ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍) ବିଗତ ଏକ ଦଶନ୍ଧୀ ଧରି ମହାରାଷ୍ଟ୍ର, ଛତିଶଗଡ଼ ଏବଂ ଓଡ଼ିଶାର ବରଗଡ଼, ବଲାଙ୍ଗିର, ସୋନପୁର, ନୂଆପଡ଼ା ଆଦି ଜିଲ୍ଳାରେ ଆତଙ୍କ ସୃଷ୍ଟି କରିଆସୁଥିବା ଆନ୍ତଃ ପ୍ରାଦେଶିକ ଡ଼କାୟତ ଗ୍ୟାଙ୍ଗର ମୁଖ୍ୟ ଅମିତ ଦାସ ଶେଷରେ ବରଗଡ଼ ପୁଲିସ ହାତରେ ଧରାପଡ଼ିଛି ।
ଗତକାଲି ବିଧିବଦ୍ଧ ରୂପେ ତାକୁ ବଲାଙ୍ଗିର ଜିଲ୍ଳାର କଣ୍ଟାବାଞ୍ଜିରୁ ଗିରଫ କରାଯାଇଛି ବୋଲି ଆଇ.ଜି ସଞ୍ଜୟ କୁମାର ବରଗଡ଼ ଟାଉନଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବରଗଡ଼ର ନୂତନ ଏସ.ପି ଅନୁପ କ୍ରିଷ୍ଣା ମଧ୍ୟ ଉପସ୍ଥିତ ଥିଲେ ।ଏହି ଅବସରରେ ପୁଲିସ ଆଇଜି ସୂଚନା ଦେଇ କହିଥିଲେ ଯେ ଅମିତ ଦାସ ଦୀର୍ଘ ବର୍ଷ ହେଲା ପୁଲିସ ଆଖିରେ ଧୂଳି ଦେଇ ଲୁଚି ବୁଲିବା ସହ ଓଡ଼ିଶା ସମେତ ଛତିଶଗଡ଼ ମହାରାଷ୍ଟ୍ର ଆଦି ରାଜ୍ୟରେ ମଧ୍ୟ ଅପରାଧ ଘଟାଇଥିବା ଜଣାପଡ଼ିଛି ।
ତା ନିକଟରୁ୪.୨ କେଜି ଓଜନର ସୁନା ଅଳଙ୍କାର,୫.୭ କେଜି ଓଜନର ରୂପା ଅଳଙ୍କାର,୪୩୨ ଗ୍ରାମର ମୂଲ୍ୟବାନ ରତ୍ନ ପଥର,୨ଲକ୍ଷ ୫୫ ହଜାର ଟଙ୍କାର ନଗଦ ଅର୍ଥ, ଚାରେଟି ପିସ୍ତଲ,୨୦ ରାଉଣ୍ଡ ଜୀବନ୍ତ ଗୁଲି, ଗୋଟିଏ ଓପେଲ କୋର୍ସା କାର, ଦୁଇଟି ବାଇକ, ୯ଟି ମୋବାଇଲ ପ୍ରାୟ ୫୦ଟି ସିମ କାର୍ଡ଼, ଆଦି ଜବତ କରାଯିବା ସହ ଅନୁନ୍ୟ ୮୨ ଲକ୍ଷ ଟଙ୍କାର ନାମି ଓ ବେନାମୀ ବ୍ୟାଙ୍କ ଏକାଉଂଟ ସିଲ କରିଦିଆଯାଇଛି ବୋଲି ପୁଲିସ ଆଇଜି ସଞ୍ଜୟ କୁମାର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।
ଆନ୍ତଃ ପ୍ରାଦେଶିକ ଡ଼କାୟତ ଗ୍ୟାଙ୍ଗର ସର୍ଦ୍ଧାର ଅମିତ ଦାସ ବିରୁଦ୍ଧରେ ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟରେ ଅନୁନ୍ୟ ୨୦ଟି ମାମଲା ବିଚାରାଧିନ ରହିଛି । ଦାସର ଅପରାଧ ଫର୍ଦ୍ଦ ଲମ୍ବା ବୋଲି ଆଇ.ଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି ।
ବରଗଡ଼ର ନୂତନ ଏସ.ପି ରୂପେ ଯୁବ ଆଇ.ପି.ଏସ ଅଫିସର ଅନୁପ କ୍ରିଷ୍ଣା ଯୋଗ ଦେବା ପରେ ତାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ତାକୁ ଗିରଫ କରିବା ସମ୍ଭବ ହୋଇଥିଲା ।
ଅନୁପ କ୍ରିଷ୍ଣା ବରଗଡ଼ ଜିଲ୍ଳା ଦାୟିତ୍ୱ ନେବା ପରେ ଜିଲ୍ଳାର ଦକ୍ଷ ପୁଲିସ ଅଧିକାରୀଙ୍କୁ ନେଇ ଏକ ସ୍କାର୍ଡ଼ ଗଠନ କରିଥିଲେ ପୁଲିସ ବିଭାଗର ସମ୍ବିଳିତ ପ୍ରୟାସ ଯୋଗୁଁ ଅପରାଧିଙ୍କୁ ଧରିବା ସମ୍ଭବ ପର ହୋଇଥିଲା ।
ଏହି ଗିରଫାରୀରେ ମୁଖ୍ୟ ଭୂମିକା ନେଇଥିବା ଗାଇସିଲେଟ ଥାନା ଅଧିକାରୀଙ୍କ ସମେତ ଟିମର ସମସ୍ତ ପୁଲିସ କର୍ମଚାରୀଙ୍କୁ ପୁଲିସ ବିଭାଗ ପକ୍ଷରୁ ପୁରସ୍କୃତ କରିବା ପାଇଁ ସେ ପୁଲିସ ମହାନିର୍ଦ୍ଦେଶକଙ୍କୁ ସୁପାରିସ କରିଛନ୍ତି ବୋଲି ଆଇ.ଜି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍