Site icon Odisha.com

ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗରେ ବିଜେଡ଼ି କର୍ମୀ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ନିକଟରେ ଆୟୋଜିତ ବିଜୁ ଜନତା ଦଳର ସମାବେଶରେ ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗରେ ବୁଧବାର ଜଣେ ବିଜେଡ଼ି କର୍ମୀକୁ ଗିରଫ କରିଥିବା ପୋଲିସ କହିଛି ।

ଏ ସଂପର୍କରେ ତିନୋଟି ଅଭିଯୋଗ ପାଇବା ପରେ ପୋଲିସ “୧୯୭୧ ଜାତୀୟ ସମ୍ମାନକୁ ଅପମାନ ଆଇନ” ବଦଳରେ ଜନକର ସାହୁଙ୍କୁ ଗିରଫ କରିଥିବା କ୍ୟାପିଟାଲ ଥାନା ଅଧିକାରୀ ରବିନ୍ଦ୍ରନାଥ ସତପଥି ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଅନ୍ତିମ ଯାତ୍ରାରେ ତାଙ୍କ ଶବାଧାରରେ ପଡ଼ିଥିବା ଜାତୀୟ ପତାକାକୁ ସାହୁ ଏହି ସମାବେଶରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

ଗତ ୨୬ ତାରିଖରେ ସମାବେଶରେ ଉପସ୍ଥିତ ଦଳୀୟ କର୍ମୀ ଓ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏହି ପତାକା ପ୍ରର୍ଶନ କରିବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ପତାକାରୁ ଅଶୋକ ଚକ୍ରକୁ ବାଦ୍ ଦିଆଯାଇଥିଲା । ଏଥିରେ ବିଜେଡ଼ି ଦଳର ନିର୍ବାଚନ ଚିହ୍ନ ଶଙ୍ଖ ଥିବା ବେଳେ ବିଜୁ ଜନତା ଦଳ ଲେଖାଯାଇଥିଲା ।

ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version