• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସୋନପୁର୍

ଓଡିଶାର ବାଂଧ କଳା; ୧୦ଟି ଜାଣିବା କଥା

June 9, 2016 by ନିଉଜ ଡେସ୍କ 1 Comment

Sonepur Blue Silk Saree
ଟାଇ ଓ ଡାଇ ପ୍ରକ୍ରିୟାରେ ତିଆରି ହୋଇଥିବା ଏକ ସୋନପୁର ଶାଢୀ ସୌଜନ୍ୟ: ବୟନିକା

 

କେଦାର ମିଶ୍ର

ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତ ର ପ୍ରମୁଖ ଭୂମିକା ରହିଛି।ସୁତା ଓ ସିଲକ୍ ରେ ପ୍ରସ୍ତୁତ ହସ୍ତତନ୍ତର ବହୁ ଡିଜାଇନ୍ ପୃଥବୀ ସାରା ଓଡିଶାର ପରିଚୟକୁ ମହିମାମଣ୍ଡିତ କରିଛି।

ଶହ ଶହ ବର୍ଷ ଧରି ଓଡିଶାର ହାତ ବୁଣା ଲୁଗା ଦେଶ ବିଦେଶରେ ଆଦର ଲାଭ  କରିଛି। ସମ୍ବଲପୁର୍, ସୋନପୁର୍, ବୌଦ, ତିଗିରିଆ ଇତ୍ୟାଦି ସ୍ଥାନରେ ବୁଣା ଯାଉଥିବା ହସ୍ତତନ୍ତ ଲୂଗା ର ନିଜସ୍ଵ ଶୈଳୀଓ ସ୍ଵାତନ୍ତ୍ର୍ୟ ରହିଛି।

ତେବେ ସୋନପୁର୍, ବରଗଡ ଓ ବୌଦ ଜିଲ୍ଲା ର ବୁଣାକାର ମାନେ ଏକ ସ୍ଵତନ୍ତ୍ର ଶୈଳୀରେ ବୁଣୁଥିବା ବାଂଧ ଲୁଗାର କଲାତ୍ମକତା , କାରିଗରୀ ଓ ସୌନ୍ଦର୍ଯ୍ୟ ସବୁଠୁ ଅଲଗା।ଏହି ବିରଳ ବାଂଧ କଳା ସମ୍ପର୍କରେ ଜାଣିବା-

୧.  ବାଂଧ ଶବ୍ଦର ମୂଳ ଅର୍ଥ ହେଉଛି ବାନ୍ଧିବା। ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରେ ଏହି ବୟନ କୌଶଳ କୁ ଟାଏ ଆଣ୍ଡ୍ ଡାଏ ବୋଲି କୁହାଯାଇଥାଏ ।ଇଣ୍ଡୋନେସିଆ ରେ ଏହାକୁ ଇକକତ୍ ବୋଲି ମଧ୍ୟ କୁହାଯାଏ।

ଭାରତର ଓଡିଶା ସମେତ ଗୁଜରାଟ୍, ଛତିଶଗଡ, ଆନ୍ଧ୍ର ଓ ତାମିଲନାଡୁ ଇତ୍ୟାଦି ରାଜ୍ୟର ବୁଣାକାର ମାନେ ଏହି କଳା କୌଶଳ ଅବଲମ୍ବନ କରିଥାନ୍ତି।

୨.  ବାଂଧ କଳା ରେ ବସ୍ତ୍ର ବୟନ ର ବହୁ ପୁର୍ବରୁ ସୁତା ରେ ଗନ୍ଥୀ ପକେଇ ଆବଶ୍ୟକୀୟ ଡିଜାଇନ୍ ପ୍ରସ୍ତୁତ କରାଯାଇଥାଏ। ଅନ୍ୟ ବୟନ କଳାରେ ତନ୍ତ ଉପରେ କିମ୍ବା ବସ୍ତ୍ର ପ୍ରସ୍ତୁତି ପରେ ଡିଜାଇନ୍ କରାଯାଇଥାଏ।ପ୍ରିଣ୍ଟ୍, କଢେଇ କିମ୍ବା ବୁଣେଇ କୌଶଳ ଠାରୁ ବାଂଧ କଳା ନିତାନ୍ତ  ଅଲଗା।

ଏଥିରେ ସୁତାର ଗୋଂଠି ଓ ଖୋଲା ଅଂଶ ଭିତରେ ସମନ୍ଵୟ ରଖି ରଂଗ ରେ ସୁତା କୁ ବୁଡା ଯାଏ।ବାନ୍ଧିବା (tye) ଓ ରଂଗ କରିବା (dye) ର ଏହି ସୁକ୍ଷ୍ମ କଳା କୌଶଳ ଓଡିଶାର ବୁଣାକାର ମାନଂକ ହାତରେ ବିକଶିତ ହୋଇଛି।

୩. ପୁରୁଷାନୁକ୍ରମେ ପଶ୍ଚିମ ଓଡିଶାର କେତେକ ବୁଣାକାର ଜାତି ଏହି କଳା କୌଶଳକୁ ବଂଚାଇ ରଖିଛନ୍ତି। ପୁରା ପରିବାର ବାଂଧ ନିର୍ମାଣ, ରଂଗ ତିଆରି, ରଂଗ ପ୍ରୟୋଗ, ବନ୍ଧ ଖୋଲା ଓ ବୁଣା କାମରେ ନିୟୋଜିତ ରୁହନ୍ତି।

boya_saree_106_2ପାରମ୍ପାରିକ ଡିଜାଇନ୍ ଯଥା – ମାଚ୍ଛ, ଗଚ୍ଛ,ଲତା, ପତ୍ର, ଲକ୍ଷ୍ମୀ  ପାଦ, ଝୋଟି , ହଂସ, କୁମ୍ଭ, ଗଜ, ସିଂହ, ମୟୂର, ପଦ୍ମ, ତ୍ରିଭୁଜ, ଚୌକ ଇତ୍ୟାଦି ର ଚିତ୍ର କୁ ସୁତାର ଗୋଂଠି ରେ ଆଁକିବାକୁ ପଡେ। ଏହା ହିଁ ବାଂଧ କଳାର ସବୁଠୁ ବଡ ଆକର୍ଷଣ।

୪. ଅନେକ ସମୟରେ ପ୍ରାକୃତିକ ପଦାର୍ଥ ଯଥା ଗଛର ଛେଲି, ପତ୍ର, ପଥର, ଅଂଗାର, ହରିତାଳ, ଗୁଗୁଲ ଇତ୍ୟାଦି ର ମିଶ୍ରଣରେ ପ୍ରାକୃତିକ ରଂଗ ପ୍ରସ୍ତୁତ କରାଯାଇଥାଏ ।

ତେବେ ବର୍ତ୍ତମାନ ସମୟରେ ରାସାୟନିକ ରଂଗର ପ୍ରୟୋଗ ମଧ୍ୟ କରାଯାଉଛି।ରଂଗ ଓ ବନ୍ଧର ଭାଗମାପ ତଥା  ଏକ ଅମୂର୍ତ୍ତ କାନଭାସ୍ ରେ ଚିତ୍ର ନିର୍ମାଣ କରିବାର ଜଟିଳ ଓ ସୂକ୍ଷ୍ମ କାର୍ଯ୍ୟଟି ବାଂଧ ଶିଳ୍ପୀ କରିଥାଏ ।

୫. ଐତିହାସିକ ଦୃଷ୍ଟିରୁ ଓଡିଶାରେ ବାଂଧ କଳାର ଉତ୍ପତ୍ତି ସମ୍ପର୍କରେ କୌଣସି ତଥ୍ୟ ମିଳେ ନାହିଁ। ଶହ ଶହ ବର୍ଷ ଧରି କୌଳିକ ବୃତ୍ତି ଭାବରେ ଓ ବଂଶାନୁକ୍ରମିକ କଳା ଭାବରେ ଏହାକୁ ବୁଣାକାର ମାନେ ଗତିଶୀଳ କରିଚାଲିଛନ୍ତି।ପୁରୁଣା ରେକର୍ଡ଼ ଅନୁଯାୟୀ ବିଦେଶରେ ବାଂଧ ଶାଢୀ  ର ପ୍ରଦର୍ଶନୀ ୧୬୬ ବର୍ଷ ଆଗରୁ ଅନୁଷ୍ଠିତ ହୋଇଥିଲା।

୧୮୫୦ ମସିହାରେ ଲଣ୍ଡନ ସ୍ଥିତ ଭିକଟୋରିଆ- ଆଲବର୍ଟ୍ ସଂଗ୍ରହାଳୟ ରେ ସମ୍ବଲପୁରୀ ବାଂଧ ଶାଢୀ ର ପ୍ରଦର୍ଶନୀ ହୋଇଥିଲା।

ଏହି ସଂଗ୍ରହାଳୟ ସମେତ ପ୍ୟାରିସ୍ ରେ ମଧ୍ୟ ଏହି ସମୟ ରେ ସମ୍ବଲପୁରୀ ବାଂଧ ଶାଢୀ ପ୍ରଦର୍ଶନ କରାଯାଇଥିଲା।

୬. ଅଶୀ ଦଶକରେ ଓଡିଶାର  ହସ୍ତତନ୍ତ ଓ ବାଂଧ ଶାଢୀ କୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ  ଭୂମିକା ଅବିସ୍ମରଣୀୟ। ସେ ଥିଲେ ସେ ସମୟରେ ବାଂଧ ଶାଢିର ଏକପ୍ରକାର ବ୍ରାଣ୍ଡ୍ ଆମବାସାଡର୍।

୭. ସ୍ଵାଧିନତା ପରେ ଏହି କଳା ର ବିକାଶ ଲାଗି ସମବାୟ ସମିତି ଜରିଆରେ ସରକାରୀ ପ୍ରୋତ୍ସାହନ ଦିଆଗଲା। ତେବେ ଏହି ସୂକ୍ଷ୍ମ ଓ ଅନନ୍ୟ କଳାର ବଜାର ସୃଷ୍ଟି କରିବାରେ ଏଯାବତ୍ କୌଣସି ଠୋସ୍ ଉଦ୍ୟମ କରାଯାଇନାହିଁ।

ବାଂଧ ର ପାରମ୍ପାରିକ ଡିଜାଇନ୍ ସବୁ ଆସ୍ତେ ଆସ୍ତେ  ଲିଭିଯିବାକୁ ବସିଲାଣି, ଏହାର ସଂରକ୍ଷଣ ପାଇଁ କୌଣସି ସରକାରୀ ଯୋଜନା ନାହିଁ।

୮.  ବାଂଧ କଳାର ବିକାଶ ଓ ବଜାର ସୃଷ୍ଟି କ୍ଷେତ୍ରରେ ବରପାଲି, ବରଗଡ ଓ ସୋନପୁରର କେତେଜଣ ସୃଜନଶୀଳ ଶିଳ୍ପୀ ନିଜର ପ୍ରଚୁର ଅବଦାନ ଦେଇ ଯାଇଛନ୍ତି। ଷାଠିଏ ଓ ସତୁରୀ ଦଶକରେ କୃତାର୍ଥ ଆଚାର୍ଯ୍ୟ ସମ୍ବଲପୁରୀ ବାଂଧ କଳାର ବିକାଶ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିଥିଲେ।

ତାଂକ  ସହିତ ହସ୍ତତନ୍ତ ଡିଜାଇନ୍ ପ୍ରସ୍ତୁତି କ୍ଷେତ୍ରରେ ଯଦୁନାଥ ସୂପକାର୍ ଅନେକ ଅଭିନବ ପ୍ରୟୋଗ କରିଥିଲେ।ଉଭୟ ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ସୂପକାରଂକୁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।

୯. ପରବର୍ତୀ ସମୟରେ ବୁଣାକାର ଶିଳ୍ପୀ ଭାବରେ ମୋହନ ମେହେର, ପଦ୍ମଶ୍ରୀ କୁଂଜବିହାରୀ ମେହେର, ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ପଦ୍ମଶ୍ରୀ କୈଳାସ ମେହେର ପ୍ରମୁଖ ବାଂଧ କଳାରେ ଅନେକ ନୂତନ ପ୍ରୟୋଗ ମାନ କରିଛନ୍ତି।

ସୋନପୁରର ପ୍ରଖ୍ୟାତ ବାଂଧ ଶିଳ୍ପୀ ସ୍ବର୍ଗତ ମୋହନ  ମେହେର ସଂଗୀତ, ସାହିତ୍ୟ ଓ ବାଂଧ କଳାର ଅପୂର୍ବ ସମନ୍ଵୟ ସୃଷ୍ଟି କରି ବହୁ ନୂତନ ବାଂଧ ତିଆରି କରି ଯାଇଛନ୍ତି।

ଚତୁର୍ଭୁଜ ମେହେର ଜଣେ ଅପୂର୍ବ କୁଶଳୀ ବୁଣାକାର ଓ ବାଂଧ ର ବଜାର କୁ ସମ୍ପ୍ରସାରିତ କରିବାରେ ଜଣେ ଅଗ୍ରଣୀ ସାରଥୀ।

୧୦. ଓଡିଶାରେ ପ୍ରାୟ ଅଢେଇ ଲକ୍ଷ ବୁଣାକାର ରହିଛନ୍ତି ଓ ସେମାନଂକ ଭିତରୁ ଅଳ୍ପ କେତେଜଣ ବାଂଧ କଳା ଲାଗି ଉତ୍ସାହୀ। ବାଂଧ ଲାଗି ପ୍ରଚୁର ପରିଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡୁଥିବାବେଳେ ଏହାର ବଜାର ମୂଲ୍ୟ ସେତେ ବେଶୀ ନୁହଁ।

ତେଣୁ ଅଧିକରୁ ଅଧିକ ବୁଣାକାର  ସିଲକ୍ ଓ ବମକାଇ କାମରେ ମନ ଦେଉଛନ୍ତି।ପୁରୁଣା କାରିଗରୀ ର ଶକଟାପର ଏବେ ଆଉ ଦେଖିବାକୁ ମିଳୁନାହିଁ।ସେହିପରି ଦୋ ମୁହିଁ ( ଦୁଇ ଆନଚଲ୍ ଥିବା ଶାଢୀ) ମଧ୍ୟ ଏବେ ପ୍ରାୟ ବିରଳ ।

ଓଡିଶା ଡଟକମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ Tagged With: କୌଶଳ, ପଶ୍ଚିମ ଓଡିଶାର, ବରଗଡ ଓ ବୌଦ, ବାଂଧ ଲୁଗା, ସୋନପୁର୍

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ