• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍ଥାପତ୍ୟ

ରାଣୀପୁର-ଝରିଆଲର ଚଉଶଠି ଯୋଗିନୀ ମନ୍ଦିର ସମ୍ପର୍କରେ ଦଶଟି ତଥ୍ୟ

June 21, 2016 by ନିଉଜ ଡେସ୍କ 3 Comments

ranipur5

କେଦାର ମିଶ୍ର

ରାଣୀପୁର-ଝରିଆଲ, ବଲାଂଗିର ଜିଲ୍ଲାର ଟିଟିଲାଗଡ ସହର ପାଖାପାଖି ଦୁଇଟି ଛୋଟିଆ ଗାଁ। ଏ ଦୁଇ ଗାଁ କୁ ସଂଯୋଗ କରୁଛି ଏକ ବିଶାଳକାୟ ପଥର ଚଟାଣ । ଚଟାଣ ର କେନ୍ଦ୍ରରେ ଛାତ ନଥିବା ଏକ ଗୋଲାକାର ମନ୍ଦିର। ଏ ପ୍ରକାର ମନ୍ଦିର ଓଡିଶାର ସ୍ଥାପତ୍ୟ ଇତିହାସରେ ମାତ୍ରା ଦୁଇଟି ।

ରାଣିପୁର-ଝରିଆଲ ବ୍ୟତୀତ ଖୁର୍ଧା ଜିଲ୍ଲାର ହୀରାପୁର ଠାରେ ଏମିତି ଆଉ ଏକ ମନ୍ଦିର ରହିଛି। ତେବେ ହୀରାପୁର ମନ୍ଦିର ଆକାରରେ ଯଥେଷ୍ଟ ଛୋଟ। ରାଣିପୁର-ଝରିଆଲର ବିଶାଳକାୟ ପଥର ଉପରେ ନିର୍ମିତ ଏହି ବିଚିତ୍ର ଦେଉଳର ନାମ ଚୌଶଠି ଯୋଗିନୀ ମନ୍ଦିର।

ranipur-jharialଭାରତୀୟ ତନ୍ତ୍ର ପରମ୍ପରାରେ ଯୋଗିନୀ ହେଉଛନ୍ତି ଦେବୀଂକ ଅଂଗରୁ ଜାତ ହୋଇଥିବା ଲୌକିକ ଶକ୍ତି। କୌଳ ତନ୍ତ୍ର ଅନୁସାରେ ଦେବୀଂକୁ କୁଳ ଓ ଶିବଂକୁ ଅକୁଳ ବୋଲି କୁହାଯାଇଥାଏ । ଶିବଂକୁ କେନ୍ଦ୍ରକରି ଦେବୀଙ୍କର ୬୪ ସ୍ଵରୂପ ଯୋଗିନୀ ରୂପରେ ନୃତ୍ୟ କରୁଥାନ୍ତି। ଉତ୍ତର ଓ ପୂର୍ବ ଭାରତରେ ମାତ୍ର କେତୋଟି ଯୋଗିନୀ ମନ୍ଦିର ରହିଛି।

ଶାହଡୋଲ୍, ଖଜୁରାହୋ, ଭେଡାଘାଟ ଓ ଗୋଆଲିଅର ସମେତ ଓଡିଶାରେ ଦୁଇଟି ୬୪ ଯୋଗିନୀ ମନ୍ଦିର ରହିଛି । ଭାରତୀୟ ତନ୍ତ୍ର ପରମ୍ପରାର ଏକ ଅଳ୍ପଚର୍ଚିତ କିନ୍ତୁ ଅଧିକ ଗୁରୁତ୍ଵ ବହନ କରୁଥିବା ୬୪ ଯୋଗିନୀ ମନ୍ଦିରକୁ ନେଇ କିଛି କଥା-

୧। ଯୋଗିନୀ ତନ୍ତ୍ରକୁ କୌଳ ତନ୍ତ୍ର ବା ସୋମ ତନ୍ତ୍ର ବୋଲି କୁହାଯାଇଥାଏ। ଶୈବ-ତନ୍ତ୍ର ର ଏକ ପ୍ରମୁଖ ଧାରାକୁ ମତ୍ତ ମୟୂର ଶାଖା ବୋଲି କୁହାଯାଉଥିଲା ।

ranipur-2ଏହି ଧାରାର ଜଣେ ପ୍ରମୁଖ ସାଧକ “ଗଗନଶିବ” ରାଣିପୁର –ଝରିଆଲରେ ସାଧନା କରିଥିଲେ ବୋଲି ଏକ ଶିଳାଲିପି ରହିଛି। ଏଠାରେ ସୋମେଶ୍ବର ଶିବଂକ ପୀଠ ରହିଛି ଓ ଏଥିରେ ଥିବା ପୁଷ୍କରିଣୀକୁ ସୋମତୀର୍ଥ ବୋଲି ନାମିତ କରାଯାଇଛି।

ତେବେ ଗଗନଶିବ ଯୋଗିନୀ ସାଧକ ଥିଲେ କି ନାହିଁ ତାହାର ପ୍ରମାଣ ମିଲେ ନାହିଁ ।

୨.  ଯୋଗିନୀ ସାଧନା ସହିତ କୌଳ ଓ ଲୌକିକ ସମନ୍ବୟ ରହିଛି। ଯୋଗିନୀ ମାନେ ମୂଳତଃ ଲୋକ ଦେବୀ।

ranipur-3ଏମାନେ ବଶୀକରଣ (ଅନ୍ୟକୁ ନିଜ ବଶ କରି ରଖିବା),ଗୁତିକାଂଜନ (ଏକ ପ୍ରକାର କଜଳ ଯାହା ଲଗାଇଲେ ଗୁପ୍ତ ଧନ ଦୃଶ୍ୟ ହୁଏ ), ଧାତୁବାଦ ( ଧାତୁ କୁ ବହୁମୂଲ୍ୟ ସୁନା ରେ ରୂପାନ୍ତର କରିବାର କଳା ), ବିଦଗ୍ଧ (ଶତ୍ରୁ କୁ ଧ୍ବଂସ କରିବାର କଳା ), ଅଗ୍ନିସ୍ତମ୍ଭନ(ନିଆଂକୁ ଆୟତ୍ତ କରିବାର କଳା), ଖେଚରୀ ବିଦ୍ୟା ( ଆକାଶରେ ଭ୍ରମଣ କରିବାର କଳା) ଇତ୍ୟାଦି ସାଧନା ର ମହାଦେବୀ ଭାବରେ ସାଧକ ଦ୍ଵାରା ପୂଜା ପାଇଥାନ୍ତି।

୩. ରାଣିପୁର –ଝରିଆଲ ର ୬୪ ଯୋଗିନୀ ମନ୍ଦିର ସହିତ ଏଠାରେ ଆହୁରି ଅନେକ ଶିବ, ଶକ୍ତି ଓ ଭୈରବଂକ ମନ୍ଦିର ରହିଛି । ଏହା ବ୍ୟତୀତ ତପସ୍ୟା ଲାଗି ଅନେକ କୋଟର ଓ ଗୁମ୍ଫା ମଧ୍ୟ ଏଠାରେ ଦେଖିବାକୁ ମିଳେ । ଏହାର ଅଳ୍ପ ଦୂରରେ ଇଟା ରେ ନିର୍ମିତ ବିରଳ ଇନ୍ଦ୍ରଲାଠ ମନ୍ଦିର ରହିଛି।

୪. ଯୋଗିନୀ ମନ୍ଦିର ନବମ ଶତାବ୍ଦୀରେ ସୋମବଂଶି ରାଜାମାନେ ନିର୍ମାଣ କରିଥିବାର ଅନୁମାନ କରାଯାଏ। ସୋମ ବଂଶି ମାନେ ଉତ୍ତର ଦିଗରୁ ଆସିଥିବାରୁ ଓ ଉତ୍ତର ଭାରତରେ ଏକ ପ୍ରତଷ୍ଠିତ ଯୋଗିନୀ ପରମ୍ପରା ରହିଥିବାରୁ, ଏହା ଅନେକାଂଶରେ ଠିକ ମନେ ହୁଏ ।

୫. ଭାରତର ଅନ୍ୟାନ୍ୟ ଯୋଗିନୀ ମନ୍ଦିର ତୁଳନାରେ ରାଣୀପୁର୍-ଝରିଆଲର ନିର୍ଦିଷ୍ଟ ସ୍ଵାତନ୍ତ୍ର ରହିଛି । ଭରତ ମୁନି ପ୍ରଣୀତ ନାଟ୍ୟ ଶାସ୍ତ୍ର ରେ ବର୍ଣିତ ବିବିଧ କରଣ ରେ ଏଠି କାର ଯୋଗିନୀ ମାନେ ଉଭା ହୋଇଛନ୍ତି । କେନ୍ଦ୍ରରେ ଏକ ବିଶାଳକାୟ ଶିବ ପ୍ରତିମା ନୃତ୍ୟ ଉଦ୍ୟତ ଭଂଗୀ ରେ ଅଛନ୍ତି।

ଶିବଙ୍କର ସତେ ଯେମିତି ମନ୍ଦିର ଟି ଏକ ମେଳ ନୃତ୍ୟର ଭ୍ରମ ସୃଷ୍ଟି କରୁଛି।

ranipur-4୬. କେନ୍ଦ୍ରାଧିପତି ଶିବଂକର ତିନୋଟି ମୁଖ, ଆଠ ହସ୍ତ ରହିଛି ଓ ତାଂକ ସହ ଗଣେଶ ଓ ନନ୍ଦୀ ମଧ୍ୟ ରହିଛନ୍ତି । ୬୪ ଯୋଗିନୀ ମଧ୍ୟରୁ କିଛି ଯୋଗିନୀ ମୂର୍ତୀ ଏବେ ଆଉ ଦୃଶ୍ୟମାନ ହେଉ ନାହାନ୍ତି ।

୭. ତେବେ ହିରାପୁର ଯୋଗିନୀ ଗଣ ଯେମିତି ଦେଖିବାକୁ ସୁନ୍ଦରୀ, ରାଣିପୁର –ଝରିଆଲ ରେ ସେମାନେ ଅତୀବ ଭୟଂକରୀ। ପ୍ରାୟ ଯୋଗିନୀ ତ୍ରିଶୁଳ, ପାଶ ଓ ମାଳ ଧାରଣ କରନ୍ତି। ପ୍ରାୟ ୧୫ ଜଣ ଯୋଗିନୀ ମୁଖ ରେ ପଶୁ ବେଶ ଧାରଣ କରିଛନ୍ତି । ବିରାଡି ମୁହଁ ରେ ମାର୍ଜାରୀ, ହାତୀ ମୁହଁ ରେ ଗଣେଶାନୀ, ବରାହ ମୁହଁରେ ବାରାହୀ ଇତ୍ୟାଦି ।

୮. ସ୍ଥାପତ୍ୟ ଦୃଷ୍ଟିରୁ ଏହି ମନ୍ଦିର ଯେତିକି ଗୁରୁତ୍ବପୂର୍ଣ ସେଇ ସମୟର ଇତିହାସ ଓ ସଂସ୍କୃତି ଅଧ୍ୟୟନ ଲାଗି ମଧ୍ୟ ଯୋଗିନୀ ମୂର୍ତିର ସାଂକେତିକ ଗୁରୁତ୍ବ ରହିଛି। ବୌଦ୍ଧ ତନ୍ତ୍ର ସହ ଶୈବ ତନ୍ତ୍ର ର ସମନ୍ଵୟ ଯୋଗିନୀ ମନ୍ଦିରରେ ଦେଖିବାକୁ ମିଳେ ।

ranipur7୯. ୫୦ ଫୁଟ୍ ପରିଧି ବିଶିଷ୍ଟ ଗୋଲାକାର ଯୋଗିନୀ ମନ୍ଦିରର ୬୪ ଟି ଖୋପରେ ରହିଥିବା ଯୋଗିନୀ ଗଣ ମୂର୍ତ୍ତି ସବୁ କ୍ଷୟୀଷ୍ଣୁ କୁଂଡା ପଥରରେ ନିର୍ମିତ ହୋଇଥିବାରୁ, ସମୟ କ୍ରମେ ମୂର୍ତ୍ତି ସ୍ଥାପତ୍ୟ ଲିଭି ଲିଭି ଆସୁଛି । ଏହାର ସଂରକ୍ଷଣ ନିତାନ୍ତ ଜରୁରୀ । ସେହିପରି ମୂର୍ତ୍ତିଚୋର ମାନେ କିଛି ଯୋଗିନୀ ମୂର୍ତ୍ତି ଖୋଲି ନେଇ ସାରିଲେଣି ।

୧୦. ପର୍ଯ୍ୟଟନ ତଥା ଇତିହାସ ଦୃଷ୍ଟିରୁ ରାଣିପୁର-ଝରିଆଲ ର କୌଣସି ବିକଳ୍ପ ନାହିଁ । ହେଲେ ଏହାର ବିକାଶ ଲାଗି କାହାର ଆନ୍ତରିକତା ଦେଖିବାକୁ ମିଳୁନି। ଟିଟିଲାଗଡ ଓ କଂଟାବାଂଜୀ ସହର ଠାରୁ ଏଠିକି ପହଞ୍ଚିବାକୁ ଘଣ୍ଟାଏ ସମୟ ଲାଗେ । ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ର ମର୍ଯ୍ୟାଦା ମିଳିଥିଲେ ବି ଆବଶ୍ୟକୀୟ ଭିତ୍ତିଭୂମି ର ବିକାଶ କରାଯାଇ ନାହିଁ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ Tagged With: ଇତିହାସ, ଚଉଶଠି ଯୋଗିନୀ ମନ୍ଦିର, ଟିଟିଲାଗଡ ଓଡିଶା, ତନ୍ତ୍ର ପୀଠ, ଦେବୀ, ପରମ୍ପରା, ବଲାଂଗିର, ରାଣୀପୁର-ଝରିଆଲ, ଶିବ, ସ୍ଥାପତ୍ୟ, ହୀରାପୁର

ମହାନଦୀକୁ ନେଇ ଦଶଟି ଅନାଲୋଚିତ ତଥ୍ୟ

June 13, 2016 by ନିଉଜ ଡେସ୍କ Leave a Comment

mahanadi2କେଦାର ମିଶ୍ର

ମହାନଦୀ କେବଳ ଓଡିଶା ଓ ଛତିଶଗଡର ସବୁଠୁ ବଡ ନଦୀ ନୁହଁ, ଏହା ପୂର୍ବ ଭାରତର ଜୀବନ ରେଖା। ମହାନଦୀର ମୂଳ ପ୍ରବାହ ଓ ଶାଖା ପ୍ରବାହ ଓଡିଶା ସମେତ ଛତିଶଗଡ , ମହାରାଷ୍ଟ୍ର ଓ ଝାଡଖଣ୍ଡ ରାଜ୍ୟ ଗୁଡିକର ଭୌଗୋଳିକ, ଅର୍ଥନୈତିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଛି। ମହାନଦୀ କୁ ନେଇ କେତେ କଥା ଓ କାହାଣୀ ଆଜିଯାଏ ସଂକଳିତ ହୋଇପାରିନାହିଁ।

ଏହାର ଉଦଗମ ଠୁଁ ସମୁଦ୍ର ସଂଗମ ପର୍ଯନ୍ତ ଏକ ସୁଦୀର୍ଘ ଯାତ୍ରାପଥରେ ମହାନଦୀ କେଉଁଠି ଦେବୀ ତ ଆଉ କେଉଁଠି ଦେବତାର ଆଶ୍ରୟସ୍ଥଳ ପାଲଟିଛି।

ଓଡିଶାର ଦୁଇ ପ୍ରମୁଖ ଧାର୍ମିକ-ସାଂସ୍କୃତିକ ଧାରା ଯଥା – ଶ୍ରୀଜଗନ୍ନାଥ ଓ ସମଲେଶ୍ଵରୀ ସଂସ୍କୃତି ମହାନଦୀ କୁଳେ କୁଳେ ବିକଶିତ ହୋଇଛି। ମହାନଦୀ ର ପାଣି ଓଡିଶାର ଜନଜୀବନ ଓ ଅର୍ଥନୀତିର ଅପରିହାର୍ୟ ଉପାଦାନ। ମହାନଦୀ କୁ ନେଇ ଆସନ୍ତୁ କିଛି ଅଜଣା ତଥ୍ୟ ଖୋଜିବା-

୧.  ଛତିଶଗଡ ର ପୂର୍ବଘାଟ ପର୍ବତମାଳା ହେଉଛି ମହାନଦୀର ଉଦଗମ ସ୍ଥଳ। ଏହାର ଧମତରୀ ଜିଲ୍ଲା ଅନ୍ତର୍ଗତ ଫାରିସିୟା ଗାଁ ର ଏକ ପାହାଡରୁ ଏହାର ପ୍ରଥମ ସ୍ରୋତ ଠାବ କରାଯାଇଛି ।

କ୍ରମେ କ୍ରମେ ଅନେକ ଜଳସ୍ରୋତ ଏକାଠି ହୋଇ ଏହା ଏକ ନଦୀ ର ରୂପ ପାଇଛି ଓ ଛତିଶଗଡର ରାୟପୁର୍ ବାଟ ଦେଇ ଓଡିଶା ଅଭିମୁଖେ ପ୍ରବାହିତ ହେଉଛି। ଛତିଶଗଡର ଅନ୍ୟ ଦୁଇ ଶାଖା ନଦୀ ହଂସଦେଓ ଏବଂ ଶେଓନାଥ୍ ମହାନଦୀରେ ମିଶିବା ଫଳରେ ଏହା ଏକ ବିଶାଳ ନଦୀର ମାନ୍ୟତା ପାଇଛି।

River-Mahanadi୨.  ଲୋକକଥା ଅନୁସାରେ ପୂର୍ବଘାଟ ପର୍ବତମାଳାର ଏହି ସ୍ଥାନରେ ବିଶିଷ୍ଟ ଋଷି ଶ୍ରୁଂଗୀମୁନିଂକ ଆଶ୍ରମ ଥିଲା। ମହାକୁମ୍ଭ ମେଳାରେ ବୁଡ ପକେଇବାକୁ ଏହି ବାଟଦେଇ ଅନେକ ଋଷି ଯାଉଥିଲେ।

ଯିବା ପୂର୍ବରୁ ସେମାନେ ଶ୍ରୁଂଗୀମୁନିଂକ ସହ ସାକ୍ଷାତ କରିବାକୁ ଚାହୁଁଥିଲେ। ଶ୍ରୁଂଗୀ ଗଭୀର ତପସ୍ୟାରେ ନିମଗ୍ନ ଥିବାରୁ ଋଷି ମାନେ ଅପେକ୍ଷା କରି ରହିଲେ। ତଥାପି ମୁନିଂକ ତପ ଭାଂଗିଲା ନାହିଁ । ଶେଷରେ ଅନ୍ୟ ଋଷି ମାନେ ସ୍ନାନ ସାରି ଲୋଟାଏ ଜଳ ଶ୍ରୁଂଗୀ ମୁନିଂକ କମଂଡଳୁରେ ଢାଳି ଦେଇଗଲେ।

ତପ ଭାଂଗିବା ବେଳେ ଶ୍ରୁଂଗୀଙ୍କ ହାତ ବାଜି ଜଳଧାର ବିଛୁଡି ହୋଇପଡିଲା। ସେ ଦିବ୍ୟ ଜଳଧାର ଆଗକୁ ଆଗକୁ ବୋହି ଯାଇ ମହାନଦୀ ରୂପେ ଜନ କଲ୍ୟାଣ ରେ ଲାଗିଲା।

୩.  ମହାନଦୀର ସମୁଦାୟ ଲମ୍ବ ୮୬୦-୮୫୫ କିଲୋ ମିଟର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ଓସାର କମିଛି ଓ ବଢିଛି। ସମ୍ବଲପୁର୍ ଜିଲ୍ଲାରେ ଏହା ଓଡିଶାକୁ ସ୍ପର୍ଶ କରିଛି।

ସମ୍ବଲପୁର ସହର ପୂର୍ବରୁ ଏସିଆର ସର୍ବବୃହତ୍ ମାଟି ବନ୍ଧ ଦେଇ ଅଟକାଯାଇ ଏକ କୃତ୍ରିମ ହ୍ରଦ ନିର୍ମାଣ କରାଯାଇଛି , ଯାହାକି ହିରାକୁଦ ନଦୀ ବନ୍ଧ ନାମରେ ପ୍ରସିଦ୍ଧ।

୪.  ଓଡିଶାରେ ଇବ, ଅଂଗ,ସୁକତେଲ୍, ତେଲ, ବାଘ, ମେହେରୁଣୀ ଇତ୍ୟାଦି ଶାଖା ନଦୀ ମହାନଦୀ ସହ ସଂଯୁକ୍ତ ହେବା ଫଳରେ ଏହା ବିପୁଳ ଗର୍ଭା ଓ ସୁନାବ୍ୟା ହୋଇଛି। ଶହ ଶହ ବର୍ଷ ଧରି ମହାନଦୀ ଅବବାହିକାରେ ଏକ ସମୃଦ୍ଧ ସଭ୍ୟତା ଗଢି ଉଠିଛି।

ପ୍ରାଚୀନ କାଳରେ ମହାନଦୀ ଓ ତେଲବାହ ନଦୀ (ଏବର ତେଲ ନଦୀ) ଜଳ ବାଣିଜ୍ୟ ପାଇଁ ପ୍ରସିଦ୍ଧ ଥିଲା।

hirakud୫.  ସମ୍ବଲପୁର ରୁ ବୌଦ ପର୍ଯନ୍ତ ମହାନଦୀର ପ୍ରାଚୀନ ନାମ ଚିତ୍ରୋତ୍ପଲା ଥିଲା ବୋଲି କୁହାଯାଏ। ଐତିହାସିକ କାବ୍ୟ “କୋଶଲାନନ୍ଦ” ରେ କବି ଗଂଗାଧର ମିଶ୍ର ମହାନଦୀ- ଚିତ୍ରୋତ୍ପଲା କୁ ଗଂଗା ପରି ପବିତ୍ର ଓ ଏହା କୁଳ ରେ ଥିବା ସୁବର୍ନପୁର ନଗରୀ (ଆଜିର ସୋନପୁର ସହର) କୁ ଦ୍ଵିତୀୟ ବାରାଣସୀ ବୋଲି ବର୍ଣନା କରିଛନ୍ତି।

ସମ୍ବଲପୁର୍, ବିନିକା, ସୋନପୁର୍ ଓ ବୌଦ ସହର ଗୁଡିକରେ ପ୍ରାଚୀନ କାଳରୁ ବୌଦ୍ଧ, ଜୈନ, ତନ୍ତ୍ର, ଶୈବ ଓ ବୈଷ୍ଣବ ସଂସ୍କୃତିର ମହାସଂଗମ ଦେଖିବାକୁ ମିଳେ ।

୬.  ବିନିକା ପାଖରେ ମହାନଦୀ କୁଳରେ ଏକ ପ୍ରାଚୀନ ବରଗଛ ରହିଛି। ସୁର୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କାଳରେ ମହାନଦୀରେ ବୁଡ ପକାଇ ଏହି ବରଗଛର ସଂକୀର୍ଣ କୋଟର ଅତିକ୍ରମ କଲେ ସବୁ ପାପ କ୍ଷୟ ଯାଏ ବୋଲି ଲୋକ ବିଶ୍ଵାସ ରହିଛି।

ଗଂଗ ବଂଶର ରାଜା ଅନଂଗ ଭୀମ ଦେବ ଏହି ସ୍ଥାନ ରେ ସ୍ନାନ କରି ଦୁରାରୋଗ୍ୟ ବ୍ୟାଧି ରୁ ମୁକ୍ତି ପାଇଥିବାରୁ ଓ ଏହି ଠାରେ ତାଂକ ପାପ ରହିତ ହୋଇଥିବାରେ , ମହାନଦୀକୁଳର ଏହି ତୀର୍ଥ ଗ୍ରାମ ର ନାମ ହେଉଛି “ରହିଲା”।

୭. ସୋନପୁରରେ ତେଲ ଓ ଜୀର୍ଣ ନଦୀ ମହାନଦୀ ସହ ମିଳିତ ହୋଇଥିବାରୁ ଏହାକୁ ତ୍ରିବେଣୀ ସଂଗମ ବୋଲି କୁହାଯାଏ। ଏଠାରେ ବହୁ ପ୍ରାଚୀନ ଶିବ ଓ ଶକ୍ତି ପୀଠ ରହିଛି। ଏକଦା ଏହା ସୋମବଂଶୀ ଶାସକ ମାନଂକର ରାଜଧାନୀ ଥିଲା ବୋଲି ଐତିହାସିକ ମାନେ ମତ ଦିଅନ୍ତି। ଏହା ନିକଟରେ ମହାନଦୀ ଗର୍ଭରେ ଅସୁରଗଡ ନାମକ ଏକ ଟାପୁ ରହିଛି।

ଏହାର ପ୍ରତ୍ନତାତ୍ଵିକ ଖନନରୁ ଏଠାରେ ବହୁ ପ୍ରାଚୀନ ଏକ ସଭ୍ୟତା ରହିଥିବାର ପ୍ରମାଣ ମିଳେ ।

୮.  ବୌଦ ପାରିହେଲା ପରେ ମହାନଦୀ ପ୍ରାୟ ୭ କୋଷ (୬୪ କିଲୋମିଟର) ବ୍ୟାପୀ ଏକ ଗଭୀର ଗଣ୍ଡ ସୃଷ୍ଟି କରିଛି। ଏହା ସତକୋଶିଆ ଗଣ୍ଡ ନାମରେ ପରିଚିତ। ଏହି ଗଣ୍ଡରେ କୁମ୍ଭୀର ଅଭୟାରଣ୍ୟ ଓ କୁଳରେ ବାଘ ଅଭୟାରଣ୍ୟ ରହିଛି।

୯. ସାତକୋଶିଆ ପରେ ମହାନଦୀ ର ଓସାର ଅନେକ ପରିମାଣରେ ବ୍ୟାପକ ହେବା ସହ ଏହା ଅନେକ ଉପନଦୀ ସୃଷ୍ଟି କରିଛି। କାଠଯୋଡି, ବିରୁପା, ପାଇକା , ଚିତ୍ରୋତ୍ପଲା ଇତ୍ୟାଦି ମହାନଦୀ ରୁ ସୃଷ୍ଟି ହୋଇ ଭିନ୍ନ ଭିନ୍ନ ଦିଗକୁ ପ୍ରବାହିତ ହେଉଛନ୍ତି। କଟକ ଜିଲ୍ଲାରେ ମହାନଦୀ ଏକ ବିଶାଳ ତ୍ରିକୋଣଭୁମୀ ସୃଷ୍ଟି କରି ବଂଗୋପ ସାଗରରେ ମିଶିଛି।

୧୦.  କଂଟିଲୋ ଠାରେ ମହାନଦୀ କୁଳରେ ଶ୍ରୀ ଜଗନ୍ନାଥ ନୀଳମାଧାବ ରୁପେ ଶବର ମାନଂକ ଦ୍ଵାରା ପୂଜିତ ହେଉଥିଲେ ବୋଲି କୁହାଯାଏ। ମହାନଦୀ ସହିତ ଜଗନ୍ନାଥ ସଂସ୍କୃତିର ନିବିଡ ସମ୍ପର୍କ ରହିଛି।

ମହାନଦୀ ଓଡିଶାର କଳା, ସ୍ଥାପତ୍ୟ, ସାହିତ୍ୟ, ସଂଗୀତ ଓ ଜନ ଜୀବନରେ ଜୀବନରେଖା ପରି ପ୍ରବାହିତ ହେଉଛି।

ଓଡିଶା ଡଟକମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଜଣା ଅଜଣା Tagged With: ଅନାଲୋଚିତ, ଓଡିଶା, କଳା, ତଥ୍ୟ, ମହାନଦୀ, ସଂଗୀତ, ସତ୍ୟ, ସାହିତ୍ୟ, ସ୍ଥାପତ୍ୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ