ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳକଷ୍ଟ ଅଂଚଳରେ ଲୋକଙ୍କୁ ଟ୍ୟାଙ୍କର ଜରିଆରେ ପାଣି ଯୋଗାଇବା ସହ ଏହାର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି ।
ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ତେଣୁ ସମସ୍ତ ସଂପୃକ୍ତ ବିଭାଗ ଗୁଡ଼ିକ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ପ୍ରସ୍ତୁତ ଓ ପଦକ୍ଷେପ ସଂପର୍କରେ ଠିକ୍ ଭାବେ ମନିଟରିଂ କରିବା ପାଇଁ ସେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ସମୟରେ ଗାଁ ଓ ସହର ଗୁଡ଼ିକୁ ଅବିରତ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ତଥା ଅଚଳ ନଳକୂପ ଓ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ତୁରନ୍ତ ମରାମତି ପାଇଁ ସଂପୃକ୍ତ ବିଭାଗମାନେ ପଦକ୍ଷେପ ନେବାକୁ ସେ କହିଛନ୍ତି ।
ସେହିପରି ସ୍କୁଲ ଗୁଡ଼ିକର ସମୟ ଅବଧି, ପରୀକ୍ଷା ସମୟ ନିର୍ଘଂଟ ଏବଂ ଶ୍ରମିକ ମାନଙ୍କର କାର୍ଯ୍ୟ ସମୟରେ ଆବଶ୍ୟକ ପରିବର୍ତନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।
ମାର୍ଚ୍ଚ ୩୧ ପରେ ଏହି ପରିବର୍ତିତ ସମୟ ନିର୍ଘଂଟ କାର୍ଯ୍ୟକାରୀ କରିବାକୁ ଥିଲେ ମଧ୍ୟ ଆଗୁଆ ଗ୍ରୀଷ୍ମ ପ୍ରଭାବ କ୍ଷେତ୍ରରେ ଏହା ଆଗରୁ କାର୍ଯ୍ୟକାରୀ କରାଯାଇପାରେ ବୋଲି ବୈଠକରେ କୁହାଯାଇଛି ।
ସ୍କୁଲ ଗୁଡ଼ିକୁ ପାନୀୟ ଜଳ ଯୋଗାଣ ଅତି ଗୁରୁତ୍ୱପୂର୍ଣ୍ଣ ତେଣୁ ଏହାକୁ ନିଶ୍ଚିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ପ୍ରକାର ପକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଓଡ଼ିଶା ଡ଼ଟ୍ କମ୍