ସୁଧୀର ପଟ୍ଟନାୟକ
ରାଜ୍ୟରେ କୃଷକମାନଙ୍କ ଆତ୍ମହତ୍ୟା ଧାରାବାହିକ ଭାବେ ଚାଲିଛି । ଗୋଟିଏ ପରେ ଗୋଟିଏ ଯୁବଚାଷୀ ଆତ୍ମହତ୍ୟା କରିଚାଲିଛନ୍ତି । ଅଧିକାଂଶ ସବୁଜ ବିପ୍ଳବର ସୌଜନ୍ୟରୁ ମିଳିଥିବା କୀଟନାଶକ ପାନ କରି ମୃତ୍ୟୁବରଣ କରୁଛନ୍ତି । ଯେଉଁ କୀଟନାଶକ ପିଇ କୃଷକଟି ମରିଯାଉଛି, ସେହି କୀଟନାଶକ ଆମ ଜମି ୪୦ବର୍ଷରୁ ଊର୍ଦ୍ଧ୍ଵ କାଳ ଧରି ପିଇଆସିଛି ।
ଆମେ ବି ଫସଲ ଖାଇ ଆସିଛୁ । ସେ ଏକ ଭିନ୍ନ କଥା ଏବଂ ଏହାର ଆଲୋଚନା ଅନ୍ୟତ୍ର କରାଯାଇପାରେ । ଏବେ ପ୍ରଶ୍ନ ଉଠୁଛି ଯେ ରାଜ୍ୟରେ କୃଷକ ଆତ୍ମହତ୍ୟାର ଧାରାଟିକୁ ବନ୍ଦ କରାଯିବ କେମିତି? ବିଡ଼ମ୍ବନାର କଥା ଯେ ଏଭଳି ଏକ ଦାରୁଣ ଘଟଣାର ଧାରାବାହିକତା ଆମ ସମାଜକୁ ବିଚଳିତ କରୁନାହିଁ ।
ସାଧାରଣ ଲୋକେ ସ୍ୱତଃପ୍ରବୃତ୍ତ ଭାବେ ରାଜରାସ୍ତାକୁ ଓହ୍ଲାଇ ସରକାର ପାଖରେ ପ୍ରତିବାଦ କରୁନାହାନ୍ତି । ଯେଉଁ କୃଷକ ଲାଗି ନିଜେ ବଞ୍ଚି ରହିଛନ୍ତି, ସେହି କୃଷକର ମୃତ୍ୟୁରେ ସାମାନ୍ୟତମ ଶୋକ ନାହିଁ । ଆଗରୁ କେବେ ଏ ସମାଜଟି ଏତେ ସମ୍ବେଦନହୀନ ହେଇନଥିଲା । ଗହମ-ଚାଉଳର ବଜାରଟି ଚାଷୀ ଆଉ ସାଧାରଣ ମଣିଷ ଭିତରେ ବଡ଼ ବ୍ୟବଧାନଟିଏ ଛିଡ଼ା କରିଦେଇଛି ।
ସମାଜର ପ୍ରତିଟି ମଣିଷ ଯେମିତି ଗୋଟିଏ ଗୋଟିଏ ଖାଉଟି ହୋଇଯାଇଛନ୍ତି ଯେଉଁମାନଙ୍କର ଖାଦ୍ୟ ଉତ୍ପାଦନ କେମିତି ହେଉଛି ବା କିଏ କରୁଛି ଜାଣିବାର ଆବଶ୍ୟକତା ନାହିଁ । ସେମାନଙ୍କୁ ଦରକାର ବଜାରଟିଏ । ସେହି ବଜାରକୁ ଯାଇ କାଗଜନୋଟ ବଢ଼ାଇ ଦେଇ ମନ ମୁତାବକ ଖାଦ୍ୟ ଦରବ କିଣି ହୋଇଯିବ ।
ବଜାରକୁ ଆସୁଥିବା ଜିନିଷ ଭାରତୀୟ କୃଷକଙ୍କ ଝାଳ ରକ୍ତରେ ଉତ୍ପାଦିତ ହୋଇଛି କି ନାହିଁ ଜାଣିବା ବି ଦରକାର ନାହିଁ । ଅଷ୍ଟ୍ରେଲିଆ, ଥାଇଲାଣ୍ଡ ବା ମ୍ୟାଲେସିଆରୁ ଖାଦ୍ୟଦ୍ରବ୍ୟ ଆସି ଯଦି ଏଠି ମିଳିଯାଏ, ପଇସା ଦେଇ ତାକୁ କିଣାଯାଇପାରିବ । ଏଭଳି ଖାଦ୍ୟଶସ୍ୟ ବାହାରୁ ଆସିଲେ ଭାରତୀୟ ଚାଷୀ ନିଜ ଉତ୍ପାଦନ ବିକ୍ରି କରିନପାରି ଅଭାବୀ ବିକ୍ରିର ଶିକାର ହେଉନାହିଁ ତ? ଏଭଳି ପ୍ରଶ୍ନ ବା ମନକୁ ଆସିବ କାହିଁକି?
ବଜାରୀକରଣ, ଜଗତୀକରଣ ଓ ଉଦାରୀକରଣ ପ୍ରକ୍ରିୟାଟି ସମଗ୍ର ସମାଜକୁ ନିଜ ଲୋକଙ୍କ ପ୍ରତି ଉଦାସୀନ କରିଦେଇଛି । ସମଗ୍ର ଚାଷୀକୂଳ ଯେ ଅଭାବୀବିକ୍ରି, ଫସଲହାନୀ, ଋଣବୋଝ, ଖର୍ଚ୍ଚବହୁଳ ଚାଷର ଶିକାର ହେଉଛନ୍ତି, ତାହା କେବଳ ନୁହଁ । ସେମାନଙ୍କ ଚାରିପଟେ ଅଛି ସେମାନଙ୍କ ସମସ୍ୟା-ସ୍ଥିତିକୁ ଉପହାସ କରୁଥିବା ବା ଭୟଙ୍କର ଭାବେ ଉଦାସୀନ ରହିଥିବା ଏକ ଯନ୍ତ୍ରବତ୍ ସମାଜ ।
ସରକାରଟା ସ୍ୱାଧୀନ ଭାରତରେ କେବେ ବି କୃଷକର ନଥିଲା । ଶାସ୍ତ୍ରୀଜୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଯଦି ନଥାନ୍ତେ ଏବଂ ସବୁଜ ବିପ୍ଳବକୁ ଏ ଦେଶରେ ସଂସ୍ଥାପିତ କରିବାର ଯଦି ଯୋଜନା ବି ନଥାନ୍ତା ତେବେ ‘ଜୟ କିଶାନ’ର ନାରା ବି ଶୁଣିବାକୁ ମିଳିନଥାନ୍ତା । ବର୍ତ୍ତମାନ କେବଳ ଜୟ ଜବାନ, ଜୟ ପୋଲିସର ନାରା ହିଁ ଶୁଣିବାକୁ ମିଳୁଛି ।
କିଶାନର ଜୟଗାନ ସରକାର ବା କରିବେ କ’ଣ ପାଇଁ ? ସବୁଜ ବିପ୍ଳବ ଭିତରେ ସରକାର ବହୁରାଷ୍ଟ୍ରୀୟ କୃଷି କମ୍ପାନୀମାନଙ୍କର ଜୟ ଜୟକାର କରି ଆସିଛନ୍ତି । ୨୦୧୨-୧୩ରେ ଭାରତରେ ସକ୍ରିୟ ଥିବା ସାର କମ୍ପାନୀମାନେ ମିଳିତ ଭାବେ ୩କୋଟି ୨୪ଲକ୍ଷ ଟନ୍ ସାର ଉତ୍ପାଦନ କରିଛନ୍ତି । ତଥାପି ତାହା ଯଥେଷ୍ଟ ହୋଇନାହିଁ ଯେ ବାହାରୁ ଆମଦାନୀ କରାଯାଇଛି ।
ଏହା ସହ ପଢନ୍ତୁ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଆଶା କରାଯାଉଛି ଯେ ୨୦୧୭-୧୮ ସୁଦ୍ଧା ଏହି ଉତ୍ପାଦନ (ୟୁରିଆ, ଡାଇ ଆମୋନିଅମ୍ ଫସ୍ଫେଟ୍, ନାଇଟ୍ରୋଜେନ୍, ଫସ୍ଫେଟ୍ ଓ ପଟାସିଅମ୍ ଇତ୍ୟାଦି) ୬କୋଟି ୪୮ଲକ୍ଷ ୪୦ହଜାର ଟନରେ ପହଞ୍ଚିବ (କୃଷି ଜାଗରଣ, ଡିସେମ୍ବର ୧୬, ୨୦୧୪) । ବିହନ, ସାର ଓ କୀଟନାଶକ ତିଆରି କରୁଥିବା କମ୍ପାନୀମାନେ ଲକ୍ଷ ଲକ୍ଷ କୋଟି ଟଙ୍କାର ଲାଭ ଉଠାଉଥିବାବେଳେ ସେହି ସମୟକାଳ ଭିତରେ ଏ ଦେଶରେ ୩ଲକ୍ଷ କୃଷକ ଆତ୍ମହତ୍ୟା କରିସାରିଲେଣି ।
କେବଳ ଆମ ରାଜ୍ୟରେ ହିଁ ୩ହଜାରରୁ ଊର୍ଦ୍ଧ୍ଵ କୃଷକ ଆତ୍ମହତ୍ୟା କରିସାରିଲେଣି । ନ୍ୟାସନାଲ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ମୁତାବକ ଆମ ଦେଶରେ ସବୁଠାରୁ ଅଧିକ କୃଷକ ଆତ୍ମହତ୍ୟା ମହାରାଷ୍ଟ୍ର ଓ ତେଲେଙ୍ଗାନା ଅଞ୍ଚଳରେ ହୋଇଆସିଛି । ଓଡ଼ିଶାରେ କୃଷକ ଆତ୍ମହତ୍ୟା କ୍ଷେତ୍ର ଏତେଟା ପରିଚିତ ନଥିଲା ।
କିନ୍ତୁ ଗତ ୨ସପ୍ତାହର ଘଟଣାପ୍ରବାହ ସୂଚାଇ ଦେଉଛି ଯେ କୃଷକ ଆତ୍ମହତ୍ୟା ଆମ ରାଜ୍ୟରେ ମଧ୍ୟ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ୨୦୦୮-୦୯ରେ ମଧ୍ୟ ଧାରାବାହିକ ଭାବେ କୃଷକ ଆତ୍ମହତ୍ୟା ନଜରକୁ ଆସିବାରୁ ନବୀନ ସରକାର ବାଧ୍ୟହୋଇ ଆନ୍ତରିକତା ବିହୀନ ମଣିଷମାନଙ୍କୁ ନେଇ ଏକ ରାଜ୍ୟ କୃଷକ କମିଶନ ତିଆରି କରିଥିଲେ ଯାହାର ଅଧ୍ୟକ୍ଷ ଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁମୋହନ ପଟ୍ଟନାୟକ ।
ଆଉ ଯେଉଁମାନେ ସଦସ୍ୟ ଥିଲେ ସେମାନେ କୃଷି ଓ କୃଷକର ସମସ୍ୟା ପ୍ରତି କେବେ ସମ୍ବେଦନଶୀଳ ଥିବାର ଦୃଷ୍ଟାନ୍ତ ସେମାନଙ୍କ ନିଜର ବୃତ୍ତିଗତ ଇତିବୃତ୍ତିରୁ ଜଣାପଡ଼େ ନାହିଁ । ଡଃ ଡି.ପି.ରାୟ ଓ.ୟୁ.ଏ.ଟି.ର ବିବାଦମାନ କୁଳପତି ଜଣେ ସଦସ୍ୟ ଥିଲେ । ଆଉ ଜଣେ ସଦସ୍ୟ ଥିଲେ ଅନ୍ୟ ଏକ ବିବାଦମାନ ବ୍ୟକ୍ତିତ୍ୱ ଡଃ ନିରଞ୍ଜନ ପଣ୍ଡା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ।
ରାଜ୍ୟ ଅର୍ଥ ଆୟୋଗ ଅଧ୍ୟକ୍ଷ ଡଃ ସୁଧାକର ପଣ୍ଡା ବି ଜଣେ ସଦସ୍ୟ ଥିଲେ । ସେମାନଙ୍କ ରିପୋର୍ଟ କ’ଣ ଥିଲା ସବୁ କଥା ଲୋକଲୋଚନକୁ ଆସିନାହିଁ । ତେବେ ସେମାନେ ଯେ ସମସ୍ୟାର ଉଚିତ ଅନୁଧ୍ୟାନ କରି ସୁଚିନ୍ତିତ ମତବ୍ୟକ୍ତ କରିଥିବେ, ଜାଣିବାଶୁଣିବା ଲୋକମାନଙ୍କର ବିଶ୍ୱାସ ନଥିଲା ।
ସେମାନଙ୍କ ଭିତରୁ କେହି କେହି ସେ ସମୟର ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟକୁ ଅନୁଧ୍ୟାନ କଲେ ଜଣାପଡ଼ୁଥିଲା ଯେ ଏମାନେ ସମସ୍ୟାର ପାଖତଡ଼ ବି ମାଡ଼ିପାରିବେ ନାହିଁ । ଏବେ ସରକାର ତରବରିଆ ଭାବେ ପ୍ରତିକାର ପାଇଁ ପ୍ୟାକେଜ୍ ଘୋଷଣା କରିସାରିଲେଣି । ସେଥିରେ କୃଷକ ଆତ୍ମହତ୍ୟାର କାରଣ ବାହାର କରି ପ୍ରତିକାରର ବାଟ ବାହାର କରିବା ଚିନ୍ତା ପ୍ରତିଫଳିତ ହେଉନାହିଁ ।
ବରଂ ସରକାର କେବଳ ମରୁଡ଼ି ପ୍ରତିକାର ପାଇଁ ପଦକ୍ଷେପ ନେଲାଭଳି ମନେ ହେଉଛି ଯେଉଁଥିପାଇଁ ତାଙ୍କୁ ୧ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ପଇସା ଖର୍ଚ୍ଚକରି କୃଷକ ଆତ୍ମହତ୍ୟା ସମସ୍ୟାର ସମାଧାନ ଯେ କରିହେବ ନାହିଁ ସରକାର ବୁଝିବା ଦରକାର ।
ଆତ୍ମହତ୍ୟା କରୁଥିବା କୃଷକମାନଙ୍କ ଭିତରେ ଅଧିକାଂଶ ଭାଗଚାଷୀ ବା ନାମକୁମାତ୍ର ଚାଷୀ । ବଡ଼ ଚାଷୀ କେହି ଆତ୍ମହତ୍ୟା କରୁନାହାନ୍ତି । ଆମ କୃଷି ବ୍ୟବସ୍ଥାଟିକୁ ଏମିତି କରିଦିଆଯାଇଛି ଯେ ତାହା କେବଳ ବଡ଼ଚାଷୀଙ୍କୁ ସୁହାଇବ । ଛୋଟ ଚାଷୀ ପାଇଁ ସବୁଜ ବିପ୍ଳବର ଚାଷ ସୁହାଇ ପାରୁନାହିଁ ବୋଲି ପ୍ରମାଣିତ ହୋଇସାରିଲାଣି ।
ଯେଉଁ ଚତୁର ଚାଷୀମାନେ ଭାଗଚାଷୀ ହାତରେ ଜମିଖଣ୍ଡକ ଦେଇ ଦେଇଛନ୍ତି ସେମାନେ ପ୍ରକୃତରେ ଦୁର୍ଦ୍ଧଶାଟିକୁ ତା’ ହାତରେ ସମର୍ପଣ କରିଦେଉଛନ୍ତି । ଜମିର ଆକର୍ଷଣ ଓ ସ୍ୱାଧୀନ ଭାବେ ଚାଷ କରିବାର ସୁଯୋଗଟି ପାଇଁ ସେ ଯେଉଁ ଭଲ ଏକ ଜୀବନର ସ୍ୱପ୍ନ ଦେଖୁଛି, ତାହା ଦିନ କେତୋଟିରେ କେତେ ବଡ଼ ଦୁଃସ୍ୱପ୍ନଟିଏ ଥିଲା ପ୍ରମାଣିତ ହୋଇଯାଉଛି । ସେ କ ରୁ କ୍ଷ’ ଯାଏଁ ସବୁ ବଜାରରୁ କିଣିବାକୁ ପଡ଼ୁଛି-ତାହା ପୁଣି ଋଣ କରି ।
ବିହନ କିଣିବ, ସାର କିଣିବ, କୀଟନାଶକ କିଣିବ, ପାଣି କିଣିବ, ଟ୍ରାକ୍ଟର ଓ ଶ୍ରମ ଭଡ଼ାରେ ନେବ । ସବୁ ପାଇଁ ପଇସା ଦରକାର । ଏତେସବୁ କଲାପରେ ଫସଲ ଉଜୁଡ଼ିଗଲେ ଅବା ହେଇଥିବା ଫସଲର ବିକ୍ରିବଟା ଭଲ ଦରରେ ନହେଲେ ତା’ର ଭେଳା ବୁଡ଼ିଲା । ଏଭଳି ଏକ ଚକ୍ରବ୍ୟୁହ ଭିତରେ ଭାଗଚାଷୀ ବା ନାମକୁମାତ୍ର ଚାଷୀ ପଶିଯାଉଛି, ବାହାରି ପାରୁନାହିଁ ।
ଏହି ଚକ୍ରବ୍ୟୁହକୁ ଏ ଦେଶର ଚାଷୀକୂଳ ବୁଝିପାରିଥିଲେ ମୂଳରୁ ସବୁଜ ବିପ୍ଳବ ଆଡ଼କୁ ସରକାରୀ ପ୍ରୋତ୍ସାହନ ସତ୍ୱେ ଯାଇନଥାନ୍ତେ ବା ସବୁଜ ଆତଙ୍କକୁ ପ୍ରତିରୋଧ ନ କରିପାରି ହୁଏତ ଚାଷକୁ ଛାଡ଼ନ୍ତେ । ଏବେ ତାହାହିଁ ହେବ ଅଧିକାଂଶ ଚାଷୀ ଚାଷ ଛାଡ଼ିବେ । ସହରକୁ ଯାଇ ଦାଦନ ଖଟିବେ, କିନ୍ତୁ ଚାଷକରିବେ ନାହିଁ ।
ସେମାନେ ଛାଡ଼ିବା ଚାଷଜମି ବଡ଼ଚାଷୀ ବା କମ୍ପାନୀମାନେ କିଣିବେ ବା ଠିକାରେ ନେଇ ଚାଷ କରିବେ । ସେମାନଙ୍କୁ ସବୁପ୍ରକାର ଋଣ ସୁଲଭ ଦରରେ ମିଳିବ ଓ ପର୍ଯ୍ୟାପ୍ତ ପରିମାଣରେ ରିହାତି ପାଇବେ । କାହାଠୁ ଧାର କରଜ କରିବାକୁ ପଡ଼ିବନି । ସବୁ ସରକାର ବା ତାଙ୍କ ବ୍ୟାଙ୍କମାନେ ଯୋଗାଇ ଦେବେ ।
ଆମକୁ ଏ କଥାଟିକୁ ହଜମ କରିବାକୁ ପଡ଼ିବ ଯେ ଭାରତୀୟ କୃଷିକୁ ବଡ଼ଚାଷୀମାନଙ୍କ ପାଇଁ ହିଁ ପ୍ରସ୍ତୁତ କରାଯାଇଛି – ସବୁଜ ବିପ୍ଳବ ମାଧ୍ୟମରେ । ଗୁଣସୂତ୍ର ବିପ୍ଳବ ମାଧ୍ୟମରେ ବଡ଼ଚାଷୀ ଓ ବଡ଼ କମ୍ପାନୀମାନଙ୍କ ଭାଗୀଦାରିତାର କୃଷି ଆଡ଼କୁ ଆମକୃଷିକୁ ଟଣାଯାଉଛି ।
ସେଥିପାଇଁ କୃଷକ ଆତ୍ମହତ୍ୟାର ଅନ୍ତ ନାହିଁ । ଯେକୌଣସି ପ୍ୟାକେଜ୍ ଘୋଷଣା କଲେ ବି ତାହା ମୂଲ୍ୟହୀନ ହେଇଯିବ । ଆମେ ବରଂ ସରକାରଙ୍କ ନିକଟରେ ଦାବୀ କରିବା କଥା ଯେ ଓଡ଼ିଶାର ଚାଷୀକୂଳର ଚାଷ ଜମିର ପରିମାଣ ଓ କ୍ଷେତ ସହ ସମ୍ପର୍କକୁ ହିସାବ କରି କେମିତି ଆମ ରାଜ୍ୟରେ ଅନ୍ତତଃ ବିନା ପୁଞ୍ଜି ବିନିଯୋଗରେ କୃଷି କେମିତି କରାଯାଇପାରିବ, ସେଥିପାଇଁ ଅଧିକ ଦୃଷ୍ଟି ଦେବେ ।
ଏଭଳି ଏକ କୃଷିପାଇଁ ଆୟୋଗଟିଏ ଗଠନ କରାଯାଉ । ବିଶିଷ୍ଟ ଜୈବଚାଷୀ ନଟବର ଷଡ଼ଙ୍ଗୀ ଓ ଅନ୍ୟତ୍ର ଏକାପ୍ରକାର ଜୈବକୃଷିର ପ୍ରଶିକ୍ଷଣ ଦେଉଥିବା ବିଶିଷ୍ଟ ଚାଷୀ ସୁବାସ ପାଲେକର ଭଳି ବ୍ୟକ୍ତିଙ୍କୁ ସେହି ଆୟୋଗରେ ନିଆଯାଉ । ଖର୍ଚ୍ଚବହୁଳ ରାସାୟନିକ କୃଷିରୁ ବିନା ଖର୍ଚ୍ଚରେ ଜୈବଚାଷ ଆଡ଼କୁ ଫେରିବା ପାଇଁ ୨/୩ ବର୍ଷ ସମୟ ଲାଗିବ ।
ସେହି ସମୟ ପାଇଁ ସରକାର ସମ୍ପୂର୍ଣ୍ଣ ଅର୍ଥ ସାହାଯ୍ୟ ତଥା ମଜୁରୀ ଭିତ୍ତିକ କର୍ମ ଯୋଗାଣ କଥା ଚିନ୍ତା କରନ୍ତୁ । ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧିନରେ ଥିବା ସମସ୍ତ ଫାର୍ମ ତଥା ଜମିକୁ ଜୈବ ବିହନ ଉତ୍ପାଦନ ପାଇଁ ବିନିଯୋଗ କରନ୍ତୁ । ଏ ବାବଦରେ ଅଧିକ କ’ଣ କରିହେବ, ସରକାର ମତାମତ ମଧ୍ୟ ସଂଗ୍ରହ କରନ୍ତୁ ।
ସୁତରାଂ, କୃଷି କୃଷକଙ୍କୁ ବଞ୍ଚାଇବା ପାଇଁ ଅସଲ ଓ ଆନ୍ତରିକ ଉଦ୍ୟମ ଆରମ୍ଭ କରାଯାଉ । ଉଭୟ ସରକାର ଓ ସମାଜ ସମ୍ବେଦନଶୀଳ ନ ହୋଇପାରିଲେ କୃଷକଙ୍କ ସ୍ୱର୍ଗଯାତ୍ରାକୁ ରୋକାଯାଇ ପାରିବନି ଏବଂ ଏକ ସୁନ୍ଦର ଭବିଷ୍ୟତର ନିର୍ମାଣ କରିହେବ ନାହିଁ । ଏଠି ସ୍ମରଣ କରାଇଦେବା ଉଚିତ ହେବ ଯେ ଏଯାଏଁ ଜଣେବି ଜୈବ ଚାଷୀ ବା ଦେଶୀ ପଦ୍ଧତିରେ ଚାଷ କରୁଥିବା ଭାଗଚାଷୀ ଆତ୍ମହତ୍ୟା କରିନାହାଁନ୍ତି ।
(ସୌଜନ୍ୟ- ସମଦୃଷ୍ଟି)
ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।