• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜ୍ୟ ସରକାର

ଅଭିଶପ୍ତ ଗନ୍ଧର୍ବର କଥାଶିଳ୍ପୀ ମହାପାତ୍ର ନିଳମଣି ସାହୁ; କେତୋଟି କଥା

June 26, 2016 by ନିଉଜ ଡେସ୍କ 1 Comment

DCF 1.0
DCF 1.0


କେଦାର ମିଶ୍ର

“ରେ ମୂର୍ଖ କଳା କାଉ, ବେଶୀ ଗୁଡାଏ ରାଊ ରାଊ ହୁଅନାହିଁ “

ମନେ ପଡୁଛି କି କେଉଁଠି ଏ ଧାଡି ଟି ପଢିଛନ୍ତି? ପିଲାଦିନର ସାହିତ୍ୟ ବହିରେ ଗୋଟେ ଚମତ୍କାର ଗପଥିଲା, “ବିହଂଗ ବିପ୍ଲବ” ।

ଗୋଟେ କୋଇଲି ଓ ମାଂକଡ ଭିତରେ ବିବାଦର କାହାଣୀ। ଗୋଟେ ଲାଂଚୁଆ ଭାଲୁ ରାଜା ଓ ତାର ଲୋଭୀ ପାରିଷଦମାନନ୍କର କାହାଣୀ ।

ସେ ଗପରେ କୁନି କୁନି ଚଢେଇ ମାନେ ଗୋଟେ ବଡ ବିପ୍ଳବର ସୂତ୍ରଧର। ଆଉ ଏଇ ବିପ୍ଲବୀ ଗପର ଲେଖକ ଜଣକ ଜୀବନ ସାରା ନିଜକୁ କେବେ ବିପ୍ଲବୀ ବୋଲି କହିନାହାନ୍ତି, ହେଲେ ତାଂକ ଜୀବନ ଗୋଟେ ରସସିକ୍ତ କବିତାର ବିପ୍ଲବ। ସେ ରସିକ ଓ ବିପ୍ଲବୀ ଲେଖକ ଜଣକ ଆଜି ଚିରଦିନ ଲାଗି ଆମଠୁ ବିଦାୟ ନେଇ ଯାଇଛନ୍ତି ।

୯୦ ବର୍ଷ ବୟସରେ ଆଜି (୨୫, ଜୁନ୍,୨୦୧୬) ଓଡିଶାର ପ୍ରଖ୍ୟାତ କଥାକାର, ବ୍ୟଂଗଶିଳ୍ପୀ, ସମ୍ପାଦକ, ସଂଗଠକ ଓ ଚିନ୍ତାନାୟକ ମହାପାତ୍ର ନିଳମଣି ସାହୁ ପରଲୋକ ଗମନ କରିଛନ୍ତି। ମହାପାତ୍ର ନୀଳମଣି ସାହୁ, ଓଡିଆ ସାହିତ୍ୟରେ ଗୋଟେ ଯୁଗର ନାୟକ।

ଲେଖକ ଭାବରେ ସେ ଯେତିକି ବିଖ୍ୟାତ, ମଣିଷ ଭାବରେ ସେତିକି ପ୍ରେମାପ୍ଲୁତ।ତାଂକ ଜୀବନ ରସ ଓ ରାସ ର ଏକ ଅପୂର୍ବ ସମନ୍ବୟ ।

DCF 1.0
DCF 1.0

ପ୍ରେମ, ବନ୍ଧୁତା,ଭକ୍ତି ଓ ସହୃଦୟତାର ସେ ଥିଲେ ମୂର୍ତିମନ୍ତ ପ୍ରତୀକ। ପଚାଶରୁ ଅଧିକ ବହି ଲେଖିଥିବା ଓ ଓଡିଶାର ଜନଜୀବନକୁ ବହୁ ଭାବରେ ପ୍ରଭାବିତ କରିଥିବା ଏହି ମହାନ ଲେଖକଂକ ସମ୍ପର୍କରେ କେତୋଟି ବିଶେଷ କଥା-

୧. କଟକ ଜିଲ୍ଲାର ନିଆଳି ଗାଁ ରେ ୨୨, ଡିସେମ୍ବର ୧୯୨୬ ରେ ମହାପାତ୍ର ନିଳମଣି ସାହୁ ଜନ୍ମଗ୍ରହଣ କରିଥିଲେ। ବାପା ମହେଶ୍ବର ମହାପାତ୍ର ଓ ମାଁ ରଂଗଲତା ଦେବୀ ।

ଗାଁ, ପିଲାଦିନ ଓ ପରିବାରକୁ ନେଇ ମହାପାତ୍ର ନିଳମଣି ସାହୁ ଅନେକ କଥା କହିଛନ୍ତି ଓ ଲେଖିଛନ୍ତି। ସମୟ ଓ ସ୍ମୃତି ସହ ତାଂକ ସୃଜନଶୀଳତା ର ସମ୍ପର୍କ ବେଶ୍ ଗହନ ।

୨. ରେଭେନଶା କଲେଜରୁ ଓଡିଆ ଭାଷା ସାହିତ୍ୟରେ ଏମଏ କଲାପରେ ସେ ଭାଷା ସାହିତ୍ୟର ଅଧ୍ୟାପକ ଭାବରେ ଜୀବନ ସାରା କାମ କରିଛନ୍ତି।

ସେ ଥିଲେ ଅଧ୍ୟାପକ ଭାବରେ ସବୁ ଛାତ୍ରଂକର ବନ୍ଧୁ ଓ ଦିଗଦର୍ଶକ ।

କୁହାଯାଏ, ନିଳମଣି ସାର୍ ସବୁ ଛାତ୍ର ଓ ପ୍ରେମିକଂକର ବିଶ୍ବାସଯୋଗ୍ୟ ବାନ୍ଧବ। ରାଜ୍ୟର ବହୁ କଲେଜରେ ସେ ପାଠ ପଢେଇଛନ୍ତି, ଆଉ ସବୁଠି ତାଂକର ଅନୁଗାମୀ ଛାତ୍ର ଛାତ୍ରୀ ତାଂକୁ ଘେରି ରହିଥାନ୍ତି ।

ଲେଖକ ଭାବରେ ତାଂକର ସାର୍ଥକତା ହେଉଛି ତାଂକର ମଣିଷପଣିଆଁ । ସେ ଯେତେ ବଡ ଲେଖକ ଥିଲେ, ତାଠୁ ଢେର୍ ବିଶାଳ ହୃଦୟର ମଣିଷ ମଧ୍ୟ ଥିଲେ ।

DCF 1.0
DCF 1.0

୩. ଓଡିଆ କଥା ସାହିତ୍ୟରେ ଫକୀରମୋହନ ଓ ଗୋପୀନାଥ ମହାନ୍ତି ପରବର୍ତୀ ପିଢିର ସେ ଥିଲେ ନାୟକ ।

ସେ ତାଂକ ପ୍ରଜନ୍ମର ବଡଭାଇ। ଶାନ୍ତନୁ ଆଚାର୍ୟ, ମନୋଜ ଦାସ,ଚନ୍ଦ୍ରଶେଖର ରଥ, ଅଖିଳ ମୋହନ ପ୍ରମୁଖଂକ ପାଇଁ ସେ ଥିଲେ ଅଗ୍ରଣୀ ।

ସେ କେବଳ ନିଜେ ଲେଖି ନାହାନ୍ତି, ତାଂକ ସମସାମୟିକ ଅନେକଂକୁ ଲେଖା ର ପାଠ ପଢେଇଛନ୍ତି।

୪. ତାଂକର ଦୁଇଟି ଉପନ୍ୟାସ- “ଧରା ଓ ଧାରା” (୧୯୬୧)ତଥା “ତାମସୀ ରାଧା”(୧୯୬୪) । ଓଡିଆ ଉପନ୍ୟାସ କ୍ଷେତ୍ରରେ ତାମସୀ ରାଧା ଏକ କ୍ଲାସିକ୍ ।

ଗୋଟେ ଅସୁନ୍ଦରୀ ଗାଉଁଲି ବୋହୁର ଜୀବନ କାହାଣୀ ତାମସୀ ରାଧା।ନାରୀ ମନର ଗହନ ଓ ଗୋପନ ଭାବାବେଗକୁ ଅତି ଚମତ୍କାର ଭାବରେ ସେ ଫୁଟେଇ ପାରିଛନ୍ତି ।


୫. ଗାଳ୍ପିକ ଭାବରେ ତାଂକର ଅବଦାନ ଅତୁଳନୀୟ ।ତାଂକର “ଅଭିଶପ୍ତ ଗନ୍ଧର୍ବ” ଓଡିଆ ଗପର ଅନ୍ୟତମ ଶ୍ରେଷ୍ଠ ସୃଷ୍ଟି। ୧୯୫୨ ରେ ପ୍ରକାଶିତ ହୁଏ ତାଂକର ପ୍ରଥମ ଗଳ୍ପ ସଂକଳନ “ପ୍ରେମ ଓ ତ୍ରିଭୁଜ” ।

ତାପରେ ମିଛବାଘ, ଶ୍ରୁନ୍ବନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ, ଗଂଜେଇ ଓ ଗବେଷଣା,ସୁମିତ୍ରାର ହସ, ବିଷ୍ଣୁମାୟା, କପୋତ ପକ୍ଷୀ ଗୁରୁ ମୋର,ଅନ୍ଧ ରାତିର ସୂର୍ୟ,ଆକାଶ ପାତାଳ, ଅଭିଶପ୍ତ ଗନ୍ଧର୍ବ, ରାନୁ ଅପା ଠାରୁ ପୁଷି ପର୍ଯନ୍ତ ଓ ଆହୁରି ଅନେକ।

ରସିକତା ଓ ବ୍ୟଂଗ ତାଂକ ଗପର ମର୍ମ ହୋଇଥିବାବେଳେ କରୁଣ ରସ ତାଂକ କଥାଶିଳ୍ପ ର ଆତ୍ମା ।

ସବୁଠୁ କରୁଣ କାହାଣୀକୁ ସବୁଠୁ ସରସ କରି କହିବାର କଳା ରେ ସେ ଥିଲେ ଧୁରନ୍ଧର ।


୬. ସୃଜନଶୀଳ ପ୍ରବନ୍ଧ,ରମ୍ୟ ରଚନା ଓ ଲଳିତ କଥନ କ୍ଷେତ୍ରରେ ତାଂକର ଭୂମିକା ଏକପ୍ରକାର ସାରଥି ର।

ଧ୍ବନି ପ୍ରତିଧ୍ବନୀ,ସ୍ବପ୍ନ ସ୍ବପ୍ନ ଅନେକ ସ୍ବପ୍ନ, ଦେବଦାସର୍ ଦୃଷ୍ଟିପାତ, ପ୍ରେମ ଭକ୍ତିର ମର୍ମ କଥା, ଉଦ୍ଧବ କେତେ ତୁ ପଚାରୁ,ଡହରାନନ୍ଦଂକ ପ୍ରବଚନମାଳା ଓ ଆହୁରି ଅନେକ ଲଘୁ ରଚନା ତଥା ମନନଶୀଳ ପ୍ରବନ୍ଧ ପୁସ୍ତକର ସେ ସ୍ରଷ୍ଟା ।

ଡହରାନନ୍ଦ ନାଁ ଟି ସହ ଏକ ଶକ୍ତିଶାଳୀ ରସ ରଚନା ର ପରମ୍ପରା ସେ ଆରମ୍ଭ କରିଥିଲେ।


୭. ଏହା ଛଡା ଅନୁବାଦ, ଶିଶୁ ସାହିତ୍ୟ ଓ କବିତା କ୍ଷେତ୍ରରେ ମଧ୍ୟ ତାଂକର ବହୁ ମୂଲ୍ୟ ଅବଦାନ ରହିଛି। ଶ୍ରୀ ଅରବିନ୍ଦ, ଶ୍ରୀ ମା ଓ ସ୍ବାମୀ ବିବେକାନନ୍ଦଂକ ଅନେକ ପୁସ୍ତକକୁ ସେ ଓଡିଆ ରେ ଅନୁବାଦ କରିଛନ୍ତି।

ଶ୍ରୀ ଅରବିନ୍ଦଂକ ମହାକାବ୍ୟ “ସାବିତ୍ରୀ” ର ଗଦ୍ୟାନୁବାଦ ସେ ଓଡିଆରେ କରିଥିଲେ।


୮. ସ୍ରଷ୍ଟା ଭାବରେ ତାଂକର ସୃଷ୍ଟି ର ପ୍ରାଚୁର୍ୟ ପ୍ରବଳ।ହେଲେ ତା’ ଛଡା ସମ୍ପାଦକ ଭାବରେ ସେ ଓଡିଶାର ପତ୍ରିକା ଜଗତରେ ଭୀଷ୍ମ ପିତାମହ ।

“ଝଂକାର” ପତ୍ରିକାର ସମ୍ପାଦକ ଭାବରେ ସେ ୧୯୬୫ ୧୯୬୯ ଯାଏଁ ଦାୟିତ୍ବ ନିର୍ବାହ କରିଥିଲେ ।କୁହାଯାଏ, ବହୁ ପ୍ରତିଷ୍ଠିତ ଲେଖକ ତାଂକରି ହାତ ଧରି ଉପରକୁ ଉଠିଛନ୍ତି।

ଏହା ଛଡା “ଉତ୍କଳ ପ୍ରସଂଗ” ଓ “Odisha Review” ର ସମ୍ପାଦକ ଭାବେ ତାଂକର ପ୍ରତିଷ୍ଠା ରହିଥିଲା। ଏକ ସରକାରୀ ପତ୍ରିକାକୁ ପୂର୍ନାଂଗ ସାଂସ୍କୃତିକ ପତ୍ରିକା କରିବାର ସାହସ ତାଂକ ପାଖରେ ଥିଲା ।


୯ . ୧୯୮୧ ରେ ମହାପାତ୍ର ନିଳମଣି ସାହୁନ୍କୁ ଓଡିଶା ସାହିତ୍ୟ ଏକାଡେମୀ , ୧୯୮୪ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ, ୧୯୮୩ ରେ ଶାରଳା ପୁରଷ୍କାର, ୨୦୦୦ ରେ କୋଣାର୍କ ସମ୍ମାନ, ୨୦୦୬ ରେ ସାହିତ୍ୟ ଭାରତୀ ସମ୍ମାନ ତାଂକୁ ମିଳିଥିଲା।ତାଂକ ହାତରେ ଗଢା ହେଇଥିବା ବହୁ ଲେଖକ ଲେଖିକା ଜାତୀୟ ସ୍ବୀକୃତି ପାଇଛନ୍ତି, ହେଲେତାଂକ କଥା ସେମିତି ରାଜ୍ୟରେ ସୀମିତ ହୋଇ ରହିଗଲା ।


୧୦ ବହୁ ଅନୁଷ୍ଠାନ ଓ ପତ୍ରିକା କୁ ସେ ନିଜ ହାତରେ ତିଆରି କରିଛନ୍ତି। ସବୁଠି ଥାଇ କେଉଁଠି ନଥିବା ତାଂକର ପ୍ରବୃତ୍ତି । ଓଡିଶା ସାହିତ୍ୟ ଏକାଡେମୀର ସେ ଥିଲେ ସଭାପତି ।

ଗୋଏ ସମୟରେ ସେ ଇସ୍ତଫା ଦେଇ ଏକାଡେମୀରୁ ଚାଲି ଆସିଥିଲେ ।ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ ମହାପାତ୍ର ନିଳମଣି ସାହୁ । ସେ ବିନ୍ଦୁ ଆଜି ମହାସିଂଧୁରେ ତିରୋହିତ । କଥା ସାହିତ୍ୟର ଏଇ ରସିକ ପୁରୁଷ ଆମର ଚିର ନମସ୍ୟ ।

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: ଓଡିଶା, ଗଣମାଧ୍ୟମ, ଭୁବନେଶ୍ୱର, ରାଜ୍ୟ ସରକାର, ଶିକ୍ଷା

ସେ ବି ଦିନେ ମୁଖ୍ୟମନ୍ତ୍ରୀ ଥିଲେ; ନବକୃଷ୍ଣ ଚୌଧୁରିଂକ ବିଷୟରେ କିଛି କଥା

June 24, 2016 by ନିଉଜ ଡେସ୍କ Leave a Comment

 


କେଦାର ମିଶ୍ର
ଆଧୁନିକ ଶିଳ୍ପ ନଗରୀ ଅନୁଗୁଳ ର ଏକ ଅପରିଚିତ ଠିକଣା- ବାଜି ରାଉତ ଛାତ୍ରାବାସ। ସେଇ ପୁରୁଣାକାଳିଆ ଛାତ୍ରାବାସଟି ଆଜି ବି ଲାଗେ କେଉଁ ପ୍ରାଚୀନ ସମୟର ଗୁରୁକୁଳ ପରି।

ସେହି ଛାତ୍ରାବାସର ଗୋଟେ ଚାଳ ଛପର ଥିବା ଏକ ବଖୁରିଆ ଘର। ଅନେକ ସମୟରେ ସେ ଘର ଛାଉଣୀ ହୋଇ ପାରୁନଥିଲା ।

ବର୍ଷା ଦିନେ ପାଣି ଗଳୁଥିବା ସେ କୁଡିଆ ଘରେ ଏ ରାଜ୍ୟର ସବୁଠୁ ସମ୍ମାନନୀୟ ଓ ପ୍ରେରଣାଦାୟକ ବୁଢା ବୁଢୀ ଦି ଜଣ ରହୁଥିଲେ।

ଆଦିବାସୀ ପିଲାଂକ ସହ ସରଳ ଜୀବନ ବଂଚୁଥିବା ଏଇ ଅସାଧାରଣ ଦମ୍ପତ୍ତି ଓଡିଶାର ସ୍ବାଧିନତା ଆନ୍ଦୋଳନର ଅଗ୍ରଣୀ ନାୟକ ଓ ନାୟିକ। ଜଣେ ଥିଲେ ବାପି ଓ ଆଉ ଜଣେ ନୁମା ।

ଏ ନାଁ ସହ ଓଡିଶାର ନୁଆ ପ୍ରଜନ୍ମ ହୁଏତ ପରିଚିତ ନୁହନ୍ତି । ତେବେ ଇତିହାସରେ ଏ ଦୁହେଁ ଆମ ଲାଗି ଏକ ବିସ୍ମୟକର ଉଦାହରଣ ।

କ୍ଷମତା ର ସବୁଠୁ ବଡ ଆସନରେ ବସି ମଧ୍ୟ ତ୍ୟାଗ କୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ବାପି ଥିଲେ – ସ୍ବାଧିନ ଓଡିଶାର ପ୍ରଥମ ରାଜସ୍ବ ମନ୍ତ୍ରୀ ଓ ୧୯୫୦ ରୁ ୧୯୫୬ ଯାଏଁ ଓଡିଶାର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ। ପଦବୀ ଓ କ୍ଷମତାର ଅହଂକାର ନବ ଚୌଧୁରିଂକୁ କେବେବି ଛୁଇଁ ପାରିନଥିଲା ।

ସେ ଜମିଦାର ପରିବାରରେ ଜନ୍ମ ନେଇ ଜୀବନ ତମାମ ଜମିଦାରୀ ବିରୋଧରେ ଲଢିଥିଲେ।

ପ୍ରାଚୁର୍ୟ ଭିତରେ ବିତିଥିବା ପିଲାଦିନ କୁ ଭୁଲି ଜଣେ ସାଧାରଣ କୃଷକର ଜୀବନ ବରଣ କରିଥିଲେ। ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଜମିରେ ହଳ କରି, ଅନୁଗୁଳ ସହରରେ କ୍ଷୀର ବିକି ସେ ତାଂକର ଜୀବିକା ନିର୍ବାହ କରିଛନ୍ତି ।

ରାଜନୀତି କ୍ଷମତା ହାସଲର ଷଡଯନ୍ତ୍ର ନୁହଁ, ଏହା ତ୍ୟାଗ ଓ ମାନବ ସେବା ର ତପସ୍ୟା, ଏକଥା ନବ ବାବୁଂକ ଜୀବନ ପ୍ରମାଣିତ କରିଛି । ଲୋକଂକ ସହ ଓ ଲୋକଂକ ପାଇଁ ରାଜନୀତି କରିଥିବା ନବକୃଷ୍ଣ ଚୌଧୁରୀ, ଭାରତର ରାଜନୀତିରେ ଅନ୍ୟତମ ନିଷ୍କଲଂକ ଋଷି । ତାଂକର ୩୩ଶ ଶ୍ରାଦ୍ଧ ଅବସରରେ ତାଂକ ବିଷୟରେ କିଛି କଥା-

୧. ବାପା- ଗୋକୁଳାନନ୍ଦ ରାୟ ଚୌଧୁରୀ, ଓଡିଶାର ନାମାଜାଦା ଓକିଲ ଓ ଜମିଦାର। ଅଥଚ ତାଂକର ପୂରା ପରିବାର ସାମନ୍ତବାଦ ବିରୋଧରେ ସଂଘର୍ଷ କରିଛନ୍ତି ।

ଜଗତସିଂପୁର ଜିଲ୍ଲାର ଖେରସ ଗାଁ ରେ ନବକୃଷ୍ନଂକ ଜନ୍ମ ୨୩, ଜୁନ୍, ୧୯୦୧ ମସିହାରେ । ବଡ ଭାଇ ଗୋପବନ୍ଧୁ ଚୌଧୁରୀ ଓଡିଶା ପ୍ରଦେଶ କଂଗ୍ରେସ ର ପ୍ରଥମ ସଭାପତି ।

ଭାଉଜ ରମା ଦେବୀ, ସାରା ଓଡିଶା ବାସୀଂକ ଅତି ଆଦରର ମାଁ। ପିଲା ବେଳେ ନବକୃଷ୍ଣ ଥିଲେ ବେଶ୍ ସୁକୁମାର। ତାଂକ ଝିଆରୀ ତଥା ଓଡିଶାର ଅନ୍ୟତମ ମହାନ ସ୍ବାଧିନତା ସଂଗ୍ରାମୀ ଅନ୍ନପୁର୍ନା ଦେବୀ ତାଂକ ଆତ୍ମଜୀବନୀ ରେ ଲେଖିଛନ୍ତି- ବାପି ପିଲାବେଳେ ବେଶ୍ ରାଗି ଥିଲେ।

ସରୁ ଚକୁଳି ଟିକେ ମୋଟା ହେଲେ ଫୋଫାଡି ଦେଉଥିଲେ। ସେ ବାପି ଗାନ୍ଧୀ ଆଶ୍ରମରେ ବଗଡା ଖାଇ, ସପ ବିଛେଇ ଜୀବନ ତମାମ୍ ଶୋଇଲେ ।
୨. ରେଭେନଶା କଲେଜ ରେ ପଢୁଥିବା ସମୟରେ ଗାଂଧିଜିଂକ ଡାକରାରେ ପାଠ ପଢ଼ା ଛାଡ଼ି ସେ ବାପୁଂକ ସାବରମତୀ ଆଶ୍ରମରେ ଯୋଗଦାନ କରନ୍ତି ।

ଗାଂଧିଂକ ରଚନାତ୍ମକ କାର୍ୟକ୍ରମ କୁ ଓଡିଶାର ଗାଁ ଗାଁ ରେ ପ୍ରସାରିତ କରିବାରେ ସେ ପ୍ରମୁଖ ଭୂମିକା ନିଅନ୍ତି। ୧୯୨୨ ରୁ ଜୀବନର ଶେଷ ନିଶ୍ବାସ ଯାଏ ଗାନ୍ଧି ଆଦର୍ଶର ସେ ଥିଲେ ଅଗ୍ରଣୀ ନାୟକ ।
୩. ଦେଶର ସ୍ବାଧିନତା ଆନ୍ଦୋଳନରେ ଯୋଗଦାନ କରି ୧୯୩୦, ୧୯୩୨, ୧୯୪୦ ଓ ୧୯୪୨ ଭାରତ ଛାଡ ଆନ୍ଦୋଳନ ବେଳେ ସେ କାରା ବରଣ କରିଛନ୍ତି ।

ଏପରିକି ସ୍ବାଧିନ ଭାରତରେ ବି ତାଂକୁ ଜେଲ୍ ଯିବାକୁ ପଡିଛି । ଜରୁରୀ କାଳୀନ ପରିସ୍ଥିତି କୁ ବିରୋଧ କରିବାରୁ ସେତେବେଳେ ତାଂକୁ ଜେଲ୍ ଭିତରେ ସାଧାରଣ କଏଦୀ ଭାବରେ ରଖାଯାଇଥିଲା ।
୪. ୧୯୨୫ ରେ ସେ କବି ଗୁରୁ ରବିନ୍ଦ୍ରନାଥ ପ୍ରତିଷ୍ଠିତ ଶାନ୍ତି ନିକେତନ ରେ ସ୍ନାତକ ପରୀକ୍ଷା ଦେଲେ । ସେଇଠି ମାଳତି ଦେବୀଂକ ସହ ତାଂକର ପ୍ରେମ ଓ ପରିଣୟ।ସଂଘର୍ଷ ଓ ତ୍ୟାଗର ଜୀବନ ପଥରେ ଉଭୟେ ଥିଲେ ପରଷ୍ପର ର ପରିପୂରକ ।
୫. ୧୯୩୭ ମସିହାର ସାଧାରଣ ନିର୍ବାଚନରେ କଂଗ୍ରେସ୍ ପ୍ରାର୍ଥୀ ଭାବେ ସେ ତିର୍ତୋଲ୍-ଏରସମା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହେଲେ ।

ସ୍ବାଧିନ ଭାରତର ପ୍ରଥମ ନିର୍ବାଚନରେ ସେ କେନ୍ଦ୍ରାପଡା ରୁ ବିଧାନ ସଭାକୁ ଆସିଲେ ଓ କଂଗ୍ରେସ ସରକାରରେ ଓଡିଶାର ପ୍ରଥମ ରାଜସ୍ବ, ଯୋଗାଣ ଓ ଜଂଗଲ ବିଭାଗର ମନ୍ତ୍ରୀ ଦାୟିତ୍ବ ନେଲେ । କ୍ଷମତା ରାଜନୀତି ଓ ନବ ବାବୁଂକ ସମ୍ପର୍କ ସବୁବେଳେ ଜଟିଳ ।

କ୍ଷମତା ତାଂକ ପଛରେ ଗୋଡେଇ ଥିବା ବେଳେ ସେ କ୍ଷମତା କୁ ଫାଂକିଦେଇ ଦୌଡି ପଳାନ୍ତି। ଅଳ୍ପ ସମୟ ମନ୍ତ୍ରୀ ରହିବା ପରେ ସେ ଇସ୍ତଫା ଦିଅନ୍ତି।
୬. ୧୯୫୦ ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ପୁଣି ଥରେ ନବକୃଷ୍ନଂକ ଉପରେ ଚାପ ପକାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାକୁ ।

ଅନେକ ଦ୍ବିଧା ପରେ ସେ ଓଡିଶା ର ମୁଖ୍ୟମନ୍ତ୍ରୀ ଭାବେ ୧୨ , ମଇ , ୧୯୫୦ ରେ ଦାୟିତ୍ବ ନିଅନ୍ତି । ୧୯ , ଅକ୍ଟୋବର ୧୯୫୬ ପର୍ଯନ୍ତ ମୁଖ୍ୟମନ୍ତ୍ରୀ ଭାବେ ସେ କାମ କରିଥିଲେ ।
୭. ଓଡିଶାର ମୌଳିକ ସମସ୍ୟାକୁ ବୁଝିବା ଓ ତାର ରଚନାତ୍ମକ ସମାଧାନ ବାହାର କରିବାରେ ତାଂକ ପରି ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଆଉ ଓଡିଶା ଦେଖି ନାହିଁ ।

ଜମିଦାରୀ ଉଛେଦ, ଭାଗଚାଷୀ ର ଭୂମି ଅଧିକାର, ଆଦିବାସୀ ଅଧିକାର, ଓଡିଆ ଭାଷାର ପ୍ରଶାସନିକ ପ୍ରୟୋଗ, ଅଂଚଳ ଶାସନ ବା ପଂଚାୟତି ରାଜ୍ ଓ ନିଶା ନିବାରଣ ଭଳି ମୌଳିକ କ୍ଷେତ୍ରର ଆଇନଗତ ସମାଧାନ ଖୋଜିବାରେ ସେ ଥିଲେ ଅନନ୍ୟ ଜନ ନାୟକ ।

ପ୍ରଶାସନ ଲୋକଂକ ପାଖକୁ ଯାଉ ବୋଲି ସେ ନିଷ୍ଠା ର ସହ ଚାହିଥିଲେ ଓ ସେଥିଲାଗି ନିଜେ ମୁଖ୍ୟମନ୍ତ୍ରୀ ଭାବେ ଗାଁ କୁ ଗାଁ ବୁଲୁଥିଲେ।
୮. ମୁଖ୍ୟମନ୍ତ୍ରୀ ଭାବରେ ହିରାକୁଦ ନଦୀ ବନ୍ଧ , ରାଉରକେଲା ଇସ୍ପାତ କାରଖାନା, ଓଡିଶା କୃଷି ମହାବିଦ୍ୟାଳୟ , ବୈଷୟିକ ମହାବିଦ୍ୟାଳୟ ଇତ୍ୟାଦି ତାଂକର ଅବଦାନ ।

ନିଷ୍ଠା ର ସହିତ ନୁଆ ଓଡିଶା ଗଠନରେ ମନୋନିବେଶ କରିଥିବା ନବ ବାବୁ ସେତେବେଳର କଂଗ୍ରେସ ରାଜନୀତିରେ ଥିଲେ ବ୍ୟତିକ୍ରମ। କ୍ଷମତା ଲଢେଇ ଓ ରାଜନୈତିକ ପଶାଖେଳର ଖେଳାଳୀ ହେବାକୁ ସେ କେବେ ଚାହିଁ ନଥିଲେ।

ସେ ଯେଉଁ ଆଦର୍ଶ ଓ ନୈତିକତା ର ରାଜନୀତି କରୁଥିଲେ କଂଗ୍ରେସ୍ ତା’ଠୁ ଆସ୍ତେ ଆସ୍ତେ ଦୂରେଇ ଯାଉଥିଲା। ଶେଷରେ ନବ ବାବୁ ୧୯ ଅକ୍ଟୋବର ୧୯୫୬ ରେ ଇସ୍ତଫା ଦେଇ ଚାଲିଗଲେ।

କୁହାଯାଏ , ମୁଖ୍ୟମନ୍ତ୍ରୀ ପଦ ଛାଡିବାର ଅଳ୍ପ କେଇ ଘଣ୍ଟା ଭିତରେ ସେ ସରକାରୀ ଘର ଖାଲି କରି ନିଜ ଟିଣ ଟ୍ରଂକ ଟିକୁ ମୁଣ୍ଡେଇ ରେଳଗାଡିରେ ଅନୁଗୁଳ ଫେରି ଯାଇଥିଲେ।
୯. କ୍ଷମତା ଛାଡିଲା ପରେ ଆଉ ଥରେ ବି ପଛକୁ ଫେରି ଚାହିଁବାର ଆବଶ୍ୟକତା ସେ ଅନୁଭବ କରି ନାହାନ୍ତି।ବାକି ଜୀବନ ଲୋକଂକ ପାଇଁ ଲଢିଛନ୍ତି। ଧାଡିରେ ଠିଆ ହେଇ ରେଲ୍ ଟିକେଟ୍ କାଟିଛନ୍ତି ।

ନିଜକୁ ଅସାଧରଣ ବୋଲି କହିବା ତ ଦୂରର କଥା, ଆଚରଣରେ ଅତି ସାଧାରଣ ଚାଷୀ ପରି ସେ ବନ୍ଚିଛନ୍ତି । କ୍ଷମତା ଅହଂକାର ରେ ଗଣତନ୍ତ୍ର ବିରୋଧରେ ଯିଏ ବି କାମ କରିଛି ତାଂକ ବିରୋଧରେ ନିର୍ଭୟ ଭାବେ ଛିଡା ହୋଇଛନ୍ତି ।

୧୦. ଅନ୍ତିମ ଜୀବନରେ ସାମ୍ୟବାଦ ଓ ସମାଜବାଦ ସହ ଗାନ୍ଧୀ ବାଦ କୁ ଯୋଡ଼ିବାର ଏକ ସାହସିକ ପ୍ରୟାସ ସେ କରୁଥିଲେ । ଇନ୍ଦିରା ଗାଂଧିଂକ ଜରୁରୀ କାଳିନ ପରିସ୍ଥିତି ବିରୋଧରେ ତାଂକୁ ପରିଣତ ବୟସରେ ଜେଲ୍ ଯିବାକୁ ପଡିଲା ।

ଜେଲ୍ ରେ ଥିବା ବେଳେ ତାଂକ ଦେହ ଖରାପ ହେବା ଆରମ୍ଭ କଲା। ୨୪ ଜୁନ୍ ୧୯୮୪ ମସିହାରେ ଏହି ଅନନ୍ୟ ଜନନେତା ମୃତ୍ୟୁ ବରଣ କଲେ।

ଓଡିଶାରେ ବହୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ହେବେ। ହେଲେ ନବକୃଷ୍ଣ ଚୌଧୁରିଂକ ପରି ମୁଖ୍ୟମନ୍ତ୍ରୀ ଏକ ଏବଂ ଅଦ୍ବୀତିୟ।

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଜଣା ଅଜଣା, ରାଜନୀତି Tagged With: ଓଡିଶା, ଗଣମାଧ୍ୟମ, ମୁଖ୍ୟମନ୍ତ୍ରୀ, ରାଜନୀତି, ରାଜ୍ୟ ସରକାର

ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ

November 14, 2015 by ନିଉଜ ଡେସ୍କ Leave a Comment

ଲିଙ୍ଗରାଜ

ଚଳିତ ବର୍ଷ ଆମ ରାଜ୍ୟରେ ଉତ୍କଟ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ଗତ ଦୁଇ ମାସ ମଧ୍ୟରେ ଭିନ୍ନ ଭିନ୍ନ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ଘଟଣା ପ୍ରଭାବ ସ୍ୱାଭାବିକ ଭାବରେ ଏକ ଉଦବେଗ ଓ ଉଦବେଳନର ପ୍ରସଙ୍ଗ ହୋଇଯାଇଛି । ଏକଥା କହିବା ବାହୁଲ୍ୟ ଯେ ଉଭୟ ଖବର କାଗଜ ଏବଂ ଇଲେକ୍ଟ୍ରୋନିକସ ଗଣମାଧ୍ୟମର ଏଥିରେ ଏକ ସକ୍ରିୟ ଭୂମିକା ରହିଛି ।

lingaraj
ଲିଙ୍ଗରାଜ

ମରୁଡ଼ି ମୁକାବିଲା ପାଇଁ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ବେଶ୍ ତତ୍ପରତା ପୂର୍ବକ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ ଘୋଷେଣା ସତ୍ୱେ କୃଷକ ଆତ୍ମହତ୍ୟା ଘଟଣା ଥମୁନଥିବାରୁ ପୃଷ୍ଠଭୂମିରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ କୃଷକ ମାନଙ୍କୁ ସରକାରଙ୍କ ତରଫରୁ ସର୍ବବିଧି ସହାୟତାର ଆଶ୍ୱାସନା ଦେଇ ଆତ୍ମହତ୍ୟା ନକରିବାକୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ବାଣୀ କୃଷକ ମାନଙ୍କ ମନରେ ଭରସା ଯୋଗାଉ ଥିବା ସଂକେତ ମିଳୁ ନାହିଁ ।

ଗତ ଅଗଷ୍ଟ ମାସରେ ବିଧାନ ସଭାରରେ ରାଜ୍ୟ କୃଷି ମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟାନୁସାରେ ୧୯୯୯ରୁ ୨୦୧୩ ବିଗତ ୧୫ ବର୍ଷ ଭିତରେ ଓଡ଼ିଶାରେ ୩୬୦୨ ଜଣ କୃଷକ ମାନଙ୍କର ଆତ୍ମହତ୍ୟା ଘଟଣା ଘଟିଛି ।

ଏବିଷୟ ତଥ୍ୟ ଉପସ୍ଥାପନ କଲା ବେଳେ କୃଷିମନ୍ତ୍ରୀ ଏକଥା କହିବାକୁ ଭୁଲିନଥିଲେ ଯେ କୃଷକ ମାନଙ୍କର ଆତ୍ମହତ୍ୟା ପଛରେ କୃଷି ଜନିତ ସମସ୍ୟାର ଆଦୌ ସମ୍ପର୍କ ନାହିଁ, ଭିନ୍ନ ଭିନ୍ନ କାରଣରୁ ସେମାନେ ଆତ୍ମହତ୍ୟା କରୁଛନ୍ତି ।

କୃଷିମନ୍ତ୍ରୀଙ୍କର ଏପରି ସ୍ପଷ୍ଟୀକରଣ ଦେବାର ତାତ୍ପର୍ଯ୍ୟ କଣ ହୋଇପାରେ ? । (ବିଜେଡ଼ି ନବୀନ ପଟ୍ଟନାୟକ ନେତୃତ୍ୱାଧିନ ସରକାର) କୃଷକ ମାନଙ୍କ ପ୍ରତି ଅଙ୍ଗିକାର ହୋଇ ନାନା ଯୋଜନା କରୁଥିବା ବେଳେ କୃଷି କ୍ଷେତ୍ରରେ ସମସ୍ୟା ଉପୁଜିବ କେମିତି ଏବଂ ତାକୁ ସ୍ୱୀକାର କଲେ ସରକାରଙ୍କ ବଦନାମ ତୁଲ୍ୟ ହେବ ନାହିଁ କି? )।

ଓଡ଼ିଶା ସରକାରର ବର୍ତମାନ କିମ୍ବା ପୂର୍ବତନ କୃଷିମନ୍ତ୍ରୀଙ୍କର ଏହି ପ୍ରସଙ୍ଗକୁ ନେଇ ଏପରି ଆଭିମୁଖ୍ୟକୁ ଏକ ବ୍ୟତିକ୍ରମ କୁହାଯାଇ ପାରିବ ନାହିଁ । ଏଠାରେ ସ୍ମରଣଯୋଗ୍ୟ ଯେ ଗତ ଲୋକସଭା ଅଧିବେଶନ କାଳରେ (ବିଜେପି ନେତୃତ୍ୱାଧିନ) କେନ୍ଦ୍ର ସରକାରଙ୍କ କୃଷିମନ୍ତ୍ରୀଙ୍କର ଏହାଠାରୁ ଅଧିକ କଟୁକ୍ତିପୂର୍ଣ୍ଣ ବୟାନ ବେଶ୍ ଚର୍ଚ୍ଚିତ ହୋଇଥିଲା । ତାହାର ମର୍ମ ଥିଲା କୃଷକ ମାନଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ପ୍ରେମଜନିତ ବିଫଳତା, ନପୁଂସକତା ଓ ତଦ୍ ଜନିତ ମାନସିକ ସମସ୍ୟା ।

ଏହା ପୂର୍ବରୁ କ୍ରେନ୍ଦ୍ରରେ ଦୀର୍ଘ ବର୍ଷ ଧରି କ୍ଷମତାସୀନ କଂଗ୍ରେସ ଦଳର କୃଷିମନ୍ତ୍ରୀଙ୍କର ଏବିଷୟରେ ଆଭିମୁଖ୍ୟରେ ଭିନ୍ନତାର ନଜିର ନାହିଁ । ୧୯୯୬ରୁ ୨୦୧୪ ଭିତରେ ଦେଶବ୍ୟାପୀ ତିନି ଲକ୍ଷ୍ୟରୁ ଊର୍ଦ୍ଧ୍ଵ କୃଷକ ଆତ୍ମହତ୍ୟା କରିଥିବାର ତଥ୍ୟ ଅବଶ୍ୟ କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ପ୍ରଦାନ କରୁଅଛି ।

କୃଷକ ଆତ୍ମହତ୍ୟା ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୈତିକ ଦୋଷାରୋପଣ ଭିତ୍ତିକ ବିତର୍କର ଏ ଚରିତ୍ରକୁ ବିଶ୍ଳେଷଣ କଲେ ଏକଥା ସ୍ପଷ୍ଟ ଯେ ଏହା ହେଉଛି ଆମ ଦେଶର ଶାସନ ଶ୍ରେଣୀର ଆଭିମୁଖ୍ୟ, କୌଣସି ନିର୍ଦ୍ଧିଷ୍ଟ ଦଳ ଭିତରେ ଏହା ସୀମାବଦ୍ଧ ନୁହେଁ ।

ଏହା ସହ ପଢନ୍ତୁ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

୧୯୮୦-୯୦ ଦଶକରେ ଆମ ଦେଶରେ ଅନାହାର ମୃତ୍ୟୁର ବ୍ୟାପକ ଅଭିଯୋଗକୁ ନେଇ ରାଜନୌତିକ ସ୍ତରରେ ଅନୁରୂପ ଦୋଷାରୋପଣର ସଲାକୁସ୍ତି ହେଉଥିଲା । ସମସ୍ୟା ମୂଳ କାରଣକୁ ସ୍ୱୀକାର କରି ସମାଧାନର ସୁତ୍ର ବାହାର କଲା ପରେ ଆଜି ତାହାର ଯଥେଷ୍ଟ ହ୍ରାସ ପାଇଛି , ଅନ୍ତତଃ ଅନାହାର ମୃତ୍ୟୁର ଅମାନବୀୟର ରୂପ ହ୍ରାସ ପାଇଛି ।

2007 AGITATION
୨୦୦୭ ମସିହାରେ ହୋଇଥିବା ଚାଷୀ ଆନ୍ଦୋଳନର ଏକ ଦୃଶ୍ୟ ଛବି ସୌଜନ୍ୟ : ଅଶୋକ ପ୍ରଧାନ

ଆମ ଦେଶର ଶାସନ ଶ୍ରେଣୀ ସଂପ୍ରତି କୃଷକ ଆତ୍ମହତ୍ୟା ଘଟଣାବଳୀକୁ କୃଷି କ୍ଷେତ୍ରର ନୀତି ଜନିତ ସମସ୍ୟା ସହ ଯୋଡ଼ି ଦେଖିବାକୁ ପ୍ରସ୍ତୁତ ନଥିବା ସତ୍ୱେ ଯେଉଁ ବର୍ଷ ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଘଟୁଛି ସେହି ସମୟରେ ଜନମତର ଚାପରେ ସରକାର କାରଣ ଓ ନିରାକାରଣ ଖୋଜିବା ଆଳରେ କମିଟି କମିଶନ ବସାଇବାର ଦୃଷ୍ଟାନ୍ତ ଅବଶ୍ୟ ରହିଛି । କିନ୍ତୁ ତାର ସୁପାରିଶକୁ ନେଇ ସଂପୃକ୍ତ ସରକାର ମାନଙ୍କର ଅଭିମୁଖ୍ୟ ତତୋଧିକ ବିଡ଼ମ୍ବନା ।

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୦୯-୧୦ରେ ଓଡ଼ିଶାରେ ଖରିଫ ଚାଷ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ହାନି ହୋଇଥିଲା ଏବଂ ସେହି ସମୟରେ ପ୍ରଥମ ଥର ପାଇଁ ଅନେକ ସଂଖ୍ୟକ କୃଷକ ଆତ୍ମହତ୍ୟାର ସମ୍ବାଦ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିଥିଲା ।

ସେହି ଅବଧି ଓ ପୃଷ୍ଠଭୂମିରେ ରାଜ୍ୟ ସରକାର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କୃଷକ କମିଶନ ଗଠନ କରିଥିଲେ । ଉକ୍ତ କମିଶନର ରିପୋର୍ଟ ରାଜ୍ୟ ସରକାରଙ୍କୁ ୨୦୧୨ ଡ଼ିସେମ୍ବରରେ ପ୍ରଦତ୍ତ ହୋଇଥିଲେ ସୁଦ୍ଧା ତାହା ବିଧାନସଭାରେ ପେଶ୍ ହୋଇନାହିଁ କିମ୍ବା ଲୋକଲୋଚନକୁ ଆସିନାହିଁ ।

ସବୁଠାରୁ ବିଡ଼ମ୍ବନାର କଥା ୨୦୧୪ରେ ରାଜ୍ୟ ସରକାର ଉକ୍ତ କମିଶନର ସୁପାରିଶ ଅନୁଧ୍ୟାନ କରିବା ପାଇଁ ପୁନଶ୍ଚ ଏକ ୭ ଜଣିଆ କିଶେଷଜ୍ଞ କମିଟି କରିବାକୁ କୁହାଯାଇଛି ।

AGITATION 9 nOV-2015
ଚଳିତ ମାସ ଚାଷୀ ଆତ୍ମହତ୍ୟା ବିରୋଧରେ ହୋଇଥିବା ସମାବେଶ ର ଦୃଶ୍ୟ ଛବି ସୌଜନ୍ୟ: ଅଶୋକ ପ୍ରଧାନ

ଠିକ୍ ସେହିପରି ୨୦୦୫ରେ କେନ୍ଦ୍ରରେ ନବ ଗଠିତ ଉପା ସରକାର ମଧ୍ୟ ଖ୍ୟାତିସଂପନ୍ନ କୃଷି ବିଶେଷଜ୍ଞ ସବୁଜ ବିପ୍ଳବର ସୁତ୍ରଧର ଏମ୍.ଏସ୍.ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ ଏକ କୃଷକ ଆୟୋଗ କଠନ କରିଥିଲେ । ସେହି ଅବଧିରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ପ୍ରଭୃତି ଆଧୁନିକ କୃଷି ପଦ୍ଧତିରେ ଉନ୍ନତ ରାଜ୍ୟ ମାନଙ୍କରେ କୃଷକ ମାନଙ୍କର ଅନେକ ସଂଖ୍ୟାରେ ଆତ୍ମହତ୍ୟା ଘଟଣା ଲୋକଲୋଚନକୁ ଆସିବା ପୃଷ୍ଠଭୂମିରେ ଏହି କମିଶନର ଗଠନ ହୋଇଥିଲା ।

୨୦୦୮ରେ ଏହି କମିଶନର ରିପୋର୍ଟ ସରକାରଙ୍କୁ ପ୍ରଦତ୍ତ ହୋଇଥିଲା । ଉକ୍ତ କମିଶନର ଅଧିକାଂଶ ସୁପାରିଶ ଏକ କର୍ପୋରେଟ ଆଧାରିତ କୃଷି ବ୍ୟବସ୍ଥା ଅନୁକୂଳ ହୋଇଥିବା ବେଳେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କୃଷକ ମାନଙ୍କୁ ସୁହାଇଲା ଭଳି ଥିଲା । ତେଣୁ ସେହି ସୁପାରିଶ ଦେଶର କୃଷକ ସଂଗଠନ ତଥା ସଚେତନ କୃଷକ ମାନଙ୍କ ଭିତରେ ବେଶ୍ ଚର୍ଚ୍ଚିତ ହୋଇ ରହିଛି ।

ଉକ୍ତ ସୁପାରିଶଟି ହେଲା ସରକାରଙ୍କ ଦ୍ୱରା କୃଷିଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ଦର ନିର୍ଦ୍ଧାରଣ କରାଗଲା ବେଳେ ଉତ୍ପାଦନ ଖର୍ଚ୍ଚ ସହ ପଚାଶ ପ୍ରତିଶତ ଯୋଡ଼ି ସ୍ଥିର କରିବେ । ଏହାକୁ ଏମ୍.ଏସ୍.ସ୍ୱାମୀନାଥନ ସୂତ୍ର ମଧ୍ୟ କୁହାଗଲା । ଏହି ସୁପାରିଶ ଜଣାପଡ଼ିବା ଦିନ ଠାରୁ କୃଷକ ସଂଗଠନ ମାନେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରି ଆସୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପା ସରକାର ଅମଳରେ ଏହି ସୁପାରିଶ ସଂକ୍ରାନ୍ତରେ ବିଚାର ସୁଦ୍ଧା କରାଗଲା ନାହିଁ । ଗତ ସାଧାରଣ ନିର୍ବାଚନ ସମୟରେ ବର୍ତମାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦାବିକୁ ତାର ନିର୍ବାଚନ ଇସ୍ତାହାରରେ ଅର୍ନ୍ତଭୁକ୍ତ କରିଥିଲା କିନ୍ତୁ ସରକାର ଗଢିବାର ଛଅ ମାସ ପର୍ଯ୍ୟନ୍ତ ଏ ବିଷୟରେ ଚୁପ୍ ରହିବାରୁ ହରିଆଣାର କେତେଜଣ କୃଷକ ନେତା ଏହି ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା କରିଥିଲେ ।

କିନ୍ତୁ ବିଡ଼ମ୍ବନାର କଥା କେନ୍ଦ୍ରର ବିଜେପି ସରକାର ସତ୍ୟପାଠ କରି ଅଦାଲତରେ ଜବାବ ଦାଖଲ କଲେ ଯେ ଏହି ସୁପାରିଶକୁ ଲାଗୁ କରିବା ସମ୍ଭବ ନୁହେଁ, କାରଣ ଏହାଦ୍ୱାରା ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଆମ ଦେଶର ଶାସକ ଶ୍ରେଣୀର କୃଷକ ଶ୍ରେଣୀ ପ୍ରତି ଉପେକ୍ଷା ଓ ପ୍ରତାରଣାର ଏହା ଏକ ସଦ୍ୟତମ ଉଦାହରଣ ।

ଏପ୍ରସଙ୍ଗରେ ଏକଥା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ ଯେକୌଣସି ରାଜ୍ୟ ସରକାର କୌଣସି ଫସଲ ହାନି କୃଷକ ମାନଙ୍କୁ ବୋନସ୍ ପ୍ରଦାନ କରି ପାରିବ ନାହିଁ, ଯଦି କରନ୍ତି ତେବେ କେନ୍ଦ୍ର ସରକାର ତାର ବଜାର ବ୍ୟବସ୍ଥା ପାଇଁ ଦାୟୀ ରହିବେ ନାହିଁ ।

କୃଷିଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ ଓ ବୋନସ୍ ପ୍ରଦାନ ବ୍ୟବସ୍ଥା ସହିତ ଆଧୁନିକ କୃଷି ବ୍ୟବସ୍ଥାରେ ସରକାରୀ ହସ୍ତକ୍ଷେପ ଦ୍ୱାରା କୃଷକ ମାନଙ୍କ ଆୟବୃଦ୍ଧିର ସିଧାସଳଖ ସଂପର୍କ ରହିଛି ।

ଆମ ଦେଶର ମାତ୍ର ୫ ପ୍ରତିଶତ ସରକାରୀ କର୍ମଚାରୀ ମାନଙ୍କର ପ୍ରତି ବର୍ଷରେ ବେତନ କମିଶନ ଗଠନ କରି ଅସମାନୁପାତିକ ଦରମା ଭତ୍ତା ବୃଦ୍ଧି ତଥା ପ୍ରତି ୯ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ସାଙ୍ଗକୁ ବିଧାୟକ/ ସାଂସଦ ମାନଙ୍କର ଦରମା ବୃଦ୍ଧି ବେଳକୁ ଦେଶର ଅର୍ଥ ବ୍ୟବସ୍ଥା ବିକୃତ ହେବାର ଯୁକ୍ତି କେହି କରନ୍ତି ନାହିଁ ।

ତେବେ ଜନସଂଖ୍ୟାର ୬୦ ପ୍ରତିଶତ କୃଷକ ମାନଙ୍କ ଆୟବୃଦ୍ଧିର ଏକ କ୍ଷୁଦ୍ର ବ୍ୟବସ୍ଥା କଥା ଉଠିଲେ ସରକାର ଚିହିଁକି ଉଠି ସତ୍ୟପାଠ କରୁଛନ୍ତି ଯେ ଦେଶର ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଏହି ରାଜନୈତିକ ଆଭିମୁଖ୍ୟରେ ହିଁ ରହିଛି କୃଷକ ଆତ୍ମହତ୍ୟାର ଏକ ମୂଳ କଥା ।

ପ୍ରଖ୍ୟାତ ହିନ୍ଦୀ କଥାକାର ପ୍ରେମଚାନ୍ଦ ୧୯୩୨ରେ ପରାଧିନ ଭାରତରେ ଏବିଷୟରେ ଏକ ପ୍ରବନ୍ଧ ଲେଖିଥିଲେ । କୃଷକ ଋଣ ବୋଝରେ ଜନ୍ମ ନିଏ, ଋଣ ବୋଝରେ ବଂଚେ ଓ ଋଣ ଜାଲ ମରିଥାଏ । ପରାଧିନ ଭାରତରେ ବି ଋଣ ବୋଝ କୃଷକର ଚିର ସହଚର ଥିଲା ।

ତେବେ ଆମ ଦେଶର ଅର୍ଥନୈତିକ ଐତିହାସିକ ମାନଙ୍କ ମତରେ ବ୍ରିଟିଶ ଶାସନ କାଳରେ କୃଷକମାନେ ଋଣ ଜାଲରେ ଫସି ଆତ୍ମହତ୍ୟା କରୁଥିବାର ନଜିର ଦେଖିବାକୁ ମିଳେ ନାହିଁ । ତେଣୁ ସ୍ୱାଭାବିକ ପ୍ରଶ୍ନ ଉଠୁଛି ସ୍ୱାଧୀନ ଭାରତରେ ଗତ ୨୦ ବର୍ଷ ଭିତରେ ୩ ଲକ୍ଷରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ମୂଳ କାରଣ କଣ? ।

ଦେଶର ଅନ୍ନଦାତା ବୋଲାଉଥିବା କୃଷକ (ବିଶେଷତଃ ଯେଉଁମାନଙ୍କ ପାଖରେ କୃଷି ଭିନ୍ନ ଅନ୍ୟ କୌଣସି ଧନ୍ଦା ନାହିଁ) ଆଜି ଏପରି ଅସହାୟ ବୋଧ କରୁଛି କାହିଁକି? ମହାରାଷ୍ଟ୍ର ଓ ପଞ୍ଜାବର କଥାକଥିତ ଊନ୍ନତ କୃଷକ ହେଉ କି ଓଡ଼ିଶାର ଦରିଦ୍ର ପଛୁଆ କୃଷକ ହେଉ ଆତ୍ମହତ୍ୟାର ପଥ ବାଛି ନେଉଛି କାହିଁକି ?

ଏହାର ମୂଳ କାରଣ ୪ଟି ପ୍ରକ୍ରିୟାଗତ ଶବ୍ଦରେ ଅନ୍ତର୍ନିହିତ ରହିଛି । ଉତ୍ପାଦନ ଖର୍ଚ୍ଚ ଆୟ ବିପର୍ଯ୍ୟୟ ଓ ଋଣ ।ଅର୍ଥାତ କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ସୀମାହୀନ ଭାବରେ ବଢିଚାଲିଛି ଏବଂ ସେହି ଅନୁପାତରେ କୃଷକର ଆୟବୃଦ୍ଧି ହେଉ ନାହିଁ ।

ସେହି ପରିସ୍ଥିତିରେ କୃଷକ ଉପରେ ଯଦି ଥରେ ବିପର୍ଯ୍ୟୟ ମାଡ଼ି ଆସିଲା ତେବେ ତା ଉପରେ ଋଣ ବୋଝ ଅସମ୍ଭାଳ ହୋଇଯାଉଛି । ପ୍ରଚଣ୍ଡ ଅସହାୟବୋଧ କରୁଥିବା କୃଷକ କିଂ କର୍ତବ୍ୟବିମୁଢ ହୋଇ ଜୀବନ ଯୁଦ୍ଧରେ ହାରି ଯାଉଛି ।

ଆଧୁନିକ କୃଷି ପଦ୍ଧତି ପୂର୍ବରୁ ଆମ ଦେଶରେ ଅନୁସୃତ କୃଷି ପଦ୍ଧତିରେ ଉତ୍ପାଦନ ଖର୍ଚ୍ଚ ପାଇଁ କୃଷକ ବଜାର ଉପରେ ଆଦୌ ନିର୍ଭରଶୀଳ ନଥିଲା । ଦେଶକୁ ଖାଦ୍ୟ ସଂକଟରୁ ମୁକୁଲାଇବା ପାଇଁ ଅନୁସୃତ ସବୁଜ ବିପ୍ଲବ କୃଷି ପଦ୍ଧତିରେ ଗୋଟିଏ ସମୟ ଯାଏ ସରକାରୀ ସହାୟତା ବଜାର ଦାଉକୁ ପ୍ରାୟତଃ ସମ୍ଭାଳି ନେଉଥିଲା ।

୧୯୯୧ ପରବର୍ତ୍ତୀ ତଥାକଥିତ ନବ ଉଦାରବାଦୀ ଯୁଗରେ ସରକାରୀ ସହାୟତା ସବ୍ସିଡ଼ି ହ୍ରାସ ସାଙ୍ଗକୁ ବଜାର ଶକ୍ତ କମ୍ପାନୀ ମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି ।ଏହି ଯୁଗରେ ଶିକ୍ଷା ଓ ସ୍ୱାସ୍ଥ୍ୟ ମଧ୍ୟ ବଜାରର ବସ୍ତୁ ହୋଇଗଲାଣି । କୃଷକ ପରିବାର ପାଇଁ ଏହା ମଧ୍ୟ ଏକ ବିପର୍ଯ୍ୟୟର ରୂପ ନେଉଛି ।

ସରକାରୀ ନୀତି ଦ୍ୱାରା ପ୍ରୋତ୍ସାହିତ ବଜାର ସର୍ବସ୍ୱ ଅର୍ଥ ବ୍ୟବସ୍ଥା ଜନିତ ଉପଭୋକ୍ତାବାଦର ଅନିୟନ୍ତ୍ରିତ ପ୍ରସାର ମଧ୍ୟ କୃଷକ ପରିବାର ପାଇଁ କାଳ ହୋଇଛି । ଏପରି ଏକ ଚକ୍ରବ୍ୟୁହ ଭିତରୁ କୃଷକ କିପରି ବାହାରି ପାରିବ ତାହା ଏକ ଯକ୍ଷ ପ୍ରଶ୍ନ ।

କଥାକାର ପ୍ରେମଚାନ୍ଦ ଉପରୋକ୍ତ ପ୍ରବନ୍ଧରେ ଏକଥା ବି କହିଥିଲେ ଯେ ସେକାଳର ସରକାର କୃଷକ ମାନଙ୍କୁ ସାବତ ପୁଅ ହିସାବରେ ବ୍ୟବହାର କରୁଛି । କୃଷକ ମାନଙ୍କୁ ନିଜର ବଡ଼ ପୁଅ ଭଳି ବ୍ୟବହାର କଲେ ଯାଇ ସେମାନେ ତିଷ୍ଠି ପାରିବେ ବୋଲି ସେ ଆକୁଳ ନିବେଦନ କରିଥିଲେ ।

ବିଦେଶୀ ସରକାରର ଆଚରଣ ତ ବଦଳିବାର ପ୍ରଶ୍ନ ନଥିଲା । ସ୍ୱାଧୀନ ଭାରତରେ ପ୍ରଜାତନ୍ତ୍ର ଶାସନର ସରକାରର ଆଚରଣ ବଦଳାଇବାର କିଛି ବାଟ ଅଛି କି?

ସମତା ଭବନ, ବରଗଡ଼ -୭୬୮୦୨୮
ମୋ: ୯୪୩୭୦୫୬୦୨୯

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ବରଗଡ଼, ବିଜେଡ଼ି, ରାଜ୍ୟ ସରକାର, ସରକାର

ତିନୋଟି ସମ୍ପ୍ରଦାୟକୁ ଆଦିବାସୀ ତାଲିକା ଭୁକ୍ତ ପାଇଁ ସୁପାରିଶ ନିଷ୍ପତ୍ତି

May 14, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,ମଇ ୧୪ (ଓଡିଶା ଡଟ୍ କମ୍), ରାଜ୍ୟରେ ରହୁଥିବା ଆଉ ତିନୋଟି ସଂପ୍ରଦାୟଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ କରିବା ପାଇଁ ଗୁରୁବାର ଏଠାରେ ଅନୁଷ୍ଠିତ ହୋଇଥିବା ଆଦିବାସୀ ପରାମର୍ଶ ଦାତା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁଟିୟା, ଭୁଇୟାର ଓ ଭୂଇଁହାର ସମ୍ପ୍ରଦାୟକୁ ଏହି ତାଲିକା ଭୁକ୍ତ କରିବା ପାଇଁ ସୁପାରିଶ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା ।

ଏହି ବୈଠକରେ ଅନୁସୂଚିତ ଜାତି, ଜନଜାତି ଓ  ଅଳ୍ପ ସଂଖ୍ୟକ ବିକାଶ ବିଭାଗର ଅଧିକାରୀ, ପନ୍ଦର ଜଣ ବିଧାୟକ ଓ ଜଣେ ଏମପି ଓ ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଝୋଡିଆ ଓ ଅନ୍ୟ କେତେକ ସଂପ୍ରଦାୟର ଅଧିବାସୀ ଆଦିବାସୀ ହୋଇଥିଲେ ମଧ୍ୟ ସରକାରୀ ତାଲିକାରେ ତାଙ୍କ ଜାତିର ନାମ ବନାନ ଠିକ ଲେଖା ଯାଇନଥିବାରୁ ସେମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ।

ପୂର୍ବରୁ ମଧ୍ୟ ରାଜ୍ୟସରକାର କେତେକ ସଂପ୍ରଦାୟର ଅଧିବାସୀଙ୍କୁ ଆଦିବାସୀ ମାନ୍ୟତା ଦେବାପାଇଁ କେନ୍ଦ୍ର ସରକାରଙ୍କୁ ଲେଖିଥିଲେ । ଏ ସଂକ୍ରାନ୍ତରେ ହୋଇଥିବା ସୁପାରିସ କେନ୍ଦ୍ର ସରକାରଙ୍କର ବିଚାରାଧିନ ଅଛି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ଆଦିବାସୀ, ଜାତି, ମାନ୍ୟତା, ରାଜ୍ୟ ସରକାର

ଆହାର ଯୋଜନା, ପାଞ୍ଚ ଟଙ୍କାରେ ଭାତ ଡ଼ାଲମା ଖାଇବା ପାଇଁ ଭିଡ

April 1, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ୱର, ଏପ୍ରିଲ ୧, (ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ବୁଧବାର ନିଜର ବହୁପ୍ରଚାରିତ ଆହାର ଯୋଜନାର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ଏ ସଂକ୍ର।ନ୍ତରେ ଖୋଲାଯାଇଥିବା ଖାଦ୍ୟବିତରଣ କେନ୍ଦ୍ର ମାନଙ୍କରେ ପାଞ୍ଚ ଟଙ୍କାରେ ଭାତ ଡାଲମା ଖାଇବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହେଇଛି।

bhat-dalmaଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନ।ୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ରାଜ୍ୟର ପାଞ୍ଚଟି ମହାନଗର ନିଗମ ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର,ସମ୍ବଲପୁର ଓ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ଆହାର ଯୋଜନା କାର୍ଯ୍ୟକ।ରୀ କରାଯାଇଛି ।

ବିଭିନ୍ନ କାମ ରେ ଏହି ସହରକୁ ଆସୁଥିବା ଗରିବ ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ଏହି ଯୋଜନା ପ୍ରବର୍ତ୍ତନ କରିଛନ୍ତି । ଏଥିରେ ମାତ୍ର ୫ଟଙ୍କା ମୂଲ୍ୟରେ ଦିନ ୧୧ଟା ରୁ ୩ଟା ମଧ୍ୟରେ ପ୍ରତି ମହାନଗର ନିଗମର ଚାରି ଗୋଟି ସ୍ଥାନରେ ମୁଖ୍ୟତ ରେଳଷ୍ଟେସନ,ବସଷ୍ଟାଣ୍ଡ୍, ଡ଼ାକ୍ତରଖାନା ଓ ଅନ୍ୟ ପ୍ରମୁଖ ସ୍ଥାନ ମାନଙ୍କରେ ଲୋକଙ୍କୁ ଭାତ ଡ଼ାଲମା ଯୋଗାଇ ଦିଆଯିବ। ଆରମ୍ଭ ହୋଇଛି । ପ୍ରତି ଖାଦ୍ୟ ବିତରଣ ସ୍ଥାନରେ ବିଭିନ୍ନ ବଯସର ଲୋକ ଓ ମହିଳାଙ୍କ ବ୍ୟାପକ ଭିଡ ପରିଲକ୍ଷିତ ହୋଇଛି ।

ଏହି ଯୋଜନା ର କାର୍ଯ୍ୟକାରିତା ପାଇଁ ଭୁବନେଶ୍ୱର ଓ କଟକ ରେ ଓଡ଼ିଶା ଖଣି ନିଗମ,ରାଉରକେଲାରେ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ,ବ୍ରହ୍ମପୁର ରେ ଟାଟାଷ୍ଟିଲ ଓ ସମ୍ବଲପୁର ରେ ଇଡକୋ ସହଯୋଗ ଯୋଗାଇ ଦେଇଛି ବୋଲି ସରକାର କହିଛନ୍ତି।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଆହାର ଯୋଜନା, ପାଞ୍ଚ ଟଙ୍କା, ଭାତ ଡ଼ାଲମା, ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର

ବର୍ଦ୍ଧିତ କୃଷି ବିଦ୍ୟୁତ ଶୁକ୍ଲ ପ୍ରତ୍ୟାହାର ପାଇଁ ଆବେଦନ କରିବେ ସରକାର

March 30, 2015 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମାର୍ଚ୍ଚ୩୦(ଓଡ଼ିଶା ଡ଼ଟ୍ କମ୍)କୃଷି କ୍ଷେତ୍ର ପାଇଁ ବର୍ଦ୍ଧିତ ବିଦ୍ୟୁତ ଶୂକ୍ଲ ପ୍ରତ୍ୟାହାର ରାଜ୍ୟ ସରକାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ରିଭ୍ୟୁ ପିଟିସନ୍ ଦାଖଲ କରିବେ ବୋଲି ସୋମବାର ଘୋଷଣା କରିଛନ୍ତି ।

electricରାଜ୍ୟ ସରକାରଙ୍କ ଶକ୍ତି ବିଭାଗ କୃଷକମାନଙ୍କ ସ୍ଵାର୍ଥକୁ ଦୃଷ୍ଟି ରେ ରଖି ଓ.ଇ.ଆର୍.ସି.ଙ୍କୁ ଏହି ପିଟିସନ୍ ଦାଖଲ କରିବେ ।

ଓ.ଇ.ଆର୍.ସି. ଏହି ପିଟିସନକୁ ବିଚାରକୁ ନେଇ ପଦକ୍ଷେପ ନେବେ ବୋଲି ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ମହାନ୍ତି କହିଛନ୍ତି । ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ବିରୋଧ କରି ଗତ କେତେଦିନ ଧରି ବିରୋଧୀ ଦଳ ଗୃହ କାର୍ଯ୍ୟ ଅଚଳକରି ରଖିଥିଲେ । ସରକାରଙ୍କ ଏହି ଘୋଷଣା ପରେ ଗୃହ କାର୍ଯ୍ୟ ସ୍ଵାଭାବିକ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ Tagged With: ବିଦ୍ୟୁତ ଶୁକ୍ଲ, ରାଜ୍ୟ ସରକାର

ବାତିଲ୍ କୋଲ୍ ବ୍ଲକ୍ ଆଉ ମିଳିବ ନାହିଁ

February 5, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରି ୫(ଓଡିଶା ଡଟ୍ କମ୍ )- ବାତିଲ୍ ହୋଇଥିବା କୋଲ୍ ବ୍ଲକ୍ ଆଉଥରେ ସଂପୃକ୍ତ ସଂସ୍ଥାକୁ ଦିଆଯାଇ ପାରିବ ନାହିଁ । କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀପ୍ରକାଶ ଜୟଶ୍ୱାଲ ରାଜ୍ୟ ସରକାରଙ୍କ ଦାବି ଉପରେ ଏଭଳି ମୁହଁତୋଡ ଜବାବ ଦେଇଛନ୍ତି ।

କେନ୍ଦ୍ର ସରକାର ରାଜ୍ୟର ଶିଳ୍ପାୟନକୁ ବିରୋଧ କରୁନାହାନ୍ତି; ବରଂ ରାଷ୍ଟ୍ରାୟତା ସଂସ୍ଥାଗୁଡ଼ିକ ଉତ୍ତମ ଭାବେ କୋଇଲା ବ୍ଲକର ପରିଚାଳନା କଲେ ସେମାନଙ୍କୁ ଏହା ପୁନର୍ବାର ମିଳିବାରେ ସମସ୍ୟା ନାହିଁ ବୋଲି ସେ କହିଛନ୍ତି ।

ରାଜ୍ୟର ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକୁ ବାତିଲ ହୋଇଥିବା କୋଇଲା ବ୍ଲକ ପୁନଃପ୍ରଦାନ କରାଯାଇପାରିବ ନାହିଁ । ଆଇନାନୁଯାୟୀ ଏଗୁଡ଼ିକ ବାତିଲ କରାଯାଇଥିବାରୁ ପୁନଃ ଆବଣ୍ଟନ ନେଇ ଏ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ହିଁ ନିଷ୍ପତି ନେଇପାରିବେ । ଏ କ୍ଷେତ୍ରରେ କୋଇଲା ମନ୍ତ୍ରଣାଳୟର ଭୂମିକା ସୀମିତ ରହିବ ।

କେବଳ ମନ୍ତ୍ରଣାଳୟ ଚାହିଁଲେ ରାଜ୍ୟ ସରକାରଙ୍କ ଆବଶ୍ୟକତା ବା ଦାବି ପୂରଣ କରିପାରିବ ନାହିଁ; କାରଣ ଉଚ୍ଚସ୍ତରୀୟ କମିଟି ହିଁ କୋଇଲା ବ୍ଳକ ଆବଣ୍ଟନକୁ ରଦ୍ଧ କରିଛି । ଖଣିଗୁଡ଼ିକର କାର୍ଯ୍ୟକାରିତା ଓ ବିକାଶ ଭିତିରେ କମିଟି ନିଷ୍ପତି କରିଥାଏ ।

ରାଜ୍ୟର ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକର କାର୍ଯ୍ୟ ସନ୍ତୋଷଜନକ ହୋଇନଥିଲେ ସେମାନଙ୍କୁ ପୁନଃ ବ୍ଲକ ଆବଣ୍ଟନ ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ରାଜ୍ୟର ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକୁ ପ୍ରଦାନ କୋଇଲା ବ୍ଲକ ବାତିଲକରି ରାଜ୍ୟରେ ଶିଳ୍ପାୟନ ପରିପନ୍ଥୀ ପଦକ୍ଷେପ ଗ୍ରହଣ କରୁଥିବା ନେଇ ଓଡିଶା ଖଣି ମନ୍ତ୍ରୀଙ୍କ ମନ୍ତବ୍ୟକୁ ଶ୍ରୀ ଜୟଶ୍ୱାଲ ଖଣ୍ଡନ କରିଛନ୍ତି ।

ଓଡିଶା ଡଟ୍କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କେନ୍ଦ୍ର କୋଇଲାମନ୍ତ୍ରୀ ଶ୍ରୀପ୍ରକାଶ ଜୟଶ୍ୱାଲ, କୋଇଲା ବ୍ଳକ, ରାଜ୍ୟ ସରକାର

ଶାହା କମିଶନଙ୍କ ଗସ୍ତ ବିଳମ୍ବ ହୋଇପାରେ

February 5, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରି ୫(ଓଡିଶା ଡଟ୍ କମ୍ )-ଖଣି ଦୁର୍ନୀତିର ତଦନ୍ତ ପାଇଁ ଆସନ୍ତା ୨୨ତାରିଖରେ ଓଡ଼ିଶା ଆସୁଥିବା ଶାହା କମିଶନ ଅଧ୍ୟକ୍ଷ ଜଷ୍ଟିସ ଏମ.ବି ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମ ବିଳମ୍ବହୋଇପାରେ ।

ସରକାରଙ୍କ ପକ୍ଷରୁ କମିଶନଙ୍କ ଆଗମନ ୩ ବା ୪ ଦିନ ଘୁଞ୍ଚିଥିବା କୁହାଯାଉଥିଲେ ମଧ୍ୟ ମାସ ଶେଷବେଳକୁ କମିଶନ ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟଯେ, ଆସନ୍ତା ୨୨ତାରିଖରେ କମିଶନ ଏଠାରେ ପହଞ୍ଚି ୨୩ ତାରିଖ ପର୍ଯ୍ୟନ୍ତ ଦୁଇଦିନ ଅବସ୍ଥାନ କରିବା କାର୍ଯ୍ୟକ୍ରମ ରହିଥିଲା । ତେବେ କମିଶନ ଗସ୍ତ କାଳରେ ଉଭୟ ରାଜ୍ୟ ସରକାର ଓ ଖଣି ମାଲିକଙ୍କ ପକ୍ଷ ଶୁଣିବେ ବୋଲି ପୂର୍ବରୁ ଧାର୍ଯ୍ୟ କାର୍ଯ୍ୟସୂଚୀରେ କୌଣସି ପରିବର୍ତନ ହୋଇନଥିବା ଜଣାପଡ଼ିଛି ।

ଓଡିଶା ଡଟ୍କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖଣି ମାଲିକ, ରାଜ୍ୟ ସରକାର, ଶାହା କମିଶନ

ଶାହା କମିଶନଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

January 31, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୩୧(ଓଡିଶା ଡଟ୍ କମ୍)-ଓଡ଼ିଶା ଖଣି ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ ଏମ.ବି ଶାହା କମିଶନ ଆସନ୍ତା ୨୨ତାରିଖରେ ଦୁଇଦିନ ପାଇଁ ପୁନର୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି ।

କମିଶନର ଯେଉଁସବୁ ତଥ୍ୟ ମାଗିବେ ରାଜ୍ୟ ସରକାର ତାହା ଯୋଗାଇ ଦେବେ ବେଲି ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଛନ୍ତି । ଚଳିତ ମାସ ଶେଷ ଭାଗରେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ ପୂର୍ବରୁ ଶେଷଥର ପାଇଁ କମିଶନ ଅଧ୍ୟକ୍ଷ ଜଷ୍ଟିସ ଶାହାଙ୍କ ସହ ୟୁ,ବି ସିଂହ ପ୍ରମୁଖ ଓଡ଼ିଶା ଆସିବେ ।

ଏହି ଗସ୍ତ ସମୟରେ କମିଶନ ଖଣି ମାଲିକମାନଙ୍କ ଯୁକ୍ତି ଶୁଣିବା ସହ ରାଜ୍ୟ ସରକାରଙ୍କୁ ତାଙ୍କର ପକ୍ଷ ରଖିବାର ସୁଯୋଗ ଦେବେ ବୋଲି ଜଣାପଡ଼ିଛି । ଏଥର ତାଙ୍କ ଟିମ୍ କୌଣସି ଖଣି ଅଞ୍ଚଳକୁ ଯିବେ ନାହିଁ । ଭୁବନେଶ୍ୱରରେ ରହି ଖଣି ମାଲିକଙ୍କ ସହ ଆଲୋଚନା କରିବେ ।

କମିଶନର ତାଙ୍କ ଚୁଡାନ୍ତ ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ରାଜ୍ୟ ସରକାର କିଛି ଖଣିମାଲିକଙ୍କ ମତ ଶୁଣିବା ଦରକାର ବୋଲି ଅଭିଯୋଗ କରିଥିଲେ ।

ଗତ ୧୨ ତାରିଖରେ ଅନେକ ଖଣିମାଲିକଙ୍କ ପ୍ରତିନିଧିଦଳ ଅହମଦାବାଦ ଯାଇ ସାହାଙ୍କୁ ଭେଟିଥିଲେ ବୋଲି ରାଜ୍ୟ ଖଣି ବିଭାଗ ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି ।

ଓଡ଼ିଶାର ୫ଖଣି ମାଲିକଙ୍କ ସହ ପୂର୍ବାଞ୍ଚଳ ଖଣି ମାଲିକ ସଂଘ ଗତ ମାସରେ ଶାହା କମିଶନଙ୍କୁ ଭେଟି ତଦନ୍ତ ସମୟରେ ସେମାନଙ୍କୁ ପକ୍ଷ ରଖିବାରୁ ସୁଯୋଗ ମିଳିନଥିବାରୁ ଚୂଡ଼ାନ୍ତ ରିପୋର୍ଟ ଦେବା ପୂର୍ବରୁ ଅନ୍ତତଃ ସେମାନଙ୍କୁ ଶୁଣିବା ପାଇଁ ଦାବି ଜଣାଇଥିଲେ ।

ଏହାଛଡ଼ା ବହୁ ଖଣି ଦୁର୍ନୀତି ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ରାମ ଜେଠମାଲାନୀ ଓ ଅଭିଷେକ ମନୁ ସିଂହଭି ପ୍ରମୁଖ ମଧ୍ୟ କମିଶନ ଖଣି ମାଲିକ ତଥା ସମ୍ପୃକ୍ତ ରାଜ୍ୟମାନଙ୍କୁ ପକ୍ଷ ରଖିବାର ସୁଯୋଗ ଦେବାକୁ ଯୁକ୍ତି ଦର୍ଶାଇଥିଲେ ।

୨୦୧୦ରେ ସୁପ୍ରିମ କୋର୍ଟ ଦଦ୍ୱାରାଅବସ୍ଥାପିତ ଶାହା କମିଶନ ଗୋଆ ଓ କର୍ଣ୍ଣାଟକ ଖଣି ଦୁର୍ନୀତିର ତଦନ୍ତ ଶେଷକରି ୨୦୧୧ ଡିସେମ୍ବରରୁ ଓଡ଼ିଶା ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।

ଇତିମଧ୍ୟରେ କମିଶନ ତଥା ତାଙ୍କର ସଦସ୍ୟମାନେ ତିନିଥର ଓଡ଼ିଶା ଆସି ଦୁର୍ନୀତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ପ୍ରଥମ ଥର ଗସ୍ତରେ ନିଜେ ଜଷ୍ଟିସ ଶାହା ଆସିଥିଲେ ମଧ୍ୟ ପରବର୍ତୀ ସମୟରେ ଆସିନଥିଲେ । ଗତ ନଭେମ୍ବର ମାସରେ ୟୁ.ବି ସିଂହଙ୍କ ନେତୃତ୍ୱରେ ଏକ ଦଳ ଆସି ଖଣି ଦୁର୍ନୀତିର ସରଜମିନ ତଦନ୍ତ କରିଥିଲେ ।

ଓଡିଶା ଡଟ୍କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଓଡିଶା, ଖଣି ଦୁର୍ନୀତି, ରାଜ୍ୟ ସରକାର, ଶାହା କମିଶନ

କାଲିଠାରୁ ଓଡିଶାରେ ବିଶ୍ୱକପ୍ ଲଢେଇ

January 31, 2013 by ଓଡିଶା ଡଟ କମ Leave a Comment

କଟକ, ଜାନୁଆରୀ ୩୧(ଓଡିଶା ଡଟ୍ କମ୍)-ମହିଳା କ୍ରିକେଟ ବିଶ୍ୱକପ ଗ୍ରୁପ ‘ବି’ର ମ୍ୟାଚ ଆସନ୍ତାକାଲି ବାରବାଟୀରେ ଅନୁଷ୍ଠିତ ହେବ । ୫ଥରର ବିଶ୍ୱକପ୍ ବିଜେତା ଅଷ୍ଟେଲିଆ କାଲି ଭେଟିବ ପାକିସ୍ତାନକୁ । ଏଥିପାଇଁ ଓସିଏ ତତ୍ପର ହୋଇ ଉଠିଛି ।

ବାରବାଟୀରେ ପାକିସ୍ତାନର ପ୍ରଥମ ମ୍ୟାଚ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କାଲିର ମ୍ୟାଚ ଦେଖିବାକୁ ଦର୍ଶକଙ୍କ ପାଇଁ କୌଣସି ସମସ୍ୟା ନାହିଁ । ଦର୍ଶକମାନେ ୧ ନମ୍ବର ଓ ୨ ନମ୍ବର ଗ୍ୟାଲେରୀରେ ବିନା ଟିକଟରେ ବିନା ଦ୍ୱିଧାରେ ଖେଳ ଦେଖିପାରିବେ ।

ସୁରକ୍ଷା କାରଣରୁ ଦର୍ଶକମାନେ ସାଂଗରେ କୌଣସି କଠିନ ଜିନିଷ ଆଣିବାକୁ ମନାକରାଯାଇଛି । ଆସନ୍ତା ଦୁଇ ସପ୍ତାହରେ ଓଡିଶାରେ ୧୧ଟି ମ୍ୟାଚ ଖେଳାଯିବ ।

କମ୍ ଦିନରେ ଏତେ ସଂଖ୍ୟକ ମ୍ୟାଚ ଆୟୋଜନର କଷ୍ଟକର ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ଏହା ସୁରୁଖୁରୁରେ ସରିବ ବୋଲି ଓସିଏ ସଂପାଦକ ଆଶୀର୍ବଦ ବେହେରା ଆଶା ରଖିଛନ୍ତି ।

ଅଷ୍ଟେଲିଆ ମହିଳା କ୍ରିକେଟ ଟିମ୍ ଅଧିନାୟକ ଜୋତି ଫିଲଡ୍ କହିଛନ୍ତି ଅଷ୍ଟ୍ରେଲିଆ ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇବ ବୋଲି ଆଶା ରଖିଛି । କିନ୍ତୁ ପାକିସ୍ତାନର ଅଧିନାୟକ କହିଛନ୍ତି ଦୁଇ ଦୁଇଟି ଅଭ୍ୟାସ ମ୍ୟାଚ ଖେଳି ବାରବାଟୀର ପରିବେଶ ସହ ଦଳର ସମସ୍ତ ସଦସ୍ୟ ଖାପ ଖୁଆଇ ସାରିଛନ୍ତି । ତେଣୁ କାଲିର ମ୍ୟାଚରେ ସେମାନେ ଭଲ ପଦର୍ଶନ କରିବେ ।

ଟାଙ୍ଗୀର ଟ୍ରିମ୍ସ ପଡିଆରେ ଆଉ ଗୋଟିଏ ମ୍ୟାଚ ମଧ୍ୟ କାଲି ଅନୁଷ୍ଠିତ ହେବ । ଏହି ମ୍ୟାଚରେ ନ୍ୟୁଜଲାଣ୍ଡ ଓ ଦକ୍ଷିଣ ଆପ୍ରିକା ମଧ୍ୟରେ କଡା ସଂଘର୍ଷ ହେବ । ଦକ୍ଷିଣ ଆଫ୍ରିକା ଅଧିନାୟକ କହିଛନ୍ତି ଏସିଆ ମହାଦେଶରେ ଦଳର ପଦର୍ଶନ ଭଲ ନାହିଁ ତଥାପି ଆମେ ବିଶ୍ୱକପରେ ଭଳ ପଦର୍ଶନ କରିବୁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡିଶା, ବାରବାଟୀ, ବିଶ୍ୱକପ୍, ରାଜ୍ୟ ସରକାର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 6
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ