ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) ଲକ୍ଷ୍ମୀପୁର ବିଧାୟକ ଝିନ୍ ହିକ୍କାଙ୍କ ମୁକ୍ତି ପାଇଁ କରାଯାଇଥିବା ଦାବି ମୁତାବକ ବନ୍ଦୀ ମାନଙ୍କୁ ଜାମିନ ବଦଳରେ ସେମାନଙ୍କ ମାମଲା ପ୍ରତ୍ୟାହାର କରିବାକୁ ମାଓବାଦୀମାନେ ଦାବି କରିଛନ୍ତି ।
ସରକାର ଜାମିନ ଆବେଦନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଜେଲ୍ ରେ ଥିବା ଚାଷୀମୂଲିଆ ଆଦିବାସୀ ସଂଘର କର୍ମକର୍ତା ଓ ମାଓ କର୍ମୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବାକୁ ମାଓବାଦୀମାନେ ଦାବି କରିଥିବା ଶନିବାର ସେମାନଙ୍କ ଓକିଲ ନିହାର ରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ।
ତେଣୁ ଜାମିନ ପାଇଁ ଏ ଦିଗରେ ସେ ଆଲତରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି କହିଛନ୍ତି । ୩୨୧ ଧାରା ଅନୁଯାୟୀ ସରକାରଙ୍କ ପକ୍ଷରୁ ଏ ଦିଗରେ ପଦକ୍ଷେପ ନେବାପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସେ କହିଛନ୍ତି ।
ତେବେ ସର୍ତ ଅନୁଯାୟୀ ଘୋଷଣା କରାଯାଇଥିବା ୨୩ଜଣ ଖଲାସ ପାଇଁ ଜାମିନ ଆବେଦନ କଲେ ସରକାର ସାହାଯ୍ୟ କରିବେ ଏବଂ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଗୃହ ସଚିବ ବାରମ୍ବାର ଗଣମାଧ୍ୟମକୁ କହୁଛନ୍ତି ।
ବିଧାୟକଙ୍କୁ ନିରାପଦରେ ମୁକ୍ତ କରିବା ପାଇଁ ସେ ସରକାରଙ୍କ ପକ୍ଷରୁ ମାଓ ସଂଗଠନର ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିକୁ ନିବେଦନ କରିଛନ୍ତି ।
ଦାବି ଅନୁଯାୟୀ ଚାଷୀମୂଲିଆ ଆଦିବାସୀ ସଂଘର ୧୫ଜଣ ସଦସ୍ୟଙ୍କୁ ସରକାର ଖଲାସ କରିବାକୁ ଘୋଷଣା କରିଥିବାରୁ ସେମାନଙ୍କ ପରିବାର ଲୋକେ ଗତ ୫ିନ ଧରି ନାରାୟଣପାଟଣା ସ୍ଥିତ ବାଲିପେଟାରେ ଅପେକ୍ଷା କରି ରହିଛନ୍ତି ।
ବିଧାୟକଙ୍କ ମୁକ୍ତି ପାଇଁ ୨୭ ଜଣଙ୍କୁ ଖଲାସ କରିବାକୁ ସରକାର ଘୋଷଣା କରିଥିବା ବେଳେ ଏହା ସହ ଅନ୍ୟ ପାଞ୍ଚ ଜଣଙ୍କୁ ଖଲାସ କରିବାକୁ ଆନ୍ଧ୍ର-ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ପୂର୍ବରୁ ଦାବି କରିଛି ।
ତେବେ ଶୁକ୍ରବାର ମୁଖ୍ୟମନ୍ତ୍ରୀ କୋରାପୁଟ ଗସ୍ତରେ ସାଂସଦ, ବିଧାୟକ ଏବଂ ହିକକାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ବିଜେଡ଼ି ବିଧାୟକ ହିକକାଙ୍କୁ ଅପହରଣ କରିନେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍