଥିବା ସତ୍ୟତା ରାଜ୍ୟ ସରକାର ଅନୁଧ୍ୟାନ କରିଛନ୍ତି କି? ଯଦି କରିଛନ୍ତି ତେବେ ଏ ସମ୍ପର୍କୀୟ ତଥ୍ୟ ସର୍ବସାଧାରଣରେ ଉପସ୍ଥାପନ କରାଯିବା ଏକାନ୍ତ ଅପରିହାର୍ଯ୍ୟ ।

କେତେକ ବୈଜ୍ଞାନିକମାନଙ୍କର ସନ୍ଦେହ ଯେ, ଗୋପାଳପୁର ବେଳାଭୂମି ଭଳି ପୁରୀ-କୋଣାର୍କ ବେଳାଭୂମିରେ ପରମାଣୁ ଶକ୍ତି ସମ୍ପନ୍ନ ବିରଳ ମୂର୍ତିକା ଗଚ୍ଛିତ ଅଛି ।

ଏହି ଅଞ୍ଚଳକୁ ନିଜର ସାମ୍ରାଜ୍ୟର ଅର୍ନ୍ତଭୁକ୍ତ କରିବା ପରେ ବେଦାନ୍ତ କତୃପକ୍ଷ ଏହି ବିରଳ ମୂର୍ତିକାର ଅପବ୍ୟବହାର କରିବାର ସମ୍ଭାବନାକୁ ଏଡାଇ ଦେଇ ହେବ କି? ଏ ସମ୍ପର୍କରେ ରାଜ୍ୟ ସରକାର ଦୃଢ଼ ପ୍ରତିଶ୍ରୁତି ଦେଇପାରିବେ କି?

ଏହି ତଥାକଥିତ ବିଶ୍ୱସ୍ତରୀୟ ବିଶ୍ୱବଦ୍ୟାଳୟରେ ଓଡିଶାର ଛାତ୍ରଛାତ୍ରୀ ଅଥବା ବାସଚ୍ୟୁତ ମାନଙ୍କ ସନ୍ତାନ ସନ୍ତତିଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ନାହିଁ ।

ତେଣୁ ଓଡିଆ ମାଟିରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ବାହାର ରାଷ୍ଟ୍ରର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କଲେ ଓଡିଶାବାସୀ ଓ ରାଜ୍ୟ ସରକାର କିଭଳି ଉପକୃତ ହେବେ ତାହା ମଧ୍ୟ ବିଚାର୍ଯ୍ୟ ।

ଏ ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଓଡିଶାରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ନଥିବା ଯୋଗୁଁ ରାଜ୍ୟର ବା ରାଜ୍ୟବାସୀଙ୍କର କିଛି କ୍ଷତି ହୋଇଛି କି?

ତେଣୁ ଏଭଳି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦ୍ଵାରା ଯଦି ରାଜ୍ୟ ବା ରାଜ୍ୟବାସୀଙ୍କର କିଛି ଲାଭ ନହୁଏ ତେବେ ଏହି ବିଶ୍ୱବିଦ୍ୟାଳୟ ପାଇଁ ୬ ହଜାର ଏକର ପରିମିତ ଜମି ଦେଇ ରାଜ୍ୟ, ଦେଶ ତଥା ଆମର ଧର୍ମ ଓ ସଂସ୍କୃତି ପ୍ରତି ବିପଦକୁ ନିମନ୍ତ୍ରଣ କରିବା କେତେ ଦୂର ଯଥାର୍ଥ ହେବ ତାହା ଓଡିଶାର ଜନସାଧାରଣ ବିଚାର କରି ଏହି ପ୍ରକଳ୍ପକୁ ସମର୍ଥନ ବା ବିରୋଧ କରିବେ ତାହା ସ୍ଥିର କରନ୍ତୁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆସ୍କା, ତୃତୀୟ ନୟନ, ବେଦାନ୍ତ ବିଶ୍ୱବିଦ୍ୟାଳୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ