ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୧୯(ଓଡ଼ିଶା ଡ଼ଟ୍ କମ୍) ଗତ ପାଞ୍ଚଦିନ ତଳେ ମାଓବାଦୀଙ୍କ ଦ୍ୱାରା ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଥିବା ଜଣେ ଅଧିକାରୀ ସୋମବାର କହିଛନ୍ତି ।
ଗତ ୧୪ ତାରିଖରେ ଅପହୃତ ହୋଇଥିବା ୫୪ ବର୍ଷୀୟ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କ ନିରାପଦ ମୁକ୍ତି ପାଇଁ ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଗୃହ ସଚିବ ଉପେନ୍ଦ୍ର ନାଥ ବେହେରା କହିଛନ୍ତି ।
ଶନିବାର ରାତିରେ ଏହି ଅପହରଣ ଘଟଣା ଲୋକଲୋଚନକୁ ଆସିଥିଲା ।
ପରିସ୍ଥିତିର ମୁକାବିଲା ପାଇଁ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନେ ରବିବାର ଓ ସୋମବାର ଦୁଇଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚଳାଇଛନ୍ତି ।
ବର୍ତମାନ ପର୍ଯ୍ୟନ୍ତ ଆମେ ମାଓବାଦୀଙ୍କ ଠାରୁ କୌଣସି ପ୍ରକାର ତଥ୍ୟ ପାଇ ନାହୁଁ, ବେହେରା କହିଛନ୍ତି ।
ଅପହୃତଙ୍କୁ ଠାବ କରିବା ପାଇଁ କୌଣସି ପ୍ରକାର ସର୍ଚ୍ଚ ଅପରେଶନ ଚଳାଇଛନ୍ତି ନା କୁମ୍ବିଂ ଅପରେଶନ ବନ୍ଦ କରିବା ପାଇଁ ଯୋଜନା ଅଛି ବୋଲି ପଚାରିବାରୁ , “ଏ ବିଷୟରେ କିଛି କହିବାକୁ ମୁଁ ଅସମର୍ଥ” ସେ କହିଛନ୍ତି ।
ମାଓବାଦୀଙ୍କ ସହ କଥା ହେବାକୁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି । ଅପହରଣକାରୀମାନେ ସରକାରଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ନିବେଦନ କରିଥିଲେ ।
ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କୁ ଶନିବାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାରୁ ଅପହରଣ କରାଯାଇଥିବା ସରକାରଙ୍କ ପକ୍ଷରୁ ପୂର୍ବରୁ କୁହାଯାଇଥିଲା ।
ତେବେ ଏହି ପର୍ଯ୍ୟଟକଙ୍କ ସହ ଯାଇଥିବା ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପରେ ଘଟଣା ସଂପର୍କରେ
ସମସ୍ତ ତଥ୍ୟ ଜଣାପଡ଼ିଥିଲା ।
ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋ ପୁରୀର ସନ୍ତୋଷ ମହାରଣା ଏବଂ କାର୍ତିକ ପରିଡ଼ାଙ୍କ ସହ ଗତ ୧୨ ତାରିଖରେ ଚାରିଦିନ ପାଇଁ କନ୍ଧମାଳ ଯାଇଥିଲେ ।
୧୪ ତାରିଖ ସକାଳେ ସେମାନେ ସମସ୍ତେ ନିକଟସ୍ଥ କ୍ଷୁଦ୍ର ନଦୀ କୂଳରେ ବସିଥିବା ବେଳେ ଛଅ ଜଣ ଲୋକ ବନ୍ଧୁକ ଧରି ସେଠାରେ ପହଞ୍ଚିଥିଲେ । ଏହି ଲୋକମାନେ ସେମାନଙ୍କ ହାତ ବାନ୍ଧି ଦେବା ସହ ଆଖିରେ କପଡ଼ା ବାନ୍ଧି ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ।
କିନ୍ତୁ ମାଓବାଦୀମାନେ ଗତ ୧୬ ତାରିଖରେ କାର୍ତିକ ଏବଂ ସନ୍ତୋଷଙ୍କୁ ମୁକ୍ତ କରିଦେଇଥିବା ବେଳେ ଇଟାଲୀୟ ପର୍ଯ୍ୟଟକ ଦ୍ଵୟଙ୍କୁ ଅଟକ ରଖିଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ଼ କରାଯାଇ ଅପହରଣକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ବୋଲି ପୁରୀ ଜିଲ୍ଲା ପୋଲିସ ମୁଖ୍ୟ ଅନୂପ ସାହୁ କହିଛନ୍ତି ।
ପର୍ଯ୍ୟଟକମାନେ ନଦୀ କୂଳରେ କେତେକ ଆଦିବାସୀ ମହିଳାଙ୍କ ଫଟୋ ଉଠାଇ ଥିବା ବେଳେ ସେମାନଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ କରି ରବିବାର ମାଓନେତା ସବ୍ୟସାଚୀ ପଣ୍ଡା ସ୍ଥାନୀୟ ଗଣମାଧ୍ୟମକୁ ଅଡ଼ିଓ ସିଡ଼ି ପଠାଇଥିଲେ ।
ସରକାର ମାଓ ବିରୋଧୀ ଅଭିଯାନ ଏବଂ କୁମ୍ବିଂ ଅପରେଶନ ବନ୍ଦ କରିବା ସହ ସେମାନଙ୍କର ଦାବି ପୂରଣ କରିବାକୁ ମାଓବାଦୀମାନେ ଦାବି କରିଛନ୍ତି ।
ଆଭ୍ୟନ୍ତରୀଣ ଅଞ୍ଚଳକୁ ପର୍ଯ୍ୟଟକଙ୍କୁ ଯିବା ପାଇଁ ଅନୁମତି ଦେବାକୁ ଟୁର ଅପରେଟରମାନେ ପ୍ରଶାସନକୁ ଲାଞ୍ଚ ଦେଉଥିବା ବିଷୟରେ ଆମ ପାଖରେ ଯଥେଷ୍ଟ ପ୍ରମାଣ କରହିଛି ବୋଲି ଏହି ମାଓନେତା କହିଛନ୍ତି ।
ଅପହୃତଙ୍କ ନିରାପଦ ମୁକ୍ତି ପାଇଁ ସେମାନେ ସରକାରଙ୍କ ନିକଟରେ ୧୩ଟି ଦାବି ଉପସ୍ଥାପନ କରିଛନ୍ତି । ମାଓ ବିରୋଧୀ ଅଭିଯାନ ବନ୍ଦ ସହ ପୋଲିସ ହେପାଜତରେ ମୃତ୍ୟୁ ବରଣ କରିଥିବା ମାଓ ସମର୍ଥକଙ୍କ ପରିବାରକୁ କ୍ଷତିପୂରଣ ଏବଂ ପ୍ରାୟ ଛଅ ଶହ ବନ୍ଦୀଙ୍କୁ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି ।
ପୋସ୍କୋ ଓ ବେଦାନ୍ତ ସମେତ ଅନ୍ୟ ପ୍ରକଳ୍ପର ବିରୁଦ୍ଧରେ ସ୍ୱର ଉଠାଇ ଗିରଫ ହୋଇଥିବା ବିସ୍ଥାପନ
ବିରୋଧୀ ନେତା ମାନଙ୍କୁ ମୁକ୍ତ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି ।
ରାଜ୍ୟରେ ପ୍ରଥମ ଥର ପାଇଁ ମାଓବାଦୀମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍