ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ସୋମବାର ରାଜ୍ୟରେ ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡ଼ାକରା ଯୋଗୁଁ କେତେକ ସ୍ଥାନରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ପୋଲିସ କହିଛି ।
ଗତ ୧୬ ତାରିଖ ଠାରୁ ମାଲକାନଗିରି ଜିଲ୍ଲାପାଳ ଆର୍.ଭିନିଲ କ୍ରିଷ୍ଣା ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମାଝୀଙ୍କୁ ଅପହରଣ କରିନେଇଥିବା ମାଓବାଦୀମାନେ ଦାବି ପୂରଣ ନିମନ୍ତେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଏହି ବନ୍ଦ ଡ଼ାକରା ଦେଇଛନ୍ତି ।
ମାଓବାଦୀ ଅପରେଶନ ବନ୍ଦ କରିବା, ରାଜନୈତିକ ବନ୍ଦୀ ମାନଙ୍କୁ ଖଲାସ କରିବା ତଥା ପୋଲିସ ହେପାଜତରେ
ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି ।
ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ଗଜପତି ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସଂପୃକ୍ତ ଜିଲ୍ଲାର ଗ୍ରାମାଞ୍ଚଳରେ ଦୋକାନ ବଜାର ଓ ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି ।
ଓଡିଶା ଡଟ୍ କମ୍
Leave a Reply