ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅପ୍ରେଲ ୧୮(ଓଡ଼ିଶା ଡ଼ଟ୍ କମ୍) ସେମାନଙ୍କ ଦାବି ଅନୁସାରେ ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ଅପହୃତ ବିଧାୟକଙ୍କ ମୁକ୍ତି ନେଇ ପ୍ରଜାକୋର୍ଟରେ ନିଷ୍ପତି ନିଆଯିବ ବୋଲି ବୁଧବାର ମାଓବାଦୀମାନେ ଧମକ ଦେଇଛନ୍ତି ।
ସରକାରଙ୍କ ଉପରେ ଆମର କୌଣସି ବିଶ୍ୱାସ ନାହିଁ ବୋଲି ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ସଦସ୍ୟା ମାଓ ନେତ୍ରୀ ଅରୁଣା ଗଣମାଧ୍ୟମକୁ ଏକ ଅଡିଓ ଟେପ୍ ଜରିଆରେ ଜଣାଇଛନ୍ତି ।
ତେବେ ଆଉ ସମୟସୀମା ନବଢ଼ାଇ ପ୍ରଜାକୋର୍ଟ ମାଧ୍ୟମରେ ନିଷ୍ପତି ନେବୁ ବୋଲି ସେ ଏଥିରେ ଦର୍ଶାଇଛନ୍ତି । ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ ମାଓବାଦୀମାନେ ବୁଧବାର ସଂଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଥିଲେ ।
ପୂର୍ବରୁ ମାଓବାଦୀମାନେ ୩୦ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଆସୁଥିବା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ମାଓନେତା ଘାସିକୁ ଖଲାସ କରାଯାଇ ପାରିବ ନାହିଁ ବୋଲି ସରକାର କହିବା ପରେ ସେମାନେ ୨୯ ଜଣଙ୍କୁ ଖଲାସ କରିବାକୁ ଦାବି କରିଥିଲେ ।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷ ବୟସ୍କ ବିଧାୟକ ଝିନ୍ନ ହିକକାଙ୍କୁ ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଅପହରଣ କରିନେଇଥିଲା ।
ମାଓବାଦୀମାନେ ବିଧାୟକଙ୍କୁ ପ୍ରଥମେ ମୁକ୍ତ କରିବା ପରେ ସେମାନଙ୍କ ଦାବି ମୁତାବକ ବନ୍ଦୀ ମାନଙ୍କ ନାଁରେ ଥିବା ମାମଲା ପ୍ରତ୍ୟହାର ପାଇଁ ପଦକ୍ଷେପ ନିଆଯିବ ବୋଲି ମଙ୍ଗଳବାର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍