• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାକ୍ଷାତକାର

ନିର୍ଭୁଲ ସୂଚନା ବହୁ ସମସ୍ୟାର ସମାଧାନ କରିପାରିବ:ଶଶିପ୍ରଭା (ସାକ୍ଷାତକାର)

October 25, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ: କପିଳାସ ଭୂୟାଁ

ଭୁବନେଶ୍ଵର, ଅକ୍ଟୋବର ୨୫ (ଓଡିଶା ଡଟ କମ) ସରକାରୀ ନିୟମ ହେଉ ଅଥବା ଜନ ସଚେତନତା ପାଇଁ ଆବଶ୍ୟକ ସୂଚନା ହେଉ, ଯଦି ନିର୍ଭୁଲ ତଥ୍ୟ ଜନ ସାଧାରଣଙ୍କ ପାଖରେ ଠିକ ସମୟରେ ପହଞ୍ଚେ ତାହା ହେଲେ ବହୁତ ଗୁଡିଏ ସମସ୍ୟାର ସମାଧାନ ହୋଇଯାଇ ପାରିବ ବୋଲି ଗତ ଜୁନ ମାସରେ ଓଡିଶାର ପ୍ରଥମ ରାଜ୍ୟ ମହିଳା ସୂଚନା କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶଶିପ୍ରଭା ବିନ୍ଧାଣି କହିଛନ୍ତି ।

bindhani
ଶଶିପ୍ରଭା ବିନ୍ଧାଣି

ସୂଚନା ମାଗୁଥିବା ଆବେଦନକାରୀଙ୍କୁ ନିର୍ଧାରିତ ସମୟରେ ନିର୍ଭୁଲ ତଥ୍ୟ ଯୋଗାଇଦେବା ଓ ସୂଚନା ପ୍ରଦାନ ବ୍ୟବସ୍ଥାରେ ସ୍ଵଚ୍ଛତା ଆଣିବା ମୋର ମୁଖ୍ୟ ପ୍ରାଥମିକତା, ଓଡିଶା ଡଟ କମକୁ ନିଜର ପ୍ରଥମ ବିସ୍ତୃତ ସାକ୍ଷାତକାର ଦେଇ ଶଶିପ୍ରଭା କହିଛନ୍ତି।

“ଏହି ପଦବୀ ମୋତେ ଗଭୀର ଆତ୍ମବିଶ୍ଵାସ ଦେଇଛି ଓ ନିଜକୁ ଆହୁରି ଭଲ ଭାବରେ ଜାଣିବା ପାଇଁ ସୁଯୋଗ ଆଣି ଦେଇଛି। ସୂଚନା ପ୍ରଦାନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ମୋର ସମସ୍ତ ଶକ୍ତି ଓ ନିଷ୍ଠା ନିୟୋଜିତ କରିବି” ସେ କହିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଏକ ଏକାନ୍ନବର୍ତି ପରିବାରରେ ଜନ୍ମ ହୋଇ ବଡ ହୋଇଥିବା ଶଶିପ୍ରଭାଙ୍କ ପିଲାଦିନର ପାଠପଢା ଦିନ ଗୁଡିକର ରହିଛି ମିଶ୍ରିତ ଅନୁଭୂତି। ନୂଆ ସିଲଟ ଓ ଖଡିରେ ଶୁନ ମଡେଇ (ବ୍ରହ୍ମା), (ବିଷ୍ଣୁ) ଓ (ମହେଶ୍ଵର) ଉଛାରଣ କରି ସେ ଅନ୍ୟ ଶିଶୁଙ୍କ ପରି ବିଦ୍ୟାରମ୍ଭ କରିଥିଲେ । ତେବେ ବହୁ ଦିନ ପର୍ଯନ୍ତ ତାଙ୍କ ମନରେ ପ୍ରଶ୍ନ ଥିଲା ଯେ ଶୁନ ମାନେ କ’ଣ ! ମାନସାଙ୍କ ସବୁର ଉତ୍ତର ମୁହଁରେ ଥିଲା ତାଙ୍କର।

ଓଡିଆ, ଇଂରାଜୀ, ହିନ୍ଦୀ ଓ ବଙ୍ଗଳା ଖବରକାଗଜ ପଢି ବା ଆକାଶବାଣୀର ଖବର ଶୁଣି ଏବଂ ତାକୁସବୁ ମନେରଖି ଅନ୍ୟମାନଙ୍କୁ ଶୁଣେଇବାରେ ଶଶିପ୍ରଭାଙ୍କୁ ମିଳୁଥିଲା ପ୍ରଚୁର ଆତ୍ମସନ୍ତୋଷ। ହାଇସ୍କୁଲ ପାଠ ପଢା ସେ ଶେଷ କରିଥିଲେ ବାରିପଦାର ମହାରାଣୀ ପ୍ରେମ କୁମାରୀ ବାଳିକା ବିଦ୍ୟାଳୟରୁ, ଓ କଲେଜ ପାଠ ମହାରାଜା ପୂର୍ଣଚନ୍ଦ୍ର ମହାବିଦ୍ୟାଳୟରୁ ।

bindhani-2
ସୂଚନା ଅଧିକାର ବିଶେଷଜ୍ଞ ସୁବାଶ ଅଗ୍ରୱାଲଙ୍କ ସହ ଶଶିପ୍ରଭା

ତା’ ପରେ ବାଣୀବିହାରରୁ ଏମଏ ଓ ଲ’ । ତେବେ ହାଇସ୍କୁଲ ସମୟରେ ମନରେ ଥିଲା ଅନେକ ସ୍ଵପ୍ନ, ଅନେକ ଦ୍ଵନ୍ଦ୍ଵ ଓ ଅନେକ ଆଶା ଆଉ ନିରାଶାର ମୁହୂର୍ତ୍ତ। ପିଲାଦିନେ ବଡ ହୋଇ ଡାକ୍ତରୀ ପଢିବା ପାଇଁ ଇଚ୍ଛା ଥିଲେବି ସେ ସୁଯୋଗ ମିଳିଲା ନାହିଁ, କିନ୍ତୁ ଲ’ ପଢି ସାରିଲା ପରେ ତୁରନ୍ତ ପ୍ରାକ୍ଟିସ ନକରି ବୃହତ୍ତର ସମାଜ ସହ ମିଶିବାକୁ ଓ ଆମ ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ବୁଝିବାକୁ ସେ ଚେଷ୍ଟା କଲେ ।

ବୈବାହିକ ଜୀବନ ମଣିଷ ଜୀବନର ଏକ ବିଶେଷ ଅଂଶ, ଓ ତାହା ପ୍ରତିବନ୍ଧକ ଅପେକ୍ଷା ଅଧିକ ମାତ୍ରାରେ ତାଙ୍କ ଜୀବନକୁ ପ୍ରବାହିତ କରିଛି ବୋଲି ସେ ମନେ କରନ୍ତି ।

ସମାଜର ନିମ୍ନ ବର୍ଗର ଗରିବ ନିଃସହାୟ ମହିଳାମାନଙ୍କୁ ଡାଆଣୀ ବୋଲି କହି ନିର୍ଯାତନା ଦେବା, ଏପରିକି ହତ୍ୟା କରିବା ଭଳି ଭୟାନକ ଘଟଣା ଆମ ରାଜ୍ୟ ତଥା ଅନ୍ୟାନ୍ୟ ରାଜ୍ୟରେ ଘଟୁଛି, ଯାହା ତାଙ୍କୁ ସବୁ ବେଳେ ଆନ୍ଦୋଳିତ କରେ । ଏହା ବିରୋଧ ରେ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ୨୦୧୧ରେ ସେ ଏକ ପିଟିସନ ଦାଖଲ କରି ଚର୍ଚା କୁ ଆସିଥିଲେ ।

ସେହି ପିଟିସନ ଆଧାରରେ ଗରିବ ଓ ନିଃସହାୟ ମହିଳାଙ୍କୁ ସାମାଜିକ ଅତ୍ୟାଚାରରୁ ତ୍ରାହି ଦେବା ପାଇଁ ନିୟମ ପ୍ରଣୟନ କରିବାକୁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ରାଜ୍ୟ ସରକାର “ଦି ଓଡିଶା ପ୍ରିଭେନସନ ଅଫ ୱିଚ ହଣ୍ଟିଂ ଆକ୍ଟ ୨୦୧୩ ପ୍ରସ୍ତୁତ କରିଥିଲେ । ଏହା ରାଜ୍ୟ ବିଧାନସଭାରେ ପାରିତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିଲା । ଏହା ନିୟମରେ ପରିଣତ ହୋଇ ଫେବୃଆରୀ ୨୦୧୪ ଠାରୁ ରାଜ୍ୟରେ ଲାଗୁ ହୋଇଛି ।

bindhani-9
ଝିଅ ଦିଶା ଓ ସ୍ଵାମୀ ବିଶ୍ଵରଞ୍ଜନଙ୍କ ସହ

ଏହା ଆଗକୁ କେତେ ଫଳବତୀ ହେବ? “ଆଇନ ପାରିତ ହେବା ଭଲ କଥା। କିନ୍ତୁ ଏହାର ଉପଯୋଗ ସହିତ ସାମାଜିକ ବ୍ୟବସ୍ଥାକୁ ଏପରି ଏକ ‘ଆରୋପ ଜନିତ’ ଅପରାଧ ବଳୟରୁ ମୁକ୍ତି ଦେବାକୁ ହେଲେ ଅନେକ ପ୍ରସ୍ତୁତି ଓ ଯୋଜନାର ଆବଶ୍ୟକତା ରହିଛି”, ସେ ନିଜ ମତ ରଖି କହିଛନ୍ତି ।

ଡାହାଣୀ କହି ମହିଳାମାନଙ୍କୁ ଅତ୍ୟାଚାରରୁ ତ୍ରାହି ଦେବା ପାଇଁ ଯଦି ନିୟମ ପ୍ରଣୟନ କରାଗଲା ତେବେ ସତରେ କ’ଣ ଡାହାଣୀ ଅଛନ୍ତି? ଏ ସମ୍ପର୍କରେ ଶଶିପ୍ରଭାଙ୍କାର ଉତ୍ତର ଭାରି ସ୍ପଷ୍ଟ – “ଡାହାଣୀ ଏକ ମନୁଷ୍ୟକୃତ୍ତ ଶବ୍ଦ ଯାହାର କୌଣସି ନିର୍ଦ୍ଧିଷ୍ଟ ଅର୍ଥ ନାହିଁ, ଯେମିତିକି କୁସଂସ୍କାର”।

“ଡାହାଣୀ କହି ମହିଳାଙ୍କୁ ଅତ୍ୟାଚାର କରିବା ଯଦି ଏକ ଆରୋପଜନିତ ହିଂସା ବା ଅପରାଧ, ତେବେ ଏହା କେବଳ ଆମ ରାଜ୍ୟରେ ଘଟୁନାହିଁ ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଏଭଳି ହିଂସା ଘଟଣା ବିଭିନ୍ନ ସମୟରେ ସାମନାକୁ ଆସୁଛି” ।

“ତେବେ ଏହା ମଧ୍ୟରେ ଆମ ରାଜ୍ୟରେ ଖବରକାଗଜ ଓ ଟେଲିଭିଜନରେ ଏଭଳି ହିଂସା ସମ୍ପର୍କିତ ରିପୋର୍ଟ ଅଧିକ ପ୍ରକାଶିତ ହେଉଛି ଅର୍ଥାତ ଏଭଳି ଘଟଣା ଆଉ ଲୁଚି ରହୁ ନାହିଁ ” ଏଭଳି ଘଟଣା ଲୋକ ଲୋଚନଙ୍କୁ ଆଣିବାରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରି ସେ କହନ୍ତି ।

୨୦୦୪ ମସିହାରେ ରାକ୍ଷୀ ବର୍ମାଙ୍କ ଦ୍ଵାରା ନିର୍ଦ୍ଧେଶିତ ‘ଇଣ୍ଡିଆନ ୱିଚ ହଣ୍ଟ’ ଚଳଚିତ୍ରରେ ମହିଳା ମାନଙ୍କ ପ୍ରତି କରାଯାଉଥିବା ଅତ୍ୟାଚାରର ନିଛକ ବର୍ଣନା ରହିଛି – ଏହାକୁ ଏକାଧିକ ଆନ୍ତର୍ଜାତିକ ପୁରସ୍କାର ମିଳିବା ସହିତ ନ୍ୟାସନାଲ ଜୋଗ୍ରାଫିକ ଚାନେଲରେ ମଧ୍ୟ ପ୍ରଦର୍ଶିତ କରାଯାଇଛି। ଏହି ଚଳଚିତ୍ରରେ ଡାଆଣୀ ଭାବେ ନିର୍ଯାତିତା ଚୁଟନୀ ମହାତୋକୁ ଫ୍ରି ଲିଗାଲ ଏଡ କମିଟି ଦ୍ଵାରା ଉଦ୍ଧାର କରାଯାଇଥିଲା।

ଓଡିଶାରେ ଏଭଳି କମିଟି ରହିଛି କି? “ଯଦିଓ ମୁ ଏହି ଚଳଚିତ୍ର ଦେଖି ନାହିଁ ଅତ୍ୟାଚାରିତ ମହିଳାମାନଙ୍କୁ ଆଇନଗତ ସାହାଯ୍ୟ ଯୋଗାଇଦେବାକୁ ଆମ ରାଜ୍ୟରେ ଷ୍ଟେଟ ଲିଗାଲ ଏଡ ଅଥରିଟୀ ଅଛି, ଓ ପ୍ରତ୍ୟେକ କୋର୍ଟରେ ଫ୍ରି ଲିଗାଲ ଏଡ ସେଲ ମଧ୍ୟ ରହିଛି ” ସେ ଉତ୍ତରରେ କହନ୍ତି ।

bindhani-3ଡାଆଣୀ ବୋଲି କୁହାଯାଉଥିବା ମହିଳାମାନେ କଣ ପ୍ରକୃତରେ ଡାଆଣୀ, ନା ସେମାନଙ୍କୁ ଡାଆଣୀ ଆଖ୍ୟା ଦେବା ପଛରେ କୌଣସି ଲୁକ୍କାୟିତ ଉଦ୍ଧେଶ୍ୟ ରହିଥାଏ? ପ୍ରଶ୍ନର ଉତ୍ତରରେ ସେ ରୋକଠୋକ ଉତ୍ତର ଦେଇ କହନ୍ତି “ଡାହାଣୀ ହେଉ ବା ଅନ୍ୟ ଯେ କୌଣସି ପ୍ରକାରର “ଆରୋପ” ଓ ତହିଁରୁ ସଂଘଟିତ ଅପରାଧ ସବୁବେଳେ ଉଦ୍ଧେଶ୍ୟ ପ୍ରଣୋଦିତ” ।

ଜଣେ ନାରୀ ରୂପେ ସମାଜରେ ରହିଥିବା ଭେଦଭାବକୁ କେଉଁ ଦୃଷ୍ଟିରେ ଦେଖନ୍ତି, ଓ ସମାଜ ତହିଁର ଊର୍ଦ୍ଧ୍ବକୁ କେମିତି ଯାଇ ପାରିବ ବୋଲି ଆପଣ ଭାବନ୍ତି? “ସମାଜରେ ରହିଥିବା ଭେଦଭାବ ବିଷୟରେ ଉଭୟ ପୁରୁଷ ଓ ନାରୀ ଊଣା ଅଧିକେ ଅବଗତ, ତେବେ ଜଣେ ମଣିଷ ହିସାବରେ ଆତ୍ମ ବିଶ୍ଳେଷଣ ସହ ସଠିକ କର୍ମ ନିର୍ଧାରଣ କରି ତାହାକୁ କାର୍ଯ୍ୟକାରୀ କରିବା ହେଉଛି ମୁଖ୍ୟ କଥା ”, ସେ ମତ ଦିଅନ୍ତି ।

ରାଜ୍ୟ ଇନଫରମସନ କମିଶନର ରୂପେ ଆପଣ କେଉଁ ଭଳି କାମ କଲେ ଆତ୍ମତୃପ୍ତି ପାଇପାରିବେ ବୋଲି ଆଶା ରଖିଛନ୍ତି? “ସୂଚନା କମିଶନର ପଦବୀକୁ ମର୍ଯ୍ୟାଦା ଦେବା ସହ ଆର ଟି ଆଇ ଆକ୍ଟର ଲକ୍ଷ୍ୟ ହାସଲ କରିବା ପାଇଁ ଯେଉଁସବୁ ପଦକ୍ଷେପ ଓ ପ୍ରଣାଳୀର ଆବଶ୍ୟକତା ଅଛି ତାହାକୁ ପୂରଣ କରିବା ଦିଗରେ ମୋର ନିଷ୍ଠା ଓ ପ୍ରୟାସ ଜାରି ରଖିବା ଦ୍ଵାରା ଆତ୍ମ ତୃପ୍ତି ପାଇବି ”, ସେ କହନ୍ତି ।

ଓଡିଶା ଡଟ କମ

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: କପିଳାସ ଭୂୟାଁ, ଶଶିପ୍ରଭା ବିନ୍ଧାଣି, ସାକ୍ଷାତକାର, ସୂଚନା ଅଧିକାର ଆଇନ

ରାଉରକେଲାର ତାନ୍ନି ବୋଷ ଓ ଭୂଟାନରେ ତାଙ୍କ ସାହିତ୍ୟ ସର୍ଜନା (ସାକ୍ଷାତକାର)

July 19, 2015 by ନିଉଜ ଡେସ୍କ 6 Comments

ଓଡିଶା ଡଟ୍ କମ୍: ଈପସିତା ଦାଶ

ଜୀବନର ଛୋଟ ଛୋଟ ଅନୁଭବକୁ ଚମତ୍କାର ଢଙ୍ଗରେ କବିତା ମାଧ୍ୟମରେ ଭୂଟାନରେ ରହି ପରିବେଷଣ କରୁଥିବା ରାଉରକେଲାର ତାନ୍ନି ବୋଷଙ୍କ ଏହା ମଧ୍ୟରେ ତିନୋଟି କବିତା ସଂକଳନ ପ୍ରକାଶ ପାଇଛି ।

ବ୍ୟସ୍ତ ବହୁଳ ଦିନ ଚର୍ଯ୍ୟାରୁ ସମୟ ବାହାର କରି ଭୁଟାନରେ ଏକ ସିନିଅର ସେକେଣ୍ଡାରୀ ସ୍କୁଲରେ ଇଂରାଜୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟକରୁଥିବା ତାନ୍ନିଙ୍କ ଏହି ଇଂରାଜୀ କବିତା ସଙ୍କଳନ ହେଲା ‘ଦି ଫ୍ଲୋଟିଙ୍ଗ ଷ୍ଟୋନସ୍’, ‘ଡନ ଆଣ୍ଡ ଡସ୍କ’ ଓ ‘ଦି ମୋଲେଷ୍ଟ୍ରେଟେଡ କ୍ଳେ’ ।

tanni-final‘ଡନ ଆଣ୍ଡ ଡସ୍କ’ରେ,ସେ “ଜନ୍ମରୁ ମୃତ୍ୟୁ ବା ଏନ୍ତୁଡିଶାଳରୁ ମଶାଣି ପର୍ଯ୍ୟନ୍ତ ମଣିଷ ଜୀବନର ଯାତ୍ରା ସମ୍ପର୍କରେ ବର୍ଣନା କରିଥିବା ବେଳେ ତାଙ୍କ କବିତା ଗୁଡିକରେ ପ୍ରେମ ଓ ପ୍ରକୃତିକୁ ନେଇ ଛୋଟ ଛୋଟ ଅନୁଭବର ବର୍ଣନା ଶୈଳୀ ପାଠକର ପ୍ରାଣକୁ ଆନ୍ଦୋଳିତ କରେ ।

ଠିକ ସେହି ପରି ‘ଦି ଫ୍ଲୋଟିଙ୍ଗ ଷ୍ଟୋନସ୍’- ର କବିତା ଗୁଡିକରେ “ମଣିଷର ଆକାଂକ୍ଷା, ଅଭିଲାଷ, ବିବେକ ଓ ମନମଧ୍ୟରେ ଅହରହ ଚାଲୁଥିବା ଅନ୍ତରଦ୍ଵନ୍ଦ ବା ତର୍କ ବିତର୍କର ପ୍ରତିଫଳନ ଦେଖିବାକୁ ମିଳେ । ସେ ଦେଖାଇଛନ୍ତି କେତେବେଳେ ମଣିଷ ବିବେକକୁ ଅନୁସରଣ କରିଥାଏ ତ କେତେବେଳେ ସେ ନିଜ ମନର ବଶୀଭୂତ ହୋଇ ବିବେକ ବିରୁଦ୍ଧରେ କାର୍ଯ୍ୟ କରିଥାଏ ।

taniଯେତେବେଳେ ବିବେକର କଥାରୁହେ ସେତେବେଳେ ମଣିଷର ବିଜୟ ହୁଏ ଓ ଯେତେବେଳେ ମନର କଥା ରୁହେ ସେତେବେଳେ ମଣିଷ ତା’ର ମନ ଆଗରେ ହାର ମାନି ମୁଣ୍ଡ ପାତି ଥାଏ ।

ତାନ୍ନି କୁହନ୍ତି ଏହି ସଂକଳନ ମଧ୍ୟରେ ଥିବା ତାଙ୍କର ଏକ କବିତା ହେଉଛି “ସବୁଜ ରଙ୍ଗରୁ ଧୂଷର ରଙ୍ଗ”-ଏହାର ଅର୍ଥ ହେଉଛି, ସବୁଜ ଯାହା ସବୁକିଛି ଜଣେ ତା’ର ଶୈଶବାବସ୍ଥାରୁ ଯୌବନ ପର୍ଯ୍ୟନ୍ତ ପାଇବାକୁ ଚାହେଁ ।

ଠିକ ସେହି ପରି ଧୂସର ରଙ୍ଗ ଯାହା ଆମେ ଆମ ଜୀବନରେ କେବେ ନଘଟୁ ବୋଲି ଭାବୁ କିନ୍ତୁ ସେଥିରୁ ଆମେ ମୁକ୍ତି ମିଳେନାହିଁ । ଯଥା- ବୃଦ୍ଧାବସ୍ଥା, ମୃତ୍ୟୁ……… ଇତ୍ୟାଦି । ଏଠାରେ ମୃତ୍ୟୁକୁ ନକରାତ୍ମକ ଅର୍ଥରେ ଉଲ୍ଲେଖ କରାଯାଇଛି।

ତାନିଙ୍କ”ଦି ମୋଲେଷ୍ଟ୍ରେଟେଡ କ୍ଳେ” ଅର୍ଥାତ ‘କନସେପ୍ଟ ଅଫ ଲଭ’ରେ ସେ ବର୍ଣ୍ଣନା କରିଛନ୍ତି କୁମ୍ଭାର ଅତି ଯତ୍ନ ସହକାରେ ମାଟିର ପାତ୍ରଟିଏ ଗଢେ, ତାକୁ ମନ ମୁତାବକ ଆକାର ଓ ଆକୃତି ଦେଇ ନିଜ ଛୁଆଟି ପରି ରଙ୍ଗ-ବିରଙ୍ଗର ରଙ୍ଗରେ ରଙ୍ଗାୟିତ କରି ପାତ୍ରଟିକୁ ଧୀରେ ଧୀରେ ଆଖି ଦୃଶିଆ କରେ ଓ ଏହାକୁ ସମସ୍ତଙ୍କ ଆଡକୁ ଆକର୍ଷିତ କରିବା ପାଇଁ ସଜାଏ ।

ପରେ ଉକ୍ତ ପାତ୍ରଟି ଆସି ଏକ ପ୍ରଦର୍ଶନୀ ରେ ଥିବା ଦୋକାନରେ ସଜେଇ ହୋଇ ଗ୍ରାହକର ଅପେକ୍ଷାରେ ରହେ ।

ସେ ବି କାହା ଘରର ଡ୍ରଇଂ ରୁମର ଏକ କୋଣରେ ସଜା ହୋଇ ରହିବ । ତା’ଭିତରେ ରଙ୍ଗ ବେରଙ୍ଗର ଫୁଲ ସଜା ହେବେ। କିନ୍ତୁ ତା’ର ଭାଗ୍ୟର ବିଡମ୍ବନା ଯେ ଦିନ ପରେ ଦିନ ଗଡି ଚାଲେ ହେଲେ ସେ କୌଣସି ଗ୍ରାହକଙ୍କ ମନକୁ ଆକର୍ଷିତ କରି ପାରେ ନାହିଁ।

tanni-3

tanni-6

tanni-4ପରିଶେଷରେ ଦୋକାନର ଆଗ ଧାଡିରେ ସଜା ହୋଇଥିବା ପାତ୍ରଟି କ୍ରମଶଃ ଏକ କୋଣରେ ପଡି ରହେ । ତା’ଉପରେ ଧୂଳିର ଏକ ଆସ୍ତରଣ ପଡି ଚାଲେ। ଦିନେ ହଠାତ ପ୍ରଚଣ୍ଡ ଘଡଘଡି ଓ ବିଜୁଳି ସହ ପ୍ରବଳ ବେଗରେ ପବନ ବହି ବର୍ଷା ମାଡି ଆସେ ।

ପବନ ଓ ବର୍ଷାର ମାଡ ସହି ନପାରି ଦୋକାନର ତମ୍ବୁଟି ଭାଙ୍ଗିଯିବା ସହ ପାତ୍ରଟି ତା’ର ସମସ୍ତ ସୌନ୍ଦର୍ଯ୍ୟ ହରାଇ ପୁନଶ୍ଚ ମାଟିରେ ମିଶିଯାଏ । ଏଠାରେ ପାତ୍ରଟିର ପୁଣି ମାଟିରେ ମିଶିଯିବାକୁ ସକାରାତ୍ମକ ଦୃଷ୍ଟିରେ ନିଆଯାଇଛି । ପାତ୍ରଟି ଦୈହିକ କଷ୍ଟରୁ ମୁକ୍ତି ପାଇ ସୁଖ ଶାନ୍ତିରେ ଯେଉଁଥିରୁ ସୃଷ୍ଟି ହୋଇଥିଲା ସେଇଥିରେ ହିଁ ଲୀନ ହୋଇଯାଏ।

ତାନ୍ନିଙ୍କର ଚତୁର୍ଥ ଅନବିଦ୍ୟ ସୃଷ୍ଠି ହେଉଛି ଏକ ଉପନ୍ୟାସ ଯାହା ୨୦୧୬ରେ ପ୍ରକାଶିତ ହେବ । ଉପନ୍ୟାସର ନାମ ହେଉଛି “ଅନ-କଣ୍ଡିସନାଲ ଲଭ,କଣ୍ଡିସନାଲ ମାଇଣ୍ଡ” ଏହାର ମୁଖ୍ୟ ଚରିତ୍ର ମାନେ ହେଲେ ଆକାଂକ୍ଷା ଯିଏକି ବିବାହିତା ଓ ତାଙ୍କ ପରିବାର ।

ତାଙ୍କର ଦୁଇଟି କନ୍ୟାସନ୍ତାନଙ୍କ ମଧ୍ୟରୁ ଜଣେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଜଣେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢେ। ତାଙ୍କ ସ୍ଵାମୀଙ୍କର ନାମ ଅନିରୁଦ୍ଧ । ଆକାଂକ୍ଷା ଏକ ହୋଟେଲରେ ରିସେପସ୍ନିଷ୍ଟ ଭାବେ କାର୍ଯ୍ୟ କରନ୍ତି।

ଆମାଜନ୍ ରୁ କିଣନ୍ତୁ DAWN AND DUSK

ଘର ସଂସାର କରି ଦୁଇଟି କନ୍ୟା ସନ୍ତାନର ମା’ ହୋଇଥିଲେ ମଧ୍ୟ ସେ ମାନସିକ ଭାବରେ ସାଂସାରିକ ସୁଖ ପାଇପାରନ୍ତି ନାହିଁ। ଉକ୍ତ ହୋଟେଲରେ କାମ କରୁଥିବା ସପ୍ତାଂଶୁ ନାମକ ଜଣେ ଯୁବ ପପ୍ ଗାୟକଙ୍କୁ ଆକାଂକ୍ଷା ନିଜ ଜୀବନର ସବୁ ସୁଖଦୁଃଖ କୁହନ୍ତି।

ଇତି ମଧ୍ୟରେ ସେମାନଙ୍କ ମଧ୍ୟରେ ମାନସିକ ସ୍ତରରେ ନିବିଡତା ବୃଦ୍ଧି ପାଏ। କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ପ୍ରକାର ଦୈହିକ ସମ୍ପର୍କ ନଥାଏ। ଏହାକୁ ଆକାଂକ୍ଷାଙ୍କର ପରିବାର, ସମାଜ, ସାଙ୍ଗସାଥି, କିପରି ଭାବେ ଗ୍ରହଣ କରିଛନ୍ତି ତାହା ହେଉଛି ଉପନ୍ୟାସ ସାରମର୍ମ।

ସୌମେଷ ଚନ୍ଦ୍ର ବୋଷ ଓ ସାନ୍ତଶ୍ରୀ ବୋଷ ଙ୍କର ଜ୍ୟେଷ୍ଠା କନ୍ୟା ତାନ୍ନି, ୧୯୭୬ ମସିହା ଫେବୃଆରୀ ରାଉରକେଲାରେ ଜନ୍ମ ଗ୍ରହଣ କରି ସେହିଠାରେ ହିଁ ନିଜର ସ୍କୁଲ ଶିକ୍ଷା ଶେଷ କରିବା ସହ ଇଂରାଜୀ ଉପରେ ସ୍ନାତୋକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

tanni-5ଭୁଟାନରେ ଏକ ସରକାରୀ ଉଚ୍ଚବିଦ୍ୟାଳୟରେ ଗଣିତରେ ଶିକ୍ଷକତା କରୁଥିବା ରାଉରକେଲାର ସୋମ୍ୟରଞ୍ଜନ ପଣ୍ଡାକୁ ୧୯୯୯ ମସିହାରେ ଜୀବନ ସାଥିରୁପେ ଗ୍ରହଣ କରିବା ପରେ ତାନ୍ନି ୨୦୦୨ ମସିହାରୁ ଭୂଟାନର ତେନ୍ଦୁକ ସହରରେ ଥିବା ଏକ ସିନିଅର ସେକେଣ୍ଡାରୀ ସ୍କୁଲରେ ଇଂରାଜୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି।

ସେମାନଙ୍କର ଏକ ମାତ୍ର ପୁତ୍ର ସିଦ୍ଧାନ୍ତ ଏବେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ବାପା ମା’ଙ୍କର ଗେହ୍ଲା ଝିଅ, ଶାଶୁ ଶଶ୍ୱୁରଙ୍କର ସୁନା ବୋହୁ, ଜଣେ ଭଲ ଶିକ୍ଷୟତ୍ରି ଓ ସୁଗୃହିଣୀ ହେବା ସହ ଜଣେ ଉତ୍ତମ ମା ଭାବେ ନିଜକୁ ପ୍ରମାଣିତ କରିପାରିଥିବା ତାନ୍ନି ତାଙ୍କର ସାହିତ୍ୟ ସର୍ଜନା ପାଇଁ ଭୂଟାନରେ ନିଜ ସହକର୍ମୀଙ୍କ ମଧ୍ୟରେ ବେଶ୍ ଚର୍ଚାରେ ରହିଛନ୍ତି।

ତାଙ୍କର ତିନୋଟି ଯାକ କବିତା ସଂକଳନ ପାଠକ ପାଠିକା ମହଲରେ ଖୁବ ଉଚ୍ଚ ପ୍ରଶଂସିତ ହୋଇଛି। ପିଲା ଦିନରୁ ସେ ଇଂରାଜୀ କବିତା ଲେଖା ପ୍ରତି ଆକୃଷ୍ଟ ଥିଲେ। ଏଥିରେ ତାଙ୍କୁ ସହଯୋଗର ହାତ ବଢାଇ ଆହୁରି ଉତ୍ସାହିତ କରିଥିଲେ ମା’ ସାନ୍ତଶ୍ରୀ।

ଛୋଟବେଳେ ତାନ୍ନିଙ୍କ କୁନିକୁନି କବିତା ଶୁଣିବା ସହ, ତାଙ୍କୁ ପ୍ରଶଂସା କରିବା ଓ  ଲେଖିବା ପ୍ରତି ତାଙ୍କର ଆଗ୍ରହକୁ ବଢାଇବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ତାଙ୍କ ମା । ବିବାହ ପରେ ସ୍ଵାମୀ ସୋମ୍ୟ ମଧ୍ୟ ତାଙ୍କ କବିତା ଗୁଡିକ ପଢିବା ଓ ତାଙ୍କୁ ପ୍ରୋତ୍ସାହିତ କରି ଲେଖିବା ପାଇଁ ପ୍ରେରଣା ଯୋଗାଇବା କାର୍ଯ୍ୟ କରି ଆସିଛନ୍ତି ।

ଏହି ସାହିତ୍ୟ ସର୍ଜନା କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ପ୍ରଶ୍ନର ଉତ୍ତରରେ ତାନ୍ନି ଓଡିଶା ଡଟ୍ କମ୍ କୁ କହିଥିଲେ ‘ଯେତେଦିନ ପର୍ଯ୍ୟନ୍ତ ମା’ ସରସ୍ଵତୀଙ୍କର କରୁଣା ମୋ ଉପରେ ଥିବ ଓ ସ୍ଵାମୀଙ୍କର ସହଯୋଗ ଥିବ ସେତେଦିନ ପର୍ଯ୍ୟନ୍ତ ମୁ ଲେଖି ଚାଲିଥିବି’ ।

ଓଡିଶା ଡଟ କମ

(ଈପସିତା ଦାଶ ହେଉଛନ୍ତି ଓଡିଶା ଡଟ୍ କମ୍ ର ପରିଚାଳନା ସମ୍ପାଦିକା)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ, ସାକ୍ଷାତକାର, ସାହିତ୍ୟ Tagged With: ତାନି ବୋଷ, ସାକ୍ଷାତକାର

ସମୟ କହିବ କିଏ ଠିକ୍ , କିଏ ଭୁଲ୍ : ଯଜ୍ଞେଶ୍ୱର ବାବୁ (ସାକ୍ଷାତକାର)

October 8, 2012 by ଓଡିଶା ଡଟ କମ Leave a Comment

ସମୟ କହିବ କିଏ ଠିକ୍ , କିଏ ଭୁଲ୍ : ଯଜ୍ଞେଶ୍ୱର ବାବୁ (ସାକ୍ଷାତକାର)

ଏବେ ଓଡ଼ିଆଙ୍କ ମନ ଭିତରେ ଓଡ଼ିଶା ଜନମୋର୍ଚ୍ଚାକୁ ନେଇ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି । ଲୋକେ ଜାଣିବାକୁ ଚାହୁଁଛନ୍ତି ଯେ ପ୍ରକୃତରେ ଏଇଟା କ’ଣ? ଗୋଟିଏ ପଟେ ଜନମୋର୍ଚ୍ଚାର ନେତାମାନେ କହୁଛନ୍ତି ଯେ ସେମାନେ ବିଜୁ ଜନତା ଦଳ(ବିଜଦ)ରେ ଅଛନ୍ତି, ଏବଂ ବିଜଦକୁ ମଜବୁତ୍ କରିବା ପାଇଁ ଓଡ଼ିଶା ଜନମୋର୍ଚ୍ଚା ଗଠନ କରିଛନ୍ତି ।

ଅନ୍ୟ ପଟେ ଯେଉଁ ନେତାଙ୍କ ନାଁ ଜନମୋର୍ଚ୍ଚାର କାର୍ଯ୍ୟକର୍ତା ହିସାବରେ ଆସୁଛି ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ତାଙ୍କ ପଛରେ ଲାଗି ଯାଉଛନ୍ତି । ବିଜୁ ଜନତା ଦଳ ନେତାଙ୍କର କହିବା କଥା ଯେ ଗୋଟିଏ ଦଳରେ ରହି ସେହି ଦଳରେ ଆଉ ଗୋଟିଏ ମୋର୍ଚ୍ଚା ଗଠନ କରିବାଟା ଦଳ ବିରୋଧି କାମ ।

ଏ ବିଷୟରେ ଯିଏ ଜବାବ ରଖନ୍ତେ(ସାଂସଦ ପ୍ୟାରୀମୋହନ ମହାପାତ୍ର) ସେ ବ୍ୟକ୍ତି ଜଣକ ଏବେ ଚୁପ୍ । ତାଙ୍କ କହିବା କଥା ଯେ ସେ ଯାହା କହିବେ ଅକ୍ଟୋବର ୧୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କହିବେ ।

ଏବେ ସେ କେବଳ ଯଜ୍ଞେଶ୍ୱର ବାବୁଙ୍କୁ ତା’ଙ୍କ ସଙ୍ଗଠନ ବିଷୟରେ କହିବାକୁ ଅନୁମତି ଦେଉଛନ୍ତି । ଯଜ୍ଞେଶ୍ୱର ମଧ୍ୟ ଏ ଯାବତ୍ ମୋର୍ଚ୍ଚା ବିଷୟରେ କେଉଁଠି ହେଲେ ସବୁକଥା ଖୋଲିକରି କହି ନଥିଲେ । ପ୍ରକୃତରେ ଜନମୋର୍ଚ୍ଚା କ’ଣ, ଏହାର ଉଦ୍ଦେଶ୍ୟ କ’ଣ ସେକଥା ଜାଣିବା ପାଇଁ ଓ ପାଠକମାନଙ୍କୁ ଜଣାଇବା ପାଇଁ ଯଜ୍ଞେଶ୍ୱରଙ୍କୁ ଭେଟିଥିଲେ ସୁରେନ୍ଦ୍ର ପାତ୍ର ।

ପ୍ରଶ୍ନ : ଯଜ୍ଞେଶ୍ୱରଜୀ! ପ୍ରକୃତରେ ଏଇ ଜନମୋର୍ଚ୍ଚାଟି କ’ଣ?

ଯଜ୍ଞେଶ୍ୱର : ସିଧା କଥାରେ ଏହା ଏକ ନୂତନ ରାଜନୈତିକ ମୋର୍ଚ୍ଚା, ଏହା ଏକ ସଙ୍ଗଠନ ତଥା ଏକ ମାଧ୍ୟମ ।

ପ୍ରଶ୍ନ: ମାଧ୍ୟମ କାହାର?

ଯଜ୍ଞେଶ୍ୱର : ଏହା ହେଉଛି ସେହି ବିଜେଡି କର୍ମୀମାନଙ୍କର ନିଜ କଥା କହିବାର ଏକ ମାଧ୍ୟମ ଯେଉଁମାନେ ଦୀର୍ଘଦିନ ଧରି ଦଳର ସେବା କରି ଆସୁଥିଲେ ମଧ୍ୟ ଏକରକମ କୋଣଠେସା ହୋଇ ରହିଛନ୍ତି । ସେମାନଙ୍କୁ ସେମାନଙ୍କର କଥାକୁ କହିବା ପାଇଁ ସୁଯୋଗ ମିଳୁନାହିଁ କି ସେମାନଙ୍କ କଥାକୁ ଶୁଣିବା ପାଇଁ କେହି ନଥିବା ପରି ଲାଗୁଛି । ଏହା ବିଜେଡିକୁ ସଜାଡିବା ତଥା ବିଜେଡିରେ ସଂସ୍କାର ଆଣିବାପାଇଁ ଏକ ମାଧ୍ୟମ ।

ପ୍ରଶ୍ନ : ଏହାର ଅର୍ଥ ହେଉଛି ଯେ ଆପଣମାନେ ପୁରାପୁରି ବିଜେଡିରେ ରହି ଜନମୋର୍ଚ୍ଚାକୁ ଚଳାଇବେ?

ଯଜ୍ଞେଶ୍ୱର : ହଁ ।

ସୁପା : ଏକଥା କ’ଣ ସମ୍ଭବ? ଆପଣମାନଙ୍କୁ ତ ବିଜେଡିରୁ ନିଲମ୍ବିତ କରାଯାଇ ସାରିଲାଣି ।

ଯଜ୍ଞେଶ୍ୱର : ଆମେମାନେ ଏବେବି ବିଜେଡିରେ ଅଛୁ ଓ ବହିସ୍କାର ହୋଇନାହୁଁ । ଆପଣ ଦେଖିଥିବେ ମତେ ଯେଉଁଦିନ ନିଲମ୍ବିତ କରାଗଲା ସେ ଖବର ଶୁଣୁଶୁଣୁ ବଲାଙ୍ଗୀରର ଚାରିଜଣ ବ୍ଲକସ୍ତରର ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଦେଲେ ।

ବହିସ୍କାର ପରେ କ’ଣ ହେବ ଆପଣ ଚିନ୍ତା କରନ୍ତୁ । ଆମେ ସବୁ ମଲାମାଛି ନୁହେଁ ଯେ ଯିଏ ଯେତେବେଳେ ଚାହିଁବ ସିଏ ଆମକୁ ଚା କପରୁ କାଢି ଫୋପାଡି ଦେବ । ତା ବ୍ୟତୀତ ଆମ ଆଗରୁ ମଧ୍ୟ କିଛି ଲୋକ ଏହି ଦଳ ଭିତରେ ଥାଇ ସ୍ୱତନ୍ତ୍ର ମଞ୍ଚ କରି ସାରିଛନ୍ତି । ମତେ ଯେବେ ନିଲମ୍ବିତ କରାଗଲା କୁହାଗଲା (ମତେ କିଛି ଲିଖିତ ଭାବରେ କୁହାଯାଇ ନାହିଁ) ଯେ ମୁଁ କାଳେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଲି ।

କିନ୍ତୁ ଯେଉଁ ନେତା ଜଣକ ବିଜୁ ବିଚାର ମଞ୍ଚ ଗଠନ କରିଥିଲେ ସେତ ମୁଖ୍ୟମନ୍ତ୍ରୀଙ୍କୁ ବୁଲାଇ ବଙ୍କାଇ “ମୁର୍ଖ” ବୋଲି କହିଥିଲେ । ସେ’ତ ଦଳର ମହାସଚିବ ଥିଲେ । ଏବେବି ଦଳର ଜଣେ ବରିଷ୍ଠ ଉପସଭାପତି ଅଛନ୍ତି । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନିଜେ କୌଣସି ବିଷୟରେ କିଛି ନିଷ୍ପତି ନେଇ ପାାରୁ ନାହାନ୍ତି । ଅନ୍ୟର ନିଷ୍ପତିକୁ କେବଳ କାର୍ଯ୍ୟକାରୀ କରାଉଛନ୍ତି । ତା’ମାନେ ମୁଖ୍ୟମନ୍ତ୍ରୀ ମୁର୍ଖ ।

ପୁଣି ସେହି ଲୋକ ଦଳର ନିର୍ବାଚନ ଚିହ୍ନ “ଶଙ୍ଖ”କୁ କହିଥିଲେ “ଗେଣ୍ଡା” । ତାଙ୍କୁ ତ କେହି ଦଳରୁ ବହିସ୍କାର କରିନାହିଁ । ଓଲଟା ସିଏ ଏବେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ।

ପ୍ରଶ୍ନ : ଆଜ୍ଞା! ମତେ ସିଧା କହନ୍ତୁ ଯେ ଆପଣମାନେ ବାରବର୍ଷ ଧରି ବିଜେଡିରେ ରହିବା ପରେ ଏବେ କ’ଣ ହେଲା ଯେ ଓଡ଼ିଶା ଜନମୋର୍ଚ୍ଚା ଗଠନ କରିବାର ଆବଶ୍ୟକତା ପଡ଼ିଲା?

ଯଜ୍ଞେଶ୍ୱର : ଦେଖନ୍ତୁ ! ଓଡ଼ିଶାରେ ସବୁ ଥାଇ ମଧ୍ୟ ଏହା କେନ୍ଦ୍ର ସରକାରଙ୍କ ଲଗାତର ଅବହେଳା କାରଣରୁ ଦୀର୍ଘ ସମୟ ଧରି ଅବହେଳିତ ହୋଇ ରହିଥିଲା । ଏଥିରୁ ମୁକୁଳିବା ପାଇଁ ଓଡ଼ିଶାରେ ଗୋଟିଏ ଆଂଚଳିକ ଦଳର ଆବଶ୍ୟକତା ବହୁ ଦିନରୁ ଅନୁଭୂତ ହୋଇ ଆସୁଥିଲା ।

କାରଣ ଜାତୀୟ ସ୍ତରରେ ଯେଉଁ ରାଜନୈତିକ ଦଳ ଗୁଡିକ ଅଛନ୍ତି ସେଥିରେ ଥିବା ଓଡ଼ିଆ ନେତାମାନଙ୍କର କଥାକୁ କେହି ଶୁଣନ୍ତି ନାହିଁ । ବିହାର, ଉତର ପ୍ରଦେଶ, ମହାରାଷ୍ଟ୍ର, ଦକ୍ଷିଣ ଭାରତର ନେତାମାନଙ୍କ କଥାକୁ ସେଠି ଅଧିକ ଗୁରୁତ୍ୱ ଦିଆଯାଏ । କେବଳ ବିଜୁବାବୁଙ୍କୁ ଛାଡି ଦେଲେ ଓଡ଼ିଶାର କୌଣସି ନେତା ଦିଲ୍ଲୀରେ, ସଂସଦରେ ବା ସଂସଦ ବାହାରେ ଓଡ଼ିଶା ସପକ୍ଷରେ କିଛି ଦାବି କରି ପାରନ୍ତି ନାହିଁ କି ସେପରି କିଛି ଆଖିଦୃଶିଆ ଜନମତ ସୃଷ୍ଟି କରି ପାରନ୍ତି ନାହିଁ ।

ବିଜୁବାବୁ ମଧ୍ୟ ବାରମ୍ବାର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଓ ଅର୍ଥନୈତିକ ସାର୍ବଭୌମତା ଦେବାକୁ ଦାବି କରି କରି ଥକି ଗଲେ ପଛେ ତାଙ୍କ କଥା କେହି ଶୁଣି ନଥିଲେ । ତେଣୁ ବିଜୁବାବୁଙ୍କ ଦେହାନ୍ତ ପରେ ତାଙ୍କ ନାମରେ ଆମେମାନେ ଓଡ଼ିଶାରେ ଏକ ରାଜନୈତିକ ଦଳ ଗଠନ କରିଥିଲୁ ।

ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ଏହାର ଅଧ୍ୟକ୍ଷ କରିଥିଲୁ । ଏହା ସହିତ ନବୀନବାବୁ ସାରା ଜୀବନ ଦିଲ୍ଲୀରେ ରହି ଓଡ଼ିଶାର ଭାଷା ଓ ଚାଲିଚଳଣୀ ସହିତ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ବସ୍ତୁସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା କାରଣରୁ ବିଜୁବାବୁଙ୍କ ସହିତ ବହୁଦିନ ଧରି କାମ କରିଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ୟାରୀମୋହନ ମହାପାତ୍ରଙ୍କୁ ସରକାର ଓ ସଂଗଠନକୁ ଉଚିତ ମାର୍ଗରେ ଚଳାଇବାର ଦଦାୟିତ୍ୱ ଦିଆଯାଇଥିଲା ।

ନିଜେ ସଭାପତି ସମସ୍ତଙ୍କୁ କହୁଥିଲେ ଯେ ପ୍ୟାରୀବାବୁଙ୍କୁ ଭେଟ । ପ୍ୟାରୀବାବୁଙ୍କ ସଫଳ ଗୋଟିଚାଳନା ଫଳରେ ପ୍ରଥମ ଥର ପାଇଁ ଗୋଟିଏ ଆଞ୍ଚଳିକ ଦଳ ଲଗାତର ତିନିଥର ପାଇଁ ରାଜ୍ୟରେ ସରକାର ଗଢିବାକୁ ସଫଳ ହେଲା ଓ ରାଜ୍ୟବାସୀଙ୍କର ଏକ ଆଖିଦୃଶିଆ ବିକାଶ ହୋଇ ପାରିଲା ।

ଆଗରୁ ସଂସଦରେ ଓଡ଼ିଶାର ସ୍ୱର କେହି ଶୁଣି ପାରୁ ନଥିଲେ କିନ୍ତୁ ନିଜେ ପ୍ୟାରୀମୋହନ ମହାପାତ୍ର ବିଜେଡିର ସଂସଦୀୟ ଦଳର ନେତା ହେବା ଫଳରେ ସଂସଦରେ ଓଡ଼ିଶାର ଦାବିଗୁଡିକ ଯୋରଦାର ଢଙ୍ଗରେ ଉଠିଲା ।

କେବଳ ସେତିକି ନୁହେଁ ସଂସଦ ଭବନ ପରିସରରେ ବିଭିନ୍ନ ବିଷୟରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ କଥାକୁ ନେଇ ଓଡ଼ିଶାର ସାଂସଦମାନେ ପ୍ଲାକାର୍ଡ ଧରି ଧାରଣା ମଧ୍ୟ ଦେଲେ । ଯାହା ଫଳରେ ଦିନେ ଓଡ଼ିଶାକୁ ଟଙ୍କା ଦେଲା ବେଳକୁ ଯେଉଁ ପ୍ରଧାନମନ୍ତ୍ରୀ କହୁଥିଲେ ଟଙ୍କା ଗଛରେ ଫଳେ ନାହିଁ ସେହି ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶାର ସବୁ ଦାବି ପୂରଣ କରିବାକୁ ବାଧ୍ୟ ହେଲେ ।

ପ୍ରଶ୍ନ : ସବୁତ ଠିକ୍ ଥିଲା ପୁଣି ମୋର୍ଚ୍ଚା ଗଠନ ହେଲା କାହିଁକି?

ଯଜ୍ଞେଶ୍ୱର : କେତେଜଣ କୁଚକ୍ରୀଙ୍କ ପାଇଁ । ସେମାନେ ଦେଖିଲେ ଯେ ପ୍ୟାରୀବାବୁଙ୍କର ଲୋକପ୍ରିୟତା ବଢି ଯାଉଛି । ସେମାନେ ବିଜୁବାବୁଙ୍କୁ ଧମକାଇ ଯେପରି ନିଜ ନିଜର ସ୍ୱାର୍ଥସାଧନ କରିପାରୁଥିଲେ ଏଠାରେ ତାହା ହେଉନାହିଁ । ପ୍ୟାରୀବାବୁ କହୁଥିଲେ ଆଗେ ଓଡ଼ିଶା କଥା ଚିନ୍ତା କର । ତେଣୁ ସେମାନେ ସବୁବେଳେ ନବୀନବାବୁଙ୍କ କାନରେ ପକାଇଲେ ଯେ ପ୍ୟାରୀବାବୁ ଆପଣଙ୍କଠାରୁ ଅଧିକ ଲୋକପ୍ରୀୟ ହୋଇ ଯାଉଛନ୍ତି ।

କେଉଁଠାରେ ଯଦି ବିଜେଡି କର୍ମୀମାନେ ଶ୍ରଦ୍ଧାରେ ପ୍ୟାରୀବାବୁଙ୍କର ବଡ଼ ପୋଷ୍ଟରଟାଏ ଲଗାଇଦେଲେ ତେବେ ନବୀନବାବୁଙ୍କୁ କୁହାଗଲା ଯେ ପ୍ୟାରୀବାବୁ ଆପଣଙ୍କଠୁ ବଡ଼ ପୋଷ୍ଟର ଲଗେଇଲେଣି । କେତେବେଳେ ତାଙ୍କୁ କୁହାଗଲା ଯେ ପ୍ୟାରୀବାବୁ ନିଜେ ମୁଖ୍ୟମନ୍ତ୍ରୀ ହୋଇଯିବାକୁ ବସିଛନ୍ତି ।

ପ୍ରଶ୍ନ : ପ୍ୟାରୀବାବୁ କ’ଣ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ସତରେ ଚାହୁଁ ନାହାନ୍ତି?

ଯଜ୍ଞେଶ୍ୱର : ଜମା ନୁହେଁ । ସିଏ ଯଦି ସେକଥା ଚାହିଁ ଥାଆନ୍ତେ ତେବେ ତାଙ୍କୁ କିଏ ଅଟକାଇ ଥାଆନ୍ତା କି? ଗତ ନିର୍ବାଚନରେ ପରା ୮୦ରୁ ଅଧିକ ଲୋକଙ୍କୁ ସିଏ ଟିକେଟ ଦେଇଛନ୍ତି, ସେମାନଙ୍କ ପାଇଁ ପ୍ରଚାର କରିଛନ୍ତି ଓ ସେମାନଙ୍କୁ ଜିତାଇଥିଲେ ।

ଯଦି ପ୍ୟାରୀବାବୁ କହି ଥାଆନ୍ତେ ତେବେ ନିର୍ବାଚନ ପରେ ପରେ କ’ଣ ସେହି ନୂଆ ବିଧାୟକମାନେ ପ୍ୟାରୀବାବୁଙ୍କୁ ମୁଖ୍ୟମନ୍ତ୍ରୀ କରି ନଥାନ୍ତେ କି? ଏ ସବୁ ହେଉଛି ସେହି ଚକ୍ରାନ୍ତକାରୀଙ୍କ ବେପାର ଯେଉଁମାନେ ଆଗ ନିଜ କଥା ବୁଝନ୍ତି ପରେ ଲୋକଙ୍କ କଥା । ନବୀନବାବୁ ସେକଥାକୁ ନବୁଝି ଓଲଟା ପ୍ୟାରୀବାବୁଙ୍କୁ ସନ୍ଦେହ କଲେ ।

ପ୍ରଶ୍ନ : ସେଇଥିପାଇଁ ନବୀନଙ୍କୁ ହଟାଇଦେବାକୁ ପ୍ୟାରୀବାବୁ ମଇ ୨୯ ବୈଠକ ଡକାଇଥିଲେ ?

ଯଜ୍ଞେଶ୍ୱର : ବେକାର କଥା । ମଇ ତାରିଖର ୨୯ ବୈଠକ ମୋଟେ ନବୀନଙ୍କୁ ହଟାଇବାକୁ ବସି ନଥିଲା । କଥା ହେଉଛି ପ୍ୟାରୀବାବୁ ନବୀନବାବୁଙ୍କର ହାବଭାବ ଦେଖି କରଛଡା ଦେବା ପରେ ପ୍ରଶାସନ ଉପରେ କାହାରି ଅଙ୍କୁଶ ରହିଲା ନାହିଁ ।

ଯାହାଫଳରେ ଜନକହିତକର କାମ ସବୁ ସ୍ଥାଣୁ ହୋଇଗଲା । ଗୋଟିଏ ଉଦାହରଣ ଦେଖନ୍ତୁ । ସେତେବେଳେ ଆମ ଚିରମରୁଡିଗସ୍ତ ପଶ୍ଚିମ ଓଡ଼ିଶା ସହିତ କୋରାପୁଟ, ମୟୁରଭଞ୍ଜ ଓ କେନ୍ଦୁଝରର ଅନେକ ଅଂଚଳରେ ପ୍ରବଳ ଗରମ ଅନୁଭୂତ ହେବା ସାଙ୍ଗକୁ ଲୋକଙ୍କୁ ପିଇବାପାଣି ମିଳୁ ନଥାଏ । ତା ସାଙ୍ଗକୁ ଘନଘନ ବିଜୁଳିକାଟ ଜନନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥାଏ । ଲୋକମାନେ ଆସି ପାଣି ଓ ବିଜୁଳୀ ଯୋଗାଇ ଦେବାକୁ ବିଧାୟକମାନଙ୍କ ଉପରେ ଚାପ ପକାଉ ଥାଆନ୍ତି ।

ହେଲେ ବିଧାୟକମାନେ କହିବେ କାହାକୁ? ଅଫିସରମାନେ ତାଙ୍କ କଥାକୁ କାନକୁ ନେଲେ ନାହିଁ । ଏଠାରେ ମୁଖ୍ୟମନ୍ତ୍ରୀ ତାଙ୍କ ଚିରାଚରିତ ଢଙ୍ଗରେ ନବୀନ ନିବାସ ନହେଲେ ସଚ୍ଚିବାଳୟର ହାଇ ସିକ୍ୟୁରିଟୀ ଜୋନ୍ ଭିତରେ ପଶି ରହିଲେ ।

ସିଏ ବା କାହାକୁ ଚିହ୍ନିଥିଲେ ଯେ କାହାକୁ କ’ଣ କହିଥାଆନ୍ତେ କି କରିଥାଆନ୍ତେ? ତେଣୁ ବିଧାୟକମାନେ ନିଜ ସମସ୍ୟା ବିଷୟରେ କହିବାକୁ ହନ୍ତସନ୍ତ ହୋଇଗଲେ । ଲୋକଙ୍କର ଯେତେବେଳେ ଏଇ ଅବସ୍ଥା ସେତିକିବେଳକୁ ପୁଣି ନବୀନବାବୁ ଲମ୍ବା ଟୁରରେ ବିଦେଶ ଚାଲିଗଲେ ।

ବିଧାୟକମାନେ ଯେତେଦେବେଳ ପ୍ୟାରୀବାବୁଙ୍କୁ କିଛି କରିବାକୁ କହିଲେ ସେତେବେେଳେ ପ୍ୟାରୀବାବୁ ଗୋଟିଏ ଦିନ ଧାର୍ଯ୍ୟ କରି ବିଧାୟକମାନଙ୍କୁ କହିଲେ ଯାହାର ଯାହା କହିବାର ଅଛି ଲେଖିକରି ଦିଅ । ନେତା ବିଦେଶରୁ ଫେରିଲେ ସେସବୁ ଲେଖାକୁ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦେବି ଆଉ କହିବି ଯେ ଚୁଗୁଲି ପଛେ ଶୁଣିବ, ଆଗ ଲୋକଙ୍କ କଥା ବୁଝ ।

ପ୍ରଶ୍ନ : ଏକଥା ପାଇଁ ରାତି ଅଧିଆ ବୈଠକ କରିବାର କ’ଣ ଆବଶ୍ୟକତା ଥିଲା?

ଯଜ୍ଞେଶ୍ୱର : ଏଇଟା ରାତିଅଧିଆ ବୋଲି ଆପଣ କେମିତି କହୁଛନ୍ତି ମୁଁ ଜାଣିନି । ପ୍ରଥମ କଥା ହେଲା ସେଦିନ ସେମିତି କିଛି ବୈଠକ ମୋଟେ ହୋଇନାହିଁ । ଚାରି ଜଣିଆ ପାଞ୍ଚ ଜଣିଆ ଦଳରେ ପାଖାପାଖି ୩୦ ଖଣ୍ଡେ ବିଧାୟକ ଯାଇ ୧୫ ମିନିଟ / ୨୦ ମିନିଟ ଭିତରେ ସେମାନଙ୍କ କଥା କହି, ଲେଖା ଦେଇ ଦସ୍ତଖତ କରି ବାହାରି ଆସୁଥିଲେ ।

ରାତି ସାଢେ ଏଗାରଟା ବେଳକୁ ପ୍ୟାରୀବାବୁଙ୍କ ଦେହ ଖରାପ ଥିବାରୁ ସିଏ କହିଲେ ଯେ ସିଏ ଶୋଇବାକୁ ଯିବେ । ନବୀନବାବୁ ତ ନିଜେ ସେଦିନ ସଂଧ୍ୟାରେ ଫୋନ୍ କରି ବୁଝିଲେ ଯେ ସେଦିନ ପ୍ୟାରୀବାବୁଙ୍କ ଘରେ କିଛି ବି ବୈଠକ ହେଉ ନଥିଲା । ତାହେଲେ ରାତିଅଧିଆ ଅପରେଶନ କ’ଣ ହେଲା? ବରଂ ମଇ ୨୯ ତାରିଖ ରାତିରେ ନବୀନବାବୁଙ୍କ ଅନୁପସ୍ଥିତିରେ ମିଛରେ ପ୍ରଚାର କରାଯାଇ ପ୍ୟାରୀବାବୁଙ୍କ ରାଜନୀତି ସଫା କରିଦେବାକୁ ଏକ ମିଡନାଇଟ ଅପରେସନ ନବୀନ ନିବାସରେ କରାଯାଇଥିଲା ବୋଲି ଏବେ ଲୋକେ ବୁଝି ଗଲେଣି ।

ଯେଉଁମାନେ ବୁଝି ନାହାନ୍ତି ସେମାନେ ଖୁବ୍ ଶୀଘ୍ର ବୁଝିଯିବେ । କୌଣସି ଟିଭି ଚ୍ୟାନେଲ କ’ଣ ଲୋକଙ୍କୁ ସବୁବେଳେ ବୋକା ବନେଇ ରଖିପାରିବ କି?

ପ୍ରଶ୍ନ : ହେଲେ ସବୁଠିତ ସେଇକଥା କୁହାଯାଉଛି ।

ଯଜ୍ଞେଶ୍ୱର : ସବୁଠି ନୁହେଁ । ଆମରି ଦଳର ଜଣେ କୁଚକ୍ରୀ ସାଂସଦ ଯିଏ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ ବୋଲି ଦଳ ଭିତରେ ଓ ବାହାରେ ଆଲୋଚନା ଚାଲିଛି, ସେହି ତାଙ୍କ ଟିଭି ଚ୍ୟାନେଲରେ ପ୍ରଥମେ ପ୍ରଚାର କରାଇ ଦେଲେ ଯେ କ୍ଷମତା ପରିବର୍ତନ ପାଇଁ ପ୍ୟାରୀବାବୁଙ୍କ ଘରେ ବୈଠକ ଚାଲିଛି ।

ତା’କୁ ଅନ୍ୟ କିଛି ଟିଭି ଚ୍ୟାନେଲ୍ ଏକ ଚମକ୍ରାରୀ ଖବର ଭାବରେ ପ୍ରଚାର କରାଇ ଚାଲିଲେ । ପୁଣି ସେହି ସାଂସଦଙ୍କ ଟିଭି ଚ୍ୟାନେଲ ଜଣେ ବିବାଦିତ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ଆଣି ଠିଆ କରାଇ କହିଲା ଯେ ସେ କାଳେ ଦେଖିଛନ୍ତି ଯେ ସେମାନେ ଯେଉଁ କାଗଜରେ ଦସ୍ତଖତ ଦେଉଥିଲେ ସେଥିରେ ଲେଖାଥିଲା ଯେ ପ୍ୟାରୀମୋହନ ମହାପାତ୍ର ହେଉଛନ୍ତି ଆମର ନୂଆ ନେତା ।

ପୁଣି କହିଲେ ଜଣେ ଲୋକ, ହେଲେ ଦେଖାଇଲେ ଧାଡି କରି ଠିଆ ହୋଇଥିବା ପାଂଚ ଜଣଙ୍କ ଫଟୋ ।

ପ୍ରଶ୍ନ : ଆପଣ ବିଶ୍ୱାସ କରୁଛନ୍ତି ଯେ ଏ କାହାଣୀକୁ ଓଡ଼ିଶାର ଲୋକେ ବିଶ୍ୱାସ କରିବେ?

ଯଜ୍ଞେଶ୍ୱର : ଏଇଟା କାହାଣୀ ନୁହେଁ ଆଜ୍ଞା! ଏଇଟା ତଥ୍ୟ ଉପରେ ପରିବେଶିତ ପ୍ରମାଣ ହୋଇ ସାରିଥିବା ସତ୍ୟ । ଉଦାହରଣ ଦେଖନ୍ତୁ । ନବୀନବାବୁ ଓଡ଼ିଶା ଫେରିବା ପରେ ତା’ଙ୍କୁ ପ୍ୟାରୀ ବିରୋଧୀ ତିନି ଚାରି ଜଣ ନେତା କହିଥିଲେ ଦେଲେ ଯେ ଏକରେ ସେଦିନ ୪୦ରୁ ଅଧିକ ବିଧାୟକ ପ୍ୟାରୀବାବୁଙ୍କ ଘରେ ଏକାଠି ହୋଇ ବୈଠକ କଲେ ଓ ଗୋଟିଏ କାଗଜରେ ଦସ୍ତଖତ କରିଛନ୍ତି ଯେଉଁଥିରେ ଲେଖା ହୋଇଥିଲା ଯେ ପ୍ୟାରୀମୋହନ ମହାପାତ୍ର ହେଉଛନ୍ତି ଆମର ନେତା ।

ଦୁଇରେ ୨୯ ତାରିଖ ରାତିରେ ପ୍ୟାରୀ ମହାପାତ୍ର ରାଜଭବନକୁ ଫୋନ୍ କରି ରାଜ୍ୟପାଳଙ୍କୁ ସମୟ ମାଗିଥିଲେ ଓ ରାଜ୍ୟପାଳ ତା ପରଦିନ ୧୧ଟା ବେଳେ ଆସିବାକୁ ସମୟ ଦେଇଥିଲେ । ତିନିରେ ଭୁବନେଶ୍ୱରର ଏକ ହୋଟେଲରେ ୬୨ଟା କୋଠରୀ ଭଡାରେ ନିଆ ଯାଇଥିଲା ଯେଉଁଥିରେ ପ୍ୟାରୀଙ୍କ ଘରେ ବୈଠକ କରିଥିବା ଓ ନଥିବା ୬୦ ଜଣ ବିଧାୟକ ରହିଥାଆନ୍ତେ ଏବଂ ସେମାନେ ସେହିଠାରୁ ରାଜଭବନ ଯାଇ ରାଜ୍ୟପାଳଙ୍କୁ ପ୍ୟାରୀବାବୁଙ୍କ ସପକ୍ଷରେ ଲିଖିତ ସମର୍ଥନ ଦେଇଥାଆନ୍ତେ ଓ ସେଠାରୁ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଥାଆନ୍ତେ ।

ପୁରୀରେ ବି ଜଣେ ବରିଷ୍ଠ ବିଧାୟକ କାଳେ ଏହି ବିଧାୟକମାନଙ୍କର ଜଗନ୍ନାଥ ଦର୍ଶନ ସହିତ ସମୁଦ୍ରକୂଳରେ ରହଣୀ ପାଇଁ ଏକ ବଡ଼ ହୋଟେଲ ନେଇଥିଲେ । ମୁଖ୍ୟମନ୍ତ୍ରୀ ଏସବୁ କଥାର ସତ୍ୟାସତ୍ୟ ଜାଣିବା ପାଇଁ ରାଜ୍ୟ ଓ କେନ୍ଦ୍ରର ଗୁଇନ୍ଦା ବିଭାଗ ସହିତ ନିଜ ତରଫରୁ ଦିଲ୍ଲୀର ଏକ ବେସରକାରୀ ଗୁଇନ୍ଦା ସଂସ୍ଥାକୁ ବି ଲଗାଇଥିଲେ ।

ସେମାନେ ସବୁ ରିପୋର୍ଟ ଦେଲେ ଯେ ସବୁ କଥା ମିଛ । ସେଦିନ ପ୍ୟାରୀଙ୍କ ଘରେ ୪୦ ନୁହେଁ ୪୦ରୁ କମ୍ ବିଧାୟକ ଦଳ ଦଳ ହୋଇ ବିଭିନ୍ନ ସମୟରେ ପହଞ୍ଚିଥିଲେ । ସେମାନେ ସବୁ ଯାଉଥିଲେ ଓ ଆସୁଥିଲେ । ସଂଧ୍ୟାରେ କେବଳ ଅଳ୍ପକିଛି ବିଧାୟକଙ୍କୁ ନେଇ ଏକ ବୈଠକ ହୋଇଥିଲା ।

ଯେଉଁ ହୋଟେଲ କଥା କୁହାଯାଇଥିଲା ସେ ହୋଟେଲର ରେଜିଷ୍ଟରରରୁ ଜଣା ପଡ଼ିଲା ଯେ ସେଦିନ ୬୨ତ ଛାଡନ୍ତୁ ଏକାଥରକେ କେହି ୩ଟି ମଧ୍ୟ କୋଠରୀ ଏକାସାଙ୍ଗରେ ବୁକ୍ କରି ନଥିଲେ । ତା ପରେ ରାଜଭବନ ସିଧା କହିଥିଲା ଯେ ୨୯ ତାରିଖରେ ବିଜେଡିର କେହି ବି ଦଳବଳ ହୋଇ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗି ନଥିଲେ କି ରାଜ୍ୟପାଳ ବି ୩୦ ତାରିଖରେ କାହାରିକୁ ଭେଟିବା ପାଇଁ ସମୟ ଦେଇ ନଥିଲେ ।

ବରଂ ପ୍ୟାରୀବାବୁ ଯାହା କହିଥିଲେ ସେଇଟା ହିଁ ରିପୋର୍ଟରୁ ମିଳିଥିଲା ଯେ କିଛି ବିଧାୟକ ସେମାନଙ୍କ ଅଂଚଳର ସମସ୍ୟା ବିଷୟରେ ଲେଖିକରି ଦେଇଥିଲେ । ଆମ ଦଳର ଆଉ ଜଣେ ସାଂସଦ ତାଙ୍କ ଦୈନିକ ସମ୍ବାଦପତ୍ରରେ ଲେଖିଦେଲେ ଯେ ୩୦ ତାରିଖରେ ହୋଟେଲରେ ଯେଉଁ ସାମ୍ବାଦିକ ସମ୍ମିଳନୀ ପ୍ୟାରୀବାବୁ କରିଥିଲେ ତାକୁ କାଳେ ମୁଁ ଆୟୋଜନ କରିଥିଲି ।

ଏପରି ମିଛ ଗାଳ୍ପିକଙ୍କ ବିରୁଦ୍ଧରେ ଆମେ କ’ଣ କରି ପାରିବୁ?

ପ୍ରଶ୍ନ : ଠିକ୍ ଅଛି । କିନ୍ତୁ ଓଡ଼ିଶା ଜନମୋର୍ଚ୍ଚା ଗଠନର ଆବଶ୍ୟକତା କ’ଣ ଏଇଥିପାଇଁ ପଡ଼ିଲା?

ଯଜ୍ଞେଶ୍ୱର : ହଁ! ଏହା ସେଇଥିପାଇଁ ପଡ଼ିଲା ଯେଉଁଥିପାଇଁ ମଇ ୨୯ ତାରିଖ ଦିନ ବିଧାୟକମାନେ ପ୍ୟାରୀବାବୁଙ୍କ ପାଖକୁ ଯାଇଥିଲେ । ଏବେ ଦଳର ନେତା ଓ ସବୁ କୁଚକ୍ରୀମାନଙ୍କୁ ବୁଝିବାକୁ ପଡ଼ିବ ଯେ ବିଜେଡି କେବଳ କାହାକୁ ଜଣକୁ ମୁଖ୍ୟମନ୍ତ୍ରୀ କରିବାକୁ ସୃଷ୍ଟି ହୋଇ ନଥିଲା ।

ଏହା କେନ୍ଦ୍ର-ପୀଡିତ ଦୁଖିନୀ ଓଡ଼ିଶାର ଆର୍ଥିକ, ସାମାଜିକ ସହିତ ରାଜନୈତିକ ସ୍ଥିତିର ବିକାଶ କରିବା ପାଇଁ ଗଠିତ ହୋଇଛି । କିଛି ଲୋକଙ୍କ ମଉଜ ପାଇଁ ନୁହେଁ । ଏହାର ଯିଏ ବି ନେତା ହୁଅନ୍ତୁ ନା କାହିଁକି ତାଙ୍କୁ ପ୍ରଥମେ ଲୋକଙ୍କ ସମସ୍ୟା କଥା ବୁଝିବାକୁ ହେବ ଓ ପ୍ରଶାସନକୁ ସମ୍ବେଦନଶୀଳ କରିବାକୁ ହେବ ।

ପ୍ରଶ୍ନ : ଆପଣ ଭାବୁଛନ୍ତି ଲୋକେ ଏ କଥାକୁ ଠିକ୍ ବୋଲି ଗ୍ରହଣ କରିବେ?

ଯଜେ୍ଞଶ୍ୱର : ଅପେକ୍ଷା କରନ୍ତୁ! ସମୟ କହିବ କିଏ ଠିକ ଆଉ କିଏ ଭୁଲ୍ ।

ପ୍ରଶ୍ନ : ଶେଷର ଗୋଟିଏ ସିଧା ପ୍ରଶ୍ନ ପଚାରିବି ଯେ ଓଡ଼ିଶା ଜନମୋର୍ଚ୍ଚା ସବୁଦିନେ କେବଳ ବିଜେଡିରେ ସଂସ୍କାର ଆଣିବା ପାଇଁ ଏକ ସଂଗଠନ ହୋଇ ରହିବ ନା ଏହା ମଧ୍ୟ ଏକ ନୂଆ ରାଜନୈତିକ ଦଳର ରୂପ ନେବ?

ଯଜ୍ଞେଶ୍ୱର : ଏକଦମ ସିଧା ଜବାବ ଦେଉଛି ଯେ ଜନମୋର୍ଚ୍ଚାର ଗଠନ ହୋଇଛି ଦଳରେ ସଂସ୍କାର ଆଣିବାପାଇଁ । ଆମେ ଦାବି କରୁଛୁ ଓ କରିବୁ ଯେ ବିଜେଡି ମାତ୍ର ଚାରିପାଂଚ ଜଣ ଲୋକଙ୍କର ମର୍ଜିରେ ନୁହେଁ ଦଳର ସମ୍ବିଧାନ ଓ କାର୍ଯ୍ୟକର୍ତାଙ୍କର ମତ ଅନୁଯାୟୀ ଚାଲୁ ।

ଦଳରେ କାର୍ଯ୍ୟକର୍ତାମାନଙ୍କର ମତ ରଖିବା ପାଇଁ ଯେଉଁ ସବୁ ସାଙ୍ଗଠନିକ ବୈଠକ ହେବା କଥା ତାହା ହେଉ । କାର୍ଯ୍ୟକର୍ତା ର୍ାମାନେ ଲୋକଙ୍କର ଯେଉଁ ସମସ୍ୟା ଆଣୁଛନ୍ତି ତାକୁ ସରକାର ସମ୍ବେଦନଶୀଳ ଭାବରେ ଶୁଣୁ ଓ ତାହାର ସମାଧାନ କରୁ । ଯଦି ଏହାକୁ କିଛି ଲୋକ ଦଳବିରୋଧି ଭାବି ଆମକୁ ଓଲଟା ନିଲମ୍ବିତ ଓ ବହିସ୍କାର କରି ଚାଲିବେ ତେବେ ଆମେ ମଧ୍ୟ ଅନ୍ୟ କଥା ଚିନ୍ତା କରିବାକୁ ବାଧ୍ୟ ହେବୁ ।

ପ୍ରଶ୍ନ : ଧନ୍ୟବାଦ୍ ।

ସୌଜନ୍ୟ : ଦୈନିକ ନବଭାରତ, ଭୁବନେଶ୍ୱର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି, ସାକ୍ଷାତକାର Tagged With: ଜନମୋର୍ଚ୍ଚା, ପ୍ୟାରୀମୋହନ ମହାପାତ୍ର, ବିଜୁ ଜନତା ଦଳ, ମୁଖ୍ୟମନ୍ତ୍ରୀ, ଯଜ୍ଞେଶ୍ୱର ବାବୁ, ସାକ୍ଷାତକାର, ସାମ୍ବାଦିକ ସମ୍ମିଳନୀ

ସୂଚନା ଅଧିକାର ଉପରେ ଅଧିକ ସଚେତନତା ଜରୁରୀ: ଜଗଦାନନ୍ଦ

October 22, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତି ଠକେଇର ଶିକାର ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ସୂଚନା ଅଧିକାର ଆଇନ ସଂପର୍କରେ ଅଧିକ ସଚେତନତା ସୃଷ୍ଟି କରାଇବାଆବଶ୍ୟକତା ରହିଛି, ଏହା ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ କହିଛନ୍ତି ।

ଏହି ଆଇନ ସଂପର୍କରେ ଅତୀତରେ ବିଭିନ୍ନ ଉପାୟରେ ପ୍ରଚାର ପ୍ରସାର ହୋଇଥିଲେ ମଧ୍ୟ ତାହାର ସୁଫଳ ପଛୁଆ ବର୍ଗର ଲୋକମାନେ ବିଶେଷ ଭାବରେ ନେଇପାରୁନଥିବା ପରିଲକ୍ଷିତ ହୋଇଥିବା ସେ ଏକ ସାକ୍ଷାତକାରରେ ଓଡ଼ିଶା ଡ଼ଟ୍ କମକୁ କହିଛନ୍ତି ।

jagadanandaରାଜ୍ୟର ୩ କୋଟି ୬୦ ଲକ୍ଷ ଜନସଂଖ୍ୟା ମଧ୍ୟରୁ ଆଦିବାସୀ ଓ ଳିତ ଶ୍ରେଣୀର ଲୋକଙ୍କ ସଂଖ୍ୟା ଯଥାକ୍ରମେ ୨୨ ଏବଂ ୧୧ ପ୍ରତିଶତ । ସମାଜରେ ସେମାନେ ସବୁଠୁ ଅବହେଳିତ ଲୋକ ଭାବେ ପରିଗଣିତ ହୋଇଥାନ୍ତି ।

ସେମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏଥିପାଇଁ କମିଶନ ବିଭିନ୍ନ ପକ୍ଷେପଗ୍ରହଣ କରିଛି କିନ୍ତୁ ସରକାରୀ ଓ ବେସରକାରୀ ସ୍ତରରେ ମଧ୍ୟ ଏହାପାଇଁ ଅଧିକ ଉ୍ୟମ ଗ୍ରହଣ କରାଯିବା ଦରକାର, ସେ କହିଛନ୍ତି ।

“”ଆମେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କ ସହ ମିଶି ଏହି ଆଇନର ପ୍ରଚାର ପ୍ରସାର କରିଆସିଛୁ, ଅତୀତରେ ଏଥିପାଇଁବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି”, ସେ କହିଛନ୍ତି ।

ମୁଣ୍ଡା, ସା୍ରୀ, ସୌର, କୁଭି, କୁଇ, କୋୟା ଏବଂ ସାନ୍ତାଳୀ ଭାଷାରେ ୪୦ ପୃଷ୍ଠା ବିଶିଷ୍ଟ ପ୍ରଚାରପତ୍ର ପ୍ରକାଶିତ କରିଛୁ । ଏହା ପ୍ରତ୍ୟେକ ଭାଷାରେ ପ୍ରକାଶ କରାଯାଇଛି । ଏହାବ୍ୟତୀତ ପ୍ରଚାରପତ୍ର ଗୁଡ଼ିକ ଇଂରାଜୀ, ହିନ୍ଦୀଏବଂ ଓଡ଼ିଆରେ ମଧ୍ୟ ପ୍ରକାଶ କରାଯାଇ ବଣ୍ଟା ଯାଇଛି,ସେ କହିଛନ୍ତି । ଏହା ସତ୍ତ୍ୱେ ଆଶାନୁରୂପ ସଫଳତା ମିଳିନାହିଁ ।

ବର୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଏକ ବର୍ଷ ମଧ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ସହଭାଗିତାରେ ପ୍ରାୟ ୨୦୦ ସୂଚନା ଅଧିକାର କ୍ଲିନିକ ଖୋଲିବାର ଯୋଜନା ରହିଥିବା ବେଳେ ଖୁବଶୀଘ୍ର ଏହାର ସୁଫଳ ଅନୁଭୂତ ହେବ ବୋଲି ସେ କହିଛନ୍ତି ।

ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ତାଙ୍କ କାର୍ଯ୍ୟାଳୟ ପରିସରରେ ଏହି କ୍ଲିନିକ ଖୋଲି ସେଠାରେ ସୂଚନା ଅଧିକାର ଆଇନ ସଂପର୍କୀତ ଦରଖାସ୍ତ ଉପଲବ୍ଧ କରାଇବେ ଏବଂ ଲୋକ ମାନଙ୍କ ମଧ୍ୟରେ ଆଇନର କାର୍ଯ୍ୟକାରିତା ସଂପର୍କରେ ସଚେତନତା ସୃଷ୍ଟି କରାଇବେ ।

୨୨ ନଭେମ୍ବର ୨୦୦୫ରେ ସୂଚନା ଅଧିକାର କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାରେ ୨୦୦୬ରେ ସୂଚନା କମିଶନ ଗଠନ କରାଯାଇଛି ।

ପ୍ରାପ୍ତ ସରକାରୀ ତଥ୍ୟ ଅନୁସାରେ, ସୂଚନା ଅଧିକାର ଆଇନ ଜରିଆରେ ୨୦୦୮-୦୯ରେ ୩୭,୯୯୭ଟି ଦରଖାସ୍ତ ରାଜ୍ୟରେ ଗ୍ରହଣ କରାଯାଇଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦ୍ୱାରାସର୍ବାଧିକ ୧୦,୫୮୮ଟି ରଖାସ୍ତ ଗ୍ରହଣ କରାଯାଇଛି ଯାହା ୨୦୦୮-୦୯ରେ ଗ୍ରହଣ କରାଯାଇଥିବା ସମୁାଦାୟ ଦରଖାସ୍ତର ୨୮ ପ୍ରତିଶତ । ପଂଚାୟତିରାଜ ବିଭାଗ ୬୮୨୭ଟି ଦରଖାସ୍ତ ଗ୍ରହଣ କରିଛି ।

ଅଧିକାଂଶ ଦରଖାସ୍ତ ସରକାରୀ କିମ୍ବା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଦ୍ୱାରାକରାଯାଇଥିବା ବେଳେ ସେମାନେ ମାଗିଥିବା ସୂଚନା ମୁଖ୍ୟତଃ ତାଙ୍କର ଚାକିରୀ କ୍ଷେତ୍ରରେ ହୋଇଥିବା ଅସୁବିଧା ସମ୍ବନ୍ଧୀୟ ବୋଲି ସେ କହିଛନ୍ତି ।

ସୂଚନା ଅଧିକାର ଆଇନର ବ୍ୟବହାର ବିଶେଷ କରି ପୁରୁଷମାନେ କରୁଥିବା ବେଳେ ରାଜ୍ୟରେ ମହିଳା ମାନଙ୍କ ଦ୍ୱାରା ଏହାର ବ୍ୟବହାର ଖୁବ୍ କମ୍ । ସେହିପରି ଅନ୍ୟ ଅଂଚଳ ଅପେକ୍ଷା ଆଦିବାସୀ ହରିଜନ ବହୁଳ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ଦ୍ୱାରାଏହାର ବ୍ୟବହାର ଖୁବ୍ କମ୍ ପରିଲକ୍ଷିତ ହୋଇଛି , ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

ପଶ୍ଚିମ ଓଡ଼ିଶା ପାଇଁ ନିର୍ଦ୍ଧିଷ୍ଟ ଯୋଜନା ଆବଶ୍ୟକ: କମଳ କୁମାର(ସାକ୍ଷାତକାର)

October 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ମନୋଜ ଦାଶ

ଗତ ୧୦-୧୫ ବର୍ଷ ଭିତରେ ଓଡ଼ିଶାର ଉଲ୍ଲେଖନୀୟ ବିକାଶ ହୋଇଛି ମାତ୍ର ଅଳ୍ପ କେତେକ ଅଞ୍ଚଳରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି ।

ବିଶେଷତଃ ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଲୋକଙ୍କ ପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ସ୍ଥାନୀୟ ଲୋକଙ୍କ ସହଭାଗୀତାରେ ସଠିକ୍ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇବା ଆବଶ୍ୟକ ବୋଲି ଦିଲ୍ଲୀରେ ରହୁଥିବା ଓଡ଼ିଶାର କମଳ କୁମାର ଓଡ଼ିଶା ଡ଼ଟ୍ କମ କୁ ଏକ ସାକ୍ଷାତକାରରେ କହିଛନ୍ତି ।

kamal୧୯୯୨ରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଯାଇ ୨୦୦୩ରେ ସେଠାରେ ଏକ ଉଚ୍ଚମାନର ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ“ଏଲ୍ବିଆଇଆଇଏଚ୍ଏମ୍’ ପ୍ରତିଷ୍ଠା କରିଥିବା ଏହି ଯୁବ ଶିଳ୍ପୋଦ୍ୟୋଗୀ ଓଡ଼ିଶାରେ ଶିକ୍ଷାର ମାନ ଉନ୍ନତି ପାଇଁ ସମସ୍ତ ଉଦ୍ୟମ କରିବେ ବୋଲି କହିଛନ୍ତି ।

ଗତ କେତେ ବର୍ଷ ଧରି ପଶ୍ଚିମ ଓଡ଼ିଶାରେ କିପରି ଅଧିକ ଭଲ ସ୍କୁଲ ପ୍ରତିଷ୍ଠା ହୋଇପାରିବ ସେ ଦିଗରେ ସେ ଉଦ୍ୟମ ଅବ୍ୟାହତ ରଖିଥିବା କହିଛନ୍ତି ।

ଦିଲ୍ଲୀରେ ଥିବା କମଳଙ୍କର ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ଆଇଏସ୍ଓ ୯୦୦୧-୨୦୦୮ ମାନ୍ୟତା ପାଇଛି ଓ ଏହାକୁ ଦିଲ୍ଲୀ-ଏନ୍ସିଆ ର୍ଦ୍ୱିତୀୟ ଭଲ ହୋଟେଲ ମ୍ୟାନଜମେଣ୍ଟ ଇନଷ୍ଟିଚ୍ୟୁଟ ଭାବେ ସ୍ୱୀକୃତି ପ୍ରଦାନ କରିଛି ।

୧୯୭୫ ଅପ୍ରେଲ ୧୭ରେ ଜନ୍ମ ଗ୍ରହଣ କରିଥିବା କମଳ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲରୁ ୧୯୯୦ରେ ମ୍ୟାଟ୍ରିକ ପାସ୍ କରିବା ପରେ ୧୯୯୨ରେ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରୁ ବିଜ୍ଞାନରେ ୮୯ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି ।

ଏହା ପରେ ଦିଲ୍ଲୀ ବିଶ୍ୱବି୍ଦ୍ୟାଳୟରୁ ଅର୍ଥନୀତି ସମ୍ମାନରେ ପ୍ରଥମ ଶ୍ରେଣୀରେ ପାସ୍ କରିବା ସହ ୧୯୯୫-୯୭ରେ ଭୁବନେଶ୍ୱର ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟରୁ ଏମବିଏ ଡ଼ିଗ୍ରୀ ହାସଲ କରିଛନ୍ତି ।

ବାପା ଏବଂ ବଡ଼ଭାଇଙ୍କ ସମେତ ପରିବାରର ଅନ୍ୟମାନେ ଜୁନାଗଡ଼ରେ ଚାଉଳ କଳ ପ୍ରତିଷ୍ଠା କରି ଏହି ପାରମ୍ପାରିକ ବ୍ୟବସାୟରେ ନିଜକୁ ବ୍ୟସ୍ତ ରଖିଥିବା ବେଳେ କମଳ କିନ୍ତୁ ନିଜକୁ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଦେଖିବାକୁ ଚାହିଁଥିଲେ । ଏହି ଲକ୍ଷ୍ୟ ରଖି ୧୯୯୯ ଏବଂ ୨୦୦୦ରେ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରାପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ସେ ଦେଇଥିଲେ । ତେବେ ବିଧାତା ତାଙ୍କ ପାଇଁ ଅନ୍ୟ କିଛି ସ୍ଥିର କରିଥିଲା ।

ଓଡ଼ିଶା ଡ଼ଟ୍ କମ୍: କେତେ ବର୍ଷ ହେଲା ଆପଣ ଓଡ଼ିଶା ବାହାରେ ଅଛନ୍ତି ? କାହିଁକି ଆପଣ ଓଡ଼ିଶା ଛାଡ଼ିଲେ? ଆପଣଙ୍କର ସଂଗ୍ରାମ, ପାରିବାରିକ ଜୀବନ ଏବଂ ଓଡ଼ିଶା ଯିବା ଆସିବା ବିଷୟରେ କହିବେ କି?

କମଳ: ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ସ୍ନାତକ ପଢିବା ପାଇଁ ୧୯୯୨ରୁ ମୁଁ ଓଡ଼ିଶା ବାହାରେ ଅଛି । ତା’ପରେ ଏମବିଏ କରିବା ପାଇଁ ୧୯୯୫-୯୭ ପର୍ଯ୍ୟନ୍ତ ଓଡ଼ିଶା ଆସି ପୁଣି ୧୯୯୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ ରହୁଛି କିନ୍ତୁ ପ୍ରତିବର୍ଷ ଓଡ଼ିଶାକୁ ଯାଇଥାଏ । ପର୍ବପର୍ବାଣି ସମୟରେ ପରିବାର ଲୋକଙ୍କ ସହ ରହିଥାଏ ।

ଓଡ଼ିଶା ଲୋକଙ୍କ ନିମନ୍ତେ କିଛି ଭଲ କାମ କରିବା ପାଇଁ ଅଧିକ ଜ୍ଞାନ ଆହରଣ ଲକ୍ଷ୍ୟରେ ରାଜ୍ୟ ବାହାରକୁ ଆସିଛି । ଗ୍ରହଣ କରିଥିବା ପେଶା ମୋତେ ରାଜ୍ୟ ବାହାରେ ରହିବାକୁ ବାଧ୍ୟ କରୁଛି କିନ୍ତୁ ମୋର ହୃଦୟ ଓଡ଼ିଶାରେ ରହିଛି ।

ଯଦିଓ ଏହି ଜୀବନ ଯାତ୍ରା ଏତେଟା ସହଜ ଓ ସୁଗମ ନୁହେଁ ତଥାପି ଭଗବାନଙ୍କ ଆଶିର୍ବାଦରୁ ଛୋଟ ହେଉ ପଛେ କିଛି ପରିମାଣରେ ମୁଁ କୃତକାର୍ଯ୍ୟ ହୋଇଛି । ଏହା ଭଗବାନ, ବାପା ମା’ଙ୍କ ଆଶିର୍ବାଦ ତଥା ଶୁଭେଚ୍ଛୁଙ୍କ ଯୋଗୁଁ ସମ୍ଭବ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍: ଦିଲ୍ଲୀରେ ଆପଣ କରୁଥିବା କାର୍ଯ୍ୟ ଓ ବ୍ୟବସାୟ ସଂପର୍କରେ କିଛି କହିବେ କି?

କମଳ:୨୦୦୩ରୁ ଆମେ ଆଇଏସ୍ଓ ୯୦୦୧-୨୦୦୮ ମାନ୍ୟତାପ୍ରାପ୍ତ “ଏଲ୍ବିଆଇଆଇଏଚ୍ଏମ୍’ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ କରିଛୁ ଏବଂ ଗତ ଆଠ ବର୍ଷ ମଧ୍ୟରେ ଏହା ଦିଲ୍ଲୀ-ଏନ୍ସିଆର୍ର ର ଦ୍ୱିତୀୟ ଭଲ ହୋଟେଲ ମ୍ୟାନଜମେଣ୍ଟ ଇନଷ୍ଟିଚ୍ୟୁଟ ଭାବେ ପରିଗଣିତ ହୋଇଛି ।

ଅଗଷ୍ଟ ୨୦୧୦ରେ ଆମେ ଦିଲ୍ଲୀ ହାଟରେ ଥିବା ଓଡ଼ିଆ ଫୁଡ଼ ଷ୍ଟଲର ଦା।ୟୀତ୍ୱ ନେଲୁ । ଓଡ଼ିଶାର ପର୍ଯ୍ୟଟନ ବିଭାଗ ସହଭାଗିତାରେ ଆମେ ଏହି କାର୍ଯ୍ୟ ତୁଲାଉଛୁ । ଏଠାରେ ଓଡ଼ିଆ ଖା୍ଦ୍ୟ ପ୍ରତି ଅଣ ଓଡ଼ିଆ ଲୋକଙ୍କ ଚାହିଦା ଏବଂ ଆଗ୍ରହ ଆମକୁ ଉତ୍ଫୁଲ୍ଲିତ କରିଛି ।

ଗତ ବର୍ଷ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନାର କାର୍ଯ୍ୟକାରିତା ସଂପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ମୋତେ “ପ୍ରତିଷ୍ଠିତ ନାଗରିକ’ ଭାବେ ମନୋନୀତ କରିଥିଲା । ମୁଁ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିଥିଲି ।

ଓଡ଼ିଶା ଡ଼ଟ୍ କମ୍: ବର୍ତ୍ତମାନ ଓଡ଼ିଶା କେଉଁ କେଉଁ ଅସୁବିଧାର ସମ୍ମୁଖିନ ହେଉଛି ଏବଂ ଏହାପାଇଁ କ’ଣ କରିବା ଦରକାର?

କମଳ: ଗତ ୧୦-୧୫ ବର୍ଷ ଭିତରେ ଓଡ଼ିଶାର ଉଲ୍ଲେଖନୀୟ ବିକାଶ ହୋଇଛି ମାତ୍ର ଅଳ୍ପ କେତେକ ଅଞ୍ଚଳରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି ।

ବିଶେଷତଃ ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଲୋକଙ୍କ ପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ବର୍ତ୍ତମାନ ପରିସ୍ଥିତିରେ ଦୀର୍ଘସ୍ଥାୟୀ ଶିଳ୍ପାୟନ ସହ ସ୍ଥାନୀୟ ସହଭାଗିତା ଜରୁରୀ । ଠିକ୍ ସେହିପରି ଉପଯୁକ୍ତ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବସମ୍ବଳର ବିକାଶର ଜରୁରୀ ଆବଶ୍ୟକତା ରହିଛି ।

ଓଡ଼ିଶା ଡ଼ଟ୍ କମ୍: ଏହାର ସମାଧାନ କିପରି ହୋଇପାରିବ? ଏଥିରେ ଆପଣ କିପରି ସାମିଲ ହେବେ?

କମଳ: ଓଡ଼ିଶାରେ ଶିକ୍ଷାର ବିକାଶ ଦିଗରେ ମୁଁ ଚେଷ୍ଟା କରୁଛି ଏବଂ କରିବି । ଏଥିପାଇଁ ପଶ୍ଚିମ ଓଡ଼ିଶାରେ କେତେକ ଉଚ୍ଚ ମାନର ସ୍କୁଲ ପ୍ରତିଷ୍ଠା ପାଇଁ ଆମେ ଉଦ୍ୟମ ଆରମ୍ଭ କରିଛୁ ।

ଓଡ଼ିଶା ଡ଼ଟ୍ କମ୍: ଦିଲ୍ଲୀରେ ଓଡ଼ିଆ ଲୋକଙ୍କ ପାଇଁ ତଥା ଓଡ଼ିଶାର ବିକାଶ ସଂପର୍କିତ କୌଣସି କାର୍ଯ୍ୟରେ ଆପଣ ସଂପୃକ୍ତ କି? ଯଦି ହଁ ତେବେ ଏହା କ’ଣ?

କମଳ: ଦିଲ୍ଲୀର କେତେକ ଓଡ଼ିଆ ସଂଗଠନ ସହିତ ମୁଁ ଜଡ଼ିତ ଏବଂ ଓଡ଼ିଶା ଫୋରମ୍, ଓଡ଼ିଆ ସମାଜ, ଜଗନ୍ନାଥ ମନ୍ଦିର(ରୋହିନି) ଭଳି କେତେକ ସଂଗଠନର ସଭ୍ୟ ।

ନିକଟରେ ଏଠାରେ ଅନୁଷ୍ଠିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ଉତ୍ସବରେ ମୁଁ ସିଧାସଳଖ ସଂପୃକ୍ତ ଥିଲି । ପ୍ରତିବର୍ଷ ଦିଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବରେ ପାଳକ କରାଯାଉଛି ଏବଂ ଦୀର୍ଘ ଆଠବର୍ଷ ହେଲା ମୁଁ ଏଥିରେ ଜଡ଼ିତ ।

ଓଡ଼ିଶା ଡ଼ଟ୍ କମ୍: ସବୁଦିନ ପାଇଁ ଓଡ଼ିଶା ଫେରିଆସିବାକୁ ଆପଣଙ୍କର ଯୋଜନା ଅଛି କି? କିମ୍ବା ଦିଲ୍ଲୀରେ ରହିବାକୁ ଯୋଜନା କରିଛନ୍ତି?

କମଳ: ପେଶା ଯୋଗୁଁ ସବୁଦିନ ପାଇଁ ଓଡ଼ିଶା ଫେରିବା ସମ୍ଭବ ହୋଇନପାରେ ତେବେ ଘରକୁ ଯିବା ଆସିବା ଚାଲିଥିବ । ଓଡ଼ିଶା ମୋର ପ୍ରଥମ ଘର ଏବଂ ଦିଲ୍ଲୀ ଦ୍ୱିତୀୟ ।

ଓଡ଼ିଶା ଡ଼ଟ୍ କମ୍: ଆପଣଙ୍କ ଭବିଷ୍ୟତ ଯୋଜନା କଣ?

କମଳ: ଯଦିଓ କିଛି ନିଶ୍ଚିତ କାର୍ଯ୍ୟପନ୍ଥା ଯୋଜନା ନାହିଁ ତେବେ ବର୍ତ୍ତମାନ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାକୁ ଅନ୍ୟ ସ୍ଥାନକୁ ସଂପ୍ରସାରିତ କରିବାକୁ ଚାହୁଁଛି । ସେଥି ମଧ୍ୟରୁ ଆସନ୍ତା ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ଏଭଳି ଏକ ସଂସ୍ଥା ପ୍ରତିଷ୍ଠା କରିପାରେ ।

ଠିକ୍ ସେହିପରି ଓଡ଼ିଆ ଖା୍ଦ୍ୟକୁ ଲୋକପ୍ରିୟ କରିବା ପାଇଁ ବିଭିନ୍ନ ସ୍ଥାନରେ ଓଡ଼ିଶା ଫୁଡ଼ ରେଷ୍ଟୁରାଣ୍ଟ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛି । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଛେନାପୋଡ଼ ମଧ୍ୟ ଗୁଲାବ ଜାମୁନ, ରସଗୋଲା ଭଳି ବିକ୍ରି ହେଉ ବୋଲି ବ୍ୟକ୍ତିଗତ ଭାବେ ମୁଁ ଚାହେଁ ।

ଓଡ଼ିଶା ଡ଼ଟ୍ କମ୍: ଆପଣଙ୍କ ଅନୁଷ୍ଠାନରେ ଓଡ଼ିଆ ଖା୍ଦ୍ୟ ସମ୍ବନ୍ଧିୟ ପାଠ୍ୟକ୍ରମର ଚାହିଦା କିପରି?

କମଳ: ପ୍ରଥମ ଥର ପାଇଁ ପାଠ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଖା୍ଦ୍ୟ ସଂପର୍କରେ ଲୋକ ମାନଙ୍କୁ ତାଲିମ ଦିଆଯାଉଛି ଏବଂ ଏହା ସମସ୍ତଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି । ଏ ବର୍ଷ କେବଳ ୧୫ ଜଣ ଛାତ୍ରଙ୍କୁ ନେବା ପାଇଁ ସ୍ଥିର କରାଯାଇଛି । ଶିକ୍ଷାଲାଭ ପରେ ସେମାନେ ଓଡ଼ିଆ ଖା୍ଦ୍ୟ ରାଷ୍ଟ୍ରୂଦୂତ ଭାବେ କାର୍ଯ୍ୟ କରି ଏହାର ପ୍ରଚାର ପ୍ରସାର କରିବେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବି: ସାର୍ଥକ

October 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବଳରାମ ମିଶ୍ର

ବଲାଙ୍ଗୀର, ଜୁନ୍ ୨୫(ଓଡ଼ିଶା ଡ଼ଟ୍ କମ୍) ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ବଲାଙ୍ଗୀର ସରସ୍ୱତୀ ଶିଶୁ ମନ୍ଦିର ଛାତ୍ର ସାର୍ଥକ ପ୍ରଧାନ ଭବିଷ୍ୟତରେ ଜଣେ ଡ଼ାକ୍ତର ହୋଇ ଜନସାଧାରଣଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ପରୀକ୍ଷା ସମୟରେଦିନକୁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରୁଥିବା ସାର୍ଥକ ଡ଼ାକ୍ତରୀ ପଢିବା ପରେ ଆଇଏଏସ୍ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।

ପରୀକ୍ଷାରେ ଟପ୍ପର ହେବି ବୋଲି ମୁଁ ଆଶା ରଖିଥିଲି । ଏଥିପାଇଁ ବର୍ଷ ଆରମ୍ଭରୁ ଯୋଜନା କରି ବିଭିନ୍ନ ବିଷୟରେ ପାଠ ପଢୁଥିଲି ଓ ପ୍ରତି ବିଷୟ ପାଇଁ ସ୍କୁଲ ଶିକ୍ଷକଙ୍କ ପରାମର୍ଶ ନେଉଥିଲି, ସେ କହିଛନ୍ତି ।

ପରୀକ୍ଷା ଫଳ ଜାଣି ମୁଁ ବହୁତ ଖୁସି । ଚଳିତ ବର୍ଷ ପ୍ରଶ୍ନପତ୍ର କଷ୍ଟ ଥିଲା କିନ୍ତୁ ଠିକ୍ ମାର୍କ ଆସିଛି । ସଫଳତା ପଛରେ ସ୍କୁଲ ଶିକ୍ଷକଙ୍କ ବହୁତ ଅବାନ ରହିଛି । ବାପା ମା’ ପ୍ରତିମୁହୁର୍ତ୍ତରେ ମୋତେ ଉତ୍ସାହିତ କରୁଥିଲେ, ସେ କହିଛନ୍ତି ।

ବଲାଙ୍ଗିର ସହର ତୁଳସୀନଗର ପଡାରେ ରହୁଥିବା ସାର୍ଥକଙ୍କ ବାପା ବିରାଟ କେଶରୀ ପ୍ରଧାନ ସ୍ଥାନୀୟ ପୋଲିସ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଥିବା ବେଳେ ମାଁ ସ୍ନେହଲତା ପ୍ରଧାନ ଜଣେ ଆଦର୍ଶ ଗୃହିଣୀ ।

ସାର୍ଥକ ବିଦ୍ୟାଳୟରେ ପଢିବା ବ୍ୟତୀତ ଘରେ ଗଣିତ, ଇଂରାଜୀ ଓ ସଂସ୍କୃତ ବିଷୟରେ ଟିଉସନ ହେଉଥିଲେ । ରଚନା ଲେଖିବା ତଥା ବକ୍ତୃତା ଦେବା ତାଙ୍କ ରୁଚି ବୋଲି ସେ କହିଛନ୍ତି ।

ସାର୍ଥକ ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ସାରା ରାଜ୍ୟରେ ରେକର୍ଡ ସୃଷ୍ଟି କରିଛନ୍ତି । ଏପର୍ଯ୍ୟନ୍ତ ବୋର୍ଡରେ କୌଣସି ଛାତ୍ରଛାତ୍ରୀ ୫୮୬ ନମ୍ବର ରଖିନଥିଲେ ବୋଲି ଜିଲ୍ଲା ଶିକ୍ଷାମଣ୍ଡଳାଧୀଶ ସଂଜୀବ ସିଂ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

ଚାଟାର୍ଡ଼ ଆକାଉଣ୍ଟାଣ୍ଟ ହେବାକୁ ବାଣିଜ୍ୟ ଟପ୍ପରଙ୍କ ଇଚ୍ଛା

October 15, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ମଇ ୩୦(ଓଡ଼ିଶା ଡ଼ଟ୍ କମ୍) ଭବିଷ୍ୟତରେ ଜଣେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଯୁକ୍ତ ଦୁଇ ବାଣିଜ୍ୟରେ ୫୩୭ ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଥିବା ବାରିପଦା ମହାରାଜା ପୂର୍ଣଚନ୍ଦ୍ର ଜୁନିଅର କଲେଜ ଛାତ୍ର ମନୀଷ ଅଗରୱାଲା ।

ବାରିପାର ବ୍ୟବସାୟୀ ଦିଲୀପ ଅଗରୱାଲା ଓ ମମତା ଅଗରୱାଲାଙ୍କ ସାନପୁଅ ମନୀଷ ବାରିପଦା ସେଣ୍ଟ ଆନିଜ୍ କନଭେଣ୍ଟ ସ୍କୁଲ୍ରୁରୁ ଆଇସିଏସ୍ଇ ପରୀକ୍ଷାରେ ପାସ୍ କରିବା ପରେ ଉକ୍ତ କଲେଜରେ ନାମ
ଲେଖାଇଥିଲେ ।

ନିୟମିତ କଲେଜରେ ପାଠ ପଢିବା ବ୍ୟତୀତ ପ୍ରତିିଦିନ ଆଠ ଘଣ୍ଟା ପରିଶ୍ରମ କରୁଥିଲି । ପରୀକ୍ଷା ଭଲ ହେବାକୁ ଆଶା ରଖିଥିଲି କିନ୍ତୁ ଟପ୍ପର ହେବି ବୋଲି ଭାବିନଥିଲି, ସେ କହିଛନ୍ତି ।

ଗୁରୁମାନେ ମୋ ପରୀକ୍ଷା ଭଲ ହେବାକୁ ଚାହୁଁଥିଲେ ଓ ମୁଁ ଭଲ କରି ଦେଖାଇଲି । ଆଗକୁ ବି ଏଭଳି ପରିଶ୍ରମ କରିବି । ବି.କମ୍ ପରେ ଚାଟାର୍ଡ ଏଅକାଉଣ୍ଟେନସି ପଢିବି ଏବଂ ଦେଶ ପାଇଁ କାମ କରିବି ବୋଲି ସେ କହିଛନ୍ତି ।

ପାଠପଢ଼ା ବ୍ୟତୀତ କ୍ରିକେଟରେ ତାଙ୍କର ରୁଚି ରହିଛି ଓ ସଚ୍ଚିନ ତେନ୍ଦୁଲକର ତାଙ୍କର ପ୍ରିୟ ଖେଳାଳି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

ଡ଼ାକ୍ତର ହେବି: ମ୍ୟାଟ୍ରିକଦ୍ୱିତୀୟ ଟପ୍ପର ସଂହିତା

October 10, 2011 by ଓଡିଶା ଡଟ କମ Leave a Comment

ଡ଼ାକ୍ତର ହେବି: ମ୍ୟାଟ୍ରିକଦ୍ୱିତୀୟ ଟପ୍ପର ସଂହିତା

ଓଡ଼ିଶା ଡ଼ଟ୍ କମ୍ : ବଳରାମ ମିଶ୍ର

ବଲାଙ୍ଗୀର, ଜୁନ୍ ୨୦(ଓଡ଼ିଶା ଡ଼ଟ୍ କମ୍) ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୫୭୩ ନମ୍ବର ରଖି ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବଲାଙ୍ଗୀର କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ସଂହିତା ପାଣିଗ୍ରାହୀ ଡ଼ାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ମୁଁ ପରୀକ୍ଷା ସମୟରେ ୧୦ ଘଣ୍ଟା ପରିଶ୍ରମ କରୁଥିଲି । ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହିବି ବୋଲି ଆଶା ରଖିଥିଲି କିନ୍ତୁ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ଖୁସି ଲାଗୁଛି, ସେ କହିଛନ୍ତି ।

ସେ ଜଳସେଚନ ବିଭାଗ ଇଞ୍ଜିନିୟର ସନ୍ତୋଷ ପାଣିଗ୍ରାହୀ ଏବଂ ମା’ କନକ ପାଣିଗ୍ରାହୀଙ୍କ ଝିଅ । ଭବିଷ୍ୟତରେ ସେ ଜଣେ ଡାକ୍ତର ହୋଇ ଗରିବ ରୋଗୀ ମାନଙ୍କ ସେବା କରିବାର ଇଚ୍ଛା ପ୍ରକାଶ କରିଛନ୍ତି ।

ପରୀକ୍ଷା ଫଳ ପାଇଁ ବାପା ମାଙ୍କ ଆର୍ଶୀବାଦ ଓ ସ୍କୁଲର ଗୁରୁଜୀ, ଗୁରୁମାଙ୍କ ସହାୟତାକୁ ଶ୍ରେୟ ଦେଇଥିବା ବେଳେ ସଫଳତା ପାଇଁ କଠିନ ପରିଶ୍ରମ ଆବଶ୍ୟକ ବୋଲି ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

୨୭ମେଡ଼ିକାଲ ସାଇନ୍ସରେ ରିସର୍ଚ୍ଚ ଲକ୍ଷ୍ୟ: ବିଜ୍ଞାନ ଟପ୍ପର

May 30, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ମଇ ୩୦(ଓଡ଼ିଶା ଡ଼ଟ୍ କମ୍) ଭବିଷ୍ୟତରେ ମେଡ଼ିକାଲ ସାଇନ୍ସରେ ରିସର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ଯୁକ୍ତ ଦୁଇ ବିଜ୍ଞାନରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଛାତ୍ର ତନ୍ମୟ ପାତ୍ର ।

ଶିରାପୁର ହାଇସ୍କୁଲର ଶିକ୍ଷକ ସିଦ୍ଧାନ୍ତ କୁମାର ପାତ୍ର ଓ ଶିକ୍ଷୟତ୍ରୀ ଶଶିକଳା ପରିଡ଼ାଙ୍କ ପୁତ୍ର ତନ୍ମୟ ୨୦୦୯ରେ ମ୍ୟାଟ୍ରିକ ପରୀକ୍ଷାରେ ୧୭ ତମ ସ୍ଥାନ ହାସଲ କରିଥିଲେ ।

ସେ ମ୍ୟାଟ୍ରିକ ପରେ ରାଜ୍ୟର ବହୁ ବଡ଼ବଡ଼ ଶିକ୍ଷାନୁଷ୍ଠାନରେ ପଢିବାର ସୁଯୋଗ ପାଇଥିଲେ ମଧ୍ୟ ନିଜ ଗାଁ ନିକଟସ୍ଥ ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରିବାକୁ ପସନ୍ଦ କରିଥିଲେ ।

ନିଜର ଦୃଢ ମନବଳ ଓ ଅଧ୍ୟବସାୟ ବଳରେ ସେ ଆଜି ବିଜ୍ଞାନରେ ୫୫୫ ନମ୍ବର ରଖି ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିପାରିଛନ୍ତି । ସେ ପରୀକ୍ଷାରେ ଟପ ଟ୍ୱେଣ୍ଟି ମଧ୍ୟରେ ସ୍ଥାନ ପାଇବେ ବୋଲି ଆଶା ରଖିଥିଲେ ତେବେ ଟପ୍ପର ହୋଇଥିବା ଜାଣିବା ପରେ ସେ ଓ ତାଙ୍କ ପରିବାର ସଦସ୍ୟ ଖୁସିରେ ବିଭୋର ହୋଇଯାଇଥିଲେ ।

ଭଲ ପାଠ ପଢିବାକୁ ହେଲେ ଖ୍ୟାତିନାମା କଲେଜର ଆବଶ୍ୟକତା ନାହିଁ ବୋଲି ତନ୍ମୟ କହିଛନ୍ତି । ସଫଳତା ପାଇଁ ପିତା ମାତା ତଥା କଲେଜ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି ।

ପୁଅ ପରୀକ୍ଷାରେ ଭଲ କରିବ ବୋଲି ଆମର ବିଶ୍ୱାସ ଥିଲା କିନ୍ତୁ ସେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିବ ଏହା କେବେ ଭାବିନଥିଲୁ । ସେ ନିଶ୍ଚୟ ମେଡ଼ିକାଲ ପାଇବ ଓ ରିସର୍ଚ୍ଚ ମଧ୍ୟ କରିବ ବୋଲି ଆମର ଆଶା, ପିତା ମାତା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

କଳା ଟପ୍ପରଙ୍କ ଲକ୍ଷ୍ୟ ଆଇଏଏସ୍ ଅଫିସର ହେବା

May 30, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୩୦(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତ ଦୁଇ କଳା ପରୀକ୍ଷାରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ପୁରୀ ସ୍ଥିତ ଏସ୍ ସିଏସ୍ ଜୁନିୟର କଲେଜ ଛାତ୍ରୀ ନୟନା ବରାଳ ଭବିଷ୍ୟତରେ ଜଣେ ଆଇଏଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ଖଡିପଦା ନିବାସୀ ଗଦାଧର ବରାଳଙ୍କ କନ୍ୟା ନୟନା ମୋଟ୍ ୫୨୨ ନମ୍ବର ରଖି ଏହି ସଫଳତା ପାଇଥିବା ବେଳେ ପରୀକ୍ଷା ସମୟରେ ପ୍ରତିଦିନ ୧୫ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି ।

ସଫଳତା ପଛରେ ପିତାମାତା ତଥା କଲେଜ ଶିକ୍ଷକ ଅବଦାନ ରହିଥିବା ବେଳେ ସାଧାରଣ ଜ୍ଞାନ ଆହରଣ ଓ ଗପ ବହି ପଢିବାକୁ ସେ ଭଲପାଆନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

  • Page 1
  • Page 2
  • Page 3
  • Interim pages omitted …
  • Page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ