• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସଂସ୍କୃତି

ରଥଯାତ୍ରା ଅବସରରେ ହିନ୍ଦୀ ଭାଷାରେ ‘ଶ୍ରୀ ଜଗନ୍ନାଥ କଥା’ ଶୀର୍ଷକ ୱେବ ସିରିଜ

July 3, 2018 by admin Leave a Comment


ଭୁବନେଶ୍ୱର, ୩।୭।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ୟ୍ୟଟକ ପ୍ରତିବର୍ଷ ପୁରୀ ଆସିଥା’ନ୍ତି। ତେବେ ଅନେକ ଭକ୍ତ ପୁରୀ ଆସି ନ ପାରିଲେ ବିଭିନ୍ନ ଇଲେକ୍ଟ୍ରୋନିକ ମିଡିଆ ମାଧ୍ୟମରେ ଏହି ଯାତ୍ରା ଦେଖିବାର ସୁଯୋଗ ପାଇଥା’ନ୍ତି।

ତେଣୁ ଚଳିତ ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରେ ରହୁଥିବା ବିଭିନ୍ନ ଭାଷାଭାଷୀ ଭାରତୀୟଙ୍କ ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ଏକ ହିନ୍ଦୀ ୱେବ ସିରିଜର ପ୍ରସାରଣ କରାଯାଉଛି।

ଭାରତରେ ଏବଂ ବିଦେଶରେ ହିନ୍ଦୀ ଭାଷା କହୁଥିବା ଓ ବୁଝୁଥିବା ଦର୍ଶକମାନଙ୍କୁ ଦୃଷ୍ଟିରେ ରଖି ଏହି ସିରିଜ ‘ଶ୍ରୀ ଜଗନ୍ନାଥ କଥା’ର ପ୍ରସାରଣ କରାଯାଇଛି। ଜଗନ୍ନାଥ ସଂସ୍କୃତି ବିଶାରଦ ଅଶୋକ ପାଣ୍ଡେ ଶ୍ରୀ ମନ୍ଦିର, ଶ୍ରୀ ଜଗନ୍ନାଥ ଏବଂ ଏହି ଅନନ୍ୟ ପରମ୍ପରାର ବିଭିନ୍ନ ଦିଗକୁ ନେଇ ୧୮ଟି ବିଷୟରେ ବର୍ଣ୍ଣନା କରିଛନ୍ତି।

ତା’ ମଧ୍ୟରେ ରହିଛି ଶ୍ରୀ ଜଗନ୍ନାଥ ସଂସ୍କୃତି, ରଥନିର୍ମାଣର ଇତିହାସ, ନବକଳେବର, ଶ୍ରୀ ଗୁଣ୍ଡିଚା ଯାତ୍ରା, କୋ‍ଇଲି ବୈକୁଣ୍ଠ ଆଦି ବିଷୟର ତାତ୍ପର୍ୟ୍ୟ। ଶ୍ରୀ ଜଗନ୍ନାଥଙ୍କ ଭକ୍ତ, ଗବେଷକ, ସାଧାରଣ ପାଠକ ଏବଂ ଗଣମାଧ୍ୟମ ସମସ୍ତଙ୍କ ପାଇଁ ଏହା ତଥ୍ୟଭିତ୍ତିକ ହୋ‍ଇପାରିବ।

ଏହି ଭିଡିଓଗୁଡ଼ିକ ଓଡ଼ିଶାଲାଇଭର ୟୁଟ୍ୟୁବ ଚ୍ୟାନେଲରେ ଉପସ୍ଥାପନ କରାଯିବା ସହ ଏହାର ବିଭିନ୍ନ ଅନଲାଇନ ଓ ସୋସିଆଲ ମିଡିଆରେ ପ୍ରସାରଣ ଫଳରେ ଓଡ଼ିଶା ବାହାରର ବହୁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।

“ଇଲେକ୍ଟ୍ରୋନିକ ମିଡିଆ ଧାରାରେ ଆଜି ଆମେ ଆଉ କେତେ ପାଦ ଆଗେଇ ଯାଇ ଡିଜିଟାଲ ଓ ମୋବାଇଲ ମିଡିଆ ଯୁଗରେ ପହଞ୍ଚିଛୁ। ଆମ ସମୟର ପାଠକ ଓ ଦର୍ଶକମାନଙ୍କ ହାତମୁଠାରେ ଥିବା ମୋବାଇଲ ପାଲଟିଛି ସବୁଠୁ ବଡ଼ ମାଧ୍ୟମ।

ତେଣୁ ଏହି ଡିଜିଟାଲ ମିଡିଆର ସୁଯୋଗ ନେଇ ହିନ୍ଦୀ ଭାଷାରେ ଜଗନ୍ନାଥଙ୍କ କଥା ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ ପକ୍ଷରୁ ଉଦ୍ୟମ କରାଯାଇଛି”, କହିଛନ୍ତି ଚ୍ୟାନେଲର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

ପ୍ରତିବର୍ଷ ଭଳି ଓଡ଼ିଶାଲାଇଭ ପକ୍ଷରୁ ରଥଯାତ୍ରାର ପ୍ରମୁଖ କାର୍ୟ୍ୟକ୍ରମର ଲାଇଭଷ୍ଟ୍ରିମିଂ କରାଯାଉଛି। ତା’ ମଧ୍ୟରେ ରହିଛି ଗୁଣ୍ଡିଚା ଯାତ୍ରା (୧୪ ଜୁଲାଇ), ବାହୁଡ଼ା ଯାତ୍ରା (୨୨ ଜୁଲାଇ), ସୁନାବେଶ (୨୩ ଜୁଲାଇ), ଅଧରନୀତି (୨୪ ଜୁଲାଇ) ଏବଂ ନୀଳାଦ୍ରିବିଜେ (୨୫ ଜୁଲାଇ)।

ଓଡ଼ିଶାଲାଇଭର ୟୁଟ୍ୟୁବ ଚ୍ୟାନେଲ ଏବଂ ନ୍ୟୁଜ ପୋର୍ଟାଲରେ ଏହି ଲାଇଭ୍‍ କାର୍ୟ୍ୟକ୍ରମ ପ୍ରସାରିତ ହେବ ବୋଲି ଚ୍ୟାନେଲର ମୁଖ୍ୟ କାର୍ୟ୍ୟନିର୍ବାହୀ ସୂଚନା ଦେଇଛନ୍ତି।
ଏହି (https://bit.ly/2MysrBT) ଲିଙ୍କରେ କ୍ଲିକ୍‍ କରି ଦର୍ଶକମାନେ ‘ଶ୍ରୀ ଜଗନ୍ନାଥ କଥା’ର ବିଭିନ୍ନ ଅଧ୍ୟାୟ ଦେଖିପାରିବେ।

admin
admin

Filed Under: କଳା ଓ ସଂସ୍କୃତି Tagged With: ଗୁଣ୍ଡିଚା ଯାତ୍ରା, ଜଗନ୍ନାଥ, ସଂସ୍କୃତି

ଅବିଭକ୍ତ ଗଞ୍ଜାମର ଲୁପ୍ତପ୍ରାୟ ଭିତ୍ତି ଚିତ୍ର ସମ୍ପର୍କରେ କେତେକ ତଥ୍ୟ

November 16, 2017 by ଓଡିଶା ଡଟ କମ 1 Comment

ଭିତ୍ତି ଚିତ୍ର
ବିଘ୍ନେଶ୍ୱର ସାହୁ

ଗଞ୍ଜାମର ସାହିତ୍ୟ, ସଙ୍ଗୀତ, କଳା ଓ ସଂସ୍କୃତି ଭଳି ବିଭବ ପାଇଁ ଓଡ଼ିଶା ଯୁଗେ ଯୁଗେ ଗୌରବାନ୍ୱିତ । ଗଞ୍ଜାମ ଭୂମିର ଭିତ୍ତି ଚିତ୍ରରେ ପରମ୍ପରା ସମାଜ ତଥା ମନୁଷ୍ୟର ଧର୍ମ ଜୀବନ ଉପରେ ପକାଇଥିବା ପ୍ରଭାବକୁ ଆଲୋଚନାର ବଳୟ ମଧ୍ୟରୁ ବାଦ୍ ଦିଆଯାଇ ନପାରେ ।

ଭିତ୍ତି ଚିତ୍ରର ପରିଭାଷା ହେଉଛି କାନ୍ଥଚିତ୍ର । ଏହି କାନ୍ଥଚିତ୍ର ପାଇଁ ଯେଉଁ ଭୂମି ପ୍ରସ୍ତୁତ କରାଯାଏ, ତାହା ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ!

ଅବିଭକ୍ତ ଗଞ୍ଜାମଜିଲ୍ଳାର ବିଭିନ୍ନ ଇଲାକାରେ ଭିତ୍ତି ଚିତ୍ର ବା କାନ୍ଥଚିତ୍ରର ଇତିହାସ ଓ ପରମ୍ପରାକୁ ଦେଖିବା । ରାଜାଶାସନ ସମୟରେ ରାଜାନୁଗ୍ରହରେ ବିଭିନ୍ନ ଜନବହୁଳ ଅଞ୍ଚଳରେ ବୈଷ୍ଣବ ଓ ଶାକ୍ତ ତଥା ଶୈବ ପରମ୍ପରାଭିତ୍ତି କ ମନ୍ଦିରମାନ ଗଢ଼ି ଉଠିଥିଲା ।

ଗଞ୍ଜାମର ବୁଗୁଡ଼ାସ୍ଥ ବିରଞ୍ଚିନାରାୟଣ ମନ୍ଦିର ଅଥବା ଚିକିଟିଗଡ଼ର ରାଧାକାନ୍ତ ମନ୍ଦିର, ଦିଗପହଣ୍ଡିର ରାଧାକୃଷ୍ଣ ମନ୍ଦିର, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ରାଜମହଲ ସମ୍ମୁଖ ବଡ଼ରାଧାକାନ୍ତ ମଠ, ରସିକରାଜ ମଠ (ଯାହାକି ଆପନ୍ନାପରିଚ୍ଛା ମଠ ଭାବେ ପରିଚିତ), ପାରଳା ରାଜମହଲ ଭିତର ଦରବାରରେ ଥିବା କାନ୍ଥ ଚିତ୍ର ଏବଂ ମେଳିଆପୁଟି (ଆନ୍ଧ୍ରପ୍ରଦେଶ) ସ୍ଥିତ ରାଧାକୃଷ୍ଣ ମନ୍ଦିର ବେଢ଼ାରେ ଥିବା ଭିତ୍ତି ଚିତ୍ରଗୁଡ଼ିକ ବେଶ୍ ମନୋମୁଗ୍ଧକର ତଥା ଇତିହାସର ସ୍ୱାକ୍ଷର ବହନ କରେ ।

ଏବେ ଅବଶ୍ୟ ପାରଳାର ବର୍ତମାନର ରାଜ ଉତରାଧିକାରୀଙ୍କ ମନୋନୀତ ଜଣେ ତତ୍ୱାବଧାରକଙ୍କ ଅଦୂରଦର୍ଶିତା ତଥା ସ୍ୱୈରାଚାରିତା ଯୋଗୁଁ ପ୍ୟାଲେସ (ମହଲ) ଭିତର ମୂଲ୍ୟବାନ କାନ୍ଥଚିତ୍ରରେ ଚୂନ ବୋଳି ଦିଆଯାଇଛି ।

ଭିତ୍ତି ଚିତ୍ର ଦୀର୍ଘ ଶହଶହ ବର୍ଷର କାନ୍ଥ ଚିତ୍ରଗୁଡ଼ିକ ଅନାବଶ୍ୟକ ମନେକରି ସେ ମଧ୍ୟରେ ଥିବା ଏକ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟକାରିତାରେ ବାଧା ଦେଇ ଜବରଦସ୍ତ ଭିତ୍ତି ଚିତ୍ରଗୁଡ଼ିକୁ ଲିଭାଇଦେବା ଏକ ଗର୍ହିତ କଥା ବୋଲି ପାରଳାର ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରନ୍ତି।

ସେହିପରି ପାରଳା ରାଜପ୍ରାସାଦ ସମ୍ମୁଖସ୍ଥ ବଡ଼ରାଧାକାନ୍ତ ମଠ କାନ୍ଥରେ ବର୍ତମାନର ପରିଚାରକଙ୍କ ବୁଦ୍ଧିହୀନତା ଯୋଗୁଁ ତିନିଶହ ବର୍ଷରୁ ଊଦ୍ଧ୍ୱର୍ କାନ୍ଥ ଚିତ୍ରକୁ ମନ୍ଦିର ନବୀକରଣ ନାଁରେ ଏନାମେଲ ପେଂଟ୍ସ୍ ବୋଳି ଦିଆଯାଇଛି ।ଭିତ୍ତି ଚିତ୍ର

ଫଳରେ ଶହ ଶହ ବର୍ଷର ଐତିହ୍ୟ ଓ ଗୌରବ ବହନ କରୁଥିବା ପଟ୍ଟଚିତ୍ର ବା ଭିତ୍ତି ଚିତ୍ରଗୁଡ଼ିକ ଅକାରଣରେ ସମାଧି ନେଇଯାଇଛି ।

ଦେଖିବାକୁ ଗଲେ, ମନ୍ଦିର କାନ୍ଥରେ ଭିତ୍ତି ଚିତ୍ରର ପରମ୍ପରା ଗଞ୍ଜାମରେ ହିଁ ଚଳିଆସିଛି । ଅଜନ୍ତା, ଏଲୋରା ଗୁମ୍ଫାରେ ଯେପରି ଦୀର୍ଘବର୍ଷରୁ ଭିତ୍ତି ଚିତ୍ର ସବୁ ରହି ଆସିଛି, ଗଞ୍ଜାମର ବିଭିନ୍ନ ମନ୍ଦିର, ବିଶେଷ କରି ମଠ ସହ ସଂଲଗ୍ନ ମନ୍ଦିରଗୁଡ଼ିକରେ ଏସବୁର ବହୁଳତା ଦେଖିବାକୁ ମିଳେ । ଭିତ୍ତି ଚିତ୍ର

ପ୍ରତ୍ୟେକ ଅଂଚଳରେ(ରାଜା ଅଥବା ଜମିଦାରଶାସିତ ଇଲାକା)ସେଠାକାର ଶାସକବର୍ଗ ଏସବୁର ପୃଷ୍ଠପୋଷକତା କରୁଥିବା ଏଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ ।

ବୁଗୁଡ଼ାସ୍ଥ ବିରଂଚିନାରାୟଣ ମନ୍ଦିରକୁ କାଠର କୋଣାର୍କ ଭାବେ ମଧ୍ୟ ଅଭିହିତ କରାଯାଏ । କାରଣ କାଠର ଖୋଦେଇ ଏତେ କାରୁକାର୍ଯ୍ୟପୂର୍ଣ୍ଣ ହୋଇଛି ଯେ କୋଣାର୍କର ପ୍ରସ୍ତର କାରୁକାର୍ଯ୍ୟ ସମ ଏହାକୁ ତୁଳନା କରାଯାଏ ।

ଏହି ମନ୍ଦିରରେ ପେଡ଼ାଚୁନର ପ୍ରସ୍ତୁତ କାନ୍ଥଉପରେ ରନ୍ଧାସିପର ପ୍ରଲେପ ନିଆଯାଇଛି । ଏହି ପ୍ରଲେପ ରସ ସହିତ ବେଲ ଅଠାର ମିଶ୍ରଣରେ ପୁନର୍ବାର ପତଳା ପ୍ରଲେପ ଦିଆଯାଇ ଘଷାପଥରରେ ଘଷି ଭୂମି ପ୍ରସ୍ତୁତ କରାଯାଇଛି ।

ଏହାକୁ ଭିତ୍ତି ଚିତ୍ର ପଦ୍ଧତିରେ ‘ଡ୍ରାଇପ୍ରସେସ୍’ କୁହାଯାଏ । ସଦ୍ୟ ପ୍ରସ୍ତୁତ ଭିଜାଚୁନ କାନ୍ଥରେ ରଙ୍ଗଦେଇ ଅଙ୍କାଯିବା ଭିତ୍ତି ଚିତ୍ରକୁ ‘ୱେଟ୍ପ୍ରସେସ୍’କୁହାଯାଏ । ଅନ୍ୟ ଏକ ଜୟପୁରୀ ଫ୍ରେସ୍କୋପ୍ରସେସ୍ ମଧ୍ୟ ଅଛି । ବିରଂଚିନାରାୟଣ ମନ୍ଦିରର ଚିତ୍ରଭୂମିଠାରୁ ଅଜନ୍ତା ଭୂମିର ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଅଟେ ।ଭିତ୍ତି ଚିତ୍ର

ଅଜନ୍ତାର ପଥର କାନ୍ଥଉପରେ ଉଈମାଟି, ଚଷୁ, ଶୁଖିଲା ଗୋବରଗୁଣ୍ଡ, ଝୋଟ ଓ ମେଥିପାଣିକୁ ଏକାଠି ପଚାଇ କାନ୍ଥରେ ପଲସ୍ତରା କଲାପରେ ଖଣି ରଙ୍ଗର ପ୍ରଲେପ ଦେଇ ଭୂମି ପ୍ରସ୍ତୁତ କରାଯାଏ ।

ଏହି ମନ୍ଦିରର ଚିତ୍ରଭୂମିର ପ୍ରସ୍ତୁତିକରଣ ପରେ ଅଙ୍କନ ଓ ରଙ୍ଗଲେପନ ପ୍ରଣାଳୀ ମଧ୍ୟ ଆଲୋଚ୍ୟର ବିଷୟ । ଧଳାଭୂମି ଉପରେ ପ୍ରଥମେ ହଳଦିଆ ବା ଗେରୁରଙ୍ଗର ରେଖାଚିତ୍ର ଅଙ୍କନ କରି ତାହା ଭିତରେ ଭରାଟ କରାହୋଇଛି । ବିଶେଷ କରି ଧଳା, କଳା, ଲାଲ, ନୀଳ ଓ ହଳଦିଆ ରଙ୍ଗ ପ୍ରୟୋଗ ହୋଇଥିବାର ଦେଖାଯାଏ ।

ଏହି ରଙ୍ଗଗୁଡ଼ିକ ଯଥାକ୍ରମେ ଶଙ୍ଖ, ପୀଦକଳା, ଢାଉ, ନୀଳବଡ଼ି ଓ ହରିତାଳରୁ ପ୍ରସ୍ତୁତ । ଏହି ରଙ୍ଗର ପ୍ରସ୍ତୁତିକରଣ ପ୍ରଣାଳୀ ପଟ୍ଟଚିତ୍ରର ରଙ୍ଗ-ପ୍ରସ୍ତୁତି ପ୍ରଣାଳୀ ସଦୃଶ କହିଲେ ଅତ୍ୟୁକ୍ତି ହେବନାହିଁ ।ଭିତ୍ତି ଚିତ୍ର

ଅଧିକାଂଶ ମନ୍ଦିରର ଭିତ୍ତି ଚିତ୍ର ବିଶେଷକରି ରାମାୟଣ ଉପରେ ଆଧାରିତ । ରାମରାବଣ ବା ମହାଭାରତରେ କୌଣସି ମୁଖ୍ୟ ନାୟକ ନାୟିକାଙ୍କୁ ଭିତ୍ତି ଚିତ୍ରର ମଧ୍ୟସ୍ଥଳିରେ ବୃହତ ଆକାରରେ ଅଙ୍କା ଯାଇଥାଏ । ଅନ୍ୟ ପାଶ୍ୱର୍ଚିତ୍ରରେ ଦେବାଦେବୀ, ବୃକ୍ଷଲତା ବା ଜୀବଜନ୍ତୁଙ୍କୁ ତାହା ତୁଳନାରେ ଆକାରରେ କ୍ଷୁଦ୍ର କରାଯାଇଥାଏ ।

କେତେକ ସ୍ଥାନରେ କୃଷ୍ଣଲୀଳାରେ ରାଧାକୃଷ୍ଣଙ୍କୁ ମୁଖ୍ୟସ୍ଥାନ ଦେଇ ସେଥିରେ ଥିବା ଆନୁଷଙ୍ଗିକ ବୃକ୍ଷଲତା ବା ଜୀବଜନ୍ତୁଙ୍କୁ କ୍ଷୁଦ୍ରକରି ଦେଖାଇ ଦିଆଯାଇଥାଏ । ଭିତ୍ତି ଚିତ୍ରରେ ପରସ୍ପେକ୍ଟିଭ୍ ପ୍ରତି ଧ୍ୟାନ ଦିଆଯାଇ ନଥାଏ । ନାରୀ ଚିତ୍ରରେ ନାରୀକୁ ଦଣ୍ଡି, ନୋଥ, ନାକଚଣା, ଅଂଟାସୂତା ଓ ଖଡ଼ୁ ଅତ୍ୟନ୍ତ ଶୋଭନୀୟ ।

ସ୍ଥଳବିଶେଷରେ ପୁରୁଷ ହାତରେ ଖଡ଼ୁ ଓ କାନରେ ନୋଳି ବା କୁଣ୍ଡଳ ତା’ର ପୌରୁଷର ଶୋଭାବର୍ଦ୍ଧନ କରିଥାଏ । ଏହି ମନ୍ଦିରର ପୌରାଣିକ ଚିତ୍ର ମଧ୍ୟରେ ପୁରୀ ରଥଯାତ୍ରା ବା ପୁରୀର ନକ୍ସାଙ୍କନର ଦୃଶ୍ୟ ଅତୀବ ବିଚିତ୍ର ଓ ମହତ୍ୱପୂର୍ଣ୍ଣ ।ଭିତ୍ତି ଚିତ୍ର

ସେହିପରି ଅଧିକାଂଶ ମନ୍ଦିରରେ ଖମ୍ବ, ଓରା, ଶେଣି ଓ ଛାତତଳ (ସିଲିଂ)ଗୁଡ଼ିକରେ ମଧ୍ୟ ବହୁ ଚିତ୍ର ଦେଖିବାକୁ ମିଳିଥାଏ । ଗଞ୍ଜାମର ଏହି ବିରଞ୍ôଚନାରାୟଣ ମନ୍ଦିର ବ୍ୟତୀତ ଜଉଗଡ଼ର ଗୁପ୍ତେଶ୍ୱର ମନ୍ଦିର, ଝାଡ଼େଶ୍ୱର ମନ୍ଦିର, ଧରାକୋଟ, ବେଲଗୁଣ୍ଠା, କାଇପଦର, ଚିକିଟି, ସାନଖେମୁଣ୍ଡି, ବଡ଼ଖେମୁଣ୍ଡି, ତାରାତାରିଣୀ ନିକଟସ୍ଥ ଏକ ମଠରେ ମଧ୍ୟ ଭିତ୍ତି ଚିତ୍ର ପରିଦୃଷ୍ଟ ହୁଏ ।

ମୁଖ୍ୟତଃ ତକ୍ରାଳୀନ ରାଜାମାନଙ୍କର ଗଡ଼ଗୁଡ଼ିକରେ ଜଗନ୍ନାଥ ମନ୍ଦିର ଓ ଅନ୍ୟ କେତେକ ମନ୍ଦିରରେ ଏହି ଭିତ୍ତିଚିତ୍ର ସ୍ଥାନ ପାଇଛି । ରାମାୟଣ, ମହାଭାରତର ଗଳ୍ପ, ବିଭିନ୍ନ ଦେବାଦେବୀ, ଦଶ ଅବତାର, ମାଣିକ ଗଉଡ଼ୁଣୀ ଓ ଅନନ୍ତଶୟନ ଆଦିର ଚିତ୍ରଗୁଡ଼ିକ ଏହି ମଠ ମନ୍ଦିରର କାନ୍ଥରେ ଶୋଭାବର୍ଦ୍ଧନକାରୀ ରୂପେ କେବଳ ଯେ ଦୃଶ୍ୟମାନ ତାହା ନୁହେଁ, ଗଞ୍ଜାମ ଜିଲ୍ଲାର ସଂସ୍କୃତି ଓ ତକ୍ରାଳୀନ ଶିଳ୍ପୀମାନଙ୍କର ଉଚ୍ଚମାନର ମଧ୍ୟ ପରିଚୟ ଦେଇଥାଏ ।

ଅବିଭକ୍ତ ଗଞ୍ଜାମ ଜିଲ୍ଳା (ବର୍ତମାନର ଗଜପତି ଜିଲ୍ଳା)ର ପାରଳାଖେମୁଣ୍ଡିର ଅନେକ ଶତାୟୁ ମନ୍ଦିର ମଧ୍ୟରୁ ବଡ଼ ରାଧାକାନ୍ତ ମଠ ଏବଂ ରସିକରାଜ ମଠ କାନ୍ଥରେ ଏଭଳି ଶହ ଶହ ବର୍ଷର ଚିତ୍ର ଅଙ୍କିତ ହୋଇ ରହିଛି ।

ସେଥିରୁ ଅଧିକାଂଶ ନଷ୍ଟ ହୋଇସାରିଥିବା ବେଳେ ରସିକରାଜ ମଠର ଉତରାଧିକାରୀ ମୂରଲୀଧର ପରିଚ୍ଛାଙ୍କ ଆନ୍ତରିକ ଉଦ୍ୟମରୁ ମନ୍ଦିରର ଗୋଟିଏ ପାର୍ଶ୍ଵ କାନ୍ଥରେ କିଛିଟା ଚିତ୍ରକୁ ସଂରକ୍ଷିତ କରାଯାଇପାରିଛି ।

ସେହିପରି ପାରଳା ରାଜପ୍ରାସାଦ ଭିତର କାନ୍ଥରେ ଅନେକ କାନ୍ଥ ଚିତ୍ର ବା ମୁରାଲ ରହିଥିଲା, ଯାହା ଏବେ ଚୂନ ପ୍ରଲେପ ମଧ୍ୟରେ ସମାଧି ନେଇସାରିଛି । ସେହିପରି ପାରଳାଖେମୁଣ୍ଡି ଉପକଣ୍ଠ ବର୍ତମାନର ଆନ୍ଧ୍ରପ୍ରଦେଶର ମେଳିଆପୁଟି ମଣ୍ଡଳର ମେଳିଆପୁଟି ରାଧାକାନ୍ତ ମନ୍ଦିର (ପାରଳା ଗଜପତି ରାଜାଙ୍କ ପୃଷ୍ଣପୋଷକତାରେ ଚାଲିଆସୁଥିବା)ର ଅନେକ ସୁଦୃଶ୍ୟ ଭିତ୍ତି ଚିତ୍ର ବା କାନ୍ଥଚିତ୍ର ଏବେ ବି ଦୃଶ୍ୟମାନ । ଏହା ଯେ କେହି ଦର୍ଶକଙ୍କୁ କିଛି କ୍ଷଣ ଅବାକ୍ କରିଦେବ, ଏଥିରେ ସନ୍ଦେହ ନାହିଁ ।

ରାଜା, ଜମିଦାର ତଥା ମଠମହନ୍ତମାନେ ଶିଳ୍ପୀମାନଙ୍କୁ ଉପଯୁକ୍ତ ମୂଲ୍ୟ ଓ ସମ୍ମାନ ଦେଇ ଏହିଭଳି ମନ୍ଦିର, ମଠ ଆଦିରେ ଭିତ୍ତି ଚିତ୍ର କରାଉଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ମନ୍ଦିରର ଭିତ୍ତି ଚିତ୍ରରେ ବୃକ୍ଷଲତା, ପାହାଡ଼ ଓ ଜୀବଜନ୍ତୁ ଚିତ୍ରଗୁଡ଼ିକର ଶୈଳୀକୁ ଲକ୍ଷ୍ୟ କଲେ ସେଥିରେ ରାଜସ୍ଥାନୀ ଶୈଳୀର ପ୍ରଭାବ ପଡ଼ିଥିବାର ପରିଲକ୍ଷିତ ହୁଏ ।

ଏଥିରୁ ସମ୍ପୂର୍ଣ୍ଣ ଅନୁମେୟ ଯେ ତକ୍ରାଳୀନ ଓଡ଼ିଶାର ରାଜା ଓ ଜମିଦାରମାନେ ରାଜସ୍ଥାନୀ ବା ଓଡ଼ିଶା ବାହାରର ଶିଳ୍ପୀଙ୍କୁ ସ୍ୱଦେଶକୁ ନିମନ୍ତ୍ରଣ କରି ଓଡ଼ିଶାର ଶିଳ୍ପୀମାନଙ୍କ ସହିତ ମିଶି ଭିତ୍ତି ଚିତ୍ରାଙ୍କନ କାର୍ଯ୍ୟ କରାଉଥିଲେ । ଶିଳ୍ପୀମାନେ ମଧ୍ୟ ତାଙ୍କର ଶ୍ରମ ଓ ସମୟ ବ୍ୟୟକରି ଗୋଷ୍ଠୀଗତ ଉଦ୍ୟମରେ ଚିତ୍ରାଙ୍କନ ଏକମାତ୍ର ବୃତି ଓ କର୍ତବ୍ୟ ଭାବି ସୃଷ୍ଟି କରିଚାଲିଥିଲେ । ଏବେ ସେ ସମୟ ନାହିଁ ।

ତଥାପି ଗଞ୍ଜାମର ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ସର୍ବସାଧାରଣଙ୍କର କାନ୍ଥରେ ଚିତା ଓ ଚିତ୍ର ମାଧ୍ୟମରେ ପରମ୍ପରା ସୃଷ୍ଟି କରିଛି, ଯାହାକି ଗଞ୍ଜାମର ସହରଠାରୁ ପୁରପଲ୍ଲୀ ଯାଏଁ ଏବଂ ଧନୀଠାରୁ ଗରିବ ପର୍ଯ୍ୟନ୍ତ ପ୍ରତ୍ୟେକର ଧର୍ମ ଜୀବନରେ ଏକ ଅଙ୍ଗ ହୋଇ ଆସିଛି । କଥାରେ ଅଛି, ବାରମାସରେ ତେର ପର୍ବ ।

ଏହି ପର୍ବପର୍ବାଣୀ ଗଞ୍ଜାମର ସହରର ଗ୍ରାମ, ପୁରପଲ୍ଲୀ ଓ ଆଦିବାସୀ ଅଂଚଳରେ ମଧ୍ୟ ବହୁ ସମାରୋହରେ ପାଳିତ ହୋଇଥାଏ । ପିତଳ, ହିଞ୍ଜଳିକାଟୁ, ବ୍ରହ୍ମପୁର, ରମ୍ଭା, କଞ୍ଚଣା ଓ ଖଲିକୋଟର ନିକଟବର୍ତୀ କେତେକ ଅଂଚଳରେ କାର୍ତିକ ମାସରେ ଘରେ ଘରେ କୋଠିଶାଳ ବା ଊଷାକୋଠି ଚିତ୍ର ଦେଖିବାକୁ ମିଳିଥାଏ ।

ସ୍ତ୍ରୀ ଲୋକମାନେ ଠାକୁରଙ୍କ ପାଖରେ ବହୁବିଧ ମାନସିକ କରିଥାନ୍ତି । କାନ୍ଥରେ କୋଠି କାଟି ମଙ୍ଗଳା ଓ ଆନୁଷଙ୍ଗିକ ଚିତ୍ର ନିକଟରେ କଳସୀ ପୂଜା ହୋଇଥାଏ । ଏହି ପୂଜା ସମୟରେ ଗାହାଣ ଗାଇବା ପଦ୍ଧତି ଓଡ଼ିଶାରେ ଅତ୍ୟନ୍ତ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ଖୁଦୁରୁକୁଣି ଓଷା ଅବସରରେ ମଧ୍ୟ କାନ୍ଥଚିତ୍ରର ପରମ୍ପରା ଓ ତା’ର ପ୍ରଭାବ ପରିଲକ୍ଷିତ ହୋଇଥାଏ ।

ଖୁଦୁରୁକୁଣି ଓଷାରେ କାନ୍ଥରେ ମଙ୍ଗଳା ବା କାଳୀଙ୍କର ଚିତ୍ର ଅଙ୍କନ କରାଯାଇଥାଏ ଯାହାକି ସମ୍ପୂର୍ଣ୍ଣ ଦେଶୀୟ ମାଟି ରଙ୍ଗରେ ପ୍ରସ୍ତୁତ । ଧଳାଖଡ଼ି, ଗେରୁ, ସଢ଼େଇ( ନଡ଼ିଆର ଉପର କଠିନଭାଗ) କଳା, ପତ୍ରର ସବୁଜ ରଙ୍ଗ, ଏଭଳିକି ହଳଦୀକୁ ରଙ୍ଗ ରୂପେ

କାଠିରେ କନା ଗୁଡ଼ାଇ ବା ତୂଳୀ ସାହାଯ୍ୟରେ ବ୍ୟବହାର କରାଯାଇଥାଏ । ମାର୍ଗଶିର ମାସରେ ଗଞ୍ଜାମରେ ଘରେ ଘରେ ହେଉଥିବା ମାଣବସା ପର୍ବରେ ମାଣଠାରୁ ଚଟାଣ, କବାଟ କାନ୍ଥ ଏବଂ ଓଡ଼ିଆ ପୁଡ଼ୁଗ ପର୍ଯ୍ୟନ୍ତ ପ୍ରତ୍ୟେକଟିରେ ଚିତା ବା ଚିତ୍ରାଙ୍କନ ହୋଇଥାଏ ।

ଗଜଲକ୍ଷ୍ମୀ, ଧାନଶିଁଷା, ଲକ୍ଷ୍ମୀପାଦ ଏବଂ କାର୍ତିକ ମାସରେ ଓଲଟ ଶୁଆ, ପୂର୍ଣ୍ଣକୁମ୍ଭ, ଯୋଡ଼ିମାଛ, ନିଶୁଣି, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତା ଓ ଚିତ୍ରାଙ୍କନ କରାଯାଇଥାଏ । ଏହି ଚିତ୍ରପାଇଁ ପ୍ରସ୍ତୁତି ପ୍ରଣାଳୀ ଗୁମ୍ଫା, ମନ୍ଦିର ବା ମଠ ଭିତ୍ତି ଚିତ୍ରର କାନ୍ଥ ଭଳି ହୋଇନଥାଏ ।

ଏହି ଚିତ୍ରର ରଙ୍ଗଗୁଡ଼ିକ ସେଭଳି ଉଚ୍ଚକୋଟିର ନହୋଇପାରେ । ଘରର କାନ୍ଥ ବାରମ୍ବାର ଲିପାଯାଇ ନୂତନ ଚିତ୍ରମାନ ଅଙ୍କା ଯାଇଥିଲେ ମଧ୍ୟ ଏଥିରେ ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ଯେ ପଡ଼ିଛି, ତାହା ଅସ୍ୱୀକାର କରି ହେବନାହିଁ । ଚିକିଟି ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ।
ଏହା ମଧ୍ୟ ଭିତ୍ତି ଚିତ୍ର ଦ୍ୱାରା ପ୍ରଭାବିତ ଏବଂ ପଟ୍ଟ ମାଧ୍ୟମରେ ଏହା ଏକ ରୂପାନ୍ତର ମାତ୍ର । ଏ ସମ୍ପର୍କରେ ଆମ୍ଭେ ଗଭୀର ଭାବେ ବିଚାର ବିଶ୍ଳେଷଣ କଲେ ଜାଣିପାରିବା ଯେ ଗଞ୍ଜାମର ଭିତ୍ତି ଚିତ୍ରର ପରମ୍ପରା ବଳିଷ୍ଠ ଓ ପ୍ରଭାବଶାଳୀ ।

ଭିତ୍ତି ଚିତ୍ରର ପରମ୍ପରା କେବଳ କାନ୍ଥ ଓ ପଟ୍ଟଉପରେ କାହିଁକି, ମନୁଷ୍ୟର ଦେହକୁ ମଧ୍ୟ ଅଙ୍କନ ମାଧ୍ୟମରେ ପ୍ରଭାବିତ କରିଛି । ଗଞ୍ଜାମବାସୀଙ୍କର ଧର୍ମବିଶ୍ୱାସ ଓ ପରମ୍ପରା ଯେ ସେହି ଭିତ୍ତି ଚିତ୍ରର ପ୍ରଭାବ ଓ ରୂପର ରୂପାନ୍ତର ମାତ୍ର ଏହା କହିଲେ ଅତ୍ୟୁକ୍ତି ହେବନାହିଁ ।

ତେଣୁ ଗଞ୍ଜାମର ଭିତ୍ତି ଚିତ୍ର ଗଞ୍ଜାମବାସୀଙ୍କ ସାମାଜିକ ତଥା ଧର୍ମ ଜୀବନ ଉପରେ କିପରି ପ୍ରଭାବ ପକାଇ ପାରିଛି ତାହା ବେଶ୍ ଅନୁମେୟ ।

ଯୋଗାଯୋଗ:୯୪୩୭୯୨୦୪୪୭ 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା Tagged With: କଳା, ଗଞ୍ଜାମ, ସଙ୍ଗୀତ, ସଂସ୍କୃତି, ସାହିତ୍ୟ

ବିଜୟ ଏକ ଉଚ୍ଛ୍ଵାସର ବାର୍ଷିକ ମହୋତ୍ସବରେ ପ୍ରବାସୀ ଓଡିଆଙ୍କୁ ସମ୍ମାନ

November 2, 2016 by ନିଉଜ ଡେସ୍କ Leave a Comment

prabashi-odiya-samman-2016f-1

ପ୍ରଫୁଲ୍ଲ ଦାସ

ଭୁବନେଶ୍ଵର, ନଭେମ୍ବର ୨ (ଓଡିଶା ଡଟ କମ) ଓଡିଆ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ କାର୍ଯ୍ୟ କରୁଥିବା ‘ବିଜୟ’ ଏକ ଉଚ୍ଛ୍ଵାସ ଟ୍ରଷ୍ଟ ଭୁବନେଶ୍ବରରେ ତାର ତିନିଦିନ ବ୍ୟାପୀ ଷଷ୍ଠ ବାର୍ଷିକ ମହୋତ୍ସବରେ ନୃତ୍ୟ, ସଙ୍ଗୀତ, ନାଟକ ଏବଂ କର୍କଟ ରୋଗ ସମ୍ପର୍କିତ ଆଲୋଚନା ଚକ୍ରର ଆୟୋଜନ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରବାସୀ ଓଡିଆଙ୍କୁ ସମ୍ମାନିତ ଓ ପୁରସ୍କୃତ କରିଛି ।

ଅକ୍ଟୋବର ୨୪ରୁ ଅକ୍ଟୋବର ୨୬ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁମ୍ବାଇର ଡାକ୍ତର କାନନ ତ୍ରିପାଠୀଙ୍କୁ ପ୍ରବାସୀ ଓଡିଆ ସମ୍ମାନ ପ୍ରଦାନ କର ଯାଇଥିଲା ।

ତ୍ରିପାଠୀ ମୁମ୍ବାଇ ଓଡିଆ ଏସୋସିଆସନର ପ୍ରତିଷ୍ଠାତା ଓ ସଭାପତି ଅଛନ୍ତି।  ଗତ ତିରିଶ ବର୍ଷ ହେଲା ମୁମ୍ବାଇରେ ରହି ଓଡିଆ ସଂସ୍କୃତି ଓ ପରମ୍ପରାକୁ ଓଡିଆ ଓ ଅଣ ଓଡିଆମାନଙ୍କ ମଧ୍ୟରେ ବିସ୍ତାର କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

ଏହି ଅବସରରେ କର୍କଟ ରୋଗ ସମ୍ପର୍କିତ ଆୟୋଜିତ ଏକ ଆଲୋଚନା ଚକ୍ରକୁ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରଦୀପ ଜାଳି ଉଦଘାଟନ କରିଥିଲେ ।

ପ୍ରଥମ ଥର ପାଇଁ ସାମାଜିକ ସେବା ସମ୍ମାନ ନାମରେ ଚଳିତ ବର୍ଷ ଠାରୁ ଏକ ନୂତନ ପୁରସ୍କାର ଆରମ୍ଭ କରାଯାଇଥିବା ଟ୍ରଷ୍ଟ ତରଫରୁ ଘୋଷଣା କରା ଯାଇଥିଲା। ଏହି ପୁରସ୍କାର ପାଇଥିଲେ ମୁମ୍ବାଇର ପୂର୍ବତନ ପୁଲିସ ମହାନିର୍ଦେଶକ ଅରୂପ ପଟନାୟକ ।

samaja-seba-samman-2016fଟ୍ରଷ୍ଟ ର ଏହି ମହୋତ୍ସବରେ ଓଡିଶା , ସୁଦୂର ମୁମ୍ବାଇ ଏବଂ ଭାରତର ଅନ୍ଯାନ୍ଯ ସ୍ଥାନରୁ ବ୍ୟକ୍ତି ମାନେ ଆସି ଯୋଗ ଦେଇଥିବା ଏହାର ସମ୍ପାଦକ ଅରିନ୍ଦମ ମିଶ୍ର ସୂଚନା ଦେଇଛନ୍ତି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ Tagged With: ଓଡିଆ, ପରମ୍ପରା, ପ୍ରବାସୀ ଓଡ଼ିଆ, ବିଜୟ ଏକ ଉଚ୍ଛ୍ଵାସ, ସଂସ୍କୃତି

ପ୍ରଥମ ଓଡିଆ ସମ୍ବାଦପତ୍ର ଉତ୍କଳ ଦୀପିକା; ଦଶଟି ପ୍ରମୁଖ କଥା

July 12, 2016 by ଓଡିଶା ଡଟ କମ Leave a Comment

5 - Copy

କେଦାର ମିଶ୍ର

ସମ୍ବାଦପତ୍ର ଓ ଗଣମାଧ୍ୟମ ଶିଳ୍ପର ଚରମ ପ୍ରଗତି ସମୟରେ ଏହାର ଇତିହାସ ଯଦି ପଢାଯାଏ, ଆମକୁ ଚକିତ ହେବାକୁ ପଡିବ । ବିକାଶର କୌଣସି ସମ୍ଭାବନା ନଥିବା ସମୟରେ ନୁଆ ଇତିହାସ ତିଆରି କରିବାର ସାହସ ମଣିଷ ଜାତି ସଂଚୟ କରିଥାଏ, ସେଥିଲାଗି ସବୁ ବଡ ସଫଳତା ର ଆରମ୍ଭ ସବୁଠୁ ଭୟଂକର ବିଫଳତା ରୁ ଇ ଆରମ୍ଭ ହୋଇଥାଏ ।

4ଯେଉଁ ସମୟରେ ଓଡିଶାର ରାଜନୈତିକ ଅସ୍ତିତ୍ଵ ନାହିଁ, ଭାଷା ଓ ସଂସ୍କୃତିର ସ୍ଵୀକୃତି ନାହିଁ ଓ ଅର୍ଥନୈତିକ ମେରୁଦଣ୍ଡ ଏକପ୍ରକାର ଶକ୍ତିହୀନ, ସେତେବେଳେ ଓଡିଆ ମାନେ ପ୍ରଥମ କରି ଗୋଟେ ସମ୍ବାଦପତ୍ର ପ୍ରତିଷ୍ଠା କରିବାର ସ୍ଵପ୍ନ ଦେଖୁଛନ୍ତି ଓ ସଫଳ ହେଉଛନ୍ତି।

୧୮୬୬ ମସିହାର କରାଳ ନ’ ଅଂକ ଦୁର୍ଭିକ୍ଷ ର ହାହାକାର ଭିତରୁ ଓଡିଶାର ପ୍ରଥମ ସମ୍ବାଦ ଓ ସମ୍ବାଦପତ୍ର ଜନ୍ମ ନେଉଛି।ଯଦିଓ ୧୮୫୬ ମସିହାରେ ଖ୍ରୀଷ୍ଟିଆନ ପାଦ୍ରୀ ଉଇଲିୟମ୍ ଲେସୀ ସାହେବଂକ ସମ୍ପାଦନା ରେ ପ୍ରଥମ ଓଡିଆ ସମାଚାର ପତ୍ର “ପ୍ରବୋଧ ଚନ୍ଦ୍ରିକା” ପ୍ରକାଶିତ ହୋଇଛି , ତଥାପି ତାକୁ ପୂର୍ନାଂଗ ଓଡିଆ ସମ୍ବାଦପତ୍ର ବୋଲି କୁହାଯାଇ ପାରିବ ନାହିଁ ।

ପ୍ରଥମ ପୂର୍ନାଂଗ ଓଡିଆ ସମ୍ବାଦପତ୍ର ରୂପେ ୧୧, ଅଗଷ୍ଟ ୧୮୬୬ ଦିନ ପ୍ରଥମ ସାପ୍ତାହିକ ଓଡିଆ ସମ୍ବାଦପତ୍ର “ଉତ୍କଳ ଦୀପିକା” ପ୍ରକାଶ ପାଇଥିଲା ।ଓଡିଶାର ପରିଚୟ ଓ ଓଡିଆ ଜାତିର ଅସ୍ତିତ୍ଵରେ ଦୀପିକା ନୁଆ ପ୍ରାଣ ସଂଚାର କରିଥିଲା ।୧୮୬୬ ରୁ ୨୦୧୬, ଦେଢ ଶହ ବର୍ଷ ଭିତରେ ଦୀପିକା ଆଜି କେବଳ ସ୍ମୃତି।

ଓଡିଆ ଗଣମାଧ୍ୟମର ପ୍ରଥମ ସମ୍ପତ୍ତିକୁ ଆମେ ସାଇତି ରଖିଲୁ ନାହିଁ କି ତାକୁ ବଞ୍ଚେଇ ରଖିବାର ସାହସ ଆମର ଆସିଲା ନାହିଁ ।ଓଡିଶାର ଏହି ଐତିହାସିକ ଖବରକାଗଜ ସମ୍ପର୍କରେ ଦଶଟି ପ୍ରମୁଖ ତଥ୍ୟ –

୧. “କଟକସ୍ଥ ସାହାଯ୍ୟ କୁମେଟୀ” ଶୀର୍ଷକରେ ୧୧, ଅଗଷ୍ଟ ,୧୮୬୬ ତାରିଖ ଦିନ “ଉତ୍କଳ ଦୀପକା” ନାମକ ଖବର କାଗଜର ପ୍ରଥମ ପୃଷ୍ଠାର ପ୍ରଥମ ସମ୍ବାଦ ପ୍ରକାଶ ପାଇଲା । ଛାପା ଅକ୍ଷରରେ ଓଡିଆ ସମ୍ବାଦ ପଢିବାର ସେ ଥିଲା ଐତିହାସିକ ଦିନ ।

6ଖବର ଟି ଥିଲା ଏମିତି- ‘ ସହର ମଝିରେ ଯେତେ ଅରକ୍ଷିତ ପିଲା ସରକାରୀ ସଡକ ଉପରେ ବୁଲୁଥିବାର ଦେଖାଯିବେ ସେମାନଂକୁ ସାହାଯ୍ୟ ମହକୁମାରୁ ନିଯୁକ୍ତ ଥିବା ଓଭରସିୟର ଆପଣା ଜିମା ନେଇ ତାହାଙ୍କର ଭରଣପୋଷଣ ଆଦି କରିବ।……….”

୨. ଦୁର୍ଭିକ୍ଷ, ଅନ୍ନ ର ଅଭାବ ଓ ଏ ପ୍ରକାର ମାନବୀୟ ସଂକଟକୁ ମୁକାବିଲା କରିବାରେ ସରକାର ତଥା ଧନୀ ଓଡିଆ ମାନେ ବିଫଳ ହେଉଥିବାର ସ୍ପଷ୍ଟ ଚିତ୍ର ଦୀପିକାରେ ପ୍ରକାଶ ପାଇଛି। ଦୀପିକାର ପ୍ରଥମ ପ୍ରକାଶକ ଓ ସମ୍ପାଦକ ଗୌରୀଶଙ୍କର ରାୟ ବୃତ୍ତିରେ ବ୍ରିଟିଶ୍ ସରକାରର କର୍ମଚାରୀ ହୋଇଥିଲେ ମଧ୍ୟ ସରକାରକୁ କଟୁ ସମାଲୋଚନା କରାଯାଇଛି ।

1୩. ନୁଆ କରି ଓଡିଶାରେ ଗଢି ଉଠୁଥିବା ମୁଦ୍ରଣ ଶିଳ୍ପ ର ବିକାଶ ପାଇଁ ୧୮୬୪ ମସିହାରେ କଟକର ଦରଘା ବଜାରରେ କଟକ ପ୍ରିନଟିଂଗ୍ କମ୍ପାନୀ ନାମକ ଏକ କମ୍ପାନୀ ଗଠିତ ହୋଇଛି ।

ଏହାର ନିର୍ଦ୍ଦେଶକ ଭାବରେ ବିଚିତ୍ରାନନ୍ଦ ଦାସ,ଲକ୍ଷ୍ମୀ ନାରାୟଣ ଚୌଧୁରୀ, ମଧୁସୁଦନ ଦାସ,ବିହାରିଲାଲ ପଣ୍ଡିତ,ଗୋପିମୋହନ ସେନ,ବନମାଳୀ ସିଂ ପ୍ରମୁଖ ରହିଥିବା ବେଳେ ଏହାର ସମ୍ପାଦକ ଭାବରେ ଗୌରୀଶଙ୍କର ଶଂକର ରାୟ ଦାୟିତ୍ଵ ନିର୍ବାହ କରିଛନ୍ତି ।

୪. ଗୌରୀଶଙ୍କର ରାୟ (୧୩,୦୭, ୧୮୩୮-୦୭,୦୩, ୧୯୧୭ ), ଉତ୍କଳ ଦୀପିକା ର ପ୍ରତିଷ୍ଠାତା ସମ୍ପାଦକ ।ତାଂକ ନେତୃତ୍ଵରେ ଦୀପିକା ନିରନ୍ତର ପ୍ରକାଶ ପାଇଛି । ୧୮୬୬ ରୁ ୧୯୧୫ , ଦୀର୍ଘ ୪୯ ବର୍ଷ ଧରି ଦୀପିକାର ପରିଚାଳନା ଓ ସମ୍ପାଦନା ଦାୟିତ୍ଵ ସେ ତୁଲାଇଥିଲେ।

୫. ମୃତ୍ୟୁ ର ଦୁଇ ବର୍ଷ ଆଗରୁ ଗୌରୀଶଙ୍କର ତାଂକର ଉତ୍ତରାଧିକାରୀ ଭାବରେ ସୁଦାମ ଚରଣ ନାୟକଂକୁ ସମ୍ପାଦକ ଦାୟିତ୍ଵ ସମର୍ପି ଦେଇଥିଲେ। ଗୌରୀଶଙ୍କର ଜୀବିତ ଥିବାବେଳେ ଦୀପିକା ବନ୍ଦ ହୋଇନାହିଁ , ବରଂ ଏହା ଓଡିଆ ଭାଷା, ସଂସ୍କୃତି, ରାଜନୀତି, ଅର୍ଥନୀତି ଓ ସାମାଜିକ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରୁଛି ।

୬. ଗୌରୀଶଙ୍କର ମୃତ୍ୟୁବରଣ କରିବାର ମାତ୍ର ୧୭ ବର୍ଷ ପରେ କଟକ ପ୍ରିଂଟିଂଗ କମ୍ପାନୀ ଭାଂଗି ଗଲା ଓ ସବୁଦିନ ପାଇଁ ଓଡିଶାର ଗୌରବମୟ ଇତିହାସ ନିର୍ମାଣ କରିଥିବା ସମ୍ବାଦପତ୍ର ଦୀପିକା ସବୁଦିନ ଲାଗି ବନ୍ଦ ହୋଇଗଲା ।ସ୍ବତନ୍ତ୍ର ଓଡିଶା ଗଠନରେ ଅଗ୍ରଣୀ ଭୂମିକା ନେଇଥିବା ଦୀପିକା ରେ ସ୍ଵତନ୍ତ୍ର ଓଡିଶା ଗଠନର ଖବର ପ୍ରକାଶ ପାଇ ପାରିଲା ନାହିଁ ।

5୭. ଦୀପିକା ର ସମ୍ପାଦକୀୟ ମାନଦଣ୍ଡ ଓଡିଶାର ଗଣମାଧ୍ୟମର ଇତିହାସରେ ବିରଳ । ସବୁ ପ୍ରକାର ପକ୍ଷ ରଖିବାର ସୁଯୋଗ ଓ ସବୁ ମତକୁ ସମାନ ଭାବରେ ସମ୍ମାନ ଦେବାର ନୀତି ଦୀପିକାର ରହିଥିଲା ।

ଏହାର ସମ୍ପାଦକ ଭାବରେ ଗୌରୀଶଙ୍କର ଥିଲେ ଯୋଗଜନ୍ମା।ତାଂକ ପରେ ସୁଦାମ ଚରଣ ନାୟକ, ଭିକାରୀ ପଟନାୟକ ଓ ନୀଳମଣି ବିଦ୍ୟାରତ୍ନ ପ୍ରମୁଖ ସମ୍ପାଦକ ଭାବରେ ନିଜ ସିଦ୍ଧିର ସ୍ଵାକ୍ଷର ଛାଡି ଯାଇଛନ୍ତି।

୮. ଦୀପିକା ର ସମ୍ବାଦ ପରିବେଷଣ ଶୈଳୀ ରେ ବ୍ୟାପକ ପରିବର୍ତନ ଆସିଛି ।୧୮୬୬ ବେଳର ଦୀପିକାର ଭାଷାରେ ଯେଉଁ ସାଧୁ ଓ ଜଟିଳ ଭାଷାର ବ୍ୟବହାର ଥିଲା ତାହା ସମୟକ୍ରମେ ଯୁକ୍ତିନିଷ୍ଠ ଓ ପ୍ରାସଂଗିକ ହୋଇଛି ।

ତେବେ ତେରଛା ସମାଲୋଚନା କରିବାର ଏକ ସୁନ୍ଦର ଶୈଳୀ ଦୀପିକାରେ ରହିଥିଲା, ଯାହାକି ଆଜିର ସମ୍ବାଦପତ୍ର ଗୁଡିକରେ ଏକ ପ୍ରକାର ଦେଖିବାକୁ ମିଳିନାହିଁ ।

୯. ସମାଜ ସଂସ୍କାର ଓ ଲୋକ ବିକାଶ ର କଥା ଦୀପିକାରେ ପ୍ରମୁଖ ସ୍ଥାନ ପାଉଥିଲା। ସ୍ଵାଧିନତା ଆନ୍ଦୋଳନ ପ୍ରତି ଦୀପିକାର ଆଗ୍ରହ ବିଶେଷ ନଥିବା ଏହାର ଏକ ବଡ ଦୁର୍ବଳତା ।

ଓଡିଆ ଜାତୀୟତା ଉପରେ ସର୍ବାଧିକ ଗୁରୁତ୍ଵ ଦେଉଥିବା ଦୀପିକା ସ୍ଵାଧିନତା ଆନ୍ଦୋଳନ ପ୍ରତି ପ୍ରାୟ ଉଦାସୀନ ରହି ଆସିଥିଲା ।

୧୦. ଦୀପିକାର ବିଜ୍ଞାପନ ନୀତି ଥିଲା ବେଶ୍ ରୋଚକ । ବଭିନ୍ନ ଆୟୁର୍ବେଦିକ ଔଷଧ ର ବିଜ୍ଞାପନ ସହିତ ନୁଆ ବହିର ବିଜ୍ଞାପନ ଓ ସୂଚନା ଏଥିରେ ନିୟମିତ ପ୍ରକାଶ ପାଉଥିଲା। ୬ ଜାନୁଆରୀ ୧୯୦୬ ରେ ପ୍ରକାଶିତ Major & Co ର Electro Salsa ଏକ ଅଧ ପୃଷ୍ଠା ର ବିଜ୍ଞାପନ ବାହାରିଥିଲା ଯାହାକୁ ଦେବଗଡ, ରେଢାଖୋଲ ଓ ଖଲିକୋଟ୍ ରାଜା ପ୍ରୋତ୍ସାହିତ କରିଥିଲେ ।

ଆମ ସମ୍ବାଦପତ୍ର ଇତିହାସର ଏହି ସର୍ବଶ୍ରେଷ୍ଠ ଐତିହ୍ୟ କୁ ଆମେ ବଂଚାଇ ରଖିପାରିଲେ ନାହିଁ, ତାହା ଆମର ଦୁର୍ଭାଗ୍ୟ ।

 

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା Tagged With: ଇତିହାସ, ଉତ୍କଳ ଦୀପିକା, ଓଡିଆ, ଗଣମାଧ୍ୟମ, ପ୍ରଥମ, ଭାଷା, ଶିଳ୍ପ, ସମ୍ବାଦପତ୍ର, ସଂସ୍କୃତି

ଛଅ ମଇରେ ରାଜ୍ୟସ୍ତରୀୟ ନାରଦ ସମ୍ମାନ ଉତ୍ସବ

April 24, 2015 by News Bureau Leave a Comment

ଭୁବନେଶ୍ୱର, ୨୪ ଏପ୍ରିଲ (ଓଡିଶା ଡଟ କମ) ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ରାଜ୍ୟସ୍ତରୀୟ ‘ତ୍ରୟୋଦଶ ନାରଦ ସମ୍ମାନ’ ଉତ୍ସବ ଆସନ୍ତା ୬ ମେ ୨୦୧୫ରିଖ ବୁଧବାର ଦିନ ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ସଂଧ୍ୟା ୬.୩୦ ମିନିଟ୍ ସମୟରେ ଅନୁଷ୍ଠିତ ହେବ ।

ଏହି ଉତ୍ସବରେ ରାଜ୍ୟ ପ୍ରଶାସନିକ ନ୍ୟାୟଧିକରଣ,ଓଡିଶାର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଲେଖକ ଓ ଗବେଷକ ଶ୍ରୀ ହର ପ୍ରସାଦ ଦାସ ମୁଖ୍ୟ ଅତିଥି ଏବଂ ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ମନ୍ତ୍ରୀ ଶ୍ରୀ ମୋହିନୀ ମୋହନ ମିଶ୍ର ମୁଖ୍ୟବକ୍ତାରୂପେ ଯୋଗଦେବେ ବୋଲି ବିଶ୍ୱ ସମ୍ବାଦ କେନ୍ଦ୍ରର ରାଜ୍ୟ ସଭାପତି ଶ୍ରୀ ରଘୁନାଥ ପତି ପ୍ରକାଶ କରିଛନ୍ତି ।

ସେ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଏହି ଦିନ ଦେବର୍ଷି ନାରଦଙ୍କ ଜନ୍ମଦିବସ ହୋଇଥିବାରୁ ଅନୁଷ୍ଠାନ ତରଫରୁ ମଧ୍ୟ ନାରଦ ଜୟନ୍ତୀ ପାଳନ କରାଯିବ ।

ଗଣତାନ୍ତ୍ରୀକ ଆଲୋଚନା ଓ ଗଣମାଧ୍ୟମରେ ସ୍ୱାଧିନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା,ଜନସାଧାରଣଙ୍କୁ ନିରପେକ୍ଷ,ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ସଂବାଦ ସଂସ୍ଥାର ଆବଶ୍ୟକତା ସଂପର୍କରେ ଅବଗତ କରାଇବା ଏହି ଉତ୍ସବ ର ଉଦ୍ଦେଶ୍ୟ ।

ଯେ କୌଣସି ପ୍ରକାରର ନିୟନ୍ତ୍ରଣ,ବନ୍ଧନ ଓ ସ୍ୱାଧିନତା ହନନ ବିରୋଧରେ ଗଣମାଧ୍ୟମକୁ ସମର୍ଥନ ଯୋଗାଇବା,ରାଷ୍ଟ୍ର ଓ ସଂସ୍କୃତିର ପ୍ରଗତି ପାଇଁ ଲେଖନୀ ଚାଳନା କରୁଥିବା ଗଣମାଧ୍ୟମର ବ୍ୟକ୍ତିତ୍ୱଙ୍କୁ ପ୍ରତିବର୍ଷ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଏହି ନାରଦ ଜୟନ୍ତୀରେ ରାଜ୍ୟ ସ୍ତରୀୟ ସାମ୍ବାଦିକ ପୁରସ୍କାର ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ ।

ଦୀର୍ଘ ୧୩ବର୍ଷ ପୂର୍ବରୁ ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯିବା ସହ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକଙ୍କୁ ରାଜ୍ୟସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଉଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: ଉତ୍ସବ, ଗଣତନ୍ତ୍ର, ରାଜ୍ୟସ୍ତର, ସଂସ୍କୃତି

ଓଡ଼ିଶୀ ସଙ୍ଗୀତ ଉତ୍ସବର ଉଦଯାପନୀ ସଂଧାରେ ଛାନ୍ଦ, ଚମ୍ପୁ ଓ ଓଡ଼ିଶୀ

January 11, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୦(ଓଡିଶା ଡଟ୍ କମ୍)- ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ଦ୍ୱାରାଆୟୋଜିତ ଓଡ଼ିଶୀ ସଙ୍ଗୀତ ଉତ୍ସବର ଆଜି ଥିଲା ଅନ୍ତିମ ଦିବସ ।

ଶେଷ ସଂଧ୍ୟାର ପ୍ରଥମ ଶିଳ୍ପୀଥିଲେ ବିଶିଷ୍ଟ ଗୁରୁ ପଣ୍ଡିତ ଡ଼.ଦାମୋଦର ହୋତା । ରାଗ ନଟ କଲ୍ୟାଣୀ ଏବଂ ତାଳ ନିଶାରୀରେ ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ବନ୍ଦନା ।

ପରବର୍ତୀ ପ୍ରସ୍ତୁତି ଥିଲା ରାଗ ନଟ କଲ୍ୟାଣୀ ଓ ତାଳ ଏକତାଳୀରେ କବିସୂର୍ଯ୍ୟଙ୍କ ରଚନାରୁ ଆଜି ଏକି ଗୁମାନରେ ପ୍ରବନ୍ଧ ଏବଂ ପରେ ପରେ ସେହି ନଟ କଲ୍ୟାଣୀ ରାଗ ଓ ତାଳ ତ୍ରିପଟା ଉପରେ ଆଧାରିତ ଅନ୍ୟ ଏକ ପ୍ରସ୍ତୁତି ତ୍ରିଭଙ୍ଗ ଯେଉଁଥିରେ ଡ଼.ହୋତା ଓଡ଼ିଶୀର ବିଭିନ୍ନ ବିଭାଗକୁ ଚମକ୍ତାର ଭାବେ ପରିବେଷଣ କରିଥିଲେ ।

ତାଙ୍କ ସହିତ ମର୍ଦ୍ଧଳରେ ସହଯୋଗିତା କରିଥିଲେ ଜୟଦେବ ଗିରି, ହାରମୋନିୟମରେ ପ୍ରଶାନ୍ତ କୁମାର ପାଢୀ, ବେହେଲାରେ ଗୁରୁ ବାଇଧର ରାଉତ, ତାନପୁରା ଏବଂ କଣ୍ଠରେ ସହଯୋଗିତା କରିଥିଲେ ପ୍ରଣତୀ ଏବଂ ଚନ୍ଦନ । ସଂଧ୍ୟାର ଦ୍ୱିତୀୟ ଶିଳ୍ପୀଥିଲେ ପ୍ରତିଭାବାନ ଯୁବ କଣ୍ଠଶିଳ୍ପୀ ରୂପକ କୁମାର ପରିଡ଼ା ।

ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗ କାମୋଦି ଏବଂ ତାଳ ତ୍ରିପଟା ଉପରେ ନିବଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା ପ୍ରବନ୍ଧ ‘ଆସି ଘନକାଳ ହୋଇଲାରେ’ ଏବଂ ପରେ ଗୀତଗୋବିନ୍ଦରୁ ‘ରମତେ ଯମୁନା ପୁଲିନ ବନେ’ ପରିବେଷଣ କରିଥିଲେ ଯାହା ରାଗ ମିଶ୍ର ପିଲୁ ଓ ତାଳ ଖେମଟା ଉପରେ ଆଧାରିତ ଥିଲା ।

ତାଙ୍କ ସହିତ ମର୍ଦ୍ଧଳରେ ସହଯୋଗିତା କରିଥିଲେ ଗୁରୁ ବିଜୟ କୁମାର ବାରିକ୍‍, ହାରମୋନିୟମରେ ପ୍ରଣୟ କୁମାର ପଲେଇ, ତାନପୁରାରେ ରାଜସ୍ମିତା ଓଝା, ସ୍ୱରମଣ୍ଡଳରେ ବାଳକୃଷ୍ଣ ଜେନା ଏବଂ ମଞ୍ଜିରାରେ ଅନିଲ କୁମାର ଓଝା । ରୂପକଙ୍କ ପରିବେଷଣରେ ଓଡ଼ିଶୀ ଗାୟନ ଶୈଳୀର ଚମକ୍ରାରିତାକୁ ଶ୍ରୋତାମାନେ ଉପଭୋଗ କରିଥିଲେ । ପରବର୍ତୀ ଶିଳ୍ପୀଥିଲେ ଖ୍ୟାତନାମା ଗାୟିକା ସଙ୍ଗୀତା ଗୋସାଇଁ ।

ସେ ରାଗ କଲ୍ୟାଣ ଓ ତାଳ ଏକତାଳି ଉପରେ ଆଧାରିତ କବି ବନମାଳୀଙ୍କ ରଚିତ ପ୍ରବନ୍ଧ ‘ଲୋଡ଼ା ନାହିଁ ପ୍ରୀତି’ ଏବ ପରେ ଧ ଚମ୍ପୂରେ ରାଗ ହରପ୍ରିୟା ଏବଂ ତାଳ ଆଡ଼ତାଳିରେ ଆଧାରିତ ପ୍ରବନ୍ଧ ‘ଧୀରାରେ କି ଧନ ତୁ ନ ଦେଲୁ ଆଜ’ ଏବଂ ଶେଷରେ ସେ ପରିବେଷଣ କରିଥିଲେ ଛାନ୍ଦ ‘ମଙ୍ଗଳେ ଅଇଲେ ଉଷା’ ଯାହା ରାଗ ଚୋଖି ଓ ତାଳ ରୂପକ ଉପରେ ନିବଦ୍ଧ ଥିଲା ।

ସଙ୍ଗୀତାଙ୍କର ଓଡ଼ିଶୀ ରମ୍ପୁ ଓ ଛାନ୍ଦ ପରିବେଷଣରେ ବିଭୋର ହୋଇଥିଲେ ଶ୍ରୋତାମାନେ । ତାଙ୍କୁ ମର୍ଦ୍ଧଳରେ ଗୁରୁ କାଳନ୍ଦୀ ଚରଣ ପରିଡ଼ା, ହାରମୋନିୟମରେ ଅଜୟ ଦାସ ଏବଂ ତାନପୁରାରେ ଲକ୍ଷ୍ମୀପ୍ରିୟା ନାୟକ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଶେଷ ଶିଳ୍ପୀମାନେ ଥିଲେ ବିଶିଷ୍ଟ ମର୍ଦ୍ଧଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ଛାତ୍ର ଦ୍ୱୟ ଅରୂପ ଦାସ ଓ ମୁରଲୀଧର ସ୍ୱାଇଁ ।

ସେମାନେ ଆଦିତାଳରେ ମର୍ଦ୍ଧଳର ବିଭିନ୍ନ ବାଣୀକୁ ଯଥା ଗଡ଼ି, ଖଣ୍ଡି, ଅରଶା, ଜମାଣ, ଛନ୍ଦବାଦ, ରଗଡ଼, ମାନ ଓ ଭଉଁରୀମାନ ଇତ୍ୟାଦିକୁ ଅତି ନିଖୁଣ ଭାବରେ ପରିବେଷଣ କରି ଶ୍ରେତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ହାରମୋନିୟମରେ ସହଯୋଗ କରିଥିଲେ ଗୁରୁ ନିତ୍ୟାନନ୍ଦ ମହାପାତ୍ର ।

ଆଜି ସଂଧ୍ୟାର ଅତିଥି ଥିଲେ ପୂର୍ବତନ ପୋଲିସ ମହାନିଦେ୍ର୍ଧଶକ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର; ପୂର୍ବତନ ପ୍ରଶାସକ ଶ୍ରୀଯୁକ୍ତ ବିବେକ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗର ନିଦେ୍ର୍ଧଶକ ଶ୍ରୀଯୁକ୍ତ ହରିଶଙ୍କର ଉପାଧ୍ୟାୟ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୂଖ୍ୟ ନିର୍ବାହୀ ଗୁରୁ ରାମହରି ଦାସ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତୁ୍ୟଞ୍ଜୟ ରଥ ଏବଂ ଶିବାଙ୍ଗୀ ମହାପାତ୍ର ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମନୋରଞ୍ଜନ Tagged With: ଗବେଷଣା, ଗୁରୁ କେଳୁଚରଣ, ପର୍ଯ୍ୟଟନ, ସଂସ୍କୃତି

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ