Site icon Odisha.com

ଅବହେଳିତ ଶିଶୁଙ୍କ ପାଇଁ ଆଦ୍ୟ ଶୈଶବ କେନ୍ଦ୍ର ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରୀ ୧୭,(ଓଡ଼ିଶା ଡ଼ଟ୍ କମ୍)-ସ୍ଥାନୀୟ ବାରଙ୍ଗ ନିକଟବର୍ତୀ ଝିଙ୍ଗରଡିହା ଗ୍ରାମରେ ଥିବା ବିଭିନ୍ ଇଟାଭାଟିରେ କାମ କରୁଥିବା ପରିବାରର ପିଲାମାନଙ୍କ ପାଇଁ ହମାରା ବଚପନ ସହୟତାରେ ସ୍ୱେଚ୍ଛାସେବୀ ସଂସ୍ଥା ଏଡ୍ ଏଟ୍ ଆକ୍ସନ ଏକ ଆଦ୍ୟ ଶୈଶବ ଶିକ୍ଷା ତଥା ବିକାଶ କେନ୍ଦ୍ରର ଆରମ୍ଭ କରିଛି ।

ଏହି କେନ୍ଦ୍ରରେ ପାୟ ୬୫ଜଣ ୩-୬ବର୍ଷ ପର୍ଯ୍ୟନ୍ତ ବୟସର ପିଲାମାନେ ପାଠ ପଢ଼ିବାର ସୁଯୋଗ ପାଇପାରିବେ ତଥା ସେଠାରେ ସେମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ପରିବେଶ ପ୍ରଦାନ କରାଯିବାର ସମସ୍ତ ଚେଷ୍ଟା କରାଯିବ ।

ଭୁବନେଶ୍ୱର ଉପକଣ୍ଠସ୍ଥ ବିଭିନ୍ନ ଇଟାଭାଟିରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଏହି ପରିବାରମାନେ ରାଜ୍ୟର ପଛୁଆ ଜିଲ୍ଲାମାନଙ୍କରୁ ଆସିଥାନ୍ତି । ଶିଶୁ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ନାନା ବିଧ ଯୋଜନାମାନ ଥିଲେ ମଧ୍ୟ ଏହି ଅସ୍ଥାୟୀ ଶିଶୁମାନେ ତନ୍ମଧ୍ୟରୁ ଲାଭବାନ ହୋଇପାରନ୍ତି ନାହିଁ ।

ତେଣୁ ସେମାନଙ୍କର ଅର୍ଦ୍ଧାଧିକ ପିଲାଦିନ ଏହି ଇଟାଭାଟିରେ ବିନା ଶିକ୍ଷା ଓ ସୁରକ୍ଷାରେ କଟିଯାଇଥାଏ । ବର୍ଷର ୬-୭ ମାସ ଏହି ପିଲାମାନେ ଇଟାଭାଟିରେ ପ୍ରାୟ କଟାଇଥାନ୍ତି ।

ସେହି ପିଲାମାନଙ୍କ ସୁସ୍ଥ ସୁରକ୍ଷିତ ପିଲାଦିନକୁ ଆହୁରି ସୁରକ୍ଷିତ କରିବା ପାଇଁ ହମାରା ବଚପନ ସହାୟତାରେ ଏଡ୍ ଏଟ୍ ଆକ୍ସନ ପକ୍ଷରୁ ଏକ ଆଦ୍ୟ ଶୈଶବ ସୁରକ୍ଷା ବିକାଶ ଓ ଶିକ୍ଷା କେନ୍ଦ୍ର ଖୋଲାଯାଇଛି ।

ଏହି ପରି ଆହୁରି ୧୪ଟି ସ୍ଥାନୀୟ ଇଟା ଭାଟି ଅଞ୍ଚଳରେ ୮ଟି କେନ୍ଦ୍ର ଖୋଲାଯାଉଛି ଯାହାକି ପ୍ରାୟ ୭୦୦ ଏହିଭଳି ପିଲାଙ୍କୁ ସୁସ୍ଥ ତଥା ସୁରକ୍ଷିତ ପରିବେଶ ଓ ଶିକ୍ଷା ପ୍ରଦାନ କରିପାରିବ । ତେବେ ଏହି ଝିଙ୍ଗରପଡାର ବିଆଇସିସି ଇଟାଭାଟିର ମାଲିକ ଏ କେନ୍ଦ୍ର ପାଇଁ ଆବଶ୍ୟକ ସ୍ଥାନ ଓ ଭିତିଭୂମି ଯୋଗାଇଦେଇଛନ୍ତି ।

ସେହିପରି ଅନ୍ୟାନ ଭାଟି ମାଲିକମାନେ ମଧ୍ୟ ଏହିପରି ସହାୟତା ପ୍ରଦାନ କରିବେ ବୋଲି ହମାରା ବଚପନର ମୁଖ୍ୟ ମିହିର ମହାନ୍ତି ପ୍ରକାଶ କରିଛନ୍ତି ଏବଂ ସମଗ୍ର ରାଜ୍ୟରେ ଏପରି ଉଦ୍ୟମ ପ୍ରଥମ ବୋଲି ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ସହରାଞ୍ଚଳ ବସ୍ତିରେ ବାସ କରୁଥିବା ଶିଶୁମାନଙ୍କର ପିଲାବେଳକୁ ଏକ ସୁରକ୍ଷିତ ଓ ସୁସ୍ଥ ପରିବେଶରେ ପରିଣତ କରିବା ପାଇଁ ଶିଶୁ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଅଭିଯାନ ହେଉଛି ହମାରା ବଚପନ ।

ମଣିଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ତାହାର ପିଲାଦିନବା ଶୈଶବ । ଏହି ଶୈଶବ ସମୟରେ ଶିଶୁଟିର ସବୁପ୍ରକାର ବିକାଶ ଘଟିଥାଏ ।

ଏହି ସମୟରେ ତାହାର ବିକାଶ ଲାଗି ସୁସ୍ଥ ଓ ସୁରକ୍ଷିତ ପରିବେଶ ନ ମିଳିଲେ ହୁଏତ ତାହାର ଭବିଷ୍ୟତ ଅନିଶ୍ଚିତତା ଆଡକୁ ଯାଇପାରେ । ତେବେ ସରକାରୀ ସ୍ତରରେ ଏହି ଶିଶୁ ମାନଙ୍କ ଲାଗି ଆଇନ ପ୍ରଣୟନର ବ୍ୟବସ୍ଥା ଲାଗି ହମାରା ବଚପନ ତାହାର ଉଦ୍ୟମ ଆରମ୍ଭ କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version