• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅର୍ଥ-ବ୍ୟବସାୟ

ରହସ୍ୟଜନକ ମାଛ ମୃତ୍ୟୁରେ ବନ୍ଦରର କୌଣସି ଭୂମିକା ନାହିଁ, ଗୋପାଳପୁର ବନ୍ଦର କତ୍ତୃପକ୍ଷ

July 11, 2017 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର: ଜୁଲାଇ ୧୧ (ଓଡିଶା ଡଟ କମ) ନିକଟରେ ଗୋପାଳପୁର ବନ୍ଦରରେ ଯେଉଁ ବଡ଼ ଧରଣର ମାଛ ମୃତ୍ୟୁ ହୋଇଥିଲା ଯାହା ମତ୍ସ୍ୟ ଏବଂ ସାମୁଦ୍ରିକ ବିଶେଷଜ୍ଞ, ମତ୍ସ୍ୟଜୀବୀ ସମ୍ପ୍ରଦାୟ ଏବଂ ଗଞ୍ଜାମ ଜିଲ୍ଲାର ସାମାଜିକ କର୍ମୀଙ୍କୁ ଚକିତ କରିଥିଲା ଓ ଏ ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବା ରିପୋର୍ଟର ବିପରୀତ ଏହି ଘଟଣାରେ ଗୋପାଳପୁର ବନ୍ଦରର କୌଣସି ଭୂମିକା ନ ଥିବା ବନ୍ଦର କତ୍ତୃପକ୍ଷ କହିଛନ୍ତି ।

ଚଳିତ ବର୍ଷ ଜୁନ୍ ୨୭ରେ କେତେକ ଖବର ପ୍ରକାଶ ପାଇଥିଲା ଯେ ବଡ଼ ଧରଣର ମଲା ମାଛ ଏବଂ ଅନ୍ୟ ସାମୁଦ୍ରିକ ଜୀବ ଭାସୁଛନ୍ତି ଏବଂ ଗୋପାଳପୁର ବନ୍ଦରନିକଟସ୍ଥ ସମୁଦ୍ରକୂଳରେ ପଡ଼ିରହିଛନ୍ତି । ରିପୋର୍ଟରେ ଲେଖାଯାଇଥିଲା ଯେ ବର୍ଷା ଯୋଗୁଁ ହୁଏତ ଗୋପଳପୁର ବନ୍ଦରରେ ଥିବା ସାର ଏବଂ ୟୁରିଆ ସମୁଦ୍ରରେ ମିଶିଯାଇଛି ଯାହା ପାଣିକୁ ଅପମିଶ୍ରିତ କରିଛି ଏବଂ ତାହାର ପ୍ରଭାବରେ ସାମୁଦ୍ରିକ ଜୀବଙ୍କ ଜୀବନ ହାନି ହୋଇଛି ।

ଏଭଳି ଆକଳନ କରିବା ପଛର କାରଣ ହେଉଛି ମାଛଗୁଡ଼ିକ ଯେଉଁ ଫିସିଂ ଜେଟି ନିକଟରେ ମରିପଡ଼ିଥିଲେ ତାହା ବେନ୍ଦରକୁ ଲାଗିଛି । ମାତ୍ର ଭଲ ଭାବେ ଦୃଷ୍ଟି ନିକ୍ଷେପ କଲେ ଜାଣି ହେବ ଯେ ଫିସିଂ ଜେଟି ପୁରୁଣା ବନ୍ଦର ନିକଟରେ ରହିଛି । ତାହା ଏବେର ଗୋପାଳପୁର ବନ୍ଦରର ଅଂଶ ହୋଇ ରହିନାହିଁ । ଏହା ବ୍ୟତୀତ, କମ ଢ଼େଉ ଏବଂ ଜଳ ସ୍ତର ଯୋଗୁଁ ଦିନର ଅଧିକାଂଶ ସମୟ ବନ୍ଦରରେ ପାଣି କମ୍ ରହୁଛି । କିଛି ମାସ ଅତୀତରେ ମତ୍ସ୍ୟଜୀବୀମାନେ ସରକାରଙ୍କ ନିକଟରେ ଆଉ ଏକ ଫିସିଂ ଜେଟି ନିର୍ମାଣ କରିବାକୁ ଆବେଦନ କରିଥିଲେ ।

ତେଣୁ ମାଛ ମୃତ୍ୟୁରେ ବନ୍ଦର ସମ୍ପର୍କିତ କୌଣସି କାର୍ଯ୍ୟକଳାପର ଭୂମିକା ନାହିଁ ବୋଲି ବନ୍ଦରର ଜଣେ ଅଧିକାରୀ କହିଛନ୍ତି । ଅଧିକାରୀ ଜଣକ ଏହା ମଧ୍ୟ କହିଛନ୍ତି ଯେ ୨୦୧୭ ଏପ୍ରିଲ୍ ପରଠାରୁ ବନ୍ଦର ପକ୍ଷରୁ କୌଣସି ସାର ଜାହଜକୁ ପରିଚାଳନା କରାଯାଇନାହିଁ । ମାଛ ମୃତ୍ୟୁର ଏକ କାରଣ ହୋଇପାରେ ଇଣ୍ଡିଆନ୍ ରେୟାର୍ ଆର୍ଥ ଲିମିଟେଡ୍ର ଓଡ଼ିଶା ସ୍ୟାଣ୍ଡସ୍ କମ୍ପେ୍ଲକ୍ସ (ଓଏସ୍ସିଓଏମ୍) ଯାହା ପାଇପଲାଇନ୍ ଡିସ୍ଚାର୍ଜ କରୁଥିବା ଅଂଚଳରେ ମାଛ ମୃତ୍ୟୁ ହୋଇଛି, ସେହି ସ୍ଥାନରୁ ରାସାୟନିକ ଉପାଦନ ସମୁଦ୍ର ମଧ୍ୟକୁ ଛଡ଼ାଯାଇଥାଏ ଯାହା ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ ।

ଏହି ଘଟଣା ପରେ ମତ୍ସ୍ୟଜୀବୀମାନେ ମାଛ ମାରିବା ବନ୍ଦ କରିଦେଇଛନ୍ତି ଯାହା ଦ୍ୱାରା ଜୀବନ ଜୀବିକା କ୍ଷତିଗ୍ରସ୍ତ ହୋଇଛି । ପୂର୍ବରୁ ୨୦୧୬ ଅଗଷ୍ଟ ୬, ବନ୍ଦର ନିକଟବର୍ତି ଅଂଚଳରେ ଏଭଳି ଏକ ଘଟଣା ଘଟିଥିଲା ଏବଂ ସେଂଟ୍ରାଲ ମାରିନ୍ ଫିସରିଜ୍ ଇନଷ୍ଟିଚ୍ୟୁଟ୍ (ସିଏମ୍ଏଫ୍ଆର୍ଆଇ), ପୁରୀର ଏକ ବୈଜ୍ଞାନିକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିଲେ । ଟିମ୍ ପକ୍ଷରୁ ଜଳ ଏବଂ ମଲା ମାଛର ନମୁନା ସଂଗ୍ରହ କରିଥିଲେ କିନ୍ତୁ ଅଧିକାରୀମାନେ ଏ ପର୍ଯ୍ୟନ୍ତ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିନାହାନ୍ତି ।

୨୬ ଜୁନ୍ ୨୦୧୭ରେ (ମଲା ମାଛ ଦେଖାଯିବାର ଗୋଟିଏ ଦିନ ପରେ) ଜଳର ଯେଉଁ ନମୁନା ସେଠାରୁ ସଂଗ୍ରହ କରାଯାଇଥିଲା ସେଥିରେ କୌଣସି ରାସାୟନିକ ଉପାଦାନ କିମ୍ବା ସାର ନଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି । କିନ୍ତୁ ଏହା ଜଣାଶୁଣା କଥା ଯେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ମାଛ ମୃତ୍ୟୁ ଏବେ ବି ରହସ୍ୟମୟ ହୋଇ ରହିଛି । ମାଛ ମୃତ୍ୟୁ ଏବେ ବି ପରିବେଶବିତମାନଙ୍କୁ ଚକିତ କରି ରଖିଛି ।

ମତ୍ସ୍ୟଜୀବୀଙ୍କ ସଂଘର ସଭାପତି ସରକାରଙ୍କୁ ଅନୁରୋଧ କରି ତଦନ୍ତ କରିବା ଏବଂ ଭୟଭୀତ ଥିବା ମତ୍ସ୍ୟଜୀବୀମାନଙ୍କ ସମସ୍ୟା ସମାଧାନ କରିବାକୁ କହିଛନ୍ତି । ସାମାଜିକ କର୍ମୀମାନେ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କୁ ସମର୍ଥନ କରୁଛନ୍ତି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ

ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳୀ

May 7, 2016 by ନିଉଜ ଡେସ୍କ Leave a Comment

tendu-leavesଫକିର ଚରଣ ରାଉତ

ଓଡ଼ିଶାରେ କେନ୍ଦୁପତ୍ର ବିଭାଗ ଏକ ଲାଭଜନକ ସଂସ୍ଥା ବୋଲି ଆମେ ସମସ୍ତେ ଜାଣିଛେ । ଓଡ଼ିଶା ସରକାର ବର୍ଷକୁ ହାରାହାରି ୪୨୦କୋଟି ଟଙ୍କାର ବେପାର କରି ୧୦୦ କୋଟି ଟଙ୍କା ଲାଭ ପାଉଛନ୍ତି ବୋଲି ସ୍ୱୀକାର କରୁଛନ୍ତି । ଆଜିରଦିନରେ ଓଡ଼ିଶାରେ ୧୯ଟି କେନ୍ଦୁପତ୍ର ଡିଭିଜନ ଓ ୧୪୦ଟି ରେଞ୍ଜ ଓ ୬୦୦୦ ଫଡି ରହିଛି ।

୧୯୭୩ ମସିହା ପୂର୍ବରୁ କେନ୍ଦୁପତ୍ର ତୋଳା ସହିତ ଏହାର ବେପାର ଭାର ଘରୋଇ ସଂସ୍ଥାମାନଙ୍କ ଉପରେ ଆମ ରାଜ୍ୟ ସରକାର ଠିକାଭାବରେ ନ୍ୟସ୍ତ କରିଥିଲେ । ଏହାର ଯେଉଁ ଲାଭ ଆସୁଥିଲା, ତାହା ଘରୋଇ କମ୍ପାନୀମାନେ ନେଉଥିଲେ । ରାଜ୍ୟ ସରକାରଙ୍କୁ ଏଥିରୁ କିଛି ମିଳୁ ନଥିଲା ।

ଶ୍ରୀମତୀ ନନ୍ଦିନୀ ଶତପଥି ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କରି ଅମଳରେ ୧୯୭୪ମସିହାରେ କେନ୍ଦୁପତ୍ର ଜାତୀୟକରଣ ହେଲା ଓ ସରକାର ପ୍ରତ୍ୟକ୍ଷ ଭାବରେ ଏହାର ସମସ୍ତ ପ୍ରକାର କାର୍ଯ୍ୟ କେନ୍ଦୁପତ୍ର ବିଭାଗ ମାଧ୍ୟମରେ ସମ୍ପାଦନ କଲେ । ଏହାର ଲାଭାଂଶ ସରକାରଙ୍କ ନିକଟକୁ ଆସିଲା ।

ରାଜ୍ୟ ସରକାର କେନ୍ଦୁ ଲିଫ୍ ଗ୍ରାଣ୍ଟ୍ ନାମକ ଏକ ଆର୍ଥିକ ଅନୁଦାନ ପଂଚାୟତମାନଙ୍କୁ ପ୍ରଦାନ କରୁଥିଲେ । ସତୁରୀ ଦଶକରେ କେନ୍ଦୁପତ୍ର କର୍ମଚାରୀ ସଂଘର ସରକାରଙ୍କ ନିକଟରେ ଦାବୀଥିଲା ଗୋଟିଏ କେରୀ ପତ୍ରର ଦାମ୍ ୧ପଇସା କରାଯାଉ ।

ଗୋଟିଏ କେରୀରେ ୨୦ଟି ଭଲ ପତ୍ର ସହିତ ତଳ ଓ ଉପରେ ୧ଟି ଲେଖାଁଏ ମୋଟ୍ ୨ଟି ବୁଢ଼ା ପତ୍ର ରହିଥାଏ । ଏକବିଂଶ ଶତାବ୍ଦୀ ପ୍ରାରମ୍ଭରେ ୧ପତ୍ରକୁ ୧ପଇସା ପ୍ରଦାନ କରିବାକୁ ସଂଘ ସରକାରଙ୍କ ନିକଟରେ ଦାବୀ କରି ଆସୁଥିଲା ।

୨୦୧୬ ମସିହାବେଳକୁ ଗୋଟିଏ କେରିର ଦାମ ୭୦ପଇସା ହୋଇଛି । ସାରାଓଡ଼ିଶାରେ ଅଳ୍ପ କେତୋଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ କେନ୍ଦୁପତ୍ର ତୋଳା କାର୍ଯ୍ୟ ଚାଲୁ ରହିଛି ।

ଗୋଟିଏ କାରଖାନାର ଶ୍ରମିକମାନଙ୍କୁ ଏକାଠି କରି ଲଢ଼େଇ କରିବା ସହଜ କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରଠାରୁ ମାଲକାନଗିରି ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରୁ ଗଜପତିର ମୋହନା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଥିବା କେନ୍ଦୁପତ୍ର ତୋଳାଳୀଙ୍କୁ ଏକାଠିକରି ନିଜ ସ୍ୱାର୍ଥ ନିମନ୍ତେ ଲଢ଼େଇ କରିବାକୁ ସଂଗଠିତ କରିବା ସହଜ ନୁହେଁ ।

ଅଂଶୁଘାତପାଇଁ ସରକାର ଏପ୍ରିଲ ଓ ମେ ମାସରେ ଦିନ ୧୧ଟା ପରେ ଘରୁ ନବାହାରିବା ପାଇଁ ପ୍ରଚାର କରୁଥିବା ସମୟରେ କେନ୍ଦୁପତ୍ର ତୋଳାଳିମାନେ ୪୦ରୁ ୪୫ ଡିଗ୍ରି ତାପମାତ୍ରାକୁ ଖାତିରି ନକରି ନିଜର ପେଟ ପାଇଁ ପିଲା ଛୁଆଙ୍କୁ ଧରି କେନ୍ଦୁପତ୍ର ତୋଳିଥାନ୍ତି । ତା’ସହିତ ଥାଏ ବନ୍ୟଜନ୍ତୁଙ୍କ ଭୟ ।

ହାତୀ,ଭାଲୁ,ବାର୍ହା ଆକ୍ରମଣ, ସାପ କାମୁଡାରେ ଜୀବନକୁ ହାରିବା କଥାକୁ ଭ୍ରୂକ୍ଷେପ ନକରି କେନ୍ଦୁପତ୍ର ତୋଳାଳିମାନେ ପତ୍ର ସଂଗ୍ରହ କରୁଛନ୍ତି ।

କେନ୍ଦୁପତ୍ର ତୋଳାଳିଟିର ଲୁହ,ରକ୍ତ,ଝାଳର ପରିଶ୍ରମରେ ତୋଳାଯାଉଥିବା କେନ୍ଦୁପତ୍ର ଆଜି ସରକାରଙ୍କୁ ଚାରିଶ କୋଟି ଟଙ୍କାର ବେପାରରେ ପହଁଚାଇ ପାରିଛି । ଗଛ ବୃଦ୍ଧିରେ ଯେପରି ଚେରର ପ୍ରମୁଖ ଭୂମିକା ରହିଥାଏ, ଠିକ୍ ସେହିପରି ସରକାରଙ୍କର ରାଜସ୍ୱ ବୃଦ୍ଧିରେ କେନ୍ଦୁପତ୍ର ତୋଳାଳିଙ୍କ ଅବଦାନ ଅତୁଳନୀୟ ।

ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳିଟି ଛଟପଟ ହୋଇ ବୁଝି ପାରେନା ତାର ଦୋଷ କଣ? ସରକାର ଘୋଷଣା କରିଛନ୍ତି ଗୋଛାକଟା ମଜୁରୀ ଦିନକୁ ୨୨୦ ଟଙ୍କା । ଗୋଛାକଟାଳିଟିକୁ କାମ ମିଳେ ଅଧାଦିନ । ବାକି ଅଧାଦିନ କାମ ନପାଇ ଘରେ ବସେ । ଏହାର କାରଣ କଣ ସେ ଜାଣିପାରେନା ।

ସେପରି ଗୋଛାକଟା ଏରିଆ ଧିରେ ଧିରେ କମିଯାଉଛି ବୋଲି କେନ୍ଦୁପତ୍ର ତୋଳାଳିମାନେ ଅଭିଯୋଗ କରୁଛନ୍ତି । ଗୋଛାକଟା ପାଇଁ କେତେ ଟଙ୍କା ପ୍ରତିଗ୍ରାମକୁ ଆସେ, ତାହାର ସୂଚନା ଗୋଛାକଟାଳି ବା କେନ୍ଦୁପତ୍ର ତୋଳାଳିମାନଙ୍କ ପାଖରେ ନଥାଏ । କିନ୍ତୁ କେନ୍ଦୁପତ୍ର ବିଭାଗ କୁହେ ଫଡି କମିଟି ସବୁ ବୁଝୁଛି ।

ବାସ୍ତବକଥା ହେଲା ଫଡିକମିଟି କେବଳ କାଗଜ କଲମରେ ଛାଲିଛି । କେନ୍ଦୁପତ୍ର ତୋଳା କାମରେ ପରିବାରର ସମସ୍ତ ସଦସ୍ୟ କାମରେ ଲାଗିଥାନ୍ତି । କିନ୍ତୁ ପରିବାରର ଜଣଙ୍କ ନାମରେ କେନ୍ଦୁପତ୍ର ତୋଳାଳି ପାସ୍ ବହି ଖୋଲାଯାଏ ଓ ସେହିଜଣଙ୍କ ନାମ ବୀମାଭୁକ୍ତ କରାଯାଏ ।

ଅବଶିଷ୍ଟ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରୁ କେହି ଯଦି କେନ୍ଦୁପତ୍ର ତୋଳିବା ସମୟରେ ବନ୍ୟଜନ୍ତୁ ଆକ୍ରମଣ, ସାପକାମୁଡ଼ା ବା ଅଂଶୁଘାତରେ ଜୀବନ ହରାଏ, ପରିବାର ଲୋକଙ୍କୁ କୌଣସି କ୍ଷତିପୂରଣ ମିଳେ ନାହିଁ ।

ସେହିପରି ଗୋଟିଏ କେରୀରେ ୨୦ଟି ବିଡ଼ି ଉପଯୋଗୀ ପତ୍ର ରହିବାର ନିୟମ ଥିଲେ ମଧ୍ୟ ମୁନ୍ଷୀମାନେ ୨୨ରୁ ୨୫ପତ୍ର କେରୀରେ ବାନ୍ଧିବାକୁ ବାଧ୍ୟ କରନ୍ତି । ପତ୍ର ଶୁଖା କାମରେ ଶିଶୁ ଶ୍ରମିକମାନଙ୍କୁ ଲଗାଯାଏ ।

ଆଇନତଃ ଶିଶୁ ଶ୍ରମିକ ଲଗାଇବା ବାରଣ ଥିଲେ ମଧ୍ୟ ପ୍ରତ୍ୟେକ ଫଡିରେ ମୁନ୍ଷିମାନେ ଉଚ୍ଚପଦାଧିକାରୀଙ୍କ ଜ୍ଞାତସାରରେ ପତ୍ରଶୁଖା କାମରେ ଶିଶୁ ଶ୍ରମିକମାନଙ୍କୁ ଲଗାଇ ଶ୍ରମର ପାଉଣାକୁ ଲୁଟ କରିଥାନ୍ତି ।

ସେହିପରି ବିଭିନ୍ନ ଆଳ ଦେଖାଇ ମାସ ମାସ ଧରି ପତ୍ର ତୋଳିବାର ପାଉଣା ମିଳେ ନାହିଁ । ପ୍ରତ୍ୟେକ ତୋଳାଳୀଙ୍କୁ ଆମ୍ ଆଦ୍ମୀ ବୀମା ଯୋଜନାରେ ସାମିଲ କରାଯାଇଛି ।

ନିୟମ ଅନୁଯାୟୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ବୀମାଧାରୀଙ୍କର ନବମରୁ ଦା୍ୱଦଶ ଶ୍ରେଣୀରେ ପଢୁ ଥିବା ୨ଟି ସନ୍ତାନଙ୍କୁ ପ୍ରତିମାସରେ ୧୦୦ଟଙ୍କା ହିସାବରେ ୬ମାସରେ ୬୦୦ଙ୍କା ଛାତ୍ରବୃତ୍ତି ମିଳିବ । କିନ୍ତୁ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ବୀମାଧାରୀଙ୍କର ସନ୍ତାନମାନଙ୍କୁ ସେମାନଙ୍କର ପ୍ରାପ୍ୟ ବିଭିନ୍ନ ଆଳଦେଖାଇ କେନ୍ଦୁପତ୍ର ବିଭାଗ ଦେଇ ନାହିଁ ।

୧୯୯୯ ମସିହାଠାରୁ ସରକାରଙ୍କ ପ୍ରଚେଷ୍ଟା ଓ କାର୍ଯ୍ୟାନୁଷ୍ଠାନ ଯୋଗୁଁ କେନ୍ଦୁପତ୍ର ତୋଳାଳୀ ଆଜି କିଛି କିଛି ସୁବିଧା ପାଇ ପାରୁଛନ୍ତି । ପ୍ରଥମରୁ କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭାଂଶ ରାଜ୍ୟ ସରକାରଙ୍କ ରାଜକୋଷକୁ ଯାଉଥିଲା,ଏବେ ସେଥିରୁ ତୋଳାଳୀମାନଙ୍କୁ କିଛି କିଛି ଦିଆଯାଉଛି ।ରାଜ୍ୟ ସରକାର କେନ୍ଦୁପତ୍ର ବିକାଶ ବୋର୍ଡ ଗଠନ କରିଛନ୍ତି ।

ସେଥିରେ ତୋଳାଳୀ, ବନେ୍ଧଇ ଆଦି କାର୍ଯ୍ୟ କରୁଥିବା ଲୋକମାନଙ୍କର ସଂଘର ପ୍ରତିନିଧି ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡର ବୈଠକ ବସି ତୋଳାଳୀମାନଙ୍କ ହିତ ନିମନ୍ତେ ଯାହା ଆବଶ୍ୟକ, ସେହି ଅନୁସାରେ ନିଷ୍ପତ୍ତି ଗ୍ରହଣ କରାଯାଉଛି । ମୁନ୍ସୀ, ଚପରାଶି ଆଦିଙ୍କ ପାଇଁ କଲ୍ୟାଣ ପରିଷଦ ଗଠନ କରାଯାଇଛି ଓ ଏଥିରେ ୬ କୋଟି ଟଙ୍କା ଜମା କରାଯାଇଛି ।

ଓଡ଼ିଶାରେ ଜଙ୍ଗଲ ଉନ୍ନୟନ କର୍ପୋରେସନ ଓ ଜଙ୍ଗଲ ବିଭାଗ ମାଧ୍ୟମରେ କେନ୍ଦୁପତ୍ର ବ୍ୟବସାୟ ଚାଲୁ ରହିଛି । ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ସମୁଦାୟ ନେଣ ଦେଣ କାର୍ଯ୍ୟ ବ୍ୟାଙ୍କ ମାଧ୍ୟମରେ କରାଯିବାକୁ ସ୍ଥିର ହୋଇଛି ଓ ଚଳିତବର୍ଷ ସମସ୍ତ ଦେୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଛି ।

ସରକାର କେବଳ ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା କହି ନିଜଆଡୁ ଦୋଷ ଖସାଇ ଦେଲେ ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳୀଟି ଛଟ ପଟ ହେବା ବ୍ୟତୀତ ତାହା ପକ୍ଷରେ ଅନ୍ୟ କିଛି ଚାରାନାହିଁ ।

ତୋଳାଳୀଙ୍କ ସ୍ୱାର୍ଥ ଓ କେନ୍ଦୁପତ୍ର ବିଭାଗ ଲାଭଦୃଷ୍ଟିରୁ ସରକାରଙ୍କୁ କେତୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପ୍ରଥମତଃ କେନ୍ଦୁପତ୍ର ତୋଳୁଥିବା ପରିବାର ସମସ୍ତ ସଦସ୍ୟଙ୍କୁ ଆମ୍ ଆଦମୀ ବୀମା ଯୋଜନାରେ ସାମିଲ କରାଇବା ସହିତ ବୀମାର ସୁବିଧାଗୁଡିକୁ ସରଳ ଉପାୟରେ ଉପଲବ୍ଧ କରାଇବା । ପତ୍ର ଦେବାର ଏକ ସପ୍ତାହ ମଧ୍ୟରେ ପାଉଣା ପ୍ରଦାନ କରିବା ।

ପତ୍ର ଶୁଖା କାମରେ ଶିଶୁଶ୍ରମିକମାନଙ୍କୁ ଲଗାଉଥିବା ମୁନ୍ସୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଗୋଛା କଟା ଶୈଳୀରେ ପରିବର୍ତ୍ତନ ଆଣିବା । ତୋଳାଳୀମାନଙ୍କୁ ପ୍ରତିବର୍ଷ ଚପଲର ପାଉଣା ପ୍ରଦାନ କରିବା ଓ ଉନ୍ନତମାନର ପତ୍ର ସଂଗ୍ରହ ପାଇଁ ବାଉଁଶ ଝୁଡି ଯୋଗାଇବା ନିତାନ୍ତ ଜରୁରୀ ।

 

ସୌଜନ୍ୟ: ସମଦୃଷ୍ଟି

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: କେନ୍ଦୁପତ୍ର, ତୋଳାଳି, ବନ ବିଭାଗ, ଶ୍ରମିକ, ସରକାର

କେତେ ମାଗଣା ଫେସବୁକର ଫ୍ରି ବେସିକ୍ସ?

January 5, 2016 by ନିଉଜ ଡେସ୍କ Leave a Comment

ଶୁଭାଶିଷ ପାଣିଗ୍ରାହୀ

ଗତ ଦୁଇ ସପ୍ତାହ ସାରା ଇଣ୍ଟରନେଟରେ ନିଆଁ ଲାଗିଛି । ସାରା ଦେଶରୁ ଲୋକେ ନିଆଁରେ ପତଙ୍ଗ ଝାସ ଦେଲା ଭଳି ଫେସବୁକର ନୂଆ ପ୍ରକଳ୍ପ ଫ୍ରି ବେସିକ (Free Basics) ବିରୋଧରେ ଭିନ୍ନ ଭିନ୍ନ ଧରଣର ମତ ଦେଇଚାଲିଛନ୍ତି । subhashis

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କାଳରେ ସେଠାରେ ଜୁକରବର୍ଗଙ୍କ ସାଙ୍ଗେ ଭେଟି ଫେସବୁକର ମିଳିତ ସହଯୋଗରେ ଭାରତରେ ସାଧାରଣ ଲୋକଙ୍କ ପାଇଁ ଜ୍ଞାନ ବିତରଣ ଓ ସୂଚନା ପହଞ୍ଚାଇବା ବାବଦରେ ଆଲୋଚନ କରିଥିଲେ।

ଫେସବୁକ ଏହାକୁ  ଭାରତରେ ନିଜର ଚେର ମୋଟା କରିବାର ଏକ ସୁଯୋଗ ଭାବେ ବ୍ୟବହାର କରିବାକୁ ଉଦ୍ୟମ କଲା । ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏହି  ଫ୍ରି ବେସିକ୍ସ ସମ୍ପର୍କରେ ଘୋଷଣା କରିବାର ଦୁଇ ସପ୍ତାହ ନ ପୁରୁଣୁ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ପାଖରେ ସାଢ଼େ ଚାରି ଲକ୍ଷ ପାଖାପାଖି ଇମେଲ ଏହାକୁ ରୋକିବା ଲାଗି ପହଞ୍ଚି ସାରିଲାଣି ।

ଜନନେତା ଓ ଇନଫୋସିସର ସହ ପ୍ରତିଷ୍ଠାତା ନନ୍ଦନ ନୀଳକେଣିଙ୍କ ଠାରୁ ଆରମ୍ଭ କରି ମିଡ଼ିଆନାମାର ପ୍ରତିଷ୍ଠାତା ନିଖିଳ ପାଉଆ, ଭେଞ୍ଚର କ୍ୟାପିଟାଲିଷ୍ଟ ମହେଶ ମୂର୍ତ୍ତି, ଇଣ୍ଟରନେଟ ଆକ୍ଟିଭିଷ୍ଟ ସୁନୀଳ ଆବ୍ରାହାମ, ପ୍ରଣେଶ ପ୍ରକାଶଙ୍କ ଯାଏ ସଭିଏଁ ଏହା ପଛରେ ଫେସବୁକ ଲାଭକାରୀ ମନୋଭାବ ନିହିତ ଅଛି ବୋଲି ଦର୍ଶାଇ ଏହି ଉଦ୍ୟମକୁ କଡ଼ା ନିନ୍ଦା କରିଛନ୍ତି।

ତେବେ କଣ ଏ ଫ୍ରି ବେସିକ୍ସ? କାହିଁକି ଏତେ ବିବାଦ ?

ଫେସବୁକ ବ୍ୟବହାର କରୁଥିବା ଉଣାଅଧିକେ ସଭିଏଁ ଜାଣୁଥିବେ ସେ କେଡ଼େ ଅଠାକାଠି! ଫେସବୁକର ପ୍ରାୟ ବ୍ୟବହାକାରୀ ହେଲେ ଯୁବବର୍ଗର । ତେବେ ଅନ୍ୟ ବଯସର ଲୋକେ ମଧ୍ୟ ଫେସବୁକ ବ୍ୟବହାର କରିଥାନ୍ତି । ଖୁବ କମ ସମୟରେ ଅଧିକ ଲୋକଙ୍କ ସଙ୍ଗେ ମିଶିବା, ଗପିବା ଆଦି ସୁବିଧା ପାଇବା ଯୋଗୁଁ ଅନେକେ ଫେସବୁକ ପ୍ରେମରେ ପଡ଼ିଯାଆନ୍ତି ।

ସରଳ ଭାଷାରେ କହିଲେ ଫେସବୁକ ଇଣ୍ଟରନେଟରେ ଉପଲବ୍ଧ ଏକ ହାଟ ବଜାର । ଲୋକେ ସେଠି କିଛି ସମୟ କାଟିବା ପାଇଁ, ଚିହ୍ନା-ଅଚିହ୍ନା ଲୋକଙ୍କ ସହ ମିଶିବା ପାଇଁ, ଆଳାପ-ଆଲୋଚନା ପାଇଁ ଏକାଠି ହୁଅନ୍ତି । ଅଧିକାଂଶ ଆଲୋଚନା କେବଳ ମଜା ମଉଜ ପାଇଁ ହେଲା ବେଳେ କିଛି ଉପଯୋଗୀ ଆଲୋଚନା ମଧ୍ୟ ହୋଇଥାଏ ।

ଫେସବୁକ ଏକ ବିଶାଳ ଲାଭକାରୀ କମ୍ପାନି । ଏହାର ଆଉ ଏକ ସହ ପ୍ରକଳ୍ପ ହେଲା ହୁଆଟ୍ସ ଅପ । ଏହା ଅନଲାଇନ ଚାଟିଂ ପାଇଁ ବ୍ୟବହାର କରାଯାଏ । ଫଟୋ ଭିଡ଼ିଓରୁ ଆରମ୍ଭ କରି ସାଧାରଣ ଚାଟିଂ ନିମନ୍ତେ ଏହା ଖୁବ ଜଣା । ନିକଟରେ ଫେସବୁକ internet.org ନାମକ ଏକ ସହ-ସଙ୍ଗଠନ ଆରମ୍ଭ କରିଛି ।

ଫ୍ରି ବେସିକ୍ସ ହେଲା ଏ ଇଣ୍ଟରନେଟ ଡଟ ଅର୍ଗ ଅଧୀନରେ ଏକ ଯୋଜନା । ତେବେ ଫେସବୁକ ଓ ଫେସବୁକର ସହ-ପ୍ରକଳ୍ପସବୁକୁ ଅଭାବୀ ଦେଶମାନଙ୍କରେ ଅଧିକ ଲୋକପ୍ରିୟ କରିବା ଲାଗି ସେସବୁକୁ ବିନାମୂଲ୍ୟରେ ପହଞ୍ଚାଇବା ପାଇଁ ଏ ଫ୍ରି ବେସିକ୍ସ । ଭାରତ ସମେତ ଜଗତର ୩୦ଟି ଦେଶରେ ଫ୍ରି ବେସିକ୍ସ ଜରିଆରେ ମାଗଣା ସୀମିତ ଫେସବୁକ ସୁବିଧା ଦେବା ଏହାର ଉଦ୍ଦେଶ୍ୟ ।

ଫ୍ରି ବେସିକ୍ସ ଜରିଆରେ ଆଉ କିଛି ମାଗଣା ୱେବସାଇଟ ମଧ୍ୟ ଉପଲବ୍ଧ ହେବ । ତେବେ ଏଠାରେ ଅନେକ ପ୍ରଶ୍ନ ମନରେ ଉଙ୍କିମାରେ? ଏ ମାଗଣା ୱେବସାଇଟସବୁ ବ୍ୟବହାର ପାଇଁ ଲୋଡ଼ା କି ନାଁ ତା’ର ସିଦ୍ଧାନ୍ତ କିଏ ନେବ, ଫେସବୁକ ନାଁ ବ୍ୟବହାରକାରୀ ?

ଫ୍ରି ବେସିକ୍ସ ଅଧୁନା କିଛି ଦେଶରେ ଉପଲବ୍ଧ ହୋଇଥିବା ବେଳେ ଫିଲିପାଇନ୍ସରେ ରହୁଥିବା ଜଣେ ଭାରତୀୟ ଜିତେଶ ଗୋସ୍ୱାମୀ ନିକଟରେ ନିଜେ ନିଜ ମୋବାଇଲରେ ସେଠାର ଫ୍ରି ବେସିକ୍ସ ଇନଷ୍ଟଲ କରି ଯାହା ମତ ଦେଇଛନ୍ତି ତା’ ଭାରୀ ଚିନ୍ତାର ବିଷୟ । ସାଧାରଣ ଫେସବୁକର ଅଧାରୁ ଅଧିକ ସୁବିଧା ଫ୍ରି ବେସିକ୍ସରେ ନାହିଁ ।

ଏଥିରେ ଫେସବୁକ ବାହାରେ ଥିବା ଭିଡ଼ିଓ ମାଗଣାରେ ଦେଖିହେବନି କି ଖବର ଆଦି ସମ୍ପୂର୍ଣ୍ଣ ପଢ଼ିହେବନି । ପୁଣି ମାଗଣାରେ ମିଳିବାକୁ ଥିବା ବାକି ୱେବସାଇଟସବୁ ବାଛିବାରେ ଫେସବୁକର ଏକଚାଟିଆ ଅଧିକାର ରହିବ । ବ୍ୟବହାରକାରୀ  କଣ ଚାହାନ୍ତି ନ ଚାହାନ୍ତି ତାହା ଫେସବୁକ ନିର୍ଣ୍ଣୟ କରିବ ।

ଆଉ ଗରୀବ ମାଇପ ସବୁରି ଶାଳୀ ନ୍ୟାୟରେ ଗରୀବଙ୍କୁ ମାଗଣା ତିଅଣର ସୁଆଦ ଚଖାଇ ଫେସବୁକ ସେମାନଙ୍କୁ ଇଣ୍ଟରନେଟ ଯୋଗାଇବା ଆଳରେ କେବଳ ଫେସବୁକର ପରିଧି ଭିତରେ ବାନ୍ଧି ରଖିବ ।

ଫେସବୁକ ଉଇକିପିଡ଼ିଆ Mozilla ଭଳି ଖୋଲା ସଫ୍ଟଓଏର ବ୍ୟବହାର କରେନାହିଁ କି ଲୋକଙ୍କ ଉଦ୍ୟମରେ ତିଆରି ନୁହେଁ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଲାଭକାରୀ କମ୍ପାନି । ତେଣୁ ଫେସବୁକର ସବୁ କାମ ଲୋକଙ୍କ ସ୍ୱାର୍ଥ ନୁହେଁ ବରଂ ନିଜ ସ୍ୱାର୍ଥ ହାସଲ ପାଇଁ ।

ଅଭାବୀ ଦେଶର ଲୋକଙ୍କ ମନ ଜିଣିବା ପାଇଁ ଓ ନିଜର ବ୍ୟବହାର କାରୀଙ୍କ  ସଂଖ୍ୟା ବଢ଼ାଇବା ପାଇଁ ଏହା ଫେସବୁକର ଏକ ମସୁଧା ବୋଲି ଅନେକ ଚିନ୍ତାଶୀଳ ଲୋକେ ମତ ଦେଇଛନ୍ତି । ଫେସବୁକର ଏହି ଏକ ଚାଟିଆ କାମ ନେଟ ନିଉଟ୍ରାଲିଟି ବା ନେଟ ସମାନତାର ପକ୍ଷପାତୀ ।

ପକ୍ଷପାତ ନ କରି ସବୁ ୱେବସାଇଟକୁ ସମାନ ଭାବେ ଗଣିବା ନେଟ ସମାନତା ନାମରେ ଜଣା । ଫ୍ରି ବେସିକ୍ସରେ ଥିବା ନାନାଦି ଭୁଲ ବିଷୟକୁ ଭଲ ଭାବେ ତନଖି କରିବା ପାଇଁ ନିକଟରେ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ଫ୍ରି ବେସିକ୍ସକୁ କିଛି ସମୟ ପାଇଁ ବାସନ୍ଦ କରିଛି ।

ଚତୁର ଫେସବୁକ କେବେ ଚାଷୀମାନଙ୍କୁ ପାଣିପାଗ ଜାଣିବାରେ ଫ୍ରି ବେସିକ୍ସ ସାହାଯ୍ୟ କରିବ ତ କେବେ ଅଭାବୀ ଭାରତୀୟଙ୍କୁ ପରସ୍ପର ସହ ଯୋଡ଼ିବାରେ ସାହାଯ୍ୟ କରିବ ବୋଲି ଦେଶସାରା ସହର ବଜାର ସବୁଠି ଜୋରଦାର ପ୍ରଚାର ଚଳାଇଥିଲା ।

ସବୁ ଖବରକାଗଜରେ ପୂରା ଫର୍ଦ ବିଜ୍ଞାପନ ଆଉ ସବୁ ବସ ରହିବା ସ୍ଥାନରେ ବଡ଼ ବଡ଼ ହୋର୍ଡ଼ିଂ । ଆଉ ଏଥିରେ ସଭିଙ୍କୁ ଅନୁରୋଧ ଥିଲା ଏକ ନମ୍ବରକୁ ମିସ କଲ ଦେଇ ଫ୍ରି ବେସିକ୍ସକୁ ସମର୍ଥନ କରିବା ପାଇଁ । ଏ ପ୍ରଚାର ପ୍ରସାରରେ ୧୦୦ କୋଟିରୁ ଅଧିକ ବୋଧେ ଖର୍ଚ୍ଚ ହୋଇଥିବ! କେଉଁଠୁ ଆଦାୟ ହେବ ଏ ପଇସା? ଫ୍ରି ବେସିକ୍ସର ମାଗଣା ଫେସବୁକ ଓ ବାକି ୱେବସାଇଟକୁ ସୁବିଧା ଦେବାର ଏ ଆଳ ବିରୋଧରେ ଝଡ଼ ଉଠିଛି ।

Savetheinternet.in ନାମରେ ଏକ ୱେବସାଇଟ ତିଆରି କରି ଇଣ୍ଟରନେଟରେ ସମାନତା ପାଇଁ ଲଢ଼ୁଥିବା କର୍ମୀଏ ଏକରକମ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ଫେସବୁକର ମିସ କଲ ଅଭିଯାନର କଡ଼ା ଜବାବ ଦେବାପାଇଁ Savetheinternet.in ଓ fsmi.in ନାମକ ଦୁଇଟି ୱେବସାଇଟ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇ ଟ୍ରାଇ ପାଖକୁ ଇମେଲ ପଠାଇବା ଅନୁରୋଧ କରାଯାଇଥିଲା । ଫେସବୁକର କୋଟି କୋଟି ଟଙ୍କା ଖର୍ଚର ମିସ କଲ ଅଭିଯାନରୁ ୧୦ ଲକ୍ଷ ସମର୍ଥନ ମିଳିଥିବା ବେଳେ ବିନା ପଇସାରେ ସାଢ଼େ ଚାରି ଲକ୍ଷରୁ ଅଧିକ ଲୋକ ଇମେଲ ଜରିଆରେ ଫ୍ରି ବେସିକ୍ସକୁ ବିରୋଧ କରି ଟ୍ରାଇକୁ ଇମେଲ କରିଛନ୍ତି ।

ତେବେ ଫେସବୁକର ଏହି ସମର୍ଥନ ସଂଗ୍ରହକୁ ଟ୍ରାଇର ସଭାପତି ଆରଏସ ଶର୍ମା ଘୋର ନିନ୍ଦା କରି କହିଛନ୍ତି ଏଯାବତ ଫେସବୁକ ଯେଉଁ ୧୪ ଲକ୍ଷ ଲୋକଙ୍କୁ ପ୍ରଭାବିତ କରି ସେମାନଙ୍କୁ ମିସ କଲ ଜରିଆରେ ସମର୍ଥନ ଆଣିଛି ତା’ ମୂଲ୍ୟହୀନ ।

୧୦୦ କୋଟି ଟଙ୍କାର କି ଅପଚୟ! ସେତିକି ପଇସାରେ ଶହେ ହଜାର ଲୋକଙ୍କ ମାଗଣାରେ କିଛି ଉପଯୋଗୀ ସାଇଟ ଦେଖିବା ସୁଯୋଗ ଦେଇଥିଲେ ଆହୁରି ଭଲ ହୋଇଥାନ୍ତା ।

ଫ୍ରି ବେସିକ୍ସରେ ଲୁଚି ରହିଥିବା ସବୁଠୁ ବଡ଼ ବିପଦଟି ହେଲା ଫେସବୁକର ତଥ୍ୟ ସଂଗ୍ରହ କାରସାଦି । ବ୍ୟବହାର୍ରକାରୀ କି କି ସାଇଟ ଦେଖିଲେ, କାହା ସଙ୍ଗେ ଗପିଲେ ସେସବୁ ଏହା ତାଙ୍କ  ଅଗୋଚରେ ଟିକିନିଖି କରି ହିସାବ ରଖିଥାଏ । ସଳଖେ କହିଲେ ଫେସବୁକରେ ବ୍ୟବହାର କାରୀ ବାପୁଡ଼ାର ବ୍ୟକ୍ତିଗତ ବୋଲି କିଛି ରହିବ ନାହିଁ ।

ଫେସବୁକ ଆରମ୍ଭରୁ ଶବ୍ଦସମ୍ଭାରରେ ଭରା ଏକ ଲମ୍ବା ବିବରଣୀରେ ତଥ୍ୟ ସଂଗ୍ରହରେ ବ୍ୟବହାରକାରୀଙ୍କ କୌଣସି ଅଭିଯୋଗ ନାହିଁ ବୋଲି ଖୁବ ଚତୁର ଭାବେ ତାଙ୍କଠୁ ଅନୁମତି ନେଇଯାଏ । ଅନଭିଜ୍ଞ ବ୍ୟବହାରକାରୀ ପାଠ ଘର ଯାହା ସେଥିରେ ସେ ଏ ଫିକର ବୁଝିବ ବା କିପରି?

ଇଣ୍ଟରନେଟ ଓକିଲ ଇବେନ ମଗଲେନ ଓ ମିସି ଚୌଧୁରୀ ଏକ ଲେଖାରେ ଦୁହେଁ ତନ୍ନ ତନ୍ନ କରି ବିଶ୍ଳେଷଣ କରିଛନ୍ତି ଏ କଥା । ପ୍ରଶ୍ନ ଉଠେ ଯେ ଫେସବୁକ ଧନୀ ଦେଶରେ ଏଭଳି ବେପରୁଆ ଅପସାହସ କରିବକି?

ଏହି ଭଳି ଆଉ ଏକ କୁଟିଳ ବିଷୟ ଥିଲା ଏଆରଟେଲ ଜିରୋ । ଏଆରଟେଲ ଜିରୋ ଆଉ ଫ୍ରି ବେସିକ ଭିତରେ ବଡ଼ ସମାନତା ହେଉଛି ଉଭୟ କମ୍ପାନି କିଛି ୱେବସାଇଟଙ୍କଠାରୁ ବିପୁଳ ପରିମାଣରେ ପଇସା ନେଇ ସେ ୱେବସାଇଟସବୁକୁ ବ୍ୟବହାର କାରୀଙ୍କ ପାଇଁ ମାଗଣାରେ ଯୋଗାଇଥାନ୍ତି ।

ଏଥିରେ ସେବା ଯୋଗାଣକାରୀ ଓ ମାଗଣାରେ ବ୍ୟବହାର କାରୀଙ୍କ ପାଖେ ପହଞ୍ଚୁଥିବା ୱେବସାଇଟସବୁଙ୍କ ସିଧାସଳଖ ସ୍ୱାର୍ଥ ନିହିତ ଥାଏ । ପାଠକଙ୍କୁ ଜ୍ଞାନ ବିତରଣ କରିବାର ତୁଚ୍ଛା ବିଜ୍ଞାପନ ତଳେ ଯେ ଏତେ ଫନ୍ଦି ରହିଛି ତାହା ପାଠକ ବାପୁଡ଼ା ବା ଜାଣିବ କେମନ୍ତେ? ଆଉ ଧନୀ ଦେଶରେ ଏଭଳି ଫିକର ସହଜେ ଧରାପଡ଼ିବ ବୋଲି ଫେସବୁକ ଭଳି କମ୍ପାନି ୩୦ଟି ଅଭାବୀ ଦେଶକୁ ଥୋପ କରିଛି ।

ତେବେ ମାଗଣାରେ କିଛି ୱେବସାଇଟ ଉପଲବ୍ଧ କରାଇବା କିଛି ନୂଆ ନୁହେଁ । ଅତୀତରେ ବଙ୍ଗଳାଦେଶରେ Mozilla (ଫାୟାରଫକ୍ସ ଭଳି ନାନାଦି ଖୋଲା ସଫ୍ଟଓଏର ପରିଚାଳନା କରୁଥିବା ସଙ୍ଗଠନ) ଗ୍ରାମୀଣଫୋନ ନାମକ ଯୋଜନା ଜରିଆରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ଦିନକୁ ୨୦ MBର ଡାଟା ଦେବା ସାରା ଜଗତରେ ଆଲୋଚନା ବିଷୟ ହୋଇଥିଲା ।

ମୋଜିଲା ଓ ମୋବାଇଲ ସେବା ଯୋଗାଣକାରୀ ଟେଲିନର ଏଥି ପାଇଁ ପ୍ରଶଂସାର ପାତ୍ର ହୋଇଥିଲେ । ଅନେକ ଦେଶରେ ସାଧାରଣ ଲୋକେ ବିଭିନ୍ନ ବିଷୟରେ ଜାଣିବାକୁ ପାଉନଥିବାରୁ ଏସଏସମେସ ଓ ଇଣ୍ଟରନେଟ ଯୋଗେ ସାଧାରଣ ଲୋକଙ୍କ ଦ୍ୱାରା ସମ୍ପାଦିତ ଅନଲାଇନ ଜ୍ଞାନକୋଷ ଉଇକିପିଡ଼ିଆ, ଉଇକିପିଡ଼ିଆ ଜିରୋ ପ୍ରକଳ୍ପ ଜରିଆରେ ମାଗଣାରେ ଯୋଗାଇଦିଆଯାଉଛି ।

ଭାରତରେ ମଧ୍ୟ ପରୀକ୍ଷାମୂଳକ ଭାବେ କିଛି ସ୍ଥାନରେ ଏହି ସୁବିଧା ଦିଆଯାଇଛି । ତେବେ ଜ୍ଞାନ ବିତରଣ ପାଇଁ ଏହି ଭଳି ଉଦ୍ୟମ ସବୁରି ଆଦର ପାଆନ୍ତି । କିନ୍ତୁ ନିଜ ସ୍ୱାର୍ଥ ହାସଲ ନିମନ୍ତେ ଜଗତର ହିତ ନାମରେ ଗରୀବଙ୍କ ଗରିବୀକୁ ଥୋପ କରି ଫେସବୁକର ଫ୍ରି ବେସିକ୍ସ କେବଳ ନିନ୍ଦା ପାଇଛି । ଲୋକଙ୍କ ସମର୍ଥନ ପାଇବାକୁ ହେଲେ କିଛି ପରିମାଣରେ ସଚ୍ଚା ହେବାକୁ ଯେ ପଡ଼ିବ ଏ କଥାଟି ଫେସବୁକ ଏବେଠୁ ହେଜିଲେ ଆଗକୁ ମଙ୍ଗଳ ହେବ ।

ଲେଖକ ପରିଚୟ:

ଶୁଭାଶିଷ ପାଣିଗ୍ରାହୀ ବେଙ୍ଗାଳୁରର ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଭାରତୀୟ ଭାଷାରେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପ ତଥା ସ୍ୱେଚ୍ଛାସେବୀ ସମୂହର ବିକାଶ ନିମନ୍ତେ ବିଗତ କିଛି ବର୍ଷ ଧରି କାମ କରୁଛନ୍ତି ।

ଆଗରୁ ଇଂରାଜୀ ସମେତ ବିଭିନ୍ନ ଦକ୍ଷିଣ ଏସୀୟ ଭାଷାରେ ଉଇକିପିଡ଼ିଆର ବିକାଶ ପାଇଁ ସେ ଉଇକିମିଡ଼ିଆ ଫାଉଣ୍ଡେସନରେ ସକ୍ରିୟ ଥିଲେ । ଉଇକିମାନିଆ ହଂକଂ, ଲଣ୍ଡନ ଓ ମେକ୍ସିକୋ ସିଟି, ଓପନ ନଲେଜ ଡେ ବର୍ଲିନ, ଗ୍ଲୋବାଲ ଭଏସେସ ସମିଟ ଫିଲିପାଇନ୍ସ ଆଦି ଦେଶବିଦେଶରେ ଭାଷାର କମ୍ପ୍ୟୁଟରୀକରଣ ଓ ଭାଷା ପାଇଁ ଟେକନୋଲୋଜି ବିକାଶ ସମ୍ବନ୍ଧରେ ସେ ବିଭିନ୍ନ ସମ୍ମିଳନୀରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି ।

ଦୀର୍ଘ ଦିନ ଧରି ଓଡ଼ିଆ ଉଇକିପିଡ଼ିଆ ସହିତ ମୋଜିଲା, ଓପନ ଗ୍ଲାମ, ଗ୍ଲୋବାଲ ଭଏସେସ, ଓପନସୋର୍ସ ଡଟ କମ ଆଦି ବିଶ୍ୱସ୍ତରୀୟ ପ୍ରକଳ୍ପ ସହ ସକ୍ରିୟ ଭାବେ ଜଡ଼ିତ । ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ଖବରକାଗଜ, ବ୍ଲଗ ଆଦିରେ ଓ ନିଜ ବ୍ଲଗ http://psubhashish.comରେ ନିଜର ନିବନ୍ଧ ଲେଖନ୍ତି ।ଟୁଇଟରରେ ଶୁଭାଶିଷଙ୍କ ସହ @subhapa ରେ ଯୋଗାଯୋଗ କରିହେବ ।

ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି, ବେଙ୍ଗାଳୁର
psubhashish@gmail.com

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଫେସବୁକ, ବେଙ୍ଗାଳୁର, ଶୁଭାଶିଷ

ଲୋକଙ୍କ ଉଦ୍ୟମରେ ପରିଚାଳିତ ସଫଳ ପନିପରିବା ବଜାର

December 7, 2015 by ନିଉଜ ଡେସ୍କ Leave a Comment

ଜଗଦୀଶ ପ୍ରଧାନ

ଗତ ୨୩ ନଭେମ୍ବର ଦିନ ବନ୍ଧୁ ନଟବର ଖୁଣ୍ଟିଆ (ସ୍ତମ୍ଭକାର) ଏବଂ ସୁଧାଂଶୁ ଶେଖର ଦେଓ (ସାମାଜିକ କର୍ମୀ)ଙ୍କ ସହିତ ଯାଜପୁର ଜିଲ୍ଲାର ବାରବାଟୀ ନିକଟବର୍ତ୍ତୀ ଓଡ଼ଙ୍ଗ ବଜାରକୁ ଗସ୍ତଅବସରରେ କେତେକ ପନିପରିବା ଚାଷୀ ଓ ବ୍ୟବସାୟୀମାନଙ୍କ ସହିତ ସ୍ଥାନୀୟ ଚାଷବାସ ତଥା  ପନିପରିବା ବ୍ୟବସାୟ ସଂପର୍କରେ କେତେକ ଚର୍ଚ୍ଚା କରିବାର ସୁଯୋଗ ମିଳିଥିଲା ।

jagdish
ଜଗଦୀଶ ପ୍ରଧାନ

ପାଞ୍ଚ ନମ୍ବର ଜାତୀୟ ରାଜପଥ କଟକରୁ ପ୍ରାୟ୪୦ କି.ମି. ଯିବାପରେ ଚଣ୍ଡିଖୋଲ ଆଗକୁ ରାଜପଥର କଡ଼ରେ ଓଡ଼ଙ୍ଗ ପନିପରିବା ବଜାର । ଏହା ବାରବାଟୀ ଗ୍ରାମ ପଞ୍ଚାୟତରେ ଅବସ୍ଥିତ । ବାରବାଟୀରେ ବହୁଦିନରୁ ଏକ ସାପ୍ତାହିକ ବଜାର ରହି ଆସିଛି ଏବଂ ୧୯୮୦-୮୫ ବେଳକୁ ସେଠାରେ ପନିପରିବାର ଏକ ଦୈନିକ ବଜାର ମଧ୍ୟ ଆରମ୍ଭ ହୋଇଥିଲା ।

ବାରବାଟୀ ଅଞ୍ଚଳରେ ବର୍ଷତମାମ ପ୍ରଚୁର ପନିପରିବା ଚାଷ ହୋଇଥାଏ ତଥା ଏଠାକୁ କେନ୍ଦୁଝର ଜିଲ୍ଲାର ଚାଷୀମାନେ ମଧ୍ୟ ପନିପରିବା ବିକ୍ରି କରିବାକୁ ଆସିଥାନ୍ତି । ତେଣୁ ବାରବାଟୀ ବଜାରରେ ପନିପରିବାର କାରବାର ଦିନକୁ ଦିନ ବଢ଼ିବାକୁ ଲାଗିଲା । କିନ୍ତୁ ସେଠାରେ ପନିପରିବା ବ୍ୟବସାୟୀ ଓ ଦଲାଲମାନଙ୍କର ଶୋଷଣ ଓ ଦୌରାତ୍ମ୍ୟ ମଧ୍ୟ ଦିନକୁ ଦିନ ବଢ଼ିବାକୁ ଲାଗିଲା ।

ଏହାର ପ୍ରତିବାଦ କରି ଓଡ଼ଙ୍ଗ ଓ ଆଖପାଖ ଗାଁର କିଛି ଚାଷୀ ନେତୃତ୍ୱ ନେଇ ୧୯୯୩ ନଭେମ୍ବର ୨୯ ତାରିଖ ଦିନ ଓଡ଼ଙ୍ଗ ନିକଟରେ ଏକ ନୂତନ ପରିବା ବଜାର ଆରମ୍ଭ କଲେ ।

ଏହି ନୂତନ ବଜାର ଆରମ୍ଭ କରିବାରେ ତତ୍କାଳୀନ ବିଧାୟକ ଗୁରୁଚରଣ ଟିକାୟତ ମଧ୍ୟ ଚାଷୀମାନଙ୍କୁ ସାହାଯ୍ୟ କଲେ କିନ୍ତୁ ବାରବାଟୀ ହାଟରେ ସଂପୃକ୍ତ ଦଲାଲ, ପରିବା ବ୍ୟବସାୟୀ ଓ ତତ୍କାଳୀନ ସରପଞ୍ଚ ଏହି ନୂତନ ବଜାର ବିରୁଦ୍ଧରେvagitables ଯାଇ ଗଣ୍ଡଗୋଳ କରି ବଜାର କରାଇ ନଦେବାକୁ ଏଠାରେ ୧୪୪ ଧାରା ଘୋଷଣା କରାଇଥିଲେ ।

ଉକ୍ତ ନୂତନ ବଜାର ନିମନ୍ତେ ନେତୃତ୍ୱ ନେଉଥିବା କୃଷକନେତା ନାରାୟଣ ଚନ୍ଦ୍ର ସ୍ୱାଇଁ, କାର୍ତ୍ତିକ ଚରଣ ସ୍ୱାଇଁ, ବାବାଜୀ ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ, ବ୍ରଜକିଶୋର ସ୍ୱାଇଁ ଏବଂ ଅନ୍ୟ ଅନେକ ବ୍ୟକ୍ତିଙ୍କୁ ୧୪୪ ଧାରା ଭଙ୍ଗ କରିଥିବା ଅଭିଯୋଗରେ ପୋଲିସ ଗିରଫ କରି ଜେଲ ହାଜତକୁ ପଠାଇଲା ।

ଏହି ନୂତନ ବଜାର କରାଇ ନଦେବା ପଛରେ ଯୁକ୍ତିଥିଲା ଯେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଅନୁଯାୟୀ କୁଆଡ଼େ ଗୋଟିଏ ପଞ୍ଚାୟତରେ ଗୋଟିଏ ମାତ୍ର ବଜାର ରହିବ ଏବଂ ପଞ୍ଚାୟତିରାଜ ବିଭାଗରେ ନିବନ୍ଧିତ ନହେଲେ କେହି ବଜାର ପରିଚାଳନା କରିପାରିବେ ନାହିଁ ।

ତେବେ ଚାଷୀ ନେତାମାନଙ୍କର ଏହି ଗିରଫଦାରୀ ଖବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପାଖରେ ପହଞ୍ଚିବା କ୍ଷଣି ସେ ତୁରନ୍ତ ଚାଷୀ ନେତାମାନଙ୍କୁ ବିନା ସର୍ତ୍ତରେ ଖଲାସ କରିବା ନିର୍ଦ୍ଦେଶ ଦେଇ ଏହି ହାଟ ଯେମିତି ଚାଲୁ ରହିବ ସେଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଏବଂ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ସହ ପଢନ୍ତୁ

ଜଗଦୀଶ ପ୍ରଧାନଙ୍କ ଅନ୍ୟ ଲେଖା  

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତ୍ସାହ ପାଇବା ପରେ ଚାଷୀମାନେ “ଆଞ୍ଚଳିକ କୃଷକ ସେବା ସମିତି” ନାମରେ ଏକ ସଂଗଠନ ଗଢ଼ି ୧୯୯୫ ରେ ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ – ୧୮୬୦ ଅନୁଯାୟୀ ନିବନ୍ଧିତ କରାଇ ଥିଲେ ଏବଂଚାଷୀମାନଙ୍କ ଚାନ୍ଦାରେ ବଜାର ନିମନ୍ତେ ଜାତୀୟ ରାଜପଥ କଡ଼ରେ ପ୍ରଥମେ ଏ୦.୨୫ ଏବଂ ପରେ ପରେ ପ୍ରାୟ ୨ ଏକର ଜମି କିଣିଥିଲେ । ଏହି ଜମିରେ ଏବେ ପନିପରିବା ମଣ୍ଡି ତଥା ଖୁଚୁରା ବଜାର ଚାଲୁଅଛି ।

ବଜାର ଜମିରେ କିଛି ବ୍ୟବସାୟୀ ନିଜସ୍ୱ ଅର୍ଥ ବିନିଯୋଗ କରି ନିଜ ନିଜ ଗୋଦାମଘର ନିର୍ମାଣ କରିଛନ୍ତି । ଏହି ସମିତିର ପ୍ରଥମ ସଭାପତି ଥିଲେ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ଏବଂ ସଂପାଦିକା ଥିଲେ ଶ୍ରୀମତୀ ଦେବକୀ ସ୍ୱାଇଁ ।

ଆଞ୍ଚଳିକ କୃଷକ ସେବା ସମିତି ବ୍ୟବସାୟୀ ତଥା ଖୁଚୁରା ଦୋକାନୀମାନଙ୍କ ଠାରୁ ବର୍ଷକୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଚାନ୍ଦା ଓ ଘରଭଡ଼ା ସଂଗ୍ରହ କରିଥାଏ । ଏହି ଟଙ୍କାକୁ ସମିତି ବଜାରର ତଥା ଅଞ୍ଚଳର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟରେ ବିନିଯୋଗ କରିଥାଏ ।

ପ୍ରତ୍ୟେକ ବର୍ଷ ସମିତିର ବାର୍ଷିକଉତ୍ସବ ସ୍ୱରୂପ କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକେଶ୍ୱର ପୂଜା ଧୂମଧାମରେ ପାଳନ କରାଯାଏ ଏବଂ ଅକ୍ଷୟ ତୃତୀୟା ପାଳନ ଅବସରରେ ୫୦୦ ଜଣ ଚାଷୀଙ୍କୁ ବିଭିନ୍ନ କୃଷି ଉପକରଣ ବଣ୍ଟନ କରାଯାଇଥାଏ । ଏହା ବ୍ୟତୀତ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଲୁଗାବଣ୍ଟନ, ଦୁଃସ୍ଥରୋଗୀ ଏବଂ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଦିଆଯାଇଥାଏ ।

ଓଡ଼ଙ୍ଗ ବଜାରର ନାମ ‘ଗଣେଶ ବଜାର’ ରଖାଯାଇଅଛି ଏବଂ ଏହା ସମିତିର ନିୟମାବଳୀ ଅନୁଯାୟୀ ସଦସ୍ୟ ଚାଷୀମାନଙ୍କ ଏକ ନିର୍ବାଚିତ ବୋର୍ଡ଼ ଦ୍ୱାରା ପରିଚାଳିତ ହୋଇଥାଏ । ବଜାରର ଗୋଟିଏ ପାଶ୍ୱର୍ରେ ସମିତିର ଏକ ନିଜସ୍ୱ ଅଫିସ ଗୃହ ତଥା ସୁସଜ୍ଜିତ ସଭାଗୃହ ରହିଅଛି । ଅଫିସକୁ ଲାଗି କାର୍ତ୍ତିକେଶ୍ୱରଙ୍କ ପୂଜାମଣ୍ଡପ ଓ ମନ୍ଦିର ରହିଅଛି ।

ଓଡ଼ଙ୍ଗ ବଜାର ପ୍ରତିଦିନ ସକାଳ ୪ଟା ପୂର୍ବରୁ ଆରମ୍ଭ ହୋଇଯାଏ । ଋତୁ ଅନୁଯାୟୀ ଏଠାକୁ କେନ୍ଦୁଝର ତଥା ଯାଜପୁର ଓ ଭଦ୍ରକର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ପ୍ରକାର ପନିପରିବା ଆସେ । ସ୍ଥାନୀୟ ପନିପରିବା ବ୍ୟତୀତ ବାଙ୍ଗାଲୋର, ରାୟପୁର, କଲିକତା, ରାଞ୍ଚି ,ବରଗଡ଼ ପ୍ରଭୃତି ଅଞ୍ଚଳରୁ ମଧ୍ୟ ନିୟମିତ ଅନେକ ରକମର ପନିପରିବା ଆସେ ଏବଂ ଏଠାରୁ ମଧ୍ୟ ସେସବୁ ଅଞ୍ଚଳକୁ ବିଭିନ୍ନ ପନିପରିବା ପଠାଯାଇଥାଏ ।

ଓଡ଼ଙ୍ଗ ବଜାରରୁ କେନ୍ଦ୍ରାପଡ଼ା, ଚଣ୍ଡିଖୋଲ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ପାରାଦ୍ୱୀପ ସମେତ କଟକ ଓ ଭୁବନେଶ୍ୱର ମୁଖ୍ୟ ହାଟମାନଙ୍କୁ ମଧ୍ୟ ପନିପରିବା ଯୋଗାଣ ହୋଇଥାଏ । ଆମେ ଥିବା ସମୟରେ ଦେଖିଲୁ ଯେ ସେହିଦିନ ଛତିଶଗଡ଼ ଓ ବାଙ୍ଗାଲୋରରୁ ବଡ଼ ବଡ଼ ଟ୍ରକ ରେ ଆସିଥିବା ଟମାଟୋ ଓ ବନ୍ଧାକେବି ଏଠାରେ ଅନ ଲୋଡ ହେଉଥାଏ ।

ବାଙ୍ଗାଲୋର ଟମାଟୋର ପାଇକାରୀ ଦର କ୍ରେଟ୍ ପ୍ରତି (୨୫ କିଲୋକୁ) ଟ.୪୦୦ ରୁ ୪୫୦ ଥିବାବେଳେ ଛତିଶଗଡ଼ରୁ ଆସିଥିବା ଟମାଟୋ କ୍ରେଟ୍ ପ୍ରତି (୩୦ କିଲୋକୁ) ଟ.୫୦୦ ରୁ ଟ.୬୦୦ଙ୍କା । ଛତିଶଗଡ଼ରୁ ଆସୁଥିବା ଟମାଟୋକୁ ଦେଶୀ (?) ଟମାଟୋ କହି କିଲୋପ୍ରତି ଦୁଇ ଚାରି ଟଙ୍କା ଅଧିକ ଦିଆଯାଇଥାଏ ।

ଓଡ଼ିଶା ବଜାରରେ ଏହି ଦେଶୀ ଟମାଟୋର ଚାହିଦା ବାଙ୍ଗାଲୋର ଟମାଟୋ ଠାରୁ ଅଧିକ । ଅନ୍ୟପକ୍ଷରେ ବାଙ୍ଗାଲୋରରୁ ଆସିଥିବା ବନ୍ଧାକୋବି ରାୟପୁର ଓ କନ୍ଧମାଳରୁ ଆସୁଥିବା ବନ୍ଧା କୋବିଠାରୁ ଅଧିକ ଦିନ ରହୁଥିବାରୁ ତାହାର ମୂଲ୍ୟ ମଧ୍ୟ ସାମାନ୍ୟ ଅଧିକ ରହିଥାଏ ଯଦିଓ ରାୟପୁର ଓ କନ୍ଧମାଳ କୋବିର ସ୍ୱାଦ ଅଧିକ ଥାଏ ।

ବାଙ୍ଗାଲୋରଠାରୁ ଏଠାକୁ ନିୟମିତ ଟମାଟୋ ଗାଜର, ବନ୍ଧାକୋବି, ବୀଟ, ସିମ୍ଲା ଲଙ୍କା ଆସୁଥିବା ସମୟରେ ରାଞ୍ଚି ଠାରୁ ବୀନ୍ସ, ମୂଳା, ଫୁଲକୋବି, କାକୁଡ଼ି, ସିମ୍ଲାଲଙ୍କା ଇତ୍ୟାଦି ଆସିଥାଏ । ବରଗଡ଼ ନିକଟବର୍ତ୍ତୀ ପାଏନ୍ ଛତର ହାଟରୁ ଏଠାକୁ ମୁଖ୍ୟତଃ ବାଇଗଣ, ପୋଟଳ, ଫୁଲକୋବି, ଲଙ୍କା, ଧନିଆପତ୍ର ଆସିଥାଏ ।

ଶୀତଦିନରେ ରାୟପୁରରରୁ ଏବଂ ଛତିଶଗଡ଼ରେ ବିଭିନ୍ନ ଅଞ୍ଚଳରୁ ମଟର ଛୁଇଁ, ବୀନ୍ସ ଓ ଟମାଟୋ ଆସିଥାଏ । ପଶ୍ଚିମ ବଙ୍ଗର ବନଗାଁ ଓ ନଦିଆ ଅଞ୍ଚଳରୁ ମଧ୍ୟ ବଜାର ଦର ଦେଖି ଟମାଟୋ ବ୍ୟତୀତ ଅନ୍ୟ ସମସ୍ତ ରକମର ପନିପରିବା ଆସିଥାଏ ।

ଆଳୁ ପାଇଁ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ପିଆଜ ପାଇଁ ନାସିକର ବ୍ୟବସାୟୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ । କଳାହାଣ୍ଡି-ନୂଆପଡ଼ା ଓ ବଲାଙ୍ଗିରର ପିଆଜ ଅତିବେଶିରେ ମାସେ ଦୁଇମାସ ହିଁ ମିଳିଥାଏ କିନ୍ତୁ ତାହାବି ଖେତରୁ ସିଧା ଆସୁଥିବାରୁ ଉତ୍ତମ ଗୁଣମାନର ହୋଇନଥାଏ ବୋଲି ଶୁଣିବାକୁ ମିଳିଲା । ଦେଓଗଡ଼ ଅଞ୍ଚଳରୁ ଓଡ଼ଙ୍ଗ ଦେଇ ତରଭୁଜ ବିଭିନ୍ନ ସହରକୁ ଯାଇଥାଏ ।

ଏବେ ଓଡ଼ଙ୍ଗ ଅଞ୍ଚଳରେ ମଧ୍ୟ ତରଭୁଜ ପଚୁର ପରିମାଣର ଉତ୍ପାଦନ ହେଲାଣି ଓ ସେ ସବୁକୁ ମଧ୍ୟ ଏଠାରୁ ବିଭିନ୍ନ ବଜାରକୁ ପଠାଯାଇଥାଏ । ଏଭଳି ଭାବେ ଓଡ଼ଙ୍ଗ ବଜାର ସହିତ ଦେଶର ବିଭିନ୍ନ ବଜାର ଓ ଉତ୍ପାଦନ କେନ୍ଦ୍ରମାନଙ୍କର ଯୋଗସୂତ୍ର ସ୍ଥାପନ ହୋଇସାରିଛି ।

ଓଡ଼ଙ୍ଗର ସକାଳ ବଜାର ସରିଆସିବା ବେଳକୁ ଆମେ ଆଞ୍ଚଳିକ କୃଷକ ସେବା ସମିତିର ସଭାପତି, ସଂପାଦକ, କିଛି ମୁଖ୍ୟ ସଦସ୍ୟ ଏବଂ ଅନ୍ୟତମ ଉପଦେଷ୍ଟା ନାରାୟଣ ସ୍ୱାଇଁ ପ୍ରମୁଖଙ୍କ ସହିତ ସମିତିର ସଭାଗୃହରେ ଏକ ଅନୌପଚାରିକ ଚର୍ଚ୍ଚା କରି ଏହି ବଜାର ତଥା ସ୍ଥାନୀୟ ଚାଷୀ ଓ ଚାଷବାସ ସଂପର୍କରେ ଅନେକ ମହତ୍ତ୍ୱପୂର୍ଣ୍ଣ ସୂଚନା ଜାଣିବାକୁ ପାଇଥିଲୁ ।

ଏହି ବଜାର ଯେ ସ୍ଥାନୀୟ ଚାଷୀ ତଥା ଖାଉଟିମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରୁଛି ସେଥିରେ କାହାରିକୁ ଦ୍ୱିମତ ହେବାର ନାହିଁ । କିନ୍ତୁ ଏବେ ମଧ୍ୟ ସ୍ଥାନୀୟ ଚାଷୀମାନେ ସେମାନଙ୍କ ଉତ୍ପାଦିତ ବିଭିନ୍ନ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି ଏବଂ ସମୟ ସମୟରେ ନିଜର ମୂଳ ମଜୁରି ମଧ୍ୟ ଉଠାଇ ପାରୁନାହାନ୍ତି ।

ଏହି ସମସ୍ୟାର ସମାଧାନ ଦିଗରେ ସ୍ଥାନୀୟ ଚାଷୀମାନଙ୍କର ଏକ ନିଜସ୍ୱ ଉତ୍ପାଦକ ସଂଗଠନ (କମ୍ପାନୀ) ସଂଗଠିତ କରାଗଲେ ତାହା କେତେଦୂର ସହାୟକ ହୋଇପାରିବ ସେ ନେଇ ସାମାନ୍ୟ ଚର୍ଚ୍ଚା କରାଯାଇଥିଲା । ଏ ଦିଗରେ ସମିତିର ସଦସ୍ୟମାନେ ଆଗକୁ ଅଧିକ ଚର୍ଚ୍ଚା କରିବେ ବୋଳି ସ୍ଥିର ହୋଇଥିଲା ।

ଓଡ଼ଙ୍ଗ ବଜାର ଠାରୁ ଅଳ୍ପଦୂରରେ ବାରବାଟୀ ପୁରୁଣା ହାଟଠାରେ ନିକଟରେ ରାଜ୍ୟ ସରକାର କୃଷକ ବଜାର ନାମରେ ପ୍ରଚୁର ଟଙ୍କା ଖର୍ଚ୍ଚ କରି ଗୁଡ଼ାଏ ଘରଦ୍ୱାର, ବଜାର ପ୍ରାଙ୍ଗଣ ଇତ୍ୟାଦି ନିର୍ମାଣ କରିଛନ୍ତି କିନ୍ତୁ ସେ ସବୁର ବ୍ୟବହାର କେହି କରନ୍ତି ନାହିଁ ବୋଲି ଲୋକେ କହୁଥିଲେ ।

ଏଭଳିଭାବେ ସରକାରଙ୍କ ଅନେକ କାର୍ଯ୍ୟକ୍ରମ ରାଜନୈତିକ କାରଣରୁ କିମ୍ବା ଅନ୍ୟାନ୍ୟ କାରଣରୁ ଲୋକାଭିମୂଖି ହୋଇପାରେ ନାହିଁ । ଅନ୍ୟପକ୍ଷରେ ଓଡ଼ଙ୍ଗ ବଜାର ଭଳି ଲୋକଙ୍କ ଉଦ୍ୟମରେ ପ୍ରତିଷ୍ଠିତ ବଜାର ଅଧିକ ଭାବରେ ଲୋକାଭିମୂଖି ହୋଇପାରିଥାଏ ।

 

-0-

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଓଡଙ୍ଗ, ଚଣ୍ଡୀଖୋଲ, ଜଗଦୀଶ ପ୍ରଧାନ, ବଜାର

ଦେଶୀ ଗାଈଙ୍କ ବିକାଶ ଉପରେ ସରକାରଙ୍କ ଗୁରୁତ୍ଵ: ମୁଖ୍ୟମନ୍ତ୍ରୀ

December 6, 2015 by ନିଉଜ ଡେସ୍କ Leave a Comment

ପ୍ରଫୁଲ୍ଲ ଦାସ

ଭୁବନେଶ୍ଵର, ଡ଼ିସେମ୍ବର ୬ (ଓଡିଶା ଡଟ କମ) ବିଂଝାରପୁରୀ , ମୋଟୁ ସମେତ ଓଡିଶାରେ ରହିଥିବା ବିଭିନ୍ନ ପ୍ରଜାତିର ଦେଶୀ ଗାଈଙ୍କର ଗୁଣାତ୍ମକ କ୍ରମବିକାଶ କରାଯିବା ଓ ଗୋ ପାଳନ ଉଦ୍ୟୋଗକୁ କିପରି ଏକ ଲାଭ ଜଣକ ବ୍ୟବସାୟରେ ପରିଣତ  କରାଯାଇପାରିବ ସେ ଦିଗରେ ସରକାର ଗୁରୁତ୍ଵ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

olrds-5-12-6 olrds-5-12-9ଶନିବାର ଭୁବନେଶ୍ଵରର ଜୟଦେବ ଭବନ ଠାରେ ପଶୁସମ୍ପଦ ବିକାଶ ଦ୍ଵାରା ଆୟୋଜିତ ଏକ କର୍ମଶାଳା ଉଦଘାଟନ କରି ସେ କହିଥିଲେ ରାଜ୍ୟର ସାମଗ୍ରିକ ଓ ଅର୍ଥନୈତିକ ବିକାଶ ଦିଗରେ ପ୍ରାଣୀଧନ କ୍ଷେତ୍ରର ଏକ ମହତ୍ଵପୂର୍ଣ ଯୋଗଦାନ ରହିଛି ।

ଏହି ବିକାଶ ଧାରାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସରକାର ଗୋ-ମହିଷାଦୀ ପ୍ରଜନନ ନୀତି -୨୦୧୫ ପ୍ରଣୟନ କରିଥିବା ଦର୍ଶାଇ ସେ କହିଥିଲେ ରାଜ୍ୟର ଦୁଗ୍ଧ ଶିଳ୍ପ ସହିତ ଜଡିତ ଚାଷୀ ମାନଙ୍କ ଲାଭ ଦୃଷ୍ଟିରୁ ଏହି ନୀତିର ସଠିକ ଉପଯୋଗ କରାଯିବ ଆବଶ୍ୟକ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗୋ-ମହିଷାଦୀ ମାନଙ୍କର ଅନୁବଂଶୀୟ ଗୁଣର ଉନ୍ନତି ପାଇଁ ଉଦ୍ଦିଷ୍ଟ ଏହି ନୀତିରେ ଆଧୁନିକ ପ୍ରଜନନ କୌଶଳ ଏବଂ ପ୍ରଯୁକ୍ତି ବିଜ୍ଞାନ ସହାୟତାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଲକ୍ଷ ରକ୍ଷା ଯାଇଛି ।

bishnuମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଙ୍କ ଉଦ୍ୟମରେ ହୋଇଥିବା ଏହି ନୀତିରେ ଯେଉଁ ଅଞ୍ଚଳରେ ପ୍ରାଣୀ ଚିକିତ୍ସା ସେବା ଓ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ କ୍ଷୀର ବିକ୍ରିବଟା ପାଇଁ ସୁବିଧା ନଥିବ ସେହି ସ୍ଥଳରେ ଭାରତୀୟ ପ୍ରଜାତି ଯଥା ଗିର,  ସାହିୱାଲ, ଥାରପାରକର, ବିଞ୍ଝାରପୁରୀ, ହରିୟାଣା ଓ ଲାଲ ସିନ୍ଧି ପ୍ରଭୁତି ଷଣ୍ଢ ମାନଙ୍କର ଶୁକ୍ର ବ୍ୟବହାର କରି ଦେଶୀ ଗାଈଙ୍କର ଗୁଣାତ୍ମକ କ୍ରମବିକାଶ କରାଯିବା ବ୍ୟବସ୍ଥା ରହିଛି ।

ରାଜ୍ୟରେ ଦେଖାଯାଉଥିବା ଜାତୀୟ ସ୍ତରୀୟ ମାନ୍ୟତା ପ୍ରାପ୍ତ ଗାଈ ଯଥା ବିଞ୍ଝାରପୁରୀ, ଘୁମୁସୁରୀ, ଖରିୟାର ଓ ମୋଟୁ ଏବଂ ମଇଁଷି ଯଥା ଚିଲିକା ଓ କଳାହାଣ୍ଡି ପ୍ରଭୁତି ପ୍ରଜାତିଙ୍କର ସଂରକ୍ଷଣ ଓ ଉନ୍ନତି କରଣ ନିମନ୍ତେ ସ୍ଵତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବା ଲକ୍ଷ ରହିଛି ।

ଗତ ଆର୍ଥିକ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ଛଅ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ) ରାଜ୍ୟର ଦୁଗ୍ଧ ଚାଷୀଙ୍କ ଠାରୁ ବାଇଶ ପ୍ରତିଶତ ଅଧିକ ଦୁଗ୍ଧ ସଂଗ୍ରହ କରିଥିବା ସେ ପ୍ରକାଶ କରିଥିଲେ ।

ଓମଫେଡ ଖୁବ ଶୀଘ୍ର ବିଞ୍ଝାରପୁରୀ ପ୍ରଜାତିର ଗାଈଙ୍କ କ୍ଷୀର ଓ ଚିଲିକା ମଇଷିଙ୍କ କ୍ଷୀର ସଂଗ୍ରହ କରି ନିଜ ବ୍ରାଣ୍ଡ ରେ ବିକ୍ରୟ କରିବ ବୋଲି ମଧ୍ୟ ସେ କହିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଗୋ-ମହିଷାଦୀ ପ୍ରଜନନ ନୀତି -୨୦୧୫, ଦେଶୀ ଗାଈଙ୍କ ବିକାଶ, ବିଷ୍ଣୁପଦ ସେଠୀ

ବଜାର ପ୍ରବେଶ କଲା ଓମଫେଡ ରସଗୋଲା,ଗୋଲାପ ଜାମୁନ

November 5, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ଵର, ନଭେମ୍ବର ୫ (ଓଡିଶା ଡଟ କମ) ଆସନ୍ତା ଦୀପାବଳୀ କୁ ଆଖି ଆଗରେ ରଖି ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ) ବୁଧବାର ଭୁବନେଶ୍ଵର ଗ୍ରାହକକୁ ଭେଟି ଦେଇଛି ନିଜ ତିଆରି ରାଜ୍ୟର ପାରମ୍ପରିକ ମିଠା ରସଗୋଲା ଓ ଗୋଲାପ ଜାମୁନ ।

rasogolla - Copy
ଛବି: ରାଜ ନାରାୟଣ ଚୌଧୁରୀ, ଗ୍ରାଫିକ ଡିଜାଇନ: ବିକାଶ ଶର୍ମା

ଏକ କେଜି ଓ ଅଧା କେଜି ପୃଥକ ଟିଣ ପ୍ୟାକ ର ମୂଲ୍ୟ ଯଥାକ୍ରମେ ୧୭୦ ଓ ୯୦ ଟଙ୍କା ରଖା ଯାଇଛି । ଏହା ପ୍ରାରମ୍ଭିକ ଭାବେ ଭୁବନେଶ୍ଵରରେ ଥିବା ଓମଫେଡର ନିଜର ଆଇସକ୍ରିମ ପାର୍ଲର ମାନଙ୍କରେ ଉପଲବ୍ଧ ହେଉଥିବା ଓମଫେଡ ମାର୍କେଟିଙ୍ଗ ବିଭାଗ ମୁଖ୍ୟ ବସନ୍ତ ମିଶ୍ର ଓଡିଶା ଡଟ କମ କୁ କହିଛନ୍ତି ।

ପରବର୍ତ୍ତୀ ସମୟରେ ଏହା ଅନ୍ୟ ସହର ଓ ସ୍ଥାନ ମାନଙ୍କରେ ଉପଲବ୍ଧ ହେବ । ନିକଟରେ ପ୍ରିମିୟମ କ୍ଷୀର ନାମରେ ଅଧିକ ଲହୁଣୀଯୁକ୍ତ ଓ ଅଧିକ ପୃଷ୍ଟିକର ଉତ୍ପାଦ ଓମଫେଡ ବଜାରକୁ ଛାଡିଥିଲା ।ଏହି ଉତ୍ପାଦ ଗ୍ରାହକ ପସନ୍ଦ କରିଥିବା ବେଳେ ରସଗୋଲା ଓ ଗୁଲାପ ଜାମୁନକୁ ମଧ୍ୟ ପସନ୍ଦ କରିବେ ବୋଲି ସେ କହିଛନ୍ତି ।

ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନରେ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଥିବା ରାଜ୍ୟର ଦୁଗ୍ଧ ଚାଷୀଙ୍କ ଏହି ସର୍ବୋଛ ସମବାୟ ସଂସ୍ଥା ଗତ କେତେମାସ ମଧ୍ୟରେ ନିଜର ଉତ୍ପାଦର ପରିସର ବଢାଇବା ପାଇଁ ଓ ଉପଭୋକ୍ତାଙ୍କ ହୃଦୟ ଜିଣିବା ପାଇଁ ଅନେକ ପଦକ୍ଷେପ ନେଇଥିବା ପରିଲକ୍ଷିତ ହୋଇଛି ।

ଏହାର ଉତ୍ପାଦ ମାନଙ୍କର ନୁଆ ପ୍ୟାକେଜିଙ୍ଗ, ଯୁବ ପିଢୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ରାଜଧାନୀରେ ଅନଲାଇନ ବିକ୍ରିର ବ୍ୟବସ୍ଥା ତଥା ସହରର ପ୍ରମୁଖ ସ୍ଥାନ ମାନଙ୍କରେ ଆଇସକ୍ରିମ ପାର୍ଲର ମାନ ଖୋଲିଛି ।

gulabjamun - Copy
ଛବି: ରାଜ ନାରାୟଣ ଚୌଧୁରୀ ଗ୍ରାଫିକ ଡିଜାଇନ: ବିକାଶ ଶର୍ମା

ସୋସିଆଲ ନେଟୱାର୍କରେ ନିଜର ଉପସ୍ଥିତି ଜାହିର କରିବା ଉଦ୍ଦେଶ୍ୟରେ ଏହି ସଂସ୍ଥା ଚାରି ମାସ ତଳେ ଆରମ୍ଭ କରିଥିବା ଏକ ସ୍ଵତନ୍ତ୍ର ଫେସବୁକ ପେଜ ବା ପୃଷ୍ଠାକୁ ପ୍ରାୟ ୩୭ ହଜାର ଲୋକ ଲାଇକ କରିଥିବାରୁ ଯୁବ ଗ୍ରାହକଙ୍କ ସହ ଓମଫେଡ ସମ୍ପର୍କ ବୃଦ୍ଧି କରିବାରେ ସଫଳ ହୋଇଛି ।

ନିକଟ ଭବିଷ୍ୟତରେ ରାଜଧାନୀରେ ଆଉ ଦଶଟି ଆଇସକ୍ରିମ ପାର୍ଲର ଖୋଲିବା ପାଇଁ ସରକାର ସହାୟତା ଯୋଗାଇଦେବେ ବୋଲି ଓମଫେଡ ପରିଚାଳନା ନିର୍ଦ୍ଦେଶକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେଠୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଓମଫେଡ ଜନସାଧାରଣଙ୍କ ଅଧିକ ବିଶ୍ଵାସଭଜନ ହୋଇପାରିଛି ।

ଦେଶର ଅର୍ଥନୈତିକ ବିକାଶ ଉପରେ ଗବେଷଣା ଓ ସଚେତନତା ସୃଷ୍ଟି କରୁଥିବା ନୂଆଦିଲ୍ଲୀ ସ୍ଥିତ ଜଣାଶୁଣା ସର୍ବ ଭାରତୀୟ ସଂସ୍ଥା ଇନଷ୍ଟିଚ୍ୟୁଟ ଅଫ ଏକୋନୋମିକ ଷ୍ଟଡିସ (ଆଇଇଏସ ) ନିକଟରେ ସେଠୀଙ୍କୁ ଚଳିତ ବର୍ଷର ସମ୍ମାନ ଜନକ ଉଦ୍ୟୋଗ ରତ୍ନ ପୁରସ୍କାର ଦେବାପାଇଁ ଘୋଷଣା କରିଛି ।

ଏହି ପୁରସ୍କାର ପ୍ରତିବର୍ଷ ଦେଶର ଅର୍ଥନୈତିକ ଉନ୍ନତି ଓ ଔଦ୍ୟଗିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ଦିଆଯାଇଥାଏ ।

ଚଳିତ ବର୍ଷ ଏହି ପୁରସ୍କାର ମୁମ୍ବାଇ ଠାରେ ଆସନ୍ତା ନଭେମ୍ବର ୨୧ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ। ସେଠୀଙ୍କ ସହ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ)କୁ ମଧ୍ୟ ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯିବ ବୋଲି ଇନଷ୍ଟିଚ୍ୟୁଟ ଅଫ ଏକୋନୋମିକ ଷ୍ଟଡିସର କାର୍ଯ୍ୟକାରୀ ନିର୍ଦ୍ଦେଶିକା ସଂଗୀତା ସିଂ ସୂଚନା ଦେଇଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଓମଫେଡ, ଗୁଲାପ ଜାମୁନ, ବସନ୍ତ ମିଶ୍ର, ବିଷ୍ଣୁପଦ ସେଠୀ, ରସଗୋଲା

ବିଷ୍ଣୁପଦ ସେଠୀ ପାଇବେ ଉଦ୍ୟୋଗ ରତ୍ନ ପୁରସ୍କାର

November 1, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ନଭେମ୍ବର ୧ (ଓଡିଶା ଡଟ କମ) ଓମଫେଡ ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଚଳିତ ବର୍ଷର ସମ୍ମାନ ଜନକ ଉଦ୍ୟୋଗ ରତ୍ନ ପୁରସ୍କାର ପାଇବେ ।

bishnuଦେଶର ଅର୍ଥନୈତିକ ବିକାଶ ଉପରେ ଗବେଷଣା ଓ ସଚେତନତା ସୃଷ୍ଟି କରୁଥିବା ନୂଆଦିଲ୍ଲୀ ସ୍ଥିତ ଜଣାଶୁଣା ସର୍ବ ଭାରତୀୟ ସଂସ୍ଥା ଇନଷ୍ଟିଚ୍ୟୁଟ ଅଫ ଏକୋନୋମିକ ଷ୍ଟଡିସ (ଆଇଇଏସ ) ତରଫରୁ ଏହି ପୁରସ୍କାର ପ୍ରତିବର୍ଷ ଦେଶର ଅର୍ଥନୈତିକ ଉନ୍ନତି ଓ ଔଦ୍ୟଗିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ଦିଆଯାଇଥାଏ ।

ଚଳିତ ବର୍ଷ ଏହି ପୁରସ୍କାର ମୁମ୍ବାଇ ଠାରେ ଆସନ୍ତା ନଭେମ୍ବର ୨୧ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ। ସେଠୀଙ୍କ ସହ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ)କୁ ମଧ୍ୟ ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯିବ ବୋଲି ଇନଷ୍ଟିଚ୍ୟୁଟ ଅଫ ଏକୋନୋମିକ ଷ୍ଟଡିସର କାର୍ଯ୍ୟକାରୀ ନିର୍ଦ୍ଦେଶିକା ସଂଗୀତା ସିଂ ସୂଚନା ଦେଇଛନ୍ତି ।

ବଛା ବଛା ଅର୍ଥନୀତି ବିଶାରଦ ମାନଙ୍କୁ ନେଇ ଗଠିତ ଏକ ବିଚାରକ ମଣ୍ଡଳୀ ଏହି ପୁରସ୍କାର ପାଇଁ ଦେଶର ଅର୍ଥନୈତିକ ଉନ୍ନତି ଓ ବିକାଶରେ ବିଶେଷ ଯୋଗଦାନ କରିଥିବା ବ୍ୟକ୍ତିଙ୍କ ଚୟନ କରିଥାଏ ।

ଆଇଇଏସ ପୂର୍ବରୁ ଯେଉଁ ମାନଙ୍କୁ ଉଦ୍ୟୋଗ ରତ୍ନ ପୁରସ୍କାର ରେ ସମ୍ମାନିତ କରିଛି ସେମାନଙ୍କ ମଧ୍ୟରେ ରହିଛନ୍ତି ବିଶିଷ୍ଟ ଶିଲ୍ପପତି ବିଜୟ ମାଲ୍ୟା, ଜେଟ ଏୟାରୱେଜ ଅଧ୍ୟକ୍ଷ ନରେଶ ଗୋୟଲ, ଏଲ ଆଇସି ହାଉସିଂ ଫାଇନାନସ ଲିମିଟେଡର ମରିଚାଳନ ନିର୍ଦ୍ଦେଶକ ସୁରିତା ଶର୍ମା ଅନ୍ୟତମ ।

ବିଷ୍ଣୁପଦ ସେଠୀ ହେଉଛନ୍ତି ୧୯୯୫ ବ୍ୟାଚର ଓଡିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ସେ ଓମଫେଡ ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ଏହାର ଉତ୍ପାଦ ପ୍ରତି ଲୋକଙ୍କ ଆଗ୍ରହ ବଢାଇବାରେ ସଫଳ ହୋଇଛନ୍ତି ।

ତାଙ୍କ ଉଦ୍ୟମ ଯୋଗୁଁ ରାଜ୍ୟରେ ପ୍ରଥମ ଥର ପାଇଁ ଏକ ସ୍ଵତନ୍ତ୍ର ଗୋ-ମହିଷାଦି ନୀତି ଓ କୁକ୍କୁଟ ନୀତି ପ୍ରଣୟନ ହୋଇଥିବା ବେଳେ ଉକ୍ତ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସ୍ତୃଷ୍ଟି ହୋଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଓମଫେଡ, ବିଷ୍ଣୁପଦ ସେଠୀ, ସମ୍ମାନ

ଏରିଏଲ ଟାର୍ଗେଟ ସାମଗ୍ରୀ ନିର୍ମାଣ ୟୁନିଟ୍ ପାଇଁ କାର୍ଯ୍ୟାରମ୍ଭ

October 28, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଗୋପାଳପୁର, ଅକ୍ଟୋବର ୨୮ (ଓଡିଶା ଡଟ କମ) ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଥିବା ଟାଟା ଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଶିଳ୍ପ ପାର୍କରେ ମୁମ୍ବାଇର ସିୟୋର ସେପଟି ସଲୁ୍ୟସନ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ପାଇଁ ଏରିଏଲ ଟାର୍ଗେଟ ସାମଗ୍ରୀ ନିର୍ମାଣ ୟୁନିଟ୍ ସ୍ଥାପନ କରିବ  ।

ବୁଧବାର ଏହାର ପ୍ରଥମ ଆସେମ୍ବ୍ଲି ଲାଇନ ସେଡ଼୍ ନିର୍ମାଣର ଶୁଭାରମ୍ଭ ହୋଇଛି ।

ଏହି ଅବସରରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଡଃ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଡଃ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ଆର୍ମି ଏଆର ଡ଼ିଫେନ୍ସ କଲେଜ କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀଯୁକ୍ତ ସାଇଗଲ, ଟାଟା ଷ୍ଟିଲ୍ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଏମ ଡି ତଥା ଗୋପାଳପୁର ପ୍ରକଳ୍ପ ପ୍ରେସିଡ଼େଣ୍ଟ ଅରୁଣ ମିଶ୍ର, ଟାଟା ଷ୍ଟିଲ କଳିଙ୍ଗ ନଗର ପ୍ରକଳ୍ପ ଉପ ସଭାପତି ରାଜୀବ କୁମାର ଓ ସିୟୋର ସେଫଟି ସଲୁ୍ୟସନ ପ୍ରାଃ ଲି. ପରିଚାଳନା ନିର୍ଦ୍ଦେଶକ  ଅନନ୍ତ ଭାଲୋଟିଆ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

IMG_7478ୟୁକେର ମେଗିଟ୍ ଡ଼ିଫେନସ ସହ ମିଳିତ ସହଯୋଗରେ ସିୟୋର ସେଫଟି ସଲୁ୍ୟସନ ଏହି ଏରିଏଲ ଟାର୍ଗେଟ ସାମଗ୍ରୀ ନିର୍ମାଣ ୟୁନିଟ୍ ସ୍ଥାପନ କରିବ ।

୫ ଏକର ଜମିରେ ମେକ୍ ଇନ୍ ଇଣ୍ଡିଆ ସ୍କିମ୍ ଆଧାରରେ ହେଉଥିବା ଏହି ଆସେମ୍ବ୍ଲି ପ୍ଲାଣ୍ଟରେ ୫୦ ରୁ ୬୦ କୋଟି ଟଙ୍କା ନିବେଶ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏରିଏଲ ଟାର୍ଗେଟ ନିର୍ମାଣ ପାଇଁ ପ୍ରକଳ୍ପ ଆରମ୍ଭ ହେବା ପରେ ଭାରତୀୟ ପ୍ରତିରକ୍ଷା ବିଭାଗରୁ ମେଗିଟ୍କୁ ମିଳିଥିବା ୫୦ ନିୟୁତ ଡଲାର ମୂଲ୍ୟର କାମ ପାଇଁ ମଧ୍ୟ ଏଠାରୁ ସେବା ଯୋଗାଇ ଦିଆଯିବ ।

ଏହି ଅବସରରେ ଅରୁଣ ମିଶ୍ର କହିଛନ୍ତି “ଏହା ଆମ ପାଇଁ ଏକ ଉଜ୍ୱଳମୟ ଶୁଭାରମ୍ଭ ଏବଂ ଆଗାମୀ ଦିନର ଏହି ଶିଳ୍ପ ପାଇଁ ଅଧିକ ନିବେଶ ସୁଯୋଗ ଆସିବ ଆଶା କରୁଛୁ ।

ଚୀନ ଏବଂ ଦକ୍ଷିଣ ପୂର୍ବ ଏସିଆର କିଛି ନିବେଶକଙ୍କ ସହ ଆମେ ଆଲୋଚନା କରୁଛୁ, ଯେଉଁମାନେ ଏକ ବିକାଶରେ ଭାଗୀଦାର ହେବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଅଞ୍ଚଳକୁ ରାଜ୍ୟର ଅନ୍ୟତମ ଶିଳ୍ପୋନତ ଅଞ୍ଚଳଭାବେ ଗଢ଼ିତୋଳିବାକୁ ଆମେ ପ୍ରତିଶୃତି ବଦ୍ଧ ଏବଂ ଏ  ଦିଗରେ ଏହା ଆମର ପ୍ରଥମ ପଦକ୍ଷେପ ।”

ଏହି ଅବସରରେ ଉପସ୍ଥିତ ଥିବା ସିୟୋର ସେଫ୍ଟି ସଲୁ୍ୟସନର ପ୍ରେସିଡ଼େଣ୍ଟ ଏବଂ ସିଇଓ ରବି ଅଗ୍ରୱାଲ କହିଛନ୍ତି ଯେ “ଟାଟା ଷ୍ଟିଲ ଶିଳ୍ପ ପାର୍କ ସହ ସାମିଲ ହୋଇ ଆମେ ଖୁସି ଅଛୁ ଏବଂ ଏହି ଅଞ୍ଚଳର ଶିଳ୍ପ ବିକାଶ ପାଇଁ ଆମର ମଧ୍ୟ ଯୋଗଦାନ ରହିବ । ୨୦୧୬ ମଧ୍ୟଭାଗ ସୁଦ୍ଧା ଆମେ ଏଠାରେ ଉତ୍ପାଦନ କରିବା ଲକ୍ଷ ରଖିଛୁ ।”

ଟାଟା ଷ୍ଟିଲ୍ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଲିମିଟେଡ଼ ଟାଟା ଷ୍ଟିଲର ଶତ ପ୍ରତିଶତ ଅଂଶଧନ ଥିବା ଏକ କମ୍ପାନୀ । ଗୋପାଳପୁରଠାରେ କମ୍ପାନୀ ବିକଶିତ କରୁଥିବା ଶିଳ୍ପପାର୍କ, କେବଳ ସ୍ଥାନୀୟ ଅଞ୍ଚଳର ଶିଳ୍ପ ବିକାଶ ନୁହେଁ ବରଂ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ନିକଟରେ ଏହି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ନାଁରେ ୧୨୩୫ ଏକର ଜମି ପଞ୍ଜିକୃତ ହୋଇଛି ।

ଏହି ଅବସରରେ ମେଜର ଡ଼ିଫେନର ସିଷ୍ଟମର ଏମ୍ଡ଼ି ପିଟର ଲଙ୍ଗଷ୍ଟାଫ୍, କମ୍ପାନୀ, ବିଜିନେସ୍ ଡ଼େଭଲପମେଣ୍ଟ ମୁଖ୍ୟ କି୍ରସ ହିଲଟର, ବିଏମ୍ସି ମେୟର କେ. ମାଧବୀ, ବ୍ରହ୍ମପୁର ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବାସ ମହାରଣା, ଗୋପାଳପୁର ପ୍ରକଳ୍ପ ଟାଟା ଷ୍ଟିଲ୍ ଓ ଅର୍ଥନୈତିକ ଜୋନ୍  ଚିଫ୍ ସୁଶାନ୍ତ ମିଶ୍ର, ଗୋପାଳପୁର ପ୍ରକଳ୍ପ ଇଂଜିନିୟରିଂ ଚିଫ୍ ପରଶେତ ଅଖତର ଓ ଅନ୍ୟ ସରକାରୀ ଓ ଟାଟା ଷ୍ଟିଲ୍ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

୨୦୦୪ରେ ଆରମ୍ଭ ହୋଇଥିବା ସିୟୋର ସେଫଟି ସଲ୍ୟୁସନ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରେ । ସେନାର ଆଧୁନିକୀକରଣ ପାଇଁ ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଯୁଦ୍ଧ, ଅପଟିକାଲ ଟ୍ରାକିଂ ସିଷ୍ଟମ, ଟ୍ରେନିଂ ସିମୁଲେଟର ଆଦି ସାମଗ୍ରୀ ନିର୍ମାଣ କରେ । ଭାରତର ବିଭିନ୍ନ ଭାଗରେ ଏହାର ଉପସ୍ଥିତି ରହିଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଟାଟା, ଶିଳ୍ପ ପାର୍କ, ଷ୍ଟିଲ, ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍

ବଜାରରେ ଓମଫେଡ଼ର ନୂଆ ପ୍ରିମିୟମ କ୍ଷୀର

October 26, 2015 by ନିଉଜ ଡେସ୍କ Leave a Comment

 ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅକ୍ଟୋବର ୨୭ (ଓଡିଶା ଡଟ କମ) ଲକ୍ଷ୍ମୀପୂଜା ଅବସରରେ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ) ମଙ୍ଗଳବାର ରାଜ୍ୟରେ ନିଜର ଲକ୍ଷାଧିକ ଗ୍ରାହକକୁ ଭେଟି ଦେଇଛି ପ୍ରିମିୟମ କ୍ଷୀର ନାମରେ ଅଧିକ ଲହୁଣୀଯୁକ୍ତ ଓ ଅଧିକ ପୃଷ୍ଟିକର ଏକ ନୂଆ ଉତ୍ପାଦ ।
premium milk
ଛବି ସୌଜନ୍ୟ : ଓମଫେଡର ଫେସବୁକ ପୃଷ୍ଠା

ପ୍ରତି ୫୦୦ ମିଲି ଲିଟର ଏହି ନୂଆ ପ୍ରିମିୟମ କ୍ଷୀର ପ୍ୟାକେଟର ଦାମ ଉଣେଇଶ ଟଙ୍କା ରଖା ଯାଇଥିବା ବେଳେ ଏହା  ପ୍ରାରମ୍ଭିକ ଭାବେ ଭୁବନେଶ୍ଵର, କଟକ, ପୁରୀ, ଖୋର୍ଦ୍ଧା, ନିମାପଡା, ଜଟଣୀ ଓ ନିଆଳିରେ ଉପଲବ୍ଧ ହୋଇଛି  ।

ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟସ୍ଥାନରେ ଗ୍ରାହକ ମାନେ ଏହି ଉତ୍ପାଦକୁ ପାଇପାରିବେ ବୋଲି ଓମଫେଡ ଜେନେରାଲ ମ୍ୟାନେଜର ବସନ୍ତ ମିଶ୍ର କହିଛନ୍ତି ।

ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ରଖି  ବଜାରରେ ଉପଲବ୍ଧ କ୍ଷୀର ଅପେକ୍ଷା ଏହି ପ୍ରିମିଅମ କ୍ଷୀରରେ ଲହୁଣୀ ଓ ପୃଷ୍ଟିସାର ଭରପୁର ମାତ୍ରାରେ ରହିଥିବା ସେ କହିଛନ୍ତି।

ପ୍ରତି ୫୦୦ ମିଲି ଲିଟର କ୍ଷୀରରେ ୩.୫ ପ୍ରତିଶତ ଫ୍ୟାଟ ରହିଥିବା ବେଳେ ନଅ ପ୍ରତିଶତ ଏସଏନଏଫ ( ସଲିଡ  ନଟ ଫେଟ ) ରହିଥିବା ସେ କହିଛନ୍ତି। ଏହି କ୍ଷୀର ବଜାରରେ ମିଳୁଥିବା କ୍ଷୀର ଅପେକ୍ଷା ବହଳିଆ ରହିବ ବୋଲି ସେ କହିଛନ୍ତି।

ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନରେ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଥିବା ରାଜ୍ୟର ଦୁଗ୍ଧ ଚାଷୀଙ୍କ ଏହି ସର୍ବୋଛ ସମବାୟ ସଂସ୍ଥା ଗତ କେତେ ମାସ ମଧ୍ୟରେ ନିଜର ଉତ୍ପାଦର ପରିସର ବଢାଇବା ପାଇଁ ଓ ଉପଭୋକ୍ତାଙ୍କ ହୃଦୟ ଜିଣିବା ପାଇଁ  ଅନେକ ଗୁଡିଏ ନୁଆ ପଦକ୍ଷେପ ନେଇଥିବା ପରିଲକ୍ଷିତ ହୋଇଛି ।

ଏହାର ଉତ୍ପାଦ ମାନଙ୍କର ନୁଆ ପ୍ୟାକେଜିଙ୍ଗ, ଯୁବ ପିଢୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ରାଜଧାନୀରେ ଅନଲାଇନ ବିକ୍ରିର ବ୍ୟବସ୍ଥା ତଥା ସହରର ପ୍ରମୁଖ ସ୍ଥାନ ମାନଙ୍କରେ ଆଇସକ୍ରିମ ପାର୍ଲର ମାନ ଖୋଲିଛି ।

ସୋସିଆଲ ନେଟୱାର୍କରେ ନିଜର ଉପସ୍ଥିତି ଜାହିର କରିବା ଉଦ୍ଦେଶ୍ୟରେ ଏହି ସଂସ୍ଥା ଚାରି ମାସ ତଳେ ଆରମ୍ଭ କରିଥିବା ଏକ ସ୍ଵତନ୍ତ୍ର ଫେସବୁକ ପେଜ ବା ପୃଷ୍ଠାକୁ ପ୍ରାୟ ୩୭ ହଜାର ଲୋକ ଲାଇକ କରିଥିବାରୁ ଯୁବ ଗ୍ରାହକଙ୍କ ସହ ଓମଫେଡ ସମ୍ପର୍କ ବୃଦ୍ଧି କରିବାରେ ସଫଳ ହୋଇଛି ।

 ନିକଟ ଭବିଷ୍ୟତରେ ରାଜଧାନୀରେ ଆଉ ଦଶଟି ଆଇସକ୍ରିମ ପାର୍ଲର ଖୋଲିବା ପାଇଁ ସରକାର ସହାୟତା ଯୋଗାଇଦେବେ ବୋଲି ଓମଫେଡ ପରିଚାଳନା ନିର୍ଦ୍ଦେଶକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

ନିକଟ ଭବିଷ୍ୟତରେ ଓମଫେଡ ରସଗୋଲା ଓ ଗୁଲାବ ଜାମୁନ ମଧ୍ୟ ବିକ୍ରୟ ଆରମ୍ଭ କରିବା ବୋଲି ସେ କହିଛନ୍ତି ।  ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେଠୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଓମଫେଡ ଜନସାଧାରଣଙ୍କ ଅଧିକ ବିଶ୍ଵାସଭଜନ ହୋଇପାରିଛି ।

ଓଡିଶା ଡଟ କମ
ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଓମଫେଡ, ପ୍ରିମିୟମ କ୍ଷୀର, ବିଷ୍ଣୁପଦ ସେଠୀ

ଆଇବିଏମକୁ ବେଆଇନ ଲୁହାପଥର ପୋତା ମାମଲାର ତଦନ୍ତ ନିର୍ଦ୍ଦେଶ

October 17, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ଅକ୍ଟୋବର ୧୭ , (ଓଡିଶା ଡଟ୍ କମ୍):ସୁନ୍ଦରଗଡ ଜିଲ୍ଲାର ଏକ ରେଲୱେ ସାଇଡିଙ୍ଗ ନିକଟରେ ପ୍ରାୟ ତିରିଶ ହଜାର ଟନରୁ ଅଧିକ ଲୁହା ପଥର ବେଆଇନ ଭାବେ ଲୁଚାଇ ରଖାଯାଇଥିବା ଅଭିଯୋଗ ପରେ କେନ୍ଦ୍ର ସରକାର ଇଣ୍ଡିଆନ ବ୍ୟୁରୋ ଅଫ ମାଇନସକୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାର କୋଇଡା ଅଞ୍ଚଳରେ ଥିବା ରେଞ୍ଡ଼ା ରେଲୱେ ସାଇଡିଂ ନିକଟରେ ପ୍ରାୟ ଦୁଇଶହ କୋଟି ଟଙ୍କାର ଏହି ଲୁହାପଥର ମାଟି ତଳେ ପୋତି ରଖାଯାଇଥିବା ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ତଥା ଶ୍ରମିକ ସଂଗଠନ ଅଭିଯୋଗ କଲାପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ଲୋକ ସଭା ସାଂସଦ ଜୁଏଲ ଓରାମ ଉକ୍ତ ଅଞ୍ଚଳ ଗସ୍ତ କରି ଏହାର ତଦନ୍ତ ଦାବିକରିଥିଲେ ।

ଓରାମ ରାଜ୍ୟର ଖଣି ଉପନିର୍ଦେଶକ, ଉପଜିଲ୍ଲାପାଳ, ଜିଲ୍ଲାପାଳ ତଥା ରାଜ୍ୟ ଖଣି ସଚିବ ଇତ୍ୟାଦିଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ପରାମର୍ଶ ଦେଇଥିଲେ । ଜୁଏଲଙ୍କ ଦାବି ପରେ ସ୍ଥାନୀୟ ଖଣି ଉପନିର୍ଦେଶକ ଏହି ସାଇଡିଙ୍ଗ ରେ କୌଣସି ଅନିୟମିତତା ହୋଇନଥିବା ଦର୍ଶାଇଥିଲେ ।

ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ “ସେମିତି କିଛି ହୋଇନାହିଁ, କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ମିଥ୍ୟା ଓ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ” ବୋଲି କହିଥିଲେ । ତେବେ କିପରି ଏତେ ପରିମାଣର ଲୁହା ପଥର ସାଇଡିଂ ନିକଟରେ ରହିଛି ସେ ସଙ୍କ୍ରାନ୍ତରେ ସେମାନେ କିଛି କହି ନଥିଲେ ।

ତେବେ ରାଜ୍ୟ ଖଣି ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଓରାମ ତୀବ୍ର ପ୍ରତିକ୍ରିୟା ପ୍ରକାଶକରିଥିଲେ । ଅଭିଯୋଗ ମିଥ୍ୟା ପ୍ରମାଣିତ ହେଲେ ସେ ରାଜନୀତି ଛାଡିଦେବେ ବୋଲି କହି ସେ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ କେନ୍ଦ୍ରୀୟ ଦଳ ପଠାଇବାକୁ ଅନୁରୋଧ କରିଥିଲେ।

ଓରାମଙ୍କ ପତ୍ର ପାଇବା ପରେ କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଶୁକ୍ରବାର ଇଣ୍ଡିଆନ ବ୍ୟୁରୋ ଅଫ ମାଇନସକୁ ଘଟଣା ସ୍ଥଳ ପରିଦର୍ଶନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଜୁଏଲ ଓରାମ, ବେଆଇନ ଲୁହାପଥର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 11
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ