• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାକ୍ଷାତକାର

ନକାରାତ୍ମକ ଭାବନାର ପରିହାର କଲେ ହୋଇପାରିବ ଓଡ଼ିଶାର ବିକାଶ

October 2, 2005 by ନିଉଜ ଡେସ୍କ Leave a Comment

ଓଡିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ସହ ଓଡିଶା ଡଟ୍ କମ୍ ର ସାକ୍ଷାତକାର

କଟକ, ଅକ୍ଟୋବର ୨(ଓଡିଶା ଡଟ୍ କମ୍), ଭୁବନେଶ୍ୱର ଓ କଟକ ଓଡ଼ିଶାର ଦୁଇଟି ମାତ୍ର ମହାନଗର ନିଗମ । ୨୦୦୩ରେ କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ଭାବେ ଦାୟିତ୍ୱ ସମ୍ଭାଳିଥିବା ନିବେଦିତାଙ୍କର ୧୯୬୩ ମସିହାରେ କଟକ ସହରର ହରିପୁର ବସ୍ତିରେ ଜନ୍ମ ।

କଟକ ମୁନିସିପାଲିଟି ହାଇସ୍କୁଲରୁ ୧୯୭୮ ମସିହାରେ ମାଟ୍ରିକ୍ୟୁଲେସନ, ୧୯୮୩ରେ କେନ୍ଦ୍ରାପଡ଼ା କଲେଜରୁ ବାଣିଜ୍ୟରେ ସ୍ନାତକ, ପରେ କେନ୍ଦ୍ରାପଡ଼ା ଡ଼ି.ଏସ. ଆଇନ ମହାବିଦ୍ୟାଳୟରୁ ଏଲ.ଏଲ.ବି । ୧୯୯୨ରୁ ହାଇକୋର୍ଟରେ ଓକିଲାତି ।

ବାପା ନୃସିଂହ ଚରଣ ପ୍ରଧାନ ଅବସରପ୍ରାପ୍ତ ଶିକ୍ଷକ, ମା’ ତମାଳିନୀ ପ୍ରଧାନ ଗୃହିଣୀ । ନିବେଦିତାଙ୍କୁ ମିଶାଇ ତିନି ଭଉଣୀ, ଗୋଟିଏ ଭାଇ । ଜଣେ ଭଉଣୀ ସସ୍ମିତା ଇମ୍ଫାରେ କ
କଷ୍ଟିଙ୍ଗ ଆକାଉଣ୍ଟାଣ୍ଟ ଏବଂ ମଧୁସ୍ମିତା ଅର୍ବାନ ବ୍ୟାଙ୍କରେ କାମ କରନ୍ତି । ସବୁଠାରୁ ସାନ, ଭାଇ ସତ୍ୟରଞ୍ଜନ ଇଞ୍ଜିନିୟରିଂ କୋର୍ସ ଚଳିତ ବର୍ଷ ସଂପୂର୍ଣ୍ଣ କରିଛନ୍ତି ।

ଘରର ବଡ଼ ଝିଅ ହିସାବରେ ତାଙ୍କର ଦାୟିତ୍ୱ ତୁଲାଇବାରେ କୌଣସି ଅବହେଳା କରିନଥିବା ୪୨ ବର୍ଷୀୟା ନିବେଦିତା କିଛିଦିନ ଗଭର୍ଣ୍ଣମେଣ୍ଟ ଅର୍ଡ଼ର ସପ୍ଲାୟର ବ୍ୟବସାୟ ମଧ୍ୟ କରିଛନ୍ତି ।

ବାପା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ଥିଲେ । ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ୧୯୯୧ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ଓ ସେହି ଦିନ ଠାରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଜୀବନ ।

୧୯୯୭ରେ କଟକ ମହାନଗର ନିଗମର କାଉନସିଲର , ୨୦୦୦ ମସିହା ଫେବୃଆରୀ ୨୬ ତାରିଖରେ ୪୩ ନମ୍ବର କଟକ ସଦର ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ଏହି ଯୁବତୀ ଆଉ ପଛକୁ ଫେରି ନାହାଁନ୍ତି ।

ଓଡ଼ିଶା ଲିଗାଲ ଏଡ୍ କାଉନ୍ସିଲର ଉପଦେଷ୍ଟା, ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚାର ମହାସଚିବ, ତଥା ଏହି ପାର୍ଟିର ଜାତୀୟ ପରିଷଦର ସଦସ୍ୟା, ସରକାରୀ ପ୍ରେସ୍ କର୍ମଚାରୀ ସଂଘର ସଭାପତି ତଥା ଏକଦା ସେ ଜାତୀୟ ଚଳଚ୍ଚିତ୍ର ଉତ୍ସବର ଜୁରୀ ସଦସ୍ୟା ଥିବା ନିବେଦିତା ଏବେ କଟକର ମେୟର ଭାବେ ସହରକୁ ସରସ ସୁନ୍ଦର ଗଢିତୋଳିବା ସଂକଳ୍ପ ନେଇଛନ୍ତି ।

ରେଡ୍ କ୍ରସ୍ କ୍ୟାମ୍ପଗୁଡ଼ିକରେ ୨୨ଥର ରକ୍ତଦାନ କରିଥିବା ଏହି ବହୁମୁଖୀ ପ୍ରତିଭାର ଅଧିକାରୀଣିଙ୍କୁ ନିକଟରେ ମହାନଗର ନିଗମ କାର୍ଯ୍ୟାଳୟରେ ଭେଟିଥିଲେ ଓଡ଼ିଶା ଡ଼ଟ୍ କମ୍ ପ୍ରତିନିଧି ବବିତା ସାହୁ । ସେ ଦେଇଥିବା ସାକ୍ଷାତକାରର ମୁଖ୍ୟାଅଂଶ

ରାଜନୀତିକୁ ଆପଣ କ୍ୟାରିୟରଭାବେ କାହିଁକି ଗ୍ରହଣ କଲେ?

ରାଜନୀତିକୁ ମୁଁ କ୍ୟାରିୟରଭାବେ ଗ୍ରହଣ କରିବାକୁ ଚାହିଁ ନ ଥିଲି । ୮୦ଦଶକର ସମସାମୟିକ ପରିସ୍ଥିତି ମୋତେ ରାଜନୀତିକୁ ଆସିବାକୁ ବାଧ୍ୟ କଲା । ଅତୀତରେ ଅନେକ ସମୟରେ ଆମ ବସ୍ତିର ବିଭିନ୍ନ ସମସ୍ୟା ନେଇ ପ୍ରଶାସନିକ ଦାୟିତ୍ୱରେ ଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ମୁଁ ଯାଇଛି । ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ଅବହେଳା ଯୋଗୁଁ ଆଶାନୁରୂପ ଫଳ ମୁଁ ପାଇନି ।

ସେତେବେଳେ ମୁଁ ଅନୁଭବ କଲି ଯେ ସମାଜ ପାଇଁ ଯଦି କିଛି କରିବାର ଲକ୍ଷ୍ୟ ଥାଏ ତା ହେଲେ କ୍ଷମତା ରାଜନୀତି କରିବାକୁ ହେବ । ନଚେତ୍ ତଥାକଥିତ ଧୋବଧଉଳିଆ ବଡ଼ ବଡ଼ ନେତାମାନଙ୍କଠାରୁ ସାଧାରଣ ଜନତାଙ୍କର ସ୍ୱାର୍ଥ ହାସଲ କରିବା କଷ୍ଟ ସାଧ୍ୟ ।

ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିମାନ ଉଡ଼ାଣ ଗବେଷଣା କେନ୍ଦ୍ର ସମେତ ଅନେକ ସରକାରୀ ଚାକିରୀ ମୁଁ ପାଇଥିଲି ତେବେ ତାହା ମୋତେ ବିଶେଷ ପ୍ରଲୋଭିତ କରିପାରିଲା ନାହିଁ । ମହିଳାମାନଙ୍କର ଶୋଷଣରୁ ମୁକ୍ତି, ସେମାନଙ୍କ ସାମାଜିକ, ଆର୍ଥିକ ବିକାଶ ତଥା ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର ଯୋଗଦାନର ଆବଶ୍ୟକତା ଥିବା ମୋର ଅର୍ନ୍ତଆତ୍ମା ମୋତେ ପ୍ରେରିତ କଲା ଓ ମୁଁ ରାଜନୀତିରେ ପ୍ରବେଶ କଲି ।

ଆପଣ ଜଣେ ମହିଳା ଭାବରେ ସକ୍ରିୟ ରାଜନୀତିରେ କ’ଣ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି?

ଆପଣ ଜାଣିଥିବେ ମହିଳାମାନଙ୍କର ଶାରୀରିକ ଶକ୍ତି କମ୍ ଥିଲେ ମଧ୍ୟ ମାନସିକ ଶକ୍ତି ପୁରୁଷମାନଙ୍କ ତୁଳନାରେ ଖୁବ୍ ବେଶୀ । ସେମାନେ ଦୃଢ଼ମନା। ନାରୀ ଯଦି ନିଜେ ନିଜ ଅନ୍ତର୍ନିହିତ ଶକ୍ତିର ସଠିକ୍ ମୂଲ୍ୟାୟନ କରେ ତେବେ କୌଣସି କାମ ତା ପାଇଁ ଦୁଃସାଧ୍ୟ ନୁହେଁ ।

ମୁଁ ନିଜକୁ କେବେ ଦୁର୍ବଳ ଭାବିନି । ତେଣୁ ଜଣେ ନାରୀ ଭାବରେ ସେମିତି କୌଣସି ଅସୁବିଧାର ସମ୍ମୁଖୀନ ହୋଇନି ।

ମୋ ମତରେ ରାଜନୀତିର ଏକ ସୁସ୍ଥ ସଂଜ୍ଞା ହେଉଛି ପ୍ରଶାସନ ଏବଂ ଜନସାଧାରଣଙ୍କ ମିଳିତ ସହଯୋଗରେ କୌଣସି ସମସ୍ୟାର ସମାଧାନ କରିବା ।

ବର୍ତ୍ତମାନ କ୍ଷମତାସୀନ ରାଜନେତାମାନଙ୍କର ବ୍ୟାପକ ଦୁର୍ନୀତି ରାଜନୀତିର ସଂଜ୍ଞା ବଦଳାଇ ଦେଇଛି । ତେବେ ଜନସାଧାରଣ ରାଜନୀତିର ଭଲ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ ।

ରାଜ୍ୟ ବିଧାନ ସଭା ସଦସ୍ୟା ତଥା ବର୍ତ୍ତମାନ କଟକ ମହାନଗର ନିଗମର ମେୟର ପଦବୀରେ ଥାଇ କ’ଣ ସବୁ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି?

କଟକର ଶତକଡ଼ା ୬୫ ଭାଗ ପିଚୁ ରାସ୍ତାକୁ କଂକ୍ରିଟ ସିମେଣ୍ଟ ରୋଡ଼ରେ ପରିଣତ କରାଯାଇଛି, ଦଶଟି ପାର୍କ ନିର୍ମାଣ କରାଯିବା ସହ ବର୍ଷାଦିନରେ ନାଳଗୁଡ଼ିକରୁ ଜଳ ନିଷ୍କାସନର ବ୍ୟବସ୍ଥାକୁ ପୂର୍ବ ଅପେକ୍ଷା ଉନ୍ନତ କରାଯାଇଛି ।

ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ କିଛି କହିବେ କି ?

ଆଗାମୀ ଦିନ ଗୁଡ଼ିକରେ କଟକରେ ତିନୋଟି ପାର୍କ, କେତେକ ସ୍ଥାନରେ ମାର୍କେଟିଂ କଂପ୍ଲେକ୍ସ, ଫ୍ଲାଇ ଓଭର ବ୍ରିଜ୍ ତଥା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ନିଗମ ହାତକୁ ନେଇଛି । ବର୍ଷା ଦିନରେ ଜଳ ନିଷ୍କାସନର ବ୍ୟବସ୍ଥା ମଧ୍ୟ କରାଯାଉଛି ।

ବର୍ଷା ଦିନରେ ଶ୍ମଶାନଗୁଡ଼ିକରେ ଶବଦାହରେ ଅସୁବିଧା ହେଉଥିବାରୁ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ବର୍ତ୍ତମାନ ନିଗମର କେତେକ କର୍ପୋରେଟର କ୍ଷମତା ବଣ୍ଟନ ନେଇ ଆପଣଙ୍କୁ ବିରୋଧ କରୁଛନ୍ତି । ସେମାନଙ୍କ ପକ୍ଷରୁ ଆପଣଙ୍କର ଇସ୍ତଫା ଦାବି ସଂପର୍କରେ କ’ଣ କହିବେ?

ଏ ପର୍ଯ୍ୟନ୍ତ ସେମାନେ ସେମାନଙ୍କ ଦାବିକୁ ସ୍ପଷ୍ଟ କରିନାହାନ୍ତି । ସମସ୍ତ ବିବାଦର ସମ୍ମୁଖୀନ ହେବାକୁ ମୁଁ ସର୍ବଦା ପ୍ରସ୍ତୁତ । ଉଚ୍ଚ ପଦରେ ରହିଲେ ଅନେକ ସମୟରେ ବାଦ ବିବାଦର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏ ସବୁ ନୂଆ କଥା ନୁହେଁ ।

ମୋ ମତରେ ଏହା ଏକ ସାମୟିକ । ଯେ ପର୍ଯ୍ୟନ୍ତ କଟକ ବାସୀ ମୋତେ ସମର୍ଥନ କରୁଛନ୍ତି ସେତେ ଦିନ ଯାଏ ମୁଁ ପଦବୀରେ ରହି ସେମାନଙ୍କର ସେବା କରିବି ।

ଓଡ଼ିଶା ସବୁ ସମ୍ବଳ ଥାଇ ମଧ୍ୟ ଆଶାନୁରୂପ ସଫଳତା ନ ପାଇବାର କାରଣ ?

ଆମ ରାଜ୍ୟରେ ଉପଲବ୍ଧ ସମସ୍ତ ସମ୍ବଳର ସଠିକ ବିନିଯୋଗ ହୋଇପାରିଲେ ଏହା ଏକ ସମୃଦ୍ଧ ରାଜ୍ୟ ରୂପେ ପରିଗଣିତ ହେବ, ଏହା ନିଃସନ୍ଦେହ । ତେବେ ଧିରେଧିରେ ବଢୁଥିବା ନକାରାତ୍ମକ ଭାବନା ଆମ ବିକାଶର ମୁଖ୍ୟ ପ୍ରତିବନ୍ଧକ । ଉଭୟ ସାଧାରଣ ଜନତା, ରାଜନେତା ତଥା ଅମଲାତନ୍ତ୍ରୀଙ୍କର ସକାରାତ୍ମକ ଭାବନାର ଆବଶ୍ୟକତା ରହିଛି ।

ଏହାର ସମାଧାନ କେମିତି ହେବ ?

କୌଣସି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସେଥିରେ ସାଧାରଣ ଜନତାଙ୍କର ଭାଗିଦାରୀ ଆବଶ୍ୟକ । ସାଧାରଣ ଜନତା ଏବଂ ସରକାରଙ୍କ ମିଳିତ ସହଯୋଗରେ ହିଁ ସମସ୍ତ କାର୍ଯ୍ୟ ସଫଳ ହେବ । ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ପାଇଁ ରାଜ୍ୟବାସୀ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇଦେବା ଆବଶ୍ୟକ ।

ଆପଣଙ୍କ କିଛି ସ୍ମରଣୀୟ ମୁହୂର୍ତ୍ତ ?

ଚଳିତ ବର୍ଷ ପ୍ରବଳ ବର୍ଷା ଲାଗି କାଠଯୋଡ଼ି ଏବଂ ମହାନଦୀର ଜଳସ୍ତର ବଢ଼ି ଯାଇଥିଲା । ସେ ସମୟରେ ଆମର ଇଂଜିନିୟରମାନେ ରାତି ଅନିଦ୍ରା ରହି ପରିସ୍ଥିତିର ଅନୁଧ୍ୟାନ କରୁଥିବା ଦେଖି ମୁଁ ବହୁତ ଖୁସି ହୋଇଥିଲି । କୌଣସି କର୍ମଚାରୀଙ୍କର କର୍ତ୍ତବ୍ୟ ନିଷ୍ଠା ମୋତେ ପ୍ରଭାବିତ କରେ ।

(ଓଡିଶା ଡଟ୍ କମ୍)

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଓଡ଼ିଶାର ବିକାଶ, ମେୟର ନିବେଦିତା ପ୍ରଧାନ, ସାକ୍ଷାତକାର

ଜନତା ହାତରେ ଅଛି ବିକାଶର ଚାବିକାଠି

September 26, 2005 by ନିଉଜ ଡେସ୍କ Leave a Comment

ସମ୍ବଲପୁର, ସେପ୍ଟେମ୍ବର ୨୬ (ଓଡ଼ିଶା ଡ଼ଟ୍ କମ୍), ଖାଉଟିଙ୍କ ପାଇଁ ପ୍ରାୟ ୨୦୦ଟି ଷ୍ଟେଟ୍ ଫୋରମ୍ ଏବଂ ପ୍ରାୟ ୫୦ଟି ନ୍ୟାସ୍ନାଲ୍ ଫୋରମ୍ ରେ ୫୦୦ରୁ ଅଧିକ ଜନସ୍ୱାର୍ଥ ମାମଲା ଲଢ଼ିଥିବା ସମ୍ବଲପୁରର ଗୋବିନ୍ଦ ନାରାୟଣ ଅଗ୍ରୱାଲ୍ ।

ସତୁରୀ ରୁ ଅଶୀ ଦଶକରେ ସମ୍ବଲପୁର ସହରର ସେ ଜଣେ ଜଣାଶୁଣା ଓକିଲ ଥିଲେ ।

ରେଳ ଷ୍ଟେସନ ପ୍ଲାଟ୍ଫର୍ମରେ ଜିନିଷଗୁଡ଼ିକ ଅଧିକ ଦାମ୍ ରେ ବିକ୍ରି ହେଉଥିବା ନେଇ ସେ ଏକ କେଶ୍ ଲଢ଼ିଥିଲେ । ପରେ ଷ୍ଟଲ୍ ଗୁଡ଼ିକରେ ମିଳୁଥିବା ଅନେକ ଜିନିଷଗୁଡ଼ିକ ଉପରେ ଲିଖିତ ଦାମ୍ ଅନୁସାରେ ମୂଲ୍ୟ ଗ୍ରହଣ କରିବାକୁ ରେଳ ବିଭାଗ ନିର୍ଦ୍ଦେଶ ଦେଇଥିଲେ ।

ଆଗରୁ ଥଣ୍ଡାପାନୀୟ ବୋତଲଗୁଡ଼ିକ ଉପରେ ଦାମ୍ ଲେଖାଯାଉ ନ ଥିଲା । ପ୍ରାୟ ତିନି ବର୍ଷ ତଳେ ସେ ଏକ କେଶ୍ ଲଢ଼ିବା ପରେ ଥଣ୍ଡାପାନୀୟ ବୋତଲଗୁଡ଼ିକ ଉପରେ ଦାମ୍ ଲେଖାଯାଇଥିଲା ।

ସମ୍ବଲପୁର ସହରର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ସେ “ଗୋବିନ୍ଦ ଚାଚା” । ସାଇକେଲଟିଏ ଧରି ବୁଲୁଥାନ୍ତି ସହର ସାରା । ବୋଧ ହୁଏ ନିଃସ୍ୱାର୍ଥପରଭାବେ ସହରର ମଙ୍ଗଳକାମନା କରୁଥିବା ସେ ହେଉଛନ୍ତି ଜଣେ ମାତ୍ର ଲୋକ ।

କୌଣସି ସଭା ହେଉ ଅବା ବିରୋଧ ପ୍ରଦର୍ଶନ ସ୍ଥଳ ତାଙ୍କୁ ସବୁଠାରେ ଦେଖିବାକୁ ମିଳେ ।

ବର୍ତ୍ତମାନ ସବୁକିଛି ତ୍ୟାଗ କରି ସନ୍ୟାସୀଙ୍କ ଭଳି ସେ ଜୀବନଯାପନ କରୁଛନ୍ତି ।

ତାଙ୍କର ନା ଅଛି ପରିବାର, ନା ସାଙ୍ଗସାଥୀ, ନା ଅଛନ୍ତି କେହି ଶତ୍ରୁ । ପାରିବାରିକ ଜୀବନ ତାଙ୍କର ବିପର୍ଯ୍ୟସ୍ତ । ଏ ସବୁ ପାଇଁ ତାଙ୍କ ମନରେ କେବେ ବି ବିଶାଦ ଦେଖିବାକୁ ମିଳେ ନା ।

ଭଗବାନ ତାଙ୍କଠାରୁ ସବୁ କିଛି ନେଇ ଯାଇଥିଲେ ମଧ୍ୟ ବଦଳରେ ଦେଇଛନ୍ତି ପ୍ରଖର ସ୍ମରଣ ଶକ୍ତି । ସମ୍ବଲପୁର ସହରର ତାଙ୍କୁ ଏକ ବିଶ୍ୱକୋଷ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

କୌଣସି ବିଷୟରେ ତାଙ୍କର କହିବା ଆରମ୍ଭ ହେଲେ ଜଣେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବ ନାହିଁ ।

ବୟସ ତାଙ୍କୁ ଷାଠିଏରୁ ଅଧିକ ହେଲାଣି । ତଥାପି ଜଣେ ଯୁବକ ଭଳି ସେ ଚଳଚଞ୍ଚଳ । ପଶ୍ଚିମ ଓଡ଼ିଶାର ଉନ୍ନତି ସଂପର୍କରେ ତାଙ୍କର ମତାମତ ଜାଣିବା ପାଇଁ ଓଡ଼ିଶା ଡଟ୍ କମ୍ ପ୍ରତିନିଧି ଅଜିତ ନାୟକ ଅଗ୍ରୱାଲଙ୍କ ସହ କରିଥିବା ଅନ୍ତରଙ୍ଗ ଆଳାପର କିୟଦଂଶ………………

ଆପଣଙ୍କ ଜୀବନରେ ଏତେ ସବୁ ବାଧା ବିଘ୍ନ ସତ୍ତ୍ୱେ ଆପଣ ସେଗୁଡ଼ିକର ସାମ୍ନା କିପରି କରନ୍ତି ?

ଏହା ଅତ୍ୟନ୍ତ ସ୍ୱାଭାବିକ । ସାଧାରଣ ଚଳଣି, ଉଚ୍ଚ ଚିନ୍ତାଧାରା । ଜଣେ ବ୍ୟକ୍ତିକୁ ତାର ପାରିପାଶ୍ୱିର୍କ ପରିବେଶ ଅନୁସାରେ ଚଳିବାକୁ ହୋଇଥାଏ । ଜୀବନ ଏକ ରଙ୍ଗ ମଞ୍ଚ । ଆମକୁ କେବଳ ଅଭିନୟ କରିବାକୁ ହୁଏ ।

ଆପଣଙ୍କ ଜୀବନରେ ଯାହା ସବୁ ଘଟୁଛି, ସେଥିପାଇଁ ଆପଣ କାହାକୁ ଦାୟୀ କରୁଛନ୍ତି ?

ଦଇବ ଦଉଡ଼ି, ମଣିଷ ଗାଈ । ଏହାର ସତ୍ୟତା ବିଶ୍ୱସନୀୟ । ମଣିଷ ମାତ୍ରେ ହିଁ ଭୁଲ୍ କରିଥାଏ । ସବୁବେଳେ ସଠିକ୍ ନିଷ୍ପତ୍ତି ନେବା ତା ପକ୍ଷରେ ସମ୍ଭବ ହୋଇ ନ ଥାଏ । ଏପରିକି ବେଳେବେଳେ ଗୁରୁଜନମାନେ ମଧ୍ୟ ଉପଯୁକ୍ତ ଦିଗ୍ଦର୍ଶନ ଦେଇପାରି ନଥାନ୍ତି ।

ମୁଁ ଏଥି ପାଇଁ କାହାକୁ ଦାୟୀ କରୁ ନି । ଏହା କେବଳ ମୋ ନିଜର ଭାଗ୍ୟ ଅଟେ । ଭାଗବତରେ କୁହାଯାଇଛି “ଆପଣା କର୍ମ ମାନ, ମଲାରୁ ଥିବ ସାବଧାନ” । ଏହା ସବୁବେଳେ ମୋ ମନରେ ରହିଥାଏ ।

ଆପଣ ଭାଗ୍ୟ ଉପରେ ବିଶ୍ୱାସ କରନ୍ତି କି ?

ହଁ ମୁଁ ଭାଗ୍ୟରେ ବିଶ୍ୱାସ କରେ । କିନ୍ତୁ ସବୁ କଥା ଭାଗ୍ୟ ଉପରେ ଛାଡ଼ି ଦେବା ଉଚିତ ନୁହେଁ । ତେବେ ବଞ୍ଚିବା ପାଇଁ ଜଣକୁ ବିଶ୍ୱାସ କରିବାକୁ ପଡ଼ିବ ।

ଆପଣଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ କିଛି କହିବେ କି?

ଆପଣ ଜାଣିଥିବେ ଯେ, ମୋର ବର୍ତ୍ତମାନ କୌଣସି ବ୍ୟକ୍ତିଗତ ଜୀବନ ନାହିଁ । ଦିନ ଥିଲା ମୁଁ ବି ଅନ୍ୟମାନଙ୍କଭଳି ସୁଖୀ ପାରିବାରିକ ଜୀବନ ବିତାଉ ଥିଲି । କିନ୍ତୁ କିଛି ବିବାଦ ସୃଷ୍ଟି ହେଲା ଏବଂ ସବୁ ଶେଷ ହୋଇଗଲା । ବର୍ତ୍ତମାନ ସେହି ଅତୀତକୁ ମୁଁ ମନେପକାଇବାକୁ ଚାହୁଁନି ।

ଆପଣଙ୍କର କୌଣସି ସ୍ୱପ୍ନ ଅଛି, ଯାହାକୁ ଆପଣ ପୂରା କରିବାକୁ ଚାହାନ୍ତି ?

ହଁ ଏକ ସ୍ୱଚ୍ଛ, ସୁନ୍ଦର ଭାରତ ହେଉଛି ମୋର ସ୍ୱପ୍ନ । ଯେଉଁଠାରେ କି, ମନରେ ଭାତୃଭାବ, ବନ୍ଧୁତ୍ୱ ନେଇ ସମସ୍ତେ ଶାନ୍ତିରେ ରହୁଥିବେ ।

ସମ୍ବଲପୁର ସହରର ଜନତାଙ୍କ ସହ ବିତାଇଥିବା ଜୀବନର ପଚାଶ ବର୍ଷ ମଧ୍ୟରେ ଆପଣ ଏଠାରେ କ’ଣ ସବୁ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି?

ଆପଣ ଜାଣିଥିବେ ଇତିହାସର ପୁନରାବୃତ୍ତି ହୁଏ । ବିଶେଷ କରି ସମ୍ବଲପୁର ଏବଂ ପଶ୍ଚିମ ଓଡ଼ିଶା କ୍ଷେତ୍ରରେ ଏହାର ସତ୍ୟତା ପ୍ରମାଣିତ ହୋଇଛି ।

ପଶ୍ଚିମ ଓଡ଼ିଶା ଏବଂ ଏହାର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମହାଭାରତ ସମୟରୁ ଆଜି ଯାଏ ଲୁଣ୍ଠିତ ହେବା ପରିସ୍ଥିତି ସୃଷ୍ଟି ହୋଇ ଆସୁଛି । ପଚାଶ ଶତକରେ ଧାର୍ଯ୍ୟ କରାଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଯାଇନାହିଁ । ଫଳରେ ଲୋକମାନଙ୍କର ଦୁଃଖ ଦୁର୍ଦ୍ଧଶା ବଢ଼ିଯାଇଛି ।

ବିଦ୍ୟୁତ୍ ସଂଯୋଗର ଉଦାହରଣ ନିଆଯାଉ । ସାରା ଦେଶରେ ଯୋଜନାବଦ୍ଧଭାବେ ବିଦ୍ୟୁତ୍ ସଂଯୋଗୀକରଣ ପାଇଁ ଆମ ପାଖରେ ଆବଶ୍ୟକ ମୁତାବକ ଗ୍ରୀଡ୍ ନାହିଁ ।

ହୀରାକୁଦ ଶକ୍ତି ଯୋଗାଣ ବ୍ୟବସ୍ଥା କିମ୍ବା ବନହରପାଲି ଗ୍ରୀଡ୍ ରେ ଯଦି କୌଣସି ବିଘ୍ନ ସୃଷ୍ଟି ହୁଏ ତେବେ ସାରା ରାଜ୍ୟ ପ୍ରଭାବିତ ହେବ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକା ପ୍ରକାର ଅବ୍ୟବସ୍ଥା ଦେଖାଯାଇଛି । ବୁର୍ଲାରେ ଥିବା ବୀର ସୁରେନ୍ଦ୍ରସାଏ ହସ୍ପିଟାଲ୍ ସ୍ୱାଧିନତା ସଂଗ୍ରାମୀଙ୍କ ନାମରେ ନାମିତ ହୋଇଛି । ମେଡିକାଲ କଲେଜରେ ପଢୁଥିବା ଛାତ୍ରମାନଙ୍କ ପିଛା ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ସ୍ୱାସ୍ଥ୍ୟସେବା ଆଜି ଯାଏ ମଧ୍ୟ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ପାରିନି ।

ବିଧାନ ସଭାରେ ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ ହସ୍ପିଟାଲର ସେବାରେ ଆଖିଦୃଶିଆ ଉନ୍ନତି ଦେଖାଯାଇନାହିଁ ।

ରେଳସେବା ଏବଂ କୋଇଲାଖଣି ଆଦି ଶିଳ୍ପାଞ୍ଚଳରେ ମଧ୍ୟ ଅବ୍ୟବସ୍ଥା ହୋଇଛି । ଶିକ୍ଷା କ୍ଷେତ୍ରରେ କିଛି ନ କହିବା ଭଲ ।

ଏହି ଅଞ୍ଚଳର ଗାଁମାନଙ୍କୁ ପ୍ରାଥମିକ ଶିକ୍ଷା ନ ପହଞ୍ଚିଥିବାବେଳେ ଉଚ୍ଚଶିକ୍ଷାର ପରିସ୍ଥିତି ଅନୁମେୟ । ଯୁବପୀଢ଼ିକୁ ଶିକ୍ଷା ପ୍ରଦାନ ଲାଗି ୧୯୫୭ରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ହୋଇଥିଲା ।

ଏଠାରେ ଆମ ନିଜ ସମ୍ବଲପୁରୀ ଭାଷାର କୌଣସି ପ୍ରାଧାନ୍ୟତା ନ ଥିବାବେଳେ ରାଜନୈତିକ ନେତାମାନଙ୍କୁ ଖୁସି କରିବା ପାଇଁ ଅନ୍ୟ ଭାଷାରେ ଶିକ୍ଷାଦାନ ହେଉଛି ।

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ଉପରେ ଆପଣଙ୍କ ମତ କ’ଣ ?

କୋଶଳ ଅଯୋଧ୍ୟା ବା ଅବଧରୁ ଆସିଥିବା ଏକ ଶବ୍ଦ । ସମଗ୍ର ବର୍ମା, ଶିଲଂ ଏବଂ କୈକେୟ ଅଞ୍ଚଳ(ଗାନ୍ଧାରରୁ ତିବ୍ବତ ପର୍ଯ୍ୟନ୍ତ) ରାମଚନ୍ଦ୍ରଙ୍କ ଭାରତ ଥିଲା । ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଏକ ଗବେଷଣା ଅନୁଯାୟୀ ପଶ୍ଚିମ ଓଡ଼ିଶା ଦକ୍ଷିଣ କୋଶଳର ଏକ ଅଂଶ ।

ଅତୀତରେ ଉତ୍ତମ ଶାସନ ପାଇଁ ଏହି ଅଞ୍ଚଳ ପ୍ରସିଦ୍ଧ ଥିଲା । ବ୍ରିଟିଶ ଶାସନ ସମୟରେ ଏହା ସେଣ୍ଟ୍ରାଲପ୍ରୋଭିନ୍ସ ସହ ମିଶିଥିଲା ଏବଂ ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ମିଶିଛି ।

ଯେତେବେଳେ କେନ୍ଦ୍ର ସରକାର ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତରାଞ୍ଚଳ ପ୍ରଦେଶ ଗଠନ କଲେ ସେତେବେଳେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିକୁ ମଞ୍ଜୁର ନ କରିବାର କୌଣସି କାରଣ ନ ଥିଲା ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ଅଞ୍ଚଳଗୁଡ଼ିକ ଏବଂ ଏଠାକାର ଅଧିବାସୀ ବିଭିନ୍ନ ସମୟରେ ସବୁ ଦିଗରୁ ଉପେକ୍ଷିତ ହେଉଛନ୍ତି । କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ବିଚାର କରିବା ଉଚିତ ।

ଯେହେତୁ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ଏ ଦିଗରେ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ପାରିନାହିଁ ସମ୍ବଲପୁର କିମ୍ବା ହୀରାଖଣ୍ଡ ନାମରେ ଏକ ଅଲଗା ରାଜ୍ୟ ଗଠନ ହେବାର ସମୟ ଉପନୀତ ହୋଇଛି । ରାଜ୍ୟର ନାମ କୋଶଳ ରଖାଯିବା ଠିକ୍ ହେବ ନାହିଁ କାରଣ ପୂର୍ବରୁ ଏହା କୋଶଳର ଏକ ଅଂଶ ଥିଲା ।

ପଶ୍ଚିମ ଓଡ଼ିଶାର ସାଂପ୍ରତିକ ପରିସ୍ଥିତି ପାଇଁ ଆପଣ କାହାକୁ ଦାୟୀ କରୁଛନ୍ତି ?

ନିଶ୍ଚିତଭାବେ ରାଜନୈତିକ ନେତାମାନଙ୍କୁ । ସେମାନଙ୍କର କୌଣସି ଦୂର ଦୃଷ୍ଟି ନାହିଁ । ଅନ୍ୟମାନଙ୍କଠାରୁ କିଛି ଶିଖିବାର ଆଗ୍ରହ ମଧ୍ୟ ନାହିଁ ।

ଦଳ ଟିକେଟ୍ ହରାଇବା ଭୟରେ ସେମାନେ ଅନ୍ୟ ବଡ଼ ନେତାମାନଙ୍କର ଚାମ୍ଚା ହେବାକୁ ପସନ୍ଦ କରନ୍ତି ।

ଯଦିବା କେତେବେଳେ କେହି ସ୍ୱର ଉଠାନ୍ତି ସେମାନେ ଜନସ୍ୱାର୍ଥ ବଦଳରେ ନିଜ ସ୍ୱାର୍ଥ ପାଇଁ ତାହା କରୁଥିବାରୁ ଅଧିକାଂଶ ସମୟରେ ବିଫଳ ହୋଇଥାନ୍ତି ।

ଅବସ୍ଥାର ଉନ୍ନତିର କୌଣସି ସମ୍ଭାବନା ଆପଣ ଦେଖୁଛନ୍ତି କି ?

ଲୋକମାନଙ୍କୁ ସେମାନଙ୍କ ନିଜର ଶକ୍ତି ବିଷୟରେ ସଚେତନ ହେବାକୁ ପଡ଼ିବ । ସେମାନେ ବୋଧେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ପରାମର୍ଶକୁ ଭୁଲି ନ ଥିବେ ।

ଲୁଣ୍ଠନ ଏବଂ ବନ୍ଧନରୁ ମୁକ୍ତି ପାଇବା ପାଇଁ ଜନତା ତାର ବ୍ରହ୍ମଶକ୍ତିର ଉପଯୋଗ ନିଶ୍ଚୟ କରିବ । ଧନ୍ୟବାଦ ।

(ଓଡ଼ିଶା ଡ଼ଟ୍ କମ୍)

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଗୋବିନ୍ଦ ନାରାୟଣ ଅଗ୍ରୱାଲ୍, ସମ୍ବଲପୁର, ସାକ୍ଷାତକାର

ଓଡ଼ିଶାରେ ଭଗବାନ ବୁଦ୍ଧ ଜନ୍ମ ହୋଇନାହାନ୍ତି: ଓଡ଼ିଶା ଐତିହାସିକ ( ସାକ୍ଷାତକାର)

September 14, 2005 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍), କେତେକ ବୁଦ୍ଧିଜୀବି ଏବଂ ଐତିହାସିକ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ଓଡ଼ିଶା ବୋଲି ଦାବି କରୁଥିବା ବେଳେ ରାଜ୍ୟର ଜଣେ ବରିଷ୍ଠ ଐତିହାସିକ ଏହାକୁ ଭୁଲ ବୋଲି ଦାବି କରିଛନ୍ତି ।

ବରିଷ୍ଠ ଐତିହାସିକ କରୁଣା ସାଗର ବେହେରା କହିଛନ୍ତି ଯେ ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱରର ଶିଳା ଲେଖାକୁ ଆଧାର କରି ଭଗବାନ ବୁଦ୍ଧ ଓଡ଼ିଶାରେ ଜନ୍ମ ହୋଇଛନ୍ତି ବୋଲି ଯେଉଁମାନେ ଦାବି କରୁଛନ୍ତି ସେଥିରେ ସତ୍ୟତା ନାହିଁ ।

“ଏହି ଶିଳାଲେଖକୁ ସତ୍ୟ ନୁହେଁ ବୋଲି ୧୯୮୦ ମସିହାରେ ପ୍ରସିଦ୍ଧ ଶିଳାତତ୍ୱବିଦ ଡ଼ି.ସି.ସିରକାର ବମ୍ବେ ଠାରେ ଅନୁଷ୍ଠିତ ହୋଇଥିବା ଭାରତୀୟ ଇତିହାସ କଂଗ୍ରେସରେ ଘୋଷଣା କରିଥିଲେ ଏବଂ ଏହି ଶିଳାଲେଖକୁ ଏକ ନକଲି ପ୍ରମାଣ ବୋଲି କହିଥିଲେ ”ବେହେରା ଓଡ଼ିଶା ଡଟ୍ କମ୍ କୁ ଏକ ସାକ୍ଷାତ୍କାରରେ କହିଛନ୍ତି ।

୧୯୯୯ ଡିସେମ୍ବରରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସ ବିଭାଗର ପ୍ରଫେସରଭାବେ ଅବସର ଗ୍ରହଣ କରିଥିବା ବେହେରା ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନର ଫେଲୋସିପ୍ ରେ ଇତିହାସ ଏବଂ ପୁରାତତ୍ତ୍ୱ ଉପରେ ଗବେଷଣା କରୁଛନ୍ତି ।

ଭଗବାନ ବୁଦ୍ଧ ନେପାଳର ଲୁମ୍ବିନି ଠାରେ ଜନ୍ମ ହୋଇନଥିବା ସଂପର୍କରେ ଏପର୍ଯ୍ୟନ୍ତ କୌଣସି ବଳିଷ୍ଠ ତଥ୍ୟ ସାମନାକୁ ଆସିନାହିଁ । ଷୋଡ଼ଶ ଶତାଦ୍ଧୀରେ ଓଡ଼ିଶା ବୁଦ୍ଧଧର୍ମ ପ୍ରଚାରରେ ବ୍ୟାପକ ଭୂମିକା ଗ୍ରହଣ କରିଛି ସତ ତେବେ ଭଗବାନ ବୁଦ୍ଧ ଓଡ଼ିଶାରେ ଜନ୍ମ ହୋଇନଥିଲେ କି ଓଡ଼ିଶା ପରିଦର୍ଶନ କରିନଥିଲେ ବୋଲି ସେ ଦାବି କରିଛନ୍ତି ।

ଓଡ଼ିଶାର ବାଲେଶ୍ୱରରେ ଅଯୋଧ୍ୟା ନାମକ ଏକ ସ୍ଥାନ ରହିଛି । ଦେଶର ବହୁ ସ୍ଥାନରେ ସୀତା ଏନ୍ତୁଡ଼ିଶାଳ ରହିଥିବାବେଳେ ଉକ୍ତ ସ୍ଥାନଗୁଡ଼ିକୁ ଭଗବାନ ରାମଙ୍କ ଜନ୍ମ ସ୍ଥାନ କୁହାଯାଇପାରିବ ନାହିଁ । ଠିକ୍ ସେହିପରି ଦକ୍ଷିଣ ଭାରତରେ ମଥୁରା ନାମକ ଏକ ସ୍ଥାନ ଅଛି । ଉକ୍ତ ସ୍ଥାନକୁ କୃଷ୍ଣଙ୍କ ଜନ୍ମ ସ୍ଥାନ ବୋଲି କୁହାଯାଇପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ବଳିଷ୍ଠ ପ୍ରମାଣ ଆଧାରରେ ହିଁ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଉଚିତ । ସମ୍ରାଟ ଅଶୋକ ନେପାଳର ଲୁମ୍ବିନୀକୁ ଯାଇଥିଲେ ଓ ସେଠାରେ ଏକ ଶିଳାଲେଖର ସ୍ଥାପନା କରିଥିଲେ । ଲୁମ୍ବିନୀ ବୁଦ୍ଧଙ୍କ ଜନ୍ମ ସ୍ଥାନ ହୋଇଥିବାରୁ ସେ ଉକ୍ତ ସ୍ଥାନ ପରିଦର୍ଶନ କରିଥିବା ଏହି ଶିଳାଲେଖରେ ଦର୍ଶାଇଛନ୍ତି ବୋଲି ବେହେରା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୩ ମସିହାରେ ଚନ୍ଦ୍ରଭାନୁ ପଟେଲଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଏକ ପନ୍ଦର ଜଣିଆ ଦଳ ଭଗବାନ ବୁଦ୍ଧଦେବଙ୍କ ଜନ୍ମ ଓଡ଼ିଶାରେ ହୋଇଥଲା ବୋଲି ପ୍ରଥମେ ଦାବି କରିଥିଲେ ।

୧୯୨୮ ମସିହାରେ ରାଜ୍ୟର କପିଳେଶ୍ୱରଠାରେ ଏବଂ ୧୯୮୫ରେ ଯାଜପୁରଠାରେ ବୁଦ୍ଧଦେବଙ୍କର ମୂର୍ତ୍ତିର ଅବଶିଷ୍ଟାଂଶ ମିଳିଥିଲା । କପିଳେଶ୍ୱର ନିକଟରେ ଲେମ୍ବେଇ ନାମକ ଗାଁ ବୁଦ୍ଧଙ୍କର ଜନ୍ମସ୍ଥଳୀ ହୋଇଥାଇପାରେ ବୋଲି ସେ ମତ ଦେଇଥିଲେ ।

କପିଳେଶ୍ୱରଠାରେ ଭଗବାନଙ୍କର ରାଜାରୁ ସନ୍ୟାସୀରେ ପରିବର୍ତ୍ତିତ ହେବାର ଚାରିଟି ଅବସ୍ଥାର ଆକୃତି ମିଳିଛି ବୋଲି ପଟେଲ କହିଥିଲେ । ରାଜ୍ୟ ସରକାର ସେହି ସମୟରେ ପଟେଲଙ୍କ ତଥ୍ୟକୁ ସମର୍ଥନ କରି ଏ ସଂପର୍କରେ ଅଧିକ ଗବେଷଣା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ବେହେରା କବି ଜୟଦେବଙ୍କ ଜନ୍ମ ପଶ୍ଚିମବଙ୍ଗରେ ନୁହେଁ ଓଡ଼ିଶାରେ ହୋଇଥିବା ସପକ୍ଷରେ ବେଶୀ ଐତିହାସିକ ତଥ୍ୟ ଥିବା କହିଛନ୍ତି ।

(ଓଡିଶା ଡଟ୍ କମ୍)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଐତିହାସିକ କରୁଣା ସାଗର ବେହେରା, ବୁଦ୍ଧ ଦେବ, ସାକ୍ଷାତକାର

ଓଡ଼ିଶାର ବିକାଶ ପାଇଁ ଦରକାର ଜଣେ ସଦ୍ଧାମ ହୁସେନ (ସାକ୍ଷାତକାର)

August 21, 2005 by ନିଉଜ ଡେସ୍କ Leave a Comment

ପୁରୀ,ଅଗଷ୍ଟ ୨୧ (ଓଡ଼ିଶା ଡ଼ଟ୍ କମ୍)

ତାଇୱାନ ରେଳବାଇର ପରାମର୍ଶଦାତା ଭାବେ ତାଇୱାନରେ କାମ କରୁଥିବା ଓଡ଼ିଶାର ପୁରୀ ଜିଲ୍ଲାର ଅକ୍ଷୟ କୁମାର ଦାସଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ର ବିଶେଷ ସାକ୍ଷାତକାର ।

୧୯୪୨ ମସିହାରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଅକ୍ଷୟ କୁମାର ଦାସ ସଂପ୍ରତି ତାଇୱାନ ରେଲୱେରେ ଜଣେ କନ୍ସଲଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ସେ ୧୯୬୫ରେ ରାଉରକେଲା ଇଂଜିନିୟରିଂ କଲେଜରୁ ସ୍ନାତକ ଡ଼ିଗ୍ରୀ ହାସଲ କରିବା ପରେ ଭାରତୀୟ ରେଳ ସେବାରେ ଜଣେ ଇଂଜିନିୟର ଭାବରେ କାର୍ଯ୍ୟ କରିଥିଲେ ।

ତାପରେ ଇରକନ ଇଣ୍ଟରନ୍ୟାସନାଲରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ । ଦଶ ବର୍ଷ ପୂର୍ବରୁ ଭାରତ ଛାଡ଼ି ବିଦେଶରେ ରହୁଥିବା ଦାସ ଓଡ଼ିଶା ଡ଼ଟ୍ କମ୍ କୁ ଦେଇଥିବା ବିଶେଷ ସାକ୍ଷାତକାରର ମୁଖ୍ୟ ଅଂଶ ।

ଆପଣ କାର୍ଯ୍ୟ କରୁଥିବା ସ୍ଥାନରେ କୌଣସି ଓଡ଼ିଆ ସଂଗଠନ ଅଛିକି ?

ନା। ତେବେ ଏଠାରେ ଥିବା ଓଡ଼ିଆ ମାନଙ୍କ ଭିତରେ ଏମିତି ମୋର ବ୍ୟକ୍ତିଗତ ସଂପର୍କ ରହିଛି ।

ସେଠାରେ ଥିବା ଓଡ଼ିଆ ଲୋକମାନେ କେଉଁ ଓଡ଼ିଆ ପର୍ବ ପାଳନ କରନ୍ତି ?

ନା ସେମିତି କୌଣସି ପର୍ବପର୍ବାଣୀ ପାଳନ କରନ୍ତି ନାହିଁ ।

କ’ଣ ପାଇଁ ଆପଣ ଓଡ଼ିଶା ଛାଡ଼ିଥିଲେ ?

ମୁଁ ୧୯୬୮ରେ ଓଡ଼ିଶା ଓ ୧୯୯୭ରେ ଭାରତ ଛାଡ଼ିଥିଲି । ସର୍ବ ଭାରତୀୟ ସ୍ତରରେ ଚାକିରୀ ପାଇଁ ଓଡ଼ିଶା ଛାଡ଼ିଥିଲି ।

ଓଡ଼ିଶାର ଉନ୍ନତି ପାଇଁ ଆପଣ କୌଣସି କ୍ଷେତ୍ରରେ କାମ କରିବା ପାଇଁ ଚିନ୍ତା କରିଛନ୍ତି କି ?

ହଁ , ଖୁବ୍ ଦୃଢତାର ସହିତ ମୁଁ ଚିନ୍ତା କରୁଛି ।

ଏବେ ଓଡ଼ିଶା ମୁଖ୍ୟତଃ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛି ? ଏମିତି ଅବସ୍ଥା ପାଇଁ ଆପଣ କାହାକୁ ଦାୟୀ କରିବେ ?

ପ୍ରବାସୀ ଓଡ଼ିଆମାନେ ସବୁବେଳେ ଚାହାନ୍ତି ଓଡ଼ିଶାର ସ୍ୱାସ୍ଥ୍ୟ ତଥା ନିର୍ମାଣ କ୍ଷେତ୍ରରେ ସହଯୋଗ କରିବେ । ମାତ୍ର ମୁଁ ଭାବୁଛି ଓଡ଼ିଶାରେ ସେମିତି କିଏ ବ୍ୟକ୍ତି ଅଛି ,ଯିଏ ସେମାନଙ୍କର ସ୍ୱପ୍ନକୁ ସାକାର କରିବ ?

ଓଡ଼ିଶା ଏବେ ଦୁର୍ନୀତି ଓ ସର୍ବସାଧାରଣଙ୍କ ଅର୍ଥ ହଡ଼ପ କରିବା କ୍ଷେତ୍ରରେ ଆଗୁଆ ଅଛି । ତେଣୁ ସେମାନଙ୍କର (ପ୍ରବାସୀ ଓଡ଼ିଆ ମାନଙ୍କର) କଷ୍ଟଲବ୍ଧ ଧନ ସେଠାରେ ଠକ ମାନଙ୍କ ଦ୍ୱାରା ବାଟମାରଣା ହୋଇଯିବାର ବହୁ ସମ୍ଭାବନା ରହିଛି ।

ଓଡ଼ିଆମାନଙ୍କର ଏମିତ ମନୋବୃତ୍ତି ସଂପର୍କରେ ମୋର ଧାରଣା ହେଲା ଯ।

୧- ଓଡ଼ିଶାର ଲୋକମାନେ ରାତାରାତି ଧନୀ ହୋଇଯିବାକୁ ଚାହାନ୍ତି । ମାତ୍ର ଜଣେ ଯଦି ଅସତ୍ ଉପାୟରେ ଅର୍ଥ ରୋଜଗାର କଲା ତାହେଲେ ତା ପରିବାର ତରଫରୁ ତାକୁ ବିରୋଧ କରାନଯାଇ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଅତଏବ ପ୍ରତ୍ୟେକ ଲୋକ ଟଙ୍କା ପଛରେ ଗୋଡ଼ାଉଛନ୍ତି । ତେଣୁ ଓଡ଼ିଶାର ପରିବର୍ତ୍ତନ ପାଇଁ କିଏ ବାହାରୁଛି ?

୨- ଯୁବକମାନଙ୍କୁ ଅନୁପ୍ରାଣିତ କରିବା ପାଇଁ କେହି ଆଦର୍ଶସ୍ଥାନୀୟ ନେତା ନାହାନ୍ତି । ସେଠାରେ ବିଶୃଙ୍ଖଳା କରିବା ଯେମିତି ଏକ ଲକ୍ଷ୍ୟ ପାଲଟି ଯାଇଛି । ଗତ କେତେଦିନ ତଳେ କଟକ ରେଳ ଷ୍ଟେସନରେ ରେଭେନ୍ସା କଲେଜ ଛାତ୍ରମାନେ ଯେମିତି ବିଶୃଙ୍ଖଳା ଆଚରଣ କଲେ ସେଥିପାଇଁ ମୁଁ ନିଜକୁ ଲଜ୍ଜିତ ମନେକରୁଛି ।

୩- ଶ୍ରମିକ ସଂଗଠନ କ୍ଷେତ୍ରରେ ଆମେ କେରଳ ପଶ୍ଚିମବଙ୍ଗର ଖରାପ କଥା ସବୁକୁ ଅନୁକରଣ କରୁଛୁ । ସେଥିପାଇଁ ବାହାରର ଶିଳ୍ପପତିମାନେ ଏଠାରେ ନିଜକୁ ପ୍ରତିଷ୍ଠା କରୁନାହାନ୍ତି ଓ କେହି ଶିଳ୍ପପତି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ନିଜକୁ ନିରାପଦ ମଣୁନାହାନ୍ତି ।

୪- ମୁଁ ରେଳ ବିଭାଗରେ ଚାକିରି କରିଥିବାରୁ ବ୍ୟକ୍ତଗତ ଭାବେ ଟିସ୍କୋ,ସେସ୍କୋ,ନୀଳାଚଳ, କଳିଙ୍ଗ ଇତ୍ୟାଦି ଶିଳ୍ପ ସଂସ୍ଥା ସହିତ ସଂପୃକ୍ତ । ମାତ୍ର ସେମାନେ ଏବେ ଓଡ଼ିଶାର କେଉଁଠି ଅଛନ୍ତି ? ଏବେ ପୋସ୍କୋ ପାରାଦୀପରେ ପ୍ରତିଷ୍ଠା ହେବାକୁ ଯାଉଛି ।

ସେଠାରେ କେଉଁପ୍ରକାର ଶ୍ରମିକ ସଂଗଠନ ଅଛି ,ସେହି କମ୍ପାନୀ କ’ଣ ସେଠି ତିଷ୍ଠି ରହିପାରିବ ? ମୋର ମନେ ହେଉଛି ନେରନ୍ କମ୍ପାନୀର ଯେଉଁଭଳି ଅବସ୍ଥା ହେଲା ପୋସ୍କୋର କାହିଁକି ସେଭଳି ଅବସ୍ଥା ନହେବ । ରାଜନୈତିକ ଫାଇଦା ହାସଲ ପାଇଁ ମଧ୍ୟ ଏଠାରେ ବିଭିନ୍ନ ରାଜନୈତିକ ଦଳ ନିଜ ଇଚ୍ଛା ମୁତାବକ କମ୍ପାନୀ ଚାଲିବାକୁ କିମ୍ବା ବନ୍ଦ କରିବାକୁ ଚାହୁଁଛନ୍ତି ।

ତେବେ ଏସବୁ ସମସ୍ୟାର ସମାଧାନ ପାଇଁ ମୋର ବ୍ୟକ୍ତଗତ ମତ ହେଲା ଏଠାରେ ଜଣେ ସଦ୍ଧାମ ହୁସେନ କିଛିଦିନ ପାଇଁ ଶାସନ କ୍ଷମତାରେ ରହିବା ଆବଶ୍ୟକ । କିଛିଦିନ ପାଇଁ ମୁଁ ଇରାକରେ ଥିବାରୁ ଏମିତି କଥା କହୁଛି । ଆମ ଲୋକଙ୍କୁ ଶାସନ କରିବା ପାଇଁ “ଦେଖିବା ମାତ୍ରେ ଗୁଳି” ଭଳି ଶାସନ ଦରକାର ।

ଏବେକାର ଶାସନ ବ୍ୟବସ୍ଥାରେ ଓଡ଼ିଶା କୌଣସି ଉନ୍ନତି କରୁଛି ନା ତାର ଅବନତି ଘଟୁଛି ? ଏହି କ୍ଷେତ୍ରରେ କୌଣସି ପରିବର୍ତ୍ତନ ଲୋଡ଼ା ବୋଲି ଆପଣ ଭାବୁଛନ୍ତି କି ?

ଉନ୍ନତି ହେବା ଏକ ସାଧାରଣ ପ୍ରକ୍ରିୟା । ଏଥିରେ କୌଣସି ସରକାରଙ୍କର ବିଶେଷ ଭୂମିକା ନଥାଏ । ମାତ୍ର ଓଡ଼ିଶା ଯେଉଁ ଉନ୍ନତି କରିଛି , ତାର ପ୍ରତିଶତ କେତେ ? ଏହା ଯଦି ବେଲୁନ ଭଳି ଫୁଲୁଥାଏ ତେବେ କେତେବେଳେବି ଫାଟିଯିବ । କାରଣ ଏହାର ଭିତ୍ତିଭୂମି ଭାରି ଦୁର୍ବଳ । ସେତେବେଳେ ବଦନାମ ସାଧାରଣ ଲୋକଙ୍କ ପାଖକୁ ଯିବ । କାରଣ ଏଠାରେ କୌଣସି ବ୍ୟକ୍ତି ତାର ଉତ୍ତରପୁରୁଷଙ୍କୁ ଭଲ ମଣିଷଟିଏ କରି ଗଢୁନାହିଁ ।

ତେବେ ଆପଣଙ୍କ ଭଳି ଜଣେ ସଚେତନ ବ୍ୟକ୍ତି ଏହି କ୍ଷେତ୍ରରେ କିଛି ଭୂମିକା ନିଅନ୍ତୁ । ପ୍ରତ୍ୟେକ ପ୍ରବାସୀ ଓଡ଼ିଆଙ୍କର ମତାମତ ନେଇ ଏକ ସଂଗଠନ ତିଆରି କରନ୍ତୁ । ଓଡ଼ିଶାର ଉନ୍ନତି ପାଇଁ ଏକ ଭିତ୍ତିଭୂମି ପ୍ରତିଷ୍ଠା କରନ୍ତୁା

ତେବେ ରାତାରାତି ତ ପରିବର୍ତ୍ତନ ହେବନାହିଁ । ତେଣୁ ସେଥିପାଇଁ ଉଦ୍ୟମ ଆରମ୍ଭ ହେଉ ।

ଓଡ଼ିଶାର ଉନ୍ନତି କ୍ଷେତ୍ରରେ ପ୍ରବାସୀ ଓଡ଼ିଆମାନେ ସଠିକ ଭୂମିକା ନେଇ ପାରିବେ ବୋଲି ଆପଣ ଭାବୁଛନ୍ତି କି ? ଯଦି ହଁ ତେବେ ସେମାନେ ଏକ୍ଷେତ୍ରରେ କାହିଁକି ଅସଫଳ ହୋଇଛନ୍ତି । ସେମାନେ ସେଠାରେ ସେମିତି କାମ କରିବା ପାଇଁ ସୁଯୋଗ ରହିଛି କି ?

ଆପଣ ଓଡ଼ିଶା ଛାଡ଼ିବା ପରଠାରୁ ଅଦ୍ୟାବଧି ଓଡ଼ିଶାରେ କ’ଣ ଉନ୍ନତି ହୋଇଛି ବୋଲି ଲକ୍ଷ୍ୟ କରିଛନ୍ତି ?

ଗୋଟେ ପଟରେ ଉନ୍ନତି ହୋଇଥିଲେ ମଧ୍ୟ ଅନ୍ୟ ପଟରେ ଦୁର୍ନୀତି,ବିଶୃଙ୍ଖଳା ,ଅପରାଧ ଇତ୍ୟାଦି ବୃଦ୍ଧି ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଏଠାରେ ଢିଲା । ସମସ୍ତେ ସେମାନଙ୍କ ଉଚ୍ଛା ଅନୁସାରେ କାମ କରିବା ପାଇଁ ସ୍ୱାଧିନତା ପାଉଛନ୍ତି । ଏହା କଣ ଉଚିତ୍ ।

ତାଇୱାନ,ସିଂଗାପୁର,ହଂକଂ ପ୍ରଭୁତି ଦେଶରେ କିଛି ଆଧାର ନଥିଲେ ମଧ୍ୟ ସେମାନଙ୍କର ଅର୍ଥନୈତିକ ଉନ୍ନତି ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି । ମୋତେ ଦୁଃଖ ଲାଗୁଛି ଯେ ଓଡ଼ିଶାରେ ଏତେ ପ୍ରକୃତି ବୈଭବ ଥିବା ସତ୍ୱେ ମଧ୍ୟ ଏଠାରେ କିଛି ହୋଇପାରୁନାହିଁ । ସେସବୁ ଦେଶରେ ଶୃଙ୍ଖଳା,ଦୃଢ ଆଇନ ବ୍ୟବସ୍ଥା ତଥା ନାମକୁ ମାତ୍ର ଦୁର୍ନୀତି ଥିବାରୁ ଏସବୁ ସମ୍ଭବ ହୋଇ ପାରୁଛିା

ଓଡ଼ିଶାର ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ପ୍ରଗତି ପାଇଁ କ’ଣ ଜରୁରୀ ବୋଲି ଆପଣଙ୍କ ମତ ?

ଏହି କ୍ଷେତ୍ରରେ ପ୍ରବାସୀ ଓଡ଼ିଆମାନଙ୍କ ଉପରେ ନିର୍ଭର କରିବାକୁ ହେଲେ ଓଡ଼ିଶାରେ ସାଧୁ,ସଚ୍ଚୋଟ ତଥା ଅଙ୍ଗିକାରବଦ୍ଧ ବ୍ୟକ୍ତିମାନଙ୍କୁ ନେଇ ଏକ ସଂଗଠନ ତିଆରି କରିବାକୁ ହେବ । ସେହି ସଂଗଠନ ଯଦି ଠିକ ଭାବରେ କାମ କରିବ ତାହାହେଲେ ଓଡ଼ିଶାର ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ କିଛି ପ୍ରଗତି ହୋଇପାରିବ ।

ମୋ ମତ ହେଲା ଓଡ଼ିଆ ଲୋକଙ୍କୁ ମାଛ ଦିଅ ନାହିଁ, ସେମାନଙ୍କୁ ମାଛ ଧରିବା ପାଇଁ ଶିକ୍ଷା ଦିଅ । ମନେରଖ ଜଙ୍ଗଲରେ ଯେଉଁ ନିଆଁ ଲାଗେ ତାହା ଏକ ସାଧାରଣ ସଂଘର୍ଷରୁ ଘଟିଥାଏ, ମାତ୍ର ଅନୁକୂଳ ପବନ ତାକୁ ଜଙ୍ଗଲସାରା ବ୍ୟାପ୍ତ କରିଦିଏ ।

ଷ୍ଟିଲ କାରଖାନା ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଏବେ ୪୦ଟି କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଆପଣ କ’ଣ ଭାବୁଛନ୍ତି ଏହା ଓଡ଼ିଶା ପାଇଁ ସମୃଦ୍ଧି ଆଣିପାରିବ ?

ଆପଣଙ୍କ ଦୃଷ୍ଟିରେ ଏବେ ଓଡ଼ିଶାର ପ୍ରଗତି ପାଇଁ କଣ ଜରୁରୀ?

ସ୍ୱାସ୍ଥ୍ୟସେବା ଓ ନିର୍ମାଣ । ଯୁବକମାନଙ୍କୁ ନିଯୁକ୍ତି ଦେଇ ଉପଯୁକ୍ତ ଦିଗଦର୍ଶନ ଦେବା ।

ଆପଣ ଭାବୁଛନ୍ତି କି ଓଡ଼ିଶା କୌଣସି କ୍ଷେତ୍ରରେ ଅବହେଳାର ଶିକାର ହେଉଛି ?

ନିଶ୍ଚିତ ଭାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅବହେଳାର ଶିକାର ହେଉଛି । ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଯଥେଷ୍ଟ ଧ୍ୟାନ ଦେଉନାହାନ୍ତି । ମାତ୍ର ସେଥିପାଇଁ କାହାକୁ ଦାୟୀ କରିବା ? ଆରାମରେ ଥିବା ଓଡ଼ିଶାର ରାନୈତିକ ନେତାମାନଙ୍କୁ ? ତେବେ ଏହି କ୍ଷେତ୍ରରେ ଶୋଇ ରହିଥିବା ଓଡ଼ିଆମାନଙ୍କର କାର୍ଯ୍ୟକଳାପ ଭାରି ଦୁଃଖଦାୟକ ।

ଆପଣ ଏମିତି କିଛି କହିବାକୁ ଚାହାନ୍ତି କି, ଯାହା ଆପଣଙ୍କୁ ପ୍ରଶ୍ନରେ ପଚରାଯାଇନାହିଁ ?

ହଁ,ସମୟ ଅତିକ୍ରମ କରିଯାଇଛି । କୌଣସି କାର୍ଯ୍ୟର ସମୟ ଗଡ଼ିଯିବା ପୂର୍ବରୁ ହିଁ ସେହି କାର୍ଯ୍ୟ ଆରମ୍ଭ କରନ୍ତୁ । ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ ନ୍ୟୁକ୍ଲିୟସ ସଂଗଠନ ଆରମ୍ଭ କରି କାର୍ଯ୍ୟ କରନ୍ତୁ । ଆପଣଙ୍କୁ ଧନ୍ୟବାଦ ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ପୋସ୍କୋ, ସଦ୍ଧାମ ହୁସେନ, ସାକ୍ଷାତକାର

“କାଟି ପିନ୍ଧ, କୁଟି ଖାଅ”ଏକଥା ଆଉ ଏବେ କାହିଁ ? (ସାକ୍ଷାତକାର)

August 18, 2005 by ନିଉଜ ଡେସ୍କ Leave a Comment

୮୫ ବର୍ଷ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ବିରଞ୍ଚି ନାରାୟଣ ପ୍ରଧାନ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅଗଷ୍ଟ ୧୮(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାର କମ ଗାଁ ନିବାସୀ ବିରଞ୍ଚି ନାରାୟଣ ପ୍ରଧାନ ୧୯୩୮ ମସିହାରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୟରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

ଗାନ୍ଧିଜୀଙ୍କ ଡାକରାରେ ତଥା ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ଅନୁଷ୍ଠିତ ସଭା ମାନଙ୍କରେ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର, ପ୍ରହଲ୍ଲାଦ ରାୟ ଲାଠ, ନୀଳକଣ୍ଠ ଦାଶ, ଭାଗୀରଥି ପଟ୍ଟନାୟକ, ଫକିର ବେହେରା ଆଦିଙ୍କ ଭଳି ମହାନ ବ୍ୟକ୍ତି ବିଶେଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ମାତୃକାର ସେବାରେ ନିଜକୁ ବ୍ରତୀ କରିଥିଲେ ।

ଗାଁର ଏକ ସଭା ସ୍ଥଳରୁ ଆଉ ଘରକୁ ନ ଫେରି ସଂଗ୍ରାମୀ ମାନଙ୍କ ସହ ଢ଼େଙ୍କାନାଳ ଗଡଜାତ ରାଜାଙ୍କ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନରେ ସାମିଲ ହେବାକୁ ଚାଲି ଯାଇଥିଲେ ।

ଖଗେଶ୍ୱର ପ୍ରଧାନ ଓ ଜାନକୀ ଦେବୀଙ୍କ ମଝିଆଁ ପୁଅ ବିରଞ୍ଚି ନାରାୟଣ, ସେ ସମୟରେ ବରଗଡ଼ କଚେରି, ଓ ଜିଲ୍ଲାର କାଦୋବାହାଲ ଓ ଭଟଲିରେ ଗିରଫ ହୋଇ କଟକ ଓ ସମ୍ବଲପୁର ଜେଲରେ ବନ୍ଦୀ ଜୀବନ ବିତାଇ ଥିଲେ ।

ଦେଶ ମାତୃକାର ସେବା ତଥା ଗାନ୍ଧିଜୀଙ୍କ ସେବା ଓ ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅବିବାହିତ ହୋଇରହିଥିବା ପ୍ରଧାନ ଏବେ ୮୫ ବର୍ଷର ପରିଣତ ବୟସରେ ରୋଗାକ୍ରାନ୍ତ ହୋଇ ପଡି ରହିଛନ୍ତି । ତାଙ୍କ ସହ ସ୍ୱାଧୀନତା ସ୍ମୃତି ସଂପର୍କରେ ଏକ ଅନ୍ତରଙ୍ଗ ଆଳାପ ।

ସ୍ୱାଧାନତା ସଂଗ୍ରାମ ସମୟର ତଥା ଦୀର୍ଘ ୮୫ ବର୍ଷ ବୟସର ଜୀବନ କାଳ ମଧ୍ୟରେ ଆପଣଙ୍କ ସଂଗ୍ରାମୀ ଜୀବନର ଅଭୁଲା ସ୍ମୃତି ବିଷୟରେ କିଛି କହିବେ କି?

୧୯୪୨ ସାଲର କଥା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସେବିକା ପାର୍ବତୀ ଗିରି ପାଣିମୋରାର ଅଭିମନ୍ୟୁ ସାହୁ ଓ ମୁଁ ଅନ୍ୟ କେତେଜଣ ବରଗଡ଼ କଚେରିରେ ଦାଖଲ କଲୁ, ପାର୍ବତୀ ଗିରି ହେଲେ ଏସ୍.ଡି.ଓ ଏବଂ ଅଭିମନ୍ୟୁ ପେଶକାର ଓ ମୁଁ ହେଲି ଡ଼କନିଆ (ପିଅନ) । ଲୋକଙ୍କ ବିଚାର କରିବାକୁ ପାର୍ବତୀ ଗିରି ଏସ୍.ଡ଼ି.ଓଙ୍କ ଚୋକିରେ ବସିଗଲେ । କିଛି ସମୟ ପରେ ତତ୍କାଳୀନ ମାଜିଷ୍ଟ୍ରେଟ ଆସିଲେ । ଆମେ ସମସ୍ତେ ଗିରଫ ହେଲୁ ।

ସ୍ୱାଧୀନତା ପୂର୍ବରୁ ଭାରତ କିଭଳି ଥିଲା ?

ପରାଧୀନ ଭାରତ ରେ ଦେଶର ଗେଉଁତି (ଗୋନ୍ତିଆ) ପ୍ରଥା ଚାଲୁଥିଲା । ଲାଲ ମୁଣ୍ଡିଆ ଟୋପି ଦେଖିଲେ ସମସ୍ତେ ଥରୁଥିଲେ । ପୋଲିସ ଆସିଲେ ସମସ୍ତେ ଲୁଚୁଥିଲେ, ଖାଇବା ପିନ୍ଧିବାରେ ଘୋର ଅଭାବ ଥିଲା ।

ଝାଡା ବାନ୍ତି ପ୍ରଭୃତି ରୋଗରେ ଲୋକେ ପୋକ ମାଛି ପରି ମରୁଥିଲେ । ପୁଞ୍ଜିବାଦୀ ଶୋଷଣ ଯୋଗୁଁ ଦାରିଦ୍ର୍ୟ ବଳ ବତ୍ତର ରହିଥିଲା । କୃଷକ ଏବଂ ଶ୍ରମିକମାନେ ସମାଜରେ କାମଧନ୍ଦା ପାଉ ନ ଥିଲେ । ସେତେବେଳେ ତମ୍ବା ପଇସା ଚଳୁ ଥିଲା । ମାତ୍ର ପଇସାର ଘୋର ଅଭାବ ରହିଥିଲା ।

ସ୍ୱାଧୀନତା ପରବର୍ତ୍ତୀ ସମାଜକୁ ଆପଣ କିଭଳି ଦେଖୁଛନ୍ତି ?

ନିଜ ନିଜ ସ୍ୱାର୍ଥରେ ବୁଡି ରହିଛନ୍ତି ସଭିଏଁ । ଦାୟିତ୍ୱ କର୍ତ୍ତବ୍ୟ ପ୍ରତି କେହିହେଲେ ନିଷ୍ଠାବାନ ନୁହଁନ୍ତି । ବିଦେଶୀ କମ୍ପାନୀ ପୁଞ୍ଜି ବିନିଯୋଗ ନାଁରେ ଏଠାକୁ ଆସି ଦେଶକୁ ପୁଣି ନିଜ ଅଧିନକୁ ନେବାକୁ ଚକ୍ରାନ୍ତ ଚଳାଇଛନ୍ତି । ସେମାନଙ୍କୁ ଏଠାରେ ପୂର୍ଣ୍ଣ ମାତ୍ରାରେ ସ୍ୱାଧୀନତା ଦିଆଯାଉଥିବାରୁ କାରଖାନା ସ୍ଥାପନ ହେଉଥିବା ଅଞ୍ଚଳର ବାସିନ୍ଦା ସଂପୂର୍ଣ୍ଣ ପରାଧୀନ ହୋଇ ଗଲେଣି ।

ଆପଣଙ୍କର କୋଣସି ସ୍ୱପ୍ନ ଅଧୁରା ରହିଯାଇଛି କି ?

ମୁଁ ଗରିବ ଘରର ପିଲା । ବହୁତ ଅଭାବ ଅନଟନ ମଧ୍ୟରେ ଚଳି ଆସିଛି । ସେଥିପ୍ରତି କେବେ ଚିନ୍ତା ନାହିଁ । ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲି । ଦେଶ ସ୍ୱାଧୀନ ହେବ ରାମ ରାଜ୍ୟ ପ୍ରତିଷ୍ଠା ହେବ । ସମସ୍ତେ ସୁଖ ଶାନ୍ତିରେ ରହିବେ । ଏଭଳି ମୋର ସ୍ୱପ୍ନ ଥିଲା । ସେ ସ୍ୱପ୍ନ ଅଧୁରା ରହିଗଲା । ରାମରାଜ୍ୟଟା କିପରି ଆମେ ଜାଣି ପାରିଲୁ ନହିଁ । ଗାନ୍ଧିଜୀ କହୁଥିଲେ “କାଟି ପିନ୍ଧ, କୁଟି ଖାଅ” ଏକଥା ଆଉ ଏବେ କାହିଁ ?

(ଓଡିଶା ଡଟ୍ କମ୍)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଆନ୍ଦୋଳନ, ବିରଞ୍ଚି ନାରାୟଣ ପ୍ରଧାନ, ସାକ୍ଷାତକାର, ସ୍ୱାଧୀନତା ସଂଗ୍ରାମ

ସଂଗ୍ରାମ ବଳବତ୍ତର ରଖିଲେ କିଛି ହେଲେ ଅସମ୍ଭବ ନୁହେଁ (ସାକ୍ଷାତକାର)

August 14, 2005 by ନିଉଜ ଡେସ୍କ Leave a Comment

ରାଉରକେଲା,ଅଗଷ୍ଟ ୧୪ (ଓଡ଼ିଶା ଡ଼ଟ୍ କମ୍),ପ୍ୟାରିସର ପ୍ରସିଦ୍ଧ ଫ୍ୟାସନ ହାଉସ ଜେ.ମେଣ୍ଡେଲର ଡ଼ାଇରେକ୍ଟର ଡ଼ିଜାଇନିଂ ଭାବେ କାମ କରୁଥିବା ଓଡ଼ିଶାର ରାଉରକେଲାର ବିଭୂ ମହାପାତ୍ର

ଓଡ଼ିଶାର ରାଉରକେଲା ସହରରେ ବଢିଥିବା ବିଭୂ ମହାପାତ୍ର ଫେସନ ଡ଼ିଜାଇନିଂ ଦୁନିଆରେ ନିଜର ଚମତ୍କାର ଡ଼ିଜାଇନିଂ ଶୈଳୀ ପାଇଁ ସୃଷ୍ଟି କରିଛନ୍ତି ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ।

ଭାରତରେ ଅର୍ଥନୀତିରେ ଡ଼ିଗ୍ରୀ ହାସଲ ପରେ ଆମେରିକାର ଉଟାହା ଷ୍ଟେଟ ୟୁନିଭରସିଟିରେ ସମାନ ବିଷୟରେ ସ୍ନାତକୋତ୍ତର ହାସଲ କରିଥିଲେ । ତେବେ ନିରସ ଅର୍ଥନୀତି ଅପେକ୍ଷା ତାଙ୍କୁ ଆକର୍ଷିତ କରିଥିଲା ଫ୍ୟାସନ ଡ଼ିଜାଇନିଂ ।

ଫ୍ୟାସନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ନିୟୁୟର୍କରୁ ଫ୍ୟାସନ ଡ଼ିଜାଇନିଂରେ ଡ଼ିଗ୍ରୀ ହାସଲ କରିଥିବା ୩୪ ବର୍ଷ ବୟସ୍କ ମହାପାତ୍ର ଏବେ ପ୍ୟାରିସର ପ୍ରସିଦ୍ଧ ଫ୍ୟାସନ ହାଉସ ଜେ.ମେଣ୍ଡେଲର ଡ଼ାଇରେକ୍ଟର ଡ଼ିଜାଇନିଂ ଭାବେ କାମ କରୁଛନ୍ତି । ତାଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ର ବିଶେଷ ସାକ୍ଷାତକାର ।

ଆପଣଙ୍କ ଜନ୍ମ ସ୍ଥାନ, ପାରିବାରିକ ପୃଷ୍ଠଭୂମି, ଅବଦାନ, ସର୍ବୋପରି ବର୍ତ୍ତମାନର କାର୍ଯ୍ୟକ୍ରମ ସମ୍ପର୍କରେ କିଛି କହିବେ କି ?

ଓଡିଶାର ଇସ୍ପାତ ନଗରୀ ରାଉରକେଲାରେ ଜନ୍ମ ଏବଂ ସେଠାକାର ପାଣି ପବନରେ ବଢିଛି । ଏକ ଛୋଟ ଯୁଗ୍ମ ପରିବାରର ସଦସ୍ୟ ହୋଇଥିଲେ ହେଁ ଏହାର ପ୍ରତିଟି ସଦସ୍ୟ ସବୁବେଳେ ମୋ ସ୍ୱପ୍ନକୁ ସାକାର କରିବାକୁ ଉଦ୍ୟମ କରିଛନ୍ତି ।

ଜୀବନର ପ୍ରତିଟି ପାଦରେ ସେମାନେ ସହଯୋଗର ହାତ ବଢାଇ ଥିବାରୁ ଭଗବାନଙ୍କ ନିକଟରେ ଅଶେଷ କୃତଜ୍ଞ ।

ଫ୍ୟାସନ୍ ଜଗତରେ ପାଦ ଥାପିବାକୁ କାହିଁକି ନିଷ୍ପତ୍ତି ନେଲେ ? ଏହା ପଛରେ କୌଣସି କାହାଣୀ ଅଛି କି ? ଆପଣ ଏକ ପରମ୍ପରାବାଦୀ ଓଡିଆ ପରିବାରର ସନ୍ତାନ । ଏମିତି ଏକ କ୍ୟାରିୟରକୁ ବାଛିବାବେଳେ କେହି କଣ ବିରୋଧ କଲେ ନାହିଁ ?

ଅତି ପିଲାଟି ବେଳୁ କଳା ଜଗତର ମୋହରେ ପଡି ଯାଇଥିଲି । ପରବର୍ତ୍ତୀ ଅବସ୍ଥାରେ ସେହି ଦୁର୍ବାର ଆକର୍ଷଣ ମୋତେ କଳା ଓ ଫ୍ୟାସନ୍ ଜଗତକୁ ଚୁମ୍ବକ ସଦୃଶ ଟାଣି ନେଇଥିଲା ।

ପରିବାରର ମହିଳାମାନେ ପରିଧାନ କରୁଥିବା ରଙ୍ଗବେରଙ୍ଗର ଶାଢି ତଥା ଭାରତୀୟ ପୋଷାକପତ୍ରରେ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିଲି ।

ଯଦିଓ ଏକ ପରମ୍ପରାବାଦୀ ପରିବାରରେ ମୋର ଜନ୍ମ, ତଥାପି ମୋର କ୍ୟାରିୟର୍ ଓ ଶିକ୍ଷାଦୀକ୍ଷା ପ୍ରତି ସବୁବେଳେ ସେମାନେ କୋହଳ ମନୋଭାବ ପ୍ରଦର୍ଶନ କରି ଆସୁଥିଲେ । ପରିବାରର ପ୍ରତ୍ୟେକ ସଦସ୍ୟ ମୋତେ ସର୍ବଦା ଦୃଢ ସମର୍ଥନ ଓ ପ୍ରୋତ୍ସାହନ ଦେଉଥିଲେ ।

ଆମେରିକାର ଆନ୍ତର୍ଜାତୀୟ ଫ୍ୟାସନ୍ ବ୍ୟବସାୟର ଶିଖରରେ ପହଞ୍ଚିବା ଲାଗି ଆପଣଙ୍କ ପ୍ରତିଭା ଏବଂ ଦୃଢ ସଂକଳ୍ପ ବିଷୟରେ ସମ୍ୟକ ଧାରଣା ଦେବେ କି ?

ଶିକ୍ଷା ଗ୍ରହଣ କରିବା ପାଇଁ ସୁଯୋଗ ପାଇଲି ଏହା ମୋର ସୌଭାଗ୍ୟ । ତେବେ ମୁଁ ଗୋଟିଏ କଥା ବିନା ସଂକୋଚରେ କହିବି, କ୍ୟାରିୟର୍ କୁ ଆଗକୁ ବଢାଇବା ଲାଗି ପରିବାର ଓ ସାଙ୍ଗସାଥି ମାନେ ନିରବଚ୍ଛିନ୍ନ ପ୍ରେରଣା ଯୋଗାଇ ଦେଇଥିଲେ ।

କାର୍ଯ୍ୟକାରୀ କରିବା ପାଇଁ କୌଣସି ଭବିଷ୍ୟତ ଯୋଜନା ମନରେ ରଖିଛନ୍ତି କି? ବିଶେଷକରି ନିଜ ରାଜ୍ୟ ଓଡିଶା ପାଇଁ, ଯାହାକି ଅଗାମୀ ଦିନରେ ଅମାର ଯୁବଗୋଷ୍ଠୀଙ୍କୁ ସହାୟକ ହେବ?

ଓଡିଶାର କାରିଗରମାନଙ୍କ କଳା ଓ ହସ୍ତଶିଳ୍ପରେ ପ୍ରଭାବିତ ହୋଇ ନିଜର ଗୋଟିଏ ବସ୍ତ୍ର ସଂଗ୍ରହାଳୟ କରିବାକୁ ଲକ୍ଷ୍ୟ ରଖିଛି । ଦ୍ରୁତଗତିରେ ଉଭେଇ ଯାଉଥିବା ଓଡିଶାର କଳାକୁ ଆଗାମୀ ଦିନରେ ଏହା ସୁରକ୍ଷା ଦେଇ ପାରିବ ।

ଓଡିଶାରେ ଫ୍ୟାସନ୍ ବିଷୟରେ ଶିକ୍ଷା ଦେବାକୁ ସୁଯୋଗର ଅପେକ୍ଷାରେ ମଧ୍ୟ ରହିଛି ।

ଓଡିଶାର କେଉଁ ବିଷୟ ଆପଣଙ୍କୁ ଅଧିକ ଆକୃଷ୍ଟ କରିଛି ଓ କାହିଁକି?

ରଙ୍ଗବେରଙ୍ଗର ଶାଢି, ଟସର୍ କାମ, ରୂପା ତାରକସି ଅଳଙ୍କାର, ମନ୍ଦିରର କାରୁକାର୍ଯ୍ୟ, ଓଡିଆ ଖାଦ୍ୟ ଏବଂ ସେଠାକାର ପରିବାର ।

ରାଜ୍ୟର ପଛୁଆ ପରିସ୍ଥିତି ଓ ସୀମିତ ସୁଯୋଗକୁ ଦୃଷ୍ଟିରେ ରଖି ଓଡିଶାର ଯୁବପିଢୀ ଲାଗି ଆପଣଙ୍କର ବାର୍ତ୍ତା କଣ ? ଯେ କୌଣସି କ୍ଷେତ୍ରରେ ଆପଣଙ୍କ ସୋପାନରେ ସେମାନେ କିଭଳି ପାଦ ଥାପି ପାରିବେ ?

କୌଣସି ପରିସ୍ଥିତିରେ ହତୋତ୍ସାହର ନାଁ ଧର ନାହିଁ । ହୃଦୟର ବାର୍ତ୍ତା, ନିଜର ସ୍ୱପ୍ନ ଏବଂ ନିଜ ଉପରେ ଆସ୍ଥା ରଖି ଲକ୍ଷ୍ୟ ହାସଲ ପାଇଁ ସଂଗ୍ରାମ ବଳବତ୍ତର ରଖିଲେ ଏ ଦୁନିଆରେ କିଛି ହେଲେ ଅସମ୍ଭବ ନୁହେଁ ।

ଆପଣଙ୍କ ଡିଜାଇନ୍ ପ୍ରସ୍ତୁତ କରିବାରେ ଓଡିଶାର ଭୂମିକା କେତେ ମାତ୍ରାରେ ରହିଛି?

ଯଥେଷ୍ଟ ଅଧିକ। ଗୋଟିଏ ନୁହେଁ ବିବିଧ କ୍ଷେତ୍ରରେ। ଯାହା କଳ୍ପନାର ବାହାରେ ।

ଆପଣଙ୍କ ପସନ୍ଦର ଓଡିଆ ଖାଦ୍ୟ କଣ ?

ବୋଉର ଇଲିସି ଶୁଖୁଆ ତରକାରୀ ବେଶୀ ମନେ ପଡୁଛି । ଖରା ଦିନ ରାତିରେ ପଖାଳ, ଭଜା ଠାରୁ ଅଧିକ ସୁସ୍ୱାଦୁକର ଆଉ କିଛି ହୋଇ ପାରେନା ।

ସ୍ୱାଧିନ ଜୀବନ ଯାପନ କରିବା ପରେ ବାଲ୍ୟବସ୍ଥାର କେଉଁ ବିଷୟ ଅଧିକ ସାହାଯ୍ୟ କରିଛି ?

ଅଭିଭାବକମାନେ ଶିଖାଇ ଥିବା ମୂଲ୍ୟବୋଧ, ନୀତି ତଥା ଆଦର୍ଶ । ସବୁବେଳେ ଗୋଟିଏ କଥା ମନେ ରଖିଥିଲି, ଯେଉଁଠି ଥାଅ ନା କାହିଁକି କିଛି କଥା ନାହିଁ । ଯାହା କରୁଛି, ସେଥିପାଇଁ ସର୍ବଦା ପରିବାରର ସ୍ନେହ ଓ ସମର୍ଥନ ମିଳୁଥାଉ ।

ପାରିବାରିକ ଜୀବନ ସମ୍ପର୍କରେ କିଛି ବାଖ୍ୟା କରନ୍ତୁ । ଆପଣଙ୍କ ଜୀବନରେ କୌଣସି ମହିଳାଙ୍କ ପ୍ରଭାବ ପଡିଛି କି ?

ପରସ୍ପର ପ୍ରତି ନିରନ୍ତର ସ୍ନେହ, ସଦିଚ୍ଛା ସର୍ବୋପରି ପରମ୍ପରାବାଦୀ ହେଲେ ବି ଖୋଲା ମନୋବୃତ୍ତିର ପରିବାର ପାଇଥିବାରୁ ମୁଁ ନିଜକୁ ଖୁବ୍ ଭାଗ୍ୟବାନ ମନେ କରୁଛି । ଶିକ୍ଷା, ବଦାନ୍ୟତା ଓ ଦୟା ଉପରେ ମଧ୍ୟ ଏହି ପରିବାର ଅଧିକ ଗୁରୁତ୍ୱ ଦିଅନ୍ତି ।

ଦୃଢ ମନୋଭାବର ମହିଳା ଥିବା ପରିବାରରୁ ଆସିଥିବାରୁ ମୋ’ ଜୀବନ ଉପରେ ସେମାନଙ୍କର ପ୍ରଭାବ ପଡିଛି, ବିଶେଷକରି ମା’ଙ୍କର । ସେ ସବୁମନ୍ତେ ପାରୁପର୍ଯ୍ୟନ୍ତ ସାହାଯ୍ୟ, ସହଯୋଗ ଓ ପ୍ରେରଣା ଦେଇ ଚାଲିଛନ୍ତି ।

ମୋ’ ସ୍ୱାର୍ଥ ଓ ସ୍ୱପ୍ନକୁ କେବେ ହେଲେ ନିରୁତ୍ସାହିତ କରି ନାହାନ୍ତି । ଭଉଣୀ ଲୋପା, ସିଏ ତ ମୋ’ ପାଇଁ ଅନନ୍ୟା । ମୋ’ ଫ୍ୟାସନ୍ ସାମ୍ରାଜ୍ୟର କୁନି ରାଣୀ ।

ଏକସଙ୍ଗେ ଅର୍ଥନୀତି ଓ ଫ୍ୟାସନ୍ ଶିକ୍ଷା ଲାଗି କେଉଁ ପରିସ୍ଥିତିରେ ନିଷ୍ପତ୍ତି ନେଲେ ?

ମୋର ପୃଷ୍ଠଭୂମୀ ସହ ଅର୍ଥନୀତି ଜଡିତ ଥିବାରୁ ଆମେରିକାରେ ଅର୍ଥନୀତି ଶିକ୍ଷା ଲାଗି ଆଗ୍ରହୀ ହୋଇଥିଲି । ଅବଶ୍ୟ ପ୍ରଥମେ କଳା ଅଧ୍ୟୟନ କରିବାକୁ ମନସ୍ଥ କରିଥିଲି । ତେବେ ଭବିଷ୍ୟତରେ ବ୍ୟବସାୟ କରିବାକୁ ହେଲେ, ଅର୍ଥନୀତି ବିଷୟରେ ଦକ୍ଷତା ହାସଲ ଜରୁରୀ ବୋଲି ଭାବିଲି ।

ତେବେ ସେ ଯାହା ହେଉନା କାହିଁକି ଅର୍ଥନୀତି ଉପରେ ଆଧାରିତ ଫ୍ୟାସନ୍ କୁ ଅଧିକ ଗୁରୁତ୍ୱ ଦେଲି । ପରେ ଫ୍ୟାସନ୍ ମର୍ଚ୍ଚାଣ୍ଡାଇଜିଂରେ ସ୍ନାତକ ଡିଗ୍ରୀ ହାସଲ କଲି ।

ଏନ୍ୱାଇସି ସମ୍ପର୍କରେ ଆପଣଙ୍କ ପ୍ରଥମ ଧାରଣ କଣ ଥିଲା ? ଓଡିଶା ସହ ଏହା କିପରି ତୁଳନୀୟ ।

ଅତି ଉତ୍ତେଜକ, ରଙ୍ଗୀନ୍, ବିବିଧତାରେ ଭରପୂର, ସୁସ୍ୱାଦୁ ଖାଦ୍ୟ, ଉଚ୍ଚ ଶକ୍ତି ସଂପନ୍ନ, ବିଶ୍ୱ କଳାର କେନ୍ଦ୍ର ସର୍ବୋପରି ଆମୋଦପ୍ରମୋଦ ପୂର୍ଣ୍ଣ ଏବଂ ନିଜ ରାଜ୍ୟ ସହ ଏହାର କୌଣସି ବିଷୟ ତୁଳନୀୟ ହୋଇପାରେନା ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଫ୍ୟାସନ ଡ଼ିଜାଇନିଂ, ବିଭୂ ମହାପାତ୍ର, ସାକ୍ଷାତକାର

ଆର୍ଥିକ ଅସମାନତା ଓଡ଼ିଶା ବିକାଶର ପ୍ରତିବନ୍ଧକ

July 25, 2005 by ନିଉଜ ଡେସ୍କ Leave a Comment

ରାଉରକେଲା,ଜୁଲାଇ ୨୫(ଓଡିଶା ଡ଼ଟ୍ କମ୍), ଶାରୀରିକ ଅକ୍ଷମତା ସତ୍ତ୍ୱେ ଆମେରିକାରେ ଏକ ଉଚ୍ଚ ପଦବୀ ପାଇଁ ମନୋନୀତ ହୋଇଥିବା ଓଡ଼ିଶାର ପାର୍ଥସାରଥୀ ମହାପାତ୍ର

୩୪ ବର୍ଷ ବୟସ୍କ ଡଃ. ପାର୍ଥ ସାରଥୀ ମହାପାତ୍ର । ଜନ୍ମସ୍ଥାନ ଓଡିଶାର ଇସ୍ପାତ ନଗରୀ ରାଉରକେଲା ସହର । ପିଲାଟି ବେଳରୁ ପୋଲିଓରେ ତାଙ୍କର ଡାହାଣ ଗୋଡଟି ହୋଇଯାଇଛି ସଂପୂର୍ଣ୍ଣ ଅକାମୀ । ତେବେ ତାଙ୍କର ଅନ୍ତଃର୍ନିହିତ ପ୍ରତିଭା ଆଗରେ ମୁଣ୍ଡ ନୁଆଁଇଛି ଶାରିରୀକ ଅକ୍ଷମତା ।

ଅଦମ୍ୟ ଇଚ୍ଛାଶକ୍ତି ଏବଂ ଅସୁମାରୀ ଦୁଃସାହାସକୁ ପାଥେୟ କରି ଅତିକ୍ରମ କରିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଛାତ୍ର ଜୀବନରୁ ବିଭିନ୍ନ ଶ୍ରେଣୀରେ କୃତିତ୍ୱର ସହ ପାସ୍ କରି ଆସିଛନ୍ତି ଗୌରବର୍ଣ୍ଣର ଏହି ଯୁବକ ଜଣକ ।

ସହରର ଦୀପା ଇଂରାଜୀ ମିଡିଅମ୍ ସ୍କୁଲ୍ରୁ ଯୁକ୍ତ ଦୁଇ ଶିକ୍ଷା ସାରିବା ପରେ ରିଜିଓନାଲ ଇଂଜିନିୟରିଂ କଲେଜରୁ ଧାତବ ବିଜ୍ଞାନରେ ଡିଗ୍ରୀ ଏବଂ ପରେ ଭୁବନେଶ୍ୱର ଜାଭିଅର୍ ଇନଷ୍ଟିଚ୍ୟୁଟ ରୁ ହାସଲ କରିଥିଲେ ଫାଇନାନ୍ସ ଏଣ୍ଡ ଇନଫରମେସନ୍ ସିଷ୍ଟମ୍ ରେ ଏମ୍ବିଏ ଡିଗ୍ରୀ ।

କୋଲକତାସ୍ଥିତ ପ୍ରାଇସ୍ୱାଟର୍ ହାଉସ୍ (କୁପର୍)ରେ ଏସୋସିଏଟ୍ କନ୍ସଲ୍ଟାଣ୍ଠଭାବେ ପ୍ରଥମ ଚାକିରୀ । କିଛି ଦିନ ପରେ ହାଇଦ୍ରାବାଦର ଆଇସିଏଫ୍ଏଆଇ ଅନୁଷ୍ଠାନରେ ଅଧ୍ୟାପନା ।

ଆମେରିକାର କେଣ୍ଟୁକି ରାଜ୍ୟର ଲେକ୍ସିଙ୍ଗ୍ଟନ୍ ସହରରେ ଥିବା କେଂଣ୍ଟୁକି ବିଶ୍ୱବିଦ୍ୟାଳୟରେ ବିଜନେସ୍ ଏଡମିନିଷ୍ଟ୍ରେସନରେ ଡକ୍ଟରେଟ୍ କରି ସାରିବାପରେ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରେ ସହକାରୀ ପ୍ରଫେସର ଭାବେ ଆମେରିକାର ମ୍ୟାରୀଲ୍ୟାଣ୍ଡ ରାଜ୍ୟର ବାଲ୍ଟିମୋରରେ ମୋରଗାନ୍ ଷ୍ଟେଟ୍ ୟୁନିଭରସିଟିରେ ଯୋଗ ଦେବେ ।

“ଶାରିରୀକ ଅକ୍ଷମତା ମୋ’ଜୀବନରେ ନାନା ପ୍ରତିବନ୍ଧକ ସୃଷ୍ଟି କରିଛି, ହେଲେ ତାହା ମୋତେ ଲକ୍ଷ୍ୟପଥରୁ ଭ୍ରଷ୍ଟ କରିବାକୁ ସକ୍ଷମ ହୋଇନାହିଁ” ଓଡିଶା ଡଟ୍ କମ୍ କୁ ଏକ ସାକ୍ଷାତକାରରେ କହନ୍ତି ମହାପାତ୍ର ।

ଅବିବାହିତ ମହାପାତ୍ରଙ୍କ ପିତା ଜଗନ୍ନାଥ ମହାପାତ୍ର ଜଣେ କଷ୍ଟ୍ ଏକାଉଣ୍ଟେଣ୍ଟ ଓ ମା ମନୋରମା ମହାପାତ୍ର ଗୃହିଣୀ । ତିନି ଭାଇ ଓ ଚାରି ଉଭଣୀ । ବଡଭାଇ ଦେବାଶିଷ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ବିଭାଗରେ କାମ କରନ୍ତି । ଦ୍ୱିତୀୟ ଭାଇ ସିଦ୍ଧାର୍ଥ ଜଣେ ରାଜନେତା ଓ ବ୍ୟବସାୟୀ ଏବଂ ପାର୍ଥ ସବା ସାନ ।

ଚାରି ଭଉଣୀ ହେଲେ ଯଥାକ୍ରମେ ମିନତୀ, ଆରତୀ, ସୁଜାତା ଓ ସବିତା । ସେମାନଙ୍କ ମଧ୍ୟରୁ ମିନତୀ, ଅତୀତରେ ସାଇକେଲ ଚାଳନା ଲାଗି ମର୍ଯ୍ୟଦାଜନକ ଅର୍ଜୁନ ପୁରସ୍କାର ପାଇଛନ୍ତି ।

“ଯୁକ୍ତ ଦୁଇ ପଢିବା ପର୍ଯ୍ୟନ୍ତ ଯେଉଁ ସ୍କୁଲରେ ପଢୁଥିଲି ସେଠାରେ ସବୁ ଶ୍ରେଣୀ ତଳ ମହଲାରେ ହେଉଥିଲା ତେଣୁ କୌଣସି ବିଶେଷ ଅସୁବିଧାର ସମ୍ମୁଖୀନ ମୁଁ ହେଉ ନଥିଲି । ତେବେ ପରବର୍ତ୍ତୀ ସମୟ ଗୁଡିକରେ ସମସ୍ୟା କଷ୍ଟକର ହୋଇପଡିଥିଲା” ବୋଲି କହନ୍ତି ସଙ୍ଗୀତ ସମେତ ବହୁବିଧ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ମହାପାତ୍ର ।

ଇଂଜିନିୟରିଂ ଶ୍ରେଣୀ ଗୁଡିକ ଚତୁର୍ଥ ମହଲାରେ ହେଉଥିଲା ଓ ଏହା ମୋ ନିମନ୍ତେ ଅତ୍ୟନ୍ତ ପୀଡାଦାୟୀ ଥିଲା । ମୁଁ ଚାହେଁ କୌଣସି ବ୍ୟକ୍ତି ଶାରିରୀକ ଅକ୍ଷମ ନ ହୁଅନ୍ତୁ । ଯଦି ବି କୌଣସି କାରଣରୁ ହୁଅନ୍ତି ତେବେ ସେମାନେ ମୋ ଭଳି କୌଣସି ସମସ୍ୟା ନ ଭୋଗନ୍ତୁ ।

ଦେଶ ଏବଂ ଦେଶ ବାହାରେ ଛାତ୍ର ଜୀବନରେ ବହୁ ପୁରସ୍କାର ଏବଂ ସମ୍ମାନ ଲାଭ କରିଥିବା ମହାପାତ୍ରଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ର ଅନ୍ତରଙ୍ଗ ସାକ୍ଷାତକାରର କିୟଦଂଶ………………..

ଶାରୀରିକ ଅକ୍ଷମତା ସତ୍ତ୍ୱେ ଆପଣ ଭାରତ ଛାଡ଼ି ଆମେରିକା କାହିଁକି ଗଲେ?

୧୯୯୪ ମସିହାରେ ଇଂଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ମୁଁ ଚାକିରୀ ଲାଗି ବିଭିନ୍ନ ସାକ୍ଷାତକାର ଦେଇଥିଲି । ଏପରିକି ସେଲ୍ ରେ କାର୍ଯ୍ୟ କରିବା ଲାଗି ମୋର ଚୟନ ମଧ୍ୟ ହୋଇଥିଲା । ତେବେ ଶାରିରୀକ ଅକ୍ଷମତା ଦୃଷ୍ଟିରୁ ସୁଯୋଗ ପାଇବାରୁ ବଞ୍ଚିତ ହେଲି ।

ଅବଶ୍ୟ ଏବେ ସେଲ୍ ସମେତ ବିଭିନ୍ନ ସଂସ୍ଥାରେ ଶାରିରୀକ ଅକ୍ଷମମାନଙ୍କୁ ନିଯୁକ୍ତି ଦିଆାଯାଉଛି । ସେତେବେଳେ ଦୁର୍ଭାଗ୍ୟବଶତଃ ସେହି ସୁବିଧା ନଥିଲା । ମୁଁ ଚିନ୍ତା କଲି ମତେ ଇଂଜିନିୟରିଂରେ ଚାକିରୀ ମିଳିବ ନାହିଁ । ତେଣୁ ଜାଭିୟରରେ ନାଁ ଲେଖାଇଥିଲି ।

୧୯୯୫-୯୭ ମଧ୍ୟରେ ଫାଇନାନ୍ସ ଓ ଇନଫରମେସନ୍ ସିଷ୍ଟମ୍ ରେ ଏମ୍ବିଏ କରି ସାରିବାପରେ ମତେ କ୍ୟାମ୍ପସ ରିକ୍ରୁଟମେଣ୍ଟ ଜରିଆରେ ପ୍ରାଇସ୍ ୱାଟର୍ ହାଉସ୍ ରେ ଆସୋସିଏଟ୍ କନସଲ୍ଟାଣ୍ଟଭାବେ ଚାକିରୀ ମିଳିଗଲା ।

୧୯୯୮ କୋଲକତା ଛାଡି ହାଇଦ୍ରାବାଦର ଆଇସିଏଫ୍ଏଆଇ ବିଜିନେସ ସ୍କୁଲରେ ଅଧ୍ୟାପନା ଦାୟିତ୍ୱ ନେଇ ୨୦୦୦ ମସିହା ପର୍ଯ୍ୟନ୍ତ ସେଠାରେ ରହିଥିଲି । ତେବେ ସେତେବେଳକୁ ମୋ ଭିତରେ ଆହୁରି ଉଚ୍ଚଶିକ୍ଷା ଲାଗି ଆଶା ଜାଗ୍ରତ ହୋଇଥିଲା ।

ୟୁନିଭରସିଟି ଅଫ କେଣ୍ଟ କୀରେ ବିଜିନେସ୍ ଆଡ୍ମିନିଷ୍ଟ୍ରେସନରେ ଡକ୍ଟରେଟ୍ କରିବା ପାଇଁ ମୋତେ ସମସ୍ତ ପ୍ରକାର ଆର୍ଥିକ ସହାୟତା ମିଳିଥିଲା । ସେଥିପାଇଁ ମୁଁ ଆମେରିକାର ଲେକ୍ସିଙ୍ଗ୍ଟନ୍ ଆସିଲି । ବୋଧ ହୁଏ ଏହା ମୋ ପାଇଁ ଭଗବାନଙ୍କ ଏକ ଆଶୀର୍ବାଦ ।

ଡକ୍ଟରେଟ୍ ସଂପୂର୍ଣ୍ଣ କରିବା ପରେ ଏବେ ଆମେରିକାର ମ୍ୟାରିଲ୍ୟାଣ୍ଡ ପ୍ରୋଭିନ୍ସର ବାଲ୍ଟିମୋରରେ ଥିବା ମୋର୍ଗାନ ଷ୍ଟେଟ୍ ୟୁନିଭରସିଟିରେ ଆସିଷ୍ଟାଣ୍ଟ ପ୍ରଫେସରଭାବେ ନିଯୁକ୍ତି ମିଳିଛି ।

ଶାରୀରିକ ଅକ୍ଷମତା ଆପଣଙ୍କ ବ୍ୟକ୍ତିଗତ ବିକାଶରେ କି ପ୍ରତିବନ୍ଧକ ସୃଷ୍ଠି କରିଛି?

ଯଦି ଆପଣ ଶାରିରୀକ ଅକ୍ଷମ ତେବେ ନିଜେ ହିଁ ନିଜ ପାଇଁ ବ୍ୟବସ୍ଥା କରିବାକୁ ହେବ । ଭାରତୀୟ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍ୱତନ୍ତ୍ର ସିଢି କିମ୍ବା ଲିଫ୍ଟ ବ୍ୟବସ୍ଥା ନାହିଁ । ମୋ ପାଇଁ ଏଥିନିମନ୍ତ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନଥିଲା । ସ୍କୁଲ ଏବଂ କଲେଜରେ ପାଠ ପଢିବାବେଳେ ମୁଁ ଏକମାତ୍ର ଶାରୀରିକ ଅକ୍ଷମ ଛାତ୍ର ଥିଲି ।

ମୁଁ ଅନୁଭବ କରିଛି ଏହା କେତେ ବେଦନା ଦାୟକ ।

ତେବେ ଆମେରିକାରେ ରହୁଥିବା ଶାରିରୀକ ଅକ୍ଷମମାନେ ଏଭଳି ସମସ୍ୟାର ସମ୍ମୁଖିନ ହୋଇନଥାନ୍ତି । ସେମାନଙ୍କ ନିମନ୍ତେ ସେଠାକାର ଶିକ୍ଷାୟତମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋଟାମୋଟି କହିବାକୁ ଗଲେ ଆମେରିକାଠାରୁ ଭାରତ ୪୦ବର୍ଷ ପଛରେ ରହିଛି ।

ଆମ ଦେଶରେ ଜଣେ ଶାରିରୀକ ଅକ୍ଷମ ଯେ କୌଣସି ସ୍ଥାନକୁ ଗଲେ ତାକୁ ନାନା ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ । ବସ୍ ରେ ସେମାନଙ୍କ ନିମନ୍ତେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଏପରିକି ଆପଣ ସାଥିରେ ହ୍ୱିଲ୍ ଚେୟାର ନେଇପାରିବେ ନାହିଁ ।

ରେଳରେ ଯାତ୍ରାବେଳେ ଶାରିରୀକ ଅକ୍ଷମମାନେ ଅନୁରୂପ ବାଧାବିଘ୍ନର ସମ୍ମୁଖିନ ହୋଇଥାନ୍ତି । ଅଫିସ, ପ୍ଲାଟ୍ଫର୍ମ, ଏୟାରପୋର୍ଟ ଯେଉଁଠିକୁ ଗଲେ ବି ସେମାନଙ୍କ ନିମନ୍ତେ ଗୋଟିଏ ଇଞ୍ଚ ଯାଗାର ବ୍ୟବସ୍ଥା ନାହିଁ । ଅବଶ୍ୟ ନୂଆଦିଲ୍ଲୀ ଏବଂ ମୁମ୍ବାଇ ଆଦି କେତେକ ସ୍ଥାନର ବିମାନ ବନ୍ଦରଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମିତ୍ତ ସରକାରୀ କଳର କୌଣସି ଉଦ୍ୟମ ନାହିଁ କିମ୍ବା ସ୍ୱତନ୍ତ୍ର ଥଇଥାନ କେନ୍ଦ୍ରମାନ ମଧ୍ୟ ସ୍ୱାଧିନତାର ପାଞ୍ଚ ଦଶନ୍ଧିପରେ ସ୍ଥାପନ ହୋଇପାରିନି ।

ଶାରୀରିକ ଅକ୍ଷମ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର କି ଯୋଗଦାନ ରହିବ?

ମୁଁ ୟୁ.ଏସ.ରେ ଅନେକ କନଫରେନ୍ସରେ ଯୋଗଦାନ କରିଛି । ସେଠାରେ ଶାରୀରିକ ଅକ୍ଷମମାନଙ୍କୁ ବସ୍ ଯାତାୟତ, ଶିକ୍ଷାନୁଷ୍ଠାନ, ଶିକ୍ଷାଗତ ବୃତ୍ତି ଆଦି କ୍ଷେତ୍ରରେ ମିଳୁଥିବା ସୁବିଧା ସୁଯୋଗ ଭଳି ଆମ ରାଜ୍ୟରେ ମୁଁ ସେମାନଙ୍କ ପାଇଁ ଭୁବନେଶ୍ୱର ଓ ରାଉରକେଲାରେ ବସ୍ ସୁବିଧାର ବ୍ୟବସ୍ଥା କରିବା ଯୋଜନା କରିଛି ।

ଏଠାକାର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶାରୀରିକ ଅକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ଉଚିତ ।

ଓଡିଶାର ମୁଖ୍ୟ ସମସ୍ୟା କ’ଣ ବୋଲି ଆପଣ ଭାବନ୍ତି?

ଓଡିଶା ଆର୍ଥିକ ଦୃଷ୍ଟିକୋଣରୁ ଯେଉଁଭଳି ଭାବେ ବିକାଶସାଧନ କରିବା କଥା ତାହା ବସ୍ତୁତଃ ହୋଇପାରୁନାହିଁ । ଜନସଂଖ୍ୟା ବିସ୍ଫୋରଣ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଛି ।

ରାଜ୍ୟର ଅର୍ଥନୀତି କୃଷି ଉପରେ ନିର୍ଭର କରୁଥିଲେ ହେଁ ଚାଷ ଜମିକୁ ଆଶାନୁରୂପକ ସେଚନ ସୁବିଧା ଯୋଗାଇ ଦିଆଯାଇନାହିଁ । ସୁଚିନ୍ତିତ ଜଳ ଅମଳ ପ୍ରକଳ୍ପ ଅଭାବରୁ କୃଷକମାନେ ଆଜି ମଧ୍ୟ ଚାଷବାସ ଲାଗି ବର୍ଷା ଜଳ ଉପରେ ନିର୍ଭର କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ଅବହେଳାରୁ ରାଜ୍ୟରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇପାରିଲା ନାହିଁ । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶା ଶିକ୍ଷା କ୍ଷେତ୍ରରେ ବିଶେଷ ଅଗ୍ରଗତି କରିବାକୁ ସକ୍ଷମ ହୋଇନାହିଁ ।

ରାଜନେତାମାନେ ଏଥିପ୍ରତି ସଚେତନ ନୁହନ୍ତି । ତେଣୁ ରାଜ୍ୟବାସୀ ବିଭିନ୍ନ ଯୋଜନାରୁ ଯେଭଳି ସୁଫଳ ପାଇବା କଥା ତାହା ପାଇବାକୁ ସକ୍ଷମ ହେଉନାହାନ୍ତି ।

ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ରାଜ୍ୟରେ ବହୁ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁ ନାହିଁ ।

ଆପଣଙ୍କ ମତରେ ଏହିସବୁ ସମସ୍ୟାର ସମାଧାନ କ’ଣ ହୋଇପାରେ ?

ଧନୀ, ଗରିବ ଏବଂ ସାଧାରଣ ଲୋକ ତଥା ବୃତ୍ତିଜୀବିମାନଙ୍କ ମଧ୍ୟରେ ବେଶୀ ପାର୍ଥକ୍ୟ ନ ରହିଲେ ରାଜ୍ୟର ଅର୍ଥନୈତିକ ଉନ୍ନତିର ପଥ ସୁଗମ ହେବ ।

ବିଶେଷ କରି ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନଶିପ ସମୟରେ ଗ୍ରାମାଞ୍ଚଳକୁ ପଠାଯିବା ଉଚିତ । ଏହାଦ୍ୱାରା କୃଷି, ସ୍ୱାସ୍ଥ୍ୟ,ପରିମଳ, ଶିକ୍ଷା ଆଦି କ୍ଷେତ୍ରରେ ରାଜ୍ୟବାସୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ପାଇବାରେ ଯୁବବିଢ଼ୀ ସକ୍ଷମ ହେବେ ।

ବିଦେଶରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ତଥା ହସ୍ତଶିଳ୍ପର ଆଶାନୁରୂପ ପ୍ରସାର ହୋଇନାହିଁ । ସେ ଦିଗରେ ରାଜ୍ୟ ସରକାର ବ୍ୟବସାୟିକ ପ୍ରଚେଷ୍ଟା କଲେ ରାଜ୍ୟକୁ ଯଥେଷ୍ଟ ରାଜସ୍ୱ ମିଳିବ ।

ଓଡିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମୁଖ୍ୟ ଖବର, ସାକ୍ଷାତକାର Tagged With: ଓଡ଼ିଶା ବିକାଶ, ପାର୍ଥସାରଥୀ ମହାପାତ୍ର, ଶାରିରୀକ ଅକ୍ଷମ, ସାକ୍ଷାତକାର

ସଙ୍ଗୀତ ନିର୍ମାତା ଚାହିଁଲେ ବନ୍ଦ ହେବ ଅଶ୍ଳୀଳ ସଙ୍ଗୀତ

July 17, 2005 by ନିଉଜ ଡେସ୍କ Leave a Comment

“ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ରମେଶ କୁମାର

ଓଡ଼ିଶା ଡ଼ଟ୍ କମ୍: ବବିତା ସାହୁ

ଭୁବନେଶ୍ୱର, ଜୁଲାଇ ୧୭ (ଓଡ଼ିଶା ଡ଼ଟ୍ କମ୍) ଓଡିଶା ସଙ୍ଗୀତ ସାମ୍ରାଜ୍ୟସହ ଜଡିତ ଗାୟକ, ଗାୟିକା ଓ ସଙ୍ଗୀତ ନିର୍ଦ୍ଦେଶକ ତଥା ନିର୍ମାତାମାନେ ଚାହିଁଲେ ରାଜ୍ୟରେ ସମ୍ପ୍ରତି ସୃଷ୍ଟି ହୋଇଥିବା ଅଶ୍ଳୀଳ ସଙ୍ଗୀତର ବନ୍ୟାକୁ ଅକ୍ଲେଶରେ ରୋକି ଦିଆ ଯାଇପାରିବ ବୋଲି ଜଣେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ କହିଛନ୍ତି ।

ଓଡିଶାରେ ବର୍ତ୍ତମାନ ଅନ୍ୟୁନ ତିନି ଶହ ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି । ଅଶ୍ଳୀଳ ସଙ୍ଗୀତର ପ୍ରଚାର ଓ ପ୍ରସାରକୁ ମହତ୍ୱ ନ ଦେଇ ସଂଗୀତ ନିର୍ମାତା ଓ ଗଣମାଧ୍ୟମ, କ୍ୱାଲିଟି ମ୍ୟୁଜିକକୁ ପ୍ରାଧାନ୍ୟ ଦେଲେ ଶ୍ରୋତାମାନଙ୍କର ସ୍ୱାଦ ବଦଳି ପାରେ ବୋଲି ଅଶି ଦଶକରେ ରାଜ୍ୟ ଓ ରାଜ୍ୟ ବାହାରେ ଚହଳ ସୃଷ୍ଟି କରିଥିବା ସମ୍ବଲପୁରୀ ଲୋକଗୀତ “ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ରମେଶ କୁମାର ଓଡିଶା ଡଟ୍ କମ୍ କୁ କହିଛନ୍ତି ।

“ବର୍ତ୍ତମାନ ଓଡିଆ ସଙ୍ଗୀତରେ ପୂର୍ବର ଶ୍ରୁତିମଧୁରତା ଏବଂ ଗାମ୍ଭୀର୍ଯ୍ୟ (କ୍ୱାଲିଟି) ନାହିଁ ଏବଂ ପ୍ରକୃତ ସଙ୍ଗୀତ ପ୍ରେମୀଙ୍କ ନିକଟରେ ସମୟର ଅଭାବ ରହିଛି ତଥା ନିୟମିତ ସଙ୍ଗୀତ ଶୁଣୁଥିବା ଶ୍ରୋତାମାନଙ୍କର ପସନ୍ଦର ମାନ ଦିନକୁ ଦିନ କ୍ଷୁର୍ଣ୍ଣ ହେବାରେ ଲାଗିଛି” ବୋଲି ସେ କହିଛନ୍ତି ।

“ତେବେ ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଶ୍ରୋତାଙ୍କ ସ୍ୱାଦ ବଦଳି ଯିବ” ।

ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ଶ୍ରୋତାଙ୍କ ମନକୁ ଜାବୁଡି ଧରିଥିବା “ରଙ୍ଗବତୀ” ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ରମେଶ ବିଗତ ୨୫ ବର୍ଷ ଭିତରେ ୧୦୦ରୁ ଉର୍ଦ୍ଧ୍ଵ ଆଲବମ୍, ସିନେମା ଓ ସିରିଏଲ୍ ରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି ।

“ରଙ୍ଗବତୀ ଲୋ, ରଙ୍ଗବତୀ” ଅନନ୍ୟ ଶ୍ରୁତିମଧୁର ସମ୍ବଲପୁରୀ ଲୋକଗୀତ ସର୍ବପ୍ରଥମେ ସମ୍ବଲପୁର ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ୧୯୮୦ ମସିହାରେ ଝଙ୍କୃତ ହୋଇ ଉଠିଥିଲା । ଗୀତଟିକୁ ଲେଖିଥିଲେ ମିତ୍ରଭାନୁ ଗୌନ୍ତିଆ ଏବଂ ଗାଇଥିଲେ ଜିତେନ୍ଦ୍ର ହରିପାଲ୍ ।

୧୯୫୫ରେ ବଲାଙ୍ଗିରର ପାଟନାଗଡ଼ରେ ଜନ୍ମିତ ରମେଶ ୧୯୭୫ରେ ଆଲ୍ଲାହାବାଦର ପ୍ରୟାଗ ସଂଗୀତ ସମିତିରୁ ହିନ୍ଦୁସ୍ତାନୀ ସଂଗୀତ ଶିକ୍ଷା କରିଥିଲେ । ୧୯୭୮ରେ ପାଶ୍ଚାତ୍ୟ ସଂଗୀତ ଶିଖିଥିଲେ କଲିକତାରୁ ।

ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ଓଡ଼ିଆ ଚଳଚ୍ଚିତ୍ର “ଭୁଖା” ର ସଂଗୀତ ନିର୍ଦ୍ଦେଶନାସହ ସେ “ବୋଉ” ଫିଲ୍ମ ପାଇଁ ସିନେ କ୍ରିଟିକ୍ ତରଫରୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି । ଆଦିବାସୀ ଭାଷାରେ “ଝିଲି” ତାଙ୍କର ଅନ୍ୟ ଏକ ଅନବଦ୍ୟ ଅବଦାନ ।

ଘଣ୍ଟେଶ୍ୱର ଗୁରୁଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିବାକୁ ଯାଉଥିବା “କହିବାକୁ ଅଛି, ଆଇ ଆମ୍ ସରି”ରେ ତାଙ୍କର ସଂଗୀତ ଶୁଣିବାକୁ ମିଳିବ ।

ବର୍ତ୍ତମାନ ମହାନନ୍ଦ “ମନର ମଣିଷ”ର ନିର୍ଦ୍ଦେଶକ ଶୈଳେନ୍ଦ୍ର ମିଶ୍ରଙ୍କ ଏକ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଇଟିଭି “ଆମରି ଓଡ଼ିଶା” କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶନାର ଅଫର୍ ମଧ୍ୟ ତାଙ୍କୁ ମିଳିଛି ବୋଲି ସେ କହନ୍ତି ।

ତାଙ୍କର ବହୁଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍ ମଧ୍ୟରେ କିଆଝରନ୍, ଡ଼ାଇଭରପିଲା, ମୁଇଁ ନାଇଁ ମରେ ଓ ଗୀତିନାଟ୍ୟ ନାବକେଲି ଅନ୍ୟତମ । ଓଡ଼ିଆ ବ୍ୟତୀତ ହିନ୍ଦୀ ଓ ଛତିଶଗଡ଼ି ଗୀତଗୁଡ଼ିକରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇଛନ୍ତି ।

ଛତିଶଗଡ଼ିରେ ଛୁଇମୁଇ, ରସଗୁଲ୍ଲା, ଗାଡ଼ିବାଲା ଆଦି ବେଶ୍ ଲୋକପ୍ରିୟତା ହାସଲ କରିଛି । ନ୍ୟାସନାଲ୍ ଚ୍ୟାନେଲର ହିନ୍ଦୀ ସିରିଏଲ ସବଲା, ସୂର୍ଯ୍ୟମୁଖୀ, ପାୱେଲି ଓ ପ୍ରତିଶୋଧରେ ରମେଶ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ବମ୍ବେର ପ୍ଲାଟିନମ୍ ଷ୍ଟୁଡ଼ିଓ, ସରସ୍ୱତୀ, ଟି. ସିରିଜର ଗୋଲ୍ଡ଼େନ୍ ଚ୍ୟାରିୟଟ୍ ଆଦି ଷ୍ଟୁଡ଼ିଓରେ ସେ ମ୍ୟୁଜିକ ରେକର୍ଡ଼ିଂ କରିଛନ୍ତି । ଏଚ୍.ଏମ୍.ଭି., ଗାଥାନି, ଏନରିକୋ ଆଦି ଅଡ଼ିଓ କମ୍ପାନୀ ପାଇଁର୍ ସେ କାମ କରିଛନ୍ତି ।

ସଂଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରମେଶ କୁମାରଙ୍କର ସ୍ତ୍ରୀ, ତିନି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ସାନ ଝିଅ ଅମ୍ରିତା ମଧ୍ୟ ଓଡ଼ିଆ ଆଲବମ୍ ରେ ଗାଇବା ଆରମ୍ଭ କରିଦେଲେଣି ।

(ଓଡିଶା ଡଟ୍ କମ୍)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଅଶ୍ଳୀଳ ସଙ୍ଗୀତ, ରମେଶ କୁମାର, ସଙ୍ଗୀତ ନିର୍ମାତା, ସାକ୍ଷାତକାର

ଆତଙ୍କ ସୃଷ୍ଟି କରିବାଲାଗି ମାଓବାଦୀ ଚଳାଇଛନ୍ତି ନରସଂହାର (ସାକ୍ଷାତକାର)

July 14, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ : ଅଜିତ ନାୟକ

ସମ୍ବଲପୁର, ଜୁଲାଇ ୧୪ (ଓଡିଶା ଡଟ୍ କମ୍), ଓଡିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଯୁଜୁମୁରା ଥାନା ଇଲାକା ଗୁଡିକରେ ସମ୍ପ୍ରତି ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ପୋଲିସର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ସରଳ ନିରୀହ ଗ୍ରାମବାସୀମାନେ ମାଓବାଦୀଙ୍କ ଆକ୍ରମଣର ଶିକାର ହେଉଛନ୍ତି ।

ବିଗତ ଦୁଇ ମାସ ମଧ୍ୟରେ ଉକ୍ତ ଅଞ୍ଚଳରେ ଦୁଇଟି ବଡଧରଣର ଅତି ବିଭତ୍ସ ଗଣହତ୍ୟା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତ ମେ’ ମାସ ୨୭ ତାରିଖରେ ମାଓବାଦୀମାନେ ଜିଲ୍ଲାର ବୁରୁଦା ଗ୍ରାମରେ ତିନି ଜଣଙ୍କୁ ହତ୍ୟା କରିଥିଲେ ।

ଏହାପରେ ଗତ ଜୁଲାଇ ୭ ତାରିଖ ଦିନ ଭୋରବେଳା ସେହି ଅଞ୍ଚଳରେ ଥିବା ତିନି ଖଣ୍ଡ ଗାଁର ଅନ୍ୟ ପାଞ୍ଚ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ରାଜ୍ୟ ପୋଲିସ ବାହିନୀ ନିମନ୍ତେ ମାଓବାଦୀଙ୍କ ଏହି ଜଘନ୍ୟକାଣ୍ଡ ଏକ ଖୋଲା ଚାଲେଞ୍ଜ ବୋଲି ତଥ୍ୟାଭିଜ୍ଞ ମହଲ ବିବେଚନା କରୁଛନ୍ତି ।

ଅନ୍ୟପକ୍ଷରେ ପୋଲିସ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବାରୁ ନିନ୍ଦାର ପାତ୍ର ହୋଇଛି । ଆତଙ୍କିତ ଗ୍ରାମବାସୀମାନେ ନିଜର ଭିଟାମାଟି ଛାଡି ଅନ୍ୟତ୍ର ଆଶ୍ରୟ ନେଉଛନ୍ତି ।

ଏଭଳି ଅଭାବନୀୟ ପରିସ୍ଥିତିରେ ଜିଲ୍ଲାର ପ୍ରକୃତ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ ହେବା ଲାଗି ଆମ ପ୍ରତିନିଧି ସାକ୍ଷାତ କରିଥିଲେ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟ ସୁଶାନ୍ତ କୁମାର ନାଥଙ୍କୁ । ସେହି ସାକ୍ଷାତକାରର କିୟଦଂଶ………

ଜିଲ୍ଲାର ମାଓବାଦୀ ଉପଦ୍ରୁତ ଇଲାକା ଗୁଡିକ ସମ୍ପର୍କରେ କିଛି କହିବେ କି ?

ଛାମୁଣ୍ଡା ଓ ମେଘପାଳ ପଞ୍ଚାୟତର ଜଙ୍ଗଲ ଘେରା ଦୁର୍ଗମ ପାହାଡିଆ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ଅଛନ୍ତି । ଏହି ଉଭୟ ସ୍ଥାନ ଯୁଜୁମୁରା ଥାନା ଅଧିନରେ ଅଛି । ପୂର୍ବରୁ ମାଓବାଦୀମାନେ ସେମାନଙ୍କର କାର୍ଯ୍ୟକଳାପ ସମ୍ବଲପୁର ତଥା ଦେବଗଡ ଜିଲ୍ଲାର ସୀମାବର୍ତ୍ତୀ ଗ୍ରାମ ଗୁଡିକରେ ଜାରୀ ରଖିଥିଲେ ।

ତେବେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବର୍ତ୍ତମାନ ସେମାନେ ଜଙ୍ଗଲ ଆଖପାଖ ଅଞ୍ଚଳରେ ନିଜ ପ୍ରଭାବକୁ ସୀମିତ ରଖିଛନ୍ତି ।

ମାଓବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ଆପଣଙ୍କ ବିଭାଗକୁ କେବେ ଆଭାସ ମିଳିଲା ଏବଂ ସମସ୍ୟାର ସମାଧାନ ଲାଗି ଆପଣଙ୍କ ବିଭାଗ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଇଛି?

୨୦୦୩ ମସିହାରେ ମେଘପାଳର ପୂର୍ବତନ ସରପଞ୍ଚ କାଦାର ସିଂହଙ୍କ ହତ୍ୟାକାଣ୍ଡ ପରେ ପ୍ରଥମେ ଆମକୁ ମାଓବାଦୀମାନଙ୍କ ଉପସ୍ଥିତି ନେଇ ସୁରାକ ମିଳିଥିଲା । ପରେ ଘଟଣାରେ ସଂଶ୍ଲିଷ୍ଟ କେତେକ ସନ୍ଦିଗ୍ଧ ମାଓବାଦୀଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା ।

ଯେଉଁମାନେ କୌଶଳରେ ଆତ୍ମଗୋପନ କରିଥିଲେ, ସେମାନଙ୍କୁ ବି ଗିରଫ କରାଯାଇଥିଲା । ପ୍ରଥମେ ପ୍ରଥମେ ସେମାନେ ପୋଲିସର ବିଷଦୃଷ୍ଟିଠାରୁ ନିରାପଦ ଦୂରତ୍ୱ ବଜାୟ ରଖି କେତେକ ଗ୍ରାମବାସୀଙ୍କ ସହଯୋଗରେ ବଣଜଙ୍ଗଲରେ ନିଜର କାର୍ଯ୍ୟକଳାପକୁ ବୃଦ୍ଧି କରିବାକୁ ସକ୍ଷମ ହୋଇଥିଲେ ।

ପୋଲିସକୁ ଏହାର ସୁରାକ ମିଳିବାପରେ ଖାନତଲାସୀ ଅଭିଯାନ ଚଳାଇ ଅନେକଙ୍କୁ ଠାବ କରିବାରେ କୌଣସି ହେଳା କରାଯାଇନଥିଲା ।

ବିଗତ ଦୁଇ ବର୍ଷ ମଧ୍ୟରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀ କାର୍ଯ୍ୟକଳାପ ଦ୍ୱିଗୁଣିତ ହୋଇଛି ଏବଂ ସେମାନଙ୍କର ଶକ୍ତି ସମ୍ପର୍କରେ ପୋଲିସର ଗୁଇନ୍ଦା ବିଭାଗ ସାମାନ୍ୟତମ ଟେର୍ ମଧ୍ୟ ପାଇ ପାରୁନି । ଏହାକୁ ଆପଣ ପୋଲିସର ବିଫଳତା ବୋଲି ସ୍ୱୀକାର କରୁଛନ୍ତି କି?

ଆପଣଙ୍କ ଏହି ପ୍ରଶ୍ନ ସହ ମୁଁ କଦାପି ଏକମତ ହୋଇପାରିବି ନାହିଁ । ମାଓବାଦୀ କାର୍ଯ୍ୟକଳାପ ପ୍ରତିହତ କରିବା ଲାଗି ଜିଲ୍ଲା ପୋଲିସ ବାହିନୀ ସର୍ବଦା ସକ୍ରିୟ ଓ ସତର୍କ ରହିଛି । ଆମ କର୍ମଚାରୀମାନେ ସମ୍ମିଳିତଭାବେ ସେମାନଙ୍କର ଗତିରୋଧ କରିବା ନିମିତ୍ତ ସବୁମନ୍ତେ ଉଦ୍ୟମ ଚଳାଇ ଆସୁଛନ୍ତି ।

ଆମେ ସେମାନଙ୍କ ଗୋଷ୍ଠୀର ଅନେକ ପୋଖତ ଏବଂ ଅଭିଜ୍ଞ ସଦସ୍ୟଙ୍କ ସମେତ ପ୍ରାୟ ୬୦ରୁ ଅଧିକ ମାଓବାଦୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛୁ । ଅପରପକ୍ଷରେ କେତେକ ସ୍ଥାନରେ ସ୍ଥାନୀୟ ଯୁବକମାନେ ମାଓବାଦୀମାନଙ୍କୁ ଅଦୃଶ୍ୟ ଭାବରେ ସାହାଯ୍ୟ କରୁଛନ୍ତି ।

ଏହାଛଡା ବିଭିନ୍ନ ଗଭୀର ନାଳ, ଖାଲ, ଢିପ ଭରା ଘଞ୍ଚ ଜଙ୍ଗଲରେ ସେମାନେ ନିଜର ଆସ୍ଥାନ ଜମାଇ ଥିବାରୁ ଖାନତଲାସୀ ଅଭିଯାନରେ ନାନା ବାଧା ଉପୁଜୁଛି ଏବଂ ପୋଲିସ ଆସିବାର ସୁରାକ ପାଇ ସେମାନେ ଆତ୍ମଗୋପନ କରିବାକୁ ବେଶ୍ ସକ୍ଷମ ହୋଇପାରୁଛନ୍ତି ।

ସରଳ, ନିରୀହ ଲୋକମାନେ ପୋଲିସକୁ ଖବର ଦେଉଥିବାର ସନ୍ଦେହକରି ମାଓବାଦୀମାନେ ସେମାନଙ୍କୁ ଏଭଳି ହତ୍ୟା କରୁଛନ୍ତି କି?

କାରଣ, ବୋଧହୁଏ ସେୟା ନୁହେଁ । ମୁଁ’ ଏମିତି ହେଉଥିବ ବୋଲି ମଧ୍ୟ ଭାବି ପାରୁନାହିଁ । ପ୍ରଥମେ ପ୍ରଥମେ ସେମାନେ ଭବିଥିଲେ ଯେ, ଭୟବଶତଃ ବହୁ ସଂଖ୍ୟକ ଲୋକ ସେମାନଙ୍କ ନିର୍ଦ୍ଦେଶନାମାକୁ ମାନିବେ । ସେମାନଙ୍କର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ଲାଗି ଅନେକ ଯୁବକଙ୍କୁ ଦଳରେ ସାମିଲ କରିବାରେ ସଫଳ ହୋଇଥିଲେ ।

ତେବେ ପୋଲିସ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପ୍ରବଳ ବିରୋଧ ଯୋଗୁଁ ସେମାନେ ଅଧିକ ପ୍ରଚାର କରିପାରିନଥିଲେ । ନିଜ କାର୍ଯ୍ୟକଳାପ ସମ୍ପର୍କରେ ନିଜେ ସନ୍ଦିହାନ ହୋଇପଡିଥିଲେ ଏବଂ ନିରୀହ ଲୋକମାନଙ୍କ ସଂହାର ଆରମ୍ଭ କରି ଦେଇଥିଲେ ।

ଏହାର ଅନ୍ୟତମ ଲୁକାୟିତ କାରଣ ହେଲା, ପୋଲିସ ଓ ପ୍ରଶାସନ ବିରୁଦ୍ଧରେ ଜନମତ ସୃଷ୍ଟି କରିବା । ତେବେ ଜନସାଧାରଣ ଯେଉଁଭଳି ଢଙ୍ଗରେ ଏହାର ମୁକାବିଲା କରିବାକୁ ଆଗେଇ ଆସିଲେ ତାହା ମାଓବାଦୀମାନଙ୍କ ଦୁଶ୍ଚିନ୍ତାକୁ ବଢାଇ ଦେଇଥିଲା ।

ନିକଟରେ ତିନୋଟି ଗାଁରେ ହୋଇଥିବା ହତ୍ୟାକାଣ୍ଡକୁ ସୁକ୍ଷ୍ମଭାବେ ଅନୁଧ୍ୟାନ କଲେ ଏହା ପଛରେ ରହିଥିବା ପ୍ରକୃତ ଉଦ୍ଦେଶ୍ୟ ଜାଣିବାରେ କୌଣସି ସମସ୍ୟା ରହିବ ନାହିଁ । ସବୁ ପୀଡିତମାନେ ସେମାନଙ୍କର ଆଗରେ ମଥାନତ କରିନଥିଲେ । ମାଓବାଦୀମାନେ ସେମାନଙ୍କୁ ପ୍ରଭାବିତ କରିବା ଲାଗି ସବୁମନ୍ତେ ଉଦ୍ୟମ କରି ଶେଷରେ ବିଫଳ ହୋଇଥିଲେ ।

ଅପରପକ୍ଷରେ ପୋଲିସ ସେମାନଙ୍କର ଛାଉଣୀ ଠାବ କରି ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି । ସ୍ଥାନୀୟ ଯୁବକମାନଙ୍କୁ ଦୁଇଟି କାରଣରୁ ସେମାନେ ହତ୍ୟା କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ପ୍ରଥମତଃ ଥରେ ସେମାନେ ଦଳସହ ସାମିଲ ହୋଇଗଲା ପରେ ସାଧାରଣ ଜୀବନଶୈଳୀକୁ ଫେରିବା ଯୁବପିଢୀ ନିମନ୍ତେ କାଠିକର ପାଠ ହୋଇଯିବ ।

ଦ୍ୱିତୀୟତଃ ନିଜର ଲୋକମାନଙ୍କୁ ହତ୍ୟା କରିବା ଦ୍ୱାରା ସେମାନଙ୍କ ମନରେ ନିଷ୍ଠୁରତା ବସା ବାନ୍ଧିବ ।

ସମସ୍ୟାର ସମାଧାନ ଲାଗି ପୋଲିସର ବିକଳ୍ପ ପନ୍ଥା କଣ ? ଅନୁରୂପ ଘଟଣାର ପୁନରାବୃତ୍ତି ଲାଗି ଉଦ୍ୟମ ହେଲେ ଆପଣଙ୍କ ବିଭାଗ ତାହାକୁ ରୋକିବାକୁ ସଫଳ ହେବ ତ ?

ବର୍ତ୍ତମାନ ୧୦ଟି ସ୍ଥାନରେ ପୋଲିସ ଶିବିର ମାନ ଖୋଲାଯାଇଛି । ଗୋଟିଏ କମ୍ପାନୀ ସିଆର୍ପିଏଫ୍ ଫୋର୍ସ, ନଅ ପ୍ଲାଟୁନ୍ ଓଏସ୍ଏପି ଫୋର୍ସ ଏବଂ ଅନ୍ୟାନ୍ୟ ପୋଲିସ ଅଫିସରମାନଙ୍କୁ ନେଇ ଜୋରସୋରରେ ତଲାସୀ ଅଭିଯାନ ଅବ୍ୟାହତ ରହିଛି ।

ତେବେ ପୋଲିସର ସକ୍ରିୟତା ସତ୍ତ୍ୱେ ହଠାତ୍ ମାଓବାଦୀମାନେ ଦବି ଯିବେ ବୋଲି ମୁଁ କାହିଁକି ଭାବୁନାହିଁ । ବରଂ ପୋଲିସ ଅଧିକ ମାତ୍ରାରେ ସକ୍ରିୟ ଥିବାରୁ ସେମାନେ ଏଭଳି ହୀନ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କୁ ସର୍ବସାଧାରଣରେ ନିନ୍ଦିତ କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ।

ଏତଦ୍ଭିନ୍ନ ପୋଲିସକୁ ବିଚଳିତ କରିବାସହ ଜନସାଧାରଣଙ୍କୁ ଦିଗଭ୍ରଷ୍ଟ ମଧ୍ୟ କରୁଛନ୍ତି । ଆମ ବିଭାଗ ଏ ବିଷୟରେ ସଂପୂର୍ଣ୍ଣ ସଜାଗ ରହିଛି । ଆଇଜି ଅପରେସନରେ ଫଳାଫଳ ଆପଣମାନେ ଖୁବଶିଘ୍ର ଜାଣିପାରିବେ ।

ସୁରକ୍ଷା ଦୃଷ୍ଟିକୋଣରୁ ମୁଁ ବର୍ତ୍ତମାନ ଆପଣଙ୍କ ନିକଟରେ ପୋଲିସର ରଣନୀତିକୁ ପ୍ରକାଶ କରୁନାହିଁ । ତେବେ ଏକଥା ଧ୍ରୁବ ସତ୍ୟ ଯେ, ହତ୍ୟାକାଣ୍ଡ ପରେ ମାଓବାଦୀ ଦଳରେ ବିଭାଜନ ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସେମାନେ ବିଚଳିତ ହୋଇ ନିକଟ ଭବିଷ୍ୟତରେ ନିଶ୍ଚିତଭାବେ ଏଭଳି କୌଣସି ତ୍ରୁଟି କରିବେ ଯାହାକୁ ପୁଞ୍ଜିକରି ଆମେ ସେମାନଙ୍କର ଦଳକୁ ନିପାତ କରିବୁ ।

ମାଓବାଦୀ ଉପଦ୍ରୁତ ଇଲାକାର ଲୋକମାନେ ପୋଲିସ ଉପରୁ ଆସ୍ଥା ତୁଟାଇ ନିଜ ନିଜର ଘର ଛାଡି ପଳାଇ ଯାଉଛନ୍ତି । ଏ ସମ୍ପର୍କରେ ଆପଣଙ୍କ ମତ କଣ?

ମାଓବାଦୀମାନେ ଠିକ୍ ଏହା ହିଁ ଚାହୁଁଛନ୍ତି । କିନ୍ତୁ ଆପଣଙ୍କ ଜାଣିବା ଲାଗି କହୁଛି ଯେ, ଲୋକମାନେ ଗାଁ ଛାଡି ଯିବାକୁ ଚାହୁଁ ନାହାନ୍ତି । କେବଳ ଆପଣଙ୍କ ଗଣମାଧ୍ୟମ ଗୁଡିକ ହିଁ ଏଭଳି ପ୍ରଚାର ଚଳାଇଛନ୍ତି । ଅବଶ୍ୟ ସେମାନେ ଭୟଭୀତ ହୋଇଯାଇଛନ୍ତି ।

ଅନ୍ୟପକ୍ଷରେ ଲୋକମାନେ ନିଜର ଭିଟାମାଟି ଛାଡି ଯିବେ କୁଆଡେ? ପୋଲିସ ଲୋକମାନଙ୍କ ବିଶ୍ୱାସ ଫେରାଇ ଆଣିବାକୁ ସବୁମନ୍ତେ ଉଦ୍ୟମ ଚଳାଇଛି । ଯଦି ସେମାନେ ପୋଲିସ ଉପରୁ ବିଶ୍ୱାସ ହରାଇଛନ୍ତି, ତାହାହେଲେ ପୋଲିସ ସୁରକ୍ଷା ପାଇଁ ଦାବି କରୁଛନ୍ତି କାହିଁକି?

ତେଣୁ ଏଭଳି ମିଥ୍ୟା ଖବର ଦ୍ୱାରା ଲୋକମାନଙ୍କୁ ପ୍ରଭାବିତ ନକରିବା ନିମନ୍ତେ ନିବେଦନ କରୁଛି ।

ବିରୋଧୀ ଦଳର ଦାବି ବିଷୟରେ କଣ କହିବେ ? ସେମାନେ ଆପଣଙ୍କ ବଦଳି କାହିଁକି ଚାହୁଁଛନ୍ତି ?

ମୁଁ ଏ ବିଷୟରେ କେମିତି କହିବି ? ସେମାନେ ସେମାନଙ୍କ କାମ କରୁଛନ୍ତି । ମୋତେ ସମ୍ବଲପୁର ଜିଲ୍ଲା ପୋଲିସ ବାହିନୀର ଦାୟିତ୍ୱ ଦିଆଯାଇଛି । ତେଣୁ ସରକାର ଯଦି ବଦଳି ଆଦେଶ ଦିଅନ୍ତି, ଏଠାରୁ ଚାଲିଯିବି । ବଦଳି ଆଦେଶ ନପାଇବା ପର୍ଯ୍ୟନ୍ତ ନିଷ୍ଠାର ସହ ମୋ କର୍ତ୍ତବ୍ୟ କରିବି ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଅଜିତ ନାୟକ, ମାଓବାଦୀ, ସମ୍ବଲପୁର, ସାକ୍ଷାତକାର

ଆନ୍ତର୍ଜାତିକ ପୁଞ୍ଜି ବିନିଯୋଗର ଉଭୟ ଭଲ, ମନ୍ଦ ଗୁଣ ରହିଛି

July 9, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡ଼ଟ୍ କମ୍ କୁ ଏକ ବିଶେଷ ସାକ୍ଷାତକାରରେ କହନ୍ତି ଓଡିଶା ସୋସାଇଟି ଅଫ୍ ଦି ଆମେରିକାନ୍ସ (ଓଏସ୍ଏ) ର ନବ ନିର୍ବାଚିତ ସଭାପତି ନିରଞ୍ଜନ ତ୍ରିପାଠୀ ।

ସାକ୍ଷାତକାର ର ମୁଖ୍ୟ ଅଂଶ

କେନ୍ଦ୍ରାପଡା, ଜୁଲାଇ ୯ (ଓଡିଶା ଡ଼ଟ୍ କମ୍)ଓଡିଶା ସୋସାଇଟି ଅଫ୍ ଅଫ୍ ଦି ଆମେରିକାନ୍ସ (ଓଏସ୍ଏ)ର ନବ ନିର୍ବାଚିତ ସଭାପତି ନିରଞ୍ଜନ ତ୍ରିପାଠୀ । ଘର କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ନିକଟ ପାଡିନିପାଲ ଗାଁ । ୧୯୪୦ ମସିହାର ଶେଷ ଆଡକୁ ଗାଁ ଛାଡି ତାଙ୍କ ବାପା ଚାଲି ଆସିଥିଲେ ପଶ୍ଚିମବଙ୍ଗର ରୂପସୀ ନଗରୀ କୋଲକତା ।

ସେଇଠି ତାଙ୍କର ଜନ୍ମ । ଗାଁରେ ତାଙ୍କ ପରିବାରର ଅନ୍ୟ ମାନେ ହେଲେ ଗୋଟିଏ ସ୍ନେହୀ ଭଉଣୀ, ଛଅ ଭାଇ ଓ ବାପା ମା । ଖଡି, ଓଡିଶା ବାହାରେ ଛୁଇଁଥିଲେ ହେଁ ହାଇସ୍କୁଲ ଶିକ୍ଷା ସମାପ୍ତି କରିଥିଲେ ପଟ୍ଟାମୁଣ୍ଡାଇର ଏମ୍.ଏନ୍.ହାଇସ୍କୁଲରୁ । ପୁରୀର ଏସ୍ସିଏସ୍ କଲେଜରୁ ସ୍ନାତକ ପରେ ଇଂରାଜୀରେ ସ୍ନାତକୋତ୍ତର କଟକର ରେଭେନ୍ସାରୁ ।

ମୟୁରଭଞ୍ଜର ଏକ ଛୋଟ କଲେଜରେ କିଛି ଦିନ ପାଇଁ ଅଧ୍ୟାପନା କଲାପରେ “ଦି କଲିକତା ଅବଜରଭର୍” ପତ୍ରିକା ପାଇଁ କିଛି ଦିନ ପାଇଁ ସାମ୍ବାଦିକତା ।

ନିଉ ଓରଲିଏନ୍ସ ବିଶ୍ୱବିଦ୍ୟାଳୟରେ ଏମ୍ବିଏ ପଢିବା ସକାଶେ ୧୯୭୯ରେ ଆମେରିକା ଗସ୍ତ । ୧୯୮୭ରେ ଟେକ୍ସାସ୍ ରେ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ ସଂପୂର୍ଣ୍ଣ କଲାପରେ ଟେକ୍ସାସ୍ ର ଡେନ୍ଟନ୍ସ୍ଥିତ ନର୍ଥ ଟେକ୍ସାସ୍ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ଯୋଗ ଦେଇଥିଲେ । ପତ୍ନୀ ସ୍ୱାତୀ, ଜଣେ ବାୟୋଲଜିକାଲ୍ ସାଇଣ୍ଟିଷ୍ଟ, ଉଭୟେ ଗୋଟିଏ ଅନୁଷ୍ଠାନରେ କାମ କରୁଛନ୍ତି ।

ଦୁଇଟି କନ୍ୟା । ସାନ ସୌମ୍ୟାର ବୟସ ୧୫, ବଡ ଶୋଭନା ୧୬ଟି ବସନ୍ତ ଅତିକ୍ରମ କରି ୧୭ରେ ପାଦ ଥାପିଛି ।୧୯୮୭ ମସିହାରୁ ଡିଏଫ୍ଡବ୍ଲୁ ଅଞ୍ଚଳରେ ସ୍ଥାନୀୟ ଓଡିଆ ସମ୍ପ୍ରଦାୟର ସବୁ କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରି ଆସୁଥିବା ତ୍ରିପାଠୀ ୨୦୦୦-୦୪ ପର୍ଯ୍ୟନ୍ତ ରଥଯାତ୍ରା ଉତ୍ସବ ଏବଂ ଡାଲାସ୍ ଫୋର୍ଟ ୱର୍ଥ ହିନ୍ଦୁ ଟେମ୍ପୁଲ୍ ସୋସାଇଟିର ଜଗନ୍ନାଥ ମୂର୍ତ୍ତି ସ୍ଥାପନା (୨୦୦୨)ରେ ପ୍ରମୁଖ ଭୂମିକା ନେଇଛନ୍ତି ।

ଓଡିଶାର କଳା ତଥା ଆର୍ଥିକ ବିକାଶ କାର୍ଯ୍ୟରେ ନିୟୋଜିତ ବିଭିନ୍ନ ଘରୋଇ ସଂସ୍ଥା ସହ ଓଡିଶା ବିକାଶ ଇନିସିଏଟିଭ୍, ଇଣ୍ଡିଆନ୍ ପର୍ଫର୍ମିଙ୍ଗ ଫାଉଣ୍ଡେସନ୍ ଭଳି ଅନୁଷ୍ଠାନ ଗୁଡିକ ସହ ପ୍ରତ୍ୟେକ୍ଷଭାବେ ଜଡିତ ।

୨୦୦୩ ମସିହାରେ “ସେଣ୍ଟର ଫର୍ ଓଡିଶା ପରଫର୍ମିଙ୍ଗ ଆର୍ଟ ଫର୍ ଆମେରିକାନ୍ସ’ (ସିଓପିଏଏ) ସ୍ଥାପନା ଲାଗି ସବୁମନ୍ତେ ସେ ସାହାଯ୍ୟ କରିଛନ୍ତି । ଏହି ସଙ୍ଗଠନ ଜରିଆରେ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର, ଅରୁଣା ମହାନ୍ତି, ମୀରା ଦାସ, ଉଦୟ ସେଠୀ ସମେତ ଅନ୍ୟମାନେ ଆମେରିକାରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଓଡିଆ ସଙ୍ଗୀତଜ୍ଞମାନଙ୍କୁ ନେଇ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ୧୯୯୮ ମସିହାରେ ପ୍ରଫୁଲ୍ଲ କର ଓ ମହାପ୍ରସାଦ କର, ୨୦୦୧ରେ ସ୍ୱର୍ଗତ ଅକ୍ଷୟ ମହାନ୍ତି, ୧୯୯୮ରେ ପ୍ରଫୁଲ୍ଲ କର ଏବଂ ୨୦୦୧ ଓ ୨୦୦୨ରେ ସୁଭାଷ ଦାସ, ଡା.ଦାମୋଦର ହୋତା, ୨୦୦୪ରେ ପ୍ରଫୁଲ୍ଲ କର, ସିକନ୍ଦର ଆଲାମ୍ ଓ ନାଜିଆ ସୟିଦ୍ ପ୍ରମୁଖ ଆସିଥିଲେ ।

୨୦୦୪ ଟେକ୍ସାସର ଡଲାସରେ ଆୟୋଜିତ ୩୫ତମ ଓଏସ୍ଏ ସମ୍ମିଳନୀର ସେ ଆବାହକ ରହିଛନ୍ତି । ୨୦୦୧ମସିହାରେ ଓଏସ୍ଏ ପକ୍ଷରୁ କଳାଶ୍ରୀ ପୁରସ୍କାର ପାଇଛନ୍ତି । ୧୯୯୪-୯୬ ଓ ୨୦୦୩-୦୫ରେ ଓଏସ୍ଏ ସାଉଥ୍ୱେଷ୍ଟ ଚାପ୍ଟରର ପ୍ରତିନିଧିତ୍ୱ କରଛନ୍ତି । ୧୯୯୭ ମସିହାରେ ଟେକ୍ସାସର ହଷ୍ଟନ୍ଠାରେ ଆୟୋଜିତ ୨୮ତମ ଓଏସ୍ଏ ସମ୍ମିଳନୀ ସମୟରେ
ସାଂସ୍କୃତିକ କାର୍ଯ୍ୟକ୍ରମର ସଙ୍ଗଠକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।

ଓଡିଶାର ବାତ୍ୟା ଏବଂ ଗୁଜୁରାଟର ଭୂମୀକମ୍ପ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କ ନିମନ୍ତେ ପାଣ୍ଠି ଯୋଗାଡ ଲାଗି ସକ୍ରିୟ ଭୂମିକା ଗ୍ରହଣ କରିଥିବା ତ୍ରିପାଠୀ ବର୍ତ୍ତମାନ ନର୍ଥ ଟେକ୍ସାସ ବିଶ୍ୱବିଦ୍ୟାଳୟରେ ଭାରତୀୟ ଛାତ୍ର ସଂଘର ପରାମର୍ଶଦାତା ଦାୟିତ୍ୱରେ ନେଇଛନ୍ତି ।

ଆପଣ ବର୍ତ୍ତମାନ ଓଏସ୍ଏର ସଭାପତି ଦାୟିତ୍ୱ ମୁଣ୍ଡାଇଛନ୍ତି । ଏହି ସଙ୍ଗଠନର ମାଧ୍ୟମରେ ଓଡିଶାର ବିକାଶ ଲାଗି କେଉଁ କାମକୁ ଆପଣ ପ୍ରାଥମିକତା ଦେବେ?
ଜଣକର ବ୍ୟକ୍ତିଗତ ଅଗ୍ରାଧିକାର ଓ ଜଣେ ଓଡିଆଭାବରେ ଦାୟିତ୍ୱବୋଧ ତଥା ଓଡିଶା ସୋସାଇଟି ଅଫ୍ ଦି ଆମେରିକାନ୍ସ (ଓଏସ୍ଏ) ସଙ୍ଗଠନର ନୀତିନିୟମରେ ବହୁ ପାର୍ଥକ୍ୟ ରହିଛି । ଓଏସ୍ଏ ସମ୍ବିଧାନର ଦ୍ୱିତୀୟ ପରିଚ୍ଛେଦରେ ଏହାର ଲକ୍ଷ୍ୟ ସମ୍ପର୍କରେ ସବିଶେଷଭାବେ ଉଲ୍ଲେଖ ରହିଛି । ସେଥିମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା,

(କ) ଓଡିଶା ପ୍ରତି ଆଗ୍ରହୀ ସମସ୍ତ ବ୍ୟକ୍ତିଙ୍କୁ ନେଇ ଏକ ଅଣ ରାଜନୈତିକ ଓ ଅଣ ଲାଭଦାୟୀ ସଂସ୍ଥା ଗଠନ କରିବା ।

(ଖ) ଓଡିଶାର ସଂସ୍କୃତି ପାଇଁ ଆଗ୍ରହ ଓ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ।

(ଗ) ଓଡିଶା ତଥା ଆମେରିକା/କାନଡା ମଧ୍ୟରେ ସୂଚନାର ବିନିମୟକୁ ସହଜ କରିବା ।

ଓଏସ୍ଏର କେତେକ କମିଟି ରହିଛି, ଅର୍ଥନୈତିକ ଉନ୍ନୟନ, ଓଡିଶା ପାଇଁ ଅର୍ଥନୈତିକ ଉନ୍ନୟନ ଓ ସମାଜ କଲ୍ୟାଣ ନାମରେ ପରିଚିତ ଏହି କମିଟି ଗୁଡିକ ନିରବଚ୍ଛିନ୍ନଭାବେ କାର୍ଯ୍ୟ କରୁଛନ୍ତି ।

ଓଡିଶାର ବିକାଶ ଲାଗି ଓଏସ୍ଏ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରଖି ନାହିଁ । ତେବେ ଉତ୍ତର ଆମେରିକାରେ ରହୁଥିବା ବହୁ ଓଡିଆ ଅଣ ଆନୁଷ୍ଠାନିକଭାବେ ଏହି କାର୍ଯ୍ୟ ହାତକୁ ନେଇଛନ୍ତି । ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ଲାଗି ଓଏସ୍ଏ ଯେଭଳି କାର୍ଯ୍ୟ କରିବ ସେଥିପ୍ରତି ପ୍ରାଥମିକ ଦୃଷ୍ଟି ଦେବି ।

ଓଡିଶାର ଭାଗ୍ୟ ପରିବର୍ତ୍ତନ ଲାଗି ଓଏସ୍ଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ଆପଣ ଭାବୁଛନ୍ତି କି ଏବଂ ଯଦି ହଁ ତାହା କେମିତି ସମ୍ଭବ ହେବ?

ଆମେରିକାରେ ବର୍ତ୍ତମାନ ଚାରି ହଜାର ଓଡିଆ ପରିବାର ରହୁଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ପରିବାର ଯଦି ବାର୍ଷିକ ୫ଶହ ଡଲାର ଟଙ୍କା ଓଡିଶାର ସାମାଜିକ-ଅର୍ଥନୈତିକ ଉନ୍ନୟନ ପ୍ରକଳ୍ପ ବାବଦକୁ ଦିଅନ୍ତି ତେବେ ଅନ୍ୟୁନ ୨କୋଟି ଟଙ୍କା ଅକ୍ଲେଶରେ ସଂଗୃହିତ ହୋଇପାରିବ ।

ଆମେରିକାରେ ଥିବା ଆନ୍ଧ୍ର, ମହାରାଷ୍ଟ୍ର, ଗୁଜୁରାଟ ଓ କେରଳ ଆଦି ରାଜ୍ୟର ପ୍ରବାସୀ ଭାରତୀୟମାନେ ଏହାଠୁ ଅଧିକ ଅର୍ଥ ଯୋଗାଡ କରିପାରିବେ । ୨୦୦୦-୦୧ ମସିହାର ଏକ ହିସାବ ଅନୁସାରେ ଓଡିଶାର ସାମାଜିକ ସେବା ଉଦ୍ୟୋଗରେ ବାର୍ଷିକ ସମୁଦାୟ ୧୦ ହଜାର ଏବଂ କ୍ୟାପିଟାଲ୍ ବ୍ୟୟ ଅନ୍ୟୁନ ୮ଶହ ୫୦ କୋଟି ଟଙ୍କା ।

ପ୍ରବାସୀ ଓଡିଆମାନଙ୍କ ଏହି ସାହାଯ୍ୟ ରାଶି ଅପେକ୍ଷାକୃତ କମ୍ ହେଲେ ହେଁ ରାଜ୍ୟର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏହା ନିଶ୍ଚିତ । ଓଡିଶାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲାଗି ପ୍ରବାସୀ ଓଡିଆମାନେ ଯଦି ସାମୁହିକଭାବେ ଏକ କୋଟି ଟଙ୍କା ସଂଗ୍ରହ କରନ୍ତି ତେବେ ଏହା ଦଶ କୋଟି ସଙ୍ଗେ ସମାନ ହେବ ।

ସ୍ୱାସ୍ଥ୍ୟ, ପ୍ରାଥମିକ ଶିକ୍ଷା, ଗ୍ରାମ୍ୟ କଲ୍ୟାଣ, ପରିମଳ ପ୍ରଭୃତି ବିଷୟ ଗୁଡିକ ଓଡିଶାର ବିକାଶ ନେଇ ଆଲୋଚନାର ପରିଧିକୁ ଆସିବାବେଳେ ଅଧିକାଂଶ ଲୋକ ଅପେକ୍ଷାକୃତ ଛୋଟ ଛୋଟ ସଙ୍ଗଠନ ଜରିଆରେ କାମ କରିବାକୁ ଆଗ୍ରହୀ ଥିବାର ମୁ ଅନୁଭବ କରିଛି ।

ଛୋଟ ସଙ୍ଗଠନ ଗୁଡିକ ଏଭଳି ପ୍ରକଳ୍ପ ପାଇଁ ଅଧିକ ମାତ୍ରାରେ ପ୍ରଭାବଶାଳୀ ହୋଇପାରିବ । କାରଣ ପରସ୍ପର ମଧ୍ୟରେ ଭାବର ଉତ୍ତମ ଆଦାନ ପ୍ରଦାନ ହୋଇପାରିବ, ଜଣେ ଲୋକ ଅଧିକ ସକ୍ରିୟ ହୋଇ ନିଜର ଭୂମିକା ତୁଲାଇବ, ପରସ୍ପର ମଧ୍ୟରେ ବିବାଦ କମିବ, ନିଷ୍ପତ୍ତି ନେଉଥିବା କର୍ତ୍ତୃପକ୍ଷ ସହଜ ଢଙ୍ଗରେ ନୀତି ନିୟମ ଗୁଡିକ ପ୍ରଣୟନ କରିପାରିବେ ଇତ୍ୟାଦି ଇତ୍ୟାଦି ।

ମୋଟାମୋଟି କହିବାକୁ ଗଲେ ଛୋଟ ସଙ୍ଗଠନ ଗୁଡିକର ବିବିଧ ପ୍ରଭାବ ରହିଛି ।

ଓଡିଶାର ଦାରିଦ୍ର୍ୟ ଓ ପଛୁଆ ସମସ୍ୟାକୁ ଆପଣ କିଭଳି ଦୃଷ୍ଟିରେ ଦେଖୁଛନ୍ତି?

ଓଡିଶାରେ ପର୍ଯ୍ୟାପ୍ତ ଭିତ୍ତିଭୂମୀର ଅଭାବ ରହିଛି । ସେଥିଯୋଗୁଁ ଏହାର ଲୋକମାନଙ୍କୁ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ ସର୍ବୋପରି ଖାଦ୍ୟ ଭଳି ମୌଳିକ ବିଷୟ ଗୁଡିକ ଯୋଗାଇ ଦିଆଯାଇପାରୁନାହିଁ । ଉପରୋକ୍ତ ସମସ୍ତ ବିଷୟ ସାଧାରଣ ଦ୍ରବ୍ୟର ଶ୍ରେଣୀଭୁକ୍ତ ଏବଂ ଏଗୁଡିକୁ ଯୋଗାଇ ଦେବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ ହେବା ଉଚିତ ।

ସରକାର ବର୍ତ୍ତମାନ ରାଜ୍ୟ ବଜେଟର ଦରମା, ପେନସନ୍ ଓ ସୁଧ ଦେୟ ଦେବାକୁ ସକ୍ଷମ ହୋଇ ପାରୁନାହାନ୍ତି । ରାଜ୍ୟର ରାଜସ୍ୱ ସଂଗ୍ରହ ପରିମାଣ, ପୁଞ୍ଜି ଯୋଗାଡ କରିବାର କ୍ଷମତା ଦିନକୁ ଦିନ କମି ଯାଉଛି । ସରକାର କାର୍ଯ୍ୟତଃ ଉତ୍କଟ ଆର୍ଥିକ ସଂକଟର ସମ୍ମୁଖିନ ହେଉଛନ୍ତି ।

ଆପଣଙ୍କ ମତରେ କେଉଁ ନମୂନା , ଦୃଷ୍ଟିଭଙ୍ଗୀ ନିକଟ ଭବିଷ୍ୟତରେ ଓଡିଶାକୁ ଏକ ସମୃଦ୍ଧିଶାଳୀ ରାଜ୍ୟରେ ପରିଣତ କରିବାରେ ସାହାଯ୍ୟ କରିପାରିବ?

ସୂତ୍ର ଭାରି ସରଳ । ପୁଞ୍ଜି ବିନିଯୋଗ ସମ୍ପଦ ସୃଷ୍ଟି କରେ । ଯେହେତୁ ଏହି ରାଜ୍ୟ ଆବଶ୍ୟକ ପୁଞ୍ଜି ସଂଗ୍ରହ କରିବାକୁ ଅକ୍ଷମ, ତେଣୁ ଆମେ ଅଧିକ ସଂଖ୍ୟକ ଘରୋଇ ପୁଞ୍ଜି ବିନିଯୋଗ ପ୍ରକ୍ରିୟାକୁ ଉତ୍ସାହିତ କରିବା ଜରୁରୀ । ବିନିଯୋଗକାରୀମାନେ ଯଦି ପ୍ରତିଯୋଗିତା ହାରରେ ନିଜର ପ୍ରାପ୍ୟ ପାଇବେ ତେବେ ରାଜ୍ୟକୁ ଘରୋଇ ପୁଞ୍ଜି ଆସିବାର ପଥ ସୁଗମ ହୋଇପାରିବ ।

ଓଡିଶାରେ ବର୍ତ୍ତମାନ ଯେତେ ସବୁ ଶିଳ୍ପ ରହିଛି, ସେମାନଙ୍କ ଭିତରେ ପର୍ଯ୍ୟଟନ, ଖଣି ଏବଂ ମତ୍ସ୍ୟ ସମ୍ପଦରୁ ଅଧିକ ଅର୍ଥ ଉପାର୍ଜନ ହୋଇପାରିବ । ଏହି ସବୁ ଉଦ୍ୟୋଗକୁ ଅଧିକ ଘରୋଇ ପୁଞ୍ଜି ଆକୃଷ୍ଟ କରିବା ଲାଗି ଓଡିଶାକୁ ସବୁମନ୍ତେ ଉଦ୍ୟମ କରିବାକୁ ପଡିବ ।

ରାଜ୍ୟ ବାହାରର ବିନିଯୋଗକାରୀ ପାଇଁ ଉପରେ ଉଲ୍ଲେଖ ରହିଥିବା ଉଦ୍ୟୋଗ ଗୁଡିକୁ ଲାଭଦାୟକ କରିବା ନିମନ୍ତେ ମୌଳିକ ଭିତ୍ତିଭୂମୀ ସୁବିଧା ସକାଶେ ବିନିଯୋଗ ବ୍ୟବସ୍ଥା ପ୍ରତି ଓଡିଶା ସରକାର ଆଗ୍ରହ ସୃଷ୍ଟି କରିପାରିଲେ ରାଜ୍ୟ ପାଇଁ ତାହା ବିନା ଦ୍ୱିଧାରେ ଅଧିକ ମଙ୍ଗଳକର ହେବ ।

ଘରୋଇ ପୁଞ୍ଜି ବିନିଯୋଗକାରୀମାନଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଉଥିବାରୁ ଓଡିଶା ଦିନକୁ ଦିନ ଗରୀବ ହେବାରେ ଲାଗିଛି ।

କୌଣସି ପ୍ରବାସୀ ଭାରତୀୟ ନତୁବା ଆଗ୍ରହୀ ବ୍ୟକ୍ତି ବିଶେଷ ପ୍ରକଳ୍ପର ଭିତ୍ତିଭୂମୀ ବିକାଶ ପାଇଁ ଆଗ୍ରହ ପ୍ରକାଶ କଲେ ସରକାର ଓ ଏହାର ବିଭିନ୍ନ ଏଜେନ୍ସି ଗୁଡିକ ସ୍ଥାନୀୟ ସ୍ତରରେ ସେମାନଙ୍କୁ ସମସ୍ତ ସାହାଯ୍ୟ ସହଯୋଗ କରିବା ଉଚିତ । ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପୃଷ୍ଟିକର ଏବଂ କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ଏଥିପ୍ରତି ଅଗ୍ରାଧିକାର ଦେବାକୁ ହେବ ।

ଏମିତି କେତେକ ପ୍ରବାସୀ ଓ ସ୍ଥାନୀୟ ଶିଳ୍ପଦ୍ୟୋଗୀ ଅଛନ୍ତି ଯେଉଁମାନଙ୍କୁ ଓଡିଶାର ଘରୋଇ ଉଦ୍ୟୋଗରେ ପୁଞ୍ଜି ବିନିଯୋଗ ଲାଗି ଆକୃଷ୍ଟ କରାଯାଇପାରିବ । ଓଡିଶାରେ ଭିତ୍ତିଭୂମୀର ସୁଯୋଗ ନଥିଲେ ମଧ୍ୟ ସେମାନେ ଏହାର ପଦ୍ଧତି ସମ୍ପର୍କରେ ପୂର୍ବରୁ ଅବଗତ ଥିବାରୁ ଏହାର ଫାଇଦା ନେଇପାରିବେ ।

ଆଇଟି କ୍ଷେତ୍ରରେ ଏହା କେତେକାଂଶରେ ସମ୍ଭବ ହୋଇଛି ଏବଂ କ୍ଷୁଦ୍ରକାୟ ହେଲେ ହେଁ କ୍ରମବର୍ଦ୍ଧିଷ୍ଣୁ ବାୟୋଟେକ୍ ଉଦ୍ୟୋଗରେ ପ୍ରଭାବ କ୍ରମଶଃ ଦୃଶ୍ୟମାନ ହେଉଛି । ଏଭଳି ପୁଞ୍ଜି ବିନିଯୋଗ ବୃଦ୍ଧି କରିବା ପାଇଁ ସରକାରଙ୍କୁ ଏକ ନିର୍ଦ୍ଧିଷ୍ଟ
ଅନୁକୂଳ ନୀତି ପ୍ରଣୟନ କରିବାକୁ ହେବ ।

ବର୍ତ୍ତମାନର ରାଜ୍ୟ ରାଜନେତାମାନଙ୍କ ସମ୍ପର୍କରେ ଆପଣଙ୍କର କିଛି କହିବାର ଅଛି କି? ଓଡିଶାର ସାମ୍ପ୍ରତିକ ପରିସ୍ଥିତି ଲାଗି ଆପଣଙ୍କ ଦୃଷ୍ଟିରେ ଦାୟୀ କିଏ ?

ମୁଁ’ ଭାବୁଛି ଅଧିକାଂଶ ରାଜନେତା ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଜାଣନ୍ତି । ଭିତ୍ତିଭୂମୀର ବିନିଯୋଗ ପାଇଁ ପୁଞ୍ଜି ବିନିଯୋଗ ଭଳି ଅଧିକ ପାଣ୍ଠିର ଆବଶ୍ୟକତା ପଡିଥାଏ । ତେବେ ଏହାର ପ୍ରତିଦାନ ଦୀର୍ଘକାଳୀନ ସୂତ୍ରରେ ମିଳିଥାଏ ।

ଉତ୍ତମ ଲୋକ ଏବଂ ଆବଶ୍ୟକୀୟ ସମ୍ବଳ ଥିଲେ ସମାଜରେ ଯେ କୌଣସି ପାର୍ଥକ୍ୟ ସୃଷ୍ଟି କରିବା ସମ୍ଭବପର ହୋଇପାରିବ । କାହାକୁ ଦାୟୀ କରିବା ପରିବର୍ତ୍ତେ ଆମେ ଉଦ୍ଧ୍ୱର୍କୁ ଉଠିବାର ଆବଶ୍ୟକତା ରହିଛି । ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ଲୋକଙ୍କ ମାଧ୍ୟମରେ ଆସିବା ସହ ଆବଶ୍ୟକସ୍ଥଳେ ଯେ କୌଣସି ସାହାଯ୍ୟର ସଦ ବିନିଯୋଗ କରିବା ବାଞ୍ଛନୀୟ
ହେବ ।

ଆପଣ ଆଉ ଦୁଇ ବର୍ଷ ଅଫିସରେ ରହିବେ । କେତେକ ନିର୍ଦ୍ଧିଷ୍ଟ ବିକାଶ ପ୍ରକ୍ରିୟା ହାତକୁ ନେବା ଲାଗି ବର୍ତ୍ତମାନର ପ୍ରଶାସନ ଉପରେ ଆପଣ କିଭଳି ଚାପ ସୃଷ୍ଟି କରିବେ?

ଗୋଟିଏ ସରକାରକୁ ଗଣମାଧ୍ୟମ କିମ୍ବା ବ୍ୟକ୍ତିଗତ ଯୋଗସୂତ୍ର ମାଧ୍ୟମରେ ଆମେ ପ୍ରଭାବିତ କରିବା ଅସମ୍ଭବ ବ୍ୟପାର । ରାଜନୈତିକ ଚାପ ସୃଷ୍ଟି କରିବା ଲାଗି ଜଣେ ବ୍ୟକ୍ତିର କ୍ଷମତା ରହିବା ଦରକାର । ଅବଶ୍ୟ ଏହା ଦୁଇ ପ୍ରକାରର । ଗୋଟିଏ ମତଦାନ ଏବଂ ଦ୍ୱିତୀୟଟି ହେଲା ଅର୍ଥ ।

ଆମେରିକାର ଓଡିଆ ସମ୍ପ୍ରଦାୟକୁ ସାମୁହିକଭାବେ ପ୍ରଥମେ ଏହାକୁ ପ୍ରତିପାଦିତ କରିବାକୁ ହେବ । ସରକାରଙ୍କୁ ପ୍ରଭାବିତ କରିବା ଲାଗି ନିଜ ହାତକୁ କ୍ଷମତା ଆଣିବା ପୂର୍ବରୁ ଏହି ସଙ୍ଗଠନ ଓଡିଶାର ଆର୍ଥିକ ପରିସ୍ଥିତିରେ ଆଖି ଦୃଶିଆ ପରିବର୍ତ୍ତନ ଆଣିବାକୁ ହେବ ।

ବର୍ତ୍ତମାନର ସରକାର ଓଡିଶାକୁ ଦେଶର ଇସ୍ପାତ ରାଜ୍ୟଭାବେ ଗଢି ତୋଳିବାକୁ ପ୍ରୟାସ କରୁଛନ୍ତି ଏବଂ ଏ
ସମ୍ପର୍କରେ ଆପଣଙ୍କ ମତାମତ କଣ?

ରାଜ୍ୟର ଇସ୍ପାତ ଶିଳ୍ପକୁ ଆକସ୍ମିକଭାବେ ପୁଞ୍ଜି ବିନିଯୋଗର ପ୍ରସ୍ତାବମାନ ଆସିବା ବାସ୍ତବିକ ଅଭୂତପୂର୍ବ ଓ
ସ୍ୱାଗତଯୋଗ୍ୟ ମଧ୍ୟ ।

ଓଡିଶା ଏକାକୀ ବାର୍ଷିକ ୪୪ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ଯୋଜନା କରୁଥିବା ଖବରକାଗଜରୁ ଜାଣିବାକୁ ପାଇଛି । ବର୍ତ୍ତମାନ ଭାରତରେ ପ୍ରତିବର୍ଷ ୩୪ ନିୟୁତ ଟନ୍ ଇସ୍ପାତ ଉତ୍ପାଦିତ ହେଉଛି ଏବଂ ବିଶ୍ୱର ଇସ୍ପାତ ଉତ୍ପାଦନ ତାଲିକାରେ ଏହାର ନାମ ନବମ ସ୍ଥାନରେ ରହିଛି ।

ପ୍ରସ୍ତାବିତ ଇସ୍ପାତ କାରଖାନା କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଅଭିବୃଦ୍ଧି ବ୍ୟାପକଭାବେ ହେବ ଏଥିରେ କୌଣସି ଦ୍ୱିଧା ନାହିଁ ।

ପ୍ରସ୍ତାବିତ କ୍ଷମତା ବୃଦ୍ଧି କାର୍ଯ୍ୟ ନିଶ୍ଚିତଭାବେ ଓଡିଶା ପାଇଁ ବୃହତ ଭିତ୍ତିଭୂମୀ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଶିଳ୍ପ ସମ୍ପ୍ରସାରଣ ସହ ଏହି ପ୍ରସ୍ତାବକୁ ଯୋଜନା ବଦ୍ଧଭାବେ ସଂପୂର୍ଣ୍ଣ କରିବାକୁ ହେବ ।

ଏଭଳି ଏକ ଉଚ୍ଚ ଉତ୍ପାଦନକ୍ଷମ ବ୍ୟବସ୍ଥା ଯୋଗୁଁ ଓଡିଶାର ଇସ୍ପାତ ଶିଳ୍ପକୁ ଅର୍ଥ ଏବଂ ମାନ ଦୃଷ୍ଟିରୁ ବିଶ୍ୱର ଅଗ୍ରଣୀ ଇସ୍ପାତ ଉତ୍ପାଦନ ରାଷ୍ଟ୍ର ଚୀନ, ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆସହି ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖିନ ହେବାକୁ ପଡିବ । କେବଳ ସେତିକି ନୁହେଁ ଲାଭପ୍ରଦ ହୋଇ ରହିବାସହ ବିଶ୍ୱ ବଜାରର ସମ୍ମୁଖିନ ହେବାକୁ ହେଲେ ପରିଚାଳନା କର୍ତ୍ତୃପକ୍ଷ, ଶ୍ରମିକ
ସର୍ବୋପରି ବ୍ୟୁରୋକ୍ରାଟମାନେ ସେମାନଙ୍କ ମତିଗତିରେ ପରିବର୍ତ୍ତନ ଆଣିବାକୁ ହେବ ।

ଆନ୍ତର୍ଜାତିକ ପୁଞ୍ଜି ବିନିଯୋଗ ପ୍ରକ୍ରିୟାର ଭଲ ଗୁଣ ସାଙ୍ଗକୁ ମନ୍ଦ ଗୁଣ ମଧ୍ୟ ରହିଛି । ବଜାରରେ ସ୍ଥାଣୁ ଅବସ୍ଥା ସୃଷ୍ଟି ହେଲେ ପୁଞ୍ଜି ବିନିଯୋଗକାରୀମାନେ ନିଜ ନିଜର ପୁଞ୍ଜି ଫେରାଇ ନେବାର ଭୟ ରହିଛି । ୧୦ ବର୍ଷ ତଳେ ଓଡିଶାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଟାଟା ଷ୍ଟିଲ୍, ଲାର୍ସନ୍ ଆଣ୍ଡ ଟୁବ୍ରୋ, ସ୍ୱରାଜ ପଲ୍ ଏବଂ ଅନ୍ୟ କେତେକ ଇସ୍ପାତ କାରଖାନା ସ୍ଥାପନ ଲାଗି ଆଗ୍ରହ ପ୍ରକାଶ କରିଥିଲେ ହେଁ ପରବର୍ତ୍ତୀ ପରିସ୍ଥିତିରେ ହଠାତ୍ ନିରବତା ଅବଲମ୍ବନ କରିଥିଲେ । ବର୍ତ୍ତମାନ ଓଡିଶାର ଇସ୍ପାତ ଉଦ୍ୟୋଗରେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି ।

ଓଡିଶାର ଅନ୍ୟ କୌଣସି ବିଷୟରେ କିଛି କହିବାର ଅଛି କି?

ମୁଁ ଭାବୁଛି ଆମେ ଓଡିଆମାନେ ନିଜ ନିଜର ଶତ୍ରୁ । ଆମେ ସବୁ ଏକ ନିର୍ଦ୍ଧିଷ୍ଟ ଢାଞ୍ଚାରେ ପଡି ଯାଇଛୁ । ଓଡିଶାକୁ ପ୍ରଗତିପଥରେ ନେବାକୁ ହେଲେ ଆମକୁ ବହୁ ଶ୍ରମ ସ୍ୱୀକାର କରିବାକୁ ହେବ । ଆମ ଭିତରେ ରହିଥିବା ଅନ୍ତର୍ନିହିତ ଶକ୍ତି ପ୍ରତି ଦୃଷ୍ଟି ଦେବାକୁ ହେବ ଏବଂ ସମସ୍ତେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସଭିଏଁ ମିଳିତଭାବେ ଆଗେଇ ଯିବାକୁ ହେବ ।

(ଓଡିଶା ଡଟ୍ କମ୍)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଓଡିଶା ସୋସାଇଟି ଅଫ୍ ଦି ଆମେରିକାନ୍ସ, ସଭାପତି ନିରଞ୍ଜନ ତ୍ରିପାଠୀ, ସାକ୍ଷାତକାର

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ