Site icon Odisha.com

ବିଧାନସଭା: ହଟ୍ଟଗୋଳ ପରେ କାଲି ପର୍ଯ୍ୟନ୍ତ ଗୃହ ମୁଲତବୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-ସୁନ୍ଦରଗଡ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହିମାନନ୍ଦ ବିଶ୍ୱାଳଙ୍କ ବିରୋଧରେ ଶାସକ ବିଜେଡି ବିଧାୟକଙ୍କ ଟିପ୍ପଣୀକୁ ନେଇ ଆଜି ବିଧାନସଭାରେ ତୃଣମୂଳ ହଟ୍ଟଗୋଳ ହେବାପରେ ଗୃହକୁ ମୁଲତବି କରିବାକୁ ପଡିଛି ।

ପ୍ରଥମେ ଗୃହକୁ ୫ ମିନିଟ ପାଇଁ ମୁଲତବୀ କରି ବାଚସ୍ପତି ସମସ୍ୟାର ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ । ପରବର୍ତ୍ତି ସମୟରେ ଗୃହରେ ହଟ୍ଟଗୋଳ ଲାଗି ରହିବାରୁ ଅପରାହ୍ନ ୧.୪୨ ମିନଟରେ ବାଚସ୍ପତି ଗୃହକୁ ୩.୪୨ ମିନଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ବିଜେଡି ବିଧାୟକ ହେମାନନ୍ଦଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବା ବେଳେ କଂଗ୍ରେସ ବିଧାୟକମାନେ ଏହାକୁ ବିରୋଧ କରି ପ୍ରଥମେ ହଟ୍ଟଗୋଳ କରିଥିଲେ । ପରେ ଗୃହର ମଧ୍ୟଭାଗକୁ ଚାଲିଆସି ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

କଂଗ୍ରେସ ବିଧାୟକ ସର୍ବଶ୍ରୀ ଅନୂପ କୁମାର ସାଏ,ଗୋବର୍ଦ୍ଧନ ଦାସ, ସାଧୁ ନେପାକ, ରାମଚନ୍ଦ୍ର କାଡମ, ଶିବାଜୀ ମାଝି ପ୍ରମୁଖ ଗୃହ ମଧ୍ୟଭାଗରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ।

ବିଧାୟକ ରାଜେନ୍ଦ୍ର ଛତ୍ରିଆ କ୍ଷୁବ୍ଧ ହୋଇ ପୋଡିୟମ ଉପରକୁ ଉଠି ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ସମ୍ମୁଖ ଭାଗରେ ପଡିଥିବା ବିଧାନସଭା ସଚିବଙ୍କ ଚେୟାରକୁ ଟେକି ଫୋପାଡି ଦେଇଥିଲେ ।

ବିରୋଧିଳ ନେତା ଭୂପିନ୍ଦର ସିଂ କହିଥିଲେ ଯେ, କୋଇଲା ଦୁର୍ନୀତିକୁ ଲୁଚାଇବା ପାଇଁ ଶାସକ ଦଳ ହେମାନନ୍ଦ ବିଶ୍ୱାଳଙ୍କ ପ୍ରସଂଗ ଉଠାଇଥିଲେ । ଯେଉଁମାନେ ବିଧାନସଭା ଗୃହର ସଦସ୍ୟ ନୁହଁନ୍ତି ସେମାନଙ୍କ ସଂପର୍କରେ ଏଠାରେ ଆଲୋଚନା ନହେବାର ବିଧି ରହିଛି ।

ହେମାନନ୍ଦ ବିଶ୍ୱାଳ ଜଣେ ସମ୍ମାନସ୍ପଦ ଆଦିବାସୀ ନେତା । ସୁନ୍ଦରଗଡ ଅଂଚଳରୁ ସେ ଲୋକସଭାକୁ ପ୍ରତିନିଧିତ୍ୱ କରୁଛନ୍ତିା ତାଙ୍କପରି ଜଣେ ନେତାଙ୍କ ବିରୋଧରେ ଅଣସଂସଦୀୟ ଶବ୍ଦ ବ୍ୟବହାର କରା ଯାଉଛି । ଶାସକ ଦଳର ସଦସ୍ୟମାନେ କଟୁ ଟିପ୍ପଣୀ ଦେଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ।

ବାଚସ୍ପତି ପ୍ରଦୀପ କୁମାର ଅମାତ ଏହି ପ୍ରସଙ୍ଗରେ ଗୃହର ବିବରଣୀ ମଗାଇ ଆବଶ୍ୟକ ତର୍ଜମା କରିବାପରେ ଅଣସଂସଦୀୟ ଶବ୍ଦକୁ ଏଥିରୁ ବାଦଦେବାକୁ ନିଦେ୍ର୍ଧଶ ଦେବେ ବୋଲି କହିଥିଲେ ।

ବାଚସ୍ପତି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅନୁରୋଧକୁ ପ୍ରତ୍ୟାଖାନକରି ବିରୋଧୀ କଂଗ୍ରେସର ସଦସ୍ୟମାନେ ଜିଦରେ ଅଟଳ ରହିବାରୁ ଗୃହକାର୍ଯ୍ୟ ଅଚଳ ହୋଇ ପଡିଥିଲେ । କିନ୍ତୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କୋଇଲା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version