• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସମ୍ବିଧାନ

ଆଶାର ଅସହ୍ୟ ବୋଝ

March 30, 2017 by ଓଡିଶା ଡଟ କମ Leave a Comment

ଉତ୍ତରପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଚିତ୍ତାକର୍ଷକ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ବିଜୟ ହିସାବରେ ଦେଖାଯାଉଛି । ଏହି ବିଜୟ ଗରିବ ଲୋକଙ୍କ ମନରେ ଭଲ ଦିନ ଆସିବାର ଆଶାକୁ ବଢ଼େଇ ଦେଇଛି ।

ଯେଉଁ ଦିଗରେ ବର୍ତ୍ତମାନର ସରକାରଙ୍କର ଅର୍ଥନୀତି ଚାଲିଛି, ନୂଆ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ସେମାନଙ୍କ ପାଇଁ ଏକ ବହୁତ ବଡ଼ ଆହ୍ୱାନ ହେବ । ସେହି ଦୃଷ୍ଟିରୁ ହିନ୍ଦୁ ଜାତୀୟତାବାଦୀ ସଂଖ୍ୟାବହୁଳଙ୍କ କାର୍ଯ୍ୟସୂଚୀ ଉପରେ ମୋଦୀଙ୍କୁ ନିର୍ଭରଶୀଳ ହେବାକୁ ପଡ଼ିବ ।

୨୦୧୯ ନିର୍ବାଚନରେ ସେ ‘ଭାରତର ଦ୍ୱିତୀୟ ଜନରାଜ୍ୟ’ର ସର୍ବୋଚ୍ଚ ନେତା ହିସାବରେ ଆବିର୍ଭାବ ହେବାର ଯେଉଁ ଆତ୍ମବିଶ୍ୱାସ ରଖିଛନ୍ତି ତା’ର ପୂର୍ବାନୁମାନ କରିହେଇଯାଉଛି, ଯେତେବେଳେ ତାଙ୍କର ରାଜନୈତିକ ବିରୋଧୀମାନଙ୍କର ସବୁ ସ୍ତରରେ ଥିବା ଗୋଳମାଳିଆ ପରିସ୍ଥିତିକୁ ଦେଖାଯାଏ ।

ସେମାନେ ଏକାଠି ହେଲେ ମୋଦୀଙ୍କ ଆଧିପତ୍ୟର ପ୍ରଭାବକୁ ପ୍ରତିହତ କରିବାରେ ଏହି ପରିସ୍ଥିତି ପ୍ରତିବନ୍ଧକ ସୃଷ୍ଟି କରିବ । ଭାରତର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ରାଜ୍ୟରେ, ଯେଉଁଥିରେ ୬ଜଣ ଭାରତୀୟଙ୍କ ଭିତରୁ ଜଣେ ବାସ କରନ୍ତି, ଭାଜପାର ପ୍ରାର୍ଥୀମାନେ ଶତକଡ଼ା ୮୦ଭାଗ ଆସନରୁ ଜୟଯୁକ୍ତ ହେଇଛନ୍ତି ।

ଅଧିକାଂଶ ଉତ୍ତରପ୍ରଦେଶ ଭୋଟଦାତାଙ୍କ ନଜରରେ ମୋଦୀ ‘ଆଶା’ର ପ୍ରତିନିଧିତ୍ୱ କରୁଛନ୍ତି । ଜଣେ ଶକ୍ତିମାନ ଏବଂ ଦୁର୍ନୀତିମୁକ୍ତ ନେତୃତ୍ୱ ଯାହାର ଅନୁଗ୍ରହ ନେବା ପାଇଁ ପରିବାରଟିଏ ବି ନାହିଁ, ଏଭଳି ଏକ ଭାବମୂର୍ତି ଉତ୍ତରପ୍ରଦେଶର ଅଧିକାଂଶ ଗରିବ ଲୋକମାନଙ୍କୁ ଆବେଦନ କରିଥିଲା । ୧୯୭୧ରେ ବାଂଲାଦେଶ

ସୃଷ୍ଟି ହେବା ପରେ ଇନ୍ଦିରା ଗାନ୍ଧୀଙ୍କର ଯେଉଁଭଳି ଲୋକପ୍ରିୟତା ସୃଷ୍ଟିହୋଇଥିଲା, ତା’ ପରଠାରୁ ଅନ୍ୟ କୌଣସି ବ୍ୟକ୍ତି ଭାରତୀୟ ରାଜନୀତିରେ ସେତିକି ପତିଆରା ଜାହିର କରିପାରିନାହାଁନ୍ତି । ମୋଦୀ ଆଜି ସେତିକି କରିପାରିଛନ୍ତି ।

କୌଣସି ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟ ନିର୍ବାଚନରେ ଏମିତି ବ୍ୟାପକ ପ୍ରଚାର ଅଭିଯାନ କରିନଥିଲେ ମୋଦୀ ଯେମିତି ଉତ୍ତରପ୍ରଦେଶ ନିର୍ବାଚନ ବେଳେ କରିଛନ୍ତି ।

ଏଥିପୂର୍ବରୁ ଏହି ରାଜ୍ୟର ନିବାଚନରେ ଏଭଳି ଘଟଣା ମଧ୍ୟ ଘଟି ନଥିଲା ଯେ ଗୋଟିଏ ରାଜନୈତିକ ଦଳ ନିଜ ଯୋଜନାରୁ ଖୋଲାଖୋଲି ମୁସଲମାନମାନଙ୍କୁ ବାଦ୍ ଦେଇପାରିଲା, ଯେଉଁମାନଙ୍କ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୫ଭାଗରୁ ଏକ ଭାଗ ।

ମୁସଲମାନଙ୍କ ପାଇଁ ବାର୍ତ୍ତାଟି ସ୍ପଷ୍ଟ ଥିଲା; ଯେହେତୁ ତୁମେ କୌଣସି ପ୍ରକାରେ ଭାଜପାକୁ ଭୋଟ ଦେବନାହିଁ ଆମେ ଗୋଟିଏ ବି ମୁସଲମାନ ପ୍ରାର୍ଥୀ କାହିଁକି ଛିଡ଼ା କରେଇବୁ?

ମୋଦୀ ଏବଂ ତାଙ୍କର ବିଶ୍ୱସ୍ତ ସୈନିକ ଭାଜପା ସଭାପତି ଅମିତ ଶାହା, ଯିଏ ଦକ୍ଷତାର ସହ ତଳସ୍ତରରୁ ନିର୍ବାଚନ ପରିଚାଳନା କଲେ, ଭଲ ଭାବେ ବୁଝି ସାରିଥିଲେ ‘ଫାଷ୍ଟ-ପାଷ୍ଟ- ଦି-ପୋଷ୍ଟ’ ନିର୍ବାଚନ ବ୍ୟବସ୍ଥାରେ ଥିବା ଅନିୟମିତତାକୁ (ଯେଉଁ ବ୍ୟବସ୍ଥାରେ ଭୋଟରମାନଙ୍କୁ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମୋହର ଦେବାପାଇଁ କୁହାଯାଏ ଏବଂ ଯିଏ ସର୍ବାଧିକ ପସନ୍ଦ ପାଏ ତାକୁ ବିଜେତା ଘୋଷିତ କରାଯାଏ) ।

ଅନ୍ୟ ଅର୍ଥରେ ବିଜେତା ସବୁ କିଛି ନେଇଯାଏ ଏବଂ ପରାଜିତ ସବୁ କିଛି ହରାଇଥାଏ । ଉତ୍ତରପ୍ରଦେଶ ଭଳି ଉତ୍ତରାଖଣ୍ଡରେ ମଧ୍ୟ ଭାଜପା ବିପୁଳ ବିଜୟ ହାସଲ କରିଥିଲା ।

ଉତ୍ତରପ୍ରଦେଶ ତୁଳନାରେ ଉତ୍ତରାଖଣ୍ଡ ରାଜନୀତି ଭିନ୍ନ; ଯେଉଁଠି ୨୦୦୦ ମସିହାରେ ଉତ୍ତରପ୍ରଦେଶରୁ ବାହାରି ଏହି ନୂତନ ରାଜ୍ୟ ଗଠନ ହେବା ପରଠାରୁ କଂଗ୍ରେସ ଓ ଭାଜପା ଭିତରେ କ୍ଷମତାର ଅଦଳବଦଳ ଚାଲିଛି । ପ୍ରତିଟି ନିର୍ବାଚନରେ ଅନ୍ୟ ଦଳଟି କ୍ଷମତାକୁ ଆସୁଛି ।

ଯେଉଁ ରାଜ୍ୟଗୁଡ଼ିକ ଏଥର ନିର୍ବାଚନକୁ ଯାଇଥିଲେ ସେମାନେ ପରସ୍ପର ଠାରୁ ଭିନ୍ନଥିଲେ ବି ଏଥର ସବୁ ରାଜ୍ୟରେ ଶାସନରେ ଥିବା ଦଳମାନେ ପରାଜିତ ହୋଇଛନ୍ତି । ଶାସକ ଦଳ ବିରୋଧୀ ଭାବନା ବହୁତ କମ୍ ଦେଖିବାକୁ ମିଳିଥିଲା ମଣିପୁର ରାଜ୍ୟରେ ଯେଉଁଠି କଂଗ୍ରେସର ଓକ୍ରାମ ଇବୋବି ସିଂହ କ୍ରମାଗତ ତିନିଥର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ।

ମଣିପୁର ଏବଂ ଗୋଆରେ କଂଗ୍ରେସ ନେତୃତ୍ୱ (ଯାହା ବି ଟିକିଏ ଅଛି) ବିଜୟର ପଞ୍ଝାରୁ ପରାଜୟକୁ ବରଣ କଲା- ଭାଜପାର ଯୋଗାଡ଼ିଆ ରାଜନୀତିର ଦକ୍ଷତା ସହ ତାଳ ନଦେଇପାରି, ଯେଉଁସବୁ ଦକ୍ଷତା ସେମାନେ କଂଗ୍ରେସ ଦଳଠାରୁ ହିଁ ଶିଖିଥିଲେ ।

ପଞ୍ଜାବରେ ଶିରୋମଣୀ ଅକାଳୀ ଦଳ ଓ ଭାଜପା ଗଠବନ୍ଧନ ୧୦ବର୍ଷ କ୍ଷମତାରେ ରହିବା ପରେ ନିର୍ବାଚନ ହାରିବେ ବୋଲି ଆଶା କରାଯାଇଥିଲା, ତାହା ହିଁ ହେଲା । ଯଦିଓ କିଛି ଅଧିକ ଆସନ ପାଇଥିବା ଆମ୍ ଆଦ୍ମୀ ପାର୍ଟି ତୁଳନାରେ ଏହି ଦୁଇଟି ଦଳ ଅଧିକ ଭୋଟ ପାଇଛନ୍ତି ।

ରାଜ୍ୟ ରାଜନୀତିରେ ଏହି ନୂଆ ଖେଳାଳୀଟି କିନ୍ତୁ ନିଜର ପ୍ରଦର୍ଶନକୁ ନେଇ ଅତି ଅସନ୍ତୁଷ୍ଟ ।

ଗତ ଦୁଇଟି ନିର୍ବାଚନରେ ଅକାଳୀ ଦଳ-ଭାଜପା ଗଠବନ୍ଧନକୁ ଯେଉଁମାନେ ଭୋଟ ଦେଇଥିଲେ ସେମାନଙ୍କ ଭିତରୁ ବଡ଼ ଭାଗଟିଏ କଂଗ୍ରେସକୁ ଭୋଟ ଦେବାପାଇଁ ପସନ୍ଦ କଲେ, କାହିଁକି ନା ଆପ୍ ଦଳର ‘ଉଗ୍ରବାଦୀ’ଙ୍କ ସହ ଘନିଷ୍ଠତା ଅଛି ବୋଲି ଅଭିଯୋଗ ଆସୁଥିଲା, ସେମାନେ ବେଶି ଦିଲ୍ଲୀକୈନ୍ଦ୍ରିକ ଥିଲେ ଏବଂ ଅଭିଜ୍ଞତାର ଅଭାବ ସେମାନଙ୍କ ପାଖରେ ଅଛି ବୋଲି ଏମାନେ ବିବେଚନା କଲେ ।

କୌତୁହଳର କଥାଟି ହେଲାଯେ ବିମୁଦ୍ରୀକରଣର ପ୍ରଭାବ ପଞ୍ଜାବରେ ପରିଲକ୍ଷିତ ହେଇ ନଥିଲା ଉତ୍ତରପ୍ରଦେଶରେ କିନ୍ତୁ ଯାହାକୁ ସ୍ୱଆମନ୍ତ୍ରିତ ବୋଝ ବୋଲି ଅଧିକାଂଶରେ ବିଚାର କରାଯାଉଥିଲା, ମୋଦୀ ତାକୁ ଏକ ରାଜନୈତିକ ସମ୍ପଦରେ ରୂପାନ୍ତରିତ କରିପାରିଥିଲେ ।

ଏହା କେମିତି ହୋଇପାରିଲା?

ଉତ୍ତରପ୍ରଦେଶର ଅନ୍ତିମ ଚରଣ ପାଇଁ ନିର୍ବାଚନ ଅଭିଯାନରେ ମୋଦୀ ଉଲ୍ଲେଖନୀୟ ଭାବେ କହି ଆସିଥିଲେ ଯେ, ଯଦିଓ ସେ ‘ଭୁଲ୍’ କରିପାରନ୍ତି, ତେବେ ତାଙ୍କର ‘ଉଦ୍ଦେଶ୍ୟ’କୁ କେହି ସନ୍ଦେହ କରିବା ଉଚିତ ହେବନାହିଁ ।

ବିମୁଦ୍ରାୟନ କଳାଧନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ଅବା ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହୃତ ଜାଲ୍ ଟଙ୍କାକୁ ମଧ୍ୟ ବନ୍ଦ କରାଇପାରିବନି । ମୁଦ୍ରା ଉପରେ ‘କମ୍ ନିର୍ଭରଶୀଳ’ ହେବା ପାଇଁ ମଧ୍ୟ ଭାରତକୁ ସମୟ ଲାଗିବ ।

ମୋଦୀ ଯେଉଁଠି ନିଜ ସମାଲୋଚକଙ୍କୁ ଦୃଢ଼ ମୁକାବିଲା କଲେ, ତାହା ହେଉଛି ତାଙ୍କର ଜନଗଣଙ୍କୁ ବାର୍ତ୍ତା ଦେବାର ଦକ୍ଷତା । ବିମୁଦ୍ରାୟନର ବିରୋଧୀମାନଙ୍କ ପାଇଁ ବାସ୍ତବତାକୁ ବୁଝିବାର ଏହା ଏକ କ୍ଷଣ ଥିଲା ।

ଦୁର୍ଜନଙ୍କ ନେତା ହିସାବରେ ପ୍ରଧାନମନ୍ତ୍ରୀଙ୍କ ଆଚରଣ ସର୍ବୋକ୍ରୃଷ୍ଟ ଥିଲା । ବିମୁଦ୍ରାୟନକୁ ସମାନତାର ପ୍ରତୀକ ହିସାବରେ ଦେଖାଗଲା ଯେଉଁଠି, ଗରିବ, ମଧ୍ୟବିତ ଶ୍ରେଣୀ ଓ ଧନୀକ ଶ୍ରେଣୀର କିଛି ଲୋକ ଗୋଟିଏ ଧାଡ଼ିରେ ବ୍ୟାଙ୍କ ଆଗରେ ଛିଡ଼ା ହେଉଥିଲେ ।

ବିମୁଦ୍ରାୟନର ଗଭୀର ସାଙ୍କେତିକ ରାଜନୀତିକୁ ଆମେ ବୁଝି ପାରିନଥିଲୁ ଯେଉଁମାନେ ଏହାର ଅର୍ଥନୈତିକ କୁପ୍ରଭାବଗୁଡ଼ିକ ଉପରେ ଆଲୋକପାତ କରୁଥିଲୁ । ଗରିବଲୋକଙ୍କ ପାଇଁ ଜୀବନଟା ସବୁବେଳେ କଠିନ ଥିଲା, ମୋଦୀ କିନ୍ତୁ ଏଭଳି ଏକ ବୁଝାମଣା ଦକ୍ଷତାର ସୃଷ୍ଟି କରିପାରିଲେ ଯେ, ଧନୀମାନଙ୍କ ଭିତରୁ କିଛି ସେମାନଙ୍କ ଭଳି ଅସୁବିଧା ଭୋଗିବେ ବା ସେମାନଙ୍କ ସହ ଅସୁବିଧାଗୁଡ଼ିକୁ ଏକାଠି ନିଭାଇବେ ।

ଏହି କଥା ଅର୍ଥନୀତି ଦୃଷ୍ଟିରୁ ଅପେକ୍ଷାକୃତ ପଛୁଆ ରାଜ୍ୟ ଉତ୍ତରପ୍ରଦେଶରେ ଭଲ କାମ ଦେଲା, ଯେଉଁଠି କୃଷି ଦୃଷ୍ଟିରୁ ଉନ୍ନତ ପଞ୍ଜାବ ତୁଳନାରେ ଆକାଂକ୍ଷା/ ଅଭିଳାଷଗୁଡ଼ିକର ଅଧିକ ପ୍ରଚାର କରାଯାଇଥାଏ ।

ଧନୀମାନଙ୍କ ଅପେକ୍ଷା ଗରିବମାନଙ୍କୁ ବିମୁଦ୍ରାୟନ ନିଶ୍ଚିତ ଭାବେ ଅଧିକ ଆଘାତ ପହଂଚାଇଛି । କିନ୍ତୁ ଏହାର ସମାଲୋଚକମାନେ (ଏହି ପତ୍ରିକା ପାଇଁ ଲେଖିଥିବା ଲୋକଙ୍କ ସମେତ) ସ୍ପଷ୍ଟଭାବେ ମୋଦୀଙ୍କ ‘ମୁକ୍ତିଦାତାର ଉତ୍ସାହ’କୁ ଗୌଣ କରିଦେଇଥିଲେ ।

ଏହି ଉତ୍ସାହ ଯୋଗୁ ବିମୁଦ୍ରାୟନ ଭଳି ଅଦ୍ଭୁତପୂର୍ବ ପଦକ୍ଷେପ ‘ଭଲ ଉଦ୍ଦେଶ୍ୟ’ରେ କରାଯାଇଛି ଏବଂ ତାହା ଅର୍ଥନୈତିକ ଦୃଷ୍ଟିରୁ ଅସୁବିଧାରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବ ବୋଲି ଗୋଟିଏ ବାର୍ତାକୁ ବିକ୍ରି କରାଯାଇପାରିଥିଲା ।

‘ପୁଞ୍ଜିବାଦୀ’ ମୋଦୀ ଏବଂ ‘ସମାଜବାଦୀ’ ଇନ୍ଦିରା ଗାନ୍ଧୀଙ୍କ ସ୍ୱେଚ୍ଛାଚାରୀ କାର୍ଯ୍ୟଧାରା ଭିତରେ ଥିବା ସାମଞ୍ଜସ୍ୟତାକୁ ନେଇ ବହୁତ କଥା କୁହାଯାଇଛି । କିନ୍ତୁ ସେମାନଙ୍କ ଭିତରେ ଗୁରୁତ୍ୱପୂର୍ଣ୍ଣ ଭିନ୍ନତା ରହିଆସିଛି ।

‘ଗରିବୀ ହଟାଅ’ ନାରାଟି ଏଭଳି ଜନପ୍ରିୟତାର ଏପରି ଏକ ସ୍ତରକୁ ନେଇଆସିଥିଲା ଯେ, କଂଗ୍ରେସର ଏହି ‘ଏକମାତ୍ର ପୁରୁଷ’ ଜଣକ ନିଜ ଦଳଟିକୁ ୨ଥର ବିଭାଜିତ କରିପାରିଲେ, ଦେଶର ଅଧିକାଂଶ ବ୍ୟାଙ୍କମାନଙ୍କର ଜାତୀୟକରଣ କରିପାରିଲେ ଏବଂ ପୂର୍ବତନ ରାଜା-ମହାରାଜାମାନଙ୍କୁ ଦିଆଯାଉଥିବା ଭତା ‘ପ୍ରିଭି ପର୍ସ୍’କୁ ସମ୍ପୂର୍ଣ୍ଣଭାବେ ବନ୍ଦ କରିଦେଇପାରିଲେ ।

ପ୍ରଧାନମନ୍ତ୍ରୀଙ୍କ ନୂତନ ଭାଷଣ କଳାରେ ଗରିବୀ ହଟେଇବାର ସ୍ଥାନ ନାହିଁ ବରଂ ରହିଛି ଅପେକ୍ଷାକୃତ ଏକ ଭଲ ଜୀବନ ପାଇଁ ସୁଯୋଗର ପ୍ରତିଶ୍ରୁତି ।
ଏବେ କିଛିଦିନ ହେବ, ଯେମିତି ଭାରତର ଜନସଂଖ୍ୟାର ଶତକଡ଼ା ୮୦ଭାଗ ଲୋକଙ୍କ ହିନ୍ଦୁ ଅସ୍ମିତା ସହ ଆର୍.ଏସ୍.ଏସ୍ ଏବଂ ଭା.ଜ.ପାର ଜାତୀୟତାବାଦ୍କୁ ଯୋଡ଼ି ଦିଆଯାଇଛି, ସେହିଭଳି ସଂଘ ପରିବାରର ହିନ୍ଦୁତ୍ୱ କାର୍ଯ୍ୟସୂଚୀରେ ‘ବିକାଶ’କୁ ମିଶାଇ ଦିଆଯାଇଛି ।

ଯେତେବେଳେ କି ମୋଦୀ କହୁଛନ୍ତି ସେ ଦରିଦ୍ରମାନଙ୍କୁ ଅନୁଗ୍ରହ ବିତରଣ କରିବା ସପକ୍ଷରେ ସେ ନାହାନ୍ତି ବରଂ ସେମାନଙ୍କୁ ନିଯୁକ୍ତି ଦେବେ, ସେ ପୂର୍ବ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା କିଛି କଲ୍ୟାଣକାରୀ ଯୋଜନାକୁ ଅଧିକ ଉନ୍ନତ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି (ଯେମିତିକି ରନ୍ଧନ ଗ୍ୟାସ ପାଇଁ ରିହାତି ଦେବାଠାରୁ ଆରମ୍ଭ କରି ଶୂନ୍ୟ ପଇସା ଥାଇ ବ୍ୟାଙ୍କଖାତା ଖୋଲିବା ଯାଏଁ) । ଭିନ୍ନତାଟି ପୁଣିଥରେ ଅଭିନବ ନାରାବାଜିରେ ହିଁ ପ୍ରତିଫଳିତ ହେଉଛି ।

ଆମ ଦେଶରେ ଏବଂ ଅନ୍ୟତ୍ର ମଧ୍ୟ ପୁଞ୍ଜିବାଦର ଢାଂଚାଗତ ଯୁକ୍ତିଟି ବିଷମତା ଓ ନିଯୁକ୍ତିବିହୀନ ଅଭିବୃଦ୍ଧିକୁ ଅଧିକ ଶାଣିତ କରୁଛି । ଯେହେତୁ ମୁଦ୍ରାସ୍ଫୀତିଜନିତ ଚାପ ବଢ଼ୁଛି ଏବଂ ଶ୍ରମକୁ ପୁଞ୍ଜି ଦ୍ୱାରା ହଟାଇ ଅଭିବୃଦ୍ଧି ବଢ଼ାଉଥିବା ଘରୋଇ କ୍ଷେତ୍ର ପାଇଁ ନିଯୁକ୍ତି ସୃଷ୍ଟି କରିବା ତୁଳନାତ୍ମକ ଭାବେ ଅଧିକ କଠିନ କାମ ହେଇଯାଉଛି, ଅଛେ ଦିନ ବା ଭଲ ଦିନ ଆଣିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ମୋଦୀଙ୍କ ପାଇଁ କଷ୍ଟକର ହେବ ।

ଯେହେତୁ ଅଧିକ ଲୋକ ଏକଥା ଅନୁଭବ କରୁଛନ୍ତି, ଲୋକମାନଙ୍କୁ ଭାଗ ଭାଗ କରିବାପାଇଁ ମୋଦୀ ତାଙ୍କ ପରିଚିତ ରେଖାଟିକୁ ପ୍ରୟୋଗ କରିବାକୁ ପଡ଼ିବ, ଯଥା-‘ତୁମେ ଆମ ସହ ଅଛ ନଚେତ ତୁମେ ଆମ ବିରୋଧରେ ଅଛ’ ।

ଭୟଭୀତ କରାଇ ମୁକ୍ତ ଅଭିବ୍ୟକ୍ତିକୁ ଚପାଇ ଦିଆଯିବ କେତେବେଳେ ଜାତୀୟତା ଆଉ କେତେବେଳେ ଦେଶ ବିରୋଧ ଶବ୍ଦର ପ୍ରୟୋଗ କରି । ଲୋକପ୍ରିୟତା ପାଇବା ପାଇଁ ସେ ୟୁନିଫର୍ମ ସିଭିଲ୍ କୋଡ଼ ଆଣିବା ପାଇଁ କହିପାରନ୍ତି (ମୁସଲମାନ ମହିଳାମାନଙ୍କୁ ତିନିଥର ‘ତଲାକ୍’ ନିର୍ଯାତନାରୁ ମୁକ୍ତ କରିବା ପାଇଁ) ଏବଂ ବିଧାନସଭାରେ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ ପାଇଁ ପଦକ୍ଷେପ ନେଇପାରନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟସଭାରେ ଭାଜପା ସଂଖ୍ୟା -ଗରିଷ୍ଠତା ହାସଲ କରିବା କଥାଟି ଦେଖାଯାଉଛି । ସମ୍ବିଧାନର ମୁଖବନ୍ଧଟିକୁ ସଂଶୋଧିତ କରି ସେଠୁ ଧର୍ମନିରପେକ୍ଷତା ଓ ସମାଜବାଦ ଶବ୍ଦଗୁଡ଼ିକୁ ହଟେଇ ଦେବାପାଇଁ ମଧ୍ୟ ଉଦ୍ୟମ ହୋଇପାରେ ।

ଭାଜପାର ସମର୍ଥକମାନେ ଉତ୍ତରପ୍ରଦେଶ ନିର୍ବାଚନରେ ଜାତିଭିତିକ ଅସ୍ମିତାର ପରାଜୟ ହୋଇଛି ବୋଲି ଏକ ବାଖ୍ୟାକରି ବିଜୟ ଉଲ୍ଲାସ ମନାଉଛନ୍ତି । ଏହା ଏକ ସରଳ ଭାବନା । ଅଧିକାଂଶ ଅଣଯାତବ ଦଳିତମାନେ ବହୁଜନ ସମାଜପାର୍ଟି (ବି.ଏସ୍.ପି.) ସହ ସାଥି ଦେଇନଥିଲେ ।

ଅନ୍ୟାନ୍ୟ ପଛୁଆଶ୍ରେଣୀର ଅଣଯାଦବ ଭୋଟରମାନେ ସମାଜବାଦୀ ପାର୍ଟିର ସରକାର ଯାଦବଙ୍କ ପକ୍ଷ ନେଉଥବା ମନେ କରୁଥିଲେ ।

ଯଦିଓ ଉଭୟ ବି.ଏସ୍.ପି. ଓ ସମାଜବାଦୀ ପାର୍ଟିର ପାରମ୍ପରିକ ଭୋଟଦାତାମାନେ ସେମାନଙ୍କୁ ଛାଡ଼ି ଚାଲିଯାଇନାହାଁନ୍ତି, ତେବେ କେଉଁ ଜାତିଗୁଡ଼ିକୁ ସେମାନେ ନିଜ ସହ ନେଇପାରିବେ ଏଭଳି ଏକ ସୁଚିନ୍ତିତ ରଣନୀତି ଭାଜପାର କାମରେ ଆସିପାରିଛି ।

ବି.ଏସ୍.ପି.ର ସର୍ବୋଚ୍ଚନେତ୍ରୀ ମାୟାବତୀଙ୍କର ନିକଟର ରାଜନୈତିକ ଭବିଷ୍ୟତ କ୍ଷୀଣ ଦେଖାଯାଉଛି । ନିଜ ରାଜ୍ୟସଭା ଆସନଟିକୁ ବଂଚାଇବା ପାଇଁ ମଧ୍ୟ ସେ ବିଫଳ ହେଇପାରନ୍ତି । ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ମଧ୍ୟ ନିଜ ପାଦ ତଳୁ ଖସିଯାଇଥିବା ମାଟିକୁ ସଜାଡ଼ିବା ପାଇଁ ଏବଂ ପାରିବାରିକ ଅନ୍ତଦ୍ୱନ୍ଦ ଯୋଗୁଁ ଘଟିଥିବା କ୍ଷତିର ଭରଣା ପାଇଁ ଅଧିକ ସମୟ ନେବେ ।

କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ପାଇଁ ଯେତେ କମ୍ କୁହାଯିବ ଭଲ । ଭାରତରେ ଏକ ପ୍ରଭାବଶାଳୀ ରାଜନୈତିକ ଦଳ ହିସାବରେ ସେମାନଙ୍କ ସ୍ଥାନ ଦଖଲ କରିଥିବା ଭାଜପା ଦ୍ୱାରା ସେମାନଙ୍କର ଦୟନୀୟ ପରାଜୟର କାରଣଗୁଡ଼ିକୁ ସ୍ୱୀକାର କରିବାପାଇଁ ସେ ଏଯାଏଁ ପ୍ରସ୍ତୁତ ନାହାନ୍ତି ।

ପଞ୍ଜାବରେ ଦଳର ବିଜୟକୁ ନେଇ ତାଙ୍କୁ କୌଣସି ଶ୍ରେୟ ଦିଆଯାଇପାରିବ ନାହିଁ । କଂଗ୍ରେସ ନିଜର ପୁର୍ନଃବିନ୍ୟାସ କରିପାରିବ କି, ଗାନ୍ଧୀ ନେହେରୁ ପରିବାରକୁ ସମାଲୋଚନାରୁ ସୁରକ୍ଷା ଦେଉଥିବା ଗୋଷ୍ଠିଟିକୁ ବାଦ ଦିଆଯାଇପାରିବ କି ଏବଂ ଶୂନରୁ ଗୋଟିଏ ତୃଣମୂଳ ସ୍ତରର ସଙ୍ଗଠନ ତିଆରି କରାଯାଇ ପାରିବ କି? ଏହା ହେଇପାରିବ, ସନ୍ଦେହ ଲାଗୁଛି ।

ଅଧିକ ଦ୍ରୁତଗତିରେ ବିଲୁପ୍ତ ହେଇଯିବା ବ୍ୟତୀତ, କଂଗ୍ରେସର ଆଉ ଅନ୍ୟକିଛି ବିକଳ୍ପ ନାହିଁ । କିନ୍ତୁ ଟିକିଏ ରହିଯାଆନ୍ତୁ । ଏକ କଂଗ୍ରେସମୁକ୍ତ ଭାରତ ସମ୍ପର୍କରେ ଅନେକ କଥା କହିବା ସତ୍ୱେ ନିଜର ମୁଖ୍ୟ ‘ପ୍ରତିପକ୍ଷ’ ହିସାବରେ କଂଗ୍ରେସ ଓ ରାହୁଳଙ୍କୁ ରଖିବା ପାଇଁ ଭାଜପା ଭୟଙ୍କର ଭାବେ ଚାହେଁ ।

ଭାଜପାର ରାଜନୈତିକ ବିରୋଧୀମାନେ ଏବେ ଯିବେ କୁଆଡ଼େ? ପଞ୍ଜାବରେ ଖରାପ ପ୍ରଦର୍ଶନ ଏବଂ ଗୋଆରେ ଗୋଟିଏ ବି ଆସନ ପାଇବାରେ ବିଫଳ ହେଇଥିବା ଆପ୍ ଦଳ ଭବିଷ୍ୟତଟି ଦିଲ୍ଲୀ ପୌର ନିର୍ବାଚନରେ କଠୋର ପରୀକ୍ଷାର ସମ୍ମୁଖୀନ ହେବ ।

ଏହି ନିର୍ବାଚନରେ ଭାଜପା କୌଣସି ପୁରୁଣା ପାରିଷଦଙ୍କୁ ଟିକେଟ ଦେଇନାହିଁ । ଆପ୍ର ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ନିଜ ସର୍ବଭାରତୀୟ ଆକାଂକ୍ଷାକୁ ନେଇ ଗଭୀରତାର ସହ ବିଚାର କରିବାକୁ ପଡ଼ିବ । ଯେଉଁମାନେ ତାଙ୍କୁ ଅହଙ୍କାରବାଦୀ କହି ଛାଡ଼ି ଯାଇଥିଲେ, ସେମାନଙ୍କ ସହ ସମ୍ପର୍କର ସେତୁ ବାନ୍ଧିବାକୁ ଯଦି ପଡ଼େ, ସେ ନିଷ୍ପତି ମଧ୍ୟ ତାଙ୍କୁ ନେବାକୁ ପଡ଼ିବ ।

ଏକଥା ନିଶ୍ଚିତ ଯେ ପଶ୍ଚିମବଙ୍ଗରେ ବାମମେଂଟଙ୍କୁ ପଛରେ ପକାଇ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଚାଲିଥିବା ତୃଣମୂଳ କଂଗ୍ରେସର ମୁଖ୍ୟ ବିରୋଧୀ ହେବାପାଇଁ ଭାଜପା କଠିନ ଉଦ୍ୟମ କରୁଛି । ଏହି ରାଜ୍ୟ ଘୃଣ୍ୟ ରାଜନୈତିକ ହିଂସାର ପରବର୍ତୀ ଯୁଦ୍ଧଭୂମି ପାଲଟିଯିବ, ହୁଏତ ଯାହା ସାମ୍ପ୍ରଦାୟିକ ରଙ୍ଗ ନେଇପାରେ ।

ଏକଥା ଭାବିବା ମଧ୍ୟ ଅତି ସରଳ ହେବ ଯେ, ଭାଜପାକୁ ବିରୋଧ କରୁଥିବା ସବୁ ରାଜନୈତିକ ଶକ୍ତିମାନେ ବିରୋଧୀ ଭଳି ଏକାଠି ହୋଇ ଗୋଟିଏ ମହା ମେଳି ବା ଗଠବନ୍ଧନ କରିବେ ।

ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି, ବାମପନ୍ଥୀ ଓ ତୃଣମୂଳ କଂଗ୍ରେସ, ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ୍ର ସବୁ ଗୋଷ୍ଠୀ ଓ ଡ୍ରାଭିଡ଼ ମୁନ୍ନେତ୍ରା କାଝାଗମ୍ ନିଜ ଭିତରେ ଭିନ୍ନତାକୁ ଭୁଲିଯାଇ ସମସ୍ତଙ୍କର ଥିବା ଗୋଟିଏ ଶତ୍ରୁ ବିରୁଦ୍ଧରେ ଏକାଠି ହେବେ – ଏକଥା ସହଜ ଲାଗୁନାହିଁ ।

ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଭାଜପା ବିରୋଧୀ ସମୂହର ସର୍ବସମ୍ମତ ନେତା ହିସାବରେ ବେଶ୍ ଭଲଭାବେ ବାହାରି ପାରନ୍ତି । ସେ ନିଶ୍ଚୟ ଭାଗ୍ୟକୁ ସାଧୁବାଦ ଦେଉଥିବେ ଯେ ବିମୁଦ୍ରାୟନକୁ ସମାଲୋଚନା କରିବା ପାଇଁ ସେ ସମୟ ନେଲେ, ତାହା ବି ମୂକ ଭଳି ।

ନିଜ ନିରାଶାକୁ ଅତିକ୍ରମ କରିବା ମୋଦୀବିରୋଧୀଙ୍କ ପାଇଁ ଏକ ବଡ଼ ଆହ୍ୱାନ । ଆସନ୍ତା ନିର୍ବାଚନରେ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ଭାଜପା ଭଲ ପ୍ରଦର୍ଶନ କରିବାର ପ୍ରତ୍ୟେକଟି ସମ୍ଭାବନା ଅଛି ।

ନିଜେ ଦେଇଥିବା ପ୍ରତିଶ୍ରୁତି ଯାହା ପୂରଣ ହେଇପାରୁନାହିଁ ସେଥିରୁ ଧ୍ୟାନ ହଟାଇବା ପାଇଁ ଯଦିଓ ମୋଦୀ ହିନ୍ଦୁତ୍ୱ ଓ ଭଲ ଦିନ ଆସିବା ଉପରେ ଅଧିକ ଗୁରୁତ୍ୱ ଦେବେ, ତେବେ ତାଙ୍କର ପ୍ରତିପକ୍ଷମାନେ ଏକାଠି ହେବାରେ ଯେଉଁ ଅସୁବିଧାର ସାମ୍ନା କରୁଛନ୍ତି ତାହା ମୋଦୀଙ୍କ ସପକ୍ଷରେ ଯିବ ।

March 18 ,2017 VOL L 11 NO 11 EPW -3 ( Unbearable Burden of Expectations)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ନିର୍ବାଚନ, ଭାଜପା, ସମ୍ବିଧାନ

ରାଜ୍ୟରେ ଆମ୍ବେଦକରଙ୍କ ଜନ୍ମ ଦିବସ ପାଳନ

April 14, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ୱର, ଏପ୍ରିଲ ୧୪ (ଓଡିଶା ଡଟ କମ) ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସମ୍ବିଧାନର ପ୍ରଣେତା ଭାରତରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଦିବସ ବିଭିନ୍ନ ସଂଗଠନ ପାଳନ କରିଛନ୍ତି ।

???????????????????????????????ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର ସଂଗଠନର କର୍ମକର୍ତ୍ତାମାନେ ଏକ ପଟୁଆରରେ ଆସି ଏଜି ଛକରେ ଥିବା ବାବାସାହେବଙ୍କ ମୂର୍ତ୍ତି ନିକଟରେ ପହଁଚିଥିଲେ ।

ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପଶ୍ଚିମବଙ୍ଗ ଓ ଓଡିଶା ପୂର୍ବକ୍ଷେତ୍ରର ସମାଜସେବୀ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥିରୂପେ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହାପରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ପୁରୀ ବିଭାଗ ସଂଘଚାଳକ ବୈକୁଣ୍ଠନାଥ ସାହୁ,ବିଭାଗ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳ,ବ୍ୟବସ୍ଥା ପ୍ରମୁଖ ଉମାକାନ୍ତ ଗିରି,ପ୍ରସନ୍ନ ସେନାପତି,ଘନଶ୍ୟାମ ମହାପାତ୍ର, ଜୟକୃଷ୍ଣ ପୃଷ୍ଟି,ଦେବୀ ପ୍ରସାଦ ମହାପାତ୍ର,ନୀଳମଣି ମହାପାତ୍ର,ରାଜ୍ୟ ମିଡିଆସେଲ କାର୍ଯ୍ୟାଳୟ ସଂପାଦକ ଗୋଲଖ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ମହାପାତ୍ର କହିଲେ ବିଶ୍ୱ ଇତିହାସରେ ଭାରତରତ୍ନ ଡକ୍ଟର ଭୀମରାଓ ରାମଜୀ (ବି.ଆର) ଆମ୍ବେଦକର ଏକ ବିରଳ ବ୍ୟକ୍ତିତ୍ୱ ।

ଭାରତ ସମ୍ବିଧାନର ମୁଖ୍ୟ ନିର୍ମାତା ଥିଲେ ସେ । ଅଛୁଆଁ, ପଛୁଆ ଓ ଅନଗ୍ରସର ଜାତିଙ୍କର ଉତ୍ଥାନ ପାଇଁ ନିଃସ୍ୱାର୍ଥପର ସମାଜ ସଂସ୍କାରକ ବାବାସାହେବଙ୍କ ଦାନ ଅସୀମ । ସାରାଜୀବନ ସେ ଅନୁନ୍ନତଙ୍କ ଉନ୍ନତି ପାଇଁ ଲଢ଼ିଛନ୍ତି ।

କୋଟିକୋଟି ଜନସାଧାରଣଙ୍କ ମନମନ୍ଦିରରେ ସେ ପୂଜା ପାଉଛନ୍ତି । ଜଣେ ବିଚକ୍ଷଣ ବିଦ୍ୱାନ, ଆଇନ ବିଶାରଦ, ବୁଦ୍ଧିଜୀବୀ, ସମାଜ ସଂସ୍କାରକ ଓ ରାଷ୍ଟ୍ରନୀତିଜ୍ଞ ଭାବରେ ସେ ସ୍ୱଦେଶ ତଥା ବିଦେଶରେ ବାରମ୍ବାର ସମ୍ବର୍ଦ୍ଧିତ ହୋଇଥିଲେ ।

ଜଣେ ପ୍ରଜ୍ଞାଶୀଳ, ବହୁପାଠୀ, ମାନବବାଦୀ ଦାର୍ଶନିକ ଭାବେ ମଧ୍ୟ ସେ ପରିଚିତ । ବିଂଶ ଶତାବ୍ଦୀର ଭାରତୀୟ ଜନନାୟକଙ୍କ ମଧ୍ୟରେ ଆମ୍ବେଦକର ବିଭିନ୍ନ ଦୃଷ୍ଟିକୋଣରୁ ଏକ ଅଦ୍ୱିତୀୟ, ପ୍ରାତଃ ସ୍ମରଣୀୟ, ଅସାଧାରଣ ପ୍ରଜ୍ଞା ପୁରୁଷ ।

ଭାରତର ଘୃଣ୍ୟ “ଜାତିପ୍ରଥା’ ବିଲୋପ ସଂଗ୍ରାମରେ ସେ ଥିଲେ ଜଣେ ମହାଯୋଦ୍ଧା । ଭାରତର ସମାଜ ଇତିହାସରେ ସେ ଜଣେ ଯୋଗଜନ୍ମା ସମାଜ ସଂସ୍କାରକ ଥିଲେ । ତାଙ୍କ ଜନ୍ମଦିବସରେ ଦେଶବାସୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ତାହା ତାଙ୍କପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମହାପାତ୍ର ମତବ୍ୟକ୍ତ କରିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସଭା ସମିତି Tagged With: ଆମ୍ବେଦକର, ଜନସାଧାରଣ, ମହାନଗର, ସମ୍ବିଧାନ, ସ୍ୱୟଂସେବକ ସଂଘ

ଓଡ଼ିଶାରେ ସମ୍ବିଧାନର ଖୋଲା ଉଲ୍ଲଂଘନ ଚାଲିଛି: ମଇଳା ମୁକ୍ତିଯାତ୍ରା

December 20, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)- ମଇଳା ବୋହିବା ଏକ ଅମାନବୀୟ ପ୍ରଥା । ଏହା କାହିଁ କେଉଁକାଳରୁ ରହିଆସିଛି । ତେବେ ଦେଶର ସମ୍ବିଧାନର ୧୯୯୩ ଧାରାରେ ଏହାର ବନ୍ଦ ହେବାନେଇ ସ୍ପଷ୍ଟ ନିର୍ଦ୍ଦେଶ ଥିଲାବେଳେ ଦେଶର ଓଡ଼ିଶା ସମେତ ଅନେକ ରାଜ୍ୟରେ ଏହାର ଖୁଲମ୍ ଖୁଲ୍ଳା ଉଲ୍ଲଂଘନ ଚାଲିଛି ମଇଳା ମୁକ୍ତିଯାତ୍ରା ଅଭିଯାତ୍ରୀ ଦଳ ଦର୍ଶାଇଛି ।

ଏଥିନେଇ ମଧ୍ୟପ୍ରଦେଶରୁ ଏକ ଦଳ ମଇଳା ମୁକ୍ତିଯାତ୍ରା ନାମରେ ବାହାରିଛନ୍ତି ୩୦ ନଭେମ୍ବରରୁ । ଏହା ସମ୍ପ୍ରତି ମଧ୍ୟପ୍ରଦେଶ, ଉତରପ୍ରଦେଶ, ବିହାର , ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ପରିକ୍ରମା ପରେ ୨୦ତାରିଖରେ ଓଡ଼ିଶାରେ ପ୍ରବେଶ କରିଥିଲା ।

ଦେଶର ବିଭିନ୍ନ ରାଜ୍ୟର ମହିଳାମାନେ ବିଶେଷ କରି ଯେଉଁମାନେ ମୁଣ୍ଡରେ ମଇଳା ବୋହୁଥିଲେ, ସେମାନେ ସଚେତନ ହୋଇ ଏହି ପ୍ରଥା ନିଜନିଜ ଅଂଚଳରେ ବନ୍ଦ କରିବା ସହ ଏହି ସଚେତନତା ଯାତ୍ରାରେ ସାମିଲ ହୋଇଛନ୍ତି ।

ଆସନ୍ତା ୩୧ ଜାନୁଆରୀରେ ଦିଲ୍ଳୀରେ ଉଦ୍ୟାପିତ ହେବାକୁଥିବା ଏଇ ମଇଳା ମୁକ୍ତିଯାତ୍ରାରେ ଗୁଜରାଟ, ରାଜସ୍ଥାନ, କଟକ, ମଧ୍ୟପ୍ରଦେଶରୁ ମହିଳାବୃନ୍ଦ ଯୋଗଦେଇ ବିଭିନ୍ନ ସ୍ଥାନରେ ସଚେତନତା ଶୋଭାଯାତ୍ରା କରି ସେଠାରେ ଚାଲିଥିବା ମଇଳା ବୋହିବା ବ୍ୟବସ୍ଥାର ବନ୍ଦ କରିବା ନେଇ ପଦକ୍ଷେପ ନେଇଥିଲେ ।

ଆଜି ଭୁବନେଶ୍ୱରଠାରେ ଏହି ଦଳରେ ପ୍ରାୟ ୭୦ରୁ ଊଦ୍ଧ୍ୱର୍ ପୁରୁଷ ଓ ମହିଳା ପ୍ରତିନିଧି ଯୋଗଦେଇ ଏକ ଶୋଭାଯାତ୍ରାରେ ପହଞ୍ଚିଥିଲେ । ବିଭିନ୍ନ ରାଜ୍ୟର ମହିଳା ପ୍ରତିନିଧିବୃନ୍ଦ ସେମାନଙ୍କ ରାଜ୍ୟରେ ଭୋଗୁଥିବା ସମସ୍ୟା ଓ ଅବସ୍ଥାର ଏକ ଚିତ୍ର ପ୍ରଦାନ କରିଥିଲେ ।

ଏହି ମଇଳା ମୁକ୍ତି ଯାତ୍ରା ସରକାର, ପ୍ରଶାସନ, ଲୋକପ୍ରତିନିଧି, ସାମ୍ବାଦିକ, ସାମାଜିକ ସଂସ୍ଥା ଏବଂ ସଂଗଠନମାନଙ୍କ ପ୍ରତି ମଧ୍ୟ ଅଭିପ୍ରେତ ବୋଲି ଅଭିଯାତ୍ରୀ ଦଳ ସୂଚାଇଥିଲେ । ସଫାଇ କର୍ମଚାରୀ ନିୟୋଜନ ଏବଂ ଶୁଷ୍କ ଶୌଚାଳୟ ସନିର୍ମାଣ (ପ୍ରତିଶେଧ)ଅଧିନିୟମ- ୧୯୯୩ ଏବଂ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିରାକରଣ) ଅଧିନିୟମର

୧୯୮୯ର ଆଇନ ଏବଂ ନାଗରିକ ଅଧିକାର ସୁରକ୍ଷା ଆଇନ-୧୯୫୫ ( ଧାରା-୭-କ) ଇତ୍ୟାଦିର ଖୋଲା ଉଲ୍ଲଂଘନ ହେଉଥିବା ସେମାନେ ଦର୍ଶାଇଥିଲେ ।

ସମଗ୍ର ମାନବ ସମାଜ ତଥା ମାନବତା ପ୍ରତି ଏକ କଳଙ୍କ ହୋଇ ରହିଛି ଏଇ ପ୍ରଥା । ଯେଉଁ ଯେଉଁ ରାଜ୍ୟ ସବୁ ଦେଇ ମଇଳା ମୁକ୍ତି ଯାତ୍ରା ଅଭିଯାନ କରିବ, ସେଠାରେ ଏହି ପ୍ରଥା କ୍ରମେ ବନ୍ଦ ହେବାନେଇ ସେମାନେ ଭବିଷ୍ୟତରେ ଆହୁରି କଠୋର ପଦକ୍ଷେପ ନେବେ ବୋଲି ସତର୍କବାଣୀ ମଧ୍ୟ ସୂଚାଇଛନ୍ତି ।

ଭାରତର ୨୦୧୧ ଜନଗଣନା ଅନୁଯାୟୀ ବର୍ତମାନ ସୁଦ୍ଧା ୭,୯୪,୩୯୦ ଖୋଲା ପାଇଖାନା ଥିବା ବେଳେ ଖୋଦ୍ ଓଡ଼ିଶାରେ ଏବେ ସୁଦ୍ଧା ୮୬,୯୮୩ଟି ଖୋଲା ପାଇଖାନା ରହିଥିବା ନେଇ ଏକ ସୂଚନା ରହିଛି ।

ବର୍ତମାନ ସୁଦ୍ଧା କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ଦଦ୍ୱାରାଏସବୁ ଖୋଲା ପାଇଖାନାରୁ ମଇଳା ବୁହା ଚାଲିଥିବା ଜନସଂଖ୍ୟା ରିପୋର୍ଟ ପ୍ରକାଶ କରେ । ସମ୍ବିଧାନରେ ଥିବା ଏହି ଆଇନର ଖୁଲମ ଖୁଲ୍ଲା ଉଲ୍ଲଂଘନ ହୋଇ ଚାଲିଥିବା ବେଳେ ଖୋଲା ପାଇଖାନା ( ନିବାରଣ ଆଇନ)- ୧୯୯୩ କୁ ପୁଣି ଜବରଦସ୍ତ ଭାବେ ପ୍ରୟୋଗ କରାଇବା ନେଇ ସରକାରୀକଳ ଆଗଭର ହେବାକୁ ଅଭିଯାନ ଅବସରରେ ବକ୍ତାମାନେ ପ୍ରକାଶ କରିଛନ୍ତି ।

ଓଡ଼ିଶା ଅଭିଯାନ ସମୟରେ ସଂଜୟ ଦୁମନେ, ସମୀର ତାୱରେ, ମଧ୍ୟପ୍ରଦେଶରୁ ଲାଲିବେନ୍, ରାଜସ୍ଥାନରୁ ଛୋଟି ବେନ୍, କଟକରୁ ସାବିତ୍ରୀ ଦେବୀ, ଶଙ୍କର ନାଇକ, ଜଣେ ମୁସ୍ଲିମ୍ ମହିଳା ଅଖତାର ବି, ବିଠଲ ନାଇକ, ଲାଲ କନୱାର ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।

ଆସନ୍ତା ଜାନୁଆରୀ ୩୧ ତାରିଖରେ ଏଇ ମଇଳା ମୁକ୍ତି ଯାତ୍ରା ନୂଆଦିଲ୍ଳୀଠାରେ ଉଦ୍ୟାପିତ ହେବ । ଏହା ସହ ଏହି ମଇଳା ମୁକ୍ତି ଯାତ୍ରା ଆହୁରି ୧୮ଟି ରାଜ୍ୟ ଗସ୍ତ କରିବ ବୋଲି ଏହାର ଅନ୍ୟତମ ଆବାହକ ସଂଜୟ ଦୁମାନେ, ଆସିଫ୍ ଶେଖ୍ ପ୍ରମୁଖ ଗଣମାଧ୍ୟମକୁ ସାକ୍ଷାତ ଅବସରରେ ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅନୁସୂଚିତ ଜାତି ଓ ଜନଜାତି, ମଇଳା ମୁକ୍ତିଯାତ୍ରା, ସମ୍ବିଧାନ

ବରମୁଣ୍ଡା ବସଷ୍ଟାଣ୍ଡ ଜମି ଲିଜ୍ ଚୁକ୍ତି ହାଇକୋର୍ଟରେ ରଦ୍ଧ

December 20, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ଭୁବନେଶ୍ୱର ବସଷ୍ଟାଣ୍ଡ ଘରୋଇ କରଣ ସଂପର୍କରେ ଓଏସ୍ଆରଟିସି ଓ ଏଆରଏସ୍ଏସ୍ ମଧ୍ୟରେ ହୋଇଥିବା ଚୁକ୍ତିକୁ ଓଡିଶା ହାଇକୋର୍ଟ ଗୁରୁବାର ରଦ୍ଧ କରିଦେଇଛନ୍ତି । ଫଳରେ ରାଜ୍ୟ ସରକାରଙ୍କୁ ଶକ୍ତ ଧକ୍କା ଲାଗିଛି ।

ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡା ଓ ବିଚାରପତି ସଂଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ରୁଜୁ ହୋଇଥିବା ଦୁଇଟି ପୃଥକ ପୃଥକ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି ।

ଆଜି ମାନ୍ୟବର ଖଣ୍ଡପୀଠ ତାଙ୍କ ରାୟରେ ରାଜ୍ୟ ସରକାର ସମ୍ବିଧାନର ୨୯୯ଧାରା ଉଲଙ୍ଘନକରି ଲିଜ୍ ପ୍ରଦାନ କରିଥିବାରୁ ଏହି ଦୁଇଟି ଚୁକ୍ତିକୁ ବାତିଲ କରିଦେଇଛନ୍ତି । ସେହିପରି ଜମି ହସ୍ତାନ୍ତର ଆଇନ୍ ୧୦୫ ଓ ୧୦୭କୁ ରଜ୍ୟ ସରକାର ଉଲଙ୍ଘନ କରିଛନ୍ତି ବୋଲି ଖଣ୍ଡପୀଠ ରାୟରେ ସ୍ପଷ୍ଟ କରିଦେଇଛନ୍ତି ।

ସରକାରଙ୍କର ଏହା ଅଧିକାରଭୁକ୍ତ ହୋଇନଥିବା ବେଳେ ବେଆଇନ ଭାବେ ଘରୋଇ କଂପାନୀ ସହ ଲିଜ୍ ସଂକ୍ରାନ୍ତିୟ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ମାନ୍ୟବର ଅଦାଲତ ପୂର୍ବରୁ ଚଳିତ ବର୍ଷ ଗତ ମାର୍ଚ୍ଚ ୩୦ ତାରିଖରେ ଏହି ମାମଲା ଉପରେ ସ୍ଥିତାବସ୍ଥା ଜାରି କରିଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଏଆରଏସ୍ଏସ୍ ନାମକ ଏହି ଘରୋଇ କମ୍ପାନୀକୁ ଭୁବନେଶ୍ୱର ବସଷ୍ଟାଣ୍ଡର ଜମିକୁ ୯୩ ବର୍ଷ ପାଇଁ ଲିଜ୍ ସୂତ୍ରରେ ପ୍ରଦାନ କରିଥିଲେ । ଏହାକୁ ବେଆଇନ ବୋଲି ଦର୍ଶାଇ ବିଜେପି ନେତା ସମୀର ମହାନ୍ତି ହୋଇକାର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ବରମୁଣ୍ଡା ବସଷ୍ଟାଣ୍ଡ, ବିଜେପି, ରାଜ୍ୟ ସରକାର, ସମ୍ବିଧାନ, ହାଇକୋର୍ଟ

ବିଜେଡିରୁ ବହିଷ୍କାର ଆଦେଶ ଦାବୀ ନେଇ ପ୍ୟାରୀ ଯିବେ କୋର୍ଟ

December 9, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୯(ଓଡିଶା ଡଟ୍ କମ୍)-ବିଜେଡିରୁ ବହିଷ୍କାର ଲିଖିତ ଆଦେଶ ଦାବି କରି ସୋମବାର ଦିନ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି ସାଂସଦ ପ୍ୟାରୀମୋହନ ମହାପାତ୍ର ।

ରବିବାର ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାପାତ୍ର କହିଲେ ଏମ୍ପି ହିସାବରେ ମୋର ଅଧିକାର କ୍ଷୁର୍ଣ୍ଣ ହେଉଛି । ବହିଷ୍କାର ଆଦେଶ ମୁଖ୍ୟମନ୍ତ୍ରୀ ରାଜ୍ୟ ସଭାକୁ ପଠାନ୍ତୁ । ସେଥିପାଇଁ ମୁଁ ସୁପ୍ରୀମକୋର୍ଟ ଯିବି ।

କାରଣ ତାଙ୍କର ଯେଉଁ ରୋଗ ସେ ନିଲମ୍ବନ କହିି ଛଅମାସ ହେଲା ଆଦେଶ ପଠାଇ ନାହିାଁନ୍ତି । କାଗଜ ଖଣ୍ଡେ କାହାକୁ ମିଳିଲାନି । ସେମିତି ବହିଷ୍କାର ଆଦେଶର କାଗଜ ଖଣ୍ଡେ କାହାକୁ ମିଳିବ ନାହିଁ ।

ମୋର ରାଜ୍ୟ ସଭାରେ ସ୍ଥିତିଟା ଅସ୍ପଷ୍ଟ ହୋଇ ରହିବ । କାହିଁକି ଅସ୍ପଷ୍ଟ ହୋଇ ସ୍ଥିତି ରହିଥିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆସନ୍ତା ତିନିମାସ ମଧ୍ୟରେ ଏକ ନୂଆ ରାଜନୈଦିକ ଦଳ ଗଠନ କରିବେ ପ୍ୟାରୀ ସୂଚନା ଦେଇଛନ୍ତି ।

ଦମନ ପ୍ରତିରୋଧ ମଞ୍ଚର ଆବାହକ ତଥା ମାଓବାଦୀ-ସରକାରଙ୍କ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତିଙ୍କ ପୁଅ ସଂଗ୍ରାମକେଶରୀ ମହାନ୍ତି ଓ ତାଙ୍କ ସାଥିଙ୍କ ଗିରଫଦାରି ପ୍ରୟୋଜିତ ଓ ତାଙ୍କର କୌଣସି ମାଓ ଲିଙ୍କ ନାହିଁ ବୋଲି ପ୍ୟାରୀ ଅଭିଯୋଗ କରିଛନ୍ତି । ଆଜି ଓଡିଶାର ବିଭିନ୍ନ ଅଞ୍ଚଳର ଲୋକମାନେ ପ୍ୟାରୀଙ୍କ ଜନମୋର୍ଚ୍ଚାରେ ଯୋଗଦେଇଥିଲେ ।

ଅର୍ଥମନ୍ତ୍ରୀ ପ୍ରଶନ୍ନ ଆଚାର୍ଯ୍ୟ ଏ ଘଟଣା ଉପରେ କହିଛନ୍ତି ଯେ,ଦଳର ସମ୍ବିଧାନ ଅନୁସାରେ କାମ ହୋଇଛି । ଦଳର ସମ୍ବିଧାନ ବାହାରକୁ ଯାଇ କିଛି କାମ ହୋଇନାହିଁ । ଦଳର ସର୍ବୋଚ୍ଚ ସମିତି ଏହାକୁ ସ୍ୱୀକୃତି ଦେଇଛି ।

ତେଣୁ ସେ କୋର୍ଟରେ ଯାହା କରିବା କଥା କରନ୍ତୁ । ଆମେତ କୋର୍ଟର ଆଦେଶକୁ କେବେ ବି ଅମାନ୍ୟ କରିନାହୁଁ । ମୁଁ ନିଜେ ବୁଝି ପାରୁନାହିଁ ସେ କାହିଁକି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପ୍ୟାରୀମୋହନ, ବିଜେଡ଼ି, ସମ୍ବିଧାନ, ସାମ୍ବାଦିକ ସମ୍ମିଳନୀ, ସୁପ୍ରିମକୋର୍ଟ

ପ୍ୟାରୀଙ୍କ ସହ ଯଜ୍ଞେଶ୍ୱର ବାବୁ ବିଜେଡିରୁ ବହିଷ୍କୃତ

November 16, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍)-ବିଜେଡି ଦଳରେ ବିଶୃଙ୍ଖଳା ଓ କ୍ଷମତା ଦଖଲ ଷଡ଼ଯନ୍ତ୍ରରେ ଜଡ଼ିତ ଥିବା ଅଭିଯୋଗରେ ପ୍ୟରମୋହନ ମହାପାତ୍ରଙ୍କୁ ନିଲମ୍ବନ କରାଯିବା ପରେ ଆଜି ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ବିଜେଡ଼ିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ ପ୍ୟାରୀଙ୍କ ଓଡ଼ିଶା ଜନମୋର୍ଚ୍ଚା ଗଠନ, ସଭ୍ୟ ସଂଗ୍ରହ, ଚାନ୍ଦା ସଂଗ୍ରହ, ଭୁବନେଶ୍ୱରରେ କ୍ରାନ୍ତି ସମାବେଶ ଏବଂ ଦଳ ସଭାପତିଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ସଂପର୍କରେ ଆଲୋଚନା ହୋଇଥିଲା ।

ଶେଷରେ ପ୍ୟାରୀଙ୍କୁ ଦଳରୁ ବହିଷ୍କାର ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏହି ପ୍ରସ୍ତାବ ସବସମ୍ମତି କ୍ରମେ ପାରିତ ହୋଇଥିଲା ଏବଂ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ପଟ୍ଟନାୟକ ଘୋଷଣା କରିଥିଲେ ।

ଏଥି ସହିତ ଦଳର ସଂପାଦକ ଯଜ୍ଞେଶ୍ୱର ବାବୁ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିବାରୁ ତାଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଗଲା ବୋଲି ସେ ଘୋଷଣା କରିଥିଲେ । ଏ ସଂପର୍କରେ ମହାପାତ୍ର କହିଛନ୍ତି ଏହି ପରି ହେବ ବୋଲି ମୁଁ ଆଗରୁ ଜାଣିଥିଲି । ଏହା କିଛି ନୂଆ କଥା ନୁହେଁ । ଏହା ବିରୋଧରେ ମୁଁ ବିଜେଡିର ୨୭ ଲକ୍ଷ କର୍ମୀଙ୍କ ନିକଟକୁ ଯିବି ଏବଂ ଓଡିଶାର ଜନସାଧାରଣଙ୍କ ପାଖକୁ ଯିବି ।

ବିଜେଡିରେ ୨୦ ଲକ୍ଷ କର୍ମୀ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କୁ ଅବହେଳା କରାଯାଇଛି । ମୁଁ କର୍ମୀଙ୍କ ଅଧିକାର ପାଇଁ ଲଢୁଛି । ଏହି ଅଧିକାର ପାଇଁ ଲଢେଇ ଆହୁରୀ ଜୋରଦାର କରାଯିବ ।

ଦଳରେ ବେଶୀ ବିଶୃଙ୍ଖଳା ନବୀନ ହିଁ ସୃଷ୍ଟି କରୁଛନ୍ତି । ନିଜର ବଡ ପଣିଆ ଦେଖାଇ ସାରା ଦଳକୁ ପଙ୍ଗୁ କରିଦେଇଛନ୍ତି । ୨୦୧୦ ଜୁଲାଇ ୧୦ତାରିଖରେ ଶେଷଥର ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରଠାରୁ ଦଳୀୟ ସମ୍ବିଧାନମତେ କୌଣସି ବୈଠକ ବସିନାହିଁ ।

ସବୁ ନିଷ୍ପତି ନବୀନଙ୍କର ଏକଚାଟିଆ ଭାବେ ଚାଲିଥିଲା । ନୂଆ କାର୍ଯ୍ୟକାରିଣୀ ଗଠନ ହେବାର ୩ବର୍ଷ ଭିତରେ ଅନ୍ୟୁନ ୬ଥର ବୈଠକ ବସିବା କଥା, ହେଲେ ଏହି ବୈଠକ ହେଉନାହିଁ । ତିନିବର୍ଷରୁ ମାତ୍ର ଆଉ ଦେଢ ମାସ ଅଛି ସେତେବେଳେ କାର୍ଯ୍ୟକାରିଣୀ ଡାକୁଛନ୍ତି । ଏବେ କହୁଛନ୍ତି ବ୍ୟକ୍ତି ବିଶେଷ ବଡ ନୁହେଁ ।

ସେ ଦଳର ସମ୍ବିଧାନକୁ ଗୋଇଠା ମାରି ଚାଲିଗଲେ । ଏ ଦଳ ତାଙ୍କୁ କ୍ଷମା ଦେବନାହିଁ । ତାଙ୍କୁ ଏ ଦଳର କର୍ମୀମାନେ ଗୋଇଠା ମାରି ବାହର କରିଦେବେ । ଏହାଛଡ଼ା ବିଜେଡ଼ି ଗଣତାନ୍ତ୍ରିକ ପଦ୍ଧତିରେ ଚାଲୁନଥିବା ନେଇ ପ୍ୟାରୀ ଅଭିଯୋଗ କରିଛନ୍ତି ।

ପଞ୍ଚାୟତରାଜ ମନ୍ତ୍ରୀ କଳ୍ପତରୁ ଦାସ କହିଛନ୍ତି ଦଳ ସମ୍ବିଧାନ ଅନୁସାରେ କାର୍ଯ୍ୟ କରୁଛି । ସାମ୍ବିଧାନିକ ପଦ୍ଧତି ଅନୁସାରେ ମହାପାତ୍ର ଓ ଯଜ୍ଞଶ୍ୱରଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଓଡିଶାରେ ବିଜେଡି ହେଉଛି ଏକ ମାତ୍ର ଦଳ ଯିଏକି ୧୯୯୭ ମସିହାରୁ ସମ୍ବିଧାନ ଅନୁସାରେ କାମ କରୁଛି ।

ଆଜି ବି ଯାହା କରାଯାଇଛି ସମ୍ବିଧାନ ବ୍ୟବସ୍ଥା ଅନୁସାରେ କରାଯାଇଛି । ରାଜ୍ୟ କାର୍ଯ୍ୟକାରିଣୀର ଏହି ନିସ୍ପତିକୁ କୋର୍ଟରେ ଚ୍ୟାଲେଞ୍ଜକରାଯାଇ ପାରିବ ନାହିଁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜନମୋର୍ଚ୍ଚା, ପ୍ୟରମୋହନ ମହାପାତ୍ର, ବିଜେଡ଼ି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ଯଜ୍ଞେଶ୍ୱର ବାବୁ, ସମ୍ବିଧାନ

କୋମାରେ ସମାଜବାଦ, ବଞ୍ଚେଇବାକୁ ହେଲେ ସେବା ଆବଶ୍ୟକ:ମତ

September 28, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) –ଗତ ୮୦ ଦଶକର ଶେଷ ଭାଗରେ ସମାଜବାଦକୁ ନୀରବରେ ‘କବର’ ଭିତରକୁ ଠେଲି ଦିଆ ଯାଇଛିି ବୋଲି ଯାହା କୁହାଯାଉଛି, ତାହା ଠିକ ନୁହେଁ । ସମାଜବାଦର ମୃତ୍ୟୁ ନାହିଁ । ବରଂ ସମାଜବାଦ ଏବେ ‘କୋମା’ରେ ଅଛି ବୋଲି କୁହାଯାଇପାରେ ।

ଉପଯୁକ୍ତ ସେବା ପାଇଲେ ସେ ପୁଣି ସଳଖି ଠିଆ ହୋଇପାରିବ । ଆଜିର ମୁଖ୍ୟଧାରା ଗଣମାଧ୍ୟମରୁ କେବେବି ସେପରି ସେବା ଆଶା କରାଯାଇ ନ ପାରେ । ଆଜିକାଲି ସମ୍ବାଦ ଗଣମାଧ୍ୟମର ଉତ୍ପାଦନ ନୁହେଁ । ବରଂ, ପାଠକ, ଦର୍ଶକମାନେ ବିଞ୍ଜାପନଦାତାଙ୍କ ପାଇଁ ପଣ୍ୟଦ୍ରବ୍ୟରେ ପରିଣତ ହୋଇଛନ୍ତି ।

ପ୍ରଗତିଶୀଳ ଓଡ଼ିଆ ସମ୍ବାଦ ପତ୍ରିକା ‘ଜନତନ୍ତ୍ର’ବାର୍ଷିକ ଉତ୍ସବରେ ଅନୁଷ୍ଠିତ ଆଜିର ପରିସ୍ଥିତିରେ ସମାଜବାଦକୁ ବିକଳ୍ପ ରୂପେ ଆଗକୁ ଆଣିବାରେ ଗଣମାଧ୍ୟମ ବିତର୍କ ଆରମ୍ଭ କରି ପାରିବ କି?‛- ଶୀର୍ଷକ ଆଲୋଚନାରେ ଉପରୋକ୍ତ ମତ ପ୍ରକାଶ ପାଇଛି ।

ମୁଖ୍ୟଅତିଥି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଳୟ କାନୁନ୍ଗୋ କହିଲେ -ସମାଜବାଦ କେବେ ମରିପାରେନା । ରୋଗଗ୍ରସ୍ତ ହୋଇ ମୁମୁର୍ଷ (କୋମା) ଅବସ୍ଥାରେ ଶଯ୍ୟାଶାୟୀ । ସେବା ଶୁଶ୍ରୁଷା ଟିକେ ପାଇଲେ ସେ ପୁଣି ଉଠିବ ।

ବର୍ତମାନ ବିଶ୍ୱରେ ବିଭିନ୍ନ ସ୍ଥାନରେ ବିଶେଷତଃ, ପୁଞ୍ଜିବାଦୀ ରାଷ୍ଟ୍ର ଆମେରିକାରେ ‘ୱାଲ୍ଷ୍ଟ୍ରିଟ ଦଖଲ କର’ ଅଭିଯାନ ଦର୍ଶାଉଛି ଯେ ସମାଜବାଦ ପାଇଁ ପୁଣି ଏକ ଅନୁକୂଳ ପରିବେଶ ସୃଷ୍ଟି ହେଉଛି ।

ଏ କଥା ସତ ଯେ, ଅତି ଚତୁରତାର ସହିତ ପୁଞ୍ଜିବାଦ ତା ପ୍ରତି ସମ୍ଭାବ୍ୟ ବିପଦକୁ ଟାଳିଦେଇ ପାରୁଛି । ପୁଞ୍ଜିିବାଦର ଚତୁର ଆଚରଣ ପ୍ରତି ଦୃଷ୍ଟି ଆକର୍ଷଣ କରି ସେ କହିଲେ ଯେ ନିରୋଳା ସମାଜବାଦର ପ୍ରତିଷ୍ଠାକୁ ବାଧାଦେବା ପାଇଁ ବିଶ୍ୱ ପୁଞ୍ଜିବାଦ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରେ ।

ପୁଞ୍ଜିିବାଦ ଭିତରେ ବି ସମାଜବାଦର ଲକ୍ଷ୍ୟରେ ପହଞ୍ଚିବା ସମ୍ଭବ ବୋଲି,ଏକ ଭ୍ରମ ସୃଷ୍ଟି କରେ । ସେ ଦୃଷ୍ଟାନ୍ତ ଦେଇ କହିଲେ ଯେ ପ୍ରସ୍ତାବିତ ଗ୍ଳୋବାଲ ସୋସିଆଲ ଡେମୋକ୍ରାସି ଏହିପରି ଏକ କୌଶଳ ।

ସମାଜବାଦକୁ କେନ୍ଦ୍ରୀୟ ଆଦର୍ଶ କରି ଗଢ଼ି ଉଠୁଥିବା ସଂଗଠନ ଭିତରେ ନିଷ୍ପତି ପ୍ରକ୍ରିୟାର ବିକେନ୍ଦ୍ରୀକରଣ ଉପରେ କାନୁନଗୋ ଗୁରୁତ୍ୱ ଦେଇଥିଲେ । ସମାଜବାଦ ଆଦର୍ଶରେ ବିଶ୍ୱାସ କରୁଥିବା କରୁଥିବା ବ୍ୟକ୍ତିଙ୍କ ଭିତରେ ସମ୍ପତି ଠୁଳୀକରଣ ମାନସିକତା ଦେଖାଦେଲେ- ସମାଜବାଦର ପ୍ରତିଷ୍ଠା ଅସମ୍ଭବ ହୋଇପଡ଼ିବ ।

ସମାଜବାଦରେ ବିଶ୍ୱାସ କରୁଥିବା ଲୋକେ ପ୍ରଥମେ ସେମାନଙ୍କ ଜୀବନରେ ଆଚରଣରେ ସମାଜବାଦୀ ହେବା ଦରକାର । ସମାଜବାଦ ବଂଚିଲେ ତ ଗଣମାଧ୍ୟମରେ ଆଲୋଚନା ପ୍ରୋତ୍ସାହନ ପାଇବ କି ନାହିଁ ସେ ପ୍ରଶ୍ନ ଉଠିବ!

ତେଣୁ ସମାଜବାଦକୁ ବଞ୍ଚାଇ ରଖିବାର ଉଦ୍ୟମ ଅବ୍ୟାହତ ରହିବା ଦରକାର । ସମାଜବାଦୀ ଆନ୍ଦୋଳନରେ ଅଧିକରୁ ଅଧିକ ଲୋକଙ୍କର ଅଂଶଗ୍ରହଣକୁ ନିଶ୍ଚିିତ କରାଯିବା ଦରକାର ବୋଲି ପ୍ରଫେସର କାନୁନଗୋ କହିଥିଲେ ।

ମୁଖ୍ୟ ବକ୍ତା ଡ. ବୀରେନ୍ଦ୍ର ନାୟକ ନିଜର ମତ ଦେଇ କହିଲେ ଯେ ଆଜିକାର ମୁଖ୍ୟଧାରା ଗଣମାଧ୍ୟମରୁ ଏପରି ଆଶା ଏକ ବ୍ୟର୍ଥ ପ୍ରତ୍ୟାଶା । ଆଜିକାର ଗଣମାଧ୍ୟମର ସ୍ୱରୂପ ଓ ଚରିତ୍ର ଯାହା-ସେଠାରେ ସମାଜବାଦ ଉପରେ ଆଲୋଚନା ପ୍ରୋତ୍ସାହନ ପାଇବା ସମ୍ଭବ ନୁହେଁ ।

ଆଜିକାର ବିଜ୍ଞାପନ ସର୍ବସ୍ୱ ଗଣମାଧ୍ୟମରେ ବିଜ୍ଞାପନ ଦାତା ଅର୍ଥାତ୍ ବଡ଼ ବଡ଼ କମ୍ପାନୀମାନେ ହିଁ ପରୋକ୍ଷ ଭାବେ ନିୟନ୍ତ୍ରଣ କରିଥାନ୍ତି ସମ୍ବାଦର ପ୍ରକାଶନ । ଯେଉଁ ସମ୍ବାଦ ବା ଆଲୋଚନା ବିଜ୍ଞାପନ ଦାତାଙ୍କର ସ୍ୱାର୍ଥ ପ୍ରତି ବିପଦ ସୃଷ୍ଟି କରେ ସେ ପ୍ରକାର ସମ୍ବାଦ ପ୍ରକାଶ ନ ପାଉଥିବାର କେତୋଟି ଉଦାହରଣ ଦେଇ ଦର୍ଶାଇଥିଲେ ।

ପୁଞ୍ଜିବାଦୀ ବ୍ୟବସ୍ଥାର ହାତବାରିସୀ ହୋଇଥିବା ଗଣମାଧ୍ୟମରେ ସମାଜବାଦ ପ୍ରୋସôାହିତ ହେବା ଅସମ୍ଭବ ବୋଲି ସେ କହିଥିଲେ । ମୁକ୍ତ ବଜାର ଅର୍ଥନୀତିର ପରିବେଶରେ କ୍ରେତା ସୃଷ୍ଟି ହିଁ ଆଜିକାର ଗଣମାଧ୍ୟମର ମୁଖ୍ୟ ଉଦେ୍ଧଶ୍ୟ ।

ତେଣୁ ଆଜିକାର ଗଣମାଧ୍ୟମ ସମାଜବାଦର ଆଲୋଚନାକୁ କଦାପି ପ୍ରୋସôାହିତ କରିବ ନାହିଁ । ସେ ଐତିହାସିକ ଦୃଷ୍ଟାନ୍ତ ଦେଇ କହିଲେ ଯେ ଏକଦା ଶ୍ରମିକମାନଙ୍କୁ ସଂଗଠିତ କରି ସମାଜରେ ଏକ ବୈପ୍ଳବିକ ପରିବତ•ର୍ନ ଆଣିବାର ସମ୍ଭାବନା ଯାହା ଗଣମାଧ୍ୟମ ବିଲାତ ଦେଶରେ ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସୃଷ୍ଟି କରିଥିଲା, ତାହାକୁ ତତ୍କାଳୀନ ଶାସକ ଶ୍ରେଣୀ ବିଭିନ୍ନ ପ୍ରକାର କଟକଣା ଜରିଆରେ ବିକଳାଙ୍ଗ କରିଦେଲା ।

କ୍ରମଶଃ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରୟୋଗ ପ୍ରକାଶନକୁ ଖର୍ଚ୍ଚବହୁଳ କରିଦେଲେ । ଯାହା ଫଳରେ ଏହିଭଳି ପ୍ରକାଶନ ଗୁଡ଼ିକ କ୍ରମଶଃ ବନ୍ଦ ହେଲା । ସେ ବିଶିଷ୍ଟ ଚିନ୍ତା ନାୟକ ନୋମ ଚୌମ୍ସ୍କିିଙ୍କ ବକ୍ତବ୍ୟ ଉଦ୍ଧାର କରି କହିଲେ ଯେ ଆଜିର ଗଣମାଧ୍ୟମର ଆଦର୍ଶ ଯେତେବେଳେ ସାମ୍ୟବାଦ ବିରୋଧୀ ସେତେବେଳେ ସମାଜବାଦର ଆଲୋଚନା ଆଜିକାର ଗଣମାଧ୍ୟମରେ ଆଶା କରିବା ବୃଥା ।

ଆମେରିକାର ଗଣମାଧ୍ୟରେ ସମାଜବାଦ ଏକ ବର୍ଜନୀୟ ଶବ୍ଦ । ଭାରତ ଆଜି ଯେତେବେଳେ ଆମେରିକାର ଅନୁଗତ ରାଷ୍ଟ୍ର ସେତେବେଳେ ଏ ପ୍ରକାର ଗଣମାଧ୍ୟମ ଆମେରୀକୀୟ ଗଣମାଧ୍ୟମଠାରୁ ଅନ୍ୟଥା ବା କହିଁକି ହେବ?

ତେଣୁ ଆଜିକାର ଗଣମାଧ୍ୟମ କଦାପି ସମାଜବାଦର ଆଲୋଚନାକୁ ପ୍ରୋତ୍ସାହିତ କରିବ ନାହିଁ ବୋଲି ଡ. ନାୟକ ପ୍ରତିପାଦନ କରିଥିଲେ ଏବଂ କେବଳ ଛୋଟ ଛୋଟ ପତ୍ରିକା ହିଁ ଏହା କରିପାରିବ ବୋଲି ମତ ଦେଇଥିଲେ ।

ପ୍ରଫେସର ନୀଳମଣି ସାହୁ କହିଲେ, ସମାଜବାଦୀ ଆନ୍ଦୋଳନରେ ଅଧିକରୁ ଅଧିକ ଲୋକ ଅଂଶଗ୍ରହଣ କଲେ ଆଜିକାର ଗଣମାଧ୍ୟମ ତାହାକୁ କେବେ ଅଣଦେଖା କରିପାରିବ ନାହିଁ । ଉଚ୍ଚାରଣ ଅପେକ୍ଷା ଆଚରଣ ଉପରେ ଗୁରୁତ୍ୱ ଆରୋପ ମଧ୍ୟ କରିଥିଲେ ।

ପ୍ରଥମେ ଜନତନ୍ତ୍ର ସମ୍ପାଦକ ବିବେକାନନ୍ଦ ଦାଶ ଆଲୋଚନା ଆରମ୍ଭ କରି କହିଲେ, ଭାରତର ଦୁଇ ମୁଖ୍ୟ ଦଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ସମାଜବାଦ ପ୍ରତି ଅଙ୍ଗୀକାରବଦ୍ଧ ବୋଲି ଘୋଷଣା କରିଛନ୍ତି ।

ଆମ ସମ୍ବିଧାନ ବି ମୁଖବନ୍ଧରେ କହିଛି ଯେ, ଭାରତ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର । ଅଥଚ, ସମାଜବାଦକୁ ନୀରବରେ କବର ଦିଆ ହୋଇଯାଇଛି ।

ସଭାରେ ଅଧ୍ୟକ୍ଷତାକରି କାର୍ଯ୍ୟନିର୍ବାହୀ ସମ୍ପାଦକ ବାସୁଦେବ ମହାପାତ୍ର କହିଲେ, କପୋରେଟ ସିଟିଜେନସିପ ନାମରେ କର୍ପୋରେଟ ହାଉସ ବ୍ୟକ୍ତି ଓ ମାନବିକ ଅଧିକାରକୁ କବଜା କରିବା ଆରମ୍ଭ କରିଛନ୍ତି । ତେବେ, ଗଣମାଧ୍ୟମ ନୈତିକତା ଓ ଦାୟିତ୍ୱବୋଧ ବଜାୟ ରଖି କାମକଲେ ହୁଏତ ଏଭଳି ଆଲୋଚନାର ଆବଶ୍ୟକତା ରହିବନାହିଁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଗଣମାଧ୍ୟମ, ସମାଜବାଦ, ସମ୍ବିଧାନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ