ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ମନ୍ତ୍ରୀଙ୍କ ଇଚ୍ଛାଧିନ କୋଟାରେ ଏକାଧିକ ଘର ନେବା ଘଟଣାକୁ ନେଇ ରାଜ୍ୟରେ ବିବାଦ ଦେଖାଦେଇଥିବା ବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ କୋଟାରେ ଏକାଧିକ ଘର ବାଣ୍ଟିଥିବା ରିପୋର୍ଟ ପ୍ରକାଶ ପାଇଛି ।
କେବଳ ଆଇନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନୁହନ୍ତି ବରଂ ନିଜର ଘରେ ଥାଇ ମଧ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ଘର ନେଇଥିବା ଓଡ଼ିଆ ସମ୍ବାଦପତ୍ର ସମ୍ବାଦ ପ୍ରଥମ ପୃଷ୍ଠାରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଇଛି ।
ଏହି ରିପୋର୍ଟରେ ରାଜସ୍ୱମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଅନ୍ୟ ମନ୍ତ୍ରୀମାନେ ମଧ୍ୟ କୋଟାରେ ଘର ନେଇଥିବା କୁହାଯାଇଛି ।
ଆଠ ନମ୍ବର ସ୍କୁଲ ପାଖରେ ଥିବା ଏକ ଜମିକୁ ମନ୍ତ୍ରୀ ପାତ୍ରଙ୍କ ପୁଅଙ୍କ ନାମରେ ଆବଣ୍ଟିତ କରାଯାଇଛି । ବର୍ତମାନ ଏହି ଜାଗାରେ ନିର୍ମାଣ କାର୍ଯ୍ୟ ଚାଲିଛି । ମନ୍ତ୍ରୀ ଦେଇଥିବା ସଂପତି ତାଲିକାରେ ଏହା ଦର୍ଶାଯାଇନଥିବା ଏହି ରିପୋର୍ଟ ଦର୍ଶାଇଛି ।
ସ୍ୱରେଜ ବୋର୍ଡ଼ ଠାରୁ ଆଣି ଏହି ଜମି ମନ୍ତ୍ରୀଙ୍କ ପୁଅଙ୍କୁ ଦିଆଯାଇଥିବା ସମ୍ବାପତ୍ରରେ ପ୍ରକାଶ ପାଇଛି । ଏହା ପୂର୍ବରୁ ପାତ୍ରଙ୍କ ନାମରେ ନୂଆପଲ୍ଲୀ ଅଞ୍ଚଳରେ ସରକାର ଏକ ପ୍ଲଟ ଦେଇଛନ୍ତି ।
ସେହିପରି ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ବାପୁଜୀନଗରରେ ଏକ ଘର ରହିଥିବା ବେଳେ ନିଜ ପୁଅଙ୍କ ନାମରେ ମଧ୍ୟ ସରକାରୀ ଜମି ଅବଣ୍ଟିତ କରି ନେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ଜମିକୁ ମୁଖ୍ୟମନ୍ତ୍ରୀ ନିଜେ ଘଡ଼ାଇଙ୍କ ପରିବାର ଲୋକଙ୍କୁ ଏହି ଜମି ଦେଇଥିବା ଉକ୍ତ ସମ୍ବାଦପତ୍ର ଦର୍ଶାଇଛି ।
ନିୟମ ଅନୁସାରେ ଭୁବନେଶ୍ୱରରେ ଗୋଟିଏ ଘର ଥିଲେ କୋଟାରେ ଆଉ ଗୋଟିଏ ଘର ଦିଆଯାଇପାରିବ ନାହିଁ ।
ତେବେ ପୂର୍ବରୁ କେବଳ ଆରୁଖଙ୍କ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କହିଥିବା ବେଳେ ବର୍ତ୍ତମାନ ସମସ୍ତ
ଇଚ୍ଛାଧିନ କୋଟାର ତଦନ୍ତ କରାଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ସଂପୃକ୍ତ ମନ୍ତ୍ରୀ ମାନଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।
ଓଡ଼ିଶା ଡ଼ଟ୍ କମ୍