• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ହିନ୍ଦୁ ଧର୍ମ

ରଘୁନାଥ ପାଣିଗ୍ରାହୀ ; ଗାୟନ ଓ ଜୀବନ କୁ ନେଇ କେତୋଟି କଥା

August 21, 2017 by ଓଡିଶା ଡଟ କମ 2 Comments

odi2

କେଦାର ମିଶ୍ର

ଫଟୋ- ସଂଜୟ କାନୁନଗୋ

କେବେ ସକାଳୁ ଉଠି ତାଂକ ସ୍ଵରରେ ଗୀତ ଗୋବିନ୍ଦ ଶୁଣିଛନ୍ତି ? କେବେ ଭାବିଛନ୍ତି ତାଂକ ଗୀତରେ କି ଭାବ ଥାଏ ଯାହା ଜାତି, ଧର୍ମ ଓ ଜାତୀୟତାର ସୀମାରେଖା ଲିଭେଇ ଦେଇ ଏକ ବିଶୁଦ୍ଧ ଭାବ ରାଜ୍ୟର ନିର୍ମାଣ କରେ ?

ସେ ଗାଉଥିବା ଗୀତ ହୁଏତ ହିନ୍ଦୁ ଧର୍ମର ଏକ ବହୁ ଚର୍ଚିତ ଶାସ୍ତ୍ରରୁ ଆସିଛି, ହେଲେ ସେ ଗୀତରେ ଯେଉଁ ପ୍ରେମର ଅନୁଭବ ତାର ଧର୍ମ ହେଉଛି ମାନବିକତା। ତାଂକ ଗୀତ ଶୁଣି ଓଡିଆ ଶ୍ରୋତା ଯେତିକି ମୁଗ୍ଧ ହୁଏ, ତାଂକ ସୁରର ଯାଦୁକରୀରେ ତେଲୁଗୁ ଓ ତାମିଲ୍ ଶ୍ରୋତା ମଧ୍ୟ ସେତିକି ମୋହିତ ହୁଅନ୍ତି।

ତାଂକ ଗୀତର ମୋହନ ଶକ୍ତି ପ୍ରାୟ ଗୋଟେ ଦଶନ୍ଧି ଧରି ଇଟାଲୀ ର ଖ୍ୟାତନାମା ନାଟ୍ୟଶିଳ୍ପୀ ଇଉଜିନିଓ ବାର୍ବା ଓ ତାଂକର ସାଥୀ ମାନଂକୁ ମଧ୍ୟ ପ୍ରଭାବିତ କରିଥିଲା ।

ସାରା ଭାରତର ଶ୍ରୋତା ତାଂକର ଗୀତ ଗୋବିନ୍ଦର ମଧୁର ପରିବେଷଣରେ ମୁଗ୍ଧ ଥିବା ବେଳେ, ଷାଠିଏ ଦଶକରେ ସେ ଥିଲେ ତାମିଲ୍ ଓ ତେଲୁଗୁ ସିନେମାର ଚର୍ଚିତ ଗାୟକ। ଓଡିଆ ସିନେମା ଓ ରେଡିଓରେ ତାଂକର ସ୍ଵର ଥିଲା ଏକ ପ୍ରକାର କୁହୁକ ପରି ।

“ସୁଷମା ଗୋ ତୁମ ଅଂଗେ ଅଂଗେ ଭରା ମଧୁ ଜୋଛନା”, “ନ ଯା ରାଧିକା ଏକା ଏକା” କିମ୍ବା “ପକା କମ୍ବଳ ପୋତ ଛତା “ ଭଳି ଲୋକପ୍ରିୟ ଓଡିଆ ଗୀତ ତାଂକୁ ଓଡିଶାର ଘରେ ଘରେ ପରିଚିତି ଦେଇଥିଲା ।

od1
ସେ ଗାୟକ ଭାବରେ ଓଡିଶାର ଏକମାତ୍ର ତାରକା, ଯାହାଂକୁ ଭାରତର ପ୍ରାୟ ସବୁ ମହାନ ସଂଗୀତଜ୍ଞ ପାଦ ଛୁଇଁ ମୁଣ୍ଡିଆ ମାରୁଥିଲେ। ତାଂକ ସୁର ଓ ଲୟ ଆଗରେ ବହୁ ବହୁ ମହାନ ହସ୍ତୀ ନତ ମସ୍ତକ ହେବାର ଆମେ ଦେଖିଛୁ ଓ ତାଂକ ଓଡିଆ ପରିଚୟକୁ ଗର୍ବର ସହ ଛାତିରେ ଝୁଲେଇଛୁ ।

ସେ ଅନନ୍ୟ ଓ ଅତୁଳନୀୟ ସୁରଶିଳ୍ପୀ ଆଉ କେହି ନୁହନ୍ତି, ସେ ସୁରମଣି ରଘୁନାଥ ପାଣିଗ୍ରାହୀ । ତାଂକ ଗୀତ ଗୋବିନ୍ଦ ଗାୟନର ସ୍ଵତନ୍ତ ଶୈଳୀ ଓ ଶୁଦ୍ଧତା ପାଇଁ ମହାନ ଅଭିନେତା ପୃଥ୍ଵୀରାଜ କପୁର ରଘୁନାଥଂକୁ ଶ୍ରଦ୍ଧା ରେ ଡାକୁଥିଲେ ଗୀତ ଗୋବିନ୍ଦ ପାଣିଗ୍ରାହୀ।

ଓଡିଶୀ ଗାୟନ ପରମ୍ପରାରେ ସେ ଥିଲେ ସର୍ବଶ୍ରେଷ୍ଠ ଓ ସର୍ବମାନ୍ୟ। ୧୯୮୨ ରେ ଫ୍ରାନ୍ସ୍ ସରକାର ତାଂକୁ ଗ୍ରାଂ ପ୍ରିକସ୍ ପୁରସ୍କାର ଦେବାର ପ୍ରାୟ ପଚିଶ ବର୍ଷ ପରେ ଭାରତ ସରକାର ତାଂକୁ ପଦ୍ମଶ୍ରୀ ସମ୍ମାନ ଦେଇଥିଲେ , ଅଥଚ ସେ ଥିଲେ ସବୁ ସମ୍ମାନର ବହୁ ଉପରେ।

ଓଡିଆ ଓ ଓଡିଶୀ ଜୀବନର ଏହି ମହାନାୟକ ରଘୁନାଥ ପାଣିଗ୍ରାହୀଙ୍କ ଜନ୍ମ ଜୀବନ ଓ କଳା କୁ ନେଇ କେତୋଟି ମଂଜ କଥା-

୧. କୋରାପୁଟ୍ ଜିଲ୍ଲାର ଛୋଟିଆ ସହର ଗୁଣୁପୁର ରେ ରଘୁନାଥ ଜନ୍ମ ନେଇଥିଲେ ୧୦ ଅଗଷ୍ଟ ୧୯୩୨ ରେ । ବାପା ନୀଳମଣି ପାଣିଗ୍ରାହୀ ଥିଲେ ସୌଖିନ୍ ଗାୟକ। ଘରେ ସଂଗୀତର ଚର୍ଚା ଓ ସାଧନା ର ବାତାବରଣ ରହିଥିଲା ।

ଗୁଣପୁର ଓ ପୁରୀରେ ପ୍ରାଥମିକ ସଂଗୀତ ଶିକ୍ଷା ପରେ ସେ ମାଦ୍ରାସ ଯାଇଥିଲେ ସଂଗୀତରେ ଅଧିକ ତାଲିମ୍ ପାଇଁ।

odi3୨. ମାଦ୍ରାସ ତାଂକୁ ସଂଗୀତର ସବୁଠୁ ବଡ ଗୁରୁ କେବଳ ଦେଇନଥିଲା, ମାଦ୍ରାସରେ ସେ ନିଜ ସଂଗୀତ ଜୀବନର ସବୁଠୁ ବଡ ସଫଳତା ଓ ସିଦ୍ଧି କୁ ମଧ୍ୟ ଭେଟିଥିଲେ। ହିନ୍ଦୁସ୍ତାନୀ ସଂଗୀତର କିମ୍ବଦନ୍ତି ପୁରୁଷ ଡି.ଭି. ପୋଲୁସ୍ଖରନ୍କୁ ଗୁରୁ ଭାବରେ ପାଇବା ତାଂକ ଜୀବନର ଏକ ମୋଡ ପରିବର୍ତନ ଥିଲା ।

ତା ପୂର୍ବରୁ ସେ ପଣ୍ଡିତ ବିଶ୍ଵନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କ ଠାରୁ ପାରମ୍ପରିକ ଓଡ଼ିଶୀ ସଂଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଓଡିଶୀ, କର୍ନାଟକୀ ଓ ହିନ୍ଦୁସ୍ତାନୀ- ତିନୋଟି ଯାକ ସଂଗୀତ ଶୈଳୀର ସେ ଥିଲେ ଜ୍ଞାତା ।

୩. ମାଦ୍ରାସ୍ ରଘୁନାଥଂକୁ ଗୋଟେ ବଡ ସୁଯୋଗ ଦେଇଥିଲା ।ଷାଠିଏ ଦଶକରେ ଘଣ୍ଟଶାଳା ଓ ପି.ବି.ଶ୍ରୀନିବାସଂକ ପରି ମହାନ ସଂଗୀତ ନିର୍ଦେଶକଂକ ସହ ତାଂକୁ କାମ କରିବାର ସୁଯୋଗ ମିଳିଥିଲା। ତାମିଲ୍ ଓ ତେଲୁଗୁ ସିନେମା ରେ ଅଳ୍ପ କେତୋଟି ଗୀତ ଗାଇ ସେ ଲୋକପ୍ରିୟତାର ଶୀର୍ଷ ରେ ପହଂଚିଥିଲେ।

ଏସ. ଦକ୍ଷିଣମୂର୍ତିଂକ ପ୍ରସିଦ୍ଧ ସିନେମା “ଇଲାବେଲୁପୁ” ର “ଚଲାନୀ ରାଜା ଓ ଚନ୍ଦାମାମା” ଗୀତଟି ତାଂକୁ ଆଜିବି ଲୋକପ୍ରିୟ କରି ରଖିଛି।

୪. ତେବେ ମାଦ୍ରାସ ବାହାରେ ତାଂକୁ ଅପେକ୍ଷା କରିଥିଲା ଭିନ୍ନ ଏକ ଇତିହାସ ।ଦକ୍ଷିଣ ଭାରତୀୟ ସିନେମାର ପ୍ରତିଷ୍ଠା ଓ ପ୍ରତିପତ୍ତି କୁ ଠୋକର ମାରି ସେ ଫେରି ଆସିଲେ ଜନ୍ମଭୂମି ଓଡିଶାକୁ ।

ଏହି ସମୟରେ ମାଦ୍ରାସ କଳାକ୍ଷେତ୍ରରେ ତରୁଣ ରଘୁନାଥ ପ୍ରେମରେ ପଡନ୍ତି, ସେତେବେଳର ଭରତନାତ୍ୟମ ଶିଳ୍ପୀ ସଂଯୁକ୍ତା ମିଶ୍ର (ଯିଏ ପରେ ଓଡିଶୀ ନୃତ୍ୟର କିମ୍ବଦନ୍ତି ନାୟିକା ସଂଯୁକ୍ତା ପାଣିଗ୍ରାହୀ ) ସହିତ। ବମ୍ବେ ସହରରେ ସେମାନେ ବିବାହ କରନ୍ତି ଓ ସେଇଠୁ ଆରମ୍ଭ ହୁଏ ଓଡିଶା ଇତିହାସର ଏକ ନୁଆ ଅଧ୍ୟାୟ ।

୫. ଆକାଶବାଣୀ ଓ ଓଡିଆ ସିନେମା ରେ ରଘୁନାଥ ବେଶ୍ ପ୍ରସିଦ୍ଧି ପାଆନ୍ତି । ଶ୍ରୀ ପତିତପାବନ (୧୯୬୩) ରୁ “ଭାଇ ଭାଉଜ”, ମୁକ୍ତି, ଅଭିନେତ୍ରୀ, ଅହଲ୍ୟା ପର୍ଯନ୍ତ ଓଡିଆ ସିନେମାରେ ତାଂକର ପଦଚିହ୍ନ ଅତ୍ୟନ୍ତ ସ୍ପଷ୍ଟ ।ଶହ ଶହ ଓଡିଆ ଗୀତ ସେ ଗାଇଛନ୍ତି ଓ ସବୁ ଗୀତରେ ନୁଆ ଏକ ଅନୁଭବ ବାଣ୍ଟିଛନ୍ତି।

୬. ତାଂକର ସବୁଠୁ ଚର୍ଚିତ ଗୀତ ସିନେମା ଅପେକ୍ଷା ଆକାଶବାଣୀ ଓ ଏଚ୍ଏମଭି ରେକର୍ଡ଼ ରେ ରହିଥିଲା ।

ଚକାନୟନକୁ ପତିତ କେହି…ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ …ମନସିଜ ମନମୋହନ …..ରୂପ ରେଖ ନାହିଁ ହେ ….ଜୀବନରେ ଥିବି ଯେବେ ଜୀବୀ ବୃନ୍ଦାବନ…..ସଂଗିନିରେ ରାସ ରଂଗୀନୀରେ …ଏମିତି ଅଗଣିତ କାଳଜୟୀ ଗୀତ ତାଂକର ଓଡିଶାର ଜଣ ଜୀବନରେ ଆଜିବି ବଂଚି ରହିଛି ଓ ରହିଥିବ ।

୭. ଗୋଟେ ସମୟ ପରେ ଗୀତ ଗୋବିନ୍ଦ ତାଂକ ପ୍ରାଣର ଅଂଶ ପାଲଟି ଗଲା।ସବୁ ଗୀତର ମାଧୁର୍ଯ୍ୟ ଓ ପ୍ରଭାବ ଗୀତ ଗୋବିନ୍ଦ ଆଗରେ ଫିକା ପଡିଗଲେ ।

ଅଷ୍ଟପଦୀ ଗାୟନର ଏକ ବଳିଷ୍ଠ ଓଡିଶୀ ଧାରା ର ସେ ଥିଲେ ସୂତ୍ରଧର।ଗୀତ ଗୋବିନ୍ଦର ସ୍ବର ନିର୍ମାଣ ଓ ବିନ୍ୟାସ କରିବାରେ ତାଂକ ସମକକ୍ଷ ଶିଳ୍ପୀ ବିରଳ।

odi4
୮. ଓଡିଶୀ ଓ ଓଡିଶା ପାଇଁ ରଘୁନାଥ ନିଜ ଜୀବନର ସବୁଠୁ ବଡ ତ୍ୟାଗ ସ୍ଵୀକାର କରିଛନ୍ତି । ଜାତୀୟ ସ୍ତରରେ ଜଣେ ପ୍ରଛଦ ଶିଳ୍ପୀ ହେବାର ମୋହ ପରିତ୍ୟାଗ କରିଥିଲେ।

ଜୀବନର ଶେଷ ତିନି ଦଶନ୍ଧି ସେ କେବଳ ଓଡିଶୀ ସଂଗୀତ ପାଇଁ ବିନିଯୋଗ କରିଥିଲେ। ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହୀ ନଥିଲେ ଓଡିଶୀ ନୃତ୍ୟ ଆଜି ଯେଉଁ ସ୍ତରରେ ପହଂଚିଛି, ସେଠି ପହଂଚିବାର ସମ୍ଭାବନା ନଥିଲା ।

ରଘୁନାଥଂକ ସୁର ଓ ସଂଯୁକ୍ତାଂକ ଛନ୍ଦର ମାଧୁରୀ ଓଡିଶୀକୁ ବିଶ୍ଵ ରଂଗମଂଚ ରେ ପ୍ରତିଷ୍ଠା ଦେଇଥିଲା ।

୯. ସଂଗୀତ ଓ କଳା କ୍ଷେତ୍ରରେ ତାଂକର ଅବଦାନ ଯାହା, ତା’ର କୌଣସି ତୁଳନା ନାହିଁ । ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନ ତାଂକୁ ମିଳିଥିଲା । ଅଥଚ ପଦ୍ମଶ୍ରୀ ଭଳି ସାମାନ୍ୟ ସମ୍ମାନ ତାଂକୁ ମିଳିଲା ମୃତ୍ୟୁ ର ମାତ୍ର ବର୍ଷେ ଆଗରୁ।

ଓଡିଆ ସିନେମାର ସବୁଠୁ ବଡ ସମ୍ମାନ ଦେବାରେ ତାଂକ ପ୍ରତି ଆମେ ଉଦାସୀନ ରହିଲେ।

୧୦. ୨୫ ଅଗଷ୍ଟ ୨୦୧୩ ରେ ଏହି ମହାନ ଶିଳ୍ପୀ ଅମରତ୍ଵ ଲାଭ କଲେ। ତାଂକ ସ୍ମୃତିକୁ ସାଇତି ରଖିବାରେ ଆମେ ଏତେ ବିଫଳ ଯେ ତାଂକ ସହ ଇତିହାସର ଏକ ବିରାଟ ଅଧ୍ୟାୟ ପୋଛି ହୋଇ ଯାଉଛି, ସେକଥା ଆମ ମୁଣ୍ଡରେ ପଶୁନାହିଁ ।

ଓଡିଶା ଡଟକମ

Filed Under: ମନୋରଞ୍ଜନ Tagged With: ଇତିହାସ, ଓଡିଆ, ଗାୟନ, ଗୀତ ଗୋବିନ୍ଦ, ଗୀତ ଗୋବିନ୍ଦ ପାଣିଗ୍ରାହୀ, ଜାତି, ଜାତୀୟତା, ଜୀବନ, ଧର୍ମ, ମାନବିକତା, ରଘୁନାଥ ପାଣିଗ୍ରାହୀ, ରାଜ୍ୟ, ରେଡିଓ, ସିନେମା, ହିନ୍ଦୁ ଧର୍ମ

ସାଧୁ ସନ୍ଥଙ୍କୁ ଉଚିତ ସମ୍ମାନ ଦାବିରେ ସମାବେଶ, ଶୋଭାଯାତ୍ରା

November 5, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ: ଗୋଲଖ ଚନ୍ଦ୍ର ଦାସ

ଭୁବନେଶ୍ୱର, ନଭେମ୍ବର ୪ (ଓଡିଶା ଡଟ କମ) ରାଜ୍ୟରେ ମଠ ମନ୍ଦିର ଜମି ଜମାର ଆଇନଗତ ଦିଗ ତର୍ଜ୍ଜମାକରି ଯଦି ତାହା ସରକାରୀ ସ୍ଥାନରେ ଥିବ ତାକୁ ଖାଲି କରିବା ପାଇଁ ସରକାର ଦେଇଥିବା ନିର୍ଦ୍ଦେଶ ବିରୋଧ ରେ ବୁଧବାର ଭୁବନେଶ୍ଵର ଠାରେ ସଂସ୍କୃତି ସୁରକ୍ଷା ମଞ୍ଚ ଏକ ଶୋଭାଯାତ୍ରା ଓ ବିଶାଳ ସମାବେଶର ଆୟୋଜନ କରି ପ୍ରତିବାଦ ପ୍ରଦର୍ଶନ କରିଛି ।

rally-1ଏହି ନିଦେ୍ର୍ଧଶନାମା ମାଧ୍ୟମରେ ସରକାର କିଛି ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତିମାନଙ୍କୁ ନିୟନ୍ତଣ କରିବା ପାଇଁ ଚେଷ୍ଟା କରିଛନ୍ତି ବୋଲି ଏହି ସଂସ୍ଥା ଅଭିଯୋଗ କରିଛି । ସବୁ ଧର୍ମର ଧାର୍ମିକ ସଂସ୍ଥା, ବ୍ୟକ୍ତି, ସେମାନଙ୍କର ପରିଚାଳନା, ବ୍ୟବହାର ଓ ସମ୍ପତ୍ତି ଆଦି ବିଷୟରେ ସନ୍ତୁଳିତ ଅନୁଧ୍ୟାନ କରି ସରକାର ଏକ ଶ୍ୱେତପତ୍ର ଜାରୀ କରନ୍ତୁ ବୋଲି ମଞ୍ଚ ଦାବି କରିଛି ।

ନିଗମ କଳ୍ପତରୁ ଆଶ୍ରମର ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ କୁମାର ପଣ୍ଡାଙ୍କ ଆବହକତ୍ୱରେ ଅନୁଷ୍ଠିତ ଏହି ମହାସମାବେଶରେ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ, ସ୍ୱାମୀ ଚିନ୍ତାମଣି ପର୍ବତ, ସ୍ୱାମୀ ସତ୍ୟାନନ୍ଦ ଦାଶ,ସ୍ୱାମୀ ଶୃତିସାଗର ଜୀ ,ସ୍ୱାମୀ ମାଧବା ନନ୍ଦ ଗିରି ଙ୍କ ସମେତ ବହୁ ସାଧୁସନ୍ଥ ଯୋଗଦେଇଥିଲେ ।

ହିନ୍ଦୁ ଧର୍ମର ଯେତେଗୁଡିଏ ମଠ ମନ୍ଦିର ଅଛି ସେଗୁଡିକର ଜମି ଜମାର ଆଇନଗତ ଦିଗ ତର୍ଜ୍ଜମାକରି ଯଦି ତାହା ସରକାରୀ ସ୍ଥାନରେ ଥିବ ତାକୁ ଖାଲି କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ସରକାର ଯେଉଁ ନିଦେ୍ର୍ଧଶ ଦେଇଛନ୍ତି ,ଯାହା ନ୍ୟାୟ ସଂଗତ ନୁହେଁ ।

ଏହି ନିଦେ୍ର୍ଧଶନାମା ଏକ ତରଫା ଭାବରେ କେବଳ ହିନ୍ଦୁମାନଙ୍କ ପାଇଁ ଲାଗୁ କରାଯାଇଛି । ଏଣୁ ଏହାକୁ ସବୁ ଧର୍ମର ଧାର୍ମିକ ଅନୁଷ୍ଠାନ ଗୁଡିକ ପ୍ରତି ଲାଗୁ କରାଯାଉ ଏବଂ ଯେଉଁ ଧର୍ମପୀଠ ଗୁଡିକ ବହୁ ଦିନରୁ ପ୍ରତିଷ୍ଠିତ ହୋଇଛି ଓ ଜନସେବାରେ ବ୍ରତି ଅଛନ୍ତି ସେମାନଙ୍କ ଜମି ଜମାକୁ ନିୟମିତ କରାଯାଉ ବୋଲି ସମାବେଶରେ ଉଦବୋଧନ ଦେଇ ସାଧୁ ସନ୍ଥ ମାନେ କହିଛନ୍ତି ।

rally-2 rally-3ଯେଉଁ ରାଜନେତା, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ମାଲିକ, ଶିଳ୍ପପତି, ନ୍ୟାୟାଧୀଶ ଓ ବ୍ୟବସାୟୀ ଆଦିଙ୍କ ବିରୁଦ୍ଧରେ ଜମି ହଡପ ଅଭିଯୋଗ ନିକଟ ଅତୀତରେ ଆସିଛି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ ଏବଂ ସରକାର ସେ ସମ୍ପତିକୁ ନିଜ ଅକ୍ତିଆରକୁ ନିଅନ୍ତୁ, ମଠ ମନ୍ଦିର ଓ ଆଶ୍ରମଗୁଡିକର ଅଚଳାଚଳ ସମ୍ପତିକୁ ସାରା ରାଜ୍ୟରେ କେତେକ ଖଳ ପ୍ରକୃତିର ଲୋକ ବେଆଇନଭାବେ ନିଜ ନାମରେ ରେକର୍ଡ କରିଛନ୍ତି ସେ ସମ୍ପତ୍ତିକୁ ମୁକ୍ତ କରି ମଠ ମନ୍ଦିର ଓ ଆଶ୍ରମକୁ ଫେରାଇ ଦିଆଯିବା ପାଇଁ ସେମାନେ ଦାବି କରିଛନ୍ତି ।

ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ରଥ ଉପରେ ଚଢିବା ପ୍ରସଙ୍ଗକୁ ନେଇ ଅପମାନିତ କରିବା, ନବକଳେବର ଦାରୁଚୟନ ବିଭ୍ରାଟ, ବ୍ରହ୍ମସ୍ଥାପନ ବିଭ୍ରାଟ, ଶ୍ରୀଜଗନ୍ନାଥ ମନ୍ଦିରରେ ନୀତି ବିଭ୍ରାଟ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ ଗିରଫ କରିବାରେ ଶିଥିଳତା, ବ୍ୟାପକ ଗୋ-ଚାଲାଣ ଆଦି ଘଟଣା ସରକାରଙ୍କ ଅସଲ ମୁଖା ଖୋଲିଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ସରକାର ମଠ ମନ୍ଦିର ଗୁଡିକ ଭାଙ୍ଗୁଥିବା ବେଳେ ରାସ୍ତା ଅବରୋଧ କରିଥିବା ଅଣହିନ୍ଦୁ ସମ୍ପ୍ରଦାୟର ଧର୍ମପୀଠ ଗୁଡିକ ଭାଙ୍ଗିବା ତ ଦୂରର କଥା ସେମାନଙ୍କୁ ନୋଟିସ୍ ମଧ୍ୟ ଦେଉ ନାହାଁନ୍ତି । ପ୍ରତିଦିନ ହଜାର ହଜାର ଗୋମାତାଙ୍କୁ କଂସେଇମାନେ ବଡ ବଡ ଟ୍ରକରେ ଭର୍ତ୍ତିକରି ହଲାଲ ପାଇଁ ଅନ୍ୟ ରାଜ୍ୟକୁ ନେଉଛନ୍ତି ।

rally-5ବାରମ୍ବାର ପୁଲିସ ଏବଂ ପ୍ରଶାସନକୁ ଏ ବିଷୟରେ ଜଣାଇଲେ ମଧ୍ୟ କୌଣସି ପ୍ରତିକାର ହେଉନାହିଁ । ଜାଣିଶୁଣି ହିନ୍ଦୁ ସଂସ୍କୃତିର ପ୍ରାଣକେନ୍ଦ୍ର ମଠ, ମନ୍ଦିର, ଗୋମାତା ଉପରେ ଆଘାତ କରାଯାଉଛି । ଏହା ରାଜ୍ୟର କୋଟି କୋଟି ହିନ୍ଦୁଙ୍କ ଭାବାବେଗକୁ ଆଘାତ କରିଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।

ମଞ୍ଚର ସଂରକ୍ଷକ ସ୍ୱାମୀ ଜୀବନ ମୁକ୍ତାନନ୍ଦ ଗିରିଙ୍କ ନେତୃତ୍ୱରେ ଆବହକ ଶ୍ରୀ ଅରୁଣ କୁମାର ପଣ୍ଡା, ସ୍ୱାମୀ ପ୍ରାଣରୂପା ନନ୍ଦ ସରସ୍ୱତୀ,ସଂଯୋଜକ ବିନୟ କୁମାର ଭୂୟାଁ , ପ୍ରମୋଦ କୁମାର ଦାଶ ପ୍ରଭୃତି ମହାମାନ୍ୟ ରାଜ୍ୟପାଳଙ୍କୁ ଭେଟି ଉପରୋକ୍ତ ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲ ।

ମଞ୍ଚ ତରଫରୁ ଶହଶହ ସାଧୁସନ୍ଥ ଓ ହଜାର ହଜାର ଜନତାଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ରାଷ୍ଟ୍ରଭାଷା ପ୍ରଚାର ସମିତି ପଡିଆରୁ ବାହାରି ବୁଦ୍ଧ ମନ୍ଦିର, ପ୍ରଦର୍ଶନି ପଡିଆ, ଶ୍ରୀରାମ ମନ୍ଦିର, ଶ୍ରୀୟାଛକ, ଗିରିଦୁର୍ଗାଛକ ଓ ମାଷ୍ଟରକ୍ୟାଣ୍ଟିନ ହୋଇ ସଭାସ୍ଥଳ ଲୋୟର ପିଏମ୍ଜି ଠାରେ ପହଁଚି ଥିଲା ।

ପଥ ମଧ୍ୟରେ ବହୁ ସ୍ଥାନରେ ନଗର ବାସୀଙ୍କ ତରଫରୁ ଏହି ଶୋଭାଯାତ୍ରାରେ ଯାଉଥିବା ଜନତାଙ୍କୁ ଧୂପ,ଦୀପ, ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା ।

ଓଡିଶା ଡଟ କମ

Filed Under: ଧର୍ମ, ସଭା ସମିତି Tagged With: ଗୋଲଖ ଚନ୍ଦ୍ର ଦାସ, ମଠ ମନ୍ଦିର, ସଂସ୍କୃତି ସୁରକ୍ଷା ମଞ୍ଚ, ହିନ୍ଦୁ ଧର୍ମ

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ