• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମହିମା ଧର୍ମ

ଭୀମଭୋଇ – ମା’ ଅନ୍ନପୂର୍ଣ୍ଣା

July 26, 2022 by ବିଷ୍ଣୁପଦ ସେଠୀ 5 Comments

ବିଷ୍ଣୁପଦ ସେଠୀ

ସୋନପୁର ସହର ଠାରୁ ୨୦ କି.ମି. ଦୂରରେ ଅବସ୍ଥିତ କ୍ଷୁଦ୍ର ଖଲିଆପାଲି ଗ୍ରାମ ମହିମାଧର୍ମର ଆଦ୍ୟଉଦ୍‌ଗାତା ସନ୍ଥକବିଙ୍କ ସମାଧିପୀଠକୁ ଧାରଣ କରି ଆଜି ଏକ ପୁଣ୍ୟକ୍ଷେତ୍ର ରୂପେ ସୁପରିଚିତ ।

ଏକ ମନୋରମ ଉଚ୍ଚ ମନ୍ଦିର ମଧ୍ୟରେ ସନ୍ଥ କବି ଭୀମଭୋଇ ଏବଂ ମା ଅନ୍ନପୂର୍ଣ୍ଣାଙ୍କ ସମାଧିସ୍ଥ କରାଯାଇଥିବାରୁ ଏହା ସମାଧି ମନ୍ଦିର ରୂପେ ଖ୍ୟାତ ।

ଏହାର ପଶ୍ଚାତଭାଗରେ ଏକ ସମତଳ ଛାତ ବିଶିଷ୍ଟ ଉପାସନା ଗୃହରେ ସନ୍ଥକବି ଭୀମଭୋଇ ଏବଂ ତାଙ୍କ ଆଧ୍ୟାତ୍ମିକ ସଂଗିନୀ ମା’ ଅନ୍ନପୂର୍ଣ୍ଣାଙ୍କ ରୌପ୍ୟ ପ୍ରଲେପଯୁକ୍ତ ପାଦୁକାକୁ ରଖାଯାଇ ନିତ୍ୟ ନୈମିତ୍ତକ ଭାବରେ ପୂଜାରାଧନା କରାଯାଇଥାଏ । ସକାଳେ-ସନ୍ଧ୍ୟାରେ ଘଣ୍ଟଶଙ୍ଖ ହୁଳହୁଳି ମଧ୍ୟରେ ଆଳତୀ ହୋଇଥାଏ ।

ଅପରାହ୍ନରେ ବହୁ ନିଷ୍ଠାର ସହ ପୂଜାରୀ ବାବା ଅନ୍ନଭୋଗ ଲଗାଇଥାନ୍ତି । ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀ ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ମାଘମେଳା ଅନୁଷ୍ଠିତ ହୋଇଥାଏ ପ୍ରଭୁଙ୍କର ପୂଜା ଆରାଧନା ପୂର୍ବକ ଆଶୀର୍ବାଦ ଲାଭ କରି ନିଜର ଅଭୀଷ୍ଠ ସିଦ୍ଧି ପାଇଁ ପ୍ରାର୍ଥନା କରିଥାନ୍ତି ।

ଉନବିଂଶ ଶତାବ୍ଦୀରେ ଧର୍ମ ଏବଂ ସାମାଜିକ ଦୃଷ୍ଟିକୋଣରୁ ଏକ ଯୁଗସନ୍ଧି କାଳରେ ଓଡିଶା ମାଟିରୁ ମହିମା ଧର୍ମ ଏକ ଯୁଗ ଧର୍ମ ରୂପେ ଉନ୍ମେଷ ଲାଭ କରିଥିଲା । ଏହା ଓଡିଶା ନିଜସ୍ୱ ଧର୍ମ ଚେତନା ।

ସେହିକାଳରେ ବର୍ଣ୍ଣାଶ୍ରମ ଧର୍ମର ପ୍ରାବଲ୍ୟ ହେତୁ ସମାଜର ନିମ୍ନ ତଥା ଅବହେଳିତ ସ୍ତରର ଜନସାଧାରଣ ଅକଥନୀୟ ନିର୍ଯ୍ୟାତନାର ଶିକାର ହେଉଥିଲେ । କୁସଂସ୍କାର ଏବଂ ଧର୍ମାନ୍ଧତା ସମ୍ପୂର୍ଣ୍ଣରୂପେ ଆଚ୍ଛାଦିତ କରିଥିଲା ।

ଜାତିଭେଦର ପ୍ରାଚୀର ଦୃଢଭାବେ ଛିଡା ହୋଇ ମଣିଷ ମଣିଷ ମଧ୍ୟରେ ସମସ୍ତ ଦିଗରୁ ବିରାଟ ବ୍ୟବଧାନ ସୃଷ୍ଟି କରୁଥିଲା ।

ଏହି କାଳରେ ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁ ଏସବୁର ତୀବ୍ର ପ୍ରତିବାଦ କରି ବିଶ୍ୱ କଲ୍ୟାଣ ନିମନ୍ତେ ଏକ ନୂତନ ଧର୍ମର ପ୍ରତିଷ୍ଠା କଲେ ଯାହାକି ମହିମା ଧର୍ମ ନାମରେ ପରିଚିତ ।

ରେଢାଖୋଲ ଏବଂ ବୀର ମହାରାଜାପୁର ଅଞ୍ଚଳରେ ରହୁଥିବା ଭୀମଭୋଇଙ୍କ ଗ୍ରାମଡ଼ିହା ଗ୍ରାମକୁ ରାତ୍ରରେ ମହିମା ଗୋସାଇଁ ନିଜର ପ୍ରଥମ ଶିଷ୍ୟ ସିଦ୍ଧ ଗୋବିନ୍ଦ ବାବାଙ୍କ ସାଙ୍ଗରେ ଆସି ଭୀମଭୋଇଙ୍କୁ ଧର୍ମରେ ଦୀକ୍ଷିତ କଲେ ଏବଂ ନିଜ ଭଜନ ଜଣାଣ ମାଧ୍ୟମରେ ମହିମା ଧର୍ମର ପ୍ରଚାର ପ୍ରସାର କରିବାକୁ ଆଶୀର୍ବାଦ ଦେଲେ ।

ପୂର୍ବରୁ ଭୀମଭୋଇ ଜଣେ ଲୋକକବି ଭାବରେ ନିଜ ଅଞ୍ଚଳରେ ପ୍ରତିଷ୍ଠା ପାଇପାରିଥିଲେ । ଏହା ପରେ ସେ ହେଲେ ମହିମା ଧର୍ମର ଆଦିକବି, ସନ୍ଥକବି ଏବଂ ଜୀବନ୍ତ ଦେବତା ।

ଭୀମଭୋଇ ୧୮୭୭ ମସିହାରେ ତାଙ୍କ ଆଧ୍ୟାତ୍ମିକ ସଙ୍ଗିନୀ ମା ଅନ୍ନପୂର୍ଣ୍ଣା ଏବଂ ଶିଷ୍ୟ ମାନଙ୍କୁ ସାଙ୍ଗରେ ନେଇ ଖଲିଆପାଲିରେ ପହଞ୍ଚନ୍ତି ଏବଂ ଖଲିଆପାଲି ଆଶ୍ରମ ହୁଏ ତାଙ୍କର ସାଧନା, ସିଦ୍ଧି ଏବଂ ସମାଧିକ୍ଷେତ୍ର; ପରବର୍ତ୍ତୀ କାଳରେ ମହିମା ଧର୍ମର ପୁଣ୍ୟପୀଠ ।

ଭୀମଭୋଇ ଥିଲେ ମାନବବାଦୀ ଏବଂ ଉଦାର ଚେତନାର କବି; ପ୍ରେମ ଏବଂ କରୁଣାର ଅବତାର ।

ସମଗ୍ର ବିଶ୍ଵ ବ୍ରହ୍ମାଣ୍ଡର କଲ୍ଯାଣ ନିମନ୍ତେ , ଦୁଃଖ କ୍ଳେଶରେ ଜର୍ଜରିତ ମଣିଷର ମୁକ୍ତି ନିମନ୍ତେ ସେ ବାରମ୍ବାର ଅଶ୍ରୁଳ ନୟନରେ ପ୍ରଭୁଙ୍କ ଠାରେ ପ୍ରାଥନ କରିଛନ୍ତି ଏବଂ ଏହିସବୁ ସମ୍ବେଦନଶୀଳ ପଂକ୍ତି ବିଶ୍ବ ସାହିତ୍ୟର ଅମୂଲ୍ୟ ସମ୍ପତ୍ତ ହୋଇ ରହିଥିବ । ନିମ୍ନତମ ସ୍ତରର ମଣିଷକୁ ଉଦବେଳିତ କଲା ।

ଭୀମଭୋଇଙ୍କ କାବ୍ୟ କବିତା ମାଧ୍ୟମରେ ମହିମା ଧର୍ମ ଦୂରଦୂରାନ୍ତଙ୍କୁ ବ୍ଯାପୀ ଗଲା । ଭକ୍ତ ତଥା ଜନତାଙ୍କ ପାଇଁ ଭୀମଭୋଇ ଏବଂ ମା’ ଅନ୍ନପୂର୍ଣ୍ଣା ଜୀବିତାବସ୍ଥାରୁ ଦେବ ଦେବୀ ରୂପେ ଗୃହୀତ ହୋଇଗଲେ ।

ମାଘମେଳା ଅବସରେରେ ଏକ ଅଷ୍ଟପୀଢ ବେଦୀକାର ଚତୁର୍ପାଶ୍ବରେ ୧୦୮ ଗୋଟି ପୂର୍ଣକୁମ୍ଭ ସ୍ଥାପନ ପୂର୍ବକ ଭୀମଭୋଇ ଏବଂ ମା’ ଅନ୍ନପୂର୍ଣ୍ଣାଙ୍କୁ ବସାଇ ଭକ୍ତ ମାନେ ପୂଜା ଆରାଧନା କଲେ । ଖଲିଆପାଲି ଏକ ମହାପୁଣ୍ୟ କ୍ଷେତ୍ରରେ ରୂପାନ୍ତରିତ ହୋଇଗଲା । ଏଠାରୁ “ଜଗତ ଉଦ୍ଧାର” ମନ୍ତ୍ର ଗଗନ ପବନରେ ନିନାଦିତ ହେଲା ।

୧୮୯୫ ମସିହା ଶିବ ଚତୁର୍ଦ୍ଦଶୀର ବ୍ରାହ୍ମ ମୂହୁର୍ତ୍ତରେ ଭୀମଭୋଇ ଖଲିଆପାଲି ଆଶ୍ରମରେ ଦେହତ୍ୟାଗ କଲେ। ପଟ୍ଟ ଶିଷ୍ୟ ହରିପଣ୍ଡା, ବାସୁପଣ୍ଡା ଏବଂ ମା’ ଅନ୍ନପୂର୍ଣ୍ଣାଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ସମାଧି ନିର୍ମିତି ହେଲା ପରେ ଭୀମଭୋଇଙ୍କ ର୍ପାଶ୍ବରେ ମା’ ଅନ୍ନପୂର୍ଣ୍ଣାଙ୍କୁ ମଧ୍ୟ ସମାଧିସ୍ଥିତ କରାଗଲା।

ଏହାର ପଶ୍ଚାତ୍ ଭାଗରେ ଅର୍ଥାତ ଭୀମଭୋଇଙ୍କ ସାଧନା ସ୍ଥଳରେ ଭୀମଭୋଇ ଏବଂ ମା’ ଅନ୍ନପୂର୍ଣ୍ଣାଙ୍କ ପାଦୁକା ରଖାଯାଇ ପୂଜା ଆରଧନା କରାଯାଉଛି ।

ପ୍ରତ୍ୟହ ଜଗତ ଏବଂ ଭଗତର ମଙ୍ଗଳ ସକାଶେ ଊର୍ଦ୍ଧ୍ଵକୁ ହାତଟେକି ବାବା, ମାତା ତଥା ଭକ୍ତମାନଙ୍କ ଡାକ ଚଉଦିଗରେ ପ୍ରକମ୍ପିତ ହୋଇଥାଏ ।

ସମାଧି ମନ୍ଦିର କବାଟ କେବଳ ପୂର୍ଣ୍ଣମୀ ଦିନ ଭକ୍ତ ମାନଙ୍କ ସକାଶେ ଖୋଲିଥାଏ । କବାଟ ବନ୍ଦ ଥିଲେ ମଧ୍ୟ ଦରଦୀ-ଅନୁଭବୀ ଭକ୍ତଟିଏ ଜ୍ଞାନନେତ୍ରରେ ପ୍ରଭୁଙ୍କୁ ଦେଖିପାରିବ ; ଏହି ପୀଠର ଶକ୍ତିକୁ ଅନୁଭବ କରିପାରିବ ଏବଂ ବିଶ୍ଵପ୍ରେମ ତଥା ଭ୍ରାତୃତ୍ଵ ବୋଧରେ କିଞ୍ଚିତ ଭାବରେ ହେଉ ପଛେ ଅନୁପ୍ରାଣିତ ହୋଇପାରିବ ।

ଭୀମଭୋଇ ଗୋଟିଏ ଭଜନରେ ଲେଖିଛନ୍ତି ;
ଦୁଆରୀ ଜଗି ଅଛି, ଗଳି ନ ପାରେ ମାଛି
ଶତେ କବାଟ ଲାଗି, ମୁଦା ପଡିଛି କଞ୍ଚି
ହସ୍ତରେ ନ ଫିଟଇ, ଅନୁଭବେ ଫିଟୁଛି
ଜ୍ଞାନୀକି ଜ୍ଞାନନେତ୍ର ଝଟଝଟ ଦିଶୁଚି ।

ଏହି ଦେବ ପୀଠକୁ ପ୍ରଣାମ ଜଣାଉଛି ଏବଂ କବିଙ୍କ ଜଗତ ଉଦ୍ଧାର ମନ୍ତ୍ର ଉଚ୍ଚାରଣ କରୁଛି ।

 

ଶ୍ରୀ ବିଷ୍ଣୁପଦ ସେଠୀ ରାଜ୍ୟ ପ୍ରଶାସନରେ ଜଣେ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ।

ବିଷ୍ଣୁପଦ ସେଠୀ
ବିଷ୍ଣୁପଦ ସେଠୀ

Filed Under: ମତାମତ Tagged With: ମହିମା ଧର୍ମ

ସେ କେଉଁ ବିଶ୍ଵବିଦ୍ୟାଳୟର ଛାତ୍ର ?

May 4, 2015 by News Bureau 1 Comment

ବିଷ୍ଣୁପଦ ସେଠୀ

ବିଶ୍ଵ ସାହିତ୍ୟ, ସଂସ୍କୃତି ଏବଂ ଧର୍ମ ଦରବାରକୁ ଓଡିଶାର ମହନୀୟ ଅବଦାନ ହେଉଛି ପ୍ରବୃଦ୍ଧ ଗୁରୁ ମହିମା ଗୋସାଇଁଙ୍କ ଦ୍ଵାରା ପ୍ରଚାରିତ ମହିମା ଧର୍ମ । ଏହି ଧର୍ମକୁ ସାର୍ବଜନୀନ କରିବାରେ ତାଙ୍କର ପଟ୍ଟଶିଷ୍ୟ ସନ୍ଥ କବି ଭୀମଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ତାଙ୍କ ଦ୍ଵାରା ରଚିତ ‘ସ୍ତୁତି ଚିନ୍ତାମଣି’ ମହିମା ଧ୍ରମର ମୁଖ୍ୟ ଧର୍ମଗ୍ରନ୍ଥ । ଅସଂଖ୍ୟ ଭଜନ ରଚନା କରି ସେ ମହିମା ଧର୍ମକୁ ପୁରପଲ୍ଲୀରେ ଜନସାଧାରଣଙ୍କ ମଧ୍ୟରେ ଗ୍ରହଣୀୟ କରିପାରିଥିଲେ।

ବହୁସଂଖ୍ୟକ ଧର୍ମଗ୍ରନ୍ଥ ଯଥା ଆଦିଅନ୍ତ ଗୀତା, ଶ୍ରୁତି ନିଷେଧ ଗୀତା ଇତ୍ୟାଦି ମହିମା ପନ୍ଥୀଙ୍କ ଦ୍ଵାରା ଆଦୃତ ହୋଇଛି।ଗୀତା, ମହାଭାରତ, ରାମାୟଣ, ଉପନିଷଦ, ପୁରାଣ ମାନଙ୍କର ଗୂଢ ଏବଂ ଜଟିଳ ତତ୍ତ୍ୱକୁ ସରଳ ଏବଂ ସାବଲୀଳ ଭାଷାରେ ସେ ବାଖ୍ୟା କରିଛନ୍ତି। ଯୁଗଯୁଗ ଯାଏ ସ୍ତୁତି ଚିନ୍ତାମଣି, ଯାହାକୁ ଭୀମଭୋଇଙ୍କ ସର୍ବଶ୍ରେଷ୍ଠ କୃତ୍ତି ଏକ ଅମୂଲ୍ୟ ସମ୍ପଦ ହୋଇ ରହିବ ।

ଯାହା ଉଲ୍ଲେଖ ଅଛି, ସୋନପୁର ଜିଲ୍ଲାସ୍ଥିତ ଖଲିଆପାଲି ଆଶ୍ରମରେ ସେ ଏକ ସାଙ୍ଗେ ଚାରି ଗୋଟି ଭଜନ ଶ୍ରୁତଲିଖନ ଆକାରରେ ରଚନା କରୁଥିଲେ, ଚାରି ଜଣ ଶିଷ୍ୟଙ୍କ ମାଧ୍ୟମରେ । କିଏ କୁହେ ସେ ଜନ୍ମରୁ ଅନ୍ଧ ଥିଲେ।

bishnupada_sethiଏକ ଦରିଦ୍ର କନ୍ଧ ପରିବାରରେ ଜନ୍ମ ଗ୍ରହଣ କରି, ବାଲ୍ୟ କାଳରୁ ଅନାଥ ଭାବେ ବହୁ କଷ୍ଟରେ ମୂଲ ଲାଗି ଗାଈ ଚରାଇ ପେଟ ପୋଷୁଥିଲେ। ଜୀବନ ଯନ୍ତ୍ରଣାରେ ଜର୍ଜରିତ ଭୀମଭୋଇ ତାଙ୍କର ଦୁଃଖ ବର୍ଣ୍ଣନା କରିଛନ୍ତି ତାଙ୍କର ଲେଖା ମାଧ୍ୟମରେ ।

ଏହା ସମସ୍ତଙ୍କୁ ବିସ୍ମିତ କରେ ଯେ ଏତେ ପାଣ୍ଡିତ୍ୟ ସେ କେଉଁଠୁ ପାଇଲେ। ସେ କେଉଁ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ? ତାଙ୍କ ରଚନା ସବୁରେ ଯେଉଁ ଗୁଢତତ୍ତ୍ଵ ଏବଂ ବିରଳ ଶିକ୍ଷା ଲିପିବଦ୍ଧ ହୋଇଛି ସେ ସବୁ ବିନା ଅଧ୍ୟୟନରେ ବୁଝିବା ସମ୍ଭବ ନୁହେଁ।

ବିନା ପାଠପଢାରେ ସେ ଯେଉଁ ଜ୍ଞାନାଲୋକରେ ଉଦ୍ଦଭାସିତ ହେଉଥିଲେ, ତାର ସତ୍ତା ଜାଣିବାକୁ ହେଲେ ତାଙ୍କର କୃତିରାଜିକୁ ଅଧ୍ୟୟନ କରିବା ଜରୁରି। ଏହାଛଡା ଅନ୍ୟ କୌଣସି ସୂତ୍ର ନାହିଁ। ସେ ‘ସ୍ତୁତି ଚିନ୍ତାମଣି’ ରେ ଲେଖିଛନ୍ତି-

“ପିତାମାତା ଦୁଇ ଯୁଗଳରେ
ଯାଇ ଅବନୀରେ କଲେ ଜାତ
ପୂର୍ବକାଳ ଘୋର ତପସ୍ୟା ପୂର୍ଣ୍ଣରୁ
ହୋଇଲି କବି ପଣ୍ଡିତ।
ଜନନୀ ଉଦର ଗୋପ ମଧୁପୁର
ପାଶୋର ନ ଯାଏ ଚିତ୍ତୁ
ମାତୃ ଗର୍ଭଗତେ ପାଠ ପଢିଥିଲି
ଟିକେ ଟିକେ ଅଛି ହେତୁ।”
(ଦ୍ଵାବିଂଶ ବୋଲି -ପଦ ୧୮-
୧୯) ପୁନଶ୍ଚ-
ପିତା ଅଟନ୍ତି ମୋ ଅନାଦି ଠାକୁର,
ମାତା ଆଦି ଶକ୍ତି ନାରୀ।
ଦୂତୀ ଯୁଗଳରୁ ଜନମ ଲଭିଛି ,
କବିକୃତ କଳା ଧରି।”
(ତ୍ରିଂଶବୋଲି -ପ୍ରଥମ ପଦ)

ଭୀମଭୋଇ ଥିଲେ ଗୋଟାପଣେ ସତ୍ୟସନ୍ଧ। ସେ ବାରମ୍ବାର ଘୋଷଣା କରିଛନ୍ତି ଯେ ଯେଉଁଠି ସତ୍ୟ ନାହିଁ ସେହିଠାରେ ପ୍ରଭୁ ମଧ୍ୟ ନାହାନ୍ତି । ତାଙ୍କ ଅଧ୍ୟୟନ ଏବଂ ପ୍ରତିଭାର ସ୍ରୋତ ସମ୍ବନ୍ଧରେ ସେ ତିନୋଟି ବିଷୟରେ ଉଲ୍ଲେଖ କରିଛନ୍ତି।

ପ୍ରଥମରେ ସେ କହିଛନ୍ତି ଯେ ସେ ମାତୃଗର୍ଭରେ ଥିଲା ସମୟରେ କିଛି କିଛି ପାଠ ପଢିଛନ୍ତି। ଏହି ଦିବ୍ୟାତ୍ମାଙ୍କ ଏତାଦୃଶ ଉକ୍ତିରେ ବିସ୍ମିତ ହେବାର ନହିଁ। ମହାଭାରତରେ ମଧ୍ୟ ବର୍ଣ୍ଣନା ଅଛି ଯେ ଅଭିମନ୍ୟୁ ମାତୃଗର୍ଭରେ ଥିବା ସମୟରେ ଚକ୍ରବ୍ୟୂହର ଭେଦ ଜାଣିଥିଲେ।

ଦ୍ଵିତୀୟ କଥା ହେଲା, ପୂର୍ବ ଜନ୍ମର ତପସ୍ୟା ଫଳରେ ତାଙ୍କୁ କବିତ୍ଵପ୍ରାପ୍ତ ହୋଇଛି ଏବଂ ସେ ମାତୃଗର୍ଭରୁ କବିତ୍ଵ କଳା ଗ୍ରହଣ କରି ଜନ୍ମଲାଭ କରିଛନ୍ତି। ତୃତୀଯରେ ଭୀମଭୋଇ ଆଉ ଏକ ମାଧ୍ୟମରୁ ଶିକ୍ଷା ଲାଭ କରିଥିବାର ପ୍ରକାଶ କରିଛନ୍ତି, ଯାହା ହେଉଛି ‘ଅନୁଭବ’। ସ୍ଵୀୟ ରଚନାରେ ସେ ଲେଖିଛନ୍ତି- “ଅନୁଭବରେ ଜ୍ଞାନ ଭେଦ, ସଋ ନୁହଇ ଚାରିବେଦ”। (ନିର୍ବେଦ ସାଧନା)

ଜ୍ଞାନ ନୁହେଁ, ବୁଦ୍ଧି ନୁହେଁ, କଲ୍ପନା ନୁହେଁ, ଅନଭବ ହିଁ ଧର୍ମ ଜ୍ଞାନର ଏକ ମାତ୍ର କଷଟି। ଧର୍ମ ଏବଂ ଦର୍ଶନ କ୍ଷେତ୍ରରେ ଏହା ସମସ୍ତ ଦିଗରୁ ସ୍ଵୀକୃତ। ଏହି ତତ୍ତ୍ଵକୁ ଭୀମଭୋଇ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରି ଈଶ୍ଵରୀୟ ସିଦ୍ଧିପ୍ରାପ୍ତ ହୋଇଥିଲେ, ଯାହାକି କେବଳ ତାଙ୍କ ସଦୃଶ ଯୁଗପୁରୁଷଙ୍କ ଠାରେ ସମ୍ଭବ।

କମିଶନର ତଥା ଶାସନ ସଚିବ,
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ,
ଓଡିଶା ସରକାର

News Bureau
News Bureau

Filed Under: ଧର୍ମ Tagged With: କବି ବିଷ୍ଣୁପଦ ସେଠୀ, ଖଲିଆପାଲି, ପୁସ୍ତକ ସମୀକ୍ଷା, ବିଷ୍ଣୁପଦ ସେଠୀ, ଭୀମଭୋଇ, ମହିମା ଧର୍ମ

ଯୋରନ୍ଦା ମେଳାରେ ୪ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ

February 25, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ,ଫେବୃଆରୀ ୨୫ (ଓଡ଼ିଶା ଡ଼ଟ୍ କମ୍), ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ରବିବାର ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହୋଇଛି । ଏହି ମେଳାରେ ପ୍ରାୟ ୪ଲକ୍ଷରୁ ଅଧିକ ମହିମା ଧର୍ମାବଲମ୍ବୀ ଭକ୍ତଙ୍କ ସମାଗମ ହୋଇଛି ।

ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଆସାମ, ବିହାର, ରାୟପୁର ସମେତ ଓଡ଼ିଶାର ପୁରପଲ୍ଲୀରୁ ବହୁ ଭକ୍ତଙ୍କ ସମାଗମ ହୋଇଛି । ଏହି ମେଳାର ମୁଖ୍ୟ ଆର୍କଷଣ ହେଉଛି ଝାଡ଼ଦୀପ ପ୍ରଜ୍ୱଳନ ଦେଖିବା ।

ଏହି ଦୀପ ପ୍ରଜ୍ୱଳନ ଦେଖିବା ପାଇଁ ଭକ୍ତମାନେ ଅପରାହ୍ଣ ୩ଟାରୁ ବତି ମନ୍ଦିର, ଗାଦି ମନ୍ଦିର, ଜ୍ୟୋତି ମନ୍ଦିର, ଶୂନ୍ୟ ମନ୍ଦିର, ଧୁନି ମନ୍ଦିର ଓ ଏକୋଇଶି ହାତିଆ ମନ୍ଦିରରେ ରୁଣ୍ଡ ହୋଇଥିଲେ ।

ଭୋର ୩ଟା ବେଳେ ସାଧୁମାନେ ପୀଠକୁ ଝାଡ଼ୁରେ ପରିଷ୍କାର କରିଥିଲେ । ନୀତି କୂଅରୁ ରୁପା ଗରାରେ ପାଣି ଆଣି ଧୁଆଯିବା ପରେ ସୁନା ଗିନାରେ ଚନ୍ଦନ ପାଣି ଛିଞ୍ଚାାଯାଇଥିଲା ।
ଏହାପରେ ମହିମାଗାଦି ବଳ୍କଳଧାରୀ ସମାଜର ମୁଖ୍ୟ ନରେନ୍ଦ୍ର ବାବା ରୁପା ଝାଡ଼ୁରେ ଛେରାପହଁରା କରିଥିଲେ ।

୬୦ଟି ରୁପା ଚାମରରେ ସାଧୁମାନେ ଚାମର ସେବା କରିଥିଲେ । ଅପରାହ୍ଣ ୫ଟାରେ ଝାଡ଼ଦୀପ ପ୍ରଜ୍ୱଳନ କରାଯାଇଥିଲା । ରାତି ୧ଟା ପର୍ଯ୍ୟନ୍ତ ଗାଦିମନ୍ଦିର ଓ ଅନ୍ୟ ଉପାସନା ପୀଠଗୁଡ଼ିକରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗାଦି ମନ୍ଦିର, ଜ୍ୟୋତି ମନ୍ଦିର, ଧୁନି ମନ୍ଦିର, ମହିମା ଧର୍ମ, ଶୂନ୍ୟ ମନ୍ଦିର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ