• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟମନ୍ତ୍ରୀ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରଲୋକ

April 21, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୂବନେଶ୍ଵର, ଏପ୍ରିଲ ୨୧ (ଓଡିଶା ଡଟ କମ) ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମଙ୍ଗଳବାର ତିରୁପତି ଠାରେ ୮୯ ବୟସରେ ପରଲୋକ ହୋଇଯାଇଛି । ତାଙ୍କର ବିଯୋଗରେ ରାଜ୍ୟରେ ତଥା ରାଜ୍ୟ ବାହାରେ ଶୋକର ଛାୟା ଖେଳି ଯାଇଛି ।

???????????????????????????????ତିରୁପତି ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠର ମଙ୍ଗଳବାର ହେବାକୁ ଥିବା ୧୮ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାପାଇଁ ପଟ୍ଟନାୟକ ସୋମବାର ତିରୁପତି ଯାଇ ସେଠାରେ ଅବସ୍ଥାନ କରୁଥିଲେ।

ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଡ।କ୍ଟରଖାନ।ରେ ଭର୍ତ୍ତି କରଯାଇଥିଲା । ସେଠାରେ ମଙ୍ଗଳବାର ପ୍ରାତଃ ତିନିଟା ବେଳେ ସେ ତାଙ୍କ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ, ତାଙ୍କ ଜ୍ଵାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓଡିଶା ଡଟ କମ କୁ କହିଛନ୍ତି ।

ତାଙ୍କ ବିୟୋଗରେ ରାଜ୍ୟସରକାର ମଙ୍ଗଳବାର ଛୁଟି ଦିନ ଭାବେ ଘୋଷଣା କରିଛନ୍ତି ଓ ରାଜ୍ୟରେ ସାତଦିନ ଧରି ଶୋକ ପାଳନ କରିବାକୁ ନିଷ୍ପତ୍ତି କରିଛନ୍ତି । ପଟ୍ଟନାୟକଙ୍କ ମରଶରୀର ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ଵର ପହଞ୍ଚିବ । ତାଙ୍କ ଶେଷକୃତ୍ୟ ପୁରୀଠାରେ ବୁଧବାର ଅନୁଷ୍ଠିତ ହେବ ।

୩ ଜାନୁଆରୀ ୧୯୨୭ରେ ପୁରୀ ଜିଲ୍ଲାର ରାମେଶ୍ଵରଠାରେ ଜନ୍ମଗହଣ କରିଥିବା ପଟ୍ଟନାୟକ ପାଞ୍ଚଥର ବିଧାନସଭାକୁ ଓ ଦୁଇଥର ଲୋକସଭାକୁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବାସହ ଆସାମର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ଭାବେ କାର୍ଯ୍ୟ କରିଥିଲେ।

ସେ ଜଣେ ସଫଳ ରାଜନୈତିକ ନେତାଭାବେ ନିଜକୁ ପ୍ରତିପାଦିତ କରିବା ସହ ଜଣେ ବାଗ୍ମୀ, ସାମ୍ୱାଦିକ ଓ ସାରସ୍ୱତ ସ୍ରଷ୍ଟା ସାହିତ୍ୟିକ ଭାବେ ଉଚ୍ଛ ପ୍ରଶଂସା ଲାଭ କରିଥିଲେ ।

୧୯୪୭ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ
ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ସେ ହାସଲ କରିଥିଲେ । ଏହାପରେ ସେ ‘ଇଷ୍ଟର୍ଣ୍ଣ ଟାଇମ୍‍ସ’ ଖବରକାଗଜରୁ ସାମ୍ୱାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୫୦ରେ ଏହାର ଯୁଗ୍ମ ସମ୍ପାଦକ ଓ ଦୁଇବର୍ଷ ପରେ ଏହାର ସମ୍ପାଦକ ହୋଇଥିଲେ ।

ଏହା ସହ ସେ ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ମଧ୍ୟ ସମ୍ପାଦକ ହୋଇଥିଲେ । ୧୯୬୭ ପର୍ଯ୍ୟନ୍ତ ସେ ଉଭୟ ଖବରକାଗଜର ସମ୍ପାଦକ ରହି ଅ।ସିଥିଲେ
। ୧୯୬୭ ଜୁଲାଇରେ ସେ “ପୌରୁଷ’ ପତ୍ରିକା ପ୍ରତିଷ୍ଠା ଓ ସଂପାଦନା କରିଥିଲେ । ସେ ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ରହିବା ସହ ୧୯୫୦ ମସିହାରେ ସେ ରାଜ୍ୟ ଯୁବକଂଗ୍ରେସ ସଭାପତି ଥିଲେ । ୧୯୫୪ରୁ ୧୯୬୦ ମସିହା ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ରହି ଆସିଥିଲେ ।

୧୯୭୧ ମସିହାରେ ସେ ପ୍ରଥମ ଥର ଲାଗି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟ୍‍ରେ ୧୯୭୩ରୁ ୧୯୭୫ ପର୍ଯ୍ୟନ୍ତ ସେ ପ୍ରତିରକ୍ଷା ଉପମନ୍ତ୍ରୀ ଓ ପରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ।

୧୯୮୦ ଜାନୁଅ।ରୀ ସାଧାରଣ ନିର୍ବାଚନରେ ପୁଣିଥରେ ଲୋକ ସଭାକୁ ନିର୍ବାଚିତ ହୋଇ ସେ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ । ୧୯୮୦ ଜୁନ ମାସରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ ଓ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ବିଜୟୀ ହୋଇଥିଲେ ।

ଦ୍ୱିତୀୟ ଥର ପାଇଁ ୧୯୮୫ ନିର୍ବାଚନରେ ସେ ଉଭୟ ଖୋର୍ଦ୍ଧା ଓ ଆଠଗଡ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଜାନକୀବଲ୍ଲଭଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ବ୍ୟାପକ ଔଦ୍ୟୋଗିକ ବିକାଶ ଘଟିଥିଲା । ହଜାରେ ଦିନରେ ହଜାରେ ଶିଳ୍ପ ତାଙ୍କର ସ୍ଲୋଗାନ ଥିଲା ଓ ସେ କ୍ଷୁଦ୍ର ଓ ମଧ୍ୟମଶିଳ୍ପ ପ୍ରତିଷ୍ଠା ଦିଗରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ତାଙ୍କ ସମୟରେ ହୋଟେଲ ବ୍ୟବସାୟକୁ ରାଜ୍ୟରେ ଶିଳ୍ପର ମାନ୍ୟତା ମିଳିଥିଲା । ୧୯୯୫ ମସିହାରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୯ ମସିହାରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାନକୀବଲ୍ଲଭଙ୍କୁ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ସେହିବର୍ଷ ଡିସେମ୍ୱର ୧୧ତାରିଖରେ ସେ ଏହି ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଗତ ବର୍ଷ ଅବସର ଗ୍ରହଣ କରିଥିଲେ ।

ଜାନକୀବଲ୍ଲଭଙ୍କ ଅନୁବାଦିତ ପୁସ୍ତକ, ସାହିତ୍ୟ ସର୍ଜନା ଓ କଳାକୃତିର କେତେକ ନିଦର୍ଶନ ହେଲା ସିନ୍ଧୁ ଉପତ୍ୟକା (କାବ୍ୟ), ଗୌତମ ବୁଦ୍ଧ (ଚରିତଗାଥା) , ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ (ଗଳ୍ପ ସଙ୍କଳନ) , ସ୍ଵପ୍ନ ସନ୍ତକ (ପ୍ରବନ୍ଧ ସଙ୍କଳନ), ନିର୍ବାଚିତ ପ୍ରବନ୍ଧ (ପ୍ରବନ୍ଧ ସଙ୍କଳନ), ବିବିଧ ସ୍ତମ୍ଭ (ପ୍ରବନ୍ଧ ସଙ୍କଳନ), ପ୍ରବନ୍ଧ ସଙ୍କଳନ, ମହାଭାରତ, ରାମାୟଣ ଓ ସ୍ଵାଧୀନତା ସଂଗ୍ରାମର ସ୍ମୃତି ।

ତାଙ୍କ ଲିଖିତ ଅନ୍ୟ କେତେକ ପୁସ୍ତକ ହେଲା ବାଚସ୍ପତି ମହୋଦୟ (୨୦୧୨): ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବିରୋଧୀ ଦଳର ନେତାଭାବେ ଓଡ଼ିଶା ବିଧାନସଭାରେ ଦେଇଥିବା ବକ୍ତବ୍ୟ ଗୁଡ଼ିକର ସଙ୍କଳନ ଅନୁବାଦ (ସମ୍ପାଦନା) ରାଜା ଭର୍ତ୍ତୃହରି ପ୍ରଣୀତ ନୀତି ଶତକ, ଶୃଙ୍ଗାର ଶତକ ଓ ବୈରାଗ୍ୟ ଶତକର ଓଡିଆ କାବ୍ୟାନୁବାଦ ବଙ୍କିମ ଉପନ୍ୟାସ ମାଳା (ଛଅ ଖଣ୍ଡ) ଶ୍ରୀମଦ ଭାଗବତର ଗଦ୍ୟାନୁବାଦ ଓ ଗୋକୁଳାନନ୍ଦ ଗ୍ରନ୍ଥାବଳି ସମ୍ପାଦନା (ସମ୍ପାଦନା)।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: କଂଗ୍ରେସ, କେନ୍ଦ୍ରମନ୍ତ୍ରୀ, ଜାନକୀ, ବିରୋଧିଦଳ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ରାଜ୍ୟସରକାର, ସାମ୍ୱାଦିକ

୩୨୭ ଟି ପୋଲିସ ସବ-ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ନିର୍ଦ୍ଦେଶ

April 20, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର,ଏପ୍ରିଲ ୨୦(ଓଡିଶା ଡଟ କମ) ରାଜ୍ୟରେ ଖାଲି ପଡିଥିବା ୩୨୭ ଟି ପୋଲିସ ସବ-ଇନିସପେକ୍ଟର ଏବଂ ୨୪ଟି ସର୍ଜେଣ୍ଟ ପଦବୀ ପୂରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ଅନୁମୋଦନ କରିଛନ୍ତି।

ଏହି ପଦବୀ ଗୁଡିକ ଷ୍ଟାଫ ସିଲେକସନ କମିଶନ ଜରିଆରେ ସିଧାସଳଖ ଭାବେ ପୂରଣ କରାଯିବ ।

ସୂଚନାଯୋଗ୍ୟଯେ, ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ଗୁଡିକ ତୁରନ୍ତ ପୂରଣ ପାଇଁ ନିକଟରେ ଏକ ବୈଠକରେ, ବିଭିନ୍ନ ବିଭାଗ ଓ ନିଯୁକ୍ତି ଆୟୋଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ମୁଖ୍ୟମନ୍ତ୍ରୀ, ଷ୍ଟାଫ ସିଲେକସନ, ସବ-ଇନ୍ସପେକ୍ଟର

ଓଡିଆଭାଷାକୁ ସମ୍ମାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯିବ ଲକ୍ଷେ ଚିଠି

April 20, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୨୦ (ଓଡିଶା ଡଟ କମ) ସରକାରୀ ଅଫିସ, ନ୍ୟାୟାଳୟ, ବାଣିଜ୍ୟ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ କାର୍ଯ୍ୟ।ଳୟ ମାନଙ୍କରେ ଓଡିଆ ଭାଷାର ବ୍ୟବହାର ନିଶ୍ଚିତ କରିବାକୁ ରାଜ୍ୟର ଭାଷାପ୍ରେମୀ ମାନେ ଖୁବ ଶିଘ୍ର ଏକଲକ୍ଷ ଚିଠି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଲେଖିବେ।

ଓଡିଆ ଭାଷା ସୁରକ୍ଷା ସମ୍ମିଳନୀ ତରଫରୁ ଭୁବନେଶ୍ଵର ଜୟଦେବ ଭବନ ଠାରେ ରବିବାର ଆୟୋଜିତ ସଂସ୍ଥାର ସାଧାରଣ ଅଧିବେଶନରେ ଏହାର ଆବାହକ ତଥା ସାଂସଦ ବୈଷ୍ଣବ ପରିଡା ନିଜ ଉଦବୋଧନରେ କହିଛନ୍ତି ।

ଏହି ଚିଠି ମୁଖ୍ୟମନ୍ତ୍ରୀଙ୍କ ନାମ ଓ ଠିକଣାରେ ଖୁବ ଶୀଘ୍ର ପଠାଯିବ । ଆଗାମୀ ବିଧାନସଭା ପୂର୍ବରୁ ରାଜଧାନୀ ଠାରେ ପ୍ରାୟ ପାଞ୍ଚ ହଜାର ଲେଖକ, ଛାତ୍ର ଛାତ୍ରୀ, ଓ ବୁଦ୍ଧିଜୀବୀଙ୍କୁ ନେଇ ଏକ ଗଣଧରଣ ମଧ୍ୟ ଆୟୋଜନ କରାଯିବ ବୋଲି ସେ କହିଛନ୍ତି ।

 

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: ଓଡିଆଭାଷା, ନ୍ୟାୟାଳୟ, ବାଣିଜ୍ୟ, ମୁଖ୍ୟମନ୍ତ୍ରୀ, ଶିକ୍ଷାନୁଷ୍ଠାନ

ଆରମ୍ଭ ହେଲା କଳିଙ୍ଗ ଟିଭି

April 19, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୧୮ (ଓଡିଶା ଡଟ କମ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଚବିଶ ଘଣ୍ଟିଆ ନ୍ୟୁଜ୍ ଟେଲିଭିଜନ ଚ୍ୟାନେଲ୍ କଳିଙ୍ଗ ଟିଭି ର ଉଦଘାଟନ ହୋଇଯାଇଛି ,ଯାହାର ଟ୍ୟାଗ୍ ଲାଇନ୍ ରହିଛି ” କଳିଙ୍ଗ ଟିଭି ‘କହେ ଠିକ ..ଦେଖାଏ ଠିକ..’ ।

ବିଶିଷ୍ଟ ସ୍ଵେଚ୍ଛାସେବୀ ତଥା କିଟ ଓ କିସ ସ୍ଥାପନ କରି ଦେଶ ବିଦେଶରେ ନିଜର ସ୍ଵତନ୍ତ୍ର ପରିଚୟ ସ୍ତୃଷ୍ଟି କରିଥିବା ଅଚ୍ୟୁତ ସାମନ୍ତଙ୍କ ଏହା ଆଉ ଏକ ନୂଆ ପ୍ରକଳ୍ପ ।

kalinga tvଚ୍ୟାନେଲର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ “ଓଡିଶାରେ ଗଣ ମାଧ୍ୟମର ବ୍ୟାପକ ବିକାଶ ଘଟିଛି । ବହୁ ସଂଖ୍ୟ।ରେ ଖବର କାଗଜ ଓ ଟିଭି ଚ୍ୟାନେଲ୍ର ରାଜ୍ୟରେ ପ୍ରସାରିତ ହେଉଥିବା ଏହା ପ୍ରମାଣିତ କରୁଛି । ଗଣମାଧ୍ୟମ ଯୋଗୁ ଦେଶବାସୀଙ୍କ ନିକଟରେ ସରକାର ସେବା ପହଞ୍ଚାଇ ପାରୁଛନ୍ତି । ଗଣମାଧ୍ୟମର ପ୍ରସାର ଗଣତନ୍ତ୍ର ପାଇଁ ଆବଶ୍ୟକ ।

ସେ କଳିଙ୍ଗ ଟିଭି ର ସଫଳତା କାମନା କରିଥିଲେ ଓ କହିଥିଲେ ଏହି ଚ୍ୟାନେଲ ରାଜ୍ୟର କଳା ସଂସ୍କୃତି ଓ ଲୋକଙ୍କ ସମସ୍ୟା ଏବଂ ବିକାଶମୂଳକ କାମପ୍ରତି ପ୍ରାଧାନ୍ୟ ଦେଇ ତାର ଦାୟିତ୍ୱ ନିଶ୍ଚିତ ପୂରଣ କରିବ ।

ଏଥିରେ ସମ୍ମାନୀୟ ଅତିଥି ଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସୂଚନା ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଚ୍ୟାନେଲ ର ୱେବସାଇଟ୍ କୁ ଉଦଘାଟନ କରିଥିଲେ। ନିଜର ଅଭିଭାଷଣରେ କହିଥିଲେ ଯେ ,ତାଙ୍କର ଏହି ଚ୍ୟାନେଲ ଲୋକଙ୍କ ନିକଟରେ ନିର୍ଭୁଲ ଓ ନିରପେକ୍ଷ ଖବର ପହଞ୍ଚାଇବ ।

ଭୁବନେଶ୍ଵର ଏମପି ପ୍ରସନ୍ନ କୁମାର ପାଟ୍ଟଶାଣୀ ନିଜ ବକ୍ତବ୍ୟ ରେ କହିଥିଲେ,’କଳିଙ୍ଗ ନାମରେ ଓ ଜଗନ୍ନାଥଙ୍କ ନବକଳେବର ବର୍ଷ ରେ ଏହା ଆରମ୍ଭ ହୋଇଥିବାରୁ ଏହାକେବେ ବିଫଳ ହେବ ନାହି, ନିଶ୍ଚିତ ସଫଳତା ହାସଲ କରିବା ଯିବ ଓ ସଭିଙ୍କ ପ୍ରିୟ ହୋଇପାରିବ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭୁବନେଶ୍ଵର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ତାଙ୍କ ବକ୍ତବ୍ୟ ରେ କହିଥିଲେ ଗଣମାଧ୍ୟମ ହେଉଛି ଗଣତନ୍ତ୍ର ର ଏକ ସୁଦୃଢ ସ୍ତମ୍ଭ । ଅଚ୍ୟୁତ ସାମନ୍ତ ଜଣେ ଦୂରଦ୍ରଷ୍ଠା ବ୍ୟକ୍ତି ଅଟନ୍ତି, ତେଣୁ ତାଙ୍କର ଏହି କଳିଙ୍ଗ ଟିଭି ନିଶ୍ଚିତ ଲୋକ ପ୍ରିୟ ହେବ।

କଳିଙ୍ଗ ଟିଭିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ନିଜର ଅଭିଭାଷଣରେ କହିଥିଲେ ଯେ ,ତାଙ୍କର ଏହି ଚ୍ୟାନେଲ ଲୋକଙ୍କ ନିକଟରେ ସକାରାତ୍ମକ ନିର୍ଭୁଲ ଓ ନିରପେକ୍ଷ ଖବର ପହଞ୍ଚାଇବ । କଳିଙ୍ଗ ଟିଭିର ପରିଚାଳନା ନିର୍ଦେଶକ ହିମାଂଶୁ ଶେଖର ଖଟୁଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସଭା ସମିତି Tagged With: କଳିଙ୍ଗ ଟିଭି, ଗଣମାଧ୍ୟମ, ବିକାଶ, ମୁଖ୍ୟମନ୍ତ୍ରୀ, ଲୋକାର୍ପଣ

ନିଜକୁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ’ ଦାବି କରି ମହିଳାଙ୍କ ପାଟିତୁଣ୍ଡ

April 18, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୧୮ (ଓଡିଶା ଡଟ୍ କମ୍) ନିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ତ୍ରୀ ଦାବିକରି ଜଣେ ମହିଳା ନବୀନ ନିବାସ ସାମନାରେ ପାଟିତୁଣ୍ଡ କରିଛନ୍ତି। ପରିସ୍ଥିତି ଏଭଳି ଅସମ୍ଭାଳ ହୋଇଛି ଯେ ଘଟଣାରେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଛି ।

Naveenଶୁକ୍ରବାର ସ୍ଵର୍ଗତ ବିଜୁବାବୁଙ୍କର ଶ୍ରାଦ୍ଧ ଦିବସରେ ଭୁବନେଶ୍ଵରରେ ଏହି ବିଚିତ୍ର ଘଟଣା ଘଟିଥିବା କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।ପିଣ୍ଡଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ପୁରୀ ଅଭିମୁଖେ ବାହାରିବା ସମୟରେ ନବୀନ ନିବାସ ଆଗରେ ୩୮ ବର୍ଷୀୟ ଏହି ମହିଳା ପହଞ୍ଚି ଭିତରକୁ ଯିବା ପାଇଁ ଉଦ୍ୟମ କଲେ ।

ସୁରକ୍ଷା କର୍ମୀ ତାଙ୍କୁ ବାରଣ କରିବାରୁ ସେ ସୁରକ୍ଷା କର୍ମୀଙ୍କୁ ଧମକ ଦେଇ କହିଲେ, ” ମୁ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ,ଆଜି ହେଉଛି ମୋ ଶ୍ଵଶୁରଙ୍କ ଶ୍ରାଦ୍ଧ, ମୋ ସ୍ଵାମୀଙ୍କ ସହ ମିଶି ଶ୍ରାଦ୍ଧ ଦେବି, ତିଳତର୍ପଣ କରିବି,ମୋତେ ଅଟକେଇବାକୁ ତୁମେ କିଏ ? ଭିତରକୁ ଛାଡିବା ନ ଏବେ ଦେଖିବ”?

ଦୈନିକ ସଂବାଦ ଖବରକାଗଜରେ ପ୍ରକାଶିତ ଏହି ଖବର ଅନୁସାରେ ଏହି ମହିଳା ଜଣକ ସାଙ୍ଗରେ ଅରୁଆ ଚାଉଳ ଓ ଶ୍ରାଦ୍ଧ ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ଆଣିଥିଲେ । ସେ ଏକ ହାଇସ୍କୁଲ ଦିଦି ପିନ୍ଧୁଥିବା ଶାଢୀ ପିନ୍ଧିଥିଲେ ।
ସୁରକ୍ଷା କର୍ମୀମାନେ ତାଙ୍କୁ ଭିତରକୁ ନଛାଡିବାରୁ ସେ ବହୁତ ପାଟିତୁଣ୍ଡ କରିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ସୁରକ୍ଷା କର୍ମୀମାନେ ତାଙ୍କୁ ପୁଲିସ ହାତରେ ଦେଇଦେଇଥିଲେ ।

ପୁଲିସ ପଚରାଉଚର କରିବା ପରେ ଜଣାପଡିଲା ଯେ, ଏହି ମହିଳା ଜଣକଙ୍କ ନାମ ରାଜଶ୍ରୀ ମହାନ୍ତି ଓ ସେ ବିବାହିତା। ଗତ କେତେବର୍ଷ ହେଲା ସ୍ଵାମୀଙ୍କ ସହ ତାଙ୍କର ଭଲ ସଂପର୍କ ନାହିଁ । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁ ଗ୍ରାମର ଏହି ମହିଳା ଏକ ସରକାରୀ ସ୍କୁଲରେ ହିନ୍ଦୀ ଶିକ୍ଷୟତ୍ରୀ ଭାବେ କାମ କରୁଥିଲେ। ଏବେ ୟୁନିଟ୍ ୮ ର ଏକ ସ୍କୁଲରେ ସେ ହିନ୍ଦୀ ଶିକ୍ଷୟତ୍ରୀଭାବେ ଯୋଗ ଦେଇଛନ୍ତି ।

ମହିଳାଙ୍କ ଏଭଳି ଆଚରଣ ଦେଖି ସେ ଏକ ମାନସିକ ରୋଗୀ ହୋଇଥିବା ପୁଲିସ ସନ୍ଦେହକରି ତାଙ୍କୁ ଜଟଣୀ ସ୍ଥିତ ସର୍ଟ ଷ୍ଟେ ହୋମ ପଠାଇବା ବେଳେ ଉକ୍ତ ମହିଳାଙ୍କର ଭଉଣୀ ତାଙ୍କୁ ଛାଡିଦେବା ପାଇଁ ପୁଲିସ କୁ ନିବେଦନ କରିବାରୁ ପୁଲିସ ତାଙ୍କୁ ଛାଡି ଦେଇଥିଲା ।

ଓଡିଶା ଡଟ୍ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ପାଟିତୁଣ୍ଡ, ପୁଲିସ, ମହିଳା, ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହାୟତା ରାଶି ବୃଦ୍ଧି

April 16, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୧୬ (ଓଡିଶା ଡଟ କମ) ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯାଉଥିବା ସହାୟତା ପରିମାଣରେ ବୃଦ୍ଧି ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଛସ୍ତରୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Naveenଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ କାରଣରୁ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସହାୟତା ପାଉନଥିବା ବ୍ୟକ୍ତିମାନେ ଏଣିକି ସେମାନଙ୍କ ଚିକିତ୍ସା ଖର୍ଚର ଚାଳିଶ ପ୍ରତିଶତ ଅଥବା ସର୍ବାଧିକ ୭୫୦୦୦ ଟଙ୍କା ସହାୟତା ଏହି ପାଣ୍ଠିରୁ ପାଇପାରିବେ ।

ହୃଦରୋଗ, କ୍ୟାନସର, ଏବଂ କିଡନି ଚିକିତ୍ସା କ୍ଷେତ୍ରରେ ଏହି ସହାୟତା ରାଶି ସର୍ବାଧିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଆବେଦନ କରୁଥିବା ଗ୍ରାମାଞ୍ଚଳର ହିତାଧିକାରୀ ମାନଙ୍କ ବାର୍ଷିକ ଆୟର ସୀମା ୪୦,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଜରୁରୀ କ୍ଷେତ୍ରରେ ଜିଲ୍ଲାପାଳ ମାନେ ହିତାଧିକାରୀ ମାନଙ୍କୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦେଇପାରିବେ । ପୂର୍ବରୁ ଏହା ୨୦,୦୦୦ ଟଙ୍କାରେ ସୀମିତ ଥିଲା ।

ବିଭିନ୍ନ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି, ଗରିବ ଲୋକଙ୍କୁ ରେଫେରାଲ ହାସପାତାଲରେ ପହଞ୍ଚାଇବ।, ଗମ୍ଭୀର ରୋଗରେ ପୀଡିତ ବ୍ୟକ୍ତି ମାନଙ୍କୁ ଔଷଧ ଖର୍ଚ, ଭିନ୍ନକ୍ଷମ, ଅନାଥ, ଗରିବ ଓ ନିସହାୟ ବିଧବା ମହିଳାଙ୍କ ଥଇଥାନ ଆଦି ନିମନ୍ତେ ଜିଲ୍ଲାପାଳ ସହାୟତା ଦେଇପାରିବେ ।

ସେହିପରି ଜରୁରୀ କ୍ଷେତ୍ରରେ ଉପଜିଲ୍ଲାପାଳ ମାନେ ହିତାଧିକାରୀଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦେଇପାରିବେ । ପୂର୍ବରୁ ଏହା ପାଞ୍ଚ ହଜାରରେ ସୀମିତ ଥିଲା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଉପଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ରିଲିଫ ପାଣ୍ଠି

ଉଡନ୍ତା ନେତା ଓ ବୁଡନ୍ତା ରାଜ୍ୟର କାହାଣୀ

April 16, 2015 by ନିଉଜ ଡେସ୍କ Leave a Comment

କେଦାର ମିଶ୍ର

ନବୀନ ନିବାସରୁ ରେଭେନସା କଲେଜ୍‍ର ଦୂରତା କେତେ ? ଜଣେ ସାଧାରଣ ଲୋକ ଆଖି ବୁଜି କହି ଦେଇପାରିବ ପାଖାପାଖି ୩୦ କିଲୋମିଟର ।

kedarଯେତେ ଭିଡ ଟ୍ରାଫିକ୍‍ ଥିଲେ ବି ସେଠି ପହଞ୍ଚିବାକୁ ଟ୍ୟାକ୍ସିରେ ୪୫ ମିନିଟ୍‍ ଲାଗିବ । ମୁଖ୍ୟମନ୍ତ୍ରୀ ଯଦି ନିଜ କାର୍କେଡ୍‍ରେ ଯାଆନ୍ତି ତାହେଲେ ୨୫ ମିନିଟ୍‍ରୁ ଅଧିକ ଲାଗିବ ନାହିଁ । ଏହି ଦୂରତାକୁ ଅତିକ୍ରମ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟାଏ ହେଲିକପ୍ଟରର ଆବଶ୍ୟକତା ପଡିଲା ।

ଗୋଟିଏ ଦରିଦ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ କଟକରୁ ଭୁବନେଶ୍ୱର ଯିବାକୁ ହେଲିକପ୍ଟର ବ୍ୟବହାର କରିବା ଏ ରାଜ୍ୟବାସୀଙ୍କ ପାଇଁ ଏକ ସୁନ୍ଦର ଉପହାସ ଛଡା ଆଉ କଣ ହେଇପାରେ ।

ମୁଖ୍ୟମନ୍ତ୍ରୀ ଅବଶ୍ୟ ବଡଲୋକ । ଏଠି ସାଧାରଣ ମୁନିସ୍‍ପାଲ୍‍ଟି ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦଳର କୁଜି ତାରକାମାନେ ହେଲିକପ୍ଟରରେ ଉଡି ଉଡି ପହଞ୍ଚନ୍ତି ।

କୌଣସି ଏକ ରାଜ୍ୟର (ଧନୀ ରାଜ୍ୟ ହେଲେ ମଧ୍ୟ) ରାଜନୀତି ପାଇଁ ଏହାଠୁ ବଳି କଳଙ୍କର କାହାଣୀ ଆଉ କିଛି ନଥାଏ । ସ୍ଥାନୀୟ ମୁନିସ୍‍ପାଲିଟି ନିର୍ବାଚନରେ ହେଲିକପ୍ଟରର ବ୍ୟବହାର କଥା କେବଳ ଅନୈତିକ ନୁହେଁ ଏହା ନିର୍ବାଚନ ରାଜନୀତିରେ ଏକ ଅପରାଧୀ ମାନସିକତାର ପରିଚାୟକ ।

ବିଜେଡି ଟିକେଟରେ ରାଜ୍ୟସଭା ସଂସଦ ହୋଇଥିବା ଓ ବିଧାୟକ ପଦରେ ଥିବା ଅନୁଭବ ମହାନ୍ତି ଏବଂ ଆକାଶ ଦାସନାୟକ ହେଲିକପ୍ଟର ଚଢ଼ି ରେଢ଼ାଖୋଲ, ବେଲ୍‍ପାହାଡ, ଧର୍ମଗଡ ଭଳି ଛୋଟିଆ ସହରରେ ନିର୍ବାଚନ ପ୍ରଚାର କରିବା ବିଜେଡିର ଅହଙ୍କାର ଓ କ୍ଷମତାର ଅନ୍ଧପଣକୁ ଦର୍ଶାଉଛି ।

ଗୋଟିଏ ପକ୍ଷରେ ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ଏକମାତ୍ର ନିର୍ବିକଳ୍ପ ନେତା ବୋଲି ବିଜେଡି କହୁଥିବା ବେଳେ ଅପରପକ୍ଷରେ ସବୁ ଛୋଟିଆ ନିର୍ବାଚନକୁ ଜିଣିବା ଲାଗି ବିଜେଡି ତରଫରୁ ସବୁପ୍ରକାର ସମ୍ବଳ ଓ କୌଶଳ ପ୍ରୟୋଗ କରାଯାଉଛି ।

ନିର୍ବାଚନ ରାଜନୀତିକୁ ଏକପ୍ରକାର ଶସ୍ତା ସିନେମାର ଚିତ୍ରନାଟ୍ୟ ଭାବରେ ବିଜେଡି ଗ୍ରହଣ କରିସାରିଛି । ଏଠି ଜିତିବା ହେଉଛି ଏକମାତ୍ର ଲକ୍ଷ୍ୟ – ସେ ଯେ କୌଣସି ଉପାୟ ବା କୌଶଳରେ ହେଉ ବରଂ ।

ବିଜେଡି ନେତାମାନେ ଗଣମାଧ୍ୟମରେ ଛାତି ଫୁଲାଇ କହନ୍ତି ନବୀନ ବାବୁଙ୍କ ଲୋକପ୍ରିୟତା ଏତେ ଅଧିକ ଯେ ତାଙ୍କ ନାଁରେ ଯାହାକୁ ଟିକେଟ୍‍ ଦେଲେ ମଧ୍ୟ ସେ ଜିତିବ ।

ତେବେ ପୌର ନିର୍ବାଚନ ଭଳି ଛୋଟିଆ ନିର୍ବାଚନରେ ଏତେ ବଡ ବଡ ତାରକାଙ୍କ ଆଡମ୍ବର ଦରକାର ପଡୁଛି କାହିଁକି ? ଗୋଟିଏ ସମୟରେ ଲୋକସଭା ଭଳି ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନରେ ପ୍ରଚାର କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମନା କରି ଦେଇଥିଲେ ।

ବିଜୁ ବାବୁଙ୍କ ନାଁରେ ପ୍ରତିଷ୍ଠିତ ଦଳ ଆଜି ପୌର ନିର୍ବାଚନ ଭଳି ସାଧାରଣ ଘଟଣାରେ ଚଳଚ୍ଚିତ୍ର ତାରକା, ହେଲିକପ୍ଟର ଓ ଅଯଥା ଆଡମ୍ବରର ପ୍ରୟୋଗ କରି ଚାଲିଛି ।

ଏଥିରୁ ନବୀନ ବାବୁଙ୍କ ଲୋକପ୍ରିୟତା ତୁଳନାରେ ବିଜେଡିର କ୍ଷମତା ଅହଙ୍କାର ଅଧିକ ବାରି ହୋଇପଡୁଛି । କ୍ଷମତାର ଶୀର୍ଷରେ ଥିବା ଭଳି ଏପ୍ରକାର ଅହଙ୍କାର ଆମ ରାଜନୀତିକୁ ଏକ ଭୟଙ୍କର ପରିସ୍ଥିତି ଆଡକୁ ଟାଣି ନେବ । ଉଡନ୍ତା ନେତାମାନଙ୍କର ଏହି ନିର୍ବାଚନୀ ବିଳାସ ସହିତ ମୁଖ୍ୟମନ୍ତ୍ରୀଙ୍କ ଆକାଶ ପ୍ରୀତି ସାଧାରଣ ଜନତାଙ୍କ ଠାରୁ ରାଜନୈତିକ ନେତାଙ୍କୁ ବହୁ ଦୂରକୁ ନେଇଯିବ ।

ଗୋଟିଏ ଦିଗରେ ନେତାମାନେ ଉଡାଜାହାଜ ଚଢ଼ି ବୁଲୁଥିବା ବେଳେ ଅନ୍ୟଦିଗରେ ଏ ରାଜ୍ୟର ଜନସାଧାରଣ ପାଞ୍ଚ ଟଙ୍କା ହାତରେ ଧରି ଭାତଡାଲ୍‍ମା ଖାଇବାକୁ ସରକାରୀ ଛତ୍ରରେ ଧାଡି ବାନ୍ଧି ଠିଆ ହୋଇଛନ୍ତି ।

୧୬ ବର୍ଷର ଶାସନ ଭିତରେ ବିଜେଡି ଓ ନବୀନ ପଟ୍ଟନାୟକ ଓଡିଶାକୁ ଏକ ଦରିଦ୍ରତମ ରାଜ୍ୟର ମର୍ଯ୍ୟାଦାବନ୍ତ ବିଭୂଷଣ ଦେଇଛନ୍ତି । ମୁଣ୍ଡପିଛା ଆୟ ଦୃଷ୍ଟିରୁ ଓଡିଶା ହେଉଛି ଦେଶର ସବୁଠୁ ତଳେ ରହିଥିବା ପାଞ୍ଚଟି ରାଜ୍ୟ ମଧ୍ୟରୁ ଅନ୍ୟତମ । ୨୦୧୩-୧୪ ମସିହାରେ ଜାତୀୟ ମୁଣ୍ଡ ପିଛା ଆୟ ୩୯,୯୦୪ ଟଙ୍କା ହୋଇଥିବା ବେଳେ ଓଡିଶାରେ ଏହା ମାତ୍ର ୨୫,୮୯୧ ଟଙ୍କା । ଓଡିଶା ତଳକୁ ଆସାମ, ଉତ୍ତରପ୍ରଦେଶ ଓ ବିହାର ରହିଛନ୍ତି ।

ଓଡିଶା ତୁଳନାରେ ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ, ମେଘାଳୟ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଢ଼େର୍‍ ଆଗରେ ରହିଛନ୍ତି । ଦିଲ୍ଲୀ, ପଣ୍ଡିଚେରୀ, ସିକିମ୍‍, ମହାରାଷ୍ଟ୍ର, ହରିୟାଣା, ତାମିଲ୍‍ନାଡୁ ଭଳି ରାଜ୍ୟ ସହ ଓଡିଶାର ତୁଳନା ମଧ୍ୟ କରାଯାଇପାରିବ ନାହିଁ । ଦିଲ୍ଲୀ ଭଳି ରାଜ୍ୟରେ ମୁଣ୍ଡ ପିଛାର ବାର୍ଷିକ ଆୟର ପରିମାଣ ୧୨,୭୬୬୭ଟଙ୍କା ।

ଅର୍ଥାତ ଓଡିଶା ତୁଳନାରେ ଦିଲ୍ଲୀର ମୁଣ୍ଡପିଛା ଆୟ ପାଖାପାଖି ଲକ୍ଷେ ଟଙ୍କା ଅଧିକ । ଏପରିକି ଉତ୍ତରପୂର୍ବ ରାଜ୍ୟ ସିକିମ୍‍ରେ ଏହା ୮୩,୫୨୭ ଟଙ୍କା । ଏହା ଆମର ଦାରିଦ୍ରର ଏକ ଛୋଟିଆ ସୂଚକାଙ୍କ ।

୨୦୧୪-୧୫ ବେଳକୁ ଆମର ମୁଣ୍ଡପିଛା ଆୟ ୨୮,୦୦୦ରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି । ଅର୍ଥାତ ଜାତୀୟହାର ସହ ସମକକ୍ଷ ହେବାକୁ ଓଡିଶାକୁ ଆହୁରି ଅନେକ ବର୍ଷ ଲାଗିବ ।

ସେଥିଲାଗି ଦରିଦ୍ର ରାଜ୍ୟର ଜନସାଧାରଣଙ୍କୁ ଟଙ୍କାଏରେ ଚାଉଳ କିଲେ ଓ ପାଞ୍ଚଟଙ୍କାରେ ଭାତ, ଡାଲ୍‍ମା ଯୋଜନା କରାଯାଇଛି । ସାରା ରାଜ୍ୟକୁ ଭିକାରୀମାନଙ୍କ ଏକ ପ୍ରଦେଶ ଭାବରେ ରାଜ୍ୟ ସରକାର ଗଢ଼ିବାକୁ ଚାହୁଁଛନ୍ତି ।

ରାଜ୍ୟବାସୀ ଭିକାରୀ ହୋଇ ରହିଲେ ସେମାନେ ହେଲିକପ୍ଟର ଦେଖିବାକୁ ଆସିବେ, ଆକାଶରୁ ଓହ୍ଲାଉଥିବା ଚଳଚ୍ଚିତ୍ର ତାରକାମାନଙ୍କର ଶସ୍ତା ସଂଳାପ ଶୁଣିବେ ଓ ପାଞ୍ଚଟଙ୍କାରେ ଭାତ ଡାଲ୍‍ମା ଖାଇ ଯାବତ୍‍ଜୀବନ ବିଜେଡିକୁ ଭୋଟ୍‍ ଦେଇ ଚାଲୁଥିବେ ।

ଏହାବୋଧେ ଓଡିଶା ପାଇଁ ବିଜୁ ଜନତା ଦଳର ଏକମାତ୍ର ସ୍ୱପ୍ନ । ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ହେଲିକପ୍ଟରର ବ୍ୟବହାର କଲେ ସେତେବେଳେ ତାଙ୍କୁ ଜାତୀୟ ଗଣମାଧ୍ୟମରେ ପ୍ରଚୁର ସମାଲୋଚନା କରାଯାଇଥିଲା ।

ତେବେ ଦିଲ୍ଲୀ ସହରର ଟ୍ରାଫିକ୍‍ ସମସ୍ୟା ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାବଳୟ ଦୃଷ୍ଟିରୁ ଏହା ଅତ୍ୟାବଶ୍ୟକ ଥିଲା ବୋଲି କୁହାଯାଇପାରେ । ତେବେ ଓଡିଶା ମୁଖ୍ୟମନ୍ତ୍ରୀ କଟକ କିମ୍ବା ଭୁବନେଶ୍ୱରରେ ସୁରକ୍ଷା ଦୃଷ୍ଟିରୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ।

ଅତିବେଶୀରେ ଯୁବକଂଗ୍ରେସ କର୍ମୀମାନେ କେଉଁଠି କେମିତି କଳା ପତାକା ଦେଖାଇପାରନ୍ତି ଅଥବା ଅଣ୍ଡା ଫୋପାଡି ପାରନ୍ତି । ଅଣ୍ଡା ଫୋପାଡିଲେ କାର୍‍ କାଚ ଭାଙ୍ଗିବ ନାହିଁ କି ସୁରକ୍ଷାକର୍ମୀମାନେ ଖୁବ୍‍ ଗୋଟାଏ ବଡ ଅସୁବିଧାରେ ପଡିବେ ନାହିଁ ।

ସାଧାରଣ ଅଣ୍ଡା ଓ କଳା ପତାକାକୁ ଡରି ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରେ ଭୁବନେଶ୍ୱରରୁ କଟକ ଯଦି ଯାଆନ୍ତି ତାହା ସାଧାରଣ ଲୋକଙ୍କ ପାଇଁ କେତେବଡ ଉପହାସ ତାହା ଚିନ୍ତାର ବିଷୟ ।

ବିଜେଡି ସମର୍ଥକ ଓ ନେତାମାନେ କହିବେ ଏତେବଡ ମୁଖ୍ୟମନ୍ତ୍ରୀ ସେ ହେଲିକପ୍ଟର ଚଢ଼ିଲେ ଅସୁବିଧା କଣ ? ଏହି ହେଲିକପ୍ଟର ପାଇଁ ସରକାର କେତେ ଖର୍ଚ୍ଚ କରନ୍ତି ତାହା ଜନସାଧାରଣ ଜାଣନ୍ତି କି ?

ଘଣ୍ଟା ପିଛା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ହେଲିକପ୍ଟର ଭଡା ରାଜ୍ୟ ତହବିଲ୍‍ରୁ ଯାଇଥାଏ । ଯେଉଁ ଚଳଚ୍ଚିତ୍ର ତାରକାମାନେ ଉଡାଜାହାଜରେ ଉଡି ଭୋଟ୍‍ ପ୍ରଚାର କରୁଛନ୍ତି ସେମାନଙ୍କ ବ୍ୟକ୍ତିଗତ ଆୟବ୍ୟୟର ହିସାବ ଲୋକେ ଜାଣିବା ଉଚିତ୍‍ ।

ଓଡିଆ ସିନେମାର ଅର୍ଥନୀତି ଯାହା ସେଥିରେ ଅନୁଭବ ମହାନ୍ତି ବା ଆକାଶ ଦାସନାୟକ ନିଜ ଆୟରୁ ସାଣ୍ଟ୍ରୋ କାର୍‍ରେ ତେଲ ପକାଇବା ଖର୍ଚ୍ଚ ଉଠିବ ନାହିଁ । ସେମାନେ ବିଜେଡି ପଇସାରେ ଆକାଶରେ ଉଡିବା ଆମ ପାଇଁ ବିଡମ୍ବନା ଛଡା ଆଉ କଣ ହୋଇପାରେ ।

ତେବେ ଏକଥା ଲେଖିଲା ବେଳେ ଆମେ ଆହୁରି ସଚେତନ ଯେ ସଦ୍ୟପ୍ରକାଶ ପାଇଥିବା ପୌର ନିର୍ବାଚନ ଫଳାଫଳରେ ବିଜେଡି ୮୦ ପ୍ରତିଶତରୁ ଅଧିକ ସ୍ଥାନରେ ବିଜୟୀ ହୋଇଛି ।

୮ଟି ଯାକ ପୌର ପରିଷଦ ବିଜେଡି ଦଖଲକୁ ଯାଇଛି । ତେଣୁ ଭୋଟ୍‍ ରାଜନୀତିରେ ବିଜେଡିକୁ ମାତ୍‍ ଦେଲା ଭଳି ଶକ୍ତି ଓଡିଶାରେ ନାହିଁ ବୋଲି କହିବାରେ ଅସୁବିଧା ନାହିଁ ।

ତେବେ ଏତେ ପରିମାଣର ଅର୍ଥ, କ୍ଷମତା ଓ ଅହଙ୍କାର ସହ ଯୁଦ୍ଧ କଲା ଭଳି ଶକ୍ତି ବିରୋଧୀଙ୍କ ପାଖରେ ଆସିବ କୁଆଡୁ ? କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ପରାସ୍ତ ହେଲା ପରେ ନୈତିକ ଦୃଷ୍ଟିରୁ ଏକପ୍ରକାର ଶକ୍ତିହୀନ ହୋଇବସିଛି ।

ଲୋକଙ୍କ ପାଇଁ ବିରୋଧୀ ପକ୍ଷରେ ରହି ସଂଘର୍ଷ କରିବାର ଅନୁଭବ କଂଗ୍ରେସ ପାଖରେ ନାହିଁ । ଓଡିଶାରେ ଗତ ୧୬ ବର୍ଷ ଧରି ସବୁ ନିର୍ବାଚନରେ ପରାଜୟ ବରଣ କରି କଂଗ୍ରେସ ଏକପ୍ରକାର ଦେବାଳିଆ ହୋଇ ସାରିଛି ।

ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲାବେଳେ ଏହି ଦଳର ସ୍ୱରରେ ଶକ୍ତି ନାହିଁ ବା ପ୍ରଭାବ ମଧ୍ୟ ନାହିଁ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ସରକାର ଗଠନ କରିଥିଲେ ମଧ୍ୟ ଓଡିଶାରେ ଏହି ଦଳ ବିଜେଡିର ବି ଟିମ୍‍ ଭାବରେ କାମ କରିବାକୁ ଏକପ୍ରକାର ଲାଳାୟିତ ଅବସ୍ଥାରେ ରହିଛି ।

ଗୋଟିଏ ପରେ ଗୋଟିଏ କେନ୍ଦ୍ରମନ୍ତ୍ରୀ ଓଡିଶା ଆସି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଯାଉଥିବାରୁ ଓଡିଶା ବିଜେପି ନେତାଙ୍କ ମୁହଁ ଶୁଖି ଯାଇଛି ।

କେନ୍ଦ୍ରରେ ମନ୍ତ୍ରୀ ଥିବା ଓଡିଶାର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ନବୀନଙ୍କ ପ୍ରତି ଏତେ ଅଧିକ ଅନୁଗତ ଯେ ରାଜ୍ୟ ବିଜେପିର ନବୀନ ବିରୋଧୀ ସ୍ୱର ତାଙ୍କ ଆନୁଗତ୍ୟ ଆଗରେ ଫିକା ପଡିଯାଉଛି ।

ଏହି ପରିସ୍ଥିତି ଓ ପୃଷ୍ଠଭୂମିରେ ବିଜେଡିର ଆକାଶଚାରୀ ଅହଙ୍କାର ଥମିବାର କୌଣସି ସମ୍ଭାବନା ନାହିଁ । ଦିନ ଆସିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ସିଧାସଳଖ ହେଲିକପ୍ଟର ଚଢ଼ି ସଚ୍ଚିବାଳୟରେ ଓହ୍ଲାଇବେ ଓ ସେଇ ଆକାଶମାର୍ଗରେ ଫେରିଯିବେ ।

ଆମେ ଭକୁଆ ଓଡିଆମାନେ ହାଁ କରି ଆକାଶକୁ ଅନାଇଥିବା ଓ ଆଗାମୀ ନିର୍ବାଚନରେ ପୁଣି ଥରେ ତାଙ୍କୁ ଭୋଟ୍‍ ଦେଇ ନିଜକୁ ଭାଗ୍ୟବାନ ମନେ କରିବା ।

କେଦାର ମିଶ୍ର
ଫୋନ୍‍ : ୯୪୩୭୧୫୪୪୪୫

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ନିର୍ବାଚନ, ମୁଖ୍ୟମନ୍ତ୍ରୀ, ମୁନିସ୍‍ପାଲ୍‍ଟି, ରେଭେନସା କଲେଜ୍‍

ଅପ୍ରତିଦ୍ୱନ୍ଦ୍ୱୀ ନବୀନଙ୍କ ନିର୍ବାଚନ ଜୟଯାତ୍ରା (ତୃତୀୟ ନୟନ)

April 9, 2015 by ନିଉଜ ଡେସ୍କ Leave a Comment

ତୃତୀୟ ନୟନ

ଦୀର୍ଘ ୧୫ ବର୍ଷ ହେଲା ରାଜ୍ୟରେ କ୍ଷମତା ଉପଭୋଗ କରି ଆସୁଥିବା ଏବଂ କ୍ରମାଗତ ଭାବେ ନିର୍ବାଚନରେ ବିଜୟ ହାସଲ କରି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ବିରୋଧରେ ଯେତେ ଯାହା ଅଭିଯୋଗ ଆସିଲେ ବି ତାଙ୍କ ପ୍ରତି ରହିଛି ଏବଂ ବିଜେଡି ବିରୋଧରେ ଯେତେ ଯାହା ଅଭିଯୋଗ ଆସିଲେ ବି ଲୋକଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ଏବଂ ନବୀନ ପଟ୍ଟନାୟକ ରାଜ୍ୟର ସର୍ବାଧିକ ଲୋକପ୍ରିୟ ନେତା ବୋଲି ପ୍ରମାଣିତ ହୋଇଛି ।

Prasanta Closeupସଦ୍ୟସମାପ୍ତ ପୌର ନିର୍ବାଚନରେ ଏହା ସାବ୍ୟସ୍ତ ହୋଇଛି । ୮ଟି ପୌର ସଂସ୍ଥା ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜେଡି କ୍ଲିନ୍‍ସୁଇପ୍‍ କରିଛି । ସମସ୍ତ ୮ଟି ଯାକ ପୌରସଂସ୍ଥାରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବେଳେ ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଶୋଚନୀୟ ଭାବରେ ପରାସ୍ତ ହୋଇଛନ୍ତି ।

କଂଗ୍ରେସ ୩ଟିରେ ଖାତା ଖୋଲି ପାରିନଥିବା ବେଳେ ବିଜେପି ମଧ୍ୟ ଗୋଟିକରେ ଖାତା ଖୋଲିନାହିଁ । ମୋଟ୍‍ ୧୨୯ଟି ୱାର୍ଡ ମଧ୍ୟରୁ ବିଜେଡି ୧୦୩ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୧୨ଟି ଓ କଂଗ୍ରେସ ୧୧ଟି ୱାର୍ଡରେ ବିଜୟୀ ହୋଇଛି ।

ଫଳରେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ପୁଣି ଥରେ ନିଜକୁ ପ୍ରମାଣିତ କରିଥିବା ବେଳେ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସର ପୁନ୍‍ର୍‍ଉତ୍ଥାନ ହେବ ବୋଲି ଯାହା ଆଶା କରାଯାଉଥିଲା ତାହା ଭୁଲ୍‍ ପ୍ରମାଣିତ ହୋଇଛି । ଅନ୍ୟ ବିରୋଧୀ ଦଳଗୁଡିକ ରାଜ୍ୟ ରାଜନୀତିକରେ ମୂଲ୍ୟହୀନ ସାବ୍ୟସ୍ତ ହୋଇଛନ୍ତି ।

ଏପ୍ରିଲ୍‍ ୮ ସକାଳ ୮ଟାରୁ ୮ଟି ପୌରସଂସ୍ଥାରେ ଭୋଟ୍‍ଗଣତି ଆରମ୍ଭ ହୋଇଥିଲା ଏବଂ ଅପରାହ୍ନ ୨ଟା ସୁଦ୍ଧା ସମସ୍ତ ଆସନର ଫଳାଫଳ ପ୍ରକାଶ ପାଇଥିଲା । ଘୋଷିତ ଫଳାଫଳ ଅନୁଯାୟୀ ପାରାଦ୍ୱୀପର ୧୯ଟି ୱାର୍ଡ ମଧ୍ୟରୁ ବିଜେଡି ୧୬ ଟି ହାତେଇ ଥିବା ବେଳେ କଂଗ୍ରେସକୁ ୨ଟି ଓ ବିଜେପିକୁ ମିଳିଛି ଗୋଟିଏ ଆସନ ।

ବେଲପାହାଡର ମଧ୍ୟ ୧୯ଟି ଆସନ ମଧ୍ୟରୁ ବିଜେଡିକୁ ୧୬ଟିରେ ସଫଳତା ମିଳିଥିବା ବେଳେ ବିଜେପିକୁ ୨ଟି ଓ କଂଗ୍ରେସକୁ ଗୋଟିଏ ୱାର୍ଡରେ ସଫଳତ ମିଳିଛି । ସୁନାବେଡାର ୨୫ଟି ୱାର୍ଡ ମଧ୍ୟରେ ବିଜେଡି ୧୮ଟିକୁ ହାତେଇଥିବାରେ ସମର୍ଥ ହୋଇଥିବା ବେଳେ କଂଗ୍ରେସ ୫ଟି ଓ ବିଜେପି ୨ଟିରେ ସନ୍ତୁଷ୍ଟ ହୋଇଛି ।

ଧର୍ମଗଡରେ ୧୪ଟି ୱାର୍ଡ ମଧ୍ୟରୁ ବିଜେଡି ୧୩ଟି ଜିତିଥିବା ବେଳେ କଂଗ୍ରେସକୁ ଗୋଟିକରେ ସନ୍ତୁଷ୍ଟ ହେବାକୁ ପଡିଛି । ଏଠାରେ ବିଜେପି ଖାତା ଖୋଲିପାରିନାହିଁ । ବାଲିମେଳାରେ ବିଜେଡି ୧୩ଟି, ବିଜେପି ୧ଟି ଓ ସ୍ୱାଧୀନ ପ୍ରାର୍ଥୀ ୨ଟିରେ ବିଜୟୀ ହୋଇଛନ୍ତି ।

କଂଗ୍ରେସର ସ୍ଥିତି ଦୋହଲି ଯାଇଛି । ତୁଷରାରେ ବିଜେଡି ୮, ବିଜେପି ୨ ଓ ଅନ୍ୟପ୍ରାର୍ଥୀ ଗୋଟିଏ ଆସନରେ ଜିତିଥିବାବେଳେ ରେଢ଼ାଖୋଲରେ ବିଜେଡି ୧୨ଟି ୱାର୍ଡ ଜିତିଥିବା ବେଳେ ବିଜେପି ଭାଗରେ ପଡିଛି ମାତ୍ର ୧ ।

ଫଳରେ ଏହି ସମସ୍ତ ପୌରସଂସ୍ଥାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ବିଜେଡି ହାତେଇବା ସୁନିଶ୍ଚିତ ହୋଇଯାଇଛି । କୌଣସି ସ୍ଥାନରେ ବିଜେଡିକୁ ଅନ୍ୟ କାହାରି ସମର୍ଥନର ଆବଶ୍ୟକତା ପଡିବ ନାହିଁ ।

ବିଜେଡିର ଏହି ବିପୁଳ ବିଜୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହ ସମ୍ପୃକ୍ତ ପୌରାଞ୍ଚଳବାସୀଙ୍କୁ କୃତଜ୍ଞତା ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏହି ବିଜୟର ଶ୍ରେୟ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଏହି ବିଜୟ ଫଳରେ ନବୀନଙ୍କ ଉପରେ ଲୋକଙ୍କ ଆସ୍ଥା ଅତୁଟ ରହିଥିବା କଥା ପ୍ରମାଣିତ ହୋଇଛି ।

ଅନ୍ୟପକ୍ଷରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୌର ନିର୍ବାଚନ ଫଳାଫଳ ଆଶନୁରୂପ ହୋଇନାହିଁ । କେଉଁଠି ତ୍ରୁଟି ରହିଲା ସେ ସମ୍ପର୍କରେ ସମୀକ୍ଷା କରି ସଂଶୋଧନ କରାଯିବ । ଲୋକଙ୍କ ରାୟକୁ ଦଳ ବିନମ୍ରତାର ସହ ଗ୍ରହଣ କରୁଛି ବୋଲି ସେ କହିଛନ୍ତି ।

ତେବେ ଶାସକ ଦଳ ଅର୍ଥ ଓ ବାହୁ ବଳ ତଥା ଶାସନ କଳର ଦୂରୁପଯୋଗ କରି ଜିତିଥିବା ସେ କହିଛନ୍ତି । ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ପରାଜୟର ସମୀକ୍ଷା କରାଯିବ ବୋଲି କହିବା ସହ ଶାସକ ଦଳ ଅର୍ଥ ଓ କ୍ଷମତାର ଅପପ୍ରୟୋଗ କରି ଜିତିଥିବା ଅଭିଯୋଗ କରିଛନ୍ତି ।

ଇତିମଧ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଠାରୁ ଆରମ୍ଭ କରି ରାଜ୍ୟରେ ଯେତେଗୁଡିଏ ନିର୍ବାଚନ ହୋଇଯାଇଛି ପ୍ରତିଟିରେ ବିଜେଡି ଦଳ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି ।

ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ନିଜ ଦଳର ଅପାରଗତା, ଦୁର୍ବଳ ନେତୃତ୍ୱ ଓ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଇଥିବା କଥାକୁ ସ୍ୱୀକାର କରି ଆତ୍ମସମୀକ୍ଷା କରିବା ଏବଂ ନିଜର ତ୍ରୁଟି ବିଚ୍ୟୁତିକୁ ସଂଶୋଧନ କରିବା ପରିବର୍ତ୍ତେ ବିଜୁ ଜନତା ଦଳ ବିରୁଦ୍ଧରେ ଅଭିଯୋଗ କରି ସନ୍ତୁଷ୍ଟ ରହୁଥିବାରୁ ସେମାନେ ଯେ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ଏଥିରେ ସନ୍ଦେହ ନାହିଁ ।

ସର୍ବୋଚ୍ଚ ନ୍ୟାୟାଳୟର ସୁରକ୍ଷା

ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିରୋଧୀ ଦଳ ତରଫରୁ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦୁର୍ନୀତି ଓ ମହାଦୁର୍ନୀତିର ଅଭିଯୋଗମାନ କରାଯାଇ ଆସିଥିଲେ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପ୍ରମାଣିତ ହୋଇନଥିବାରୁ ତାଙ୍କର ଶୁଭ୍ରପୋଷାକରେ କଳା ଦାଗ ଛିଟାଟିଏ ସୁଦ୍ଧା ଲାଗିନାହିଁ ।

ରାଜ୍ୟରେ ହୋଇଥିବା ଖଣି ମହାଦୁର୍ନୀତି ସମ୍ପର୍କରେ ଓଡିଶା ହାଇକୋର୍ଟରେ ୨୦୦୯ ମସିହାରେ ଆଗତ ହୋଇଥିବା ଏକାଧିକ ଜନସ୍ୱାର୍ଥ ମାମଲାରେ ସିବିଆଇ ଦ୍ୱାରା ଖଣି ମହାଦୁର୍ନୀତିର ତଦନ୍ତ ପାଇଁ ଦାବି କରାଯାଇଥିଲା ।

ଓଡିଶା ଉଚ୍ଚ ନ୍ୟାୟାଳୟର ତଦନାନ୍ତୀନ ମୁଖ୍ୟ ବିଚାରପତି ଜଷ୍ଟିସ୍‍.ଭି ଗୋପାଳଗୌଡ ଏବଂ ବିଚାରପତି ବି.ଏମ୍‍ ମହାପାତ୍ରଙ୍କ ଖଣ୍ଡପୀଠରେ ଏହାର ପୂର୍ଣ୍ଣାଙ୍ଗ ଶୁଣାଣି ହେବା ପରେ ୧୮ ଏପି୍ରଲ୍‍ ୨୦୧୧ରେ ଏହି ମକଦ୍ଧମାର ରାୟ ସଂରକ୍ଷିତ ରହିଲା ବୋଲି ଘୋଷଣା କରାଯାଇଥିଲା ।

ଇତିମଧ୍ୟରେ ବିଚାରପତି ଶ୍ରୀ ଗୋପାଳଗୌଡ ସୁପ୍ରିମକୋର୍ଟରୁ ବଦଳି ହୋଇଯାଇଛନ୍ତି ଏବଂ ଜଷ୍ଟିସ୍‍ ଶ୍ରୀ ମହାପାତ୍ର ଗତ ମାର୍ଚ୍ଚ ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି । ବିଗତ ୪ ବର୍ଷ ଧରି ଏହି ଗୁରୁତ୍ୱପୂର୍ଣ୍ଣ ମକଦ୍ଧମା ସମ୍ପର୍କରେ ରାୟ ଅଧ୍ୟାବଧି ପ୍ରକାଶିତ ହୋଇନାହିଁ ।

ଓଡିଶାରେ ତଳବିରା – ୨ କୋଇଲା ଖଣି ଆବଣ୍ଟନ ନେଇ ସିବିଆଇ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପକ୍ଷଭୁକ୍ତ କରିବା ନିମନ୍ତେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଛି । ସୁପ୍ରିମକୋର୍ଟ ଆବେଦନ ବା ପିଟିସନ୍‍କୁ ଖାରଜ କରି ଆବେଦନକାରୀଙ୍କ ଉପରେ ଲକ୍ଷେ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି ।

ଜଷ୍ଟିସ୍‍.ଭି ଗୋପାଳଗୌଡ ଓ ଜଷ୍ଟିସ୍‍ ସି.ନାଗାପ୍ପାନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । ଏଭଳି ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇବା ସହିତ ଖଣ୍ଡପୀଠ ଆବେଦନକାରୀଙ୍କୁ ସତର୍କ କରିଛନ୍ତି । ବିଚାରପତି ଦ୍ୱୟ ଭବିଷ୍ୟତରେ ଏଭଳି ଅଯୌକ୍ତିକ ବିଷୟ ଆଣି ବିଚାରାଳୟର ସମୟ ଅପଚୟ କରାନଯିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏଭଳି ଆବେଦନ କରାଯାଇଥିଲା । ସ୍ୱତନ୍ତ୍ର ଲିଭ୍‍ ପିଟିସନ୍‍ (ଏସ୍‍ଏଲ୍‍ପି) ଜରିଆରେ ଏହି ଆବେଦନ ହୋଇଥିଲା । ଶ୍ରୀ ସାହୁଙ୍କ ପକ୍ଷରୁ ଆଇନ୍‍ଜୀବୀ ସୁରେଶ ତ୍ରିପାଠୀ ମାମଲାର ପରିଚାଳନା କରୁଥିଲେ ।

ତଳବିରା – ୨ କୋଇଲା ଖଣି ଆବଣ୍ଟନ ମାମଲାରେ ୬ ଜଣଙ୍କୁ ସିବିଆଇ ସମନ ଜାରି କରିଥିବାରୁ ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯିବା ନେଇ ଆବେଦନକାରୀ ତାଙ୍କର ପିଟିସନ୍‍ ରଖିଥିଲେ ।

ସୁପ୍ରିମକୋର୍ଟର ଏହି ଖଣ୍ଡପୀଠ ପିଟିସନ୍‍ର ବୈଧତା ନେଇ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ ରାୟ ଦେଇଥିଲେ । ଶ୍ରୀ ସାହୁଙ୍କ ପକ୍ଷରୁ ଆଇନ୍‍ଜୀବୀ ସୁରେଶ ତ୍ରିପାଠୀ ଏହାର ସପକ୍ଷରେ ଯୁକ୍ତି କରିବା ପାଇଁ ଛିଡା ହେବା ମାତ୍ରେ ମାନ୍ୟବର ବିଚାରପତି ଶ୍ରୀ ଗୌଡ ଏହି ଆବେଦନ ଗ୍ରହଣଯୋଗ୍ୟ ନୁହଁ ଏବଂ ଭବିଷ୍ୟତରେ ଏଭଳି ଅଯୌକ୍ତିତ ବିଷୟ ଆଣି ମାନ୍ୟବର ବିଚାରାଳୟର ସମୟ ଅପଚୟ ନକରିବା ପାଇଁ ଚେତାବନୀ ଦେଇଥିଲେ ।

ତଳବିରା କୋଲ୍‍ ଆବଣ୍ଟନ ମାମଲାରେ ପୂର୍ବରୁ ସିବିଆଇ କୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୋଷମୁକ୍ତ କରିବା ସହ ଏହି ମାମଲାରେ ସେ କୌଣସି ପ୍ରକାରେ ସମ୍ପୃକ୍ତ ନଥିବା ଦର୍ଶାଇଥିଲେ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ହିଣ୍ଡାଲ୍‍କୋ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ପୂର୍ବତନ କୋଇଲା ସଚିବ ପି.ସି ପାରଖ ପ୍ରମୁଖଙ୍କୁ ମିଶାଇ ୬ ଜଣଙ୍କୁ ସିବିଆଇ ସମନ କରିଥିଲା ।
ସୁପ୍ରିମକୋର୍ଟ ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସିବିଆଇର ସମନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଏବେ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରିବା ନେଇ ହୋଇଥିବା ଆବେଦନ ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହୋଇଯିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ମାମଲାରେ ପୂର୍ଣ୍ଣରୂପେ କ୍ଲିନ୍‍ଚିଟ୍‍ ସଦୃଶ ହୋଇଛି ।

ହିଣ୍ଡାଲ୍‍କୋକୁ କୋଇଲା ବ୍ଲକ୍‍ ଆବଣ୍ଟନ କରିବାର ନିଷ୍ପତ୍ତି ସମ୍ପୂର୍ଣ୍ଣଭାବେ କେନ୍ଦ୍ର ସରକାରଙ୍କର ଥିବା ବେଳେ ରାଜ୍ୟ ସରକାର କେବଳ ପ୍ରସ୍ତାବ ଅନୁଧ୍ୟାନ ଲାଗି ସୁପାରିଶ କରିଥିଲେ ।

ଓଡିଶାରେ ହିଣ୍ଡାଲ୍‍କୋ ଏକ ପ୍ରକଳ୍ପ କରିବାକୁ ଯାଉଥିବାରୁ ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ଏ ବିଷୟରେ ବିଚାର କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିଲେ । ପୂର୍ବରୁ ଏନେଇ ସେ ନିଜେ ସ୍ପଷ୍ଟ କରି ସାରିଛନ୍ତି ।

ରାଜ୍ୟରେ ଅଧିକ ପୁଞ୍ଜି ବିନିଯୋଗ ସହିତ ଶିଳ୍ପ ପ୍ରତିଷ୍ଠା ଏବଂ ଏହାଦ୍ୱାରା ରାଜସ୍ୱ ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଦୃଷ୍ଟିରେ ରଖି କେନ୍ଦ୍ରକୁ ବିଚାର ନିମନ୍ତେ ପ୍ରସ୍ତାବ ପାଠାଇଥିବା ସେ କହିଥିଲେ ବୋଲି ଦର୍ଶାଇଛନ୍ତି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ବିଜେଡି ନେତୃବୃନ୍ଦ ବେଶ୍‍ ଆନନ୍ଦ ପ୍ରକାଶ କରିଛନ୍ତି । ଅପରପକ୍ଷରେ ବିରୋଧୀ ରାଜନୈତିକ ଦଳଗୁଡିକୁ ଏହା ଶକ୍ତ ଧକ୍କା ସଦୃଶ ହୋଇଛି ।

କାରଣ ପୂର୍ବରୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବିିଜେପିର ବହୁ ନେତା ତଳବିରା-୨ କୋଇଲା ଖଣି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରି ଜେରା କରିବା ପାଇଁ ଦାବି କରି ଆସୁଥିଲେ ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏନେଇ ପ୍ରଶ୍ନ ଉଠାଇଥିଲେ । ମାତ୍ର ନବୀନଙ୍କ ବିରୁଦ୍ଧରେ ଦେଖାଦେଇଥିବା ଏହି ଝଡର ଅବସାନ ଘଟାଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶିତ ହେବା ପରେ ସମସ୍ତେ ଆପାତତଃ ନିରବ ରହିବା ଲାଗି ବାଧ୍ୟ ହୋଇଛନ୍ତି  ।
—

 

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ତୃତୀୟ ନୟନ Tagged With: କଂଗ୍ରେସ, ନିର୍ବାଚନ, ପୌରସଂସ୍ଥା, ବିଜେଡ଼ି, ବିଜେପି, ମୁଖ୍ୟମନ୍ତ୍ରୀ, ଲୋକପ୍ରିୟତା

ଆହାର ଯୋଜନା, ପାଞ୍ଚ ଟଙ୍କାରେ ଭାତ ଡ଼ାଲମା ଖାଇବା ପାଇଁ ଭିଡ

April 1, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ୱର, ଏପ୍ରିଲ ୧, (ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ବୁଧବାର ନିଜର ବହୁପ୍ରଚାରିତ ଆହାର ଯୋଜନାର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ଏ ସଂକ୍ର।ନ୍ତରେ ଖୋଲାଯାଇଥିବା ଖାଦ୍ୟବିତରଣ କେନ୍ଦ୍ର ମାନଙ୍କରେ ପାଞ୍ଚ ଟଙ୍କାରେ ଭାତ ଡାଲମା ଖାଇବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହେଇଛି।

bhat-dalmaଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନ।ୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ରାଜ୍ୟର ପାଞ୍ଚଟି ମହାନଗର ନିଗମ ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର,ସମ୍ବଲପୁର ଓ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ଆହାର ଯୋଜନା କାର୍ଯ୍ୟକ।ରୀ କରାଯାଇଛି ।

ବିଭିନ୍ନ କାମ ରେ ଏହି ସହରକୁ ଆସୁଥିବା ଗରିବ ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ଏହି ଯୋଜନା ପ୍ରବର୍ତ୍ତନ କରିଛନ୍ତି । ଏଥିରେ ମାତ୍ର ୫ଟଙ୍କା ମୂଲ୍ୟରେ ଦିନ ୧୧ଟା ରୁ ୩ଟା ମଧ୍ୟରେ ପ୍ରତି ମହାନଗର ନିଗମର ଚାରି ଗୋଟି ସ୍ଥାନରେ ମୁଖ୍ୟତ ରେଳଷ୍ଟେସନ,ବସଷ୍ଟାଣ୍ଡ୍, ଡ଼ାକ୍ତରଖାନା ଓ ଅନ୍ୟ ପ୍ରମୁଖ ସ୍ଥାନ ମାନଙ୍କରେ ଲୋକଙ୍କୁ ଭାତ ଡ଼ାଲମା ଯୋଗାଇ ଦିଆଯିବ। ଆରମ୍ଭ ହୋଇଛି । ପ୍ରତି ଖାଦ୍ୟ ବିତରଣ ସ୍ଥାନରେ ବିଭିନ୍ନ ବଯସର ଲୋକ ଓ ମହିଳାଙ୍କ ବ୍ୟାପକ ଭିଡ ପରିଲକ୍ଷିତ ହୋଇଛି ।

ଏହି ଯୋଜନା ର କାର୍ଯ୍ୟକାରିତା ପାଇଁ ଭୁବନେଶ୍ୱର ଓ କଟକ ରେ ଓଡ଼ିଶା ଖଣି ନିଗମ,ରାଉରକେଲାରେ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ,ବ୍ରହ୍ମପୁର ରେ ଟାଟାଷ୍ଟିଲ ଓ ସମ୍ବଲପୁର ରେ ଇଡକୋ ସହଯୋଗ ଯୋଗାଇ ଦେଇଛି ବୋଲି ସରକାର କହିଛନ୍ତି।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଆହାର ଯୋଜନା, ପାଞ୍ଚ ଟଙ୍କା, ଭାତ ଡ଼ାଲମା, ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର

ଓଡ଼ିଶା ଦିବସରୁ ୨୦ ସହରରେ ମିଳିବ ପାଞ୍ଚ ଟଙ୍କାରେ ଭାତ ଡ଼ାଲମା

March 30, 2015 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୩୦, (ଓଡ଼ିଶା ଡ଼ଟ୍ କମ୍)ଅପ୍ରେଲ ପହିଲା ଓଡ଼ିଶା ଦିବସରୁ ରାଜ୍ୟର ପାଞ୍ଚଟି ମହାନଗର ନିଗମ (ଭୁବନେଶ୍ୱର, କଟକ, ବ୍ରହ୍ମପୁର,ସମ୍ବଲପୁର ଓ ରାଉରକେଲା) ରେ ପ୍ରଥମ ପର୍ଯ୍ୟାୟ ଆହାର ଯୋଜନା ର ଶୁଭାରମ୍ଭ ସରକାର କରିବେ ।

bhat-dalmaବିଭିନ୍ନ କାମ ରେ ଏହି ସହରକୁ ଆସୁଥିବା ଗରିବ ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ଏହି ଯୋଜନା ପ୍ରବର୍ତ୍ତନ କରିଛନ୍ତି । ଏଥିରେ ମାତ୍ର ୫ଟଙ୍କା ମୂଲ୍ୟରେ ଦିନ ୧୧ଟା ରୁ ୩ଟା ମଧ୍ୟରେ ପ୍ରତି ମହାନଗର ନିଗମର ଚାରି ଗୋଟି ସ୍ଥାନରେ ଲୋକଙ୍କୁ ଭାତ ଡ଼ାଲମା ଯୋଗାଇ ଦିଆଯିବ ।

ଅପ୍ରେଲ ପହିଲା ଦିନ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲ ପରିସର ଓ ରାଉରକେଲାର ସରକାରୀ ଡ଼ାକ୍ତରଖାନା ଠାରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ଶୁଭାରମ୍ଭ କରିବେ । ସୋମବାର ସଚିବାଳୟରେ ପଟ୍ଟନାୟକ ଏହି ଯୋଜନା ସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଉପରୋକ୍ତ ସହର ମାନଙ୍କର ରେଳଷ୍ଟେସନ,ବସଷ୍ଟାଣ୍ଡ୍,ଡ଼ାକ୍ତରଖାନା ଓ ଅନ୍ୟ ପ୍ରମୁଖ ସ୍ଥାନ ମାନଙ୍କରେ ଆହାର କେନ୍ଦ୍ର ଖୋଲାଯିବ । ଏହି ଯୋଜନା ର କାର୍ଯ୍ୟକାରିତା ପାଇଁ ଭୁବନେଶ୍ୱର ଓ କଟକ ରେ ଓଡ଼ିଶା ଖଣି ନିଗମ,ରାଉରକେଲାରେ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ,ବ୍ରହ୍ମପୁର ରେ ଟାଟାଷ୍ଟିଲ ଓ ସମ୍ବଲପୁର ରେ ଇଡକୋ ସହଯୋଗ ଯୋଗାଇ ଦେବ ବୋଲି ବୈଠକ ରେ ସୂଚନା ଦିଆଯାଇଥିଲା ।

ଅପ୍ରେଲ ପହିଲାରୁ ଏହି ଯୋଜନା କାର୍ଯ୍ୟକାରିତା ପାଇଁ ଭିତ୍ତିଭୂମିର ନିର୍ମାଣ, ଖାଦ୍ୟ ପରିବହନ, କର୍ମଚାରୀ ନିଯୁକ୍ତି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସ୍ତୁତି ଶେଷ ହୋଇଛି । ଆହାର କେନ୍ଦ୍ରମାନଙ୍କରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହ ଉଚ୍ଚ ପଦାଧିକାରୀ ମାନଙ୍କ ଦ୍ୱାରା ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ବୈଠକ ରେ ମୁଖ୍ୟଶାସନ ସଚିବ,ଉନ୍ନୟନ କମିଶନର,ପୋଲିସ ମହାନିର୍ଦେଶକ ,ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ,ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରାଜନୀତି Tagged With: ଆହାର ଯୋଜନା, କ୍ୟାପିଟାଲ, ମୁଖ୍ୟମନ୍ତ୍ରୀ, ଶୁଭାରମ୍ଭ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 15
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ