ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଜୁଲାଇ ୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ବରିଷ୍ଠ ଆଇପିଏସ୍ ଅଫିସର ପ୍ରକାଶ ମିଶ୍ର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।
କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପ୍ରଥମେ ତାଙ୍କୁ ଗାର୍ଡ଼ ଅଫ୍ ଅର୍ନର ପ୍ରଦାନ କରାଯିବା ପରେ ବରିଷ୍ଠ ଅଧିକାରୀଙ୍କ ଗହଣରେ ନିଜ କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମାଓବାଦୀ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ମିଶ୍ର କହିଛନ୍ତି ।
୧୯୭୭ ବ୍ୟାଚ୍ ଆଇପିଏସ୍ ଅଫିସର ମିଶ୍ର ୨୦୧୦ରୁ କେନ୍ଦ୍ରକୁ ଡେପୁଟେସନ୍ ରେ ଯାଇ ନୂଆଦିଲ୍ଲୀର ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ(ଏନ୍ଡ଼ିଆର୍ଏଫ୍)ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।
୧୯୫୬ ଫେବୃୟାରୀ ୨୯ରେ ପୁରୀରେ ଜନ୍ମଗ୍ରହଣ କରିଥିବା ମିଶ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସ୍ପି ଭାବରେ ଏବଂ ଡିଆଇଜି ଓ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ସରକାର ଗତ ମଙ୍ଗଳବାର ମିଶ୍ରଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ ।
ଗୁରୁବାର ସଂଧ୍ୟାରେ ମିଶ୍ର ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ବିଭାଗର ଅଫିସରମାନଙ୍କୁ ଦକ୍ଷତା ଅନୁଯାୟୀ ଦାୟିତ୍ୱ ଦିଆଯିବା ସହ ଭଲ ଅଫିସର ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ବିମାନବନ୍ଦରରେ ମିଶ୍ର ସାମ୍ବାଦିକଙ୍କୁ କହିଥିଲେ ।
ଓଡ଼ିଶା ଡ଼ଟ୍ କମ୍