ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅଗଷ୍ଟ ୧୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ପ୍ରଥମ ଥର ପାଇଁ କଟକ ଟ୍ରାଫିକ୍ ପୋଲିସ ଥାନାରେ ନିଃଶୁଳ୍କ ଟେଲିଫୋନ୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି ।
ଶୁକ୍ରବାର ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ମିଶ୍ର ଏହି ବ୍ୟବସ୍ଥା କରିଥିବା ବେଳେ ଟେଲିଫୋନ୍ କୋଡ୍ ୧୦୯୫ରେ ଏହି ନିଃଶୁଳ୍କ ଟେଲିଫୋନ୍ ବ୍ୟବସ୍ଥା ଉପଲବ୍ଧ ହୋଇପାରିବ । ଏହାଦ୍ୱାରା ଜନସାଧାରଣଙ୍କ ଟ୍ରାଫିକ୍ ସମସ୍ୟାର ସମାଧାନ ହେବା ସହ ଟ୍ରାଫିକ୍ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ମିଶ୍ର କହିଛନ୍ତି ।
ଯେକୌଣସି ଟ୍ରାଫିକ୍ ସମସ୍ୟା ସଂପର୍କରେ କୌଣସି ବ୍ୟକ୍ତିଙ୍କ ନଜରକୁ ଆସିଲେ ସେ ବିନା ଦେୟରେ ଏହି ଟେଲିଫୋନ୍ ନମ୍ବର ମାଧ୍ୟମରେ ଯୋଗାଯୋଗ କରିପାରିବେ । ଟେଲିଫୋନ୍ କରୁଥିବା ବ୍ୟକ୍ତି ଏବଂ ଟେଲିଫୋନ୍ ରିସିଭ୍ କରିଥିବା ପୋଲିସ କର୍ମଚାରୀଙ୍କ କଥାବାର୍ତା କମ୍ପ୍ୟୁଟର ସାହାଯ୍ୟରେ ରେକର୍ଡିଂ କରାଯିବ ।
ଏଥିରେ ଟେଲିଫୋନ୍ କରୁଥିବା ବ୍ୟକ୍ତିଙ୍କ ଫୋନ୍ ନମ୍ବର ମଧ୍ୟ ରେକର୍ଡିଂ ହେବାର ବ୍ୟବସ୍ଥା ରହିଛି । ଟେଲିଫୋନ୍ କରିଥିବା ବ୍ୟକ୍ତି ଯେଉଁ ଥାନା ଅଂଚଳରେ ଟ୍ରାଫିକ୍ ସମସ୍ୟା ଉପସ୍ଥାପନ କରିଥିବେ ସେହି ଥାନା ମୋବାଇଲ୍ ଭ୍ୟାନ୍, ପିସିଆର ମୋବାଇଲ୍ ଭ୍ୟାନ୍ ଏବଂ ଟ୍ରାଫିକ୍ ମୋବାଇଲ୍ ଭ୍ୟାନ୍କୁ ଟେଲିଫୋନ୍ ରିସିଭ୍ କରିଥିବା ପୋଲିସ କର୍ମଚାରୀ ତତ୍କ୍ଷଣାତ୍ ୱାରଲେସ୍ ସାହାଯ୍ୟରେ ଜଣାଇବେ ।
ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟ ବିଚାରପତି ବିମଳ ପ୍ରସାଦ ଦାସ ଓ ମଦନ ମୋହନ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକ ଟ୍ରାଫିକ୍ ପୋଲିସ ଥାନାରେ ଏକ ନିଃଶୁଳ୍କ ଟେଲିଫୋନ୍ ବ୍ୟବସ୍ଥା କରି ଜନସାଧାରଣଙ୍କ ଟ୍ରାଫିକ୍ ସମସ୍ୟାରେ ସୁଧାର ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply