ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ମଇ ୨୦ (ଓଡିଶା ଡଟ କମ)ବୁଧବାର ରାଜ୍ୟର ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ଟିଟିଲାଗଡରେ ରେକର୍ଡ କରାଯାଇଥିବା ବେଳେ, ଆଗାମୀ ଏକ ସପ୍ତାହ ଧରି ଅଧିକାଂଶ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଓ କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୨ ରୁ ୪୪ ଡିଗ୍ରୀ ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଭାଗ ଗୁରୁବାର କହିଛି ।
ଉତ୍ତର ପଶ୍ଚିମ ଦିଗରୁ ପ୍ରବଳ ଉତ୍ତପ୍ତ ପବନ ଓଡିଶା ଉପକୂଳ ଦେଇ ପ୍ରବାହିତ ହେଉଛି । ଆକାଶ ସଫା ଥିବା ଯୋଗୁଁ ଏହି ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେଉନଥିବା ଏହି ବିଭାଗ କହିଛି ।
ଠିକ ସେହି ପରି ବଂଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସ୍ତୃଷ୍ଟି ହୋଇଥିବାରୁ ପରବର୍ତ୍ତୀ ସମୟରେ ଦୁଇଦିନ ମଧ୍ୟରେ ସେଠାରେ ଏକ ଲଘୁଚାପ ସ୍ତୃଷ୍ଟି ହେବାର ସମ୍ଭାବନା ରହିଛି ।
ଫଳରେ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ଉପକୂଳ ଦେଇ ପ୍ରବାହିତ ହେଉଥିବା ଶୁଖିଲା ଓ ଉତ୍ତପ୍ତ ପବନ ଜାରି ରହିବ । ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଉଭୟ ଦିନ ଓ ରାତ୍ରିରେ ପ୍ରବଳ ଗରମ ଲାଗିରହିବ ।
ବୁଧବାର ସମ୍ବଲପୁର, ସୋନପୁର, ଓ ଭବାନୀପାଟଣାରେ ମଧ୍ୟ ଦିନର ସର୍ବୋଛ ତାପମାତ୍ରା ୪୩ ଡିଗ୍ରୀ ରୁ ଉପରେ ରହିଥିଲା ।
ଓଡିଶା ଡଟ କମ