• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସରକାର

ଉତ୍ତରଦାୟୀତ୍ୱରୁ ଓହରି ଯାଉଛନ୍ତି ସରକାର

May 14, 2018 by ଘାସିରାମ ପଣ୍ଡା Leave a Comment

ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବୀଧାନିକ ବିଧି ବ୍ୟବସ୍ଥା ଆଧାରରେ ନାଗରିକଙ୍କ ପ୍ରତି ନିର୍ବାଚିତ ସରକାରଙ୍କ ଉତ୍ତରଦାୟୀତ୍ୱ ନ୍ୟସ୍ତ କରାଯାଇଛି । ସମସ୍ତଙ୍କ ପାଇଁ ଶିକ୍ଷା, ସ୍ଵାସ୍ଥ୍ୟ , ଗମନାଗମନ ପରି ମୌଳିକ ସେବା ପାଇଁ ଭିତ୍ତିଭୂମି ତିଆରି ଓ ପରିଚାଳନା କରିବା ତାରି ଭିତରୁ ଏକ ପ୍ରମୁଖ ଦାୟୀତ୍ୱ । ଆମ ରାଜ୍ୟ ପରିପ୍ରେକ୍ଷିରେ ଯଦି ଆଲୋଚନା କରିବା, ନିକଟର କିଛି ଘଟଣାବଳି ପ୍ରମାଣିତ କରୁଛି ଯେ, ସରକାର ଇଚ୍ଚାକୃତଭାବେ ଏସବୁରୁ ଓହରି ଯାଉଛନ୍ତି ।

ଏହା ଦ୍ୱାରା ବେସରକାରୀ ଓ ଲାଭଖୋର ଅନୁ ନମାନେ ପ୍ରତ୍ୟକ୍ଷ ଅବା ପରୋକ୍ଷରେ ପ୍ରୋତ୍ସାହିତ ହେଉଛନ୍ତି । ସରକାରୀ ଅନୁ ।ନ ଠିକ ନୁହେଁ ଓ ଘରୋଇ ପରିଚାଳିତ ଅନୁ ।ନମାନେ ଭଲ ଏପରି ଏକ ଇଚ୍ଛାକୃତ ଭ୍ରମ ସୃଷ୍ଟି କରାଯାଉଛି । ରାଜ୍ୟରେ ପ୍ରାଥମିକ ଶିକ୍ଷାର ସ୍ଥିତି ଏହାର ଏକ ନଗ୍ନ ଉଦାହରଣ । ଗୋଟିଏ ପାଶ୍ୱର୍ରେ ପିଲାଙ୍କ ଅଭାବ ଦର୍ଶାଇ ଗତ ଦୁଇ ବର୍ଷରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରାୟ ୧୫୦୦ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇ ସାରିଲାଣି ।

ଆଗାମୀ ଦିନରେ ଆହୁରି ବିଦ୍ୟାଳୟ ବନ୍ଦ ହେବାର ଆଶଂକା ଅଛି । ଅପରପକ୍ଷରେ ଗାଁ ଗହଳି, ସାହି ବସ୍ତି ସବୁଠି ଘରୋଇ ପରିଚାଳିତ ବିଦ୍ୟାଳୟ ବ୍ୟାପକ ଭାବେ ଖୋଲିଚାଲିଛି । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ନିର୍ଦ୍ଦିଷ୍ଟ ମାନ ପୁରଣ ଆଧାରରେ ସ୍ୱୀକୃତି ପ୍ରମାଣ ପତ୍ର ପାଇଲେ ଯାଇ ଏହି ବିଦ୍ୟାଳୟ ପରିଚାଳିତ ହେବାକଥା । ହେଲେ ରାଜ୍ୟରେ ଏବେ ବି ଚାରି ହଜାରରୁ ଉଦ୍ଧ୍ୱର୍ ଘରୋଇ ବିଦ୍ୟାଳୟ ବିନା ସ୍ୱୀକୃତି ପ୍ରମାଣ ପତ୍ରରେ ଚାଲିଥିଲେବି କହିବାକୁ କେହି ନାହାନ୍ତି ।

ଯେତେବେଳେ କେହି କିଛି ପଦକ୍ଷେପ ନେବାକୁ ଚାହିଁଛନ୍ତି ସଂଘ ଗଠନକରି ତାକୁ ପ୍ରତିରୋଧ କରାଯାଇଛି । ଘରୋଇ ବିଦ୍ୟାଳୟରେ ଅଘଟଣର ଅଭିଯୋଗ ଆସିଲେ ସରକାର କାର୍ଯ୍ୟାନୁ ।ନ ନେବା ବଦଳରେ ହାତଟେକି ବସୁଛନ୍ତି । ମାନ ପୁରଣ କରୁନଥିବା ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ଶିକ୍ଷା ଅଧିକାର ଆଇନରେ ବ୍ୟବସ୍ଥା ଅଛି ।

ବେଆଇନ ଭାବେ ପରିଚାଳିତ ଏହି ଘରୋଇ ବିଦ୍ୟାଳୟମାନେ ବନ୍ଦ ହୋଇଗଲେ ଏସବୁରେ ପଢୁଥିବା ପିଲାଙ୍କୁ ଅନ୍ୟ କୌଣସି ବିଦ୍ୟାଳୟରେ ଥଇଥାନ କରିବା ଭଳି ବ୍ୟବସ୍ଥା ସରକାରଙ୍କ ନାହିଁ । ପିଲାଙ୍କ ସ୍ୱାର୍ଥର ଦ୍ୱାହି ଦେଇ ଏହି ସବୁ ବିଦ୍ୟାଳୟମାନଙ୍କୁ ବେଆଇନ ଭାବେ କାର୍ଯ୍ୟକରିବା ପାଇଁ ଛାଡି ଦିଆଯାଉଛି । ଏପରି ହେଲେ ଗୋଟିଏପଟେ ସରକାରୀ ବିଦ୍ୟାଳୟ ବନ୍ଦ ହେବ ଏବଂ ବେସରକାରୀ ଅନୁ ।ନ ହାତକୁ ଶିକ୍ଷା ଚାଲିଯିବ ।

ସ୍ଵାସ୍ଥ୍ୟ  ସେବା କ୍ଷେତ୍ରରେ ମଧ୍ୟ ଅବସ୍ଥା ତଦୃପ । ସରକାରୀ ଡାକ୍ତରଖାନାରେ ଚିକିତ୍ସାର ମାନ କମୁଛି । ଅଥଚ ସେହି ଡାକ୍ତର ଘରୋଇ ପରିଚାଳନାରେ ଥିବା ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରୁଛି । ବଡ ବଡିଆ ଅଫିସର, ରାଜନେତାମାନେ ବି ଆଉ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉ ନାହାନ୍ତି । ଫଳରେ ସାଧାରଣ ଲୋକଙ୍କ ସରକାରୀ ଡାକ୍ତରଖାନା ଉପରେ ବିଶ୍ୱାସ ରହୁନାହିଁ ।

ଏହାର ସୁଯୋଗ ନେଇ ପୁଞିପତି ମାନେ ଡାକ୍ତରଖାନା ଖୋଲୁଛନ୍ତି । ଏମାନେ କାହାରି ନିୟନ୍ତ୍ରଣରେ ନାହନ୍ତି । ନିକଟରେ ଏକ ଡାକ୍ତରଖାନାରେ ନିଆଁ ଲାଗି ଲୋକେ ପ୍ରାଣ ହରେଇଲା ପରେ କିଛି ହଇଚଇ ହେଲା । ଗଣମାଧ୍ୟମର ଚାପ ଓ ଲୋକଙ୍କ ଆକ୍ରୋଶ ହେତୁ ମାଲିକ ଧରା ପଡିଲେ । ହେଲେ ସାରା ରାଜ୍ୟର ବେସକାରୀ ବୈଷୟୀକ ଶିକ୍ଷା ଅନୁ ।ନମାନେ ସଂଘବଦ୍ଧ ଭାବେ ଏହାକୁ ବିରୋଧ କଲେ ।

ସରକାର ଚାପର ବସବର୍ତ୍ତି ହୋଇ ମାଲିକଙ୍କୁ ମୁକୁଲେଇବାକୁ ବାଧ୍ୟ ହେଲେ । ତଦାରଖ ପ୍ରକ୍ରିୟା ମଧ୍ୟ ଧିମେଇଗଲା । ଏବେ ଆମ ରାଜ୍ୟରେ ସରକାରୀ ଡାକ୍ତରଖାନାର ସଜ୍ୟା ସଂଖ୍ୟା ତୁଳନାରେ ବେସରକାରୀ ଡକ୍ତରଖାନାରେ ଅଧିକ ସଜ୍ୟା ରହିଛି । ଏହାର ଅର୍ଥ ବେସରକାରୀ ଅନୁ ।ନମାନଙ୍କ ନିୟନ୍ତ୍ରଣକୁ ଶ୍ୱାସ୍ଥ୍ୟ ବ୍ୟବସ୍ଥା ଯାଇ ସାରିଲାଣି ।

ନୀତି ନୀୟମ ମାନୁନଥିବା ଡାକ୍ତରଖାନା ବିରୁଦ୍ଧରେ କାର୍ଯ୍ୟାନୁ ।ନ ହେଲେ ସଂଘ ବିରୋଧ କରି କାର୍ଯ୍ୟ ବନ୍ଦ କରିବ ଓ ରାଜ୍ୟରେ ସ୍ଵାସ୍ଥ୍ୟ ସେବା ଠପ ହୋଇଯିବ । ଏପରି ସ୍ଥିତିରେ ସରକାର ଅସହାୟ ନୁହନ୍ତକି? କାଁ ଭାଁ କିଛି ସରକାରୀ ବସକୁ ଛାଡିଦେଲେ ସମସ୍ତ ପ୍ରକାରର ଗମନାଗମନର ମାଧ୍ୟମ ଯଥା ବସ, କାର, ଅଟୋ ଇତ୍ୟାଦି ବ୍ୟକ୍ତି ମାଲିକାନାରେ ଚାଲିଛି ।

ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ ନୀତି ନୀୟମ ଓ ପ୍ରଶାସନିକ ବ୍ୟବସ୍ଥା ଅଛି । ଏହା ସତ୍ୱେ ଅଧିକ ମାତ୍ରାରେ ଯାତ୍ରି ପରିବହନ, ଫିଟନେସର ଅଭାବ, ଅଣ ତାଲିମ ପ୍ରାପ୍ତ ଚାଳକ ହେତୁ ପ୍ରତି ବର୍ଷ ଅନେକ ଧନ ଜୀବନ ନଷ୍ଟ ହେଉଛି । ନିକଟରେ ଦେବଗଡ ଓ ଅନୁଗୁଳ ରାସ୍ତାରେ ଘଟିଥିବା ଦୁର୍ଘଟଣା ରାଜ୍ୟକୁ ଦୋହଲାଇ ଦେଇଥିଲା । ସରକାର ତତ୍ପରତା ପ୍ରକାଶ କଲେ ।

ଦୁର୍ଘଟଣା ସ୍ଥଳରୁ ଉଦ୍ଧାର ଏବଂ ତ୍ୱରୀତ ଚିକିତ୍ସା ଉପଲବ୍ଧ କରାଯିବା ଫଳରେ କିଛି ଜୀବନ ବଂଚାଯାଇ ପାରିଲା । ହେଲେ ଦୁର୍ଘଟଣାକୁ ରୋକିବା ଓ ଦୋଶୀକୁ ଦଣ୍ଡ ଦେବାରେ ସରକାର ବିଫଳ ହେଲେ । ଦୁର୍ଘଟଣା ଘଟେଇଥିବା ଡ୍ରାଇଭରର ଗିରଫ ପ୍ରତିବାଦରେ ସାରା ରାଜ୍ୟରେ ଘରୋଇ ପରିବାହନକୁ ଠପ କରି ଦିଆଗଲା । ଏ ତିନୋଟି ଘଟଣା ଗୋଟିଏ କଥା ସୁଚାଉଛି ।

ବେସରକାରୀ ଅନୁ ।ନ ମାନେ ସଂଖ୍ୟାଧିକ ହେଲେଣି ଓ ସେହି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିର୍ଭରଶୀଲତା ତିଆରି କରିସାରିଲେଣି । ଏଣୁ କାର୍ଯ୍ୟାନୁ ।ନ ନେବାକୁ ଚାହିଁଲେବି ସଂଘ ବଦ୍ଧ ଶକ୍ତି ଓ ସେବା ବନ୍ଦ ହେବା ଭୟରେ ସରକାର କିଛି କରି ପାରୁ ନାହାନ୍ତି । କୌଣସି ବି ଜାଗାରେ ସରକାର ନିଜର ଉତ୍ତରଦାୟୀତ୍ୱରୁ ଓହରି ଗଲେ ପୁଞିପତିମାନେ ତାର ଫାଇଦା ନିଅନ୍ତି ।

ଏହା ସେବା କୁ ବ୍ୟବସାୟରେ ପରିଣତ କରିବାର ସୁଯୋଗ ଯୋଗାଏ । ଏପରି କ୍ଷେତ୍ରରେ ସେବା ଗ୍ରହଣ କାରି ଉପଭୋକ୍ତା ଶୋଷଣର ଶିକାର ହେଲେବି ପ୍ରତିବାଦ କରିବାର ଅବସର ପାଏନାହିଁ । ଆର୍ଥିକ ଅସ୍ୱଚ୍ଛଳ ବର୍ଗ ଏଥିରେ ବିଶେଷ ପ୍ରଭାବିତ ହୁଅନ୍ତି । ଏଣୁ ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ସରକାର ସମ୍ବିଧାନ ସ୍ୱୀକୃତ ନିଜ ଉତ୍ତର ଦାୟିତ୍ୱରୁ ଓହରି ଯିବା ଆଦୌ ଶୁଭଙ୍କର ନୁହେଁ ।

ନାଗରିକ ମାନଙ୍କୁ ସର୍ବନିମ୍ନ ମୌଳିକ ସେବା ପ୍ରଦାନକୁ ବୋଝ ନ ଭାବି ଏଥିପାଇଁ ଉପଯୁକ୍ତ ବ୍ୟୟ ବରାଦ କରାଯାଇ ପାରିଲେ ସାର୍ବଜନୀନ ବ୍ୟବହାର ଉପଯୋଗୀ ଭିତ୍ତିଭୂମୀ ପ୍ରସ୍ତୁତ ହୋଇ ପାରିବ । ଏହା ସାଧାରଣ ନାଗରିକଙ୍କ ପାଇଁ ସ୍ୱାଭୀମାନପୂର୍ଣ୍ଣ ଜୀବନ ବଂଚିବାରେ ସହାୟକ ହେବ ।

ଘାସିରାମ ପଣ୍ଡା

Filed Under: ରୋକ ଠୋକ Tagged With: ବୈଷୟୀକ ଶିକ୍ଷା, ସରକାର, ସ୍ଵାସ୍ଥ୍ୟ

କାଶ୍ମୀରରୁ ସ୍ପଷ୍ଟ ବାର୍ତା

April 24, 2017 by ଓଡିଶା ଡଟ କମ Leave a Comment

ଦୀର୍ଘଦିନ ଧରି ଭାରତୀୟମାନଙ୍କ ମନରେ ଏହି ବିଶ୍ୱାସ ଦିଆଯାଇ ଆସିଥିଲା ଯେ କାଶ୍ମୀର ଉପତ୍ୟକାରେ ନିର୍ବାଚନ ଦିନ ଭାରି ସଂଖ୍ୟାରେ ଯେଉଁ ଲୋକମାନେ ଆସନ୍ତି ତାହା ସେମାନଙ୍କ ମନର ସ୍ଥିତିକୁ ସଠିକ ମାପିବା ପାଇଁ ଏକ ସୂଚକାଙ୍କ ।

ଆମେ କେତେ ସଂଖ୍ୟକ ଲୋକ ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ହିସାବ ନକରି କେବଳ ଭୋଟରମାନେ ନିର୍ବାଚନରେ ଭାଗ ନେବା କଥାଟିକୁ ଅଧିକ ଗୁରୁତ୍ୱ ଦେଲେ । ଏ ବିଶ୍ୱାସ ବି ଆମ ଭିତରେ ସୃଷ୍ଟି କରାଗଲା ଯେ ପାଶବିକ ଶକ୍ତି ପ୍ରୟୋଗ କରି ପଦାଘାତ କରିବା ସତ୍ୱେ କାଶ୍ମୀରବାସୀ ତଥାପି ବି ବାହାରକୁ ଆସି ଭୋଟ ଦେବେ ।

ଶ୍ରୀନଗର ସଂସଦୀୟ ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ ୯, ୨୦୧୭ରେ ହେଇଥିବା ଉପନିର୍ବାଚନରେ ଅତି ନଗଣ୍ୟ ଅର୍ଥାତ ଶତକଡ଼ା ୭-୧୪ ଭାଗ ଭୋଟଦାନ ଏବଂ ଠିକ୍ ସେହି ଦିନ ହିଂସାରେ ୮ଜଣ ଯୁବ ବିକ୍ଷୋଭକାରୀଙ୍କ ମୃତ୍ୟୁ ତଥା ୨୦୦ କ୍ଷତବିକ୍ଷତ ହେବା ବାସ୍ତବ କଥାଟି କ’ଣ ଆମକୁ ସୂଚାଇ ଦେଉଛି ।

ଏହା କାଶ୍ମୀରବାସୀଙ୍କର ସ୍ପଷ୍ଟ ବକ୍ତବ୍ୟକୁ ବଳିଷ୍ଠ ଭାବେ ପ୍ରତିପାଦନ କରୁଛି ଯେ ଭାରତୀୟ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ପ୍ରତି ସେମାନଙ୍କର ମୋହଭଙ୍ଗ ଘଟିଛି । ଆମକୁ ସ୍ୱୀକାର କରିବାର ଆବଶ୍ୟକତା ଅଛି ଯେ କାଶ୍ମୀରରେ ଅନୁଷ୍ଠିତ ନିର୍ବାଚନଗୁଡ଼ିକରେ ଭୋଟରମାନଙ୍କ ଅଂଶଗ୍ରହଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭେଦ ଅଛି ।

ସବୁଠାରୁ ଅଧିକ ଭୋଟର ଅଂଶଗ୍ରହଣ ସ୍ଥାନୀୟ ସ୍ୱଶାସନ ସଂସ୍ଥାମାନଙ୍କ ନିର୍ବାଚନରେ ଦେଖିବାକୁ ମିଳୁଥିବାବେଳେ ସବୁଠାରୁ କମ୍ ଭୋଟ ପଡ଼ିଥାଏ ସଂସଦ ପାଇଁ ହେଉଥିବା ନିର୍ବାଚନ ବେଳେ । ଏଥିରୁ ଜଣାପଡ଼ୁଛି କାଶ୍ମୀରବାସୀଙ୍କର ଏହି ସବୁ ରାଜନୈତିକ ଅନୁଷ୍ଠାନମାନଙ୍କରେ କେଉଁଭଳି ବିଶ୍ୱାସ ରହିଛି ଏବଂ ସେମାନଙ୍କର ରାଜନୈତିକ ପ୍ରାସଙ୍ଗିକତା କ’ଣ ରହିଛି?

ଅଧିକ ସଂଖ୍ୟାରେ ସ୍ଥାନୀୟ ସଂସ୍ଥାମାନଙ୍କ ନିର୍ବାଚନରେ ଭାଗନେବା କଥାଟି ସେମାନଙ୍କର ଦୈନନ୍ଦିନ ଅସୁବିଧାଗୁଡ଼ିକର ସୁଧାର ପାଇଁ ରହିଥିବା ଇଚ୍ଛାଟିକୁ ପ୍ରତିଫଳିତ କରୁଛି ।

ବିଧାନସଭା ନିର୍ବାଚନରେ ସେମାନେ ଏକଥା ଜାଣିକି ବି ଭାଗ ନିଅନ୍ତି ଯେ, ରାଜନୈତିକ ସଙ୍କଟର ଅବସାନ ନ କରାଇ ଦଶନ୍ଧି ଦଶନ୍ଧି ଧରି ଯେଉଁ ନିର୍ଯାତନା କାଶ୍ମୀରବାସୀଙ୍କ ଉପରେ ଚାଲିଛି, ତା’ର ପରିଣାମଗୁଡ଼ିକୁ ଉପଶମ କରିବା କ୍ଷେତ୍ରରେ ରାଜ୍ୟ ସରକାରଟି କାମ କରିବ ।

ସଂସଦ ପାଇଁ ନିର୍ବାଚନରେ ଭୋଟ ଦେବାଟି ପୁରା ଭିନ୍ନ । ସଂଖ୍ୟାଧିକ କାଶ୍ମୀରବାସୀଙ୍କ ପାଇଁ ଭାରତର ସଂସଦ ସେଇ ଆବେଦନଟି ହରାଇ ବସିଛି ୧୯୯୩ ମସିହାରୁ, ଯେତେବେଳେ ଏକ ସର୍ବସ୧ତ ପ୍ରସ୍ତାବ ଗ୍ରହଣ କରାଗଲା ଯେ ଜା୧ୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ପାକିସ୍ଥାନ ଅଧିକୃତ କାଶ୍ମୀର ଉପରେ ବି ଭାରତର ଅଧିକାର ଅଛି ।

ସେହି ଏକା ସମୟରେ କାଶ୍ମୀରବାସୀଙ୍କ ଉପରେ ଚାଲିଥିବା ଅକଥନୀୟ ସାମରିକ ନିର୍ଯାତନା ଏବଂ ସେମାନଙ୍କର ଗଣତାବିକ ଦାବି ପ୍ରତି ସଂସଦ ଅଣଦେଖା କରିଥିଲେ । ବ ର୍ମାନର ସରକାର ହେଉ ବା ଅତୀତର ସରକାରମାନେ; କେହି ବି ରାଜନୈତିକ ଆଲୋଚନା ମାଧ୍ୟମରେ କାଶ୍ମୀରର ରାଜନୈତିକ ସଙ୍କଟର ସମାଧାନ ପାଇଁ ବ୍ୟଗ୍ରତା ଦେଖାଇ ନାହାନ୍ତି ।

ସମ୍ବିଧାନ ଦ୍ୱାରା ପ୍ରଦତ ସ୍ୱାୟତତାକୁ ଖୋଳତାଡ଼ କରିବା ପରେ ଏବଂ ଏପରି କରିଛନ୍ତି ବୋଲି ୧୯୬୪ରେ ସଂସଦରେ ବାହାବା ନେବା ପରେ, କାଶ୍ମୀରର ସ୍ୱାୟତତା କିଛି ଅଛି ବିଶ୍ୱାସ କରିବା ଲୋକ କାଶ୍ମୀରରେ ଆଉ ନାହାନ୍ତି; ଏକଥା ବି କହିହେବ ଯେ, ଭାରତରେ ବି କେହି ଏକଥାକୁ ବିଶ୍ୱାସ କରନ୍ତି ନାହିଁ ।

ଏମିତିକି ଭାରତ ସରକାର ରଖିଥିବା ଯୁକ୍ତିର ତାର୍କିକ ସୀମା ଭିତରେ ଏକଥା ବି ଦେଖି ହେଉଛି ଯେ ୧୯୯୮ରେ ଶତକଡ଼ା ୭୦ରୁ ୮୦ଭାଗ କାଶ୍ମୀରବାସୀ ନିର୍ବାଚନ ପ୍ରତ୍ୟାଖ୍ୟାନ କରିବା ଦିନଠାରୁ କାଶ୍ମୀର ଉପତ୍ୟକାରେ ହେଉଥିବା ସଂସଦୀୟ ନିର୍ବାଚନଗୁଡ଼ିକରେ ଲୋକଙ୍କର ଆଗ୍ରହ କମି କମି ଯାଉଛି ।

ଏହି ସଂଖ୍ୟାଟି ଆଜି ଶତକଡ଼ା ୯୩ ଭାଗରେ ପହଂଚିଛି, ଯାହା ୨୦୧୪ରେ ଶତକଡ଼ା ୭୪ଭାଗ ଥିଲା । ଜଣାପଡ଼ୁଛି ଯେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଚାଲିଥିବା ସରକାର ଅମଳରେ ଭାରତ ପ୍ରତି ଆସ୍ଥାଥିବା କାଶ୍ମୀରବାସୀଙ୍କ ସଂଖ୍ୟାରେ ଦୃତ ହ୍ରାସ ଘଟିଚାଲିଛି ।

ନରେନ୍ଦ୍ର ମୋଦୀ ଭାରତରେ ଥିବା ଧର୍ମାନ୍ଧ ଓ ଅନ୍ଧ ରାଷ୍ଟ୍ରବାଦୀମାନଙ୍କୁ ମୋହିତ କରିବା ପାଇଁ ‘ଆତଙ୍କବାଦ ଅବା ପର୍ଯ୍ୟଟନ’ ଭଳି କିଛି ଶବ୍ଦ ଜାଲର ପ୍ରୟୋଗ କରିପାରନ୍ତି, କିନ୍ତୁ କାଶ୍ମୀରରେ ଏହାର କୌଣସି ପ୍ରଭାବ ରହିବ ନାହିଁ ।

ଦୁଃଖ ଲାଗେ ଯେତେବେଳେ ସରକାରଟି ନିଜ ରଚିତ ପ୍ରହେଳିକାକୁ ନିଜେ ବିଶ୍ୱାସ କରି ପ୍ରଚାର କରିବସେ ଯେ, କାଶ୍ମୀରରେ ଯାହା ସବୁ ଭୁଲ୍ ଘଟିଚାଲିଛି ସେଥିପାଇଁ ପାକିସ୍ଥାନ ଦାୟୀ ଏବଂ କାଶ୍ମୀରରେ ପର୍ଯ୍ୟଟନର ଚକ ଗଡ଼ି ଚାଲିଲେ ଓ ଯୁବକମାନଙ୍କୁ ନିଯୁକ୍ତି ମିଳିଲେ ସବୁ ସମସ୍ୟାର ସମାଧାନ ହୋଇଯିବ ।

ଏଭଳି ଏକ ଅବଧାରଣା ସରକାରଙ୍କ ସହ ଦୃଢ଼ ଭାବେ ରହିଆସିଥିବା ସ୧ାନଷ୍ପଦ ବ୍ୟକ୍ତିମାନେ ପ୍ରଶ୍ନ କରି ଆସିଛନ୍ତି, ଯେଉଁମାନଙ୍କ ଭିତରେ ଅଛନ୍ତି କ୍ୟାବିନେଟ୍ ମବୀଗଣ, ଭାରତୀୟ ସେନାଧ୍ୟକ୍ଷଗଣ ଓ ଜଣେ ଜାତୀୟ ସୁରକ୍ଷା ପରାମର୍ଶଦାତା ।

ସେମାନେ ସମଗ୍ର ଉଗ୍ରବାଦୀମାନଙ୍କର ଦେଶୀ ଚରିତ୍ର ଉପରେ ଧ୍ୟାନ ଆକର୍ଷଣ କରିଛନ୍ତି ଏବଂ ଉଦ୍ଦେଶ୍ୟମୂଳକ ଭାବେ ରାଜନୈତିକ ଆପୋଷ ଆଲୋଚନା ଆରମ୍ଭ କରିବା ପାଇଁ ଯୁକ୍ତି ରଖିଥିଲେ । ଦୁର୍ଭାଗ୍ୟବଶତଃ ଦିଲ୍ଲୀରେ ଥିବା ସରକାରଟି କାଶ୍ମୀର ନୀତିରେ ନିଜର ବିଜ୍ଞତାର ଅଭାବ ଦେଖାଇ ଆସିଛନ୍ତି ।

ନୀତି ଓ ମତାମତ ନିର୍ଦ୍ଧାରକମାନେ ଯେଉଁମାନେ ପାକିସ୍ଥାନର ପ୍ରତିନିଧିତ୍ୱ କରୁଛନ୍ତି ବୋଲି କାଶ୍ମୀରବାସୀଙ୍କୁ ଦ୍ୱାହି ଦିଅନ୍ତି ଏବଂ ‘ମୁସ୍ଲିମ ଅସ୍ମିତା’ ସେମାନେ ପ୍ରତିପାଦନ କରିବା ପାଇଁ ତତ୍ପର ରହୁଥିବା କଥାରେ ଭୁଲ୍ ଦେଖନ୍ତି, ଏକଥାଟିକୁ ଦେଖିବାରେ ବିଫଳ ହୋଇଥାନ୍ତି ଯେ ଭାରତୀୟ ରାଷ୍ଟ୍ର ନିର୍ଣ୍ଣାୟକ ଭାବେ ଭାରତରେ ମୁସଲମାନମାନଙ୍କ ବିରୁଦ୍ଧରେ ଯାଉଛି ।

ନିକଟରେ ଜା୧ୁର ବାଣିଜ୍ୟ ଓ ଶିଳ୍ପ ସଂଘର ସଭାପତି ରାକେଶ ଗୁପ୍ତା ଲୋକମାନଙ୍କୁ ଯେଉଁଭଳି ଡାକରା ଦେଇଛନ୍ତି ଯେ, ‘ରୋହିଙ୍ଗା ଓ ବାଂଲାଦେଶୀ ମୁସଲମାନମାନଙ୍କୁ ଚିହ୍ନଟ କର ଓ ମାର’-ଏଭଳି ଏକ ବକ୍ତବ୍ୟକୁ ବିଚାରକୁ ନିଆଯାଉ ।

ଏଇଟା କେବଳ ଏକ ପୃଥକ ଘଟଣା ନୁହେଁ, ଦେଶର ଅଧିକାଂଶ ଭାଗରେ ଯେଉଁଭଳି ମୁସଲମାନବିରୋଧୀ ନଗ୍ନ ନାରାବାଜି ବଢ଼ିଚାଲିଛି ଏହି ଘଟଣାଟି ତା’ର ଏକ ପ୍ରତିଫଳନ ମାତ୍ର । ଏକଥା ମନେ ରଖିଥିବା ଉଚିତ ଯେ କାଶ୍ମୀରର ସଡ଼କମାନଙ୍କରେ ଏବେ ଯେଉଁ ମାନସିକ ସ୍ଥିତି ଦେଖାଯାଉଛି ସେଥିରେ ଭରି ରହିଛି କ୍ରୋଧ ଓ ଅବମାନନା ।

ଯେତେବେଳେ କି ଗୁଳି ଓ ରବର ଗୁଳିରେ କ୍ଷତ ସହୁଥିବା ଲୋକଙ୍କ ସଂଖ୍ୟା ପାହାଡ଼ ଆକାରରେ ଠୁଳ ହେଲାଣି, କାଶ୍ମୀର ଜନସଂଖ୍ୟାର ଗୋଟିଏ ବଡ଼ ଭାଗ ବିଶେଷକରି ଯୁବକମାନଙ୍କର ହୃଦ୍ବୋଧ ହେଲାଣି ଯେ, ଭାରତ ସରକାର କେବଳ ସଶସ୍ତ୍ର ବିରୋଧର ଭାଷା ହିଁ ବୁଝିପାରୁଛନ୍ତି ।

ମୁକାବିଲା ଚାଲିଥିବା ସ୍ଥାନରେ ଭାରି ସଂଖ୍ୟାରେ ଲୋକେ ଠୁଳ ହେବା, ପୁଣି ଯେତେବେଳେ କି କାର୍ଯ୍ୟାନୁଷ୍ଠାନ ଚାଲିଛି, କେବଳ ବନ୍ଧୁକଧାରୀ ନିଜ ଲୋକମାନଙ୍କୁ ସହାୟତା କରିବା ପାଇଁ ବା ବଂଚାଇବା ପାଇଁ, କାଶ୍ମୀରବାସୀଙ୍କ ଏଭଳି ଏକ ବିଶ୍ୱାସ ପ୍ରତି ଇଙ୍ଗିତ କରୁଛି ଯେ, ହିନ୍ଦୁ ସଂଖ୍ୟାଗରିଷ୍ଠଙ୍କ ନେତୃତ୍ୱର ଖୋଲାଖୋଲି ଚାଲିଥିବା ଭାରତ ସେମାନଙ୍କର ବଂଚିରହିବା ପାଇଁ ଏକ ପ୍ରତିବନ୍ଧକ ସାଜିଛି ।

ପ୍ରଚାର ଚଳାଇ ଆସିଥିବା ଲୋକଙ୍କ ତତ୍ୱ ଯେ କେତୋଟି ଟଙ୍କା ପାଇଁ କାଶ୍ମୀର ଯୁବକ ବନ୍ଧୁକ ଧରୁଛନ୍ତି, ତାହା ଗ୍ରହଣଯୋଗ୍ୟ ଯୁକ୍ତି ନୁହେଁ । କେତୋଟି ଟଙ୍କା ପାଇଁ ଜଣେ ମୃତ୍ୟୁବରଣ କରିବା ବା ସାରା ଜୀବନ ପଙ୍ଗୁ ହୋଇଯିବ! କାଶ୍ମୀର ଯୁବକଙ୍କ ପାଖରେ ନିଜର ଆଜାଦୀ ଦାବି ଉପସ୍ଥାପନ ପାଇଁ ଆଉ କୌଣସି ଉନ୍ମୁକ୍ତ କ୍ଷେତ୍ର ନାହିଁ ।

ଭାରତୀୟ ରାଷ୍ଟ୍ରପ୍ରତି ଲୋକଙ୍କର କ୍ରୋଧ ଏବଂ ମୋହଭଙ୍ଗ ହେବାର କାରଣଗୁଡ଼ିକ ଅତୀତର ଏହି କେତୋଟି ଘଟଣା ଦେଖିଲେ ଜଣାପଡ଼ିଯାଏ; ଜା୧ୁରେ ଗୋ-ରକ୍ଷକମାନଙ୍କ କାର୍ଯ୍ୟକଳାପ, ଗୋଟିଏ ଉପଦ୍ରୁତ ଅ ଳ ବୋଲି ଘୋଷଣା କରାଯାଇଥିବା ସାର୍ବଜନୀନ ସ୍ଥାନରେ ଖୋଲାଖୋଲି ଅସ୍ତ୍ର ପ୍ରଦର୍ଶନ କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ଅନୁମତି ଦେବା, ସେପ୍ଟେମ୍ବର ୨୦୧୪ର ପ୍ରଳୟଙ୍କାରୀ ବନ୍ୟା ପରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ଜାଣିଶୁଣି ରିଲିଫ ଓ ଥଇଥାନ ସେବା ଯୋଗାଇବାରେ ବିଳମ୍ବ କରିବା ଏବଂ ଜୁଲାଇ ୮, ୨୦୧୬ରେ ବୁରହାନ୍ ୱାନୀଙ୍କ ହତ୍ୟା ପରେ ସାଧାରଣ ନାଗରିକମାନେ ଯେଉଁଭଳି କ୍ଷତି ସହି ଆସିଛନ୍ତି ଇତ୍ୟାଦି ।

ସମୟ ଆସିଛି, ଭାରତୀୟମାନେ ବୁଝିବା ଦରକାର ଯେ କାଶ୍ମୀର ସମସ୍ୟାଟି ଆମ ଭିତରେ ଅଛି, ପାକିସ୍ଥାନରେ ନୁହେଁ ।

ଏକଥା ବି ବୁଝିବା ଦରକାର ଯେ, ଭାରତ ଏବଂ ଭାରତର ନାଗରିକ ସମାଜ ସହ କାଶ୍ମୀରବାସୀଙ୍କର ଗଭୀରଭାବେ ମୋହଭଙ୍ଗ ହେଇଥିବା ଭଳି ସରଳ ସତ୍ୟଟିକୁ ସ୍ୱୀକାର କରିବା ପାଇଁ ଆମେ ସାମୂହିକ ଭାବେ ପ୍ରସ୍ତୁତ ନୁହନ୍ତି ଏହା ହେଉଛି ସେମାନଙ୍କର ଆମପାଇଁ ବାର୍ତା ଯେଉଁ ଶତକଡ଼ା ୯୩ଭାଗ ଲୋକ ଶ୍ରୀନଗର ଉପନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

April 15, 2017 VOL L II NO 15 (Clear Message from Kashmir)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: କାଶ୍ମୀର, ସରକାର

ରଙ୍ଗବତୀର ମହା ନାୟକ ଓ କେତେକ ବ୍ୟଥା

June 21, 2016 by ନିଉଜ ଡେସ୍କ Leave a Comment

jitendriya-haripal

ରାଜୀବ ସଗରିଆ

I never think of myself as a professional. I am an artist, not a performer. This is a pride, not a profession. It is art, not employment. It is a Dom tradition too. What the people on radio and television call Sambalpuri geet is gaana. The music of the Gaana people, of the Dom people. (ଶ୍ରୀ ଜିତେନ୍ଦ୍ରିୟ ହରିପାଲ, ଦି ହିନ୍ଦୁ- ମଇ ୨୭, ୨୦୦୧ ରବିବାର ସଂସ୍କରଣ- ‘And the singer sings his song’ P Sainath..)

ଚାଲିଶ ବର୍ଷ ତଳର କଥା… ଆକାଶବାଣୀ ସମ୍ବଲପୁର ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ ନେଇ ଗୋଟିଏ ଗୀତର ରେକର୍ଡ଼ିଂ କଲେ ‘ରଙ୍ଗବତୀ’ । ରେକର୍ଡ଼ିଂ ସରିଲା ପରେ ଗୀତଟି ବିବାଦୀୟ ହୋଇପଡ଼ିଲା ।

ଗୀତଟିରେ ଅନେକ ନିଜ ନିଜର ନାଁ ଯୋଡ଼ିବାକୁ ଚାହିଁଲେ । ଏହି ବିବାଦ ଦୁଇବର୍ଷ ଚାଲିବା ପରେ ୧୯୭୯ ମସିହାରେ ଗୀତଟି ବାଜିଲା । ସେହି ଦିନୁ ଗୀତଟି ତାର ସ୍ଥିତି କି ଲୋକପ୍ରିୟତା ହରେଇ ନାହିଁ ।

ଅନେକ ବାଦବିବାଦ ସତ୍ତ୍ୱେ ଗୀତଟିକୁ ସବୁଠୁ ଉର୍ଦ୍ଧ୍ଵରେ ରଖି ଜନସାଧାରଣ ଏହାର ମାନ ନିର୍ଦ୍ଧାରଣ କରି ସାରିଛନ୍ତି । ରଙ୍ଗବତୀ, ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ ସବୁ ବାଦବିବାଦ ଠୁଁ ଉର୍ଦ୍ଧ୍ଵରେ ଜନମାନସର ମଉଡ଼ମଣି ହୋଇ ରହିଆସିଛନ୍ତି ।

ଜିତେନ୍ଦ୍ରିୟ ହରିପାଲଙ୍କୁ କୌଣସି ବିଶେଷଣରେ ବାନ୍ଧିରଖିବା କଷ୍ଟ । ସମ୍ବଲପୁର ରେଳଷ୍ଟେସନର ଗୋଟିଏ ଶୀତରାତି । ଗୋଟିଏ ରେକର୍ଡିଂ ପାଇଁ କଳାକାରମାନେ ଟ୍ରେନକୁ ଅପେକ୍ଷା କରିଥାନ୍ତି । ଜିତେନ୍ଦ୍ରିୟ କହିଲେ ମୋର କାମ ଅଛି ଘରକୁ ଯାଇ ଆସୁଛି ।

ଟ୍ରେନ ଆସିବା ସମୟ ହୋଇନଥାଏ । ସମ୍ବଲପୁର ରେଳ ଷ୍ଟେସନର ଅନତିଦୂରରେ ଥିବା ଗୋଟିଏ ଝୁପୁଡ଼ି ଘରକୁ ଗଲେ । ଯା’ହା କି ଜିତେନ୍ଦ୍ରିୟଙ୍କ ନିଜ ଘର । ଆଜି ବି ସପରିବାର ସେଠାରେ ରହନ୍ତି ।

ସେ ଭିତରକୁ ଯାଇ ଗୋଟିଏ ସାଲ୍(କମ୍ବଳ) ନେଇଆସିଲେ । ଷ୍ଟେସନର ଗୋଟିଏ କୋଣରେ ଶୋଇ ଶୀତରେ ଥରୁଥିବା ଗୋଟିଏ ଭିକାରୀକୁ ଘୋଡ଼ିଦେଲେ । ପୁନଃ ନିଜ ସାଥି କଳାକାରଙ୍କ ନିକଟକୁ ଆସି ଠିଆହେଲେ । କହିଲେନି ଯେ କାହିଁକି ସେ ଘରକୁ ଯାଇଥିଲେ । ଝୁପୁଡ଼ି ଘରେ ରହୁଥିବା ଜିତେନ୍ଦ୍ରିୟ ସେ ସାଲ୍ ଟିକୁ କଟକରୁ କିଣିଥିଲେ ତିନିଶହ ଟଙ୍କାଦେଇ ।

ଏହି ନିର୍ଲିପ୍ତ କଳାକାରଙ୍କ ବାପା କେନ୍ଦୁପତ୍ର ବିଭାଗର କର୍ମଚାରୀ ମାନଧାତା ହରିପାଲ । ଜନ୍ମ ଗୋଟିଏ ଦଳିତ ପରିବାରରେ । ଦଳିତ, ପଶ୍ଚିମ ଓଡ଼ିଶାର ସାମାଜିକ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ପୁଞ୍ଜି ଓ ସାମନ୍ତ ରାଜନୀତିର ନିକୃଷ୍ଟ ସ୍ତରରେ ରହିଥିବା ଏକ ନିଷ୍ପେଷିତ ଗୋଷ୍ଠୀ ।

କଥାଟିକୁ ଟିକିଏ ସ୍ପଷ୍ଟ କରାଯାଉ…

ଚାଣକ୍ୟ ‘ଅର୍ଥଶାସ୍ତ୍ର’ କହେ ଇନ୍ଦ୍ରବଣ(ପଶ୍ଚିମ ଓଡ଼ିଶାସୀମାଠୁ ଟିକିଏ ଅଧିକ) ଅଜେୟ କନ୍ଧଭୂମି । ଏହି ଅଜେୟ କନ୍ଧଭୂମି ନିଜର ରାଜନୈତିକ ମୂଲ୍ୟବୋଧକୁ ଗୋଟିଏ ଧାଡ଼ିରେ ବ୍ୟାଖ୍ୟା କରେ… ‘କନ୍ଧ ରଜା, ଡମ ପରଜା’ ।

ଡମ ସମ୍ପ୍ରଦାୟର ମୂଳ ହେଲା ବୟନ ଓ ବାଦନ । ଆଜି ବୟନ ତାର ସ୍ଥିତି ରଖିପାରି ନାହିଁ ଏବଂ ବାଦନ ତାର ସ୍ଥିତି ହରେଇବାକୁ ଯାଉଛି ।

ଊନବିଂଶ ଶତକର ଶେଷଭାଗରେ ଡମଗୋଷ୍ଠୀଙ୍କୁ ଅପରାଧୀ ଗୋଷ୍ଠୀଭାବରେ ସରକାର ଓ ରାଜତନ୍ତ୍ର ଆଇନତଃ ଘୋଷଣା କଲେ । କୌଣସି ଅପରାଧ କି ଚୋରୀ ହେଲେ ଡମପଡ଼ାକୁ ଯାଇ ଘର ଜାଳି ଦେଉଥିଲେ କି ଲୋକଙ୍କୁ ଧରି ମାଡ଼ ଦେଉଥିଲେ ।

ଜୟପୁର ରାଜତନ୍ତ୍ର ବେଠି ବେଗାଡ଼ି ଇତ୍ୟାଦି ନାମରେ ଅନେକ ପ୍ରକାରର କର ଆଦାୟ କରୁଥିଲେ । ଡମ ସମ୍ପ୍ରଦାୟର ଲୋକଙ୍କୁ କୁତିଆ, ବାହାବନ୍ଧା, ବେଠିଆ ଆଦି ନାମରେ ତାଙ୍କର ଶ୍ରମ ଶୋଷଣ କରୁଥିଲେ ।

ସେ ସମୟରେ ରାଜତନ୍ତ୍ରର ମୂଳ ଆୟ ଥିଲା ଚାଷଜମିରୁ । ଜମିର ଅଧିକ ଆୟ କରାଯିବା ଯୋଜନା ତିଆରି କରି ରାଜାମାନେ ବାହାରୁ କୃଷକ ଗୋଷ୍ଠୀଙ୍କୁ ଆଣିଲେ । ସେମାନଙ୍କୁ ବହୁ ମୂଲ୍ୟବାନ ଜମିଦେଇ ଥଇଥାନ କଲେ ।

ଫଳରେ ସ୍ଥାନୀୟ କନ୍ଧମାନେ ଉଦବାସ୍ତୁ ହେଲେ । କନ୍ଧମେଳି କରି ଆନେ୍ଦାଳନ କଲେ । ଏହି ସମୟର କଥା; ଚାଷଜମି ତିଆରି ପାଇଁ ଜଙ୍ଗଲ ସଫା କରାଗଲା । ଜଙ୍ଗଲରୁ ଏକ ବିଶେଷ ଗଛ କ’ଗଛ (ଅର୍ଜ୍ଜୁନ) ମଧ୍ୟ ବହୁସଂଖ୍ୟାରେ କଟାଗଲା ।

ଏହି ଗଛରେ ଏକ ପୋକ ରହୁଥିଲେ । ତା’ର କୋଷରୁ ଏହି ସଂପ୍ରଦାୟର ଲୋକେ ପାଟସୂତା ସଂଗ୍ରହ କରୁଥିଲେ ଯାହା ଆଉ ପରବର୍ତ୍ତୀ ସମୟରେ ସେମାନେ କରି ପାରିଲେ ନାହିଁ ଯଦିଓ  ଏହି ସୂତାରେ ତିଆରି ପାଟବସ୍ତ୍ର ସେ ସମୟରୁ ଆଜିପର୍ଯ୍ୟନ୍ତ ବିଶ୍ୱବଜାରରେ ନିଜର ସ୍ଥିତି କି ଖ୍ୟାତି ହରାଇ ନାହିଁ ।

ଫଳରେ ଏହି ବୃତ୍ତିସହ ଜଡ଼ିତ ସମ୍ପ୍ରଦାୟ ଉଦବାସ୍ତୁ ହୋଇ ଦେଶାନ୍ତର ଗଲେ । ସେହି ସ୍ଥାନକୁ ଗଲେ ଯେଉଁଠି ଏହି ଗଛର ପ୍ରାବଲ୍ୟ ଥିଲା । ଅନ୍ୟକ୍ଷେତ୍ରରେ ସମ୍ବଲପୁର ଜେଲରେ ବିଭିନ୍ନ ଆଳରେ ଡମମାନଙ୍କୁ ରଖାଗଲା ।

‘ଆସାମ ଟି ବୋର୍ଡ଼’ ନାମରେ ଏକ କାର୍ଯ୍ୟାଳୟ ସମ୍ବଲପୁରରେ ସ୍ଥାପନ କରାଗଲା । ଆସାମ ଟି ବୋର୍ଡ଼ କାର୍ଯ୍ୟାଳୟରୁ ଏହି ଦଳିତ ଡମ କଏଦୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସପରିବାର ଆସାମ ନିଆଗଲା । ଯେଉଁମାନେ ଆସାମ ଚା ବଗିଚାରେ ବେଠି ଖଟିଲେ ।…(କିଶୋର ମେହେରଙ୍କ ଗବେଷଣା ସନ୍ଦର୍ଭ)

ଏହାର ପୂର୍ବକାହାଣୀ ଏହିପରି; ଡମ ପରିବାରର ଉପସ୍ଥିତି ବିନା ଗାଁରେ କୌଣସି ଶୁଭକାର୍ଯ୍ୟ ହୋଇପାରୁନଥିଲା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ; ଜାନିଯାତ୍ରା କି ନ୍ୟାୟନିଶାପ ବେଳେ ବିନା ଡମରେ କାମ ହେଉନଥିଲା ।

ସୁତରାଂ ସଂସ୍କୃତିର ପୁରା ଦାୟିତ୍ୱ ଡମ ସମ୍ପ୍ରଦାୟ କାନ୍ଧରେ ନ୍ୟସ୍ତ ଥିଲା । ଏମାନେ କାହିଁକି ଓ କିପରି ଦଳିତ ହେଲେ, ଏହା ଗବେଷଣାସାପେକ୍ଷ ।

ଏହିପରି ଏକ ଦଳିତ ପରିବାରରେ ଜିତେନ୍ଦ୍ରିୟଙ୍କ ଜନ୍ମ । ସେହିପରି ରଙ୍ଗବତୀ ମିତ୍ରଭାନୁ ଗୌନ୍ତିଆଙ୍କ ଦ୍ୱାରା ଲିଖିତ ତିନୋଟି ଗୀତ ମଧ୍ୟରୁ ଅନ୍ୟତମ ଯାହାକୁ ୧୯୭୭ ମସିହାରେ ସମ୍ବଲପୁର ରେଡ଼ିଓ ଷ୍ଟେସନର ‘କୁରେଫୁଲ ଝୁମ୍ଫା’ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରିଥିଲେ ।

ଯାହାକୁ ଫକିର ପଟ୍ଟନାୟକ ଓ କମଳକୁମାରୀ ବେହେରା ଗାଇବାର ଥିଲା । କୌଣସି ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଏହି ଗୀତକୁ ଜିତେନ୍ଦ୍ରିୟ ଓ କ୍ରିଷ୍ଣା ପଟେଲ ଗାଇଲେ ।

କଲିକତାର INDRECO କମ୍ପାନୀ ଏହି ଗୀତର ରେକର୍ଡ଼ିଂ କଲା ।ଗୀତଟି ସୀମା ସରହଦ ଡେଇଁ ଭାଷା ସଂସ୍କୃତି ଓ ବୟସ ଊଦ୍ଧ୍ୱର୍ରେ ନିଜ ଖ୍ୟାତିର ଜୟଯାତ୍ରା ବଜାୟ ରଖିଲା । ରଙ୍ଗବତୀ, ଜିତେନ୍ଦ୍ରିୟ ଓ କ୍ରିଷ୍ଣା ପଟେଲ ଜନମାନସର ମଉଡ଼ମଣି ହୋଇଗଲେ ।

ଅଶି ଦଶକରେ ରଙ୍ଗବତୀର ରେକର୍ଡ଼ ପ୍ଲେଟ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରି ହେଲା । ଇନେର୍କୋ କମ୍ପାନୀ ଏହାର ବଜାର ପାଇଁ ଗ୍ରାମଫୋନ କମ୍ପାନୀକୁ ଦେଇଦେଲା ଓ କମ୍ପାନୀଟି ବନ୍ଦ ହୋଇଗଲା ।

ଦଶ,ପନ୍ଦର ବର୍ଷର ଏହି କମ୍ପାନୀ ଇତିହାସ ବଦଳି ସାରିଥିଲା । ସେ ସମୟରେ ଏହି କମ୍ପାନୀ ଜିତେନ୍ଦ୍ରିୟଙ୍କ ସହ ଦଶବର୍ଷର ଚୁକ୍ତି କରିସାରିଥିଲା । ଫଳରେ ଜିତେନ୍ଦ୍ରିୟ ଚାହିଁଲେ ବି ଅନ୍ୟ କମ୍ପାନୀରେ ଗାଇ ପାରିଲେ ନାହିଁ କି ନିଜର ଅନ୍ୟ ଗୀତ କେଉଁଠି ରେକର୍ଡ଼ କରିପାରିଲେ ନାହିଁ ।

ଜଣେ ଗାୟକର ଗୀତ ସୀମା ସରହଦ ଡେଇଁ ସାରି ବିଖ୍ୟାତ ହୋଇଯାଉଥିବାବେଳେ ଗାୟକଜଣକ ବନ୍ଧା ହୋଇ ରହିଲେ । କମ୍ପାନୀମାଲିକର ବିବେକ ବି କେବେ କହିଲା ନାହିଁ ଯେ ଜିତେନ୍ଦ୍ରିୟ କୌଣସି ବ୍ରାଣ୍ଡକୁ ଅପେକ୍ଷା କରେ ନାହିଁ ।

ସେ ଜନମାନସର କଳାକାର । ଡମଜାତି ପାଇଁ ଏହା ନୂଆକଥା ନୁହେଁ । ଗଣା ବା ଡମ ସମ୍ପ୍ରଦାୟର ଲୋକଙ୍କୁ ବହାବନ୍ଧା ରଖୁଥିଲେ । କୌଣସି ମୂଲ୍ୟ ପ୍ରତିବଦଳରେ ମାଲିକ ଜଣେ ଡମ ଲୋକକୁ ବାହାବନ୍ଧା ରଖିବ କିଛିବର୍ଷ ପାଇଁ ବା ତା’ର ଶ୍ରମକୁ ବ୍ୟବହାର କରିପାରୁଥିବା ପର୍ଯ୍ୟନ୍ତ ।

ବାହା ବା ବାହୁ ଶ୍ରମଶକ୍ତିର ପ୍ରତୀକ । ସୁତରାଂ ସମସ୍ତ ଶ୍ରମ ମାଲିକପାଇଁ ଉତ୍ସର୍ଗ ହେବ କେବଳ । ଜିତେନ୍ଦ୍ରିୟ ବି ବାହାବନ୍ଧା ରହିଲେ । ଜିତେନ୍ଦ୍ରିୟଙ୍କ ପୈତୃକ ଘର ଭାଙ୍ଗିଗଲା । ବହୁ କଷ୍ଟରେ ସେ ନିଜର ଗୋଟିଏ ଝୁପୁଡ଼ିଘର ତିଆରି କଲେ ।

ସେ ରହିଗଲେ ସମ୍ବଲପୁର ରେଳ ଷ୍ଟେସନ ନିକଟ ସେହି ଝୁପୁଡ଼ି ଘରେ । ସ୍ତ୍ରୀ ମଲ୍ଲୀକା, ତିନି ଝିଅ ଓ ତିନି ପୁଅର ସଂସାର ନେଇ ଚଳିଲେ । ପାରଶ, ପ୍ରତାପ ଓ ପ୍ରଭାତ ତିନିପୁଅ; ତିନି ଝିଅଙ୍କ ମଧ୍ୟରେ ଚନ୍ଦ୍ରିକା, ପ୍ରତିଭା ଓ ପୁନମ ।

କମ୍ପାନୀ ବନ୍ଦ ହୋଇଗଲା, ପୈତୃକ ଘର ଭାଙ୍ଗିଗଲା; ବାହାବନ୍ଧାରୁ ଜିତେନ୍ଦ୍ରିୟ ମୁକୁଳିଲେ ସିନା ହେଲେ ନିଃସ୍ୱ ହେଇଯିବା ସାର ହେଲା । କାରଣ ବହୁ ବଡ଼ ବଡ଼ କମ୍ପାନୀ ତାଙ୍କୁ ଆମନ୍ତ୍ରଣ କରୁଥିଲେ । କିନ୍ତୁ INDRECO ସାଥିରେ ଅନୁବନ୍ଧିତ ଥିବା ଯୋଗୁଁ ସେ କୌଣସି ବି କମ୍ପାନୀର ଆମନ୍ତ୍ରଣକୁ ସ୍ୱୀକାର କରି ପାରୁନଥିଲେ ।

ରାଜା ନିଜର ଭବ୍ୟ ପ୍ରାସାଦ ନିର୍ମାଣ ପରେ ଶିଳ୍ପୀର ଆଙ୍ଗୁଠି କାଟିବାର ଦଣ୍ଡ ହୋଇଗଲା ଜିତେନ୍ଦ୍ରିୟଙ୍କୁ । ଦୀର୍ଘ ଦଶବର୍ଷର ଅସ୍ୱୀକାର ତାଙ୍କୁ ସଂଗୀତ ବଜାରଠୁ ଦୂରରେ ରଖିଦେଲା । INDRECO ୧୯୮୯ ମସିହାରେ ଗୋଟିଏ ଶ୍ରମିକ ଆନେ୍ଦାଳନର ସମ୍ମୁଖୀନ ହୋଇ ବନ୍ଦ ହୋଇଗଲା ।

କମ୍ପାନୀ ସହ ଦଶବର୍ଷର ଚୁକ୍ତି ସମାପ୍ତ ହୋଇଯାଇଥିଲା । ଏହି ସମୟରେ ଜିତେନ୍ଦ୍ରିୟଙ୍କ ରୟାଲଟି ଟଙ୍କା କମ୍ପାନୀ ଦେଇଦେବା କଥା । କାରଣ କମ୍ପାନୀ ବନ୍ଦ ହେଉ କି ନହେଉ; ଅନେକ ଲକ୍ଷ ରେକର୍ଡ଼ର ପ୍ଲେଟ ବିକିଥିବାର ରୟାଲଟି ଅଧିକାର ଜିତେନ୍ଦ୍ରିୟଙ୍କ ଅଛି ନିଶ୍ଚୟ ।

ଜନମାନସରେ ରଙ୍ଗବତୀ ଓ ଜିତେନ୍ଦ୍ରିୟଙ୍କ ସମ୍ପର୍କ ପ୍ରେମିକ ପ୍ରେମିକାର ହୋଇଯାଇଥିଲା ଯେପରି । ଜିତେନ୍ଦ୍ରିୟଙ୍କୁ ରଙ୍ଗବତୀ ହିଁ ଅସ୍ତିତ୍ୱ ଦେଇ ରଖିଲା ପରବର୍ତ୍ତୀ ସମୟମାନଙ୍କରେ । ଅନେକ କାର୍ଯ୍ୟକ୍ରମର ଆମନ୍ତ୍ରଣ ତାଙ୍କୁ ମିଳୁଥିଲା ବୋଲି ସେ ନିଜର ସ୍ଥିତି ବଜାୟ ରଖିପାରିଲେ, ପରିବାରକୁ ବହୁକଷ୍ଟରେ ପ୍ରତିପାଳିତ କରି ପାରିଲେ ।

ରଙ୍ଗବତୀ ଗୀତ ତାର ଖ୍ୟାତି ହରାଉନଥାଏ । ରଙ୍ଗବତୀ ହିଁ ଭାରତର ପ୍ରଥମ ଗୀତ ଯାହା ୧୯୭୯-୮୦ରେ ବିବିସି ଏବଂ ଭଏସ୍ ଅଫ୍ ଆମେରିକା ବେତାରକେନ୍ଦ୍ରରୁ ପ୍ରସାରିତ ହୋଇଥିଲା । ଯା’ ଘରେ ଗ୍ରାମଫୋନ କି ରେକର୍ଡ଼ ପ୍ଲେୟାର ଅଛି, ତା’ ନିକଟରେ ଯଦି ରଙ୍ଗବତୀ ପ୍ଲେଟ ନାହିଁ ତା’ହେଲେ ସେ ଗୀତ ଶୁଣେନି ।

ଟ୍ରକ ଡ୍ରାଇଭର କି ଚା ଦୋକାନରେ ରଙ୍ଗବତୀ ରହିବା ନିଶ୍ଚିତ । ପରେ ଆସିଲା ଅଡ଼ିଓ କ୍ୟାସେଟର ଯୁଗ । ସେ ସମୟରେ ବି କୌଣସି ଫରକ ପଡ଼ିଲା ନାହିଁ ରଙ୍ଗବତୀର ଲୋକପ୍ରିୟତା ଉପରେ । ଅନେକ ପାଇରଟେଡ଼ କ୍ୟାସେଟ ବଜାରକୁ ଆସିଲା ରଙ୍ଗବତୀର ।

ବାହାଘରେ ରଙ୍ଗବତୀ ଗୀତ ବାଜିବା ଜରୁରୀ । ଛତିଶଗଡ଼ କି ଅନ୍ୟ ରାଜ୍ୟର ବାଜା କି ବରାତ ବୁଲିଲା ବେଳେ ବି ରଙ୍ଗବତୀ ବାଜିବ ନିଶ୍ଚୟ । ଓଡ଼ିଶାକୁ ଅନ୍ୟରାଜ୍ୟର ଲୋକେ ରଙ୍ଗବତୀ ଯୋଗୁଁ ହିଁ ଚିହ୍ନିବାର ଗୋଟିଏ ମାଧ୍ୟମ କରିସାରିଥିଲେ । ନାଭାଲ ଓ ଆର୍ମି କ୍ୟାମ୍ପମାନଙ୍କରେ ପଶ୍ଚିମ ଓଡ଼ିଶାର ଯବାନମାନେ ରଙ୍ଗବତୀର ଜନ୍ମଦିନ ମନାନ୍ତି ।

ଏକଦା ଅନେକଥର ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କଳାକାର ଶ୍ରୀ ସାଧୁ ମେହେରଙ୍କ ସହ ରହିବାର ସୁଯୋଗ ମିଳିଥିଲା । ସେତେବେଳେ ଶ୍ରୀଯୁକ୍ତ ମେହେର ଗୋଟିଏ ସାକ୍ଷାତକାର ଦେବାକୁ ଯାଇ କହିଥିଲେ ରଙ୍ଗବତୀକୁ ଦକ୍ଷିଣର ଅନେକ ଫିଲ୍ମ ଗୀତରେ ଅନୁକରଣ କରାଯାଇଛି ।

ଯାହାର ସଂଖ୍ୟା ଦୁଇହଜାରରୁ ଅଧିକ ହେବ । ରାଷ୍ଟ୍ରୀୟ କି ଅନ୍ତଃରାଷ୍ଟ୍ରୀୟ ସ୍ତରର କୌଣସି ମନୋରଞ୍ଜନଧର୍ମୀ ଗୀତ ଏତେ ଲୋକପ୍ରିୟତା ପାଇଥିବାର ଉଦାହରଣ ନଥିଲା ସେତେବେଳେ ।

ଆଜିବି ଏହି ଲୋକପ୍ରିୟତା କମି ନାହିଁ କି ବଜାର ଯୁଗରେ ରଙ୍ଗବତୀକୁ ଟପିବା ପରି କୌଣସି ଗୀତ ବଜାରକୁ ଆସିପାରି ନାହିଁ । ରଙ୍ଗବତୀ ଗୀତକୁ ବାହାଘରେ ଗାଇବେ, ରେକର୍ଡ଼ ବାଜିଲେ ନାଚିବେ, ବେଣ୍ଡପାର୍ଟି ବଜେଇବେ, ଫିଲ୍ମଗୀତମାନଙ୍କରେ କପି କରାଯିବ, ସୋନା ମହାପାତ୍ର ଗାଇବେ ଏଇଟା ସାଧାରଣ କଥା ।

ଗତବର୍ଷ କୋକ ଷ୍ଟୁଡ଼ିଓରେ ରଙ୍ଗବତୀର ରିମେକ ଏମଟିଭିରେ ପ୍ରସାରିତ ହେଲା । ବହୁ ଲୋକପ୍ରିୟତା ଓ ବିବାଦ ଦେଖାଦେଲା । ପଶ୍ଚିମଓଡ଼ିଶାରୁ ବିରୋଧର ତୀବ୍ରସ୍ୱର ଉଠିଲା । ଏହି ସ୍ୱର ଭାରତର ଅନେକ ପ୍ରାନ୍ତରୁ ଶୁଣାଗଲା ।

ଏପରିକି ଜିତେନ୍ଦ୍ରିୟ ହରିପାଲ ମଧ୍ୟ ଏହାକୁ ବିରୋଧ କଲେ । ଏହାକୁ ବିକୃତ କରି ଗାଇଛନ୍ତି ଏବଂ ଗାଇବା ପୂର୍ବରୁ କୌଣସି ଅନୁମତି ନେଇ ନାହାନ୍ତି । କିନ୍ତୁ ଉତ୍ତର ଥିଲା ବେଶ ହେୟ କଲାପରି । ଯେ ରଙ୍ଗବତୀକୁ ଗାଇ ତାର ଲୋକପ୍ରିୟତା ବଢ଼େଇଛନ୍ତି । ଏହା ସେତେ ସତ ନୁହେଁ ଯେପରି କୁହାଗଲା ।

କାରଣ ସୋନା ମହାପାତ୍ର ନିଶ୍ଚିତଭାବେ ଜଣେ ଖ୍ୟାତିପ୍ରାପ୍ତ କଳାକାର । ସେ ରଙ୍ଗବତୀ ଗାଇ ନିଜର ଖ୍ୟାତିକୁ ଆହୁରି ବଢ଼େଇ ପାରିଲେ କେବଳ । ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ବି ଯାଇଛି । ଯାହା ବର୍ତ୍ତମାନ ବିଚାରାଧିନ ।

ଜିତେନ୍ଦ୍ରିୟ ହରିପାଲ ସମ୍ବଲପୁରର ଜଣେ ନାମଜାଦା ବକ୍ସର ଥିଲେ । ଜଗ୍ଗୁ ଦା’ ସେ ସମୟର ଏକ ପରିଚିତ ନାମ । ସେ କୌଣସି ସଂଗୀତ ଶିକ୍ଷା କରି ନାହାନ୍ତି । ଘରେ ସମ୍ପନ୍ନତା ଥିଲା । ଜିତେନ୍ଦ୍ରିୟ ବାପାଙ୍କଠୁ ଯାହା ଶିଖିଥିଲେ । ଗଣା ପିଲା; ରକ୍ତରେ ତାଙ୍କର ସଂଗୀତ ରହେ । ତାଙ୍କର ସଙ୍ଗୀତ ସାଧନା ଥିଲା ଏକାନ୍ତ ପାରମ୍ପାରିକ ।

ସେ ରଙ୍ଗବତୀ ଗାଇ ଲୋକପ୍ରିୟତା ପାଇଲେ ଏହା ନିରାଟ ସତକଥା । କିନ୍ତୁ ଏତେ ଲୋକପ୍ରିୟତା ସତ୍ତ୍ୱେ ତାଙ୍କୁ ଜଣେ ସଂଗୀତଜ୍ଞ ଭାବରେ ସ୍ୱୀକାର କରାଗଲା ନାହିଁ । ସେ କୌଣସି ସଙ୍ଗୀତ ସଭାକୁ ଗଲେ ନାହିଁ, ପ୍ରକାରାନ୍ତେ ଡକାଗଲା ନାହିଁ । ସେ ଦଳିତ ବୋଲି…?

ଏହାର ଉତ୍ତର ଦିଅନ୍ତି ଜିତେନ୍ଦ୍ରିୟ, ଗଣାର ରକ୍ତରେ ସଂଗୀତ ରହେ । ଗଣାବଜା ସମସ୍ତଙ୍କୁ ମୋହିତ କରେ । ଗଣାବଜାକୁ ସମସ୍ତେ ଭଲ ପା’ନ୍ତି, ଗଣା ଲୋକଙ୍କୁ ନୁହେଁ । ଗଣାବଜାର ଲୋକପ୍ରିୟତା ସମସ୍ତେ ବୁଝନ୍ତି । ଏହାର ବ୍ୟବସାୟିକ ଦିଗଉପରେ ଏବେ ଅନେକ ସଚେତ ହେଲେଣି ।

ଡମବଜା ବା ଗଣାବଜାକୁ ଅପହରଣ କରିବାର ଚକ୍ରାନ୍ତ ଚାଲିଛି । ଏହାକୁ ସୁନ୍ଦରଭାବରେ କହନ୍ତି ଜିତେନ୍ଦ୍ରିୟ… ‘ପଂଚବାଦ୍ୟ’ ଓ ‘ଦୁଲଦୁଲି’ ନାମ ଦିଆ ଯାଉଛି ଏବଂ ଏହାକୁ ସାର୍ବଜନୀନ କରିବାର ଚକ୍ରାନ୍ତ କରାଯାଉଛି ।

ଜଣେ ସାଧାରଣ ଜାତିର ଶିକ୍ଷିତ ଢ଼ୁଲିଆ ଆଉ ଜଣେ ଅଶିକ୍ଷିତ ଗଣା ବା ଡମ ଢୁଲିଆକୁ ଯଦି ତୁଳନା କରାଯାଏ; ଏହାର ତଫାତ୍ ଆକାଶ ପାତାଳ ରହିବ । କାରଣ ଜଣେ ଅଶିକ୍ଷିତ ଗଣା ଢୁଲିଆ ସବୁବେଳେ ଢୋଲରେ ମହର୍ଷି ହିଁ ହୋଇଥାଏ । ପ୍ରକୃତରେ ଏହା ‘ଗଣାବଜା’ ।

ଏହାଛଡ଼ା ଏହାର ଅନ୍ୟନାମ ଦିଆଯିବା ଅନୁଚିତ । ‘ବୟନ’ ଶତାବ୍ଦୀ ପୂର୍ବରୁ ଅପହରଣ ହୋଇସାରିଛି । ଏବେ ‘ବାଦନ’କୁ ଅପହରଣ କରିବାର କୌଶଳ ଚାଲୁଛି । କିନ୍ତୁ ଗଣା ସମ୍ପ୍ରଦାୟ ଏଥିପ୍ରତି ସଚେତ କି?

୨୦୧୨ ମସିହାରେ ବଲାଙ୍ଗିର ଜିଲ୍ଲା ଲାଠୋର ଗାଁର ଗଣାବସ୍ତିକୁ ସବର୍ଣ୍ଣମାନେ ଜାଳିଦେଲେ । ଏସମୟରେ ଗୋଟିଏ ଉଦାହରଣ ସାମ୍ନାକୁ ଆସିଲା । ନିଜର ଜାତି ଏବଂ ପରମ୍ପରାକୁ ପ୍ରତିଷ୍ଠା ଦେବାକୁ ଗଣାଅସ୍ମିତା ଜାଗରଣ ପାଇଁ ଅନେକ କାର୍ଯ୍ୟକ୍ରମ ନିରନ୍ତର ଚାଲିଲା ।

ଯେଉଁ କାର୍ଯ୍ୟକ୍ରମମାନ ଗୋଟିଏ ନିଷ୍ପେଷିତ ଜାତିପାଇଁ ଅତ୍ୟନ୍ତ ଆବଶ୍ୟକ । ଏହି ଆନ୍ଦୋଳନ ଗୋଟିଏ ଭୁଲ କଲା ଯେ ଗଣାବାଜାକୁ ଅସ୍ୱୀକାର କଲା । ଏହି ଭୁଲ ନିଷ୍ପତ୍ତିର ସୁଅବସରକୁ ସବର୍ଣ୍ଣମାନେ ଠିକ ଠିକ ବ୍ୟବହାର କଲେ ।

ଯାହାକୁ ସବର୍ଣ୍ଣ ଯୁବକମାନେ ଗଣାବଜା ବାହାଘରମାନଙ୍କରେ ବଜାଇଲେ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ । ବିଗଣା ଜାତିର ଲୋକେ ଗଣାବାଜା କୌଣସି ଅନୁଷ୍ଠାନରେ ବଜାଇଲାବେଳେ ମହୁରୀ ପ୍ରତି ବଦଳରେ ଅରଗାନ ଅଥବା ଅନ୍ୟ ବୈଦୁ୍ୟତିକ ବାଦ୍ୟଯନ୍ତ୍ର ବ୍ୟବହାର କରିଥାନ୍ତି ।

ସେଥିରେ ଗଣାବଜାର ମୌଳିକତା ନଷ୍ଟ ହୋଇଥାଏ । ବର୍ତ୍ତମାନ କେତେକ ସ୍ୱେଚ୍ଛାସେବୀ ଗଣା ସମ୍ପ୍ରଦାୟର ଯୁବକ ଗାଁକୁ ଗାଁ ଯାଇ ଗଣାବଜାର ପୁନଃ ସଙ୍ଗଠନ ପାଇଁ ପ୍ରୟାସ କରୁଛନ୍ତି । ହୁଏତ ସମୟ ଓ ଅର୍ଥ ଅଭାବରୁ ଏହା ସେତେ କ୍ଷୀପ୍ର ହୋଇପାରି ନାହିଁ । କିନ୍ତୁ ପ୍ରୟାସ ଯେ ମହତ୍, ଏହା ସ୍ୱୀକାର୍ଯ୍ୟ ।

ଅନ୍ତଃରାଷ୍ଟ୍ରୀୟ ଖ୍ୟାତି ଓ ପୁରସ୍କାରପ୍ରାପ୍ତ ଚଲଚ୍ଚିତ୍ର ‘ଭୂଖା’ରେ ଏହି ସମ୍ପ୍ରଦାୟର କଥା କୁହାଯାଇଛି । ଜାତିପ୍ରଥା ନିକଟରେ ହୃଦୟର ଆବେଗ ବି ତାର ସୀମା ରଖିବାକୁ ବାଧ୍ୟ ହୋଇଥାଏ । କିନ୍ତୁ କଳାକାର ସବୁବେଳେ କଳାକାର ହିଁ ଥାଏ ।

ଜିତେନ୍ଦ୍ରିୟ ନିଜେ ଅନେକ ପ୍ରାଚୀନ ପାରମ୍ପାରିକ ଗୀତକୁ ସଂଗୀତ ଦେଇଛନ୍ତି । ଗୋଟିଏ ଉଦାହରଣ ନିଆଯାଇପାରେ । ମାଳାଶ୍ରୀ ଏକ ପାରମ୍ପାରିକ ଓ ସାଂସ୍କୃତିକ ଗୀତ । ଏହାକୁ ଲିରିକ ଦିଆଯାଇ ନ ଥିଲା । ପ୍ରାଚୀନ ପରମ୍ପରାକୁ ମାନ୍ୟତାଦେଇ ଯେଉଁ ଦେବୀଙ୍କ ପୂଜା ହୁଏ ସେଠାରେ ମାଳାଶ୍ରୀ ଗାଇବା ନିତାନ୍ତ ଆବଶ୍ୟକ ।

ମନ୍ତ୍ରସମୂହ ନୁହେଁ ପଶ୍ଚିମ ଓଡ଼ିଶାରେ ଜନସମୂହ (ଅନେକ ସମ୍ପ୍ରଦାୟର) ନିଜ ନିଜର ନୈଷ୍ଠିକ ସେବା ଦେଇ ଗୋଟିଏ ଦୈବୀ ଅନୁଷ୍ଠାନକୁ ପୂର୍ଣ୍ଣ କରିଥାନ୍ତି । ଏହି ପରମ୍ପରା ହିନ୍ଦୁଧର୍ମର କୌଣସି ପ୍ରଖ୍ୟାତ ପୀଠମାନଙ୍କରେ ଦେଖାଯାଏ ନାହିଁ ଜଗନ୍ନାଥ ଓ ପଶ୍ଚିମ ଓଡ଼ିଶାର ଦେବୀପୀଠମାନଙ୍କୁ ଛାଡ଼ିଦେଲେ । ଯେଉଁଥିରେ ଗାୟକ ଓ ବାଦକ ବି ଥାନ୍ତି ।

କିନ୍ତୁ ଜଗନ୍ନାଥ ମନ୍ଦିର ଛଡ଼ା ଅନ୍ୟସବୁ ଅବ୍ରାହ୍ମଣ ସେବାକୁ ପାରମ୍ପାରିକ ସ୍ୱୀକୃତି ମିଳିଛି । ଯାହାକୁ ଛୋଟ ଗିନିରେ ଶବ୍ଦକରି ବା କୁଲାରେ ଧାନ ଗଡ଼େଇ ଗାନ କରାଯାଇଥାଏ । ଗଣାବଜାରେ ଜିତେନ୍ଦ୍ରିୟ ଏହାକୁ ସୁନ୍ଦର ସଂଯୋଜନା କରିଛନ୍ତି ।

ଯେପରି ରଙ୍ଗବତୀକୁ ରାଗ ‘ଲତା’ରେ ଗାଇଛନ୍ତି । ନିଜର ମୌଳିକ ଗାୟନ ଶୈଳୀ ଜିତେନ୍ଦ୍ରିୟଙ୍କୁ ଆଜିବି ସ୍ୱତନ୍ତ୍ର କରି ରଖିଛି । ସେହି ଶୈଳୀକୁ କେହି ଆଜି ପର୍ଯ୍ୟନ୍ତ ଅନୁକରଣ ବି କରି ପାରିନାହାନ୍ତି । ହୁଏତ ସଂଖ୍ୟା ଦୃଷ୍ଟିରୁ କମ ହୋଇପାରେ, କିନ୍ତୁ ସମ୍ବଲପୁରୀ ଗୀତରେ ଜିତେନ୍ଦ୍ରିୟ-ଶୈଳୀକୁ ଯିଏ ବି ଦେଖିପାରିବ ।

ଏହି ଶୈଳୀର ବୈଜ୍ଞାନିକ ବିଶ୍ଲେଷଣ ନିତାନ୍ତ ଆବଶ୍ୟକ ମନେହୁଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଜିତେନ୍ଦ୍ରିୟ ଶୈଳୀକୁ ସମସ୍ତେ ଜାଣନ୍ତି । ତାଙ୍କର ଗାୟକୀର ମୌଳିକତାକୁ ସମସ୍ତେ ସ୍ୱୀକାର କରନ୍ତି । ଏହା ସତକଥା ଯେ ସଙ୍ଗୀତନାଟକ ଏକାଡ଼େମୀ ସମ୍ବଲପୁରୀ ଗୀତକୁ କୌଣସି ମାନ୍ୟତା ଦେଇ ନାହିଁ ।

ସମ୍ବଲପୁର ରେଡ଼ିଓ ବ୍ୟତୀତ ଅନ୍ୟ କେହି ସମ୍ବଲପୁରୀ ଗୀତକୁ ସେତେ ପ୍ରାଧାନ୍ୟ ବି ଦେଇ ନାହାନ୍ତି । କିନ୍ତୁ ସମ୍ବଲପୁରୀ ଗୀତର ଶାସ୍ତ୍ରୀୟତା, ସ୍ୱାତନ୍ତ୍ର୍ୟତା ଏବଂ ଏହାର ଉଚ୍ଚତର ଗାୟନ -ଶୈଳୀମାନଙ୍କୁ ବ୍ୟାଖ୍ୟା ହୋଇନାହିଁ । ଏହାର ସିଲାବସ ପ୍ରସ୍ତୁତ ହୋଇ ନାହିଁ । ସ୍ୱତନ୍ତ୍ର କୋଶଲି ଭାଷାପାଇଁ ଆନ୍ଦୋଳନ ଚାଲୁଅଛି ।

ସ୍ୱତନ୍ତ୍ର କୋଶଲ ରାଜ୍ୟର ଦାବୀ ମଧ୍ୟ ଉଠିଲାଣି, କିନ୍ତୁ ସାଂସ୍କୃତିକ ଆନ୍ଦୋଳନ ହୋଇନାହିଁ । ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସମ୍ବଲପୁରୀ ଗୀତ ଓ ସଂଗୀତ ଭିତରେ ଶାସ୍ତ୍ରୀୟତାର ଅନ୍ୱେଷଣ କରିନାହିଁ । ଏହା ହିଁ ପରିତାପର ବିଷୟ ।

ଏହି ପରିସ୍ଥିତିରେ ଜିତେନ୍ଦ୍ରିୟ ଶୈଳୀଉପରେ ଗବେଷଣା କଥା ଭାବିବା ବି ଏକପ୍ରକାର ଅତିରଞ୍ଜିତ ବ୍ୟାଖ୍ୟା ବୋଲି ଧରାଯିବ । ପରିତାପର ବିଷୟ ଏହି ଯେ ଜଣେ ମହାନାୟକକୁ ଓଡ଼ିଶା ସବୁବେଳେ ଅସ୍ୱୀକାର ଓ ଅବହେଳା ହିଁ କରି ଆସିଅଛି । ଏଥିପାଇଁ ଓଡ଼ିଶା ସାଂସ୍କୃତିକ ଇତିହାସ ଭବିଷ୍ୟତରେ ନିନ୍ଦିତ ହେବ -ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ।

ସଙ୍ଗୀତ ପଶ୍ଚିମ ଓଡ଼ିଶାର ଲୋକଙ୍କ ସମଗ୍ର ସାମାଜିକ ସତ୍ତାକୁ ଛାଇଯାଇଛି । ବିନା ସଙ୍ଗୀତରେ କୌଣସି କାମ ହୁଏ ନାହିଁ । ସାମାଜିକ କାମରେ, ଜନ୍ମରେ, ବିବାହରେ, ମୃତ୍ୟୁରେ ବି ସଙ୍ଗୀତ ଓ ଗଣାବଜାର ଆବଶ୍ୟକତା ରହିଥାଏ । ଗାଁ ଦେବୀ ବିନା ଗଣାବଜାରେ ପୂଜା ପାଆନ୍ତି ନାହିଁ ।

ଚାଷ କଲେ ହଳିଆ ଗୀତ, ଆଈମା କାହାଣୀରେ ଗୀତ, ଜଙ୍ଗଲରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ବେଳେ ଗୀତ । ଏପରି ଅନେକ ପାରମ୍ପାରିକ ଗୀତର ସଂଯୋଜନା କରି ତାକୁ ଗଣାବଜାରେ ଢାଳିଛନ୍ତି ଜିତେନ୍ଦ୍ରିୟ ହରିପାଲ ।

ସେ ସମସ୍ତ ପ୍ରାଚୀନ ରାଗରେ ଗୀତ ଗାଇପାରନ୍ତି- ଏହା ହେଲା ତାଙ୍କର ନୈସର୍ଗିକ ସ୍ୱତନ୍ତ୍ରତା ।

ସୋନା ମହାପାତ୍ରଙ୍କ ରଙ୍ଗବତୀ ଗାଇବା; ଜିତେନ୍ଦ୍ରିୟଙ୍କ ବ୍ୟକ୍ତିତ୍ୱ ନିକଟରେ ନଗଣ୍ୟ ହୋଇପଡ଼େ । ଏହି ବିବାଦ ଅନେକ ପ୍ରକାଶ୍ୟ ତଥ୍ୟକୁ ସ୍ପଷ୍ଟ କରିଦେଲା । ଏମ୍ଟିଭିରେ ପ୍ରଚାରିତ ରଙ୍ଗବତୀ ସହ ସଦ୍ୟ ଗୋଟିଏ ରାଷ୍ଟ୍ରୀୟ ଘରୋଇ ଚ୍ୟାନେଲରୁ ଶୀର୍ଷ ଘୋଷିତ ଗାୟକ ଋତୁରାଜ ମହାନ୍ତି ‘ବନେ୍ଦ ଉକ୍ରଳ ଜନନୀ…’ ଗାଇଲେ ।

ଓଡ଼ିଶାର ଜାତୀୟ ସଂଗୀତକୁ ଏହିପରି ପରିବେଷଣ କରାଯିବା ବିରୋଧରେ ସେତେ ପ୍ରତିବାଦ ହେଲା ନାହିଁ ଯେତିକି ପ୍ରତିବାଦ ପଶ୍ଚିମ ଓଡ଼ିଶାର ଲୋକେ ରଙ୍ଗବତୀ ପାଇଁ କଲେ । ପି. ସାଇନାଥ ନିଜେ ଲେଖିଛନ୍ତି ପଶ୍ଚିମ ଓଡ଼ିଶାର କଳାକାର ହୋଇଥିବାରୁ ଜିତେନ୍ଦ୍ରିୟଙ୍କୁ କିପରି ହଇରାଣ ହେବାକୁ ପଡ଼ିଛି ।

ଏପରିକି ତାଙ୍କ ରେକର୍ଡ଼ିଂମାନଙ୍କୁ ନିମ୍ନମାନର କ୍ୟାସେଟରେ ବଜାରକୁ ଛଡ଼ା ଯାଇଥିଲା । ବର୍ତ୍ତମାନ ମଧ୍ୟ ଏହାର ପୁନରାବୃତ୍ତି ହେଲା । ହେଲେ ଭିନ୍ନ ଢଙ୍ଗରେ । ଗଣମାଧ୍ୟମ ଦୟାରୁ କୁହାଯିବାର ପ୍ରୟାସ କରାଗଲା ଯେ ସେମାନେ ରଙ୍ଗବତୀ ଗୀତକୁ ଆହୁରି ବ୍ୟାପ୍ତ ବଜାର ଦେବାରେ ସହାୟକ ହୋଇଛନ୍ତି ।

ନିଶ୍ଚିତ ଏହା ହାସ୍ୟାସ୍ପଦ କଥା ରଙ୍ଗବତୀ ପାଇଁ! କିନ୍ତୁ ଏହାକୁ ସ୍ୱୀକାର କରାଯିବାକୁ ପ୍ରକାରାନ୍ତେ ବାଧ୍ୟ କରାଯାଉଥିଲା ଯେପରି । ଗୋଟିଏ ସାଂସ୍କୃତିକ ବିବାଦ ମୁଣ୍ଡ ଟେକୁଥିଲା । ଏହା ରାଜନୈତିକ ରୂପ ନନେଉ, ଏହାର ଯତ୍ନ କରାଯାଉଥିଲା ।

ସେଥିଲାଗି ବନ୍ଦେ ଉତ୍କଳ ଜନନୀ…ର ଅପମାନକୁ ମଧ୍ୟ ସହିଯିବାକୁ ହେଲା ଯେପରି । ୨୦୧୫ ମସିହାରେ ଜିତେନ୍ଦ୍ରିୟ ଏବଂ କ୍ରିଷ୍ଣା ପଟେଲଙ୍କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଡକ୍ଟରେଟ ସମ୍ମାନରେ ସମ୍ମାନିତ କଲା । ସତକଥା ହେଲା ଏହି ସମ୍ମାନ ଦେବାରେ ବହୁ ବିଳମ୍ବ ହେଲା ।

ଯେଉଁ ସମୟରେ ଡକ୍ଟରେଟ ସମ୍ମାନ ଦିଆଗଲା ସେ ସମୟ ଥିଲା ବିବାଦର ସମୟ । ପ୍ରକାରାନ୍ତେ ଲୋକେ ଅନେକ କଥାକୁ ବୁଝିଲେ । କଥାର ଅନେକ ଅର୍ଥ ବାହାର କଲେ । ଏହା ଉତ୍କୋଚ ନୁହେଁ ତ? ତୁଷ୍ଟିକରଣପାଇଁ ଏକ ଶାସକୀୟ କୂଟ ନୁହେଁ ତ?

ରଙ୍ଗବତୀ, ପ୍ରକାରାନ୍ତେ ବିଗତ ଚାରି ଦଶନ୍ଧି ଧରି ଗୋଟିଏ ସମ୍ପନ୍ନ ସଂସ୍କୃତି ପଟକୁ ଇଙ୍ଗିତ କରିଆସୁଅଛି । ତା’ର ବିଶ୍ୱବିଜୟ ଅଭିଯାନରେ ସେ ଓଡ଼ିଶାର ଏକ ମହାନ ସଂସ୍କୃତିର ବିଜୟବାନା ଧରିଛି ଯେପରି । କିନ୍ତୁ ଏହାର ଚିତ୍ରକାର ଜିତେନ୍ଦ୍ରିୟ ହରିପାଲଙ୍କୁ ତାଙ୍କ ନ୍ୟାୟ ମିଳିପାରିଛି କି?

ସେ ଏହାର ପ୍ରତିଧାବନ କରିଛନ୍ତି ଯେପରି । ସେ ଯଦି ବିଫଳ ହୋଇଥାନ୍ତେ, କିଛି କଥା ନ ଥିଲା । ସେ ସଫଳ ସେ ସ୍ୱତନ୍ତ୍ର; ସେ ସାଧକ ସେ ସନ୍ଥ; ସେ ଜଣେ ଜୀବନ୍ତ କିମ୍ବଦନ୍ତୀ । ସେ ଆମ ସହିତ ଅଛନ୍ତି -ଏହା ଆମପାଇଁ ଗର୍ବର କଥା । ଏଥି ସହିତ ତାଙ୍କୁ ତାଙ୍କର ଜୀବିତାବସ୍ଥାରେ ନ୍ୟାୟ ଦେବା ଶାସନର ଦାୟିତ୍ୱ, ସାଧାରଣଙ୍କ କର୍ତ୍ତବ୍ୟ । ସମୟକୁ ଫେରେଇ ହେବ ନାହିଁ ।

କିନ୍ତୁ ସମୟ ଥିବା ଭିତରେ ତାଙ୍କୁ ନ୍ୟାୟ ତ ଦିଆଯାଇ ପାରିବ । INDRECO ବନ୍ଦ ହୋଇଗଲା; ତାହା ବୋଲି ଜିତେନ୍ଦ୍ରିୟ ତାଙ୍କର ରୟାଲଟି ପାଇବାର ଅଧିକାର ତ’ ହରେଇ ନାହାନ୍ତି । ୧୯୫୭ କପିରାଇଟ ଆକ୍ଟ ସଂଶୋଧିତ ହୋଇ ୨୦୧୨ କପିରାଇଟ ଆକ୍ଟ ଲାଗୁ ହୋଇ ସାରିଲାଣି ।

ଏହି ଆଇନ ବଳରେ କୌଣସି ଉଚ୍ଚସ୍ତରୀୟ ତଦନ୍ତ କମିଟି ରଙ୍ଗବତୀ ଓ ଜିତେନ୍ଦ୍ରିୟଙ୍କ ଉପରେ ହୋଇଥିବା ଧାରାବାହିକ ଶୋଷଣର ତଦନ୍ତ କରି ପାରନ୍ତା । ଯଦିବା INDRECOର କୌଣସି ସତ୍ତା ନାହିଁ, ତା’ହେଲେ ଏହି କମ୍ପାନୀକୁ ସ୍ୱୀକୃତି ଦେଇଥିବା ଅନୁଷ୍ଠାନ ନିକଟରୁ ରୟାଲଟି ଟଙ୍କା ଆଦାୟ କରାଯାଇ ପାରନ୍ତା ।

ଯେଉଁମାନେ ବି ରଙ୍ଗବତୀର ଧୂନ୍ ନେଇଛନ୍ତି, ସେମାନଙ୍କ ନିକଟରୁ ତାଙ୍କର ବ୍ୟବସାୟ ଆଧାରରେ ରୟାଲଟି ସଂଗ୍ରହ କରାଯାଇ ପାରନ୍ତା । ଏହି କଥା ଚିନ୍ତା କରିବାର ସମୟ ବୋଧହୁଏ ଦ୍ୱିତୀୟଥର ଆସିବାର ନାହିଁ ।

ଅନେକ ଅଭିଯୋଗ କରନ୍ତି ଯେ ଜିତେନ୍ଦ୍ରିୟ ତାଙ୍କର ପାରିଶ୍ରମିକ ସବୁକୁ ଅକାରଣରେ ଉଡ଼େଇ ଦେଇଛନ୍ତି । କିନ୍ତୁ ଏହା ସେତେ ସତ ନୁହେଁ । ଏହି ପତ୍ରକାରର ନିଜସ୍ୱ ଅନୁଭୂତିରେ ସେ ରେଳଷ୍ଟେସନର ଭିକାରୀକୁ ସାଲ୍ ଦେଲାପରି କାମରେ ଖର୍ଚ୍ଚ କରିଛନ୍ତି ।

ଏକଦା ତାଙ୍କର ବହୁ ମୂଲ୍ୟବାନ ସଂଗୀତ ଯନ୍ତ୍ରପାତି ଚୋରି ହୋଇଗଲା । ଏହାପରେ ସେ ନିଜକୁ ବହୁ କଷ୍ଟରେ ପୁନର୍ବାର ସଂଖୋଳି ପାରିଥିଲେ । କିନ୍ତୁ ସମୟ ଓ ଶାସନର ଉଦାସୀନତା ତାଙ୍କୁ ଦାରିଦ୍ର୍ୟରୁ ମୁକ୍ତିରେ ବାଧା ହୋଇଛି ଯେପରି ।

ଜିତେନ୍ଦ୍ରିୟଙ୍କ ସ୍ୱପ୍ନ ହେଉଛି ଗୋଟିଏ ସଙ୍ଗୀତ ଏକାଡ଼େମି ସ୍ଥାପନ କରିବା । ଏଥିରେ ପଶ୍ଚିମ ଓଡ଼ିଶାର ସଙ୍ଗୀତ ଓ ସାଙ୍ଗୀତିକ ପରମ୍ପରାର ଗବେଷଣା ଓ ସାଧନ କରିବା । ଏହି ସ୍ୱପ୍ନ ପଛର ବାସ୍ତବତା ବର୍ତ୍ତମାନର ପରିସ୍ଥିତିରେ ସାଂଘାତିକ ଭାବେ କୃର ଜଣାପଡ଼ୁଥିଲେ ବି ସେତେ ହୋଇ ନପାରେ । କିନ୍ତୁ ଏହାର ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଆବଶ୍ୟକ ।

ରଙ୍ଗବତୀ ଜନ୍ମନେବାର ଚାରି ଦଶନ୍ଧି ମଧ୍ୟରେ ଅନେକ ଘଟଣା ଘଟିଯାଇଛି । ରଙ୍ଗବତୀକୁ ନେଇ ଅନେକ କଥା କିମ୍ବଦନ୍ତୀ ଓ ଘଟଣା ଘଟି ସାରିଛି । ଏ ସମୟ ମଧ୍ୟରେ କୌଣସି ପ୍ରୟାସ ହୋଇନାହିଁ ଯେ ଜିତେନ୍ଦ୍ରିୟଙ୍କ ଉପରେ ତଥ୍ୟ ସଂଗ୍ରହ କରାଯାଇ ତାଙ୍କୁ ଅନ୍ତତଃ ‘ପଦ୍ମଶ୍ରୀ’ ପାଇଁ ସୁପାରିଶ କରାଯାଇପାରନ୍ତା ।

ଗୋଟିଏ ସାଂସ୍କୃତିକ ବିଭବର ସଂକଳନ ପାଇଁ ପ୍ରୟାସ କରାଯାଇ ପାରନ୍ତା । କିନ୍ତୁ କୌଣସିଟିରେ ‘ହଁ’ ନାହିଁ । ଜିତେନ୍ଦ୍ରିୟଙ୍କ ଭାଷାରେ ‘ଡମ ଛଡ଼ା କେହି ବି ଯଦି ବାଦନ ସଂସ୍କୃତିର ବ୍ୟାଖ୍ୟା କରିଦେବ, ତା ହେଲେ ମୁଁ ତା ନିକଟରେ ମୁଣ୍ଡ ନୁଆଁଇ ଦେବି’ ।

ଏହା ସାଧାରଣ କଥା ନୁହଁ । ଜଣେ ମହର୍ଷି ବ୍ୟତୀତ କେହିବି ଏହି କଥା କହିବାର ସାହସ କରିପାରିବ ନାହିଁ । କାହିଁକିର ପ୍ରଶ୍ନଟିଏ ତ କରାଯାଇ ପାରନ୍ତା ଜିତେନ୍ଦ୍ରିୟ ହରିପାଲଙ୍କୁ । ସେହିପରି ଜିତେନ୍ଦ୍ରିୟଙ୍କ ବ୍ୟାଖ୍ୟା ବି କଠିନ । ଯେପରି କଠିନ ତାଙ୍କର ଅତୀତ ।

ହୁଏତ ଶାସନର ସାମାନ୍ୟ ଆନ୍ତରିକତା ତାଙ୍କୁ ଏହି କଠିନତାରୁ ମୁକ୍ତି ଦେଇ ପାରନ୍ତା । ତାଙ୍କର ଉତ୍ତର ବୟସରେ ତାଙ୍କର ନ୍ୟାଯ୍ୟ ଦେଇପାରନ୍ତା । ସମୟର ମହାନାୟକକୁ ତାର ନ୍ୟାଯ୍ୟ ଦିଆଯାଇ ପାରନ୍ତା… ।

 

ଲେଖକଙ୍କୁ ଯୋଗାଯୋଗ କରିବାର ଇମେଲ ଓ ଫୋନ ନମ୍ବର ହେଲା rajibs68@gmail.com 94375 27290

ସୌଜନ୍ୟ: ସମଦୃଷ୍ଟି

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ଆଦିବାସୀ, କନ୍ଧମାଳ, ଗଣମାଧ୍ୟମ, ଗୀତ, ଜିତେନ୍ଦ୍ରିୟ ହରିପାଲ, ପଶ୍ଚିମ ଓଡ଼ିଶା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ରଙ୍ଗବତୀ, ସମ୍ବଲପୁରୀ, ସରକାର

ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳୀ

May 7, 2016 by ନିଉଜ ଡେସ୍କ Leave a Comment

tendu-leavesଫକିର ଚରଣ ରାଉତ

ଓଡ଼ିଶାରେ କେନ୍ଦୁପତ୍ର ବିଭାଗ ଏକ ଲାଭଜନକ ସଂସ୍ଥା ବୋଲି ଆମେ ସମସ୍ତେ ଜାଣିଛେ । ଓଡ଼ିଶା ସରକାର ବର୍ଷକୁ ହାରାହାରି ୪୨୦କୋଟି ଟଙ୍କାର ବେପାର କରି ୧୦୦ କୋଟି ଟଙ୍କା ଲାଭ ପାଉଛନ୍ତି ବୋଲି ସ୍ୱୀକାର କରୁଛନ୍ତି । ଆଜିରଦିନରେ ଓଡ଼ିଶାରେ ୧୯ଟି କେନ୍ଦୁପତ୍ର ଡିଭିଜନ ଓ ୧୪୦ଟି ରେଞ୍ଜ ଓ ୬୦୦୦ ଫଡି ରହିଛି ।

୧୯୭୩ ମସିହା ପୂର୍ବରୁ କେନ୍ଦୁପତ୍ର ତୋଳା ସହିତ ଏହାର ବେପାର ଭାର ଘରୋଇ ସଂସ୍ଥାମାନଙ୍କ ଉପରେ ଆମ ରାଜ୍ୟ ସରକାର ଠିକାଭାବରେ ନ୍ୟସ୍ତ କରିଥିଲେ । ଏହାର ଯେଉଁ ଲାଭ ଆସୁଥିଲା, ତାହା ଘରୋଇ କମ୍ପାନୀମାନେ ନେଉଥିଲେ । ରାଜ୍ୟ ସରକାରଙ୍କୁ ଏଥିରୁ କିଛି ମିଳୁ ନଥିଲା ।

ଶ୍ରୀମତୀ ନନ୍ଦିନୀ ଶତପଥି ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କରି ଅମଳରେ ୧୯୭୪ମସିହାରେ କେନ୍ଦୁପତ୍ର ଜାତୀୟକରଣ ହେଲା ଓ ସରକାର ପ୍ରତ୍ୟକ୍ଷ ଭାବରେ ଏହାର ସମସ୍ତ ପ୍ରକାର କାର୍ଯ୍ୟ କେନ୍ଦୁପତ୍ର ବିଭାଗ ମାଧ୍ୟମରେ ସମ୍ପାଦନ କଲେ । ଏହାର ଲାଭାଂଶ ସରକାରଙ୍କ ନିକଟକୁ ଆସିଲା ।

ରାଜ୍ୟ ସରକାର କେନ୍ଦୁ ଲିଫ୍ ଗ୍ରାଣ୍ଟ୍ ନାମକ ଏକ ଆର୍ଥିକ ଅନୁଦାନ ପଂଚାୟତମାନଙ୍କୁ ପ୍ରଦାନ କରୁଥିଲେ । ସତୁରୀ ଦଶକରେ କେନ୍ଦୁପତ୍ର କର୍ମଚାରୀ ସଂଘର ସରକାରଙ୍କ ନିକଟରେ ଦାବୀଥିଲା ଗୋଟିଏ କେରୀ ପତ୍ରର ଦାମ୍ ୧ପଇସା କରାଯାଉ ।

ଗୋଟିଏ କେରୀରେ ୨୦ଟି ଭଲ ପତ୍ର ସହିତ ତଳ ଓ ଉପରେ ୧ଟି ଲେଖାଁଏ ମୋଟ୍ ୨ଟି ବୁଢ଼ା ପତ୍ର ରହିଥାଏ । ଏକବିଂଶ ଶତାବ୍ଦୀ ପ୍ରାରମ୍ଭରେ ୧ପତ୍ରକୁ ୧ପଇସା ପ୍ରଦାନ କରିବାକୁ ସଂଘ ସରକାରଙ୍କ ନିକଟରେ ଦାବୀ କରି ଆସୁଥିଲା ।

୨୦୧୬ ମସିହାବେଳକୁ ଗୋଟିଏ କେରିର ଦାମ ୭୦ପଇସା ହୋଇଛି । ସାରାଓଡ଼ିଶାରେ ଅଳ୍ପ କେତୋଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ କେନ୍ଦୁପତ୍ର ତୋଳା କାର୍ଯ୍ୟ ଚାଲୁ ରହିଛି ।

ଗୋଟିଏ କାରଖାନାର ଶ୍ରମିକମାନଙ୍କୁ ଏକାଠି କରି ଲଢ଼େଇ କରିବା ସହଜ କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରଠାରୁ ମାଲକାନଗିରି ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରୁ ଗଜପତିର ମୋହନା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଥିବା କେନ୍ଦୁପତ୍ର ତୋଳାଳୀଙ୍କୁ ଏକାଠିକରି ନିଜ ସ୍ୱାର୍ଥ ନିମନ୍ତେ ଲଢ଼େଇ କରିବାକୁ ସଂଗଠିତ କରିବା ସହଜ ନୁହେଁ ।

ଅଂଶୁଘାତପାଇଁ ସରକାର ଏପ୍ରିଲ ଓ ମେ ମାସରେ ଦିନ ୧୧ଟା ପରେ ଘରୁ ନବାହାରିବା ପାଇଁ ପ୍ରଚାର କରୁଥିବା ସମୟରେ କେନ୍ଦୁପତ୍ର ତୋଳାଳିମାନେ ୪୦ରୁ ୪୫ ଡିଗ୍ରି ତାପମାତ୍ରାକୁ ଖାତିରି ନକରି ନିଜର ପେଟ ପାଇଁ ପିଲା ଛୁଆଙ୍କୁ ଧରି କେନ୍ଦୁପତ୍ର ତୋଳିଥାନ୍ତି । ତା’ସହିତ ଥାଏ ବନ୍ୟଜନ୍ତୁଙ୍କ ଭୟ ।

ହାତୀ,ଭାଲୁ,ବାର୍ହା ଆକ୍ରମଣ, ସାପ କାମୁଡାରେ ଜୀବନକୁ ହାରିବା କଥାକୁ ଭ୍ରୂକ୍ଷେପ ନକରି କେନ୍ଦୁପତ୍ର ତୋଳାଳିମାନେ ପତ୍ର ସଂଗ୍ରହ କରୁଛନ୍ତି ।

କେନ୍ଦୁପତ୍ର ତୋଳାଳିଟିର ଲୁହ,ରକ୍ତ,ଝାଳର ପରିଶ୍ରମରେ ତୋଳାଯାଉଥିବା କେନ୍ଦୁପତ୍ର ଆଜି ସରକାରଙ୍କୁ ଚାରିଶ କୋଟି ଟଙ୍କାର ବେପାରରେ ପହଁଚାଇ ପାରିଛି । ଗଛ ବୃଦ୍ଧିରେ ଯେପରି ଚେରର ପ୍ରମୁଖ ଭୂମିକା ରହିଥାଏ, ଠିକ୍ ସେହିପରି ସରକାରଙ୍କର ରାଜସ୍ୱ ବୃଦ୍ଧିରେ କେନ୍ଦୁପତ୍ର ତୋଳାଳିଙ୍କ ଅବଦାନ ଅତୁଳନୀୟ ।

ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳିଟି ଛଟପଟ ହୋଇ ବୁଝି ପାରେନା ତାର ଦୋଷ କଣ? ସରକାର ଘୋଷଣା କରିଛନ୍ତି ଗୋଛାକଟା ମଜୁରୀ ଦିନକୁ ୨୨୦ ଟଙ୍କା । ଗୋଛାକଟାଳିଟିକୁ କାମ ମିଳେ ଅଧାଦିନ । ବାକି ଅଧାଦିନ କାମ ନପାଇ ଘରେ ବସେ । ଏହାର କାରଣ କଣ ସେ ଜାଣିପାରେନା ।

ସେପରି ଗୋଛାକଟା ଏରିଆ ଧିରେ ଧିରେ କମିଯାଉଛି ବୋଲି କେନ୍ଦୁପତ୍ର ତୋଳାଳିମାନେ ଅଭିଯୋଗ କରୁଛନ୍ତି । ଗୋଛାକଟା ପାଇଁ କେତେ ଟଙ୍କା ପ୍ରତିଗ୍ରାମକୁ ଆସେ, ତାହାର ସୂଚନା ଗୋଛାକଟାଳି ବା କେନ୍ଦୁପତ୍ର ତୋଳାଳିମାନଙ୍କ ପାଖରେ ନଥାଏ । କିନ୍ତୁ କେନ୍ଦୁପତ୍ର ବିଭାଗ କୁହେ ଫଡି କମିଟି ସବୁ ବୁଝୁଛି ।

ବାସ୍ତବକଥା ହେଲା ଫଡିକମିଟି କେବଳ କାଗଜ କଲମରେ ଛାଲିଛି । କେନ୍ଦୁପତ୍ର ତୋଳା କାମରେ ପରିବାରର ସମସ୍ତ ସଦସ୍ୟ କାମରେ ଲାଗିଥାନ୍ତି । କିନ୍ତୁ ପରିବାରର ଜଣଙ୍କ ନାମରେ କେନ୍ଦୁପତ୍ର ତୋଳାଳି ପାସ୍ ବହି ଖୋଲାଯାଏ ଓ ସେହିଜଣଙ୍କ ନାମ ବୀମାଭୁକ୍ତ କରାଯାଏ ।

ଅବଶିଷ୍ଟ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରୁ କେହି ଯଦି କେନ୍ଦୁପତ୍ର ତୋଳିବା ସମୟରେ ବନ୍ୟଜନ୍ତୁ ଆକ୍ରମଣ, ସାପକାମୁଡ଼ା ବା ଅଂଶୁଘାତରେ ଜୀବନ ହରାଏ, ପରିବାର ଲୋକଙ୍କୁ କୌଣସି କ୍ଷତିପୂରଣ ମିଳେ ନାହିଁ ।

ସେହିପରି ଗୋଟିଏ କେରୀରେ ୨୦ଟି ବିଡ଼ି ଉପଯୋଗୀ ପତ୍ର ରହିବାର ନିୟମ ଥିଲେ ମଧ୍ୟ ମୁନ୍ଷୀମାନେ ୨୨ରୁ ୨୫ପତ୍ର କେରୀରେ ବାନ୍ଧିବାକୁ ବାଧ୍ୟ କରନ୍ତି । ପତ୍ର ଶୁଖା କାମରେ ଶିଶୁ ଶ୍ରମିକମାନଙ୍କୁ ଲଗାଯାଏ ।

ଆଇନତଃ ଶିଶୁ ଶ୍ରମିକ ଲଗାଇବା ବାରଣ ଥିଲେ ମଧ୍ୟ ପ୍ରତ୍ୟେକ ଫଡିରେ ମୁନ୍ଷିମାନେ ଉଚ୍ଚପଦାଧିକାରୀଙ୍କ ଜ୍ଞାତସାରରେ ପତ୍ରଶୁଖା କାମରେ ଶିଶୁ ଶ୍ରମିକମାନଙ୍କୁ ଲଗାଇ ଶ୍ରମର ପାଉଣାକୁ ଲୁଟ କରିଥାନ୍ତି ।

ସେହିପରି ବିଭିନ୍ନ ଆଳ ଦେଖାଇ ମାସ ମାସ ଧରି ପତ୍ର ତୋଳିବାର ପାଉଣା ମିଳେ ନାହିଁ । ପ୍ରତ୍ୟେକ ତୋଳାଳୀଙ୍କୁ ଆମ୍ ଆଦ୍ମୀ ବୀମା ଯୋଜନାରେ ସାମିଲ କରାଯାଇଛି ।

ନିୟମ ଅନୁଯାୟୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ବୀମାଧାରୀଙ୍କର ନବମରୁ ଦା୍ୱଦଶ ଶ୍ରେଣୀରେ ପଢୁ ଥିବା ୨ଟି ସନ୍ତାନଙ୍କୁ ପ୍ରତିମାସରେ ୧୦୦ଟଙ୍କା ହିସାବରେ ୬ମାସରେ ୬୦୦ଙ୍କା ଛାତ୍ରବୃତ୍ତି ମିଳିବ । କିନ୍ତୁ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ବୀମାଧାରୀଙ୍କର ସନ୍ତାନମାନଙ୍କୁ ସେମାନଙ୍କର ପ୍ରାପ୍ୟ ବିଭିନ୍ନ ଆଳଦେଖାଇ କେନ୍ଦୁପତ୍ର ବିଭାଗ ଦେଇ ନାହିଁ ।

୧୯୯୯ ମସିହାଠାରୁ ସରକାରଙ୍କ ପ୍ରଚେଷ୍ଟା ଓ କାର୍ଯ୍ୟାନୁଷ୍ଠାନ ଯୋଗୁଁ କେନ୍ଦୁପତ୍ର ତୋଳାଳୀ ଆଜି କିଛି କିଛି ସୁବିଧା ପାଇ ପାରୁଛନ୍ତି । ପ୍ରଥମରୁ କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭାଂଶ ରାଜ୍ୟ ସରକାରଙ୍କ ରାଜକୋଷକୁ ଯାଉଥିଲା,ଏବେ ସେଥିରୁ ତୋଳାଳୀମାନଙ୍କୁ କିଛି କିଛି ଦିଆଯାଉଛି ।ରାଜ୍ୟ ସରକାର କେନ୍ଦୁପତ୍ର ବିକାଶ ବୋର୍ଡ ଗଠନ କରିଛନ୍ତି ।

ସେଥିରେ ତୋଳାଳୀ, ବନେ୍ଧଇ ଆଦି କାର୍ଯ୍ୟ କରୁଥିବା ଲୋକମାନଙ୍କର ସଂଘର ପ୍ରତିନିଧି ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡର ବୈଠକ ବସି ତୋଳାଳୀମାନଙ୍କ ହିତ ନିମନ୍ତେ ଯାହା ଆବଶ୍ୟକ, ସେହି ଅନୁସାରେ ନିଷ୍ପତ୍ତି ଗ୍ରହଣ କରାଯାଉଛି । ମୁନ୍ସୀ, ଚପରାଶି ଆଦିଙ୍କ ପାଇଁ କଲ୍ୟାଣ ପରିଷଦ ଗଠନ କରାଯାଇଛି ଓ ଏଥିରେ ୬ କୋଟି ଟଙ୍କା ଜମା କରାଯାଇଛି ।

ଓଡ଼ିଶାରେ ଜଙ୍ଗଲ ଉନ୍ନୟନ କର୍ପୋରେସନ ଓ ଜଙ୍ଗଲ ବିଭାଗ ମାଧ୍ୟମରେ କେନ୍ଦୁପତ୍ର ବ୍ୟବସାୟ ଚାଲୁ ରହିଛି । ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ସମୁଦାୟ ନେଣ ଦେଣ କାର୍ଯ୍ୟ ବ୍ୟାଙ୍କ ମାଧ୍ୟମରେ କରାଯିବାକୁ ସ୍ଥିର ହୋଇଛି ଓ ଚଳିତବର୍ଷ ସମସ୍ତ ଦେୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଛି ।

ସରକାର କେବଳ ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା କହି ନିଜଆଡୁ ଦୋଷ ଖସାଇ ଦେଲେ ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳୀଟି ଛଟ ପଟ ହେବା ବ୍ୟତୀତ ତାହା ପକ୍ଷରେ ଅନ୍ୟ କିଛି ଚାରାନାହିଁ ।

ତୋଳାଳୀଙ୍କ ସ୍ୱାର୍ଥ ଓ କେନ୍ଦୁପତ୍ର ବିଭାଗ ଲାଭଦୃଷ୍ଟିରୁ ସରକାରଙ୍କୁ କେତୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପ୍ରଥମତଃ କେନ୍ଦୁପତ୍ର ତୋଳୁଥିବା ପରିବାର ସମସ୍ତ ସଦସ୍ୟଙ୍କୁ ଆମ୍ ଆଦମୀ ବୀମା ଯୋଜନାରେ ସାମିଲ କରାଇବା ସହିତ ବୀମାର ସୁବିଧାଗୁଡିକୁ ସରଳ ଉପାୟରେ ଉପଲବ୍ଧ କରାଇବା । ପତ୍ର ଦେବାର ଏକ ସପ୍ତାହ ମଧ୍ୟରେ ପାଉଣା ପ୍ରଦାନ କରିବା ।

ପତ୍ର ଶୁଖା କାମରେ ଶିଶୁଶ୍ରମିକମାନଙ୍କୁ ଲଗାଉଥିବା ମୁନ୍ସୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଗୋଛା କଟା ଶୈଳୀରେ ପରିବର୍ତ୍ତନ ଆଣିବା । ତୋଳାଳୀମାନଙ୍କୁ ପ୍ରତିବର୍ଷ ଚପଲର ପାଉଣା ପ୍ରଦାନ କରିବା ଓ ଉନ୍ନତମାନର ପତ୍ର ସଂଗ୍ରହ ପାଇଁ ବାଉଁଶ ଝୁଡି ଯୋଗାଇବା ନିତାନ୍ତ ଜରୁରୀ ।

 

ସୌଜନ୍ୟ: ସମଦୃଷ୍ଟି

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: କେନ୍ଦୁପତ୍ର, ତୋଳାଳି, ବନ ବିଭାଗ, ଶ୍ରମିକ, ସରକାର

ସାମ୍ବାଦିକଙ୍କ ସଂଖ୍ୟା ଗଣନା ହୋଇପାରୁନାହିଁ କାହିଁକି ?

December 6, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ: କପିଳାସ ଭୂୟାଁ

ଓଡିଶାରେ କାର୍ଯରତ ସାମ୍ବାଦିକଙ୍କ ସଂଖ୍ୟା କେତେ ତାହା ରାଜ୍ୟ ସରକାରଙ୍କୁ ଜଣାନାହିଁ। ସାମ୍ବାଦିକଙ୍କ ସଂଖ୍ୟା ଗଣନା ହୋଇସାରିଲେ ହିଁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବୀମା ଓ ପେନସନ ପ୍ରଦାନ କରିବାକୁ ହୁଏତ ପଦକ୍ଷେପ ନିଆଯାଇ ପାରିବ। କିନ୍ତୁ ବାରମ୍ବାର ଚେଷ୍ଟା କରି ସରକାର ସାମ୍ବାଦିକଙ୍କ ସଂଖ୍ୟା ଗଣନା କରିବାରେ ବିଫଳ ହେଉଛନ୍ତି।

dilip
ଦିଲିପ ରାୟ

ସରକାର କହୁଛନ୍ତି ସାମ୍ବାଦିକଙ୍କ ସଂଖ୍ୟା ଗଣନା ଚାଲିଛି ମାତ୍ର ତାହା ଶେଷ ହେଉନାହିଁ। କେବେ ଶେଷ ହେବ ସରକାର ନିର୍ଦ୍ଧିଷ୍ଟ ଭାବେ କିଛି କହି ପାରୁନାହାନ୍ତି। ଗତ ଶୁକ୍ରବାର ଦିନ ବିଜେପି ବିଧାୟକ ଦିଲୀପ ରାୟଙ୍କ ଏକ ଅଣତାରକା ଯୁକ୍ତ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯେଉଁ ସୂଚନା ଦେଇଛନ୍ତି ସେଥିରୁ ଏହା ଜଣାପଡିଛି।journalism

ରାଜ୍ୟରେ ସାମ୍ବାଦିକ ଗଣନା ପ୍ରକ୍ରିୟା କେବେ ଠାରୁ ଆରମ୍ଭ ହୋଇଛି ଓ ଏହା କେବେ ସରିବ ଏବଂ ଏବେ ରାଜ୍ୟରେ କେତେ ସାମ୍ବାଦିକ ଅଛନ୍ତି, ସାମ୍ବାଦିକ ମାନଙ୍କ ପାଇଁ ସରକାର ସ୍ୱାସ୍ଥ୍ୟ ବୀମା ଓ ପେନସନ ଯୋଜନା କେବେଠାରୁ ଲାଗୁ କରିବେ ତାହା ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ।

ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଉତ୍ତରରେ ଜଣାଇଛନ୍ତି ଯେ ଅତୀତରେ ବହୁବାର ଚେଷ୍ଟା କରି ସାମ୍ବାଦିକମାନଙ୍କ ସଂଖ୍ୟା ଗଣନା କରାଯାଇ ପାରିନାହିଁ। ତେବେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ଅନୁଯାୟୀ ପୁନଶ୍ଚ ଏହା ୨୦୧୪ରୁ ଆରମ୍ଭ ହୋଇଛି।

ବିଭିନ୍ନ ଜିଲ୍ଲାରୁ ମିଳିଥିବା ସାମ୍ବାଦିକଙ୍କ ଦରଖାସ୍ତଗୁଡିକ ଯାଞ୍ଚ ପରେ ଏହା ଚୁଡାନ୍ତ ହେବ। ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ପାଇଁ ବିହିତ ପଦକ୍ଷେପ ନିଆଯାଉଛି, ଏବଂ ସାମ୍ବାଦିକ ଗଣନା ପରେ ପେନସନ ଯୋଜନା ପ୍ରଚାଳନ ପାଇଁ ବିଚାର କରାଯିବ।

ଏହି ଭଳି ଉତ୍ତରରୁ କବି ଯଦୁମଣିଙ୍କ ଚଉପଦୀ ମନେ ପଡେ,
“ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ,
ଏମନ୍ତ ଭୁଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ“।

ମନ୍ତ୍ରୀଙ୍କ ଏଭଳି ଉତ୍ତରର ପ୍ରତିକ୍ରିୟାରେ ବିଧାନ ସଭା ବାହାରେ ବିଧାୟକ ଶ୍ରୀ ରାୟ ଅତି ରୋଚକ ଟିପ୍ପଣୀ ଦେଇ କହିଲେ ଯେ ଓଡିଶା ସମେତ ସାରା ଦେଶର ଜନ ସଂଖ୍ୟା କେତେ ତାହା ପ୍ରତି ଦଶ ବର୍ଷରେ ଥରେ ଗଣାଯାଇ ପାରୁଛି। ଓଡ଼ିଶାର ଜଙ୍ଗଲରେ କେତେ ବାଘ-ହାତୀ ଅଛନ୍ତି ଓ କେଉଁ ନଈରେ କେତେ କୁମ୍ଭୀର ଅଛନ୍ତି ତାହା ସରକାର ଗଣି ପାରୁଛନ୍ତି।

atanu
ଅତନୁ ସବ୍ୟସାଚୀ

ଚିଲିକାକୁ କେତେ ପକ୍ଷୀ ଆସୁଛନ୍ତି ତାହା ବି ଗଣାଯାଇ ପାରୁଛି। ସାରା ରାଜ୍ୟରେ କେତେ ଗୃହପାଳିତ ପଶୁପକ୍ଷୀ ଅଛନ୍ତି ତାର ବି ଗଣନା କରି ରିପୋର୍ଟ ଦେଇ ପାରୁଛନ୍ତି, ଅଥଚ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଉଥିବା ଗଣମାଧ୍ୟମରେ କେତେ ସାମ୍ବାଦିକ କାର୍ଯ୍ୟରତ ଅଛନ୍ତି ତାହା ସରକାର ଗଣନା କରିପାରୁ ନାହାନ୍ତି।

ଏହା ବାସ୍ତବରେ ଏକ ଚିନ୍ତାର ବିଷୟ। କାରଣ ଗୋଟିଏ ପଟେ ସାମ୍ବାଦିକଙ୍କୁ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ କୁହ ଯାଉଥିବା ବେଳେ, ଅନ୍ୟ ପଟେ ସରକାରଙ୍କର ସେମାନଙ୍କ ପ୍ରତି ବହୁ ମାତ୍ରାରେ ବୈମାତୃକ ମନୋଭାବ ରହିଛି। ଅଧିକାଂଶରେ କାର୍ଯ୍ୟକାଳ ଭିତରେ ବହୁ ଓଡିଆ ସାମ୍ବାଦିକ ଉଚିତ ଦରମା ନପାଇ ହନ୍ତସନ୍ତ ହେଉଥିବା ବେଳେ, ଅବସର ପରେ ତା’ ପାଇଁ ଜୀବନ ବଞ୍ଚିବାର କୌଣସି ରାହା ନଥାଏ।

ଅସୁସ୍ଥତା ବେଳେ ତା’ ନିଜର ଓ ପରିବାରର ଚିକିତ୍ସା ପାଇଁ ଜଣେ ସାମ୍ବାଦିକ କଣ କରିବ ଜାଣେ ନାହିଁ। ଏହି ପରିପ୍ରେକ୍ଷୀରେ ସରକାର ବର୍ଷ ବର୍ଷ ଧରି ସାମ୍ବାଦିକଙ୍କ ସଂଖ୍ୟା ଗଣନା କରାଯାଇ ପାରିନଥିବା ବାହାନାରେ ସ୍ୱାସ୍ଥ୍ୟ ବୀମା ଓ ପେନସନ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିବାକୁ କାଳ କ୍ଷେପଣ କରି ଚାଲିବା ନିଶ୍ଚୟ ଅତି ନିର୍ଦ୍ଦୟ ମାନସିକତାର ପରିଚୟ ଦେଉଛି ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

ଉଲ୍ଲେଖନୀୟ କି ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଅନୁମୋଦନ ପାଇଥିବା ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ ଖବରକାଗଜ ଓ ପତ୍ର ପତ୍ରିକାର ସମୁଦାୟ ସଂଖ୍ୟା ୧୯୨। କିନ୍ତୁ ରାଜ୍ୟରେ କାମ କରୁଥିବା ବୈଦ୍ୟୁତିକ ଗଣମାଧ୍ୟମର ସଂଖ୍ୟା ସୂଚନା ଓ ଲୋକସମ୍ପର୍କ ବିଭାଗ ପାଖରେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଉତ୍ତରରେ କହିଛନ୍ତି।

ଏହା ଆଚମ୍ବିତ କରିଦେଲା ପରି କଥାଟିଏ ନୁହେଁ କି? ଯଦି କୌଣସି ବୈଦ୍ୟୁତିକ ଗଣମାଧ୍ୟମ ବିଭାଗ ଦ୍ଵାରା ଅନୁମୋଦିତ ନୁହେଁ, ତେବେ ସେମାନଙ୍କର ଏକାଧିକ ପ୍ରତିନିଧି ଓ ଟିମକୁ ପ୍ରତିଦିନ କିଭଳି ରାଜ୍ୟ ସଚିବାଳୟ ଓ ସମ୍ପ୍ରତି ବିଧାନସଭାରେ ଦେଖିବାକୁ ମିଳୁଛି?

ମନ୍ତ୍ରୀ ଶ୍ରୀ ନାୟକ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଅଧିସ୍ଵୀକୃତିପ୍ରାପ୍ତ ସାମ୍ବାଦିକଙ୍କ ସମୁଦାୟ ସଂଖ୍ୟା ୧୯୫। ଅନ୍ତତଃ ପକ୍ଷେ ସରକାରଙ୍କ ନିକଟରେ ଏହି ନିର୍ଦ୍ଧିଷ୍ଟ ହିସାବ ତ ରହିଛି। ତେବେ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଓ ପେନସନ ବ୍ୟବସ୍ଥା ଏହି ସଂଖ୍ୟା ଆଧାରରେ ଆରମ୍ଭ କରାଯାଉନାହିଁ କାହିଁକି?

କାହିଁକି ସରକାର ଭାବୁଛନ୍ତି ଯେ ସମୁଦାୟ ସାମ୍ବାଦିକଙ୍କ ସଂଖ୍ୟା ନିର୍ଧାରଣ ପରେ ହିଁ ସେମାନଙ୍କ ସ୍ୱାସ୍ଥ୍ୟ ବୀମା ଓ ପେନସନ ବ୍ୟବସ୍ଥା କଥା ସରକାର ଚିନ୍ତା କରିବେ? କୌଣସି ବ୍ୟବସ୍ଥା ତିଆରି କରିବା କ୍ଷେତ୍ରରେ ନିର୍ଦ୍ଧିଷ୍ଟ ସଂଖ୍ୟା ନଜାଣିଥିବା ଯୋଗୁ କିଭଳି ବା ଅନ୍ତରାୟ  ସୃଷ୍ଟି ହେଉଛି? ତେବେ କଣ ସରକାର ଜାଣିଶୁଣି ସାମ୍ବାଦିକଙ୍କ ସଂଖ୍ୟା ନିର୍ଧାରଣ କରିବାକୁ ଚାହୁଁ ନାହାନ୍ତି ? ଯଦି ଚାହୁଁ ନାହାନ୍ତି ତେବେ କଣ ପାଇଁ ?

ଅତ୍ୟନ୍ତ କ୍ଷୋଭର ସହ ବିଧାୟକ ଦିଲୀପ ରାୟ ମତ ଦିଅନ୍ତି, “କାର୍ଯ୍ୟରତ ସାମ୍ବାଦିକଙ୍କ ଗଣନା କରି ନପାରିବା କେବଳ ସରକାରଙ୍କ ଅପାରଗତା ନୁହେଁ, ବରଂ ସାମ୍ବାଦିକମାନଙ୍କ ପ୍ରତି ସରକାରୀ କଳର ହେୟ ମନୋଭାବର ପରିଚାୟକ”।

ସରକାର ଶୁଣି ପାରୁଛନ୍ତି ତ?

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅତନୁ ସବ୍ୟସାଚୀ, କପିଳାସ ଭୂୟାଁ, ଗଣନା, ସରକାର, ସାମ୍ବାଦିକ

ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ

November 14, 2015 by ନିଉଜ ଡେସ୍କ Leave a Comment

ଲିଙ୍ଗରାଜ

ଚଳିତ ବର୍ଷ ଆମ ରାଜ୍ୟରେ ଉତ୍କଟ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ଗତ ଦୁଇ ମାସ ମଧ୍ୟରେ ଭିନ୍ନ ଭିନ୍ନ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ଘଟଣା ପ୍ରଭାବ ସ୍ୱାଭାବିକ ଭାବରେ ଏକ ଉଦବେଗ ଓ ଉଦବେଳନର ପ୍ରସଙ୍ଗ ହୋଇଯାଇଛି । ଏକଥା କହିବା ବାହୁଲ୍ୟ ଯେ ଉଭୟ ଖବର କାଗଜ ଏବଂ ଇଲେକ୍ଟ୍ରୋନିକସ ଗଣମାଧ୍ୟମର ଏଥିରେ ଏକ ସକ୍ରିୟ ଭୂମିକା ରହିଛି ।

lingaraj
ଲିଙ୍ଗରାଜ

ମରୁଡ଼ି ମୁକାବିଲା ପାଇଁ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ବେଶ୍ ତତ୍ପରତା ପୂର୍ବକ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ ଘୋଷେଣା ସତ୍ୱେ କୃଷକ ଆତ୍ମହତ୍ୟା ଘଟଣା ଥମୁନଥିବାରୁ ପୃଷ୍ଠଭୂମିରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ କୃଷକ ମାନଙ୍କୁ ସରକାରଙ୍କ ତରଫରୁ ସର୍ବବିଧି ସହାୟତାର ଆଶ୍ୱାସନା ଦେଇ ଆତ୍ମହତ୍ୟା ନକରିବାକୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ବାଣୀ କୃଷକ ମାନଙ୍କ ମନରେ ଭରସା ଯୋଗାଉ ଥିବା ସଂକେତ ମିଳୁ ନାହିଁ ।

ଗତ ଅଗଷ୍ଟ ମାସରେ ବିଧାନ ସଭାରରେ ରାଜ୍ୟ କୃଷି ମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟାନୁସାରେ ୧୯୯୯ରୁ ୨୦୧୩ ବିଗତ ୧୫ ବର୍ଷ ଭିତରେ ଓଡ଼ିଶାରେ ୩୬୦୨ ଜଣ କୃଷକ ମାନଙ୍କର ଆତ୍ମହତ୍ୟା ଘଟଣା ଘଟିଛି ।

ଏବିଷୟ ତଥ୍ୟ ଉପସ୍ଥାପନ କଲା ବେଳେ କୃଷିମନ୍ତ୍ରୀ ଏକଥା କହିବାକୁ ଭୁଲିନଥିଲେ ଯେ କୃଷକ ମାନଙ୍କର ଆତ୍ମହତ୍ୟା ପଛରେ କୃଷି ଜନିତ ସମସ୍ୟାର ଆଦୌ ସମ୍ପର୍କ ନାହିଁ, ଭିନ୍ନ ଭିନ୍ନ କାରଣରୁ ସେମାନେ ଆତ୍ମହତ୍ୟା କରୁଛନ୍ତି ।

କୃଷିମନ୍ତ୍ରୀଙ୍କର ଏପରି ସ୍ପଷ୍ଟୀକରଣ ଦେବାର ତାତ୍ପର୍ଯ୍ୟ କଣ ହୋଇପାରେ ? । (ବିଜେଡ଼ି ନବୀନ ପଟ୍ଟନାୟକ ନେତୃତ୍ୱାଧିନ ସରକାର) କୃଷକ ମାନଙ୍କ ପ୍ରତି ଅଙ୍ଗିକାର ହୋଇ ନାନା ଯୋଜନା କରୁଥିବା ବେଳେ କୃଷି କ୍ଷେତ୍ରରେ ସମସ୍ୟା ଉପୁଜିବ କେମିତି ଏବଂ ତାକୁ ସ୍ୱୀକାର କଲେ ସରକାରଙ୍କ ବଦନାମ ତୁଲ୍ୟ ହେବ ନାହିଁ କି? )।

ଓଡ଼ିଶା ସରକାରର ବର୍ତମାନ କିମ୍ବା ପୂର୍ବତନ କୃଷିମନ୍ତ୍ରୀଙ୍କର ଏହି ପ୍ରସଙ୍ଗକୁ ନେଇ ଏପରି ଆଭିମୁଖ୍ୟକୁ ଏକ ବ୍ୟତିକ୍ରମ କୁହାଯାଇ ପାରିବ ନାହିଁ । ଏଠାରେ ସ୍ମରଣଯୋଗ୍ୟ ଯେ ଗତ ଲୋକସଭା ଅଧିବେଶନ କାଳରେ (ବିଜେପି ନେତୃତ୍ୱାଧିନ) କେନ୍ଦ୍ର ସରକାରଙ୍କ କୃଷିମନ୍ତ୍ରୀଙ୍କର ଏହାଠାରୁ ଅଧିକ କଟୁକ୍ତିପୂର୍ଣ୍ଣ ବୟାନ ବେଶ୍ ଚର୍ଚ୍ଚିତ ହୋଇଥିଲା । ତାହାର ମର୍ମ ଥିଲା କୃଷକ ମାନଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ପ୍ରେମଜନିତ ବିଫଳତା, ନପୁଂସକତା ଓ ତଦ୍ ଜନିତ ମାନସିକ ସମସ୍ୟା ।

ଏହା ପୂର୍ବରୁ କ୍ରେନ୍ଦ୍ରରେ ଦୀର୍ଘ ବର୍ଷ ଧରି କ୍ଷମତାସୀନ କଂଗ୍ରେସ ଦଳର କୃଷିମନ୍ତ୍ରୀଙ୍କର ଏବିଷୟରେ ଆଭିମୁଖ୍ୟରେ ଭିନ୍ନତାର ନଜିର ନାହିଁ । ୧୯୯୬ରୁ ୨୦୧୪ ଭିତରେ ଦେଶବ୍ୟାପୀ ତିନି ଲକ୍ଷ୍ୟରୁ ଊର୍ଦ୍ଧ୍ଵ କୃଷକ ଆତ୍ମହତ୍ୟା କରିଥିବାର ତଥ୍ୟ ଅବଶ୍ୟ କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ପ୍ରଦାନ କରୁଅଛି ।

କୃଷକ ଆତ୍ମହତ୍ୟା ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୈତିକ ଦୋଷାରୋପଣ ଭିତ୍ତିକ ବିତର୍କର ଏ ଚରିତ୍ରକୁ ବିଶ୍ଳେଷଣ କଲେ ଏକଥା ସ୍ପଷ୍ଟ ଯେ ଏହା ହେଉଛି ଆମ ଦେଶର ଶାସନ ଶ୍ରେଣୀର ଆଭିମୁଖ୍ୟ, କୌଣସି ନିର୍ଦ୍ଧିଷ୍ଟ ଦଳ ଭିତରେ ଏହା ସୀମାବଦ୍ଧ ନୁହେଁ ।

ଏହା ସହ ପଢନ୍ତୁ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

୧୯୮୦-୯୦ ଦଶକରେ ଆମ ଦେଶରେ ଅନାହାର ମୃତ୍ୟୁର ବ୍ୟାପକ ଅଭିଯୋଗକୁ ନେଇ ରାଜନୌତିକ ସ୍ତରରେ ଅନୁରୂପ ଦୋଷାରୋପଣର ସଲାକୁସ୍ତି ହେଉଥିଲା । ସମସ୍ୟା ମୂଳ କାରଣକୁ ସ୍ୱୀକାର କରି ସମାଧାନର ସୁତ୍ର ବାହାର କଲା ପରେ ଆଜି ତାହାର ଯଥେଷ୍ଟ ହ୍ରାସ ପାଇଛି , ଅନ୍ତତଃ ଅନାହାର ମୃତ୍ୟୁର ଅମାନବୀୟର ରୂପ ହ୍ରାସ ପାଇଛି ।

2007 AGITATION
୨୦୦୭ ମସିହାରେ ହୋଇଥିବା ଚାଷୀ ଆନ୍ଦୋଳନର ଏକ ଦୃଶ୍ୟ ଛବି ସୌଜନ୍ୟ : ଅଶୋକ ପ୍ରଧାନ

ଆମ ଦେଶର ଶାସନ ଶ୍ରେଣୀ ସଂପ୍ରତି କୃଷକ ଆତ୍ମହତ୍ୟା ଘଟଣାବଳୀକୁ କୃଷି କ୍ଷେତ୍ରର ନୀତି ଜନିତ ସମସ୍ୟା ସହ ଯୋଡ଼ି ଦେଖିବାକୁ ପ୍ରସ୍ତୁତ ନଥିବା ସତ୍ୱେ ଯେଉଁ ବର୍ଷ ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଘଟୁଛି ସେହି ସମୟରେ ଜନମତର ଚାପରେ ସରକାର କାରଣ ଓ ନିରାକାରଣ ଖୋଜିବା ଆଳରେ କମିଟି କମିଶନ ବସାଇବାର ଦୃଷ୍ଟାନ୍ତ ଅବଶ୍ୟ ରହିଛି । କିନ୍ତୁ ତାର ସୁପାରିଶକୁ ନେଇ ସଂପୃକ୍ତ ସରକାର ମାନଙ୍କର ଅଭିମୁଖ୍ୟ ତତୋଧିକ ବିଡ଼ମ୍ବନା ।

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୦୯-୧୦ରେ ଓଡ଼ିଶାରେ ଖରିଫ ଚାଷ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ହାନି ହୋଇଥିଲା ଏବଂ ସେହି ସମୟରେ ପ୍ରଥମ ଥର ପାଇଁ ଅନେକ ସଂଖ୍ୟକ କୃଷକ ଆତ୍ମହତ୍ୟାର ସମ୍ବାଦ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିଥିଲା ।

ସେହି ଅବଧି ଓ ପୃଷ୍ଠଭୂମିରେ ରାଜ୍ୟ ସରକାର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କୃଷକ କମିଶନ ଗଠନ କରିଥିଲେ । ଉକ୍ତ କମିଶନର ରିପୋର୍ଟ ରାଜ୍ୟ ସରକାରଙ୍କୁ ୨୦୧୨ ଡ଼ିସେମ୍ବରରେ ପ୍ରଦତ୍ତ ହୋଇଥିଲେ ସୁଦ୍ଧା ତାହା ବିଧାନସଭାରେ ପେଶ୍ ହୋଇନାହିଁ କିମ୍ବା ଲୋକଲୋଚନକୁ ଆସିନାହିଁ ।

ସବୁଠାରୁ ବିଡ଼ମ୍ବନାର କଥା ୨୦୧୪ରେ ରାଜ୍ୟ ସରକାର ଉକ୍ତ କମିଶନର ସୁପାରିଶ ଅନୁଧ୍ୟାନ କରିବା ପାଇଁ ପୁନଶ୍ଚ ଏକ ୭ ଜଣିଆ କିଶେଷଜ୍ଞ କମିଟି କରିବାକୁ କୁହାଯାଇଛି ।

AGITATION 9 nOV-2015
ଚଳିତ ମାସ ଚାଷୀ ଆତ୍ମହତ୍ୟା ବିରୋଧରେ ହୋଇଥିବା ସମାବେଶ ର ଦୃଶ୍ୟ ଛବି ସୌଜନ୍ୟ: ଅଶୋକ ପ୍ରଧାନ

ଠିକ୍ ସେହିପରି ୨୦୦୫ରେ କେନ୍ଦ୍ରରେ ନବ ଗଠିତ ଉପା ସରକାର ମଧ୍ୟ ଖ୍ୟାତିସଂପନ୍ନ କୃଷି ବିଶେଷଜ୍ଞ ସବୁଜ ବିପ୍ଳବର ସୁତ୍ରଧର ଏମ୍.ଏସ୍.ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ ଏକ କୃଷକ ଆୟୋଗ କଠନ କରିଥିଲେ । ସେହି ଅବଧିରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ପ୍ରଭୃତି ଆଧୁନିକ କୃଷି ପଦ୍ଧତିରେ ଉନ୍ନତ ରାଜ୍ୟ ମାନଙ୍କରେ କୃଷକ ମାନଙ୍କର ଅନେକ ସଂଖ୍ୟାରେ ଆତ୍ମହତ୍ୟା ଘଟଣା ଲୋକଲୋଚନକୁ ଆସିବା ପୃଷ୍ଠଭୂମିରେ ଏହି କମିଶନର ଗଠନ ହୋଇଥିଲା ।

୨୦୦୮ରେ ଏହି କମିଶନର ରିପୋର୍ଟ ସରକାରଙ୍କୁ ପ୍ରଦତ୍ତ ହୋଇଥିଲା । ଉକ୍ତ କମିଶନର ଅଧିକାଂଶ ସୁପାରିଶ ଏକ କର୍ପୋରେଟ ଆଧାରିତ କୃଷି ବ୍ୟବସ୍ଥା ଅନୁକୂଳ ହୋଇଥିବା ବେଳେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କୃଷକ ମାନଙ୍କୁ ସୁହାଇଲା ଭଳି ଥିଲା । ତେଣୁ ସେହି ସୁପାରିଶ ଦେଶର କୃଷକ ସଂଗଠନ ତଥା ସଚେତନ କୃଷକ ମାନଙ୍କ ଭିତରେ ବେଶ୍ ଚର୍ଚ୍ଚିତ ହୋଇ ରହିଛି ।

ଉକ୍ତ ସୁପାରିଶଟି ହେଲା ସରକାରଙ୍କ ଦ୍ୱରା କୃଷିଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ଦର ନିର୍ଦ୍ଧାରଣ କରାଗଲା ବେଳେ ଉତ୍ପାଦନ ଖର୍ଚ୍ଚ ସହ ପଚାଶ ପ୍ରତିଶତ ଯୋଡ଼ି ସ୍ଥିର କରିବେ । ଏହାକୁ ଏମ୍.ଏସ୍.ସ୍ୱାମୀନାଥନ ସୂତ୍ର ମଧ୍ୟ କୁହାଗଲା । ଏହି ସୁପାରିଶ ଜଣାପଡ଼ିବା ଦିନ ଠାରୁ କୃଷକ ସଂଗଠନ ମାନେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରି ଆସୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପା ସରକାର ଅମଳରେ ଏହି ସୁପାରିଶ ସଂକ୍ରାନ୍ତରେ ବିଚାର ସୁଦ୍ଧା କରାଗଲା ନାହିଁ । ଗତ ସାଧାରଣ ନିର୍ବାଚନ ସମୟରେ ବର୍ତମାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦାବିକୁ ତାର ନିର୍ବାଚନ ଇସ୍ତାହାରରେ ଅର୍ନ୍ତଭୁକ୍ତ କରିଥିଲା କିନ୍ତୁ ସରକାର ଗଢିବାର ଛଅ ମାସ ପର୍ଯ୍ୟନ୍ତ ଏ ବିଷୟରେ ଚୁପ୍ ରହିବାରୁ ହରିଆଣାର କେତେଜଣ କୃଷକ ନେତା ଏହି ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା କରିଥିଲେ ।

କିନ୍ତୁ ବିଡ଼ମ୍ବନାର କଥା କେନ୍ଦ୍ରର ବିଜେପି ସରକାର ସତ୍ୟପାଠ କରି ଅଦାଲତରେ ଜବାବ ଦାଖଲ କଲେ ଯେ ଏହି ସୁପାରିଶକୁ ଲାଗୁ କରିବା ସମ୍ଭବ ନୁହେଁ, କାରଣ ଏହାଦ୍ୱାରା ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଆମ ଦେଶର ଶାସକ ଶ୍ରେଣୀର କୃଷକ ଶ୍ରେଣୀ ପ୍ରତି ଉପେକ୍ଷା ଓ ପ୍ରତାରଣାର ଏହା ଏକ ସଦ୍ୟତମ ଉଦାହରଣ ।

ଏପ୍ରସଙ୍ଗରେ ଏକଥା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ ଯେକୌଣସି ରାଜ୍ୟ ସରକାର କୌଣସି ଫସଲ ହାନି କୃଷକ ମାନଙ୍କୁ ବୋନସ୍ ପ୍ରଦାନ କରି ପାରିବ ନାହିଁ, ଯଦି କରନ୍ତି ତେବେ କେନ୍ଦ୍ର ସରକାର ତାର ବଜାର ବ୍ୟବସ୍ଥା ପାଇଁ ଦାୟୀ ରହିବେ ନାହିଁ ।

କୃଷିଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ ଓ ବୋନସ୍ ପ୍ରଦାନ ବ୍ୟବସ୍ଥା ସହିତ ଆଧୁନିକ କୃଷି ବ୍ୟବସ୍ଥାରେ ସରକାରୀ ହସ୍ତକ୍ଷେପ ଦ୍ୱାରା କୃଷକ ମାନଙ୍କ ଆୟବୃଦ୍ଧିର ସିଧାସଳଖ ସଂପର୍କ ରହିଛି ।

ଆମ ଦେଶର ମାତ୍ର ୫ ପ୍ରତିଶତ ସରକାରୀ କର୍ମଚାରୀ ମାନଙ୍କର ପ୍ରତି ବର୍ଷରେ ବେତନ କମିଶନ ଗଠନ କରି ଅସମାନୁପାତିକ ଦରମା ଭତ୍ତା ବୃଦ୍ଧି ତଥା ପ୍ରତି ୯ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ସାଙ୍ଗକୁ ବିଧାୟକ/ ସାଂସଦ ମାନଙ୍କର ଦରମା ବୃଦ୍ଧି ବେଳକୁ ଦେଶର ଅର୍ଥ ବ୍ୟବସ୍ଥା ବିକୃତ ହେବାର ଯୁକ୍ତି କେହି କରନ୍ତି ନାହିଁ ।

ତେବେ ଜନସଂଖ୍ୟାର ୬୦ ପ୍ରତିଶତ କୃଷକ ମାନଙ୍କ ଆୟବୃଦ୍ଧିର ଏକ କ୍ଷୁଦ୍ର ବ୍ୟବସ୍ଥା କଥା ଉଠିଲେ ସରକାର ଚିହିଁକି ଉଠି ସତ୍ୟପାଠ କରୁଛନ୍ତି ଯେ ଦେଶର ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଏହି ରାଜନୈତିକ ଆଭିମୁଖ୍ୟରେ ହିଁ ରହିଛି କୃଷକ ଆତ୍ମହତ୍ୟାର ଏକ ମୂଳ କଥା ।

ପ୍ରଖ୍ୟାତ ହିନ୍ଦୀ କଥାକାର ପ୍ରେମଚାନ୍ଦ ୧୯୩୨ରେ ପରାଧିନ ଭାରତରେ ଏବିଷୟରେ ଏକ ପ୍ରବନ୍ଧ ଲେଖିଥିଲେ । କୃଷକ ଋଣ ବୋଝରେ ଜନ୍ମ ନିଏ, ଋଣ ବୋଝରେ ବଂଚେ ଓ ଋଣ ଜାଲ ମରିଥାଏ । ପରାଧିନ ଭାରତରେ ବି ଋଣ ବୋଝ କୃଷକର ଚିର ସହଚର ଥିଲା ।

ତେବେ ଆମ ଦେଶର ଅର୍ଥନୈତିକ ଐତିହାସିକ ମାନଙ୍କ ମତରେ ବ୍ରିଟିଶ ଶାସନ କାଳରେ କୃଷକମାନେ ଋଣ ଜାଲରେ ଫସି ଆତ୍ମହତ୍ୟା କରୁଥିବାର ନଜିର ଦେଖିବାକୁ ମିଳେ ନାହିଁ । ତେଣୁ ସ୍ୱାଭାବିକ ପ୍ରଶ୍ନ ଉଠୁଛି ସ୍ୱାଧୀନ ଭାରତରେ ଗତ ୨୦ ବର୍ଷ ଭିତରେ ୩ ଲକ୍ଷରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ମୂଳ କାରଣ କଣ? ।

ଦେଶର ଅନ୍ନଦାତା ବୋଲାଉଥିବା କୃଷକ (ବିଶେଷତଃ ଯେଉଁମାନଙ୍କ ପାଖରେ କୃଷି ଭିନ୍ନ ଅନ୍ୟ କୌଣସି ଧନ୍ଦା ନାହିଁ) ଆଜି ଏପରି ଅସହାୟ ବୋଧ କରୁଛି କାହିଁକି? ମହାରାଷ୍ଟ୍ର ଓ ପଞ୍ଜାବର କଥାକଥିତ ଊନ୍ନତ କୃଷକ ହେଉ କି ଓଡ଼ିଶାର ଦରିଦ୍ର ପଛୁଆ କୃଷକ ହେଉ ଆତ୍ମହତ୍ୟାର ପଥ ବାଛି ନେଉଛି କାହିଁକି ?

ଏହାର ମୂଳ କାରଣ ୪ଟି ପ୍ରକ୍ରିୟାଗତ ଶବ୍ଦରେ ଅନ୍ତର୍ନିହିତ ରହିଛି । ଉତ୍ପାଦନ ଖର୍ଚ୍ଚ ଆୟ ବିପର୍ଯ୍ୟୟ ଓ ଋଣ ।ଅର୍ଥାତ କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ସୀମାହୀନ ଭାବରେ ବଢିଚାଲିଛି ଏବଂ ସେହି ଅନୁପାତରେ କୃଷକର ଆୟବୃଦ୍ଧି ହେଉ ନାହିଁ ।

ସେହି ପରିସ୍ଥିତିରେ କୃଷକ ଉପରେ ଯଦି ଥରେ ବିପର୍ଯ୍ୟୟ ମାଡ଼ି ଆସିଲା ତେବେ ତା ଉପରେ ଋଣ ବୋଝ ଅସମ୍ଭାଳ ହୋଇଯାଉଛି । ପ୍ରଚଣ୍ଡ ଅସହାୟବୋଧ କରୁଥିବା କୃଷକ କିଂ କର୍ତବ୍ୟବିମୁଢ ହୋଇ ଜୀବନ ଯୁଦ୍ଧରେ ହାରି ଯାଉଛି ।

ଆଧୁନିକ କୃଷି ପଦ୍ଧତି ପୂର୍ବରୁ ଆମ ଦେଶରେ ଅନୁସୃତ କୃଷି ପଦ୍ଧତିରେ ଉତ୍ପାଦନ ଖର୍ଚ୍ଚ ପାଇଁ କୃଷକ ବଜାର ଉପରେ ଆଦୌ ନିର୍ଭରଶୀଳ ନଥିଲା । ଦେଶକୁ ଖାଦ୍ୟ ସଂକଟରୁ ମୁକୁଲାଇବା ପାଇଁ ଅନୁସୃତ ସବୁଜ ବିପ୍ଲବ କୃଷି ପଦ୍ଧତିରେ ଗୋଟିଏ ସମୟ ଯାଏ ସରକାରୀ ସହାୟତା ବଜାର ଦାଉକୁ ପ୍ରାୟତଃ ସମ୍ଭାଳି ନେଉଥିଲା ।

୧୯୯୧ ପରବର୍ତ୍ତୀ ତଥାକଥିତ ନବ ଉଦାରବାଦୀ ଯୁଗରେ ସରକାରୀ ସହାୟତା ସବ୍ସିଡ଼ି ହ୍ରାସ ସାଙ୍ଗକୁ ବଜାର ଶକ୍ତ କମ୍ପାନୀ ମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି ।ଏହି ଯୁଗରେ ଶିକ୍ଷା ଓ ସ୍ୱାସ୍ଥ୍ୟ ମଧ୍ୟ ବଜାରର ବସ୍ତୁ ହୋଇଗଲାଣି । କୃଷକ ପରିବାର ପାଇଁ ଏହା ମଧ୍ୟ ଏକ ବିପର୍ଯ୍ୟୟର ରୂପ ନେଉଛି ।

ସରକାରୀ ନୀତି ଦ୍ୱାରା ପ୍ରୋତ୍ସାହିତ ବଜାର ସର୍ବସ୍ୱ ଅର୍ଥ ବ୍ୟବସ୍ଥା ଜନିତ ଉପଭୋକ୍ତାବାଦର ଅନିୟନ୍ତ୍ରିତ ପ୍ରସାର ମଧ୍ୟ କୃଷକ ପରିବାର ପାଇଁ କାଳ ହୋଇଛି । ଏପରି ଏକ ଚକ୍ରବ୍ୟୁହ ଭିତରୁ କୃଷକ କିପରି ବାହାରି ପାରିବ ତାହା ଏକ ଯକ୍ଷ ପ୍ରଶ୍ନ ।

କଥାକାର ପ୍ରେମଚାନ୍ଦ ଉପରୋକ୍ତ ପ୍ରବନ୍ଧରେ ଏକଥା ବି କହିଥିଲେ ଯେ ସେକାଳର ସରକାର କୃଷକ ମାନଙ୍କୁ ସାବତ ପୁଅ ହିସାବରେ ବ୍ୟବହାର କରୁଛି । କୃଷକ ମାନଙ୍କୁ ନିଜର ବଡ଼ ପୁଅ ଭଳି ବ୍ୟବହାର କଲେ ଯାଇ ସେମାନେ ତିଷ୍ଠି ପାରିବେ ବୋଲି ସେ ଆକୁଳ ନିବେଦନ କରିଥିଲେ ।

ବିଦେଶୀ ସରକାରର ଆଚରଣ ତ ବଦଳିବାର ପ୍ରଶ୍ନ ନଥିଲା । ସ୍ୱାଧୀନ ଭାରତରେ ପ୍ରଜାତନ୍ତ୍ର ଶାସନର ସରକାରର ଆଚରଣ ବଦଳାଇବାର କିଛି ବାଟ ଅଛି କି?

ସମତା ଭବନ, ବରଗଡ଼ -୭୬୮୦୨୮
ମୋ: ୯୪୩୭୦୫୬୦୨୯

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ବରଗଡ଼, ବିଜେଡ଼ି, ରାଜ୍ୟ ସରକାର, ସରକାର

ରାଜ୍ୟରେ ବସ ରାଜ୍ୟ ବୃଦ୍ଧି, ବିଭିନ୍ନ ମହଲରେ ବିରୋଧ

June 4, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ୱର, ମଇ ୪ (ଓଡିଶା ଡଟ କମ ) ରାଜ୍ୟ ସରକାର ଗୁରୁବାର ବସ ଭଡା କିଲୋମିଟର ପିଛା ଚାରି ରୁ ଆଠ ପଇସା ବୃଦ୍ଧି କରିଥିବା ବେଳେ ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଇଛି ।

ବାଣିଜ୍ୟ ଓ ପରିବହନ ବିଭାଗ ଦ୍ଵାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସାଧାରଣ ବସରେ ଯାତ୍ରୀ ଭଡା କିଲୋମିଟର ପିଛା ୫୭ ରୁ ୬୧ ପଇସାକୁ ବୃଦ୍ଧିପାଇଥିବା ବେଳେ ଦ୍ରୁତଗାମୀ ବସ ରେ ଯାତ୍ରା କରୁଥିବା ଲୋକଙ୍କୁ ଏଥର କିଲୋମିଟର ପିଛା ଷାଠିଏ ପଇସା ପରିବର୍ତ୍ତେ ଚଉଷଠି ପଇସା ଦେବାକୁ ପଡିବ ।

ଠିକ ସେହି ପରି ଡିଲକ୍ସ ଓ ସୁପର ଡିଲକ୍ସ ବସ ରେ ଯାତ୍ରୀ ଭଡା କିଲୋମିଟର ପିଛା ୯୯ ପଇସା ଓ ଏକ ଟଙ୍କା ସାତ ପଇସାକୁ ବୃଦ୍ଧି ପାଇଛି । ପୂର୍ବରୁ ଏହା ୮୦ ଓ ୮୬ ପଇସା ଥିଲା ।

ଭଡା ବୃଦ୍ଧି କରିବା ସହ ସରକାର ଡିଜେଲ ଓ ପେଟ୍ରୋଲ ଦରବୃଦ୍ଧି ହେଲେ ସେହି ଅନୁପାତରେ ସ୍ଵାଭାବିକ ଭାବେ ବସ ଭଡା ବୃଦ୍ଧି ପାଇଁ ଏକ ଫର୍ମୁଲା ଘୋଷଣା କରିଛନ୍ତି ।

ବାଣିଜ୍ୟ ଓ ପରିବହନ ବିଭାଗ ଦ୍ଵାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଯଦି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଏ ତେବେ ସ୍ଵାଭାବିକ ଭାବେ ବସ ଭଡା କିଲୋମିଟର ପିଛା ଏକ ପଇସା ବୃଦ୍ଧି ପାଇବ ।

ଯଦି ପେଟ୍ରୋଲ ଓ ଡିଜେଲ ଦର ଦୁଇଟଙ୍କା କମ ହୁଏ ତେବେ ସ୍ଵାଭାବିକ ଭାବେ ବସ ଭଡା କିଲୋମିଟର ପିଛା ଏକ ପଇସା ହ୍ରାସ ପାଇବ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ସହ ରାଜ୍ୟରେ ସମାନ୍ତରାଳ ଭାବେ ଭଡା ବୃଦ୍ଧି ବ୍ୟବସ୍ଥା ନ ହେଲେ ଶୁକ୍ରବାର ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ ରଖିବାକୁ ଘରୋଇ ବସ ମାଲିକ ସଂଘ ଧମକ ଦେଇଥିଲେ ।

ଅନ୍ୟ ପକ୍ଷରେ ଘରୋଇ ବସ ମାଲିକଙ୍କ ଆନ୍ଦୋଳନ ଧମକ ଆଗରେ ସରକାର ମୁଣ୍ଡ ନୂଆଇଁ ଥିବା ଅଭିଯୋଗ କରି ବିରୋଧୀ ରାଜନୈତିକ ଦଳ ମାନେ ଏହି ନିଷ୍ପତ୍ତିର ସମାଲୋଚନା କରିଛନ୍ତି । ବସ ଭଡା ବୃଦ୍ଧି ସାଧାରଣ ନାଗରିକଙ୍କ ପାଇଁ ବୋଝ ଉପରେ ଲଲିତା ବିଡା ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଧର୍ମ ଘଟ, ବସ ଭଡା, ସରକାର

ବାଲେଶ୍ଵରରେ ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ

May 25, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ବାଲେଶ୍ଵର,ମଇ ୨୫ (ଓଡିଶା ଡଟ କମ) : ବାଲେଶ୍ଵର ଜିଲ୍ଲା ସଦର ମହକୁମାରେ ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ (ଜେଏମଏଫସି) କୋର୍ଟ ପ୍ରତିଷ୍ଠା ହେବ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତିୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ବାଲେଶ୍ଵରରେ ବର୍ତ୍ତମାନ ଅତିରିକ୍ତ ସିଭିଲ ଜଜ(ଜୁନିୟର ଡିଭିଜନ) ଙ୍କ କୋର୍ଟ ରହିଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ଵାରା, ଏହି କୋର୍ଟ “ଅତିରିକ୍ତ ସିଭିଲ ଜଜ(ଜୁନିୟର ଡିଭିଜନ) ତଥା ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ” ଭାବେ କାର୍ଯ୍ୟ କରିବ ।

ଏହାଦ୍ଵାରା ନିକଟବର୍ତ୍ତୀ ଜେଲ୍ ରେ ଥିବା ବିଚାରଧିନ ବନ୍ଦୀ ମାନଙ୍କ ମାମଲା ଏହି କୋର୍ଟ କୁ ବିଚରାପାଇଁ ଯାଇ ପାରିବ ।

ଓଡିଶା ଡଟ କମ

News Bureau
News Bureau

Filed Under: ମୁଖ୍ୟ ଖବର Tagged With: ଜୁଡିସିଆଲ ମାଜିଷ୍ଟ୍ରେଟ, ବାଲେଶ୍ଵର, ସରକାର

ପୁରୀ ଟ୍ରାଫିକ ପୋଲିସ ଷ୍ଟେସନର ସୀମାକୁ ସରକାରଙ୍କ ଅନୁମୋଦନ

May 25, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ବାଲେଶ୍ଵର,ମଇ ୨୫ (ଓଡିଶା ଡଟ କମ) : ପୁରୀରେ ନବଗଠିତ ଟ୍ରାଫିକ ପୋଲିସ ଷ୍ଟେସନର ସୀମା ନିର୍ଦ୍ଧାରଣ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦିତ କରିଛନ୍ତି ।

ଏ ସମ୍ପର୍କିତ ବିଜ୍ଞପ୍ତି ଖୁବ ଶୀଘ୍ର ଉଭୟ ଇଂଗ୍ରାଜୀ ଓ ଓଡିଆରେ ପ୍ରକାଶ ପାଇବ । ସୂଚନାଯୋଗ୍ୟ ଯେ ପୁରୀର ଟ୍ରାଫିକ ପୋଲିସ ଷ୍ଟେସନ ଗଠନ କରାଯାଇ ଏଥିପାଇଁ ୩୦ଟି ପଦବୀ ରଖାଯାଇଛି।

ଏହି ଷ୍ଟେସନରେ ଜଣେ ଇନ୍ସପେକ୍ଟର, ତିନି ଜଣ ସବଇନ୍ସପେକ୍ଟର, ଛଅ ଜଣ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ଏବଂ କୋଡିଏ ଜଣ କାନେଷ୍ଟବଳ ସହିତ ବର୍ତ୍ତମାନ କାମ କରୁଥିବା ଟ୍ରାଫିକ କର୍ମଚାରୀମାନେ ମଧ୍ୟ କାମ କରିବେ।

ଓଡିଶା ଡଟ କମ

News Bureau
News Bureau

Filed Under: ମୁଖ୍ୟ ଖବର Tagged With: ଟ୍ରାଫିକ ପୋଲିସ, ସରକାର

ଶ୍ରୀମନ୍ଦିର ପରିଚାଳନାରେ ସରକାରୀ ହସ୍ତକ୍ଷେପକୁ ଶଙ୍କରାଚାର୍ଯ୍ୟଙ୍କ ସମାଲୋଚନା

May 24, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୪ (ଓଡିଶା ଡଟ କମ) ଶ୍ରୀମନ୍ଦିର ରୀତିନୀତି ଓ ପରିଚାଳନାରେ ବାରମ୍ବାର ଅଯଥା ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ଵତୀ ଶନିବାର ସରକାରଙ୍କୁ ବ୍ୟାପକ ସମାଲୋଚନା କରିଛନ୍ତି।

ଏଭଳି ହସ୍ତକ୍ଷେପକୁ ନାପସନ୍ଦ କରି ସରକାର ତୁରନ୍ତ ଏହି ଜଘନ୍ୟ ଅପରାଧରୁ ଦୁରେଇ ରହନ୍ତୁ ଓ ଦଶ ଭିତରେ ସୁଧୁରି ଯାଆନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଆଧ୍ୟାତ୍ମିକ, ସାଂସ୍କୃତିକ ଧାର୍ମିକ ଏବଂ ମୋକ୍ଷର ସଂସ୍ଥାନ ହେଉଛି ଶ୍ରୀମନ୍ଦିର । ଅମଲାତନ୍ତ୍ରର ହସ୍ତକ୍ଷେପ ଫଳରେ ମହାପ୍ରଭୁଙ୍କ ସେବା ଓ ପୂଜାରେ ବାରମ୍ବାର ବ୍ୟାଘାତ ସ୍ତୃଷ୍ଟି ହେଉଥିବା ଗୋବର୍ଦ୍ଧନ ମଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି।

ଶ୍ରୀମନ୍ଦିର ପରିଚାଳନା ହାତକୁ ନେଇ ସରକାର ସୃଷ୍ଟି କରିଥିବା ମୁଖ୍ୟ ପ୍ରଶାସକ ପଦ ବେଆଇନ ଦର୍ଶାଇ ସେ କହିଛନ୍ତି ଉକ୍ତ ପଦବୀରେ ରହୁଥିବା ବ୍ୟକ୍ତି ବିଶେଷ ନିଜ ସୀମାରେଖା ତଳେ ସୀମାବଦ୍ଧ ନ ରହି ଅଯଥା ଧାର୍ମିକ ବ୍ୟବସ୍ଥାରେ ହସ୍ତକ୍ଷେପ କରୁଛନ୍ତି ।

ଠିକ ସେହି ପରି ଶ୍ରୀମନ୍ଦିର ପରିଚାଳନାରେ ଆମୂଳ ଚୁଳ ପରିବର୍ତ୍ତନ ଆବଶ୍ୟକ ବୋଲି ସେ କହିଛନ୍ତି। ଶଙ୍କରାଚାର୍ଯ୍ୟ ଜଣେ ବ୍ୟକ୍ତି ନୁହନ୍ତି । ସେ ଏକ ଅନୁଷ୍ଠାନ । ସେ ସନାତନ ତଥା ହିନ୍ଦୁ ଧର୍ମର ମୁଖ୍ୟ । ଶଙ୍କରାଚାର୍ଯ୍ୟଙ୍କ ପ୍ରତି ସରକାର ଜଣେ ବ୍ୟକ୍ତିଙ୍କ ଭଳି ଆଚରଣ କରୁଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଶଙ୍କରାଚାର୍ଯ୍ୟଙ୍କୁ ଉପଦେଷ୍ଟା ଆଖ୍ୟା ଦେଇ ତାଙ୍କର ଅଧିକାରରେ ହସ୍ତକ୍ଷେପ କରିବାକୁ ରାଜ୍ୟ ସରକାର କିଏ ବୋଲି ସେ ପ୍ରଶ୍ନ କରିଛନ୍ତି । ଶଙ୍କରାଚାର୍ଯ୍ୟ ହେଉଛନ୍ତି ମାର୍ଗ ଦର୍ଶକ । ମାର୍ଗ ଦର୍ଶକ ଓ ଉପଦେଷ୍ଟା ସମାନ ନୁହେଁ ବୋଲି ସେ କହିଛନ୍ତି । ଠିକ ସେହିପରି ନବକଳେବର ସମ୍ପର୍କରେ ସରକାର ତାଙ୍କ ସହ ପରାମର୍ଶ କରୁନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ Tagged With: ଜଗନ୍ନାଥ, ଶଙ୍କରାଚାର୍ଯ୍ୟ, ଶ୍ରୀମନ୍ଦିର, ସରକାର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 8
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ