• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭୁବନେଶ୍ୱର

ପରୀକ୍ଷା ପ୍ରଶ୍ନ ନମୁନା ପ୍ରକାଶନରେ ବିଳମ୍ବ ଯୋଗୁଁ ଉଦବେଗ

November 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଇଣ୍ଡିଆନ୍ ମେଡ଼ିକାଲ କାଉନ୍ସିଲ ପକ୍ଷରୁ ଆଗାମୀ ବର୍ଷ ପ୍ରାରମ୍ଭରେ ଜାତୀୟ ସ୍ତରରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପରୀକ୍ଷାର ନମୁନା ପ୍ରଶ୍ନ ପ୍ରକାଶ ପାଇନଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇଛି ।

ଏହି ମର୍ମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଏକ ପତ୍ରରେ କୁହାଯାଇଛି ଯେ ଇଣ୍ଡିଆନ୍ ମେଡ଼ିକାଲ କାଉନ୍ସିଲର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଚଳିତ ନଭେମ୍ବର ଦ୍ଵୀତୀୟ ସପ୍ତାହ ସୁଦ୍ଧା ସମ୍ଭାବ୍ୟ ପ୍ରଶ୍ନ ପତ୍ରର ନମୁନା ପ୍ରକାଶ ପାଇବା କଥା, ମାତ୍ର ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ ।

ଅପରପକ୍ଷରେ ସେହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ହେବାକୁ ଆଉ ୪/୫ମାସ ବାକି ରହିଛି । ପ୍ରଶ୍ନପତ୍ରର ନମୁନା ବ୍ୟତୀତ ଏପର୍ଯ୍ୟନ୍ତ ସେହି ପରୀକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କ’ଣ ହେବ ତାହା ମଧ୍ୟ ନିର୍ଦ୍ଧାରଣ ହୋଇନାହିଁ ।

ପ୍ରବେଶିକା ଏବଂ ନାମଲେଖା ନିମନ୍ତେ ବୟସସୀମା କେତେ ହେବ ତାହା ମଧ୍ୟ ନିର୍ଦ୍ଧାରଣ ହୋଇନାହିଁ । ଯେଉଁଥିପାଇଁ ଆଶାୟୀ ଯୁବକ ଯୁବତୀଙ୍କ ମଧ୍ୟରେ ଏକ ଆଶଙ୍କାର ବାତାବରଣ ଲାଗିରହିଛି ।

ତେଣୁ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇନାହିଁ ବୋଲି ଦର୍ଶାଯାଇଛି । ଏହାଦ୍ୱାରା ଗ୍ରାମାଞ୍ଚଳର ଯୁବକ ଓ ଯୁବତୀମାନେ ବହୁଳ ଭାବେ କ୍ଷତିଗ୍ରସ୍ତ ହେବେ ବୋଲି ମଧ୍ୟ ଦର୍ଶାଯାଇଛି ।

ଉକ୍ତ ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ମାଧ୍ୟମରେ ଭାରତୀୟ ମେଡ଼ିକାଲ କାଉନ୍ସିଲଙ୍କ ପରାମର୍ଶ ଦିଆଯାଇ ଲେଖାଯାଇଛି ଯେ, ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଏବଂ ସଂରକ୍ଷଣ ବ୍ୟବସ୍ଥା ସଂପର୍କରେ ପ୍ରତ୍ୟେକ ରାଜ୍ୟକୁ ବହୁଆଗରୁ ଜଣାଇଦେବା ଉଚିତ୍ ।

ଓଡ଼ିଶା କ୍ଷେତ୍ରରେ ଉଦ୍ଧିଷ୍ଟ ସିଟ୍ ସଂଖ୍ୟା ହେଉଛି ମୋଟ ସିଟ୍ ସଂଖ୍ୟାର ୮୫ପ୍ରତିଶତ । ବାକି ୧୫ପ୍ରତିଶତରେ ଅନ୍ୟ ରାଜ୍ୟର ଯୁବକ ଯୁବତୀଙ୍କୁ ଦିଆଯିବାରେ କିଛି ଅସୁବିଧା ତଥା ଅଭିଯୋଗ ରହିବ ନାହିଁ ।

ସାମଗ୍ରିକ ଭାବେ କହିବାକୁ ଗଲେ ସର୍ବଭାରତୀୟ ପରୀକ୍ଷା ହେଲେ ବି ଓଡ଼ିଶାର ଯୁବକ ଯୁବତୀମାନଙ୍କ ପାଇଁ ରାଜ୍ୟର ୮୫ପ୍ରତିଶତ ସିଟ୍ ସଂରକ୍ଷିତ ରହୁ ଏବଂ ବାକି ୧୫ ପ୍ରତିଶତରେ ଅନ୍ୟାନ୍ୟ ରାଜ୍ୟ ତଥା ଦେଶର ପିଲାମାନେ ନାମ ଲେଖାଇ ପାରନ୍ତି ବୋଲି ଦର୍ଶାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇଣ୍ଡିଆନ୍ ମେଡ଼ିକାଲ କାଉନ୍ସିଲ, ପରୀକ୍ଷା, ଭୁବନେଶ୍ୱର, ମୁଖ୍ୟ ଖବର

ବାଣିଜ୍ୟିକ ସଂପର୍କ ସ୍ଥାପନ ପାଇଁ ‘ୱାସିଟ୍ରାକ୍’ର ଆଲୋଚନା

November 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସହିତ ବାଣିଜ୍ୟିକ ସଂପର୍କ ପ୍ରତିଷ୍ଠା ପାଇଁ ଆମେରିକାର ୱାଶିଂଟନ ବାଣିଜ୍ୟ ପ୍ରତିନିଧି ଦଳ ‘ୱାସିଟ୍ରାକ୍’(ୱାଶିଂଟନ୍ ଷ୍ଟେଟ୍ ଇଣ୍ଡିଆ ଟ୍ରେଡ୍ ରିଲେସନ୍ସ୍ ଆକ୍ସନ୍ କମିଟି) ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ।

ବାଣିଜ୍ୟିକ ସୁଯୋଗ ଦୃଷ୍ଟିରୁ ଓଡ଼ିଶା ସହିତ ଅଧିକ ସଂପର୍କ ସ୍ଥାପନ ପାଇଁ ଆମେରିକରା କଂଗ୍ରେସ ସଦସ୍ୟ ଜିମ୍ ମ୍ୟାକଡରମଟ୍ ଏବଂ ୱାଶିଂଟନ୍ ଲେଫ୍ଟ୍ମେଣ୍ଟ ଗଭର୍ନର ବ୍ରାଡ୍ ଓଏନ୍ଙ୍କ ନେତୃତ୍ୱରେ ୧୩ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଷ୍ଟିଲ୍, ଆଲୁମିନିୟମ୍ ଓ ବିୁ୍ଦ୍ୟୁତ କ୍ଷେତ୍ରରେ ରାଜ୍ୟରେ ବହୁତ ଶିଳ୍ପ ପ୍ରତିଷ୍ଠା କରାଯାଉଛି ।

ପ୍ରଯୁକ୍ତି ବିଦ୍ୟା ଶିକ୍ଷା କ୍ଷେତ୍ରରେ ମଧ୍ୟ ଓଡ଼ିଶାରେ ବହୁତ ବିକାଶ ହୋଇଛି ବୋଲି ସେମାନଙ୍କୁ ସୂଚନା ଦିଆଯାଇଥିଲା । ପ୍ରତିନିଧି ଦଳର ସଦସ୍ୟମାନେ ଓଡ଼ିଶାର ବିକାଶରେ ସନ୍ତୋଷ ପ୍ରକାଶ କରି ଉଭୟ ରାଜ୍ୟ ମଧ୍ୟରେ ବାଣିଜ୍ୟିକ ସଂପର୍କ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ପ୍ରକାଶ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆମେରିକା, ବାଣିଜ୍ୟିକ ସଂପର୍କ, ଭୁବନେଶ୍ୱର, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ତରୁଣକାନ୍ତି ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର

November 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଅବସରପ୍ରାପ୍ତ ପ୍ରଶାସକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ହେବେ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ତିନି ଜଣିଆ କମିଟିରେ ମିଶ୍ରଙ୍କୁ ମନୋନୀତ କରାଯାଇଛି ।

କମିଟିର ଅନ୍ୟଦୁଇ ଜଣ ସଦସ୍ୟ ହେଲେ ବିରୋଧିଳ ନେତା ଭୂପିନ୍ଦର ସିଂହ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ରଘୁନାଥ ମହାନ୍ତି । ଏହି ମର୍ଯ୍ୟଦାଜନକ ତଥା ସାମ୍ବିଧାନିକ ପଦବୀ ନିମନ୍ତେ ଗୋଟିଏ ମାତ୍ର ନାମ ଆସିଥିଲା ।

କିଛି ସମୟର ଆଲୋଚନା ପରେ ବିନା ବିରୋଧରେ ମିଶ୍ର ମନୋନୀତ ହୋଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମହାନ୍ତି ସାମ୍ବାଦିକ ମାନଙ୍କୁ କହିଥିଲେ । ଏହି ପଦବୀରେ ଥିବା ଧିରେନ୍ଦ୍ର ନାଥ ପାଢୀଙ୍କ କାର୍ଯ୍ୟକାଳ ଚଳିତ ମାସ ୧୯ତାରିଖରେ ସମାପ୍ତ ହେଉଥିବାରୁ ସେହି ଦିନ ନୂତନ ମୁଖ୍ୟ ସୂଚନା କମିଶନର ଭାବେ ମିଶ୍ର ଦାୟିତ୍ୱ ଗ୍ରହଣ କରିବେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କମିଟ, ଭୁବନେଶ୍ୱର, ମୁଖ୍ୟ ଖବର, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ବିକ୍ଷୋଭ

November 14, 2010 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗ କରି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ବୁଧବାର ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଯୁବମୋର୍ଚ୍ଚାର ଶତାଧିକ କର୍ମୀ ଦଳୀୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଶ୍ରୀୟାଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ପୁରୀ ଜିଲ୍ଲାରେ ବେଦାନ୍ତ ପକ୍ଷରୁ ପ୍ରସ୍ତାବିତ ବିଶ୍ୱ ବିଦ୍ୟାଳୟ ପାଇଁ କରାଯାଇଥିବା ଜମି ଅଧିଗ୍ରହଣ ବେଆଇନ ଓ ବୈଧ ନୁହେଁ ବୋଲି ହାଇକୋର୍ଟ ରାୟ ଦେବା ପରେ ବିଭିନ୍ନ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବେଦାନ୍ତ, ଭୁବନେଶ୍ୱର, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଆଇଟା ଟ୍ୟାଲେଣ୍ଟ ସିରିଜରେ ଓଡ଼ିଆ ଝିଅ ଅଭୀପ୍ସା ଚମ୍ପିଆନ

November 14, 2010 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ୧୪ ଓ ୧୬ ବର୍ଷରୁ କମ୍ ଅଲ୍ ଇଣ୍ଡିଆ ଟେନିସ ଆସୋସିଏସନ୍(ଆଇଟା) ଟ୍ୟାଲେଣ୍ଟ ସିରିଜରେ ଓଡ଼ିଆ ଝିଅ ଅଭୀପ୍ସା ରଥ ଚମ୍ପିଆନ ହୋଇଛନ୍ତି ।

କର୍ଣ୍ଣାଟକ ପକ୍ଷରୁ ଖେଳୁଥିବା ଅଭୀପ୍ସା ବାଳିକା ବିଭାଗର ଦୁଇଟି ଫାଇନାଲରେ ୧୪ ବର୍ଷରୁ କମ୍ ସିଙ୍ଗଲ୍ସରେ ସୂର୍ଯ୍ୟାନାରାୟଣଙ୍କୁ ୬-୨, ୬-୪ ଏବଂ ୧୬ ବର୍ଷରୁ କମ୍ ଫାଇନାଲରେ ତାମିଲନାଡ଼ୁର ଜିଏସ୍ ବାସବୀଙ୍କୁ ୭-୫,୨-୬,୬-୨ ସେଟ୍ ରେ ପରାସ୍ତ କରି ଉଭୟ ଟାଇଟଲ ଜିତିଛନ୍ତି ।

ସିରିଜ ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ପୋଲିସ ମହାନିଦେ୍ର୍ଧଶକ ମନମୋହନ ପ୍ରହରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ ।

ବେଙ୍ଗାଲୁରୁ ମାଲେଶ୍ୱରମ୍ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଅଭୀପ୍ସା ହେଉଛନ୍ତି ନାବାର୍ଡ଼ ଯାଜପୁର ଶାଖାର ଉପ ମହାପ୍ରବନ୍ଧକ ଆଦିତ୍ୟ ବିକ୍ରମ ରଥ ଓ ଅତସୀ ରଥଙ୍କ କନିଷ୍ଠା କନ୍ୟା ।

ତାଙ୍କ ବଡ଼ ଭଉଣୀ ଅନନ୍ୟା ବର୍ତ୍ତମାନ ଇଂଜିନିୟରିଂ ପଢୁଛନ୍ତି । ଅଭୀପ୍ସାଙ୍କ ଜେଜେବାପା ବାଣପୁର ନିବାସୀ ସ୍ୱର୍ଗତ ଗଣେଶ୍ୱର ରଥ ଓ ଜେଜେମା ଶାନ୍ତିଲତା ରଥ ଓ ଅଜା ନିମାପଡ଼ା ନିବାସୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ଆଈ ସ୍ୱର୍ଗତା ଇନ୍ଦୁପ୍ରଭା ତ୍ରିପାଠୀ ।

ଆମିଷ ଖାଦ୍ୟ ଖାଇବାକୁ ଭଲ ପାଉଥିବା ଅଭୀପ୍ସା ଦୀର୍ଘ ପାଞ୍ଚ ବର୍ଷ ହେଲା ଦୈନିକ ସକାଳେ ଓ ସଂଧ୍ୟାରେ ଚାରିଘଣ୍ଟା ବେଙ୍ଗାଲୁରୁ ସ୍ଥିତ ଟେନିସ ଆଡ଼୍ଭେନ୍ଟେଜ୍ କେନ୍ଦ୍ରରେ କୋଚ୍ ପିଟର ବିଜୟ କୁମାରଙ୍କ ତତ୍ୱାବଧାନରେ ଖେଳ ଜାରି ରଖିଛନ୍ତି । ଟେନିସ୍ ଖେଳିବା ସହ ବଗିଚା କାମ କରିବା ଓ ଗୀତ ଶୁଣିବାରେ ତାଙ୍କର ଋଚି ରହିଛି ।

“ଅଭୀପ୍ସା କେବଳ ଆମ ପାଇଁ ନୁହେଁ ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି” ଅଜା କୃଷ୍ଣଚନ୍ଦ୍ର ତ୍ରିପାଠୀ କହିଛନ୍ତି । ଭବିଷ୍ୟତରେ ଜଣେ ଭଲ ଟେନିସ୍ ଖେଳାଳି ହେବାକୁ ଅଭୀପ୍ସା ଲକ୍ଷ୍ୟ ରଖିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଟେନିସ୍ ଖେଳାଳି, ଭୁବନେଶ୍ୱର, ମୁଖ୍ୟ ଖବର

କାନାଡ଼ାରେ ସୁଦର୍ଶନଙ୍କ କଳାକୃତିକୁ ପୁରସ୍କାର

November 14, 2010 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ସେପ୍ଟେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) କାନାଡ଼ାରେ ଅନୁଷ୍ଠିତ ସିଏନ୍ଇ ପ୍ରଥମ ଅର୍ନ୍ତଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଓଡ଼ିଶାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତିକୁ “ପିପୁଲ ଚଏସ୍ ପୁରସ୍କାର” ମିଳିଛି ।

ଟରଣ୍ଟୋ ସହରରେ ଅଗଷ୍ଟ ୨୦ରୁ ୨୫ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ପ୍ରତ୍ୟେକ ପ୍ରତିଯୋଗୀ ପାଞ୍ଚଦିନ ଧରି ଦଶ ଟନ୍ ବାଲିରେ କଳାକୃତି ତିଆରି କରିଥିଲେ ।

ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭାରତ ସମେତ ରୁଷିଆ, ନେଦରଲ୍ୟାଣ୍ଡ, କାନାଡ଼ା, ଯୁକ୍ତରାଷ୍ଟ୍ର ଆମେରିକା ଓ ସିଙ୍ଗାପୁରର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ ।

ପ୍ରଥମ ଥର ପାଇଁ କାନାଡ଼ାରେ ପିପୁଲ ଚଏସ୍ ପୁରସ୍କାର ପାଇଥିବାରୁ ମୁଁ ବହୁତ ଖୁସି । “ଗୋ ଗ୍ରୀନ” ବାର୍ତ୍ତା ଦେଇ ମୁଁ ଆଠ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଷଙ୍କ ଏକ ବାଲୁକା ପ୍ରତିମୂର୍ତ୍ତୀ ନିର୍ମାଣ କରିଥିଲି, ସୁଦର୍ଶନ କହିଛନ୍ତି ।

ଅଧିକ ଭୋଟ୍ ପାଇ ମୋ ଦ୍ଵାରା ପ୍ରସ୍ତୁତ କଳାକୃତି ଏହି ପୁରସ୍କାର ପାଇଥିବା ଆୟୋଜକ କମିଟି ବୁଧବାର ଇ-ମେଲ ଜରିଆରେ ମତେ ଜଣାଇଛନ୍ତି, ସେ କହିଛନ୍ତି ।

ସୁଦର୍ଶନ ପୂର୍ବରୁ ଜର୍ମାନୀରେ ପାଞ୍ଚଥର ଏହି ପୁରସ୍କାର ପାଇ ରେକର୍ଡ଼ କରିଥିବା ବେଳେ ବର୍ଲିନ, ମସ୍କୋରେ ମଧ୍ୟ ଏହି ପୁରସ୍କାର ପାଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଭୁବନେଶ୍ୱର, ମୁଖ୍ୟ ଖବର

କେନ୍ଦ୍ରୀୟ ଉଦ୍ୟୋଗ ଯୋଗୁଁ ରାଜ୍ୟ ରାଜକୋଷ ସମୃଦ୍ଧ

November 14, 2010 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବିଭିନ୍ନ କର ବାବଦରେ ଯେତିକି ଟିକସ ସଂଗୃହୀତ ହେଉଛି ଏହାର ଅଧିକାଂଶ ଟିକସ ଆଠଟି କେନ୍ଦ୍ରୀୟ ଉଦ୍ୟୋଗରୁ ମିଳୁଥିବା ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି ।

ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରୁ ଜଣାପଡ଼ିଛି ଯେ ଅଧିକ କର ଦେଉଥିବା ଦଶଟି ପ୍ରମୁଖ ସଂସ୍ଥା ମଧ୍ୟରେ ଆଠଟି କେନ୍ଦ୍ରୀୟ ଉଦ୍ୟୋଗ ଓ ଦୁଇଟି ରାଜ୍ୟ ସରକାରଙ୍କ ଉଦ୍ୟୋଗ ।

ସେହି ପ୍ରମୁଖ କେନ୍ଦ୍ରୀୟ ଉଦ୍ୟୋଗ ଗୁଡ଼ିକ ହେଲା ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ଏପିସିଏଲ୍, ଏମ୍ସିଏଲ୍, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ଏମ୍ସିଏଲ୍(ଝାରସୁଗୁଡ଼ା) ଏବଂ ଟାଟା ମୋଟର୍ସ । ରାଜ୍ୟ ସରକାରୀ ଉଦ୍ୟୋଗଦୁଇଟି ହେଲା ଓଡ଼ିଶା ଖଣି ନିଗମ ଏବଂ ଓଡ଼ିଶା ସିମେଣ୍ଟ ଲିମିଟେଡ଼୍ ।

ସୂଚନାଯୋଗ୍ୟ ଯେ, ଚଳିତ ୨୦୧୦-୧୧ ଆର୍ଥିକ ବର୍ଷ ପାଇଁ ୭ ହଜାର ୬୫୫ କୋଟି ଟଙ୍କାର ଟିକସ ସଂଗ୍ରହ ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି । ତନ୍ମଧ୍ୟରେ ବିକ୍ରୀକର ବାବଦରେ ୬ ହଜାର ୬ କୋଟି ଟଙ୍କା, ପ୍ରବେଶକର ବାବରେ ନଅ ଶହ କୋଟି ଟଙ୍କା ଏବଂ ବୃତ୍ତିକର ବାବଦରେ ୧୫୦ କୋଟି ଟଙ୍କା ଅର୍ନ୍ତଭୁକ୍ତ ।

ଏହି ଲକ୍ଷ୍ୟଧାର୍ଯ୍ୟ ପରିମାଣର ୪୯.୬୯ ପ୍ରତିଶତ ଇତିମଧ୍ୟରେ ଆଦାୟ ହୋଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ମୁଖ୍ୟ ଖବର

୨୦୧୧ ଜୁନ୍ ରୁ ରାଜ୍ୟରେ ଏକକ ପରିଚୟ ପତ୍ର

September 29, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ସେପ୍ଟେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ଡ଼ିସେମ୍ବର ମାସରୁ ରାଜ୍ୟବାସୀଙ୍କ ଏକକ ଫଟୋ ପରିଚୟ ପତ୍ର ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ କରାଯାଇ ୨୦୧୧ ଜୁନ୍ ରୁ ତାହାର ଆବଣ୍ଟନ କରାଯିବ ବୋଲି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।ଏହି ପରିଚୟ ପତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଫଟୋ ସହ ଟିପଚିହ୍ନ ଏବଂ ଆଖିଡ଼ୋଳାର ପ୍ରତିଛବି ମଧ୍ୟ ରହିବ ।

ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବୁଧବାର ମହାରାଷ୍ଟ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।ଏହି ଆଧାରରେ ଓଡ଼ିଶାରେ ତାହାର ସଫଳ କାର୍ଯ୍ୟକାରିତା ନିମନ୍ତେ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ନିଷ୍ପତ୍ତି ଅନୁସାରେ ୨୦୧୦ ଡ଼ିସେମ୍ବରରୁ ୨୦୧୧ ଡ଼ିସେମ୍ବର ମଧ୍ୟରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ । ପ୍ରତ୍ୟେକ ନାଗରିକଙ୍କୁ ଏହି କେନ୍ଦ୍ରୀୟ ଯୋଜନାରେ ବାୟୋ-ମେଟ୍ରିକ କାର୍ଡ଼ ପ୍ରଦାନ କରାଯିବ ।ଏହି ପରିଚୟ ପତ୍ର ପ୍ରସ୍ତୁତ ନିମନ୍ତେ ବର୍ତ୍ତମାନ ଚାଲୁଥିବାର ଜନଗଣନା ସର୍ଭେରୁ ବହୁ ତଥ୍ୟ ମିଳିପାରିବ ।

ତେବେ ଅଧିକ ତଥ୍ୟ ଆହରଣ ପାଇଁ ରାଜସ୍ୱ ବିଭାଗର ତଳସ୍ତରର କର୍ମଚାରୀଙ୍କ ସହାୟତା ନିଆଯିବ । ତେଣୁ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଥିବା ୬୦୦ ଲୋକଙ୍କୁ ନେଇ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଗଣନା କେନ୍ଦ୍ର ସ୍ଥାପନ କରାଯିବ । ଏହି ପରିଚୟ ପତ୍ର ଟେଲିଫୋନ ସଂଯୋଗ, ଗ୍ୟାସ ସଂଯୋଗ, ପାସପୋର୍ଟ, ଭିସା, ଡ଼୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ଉପଯୋଗୀ ହେବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପରିଚୟ ପତ୍ର, ଭାରତ, ଭୁବନେଶ୍ୱର, ମୁଖ୍ୟ ଖବର

ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

September 3, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦ ଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ସ୍ୱାଇନ ଫ୍ଲୁରେ ପୁଣି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଥିବା ଶୁକ୍ରବାର ଜଣେ ଅଧିକାରୀ କହିଛନ୍ତି ।

ରାଜଧାନୀ ଭୁବନେଶ୍ୱର ସ୍ଥିତ ଦୁଇଟି ଘରୋଇ ଡ଼ାକ୍ତରଖାନାରେ ଆଜି ଏହି ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଓ ଜଣେ ବୃଦ୍ଧ ଅଛନ୍ତି ।

ଶିଶୁ ଦୁଇ ଜଣ ଗତ ୩୦ ତାରିଖରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ବୃଦ୍ଧ ଜଣକ ଗତ ୧୨ ତାରିଖରୁ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ରାଜ୍ୟରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ରେ ପହଞ୍ଚିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ମୁଖ୍ୟ ଖବର, ସ୍ୱାଇନ ଫ୍ଲୁ, ସ୍ୱାସ୍ଥ୍ୟ

ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକୁ ବିକଶିତ କରିବାର ଆବଶ୍ୟକତା ରହିଛି: ଡ଼ଃ ପ୍ରଶାନ୍ତ ପାଣିଗ୍ରାହୀ (ସାକ୍ଷାତକାର)

March 21, 2005 by News Bureau Leave a Comment

ଫିଜିକାଲ ରିସର୍ଚ୍ଚ ଲେବରୋଟାରୀ,ଅହମଦାବାଦରେ ବରିଷ୍ଟ ବୈଜ୍ଞାନିକ ଭାବେ କାମ କରୁଥିବା ଓଡ଼ିଶାର ଡ଼ଃ ପ୍ରଶାନ୍ତ ପାଣିଗ୍ରାହୀଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ର ବିଶେଷ ସାକ୍ଷାତକାର ।

ଅହମଦାବାଦ ୩ ମାର୍ଚ (ଓଡ଼ିଶା ଡ଼ଟ୍ କମ୍) ଆମେ ଏ ପର୍ଯ୍ୟନ୍ତ ନୂଆ ନୂଆ ଜ୍ଞାନ ଆଧାରିତ ଉଦ୍ୟୋଗ ଗୁଡ଼ିକୁ ଆକର୍ଷିତ କଲାଭଳି କିଛି କାମ କରିପାରିନାହୁଁ । ସେତକ ହୋଇଥିଲେ ରାଜ୍ୟର ପୁନଃରୁତ୍ଥାନ ହେବା ସଙ୍ଗେ ସଙ୍ଗେ ନୁତନ ପୀଢିକୁ ନୂଆ ଶକ୍ତି ମିଳିପାରିଥାଆନ୍ତା ବୋଲି ଅହମଦାବାଦରେ କାମ କରୁଥିବା ଓଡ଼ିଶାର ଡ଼ଃ ପ୍ରଶାନ୍ତ ପାଣିଗ୍ରାହୀ ଓଡ଼ିଶା ଡ଼ଟ୍ କମ୍ କୁ ଏକ ସାକ୍ଷାତକାରରେ କହନ୍ତି ।

କଟକର ରେଭେନ୍ସା କଲେଜରେ ଶିକ୍ଷା ପରେ ଭୁବନେଶ୍ୱର ଠାରେ ଥିବା ଇନଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ । ତାପରେ ଯୁକ୍ତରାଷ୍ଟ୍ର ଆମେରିକାରେ ଉଚ୍ଚଶିକ୍ଷା ପରେ ୧୧ ବର୍ଷ ଧରି ଯୁକ୍ତରଷ୍ଟ୍ର ଆମେରିକା ଏବଂ ଶେଷରେ ମଣ୍ଟ୍ରିଲ ସମେତ କାନାଡ଼ର ବିଭିନ୍ନ ସହର ।

ଏହା ପରେ ଭାରତକୁ ପ୍ରତ୍ୟାବର୍ତ୍ତନ କରି ହାଇଦ୍ରାବାଦର ସେଣ୍ଟ୍ରାଲ ୟୁନିଭରସିଟି ଓ ଏବେ ଫିଜିକାଲ ରିସର୍ଚ୍ଚ ଲେବରୋଟାରୀ, ଅହମଦାବାଦରେ କାର୍ଯ୍ୟରତ ପାଣିଗ୍ରାହୀ କହନ୍ତି “ଆମେ ନିଜେ ନିଜକୁ ଟିକିଏ ଅଧିକ ଉଦଯୋଗୀ କରିବା ଦରକାର । ସେଥିପାଇଁ ଆମର ବିଶ୍ୱବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନଗୁଡ଼ିକୁ ବିକଶିତ କରିବାର ଆବଶ୍ୟକତା ରହିଛି ।

ସରକାରୀ ବେସରକାରୀ ସଂସ୍ଥାଙ୍କ ମଧ୍ୟରେ ସହଯୋଗ ଭିତ୍ତିରେ କାମ କରାଗଲେ ସ୍ଥିତିରେ ଅନେକ ପରିବର୍ତ୍ତନ ଘଟିପାରିବ ”ସେ କହନ୍ତି ।

ଆପଣ ଆମକୁ ଆପଣଙ୍କ ଗାଁ ବିଷୟରେ, ଓ ଆପଣ ଏଠାରେ ଛାଡ଼ି ଯାଇଥିବା ଗ୍ରାମ୍ୟ ଜୀବନ ବିଷୟରେ କିଛି କହନ୍ତୁ । ବିଶେଷ କରି ଆପଣଙ୍କର କିଛି ମଜାଦାର ଅଙ୍ଗେ ନିଭା ଘଟଣା ଯାହାକୁ କି ଆପଣ ଏ ପର୍ଯ୍ୟନ୍ତ ପାସୋରି ନାହାନ୍ତି ?

ଓଡ଼ିଶାର ସବୁ ଗ୍ରାମୀଣ ପିଲାଙ୍କ ପରି ମୋ ପିଲାଦିନ ମଧ୍ୟ ଗାଁଆରେ ମୋ ବୁଢାବାପା ଓ ବୁଢୀମାଆଙ୍କ ମେଳରେ ବେଶ ହସି ଖେଳି କଟିଥିଲା ।

ମତେ ମାତ୍ର ଛଅ ବର୍ଷ ବୟସ ହୋଇଥିବା ବେଳେ ମୋ ମାଅ ସ୍ୱର୍ଗାରୋହଣ କରିବା ତଥା ବାପା ଚାକିରୀ କରିବା ପାଇଁ କଲିକତା ଚାଲିଯିବା ପରେ ମୁଁ ଆମ ଘରର ଏକଛତ୍ରପତି ସମ୍ରାଟ ହୋଇଯାଇଥିଲି ।

ତେବେ ଆମ ଗାଁଆ ବିଦ୍ୟାଳୟର ଶିକ୍ଷକ ତଥା ବଡ଼ ମାନଙ୍କର ମୋ ଉପରେ ଥିବା ସଜାଗ ଦୃଷ୍ଟି ମତେ କେବେବି ମାର୍ଗଚ୍ୟୁତ ହେବାକୁ ଦେଇନଥିଲା ।

ପାଠ ପଢା ବେଳେ ଆମ ଗାଁ ଚାରିପଟରେ ଥିବା ବିଭିନ୍ନ ନୂଆ ନୂଆ ସ୍ଥାନ ଆବିଷ୍କାର କରିବା, ଖରାଛୁଟିରେ ସାଙ୍ଗମାନଙ୍କ ସହିତ ମିଶି ମଜାକରିବା, ଅଷ୍ଟମ ଶ୍ରେଣୀରୁ ଆରମ୍ଭ କରି ତିନି ବର୍ଷ ପର୍ଯ୍ୟନ୍ତ ଏକ ପୁରୁଣା ଟ୍ରାକ୍ଟରର ମରାମତିରେ ଲାଗି ରହିବା ପରି କେତୋଟି ଘଟଣା ଏବେବି ମୋ ମନରେ ସ୍ମୃତି ହୋଇ ରହିଛି ।

ମୋ ଛାତ୍ର ଜୀବନର ପ୍ରାଥମିକ ସ୍ତରକୁ ଯେଉଁମାନେ ମତେ କଞ୍ଚା ମାଟିରୁ ମୂର୍ତ୍ତୀ ତିଆରି କରିବା ପରି ଗଢିଥିଲେ ସେହି ସବୁ ଶିକ୍ଷକ ଯେପରିକି, ଶ୍ରୀ ପିସି ରାଉତରାୟ, ଜିସି ବେହେରା, ଏବଂ ଡ଼ିଏନ ପ୍ରଧାନ ଆଦିଙ୍କୁ ମୁଁ ଭୂଲି ପାରିବି ନାହିଁ ।

କଲେଜ ଜୀବନ ମୋ ପାଇଁ ବେଶ ରୋମାଞ୍ଚକର ଏବଂ କମ ଶୃଙ୍ଖଳିତ ଥିଲା । ଏଠାରେ ମୁଁ ପଦାର୍ଥ ବିଜ୍ଞାନରେ ଥିବା ସମସ୍ୟା ସମାଧାନ କରିବାରେ ମୋର ସାମର୍ଥ୍ୟକୁ ଆବିଷ୍କାର କରିଥିଲି ଏମଆଇଆର ପ୍ରକାଶନର ବହିମାନଙ୍କ ମାଧ୍ୟମରେ କ୍ୱାଣ୍ଟମ ଫିଜିକ୍ସ ପ୍ରତି ମୋର ଭଲପାଇବା ସୃଷ୍ଟି ହୋଇଥିଲା ।

ରେଭେନ୍ସା କଲେଜର ଇଷ୍ଟ ହଷ୍ଟେଲରେ ଥିବା ବେଳେ କିଣିଥିବା ଏବିସିଜ ଅଫ କ୍ୱାଣ୍ଟମ ମେକାନିକକ୍ସ ଆଝ ପାୱାର ହାଉସ ଅଫ ଦି ଆଟମ ବହିଟିକୁ ମୁଁ ବେଶ ଆଦର କରୁଥିଲି । ୧୯୮୧ ମସିହାରେ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସରେ କଟିଥିବା ଗୋଟିଏ ବର୍ଷ ଗବେଷଣାର ବିସ୍ତୃତ ଦିଗନ୍ତ ଆଡ଼କୁ ମୋର ଆଖି ଖୋଲି ଦେଇଥିଲା ।

ବିଭାଗଗୁଡ଼ିକ ଅତି ଉକ୍ରୃଷ୍ଟମାନର ଥିଲା ତଥା ଏଠାକାର ବୈଜ୍ଞାନିକ ପରିବେଶ ଅତି ଉତ୍ତମ ଥିଲା । ଏବେ ଯେତେବେଳେ ମୁଁ ମୋର ସହପାଠୀମାନଙ୍କୁ ଫିଜିକ୍ସର ବିଭିନ୍ନ ଶାଖାରେ ନିଯୁକ୍ତ ରହି ବେଶ ଭଲ କାମ କରୁଥିବାର ଦେଖେ ମତେ ଭାରି ଗର୍ବ ଲାଗେ ।

୧୯୮୨ରେ ଯେତେବେଳେ ମୁଁ ଓଡ଼ିଶାଛାଡ଼ିଲି ସେବର୍ଷ ଖୁବ ଯୋରରେ ବନ୍ୟା ଆସିଥିଲା । ମୋର ଏବେ ବି ମନେ ଅଛି ଆମେ ସବୁ ଯେହେତୁ ବନ୍ୟା ଯୋଗୁଁ ଘରକୁ ଯିବା ଅବସ୍ଥାରେ ନଥିଲୁ ତେଣୁ ମୁଁ ରେଭେନ୍ସା କଲେଜର ଖୋଲା ପଡ଼ିଆରେ ହିଁ ଶୋଇଯାଇଥିଲି ।

ଆପଣ ତ ଯୁକ୍ତରାଷ୍ଟ୍ର ଆମେରିକାରେ ଉଚ୍ଚଶିକ୍ଷା ଲାଭ କଲେ ଓ ସେଠାରେ ୧୦ ବର୍ଷରୁ ଅଧିକ ସମୟ ଧରି ରହି ସାରିଲେଣି । ଭାରତର ପ୍ରମୁଖ ସଂସ୍ଥା ତଥା ବିଶ୍ୱବିଦ୍ୟାଳୟ ମାନଙ୍କରେ କାମ କରିବା ପରେ ଆପଣ କ’ଣ ଭାବୁଛନ୍ତି ?

ବିଦେଶୀ ବିଶ୍ୱବିଦ୍ୟାଳୟମାନଙ୍କ ସହିତ ପ୍ରତିଯୋଗିତା କରିବା ପାଇଁ ଭାରତର ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥାରେ ପରିବର୍ତ୍ତନ କରାଯିବା ଦରକାର ।

ମୁଁ ୧୯୮୨ ରୁ ୧୯୯୩ ପର୍ଯ୍ୟନ୍ତ ୧୧ ବର୍ଷ ଧରି ଯୁକ୍ତରଷ୍ଟ୍ର ଆମେରିକା ତଥା କାନାଡ଼ାରେ ରହିଲି । ଶେଷ ତିନି ବର୍ଷ ମଣ୍ଟ୍ରିଲ ଭଳି ଏକ ଉକ୍ରୃଷ୍ଟ ସହରରେ କଟିଥିଲା ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତରେ ଉଚ୍ଚଶିକ୍ଷାର ଏକ ଆମୂଳଚୁଳ ପରିବର୍ତ୍ତନର ଆବଶ୍ୟକତା ରହିଛି । ମୌଳିକ ସ୍ତରରେ ଆମେ ଆମ ବିଦ୍ୟାଳୟମାନଙ୍କରେ ପଢାପଢି କରିପାରିବା କିନ୍ତୁ ନିୟମିତ ହୋମୱାର୍କ୍ସ, ପରୀକ୍ଷାଖାତା ଗୁଡ଼ିକର ବ୍ୟବସ୍ଥିତ ମୂଲ୍ୟାୟନର ନିଶ୍ଚିତ ପ୍ରଚଳନ କରିବାକୁ ହେବ ।

ଶ୍ରେଣୀଗୃହରେ ନୂଆ ନୂଆ ପ୍ରକାରର ପ୍ରଦର୍ଶନ ତଥା ମୁକ୍ତ ଆଲୋଚନା ପାଇଁ ଅଧିକ ସ୍ୱାଧିନତା ଦିଆଯିବା ନିହାତି ଜରୁରୀ । ଏହିସବୁ ସରଳ ତଥା ଛୋଟ ଛୋଟ କଥାଗୁଡ଼ିକ ହିଁ ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟମାନଙ୍କୁ ଏତେ ଉଚ୍ଚସ୍ତରରେ ସ୍ଥାପିତ କରିଛନ୍ତି ।

ଗବେଷଣାସଂସ୍ଥା ଗୁଡ଼ିକୁ ବିଶ୍ୱବିଦ୍ୟାଳୟମାନଙ୍କରୁ ଅଲଗା କରିବା ଘଟଣା ଉଭୟ ସଂସ୍ଥା ପ୍ରତି ଅନିଷ୍ଟକର ହୋଇଥାଏ ।

ଆମ ଛାତ୍ରମାନେ ଅନୁପ୍ରାଣୀତ ହେବା ଭଳି ଅନୁକରଣୀୟ ଉଚ୍ଚମାନର ବୈଜ୍ଞାନିକ ତଥା ଶିକ୍ଷକଙ୍କ ସାହଚର୍ଯ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି, ଆମ ସଂସ୍ଥାଗୁଡ଼ିକ ମଧ୍ୟ ଉତ୍ତମ-ଉଦ୍ଦେଶ୍ୟଧାରୀ ଛାତ୍ରମାନଙ୍କୁ ପାଇବାରେ ବିଫଳ ହେଉଛନ୍ତି ।

ଓଡ଼ିଶାର ବିଜ୍ଞାନଶିକ୍ଷା ସମ୍ବନ୍ଧରେ ଆପଣଙ୍କର ମତ କ’ଣ ? ଆପଣ କ’ଣ ଭାବୁଛନ୍ତି ଯେ ଓଡ଼ିଶାରେ ପ୍ରତିଭାସମ୍ପନ୍ନ ମାନବ ସମ୍ପଦର ଅଭାବ ନା ଅନ୍ୟ କିଛି କାରଣ ରହିଛି ?

ଓଡ଼ିଶାରେ ସେଭଳି କୌଣସି ନିର୍ଦ୍ଧିଷ୍ଟ ସମସ୍ୟା ଥିବା କଥା ମୁଁ ଦେଖି ପାରୁନାହିଁ । ତେବେ ଆପଣ ଯାହା କହୁଛନ୍ତି ତାହା ମୋଟାମୋଟି ଭାବରେ ଭାରତର ସବୁ ସ୍ଥାନରେ କିଛି ନା କିଛି ପରିମାଣରେ ରହିଛି । ତା ସତ୍ତ୍ୱେ ଭାରତରେ ତଥା ଭାରତ ବାହାରେ ବହୁ ବିଚକ୍ଷଣ ପ୍ରତିଭାଧାରୀ ଓଡ଼ିଆ ବୈଜ୍ଞାନିକ ଅଛନ୍ତି ।

ତେବେ ଓଡ଼ିଶାରେ ବାଙ୍ଗାଲୋରରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ପରି ଏକ ଉଚ୍ଚମାନର ବିଜ୍ଞାନ ଶିକ୍ଷା କେନ୍ଦ୍ର ଖୋଲାଯାଇ ପାରିଲେ ତାହା ପୁର୍ବାଞ୍ଚଳରେ ବହୁ ବୈଜ୍ଞାନିକ ମାନବ ସମ୍ବଳ ପ୍ରସ୍ତୁତ କରିବାରେ ସକ୍ଷମ ହୋଇ ପାରିବ ଓ ଏଥିରୁ ବହୁ କୃତବିଦ ବୈଜ୍ଞାନିକ ବାହାରି ପାରିବେ । ଆମେ ଜାଣିଛୁ ଯେ ଆପଣ ମଧ୍ୟ ଓଡ଼ିଶାରେ ଶିକ୍ଷାର ଗୁଣାତ୍ମକ ବିକାଶ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ ।

ଆପଣ ଛୋଟ ପିଲାଙ୍କ ପାଇଁ କେତୋଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେ ପ୍ରକଳ୍ପର ଏବେ ସ୍ଥିତି କ’ଣ ? ଆପଣ ସେଥିରୁ ବିରତ ରହିଗଲେ କାହିଁକି ?

ମୁଁ ଜାଣେ ,ଆପଣ ଯେଉଁ “ଶିକ୍ଷା” ପ୍ରକଳ୍ପ କଥା କହୁଛନ୍ତି ସେଥିରେ ଅଧିକ କିଛି ପ୍ରଗତି ହୋଇ ପାରି ନାହିଁ । କେବଳ ପ୍ରାଥମିକ ଭାବରେ ସ୍କୁଲ ଶିକ୍ଷକଙ୍କ ଆବଶ୍ୟକତା ଉପରେ ଯାହା ସର୍ବେକ୍ଷଣ କରାଯାଇଥିଲା ।

ଆମର ପ୍ରାଥମିକ ସ୍କୁଲ ମାନଙ୍କରେ ଯେଉଁ ପାଠ୍ୟ ପୁସ୍ତକ ପଢା ଯାଉଛି ତାକୁ ସହାୟତା କରିବାଭଳି ଏକ ସିଡ଼ି ରୋମ ପ୍ରସ୍ତୁତ କରିବାକୁ ଆମେ ଉଦ୍ୟମ କରିଥିଲୁ । ତେବେ ଏଭଳି ଉଦ୍ୟମ ପାଇଁ ପ୍ରଥମତଃ ଉପଯୁକ୍ତ ଲୋକ ତଥା ସମ୍ବଳର ଆବଶ୍ୟକତା ରହିଛି ।

ଆମେ ଏଥିରେ ସଫଳ ହୋଇନପାରିବା ଅଲଗା କଥା । ବର୍ତ୍ତମାନ ମୁଁ ବିଜ୍ଞାନର ପ୍ରମୁଖ ବିଷୟ ଗୁଡ଼ିକ ଉପରେ ଛୋଟ ଛୋଟ ପୁସ୍ତକ ପ୍ରକାଶ କରିବା ପାଇଁ ଉଦ୍ୟମ ଜାରୀ ରଖିଛି । ମୋର ମନେ ପଡ଼ୁଛି ଯେ ମୁଁ ପିଲାଦିନେ ଗୋଟିଏ ବହି ପଢିଥିଲି , “କଥା ତରଙ୍ଗ” ।

ସେ ବହିଟି ର୍ହି ମତେ ବିଜ୍ଞାନ ପ୍ରତି ଆକୃଷ୍ଟ କରିଥିଲା କ୍ୱାଣ୍ଟମ କମ୍ପ୍ୟୁଟର ଉପରେ ମୋ ଲିଖିତ ପ୍ରଥମ ସଚିତ୍ର ପୁସ୍ତକ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି । ଏହାକୁ ହାଇସ୍କୁଲ ସ୍ତରର ଛାତ୍ରଛାତ୍ରୀଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି ।

ଆପଣ ଆପଣଙ୍କ ଜିବନରେ ଓଡ଼ିଆଲୋକଙ୍କୁ ବହୁ ବାଟରେ ଯେତେ ସମ୍ଭବ ସହାୟତା ଦେଇଆସିଛନ୍ତି । ଏଥିରୁ ଆପଣ କ’ଣ ଅନୁଭବ କରିଛନ୍ତି ?

ଭାରତର ଯେ କୌଣସି ପ୍ରାନ୍ତରେ ହେଉ ବା ବିଦେଶରେ ତୁଳନାତ୍ମକ ଭାବରେ ଖୁବ କମ ଓଡ଼ିଆ ଲୋକଙ୍କୁ ଦେଖିବାକୁ ମିଳିଥାଏ । ଆମେ ସମସ୍ତେ କୌଣସି ନା କୌଣସି ସମୟରେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହୋଇଛୁ ଓ ସେଥିରେ ଆମକୁ ବରେଶରେ ଆଗରୁ ରହି ଆସିଥିବା କେହି ନା କେହି ସହାୟତା କରିଥାଆନ୍ତି । ମୁଁ ସବୁବେଳେ ମୋ ଜୀବନରେ ସହାୟତା ପାଇ ଆସିଛି ।

ଏକଥା ଅବଶ୍ୟ ଅଲଗା ଯେ ଯେତେବେଳେ ଦୁଇଜଣଓଡ଼ିଆ ଏକାଠି ହୋଇଯାଆନ୍ତି ସେମାନଙ୍କ ମଧ୍ୟରେ “ଡ଼ାଲମା” ପ୍ରସ୍ତୁତ କରିବାର ପ୍ରେରଣା ଦୃଢରୁ ଦୃଢତର ହୋଇଉଠେ ।

ବିଜ୍ଞାନରେ ପ୍ରଚୁର ଅନୁଭୂତି ଥିବା ଆପଣ ଜଣେ ବୈଜ୍ଞାନିକ । ଓଡ଼ିଶାରେ ବିଜ୍ଞାନର ଉନ୍ନତ୍ତି ପାଇଁ ଆପଣଙ୍କର କିଛି ନିର୍ଣିଷ୍ଟ ଯୋଜନା ଅଛି କି ?

ବର୍ତ୍ତମାନ ଅବସ୍ଥାରେ ମୁଁ ଯାହା କହିଲି ମୁଁ କେବଳ କେତେକ ବିଷୟ ସମ୍ବଳିତ ଛୋଟ ଛୋଟ ବହି ଲେଖିବାରେ ବ୍ୟସ୍ତ ଅଛି । ଏହା ମୁଖ୍ୟତଃ ହାଇସ୍କୁଲ ସ୍ତରର ଛାତ୍ରଛାତ୍ରୀଙ୍କ କାମରେ ଲାଗିବ ଓ ଏଥିରେ ସାମ୍ପ୍ରତିକ ଗବେଷଣା ଉପରେ ଅନେକ ନୂତନ ତଥ୍ୟ ଲୋକ ଲୋଚନକୁ ଆସିବ ।

ଆପଣ ଆମକୁ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କ ବିଷୟରେ କିଛି କହିବେ କି ?

ଓଡ଼ିଶା ସମେତ ଭାରତର ସବୁ ସ୍ଥାନରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଅନେକ ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ସମ୍ବଳର ଅଭାବ, ବାହାରର ପ୍ରଭାବ, ପ୍ରତିଭାବାନ ଯୁବ ବୈଜ୍ଞାନିକ ତଥା ଶିକ୍ଷାବିତମାନଙ୍କୁ ପଦୋନ୍ନତି ତଥା ପ୍ରୋତ୍ସାହନର ଅଭାବ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକ ନକାରାତ୍ମକ ବାତାବରଣ ସୃଷ୍ଟିକରୁଛି ଯାହାକି ଉତ୍ତମ ଶିକ୍ଷାଦାନ ତଥା ଗବେଷଣା ପାଇଁ ଅନୁକୂଳନୁହେଁ ।

ଆପଣ କ’ଣ ଭାବୁଛନ୍ତି ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥାରେ ଓଡ଼ିଶାର ବିକାଶ ଘଟୁଛି ନା ଏହା ଆହୁରି ପଛକୁ ଯାଇଛି ? ଏଥିରେ କିଛି ପରିବର୍ତ୍ତନର ଆବଶ୍ୟକତାକୁ ଆପଣ ଅନୁଭବ କରୁଛନ୍ତି କି ?

ମୁଁ ଭାବୁଛି ଯେ ଆମେ ଏଯାବତ୍ ଶିକ୍ଷା ତଥା ବିଜ୍ଞାନ କ୍ଷେତ୍ରରେ ଯେଉଁ ନୀତି ଅବଲମ୍ବନ କରି ଅସିଛୁ ସେଥିରେ ପରିବର୍ତ୍ତନ ହେବା ନିହାତି ଦରକାର । ଆମେ କେବଳ ଭୁବନେଶ୍ୱରରେ ଥିବା କେତେକ ଗବେଷଣା ସଂସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ ନକରି ଯେମିତି ହେଉ ଆମ ବିଶଶ୍ୱବିଦ୍ୟାଳୟଗୁଡ଼ିକୁ ମଜବୁତ କରିବା ଆବଶ୍ୟକ ।

ଆପଣଙ୍କ ମତରେ ଓଡ଼ିଶାର ବିକାଶରେ ମୁଖ୍ୟ ପ୍ରତିବନ୍ଧକଗୁଡ଼ିକ କ’ଣ ?

ଆମେ ଏ ପର୍ଯ୍ୟନ୍ତ ନୂଆ ନୂଆ ଜ୍ଞାନ ଆଧାରିତ ଉଦ୍ୟୋଗ ଗୁଡ଼ିକୁ ଆକର୍ଷିତ କଲାଭଳି କିଛି କାମ କରିପାରିନାହୁଁ । ସେତକ ହୋଇଥିଲେ ରାଜ୍ୟର ପୁନଃରୁତ୍ଥାନହେବା ସଙ୍ଗେ ସଙ୍ଗେ ନୁତନ ପୀଢିକୁ ନୂଆ ଶକ୍ତି ମିଳିପାରିଥାଆନ୍ତା ।

ଆମେ ନିଜେ ନିଜକୁ ଟିକିଏ ଅଧିକ ଉଦଯୋଗୀ କରିବା ଦରକାର । ଅବଶ୍ୟ କରିବା ଠାରୁ କହିଦେବାଟା ସହଜ । ଆମେ ଆମପାଇଁ ଅଧିକ ପ୍ରଶିକ୍ଷିତ ମାନବ ସମ୍ବଳ ବିକାଶ କରିବା ନିହାତି ଆବଶ୍ୟକ ।

ସେଥିପାଇଁ ଆମର ବିଶ୍ୱବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନଗୁଡ଼ିକୁ ବିକଶିତ କରିବାର ଆବଶ୍ୟକତା ରହିଛି । ସରକାରୀ ବେସରକାରୀ ସଂସ୍ଥାଙ୍କ ମଧ୍ୟରେ ସହଯୋଗ ଭିତ୍ତିରେ କାମ କରାଗଲେ ସ୍ଥିତିରେ ଅନେକ ପରିବର୍ତ୍ତନ ଘଟିପାରିବ ।

ଉଦାହରଣ ସ୍ୱରୂପ ପ୍ରାଣୀବିଜ୍ଞାନ ତଥା ଉଦ୍ଭିଦ ବିଜ୍ଞାନ ବିଭାଗ ସହିତ ସମ୍ପର୍କ ରକ୍ଷାକରି ଔଷଧ କମ୍ପାନୀମାନେ ଲାଭବାନ ହୋଇପାରିବେ ସେହିପରି ଘଟଣା ମଧ୍ୟ କମ୍ପ୍ୟୁଟର, ରସାୟନ ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନକ୍ଷେତ୍ରରେ ଘଟିପାରେ ।

ହ୍ୟୁମାନୀଟି ବିଭାଗ ସହିତ ସମ୍ପର୍କ ରକ୍ଷା ଫଳରେ କଲ ସେଣ୍ଟରଗୁଡ଼ିକ ବହୁ ପରିମାଣରେ ଲାଭବାନ ହୋଇପାରିବେ । ବିଶ୍ୱବିଦ୍ୟାଳୟ ଦୃଷ୍ଟିରୁ ମଧ୍ୟ ଆମକୁ ଆମର ମନୋଭାବରେ ପରିବର୍ତ୍ତନ କରିବାକୁ ହେବ ଓ ଅଧିକ ବ୍ୟବହାରୀକ ହେବାକୁ ହେବ ।

ଆପଣ ଭାବୁଛନ୍ତି କି ପ୍ରବାସୀ ଓଡ଼ିଆ ମାନେ ରାଜ୍ୟରେ ବିକାଶର ନେତୃତ୍ୱ ନେବା ଆବଶ୍ୟକ, ଯଦି ହଁ ତେବେ ଆଜି ପର୍ଯ୍ୟନ୍ତ ସେମାନେ ଏଥିରେ ସଫଳ ହୋଇ ପାରିନାହାନ୍ତି କାହିଁକି ? କେଉଁ କେଉଁ ସ୍ଥାନରେ ଏଥିପାଇଁ ସମ୍ଭାବନା ରହିଛି ଓ କେଉଁ କେଉଁ କ୍ଷେତ୍ରରେ ସେମାନେ ସହଜରେ ଏହି କାର୍ଯ୍ୟଟିକୁ କରିପାରିବେ ବୋଲି ଆପଣ ଭାବୁଛନ୍ତି ?

ଓଡ଼ିଶାର ବିକାଶରେ ପ୍ରବାସୀ ଓଡ଼ିଆମାନେ ନିଶ୍ଚିତ ଭାବରେ ଏକ ସକାରାତ୍ମକ ଭୂମିକା ତୁଲାଇପାରିବେ । ସାମଗ୍ରୀକ ଭାବରେ ଓଡ଼ିଶା ଯେଉଁଠାରେ ପ୍ରବସୀ ଭାରତୀୟମାନଙ୍କ ସହିତ ସମ୍ପର୍କ ରକ୍ଷାକରି ଉଭୟ ନୂତନ ଜ୍ଞାନ ଆହରଣ ତଥା ଏହାର ଉତ୍ପାଦିତ ସାମଗ୍ରୀ ବିକ୍ରୀ କରିବାରେ ଲାଭବାନ ହୋଇଛି ତାହାକୁ ଦୋହରା ଯାଇପାରେ ।

ପ୍ରବାସୀମାନେ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରିଦର୍ଶନରେ ଯାଇ ସେଠାରେ ନିୟମିତ ଭାବରେ ଆଲୋଚନାଚକ୍ର ବା ବିଭିନ୍ନ ସମ୍ମିଳନୀ, କର୍ମଶାଳା କରି ଅନ୍ୟମାନଙ୍କ ସହିତ ଭାବର ଆଦାନପ୍ରଦାନ କରିପାରିବେ । ଏଭଳି କାର୍ଯ୍ୟକ୍ରମ ଏବେ ଚାଲୁରହିଛି କିନ୍ତୁ ଏହା ଅଧିକରୁ ଅଧିକ ହେବା ଆବଶ୍ୟକ

ଆପଣ ଯେବେ ଓଡ଼ିଶା ଛାଡ଼ିଥିଲେ ସେତେବେଳର ଓଡ଼ିଶା ଓ ବର୍ତ୍ତମାନ ଯେତେବେଳେ ଆପଣ ଓଡ଼ିଶା ଆସୁଛନ୍ତି ତା ଭିତରେ ଆପଣ କି ପ୍ରଭେଦ ଦେଖୁଛନ୍ତି ?

ବସ୍ତୁଗତ ବିକାଶ ବା ମାଟେରିଆଲ ପ୍ରୋଗ୍ରେସ ଦୃଷ୍ଟିରୁ ଦେଖିଲେ ଗ୍ରାମାଞ୍ଚଳରେ ଲୋକଙ୍କର ଜୀବନଧାରଣର ମାନ ତଥା ରାସ୍ତାଘାଟର ସ୍ଥିତିରେ ନିଶ୍ଚିତ ଭାବରେ ବିକାଶ ଘଟିଛି । କିନ୍ତୁ ଶିକ୍ଷା ବା କାମଧନ୍ଦା କ୍ଷେତ୍ରରେ ମୁଁ ସେପରି କିଛି ବିକାଶ ଦେଖିପାରୁନାହିଁ ।

ନୂତନ ବିକାଶ ଦିଗରେ ଓଡ଼ିଶାକୁ ଆଗେଇ ନେବାପାଇଁ ଆପଣ କ’ଣ କଳ୍ପନା କରୁଛନ୍ତି ?

ମୁଁ ନିଷ୍ଠାର ସହିତ ଭାବୁଛି ଯେ ଅଧିକରୁ ଅଧିକ ପ୍ରଦୂଷଣ ବିହୀନ ଜ୍ଞାନ ଆଧାରିତ ଉଦ୍ୟୋଗମାନ ଓଡ଼ିଶାରେ ସ୍ଥାପିତ ହେବା ଆବଶ୍ୟକ । ଭୁବନେଶ୍ୱର ପରି ନଗରୀର ଚାରିପଟେ ଥିବା ମନୋରମ ସ୍ଥାନ ଗୁଡ଼ିକର ଉପଯୋଗ କରାଯାଇ ନିରବଚ୍ଛିନ୍ନ ଭାବରେ ସମସ୍ତଙ୍କ ପକ୍ଷରୁ ଉଦ୍ୟମ କରାଗଲେ ଅବସ୍ଥାରେ ନିଶ୍ଚିତ ପରିବର୍ତ୍ତନ ଘଟିବ ।

ଭଲ ତଥା ପ୍ରଥମ ଶ୍ରେଣୀର ଶିକ୍ଷାନୁଷ୍ଠାନ ଆମର ଯୁବକମାନଙ୍କୁ ବାୟୋଇନଫରମେଟିକ୍ସ, ଜେନେଟିକ୍ସ ଆଦି ନୁତନଦିଗଗୁଡ଼ିକ ଆଡ଼କୁ ପଥ ଉନ୍ମୁକ୍ତ କରିଦେବ । ମୋର ଇଚ୍ଛା ଯେ ଉଭୟ ଗବେଷଣା ଓ ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା ଥାଇ ଓଡ଼ିଶାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଭଳି ଏକ ସଂସ୍ଥା ହୁଅନ୍ତା ।

ଆପଣ ଭାବୁଛନ୍ତି କି ଓଡ଼ିଶାକୁ କେଉଁ ପ୍ରକାରରେ ଅବହେଳା କରାଯାଇଛି ? ଯଦି ହଁ ତେବେ ସେଗୁଡ଼ିକ କ’ଣ ?

ଏକ ଛୋଟିଆ ତଥା ଅଧିକ ମୁଖର ହୋଇନଥିବା ରାଜ୍ୟ ହୋଇଥିବାଯେଗୁଁ ଓଡ଼ିଶା ଯାହା ପାଇବା କଥା ତାହା ପାଇ ପାରିନାହିଁ । ମୁଁ କେବଳ ଶିକ୍ଷା ବ୍ୟତୀତ ଅନ୍ୟ ବ୍ୟାପାରରେ ଏତେ ବିସ୍ତାରକୁ ଯିବା ପାଇଁ ନିଜକୁ ସମର୍ଥ ମନେ କରିପରୁ ନାହିଁ । ତେବେ ଓଡ଼ିଶାରେ ଗୋଟିଏ ଆଇଆଇଟି ନିହାତି ଖୋଲିବା କଥା ।

ଆଉ କିଛି ବିଷୟ ଉପରେ ଆପଣ ଆଲୋକପାତ କରିବାକୁ ଚାହିଁବେ ଯାହା ଏଥିରେ ଆଲୋଚିତ ହୋଇ ପାରିଲା ନାହିଁ ବୋଲି ଆପଣ ମନେ କରୁଛନ୍ତି ।

ମୁଁ ଆଶା କରିବି ଯେ ଆପଣଙ୍କ ପରି ଯୁବକମାନେ ଓଡ଼ିଶା.କମ ମାଧ୍ୟମରେ ବିଜ୍ଞାନ, ବୈଷୟିକ ଜ୍ଞାନ ତଥା ସାମାଜିକ ବିଜ୍ଞାନ ଉପରେ ଏଥିପାଇଁ ନିୟମିତ ସମ୍ମିଳନୀ, କର୍ମଶାଳା ଆଦି କରିବା ଉଚିତ

ଓଡ଼ିଶା ଡ଼ଟ୍ କମ

News Bureau
News Bureau

Filed Under: ସାକ୍ଷାତକାର Tagged With: ଡ଼ଃ ପ୍ରଶାନ୍ତ ପାଣିଗ୍ରାହୀ, ବିଦେଶୀ, ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

  • « Go to Previous Page
  • Go to page 1
  • Interim pages omitted …
  • Go to page 7
  • Go to page 8
  • Go to page 9

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ