Site icon Odisha.com

ଓଡ଼ିଶା ଦିବସରୁ ୨୦ ସହରରେ ମିଳିବ ପାଞ୍ଚ ଟଙ୍କାରେ ଭାତ ଡ଼ାଲମା

ଭୁବନେଶ୍ୱର, ମାର୍ଚ୍ଚ ୩୦, (ଓଡ଼ିଶା ଡ଼ଟ୍ କମ୍)ଅପ୍ରେଲ ପହିଲା ଓଡ଼ିଶା ଦିବସରୁ ରାଜ୍ୟର ପାଞ୍ଚଟି ମହାନଗର ନିଗମ (ଭୁବନେଶ୍ୱର, କଟକ, ବ୍ରହ୍ମପୁର,ସମ୍ବଲପୁର ଓ ରାଉରକେଲା) ରେ ପ୍ରଥମ ପର୍ଯ୍ୟାୟ ଆହାର ଯୋଜନା ର ଶୁଭାରମ୍ଭ ସରକାର କରିବେ ।

ବିଭିନ୍ନ କାମ ରେ ଏହି ସହରକୁ ଆସୁଥିବା ଗରିବ ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ଏହି ଯୋଜନା ପ୍ରବର୍ତ୍ତନ କରିଛନ୍ତି । ଏଥିରେ ମାତ୍ର ୫ଟଙ୍କା ମୂଲ୍ୟରେ ଦିନ ୧୧ଟା ରୁ ୩ଟା ମଧ୍ୟରେ ପ୍ରତି ମହାନଗର ନିଗମର ଚାରି ଗୋଟି ସ୍ଥାନରେ ଲୋକଙ୍କୁ ଭାତ ଡ଼ାଲମା ଯୋଗାଇ ଦିଆଯିବ ।

ଅପ୍ରେଲ ପହିଲା ଦିନ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲ ପରିସର ଓ ରାଉରକେଲାର ସରକାରୀ ଡ଼ାକ୍ତରଖାନା ଠାରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ଶୁଭାରମ୍ଭ କରିବେ । ସୋମବାର ସଚିବାଳୟରେ ପଟ୍ଟନାୟକ ଏହି ଯୋଜନା ସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଉପରୋକ୍ତ ସହର ମାନଙ୍କର ରେଳଷ୍ଟେସନ,ବସଷ୍ଟାଣ୍ଡ୍,ଡ଼ାକ୍ତରଖାନା ଓ ଅନ୍ୟ ପ୍ରମୁଖ ସ୍ଥାନ ମାନଙ୍କରେ ଆହାର କେନ୍ଦ୍ର ଖୋଲାଯିବ । ଏହି ଯୋଜନା ର କାର୍ଯ୍ୟକାରିତା ପାଇଁ ଭୁବନେଶ୍ୱର ଓ କଟକ ରେ ଓଡ଼ିଶା ଖଣି ନିଗମ,ରାଉରକେଲାରେ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ,ବ୍ରହ୍ମପୁର ରେ ଟାଟାଷ୍ଟିଲ ଓ ସମ୍ବଲପୁର ରେ ଇଡକୋ ସହଯୋଗ ଯୋଗାଇ ଦେବ ବୋଲି ବୈଠକ ରେ ସୂଚନା ଦିଆଯାଇଥିଲା ।

ଅପ୍ରେଲ ପହିଲାରୁ ଏହି ଯୋଜନା କାର୍ଯ୍ୟକାରିତା ପାଇଁ ଭିତ୍ତିଭୂମିର ନିର୍ମାଣ, ଖାଦ୍ୟ ପରିବହନ, କର୍ମଚାରୀ ନିଯୁକ୍ତି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସ୍ତୁତି ଶେଷ ହୋଇଛି । ଆହାର କେନ୍ଦ୍ରମାନଙ୍କରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହ ଉଚ୍ଚ ପଦାଧିକାରୀ ମାନଙ୍କ ଦ୍ୱାରା ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ବୈଠକ ରେ ମୁଖ୍ୟଶାସନ ସଚିବ,ଉନ୍ନୟନ କମିଶନର,ପୋଲିସ ମହାନିର୍ଦେଶକ ,ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ,ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version