• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶ୍ରୀ ଜଗନ୍ନାଥ

ସ୍ନାନଯାତ୍ରା, ହାତୀବେଶ ଓ ଆହୁରି ଅନେକ କଥା

June 20, 2016 by ନିଉଜ ଡେସ୍କ Leave a Comment

gajananbesa

କେଦାର ମିଶ୍ର

ଶ୍ରୀଜଗନ୍ନାଥଙ୍କ ସେବା, ପୂଜା, ଯାତ୍ରା, ଉତ୍ସବ, ବିଧି ଓ ବିଧାନ କୁ ନେଇ ଅନେକ ତଥ୍ୟ ଓ ଅପତଥ୍ୟ ବାହାରେ ପ୍ରଚାରିତ ହୁଏ।

ସେସବୁ ରୁ ପ୍ରାୟ ଅନେକ ଶୁଣାକଥା ମାତ୍ର। ତେବେ ଆଧିକାରିକ ଭାବରେ ଶ୍ରୀମନ୍ଦିର ନୀତିକାନ୍ତି ର ବିଶେଷ ବିବରଣୀ ଶ୍ରୀମନ୍ଦିର ସ୍ଵତ୍ଵଲିପି ରେ ଲିପିବଦ୍ଧ ରହିଛି।

ପ୍ରତ୍ୟେକ ନୀତିକାନ୍ତି ଓ ସେବକଂକ ଦାୟିତ୍ଵ ଓ ଅଧିକାରକୁ ନେଇ ଶ୍ରୀମନ୍ଦିର ସ୍ଵତ୍ଵଲିପି ପ୍ରସ୍ତୁତ କରାଯାଇଛି। ରଥଯାତ୍ରା ଅବସରରେ ଏହି ସ୍ଵତ୍ଵଲିପି ଅଧାରରେ କେତୋଟି ପ୍ରମୁଖ ପ୍ରସଂଗ କୁ ଆମେ ଆଲୋଚନା କରିବା।

ସେହି କ୍ରମରେ ଆଜି ସ୍ନାନ ଯାତ୍ରା ବା ଦେବସ୍ନାନ ପୂର୍ଣିମା ସମ୍ପର୍କରେ କେତୋଟି ବିଶେଷ ତଥ୍ୟ।-

୧. ଜ୍ୟେଷ୍ଠ ପୂର୍ଣିମା ତିଥିରେ ସ୍ନାନ ଯାତ୍ରା ବା ଦେବସ୍ନାନ ପୂର୍ଣିମା ଅନୁଷ୍ଠିତ ହୁଏ। ଏହାକୁ କେହି କେହି ପ୍ରଭୁଂକ ଜନ୍ମଦିବସ ବୋଲି ମଧ୍ୟ କହନ୍ତି।

ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁସାରେ –“ ଜ୍ୟେଷ୍ଠ ପୂର୍ଣିମା ପୂର୍ବଦିନ ରାତ୍ରରେ ବଡସିଂହାର ଭୋଗ ସରି ପହୁଡ ଆଳତି ପରେ ମହାଜନେ ଲକ୍ଷ୍ମୀ ଓ ମଦନ ମୋହନନ୍କୁ ଦକ୍ଷିଣ ଘରକୁ ବିଜେ କରାଇବେ।

ସରସ୍ବତୀ ଓ ମାଧବଂକୁ ଖଟ ଶେଯ ଘରେ ପଲଂକରେ ବିଜେ କରିବେ। *********ପୂର୍ବରୁ ସ୍ନାନ ମଣ୍ଡପ ସୁସଜ୍ଜିତ ହୋଇ ଚାନ୍ଦୁଆ ଟଣା ହୋଇଥିବ। “

୨. ମଂଗଳାର୍ପଣ ପରେ ଧାଡି ପହଣ୍ଡିରେ ପ୍ରଥମେ ଶ୍ରୀ ସୁଦର୍ଶନ , ତାଂକ ପରେ ଶ୍ରୀ ବଳଭଦ୍ର, ଶ୍ରୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରିବେ।ନିୟମ ଅନୁସାରେ ପହଣ୍ଡି ଦାୟିତ୍ଵ ଦଇତାପତି ମାନଙ୍କର। ତେବେ ସବାଶେଷରେ ମହାଜନଙ୍କ ଦ୍ଵାରା ମଦନମୋହନ ସ୍ନାନ ମଣ୍ଡପ କୁ ବିଜେ ହୁଅନ୍ତି।

୩. ସ୍ନାନଯାତ୍ରା ସମୟରେ ଯେଉଁ ସେବକ ମାନେ ଦାୟିତ୍ଵ ନିର୍ବାହ କରନ୍ତି ସେମାନେ ହେଲେ – ପଶୁପାଳକ,ମହାଜନ,ସୁଦୁସୁଆର,ଚର୍ଚାବାଲା, ପତି ମହାପାତ୍ର, ମୁଦିରସ୍ତ, ପୂଜାପଣ୍ଡା, ପାଳିଆ ମେକାପ,ଛାମୁ ଖୁଣ୍ଟିଆ, ଚାଂଗଡା ମେକାପ, ଛତାର,ଘଣ୍ଟୁଆ,କାହାଳିଆ,ଦଇତାପତି,ସୁନାଗୋସାଇଁ,ଘଟୁଆରୀ,ତଢଉ ପଟନାୟକ,ଭଣ୍ଦାରମେକାପ, ଗରାବଡୁ,ଦତ୍ତ ମହାପାତ୍ର,ପାଳିଆ ପ୍ରତିହାରୀ ,ସୁଆର ବଡୁ ,ପତ୍ରିବଡୁ,ଗରାବଡୁ,ତଲିଚ୍ଛ ମହାପାତ୍ର,ପ୍ରଧାନୀ,ବାଜାବାଲା,ଦରଜୀ,ଲେଂକା,ପାଇକ,ପାଳିଆ ପଶୁପାଳକ,ଦେଉଳ କରଣ,ଭିତରଛୁ ମହାପାତ୍ର ପ୍ରମୁଖ ।

SHANA BESHA୪. ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଶୀତଳା ଠାକୁରାଣୀ ଓ ତାଙ୍କ ବାହନ ସିଂହଙ୍କ ମଧ୍ୟରେ ଅବସ୍ଥିତ ସୁନା କୂଅ ରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି କୂଅଟି ବର୍ଷସାରା ଅବ୍ୟବହୃତ ଥାଏ । ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି କୁହାଯାଏ।

୫. କୂଅ ଜଳକୁ ମନ୍ତ୍ର ଶୁଦ୍ଧ କରି ସ୍ନାନ ମଣ୍ଡପକୁ ବିଜେ କଲାପରେ ସେଥିରେ ଶ୍ରୀ ଜିଉ ମାନଂକୁ ସ୍ନାନ କରାଇ ଦିଆଯାଏ। ସ୍ନାନ ମଣ୍ଡପକୁ ଆଦି ପୀଠ, ମଂଚ ସ୍ଥାନ ବା ଜନ୍ମ ବେଦୀ ବୋଲି ମଧ୍ୟ କୁହା ଯାଇଥାଏ।

୬. ସ୍ନାନ ପୂର୍ଣିମା ଅବସରରେ ସ୍ନାନ ବିଧି ସମାପନ ହେବା ପରେ ରାଜନୀତି ଓ କୋଠ ଭୋଗ ସେବା ହୋଇଥାଏ। ଏହି ଦିନ ସୁଆର ସେବକ ମାନେ ତାଂକ ନୁଆ ପିଢୀ କୁ ସେବା ରେ ପ୍ରଥମେ ନିୟୋଜିତ ହେବାର ସୁଯୋଗ ଦିଅନ୍ତି। ସ୍ନାନ ବେଦିକୁ କୋଠ ଭୋଗ ଓ ଛେକ ନେଇ ଆସିବାର ସୁଯୋଗ ନୁଆ କିଶୋର ସୁଆର ମାନଂକୁ ପ୍ରଥମ ଥର ପାଇଁ ମିଳେ।

୭. ସ୍ନାନ ପରେ ଗଜ ବେଶ ବା ହାତୀ ବେଶରେ ଶ୍ରୀ ଜିଉ ମାନେ ସଜ୍ଜିତ ହୁଅନ୍ତି। କିମ୍ବଦନ୍ତି ଅନୁଯାୟୀ ମହାରାଷ୍ଟ୍ରର ଗଣପତି ଭଟ୍ଟ ନାମକ ଜନୈକ ବ୍ରାହ୍ମଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ଗାଣପତ୍ୟ ଥିବାରୁ ବିଗ୍ରହଙ୍କ ଦର୍ଶନ କରି, ପ୍ରଭୁଂକ ଭିତରେ ନିଜ ଇଷ୍ଟରୂପ ନଦେଖି ନିରାଶ ହେଲେ ଓ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା ।

ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ରେ ପ୍ରକଟିତ ହେଲେ। ସେହି ସ୍ମୃତିରେ ଗଜାନନ ବେଶ ବା ହାତୀ ବେଶ ଆଜି ଯାଏ ଭକ୍ତଂକୁ ଆକର୍ଷିତ କରି ଆସୁଛି।

୮. ହାତୀ ବେଶ ଲାଗି ସାଜ ସରଂଜାମ ପୁରୀର ଗୋପାଳ ତୀର୍ଥ ମଠ ଓ ରାଘବଦାସ ମଠ ଯୋଗାଇ ଦେଇଥାନ୍ତି । ତେଣୁ ସ୍ନାନ ମଣ୍ଡପରେ ଉଭୟ ମଠର ମହନ୍ତ ଶାଢୀ ବନ୍ଧା ହୁଅନ୍ତି ।

୯. ଶ୍ରୀ ଜଗନ୍ନାଥ ସଂସ୍କୃତିରେ ସ୍ନାନ ଯାତ୍ରା କୁ ଆଦି ଯାତ୍ରା ବୋଲି ମଧ୍ୟ କୁହାଯାଏ । “ମଂଚେ ସ୍ନାନମ୍ ରଥବରଗତେ ଶୟନମ୍ ଚାୟନ ଦ୍ବୟଂ” । ସର୍ବସାଧାରଣ ରେ ମହାପ୍ରଭୁଂକ ଏହି ଯାତ୍ରା ସହିତ ସମାଜ ଓ ସଂସ୍କୃତିର ଏକ ଯୋଗସୂତ୍ର ରହିଛି ।

୧୦. ସ୍ନାନ ମଣ୍ଡପରୁ ମହାପ୍ରଭୁ ଆଉ ରତ୍ନ ସିଂହାସନ କୁ ଫେରନ୍ତି ନାହିଁ । ପୂର୍ଣିମା ରାତିରୁ ମାହାପ୍ରଭୁ ଅଣସର ଘରେ ପୀଡିତ ରୁହନ୍ତି । ଲୋକାଚାର ରେ ତାଂକୁ ଏହି ସମୟରେ ଜ୍ଵର ହୁଏ । ତେବେ ବସ୍ତୁତଃ ରଥଯାତ୍ରା ଲାଗି ଏହା ପ୍ରାଥମିକ ପ୍ରସ୍ତୁତି ପର୍ବ ।

ଅଣସର ବାସ ପରେ ଆଷାଢ଼ ଶୁକ୍ଲ ପ୍ରଥମ ଦିନରେ ମହାପ୍ରଭୁ ନବ ଯୌବନ ବେଶ ପରିଗ୍ରହ କରନ୍ତି। ସବୁ ଯାତ୍ରା ପରି ସ୍ନାନ ଯାତ୍ରା ରେ ମଧ୍ୟ ଲୋକାଚାର, ଶାସ୍ତ୍ରାଚାର , ତାନ୍ତ୍ରିକ ବିଧି ଓ ରାଜ ବିଧି ର ସମନ୍ୱୟ ଦେଖିବାକୁ ମିଳିଥାଏ।

ଓଡିଶା ଡଟକମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଜଣା ଅଜଣା, ମୁଖ୍ୟ ଖବର Tagged With: ଶ୍ରୀ ଜଗନ୍ନାଥ, ସ୍ନାନଯାତ୍ରା, ହାତୀ ବେଶ

ବ୍ରହ୍ମ ହୁଅ ପରକାଶ (ବିଶେଷ)

June 24, 2015 by News Bureau Leave a Comment

କେଦାର ମିଶ୍ର

“ବ୍ରହ୍ମ ହୁଅ ପରକାଶ
ପିଣ୍ଡ ବ୍ରହ୍ମାଣ୍ଡ ଦୂରିତ ଝଟତିରେ ନାଶ”

ଓଡ଼ିଆ କବିତାର ଅନ୍ୟତମ ବିଦ୍ରୋହୀ ମହାନାୟକ ଭୀମଭୋଇଙ୍କ କବିତାରେ ବ୍ରହ୍ମ ପ୍ରତି ଏହି ଆକୁଳ ନିବେଦନ ପଛରେ କେଉଁ ସମାଜତାତ୍ତ୍ୱିକ କାରଣ ଅଛି, ତା’କୁ ଖୋଜିବା ଆଜି ପାଇଁ ପ୍ରାସଙ୍ଗିକ ହେବ । ଭାରତୀୟ ପରମ୍ପରାରେ ବ୍ରହ୍ମକୁ ନେଇ ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ବ୍ରହ୍ମର ଅବସ୍ଥିତି ଯେତିକି ପୁରୁଣା, ବ୍ରହ୍ମର ସନ୍ଧାନ, ଆକଳନ, ଅନୁଶୀଳନ ଓ ଅଧ୍ୟୟନ ମଧ୍ୟ ସେତିକି ପୁରୁଣା । ବ୍ରହ୍ମକୁ ନେଇ ରହସ୍ୟର ଏକ ଇନ୍ଦ୍ରଜାଲ ଉପରେ ଆମର ଈଶ୍ୱରୀୟ ଅବଧାରଣା ବଞ୍ଚି ରହିଛି । ସେହି ଇନ୍ଦ୍ରଜାଲଟି ଛିଣ୍ଡିଗଲେ ବ୍ରହ୍ମ ଉପରେ ରହିଥିବା ଆସ୍ଥା ମଧ୍ୟ ଭାଙ୍ଗିଯିବ ।

ସେଥିପାଇଁ ରହସ୍ୟକୁ ବଞ୍ଚାଇ ରଖିବାର ଏକ ନିରବଚ୍ଛିନ୍ନ ପରମ୍ପରା ଭାରତୀୟ ହିନ୍ଦୁ ସଭ୍ୟତାରେ ଦୃଶ୍ୟମାନ ହୁଏ । ସବୁକିଛି ଗୁହ୍ୟ, ଗୋପନ ଓ ଚର୍ମଚକ୍ଷୁର କ୍ଷମତା ବାହାରେ । ଶ୍ରୀଜଗନ୍ନାଥଙ୍କ ଘଟ ପରିବର୍ତ୍ତନ ନୀତି ସେହି ପରମ୍ପରାର ଅଂଶବିଶେଷ ମାତ୍ର ।

ଶ୍ରୀଜଗନ୍ନାଥଙ୍କ ନବକଳେବର ବିଧାନ ସହିତ ଏକ ରହସ୍ୟବଳୟ ସବୁକାଳେ ରହିଆସିଛି । ଗୋଟିଏ ପକ୍ଷରେ ଶ୍ରୀମନ୍ଦିରର ମେଘନାଦ ପାଚେରୀ ଭିତରେ ରାଜନୈତିକ ଶକ୍ତିକେନ୍ଦ୍ରର ଘଟନ ଓ ବିଘଟନ ଚାଲିଥିବାବେଳେ ଅପରପକ୍ଷରେ ଏହାକୁ ଆଢୁଆଳ କରିବା ପାଇଁ ଏକ ଇଚ୍ଛାକୃତ ରହସ୍ୟ ସବୁବେଳେ ରହି ଆସିଛି ।

ଶ୍ରୀଜଗନ୍ନାଥ କେବଳ ଭାବ, ଭକ୍ତି ଓ ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର ନୁହଁନ୍ତି । ଶହଶହ ବର୍ଷ ଧରି ଓଡ଼ିଶାର ରାଜନୀତି, ଅର୍ଥନୀତି, ସଂସ୍କୃତି ଓ ଜୀବନବୋଧ ତାଙ୍କୁ କେନ୍ଦ୍ର କରି ଗଢି ଉଠିଛି । ଦୀର୍ଘ ବର୍ଷ ଧରି ଓଡ଼ିଶାର ରାଜା ଶ୍ରୀଜଗନ୍ନାଥଙ୍କ ପାଦରେ ରାଉତ ପଣେ ଖଟିଛନ୍ତି ।

ଅର୍ଥାତ୍‍ ଜଗନ୍ନାଥ ହେଉଛନ୍ତି ରାଜା ଓ ଗଜପତି ତାଙ୍କର ରାଉତ । ରାଜା ଭାବରେ କେବଳ ରାଜଭୋଗ ଖାଇ ମହାପ୍ରଭୁ ରହିପାରିବେ ନାହିଁ । ରାଜାର ଦାୟିତ୍ୱ ଓ ସଂକଟ ମଧ୍ୟ ପ୍ରଭୁଙ୍କୁ ତୁଲାଇବାକୁ ପଡ଼ିବ । ସେଥିପାଇଁ ବହୁ କାଳ ଶ୍ରୀଜଗନ୍ନାଥଙ୍କୁ ଯୁଦ୍ଧ କ୍ଷେତ୍ରକୁ ଯିବାକୁ ପଡିଛି ।

କେବେ କାଞ୍ଚି ଅଭିଯାନରେ ଅଶ୍ୱାରୋହୀ ସୈନିକ ଭାବରେ ସେ ଯୁଦ୍ଧ କରୁଛନ୍ତି ପୁଣି କେବେ ମୋଗଲ ଗୋଳରୁ ବଞ୍ଚିବା ପାଇଁ ମନ୍ଦିରରୁ ବିସ୍ଥାପିତ ହେଉଛନ୍ତି । ରାଜନୀତିର ବଦଳୁଥିବା ସ୍ୱରୂପ ସହ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଥା ଓ ପରମ୍ପରା ମଧ୍ୟ ବଦଳୁଛି ।

ଆଜି ନବକଳେବର ବିଭ୍ରାଟକୁ ନେଇ ହୋ ହଲ୍ଲା ଚାଲିଥିବାବେଳେ ଶ୍ରୀମନ୍ଦିରର ଇତିହାସ ସମ୍ପର୍କରେ ସମସ୍ତେ ଯେମିତି ଆଖିବୁଜି ବସିଛନ୍ତି । ମନ୍ଦିର ପରିଚାଳନାର ଇତିହାସ ସହିତ ଏତେ ଗୁଡ଼ାଏ ବିଭ୍ରାଟ ଓ ବିଭ୍ରାନ୍ତି ଜଡ଼ିତ ଯେ ସେ ସମ୍ପର୍କରେ ଏକ ଭିନ୍ନ ଗ୍ରନ୍ଥ ଲେଖାଯାଇପାରିବ ।

ଶହ ଶହ ବର୍ଷ ଧରି ମନ୍ଦିର ପରିଚାଳନାର ରାଜନୀତି ବଦଳିଛି ଓ ରାଜନୀତି ସହିତ ପ୍ରଥା ଓ ପରମ୍ପରା ମଧ୍ୟ ବଦଳିଛି । ତେଣୁ ମନ୍ଦିର ଭିତରେ ଯାହା ଘଟେ, ତାହାକୁ ରହସ୍ୟର ଇନ୍ଦ୍ରଜାଲ ଭିତରେ ରଖିବାକୁ ସେବାୟତମାନେ ପ୍ରୟାସ କରି ଆସିଛନ୍ତି । ରହସ୍ୟର ଇନ୍ଦ୍ରଜାଲ ଭିତରେ ରହିଲେ ଯାଇ ପ୍ରଭୁଙ୍କର ପ୍ରଭୁପଣ ବଜାୟ ରହିବ ।

ସେହି ରହସ୍ୟଟି ତୁଟି ଗଲେ ଲୋକଙ୍କର ଆସ୍ଥା ମଧ୍ୟ ଦୋହଲିଯିବ । ଦୁର୍ଭାଗ୍ୟ କ୍ରମେ ଆଜି ତାହାହଁ ହୋଇଛି ।

୨୪ – ୭ର ଟେଲିଭିଜନ୍‍ ଯୁଗ ଓ ମୋବାଇଲ୍‍ କ୍ୟାମେରାର ସର୍ବବ୍ୟାପୀ ଉପସ୍ଥିତି ସମୟରେ ରହସ୍ୟକୁ ବଞ୍ଚାଇ ରଖିହେବ କେମିତି ? ମହାପ୍ରଭୁଙ୍କ ନାଭିଦେଶରେ ବ୍ରହ୍ମ କପାଟ ଭିତରେ ଯେଉଁ ରହସ୍ୟମୟ ପଦାର୍ଥଟି ରହିଛି, ତା’କୁ ନେଇ ଶହଶହ ବର୍ଷର କଳ୍ପନା ଜଳ୍ପନା ଧୂଳିସାତ ହୋଇଯିବ କି ?

ଗତ ଜୁଲାଇ ୧୬ ତାରିଖରୁ ବ୍ରହ୍ମ କପାଟର ରହସ୍ୟ ସାଧାରଣ ଜନତା ପାଇଁ ଏକପ୍ରକାର ବିଦ୍ରୂପର ବସ୍ତୁ ପାଲଟିଯାଇଛି । ବ୍ରହ୍ମ ପରିବର୍ତ୍ତନ ପରଠୁ ଏହାକୁ ନେଇ ରାଜନୀତି, ଆରୋପ-ପ୍ରତ୍ୟାରୋପ ଓ ଉଦ୍ଭଟ ବୟାନବାଜିର ପ୍ରବାହ ଚାଲିଛି । ଏ ପ୍ରବାହରେ ପ୍ରତି କଥାକୁହା ନାଗରିକ ଜଗନ୍ନାଥ ସଂସ୍କୃତିର ବିଷାରଦ ପାଲଟିଯାଇଛନ୍ତି ।

ସବୁ ସାମ୍ବାଦିକ ପ୍ରବଚକ ପାଲଟିଯାଇଥିବାବେଳେ ପ୍ରତ୍ୟେକ ରାଜନେତା ଜଗନ୍ନାଥଙ୍କର ରାଉତ ସାଜି ବିବୃତି ଦେଉଛନ୍ତି । ସେବାୟତଙ୍କ ଭିତରେ ମରାମରିର ପରିଣତି ସ୍ୱରୂପ ସବୁଠୁ ଭୟଙ୍କର ବଳି ଭାବରେ ମହାପ୍ରଭୁଙ୍କ ରହସ୍ୟ ଆଜି ରକ୍ତାକ୍ତ ହୋଇ ପଡିଛି ।

ଗତ ୧୫ ଓ ୧୬ ତାରିଖ ରାତିରେ ଘଟିଥିବା ବିଭ୍ରାଟ ଅପେକ୍ଷା ଆହୁରି ବଡ଼ ବଡ଼ ବିଭ୍ରାଟକୁ ଶ୍ରୀମନ୍ଦିର ସମ୍ଭାଳି ଆସିଛି । କଳାପାହାଡ଼ର ଆକ୍ରମଣ ପରେ ଯେତେବେଳେ ମହାଦାରୁମାନଙ୍କୁ ଗଙ୍ଗାକୂଳରେ ପୋଡ଼ି ଦିଆଗଲା, ତାଙ୍କରି ଚିତାଭସ୍ମରୁ ବ୍ରହ୍ମପଦାର୍ଥକୁ ଉଦ୍ଧାର କରି ବିଶର ମହାନ୍ତି ନିଜ ମୃଦଙ୍ଗ ଭିତରେ ନେଇ ଆସିଲେ ଓ କୁଜଙ୍ଗରେ ମହାପ୍ରଭୁଙ୍କୁ ନବକଳେବର ଦେଲେ ।

ଆଉ କେଉଁ ରକ୍ତବାହୁର ଆକ୍ରମଣରୁ ରକ୍ଷା ପାଇବାକୁ ସୋନପୁର ତ୍ରିକୂଟ ପାହାଡ଼ରେ ମହାପ୍ରଭୁ ୧୪୩ ବର୍ଷ ମାଟି ତଳେ ପାତାଳି ହୋଇ ରହିଲେ । କେବେ ଚିଲିକାର ଚଢେଇହଗା ପାହାଡ଼, ପୁଣି କେବେ ମାରଦାର ଜଙ୍ଗଲ ଭିତରେ ମହାପ୍ରଭୁ ଲୁଚି ରହିଲେ ।

ତଥାପି ତାଙ୍କର ରହସ୍ୟ ଊଣା ହୋଇ ନାହିଁ । ସେଥିପାଇଁ ତାଙ୍କୁ କୁହାଯାଇଛି “ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ” । ରହସ୍ୟ ଥିବା ଯାଏ ସେ ଅଛନ୍ତି । ଗୋପ୍ୟ ହୋଇ ଥିବା ଯାଏ ସେ ବ୍ରହ୍ମ । ଯଦି ରହସ୍ୟ ଫିଟିଯାଏ ସେ ରହିବେ ନାହିଁ । ସେ ନ ରହିଲେ ଜଗତ ରହିବ ନାହିଁ । ଏହି ତତ୍ତ୍ୱଟିକୁ ଆମେ ନ ବୁଝି ଏତେ ବିକଳରେ ପାଟିତୁଣ୍ଡ କରୁଛୁ ଯେ ସତେ କି ଆମେ ହିଁ ହେଉଛୁ ସ୍ୱୟଂ ଜଗନ୍ନାଥ ।

ଶ୍ରୀ ଜଗନ୍ନାଥଙ୍କ ନୀତି ନିୟମ, ଶାସନ ପ୍ରଶାସନ ଓ ଇତିହାସକୁ ବୁଝିବାକୁ ହେଲେ ଆମକୁ ଶ୍ରୀମନ୍ଦିରର ପରମ୍ପରା ତଥା ଇତିହାସକୁ ଅଣ୍ଡାଳିବାକୁ ପଡ଼ିବ । ସେଇ ଇତିହାସ ଓ ପରମ୍ପରା ବାବାଜୀ ଦେଉଥିବା ପ୍ରବଚନ ଭଳି ସରଳ ନୁହେଁ । ସେଥିରେ ବହୁ ଜଟିଳ ଓ ଅନ୍ଧକାର ଅଧ୍ୟାୟ ରହିଛି ।

ସେହି ଜଟିଳତା ଓ ଅନ୍ଧାର ଭିତରେ ବ୍ରହ୍ମ ନିଜକୁ ପ୍ରକଟିତ କରିଛନ୍ତି । ଦୟା କରି ସେହି ଜଟିଳତା ଓ ଅନ୍ଧକାରକୁ ସେମିତି ରହିବାକୁ ଦିଆଯାଉ । ବ୍ରହ୍ମ ପରିବର୍ତ୍ତନ ଓ ପାତାଳୀ ଲୀଳା ଆମ ପାଇଁ ଗୋପ୍ୟ ହୋଇ ରହୁ । ସେହି ରହସ୍ୟଭେଦ କରିବା ପାଇଁ ଆମ କ୍ୟାମେରା ଆଖି ଯଦି ବ୍ୟାକୁଳ ହୁଏ, ତା’ହେଲେ ଆମେ ନିଜେ ନିଜର ପ୍ରାଣସତ୍ତାକୁ ହରାଇ ବସିବା ।

ବ୍ରହ୍ମ ଯେବେ ଚାହିଁବେ, ସେବେ ପ୍ରକାଶିତ ହୁଅନ୍ତୁ । ଆମେ ଭୀମଭୋଇଙ୍କ ଭଳି କେବଳ ପ୍ରାର୍ଥନା କରିପାରିବା ଯେ, ବ୍ରହ୍ମ ହୁଅ ପରକାଶ ।

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ଧର୍ମ Tagged With: ନବ କଳେବର, ଶ୍ରୀ ଜଗନ୍ନାଥ

ଦାରୁ ଶଗଡି ଦେଖିବାକୁ ଭିଡ, ନିୟନ୍ତ୍ରଣ ପାଇଁ ମୃଦୁ ଲାଠିଚାଳନା

May 15, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୫ (ଓଡିଶା ଡଟ କମ) ଜଗତସିଂହପୁର ଜିଲ୍ଲାର ଖରିଆପଡାରୁ ଗୁରୁବାର ଯାତ୍ରା ଆରମ୍ଭ କରିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ଶଗଡି ଦେଖିବା ପାଇଁ ହୋଇଥିବା ଭିଡକୁ ନିୟନ୍ତ୍ରଣକରିବାକୁ ଯାଇ ପୁଲିସ ମୃଦୁ ଲାଠି ଚାଳନା କରିବାରୁ ଅଠର ଜଣ ଭକ୍ତ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି ।

DSCN3663 SAM_0687ଦାରୁ ଶଗଡି ଟାଣିବା ପାଇଁ ଲକ୍ଷାଧିକ ଭକ୍ତ ଏକାଠି ହୋଇଥିଲେ । ପୁଲିସ ଏହା ଉପରେ କଟକଣା ଲଗାଇବାରୁ କ୍ଷୁବ୍ଧ ହୋଇ କେତେକ ଲୋକ ପୁଲିସ କୁ ଲକ୍ଷ କରି ଟେକା ପଥର ମାଡ କରିଥିଲେ । ତେବେ ତାହା ଯାଇ ଦଇତାପତିଙ୍କ ଦେଖରେ ବାଜିଥିଲା।

ଭିଡ କୁ ନିୟନ୍ତ୍ରଣ କରିବାପାଇଁ ପୁଲିସକୁ କଟକ ପାରାଦୀପ ରାସ୍ତାରେ ଥିବା ଓଡାପଡା ଛକ ନିକଟରେ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା ବୋଲି ଉପ ଜିଲ୍ଲାପାଳ ନରହରି ସେଠୀ ଓଡିଶା ଡଟ କମକୁ କହିଛନ୍ତି ।

ତେବେ ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା। ଏହି ମୃଦୁ ଲାଠି ଚାଳନାରେ ପ୍ରାୟ ଅଠର ଜଣ ଭକ୍ତ ସାମାନ୍ୟ ଆହତ ହୋଇଥିବା ଭକ୍ତ ମାନେ ଅଭିଯୋଗ କରିଛନ୍ତି ।

ଖରିଆପଡାରୁ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡି ଗଡିବା ଆରମ୍ଭ ହେବାବେଳେ ଏକ ଭକ୍ତିମୟ ପରିବେଶ ସ୍ତୃଷ୍ଟି ହୋଇଥିଲା । ଭକ୍ତ ମାନଙ୍କ ହୁଳହୁଳି, ହରିବୋଲ ଓ ନାମ ସଙ୍କୀର୍ତ୍ତନ ଧ୍ୱନିରେ ବାତାବରଣ ପ୍ରକମ୍ପିତ ହୋଇଥିଲା ।

ଦାରୁ ଦର୍ଶନ କରିବା ପାଇଁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶ୍ରଦ୍ଧାଳୁମାନେ ଛିଡା ହୋଇଥିଲେ। ରାଜପଥ ଉପରେ ମହିଳା ମାନେ ଝୋଟି ଓ ମୁରୁଜ ପକାଇ ପରିବେଶକୁ ରଙ୍ଗୀନ କରିଥିଲେ ।

ଖରିଆପଡାରେ ଗ୍ରାମର ସମସ୍ତ ମହିଳା ଏକଜୁଟ ହୋଇ ଦାରୁ ଶଗଡି ଟାଣିଥିଲେ ଓ ଭାବ ବିଭୋର ହୋଇ ମହାପ୍ରଭୁଙ୍କ ଦାରୁକୁ ବିଦାୟ ଦେଇଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ, ରାଜନୀତି Tagged With: ଖରିପଡିଆ, ଦାରୁ ଶଗଡି, ପୁଲିସ, ଶ୍ରୀ ଜଗନ୍ନାଥ

ଦାରୁ ଛେଦନପରେ ଖରିଆପଡା ଗାଁ ବାସୀ ଅସହାୟ

May 11, 2015 by News Bureau Leave a Comment

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୧(ଓଡିଶା ଡଟ୍ କମ୍) ଜଗତସିଂହପୁର ଜିଲ୍ଲାର ଖରିପଡିଆ ଗାଁରେ ଶ୍ରୀ ଜଗନ୍ନାଥଙ୍କ ଦାରୁ ବୃକ୍ଷ ଛେଦନ ପରେ ସେଠାରେ ଥିବା ୩୫ଟି ଦଳିତ ପରିବାରଙ୍କ ପାଇଁ ଏବେ ଶୋକର ବାତାବରଣ ସ୍ତୃଷ୍ଟି ହୋଇଥିବା ବେଳେ ସେମାନେ ଅସହାୟ ଅନୁଭବ କରୁଥିବା କହିଛନ୍ତି ।

after daru grounded Arakhita Mallickଅରକ୍ଷିତ ମଲ୍ଲିକ ନାମକ ଗ୍ରାମର ଜଣେ ଦଳିତ ଭକ୍ତଙ୍କ କହିବା ଅନୁଯାୟୀ ୧୯୬୬ ରେ ବନଯାଗ ଯାତ୍ରୀ ଦଳ ଏହି ବୃକ୍ଷକୁ ଶ୍ରୀ ଜଗନ୍ନାଥଙ୍କର ଦାରୁ ବୋଲି ଚିହ୍ନଟ କରି ପରେ ଖାରଜ କରିଥିଲେ । ସେବେଠାରୁ ସେ ଓ ତାଙ୍କ ସ୍ତ୍ରୀ ଗାଁର ଅନ୍ୟ ଦଳିତ ପରିବାରଙ୍କ ସହାୟତାରେ ଏହି ବୃକ୍ଷକୁ ପୂଜା କରି ଆସୁଛନ୍ତି ।

ଏହି ଦାରୁବୃକ୍ଷ ସହ ତାଙ୍କର ଓ ଗାଁ ଲୋକଙ୍କର ବିଶ୍ଵାସ ଯୋଡି ହୋଇ ରହିଛି । ଅରକ୍ଷିତ ଆହୁରି ବି କହିଥିଲେ ଯେ ଦାରୁ ଥିବା ସ୍ଥାନଟି ହେଉଛି ତାଙ୍କ ବାପାଙ୍କର । ତାଙ୍କ ବାପା ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ମଲିକ ଏହାକୁ ଗାଁ ଲୋକଙ୍କ ପୂଜା ନିମନ୍ତେ ଦାନ କରିଦେଇଥିଲେ। ଅରକ୍ଷିତ କହିଛନ୍ତି ପ୍ରଶାସନ ତାଙ୍କ ପୁଅକୁ ହୋମଗାର୍ଡ ଚାକିରି ଦେବାସହ ତାଙ୍କୁ ଇନ୍ଦିରା ଆୱାସ ଯୋଜନାର ଅନ୍ତ୍ରଭୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଉ ।

ଦାରୁ ଛେଦନ ବେଳେ କିଛି ସମୟ ପାଇଁ ବେହୋସ ହୋଇଯାଇଥିବା ଅରକ୍ଷିତଙ୍କ ସ୍ତ୍ରୀଙ୍କ କହିଥିଲେ ଯେ ଏହି ଦାରୁ ଆମପାଇଁ ସାକ୍ଷାତ ଶ୍ରୀ ଜଗନ୍ନାଥ ଥିଲେ ।

ଗାଁର ସବୁ ସୁବିଧା ଅସୁବିଧା ଆମେ ତାଙ୍କୁ ଜଣାଉ ଥିଲୁ । ଏବେ ଦାରୁ ଛେଦନ ପରେ ଆମେ ସେଥିରୁ ବଞ୍ଚିତ ହେବୁ । ଗାଁ ଲୋକଙ୍କ କହିବ ଅନୁଯାୟୀ ସେମାନେ ଏହି ବୃକ୍ଷ ତଳେ ବସି ନିଜର ଓ ଗାଁର ସବୁ ସୁବିଧା ଅସୁବିଧା ଆଲୋଚନା କରନ୍ତି । କେତେ ପୂଜା ପର୍ବାଣି ମଧ୍ୟ ଆୟୋଜନ କରନ୍ତି । ହେଲେ ଦାରୁ ଛେଦନ ପରେ ନା ଏଠି କିଛି ପୂଜା ପର୍ବାଣି ହେଇପାରିବ ନା ଆମେ ଆମ ପ୍ରଭୁଙ୍କୁ ପାଖରେ ପାଇପାରିବୁ, ସେମାନେ କହିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଧର୍ମ Tagged With: ଖରିପଡିଆ, ଦଳିତ, ଦାରୁ, ଶ୍ରୀ ଜଗନ୍ନାଥ

ଶ୍ରୀ ଜଗନ୍ନାଥଙ୍କ ଦାରୁବୃକ୍ଷରୁ ତିନି ପେଚା ଉଦ୍ଧାର

May 10, 2015 by News Bureau Leave a Comment

ଜଗତସିଂହପୁର: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୦ (ଓଡିଶା ଡଟ କମ) ଶନିବାର ଜଙ୍ଗଲ ଓ ପଶୁ ସମ୍ପଦ ବିଭାଗ କର୍ମଚାରୀମାନେ ଜଗତସିଂହପୁର ଜିଲ୍ଲାର ଖରିପଡିଆ ଗାଁରେ ଶ୍ରୀ ଜଗନ୍ନାଥଙ୍କ ଦାରୁ ବୃକ୍ଷ ଭୂପତିତ ହେବାପରେ ବୃକ୍ଷରେ ରହିଥିବା ତିନୋଟି ଧଳା ପେଚାଙ୍କୁ ଉଦ୍ଧାର କରି ତାକୁ ନେଇ ଉଠିଥିବା ବିବାଦର ପରିସମାପ୍ତି କରିଛନ୍ତି ।

DSCN3565କଟକ ଡିଭିଜନାଲ ଫରେଷ୍ଟ ଅଫିସର ସୁଦର୍ଶନ ବେହେରାଙ୍କ ନେତୃତ୍ଵରେ ଷାଠିଏ ଜଣ ବନ ଓ ପଶୁସମ୍ପଦ ବିଭାଗ କର୍ମଚାରୀମାନେ ବୃକ୍ଷର ଡାଳପତ୍ର ଭିତରୁ ଦୁଇଟି ଶାବକ ସମେତ ତିନୋଟି ପେଚାଙ୍କୁ ଉଦ୍ଧାର କରି ଭୁବନେଶ୍ଵରରେ ଥିବା ନନ୍ଦନକାନନକୁ ପଠାଇଛନ୍ତି ।

ଓଡିଶା ବନ୍ୟଜନ୍ତୁ ସମାଜର ସମ୍ପାଦକ ବିଶ୍ଵଜିତ ମହାନ୍ତି ମଇ ଚାରି ତାରିଖ ଦିନ ସରକାରଙ୍କୁ ବୃକ୍ଷ ଛେଦନ ପୂର୍ବରୁ ଏହି ପେଚା ପରିବାରକୁ ଉଦ୍ଧାର କରିବା ପାଇଁ ଏକ ଚିଠି ଲେଖିବା ପରେ ରାଜ୍ୟ ବନ୍ୟ ପ୍ରାଣୀ ବିଭାଗ ଜଗତସିଂହପୁର ଜିଲ୍ଲାପାଳଙ୍କୁ ତାଙ୍କର ଉଦ୍ଧାର ପାଇଁ ଦିନ ଓ ସମୟ ନିର୍ଘଣ୍ଟ କରିବାପାଇଁ ଲେଖିଥିଲେ ।

ବୃକ୍ଷକୁ ନ ଚଢି ପେଚା ମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଥିବାରୁ ବନ୍ୟ ପ୍ରାଣୀ ବିଭାଗର ଏକ ଚାରି ଜଣିଆ ପ୍ରତିନିଧି ଦଳ ଯାନ୍ତ୍ରିକ ସିଡି, ପେଚାଙ୍କୁ ରଖିବା ପାଇଁ ଏକ ଯନ୍ତା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଧରି ଦାରୁ ବୃକ୍ଷ ଥିବା ଅଞ୍ଚଳରେ ପହଞ୍ଚି ଥିଲେ ।

ତେବେ ଦଇତାପତି ମାନେ ପେଚାଙ୍କୁ ଆଧ୍ୟାତ୍ମିକ ପ୍ରସଙ୍ଗ ସହ ଯୋଡି ତାଙ୍କୁ ଧରିବା ଠିକ ନୁହେଁ ବୋଲି କହିବାରୁ ଏକ ଅଡୁଆ ପରିସ୍ଥିତି ଜନ୍ମ ନେଇଥିଲା ଓ ଏହି ଅଭିଯାନ ବନ୍ଦ ରହିଥିଲା ।

ଶନିବାର ଛେଦନ ପରେ ଦାରୁ ବୃକ୍ଷ ଭୂପତିତ ହୋଇଥିଲା ଓ ଏହାପରେ ଜଙ୍ଗଲ ଓ ପଶୁ ସମ୍ପଦ ବିଭାଗ କର୍ମଚାରୀମାନେ ଏହି ପେଚା ମାନଙ୍କୁ ଦାରୁ ବୃକ୍ଷରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ପେଚା ମାନଙ୍କୁ ଏକ ପଞ୍ଜୁରି ଭିତରେ ରଖି ଭୁବନେଶ୍ଵରରେ ଥିବା ନନ୍ଦନକାନନ ବନ୍ୟପ୍ରାଣୀ ଉଦ୍ୟାନ କୁ ପଠାଇ ଦିଆଯାଇଥିବା ଜଣେ ବରିଷ୍ଠ ବନ ବିଭାଗ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ Tagged With: ଦାରୁ ବୃକ୍ଷ, ଧଳା ପେଚା, ଶ୍ରୀ ଜଗନ୍ନାଥ

ଶ୍ରଦ୍ଧାଳୁଙ୍କ ହରିବୋଲ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଦାରୁ ଛେଦନ କାର୍ଯ୍ୟ ସଂପନ୍ନ

May 10, 2015 by News Bureau Leave a Comment

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୦ (ଓଡିଶା ଡଟ କମ) ପୁରୀରେ ହେବାକୁ ଥିବା ନବ କଳେବର ପାଇଁ ଜଗତସିଂହପୁର ଜିଲ୍ଲାର ଖରିପଡିଆ ଗାଁରେ ଚିହ୍ନଟ ହୋଇଥିବା ଶ୍ରୀ ଜଗନ୍ନାଥଙ୍କ ଦାରୁ ବୃକ୍ଷ ଛେଦନ ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ଶନିବାର ସଂପନ୍ନ ହୋଇଛି ।

DSCN3576ସୂର୍ଯ୍ୟ ଉଦୟ ପରେ ବିଭିନ୍ନ ପାରମ୍ପରିକ ରୀତିନୀତିରେ ଦେବା ଦେବୀଙ୍କ ପୂଜା କରଯାଇଥିଲା । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବନ ଜାଗ ଯଜ୍ଞ ର ପୂର୍ଣାହୁତି ପରେ ଅପରାହ୍ନରେ ଦାରୁଛେଦନ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ବିଦ୍ୟାପତି ଓ ବିଶ୍ଵାବସୁ ଦାରୁ ଚାରିପାଖରେ ପ୍ରଦକ୍ଷିଣ କରିବା ସହ ସଂସ୍କାର କରାଯାଇଥିବା ସୁନା ଓ ରୂପା କୁରାଢିରେ ଦାରୁ ମୂଳ ସ୍ପର୍ଶ କରିଥିଲେ ।

ପରେ ବିଶ୍ଵକର୍ମା ମାନେ ଲୁହା କୁରାଢୀରେ ଦାରୁ ଛେଦନ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଦାରୁ ଛେଦନ କାର୍ଯ୍ୟରେ ସାତଜଣ ବିଶ୍ଵକର୍ମା ଓ ପ୍ରାୟ ପଚାଶରୁ ଊର୍ଦ୍ଧ୍ଵ ମହାରଣା ଯୋଗଦେଇଥିଲେ ।

ଚାରିଘଣ୍ଟାରେ ରାତି ପ୍ରାୟ ଆଠଟା ପନ୍ଦର ସମୟରେ ମହାଦାରୁ ଭୂମିସ୍ପର୍ଶ କରିଥିଲା । ଦାରୁ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଖରିପଡିଆରେ ଏକତ୍ରିତ ହୋଇ ଥିଲେ । ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ Tagged With: ଖରିପଡିଆ, ଜଗତସିଂହପୁର, ଦାରୁ, ନବ କଳେବର, ଶ୍ରୀ ଜଗନ୍ନାଥ

ନବକଳେବର ଊପରେ ପ୍ରାମାଣିକ ଚିତ୍ର ‘ଦେବତା ହୋଇଲେ ମରଇ’ (ଭିଡିଓ )

May 9, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର,ମଇ ୯ (ଓଡିଶା ଡଟ କମ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ଊପରେ ଆଧାରିତ ପ୍ରାମାଣିକ ଚଳଚିତ୍ର “ଦେବତା ହୋଇଲେ ମରଇ”ର ନିକଟରେ ଲୋକାର୍ପଣ ହୋଇଯାଇଛି । ନବକଳେବର ସହ ଜଡିତ ବଭିନ୍ନ ତଥ୍ୟ ତଥା ଗବେଷଣାକୁ ପାଥେୟ କରି ପ୍ରସ୍ତୁତ ଏହି ଚଳଚିତ୍ର ଜଗନ୍ନାଥଙ୍କ ଜନ୍ମମୃତ୍ୟୁର ଭାବପ୍ରବଣ ଯାତ୍ରାକୁ ସରଳ, ସାବଲୀଳ ଢଙ୍ଗରେ ଉପସ୍ଥାପନା କରିବାକୁ ପ୍ରୟାସ କରିଛି ।

ସମୟର କରାଳ କାଳିମାରେ ଶରୀର କ୍ଷଣସ୍ଥାୟୀ, ମରଣଶୀଳ ପାର୍ଥିବ ଶରୀର ପାଇଁ ମୃତ୍ୟୁ ହିଁ ଏକ ମାତ୍ର ସତ୍ୟ । ଅପୁର୍ବ ଏହି ଚିରନ୍ତନ ସତ୍ୟକୁ ମାନବ ସମାଜରେ ପ୍ରତିପାଦିତ କରିବା ପାଇଁ ଲୀଳାମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଜରାକାଳୀନ ପୁନର୍ଜନ୍ମର ଲୀଳା “ନବକଳେବର” ।

ନୂତନ ପୀଢ଼ିକୁ “ନବକଳେବର” କ’ଣ ପ୍ରଶ୍ନର ଉତ୍ତର ଦେବାପାଇଁ ଚେଷ୍ଟା କରିଛି ଏହି ଆଧ୍ୟାତ୍ମିକ ସୃଜନଶୀଳତା ସହ ପ୍ରସ୍ତୁତ ପ୍ରମାଣିକ ଚିତ୍ର । ଏହାର ଉପସ୍ଥାପନା ଶୈଳୀ ବିଶ୍ଲେଷଣାତ୍ମକ, ଗବେଷଣାମୂଳକ, ସୃଜନ ଓ ସମ୍ବେଦନଶୀଳ ଉଭୟ ସାଧାରଣ ଦର୍ଶକ ଓ ବୁଦ୍ଧିଜୀବିମାନଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଯୋଜନା ସଂସ୍ଥା ଲାଇଟ ହାଉସ୍ ଆଶା କରିଛି ।

ସୁପରିଚିତ ଲେଖକ ତଥା ସ୍ତମ୍ଭକାର ଡକ୍ଟର ବିବୁଧରଞ୍ଜନଙ୍କ ଦ୍ୱାରା ଲିଖିତ ଏହି ଚଳଚିତ୍ର ସୁନ୍ଦର ସଂପାଦନା ଓ ଉନ୍ନତମାନର ଆନିମେସନ କାର୍ଯ୍ୟ ସହ ଏକ ଜାତୀୟ ସ୍ତରର ପ୍ରୟାସ । ସଂଜୟ କାନୁନଗୋ ଓ ଗୁରୁଜୀ ଶ୍ୱେତଚନ୍ଦନଙ୍କ ନିର୍ଦ୍ଦେଶନାରେ ଏହି ଚଳଚିତ୍ର ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ଦୁଇଟି ଭାଗରେ ନିର୍ମାଣ କରାଯାଇଛି ।

ଇଂରାଜୀ ଭାଷାର ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ଇଂରାଜୀ ସାମ୍ବାଦିକ ଶ୍ରୀ ସନ୍ଦୀପ ସାହୁ । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ସହାୟତାରେ ପ୍ରସ୍ତୁତ ଏହି ଚଳଚିତ୍ରର ଦ୍ୱିତୀୟ ଭାଗଟି ଜୁଲାଇ ମାସରେ ରଥଯାତ୍ରା ଦିନ ଲୋକାର୍ପଣ ହେବାର ଯୋଜନା ରହିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ବିଶେଷ ଖବର, ମନୋରଞ୍ଜନ Tagged With: ଦେବତା ହୋଇଲେ ମରଇ, ନବକଳେବର, ପ୍ରାମାଣିକ ଚଳଚିତ୍ର, ଶ୍ରୀ ଜଗନ୍ନାଥ

ଦାରୁ ବୃକ୍ଷଥିବା ଗାଁରେ ପୁଲିସ କଟକଣା ଯୋଗୁଁ ବାସିନ୍ଦାଙ୍କ ଦହଗଞ୍ଜ

May 7, 2015 by News Bureau Leave a Comment

ଓଡିଶା ଡଟକମ: ଅମରନାଥ ପରିଡା

ଜଗତସିଂହପୁର,ମଇ ୭ (ଓଡିଶା ଡଟ୍ କମ୍), ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ବୃକ୍ଷ ଚିହ୍ନଟ ହେବାପରେ ବ୍ୟାପକ ପୁଲିସ କଟକଣା ଯୋଗୁଁ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅଧୀନରେ ଥିବା ଖରିପଡିଆ ଗାଁରେ ପିଇବା ପାଣି ମୁନ୍ଦାଏ ପାଇଁ ସେମାନେ ବ୍ୟାପକ ଦହଗଞ୍ଜର ସାମ୍ନା କରୁଥିବା ଗ୍ରାମବାସୀ ଗୁରୁବାର କହିଛନ୍ତି ।

ଦାରୁ ବୃକ୍ଷ ଚିହ୍ନଟ ହେବା ପରେ ଗାଁରେ ଥିବା ଏକମାତ୍ର ନଳକୂପକୁ ସ୍ଥାନୀୟ ପ୍ରଶାସନ ହଟାଇ ଦେଇଛି । ଦାରୁ ଚାରିକଡେ ବାଉଁଶ ଓ ଲୁହା ବ୍ୟାରୀକେଡ ନିର୍ମାଣ କରାଯାଇଛି ଓ ପୁଲିସ ସ୍ଥାନୀୟ ବାସିନ୍ଦାଙ୍କୁ ପାଖ ଗାଁରୁ ବ୍ୟାରିକେଡ଼ ଅତିକ୍ରମ କରି ପାଣି ଆଣିବା ପାଇଁ ଅନୁମତି ଦେଉନାହିଁ ।

Photo0133ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ତାଲ୍ଲି କହିଛନ୍ତି ନଳକୂପକୁ ସାମୟିକ ହଟା ଯାଇଛି ଓ ଟ୍ୟାଙ୍କର ସାହାଯ୍ୟରେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଦାରୁ ଛେଦନ ପରେ ପୁନଶ୍ଚ ନଳକୂପର ବ୍ୟବସ୍ଥା କରି ଦିଆଯିବ ।

ତେବେ ଗ୍ରାମର ବୁଲେଇ ମଲ୍ଲିକ କହିଛନ୍ତି ଯୋଗାଇ ଦିଆ ଯାଉଥିବା ପାଣି ତାଙ୍କୁ ନିଅଣ୍ଟ ହେଉଛି ଓ ଦାରୁ ବୃକ୍ଷ ଚାରିପଟେ ବେରିକେଡ଼ ନିର୍ମାଣ କରାଯାଇଥିବାରୁ ପୁଲିସ କଟକଣା ଯୋଗୁଁ ତାକୁ ଅତିକ୍ରମ କରି ଅନ୍ୟ ଗାଁରୁ ପିଇବା ପାଣି ସଂଗ୍ରହ କରିବା ସମ୍ଭବପର ହେଉନାହିଁ ।

ଗ୍ରାମ ମୁଖିଆ କୃଷ୍ଣ ମଲ୍ଲିକ କହିଛନ୍ତି ଗାଁର ପ୍ରାୟ ଷାଠିଏଟି ଦଳିତ ପରିବାର ଶ୍ରୀ ଜଗନ୍ନାଥଙ୍କ ପାଇଁ ଚିହ୍ନଟ ହୋଇଥିବା ପବିତ୍ର ଦାରୁ ବୃକ୍ଷଙ୍କୁ ଗତ ଅଣେଇଶ ବର୍ଷ ହେବ ପୂଜା କରିଆସୁଛନ୍ତି । ଦାରୁଗଛ ଚିହ୍ନଟ ହେଲା ପରେ ସମସ୍ତ ଗ୍ରାମବାସୀ ଖୁସି ଅନୁଭବ କରୁଛନ୍ତି ।

ବନଯାଗ ଯାତ୍ରୀ ଦଳ ଯେତେବେଳେ ଗ୍ରାମରେ ପ୍ରବେଶ କଲେ ସେତେବେଳେ ନା ପୁଲିସ ଥିଲା ନା ପ୍ରଶାସନ । ଦାରୁବୃକ୍ଷ ଦେଖିବାପାଇଁ ଲୋକଙ୍କର ସୁଅ ଛୁଟିବାରୁ ଗାଁରେ ସ୍ଥାନୀୟ ବାସିନ୍ଦା ହିଁ ଟ୍ରାଫିକ ନିୟନ୍ତ୍ରଣ କରିବା , ପାର୍କିଂ ପାଇଁ ସ୍ଥାନ ଯୋଗାଇବା ଆଦି କାମ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ପୁଲିସ କି ପ୍ରଶାସନ ତାଙ୍କୁ ଠିକ ଭାବେ ପଚାରୁ ନ ଥିବା ସେ ଅଭିଯୋଗ କହିଛନ୍ତି ।

ଗାଁରେ ଏକ ପ୍ରକାର ମେଳା ଲାଗିଛି ଓ ବହୁ ସ୍ଵେଚ୍ଛାସେବୀ ସଂଗଠନ, କ୍ଷୁଦ୍ର ବ୍ୟବସାୟୀ, ଫେରିବାଲା, ବରା ପିଆଜି, ଜଳଖିଆ ଓ ବାରମଜା ବିକାଳି ନିଜର ଆସ୍ଥାନ ଜମାଇଛନ୍ତି । ସେମାନଙ୍କ ମଧ୍ୟରୁ ବହୁଲୋକ ପଲିଥିନ, ରଦି କାଗଜ ଇତଃସ୍ତତଃ ଫୋପାଡୁ ଥିବାରୁ ପରିବେଶ ଦୂଷିତ ହୋଇଛି ।

ପୁଲିସ ଷାଠିଏ ଯାକ ପରିବାରଙ୍କୁ ଦାରୁ ଦର୍ଶନ ପାଇଁ ଷାଠିଏଟି ପାସ ଇସୁ କରିଥିଲା କିନ୍ତୁ ସେମାନେ ପରିବାରର ପ୍ରତ୍ୟେକ ସଦସ୍ୟ ମାନଙ୍କ ପାଇଁ ଜଣ ପିଛା ଗୋଟିଏ ଲେଖାଏଁ ପାସ ଦାବି କରୁଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି । ବିଶୃଙ୍ଖଳା ଆଶଙ୍କାରେ ସମସ୍ତଙ୍କୁ ପାସ ଦିଆ ଯାଇନଥିବା ସେ କହିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଧର୍ମ Tagged With: ଖରିପଡିଆ, ଦାରୁ, ନବ କଳେବର, ନଳକୂପ, ଶ୍ରୀ ଜଗନ୍ନାଥ

ଶ୍ରୀଜଗନ୍ନାଥଙ୍କ ଦାରୁ ବୃକ୍ଷରେ ଥିବା ପେଚାଙ୍କୁ ନେଇ ବିବାଦ

May 7, 2015 by News Bureau Leave a Comment

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୭ (ଓଡିଶା ଡଟ କମ) ଚଳିତ ବର୍ଷ ପୁରୀରେ ହେବାକୁ ଥିବା ନବ କଳେବର ପାଇଁ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅଧୀନରେ ଥିବା ଖରିପଡିଆ ଗାଁରେ ଚିହ୍ନଟ ହୋଇଥିବା ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ବୃକ୍ଷରେ ରହିଥିବା ଏକ ପେଚା ପରିବାରକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି ।

SAM_0542ପରିବେଶବିତ ମାନେ ସେମାନଙ୍କ ଉଦ୍ଧାର ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଥିବା ବେଳେ, SAM_0534ଦଇତାପତି ମାନେ ପେଚାଙ୍କୁ ଆଧ୍ୟାତ୍ମିକ ପ୍ରସଙ୍ଗ ସହ ଯୋଡି ତାଙ୍କୁ ଧରିବା ଠିକ ନୁହେଁ ବୋଲି କହିବାରୁ ଏକ ଅଡୁଆ ପରିସ୍ଥିତି ଜନ୍ମ ନେଇଛି ।

ଓଡିଶା ବନ୍ୟଜନ୍ତୁ ସମାଜର ସମ୍ପାଦକ ବିଶ୍ଵଜିତ ମହାନ୍ତି ମଇ ଚାରି ତାରିଖ ଦିନ ସରକାରଙ୍କୁ ବୃକ୍ଷ ଛେଦନ ପୂର୍ବରୁ ଏହି ପେଚା ପରିବାରକୁ ଉଦ୍ଧାର କରିବା ପାଇଁ ଏକ ଚିଠି ଲେଖିବା ପରେ ରାଜ୍ୟ ବନ୍ୟ ପ୍ରାଣୀ ବିଭାଗ ଜଗତସିଂହପୁର ଜିଲ୍ଲାପାଳଙ୍କୁ ତାଙ୍କର ଉଦ୍ଧାର ପାଇଁ ଦିନ ଓ ସମୟ ନିର୍ଘଣ୍ଟ କରିବାପାଇଁ ଲେଖିଥିଲେ ।

ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବୁଧବାର ବନ୍ୟ ପ୍ରାଣୀ ବିଭାଗର ଏକ ଚାରି ଜଣିଆ ପ୍ରତିନିଧି ଦଳ SAM_0543ଯାନ୍ତ୍ରିକ ସିଡି, ପେଚାଙ୍କୁ ରଖିବା ପାଇଁ ଏକ ଯନ୍ତା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଧରି ଦାରୁ ବୃକ୍ଷ ଥିବା ଅଞ୍ଚଳରେ ପହଞ୍ଚି ଥିଲେ । ତେବେ ପେଚାଙ୍କୁ ନଧରିବା ପାଇଁ ଦଇତାପତି ମାନେ ଜିଦ ଧରିବାରୁ ସେମାନେ ଏହି ଅଭିଯାନ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ ।

SAM_0535ସ୍ଥାନୀୟ ଜଙ୍ଗଲ ଅଧିକାରୀ ପେଚାଙ୍କୁ ଧରିବାର ଆବଶ୍ୟକ ନାହିଁ ଓ ସେମାନେ ବୃକ୍ଷ ଛେଦନ ସମୟରେ କିମ୍ବା ପୂର୍ବରୁ ଉଡିଯିବେ ବୋଲି କହୁଥିବା ବେଳେ, ଶାବକ ପେଚା ଉଡିବାରେ ସକ୍ଷମ ନୁହନ୍ତି ଓ ସେମାନଙ୍କୁ ଉଦ୍ଧାର କରାଯିବା ଉଚିତ ବୋଲି ବିଶ୍ଵଜିତ ମହାନ୍ତି କହିଛନ୍ତି ।

ପେଚା ଦେବୀ ଲକ୍ଷ୍ମୀଙ୍କ ବାହନ ହୋଇଥିବାରୁ ଖରିପଡିଆରେ ଶ୍ରୀଜଗନ୍ନାଥଙ୍କ ଦାରୁ ବୃକ୍ଷ ଓ ପେଚାଙ୍କୁ ଦେଖିବା ପାଇଁ ବ୍ୟାପକ ଭିଡ ପରିଲକ୍ଷିତ ହୋଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ Tagged With: ଖରିପଡିଆ, ଜଗତସିଂହପୁର, ଜଗନ୍ନାଥଙ୍କ ଦାରୁ ବୃକ୍ଷ, ଧର୍ମଗ୍ରନ୍ଥ, ନବ କଳେବର, ପେଚା, ଶ୍ରୀ ଜଗନ୍ନାଥ

ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ଚିହ୍ନଟ

April 29, 2015 by News Bureau Leave a Comment

ଭୁବନେଶ୍ଵର ଏପ୍ରିଲ ୨୯ (ଓଡିଶା ଡଟ କମ) ଚଳିତ ବର୍ଷ ପୁରୀରେ ହେବାକୁ ଥିବା ନବ କଳେବର ପାଇଁ ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ଦାରୁ ଚିହ୍ନଟ ସରିଥିବା ବେଳେ ବୁଧବାର ମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ବୃକ୍ଷ ଜଗତସିଂପୁରରେ ଠାବ ହୋଇଥିବା ଘୋଷଣା ପରେ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି ।

nabakalebara_logoବନଯାଗ ଯାତ୍ରୀଙ୍କ ଦଳପତି ହଳଧର ଦାସ ମହାପାତ୍ର ଶ୍ରୀ ଜଗନ୍ନାଥଙ୍କ ଦାରୁକୁ ମଙ୍ଗଳବାର ବିଳମ୍ବିତ ରାତିରେ ରଘୁନାଥପୁର ବ୍ଲକର ଖରିପଡିଆ ଗାଁରେ ଚିହ୍ନଟ କରି ଜଣାଇବାପରେ ସେଠାରେ ବ୍ୟାପକ ଜନ ସମାଗମ ଆଶଙ୍କା କରି ପୁଲିସ ମୁତୟନ କରାଯାଇଥିବା ସେ କହିଛନ୍ତି ।

ଦଳପତି ହଳଧର ଦାସ ମହାପାତ୍ର କହିଛନ୍ତି ଯେ ସେ ପୂର୍ବରୁ ଦୁଇ ଥର ନବକଳେବରରେ ଅଂଶଗ୍ରହଣ କରିଛନ୍ତି ହେଲେ କେବେ ବି ଏତେ ସହଜରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ମିଳେ ନାହି। କିନ୍ତୁ ଏହିଥର ଅତି ସହଜରେ ଦାରୁ ଚିହ୍ନଟ କରାଯାଇପାରିଥିଲା ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ଚିହ୍ନିବାର ସଂକେତ ହେଉଛି ଦାରୁ କଳା ବା ଇଷତ କଳା ହୋଇଥିବ,ଏହାର ଗଣ୍ଡି ସିଧା ଏବଂ ଉଚ୍ଚତା ୭ ହାତ ରୁ ୧୨ ହାତ ହୋଇଥିବ, ଏହାର ଉପରିଭାଗ ୪ଟି ଶାଖା ବିଶିଷ୍ଟ ହୋଇଥିବ ।

ଦାରୁଙ୍କ ଦେହରେ ଭଗବାନଙ୍କର ଚାରୋଟି ଆୟୁଧ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ମଧ୍ୟରୁ ଅନ୍ତତଃ ଦୁଇଟି ଚିହ୍ନ ରହିଥିବା ଆବଶ୍ୟକ । ଏହି ଦୁଇଟି ଚିହ୍ନ ଯଦି ଶଙ୍ଖ, ଚକ୍ର ହୋଇଥିବା ତେବେ ତାହାକୁ ଅଧିକ ଗୁରୁତ୍ଵ ଦିଆଯାଏ । ଏଥିରେ କେହି ପକ୍ଷୀ ବସ କରିନଥିବେ ଆଦି ।

ପୂର୍ବରୁ ଶ୍ରୀସୁଦର୍ଶନଙ୍କ ଦାରୁ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର ଗଡକଣ୍ଟୁଣିଆ ଠାରେ, ଶ୍ରୀବଳଦେବଙ୍କ ଦାରୁ ଜଗତସିଂପୁର ଜିଲ୍ଲାର ଝଙ୍କଡର ମା ସାରଳାଙ୍କ ପୀଠ ଠାରେ ଓ ଦେବୀ ସୁଭଦ୍ରାଙ୍କ ଦାରୁ ଜଗତସିଂପୁର ଜିଲ୍ଲାର ବିରିଡି ବ୍ଲକର ଅଢଙ୍ଗଗଡ ଠାରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଚିହ୍ନଟ କରଯାଇଥିଲା । ଦଇତା ପତିମାନେ ଏହି ଦାରୁ ସଂଗ୍ରହ କରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛନ୍ତି।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ । ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା ।

ନବକଳେବର ସମୟରେ ନୂତନ ବିଗ୍ରହ ନିର୍ମାଣ ପାଇଁ ନିମ କାଠ ସଂଗ୍ରହ ନିମନ୍ତେ ‘ବନଯାଗ ଯାତ୍ରା’ ନାମକ ସ୍ଵତନ୍ତ୍ର ଯାତ୍ରା (ଦାରୁବ୍ରହ୍ମ ଅନ୍ଵେଷଣ କାର୍ଯ୍ୟକ୍ରମ) ପାଳିତ ହୁଏ । ବାସନ୍ତିକ ଦୁର୍ଗାପୂଜା ଦଶହରା ଅର୍ଥାତ ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ ଦିନ ମଧ୍ୟାହ୍ନଧୂପ ଅବକାଶରେ ଶ୍ରୀଜୀଉଙ୍କ ବିଶେଷ ପୂଜା ପରେ ଏହାର ଅୟମାରମ୍ଭ ହୋଇଥାଏ । ଏହି ଦିନ କୋଇଲି ବୈକୁଣ୍ଠରେ ଦାରୁଗୃହ ଓ ଯଜ୍ଞଶାଳା ଅନୁକୂଳ କର୍ମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ଚଳିତ ବର୍ଷ ନବ କଳେବର ଯାତ୍ରା ୧୮ ଜୁଲାଇ ରେ ଅନୁଷ୍ଠିତ ହେବ । ନବ କଳେବର ପାଇଁ ପୁରୀ ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଆଖି ଆଗରେ ରଖି ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।

ଓଡିଶା ଡଟ କମ

ନବ କଳେବର ସମ୍ପର୍କରେ ବିଶେଷ ତଥ୍ୟ

News Bureau
News Bureau

Filed Under: ଧର୍ମ Tagged With: ଦାରୁ, ନବକଳେବର, ବନଯାଗ ଯାତ୍ରୀ, ଶ୍ରୀ ଜଗନ୍ନାଥ

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ