ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଳପଥ ସୁରକ୍ଷା
ବଳ(ଆର୍ପିଏଫ୍) ଆଇନ ସଂଶୋଧନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିଛନ୍ତି ।
ଗୋଟିଏ ପରେ ଗୋଟିଏ ବିଷୟରେ କେନ୍ଦ୍ର ସରକାର ରାଜ୍ୟର କ୍ଷମତାରେ ହସ୍ତକ୍ଷେପ କରୁଥିବା ଦର୍ଶାଇ
ନବୀନ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ପତ୍ର ଲେଖିଛନ୍ତି ।
କେନ୍ଦ୍ର ରେଳବାଇ ମନ୍ତ୍ରାଳୟ ଆର୍ପିଏଫ୍ ଆଇନରେ ସଂଶୋଧନ କରିବାକୁ ଯାଉଥିବା ବିଷୟ ଜାତୀୟ ଗଣମାଧ୍ୟମରୁ ଜାଣିବାକୁ ପାଇଲି ଏବଂ ଏହି ପ୍ରସ୍ତାବକୁ ଗୃହ, ଆଇନ ଏବଂ ନ୍ୟାୟିକ ମନ୍ତ୍ରାଳୟ ଅନୁମୋନ କରିସାରିଛନ୍ତି । ପ୍ରସ୍ତାବିତ ଆଇନ ସଂଶୋଧନ ସମ୍ବିଧାନର ଧାରା ୨୪୬ର ବିରୁଦ୍ଧାଚରଣ କରୁଛି ବୋଲି ସେ ପତ୍ରରେ ଦର୍ଶାଇଛନ୍ତି ।
ଆଇନଶୃଙ୍ଖଳା ଓ ପୋଲିସ ରାଜ୍ୟର ବିଷୟ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ
କେନ୍ଦ୍ରୀୟ ତାଲିକାରେ ସଂଶୋଧନ କରିବା ସଂପୂର୍ଣ୍ଣ ରାଜ୍ୟ କ୍ଷମତା ଉପରେ ହସ୍ତକ୍ଷେପ ।
ପ୍ରସ୍ତାବିତ ସଂଶୋଧନରେ ରେଳବାଇ ସୁରକ୍ଷା ଯବାନ ମାନଙ୍କୁ ପୋଲିସ କ୍ଷମତା ଦେବାର ବ୍ୟବସ୍ଥା ରହିଛି ଓ ଏହା ଭାରତୀୟ ପୋଲିସ ଆଇନର ଉଲଂଘନ, ସେ କହିଛନ୍ତି ।
ତଦନ୍ତ ଏବଂ ଗିରଫ କରିବା ଉଦ୍ଦେଶ୍ୟରେ ଆର୍ପିଏଫ୍ ଯବାନ ମାନଙ୍କୁ ପୋଲିସ ଅଫିସର କ୍ଷମତା
ଦିଆଯାଇଛି ଯାହା ଗ୍ରହଣଯୋଗ୍ୟ ନୁହେଁ । ସଂଘୀୟ ବ୍ୟବସ୍ଥାରେ ରାଜ୍ୟର କ୍ଷମତା ଉପରେ ହସ୍ତକ୍ଷେପ
ଦେଶର ଜନସାଧାରଣଙ୍କ ସ୍ୱାଥଁ ବିରୋଧୀ । ତେଣୁ ଏହି ବିଷୟରେ ହସ୍ତକ୍ଷେପ କରିବାକୁ ନବୀନ
ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍